11.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ସ୍ଥାୟୀ ସୁଖ ଏବଂ ଶାନ୍ତିର ରାସ୍ତା ବତାଇବା, ଶାନ୍ତିରେ ରୁହ ଏବଂ
ଶାନ୍ତିର ବକ୍ସିସ୍ (ପୁରସ୍କାର) ଦିଅ ।”
ପ୍ରଶ୍ନ:-
କେଉଁ ଗୁହ୍ୟ (ଗହନ)
ରହସ୍ୟକୁ ବୁଝିବା ପାଇଁ ବେହଦର ବୁଦ୍ଧି ଦରକାର?
ଉତ୍ତର:-
ଡ୍ରାମାର ଯେଉଁ ଦୃଶ୍ୟ ଯେତେବେଳେ ଚାଲିବାର ଥିବ, ସେହି ସମୟରେ ହିଁ ଚାଲିବ । ଏହାର ନିର୍ଦ୍ଧାରିତ
ଅବଧି (ସମୟ)ରହିଛି, ବାବା ମଧ୍ୟ ନିଜର ନିର୍ଦ୍ଧାରିତ ସମୟରେ ଆସୁଛନ୍ତି, ଏଥିରେ ଗୋଟିଏ ସେକେଣ୍ଡର
ମଧ୍ୟ ଫରକ ପଡିପାରିବ ନାହିଁ । ସମ୍ପୂର୍ଣ୍ଣ ୫ ହଜାର ବର୍ଷ ପରେ ବାବା ଆସି ପ୍ରବେଶ କରୁଛନ୍ତି,
ଏହି ଗୁହ୍ୟ ରହସ୍ୟକୁ ବୁଝିବା ପାଇଁ ବେହଦର ବୁଦ୍ଧି ଦରକାର ।
ଗୀତ:-
ବଦଲ ଯାଏ ଦୁନିଆ
ନ ବଦଲେଙ୍ଗେ ହମ୍...
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କୁ ଆତ୍ମିକ ପିତା ପରମାତ୍ମା ବସି ବୁଝାଉଛନ୍ତି । ପିଲାମାନଙ୍କୁ ଶାନ୍ତିଧାମ ଓ
ସୁଖଧାମର ରାସ୍ତା ବତାଉଛନ୍ତି । ଏହି ସମୟରେ ସମସ୍ତ ମନୁଷ୍ୟ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି ।
ପ୍ରତ୍ୟେକ ବ୍ୟକ୍ତିଗତ ଭାବରେ ମଧ୍ୟ ଚାହୁଁଛନ୍ତି ଏବଂ ବିଶ୍ୱରେ ମଧ୍ୟ ଶାନ୍ତି ଚାହୁଁଛନ୍ତି ।
ପ୍ରତ୍ୟେକ କହୁଛନ୍ତି ମନର ଶାନ୍ତି ଦରକାର । ତେବେ ତାହା ମଧ୍ୟ ମିଳିବ କେଉଁଠୁ । ଶାନ୍ତିର ସାଗର
ତ ଏକମାତ୍ର ବାବା ହିଁ ଅଟନ୍ତି, ଯାହାଙ୍କଠାରୁ ବର୍ସା ଅର୍ଥାତ୍ ସମ୍ପତ୍ତି ମିଳିପାରିବ ।
ବ୍ୟକ୍ତିଗତ ଭାବେ ମଧ୍ୟ ମିଳୁଛି ଏବଂ ହୋଲ୍ସେଲ୍ରେ (ସାମୁହିକ ଭାବରେ) ମଧ୍ୟ ମିଳୁଛି, ଅର୍ଥାତ୍
ସମସ୍ତଙ୍କୁ ମିଳୁଛି । ଯେଉଁ ସନ୍ତାନମାନେ ପାଠ ପଢୁଛନ୍ତି ସେମାନେ ଜାଣି ପାରୁଛନ୍ତି ଯେ, ଆମେ
ଶାନ୍ତିର ବର୍ସା ନେବା ପାଇଁ ନିଜେ ବି ପୁରୁଷାର୍ଥ କରୁଛୁ, ଏବଂ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା
ବତାଉଛୁ । ବିଶ୍ୱରେ ଶାନ୍ତି ତ ନିଶ୍ଚୟ ହେବ । ଚାହେଁ କେହି ବର୍ସା ନେବାକୁ ଆସନ୍ତୁ ବା ନ ଆସନ୍ତୁ
। ପିଲାମାନଙ୍କର କର୍ତ୍ତବ୍ୟ ହେଉଛି, ସମସ୍ତ ସନ୍ତାନମାନଙ୍କୁ ଶାନ୍ତି ଦେବା । ଏକଥା ବୁଝିପାରୁ
ନାହାଁନ୍ତି ଯେ ୨-୪ ଜଣଙ୍କୁ ବର୍ସା ମିଳିଲେ କ’ଣ ହେବ । କାହା କାହାକୁ ରାସ୍ତା ଦେଖାଇଲେ ମଧ୍ୟ
ନିଶ୍ଚୟ ନ ହେବା କାରଣରୁ ଅନ୍ୟମାନଙ୍କୁ ନିଜ ସମାନ କରିପାରୁନାହାଁନ୍ତି । ଯେଉଁମାନଙ୍କର ନିଶ୍ଚୟ
ବୁଦ୍ଧି ଅଛି ସେମାନେ ଭାବୁଛନ୍ତି ବାବାଙ୍କଠାରୁ ଆମକୁ ବର ମିଳୁଛି । ବରଦାନ ଦେଇଥା’ନ୍ତି ନା -
ଆୟୁଷ୍ମାନ ଭବ, ଧନବାନ୍ ଭବ କହିଥା’ନ୍ତି । କେବଳ କହିଦେଲେ ତ ଆଶୀର୍ବାଦ ମିଳି ପାରିବ ନାହିଁ ।
ଯେଉଁମାନେ ଆଶୀର୍ବାଦ ମାଗୁଛନ୍ତି ସେମାନଙ୍କୁ ବୁଝାଇ ଦିଆଯାଉଛି ଯେ ଯଦି ତୁମକୁ ଶାନ୍ତି ଦରକାର
ତେବେ ଏହିଭଳି ପୁରୁଷାର୍ଥ କର । ମେହନତ ବା ପରିଶ୍ରମ ଦ୍ୱାରା ସବୁ କିଛି ମିଳି ପାରିବ ।
ଭକ୍ତିମାର୍ଗରେ କେତେ ଆଶୀର୍ବାଦ ନେଇଥା’ନ୍ତି । ମା, ବାପା, ଶିକ୍ଷକ, ଗୁରୁ ଆଦି ସମସ୍ତଙ୍କଠାରୁ
ମାଗିଥା’ନ୍ତି - ଯେପରି ଆମେ ସୁଖୀ ଏବଂ ଶାନ୍ତ ରହିପାରିବୁ । କିନ୍ତୁ ରହିପାରିବେ ନାହିଁ କାହିଁକି
ନା ଏତେ ଢେର ମନୁଷ୍ୟ ଅଛନ୍ତି, ସେମାନଙ୍କୁ ସୁଖ-ଶାନ୍ତି କିପରି ମିଳିପାରିବ । ଗାୟନ ମଧ୍ୟ
କରିଥା’ନ୍ତି - ଶାନ୍ତି ଦେବା ଅର୍ଥାତ୍ ଶାନ୍ତିର ଦାତା । ବୁଦ୍ଧିରେ ଆସେ - ହେ ପରମପିତା
ପରମାତ୍ମା, ଆମକୁ ଶାନ୍ତିର ବକ୍ସିସ୍ ଦିଅ । ବାସ୍ତବରେ ବକ୍ସିସ୍ ଅର୍ଥାତ୍ ପୁରସ୍କାର ତାକୁ
କୁହାଯାଏ ଯାହାକୁ ସ୍ଥୁଳ ଆକାରରେ ଦିଆଯାଇଥାଏ । କହିଥା’ନ୍ତି ଏହା ହେଉଛି ତୁମ ପାଇଁ ବକ୍ସିସ୍
ବା ପୁରସ୍କାର । ବାବା କହୁଛନ୍ତି କେହି କେତେ ବି ଧନ-ସମ୍ପତ୍ତିର ଘର-ଦ୍ୱାରର, ବସ୍ତ୍ର ଆଦିର ବକ୍ସିସ୍
ଦିଅନ୍ତୁ କିନ୍ତୁ ତାହା ହେଉଛି ଅଳ୍ପକାଳ ପାଇଁ ଦାନ-ପୁଣ୍ୟ । ଯାହାକି ମନୁଷ୍ୟ, ମନୁଷ୍ୟକୁ
ଦେଇଥା’ନ୍ତି । ସାହୁକାର ଗରୀବଙ୍କୁ ଅଥବା ସାହୁକାର, ସାହୁକାରଙ୍କୁ ଦେଇ ଆସୁଛନ୍ତି । କିନ୍ତୁ ଏହା
ତ ହେଉଛି ସ୍ଥାୟୀ ସୁଖ ଏବଂ ଶାନ୍ତିର ବକସିସ୍ । ଏଠାରେ ତ କେହି ଗୋଟିଏ ଜନ୍ମ ପାଇଁ ବି
ସୁଖ-ଶାନ୍ତି ଦେଇ ପାରିବେ ନାହିଁ କାହିଁକି ନା ତାହା ସେମାନଙ୍କ ପାଖରେ ହିଁ ନାହିଁ । ଦାତା ତ
ଏକମାତ୍ର ବାବା ହିଁ ଅଟନ୍ତି । ତାଙ୍କୁ ସୁଖ-ଶାନ୍ତି-ପବିତ୍ରତାର ସାଗର କୁହାଯାଏ । ଶ୍ରେଷ୍ଠରୁ
ଶ୍ରେଷ୍ଠ ଭଗବାନଙ୍କର ହିଁ ମହିମାର ଗାୟନ କରାଯାଏ । ସମସ୍ତେ ଜାଣିଛନ୍ତି ଯେ କେବଳ ତାଙ୍କଠାରୁ
ହିଁ ଶାନ୍ତି ମିଳିପାରିବ । ପୁଣି ସେମାନେ ସାଧୁ-ସନ୍ଥ ଆଦିଙ୍କ ପାଖକୁ ଯାଇଥା’ନ୍ତି କାରଣ ଏହା
ଭକ୍ତିମାର୍ଗ ଅଟେ ନା, ତେଣୁ ଏଣେତେଣେ ଘୂରି ବୁଲିଥା’ନ୍ତି । ସେସବୁ ହେଲା ଅଳ୍ପକାଳର ପୁରୁଷାର୍ଥ
। ତୁମ ସନ୍ତାନମାନଙ୍କର ଏବେ ସେସବୁ ବନ୍ଦ ହୋଇଯାଇଛି । ତୁମେ ଲେଖୁଛ ମଧ୍ୟ ବେହଦ ବାବାଙ୍କଠାରୁ
ଶତ ପ୍ରତିଶତ ପବିତ୍ରତା, ସୁଖ, ଶାନ୍ତିର ବର୍ସା ପାଇପାରିବ । ଏଠାରେ ତ ଶତ ପ୍ରତିଶତ ଅପବିତ୍ରତା,
ଦୁଃଖ, ଅଶାନ୍ତି ରହିଛି । କିନ୍ତୁ ମନୁଷ୍ୟମାନେ ବୁଝିପାରୁ ନାହାଁନ୍ତି । କହୁଛନ୍ତି ଋଷି-ମୁନି
ଆଦି ତ ପବିତ୍ର ଅଟନ୍ତି । କିନ୍ତୁ ସେମାନଙ୍କର ଜନ୍ମ ତ ବିଷ ଅର୍ଥାତ୍ ବିକାର ଦ୍ୱାରା ହେଉଛି ନା
। ଏହା ହିଁ ହେଉଛି ମୂଳକଥା । ରାବଣ ରାଜ୍ୟରେ ପବିତ୍ରତା ରହିପାରିବ ନାହିଁ । ଏକମାତ୍ର ବାବା ହିଁ
ହେଉଛନ୍ତି ପବିତ୍ରତା-ସୁଖ ଇତ୍ୟାଦିର ସାଗର ।
ତୁମେମାନେ ଜାଣିଛ ଆମକୁ
ଶିବବାବାଙ୍କଠାରୁ ୨୧ ଜନ୍ମ ଅର୍ଥାତ୍ ଅଧାକଳ୍ପ ୨୫୦୦ ବର୍ଷ ପାଇଁ ବର୍ସା ମିଳୁଛି । ଏହା ତ
ନିଶ୍ଚିତ ଅଟେ । ଅଧାକଳ୍ପ ହେଉଛି ସୁଖଧାମ, ଅଧାକଳ୍ପ ଦୁଃଖଧାମ । ସୃଷ୍ଟିର ଦୁଇଟି ଭାଗ ରହିଛି -
ଗୋଟିଏ ନୂଆ, ଅନ୍ୟଟି ପୁରୁଣା । କିନ୍ତୁ ନୂଆ କେବେ ହେଉଛି, ପୁରୁଣା କେବେ ହେଉଛି ଏକଥା କେହି
ଜାଣି ନାହାଁନ୍ତି । କଳ୍ପ ବୃକ୍ଷର ଆୟୁଷ ସମ୍ବନ୍ଧରେ ଏତେ ସଠିକ୍ ଭାବରେ କେହି କହିପାରିବେ ନାହିଁ
। ଏବେ ବାବାଙ୍କ ଦ୍ୱାରା ତୁମେ ଏହି ବୃକ୍ଷକୁ ଜାଣୁଛ । ଏହା ୫ ହଜାର ବର୍ଷର ପୁରୁଣା ବୃକ୍ଷ ଅଟେ,
ଏହାର ସଠିକ୍ ଆୟୁଷ ବିଷୟରେ ତୁମକୁ ଜଣା ଅଛି, ଅନ୍ୟ ଯେଉଁ ସବୁ ବୃକ୍ଷ ରହିଛି ସେମାନଙ୍କର ଆୟୁଷ
କାହାକୁ ଜଣା ନ ଥାଏ, ତେଣୁ ଅନୁମାନ କରି କହିଦିଅନ୍ତି । ତୋଫାନ ଆସିଲା, ବୃକ୍ଷ ଉପୁଡିଗଲା, ଆୟୁଷ
ଶେଷ ହୋଇଗଲା । ମନୁଷ୍ୟମାନଙ୍କର ମଧ୍ୟ ଅଚାନକ ମୃତ୍ୟୁ ହୋଇଯାଉଛି । ଏହି ବେହଦ ବୃକ୍ଷର ଆୟୁଷ ପୂରା
୫ ହଜାର ବର୍ଷ ଅଟେ । ଏଥିରେ ଗୋଟିଏ ଦିନ ନା କମ୍ ନା ବେଶୀ ହୋଇପାରିବ । ଏହା ପୂର୍ବ-ପ୍ରସ୍ତୁତ
କଳ୍ପ ବୃକ୍ଷ ଅଟେ । ଏଥିରେ ଫରକ ପଡିପାରିବ ନାହିଁ । ଡ୍ରାମାରେ ଯେଉଁ ଦୃଶ୍ୟ ଯେତେବେଳେ ଚାଲିବାର
ଥିବ, ସେହି ସମୟରେ ହିଁ ଚାଲିବ । ଅବିକଳ ପୁନରାବୃତ୍ତି ହେବ । ଆୟୁଷ ମଧ୍ୟ ସଠିକ୍ ରହିଛି ।
ବାବାଙ୍କୁ ମଧ୍ୟ ନୂଆ ଦୁନିଆ ସ୍ଥାପନ କରିବା ପାଇଁ ଆସିବାକୁ ପଡିଥାଏ ଏବଂ ସିଏ ସଠିକ୍ ସମୟରେ
ଆସିଥା’ନ୍ତି । ଗୋଟିଏ ସେକେଣ୍ଡ ମଧ୍ୟ ଏଥିରେ ଫରକ ପଡିପାରିବ ନାହିଁ । ଏହା ମଧ୍ୟ ତୁମର ବେହଦ
ବୁଦ୍ଧି ହୋଇଗଲା । ତୁମେ ହିଁ ବୁଝିପାରିବ ପୂରା ୫ ହଜାର ବର୍ଷ ପରେ ବାବା ଆସି ପ୍ରବେଶ କରୁଛନ୍ତି,
ସେଥିପାଇଁ ଶିବରାତ୍ରୀ କୁହାଯାଏ । କୃଷ୍ଣଙ୍କ ପାଇଁ ଜନ୍ମାଷ୍ଟମୀ କୁହାଯାଏ । ଶିବଙ୍କର
ଜନ୍ମାଷ୍ଟମୀ କୁହନ୍ତି ନାହିଁ, ଶିବଙ୍କର ରାତ୍ରି କହନ୍ତି କାହିଁକି ନା ଯଦି ଜନ୍ମ ହେବ ତେବେ
ମୃତ୍ୟୁ ମଧ୍ୟ ହେବ । ମନୁଷ୍ୟମାନଙ୍କର ଜନ୍ମ ଦିନ କୁହାଯିବ । ଶିବଙ୍କ ପାଇଁ ସର୍ବଦା ଶିବରାତ୍ରୀ
କହିଥା’ନ୍ତି । ଦୁନିଆରେ ଏହି କଥା କାହାକୁ ଜଣା ନାହିଁ । ତୁମେ ଜାଣିଛ ଶିବରାତ୍ରୀ କାହିଁକି
କୁହାଯାଏ, ଜନ୍ମାଷ୍ଟମୀ କାହିଁକି କୁହାଯାଏ ନାହିଁ । ତାଙ୍କର ଜନ୍ମ ହେଉଛି ଦିବ୍ୟ ଏବଂ ଅଲୌକିକ,
ଯାହାକି ଆଉ କାହାର ହୋଇପାରିବ ନାହିଁ । ଏ କଥା କେହି ଜାଣି ନାହାଁନ୍ତି - ଶିବବାବା କେବେ, କିପରି
ଆସୁଛନ୍ତି, ଶିବରାତ୍ରିର ଅର୍ଥ କ’ଣ, କେବଳ ତୁମେମାନେ ହିଁ ଜାଣିଛ । ଏହା ହେଉଛି ବେହଦର ରାତ୍ରି
। ଏବେ ଭକ୍ତିର ରାତ୍ରି ଶେଷ ହୋଇ ଦିନ ହେବାକୁ ଯାଉଛି । ବ୍ରହ୍ମାଙ୍କର ରାତ୍ରି ଏବଂ ଦିନ ତେଣୁ
ପୁଣି ବ୍ରାହ୍ମଣମାନଙ୍କର ମଧ୍ୟ ହେଲା । ଏକମାତ୍ର ବ୍ରହ୍ମାଙ୍କର କ’ଣ ଖେଳ ଚାଲୁଛି କି ।
ବର୍ତ୍ତମାନ ତୁମେ ଜାଣୁଛ, ଏବେ ଦିନ ଆରମ୍ଭ ହେବାକୁ ଯାଉଛି । ପାଠ ପଢି-ପଢି ଯାଇ ନିଜ ଘରେ
ପହଞ୍ଚିବା, ପୁଣି ଦିନରେ ଆସିବା ଅର୍ଥାତ୍ ଜନ୍ମ ନେବା । ଅଧାକଳ୍ପ ଦିନ ଏବଂ ଅଧାକଳ୍ପ ରାତ୍ରିର
ଗାୟନ ରହିଛି କିନ୍ତୁ ଏକଥା କାହାର ହେଲେ ବୁଦ୍ଧିରେ ଆସୁନାହିଁ । ସେମାନେ ତ କହିବେ କଳିଯୁଗର
ଆୟୁଷ ୪୦ ହଜାର ବର୍ଷ ବାକି ଅଛି, ସତ୍ୟଯୁଗର ଆୟୁଷ ଲକ୍ଷେ ବର୍ଷ ଅଟେ ତେବେ ପୁଣି ଅଧା-ଅଧାର
ହିସାବ ହୋଇପାରିବ ନାହିଁ । କଳ୍ପର ଆୟୁଷକୁ କେହି ବି ଜାଣି ନାହାଁନ୍ତି । ତୁମେ ସାରା ବିଶ୍ୱର
ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ଏହି ସୃଷ୍ଟି ୫ ହଜାର ବର୍ଷରେ ଥରେ ଚକ୍ର ଲଗାଉଛି । ବିଶ୍ୱ ତ ରହିଛି.
ଏଥିରେ ଅଭିନୟ କରି-କରି ମନୁଷ୍ୟ ବିରକ୍ତ ହୋଇଯାଉଛନ୍ତି । ଏହା କି ପ୍ରକାର ଜନ୍ମ ମରଣର ଚକ୍ର ଅଟେ,
ଯଦି ୮୪ ଲକ୍ଷ ଜନ୍ମର ଆବାଗମନ ଅର୍ଥାତ୍ ଜନ୍ମମରଣ ଚକ୍ର ହୋଇଥା’ନ୍ତା ତେବେ ଜଣା ନାହିଁ କ’ଣ
ହୋଇଥାନ୍ତା । ନ ଜାଣିବା କାରଣରୁ କଳ୍ପର ଆୟୁଷକୁ ମଧ୍ୟ ବଢାଇ ଦେଇଛନ୍ତି । ଏବେ ତୁମେ ସନ୍ତାନମାନେ
ବାବାଙ୍କ ସମ୍ମୁଖରେ ବସି ପାଠ ପଢୁଛ । ଆନ୍ତରିକ ଖୁସିର ଅନୁଭବ ହେଉଛି - ଆମେ ବାସ୍ତବରେ ବାବାଙ୍କ
ନିକଟରେ ବସିଛୁ । ପୁରୁଷୋତ୍ତମ ସଂଗମଯୁଗକୁ ମଧ୍ୟ ନିଶ୍ଚୟ ଆସିବାକୁ ହେବ । କିନ୍ତୁ କେବେ ଆସୁଛି,
କିପରି ଆସୁଛି - ଏକଥା କେହି ବି ଜାଣି ନାହାଁନ୍ତି । ଯେହେତୁ ତୁମେ ସନ୍ତାନମାନେ ଜାଣିଛ ତେଣୁ
କେତେ ଖୁସୀରେ ଗଦ୍ଗଦ୍ ହେବା ଉଚିତ । ତୁମେ ହିଁ କଳ୍ପ-କଳ୍ପ ବାବାଙ୍କଠାରୁ ବର୍ସା ନେଉଛ ଅର୍ଥାତ୍
ମାୟା ଉପରେ ବିଜୟ ପ୍ରାପ୍ତ କରୁଛ ପୁଣି ହାରୁଛ । ଏହା ହେଉଛି ବେହଦର ହାରିବା ଏବଂ ଜିତିବା । ସେହି
ରାଜାମାନଙ୍କର ତ ବହୁତ ହାର-ଜିତ୍ ହୋଇ ଚାଲିଥାଏ । ଅନେକ ଲଢେଇ ମାନ ଲାଗି ଚାଲିଥାଏ । ଛୋଟିଆ
ଲଢେଇଟିରେ ଜିତିଗଲେ କହିଥା’ନ୍ତି ଏବେ ଆମେ ଜିତିଗଲୁ । କ’ଣ ଜିତିଲେ? ଛୋଟିଆ ସ୍ଥାନଟିକୁ ଜିତିଲେ
। ବଡ ଲଢେଇରେ ହାରିଲେ ପୁଣି ପତାକା ତଳକୁ ଖସାଇ ଦେଇଥା’ନ୍ତି । ପ୍ରଥମେ-ପ୍ରଥମେ ତ ଜଣେ ରାଜା
ଥା’ନ୍ତି ପରେ ପୁଣି ବୃଦ୍ଧି ହୋଇଚାଲିଥାଏ । ପ୍ରଥମେ-ପ୍ରଥମେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ଥିଲା ପୁଣି ଅନ୍ୟ ରାଜାମାନେ ମଧ୍ୟ ରାଜତ୍ୱ କରିବାକୁ ଲାଗିଲେ । ଆସିବାକୁ ଆରମ୍ଭ କଲେ । ଯେପରି
ପୋପ୍ଙ୍କୁ ଦେଖାନ୍ତି । ପ୍ରଥମେ ଜଣେ ଥିଲେ ପୁଣି କ୍ରମାନ୍ୱୟରେ ଅନ୍ୟ ପୋପ୍ମାନେ ମଧ୍ୟ ଗଦ୍ଦିରେ
ବସିବାକୁ ଲାଗିଲେ । କାହାର ମୃତ୍ୟୁର ତ କୌଣସି ଠିକଣା ନାହିଁ ନା ।
ତୁମେ ପିଲାମାନେ ଜାଣିଛ
ଆମକୁ ବାବା ଅମର କରୁଛନ୍ତି । ଅମରପୁରୀର ମାଲିକ କରୁଛନ୍ତି, ତେଣୁ କେତେ ଖୁସି ହେବା ଉଚିତ । ଏହା
ହେଉଛି ମୃତ୍ୟୁଲୋକ । ତାହା ହେଲା ଅମର ଲୋକ । ଏହିସବୁ କଥାକୁ ନୂଆ କେହି ବୁଝିପାରିବେ ନାହିଁ ।
ସେମାନଙ୍କୁ ଏତେ ମଜା ଲାଗିବ ନାହିଁ, ଯେତେ ପୁରୁଣାମାନଙ୍କୁ ଲାଗିବ । ଦିନକୁ ଦିନ ଆତ୍ମାମାନଙ୍କର
ବୃଦ୍ଧି ହୋଇ ଚାଲୁଛି । ନିଶ୍ଚୟ ପକ୍କା ହୋଇଯାଉଛି । ଏଥିରେ ସହନଶୀଳତା ମଧ୍ୟ ବହୁତ ରହିବା ଉଚିତ
। ଏହା ତ ଆସୁରୀ ଦୁନିଆ ଅଟେ, ଏଠାରେ ଦୁଃଖ ଦେବାରେ କେହି ଡେରି କରନ୍ତି ନାହିଁ । ତୁମର ଆତ୍ମା
କହୁଛି ଆମେ ଏବେ ବାବାଙ୍କ ଶ୍ରୀମତରେ ଚାଲୁଛୁ । ଆମେ ସଂଗମ ଯୁଗରେ ଅଛୁ । ବାକି ସମସ୍ତେ କଳିଯୁଗରେ
ଅଛନ୍ତି । ଆମେ ଏବେ ପୁରୁଷୋତ୍ତମ ହେବାକୁ ଯାଉଛୁ । ପୁରୁଷମାନଙ୍କ ମଧ୍ୟରେ ଉତ୍ତମ ପୁରୁଷ ପାଠପଢା
ଦ୍ୱାରା ହିଁ ହୋଇଥା’ନ୍ତି । ପାଠପଢା ଦ୍ୱାରା ହିଁ ଚିଫ୍ ଜଷ୍ଟିସ୍ ଆଦି ହୋଇଥା’ନ୍ତି ନା । ତୁମକୁ
ବାବା ପାଠ ପଢାଉଛନ୍ତି । ଏହି ପାଠପଢା ଦ୍ୱାରା ହିଁ ନିଜର ପୁରୁଷାର୍ଥ ଅନୁସାରେ ପଦ ପାଉଛ । ଯିଏ
ଯେତେ ପଢିବେ ସେତେ ଗ୍ରେଡ୍ (ଉଚ୍ଚପଦ) ମିଳିବ । ଏଥିରେ ରାଜତ୍ୱ କରିବାର ଗ୍ରେଡ୍ ରହିଛି । ଏମିତି
ବି ସେହି ପାଠପଢାରେ ରାଜତ୍ୱ କରିବାର ଗ୍ରେଡ୍ ନ ଥାଏ । ତୁମେ ଜାଣିଛ ଆମେ ରାଜାମାନଙ୍କର ରାଜା
ହେବାକୁ ଯାଉଛୁ । ତେଣୁ କେତେ ଆନ୍ତରିକ ଖୁସି ରହିବା ଉଚିତ । ଆମେ ଦ୍ୱି-ମୁକୁଟଧାରୀ, ବହୁତ
ଶ୍ରେଷ୍ଠ ହେଉଛୁ । ଭଗବାନ ବାବା ଆମକୁ ପାଠ ପଢାଉଛନ୍ତି । କେବେ ବି କେହି ବୁଝିପାରିବେ ନାହିଁ ଯେ
ନିରାକାର ବାବା କିପରି ଆସି ପାଠ ପଢାଉଛନ୍ତି । ମନୁଷ୍ୟ ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆପଣ ଆସି
ଆମକୁ ପାବନ କରନ୍ତୁ । ତଥାପି ବି ପାବନ ହୋଇ ନ ଥା’ନ୍ତି । ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ
। ତୁମେ ଗୋଟିଏ ପଟେ ଡାକୁଛ ଯେ ହେ ପତିତ-ପାବନ ଆସ, ଏବେ ମୁଁ ଆସି କହୁଛି ପିଲାମାନେ ପତିତ ପଣିଆ
ଛାଡିଦିଅ, ତେବେ ତୁମେ କାହିଁକି ଛାଡୁନାହଁ । ଏପରି କ’ଣ ହୁଏ କି ବାବା ତୁମକୁ ପାବନ କରାଉଥିବେ
ଏବଂ ତୁମେ ପତିତ ହେଉଥିବ । ଅନେକ ଏହିପରି ପତିତ ହେଉଛନ୍ତି । କେହି କେହି ତ ସତ୍ୟ ବତାଉଛନ୍ତି,
ବାବା ଏହି ଭୁଲ ହୋଇଗଲା । ବାବା କହୁଛନ୍ତି କୌଣସି ବି ପାପ କର୍ମ ହୋଇଗଲେ ତୁରନ୍ତ ବାବାଙ୍କୁ
କହିଦିଅ । ତେବେ କେହି ସତ୍ୟ କହିଥା’ନ୍ତି ପୁଣି କେହି ମିଥ୍ୟା କହିଥା’ନ୍ତି । କିଏ ପଚାରୁଛନ୍ତି?
ମୁଁ କ’ଣ ବସି ଜଣ-ଜଣଙ୍କର ଭିତରକୁ ଜାଣିବି କି? ଏଭଳି ତ ହୋଇପାରିବ ନାହିଁ । ମୁଁ ଆସୁଛି ହିଁ
କେବଳ ରାୟ ଦେବା ପାଇଁ । ପବିତ୍ର ନ ହେଲେ ତୁମର ହିଁ କ୍ଷତି ହେବ । ମେହନତ କରି କରି ପବିତ୍ର ହୋଇ
ପୁଣି ପତିତ ହୋଇଯିବ, ତେବେ କରିଥିବା ରୋଜଗାର ସବୁ ଖାଲି ହୋଇଯିବ । ଲଜ୍ଜା ଆସିବ ମୁଁ ନିଜେ ହିଁ
ପତିତ ହୋଇଗଲି ପୁଣି ଅନ୍ୟକୁ କିପରି କହିବି ଯେ ପବିତ୍ର ହୁଅ । ମନ ଭିତରେ ଭିତରେ ଘାରି ହୋଇଥିବ
ଯେ ମୁଁ କିଭଳି ଆଜ୍ଞାକୁ ଊଲ୍ଲଘଂନ କଲି । ଏଠାରେ ତୁମେ ସିଧାସଳଖ ବାବାଙ୍କ ସହିତ ପ୍ରତିଜ୍ଞା
କରୁଛ, ଜାଣିଛ ବାବା ଆମକୁ ସୁଖଧାମ-ଶାନ୍ତିଧାମର ମାଲିକ କରାଉଛନ୍ତି । ସିଏ ହାଜିର-ନାଜିର (ଉପସ୍ଥିତ)
ଅଛନ୍ତି, ଆମେ ତାଙ୍କର ସମ୍ମୁଖରେ ବସିଛୁ, ଏହାଙ୍କ ପାଖରେ ପୂର୍ବରୁ କ’ଣ ଏହି ଜ୍ଞାନ ଥିଲା କି ।
ନା ସେପରି କୌଣସି ଗୁରୁ ଥିଲେ - ଯିଏକି ଏହି ଜ୍ଞାନ ଦେଉଥିଲେ । ଯଦି ଗୁରୁ ଥାନ୍ତେ ତେବେ ସିଏ
କ’ଣ କେବଳ ଜଣଙ୍କୁ ଜ୍ଞାନ ଦେଇଥାନ୍ତେ । ଗୁରୁମାନଙ୍କର ତ ବହୁତ ଶିଷ୍ୟମାନେ ଥା’ନ୍ତି ନା । କ’ଣ
ଜଣେ ଥିବେ କି । ଏହା ବୁଝିବାର କଥା ନା । ସତଗୁରୁ ଜଣେ ହିଁ ଅଟନ୍ତି । ସେ ଆମକୁ ରାସ୍ତା
ବତାଉଛନ୍ତି । ଆମେ ପୁଣି ଅନ୍ୟମାନଙ୍କୁ ବତାଉଛୁ । ତୁମେ ସମସ୍ତଙ୍କୁ କହୁଛ - ବାବାଙ୍କୁ ମନେ
ପକାଅ । ବାସ୍ । ଶ୍ରେଷ୍ଠରୁ ଶ୍ରେଷ୍ଠ ବାବାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ଉଚ୍ଚ ପଦ ମିଳିବ ।
ତୁମେ ରାଜାମାନଙ୍କର ରାଜା ହେବାକୁ ଯାଉଛ । ତୁମ ପାଖରେ ଅଗଣିତ ଧନ ରହିବ । ତୁମେମାନେ ଏବେ ନିଜର
ଝୁଲା ମୁଣି ଭରୁଛ ନା । ତୁମେ ଜାଣିଛ ବାବା ଆମର ଝୁଲା ଅର୍ଥାତ୍ ଭାଗ୍ୟକୁ ଖୁବ୍ ଭରୁଛନ୍ତି ।
କୁହାଯାଏ କୁବେର ପାଖରେ ବହୁତ ଧନ ଥିଲା । ବାସ୍ତବରେ ତୁମେ ପ୍ରତ୍ୟେକେ ହେଉଛ ଜଣେ ଜଣେ କୁବେର ।
ତୁମକୁ ବୈକୁଣ୍ଠ ରୂପୀ ସମ୍ପତ୍ତି ମିଳିଯାଉଛି । ଖୁଦା ଦୋସ୍ତ ଅର୍ଥାତ୍ ଭଗବାନ ସାଥୀଙ୍କର କାହାଣୀ
ମଧ୍ୟ ରହିଛି । ତାଙ୍କୁ ଯେଉଁ ବ୍ୟକ୍ତି ପ୍ରଥମେ ମିଳୁଥିଲା ତାକୁ ଗୋଟିଏ ଦିନ ପାଇଁ ବାଦଶାହୀ
ଦେଉଥିଲେ । ଏସବୁ ଦୃଷ୍ଟାନ୍ତ ଅଟେ । ଆଲ୍ଲା ଅର୍ଥ ବାବା, ସେ ଅବଲଦୀନ ରଚନା କରୁଛନ୍ତି । ପୁଣି
ସାକ୍ଷାତ୍କାର ମଧ୍ୟ ହୋଇଥାଏ । ତୁମେ ଜାଣିଛ ବାସ୍ତବରେ ଆମେ ଯୋଗବଳ ଦ୍ୱାରା ବିଶ୍ୱର ବାଦଶାହୀ
ନେଉଛୁ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ଆସୁରୀ
ଦୁନିଆରେ ବହୁତ-ବହୁତ ସହନଶୀଳ ହୋଇ ରହିବାକୁ ପଡିବ । ଯଦି କେହି ଗାଳି ଦେଉଛି ବା ଦୁଃଖ ଦେଉଛି
ତାକୁ ମଧ୍ୟ ସହନ କରିବାକୁ ପଡିବ । ବାବାଙ୍କର ଶ୍ରୀମତକୁ କେବେ ହେଲେ ଛାଡିବାର ନାହିଁ ।
(୨) ଭଗବାନ ପ୍ରତ୍ୟକ୍ଷ
ଭାବରେ ଆମକୁ ପାବନ ହେବା ପାଇଁ ଆଜ୍ଞା ଦେଇଛନ୍ତି, ତେଣୁ କେବେହେଲେ ବି ପତିତ ହେବାର ନାହିଁ । ଯଦି
କେବେ କୌଣସି ପାପ ହୋଇଯାଉଛି, ତେବେ ଲୁଚାଇବାର ନାହିଁ ।
ବରଦାନ:-
ଏକନାମୀ ଏବଂ
ଇକୋନୋମୀ ଅର୍ଥାତ୍ ମିତବ୍ୟୟିତାର ଶିକ୍ଷା ଦ୍ୱାରା ହଲଚଲ୍ ପରିସ୍ଥିତିରେ ମଧ୍ୟ ଅଚଳ ଅଟଳ ଭବ ।
ସମୟ ଅନୁସାରେ
ବାୟୁମଣ୍ଡଳରେ ଅଶାନ୍ତି ଏବଂ ହଲଚଲ୍ ବଢି ବଢି ଚାଲିଛି, ଏହିଭଳି ସମୟରେ ଅଚଳ ଅଟଳ ସ୍ଥିତିରେ ରହିବା
ପାଇଁ ବୁଦ୍ଧିର ଲାଇନ୍ ବହୁତ କ୍ଲିୟର ଅର୍ଥାତ୍ ସ୍ୱଚ୍ଛ ରହିବା ଦରକାର । ଏଥିପାଇଁ ଯଥା ସମୟରେ
ଟଚିଙ୍ଗ୍ ଏବଂ କ୍ୟାଚିଙ୍ଗ୍ ପାୱାର ଅର୍ଥାତ୍ କୌଣସି ପ୍ରେରଣାକୁ ଗ୍ରହଣ କରିବା ଏବଂ ଅନୁଭୂତି
କରିବାର ଶକ୍ତି ଦରକାର ଯାହାକୁ ନିଜ ଭିତରେ ବୃଦ୍ଧି କରିବା ପାଇଁ ଏକନାମୀ ଏବଂ ଇକୋନାମୀ ବାଲା
ହୁଅ । ତେବେ ଏକନାମୀ ଏବଂ ଇକୋନେମୀ କରୁଥିବା ପିଲାମାନଙ୍କର ବୁଦ୍ଧିର ଲାଇଟ୍ ସର୍ବଦା କ୍ଲିୟର
ରହୁଥିବା କାରଣରୁ ବାପଦାଦାଙ୍କର ନିର୍ଦ୍ଦେଶକୁ ସହଜରେ କ୍ୟାଚ୍ କରି ଅର୍ଥାତ୍ ଗ୍ରହଣ କରି ହଲ୍ଚଲ୍
ପରସ୍ଥିତିରେ ମଧ୍ୟ ଅଚଳ ଅଟଳ ରହିଥାଆନ୍ତି ।
ସ୍ଲୋଗାନ:-
ଯଦି ସ୍ଥୂଳ ବା
ସୂକ୍ଷ୍ମ କାମନାଗୁଡିକୁ ତ୍ୟାଗ କରିବ ତେବେ ଯେକୌଣସି କଥାକୁ ସମ୍ମୁଖୀନ କରିପାରିବ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯଦି ବର୍ତ୍ତମାନ ନିଜର
ସଂକଳ୍ପର କ୍ଲାଲିଟୀ ଅର୍ଥାତ୍ ମାନକୁ ବୃଦ୍ଧି କରିବ ତେବେ କ୍ୱାଲିଟିବାଲା ଅର୍ଥାତ୍ ଯୋଗ୍ୟ
ଆତ୍ମାମାନେ ତୁମ ପାଖକୁ ଆସିବେ, ଏହାଦ୍ୱାରା ଡବଲ ସେବା ହୋଇଯିବ - ସ୍ୱର ଏବଂ ଅନ୍ୟମାନଙ୍କର ।
ସ୍ୱ ପାଇଁ ଅଲଗା ମେହନତ କରିବାକୁ ପଡିବ ନାହିଁ । ନିଜର ପୁରୁଷାର୍ଥର ପ୍ରାରବ୍ଧ ମିଳିଯିବା ଭଳି
ସ୍ଥିତିର ଅନୁଭବ ହେବ । ତେବେ ବର୍ତ୍ତମାନ ସମୟର ଶ୍ରେଷ୍ଠ ପ୍ରାରବ୍ଧ ହେଲା - ‘ନିଜେ ସର୍ବଦା
ସର୍ବ ପ୍ରାପ୍ତିରେ ସମ୍ପନ୍ନ ରହିବା ଏବଂ ଅନ୍ୟମାନଙ୍କୁ ସମ୍ପନ୍ନ କରିବା ।”