13.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଅନେକ
ଦେହଧାରୀମାନଙ୍କଠାରୁ ସ୍ନେହ ତୁଟାଇ ଏକମାତ୍ର ବିଦେହୀ ବାବାଙ୍କୁ ମନେ ପକାଅ ତେବେ ତୁମର ସବୁ
ଅଙ୍ଗ ଅର୍ଥାତ୍ କର୍ମେନ୍ଦ୍ରିୟ ଶୀତଳ ହୋଇଯିବ ।”
ପ୍ରଶ୍ନ:-
ଯେଉଁମାନେ
ଦୈବୀକୁଳର ଆତ୍ମା ହୋଇଥିବେ ସେମାନଙ୍କର ଲକ୍ଷଣ କିପରି ହୋଇଥିବ?
ଉତ୍ତର:-
ଦୈବୀକୁଳର ଆତ୍ମାମାନଙ୍କୁ ଏହି ପୁରୁଣା ଦୁନିଆ ପ୍ରତି ସହଜରେ ବୈରାଗ୍ୟ ଆସିଯିବ । (୨)
ସେମାନଙ୍କର ବୁଦ୍ଧି ବେହଦରେ ରହିଥିବ । ଶିବାଳୟକୁ ଯିବା ପାଇଁ ସେମାନେ ପବିତ୍ର ଫୁଲ ହେବାର
ପୁରୁଷାର୍ଥ କରିବେ । (୩) କୌଣସି ପ୍ରକାରର ଆସୁରୀ ବ୍ୟବହାର ବା କର୍ମ କରିବେ ନାହିଁ । (୪) ନିଜର
ଚାର୍ଟ (ହିସାବ) ରଖିବେ କି ମୋ ଦ୍ୱାରା କୌଣସି ଆସୁରୀ କର୍ମ ହେଉ ନାହିଁ ତ? ବାବାଙ୍କୁ ସର୍ବଦା
ସତ୍ୟ କଥା ଶୁଣାଇବେ, କିଛି ବି ଲୁଚାଇବେ ନାହିଁ ।
ଗୀତ:-
ନା ୱହ ହମସେ
ଜୁଦା ହୋଙ୍ଗେ...
ଓମ୍ ଶାନ୍ତି ।
ଏହା ହେଉଛି
ବେହଦର କଥା । ହଦର କଥା ସବୁ ଏବେ ଦୂରେଇ ଯାଉଛି । ଦୁନିଆରେ ମନୁଷ୍ୟମାନେ ତ ଅନେକଙ୍କୁ ମନେ ପକାଇ
ଥା’ନ୍ତି କାରଣ ଅନେକ ଦେହଧାରୀଙ୍କ ସହିତ ପ୍ରୀତି ରହିଛି । ବିଦେହୀ କେବଳ ଜଣେ ହିଁ ଅଟନ୍ତି,
ଯାହାଙ୍କୁ ପରମପିତା ପରମାତ୍ମା ଶିବ କୁହାଯାଉଛି । ତୁମମାନଙ୍କୁ ଏବେ କେବଳ ତାଙ୍କ ସହିତ ହିଁ
ବୁଦ୍ଧିର ଯୋଗ ଯୋଡିବାକୁ ହେବ । କୌଣସି ଦେହଧାରୀମାନଙ୍କୁ ସ୍ମରଣ କରିବା ଉଚିତ୍ ନୁହେଁ ।
ବ୍ରାହ୍ମଣ ଆଦିଙ୍କୁ ଖୁଆଇବା, ଏ ସବୁ ହେଉଛି କଳିଯୁଗର ନୀତି-ପ୍ରଥା । ସେଠାକାର ଏବଂ ଏଠାକାର
ନୀତି-ପ୍ରଥା ସଂପୂର୍ଣ୍ଣ ଅଲଗା । ଏଠାରେ ତୁମମାନଙ୍କୁ କୌଣସି ଦେହଧାରୀକୁ ମନେ ପକାଇବା ଉଚିତ୍
ନୁହେଁ । ସେହିଭଳି ଅବସ୍ଥା ଆସିବା ପର୍ଯ୍ୟନ୍ତ ପୁରୁଷାର୍ଥ ଚାଲୁଥିବ । ବାବା କହୁଛନ୍ତି ଯେତେ
ସମ୍ଭବ ପୁରୁଣା ଦୁନିଆକୁ ଯେଉଁମାନେ ଆସି ଜନ୍ମ ନେଇ ଯାଇଛନ୍ତି ଅଥବା ଯେଉଁମାନେ ଅଛନ୍ତି ସେ
ସମସ୍ତଙ୍କୁ ଭୁଲିବାକୁ ହେବ । ସାରା ଦିନ ବୁଦ୍ଧିରେ ଏହି ବିଚାର ଚାଲିବା ଦରକାର ଯେ, କାହାକୁ କ’ଣ
ବୁଝାଇବି । ସମସ୍ତଙ୍କୁ ଏ କଥା କହିବାକୁ ହେବ ଯେ ଏଠାକୁ ଆସି ବିଶ୍ୱର ଅତୀତ, ବର୍ତ୍ତମାନ,
ଭବିଷ୍ୟତକୁ ବୁଝ । ଯାହାକୁ କେହି ହେଲେ ବି ଜାଣି ନାହାଁନ୍ତି । ପାଷ୍ଟ ଅର୍ଥାତ୍ କେବେଠାରୁ
ଆରମ୍ଭ ହେଲା । ପ୍ରେଜେଣ୍ଟ ଅର୍ଥାତ୍ ଏବେ କ’ଣ ହେଉଛି । ସତ୍ୟଯୁଗରୁ ଆରମ୍ଭ ହେଉଛି । ତେବେ
ସତ୍ୟଯୁଗଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏବଂ ଫ୍ୟିୁଚର ଅର୍ଥାତ୍ ଭବିଷ୍ୟତରେ କ’ଣ ହେବ - ଦୁନିଆରେ
କେହି କିଛି ବି ଜାଣି ନାହାଁନ୍ତି । ତୁମେ ସନ୍ତାନମାନେ ଜାଣିଛ ସେଥିପାଇଁ ଚିତ୍ର ଆଦି ତିଆରି
କରୁଛ । ଏହା ବହୁତ ବଡ ବେହଦର ନାଟକ । ଦୁନିଆରେ ମିଥ୍ୟା କାହାଣୀ ଉପରେ ଆଧାରିତ ହଦର ନାଟକ ବହୁତ
ତିଆରି କରୁଛନ୍ତି । ସେଥିରେ କାହାଣୀର ଲେଖକ ଅଲଗା ଏବଂ ନାଟକର ଦୃଶ୍ୟର ନିର୍ମାତା ଅଲଗା ଥା’ନ୍ତି
। ଏ ସବୁର ରହସ୍ୟ ଏବେ ତୁମ ବୁଦ୍ଧିରେ ଅଛି । ଏବେ ଯାହା କିଛି ଦେଖୁଛ ତାହା ଆଗକୁ ରହିବ ନାହିଁ ।
ସବୁ ବିନାଶ ହୋଇଯିବ । ତେଣୁ ତୁମକୁ ସତ୍ୟଯୁଗୀ ନୂଆ ଦୁନିଆର ସିନ୍ ସିନେରୀ ବହୁତ ସୁନ୍ଦର ଭାବେ
ଦେଖାଇବାକୁ ପଡିବ । ଯେପରି ଆଜମେରରେ ସୁନାର ଦ୍ୱାରିକାର ଚିତ୍ର ଅଛି, ସେଥିରୁ ମଧ୍ୟ ଚିତ୍ର ନେଇ
ନୂଆ ଦୁନିଆର ଅଲଗା ଚିତ୍ର ତିଆରି କରି ଦେଖାଅ । ଏହି ପୁରୁଣା ଦୁନିଆକୁ ନିଆଁ ଲାଗିବ, ଏହାର ନକ୍ସା
(ଚିତ୍ର) ମଧ୍ୟ ଅଛି ନା ଏବଂ ଏହି ନୂଆ ଦୁନିଆର ଚିତ୍ର ମଧ୍ୟ ତୁମମାନଙ୍କ ବୁଦ୍ଧିରେ ପ୍ରତ୍ୟକ୍ଷ
ହୋଇଯାଉଛି । ଏହିଭଳି ଭଲ ଭାବରେ ବିଚାର କରି ନୂଆ ଦୁନିଆର ଚିତ୍ର ତିଆରି କରିବା ଉଚିତ୍ । ଏ କଥା
ତ ତୁମେମାନେ ଜାଣିଛ । ବର୍ତ୍ତମାନ ସମୟର ମନୁଷ୍ୟମାନଙ୍କର ବୁଦ୍ଧି ଯେପରି ପଥର ହୋଇଯାଇଛି ।
ତୁମେମାନେ କେତେ ବୁଝାଉଛ, ତଥାପି ମଧ୍ୟ ବୁଦ୍ଧିରେ କିଛି ହେଲେ ପଶୁ ନାହିଁ । ଯେପରି ହଦର ନାଟକର
ନିର୍ମାତାମାନେ ସୁନ୍ଦର ସିନ୍ ସିନେରୀ ତିଆରି କରିଥା’ନ୍ତି, ସେହିପରି କାହାଠାରୁ ସାହାଯ୍ୟ ନେଇ
ସ୍ୱର୍ଗର ସିନ୍ ସିନେରୀ ବହୁତ ସୁନ୍ଦର ଭାବରେ ତିଆରି କରିହେବ । ସେମାନେ ବହୁତ ଭଲ ଆଇଡିଆ
ଦେଇପାରିବେ । ଭଲ ଉପାୟ ମଧ୍ୟ ବତାଇପାରିବେ । ଏ ସମ୍ବନ୍ଧରେ ଏପରି ଭଲ ଭାବରେ ଚିତ୍ର ତିଆରି କରିବା
ଉଚିତ୍ ଯାହାକି ମନୁଷ୍ୟ ଆସି ବୁଝିପାରିବେ । ବାସ୍ତବରେ ସତ୍ୟଯୁଗରେ ତ ଗୋଟିଏ ହିଁ ଧର୍ମ ଥିଲା ।
ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି ଯେଉଁମାନଙ୍କର ଜ୍ଞାନର ଧାରଣା ହେଉଛି ।
ଦେହ-ଅଭିମାନୀ ବୁଦ୍ଧିକୁ ଛି-ଛି କୁହାଯାଏ । ଦେହୀ-ଅଭିମାନୀମାନଙ୍କୁ ଗୁଲ ଗୁଲ୍ (ଫୁଲ) କୁହାଯାଏ
। ଏବେ ତୁମେମାନେ ଫୁଲ ହେଉଛ । ଦେହ-ଅଭିମାନୀ ହୋଇ ରହିବା ଦ୍ୱାରା ଯେପରି କଣ୍ଟା ଥିଲେ ସେହିପରି
କଣ୍ଟା ହୋଇ ରହିଯାଉଛନ୍ତି । ଏବେ ତୁମର ଏହି ପୁରୁଣା ଦୁନିଆ ପ୍ରତି ବୈରାଗ୍ୟ ଆସୁଛି । ତୁମର
ହେଉଛି ବେହଦର ବୁଦ୍ଧି, ବେହଦର ବୈରାଗ୍ୟ । ବର୍ତ୍ତମାନ ଏହି ବୈଶ୍ୟାଳୟ ପ୍ରତି ଆମକୁ ବହୁତ ଘୃଣା
ଆସୁଛି । ଏବେ ଆମେ ଶିବାଳୟ ଅର୍ଥାତ୍ ସତ୍ୟଯୁଗକୁ ଯିବା ପାଇଁ କଣ୍ଟାରୁ ଫୁଲ ହେଉଛୁ । ଫୁଲ
ହେଉ-ହେଉ ଯଦି କେହି ଖରାପ ଚଳଣି ଚାଲୁଛନ୍ତି ତେବେ ବୁଝିବାକୁ ହୁଏ ଯେ, ଏହାଙ୍କ ଠାରେ ଏବେ ଭୂତର
ପ୍ରବେଶତା ହୋଇଛି । ଗୋଟିଏ ଘରେ ସ୍ୱାମୀ ହଂସ ହେଉଛି କିନ୍ତୁ ସ୍ତ୍ରୀ ବୁଝୁ ନାହିଁ ତେବେ ତାଙ୍କୁ
ଏହି ଜ୍ଞାନମାର୍ଗରେ ଚାଲିବାକୁ ବହୁତ କଷ୍ଟ ହୋଇଥାଏ । ବହୁତ ସହିବାକୁ ପଡିଥାଏ । ବୁଝିବାକୁ ହେବ
ଯେ, ଏହାଙ୍କ ଭାଗ୍ୟରେ ନାହିଁ । ସମସ୍ତେ ତ ଦୈବୀ କୁଳର ହେବେ ନାହିଁ, ଯେଉଁମାନେ ସେହି କୁଳର
ଆତ୍ମା ହୋଇଥିବେ ସେହିମାନେ ହିଁ ହେବେ । ଅନେକଙ୍କର ଖରାପ ଚାଲି ଚଳଣିର ସମାଚାର ଆସୁଛି, ଏମାନଙ୍କ
ଭିତରେ ଏହି ସବୁ ଆସୁରୀ ଗୁଣ ରହିଛି, ସେଥିପାଇଁ ବାବା ପ୍ରତିଦିନ ବୁଝାଉଛନ୍ତି, ନିଜର ପୋତାମେଲ୍
(ହିସାବ)କୁ ରାତିରେ ଚେକ୍ କର, ଆଜି ମୁଁ କୌଣସି ଆସୁରୀ କର୍ମ କରି ନାହିଁ ତ? ବାବା କହୁଛନ୍ତି
ସାରା ଜୀବନ ଭିତରେ ଯାହା ଭୁଲ୍ କରିଛ, ତାହା ସବୁ ବାବାଙ୍କୁ କୁହ । ଯଦି କେହି ବହୁତ ବଡ ଭୁଲ୍
କରିଥିବେ ତେବେ ସର୍ଜନ ଅର୍ଥାତ୍ ବାବାଙ୍କୁ କହିବାକୁ ଲଜ୍ୟା ଆସିଥାଏ କାରଣ ଇଜ୍ଜତ ଚାଲିଯିବ ନା ।
ଯଦି ନ କହିବ ତେବେ ତା’ଦ୍ୱାରା ପୁଣି କ୍ଷତି ହୋଇଯିବ । ମାୟା ଏପରି ଚାପୁଡା ମାରିଦିଏ ଯାହାଦ୍ୱାରା
ଏକଦମ୍ ସତ୍ୟାନାଶ କରିଦେଇଥାଏ । ମାୟା ବହୁତ ଶକ୍ତିଶାଳୀ । ଯଦି ୫ ବିକାର ଉପରେ ବିଜୟପ୍ରାପ୍ତ ନ
କରିପାରିବ ତେବେ ବାବା କ’ଣ କରିପାରିବେ ।
ବାବା କହୁଛନ୍ତି - ମୁଁ
ତ ଦୟାର ସାଗର ଅଟେ ଏବଂ ତା’ ସହିତ କାଳର କାଳ ମଧ୍ୟ ଅଟେ । ମୋତେ ଡାକୁଛନ୍ତି ମଧ୍ୟ ହେ
ପତିତ-ପାବନ ଆସ ଏଠାକୁ ଆସି ପାବନ କର । ଉଭୟ ତ ମୋର ହିଁ ନାମ ଅଟେ ନା । କିପରି ଦୟାର ସାଗର ଏବଂ
କାଳର କାଳ ଅଟେ, ସେହି କର୍ତ୍ତବ୍ୟ ଏବେ କରୁଛି । ମୁଁ କଣ୍ଟାକୁ ଫୁଲ କରୁଛି ତେଣୁ ତୁମମାନଙ୍କ
ବୁଦ୍ଧିରେ ସେହି ଖୁସୀ ରହିଛି । ଅମରନାଥ ବାବା କହୁଛନ୍ତି ତୁମେ ସବୁ ହେଉଛ ପାର୍ବତୀ । ଏବେ
ତୁମେମାନେ ମୋତେ ମନେ ପକାଅ ତେବେ ଅମରପୁରୀକୁ ଚାଲିଯିବ ଏବଂ ତୁମର ପାପ ନାଶ ହୋଇଯିବ ।
ତୀର୍ଥଯାତ୍ରା କରିବା ଦ୍ୱାରା ତୁମର ପାପ ତ ନାଶ ହେଉ ନାହିଁ । ଏ ସବୁ ହେଉଛି ଭକ୍ତିମାର୍ଗର
ଯାତ୍ରା । ପିଲାମାନଙ୍କୁ କେହି କେହି ପ୍ରଶ୍ନ ପଚାରୁଛନ୍ତି ଯେ ତୁମମାନଙ୍କର ଖର୍ଚ୍ଚ କିପରି
ଚାଲୁଛି । କିନ୍ତୁ ଏପରି କେହି ସମାଚାର ଦେଉ ନାହାଁନ୍ତି ଯେ ଆମେ ଏହିପରି ଉତ୍ତର ଦେଲୁ । ଏତେ ସବୁ
ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣମାନେ ଅଛନ୍ତି, ତେଣୁ ଆମେ ନିଜେ ହିଁ ଆମ ନିଜର କଲ୍ୟାଣ ପାଇଁ
ଖର୍ଚ୍ଚ କରିବୁ ନା । ଶ୍ରୀମତ ଆଧାରରେ ଆମେ ନିଜ ପାଇଁ ରାଜତ୍ୱ ମଧ୍ୟ ସ୍ଥାପନ କରୁଛୁ, ରାଜତ୍ୱ
ମଧ୍ୟ ଆମେମାନେ ହିଁ କରିବୁ । ରାଜଯୋଗ ଆମେ ଶିଖୁଛୁ ତେବେ ଖର୍ଚ୍ଚ ମଧ୍ୟ ଆମେ କରିବୁ । ଶିବବାବା
ତ ଅବିନାଶୀ ଜ୍ଞାନ ରତ୍ନର ଦାନ ଦେଉଛନ୍ତି, ଯାହା ଦ୍ୱାରା ଆମେ ରାଜାମାନଙ୍କର ରାଜା ଅର୍ଥାତ୍
ମହାରାଜା ହେଉଛୁ । ଯେଉଁମାନେ ଏଠାରେ ପାଠ ପଢିବେ ଖର୍ଚ୍ଚ ସେହିମାନେ ହିଁ କରିବେ ନା । ବୁଝାଇବା
ଦରକାର ଯେ ଆମେ ନିଜର ଧନ ନିଜ ପାଇଁ ଖର୍ଚ୍ଚ କରୁଛୁ, ଆମେ କୌଣସି ଅନୁଦାନ ନେଉ ନାହୁଁ । କିନ୍ତୁ
ପିଲାମାନେ ବାବାଙ୍କୁ ପତ୍ର ଲେଖିଲେ କେବଳ ଏତିକି ଲେଖି ଦେଉଛନ୍ତି ଯେ ଏହିଭଳି ପ୍ରଶ୍ନ ସବୁ
ପଚାରୁଛନ୍ତି, ସେଥିପାଇଁ ବାବା କହିଥିଲେ ଯାହା-ଯାହା ସାରା ଦିନ ଭିତରେ ସେବା କରୁଛ ସନ୍ଧ୍ୟା
ସମୟରେ ତାର ହିସାବ ବାବାଙ୍କୁ ଜଣାଇବା ଦରକାର । ତାର ମଧ୍ୟ ପରବର୍ତ୍ତୀ ପଦକ୍ଷେପ ନେବା ଦରକାର ।
ବାକି ଆସୁଛନ୍ତି ତ ଅନେକ । ସେମାନେ ସମସ୍ତେ ପ୍ରଜା ହେବେ, ଉଚ୍ଚ ପଦର ଅଧିକାରୀ ବହୁତ କମ୍
ହେଉଛନ୍ତି । ଦୁନିଆରେ ରାଜାମାନେ କମ୍ ଥା’ନ୍ତି, ସାହୁକାର ମଧ୍ୟ ବହୁତ କମ୍ ହୋଇଥା’ନ୍ତି । ବାକି
ଗରୀବ ପ୍ରଜା ବହୁତ ଥା’ନ୍ତି । ଏଠାରେ ଯେପରି ବିଭିନ୍ନ ପଦ ରହିଛି ସେହିପରି ଦୈବୀ ଦୁନିଆରେ ମଧ୍ୟ
ରହିବ । ରାଜତ୍ୱ ସ୍ଥାପନ ହେଉଛି, ଏଥିରେ କ୍ରମାନ୍ୱୟରେ ସମସ୍ତଙ୍କର ଆବଶ୍ୟକତା ରହିଛି । ବାବା ଆସି
ରାଜଯୋଗ ଶିଖାଇ ଆଦି ସନାତନ ଦୈବୀ ରାଜଧାନୀର ସ୍ଥାପନା କରାଉଛନ୍ତି, ଏଠାରେ ଦୈବୀ ଧର୍ମର ରାଜଧାନୀ
ଥିଲା, ଏବେ ନାହିଁ । ବାବା କହୁଛନ୍ତି ମୁଁ ପୁଣି ଥରେ ସ୍ଥାପନ କରୁଛି । ତେଣୁ କାହାକୁ ବୁଝାଇବା
ପାଇଁ ଚିତ୍ର ମଧ୍ୟ ସେହିପରି ଦରକାର । ବାବାଙ୍କର ମୂରଲୀ ଶୁଣିବେ, କରିବେ । ଦିନକୁ ଦିନ ଏହାର
ସଂଶୋଧନ ହୋଇ ଚାଲିଛି, ତୁମେ ନିଜର ଅବସ୍ଥାକୁ ମଧ୍ୟ ଦେଖ ମୁଁ କେତେ କରେକ୍ଟ (ଠିକ୍) ହୋଇ ଚାଲିଛି
। ବାବା ଆସି ଏହି ପତିତ ଦୁନିଆରୁ ଉଦ୍ଧାର କରୁଛନ୍ତି, ଯିଏ ଯେତେ ଅନ୍ୟମାନଙ୍କୁ ଉଦ୍ଧାର କରିବାର
ସେବା କରିବ, ସିଏ ସେତେ ଉଚ୍ଚ ପଦ ପାଇବ । ତୁମ ସନ୍ତାନମାନଙ୍କୁ ଏକଦମ୍ କ୍ଷୀରଖଣ୍ଡ ହୋଇ ରହିବାକୁ
ହେବ ଅର୍ଥାତ୍ ମିଳିମିଶି ରହିବାକୁ ହେବ । ବାବା ତୁମମାନଙ୍କୁ ସତ୍ୟଯୁଗୀ ଆତ୍ମାମାନଙ୍କଠାରୁ ମଧ୍ୟ
ଶ୍ରେଷ୍ଠ କରୁଛନ୍ତି । ସ୍ୱୟଂ ଈଶ୍ୱର ପିତା ରୂପରେ ଆମକୁ ପାଠ ପଢାଉଛନ୍ତି ତେଣୁ ତାଙ୍କୁ ମଧ୍ୟ
ନିଜର ପାଠପଢାର ଚମତ୍କାରୀ ଦେଖାଇବାକୁ ହେବ ତାହା ହେଲେ ବାବା ମଧ୍ୟ ତାଙ୍କ ଉପରେ ସ୍ୱାହା ହୋଇଯିବେ
। ମନରେ ଆସିବା ଉଚିତ୍ - ବାସ୍, ଏବେ ଆମେମାନେ କେବଳ ଭାରତକୁ ସ୍ୱର୍ଗ କରିବାର ସେବା କରିବୁ ।
ସରକାରୀ ଚାକିରୀ ଆଦି କରିବା, ତାହା ତ କରି ଚାଲିବ । ପ୍ରଥମେ ତ ନିଜର ଉନ୍ନତି କର । ବହୁତ ସହଜ ।
ମନୁଷ୍ୟ ସବୁ କିଛି କରିପାରିବ । ଘର ଗୃହସ୍ଥରେ ରହି ମଧ୍ୟ ରାଜତ୍ୱ କରିବାର ପଦବୀ ପ୍ରାପ୍ତ
କରିବାକୁ ହେବ । ସେଥିପାଇଁ ପ୍ରତିଦିନ ନିଜର ଦିନଚର୍ଯ୍ୟାକୁ ଦେଖ । ସାରା ଦିନର ଲାଭ ଏବଂ କ୍ଷତିର
ହିସାବ ବାହାର କର । କର୍ମର ହିସାବ ବାହାର ନ କଲେ ନିଜକୁ ସୁଧାରିବା ବହୁତ କଠିନ ହେବ । ବାବାଙ୍କର
କଥାକୁ ମାନୁ ନାହାଁନ୍ତି । ନଚେତ୍ ପ୍ରତିଦିନ ଦେଖିବା ଉଚିତ୍ - ମୁଁ କାହାକୁ ଦୁଃଖ ଦେଇ ନାହିଁ
ତ ? ପଦ ବହୁତ ଶ୍ରେଷ୍ଠ ଏବଂ ପ୍ରାପ୍ତି ମଧ୍ୟ ଅସରନ୍ତି । ନଚେତ୍ ପରେ ପୁଣି କାନ୍ଦିବାକୁ ପଡିବ ।
ଯେପରି ଘୋଡା ଦୌଡରେ କେହି କେହି ତ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଆଉ କେହି ତ ଦରିଦ୍ରକୁ
ଦରିଦ୍ର ହିଁ ରହି ଯାଉଛନ୍ତି ।
ଏବେ ତୁମର ଈଶ୍ୱରୀୟ ରେସ୍
ଚାଲିଛି, ଏଥିରେ ଦୌଡ ପ୍ରତିଯୋଗିତା ଆଦି କିଛି ନାହିଁ, କେବଳ ବୁଦ୍ଧି ଦ୍ୱାରା ପ୍ରିୟ ବାବାଙ୍କୁ
ମନେ ପକାଇବାକୁ ହେବ । ଯଦି କିଛି ବି ଭୁଲ୍ ହୋଇଯାଏ ତେବେ ତୁରନ୍ତ ବାବାଙ୍କୁ ଶୁଣାଇ ଦେବା ଉଚିତ୍
। ବାବା ଆମ ଦ୍ୱାରା ଏହି ଭୁଲ୍ ହୋଇଗଲା । କର୍ମେନ୍ଦ୍ରିୟ ଦ୍ୱାରା ଏହି ଭୁଲ୍ କରିଛୁ । ବାବା
କହୁଛନ୍ତି ଏହା ଠିକ୍ କି ଭୁଲ୍ ଏ କଥା ବିଚାର କରିବା ପାଇଁ ତୁମମାନଙ୍କୁ ଈଶ୍ୱରୀୟ ବୁଦ୍ଧି ମିଳିଛି,
ତେଣୁ ଏବେ ଭୁଲ୍ କାମ କରିବା ଉଚିତ୍ ନୁହେଁ । ଯଦି ଭୁଲ୍ କାମ କରିଦେଲ ତେବେ ବାବାଙ୍କୁ କାନ ଧରି
କୁହ ତୋବା-ତୋବା କ୍ଷମା କରିଦିଅ, କାହିଁକି ନା ବାବା ଶୁଣିବା ପାଇଁ ଏବେ ଏଠାରେ ଉପସ୍ଥିତ ଅଛନ୍ତି
। ଯାହା କିଛି ବି ଖରାପ କାମ ହୋଇଯାଉଛି, ତୁରନ୍ତ ଶୁଣାଇ ଦିଅ ଅଥବା ଲେଖିଦିଅ - ବାବା ଏହି ଖରାପ
କାମ ମୋ ଦ୍ୱାରା ହୋଇଗଲା ତେବେ ତୁମକୁ ଅଧା କ୍ଷମା ମିଳିଯିବ । ଏପରି ନୁହେଁ ଯେ ମୁଁ କୃପା କରିବି
। କ୍ଷମା ଅଥବା କୃପା ପଇସା କର ମଧ୍ୟ ମିଳିବ ନାହିଁ । ସମସ୍ତଙ୍କୁ ନିଜକୁ ସୁଧାରିବାକୁ ହେବ ।
ବାବାଙ୍କ ସ୍ମୃତି ଦ୍ୱାରା ବିକର୍ମ ବିନାଶ ହେବ । ପୂର୍ବ ପାପ ମଧ୍ୟ ଯୋଗବଳ ଦ୍ୱାରା କଟି ଚାଲିବ ।
ବାବାଙ୍କର ହୋଇ ପୁଣି ବାବାଙ୍କର ନିନ୍ଦା କରାଇବା ଉଚିତ୍ ନୁହେଁ । କୁହାଯାଏ, ସତଗୁରୁଙ୍କର
ନିନ୍ଦୁକକୁ ସ୍ଥାନ ମିଳେ ନାହିଁ । ତୁମକୁ ବହୁତ ଶ୍ରେଷ୍ଠ ପଦ ମିଳୁଛି । ଅନ୍ୟ ଗୁରୁମାନଙ୍କ ପାଖରେ
କୌଣସି ରାଜତ୍ୱର ପଦବୀର କଥା ନାହିଁ । ଏଠାରେ ତୁମର ଲକ୍ଷ୍ୟ-ଉଦ୍ଦେଶ୍ୟ ରହିଛି । ଭକ୍ତିମାର୍ଗରେ
କୌଣସି ଲକ୍ଷ୍ୟ-ଉଦ୍ଦେଶ୍ୟ ନ ଥାଏ । ଯଦିବା କିଛି ଅଛି ତେବେ ଅଳ୍ପକାଳ ପାଇଁ । କେଉଁଠି ୨୧ ଜନ୍ମର
ସୁଖ, କେଉଁଠି ପାଇ-ପଇସାକର ଅଳ୍ପ ସୁଖ । ଏପରି ନୁହେଁ ଧନ ଦ୍ୱାରା ସୁଖ ମିଳୁଛି । ତା’ଦ୍ୱାରା
ଦୁଃଖ ମଧ୍ୟ କେତେ ମିଳୁଛି । ଆଚ୍ଛା - ଧରିନିଅ କେହି ଡାକ୍ତରଖାନା ତିଆରି କଲେ ତେବେ ପରବର୍ତ୍ତୀ
ଜନ୍ମରେ ତାଙ୍କୁ ରୋଗ କମ୍ ହେବ । ଏପରି ନୁହେଁ ଯେ ଅଧିକ ପାଠ ପଢିବ ଏବଂ ଧନ ମଧ୍ୟ ଅଧିକ ମିଳିବ ।
ସେଥିପାଇଁ ଏବେ ସବୁ ପ୍ରକାରର ସେବା କର । କେହି ଧର୍ମଶାଳା ତିଆରି କଲେ ପରବର୍ତ୍ତୀ ଜନ୍ମରେ ମହଲ
ମିଳିବ । ଏପରି ନୁହେଁ ଯେ ସୁସ୍ଥ ରହିବେ, ନା । ତେବେ ବାବା କେତେ କଥା ବୁଝାଉଛନ୍ତି । ଏହି କଥାକୁ
କେହି ତ ଭଲ ଭାବରେ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଉଛନ୍ତି, କେହି ତ ପୁଣି ବୁଝିପାରୁ ନାହାଁନ୍ତି
। ତେଣୁ ପ୍ରତିଦିନ ନିଜର ପୁରୁଷାର୍ଥର ହିସାବ କିତାବ ଦେଖ । ଆଜି କ’ଣ ପାପ କରିଲି? ଏହି କଥାରେ
ଫେଲ୍ ହେଲି । ତେବେ ବାବା ରାୟ ଦେବେ ଯେ ଏପରି କାମ କରିବାର ନାହିଁ । ତୁମେମାନେ ଜାଣିଛ ଆମେ ଏବେ
ସ୍ୱର୍ଗକୁ ଯାଉଛୁ । କିନ୍ତୁ ପିଲାମାନଙ୍କର ଖୁସିର ପାରଦ ସେତେ ଚଢୁନାହିଁ । ବ୍ରହ୍ମାବାବା କେତେ
ଖୁସି ହେଉଛନ୍ତି । ମୁଁ ବୁଢା ହୋଇଯାଇଛି, ଏହି ଶରୀରକୁ ତ୍ୟାଗ କରି ସେଠାରେ ମୁଁ ରାଜକୁମାର ହେବି
। ତୁମେମାନେ ମଧ୍ୟ ପାଠ ପଢୁଛ ତେଣୁ ତୁମମାନଙ୍କର ଖୁସିର ପାରଦ ମଧ୍ୟ ଚଢିବା ଦରକାର । କିନ୍ତୁ
ବାବାଙ୍କୁ ମନେ ହିଁ ପକାଉ ନାହାଁନ୍ତି । ବାବା କେତେ ସହଜ ଭାବରେ ବୁଝାଉଛନ୍ତି, ଇଂରାଜୀ ଆଦି
ପଢିବାରେ କେତେ ବୁଦ୍ଧି ଖର୍ଚ୍ଚ କରିବାକୁ ପଡୁଛି । ସେହି ପାଠପଢା ମଧ୍ୟ ବହୁତ କଷ୍ଟ । ଏହା ତ
ବହୁତ ସହଜ । ଏହି ଆତ୍ମିକ ପାଠପଢା ଦ୍ୱାରା ତୁମେ ଶୀତଳ ହୋଇଯାଉଛ । ଏଥିରେ ତ କେବଳ ବାବାଙ୍କୁ ମନେ
ପକାଇଲେ କର୍ମେନ୍ଦ୍ରିୟ ଏକଦମ୍ ଶୀତଳ ହୋଇଯିବ । ତୁମମାନଙ୍କର ତ ଶରୀର ଅଛି ନା । ଶିବବାବାଙ୍କର ତ
ଶରୀର ନାହିଁ । ଶ୍ରୀକୃଷ୍ଣଙ୍କର ଅଙ୍ଗ ଅଛି । ତାଙ୍କର ଅଙ୍ଗ ତ ଶୀତଳ, ପବିତ୍ର । ସେଥିପାଇଁ
ତାଙ୍କର ନାମ ରଖି ଦେଇଛନ୍ତି । ତେବେ ତାଙ୍କ ସହିତ କିପରି ସଙ୍ଗ କରିବ । ସିଏ ତ ସତ୍ୟଯୁଗରେ ହିଁ
ଥା’ନ୍ତି । ତାଙ୍କର ଅଙ୍ଗକୁ ଏପରି ଶୀତଳ କିଏ କରିଲେ? ଏ କଥାକୁ ତୁମେମାନେ ଏବେ ବୁଝିପାରୁଛ ।
ତେବେ ତୁମ ସନ୍ତାନମାନଙ୍କୁ ମଧ୍ୟ ସେତିକି ଧାରଣାଯୁକ୍ତ ହେବାକୁ ପଡିବ । ବିଲ୍କୁଲ୍ ଲଢେଇ-ଝଗଡା
କରିବା ଉଚିତ୍ ନୁହେଁ । ସର୍ବଦା ସତ୍ୟ କଥା କହିବାକୁ ପଡିବ । ମଥ୍ୟା କଥା କହିବା ଦ୍ୱାରା
ସତ୍ୟାନାଶ ହୋଇଯାଇଥାଏ ।
ବାବା ତୁମକୁ ଅମୂଳ ଚୂଳ
ସବୁ କଥା ବୁଝାଉଛନ୍ତି । ଚିତ୍ର ମଧ୍ୟ ବହୁତ ଭଲ ଭଲ ତିଆରି କରିବା ଉଚିତ୍ ଯାହାକି ସମସ୍ତଙ୍କ
ପାଖକୁ ଯିବ । ଭଲ ଜିନିଷ ଦେଖିଲେ କହିବେ ଚାଲ ସେଠାକୁ ଯାଇ ଦେଖିବା । ଯେଉଁମାନେ ଚିତ୍ରକୁ
ବୁଝାଉଛନ୍ତି, ସେମାନେ ମଧ୍ୟ ବୁଦ୍ଧିମାନ ହୋଇଥିବା ଦରକାର । ସେବା କରିବା ମଧ୍ୟ ଶିଖିବାକୁ ହେବ ।
ଭଲ ବ୍ରାହ୍ମଣୀ (ବ୍ରହ୍ମାକୁମାରୀ) ମଧ୍ୟ ଦରକାର ଯିଏକି ନିଜ ସଦୃଶ ଅନ୍ୟକୁ କରିପାରିବ । ଯିଏ ନିଜ
ସମାନ ଅନ୍ୟକୁ ମ୍ୟାନେଜର୍ (ପରିଚାଳକ) କରିଥା’ନ୍ତି, ତାଙ୍କୁ ଭଲ ବ୍ରାହ୍ମଣୀ କୁହାଯିବ । ସେମାନେ
ପଦ ମଧ୍ୟ ଉଚ୍ଚ ପାଇବେ । ପିଲାଳିଆ ବୁଦ୍ଧି ମଧ୍ୟ ନ ହେଉ, ନଚେତ୍ ଅପହରଣ କରି ନେଇଯିବେ, ରାବଣ
ସଂମ୍ପ୍ରଦାୟ ଅଟେ ନା । ଏପରି ବ୍ରାହ୍ମଣୀ ପ୍ରସ୍ତୁତ କର ଯିଏକି ପରମୂହୁର୍ତ୍ତରେ ସେଣ୍ଟରର ଦାୟିତ୍ୱ
ନେଇ ପାରିବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କୁ
ନିଜର ପାଠପଢାର ଚମତ୍କାରୀ ଦେଖାଇବାକୁ ହେବ । ଭାରତକୁ ସ୍ୱର୍ଗ କରିବାର ସେବାରେ ଲାଗିପଡିବାକୁ
ହେବ । ପ୍ରଥମେ ନିଜର ଉନ୍ନତିର ଚିନ୍ତା କରିବାକୁ ପଡିବ । ସମସ୍ତଙ୍କ ସହିତ କ୍ଷୀରଖଣ୍ଡ ହୋଇ
ରହିବାକୁ ହେବ ।
(୨) ଯଦି କୌଣସି ଭୁଲ୍
ହୋଇଗଲା, ତେବେ ବାବାଙ୍କୁ କ୍ଷମା ମାଗି ନିଜେ ନିଜକୁ ସୁଧାରିବାକୁ ହେବ । ବାବା କୃପା କରି ନ
ଥା’ନ୍ତି କିନ୍ତୁ ବାବାଙ୍କୁ ମନେ ପକାଇ ନିଜର ବିକର୍ମ ବିନାଶ କରିବାକୁ ହେବ । ନିନ୍ଦା କରାଇବା
ଭଳି କୌଣସି କର୍ମ କରିବା ଉଚିତ୍ ନୁହେଁ ।
ବରଦାନ:-
ଜ୍ଞାନବାନ
ହେବାର ବିଶେଷତା ଦ୍ୱାରା ସଂସ୍କାରର ଟକ୍କରରୁ ସୁରକ୍ଷିତ ରହୁଥିବା କମଳ ପୁଷ୍ପ ଭଳି ନିଆରା ବା
ସାକ୍ଷୀ ଭବ ।
ସଂସ୍କାର ତ ଅନ୍ତ ସମୟ
ପର୍ଯ୍ୟନ୍ତ କାହାର ଦାସୀ ହେବାର ରହିବ ତ କାହାର ରାଜା ହେବାର ରହିବ । ତେଣୁ ଏହାର ସଂସ୍କାର
ବଦଳିଯାଉ ଏଭଳି ଅପେକ୍ଷା କର ନାହିଁ । କିନ୍ତୁ ମୋ’ ଉପରେ କାହାର ପ୍ରଭାବ ନ ପଡୁ, କାହିଁକି ନା
ପ୍ରଥମେ ତ ସମସ୍ତଙ୍କର ସଂସ୍କାର ଭିନ୍ନ ଭିନ୍ନ ଅଟେ, ଦ୍ୱିତୀୟରେ ମାୟାର ରୂପ ଧାରଣ କରି ମଧ୍ୟ
ଆସିବ, ସେଥିପାଇଁ ମର୍ଯ୍ୟାଦାର ସୀମା ଭିତରେ ରହି ସବୁ କଥାକୁ ନିର୍ଣ୍ଣୟ କର, ଭିନ୍ନ ଭିନ୍ନ
ସଂସ୍କାରର ହୋଇଥିଲେ ମଧ୍ୟ ଲଢେଇ ନ ହେଉ, ସେଥିପାଇଁ ଜ୍ଞାନବାନ ହୋଇ କମଳପୁଷ୍ପ ତୁଲ୍ୟ ନିଆରା ବା
ସାକ୍ଷୀ ହୁଅ ।
ସ୍ଲୋଗାନ:-
ହଠ ଅଥବା
ପରିଶ୍ରମ କରିବା ପରିବର୍ତ୍ତେ ରମଣିକତା ଦ୍ୱାରା ପୁରୁଷାର୍ଥ କର ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ପବିତ୍ରତା ସୁଖ ଶାନ୍ତିର
ଜନନୀ ଅଟେ । ଯେଉଁଠାରେ ପବିତ୍ରତା ରହିଛି, ସେଠାକୁ ଦୁଃଖ ଅଶାନ୍ତି ଆସିପାରିବ ନାହିଁ । ତେଣୁ
ଚେକ୍ କର ର୍ମୁ ସର୍ବଦା ସୁଖର ଶଯ୍ୟା ଉପରେ ଆରାମରେ ଅର୍ଥାତ୍ ଶାନ୍ତ ସ୍ୱରୂପ ସ୍ଥିତିରେ
ବିରାଜମାନ ରହୁଛି ତ? ମନ ଭିତରେ କାହିଁକି, କ’ଣ, କିପରିର ଦ୍ୱନ୍ଦ୍ୱ ରହୁଛି ନା ଏ ସବୁରୁ
ଉର୍ଦ୍ଧ୍ୱରେ ସୁଖ ସ୍ୱରୂପ ସ୍ଥିତି ରହୁଛି?