13.07.25 Avyakt Bapdada Odia Murli 03.02.2006 Om Shanti Madhuban
“ପରମାତ୍ମାଙ୍କର ସ୍ନେହରେ
ସମ୍ପୂର୍ଣ୍ଣ ପବିତ୍ରତାର ଏଭଳି ସ୍ଥିତି ନିର୍ମାଣ କର ଯେଉଁଥିରେ ବ୍ୟର୍ଥର ଚିହ୍ନବର୍ଣ୍ଣ ନ ଥିବ”
ଆଜି ବାପଦାଦା ନିଜର
ଚାରିଆଡର ପ୍ରଭୁ ପ୍ରିୟ ସନ୍ତାନମାନଙ୍କୁ ଦେଖୁଛନ୍ତି । ସାରା ବିଶ୍ୱରୁ ବଛା ହୋଇଥିବା କୋଟିକ
ଭିତରେ କେହି କେହି ଆତ୍ମା ହିଁ ଏହିଭଳି ପରମାତ୍ମ ସ୍ନେହର ଅଧିକାରୀ ହୋଇଥାଆନ୍ତି । ପରମାତ୍ମ
ସ୍ନେହ ହିଁ ତୁମମାନଙ୍କୁ ଏଠାକୁ ନେଇ ଆସିଛି । ଏହି ପରମାତ୍ମ ସ୍ନେହକୁ ତୁମେ ପିଲାମାନେ କେବଳ ଏହି
ସମୟରେ ହିଁ ଅନୁଭବ କରୁଛ । ଅନ୍ୟ ସବୁ ସମୟରେ ଆତ୍ମାମାନଙ୍କର ସ୍ନେହ, ମହାନ ଆତ୍ମାମାନଙ୍କର ତଥା
ଧର୍ମାତ୍ମାମାନଙ୍କର ସ୍ନେହର ଅନୁଭବ କରିଛ କିନ୍ତୁ ଏବେ ପରମାତ୍ମ ସ୍ନେହର ପାତ୍ର ହୋଇଯାଇଛ । ଯଦି
କେହି ତୁମକୁ ପଚାରିବ ଯେ ପରମାତ୍ମା କେଉଁଠି ଅଛନ୍ତି ତେବେ ତୁମେମାନେ କ’ଣ କହିବ? ତୁମେ କହିବ
ପରମାତ୍ମା ପିତା ତ ଆମ ସାଥୀରେ ହିଁ ଅଛନ୍ତି । ଆମେ ତାଙ୍କ ସାଥୀରେ ହିଁ ରହୁଛୁ । ପରମାତ୍ମା
ମଧ୍ୟ ଆମମାନଙ୍କ ବିନା ରହିପାରିବେ ନାହିଁ କି ଆମେମାନେ ମଧ୍ୟ ପରମାତ୍ମଙ୍କ ବିନା ରହିପାରିବୁ ନାହିଁ
। ତେଣୁ ତୁମେମାନେ ଏତିକି ସ୍ନେହର ଅନୁଭବ କରୁଛ । ତୁମେ ଗର୍ବର ସହିତ କହିବ ସେ ଆମର ଦିଲ୍ରେ
ରହୁଛନ୍ତି ଏବଂ ଆମେ ତାଙ୍କ ଦିଲ୍ରେ ରହୁଛୁ । ଏହିଭଳି ଅନୁଭବୀ ଅଟ ନା! କ’ଣ ଅନୁଭବୀ ଅଟ ତ? ତୁମ
ମନ ଭିତରେ କ’ଣ ଆସୁଛି? ଆମେ ଅନୁଭବୀ ହୋଇପାରିବୁ ନାହିଁ ତ ଆଉ କିଏ ହେବ! ବାବା ମଧ୍ୟ ଏହିଭଳି
ଅନୁଭବୀ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି ।
ତେବେ ପରମାତ୍ମ ସ୍ନେହର
ଚିହ୍ନ ହେଲା - ଯାହା ପ୍ରତି ଯାହାର ସ୍ନେହ ଥିବ ତା’ ପାଇଁ ସେ ସବୁ କିଛି ସ୍ୱାହା କରିବା ବା
ତ୍ୟାଗ କରିବା ପାଇଁ ସହଜରେ ପ୍ରସ୍ତୁତ ହୋଇଯିବ । ତେଣୁ ତୁମେମାନେ ମଧ୍ୟ ବାବା ଯାହା ଚାହୁଁଛନ୍ତି
ଯେ ମୋ’ର ପ୍ରତ୍ୟେକ ସନ୍ତାନ ପିତାଙ୍କ ସମାନ ହୋଇଯାଆନ୍ତୁ, ପ୍ରତ୍ୟେକଙ୍କର ଚେହେରାରେ ବାବା
ପ୍ରତ୍ୟକ୍ଷରେ ଦେଖାଯାଆନ୍ତୁ, ଏହିଭଳି ହୋଇଛ ନା? ସମସ୍ତେ ବାପଦାଦାଙ୍କର ମନ ପସନ୍ଦ ସ୍ଥିତିକୁ ତ
ଜାଣିଛ ନା! ବାବାଙ୍କର ଦିଲ୍ ପସନ୍ଦ ସ୍ଥିତି ହେଉଛି ସମ୍ପୂର୍ଣ୍ଣ ପବିତ୍ରତା । ଏହି ବ୍ରାହ୍ମଣ
ଜନ୍ମର ମୂଳଦୁଆ ହିଁ ସମ୍ପୂର୍ଣ୍ଣ ପବିତ୍ରତା ଅଟେ । ତେବେ ତୁମେମାନେ ସମ୍ପୂର୍ଣ୍ଣ ପବିତ୍ରତାର
ଗୁହ୍ୟତାକୁ ଜାଣିଛ ତ? ସଂକଳ୍ପ ଏବଂ ସ୍ୱପ୍ନରେ ମଧ୍ୟ ରିଞ୍ଚକ ମାତ୍ର ଅପବିତ୍ରତାର ଚିହ୍ନ ବର୍ଣ୍ଣ
ନ ଥିବ । ଆଜିକାଲିର ସମୟର ସମୀପତା ଅନୁସାରେ ବାପଦାଦା ବାରମ୍ବାର ପିଲାମାନଙ୍କର ଧ୍ୟାନ ଆକର୍ଷଣ
କରାଉଛନ୍ତି ଯେ ସମ୍ପୂର୍ଣ୍ଣ ପବିତ୍ରତା ହିସାବରେ ବ୍ୟର୍ଥ ସଂକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ପବିତ୍ରତାକୁ
ଖଣ୍ଡିତ କରିଦେଉଛି । ତେଣୁ ଚେକ୍ କର ମୋର ବ୍ୟର୍ଥ ସଂକଳ୍ପ ଚାଲୁ ନାହିଁ ତ? ଯେତେଯେତେ
ପୁରୁଷାର୍ଥରେ ଆଗକୁ ବଢି ଚାଲିଛ, ସେହି ଅନୁସାରେ ରାଜକୀୟ ରୂପର ବ୍ୟର୍ଥ ସଂକଳ୍ପ, ମୋ’ର ସମୟକୁ
ବ୍ୟର୍ଥରେ ନଷ୍ଟ କରିଦେଉ ନାହିଁ ତ? ରାଜକୀୟ ରୂପର ଅଭିମାନ ଏବଂ ଅପମାନ ବ୍ୟର୍ଥ ସଂକଳ୍ପ ରୂପରେ
ଆକ୍ରମଣ କରୁନାହିଁ ତ? ଯଦି ଅଭିମାନ ରୂପରେ କୌଣସି ବି ପରମାତ୍ମଙ୍କର ଦାନକୁ ନିଜର ବିଶେଷତା ବୋଲି
ଭାବୁଛ ତେବେ ସେହି ବିଶେଷତାର ଅଭିମାନ ମଧ୍ୟ ତୁମକୁ ତଳକୁ ନେଇ ଆସିବ ଏବଂ ବିଘ୍ନର କାରଣ ହୋଇଯିବ
। ତେବେ ଅଭିମାନ ମଧ୍ୟ ସୂକ୍ଷ୍ମ ରୂପରେ ଏହିଭଳି ଆସିଥାଏ ଯାହାକୁ ତୁମେମାନେ ମଧ୍ୟ ଜାଣିଛ - ମୋର
ନାମ ବିଖ୍ୟାତ ହେବା ଉଚିତ୍, ମୋର ସମ୍ମାନ ହେବା ଉଚିତ୍ । ଏହିଭଳି ମୋ’ର ପଣିଆ ହିଁ ଅଭିମାନର
ରୂପ ନେଇଆସିଥାଏ । ଏହିଭଳି ବ୍ୟର୍ଥ ସଂକଳ୍ପ ମଧ୍ୟ ସମ୍ପୂର୍ଣ୍ଣତାଠାରୁ ଦୂରକୁ ନେଇଯାଏ କାହିଁକି
ନା ବାପଦାଦା ଚାହୁଁଛନ୍ତି ପିଲାମାନେ ସର୍ବଦା ସ୍ୱମାନରେ ରୁହନ୍ତୁ, ନା ଅଭିମାନ, ନା ଅପମାନ
କାହିଁକି ନା ଏହା ହିଁ ବ୍ୟର୍ଥ ସଂକଳ୍ପ ଆସିବାର ମୁଖ୍ୟ କାରଣ ଅଟେ ।
ବାପଦାଦା ପ୍ରତ୍ୟେକ
ସନ୍ତାନକୁ ଡବଲ ମାଲିକ ପଣିଆର ନିଶ୍ଚୟ ଏବଂ ନିଶାରେ ଦେଖିବାକୁ ଚାହୁଁଛନ୍ତି । ତେବେ ଏହି ଡବଲ
ମାଲିକ ପଣିଆ କ’ଣ? ଗୋଟିଏ ହେଲା ବାବାଙ୍କର ସମ୍ପତ୍ତିର ମାଲିକ, ଦ୍ୱିତୀୟରେ ସ୍ୱରାଜ୍ୟର ମାଲିକ ।
ଦୁଇଟିଯାକ ମାଲିକ ପଣିଆ କାହିଁକି ନା ସମସ୍ତେ ବାଳକ ମଧ୍ୟ ଅଟ ଏବଂ ମାଲିକ ମଧ୍ୟ ଅଟ । କିନ୍ତୁ
ବାପଦାଦା ଦେଖୁଛନ୍ତି ଯେ ବାଳକ ତ ସମସ୍ତେ ନିଶ୍ଚିତ ଅଟନ୍ତି କାହିଁକି ନା ସମସ୍ତେ କହୁଛନ୍ତି ମେରା
ବାବା । ତେଣୁ ମେରାବାବା କହିବା ଅର୍ଥ ବାଳକ ନିଶ୍ଚିତ ଅଟ, କିନ୍ତୁ ବାଳକ ହେବା ସହିତ ଦୁଇ
ପ୍ରକାରର ମାଲିକ ହେବାରେ ପିଲାମାନେ କ୍ରମାନ୍ୱୟରେ ରହୁଛନ୍ତି । ମୁଁ ବାଳକ ସହିତ ମାଲିକ ମଧ୍ୟ ଅଟେ
। ଯେହେତୁ ତୁମକୁ ନିଜର ପୈତୃକ ସମ୍ପତ୍ତି ମିଳିଛି ସେଥିପାଇଁ ମଧ୍ୟ ବାଳକ ପଣିଆର ନିଶ୍ଚୟ ଏବଂ
ନିଶା ରହୁଛି, କିନ୍ତୁ ମାଲିକ ପଣିଆର ନିଶ୍ଚୟ ଓ ନିଶା ବାସ୍ତବିକ ରୂପରେ ରହିବାରେ ପିଲାମାନେ
କ୍ରମାନ୍ୱୟରେ ଆସିଯାଉଛନ୍ତି । ମୁଁ ସ୍ୱରାଜ୍ୟ ଅଧିକାରୀ ମାଲିକ ଅଟେ, ଏଥିରେ ତୁମର ମନ ହିଁ
ବିଶେଷ ବିଘ୍ନ ସୃଷ୍ଟି କରୁଛି । ତେଣୁ ମନର ମାଲିକ ହୁଅ କେବେ ବି ମନର ଅଧୀନ ହୁଅ ନାହିଁ । କହୁଛ
ନା ଆମେ ସ୍ୱରାଜ୍ୟ ଅଧିକାରୀ ଅଟୁ, ତେଣୁ ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍ ରାଜା । ଯେପରି
ବ୍ରହ୍ମାବାବା ପ୍ରତ୍ୟେକ ଦିନ ନିଜର ଚେକିଙ୍ଗ୍ କରି ମନର ମାଲିକ ହୋଇ ବିଶ୍ୱର ମାଲିକ ହେବାର
ଅଧିକାର ପ୍ରାପ୍ତ କରିନେଲେ, ସେହିପରି ଏହି ମନ-ବୁଦ୍ଧି ଆତ୍ମା ରାଜା ହିସାବରେ ମନ୍ତ୍ରୀ ଅଟନ୍ତି,
ଏବଂ ଏହି ବ୍ୟର୍ଥ ସଂକଳ୍ପ ମଧ୍ୟ ମନରେ ହିଁ ଉତ୍ପନ୍ନ ହୋଇଥାଏ ତେଣୁ ମନ ହିଁ ଆତ୍ମା ରାଜାକୁ
ବ୍ୟର୍ଥ ସଂକଳ୍ପର ଅଧୀନ କରିଦେଇଥାଏ । ଯଦି ତୁମେ ମନକୁ ନିଜର ନିର୍ଦ୍ଦେଶ ମୁତାବକ ଚଲାଇ ପାରୁନାହଁ
ତେବେ ମନ ଚଞ୍ଚଳ ହୋଇଯିବା କାରଣରୁ ଆତ୍ମାକୁ ପରବଶ କରିଦେଉଛି । ତେଣୁ ଏବେ ଚେକ୍ କର । ଏମିତି ବି
ମନକୁ ଘୋଡା କୁହାଯାଏ କାହିଁକି ନା ଚଞ୍ଚଳ ଅଟେ ନା! କିନ୍ତୁ ତୁମ ପାଖରେ ଶ୍ରୀମତ ରୂପୀ ଲଗାମ
ମଧ୍ୟ ରହିଛି । ଯଦି ଶ୍ରୀମତ ରୂପୀ ଲଗାମ ଟିକିଏ ବି ଢିଲା ହୋଇଯାଏ ତେବେ ମନ ଚଞ୍ଚଳ ହୋଇଯାଏ ।
ତେବେ ଲଗାମ କାହିଁକି ଢିଲା ହୋଇଥାଏ? କାହିଁକି ନା କେଉଁଠି ନା କେଉଁଠି ରାସ୍ତା କଡର ଦୃଶ୍ୟ
ଦେଖିବାରେ ଲାଗିପଡୁଛ, ଏବଂ ଲଗାମ ଢିଲା ହେବା ଦ୍ୱାରା ମନକୁ ଚଞ୍ଚଳ ହେବା ପାଇଁ ସୁଯୋଗ ମିଳିଯାଉଛି
। ତେଣୁ ମୁଁ ବାଳକ ହିସାବରେ ମାଲିକ ଅଟେ, ଏହି ସ୍ମୃତିରେ ସର୍ବଦା ରହିଥାଅ । ଚେକ୍ କର ଯେ ମୁଁ
ବାବାଙ୍କର ସମ୍ପତ୍ତିର ମଧ୍ୟ ମାଲିକ ଅଟେ, ଏବଂ ସ୍ୱରାଜ୍ୟର ମଧ୍ୟ ମାଲିକ ଅର୍ଥାତ୍ ଡବଲ ମାଲିକ ଅଟେ
ତ? ଯଦି ମାଲିକ ପଣିଆ କମ୍ ହୋଇଯାଏ ତେବେ ଦୁର୍ବଳ ସଂସ୍କାର ଗୁଡିକ ତୁରନ୍ତ ଜାଗ୍ରତ ହୋଇଯାଆନ୍ତି
। ତେବେ ତୁମୋମନେ ସଂସ୍କାରକୁ ମଧ୍ୟ କ’ଣ କହିଥାଅ? ମୋ’ର ସଂସ୍କାର ତ ଏହିଭଳି, ମୋ’ର ସ୍ୱଭାବ ତ
ଏହିଭଳି କିନ୍ତୁ ପ୍ରକୃତରେ କ’ଣ ଏସବୁ ମୋ’ର ଅଟେ? କହିବାରେ ତ ଏହିଭଳି କହିଦେଉଛ ମୋର ସଂସ୍କାର
କିନ୍ତୁ ଏହା କ’ଣ ମୋର ଅଟେ କି? କ’ଣ ଏଗୁଡିକୁ ମୋ’ର ସଂସ୍କାର ବୋଲି କହିବା ଠିକ୍ କଥା? ଠିକ୍ କଥା?
ଏହା ମୋର ଅଟେ, ନା ରାବଣର ସମ୍ପତ୍ତି ଅଟେ? ଦୁର୍ବଳ ସଂସ୍କାର ଗୁଡିକ ରାବଣର ସମ୍ପତ୍ତି ଅଟେ, ତେଣୁ
ଏହାକୁ ମୋ’ର କିପରି କହିପାରିବ? ତେବେ ମୋ’ର ସଂସ୍କାର କ’ଣ? ଯାହା ବାବାଙ୍କର ସଂସ୍କାର ତାହା
ମୋ’ର ସଂସ୍କାର । ତେବେ ବାବାଙ୍କର ସଂସ୍କାର କ’ଣ? ବିଶ୍ୱ କଲ୍ୟାଣ । ଶୁଭଭାବନା, ଶୁଭକାମନା ।
ତେଣୁ କୌଣସି ବି ଦୁର୍ବଳ ସଂସ୍କାରକୁ ମୋ’ର ସଂସ୍କାର ବୋଲି କହିବା ହିଁ ଭୁଲ୍ ଅଟେ । ଧରିନିଅ
ମୋ’ର ସଂସ୍କାର ଭାବି ଯଦି ତାକୁ ନିଜର ଦିଲ୍ରେ ସ୍ଥାନ ଦେଇ ଦେଇଛ ତେବେ ଅଶୁଦ୍ଧ ଜିନିଷକୁ ନିଜର
ଦିଲ୍ରେ ସ୍ଥାନ ଦେଇ ଦେଇଛ । ତେବେ ମୋ’ର ଜିନିଷ ଉପରେ ତ ସମସ୍ତଙ୍କର ସ୍ନେହ ଥାଏ ନା । ଯେହେତୁ
ମୋ’ର ବୋଲି ଭାବି ନିଜର ଦିଲ୍ ଭିତରେ ସ୍ଥାନ ଦେଇ ଦେଇଛ ସେଥିପାଇଁ ଅନେକ ଥର ପିଲାମାନଙ୍କୁ ବହୁତ
ଯୁଦ୍ଧ କରିବାକୁ ପଡୁଛି କାହିଁକି ନା ଅଶୁଭ ଏବଂ ଶୁଭ ଦୁଇଟିକୁ ହିଁ ଦିଲ୍ରେ ସ୍ଥାନ ଦେଇ ଦେଇଛ,
ତେଣୁ ଦୁଇଟି ଯାକ ଆଉ କ’ଣ କରିବେ? ଯୁଦ୍ଧ ତ କରିବେ ନା । ଯେହେତୁ ତୁମର ସଂକଳ୍ପରେ ଏବଂ ବାଣୀରେ
ମଧ୍ୟ ଆସୁଛି ଯେ ଏହା ମୋ’ର ସଂସ୍କାର ଅଟେ ତେଣୁ ଯୁଦ୍ଧ କରିବାକୁ ପଡୁଛି । ତେବେ ଚେକ୍ କର ଏହି
ସବୁ ଅଶୁଭ ସଂସ୍କାର ଗୁଡିକ ମୋ’ର ସଂସ୍କାର ନୁହେଁ । ତେଣୁ ଏବେ ନିଜର ସଂସ୍କାରକୁ ପରିବର୍ତ୍ତନ
କରିବାକୁ ପଡିବ ।
ବାପଦାଦା ପ୍ରତ୍ୟେକ
ସନ୍ତାନର ଚାଲିଚଳନରେ ଏବଂ ଚେହେରାରେ ପଦ୍ମାପଦ୍ମଗୁଣା ଭାଗ୍ୟବାନ ହେବାର ସ୍ୱରୂପ ଦେଖିବାକୁ
ଚାହୁଁଛନ୍ତି । କେତେକ ପିଲା କହୁଛନ୍ତି ଆମେ ଭାଗ୍ୟବାନ ତ ଅଟୁ କିନ୍ତୁ ଚାଲିବା ବୁଲିବା ସମୟରେ
ଆମର ଭାଗ୍ୟ ଜାଗ୍ରତ ରହିବା ପରିବର୍ତ୍ତେ ସୁପ୍ତ ହୋଇଯାଉଛି କିନ୍ତୁ ବାପଦାଦା ସବୁ ସମୟରେ ସବୁ
ପିଲାଙ୍କର ମସ୍ତକରେ ଭାଗ୍ୟର ତାରକା ଚମକୁଥିବାର ଦେଖିବାକୁ ଚାହୁଁଛନ୍ତି । ଯଦି କେହି ବି ତୁମକୁ
ଦେଖିବ ତେବେ ତୁମର ଚେହେରାରେ ଏବଂ ଚାଲିଚଳନରେ ଭାଗ୍ୟବାନ ସ୍ୱରୂପ ଦେଖାଯାଉ ତେବେ ଯାଇ
ତୁମମାନଙ୍କ ଦ୍ୱାରା ବାବାଙ୍କର ପ୍ରତ୍ୟକ୍ଷତା ହେବ, କାହିଁକି ନା ବର୍ତ୍ତମାନ ସମୟରେ ଅଧିକାଂଶ
ଆତ୍ମା ହେବାର ଅନୁଭବ କରିବାକୁ ଚାହୁଁଛନ୍ତି, ଯେପରି ଆଜିକାଲିର ବିଜ୍ଞାନ ସବୁ କଥାକୁ ପ୍ରତ୍ୟକ୍ଷ
ରୂପରେ ଦେଖାଇ ଦେଉଛି ଏବଂ ଅନୁଭବ ମଧ୍ୟ କରାଇଦେଉଛି । ଗରମର ମଧ୍ୟ ଅନୁଭବ କରାଉଛି ଏବଂ ଶୀତଳତାର
ମଧ୍ୟ ଅନୁଭବ କରାଉଛି ତେଣୁ ସେମାନେ ଶାନ୍ତିର ଶକ୍ତି ଦ୍ୱାରା ମଧ୍ୟ ଅନୁଭବ କରିବାକୁ ଚାହୁଁଛନ୍ତି
। ତେଣୁ ତୁମେ ନିଜେ ଯେତେ ଯେତେ ଅନୁଭବରେ ରହିବ ସେହି ଅନୁସାରେ ଅନ୍ୟମାନଙ୍କୁ ମଧ୍ୟ ଅନୁଭବ
କରାଇପାରିବ । ତେବେ ବାପଦାଦା ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇସାରିଛନ୍ତି ଯେ ଏବେ ମିଳିତ ରୂପରେ
ସେବା କର । କେବଳ ବାଣୀ ଦ୍ୱାରା ନୁହେଁ, କିନ୍ତୁ ବାଣୀର ସେବା କରିବା ସହିତ ଅନୁଭବୀ ମୂରତ ହୋଇ
ଅନୁଭବ କରାଇବାର ମଧ୍ୟ ସେବା କର । ଚାହେଁ ଶାନ୍ତିର ଅନୁଭବ, ଚାହେଁ ଖୁସିର ଅନୁଭବ, ଚାହେଁ
ଆତ୍ମିକ ସ୍ନେହର ଅନୁଭବ । କିଛି ନା କିଛି ଅନୁଭବ କରାଇଚାଲ । କାରଣ ଅନୁଭବ ଏଭଳି ଜିନିଷ ଯାହାକି
ଗୋଟିଏ ଥର ଯଦି ଅନୁଭବ ହୋଇଗଲା ତେବେ ତାକୁ ଭୁଲି ପାରିବେ ନାହିଁ । ଶୁଣିଥିବା କଥାକୁ ଭୁଲିଯାଇ
ପାରନ୍ତି କିନ୍ତୁ ଅନୁଭବର କଥା କେବେ ଭୁଲି ହୁଏ ନାହିଁ । ତାହା ଅନୁଭବ କରାଇବାବାଲାର ନିକଟକୁ
ନେଇଆସିଥାଏ ।
ସମସ୍ତେ ପଚାରୁଛନ୍ତି ଯେ
ଏବେ ଆଗକୁ କ’ଣ ସବୁ ନବୀନତା କରିବୁ? ତେବେ ବାପଦାଦା ଦେଖୁଛନ୍ତି ଯେ ସମସ୍ତେ ବଡ ଉମଙ୍ଗ-ଉତ୍ସାହର
ସହିତ ସେବା ତ କରୁଛ, ସବୁ ବର୍ଗ ମଧ୍ୟ ଭଲ ସେବା କରୁଛି । ଆଜି ମଧ୍ୟ ବହୁତ ବର୍ଗ ଏକାଠି ହୋଇଛନ୍ତି
ନା । ବିଶାଳ ଜନସମାଗମ ମଧ୍ୟ କରିସାରିଲଣି, ସନ୍ଦେଶ ମଧ୍ୟ ଦେଇ ଦେଇଛ, ଉଲୁଗୁଣା ମଧ୍ୟ ସମାପ୍ତ
କରିଦେଇଛ । ସେଥିପାଇଁ ଅଭିନନ୍ଦନ । କିନ୍ତୁ ଏବେ ପର୍ଯ୍ୟନ୍ତ ଏହି କଥା ଲୋକମାନଙ୍କ ମୁଖରୁ
ଶୁଣାଯାଇ ନାହିଁ ଯେ ଏହା ପରମାତ୍ମାଙ୍କର ଜ୍ଞାନ ଅଟେ, ବ୍ରହ୍ମାକୁମାରୀମାନେ ବହୁତ ଭଲ କାର୍ଯ୍ୟ
କରୁଛନ୍ତି, ସେମାନଙ୍କର ଜ୍ଞାନ ବହୁତ ଭଲ, କିନ୍ତୁ ଏହା ହିଁ ହେଉଛି ପରମାତ୍ମ ଜ୍ଞାନ ଏବଂ
ପରମାତ୍ମ କାର୍ଯ୍ୟ ମଧ୍ୟ ଏବେ ହିଁ ଚାଲିଛି - ଏହି ସମାଚାର ଚାରିଆଡେ ଖେଳିଯିବା ଦରକାର ।
ମେଡିଟେସନ୍ କୋର୍ସ ମଧ୍ୟ କରାଉଛ, ଆତ୍ମାର ପରମାତ୍ମାଙ୍କ ସହିତ ସମ୍ପର୍କ ମଧ୍ୟ ଯୋଡୁଛ କିନ୍ତୁ ଏବେ
ପରମାତ୍ମଙ୍କର କାର୍ଯ୍ୟ ସ୍ୱୟଂ ପରମାତ୍ମା କରୁଛନ୍ତି ଏକଥା ବହୁତ କମ ଲୋକ ଅନୁଭବ କରୁଛନ୍ତି ।
ଆତ୍ମା ଏବଂ ଧାରଣା ତ ପ୍ରତ୍ୟକ୍ଷ ହେଉଛି, ଭଲ କାର୍ଯ୍ୟ କରୁଛନ୍ତି, ଭଲ କଥା କହୁଛନ୍ତି, ଭଲ
ଶିଖାଉଛନ୍ତି ଏତିକି କଥା ତ କହୁଛନ୍ତି । ଜ୍ଞାନ ତ ବହୁତ ଭଲ ଏହା ମଧ୍ୟ କହୁଛନ୍ତି କିନ୍ତୁ ଏହା
ପରମାତ୍ମାଙ୍କର ହିଁ ଜ୍ଞାନ.... ଏହି ସମାଚାର ସମସ୍ତଙ୍କୁ ବାବାଙ୍କ ସମୀପକୁ ଆଣିବ ଏବଂ ଯେତେଯେତେ
ବାବାଙ୍କର ନିକଟବର୍ତ୍ତୀ ହେଉଥିବେ ସେହି ଅନୁସାରେ ସ୍ୱତଃ ହିଁ ଅନୁଭବ ମଧ୍ୟ କରିଚାଲିବେ । ତେଣୁ
ଏହିଭଳି କିଛି ଯୋଜନା କର ଏବଂ ଭାଷଣରେ ଏଭଳି କିଛି ସୂକ୍ଷ୍ମ ଶକ୍ତି ଭରିଦିଅ ଯାହାକି
ପରମାତ୍ମାଙ୍କ ପାଖକୁ ଟାଣି ହୋଇ ଆସିବେ । ତୁମର ଦିବ୍ୟଗୁଣର ଧାରଣା ଉପରେ ମଧ୍ୟ ସେମାନଙ୍କର
ଧ୍ୟାନ ଯାଇଛି, ଏମାନେ ଆତ୍ମାର ଜ୍ଞାନ, ପରମାତ୍ମାଙ୍କର ଜ୍ଞାନ ଦେଉଛନ୍ତି, ଏକଥା ମଧ୍ୟ କହୁଛନ୍ତି
କିନ୍ତୁ ପରମାତ୍ମା ଆସିସାରିଲେଣି, ପରମାତ୍ମାଙ୍କର କାର୍ଯ୍ୟ ସ୍ୱୟଂ ପରମାତ୍ମା ଚଲାଉଛନ୍ତି - ଏହି
କଥାର ପ୍ରତ୍ୟକ୍ଷତା ଚୁମ୍ବକ ଭଳି ପାଖକୁ ଟାଣି ଆଣିବ । ତୁମେମାନେ ମଧ୍ୟ ପାଖକୁ ସେତେବେଳେ ଆସିଛ
ଯେତେବେଳେ ବୁଝିଗଲ ଯେ ମୋତେ ବାବା ମିଳିଯାଇଛନ୍ତି ଏବଂ ବାବାଙ୍କ ସହିତ ମିଶିବାକୁ ହେବ । ତେବେ
ସ୍ନେହୀ ତ ଅଧିକାଂଶ ଆତ୍ମା ଅଟନ୍ତି, କିନ୍ତୁ କେଉଁ କଥା ବୁଝିବା ପରେ ସ୍ନେହୀ ହୋଇଛନ୍ତି? ଏହି
କାର୍ଯ୍ୟ ବହୁତ ଭଲ । ଯେଉଁ କାର୍ଯ୍ୟ ବ୍ରହ୍ମାକୁମାରୀମାନେ କରୁଛନ୍ତି ତାହା ଅନ୍ୟ କେହି
କରିପାରିବେ ନାହିଁ, ଏମାନେ ପରିବର୍ତ୍ତନ କରାଉଛି । ଏଠାରେ ପରମାତ୍ମା ଶୁଣାଉଛନ୍ତି, ଆମକୁ
ପରମାତ୍ମାଙ୍କଠାରୁ ସମ୍ପତ୍ତି ନେବାର ଅଛି - ଏତେ ନିକଟକୁ ଆସି ପାରୁ ନାହାଁନ୍ତି କାହିଁକି ନା
ପୂର୍ବରୁ ଯେଉଁମାନେ ବୁଝିନଥିଲେ ଯେ ବ୍ରହ୍ମାକୁୀମାରୀମନେ କ’ଣ କରୁଛନ୍ତି, ସେମାନଙ୍କର ଜ୍ଞାନ
କ’ଣ - ଏବେ ସେମାନେ ବୁଝିବାକୁ ଲାଗିଗଲେଣି । ଯଦି ଏବେ ବୁଝିଯିବେ ଯେ ଏହା ପରମାତ୍ମାଙ୍କର ଜ୍ଞାନ
ତେବେ ପରମାତ୍ମ ପ୍ରତ୍ୟକ୍ଷତା କ’ଣ ଆଉ ଅଟକି ପାରିବ? ଯେପରି ତୁମେ ମଧ୍ୟ ଦୌଡି ଦୌଡି ଆସିଯାଇ ଥିଲ
ନା ସେହିପରି ସେମାନେ ମଧ୍ୟ ଦୌଡି ଦୌଡି ଆସିବେ । ତେଣୁ ଏବେ ସେଭଳି କୌଣସି ଯୋଜନା ପ୍ରସ୍ତୁତ କର,
ସେହିଭଳି ଭାଷଣ ମଧ୍ୟ ପ୍ରସ୍ତୁତ କର, ଏହିଭଳି ପରମାତ୍ମ ଅନୁଭୂତି କରାଇ ବାସ୍ତବିକ ଦୃଷ୍ଟାନ୍ତ
ହୁଅ ତେବେ ଯାଇ ବାବାଙ୍କର ପ୍ରତ୍ୟକ୍ଷତା ବାସ୍ତବିକ ରୂପରେ ଦେଖାଯିବ । ଏବେ କେବଳ ଭଲ ଭଲ ବୋଲି
କହୁଛନ୍ତି - ଏତିକି ବାଟ ପର୍ଯ୍ୟନ୍ତ ଆସିଛନ୍ତି କିନ୍ତୁ ଆମକୁ ମଧ୍ୟ ଭଲ ହେବାକୁ ପଡିବ - ଏହିଭଳି
ବାତାବରଣ ପରମାତ୍ମ ସ୍ନେହର ଅନୁଭୂତି ଦ୍ୱାରା ହିଁ ସୃଷ୍ଟି ହେବ । ତେଣୁ ଅନୁଭବୀ ମୂରତ ହୋଇ
ଅନୁଭବ କରାଅ । ଏବେ ଡବଲ ମାଲିକ ପଣିଆର ସ୍ମୃତି ଦ୍ୱାରା ନିଜେ ସମର୍ଥ ହୋଇ ଅନ୍ୟମାନଙ୍କୁ ମଧ୍ୟ
ସମର୍ଥ କର ।
ସେବାର ଟର୍ଣ୍ଣ ପଞ୍ଜାବ
ଜୋନ୍ର -
ସମସ୍ତେ ହାତ ହଲାଅ । ବହୁତ ଭଲ । ଯେତେବେଳେ ଯେଉଁ ଜୋନକୁ ସେବାର ଟର୍ଣ୍ଣ ଅର୍ଥାତ୍ ପାଳି
ଦିଆଯାଉଛି ସେମାନେ ଖୋଲା ଦିଲ୍ରେ ତୁରନ୍ତ ଆସିଯାଉଛନ୍ତି । (ପଞ୍ଜାବ ଜୋନ୍ରୁ ୪୦୦୦ ଆସିଛନ୍ତି)
ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ପ୍ରତ୍ୟେକ ଜୋନ୍ ସେବା କରିବାର ବହୁତ ଭଲ ସୁଯୋଗ ନେଇ
ଯାଉଛନ୍ତି । ପଞ୍ଜାବକୁ ସମସ୍ତେ ଏମିତି ବି ସେର୍ ଅର୍ଥାତ୍ ବାଘ କହିଥାଆନ୍ତି, କିନ୍ତୁ ବାପଦାଦା
କହୁଛନ୍ତି ସେର୍ ଅର୍ଥାତ୍ ବିଜୟୀ । ତେଣୁ ପଞ୍ଜାବବାଲାଙ୍କୁ ସର୍ବଦା ନିଜର ମସ୍ତକରେ ବିଜୟର ତିଳକ
ଅନୁଭବ କରିବାର ଅଛି, କାହିଁକି ନା ତୁମକୁ ବିଜୟର ତିଳକ ମିଳିଯାଇଛି । ଏହି କଥା ସର୍ବଦା ସ୍ମୃତିରେ
ରହିବ ଯେ ମୁଁ ହିଁ କଳ୍ପ କଳ୍ପର ବିଜୟୀ ଅଟେ, ବିଜୟୀ ଥିଲି, ଏବଂ କଳ୍ପ କଳ୍ପ ମୁଁ ହିଁ ବିଜୟୀ
ହେବି । ବହୁତ ଭଲ । ପଞ୍ଜାବ ମଧ୍ୟ ୱାରିସ୍ କ୍ୱାଲିଟି ଆତ୍ମାଙ୍କୁ ବାବାଙ୍କ ସମ୍ମୁଖକୁ ଆଣିବା
ପାଇଁ କାର୍ଯ୍ୟକ୍ରମ ସବୁ କରୁଛି ନା! ଏବେ କିନ୍ତୁ ବାପଦାଦାଙ୍କ ସମ୍ମୁଖକୁ ୱାରିସ୍ କ୍ୱାଲିଟୀ ଆଣି
ନାହିଁ । ସ୍ନେହୀ କ୍ୱାଲିଟି ଆତ୍ମାଙ୍କୁ ଆଣିଛି । ସବୁ ଜୋନ୍ବାଲା ମଧ୍ୟ ସ୍ନେହୀ ସହରେଯାଗୀ
କ୍ୱାଲିଟୀ ହିଁ ଆଣୁଛନ୍ତି କିନ୍ତୁ କେହି ବି ୱାରିସ୍ କ୍ୱାଲିଟୀ ଆତ୍ମାକୁ ଆଣିନାହାଁନ୍ତି ।
ସମସ୍ତେ ପ୍ରସ୍ତୁତ କରୁଛନ୍ତି । କାରଣ ସବୁ ପ୍ରକାରର ଆତ୍ମା ଦରକାର ନା! ୱାରିସ୍ ମଧ୍ୟ ଦରକାର,
ସ୍ନେହୀ ମଧ୍ୟ ଦରକାର, ସହଯୋଗୀ ମଧ୍ୟ ଦରକାର । ମାଇକ୍ ଅର୍ଥାତ୍ ପ୍ରଚାର କରିବାବାଲା ମଧ୍ୟ ଦରକାର
ଏବଂ ମାଇଟ୍ ଅର୍ଥାତ୍ ଶକ୍ତି ଦେବାବାଲା ମଧ୍ୟ ଦରକାର, ସବୁ ପ୍ରକାରର ଦରକାର । ବହୁତ ଭଲ କଥା ଯେ
ସେଣ୍ଟର ଗୁଡିକରେ ପିଲାମାନଙ୍କର ସଂଖ୍ୟାର ବୃଦ୍ଧି ମଧ୍ୟ ହେଉଛି, ସମସ୍ତେ ବଡ ଉମଙ୍ଗ-ଉତ୍ସାହର
ସହିତ ସେବା ମଧ୍ୟରେ ମଧ୍ୟ ବୃଦ୍ଧି କରିଚାଲିଛନ୍ତି, ଏବେ ଦେଖିବା ଯେ କେଉଁ ଜୋନ୍ରେ ପ୍ରଥମେ
ପ୍ରତ୍ୟକ୍ଷତା ହେଉଛି ଯେ ପରମାତ୍ମା ଆସିସାରିଲେଣି । କେଉଁ ଜୋନ୍ ବାବାଙ୍କୁ ପ୍ରତ୍ୟକ୍ଷ କରୁଛି,
ତାହା ବାପଦାଦା ଦେଖିବେ । କ’ଣ ବିଦେଶ କରିବ? ବିଦେଶ ମଧ୍ୟ କରିପାରିବ । ଏଥିରେ ପଞ୍ଜାବ ଜୋନ୍
ନମ୍ବର ନେଇନିଅ । ପ୍ରଥମ ନମ୍ବର ନେଇ ନେଲ ବହୁତ ଭଲ ହେବ । ସମେସ୍ତ ତୁମକୁ ସହଯୋଗ ଦେବେ । ବହୁତ
ସମୟରୁ ଚେଷ୍ଠା କରିଚାଲିଛନ୍ତି - ଏହା ହିଁ ଅଟେ, ଏହା ହିଁ ଅଟେ, ଏହା ହିଁ ଅଟେ.... କିପରି ଏହି
ସମାଚାର ଚାରିଆଡେ ଖେଳିଯାଉ । ଏବେ ମଧ୍ୟ କହୁଛନ୍ତି ଏହା ମଧ୍ୟ ଅଟେ, କିନ୍ତୁ ଏହା ହିଁ ଅଟେ,
ଏକମାତ୍ର ଅଟେ - ଏକଥା ନାହିଁ । ତେଣୁ ପଞ୍ଜାବ କ’ଣ କରିବ? ଏହି ସମାଚାର ଚାରିଆଡେ ଆସିଯାଉ ଏହା
ହିଁ ଅଟେ, ଏହା ହିଁ ଅଟେ... । କ’ଣ କହୁଛ ଟୀଚରମାନେ ଠିକ୍ କଥା ନା? କେତେ ଦିନ ଭିତରେ କରିବ? ଏହି
ବର୍ଷ ଭିତରେ କରିବ? ନୂତନ ବର୍ଷ ଆରମ୍ଭ ହୋଇଛି ନା! ତେଣୁ ନୂଆ ବର୍ଷରେ କିଛି ନବୀନତା ତ ହେବା
ଦରକାର ନା! ଏମାନେ ମଧ୍ୟ ଅଟନ୍ତି - ଏହି କଥା ତ ବହୁତ ଶୁଣିସାରିଲୁଣି । ଯେପରି ତୁମମାନଙ୍କ ଦିଲ୍ରେ
କେବଳ ବାବା, ବାବା, ବାବା ସ୍ୱତଃ ହିଁ ସ୍ମୃତିରେ ରହୁଛି ସେହିପରି ସେମାନଙ୍କ ମୁଖରୁ ବାହାରୁ
“ଆମର ବାବା ଆସିଯାଇଛନ୍ତି” । ସେମାନେ ମଧ୍ୟ କୁହନ୍ତୁ “ମେରା ବାବା”, “ମେରା ବାବା” - ଏହି
ସମାଚାର ଚାରିକୋଣରୁ ବାହାରୁ, କିନ୍ତୁ ଆରମ୍ଭ ତ ଗୋଟିଏ କୋଣରୁ ହେବ ନା! ତେବେ ପଞ୍ଜାବ କମାଲ
କରିବ ତ? କାହିଁକି ନ କରିବ! କୁହ କରିବାକୁ ହିଁ ହେବ । ବହୁତ ଭଲ କଥା ।
ସବୁଆଡର ସମସ୍ତ ଆତ୍ମିକ
ଗୋଲାପ ସମାନ ପିଲାମାନଙ୍କୁ, ସର୍ବଦା ବାବାଙ୍କର ଅତିପ୍ରିୟ ଏବଂ ଦେହ-ଅଭିମାନଠାରୁ ସମ୍ପୂର୍ଣ୍ଣ
ସ୍ୱତନ୍ତ୍ର ବାପଦାଦାଙ୍କର ଦିଲ୍ର ଗେହ୍ଲା ପିଲାମାନଙ୍କୁ, ସର୍ବଦା ଏକମାତ୍ର ବାବା, ଏକାଗ୍ର ମନ,
ଏବଂ ଏକରସ ସ୍ଥିତିରେ ସ୍ଥିତ ରହୁଥିବା ପିଲାମାନଙ୍କୁ, ଚାରିଆଡର ଭିନ୍ନ ଭିନ୍ନ ସମୟରେ, ଭିନ୍ନ
ଭିନ୍ନ ସ୍ଥାନରେ ରହୁଥିଲେ ମଧ୍ୟ ବିଜ୍ଞାନର ସାଧନଗୁଡିକ ମାଧ୍ୟମରେ ମଧୁବନରେ ପହଞ୍ଚିଯାଇଥିବା,
ସମ୍ମୁଖରେ ଦେଖୁଥିବା ସମସ୍ତ ଗେହ୍ଲା, ସିକିଲଧା, କଳ୍ପକଳ୍ପର ପରମାତ୍ମ ସ୍ନେହର ପାତ୍ର ଅଧିକାରୀ
ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଆନ୍ତରିକ ଆଶୀର୍ବାଦ ପଦ୍ମାପଦ୍ମଗୁଣା
ସ୍ୱୀକାର କରିବା ହେଉ ଏବଂ ତା’ ସହିତ ଡବଲ ମାଲିକ ପିଲାମାନଙ୍କୁ ବାପଦାଦାଙ୍କର ନମସ୍ତେ ।
ଦାଦୀଜୀଙ୍କ ସହିତ
ସାକ୍ଷାତ:- ଇଏ
ମଧୁବନର ହୀରୋ ଆକ୍ଟର ଅଟନ୍ତି, ସର୍ବଦା ଜୀରୋ ବାବାଙ୍କର ସ୍ମୃତିରେ ରହିଛନ୍ତି । ଶରୀର ଯଦିଓ
ଚାଲୁନାହିଁ, ଟିକିଏ ଧୀରେ ଧୀରେ ଚାଲୁଛି କିନ୍ତୁ ସମସ୍ତଙ୍କର ସ୍ନେହ ଏବଂ ଆଶୀର୍ବାଦ ଚଳାଇଦେଉଛି
। ବାବାଙ୍କର ଆଶୀର୍ବାଦ ତ ରହିଛି କିନ୍ତୁ ସମସ୍ତଙ୍କର ଆଶୀର୍ବାଦ ମଧ୍ୟ ଅଛି । ସମସ୍ତେ ଦାଦୀଙ୍କୁ
ବହୁତ ସ୍ନେହ କରୁଛ ନା! ଦେଖ ସମସ୍ତେ ଏହି କଥା କହୁଛନ୍ତି ଯେ ଆଶୀର୍ବାଦ ମଧ୍ୟ ଅଛି । ସମସ୍ତେ
ଦାଦୀଙ୍କୁ ବହୁତ ସ୍ନେହ କରୁଛ ନା! ଦେଖ ସମସ୍ତେ ଏହି କଥା କହୁଛନ୍ତି ଯେ ଆମକୁ ଦାଦୀମାନେ ଦରକାର,
ଦାଦୀମାନେ ଦରକାର, ଦାଦୀମାନେ ଦରକାର.... । ତେଣୁ ଦାଦୀମାନଙ୍କର ବିଶେଷତା କ’ଣ? ଦାଦୀମାନଙ୍କର
ବିଶେଷତା ହେଲା ବାବାଙ୍କର ଶ୍ରୀମତ ଅନୁସାରେ ପ୍ରତ୍ୟେକ ପାଦ ଉଠାଇବା ଅର୍ଥାତ୍ ପ୍ରତ୍ୟେକ
କାର୍ଯ୍ୟ କରିବା । ନିଜର ମନକୁ ମଧ୍ୟ ସେବାରେ ସମର୍ପଣ କରିବା । ତୁମେମାନେ ମଧ୍ୟ ଏହିଭଳି କରୁଛ
ନା! ନିଜର ମନକୁ ସମର୍ପଣ କର । ବାପଦାଦା ଦେଖିଛନ୍ତି ମନ ବଡ କମାଲ କରି ଦେଖାଉଛି । ଜାଣିଛ କେଉଁ
କମାଲ କରୁଛି? ଚଞ୍ଚଳତା କରୁଛି । ତୁମର ମନ ଏକାଗ୍ର ହୋଇଯାଉ, ଯେପରି ପତାକାକୁ ଉପରକୁ କରୁଛ ନା,
ସେହିପରି ମନର ପତାକା ହେଲେ ଶିବବାବା, ମନ ଶିବବାବାଙ୍କଠାରେ ଏକାଗ୍ର ହୋଇଯାଉ । ଆସୁଛି, ସେହି
ସମୟ ମଧ୍ୟ ପାଖେଇ ଆସୁଛି । କେବେ କେବେ ବାପଦାଦା ପିଲାମାନଙ୍କର ବହୁତ ଭଲ ଭଲ ସଂକଳ୍ପ ମଧ୍ୟ
ଶୁଣୁଛନ୍ତି । ସମସ୍ତଙ୍କର ଲକ୍ଷ୍ୟ ମଧ୍ୟ ବହୁତ ଭଲ ଅଟେ । ଆଚ୍ଛା, ଦେଖ ଏହି ହଲ୍ର ଶୋଭା କେତେ
ସୁନ୍ଦର ଦେଖାଯାଉଛି । ମାଳା ଭଳି ଲାଗୁଛି ନା! ଏବଂ ମାଳା ଭିତରେ ଦାନାଗୁଡିକ ସବୁ ବସିଛନ୍ତି ।
ଆଚ୍ଛା! ଓମ୍ ଶାନ୍ତି....
ବରଦାନ:-
ଶାନ୍ତିର ଶକ୍ତି
ଦ୍ୱାରା ଗୋଟିଏ ସେକେଣ୍ଡରେ ମୁକ୍ତି ଏବଂ ଜୀବନମୁକ୍ତିର ଅନୁଭବ କରାଉଥିବା ବିଶେଷ ଆତ୍ମା ହୁଅ ।
ବିଶେଷ ଆତ୍ମାମାନଙ୍କର
ବିଶେଷତା ହେଲା ସେମାନେ ଗୋଟିଏ ସେକେଣ୍ଡ ଭିତରେ କୌଣସି ବି ଆତ୍ମାକୁ ମୁକ୍ତି ଏବଂ ଜୀବନମୁକ୍ତିର
ଅନୁଭବୀ କରିଦେବେ । କେବଳ ରାସ୍ତା ବତାଇବେ ନାହିଁ କିନ୍ତୁ ଗୋଟିଏ ସେକେଣ୍ଡରେ ଶାନ୍ତିର ବା
ଅତିନ୍ଦ୍ରିୟ ସୁଖର ଅନୁଭବ ମଧ୍ୟ କରାଇଦେବେ । ତେବେ ଜୀବନମୁକ୍ତିର ଅନୁଭବ ହେଲା ସୁଖ ଏବଂ
ମୁକ୍ତିର ଅନୁଭବ ହେଲା ଶାନ୍ତି । ତେଣୁ ଯେଉଁମାନେ ବି ତୁମ ସମ୍ମୁଖକୁ ଆସୁଛନ୍ତି ସେମାନେ ଗୋଟିଏ
ସେକେଣ୍ଡରେ ଏହାର ଅନୁଭବ କରନ୍ତୁ । ଯେତେବେଳେ ତୁମମାନଙ୍କର ପୁରୁଷାର୍ଥର ବେଗ ଏହିଭଳି ହୋଇଯିବ
ସେତେବେଳେ ଯାଇ ବିଜ୍ଞାନ ଉପରେ ଶାନ୍ତିର ଶକ୍ତିର ବିଜୟକୁ ଦେଖି ସମସ୍ତଙ୍କ ମୁଖରୁ ବାଃ ବାଃ ଶବ୍ଦ
ବାହାରିବ ଏବଂ ପ୍ରତ୍ୟକ୍ଷତାର ଦୃଶ୍ୟ ସମ୍ମୁଖକୁ ଆସିବ ।
ସ୍ଲୋଗାନ:-
ବାବାଙ୍କର
ପ୍ରତ୍ୟେକ ନିର୍ଦ୍ଦେଶ ଉପରେ ନିଜକୁ ସ୍ୱାହା କରି ଦେଉଥିବା ସଚ୍ଚା ପତଙ୍ଗ ହୁଅ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପର ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ । ଏବେ ଯେପରି ବାଣୀ ଦ୍ୱାରା
ଆଦେଶ-ନିର୍ଦ୍ଦେଶ ଦେବାକୁ ପଡୁଛି, ସେହିପରି ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ମଧ୍ୟ ସାରା କାରବାର
ଚାଲିପାରିବ । ବିଜ୍ଞାନର ଶକ୍ତିବାଲା ପୃଥିବୀ ଠାରୁ ନେଇ ଉପର ମହାକାଶ ପର୍ଯ୍ୟନ୍ତ ମଧ୍ୟ
ନିର୍ଦ୍ଦେଶ ଗ୍ରହଣ କରିପାରୁଛନ୍ତି, ତେବେ କ’ଣ ତୁମେମାନେ ନିଜର ଶ୍ରେଷ୍ଠ ସଂକଳ୍ପର ଶକ୍ତିଦ୍ୱାରା
ସାରା କାରବାର ଚଲାଇପାରିବ ନାହିଁ! ଯେପରି ବାଣୀ ଦ୍ୱାରା ନିଜର କଥାକୁ ସ୍ପଷ୍ଟ କରୁଛ, ସେହିପରି
ଆଗକୁ ଗଲେ ସଂକଳ୍ପ ଦ୍ୱାରା ସାରା କାରବାର ଚାଲିବ, ଏଥିପାଇଁ ଶ୍ରେଷ୍ଠ ସଂକଳ୍ପର ଷ୍ଟକ ଜମା କର ।