13.02.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏଠାରେ ତୁମର ସବୁକିଛି ଗୁପ୍ତ, ସେଥିପାଇଁ ତୁମକୁ କୌଣସି ବି ଆଡମ୍ବର କରିବାର ନାହିଁ, ନିଜର ନୂଆ ରାଜଧାନୀର ନିଶାରେ ରହିବାର ଅଛି” ।

ପ୍ରଶ୍ନ:-
ଶ୍ରେଷ୍ଠ ଧର୍ମ ଓ ଦୈବୀ କର୍ମର ସ୍ଥାପନା ପାଇଁ ତୁମେ ପିଲାମାନେ କେଉଁ ପରିଶ୍ରମ କରୁଛ?

ଉତ୍ତର:-
ତୁମେମାନେ ଏବେ ୫ ବିକାରକୁ ଛାଡିବାର ପରିଶ୍ରମ କରୁଛ, କାରଣ ଏହି ବିକାରଗୁଡିକ ହିଁ ସମସ୍ତଙ୍କୁ ଭ୍ରଷ୍ଟ କରିଦେଇଛି । ତୁମେମାନେ ଜାଣିଛ ବର୍ତ୍ତମାନ ସମୟରେ ସମସ୍ତେ ଦୈବୀ ଧର୍ମ ଏବଂ ଶ୍ରେଷ୍ଠ କର୍ମରୁ ଭ୍ରଷ୍ଟ ହୋଇଯାଇଛନ୍ତି । ବାବା ହିଁ ଶ୍ରୀମତ ଦେଇ ଶ୍ରେଷ୍ଠ ଧର୍ମ ଏବଂ ଶ୍ରେଷ୍ଠ ଦୈବୀ କର୍ମର ସ୍ଥାପନା କରୁଛନ୍ତି । ତୁମେମାନେ ଶ୍ରୀମତରେ ଚାଲି ବାବାଙ୍କୁ ମନେ ପକାଇ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ । ପାଠପଢ଼ା ଦ୍ୱାରା ନିଜେ ନିଜକୁ ରାଜତିଳକ ଦେଉଛ ।

ଗୀତ:-
ତୁହ୍ମେ ପାକେ ହମ୍‌ନେ...

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ପିଲାମାନେ ଏହି ଗୀତ ଶୁଣିଲେ । ଆତ୍ମିକ ପିଲାମାନେ ହିଁ କହୁଛନ୍ତି ବାବା । ପିଲାମାନେ ଜାଣିଛନ୍ତି ଏହି ବେହଦର ବାବା ହିଁ ବେହଦ ସୁଖଦାତା ଅଟନ୍ତି, ସିଏ ସମସ୍ତଙ୍କର ପିତା ଅଟନ୍ତି । ତାଙ୍କୁ ସବୁ ବେହଦର ସନ୍ତାନମାନେ ଅର୍ଥାତ୍ ଆତ୍ମାମାନେ କୌଣସି ନା କୌଣସି ରୂପରେ ମନେ ପକାଉଛନ୍ତି ପରନ୍ତୁ ତାଙ୍କୁ ଏକଥା ଜଣାନାହିଁ ଯେ, ଆମକୁ ସେହି ପରମପିତା ପରମାତ୍ମାଙ୍କଠାରୁ ବିଶ୍ୱର ବାଦଶାହୀ ମିଳୁଛି । ତୁମେ ଜାଣିଛ ବାବା ଆମକୁ ଯେଉଁ ସତ୍ୟଯୁଗୀ ବିଶ୍ୱର ବାଦଶାହୀ ଦେଉଛନ୍ତି, ତାହା ଅଟଳ ଅଖଣ୍ଡ, ଅଡୋଳ ଅଟେ, ଯାହାକି ୨୧ ଜନ୍ମ କାଏମ ରହୁଛି । ସାରା ବିଶ୍ୱ ଉପରେ ଆମର ରାଜତ୍ୱ ରହୁଛି, ଯାହାକୁ କେହି ଛଡାଇ ନେଇପାରିବେ ନାହିଁ, ଆମଠାରୁ କେହି ଲୁଟି ନେଇପାରିବେ ନାହିଁ । ଆମର ରାଜତ୍ୱ ଅଡୋଳ ଅଟେ କାରଣ ସେଠାରେ କେବଳ ଗୋଟିଏ ଧର୍ମ ରହିବ, ଦ୍ୱିତୀୟ କିଛି ବି ରହିବ ନାହିଁ । ତାହା ହେଉଛି ଅଦ୍ୱୈତ ରାଜ୍ୟ । ପିଲାମାନେ ଯେତେବେଳେ ଏହି ଗୀତ ଶୁଣୁଛନ୍ତି ସେତେବେଳେ ନିଜର ରାଜଧାନୀର ନିଶା ଆସିବା ଦରକାର ଏବଂ ଏହିପରି ଗୀତ ସବୁ ଘରେ ମଧ୍ୟ ରଖିବା ଦରକାର । ତୁମମାନଙ୍କର ସବୁକିଛି ଗୁପ୍ତ କିନ୍ତୁ ବଡ ବଡ ଲୋକମାନଙ୍କର ବହୁତ ଆଡମ୍ବର ଥାଏ । ତୁମର କୌଣସି ଆଡମ୍ବର ନାହିଁ । ତୁମେମାନେ ଦେଖୁଛ ବାବା ଯାହାଙ୍କଠାରେ ପ୍ରବେଶ କରିଛନ୍ତି ସିଏ ମଧ୍ୟ କେତେ ସାଧାରଣ ଭାବେ ରହୁଛନ୍ତି । ପିଲାମାନେ ଜାଣିଛନ୍ତି ଏଠାରେ ପ୍ରତ୍ୟେକ ମନୁଷ୍ୟ କେତେ ଅନ୍‌ରାଇଟିୟସ୍ ଅର୍ଥାତ୍ ଛି ଛି କାମ କରୁଛନ୍ତି, ସେଥିପାଇଁ ତାଙ୍କୁ ଅଜ୍ଞାନୀ କୁହାଯାଉଛି । ବୁଦ୍ଧିରେ ବିଲ୍‌କୁଲ୍ ତାଲା ପଡିଯାଇଛି । ତୁମେମାନେ କେତେ ବୁଦ୍ଧିମାନ୍ ଥିଲ, ବିଶ୍ୱର ମାଲିକ ଥିଲ । ଏବେ ମାୟା ଏତେ ଅଜ୍ଞାନୀ କରିଦେଇଛି ଯେ ତୁମେମାନେ କିଛି କାମର ନୁହଁ । ବାବାଙ୍କ ପାଖକୁ ଯିବା ପାଇଁ ଯଜ୍ଞ ତପ ଆଦି ବହୁତ କରୁଛନ୍ତି ପରନ୍ତୁ ତା’ ଦ୍ୱାରା କିଛି ମିଳୁନାହିଁ । ଭକ୍ତିମାର୍ଗରେ ଏହିପରି ଧକ୍କା ଖାଇଚାଲିଛନ୍ତି । ଦିନକୁ ଦିନ ସମସ୍ତଙ୍କର ଅକଲ୍ୟାଣ ହିଁ ହୋଇଚାଲିଛି । ଯେତେ ଯେତେ ମନୁଷ୍ୟମାନେ ତମୋପ୍ରଧାନ ହୋଇଚାଲିଛନ୍ତି, ସେତେସେତେ ଅକଲ୍ୟାଣ ହେବାର ହିଁ ଅଛି । ଋଷି ମୁନି ଯାହାଙ୍କର ଗାୟନ ରହିଛି, ସେମାନେ ପବିତ୍ର ରହୁଥିଲେ । ସେମାନେ ମଧ୍ୟ ଭଗବାନଙ୍କ ସମ୍ବନ୍ଧରେ ନେତି ନେତି ଅର୍ଥାତ୍ ମୁଁ କିଛି ଜାଣିନାହିଁ ବୋଲି କହୁଥିଲେ । ଏବେ ତମୋପ୍ରଧାନ ହୋଇଯାଇଛନ୍ତି, ତେଣୁ କହୁଛନ୍ତି ଶିବୋହମ୍ ତତ୍‌ତ୍ତ୍ୱମ୍‌, ସର୍ବବ୍ୟାପୀ ଅଟନ୍ତି, ତୁମଠାରେ ମୋ’ଠାରେ ସମସ୍ତଙ୍କଠାରେ ଭଗବାନ ଅଛନ୍ତି । ସେମାନେ କେବଳ ପରମାତ୍ମା ଶବ୍ଦ କହିଦେଉଛନ୍ତି । ପିତା ଶବ୍ଦ ତାଙ୍କ ବୁଦ୍ଧିକୁ ଆସୁନାହିଁ । ଯଦିଓ କେହି ବି କହୁଛନ୍ତି କିନ୍ତୁ ତାହା କେବଳ କଥାକୁ ମାତ୍ର । ଯଦି ପରମପିତା ବୋଲି ଜାଣିଥାଆନ୍ତେ ତେବେ ତ ବୁଦ୍ଧି ଏକଦମ୍ ଚମକି ଉଠିଥାଆନ୍ତା । ବାବା ସ୍ୱର୍ଗର ବର୍ସା ଦେଉଛନ୍ତି, ସେ ହେଉଛନ୍ତି ସ୍ୱର୍ଗୀୟ ଈଶ୍ୱରୀୟ ପିତା । ତେବେ ଆମେ ନର୍କରେ କାହିଁକି ପଡିଛୁ । ଆମେ ଏବେ ମୁକ୍ତି ଜୀବନମୁକ୍ତି କିପରି ପ୍ରାପ୍ତ କରିପାରିବୁ । ଏ କଥା କାହାର ବୁଦ୍ଧିକୁ ଆସୁ ନାହିଁ । ଆତ୍ମା ପ୍ରଥମେ ସତ୍ତ୍ୱପ୍ରଧାନ ଏବଂ ବୁଦ୍ଧିମାନ ଥାଏ ତା’ପରେ ସତ୍ତ୍ୱ ରଜୋ ତମୋରେ ଆସି ଅଜ୍ଞାନୀ ହୋଇଯାଇଥାଏ । ଯାହାର ଜ୍ଞାନ ଏବେ ତୁମମାନଙ୍କୁ ମିଳୁଛି । ବାବା ଆମକୁ ଏ ସବୁର ସ୍ମୃତି ଦେଇଛନ୍ତି । ଯେତେବେଳେ ଭାରତରେ ନୂଆ ଦୁନିଆ ଥିଲା ସେତେବେଳେ କେବଳ ଆମର ରାଜ୍ୟ ଥିଲା, ଏକମତ, ଏକ ଭାଷା, ଏକ ଧର୍ମ, ଏକ ମହାରାଜା ମହାରାଣୀଙ୍କର ରାଜ୍ୟ ଥିଲା, ପୁଣି ଦ୍ୱାପର ଯୁଗରୁ ବାମମାର୍ଗ ଆରମ୍ଭ ହେଲା । ସେବେଠାରୁ ନିଜର କର୍ମ ଉପରେ ସବୁ କିଛି ନିର୍ଭର କରିବା ଆରମ୍ଭ ହେଲା ଅର୍ଥାତ୍ କର୍ମ ଅନୁସାରେ ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ନେଇଥାଆନ୍ତି । ଏବେ ବାବା କହୁଛନ୍ତି ମୁଁ ତୁମକୁ ଏପରି କର୍ମ ଶିଖାଉଛି ଯାହାଦ୍ୱାରା ତୁମେମାନେ ୨୧ ଜନ୍ମର ରାଜତ୍ୱ ପ୍ରାପ୍ତ କରୁଛ । ଯଦିଓ ସେଠାରେ ଲୌକିକ ପିତା ମିଳୁଛନ୍ତି ପରନ୍ତୁ ସେଠାରେ ଏହି ଜ୍ଞାନ ରହିବ ନାହିଁ ଯେ, ଏହି ରାଜତ୍ୱର ବର୍ସା ବେହଦର ବାବା ଦେଇଛନ୍ତି । ପୁଣି ଦ୍ୱାପର ଯୁଗରୁ ରାବଣ ରାଜ୍ୟ ଆରମ୍ଭ ହୋଇଯାଇଥାଏ, ବିକାରୀ ସମ୍ବନ୍ଧ ଆରମ୍ଭ ହୋଇଯାଇଥାଏ । ପୁଣି କର୍ମ ଅନୁସାରେ ଜନ୍ମ ମିଳିଥାଏ । ଭାରତରେ ପୂଜ୍ୟ ରାଜା ବି ଥିଲେ ତ’ ପୂଜାରୀ ରାଜା ମଧ୍ୟ ଥିଲେ । ସତ୍ୟଯୁଗ ଏବଂ ତ୍ରେତୟା ଯୁଗରେ ସମସ୍ତେ ପୂଜ୍ୟ ଥାଆନ୍ତି । ସେଠାରେ ପୂଜା ବା ଭକ୍ତି କିଛି ହୁଏ ନାହିଁ, ପରେ ପୁଣି ଦ୍ୱାପର ଯୁଗଠାରୁ ଯେତେବେଳେ ଭକ୍ତିମାର୍ଗ ଆରମ୍ଭ ହୋଇଥାଏ ଯଥା ରାଜା ରାଣୀ ତଥା ପ୍ରଜା ପୂଜାରୀ ଏବଂ ଭକ୍ତ ହୋଇଯାଇଥା’ନ୍ତି । ସବୁଠାରୁ ବଡ ରାଜା ଯିଏକି ସୂର୍ଯ୍ୟବଂଶୀ ପୂଜ୍ୟ ଥିଲେ, ସେ ହିଁ ପୂଜାରୀ ହୋଇଯାଇଥା’ନ୍ତି ।

ଏବେ ତୁମେମାନେ ଯେଉଁ ନିର୍ବିକାରୀ ହେଉଛ, ତାହାର ପ୍ରାରବ୍ଧ ମଧ୍ୟ ୨୧ ଜନ୍ମ ପାଇଁ ରହୁଛି । ତା’ପରେ ପୁଣି ଭକ୍ତିମାର୍ଗ ଆରମ୍ଭ ହେଉଛି । ଦେବୀ-ଦେବତାମାନଙ୍କର ମନ୍ଦିର ତିଆରି କରି ପୂଜା କରୁଛନ୍ତି । ଏହା କେବଳ ଭାରତରେ ହିଁ ହୋଇଥାଏ । ୮୪ ଜନ୍ମର କାହାଣୀ ଯାହା ବାବା ଶୁଣାଉଛନ୍ତି, ତାହା ମଧ୍ୟ ଭାରତବାସୀମାନଙ୍କ ପାଇଁ । ଅନ୍ୟ ଧର୍ମାବଲମ୍ବୀମାନେ ତ’ ପରେ ଆସୁଛନ୍ତି । ଧୀରେ ଧୀରେ ବୃଦ୍ଧି ହୋଇ ହୋଇ ଢ଼େର ହୋଇଯାଉଛନ୍ତି । ଭିନ୍ନ ଭିନ୍ନ ଧର୍ମାବଲମ୍ବୀଙ୍କର ଚେହେରା ଅଲଗା ଅଲଗା, ପ୍ରତ୍ୟେକଙ୍କର କଥା ଅଲଗା ଅଲଗା ହୋଇଯାଉଛି । ରୀତି ନୀତି ମଧ୍ୟ ଭିନ୍ନ ଭିନ୍ନ ହୋଇଯାଉଛି । ଭକ୍ତିମାର୍ଗ ପାଇଁ ଭକ୍ତିର ସାମଗ୍ରୀ ମଧ୍ୟ ଦରକାର । ଯେପରି ବୀଜ ବହୁତ ଛୋଟ କିନ୍ତୁ ବୃକ୍ଷ କେତେ ବଡ ହୋଇଥାଏ । ବୃକ୍ଷର ପତ୍ର ଆଦିକୁ ଗଣନା କରିହୁଏ ନାହିଁ । ସେହିପରି ଭକ୍ତିର ମଧ୍ୟ ବହୁତ ବିସ୍ତାର ହୋଇଯାଇଥାଏ । ସେଥିପାଇଁ ଢ଼େର ଶାସ୍ତ୍ର ଆଦି ତିଆରି ହୋଇଯାଏ । ଏବେ ବାବା ପିଲାମାନଙ୍କୁ କହୁଛନ୍ତି - ଏହି ଭକ୍ତିମାର୍ଗର ସାମଗ୍ରୀ ସବୁ ସମାପ୍ତ ହୋଇଯିବ । ଏବେ ମୋତେ ଅର୍ଥାତ୍ ବାବାଙ୍କୁ ମନେ ପକାଅ । ବର୍ତ୍ତମାନ ଭକ୍ତିର ପ୍ରଭାବ ମଧ୍ୟ ବହୁତ ରହିଛି ନା । ନାଚ, ତମାଶା, ଗାୟନ, କୀର୍ତ୍ତନ ଆଦି କରି ମନୋରଞ୍ଜନ ରୀତିରେ ପାଳନ କରୁଛନ୍ତି ଏବଂ ସେଥିପାଇଁ କେତେ ଖର୍ଚ୍ଚ କରୁଛନ୍ତି । ଏବେ ବାବା କହୁଛନ୍ତି, ମୋତେ ଏବଂ ବର୍ସାକୁ ସ୍ମରଣ କର । ନିଜର ଆଦି ସନାତନ ଧର୍ମକୁ ମନେ ପକାଅ । ତୁମେମାନେ ଜନ୍ମ ଜନ୍ମାନ୍ତର ଅନେକ ପ୍ରକାରର ଭକ୍ତି କରିଆସିଛ । ସନ୍ନ୍ୟାସୀମାନେ ମଧ୍ୟ ଆତ୍ମାର ରହିବାର ସ୍ଥାନକୁ, ଅର୍ଥାତ୍ ତତ୍ତ୍ୱକୁ ପରମାତ୍ମା ବୋଲି ଭାବି ନେଇଛନ୍ତି । ସେଥିପାଇଁ ସେମାନେ ବ୍ରହ୍ମ ବା ତତ୍ତ୍ୱକୁ ହିଁ ସ୍ମରଣ କରୁଛନ୍ତି । ବାସ୍ତବରେ ସନ୍ନ୍ୟାସୀମାନେ ଯେହେତୁ ସତ୍ତ୍ୱପ୍ରଧାନ ଅଟନ୍ତି, ତେଣୁ ସେମାନେ ଜଙ୍ଗଲରେ ଯାଇ ଶାନ୍ତିରେ ରହିବା ଉଚିତ୍ । ଏପରି ନୁହେଁ କି, ସେମାନେ ବ୍ରହ୍ମରେ ଯାଇ ଲୀନ ହୋଇଯିବେ । ସେମାନେ ଭାବନ୍ତି ବ୍ରହ୍ମର ସ୍ମୃତିରେ ରହିଲେ, ଶରୀର ଛାଡିବା ପରେ ବ୍ରହ୍ମରେ ଲୀନ ହୋଇଯିବେ । ବାବା କହୁଛନ୍ତି - ବାସ୍ତବରେ ବ୍ରହ୍ମରେ ଲୀନ କେହି ହୋଇପାରିବେ ନାହିଁ । ଆତ୍ମା ତ’ ଅବିନାଶୀ ଅଟେ ନା, ତେଣୁ ଲୀନ କିପରି ହୋଇପାରିବ । ଭକ୍ତିମାର୍ଗରେ କେତେ ମୁଣ୍ଡ ପିଟୁଛନ୍ତି, କହୁଛନ୍ତି ଭଗବାନ କୌଣସି ନା କୌଣସି ରୂପରେ ନିଶ୍ଚିତ ଆସିବେ । ତେବେ କିଏ ଠିକ୍‌? ସେମାନେ କହୁଛନ୍ତି ଆମେ ବ୍ରହ୍ମ ସହିତ ଯୋଗ ଲଗାଇ ବ୍ରହ୍ମରେ ଯାଇ ଲୀନ ହୋଇଯିବୁ । ଯେଉଁମାନେ ଗୃହସ୍ଥରେ ରହୁଛନ୍ତି ସେମାନେ ମଧ୍ୟ କହନ୍ତି ଭଗବାନ କୌଣସି ନା କୌଣସି ରୂପରେ ପତିତମାନଙ୍କୁ ପାବନ କରିବାକୁ ଆସିବେ । ଏପରି ନୁହେଁ କି ଉପରୁ ପ୍ରେରଣା ଦ୍ୱାରା ଶିଖାଇବେ । ଶିକ୍ଷକମାନେ କ’ଣ ଘରେ ବସି ପ୍ରେରଣା କରିବେ କି! ବାସ୍ତବରେ ପ୍ରେରଣା ଶବ୍ଦ କିଛି ନାହିଁ । ପ୍ରେରଣା ଦ୍ୱାରା କିଛି କାମ ହୁଏ ନାହିଁ । ଯଦିଓ କହନ୍ତି ଶଙ୍କରଙ୍କ ପ୍ରେରଣା ଦ୍ୱାରା ବିନାଶ ହୁଏ କିନ୍ତୁ ବାସ୍ତବରେ ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ସେମାନଙ୍କୁ ତ ବିନାଶ ପାଇଁ ନିଶ୍ଚିତ ଏହି ମୂଶଳ ଆଦି ତିଆରି କରିବାର ଅଛି । ଏହା କେବଳ ମାତ୍ର ମହିମା ରୂପରେ ଗାୟନ କରାଯାଉଛି । ଦୁନିଆରେ କେହି ବି ନିଜର ବଡମାନଙ୍କର ମହିମାକୁ ଜାଣି ନାହାଁନ୍ତି । ଧର୍ମସ୍ଥାପକମାନଙ୍କୁ ମଧ୍ୟ ଗୁରୁ ବୋଲି କହିଦେଉଛନ୍ତି କିନ୍ତୁ ସେମାନେ ତ’ କେବଳ ଧର୍ମ ସ୍ଥାପନ କରନ୍ତି । ଗୁରୁ ତାଙ୍କୁ କୁହାଯାଏ ଯିଏକି ସଦ୍‌ଗତି କରିଥା’ନ୍ତି । ସେମାନେ ତ’ ଧର୍ମ ସ୍ଥାପନ କରିବାକୁ ଆସିଥା’ନ୍ତି, ତାଙ୍କ ପରେ ପୁଣି ତାଙ୍କର ବଂଶାବଳୀମାନେ ଆସି ଚାଲିଥାଆନ୍ତି । ସେମାନେ ତ କାହାର ସଦ୍‌ଗତି କରନ୍ତି ହିଁ ନାହିଁ । ତେଣୁ ତାଙ୍କୁ ଗୁରୁ ବୋଲି କିପରି କୁହାଯିବ । ଗୁରୁ ତ’ କେବଳ ଜଣେ, ଯାହାଙ୍କୁ କି ସମସ୍ତଙ୍କର ସଦ୍‌ଗତିଦାତା ବୋଲି କୁହାଯାଏ । ସେ ହେଲେ ଭଗବାନ ଶିବବାବା ଯିଏକି ଏଠାକୁ ଆସି ସମସ୍ତଙ୍କର ସଦ୍‌ଗତି କରିଥା’ନ୍ତି । ମୁକ୍ତି ଜୀବନମୁକ୍ତି ଦେଇଥାଆନ୍ତି । ସେଥିପାଇଁ ତାଙ୍କୁ କେବେ କେହି ଭୁଲିପାରନ୍ତି ନାହିଁ । ଯଦିଓ ନିଜର ସ୍ୱାମୀଙ୍କ ସହିତ କେତେ ବି ପ୍ରେମ ଥାଉ ତଥାପି ହେ ଭଗବାନ, ହେ ଈଶ୍ୱର ନିଶ୍ଚିତ କହିବେ କାରଣ ସେ ହିଁ ସମସ୍ତଙ୍କର ସଦ୍‌ଗତିଦାତା ଅଟନ୍ତି । ବାବା ଏବେ ବୁଝାଉଛନ୍ତି, ଏମାନେ ସମସ୍ତେ ହେଲେ ରଚନା ଏବଂ ମୁଁ ସମସ୍ତଙ୍କର ରଚୟିତା । ସମସ୍ତଙ୍କର ସୁଖଦାତା ଏକମାତ୍ର ବାବା ହିଁ ଅଟନ୍ତି । ଭାଇ, ଭାଇଙ୍କୁ ବର୍ସା କେବେ ବି ଦେଇପାରିବ ନାହିଁ । ବର୍ସା ତ ସର୍ବଦା ବାବାଙ୍କଠାରୁ ହିଁ ମିଳିଥାଏ । ମୁଁ ତୁମ ବେହଦର ସନ୍ତାନମାନଙ୍କୁ ବେହଦର ବର୍ସା ବା ସମ୍ପତ୍ତି ଦେଉଛି ସେଥିପାଇଁ ମୋତେ ମନେ ପକାନ୍ତି ଏବଂ କୁହନ୍ତି - ହେ ପରମପିତା, ମୋତେ କ୍ଷମା କର, ଦୟା କର । କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଭକ୍ତିମାର୍ଗରେ ଅନେକ ପ୍ରକାରର ମହିମା କରିଥା’ନ୍ତି, ତେବେ ସେମାନେ ମଧ୍ୟ ଡ୍ରାମା ଅନୁସାରେ ନିଜର ପାର୍ଟ କରୁଛନ୍ତି । ବାବା କହୁଛନ୍ତି ମୁଁ ଏମାନଙ୍କ ଡାକରାରେ ଆସୁନାହିଁ । ଡ୍ରାମା ତ ଏହିଭଳି ତିଆରି ହୋଇଛି । ଡ୍ରାମାରେ ମୋର ଆସିବାର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ମୋତେ ଅନେକ ଧର୍ମର ବିନାଶ ଏବଂ ଗୋଟିଏ ଧର୍ମର ସ୍ଥାପନା ବା କଳିଯୁଗର ବିନାଶ, ସତ୍ୟଯୁଗର ସ୍ଥାପନା କରିବାକୁ ପଡେ । ମୁଁ ଠିକ୍ ସମୟରେ ସ୍ୱତଃ ଆସେ । ଏହି ଭକ୍ତିମାର୍ଗର ମଧ୍ୟ ଡ୍ରାମାରେ ପାର୍ଟ ରହିଛି । ବର୍ତ୍ତମାନ ଯେତେବେଳେ ଭକ୍ତିମାର୍ଗର ପାର୍ଟ ପୁରା ହେଲା ସେତେବେଳେ ମୁଁ ଆସିଛି । ତୁମେମାନେ ମଧ୍ୟ କହୁଛ, ଏବେ ଆମେ ଜାଣିଗଲୁଣି, ୫ ହଜାର ବର୍ଷ ପରେ ପୁଣି ଥରେ ଆପଣଙ୍କ ସହିତ ମିଶୁଛୁ । କଳ୍ପ ପୂର୍ବରୁ ମଧ୍ୟ ବାବା ଆପଣ ବ୍ରହ୍ମାଙ୍କ ଶରୀରରେ ଆସିଥିଲେ । ଏହି ଜ୍ଞାନ ତୁମମାନଙ୍କୁ ଏବେ ମିଳୁଛି ଆଉ କେବେ ବି ଏହି ଜ୍ଞାନ ମିଳି ପାରିବ ନାହିଁ । ଏହାକୁ ଜ୍ଞାନ କୁହାଯାଉଛି, ତାହା ହେଲା ଭକ୍ତି । ଜ୍ଞାନର ପ୍ରାରବ୍ଧ ହେଲା ଚଢ଼ତି କଳା । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ବୋଲି କୁହାଯାଏ । କହନ୍ତି ରାଜା ଜନକ ସେକେଣ୍ଡରେ ଜୀବନମୁକ୍ତିକୁ ପ୍ରାପ୍ତ କଲେ । ତେବେ କେବଳ ଜଣେ ଜନକ କ’ଣ ଜୀବନମୁକ୍ତିକୁ ପ୍ରାପ୍ତ କରିଲେ? ଜୀବନମୁକ୍ତି ଅର୍ଥାତ୍ ଏହି ରାବଣର ରାଜ୍ୟରୁ ଜୀବନକୁ ମୁକ୍ତ କରିବା ।

ବାବା ଜାଣିଛନ୍ତି, ଏବେ ସମସ୍ତ ସନ୍ତାନମାନଙ୍କର କେତେ ଦୁର୍ଗତି ହୋଇଯାଇଛି । ଏବେ ପୁଣି ସେମାନଙ୍କର ସଦ୍‌ଗତି ହେବ । ଦୁର୍ଗତିରୁ ଉଚ୍ଚଗତି ଅର୍ଥାତ୍ ମୁକ୍ତି-ଜୀବନମୁକ୍ତିକୁ ପ୍ରାପ୍ତ କରନ୍ତି । ତେବେ ପ୍ରଥମେ ମୁକ୍ତିକୁ ଯାଇ ପୁଣି ଜୀବନମୁକ୍ତିରେ ଆସିବେ । ଶାନ୍ତିଧାମରୁ ପୁଣି ସୁଖଧାମକୁ ଆସିବେ । ଏହି ଚକ୍ରର ସବୁ ରହସ୍ୟକୁ ବାବା ଏବେ ବୁଝାଉଛନ୍ତି । ତୁମମାନଙ୍କର ଧର୍ମ ସହିତ ଅନ୍ୟ ଧର୍ମ ସବୁ ମଧ୍ୟ ଆସିଯାଇଥା’ନ୍ତି, ମନୁଷ୍ୟ ସୃଷ୍ଟି ବୃଦ୍ଧି ହୋଇ ଚାଲିଥାଏ । ବାବା କହୁଛନ୍ତି ବର୍ତ୍ତମାନ ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ତମୋପ୍ରଧାନ ଜଡ ଜଡିଭୂତ ହୋଇଯାଇଛି । ଆଦି ସନାତନ ଦେବୀ ଦେବତା ଧର୍ମର ମୂଳଦୁଆ ହିଁ ସଢ଼ିଯାଇଛି । ବାକି ସବୁ ଧର୍ମ ରହିଛି । ଭାରତରେ ଏମିତି କେହି ଜଣେ ବି ନାହାଁନ୍ତି ଯିଏକି ନିଜକୁ ଆଦି ସନାତନ ଦେବୀ ଦେବତା ଧର୍ମର ବୋଲି ମାନୁଛନ୍ତି । ବାସ୍ତବରେ ସେମାନେ ଦେବତା ଧର୍ମର ଥିଲେ ପରନ୍ତୁ ବର୍ତ୍ତମାନ ଏକଥା ଜାଣି ନାହାଁନ୍ତି ଯେ - ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ କାରଣ ଦେବତାମାନେ ତ’ ପବିତ୍ର ଥିଲେ । ଭାବୁଛନ୍ତି ଆମେ ତ’ ପବିତ୍ର ନୁହେଁ । ଆମେ ତ ପତିତ, ତେଣୁ ନିଜକୁ ଦେବତା ବୋଲି କିପରି କହିବୁ? ତେଣୁ ଏହା ମଧ୍ୟ ଡ୍ରାମାର ଯୋଜନା ଅନୁସାରେ ନିଜକୁ ହିନ୍ଦୁ ବୋଲି କହିବାର ରୀତି ହୋଇଯାଉଛି । ଜନଗଣନାରେ ମଧ୍ୟ ହିନ୍ଦୁ ଧର୍ମ ବୋଲି ଲେଖିଦେଉଛନ୍ତି । ଯଦିଓ ଗୁଜୁରାଟି ହୋଇଥିବେ ତେବେ ମଧ୍ୟ ନିଜକୁ ହିନ୍ଦୁ ଗୁଜୁରାଟି ବୋଲି କହିବେ । ତେବେ ସେମାନଙ୍କୁ ପଚାରିବା ଉଚିତ୍ ଯେ, ହିନ୍ଦୁ ଧର୍ମ କେଉଁଠୁ ଆସିଲା? ତେବେ ଏକଥା କାହାକୁ ଜଣାନାହିଁ, କେବଳ କହିଦେଉଛନ୍ତି - ଆମର ଧର୍ମ ଶ୍ରୀକୃଷ୍ଣ ସ୍ଥାପନ କରିଛନ୍ତି । କେବେ? ଦ୍ୱାପର ଯୁଗରେ । ବାସ୍ତବରେ ମନୁଷ୍ୟମାନେ ଦ୍ୱାପର ଯୁଗରୁ ନିଜର ଧର୍ମକୁ ଭୁଲି ହିନ୍ଦୁ କହିବାକୁ ଲାଗିଲେ, ସେଥିପାଇଁ ତାଙ୍କୁ ଦୈବୀ ଧର୍ମଭ୍ରଷ୍ଟ ବୋଲି କୁହାଯାଏ । ସେଠାରେ ସମସ୍ତେ ଭଲ କର୍ମ କରନ୍ତି । କିନ୍ତୁ ଏଠାରେ ସମସ୍ତେ ଛି ଛି କର୍ମ କରନ୍ତି ସେଥିପାଇଁ ଧର୍ମଭ୍ରଷ୍ଟ, କର୍ମଭ୍ରଷ୍ଟ ବୋଲି କୁହାଯାଏ । ଏବେ ଶ୍ରେଷ୍ଠ ଧର୍ମ, ଶ୍ରେଷ୍ଠ ଦୈବୀ କର୍ମର ସ୍ଥାପନା ହେଉଛି ସେଥିପାଇଁ କୁହାଯାଉଛି, ଏହି ୫ ବିକାରଗୁଡିକୁ ଛାଡ । ଅଧାକଳ୍ପ ହେବ ତୁମ ଭିତରେ ଏହି ବିକାର ରହି ଆସିଛି । ଏବେ ଏହି ଗୋଟିଏ ଜନ୍ମରେ ଏହାକୁ ଛାଡିବାକୁ ହେବ, କିନ୍ତୁ ଏଥିରେ ମେହେନତ ଲାଗୁଛି । ତେବେ ବିନା ମେହେନତରେ କ’ଣ ବିଶ୍ୱର ବାଦଶାହୀ ମିଳିବ କି? ବାବାଙ୍କୁ ସ୍ମରଣ କରି କରି ନିଜକୁ ରାଜତିଳକ ଦେଉଛ ଅର୍ଥାତ୍ ରାଜତ୍ୱର ଅଧିକାରୀ ହେଉଛ । ଯେତେ ଭଲ ଭାବରେ ଯୋଗର ଯାତ୍ରାରେ ରହିବ, ଶ୍ରୀମତରେ ଚାଲିବ ତୁମେ ରାଜାମାନଙ୍କର ରାଜା ହୋଇପାରିବ । ବାବା ଏବେ ଶିକ୍ଷକ ରୂପରେ ପାଠ ପଢ଼ାଇବା ପାଇଁ ତ ଆସିଛନ୍ତି । ଏହା ହେଉଛି ମନୁଷ୍ୟରୁ ଦେବତା ହେବାର ପାଠଶାଳା । ବାବା ନରରୁ ନାରାୟଣ ହେବାର କଥା ଶୁଣାଉଛନ୍ତି । ଏହି କଥା କେତେ ପ୍ରସିଦ୍ଧ । ଏହାକୁ ଅମରକଥା, ସତ୍ୟନାରାୟଣଙ୍କ କଥା, ତିଜରର କଥା ମଧ୍ୟ କୁହାଯାଏ । ତିନିଟିର ଅର୍ଥ ମଧ୍ୟ ବାବା ବସି ବୁଝାଉଛନ୍ତି । ଭକ୍ତିମାର୍ଗର କାହାଣୀ ତ ବହୁତ ରହିଛି । ତେବେ ଦେଖ ଆଜିର ଏହି ଗୀତ କେତେ ଭଲ । ବାବା ଆମକୁ ସାରା ବିଶ୍ୱର ମାଲିକ କରୁଛନ୍ତି, ଯେଉଁ ମାଲିକପଣିଆକୁ କେହି ବି ଲୁଟି ନେଇପାରିବେ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହା ସ୍ମୃତି ରଖ ଯେ ଆମେ ଏକମତ, ଏକ ରାଜ୍ୟ ଏବଂ ଏକ ଧର୍ମର ସ୍ଥାପନାର ନିମିତ୍ତ ଅଟୁ, ସେଥିପାଇଁ ଏକମତ ହୋଇ ରହିବାକୁ ହେବ ।

(୨) ନିଜକୁ ରାଜତ୍ୱର ତିଳକ ଦେବା ପାଇଁ ବିକାର ଗୁଡିକୁ ଛାଡିବାର ମେହେନତ କରିବାକୁ ହେବ । ପାଠପଢ଼ା ଉପରେ ପୂରା ପୂରା ଧ୍ୟାନ ଦେବାକୁ ହେବ ।

ବରଦାନ:-
କର୍ମାତୀତ ସ୍ଥିତିରେ ସ୍ଥିତ ହୋଇ ଚାରିଆଡର ସେବାଗୁଡିକୁ ପରିଚାଳିତ କରୁଥିବା ସିଦ୍ଧି ସ୍ୱରୂପ ଭବ ।

ଆଗକୁ ଗଲେ ଚାରିଆଡର ସେବାଗୁଡିକର ବିସ୍ତାରକୁ ପରିଚାଳନା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ କରିବାକୁ ପଡିବ କାହିଁକି ନା ସେହି ସମୟରେ ପତ୍ର ବ୍ୟବହାର ବା ଟେଲିଫୋନ ଟେଲିଗ୍ରାମ ଆଦି କାମ କରିବ ନାହିଁ । ଏଭଳି ସମୟରେ ସେବା କରିବା ପାଇଁ ୱାୟାରଲେସ୍ ସେଟ୍ ଦରକାର । ସେଥିପାଇଁ ଏବେ ଏବେ କର୍ମଯୋଗୀ, ଏବେ ଏବେ କର୍ମାତୀତ ସ୍ଥିତିରେ ସ୍ଥିତ ହୋଇ ରହିବାର ଅଭ୍ୟାସ କର । ତେବେ ଯାଇ ନିଜର ସଂକଳ୍ପର ସିଦ୍ଧି ଦ୍ୱାରା ଚାରିଆଡର ସେବାରେ ସହଯୋଗୀ ହୋଇପାରିବ ।

ସ୍ଲୋଗାନ:-
ପରମାତ୍ମ ସ୍ନେହର ପାଳନାର ସ୍ୱରୂପ ହେଲା - ତୁମମାନଙ୍କର ସହଜଯୋଗୀ ଜୀବନ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।

ସମସ୍ତଙ୍କୁ ଦୁଇଟି କଥା ଉପରେ ବିଶେଷ ଭାବରେ ଧ୍ୟାନ ଦେବାକୁ ହେବ - ଗୋଟିଏ ହେଲା ସର୍ବଦା ସଂସ୍କାରକୁ ମିଶାଇ ଚାଲିବାର ଏକତା ଏବଂ ଦ୍ୱିତୀୟରେ ପରସ୍ପର ପ୍ରତି ବିଶ୍ୱାସ ରଖି ନିଜେ ସର୍ବଦା ସନ୍ତୁଷ୍ଟ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବା । ଯେତେବେଳେ ଏହି ଦୁଇଟି କଥାକୁ ସଦାସର୍ବଦା ଧ୍ୟାନରେ ରଖିବ, ସେତେବେଳେ ବାବା ଯିଏ ଅଟନ୍ତି, ଯେପରି ଅଟନ୍ତି ସେହିପରି ଦେଖିପାରିବେ ଏବଂ ପ୍ରତ୍ୟକ୍ଷତା ହୋଇଯିବ ।