13.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମର ଭାଗ୍ୟକୁ ଉଜ୍ୱଳ କରିବା ପାଇଁ ବାବା ଆସିଛନ୍ତି, ପବିତ୍ର ହେଲେ ହିଁ ଭାଗ୍ୟ ଉଜ୍ୱଳ ହେବ ।’’

ପ୍ରଶ୍ନ:-
ଉଜ୍ୱଳ ଭାଗ୍ୟବାନ ସନ୍ତାନମାନଙ୍କର ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
(୧) ସେମାନେ ସୁଖର ଦେବତା ହୋଇଥିବେ । ଅବିନାଶୀ ପିତାଙ୍କଠାରୁ ସୁଖର ସମ୍ପତ୍ତି ନେଇ ସମସ୍ତଙ୍କୁ ସୁଖ ଦେଉଥିବେ । କେବେ ବି କାହାକୁ ଦୁଃଖ ଦେଇପାରିବେ ନାହିଁ । ସେମାନେ ହେଲେ ବ୍ୟାସଙ୍କର ସନ୍ତାନ ସଚ୍ଚା ସଚ୍ଚା ସୁଖଦେବ । (୨) ସେମାନେ ପାଞ୍ଚ ବିକାରକୁ ତ୍ୟାଗ କରି ସଚ୍ଚା-ସଚ୍ଚା ରାଜଯୋଗୀ, ରାଜଋଷି ବୋଲାଇଥା’ନ୍ତି । (୩) ସେମାନଙ୍କର ଅବସ୍ଥା ଏକରସ ରହିଥାଏ, ସେମାନେ କୌଣସି କଥାରେ କାନ୍ଦି ନ ଥାନ୍ତି । ସେମାନଙ୍କୁ ହିଁ କୁହାଯାଏ ମୋହଜିତ୍ ।

ଗୀତ:-
ତକଦୀର ଜଗାକର ଆଇ ହୁଁ...

ଓମ୍ ଶାନ୍ତି ।
ଗୀତର ଗୋଟିଏ ଧାଡି ମଧ୍ୟ ଶୁଣି ମିଠା ମିଠା ପିଲାମାନଙ୍କର ଲୋମ ଟାଙ୍କୁରୀ ଉଠିବା ଉଚିତ୍ । ଏହା ତ ସାଧାରଣ ଗୀତ ହେଲେ ମଧ୍ୟ ଏହାର ସାରମର୍ମ କେହି ଜାଣି ନାହାଁନ୍ତି । ବାବା ହିଁ ଆସି ପ୍ରତ୍ୟେକ ଗୀତ, ଶାସ୍ତ୍ରର ଅର୍ଥକୁ ବୁଝାଉଛନ୍ତି । ମଧୁର ସନ୍ତାନମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ କଳିଯୁଗରେ ସମସ୍ତଙ୍କର ଭାଗ୍ୟ ଶୋଇ ଯାଇଛି । ସତ୍ୟଯୁଗରେ ଭାଗ୍ୟ ଜାଗ୍ରତ ହୋଇ ରହିଥାଏ । କେବଳ ବାବା ହିଁ ଶୋଇ ରହିଥିବା ଭାଗ୍ୟକୁ ଜାଗ୍ରତ କରିବାର ମତ ଦିଅନ୍ତି ଅଥବା ଭାଗ୍ୟ ନିର୍ମାଣ କରିଥା’ନ୍ତି । ସେ ହିଁ ବସି ପିଲାମାନଙ୍କର ଭାଗ୍ୟ ଜାଗ୍ରତ କରିଥା’ନ୍ତି । ଯେପରି ପିଲା ଜନ୍ମ ହେଲେ ଭାଗ୍ୟ ଜାଗ୍ରତ ହୋଇଥାଏ । ପିଲା ଜନ୍ମ ହେବା ମାତ୍ରକେ ଜାଣିଯାଏ ଯେ ମୁଁ ଉତ୍ତରାଧିକାରୀ ଅଟେ । ଠିକ୍ ସେହିପରି ଏହା ମଧ୍ୟ ଅସୀମ ଭାଗ୍ୟର କଥା ଅଟେ । ପିଲାମାନେ ଜାଣିଛନ୍ତି - କଳ୍ପ-କଳ୍ପ ଆମର ଭାଗ୍ୟ ଜାଗ୍ରତ ହୋଇ ପୁଣି ଶୋଇ ଯାଉଛି । ପବିତ୍ର ହେଲେ ଭାଗ୍ୟ ଜାଗ୍ରତ ହୋଇଥାଏ । ପବିତ୍ର ଗୃହସ୍ଥ ଆଶ୍ରମ କୁହାଯାଇଥାଏ । ଆଶ୍ରମ ଅକ୍ଷର ପବିତ୍ର ଅଟେ । ପବିତ୍ର ଗୃହସ୍ଥ ଆଶ୍ରମ, ତାର ବିପରୀତ ହେଉଛି ଅପବିତ୍ର ପତିତ ଧର୍ମ, ଆଶ୍ରମ କୁହାଯିବ ନାହିଁ । ଗୃହସ୍ଥ ଧର୍ମ ସମସ୍ତଙ୍କର ରହିଛି ହିଁ । ଜୀବଜନ୍ତୁଙ୍କର ମଧ୍ୟ ଅଛି । ସମସ୍ତେ ତ ସନ୍ତାନ ଜନ୍ମ କରୁଛନ୍ତି । ଜୀବଜନ୍ତୁମାନଙ୍କୁ ମଧ୍ୟ କୁହାଯିବ ଗୃହସ୍ଥ ଧର୍ମରେ ଅଛନ୍ତି । ପିଲାମାନେ ଏବେ ଜାଣୁଛନ୍ତି - ଆମେ ସ୍ୱର୍ଗରେ ପବିତ୍ର ଗୃହସ୍ଥ ଆଶ୍ରମରେ, ଦେବୀ-ଦେବତା ଥିଲୁ । ତାଙ୍କର ମହିମା ମଧ୍ୟ ଗାୟନ କରୁଛନ୍ତି - ସର୍ବଗୁଣ ସମ୍ପନ୍ନ... ତୁମେ ନିଜେ ମଧ୍ୟ ଗାୟନ କରୁଥିଲ । ଏବେ ଜାଣୁଛ ଆମେ ପୁର୍ନବାର ମନୁଷ୍ୟରୁ ଦେବତା ହେଉଛୁ । ଦେବୀ-ଦେବତାମାନଙ୍କର ଏହା ଧର୍ମ ଅଟେ । ପୁଣି ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ଦେବତା କହୁଛନ୍ତି । ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ... ଶିବଙ୍କ ନିମନ୍ତେ କହନ୍ତି ଶିବ ପରମାତ୍ମାୟେ ନମଃ, ତେଣୁ ପାର୍ଥକ୍ୟ ହୋଇଗଲା ନା । ଶିବ ଓ ଶଙ୍କରଙ୍କୁ ଏକ କୁହାଯାଇ ପାରିବ ନାହିଁ । ପଥରବୁଦ୍ଧି ଥିଲେ, ଏବେ ପାରସ ବୁଦ୍ଧି ହେଉଛନ୍ତି । ଦେବତାମାନଙ୍କୁ ତ ପଥରବୁଦ୍ଧି କୁହାଯିବ ନାହିଁ । ପୁଣି ଅବିନାଶୀ ଡ୍ରାମାର ଯୋଜନା ଅନୁସାରେ ରାବଣ ରାଜ୍ୟ ହୋଇଥିବାରୁ ତାଙ୍କୁ ଅର୍ଥାତ୍ ଦେବତାମାନଙ୍କୁ ମଧ୍ୟ ସିଡି ଓହ୍ଲାଇବାକୁ ପଡୁଛି । ପାରସବୁଦ୍ଧିରୁ ପଥରବୁଦ୍ଧି ହେବାକୁ ପଡୁଛି । ସବୁଠାରୁ ବୁଦ୍ଧିବାନ୍ କେବଳ ଏକ ବାବା ହିଁ କରାଉଛନ୍ତି । ତୁମକୁ ପାରସ ବୁଦ୍ଧି ଅର୍ଥାତ୍ ଦୈବୀବୁଦ୍ଧି କରାଉଛନ୍ତି । ତୁମେ ଏଠାକୁ ପାରସବୁଦ୍ଧି ହେବାକୁ ଆସୁଛ । ପାରସନାଥଙ୍କ ମନ୍ଦିର ମଧ୍ୟ ରହିଛି । ସେଠାରେ ମେଳା ଲାଗିଥାଏ । କିନ୍ତୁ ଏକଥା କେହି ଜାଣି ନାହାଁନ୍ତି - ପାରସନାଥ କିଏ । ବାସ୍ତବରେ ବାବା ହିଁ ପାରସ ଅର୍ଥାତ୍ ଶ୍ରେଷ୍ଠ କରାଉଛନ୍ତି । ସେ ବୁଦ୍ଧିବାନ୍‌ଙ୍କର ବୁଦ୍ଧି ଅଟନ୍ତି । ଏହା ତୁମ ସନ୍ତାନମାନଙ୍କ ବୁଦ୍ଧି ନିମନ୍ତେ ଭୋଜନ ଅଟେ । ବୁଦ୍ଧି କେତେ ପରିବର୍ତ୍ତନ ହେଉଛି । ଯେପରି କହିଥା’ନ୍ତି ଖରାପ ଦେଖ ନାହିଁ... ଏହା ମାଙ୍କଡମାନଙ୍କ କଥା ତ ନୁହେଁ । ମନୁଷ୍ୟମାନେ ହିଁ ମାଙ୍କଡ ସଦୃଶ ହୋଇଯାଇଛନ୍ତି । ବଣ ମଣିଷ ସହିତ ମଣିଷର ତୁଳନା କରାଯାଉଛି । ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି, ପରସ୍ପରକୁ କେତେ ଦୁଃଖ ଦେଉଛନ୍ତି । ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିକୁ ଭୋଜନ ମିଳୁଛି । ଅବିନାଶୀ ପିତା ବୁଦ୍ଧିକୁ ଭୋଜନ ଦେଉଛନ୍ତି । ଏହି ପାଠପଢାକୁ ଜ୍ଞାନ ଅମୃତ ମଧ୍ୟ କୁହାଯାଉଛି । କୌଣସି ପାଣି ଆଦି ନୁହେଁ । ଆଜିକାଲି ସବୁ ଜିନିଷକୁ ଅମୃତ କହିଦେଉଛନ୍ତି । ଗଙ୍ଗାଜଳକୁ ମଧ୍ୟ ଅମୃତ କହିଦେଉଛନ୍ତି । ଦେବତାମାନଙ୍କର ପାଦ ଧୋଇ ପିଇଥା’ନ୍ତି, ପାଣି ରଖିଥା’ନ୍ତି, ଏହାକୁ ମଧ୍ୟ ଅମୃତର ଅଞ୍ଜଳୀ ବୋଲି ଭାବିଥା’ନ୍ତି । ଅଞ୍ଜଳି ଯେଉଁମାନେ ପାଇଥାଆନ୍ତି ସେହି ଅମୃତ ଯେ ସେମାନଙ୍କୁ ପତିତରୁ ପାବନ କରାଇବ, ଏହା କୁହାଯାଇ ପାରିବ ନାହିଁ । ଗଙ୍ଗାଜଳ ନିମନ୍ତେ କହିଥା’ନ୍ତି ଏହା ପତିତ-ପାବନୀ ଅଟେ । କହିଥା’ନ୍ତି ମନୁଷ୍ୟ ମଲା ବେଳେ ଗଙ୍ଗାଜଳ ମୁଖରେ ଦେବା ଉଚିତ୍ । ଦେଖାନ୍ତି ଅର୍ଜୁନ ବାଣ ମାରିଲେ ପୁଣି ଗଙ୍ଗାଜଳ ପିଆଇଲେ । ତୁମେ କୌଣସି ବାଣ ଆଦି ମାରୁ ନାହିଁ । ଗୋଟିଏ ଗାଁ ଅଛି ଯେଉଁଠି ବାଣ ଦ୍ୱାରା ଲଢେଇ କରିଥାନ୍ତି । ସେଠାକାର ରାଜାଙ୍କୁ ଈଶ୍ୱରଙ୍କ ଅବତାର କହିଥା’ନ୍ତି । ବାବା କହୁଛନ୍ତି - ଏମାନେ ସବୁ ଭକ୍ତିମାର୍ଗର ଗୁରୁ । ବାସ୍ତବରେ ସତ୍‌ଗୁରୁ ଜଣେ ହିଁ ଅଟନ୍ତି । ସମସ୍ତଙ୍କର ସଦ୍‌ଗତି ଦାତା ଜଣେ ଅଟନ୍ତି, ଯିଏ ସମସ୍ତଙ୍କୁ ସାଥିରେ ନେଇଯାଉଛନ୍ତି । ବାବାଙ୍କ ବ୍ୟତୀତ ଘରକୁ କେହି ଫେରେଇ ନେଇ ଯାଇପାରିବେ ନାହିଁ । ବ୍ରହ୍ମରେ ଲୀନ ହେବାର କୌଣସି କଥା ନାହିଁ । ଏହା ନାଟକ ତିଆରି ହୋଇଛି, ଯେଉଁ ଚକ୍ର ଅନାଦି ଘୂରି ଚାଲିଛି । ବିଶ୍ୱର ଇତିହାସ-ଭୂଗୋଳର କିପରି ପୁନରାବୃତ୍ତି ହେଉଛି, ଏକଥା ବର୍ତ୍ତମାନ ତୁମେ ଜାଣୁଛ । ମନୁଷ୍ୟ ଅର୍ଥାତ୍ ଆତ୍ମାମାନେ ନିଜର ପିତା ରଚୟିତାଙ୍କୁ ମଧ୍ୟ ଜାଣି ନାହାଁନ୍ତି, ଯାହାଙ୍କୁ ୟାଦ ମଧ୍ୟ କରିଥା’ନ୍ତି - ହେ ଈଶ୍ୱର ପିତା । ଲୌକିକ ପିତାଙ୍କୁ କେବେ ଗଡ୍ ଫାଦର କହିବେ ନାହିଁ । ଗଡ୍ ଫାଦର ଅକ୍ଷର ବହୁତ ଇଜ୍ଜତ ସହିତ କହିଥା’ନ୍ତି । ତାଙ୍କ ପାଇଁ ଅର୍ଥାତ୍ ଗଡ୍ ଫାଦରଙ୍କ ନିମନ୍ତେ ହିଁ କହିଥା’ନ୍ତି ସେ ପତିତ-ପାବନ, ଦୁଃଖହର୍ତ୍ତା-ସୁଖକର୍ତ୍ତା ଅଟନ୍ତି । ଗୋଟିଏ ପଟେ କହୁଛନ୍ତି ସେ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ପୁଣି କୌଣସି ଦୁଃଖ ହେଲେ ଅଥବା ନିଜର ସନ୍ତାନ ମରିଗଲେ କହିଥା’ନ୍ତି ଈଶ୍ୱର ହିଁ ସୁଖ ଦୁଃଖ ଦେଉଛନ୍ତି । ଈଶ୍ୱର ଆମ ପିଲାକୁ ନେଇଗଲେ, ଏପରି କାହିଁକି କଲେ! ଈଶ୍ୱରଙ୍କୁ ପୁଣି ଗାଳି ଦେଉଛନ୍ତି । ଏମିତି ମଧ୍ୟ କହିଥା’ନ୍ତି - ଈଶ୍ୱର ପିଲା ଦେଇଥିଲେ ପୁଣି ଯଦି ନେଇ ଗଲେ ତୁମେ କାହିଁକି କାନ୍ଦୁଛ । ଈଶ୍ୱରଙ୍କ ପାଖକୁ ଗଲା ନା । ସତ୍ୟଯୁଗରେ କେବେ କେହି କାନ୍ଦନ୍ତି ନାହିଁ । ବାବା ବୁଝାଉଛନ୍ତି କାନ୍ଦିବାର କୌଣସି ଆବଶ୍ୟକତା ନାହିଁ । ଆତ୍ମାକୁ ନିଜର ହିସାବ-କିତାବ ଅନୁସାରେ ଯାଇ ଅଭିନୟ କରିବାକୁ ପଡିବ । ଜ୍ଞାନ ନ ଥିବା କାରଣରୁ ମନୁଷ୍ୟ କେତେ କାନ୍ଦୁଛନ୍ତି । ଯେପରି ପାଗଳ ହୋଇଯାଉଛନ୍ତି । ଏଠାରେ ତ ବାବା ବୁଝାଉଛନ୍ତି - ମାଆ ମଲେ ମଧ୍ୟ ହାଲୁଆ ଖାଇବ... ବାପା ମଲେ ମଧ୍ୟ ହାଲୁଆ ଖାଇବ... ନଷ୍ଟୋମୋହା ହେବାକୁ ପଡିବ । ଆମର ତ ଏକମାତ୍ର ଅବିନାଶୀ ପିତା, ଦ୍ୱିତୀୟ କେହି ନାହାଁନ୍ତି, ଏପରି ଅବସ୍ଥା ଈଶ୍ୱରୀୟ ସନ୍ତାନମାନଙ୍କର ହେବା ଉଚିତ୍ । ମୋହଜିତ୍ ରାଜାଙ୍କର କଥା ମଧ୍ୟ ଶୁଣିଛ ନା । ସତ୍ୟଯୁଗରେ କେବେ କୌଣସି ଦୁଃଖ ରହିବ ନାହିଁ, ନା କେବେ ଅକାଳ ମୃତ୍ୟୁ ହେବ । ପିଲାମାନେ ଜାଣିଛନ୍ତି ଆମେ କାଳ ଅର୍ଥାତ୍ ମୃତ୍ୟୁ ଉପରେ ବିଜୟପ୍ରାପ୍ତ କରୁଛୁ । ବାବାଙ୍କୁ ମହାକାଳ, କାଳର କାଳ ମଧ୍ୟ କହିଥା’ନ୍ତି । ତୁମକୁ କାଳ ଉପରେ ବିଜୟପ୍ରାପ୍ତ କରିବାକୁ ହେବ ଅର୍ଥାତ୍ କାଳ ତୁମକୁ କେବେ ବିନାଶ କରିପାରିବ ନାହିଁ । କାଳ ନା ଆତ୍ମାକୁ ନା ଶରୀରକୁ ନାଶ କରିପାରିବ । ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ । ତାକୁ କହିଥା’ନ୍ତି କାଳ ଖାଇଗଲା, କିନ୍ତୁ କାଳ କୌଣସି ବସ୍ତୁ ନୁହେଁ । ମନୁଷ୍ୟ ମହିମା ଗାୟନ କରୁଛନ୍ତି, କିନ୍ତୁ କିଛି ହେଲେ ବୁଝୁ ନାହାଁନ୍ତି । ଅଚ୍ୟୁତମ୍‌, କେଶବମ୍‌... ବାବା ବୁଝାଉଛନ୍ତି ଏହି ପାଞ୍ଚ ବିକାର ତୁମର ବୁଦ୍ଧିକୁ କେତେ ଖରାପ କରିଦେଉଛି । ବର୍ତ୍ତମାନ କେହି ହେଲେ ବାବାଙ୍କୁ ଜାଣି ନାହାଁନ୍ତି ସେଥିପାଇଁ ଏହାକୁ ଅନାଥର ଦୁନିଆ କୁହାଯାଉଛି । ପରସ୍ପର ମଧ୍ୟରେ କେତେ ଲଢେଇ ଝଗଡା କରୁଛନ୍ତି । ଏହି ସମଗ୍ର ଦୁନିଆ ବାବାଙ୍କର ଘର ଅଟେ ନା । ବାବା ସମଗ୍ର ଦୁନିଆର ପିଲାମାନଙ୍କୁ ପତିତରୁ ପାବନ କରିବାକୁ ଆସୁଛନ୍ତି । ବାସ୍ତବରେ ଅଧାକଳ୍ପ ପବିତ୍ର ଦୁନିଆ ଥିଲା ନା । ଗାୟନ ମଧ୍ୟ କରନ୍ତି ରାମ ରାଜା ରାମ ପ୍ରଜା... ସେଠାରେ ପୁଣି ଅଧର୍ମର କଥା କିପରି ହୋଇପାରିବ । କହିଥା’ନ୍ତି ସେଠାରେ ବାଘ, ଛେଳି ଏକାଠି ପାଣି ପିଉଥିଲେ, ତେବେ ରାବଣ ଆଦି ସେଠାକୁ କେଉଁଠାରୁ ଆସିଲେ । କିଛି ବୁଝୁ ନାହାଁନ୍ତି, ଭାରତ ବାହାର ଲୋକେ ଏପରି କଥା ଶୁଣି ହସୁଛନ୍ତି । ବାବା ଆସି ଜ୍ଞାନ ଦେଉଛନ୍ତି, ଏହା ପତିତ ଦୁନିଆ ଅଟେ ନା । କ’ଣ ପ୍ରେରଣା ଦ୍ୱାରା ପତିତଙ୍କୁ ପାବନ କରାଇବେ! ଡାକୁଛନ୍ତି ହେ ପତିତ-ପାବନ ଆସ, ତେଣୁ ନିଶ୍ଚୟ ଭାରତରେ ହିଁ ଆସିଥିଲେ । ବର୍ତ୍ତମାନ ମଧ୍ୟ କହୁଛନ୍ତି ମୁଁ ଜ୍ଞାନର ସାଗର ଆସିଛି - ତୁମମାନଙ୍କୁ ନିଜ ସଦୃଶ ମାଷ୍ଟର ଜ୍ଞାନ ସାଗର କରିବା ପାଇଁ । ବାବାଙ୍କୁ ହିଁ ସଚ୍ଚା ସଚ୍ଚା ବ୍ୟାସ କୁହାଯିବ । ତେଣୁ ଇଏ ହେଲେ ବ୍ୟାସଦେବ ଓ ତୁମେ ତାଙ୍କର ସନ୍ତାନ ସୁଖଦେବ, ତୁମ ଏବେ ସୁଖର ଦେବତା ହେଉଛ । ସୁଖର ବର୍ସା ଅର୍ଥାତ୍ ସମ୍ପତ୍ତି ନେଉଛ, ବ୍ୟାସ ଶିବାଚାର୍ଯ୍ୟଙ୍କଠାରୁ । ବ୍ୟାସଙ୍କର ସନ୍ତାନ ତୁମେ ଅଟ । କିନ୍ତୁ ମନୁଷ୍ୟ ଦ୍ୱନ୍ଦ୍ୱରେ ନ ପଡିବା ନିମନ୍ତେ କୁହାଯାଉଛି ଶିବଙ୍କର ସନ୍ତାନ । ତାଙ୍କର ଅସଲ ନାମ ଶିବ ଅଟେ । ଆତ୍ମାକୁ ଜାଣିବାକୁ ପଡେ ଓ ପରମାତ୍ମାଙ୍କୁ ମଧ୍ୟ ଜାଣିବାକୁ ପଡେ । ସେ ଆସି ପତିତରୁ ପାବନ ହେବାର ରାସ୍ତା ବତାଉଛନ୍ତି । କହୁଛନ୍ତି ମୁଁ ତୁମ ଆତ୍ମାମାନଙ୍କର ପିତା ଅଟେ । ଲୋକମାନେ କହନ୍ତି ଆଙ୍ଗୁଠି ସଦୃଶ ଅଟନ୍ତି । ଏତେ ବଡ ତ ଏଠାରେ ରହିପାରିବ ନାହିଁ । ପରମାତ୍ମା ତ ବହୁତ ସୂକ୍ଷ୍ମ ଅଟନ୍ତି । ଡାକ୍ତରମାନେ ମଧ୍ୟ ମୁଣ୍ଡ ପିଟିଥା’ନ୍ତି - ଆତ୍ମାକୁ ଦେଖିବା ପାଇଁ । କିନ୍ତୁ ଦେଖିପାରନ୍ତି ନାହିଁ । ଆତ୍ମାକୁ ଅନୁଭବ କରାଯାଇଥାଏ । ବାବା ପଚାରୁଛନ୍ତି ଏବେ ତୁମେ ଆତ୍ମାକୁ ଅନୁଭବ କରୁଛ? ଏତେ ଛୋଟ ଆତ୍ମାରେ ଅବିନାଶୀ ଅଭିନୟ ଭରା ହୋଇ ରହିଛି, ଯେପରି ଏକ ରେକର୍ଡ । ପ୍ରଥମେ ତୁମେ ଦେହ-ଅଭିମାନୀ ଥିଲ, ଏବେ ଦେହୀ-ଅଭିମାନୀ ହୋଇଛ । ତୁମେ ଜାଣିଛ ଆମର ଆତ୍ମା କିପରି ୮୪ ଜନ୍ମ ନେଇ ଚାଲିଛି । ଏହାର ଶେଷ ନାହିଁ । କେହି-କେହି ପଚାରୁଛନ୍ତି - ଏହି ଡ୍ରାମା କେବେଠାରୁ ଆରମ୍ଭ ହେଲା । କିନ୍ତୁ ଏହା ତ ଅନାଦି ଅଟେ, ଏହାର କେବେ ବିନାଶ ହୁଏ ନାହିଁ । ଏହାକୁ ପୂର୍ବ ପ୍ରସ୍ତୁତ ଅବିନାଶୀ ବିଶ୍ୱ ନାଟକ ବୋଲି କୁହାଯାଉଛି । ସାରା ବିଶ୍ୱକୁ ମଧ୍ୟ ତୁମେ ଜାଣିଛ । ଅପାଠୁଆକୁ ପାଠ ଦେବା ସଦୃଶ, ବାବା ତୁମକୁ ପଢାଉଛନ୍ତି । ଆତ୍ମା ହିଁ ଶରୀର ଦ୍ୱାରା ପଢୁଛି । ଏହା ପଥରବୁଦ୍ଧି ଅର୍ଥାତ୍ ବୁଦ୍ଧିହୀନ ମାନଙ୍କ ନିମନ୍ତେ ଖାଦ୍ୟ ଅଟେ । ବୁଦ୍ଧିକୁ ଜ୍ଞାନ ମିଳୁଛି । ତୁମ ସନ୍ତାନମାନଙ୍କ ନିମନ୍ତେ ହିଁ ବାବା ଚିତ୍ର ତିଆରି କରାଇଛନ୍ତି । ବହୁତ ସହଜ ଅଟେ । ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କର, ତେବେ ବ୍ରହ୍ମାଙ୍କୁ ତ୍ରିମୂର୍ତ୍ତି କାହିଁକି କହୁଛନ୍ତି! ଦେବ-ଦେବ ମହାଦେବ... ସମସ୍ତଙ୍କ ଠାରୁ ଉପରେ ରଖୁଛନ୍ତି । ଅର୍ଥ କିଛି ହେଲେ ବି ବୁଝୁ ନାହାଁନ୍ତି । ତେବେ ବ୍ରହ୍ମା କିପରି ହୋଇପାରିବେ, ଯେବେକି ବ୍ରହ୍ମାଙ୍କୁ ପ୍ରଜାପିତା କୁହାଯାଉଛି । ସୂକ୍ଷ୍ମବତନରେ ସେ କିପରି ଦେବତା ହୋଇପାରିବେ । ପ୍ରଜାପିତା ବ୍ରହ୍ମା ତ ଏହିଠାରେ ରହିବା ଆବଶ୍ୟକ । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ବାବା କହୁଛନ୍ତି - ମୁଁ ଏହି ଶରୀରରେ ପ୍ରବେଶ କରି ଏହାଙ୍କ ଅର୍ଥାତ୍ ବ୍ରହ୍ମାଙ୍କ ଦ୍ୱାରା ତୁମକୁ ବୁଝାଉଛି, ଏହାଙ୍କୁ ନିଜର ରଥ କରୁଛି । ଏହାଙ୍କର ବହୁତ ଜନ୍ମର ଅନ୍ତ ସମୟରେ ମୁଁ ଆସୁଛି । ଇଏ ମଧ୍ୟ ପାଞ୍ଚ ବିକାରର ସନ୍ନ୍ୟାସ କରୁଛନ୍ତି । ସନ୍ନ୍ୟାସ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଯୋଗୀ ଅଥବା ଋଷି କୁହାଯାଏ । ଏବେ ତୁମେ ରାଜଋଷି ଅଟ, ତୁମେ ପ୍ରତିଜ୍ଞା କରୁଛ । ସେହି ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡି ଚାଲିଯାଇଥା’ନ୍ତି । ଏଠାରେ ତ ସ୍ତ୍ରୀ-ପୁରୁଷ ଏକତ୍ର ରହୁଛନ୍ତି, କହୁଛନ୍ତି ଆମେ ବିକାରରେ କେବେ ଲିପ୍ତ ହେବୁ ନାହିଁ । ମୂଳକଥା ହେଉଛି ବିକାରର ।

ତୁମେ ଜାଣିଛ ଶିବବାବା ରଚୟିତା ଅଟନ୍ତି । ସେ ନୂଆ ଦୁନିଆ ରଚନା କରୁଛନ୍ତି । ସେ ବୀଜରୂପ ସତ୍ ଚିତ୍‌, ଆନନ୍ଦର ସାଗର, ଜ୍ଞାନର ସାଗର ଅଟନ୍ତି । ସ୍ଥାପନା, ପାଳନା, ବିନାଶ କିପରି କରୁଛନ୍ତି - ଏହା ବାବା ହିଁ ଜାଣିଛନ୍ତି । ଏହି କଥାକୁ ମନୁଷ୍ୟ ତ ଜାଣି ନାହାଁନ୍ତି । ତୁମେ ପିଲାମାନେ ଏବେ ଏହି କଥାକୁ ଜାଣିଛ, ସେଥିପାଇଁ ସମସ୍ତଙ୍କୁ ବୁଝାଇ ପାରିବ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପ୍ରତ୍ୟେକ ଆତ୍ମାର ହିସାବ-କିତାବ ନିଜସ୍ୱ ଅଟେ, ତେଣୁ କେହି ଶରୀର ଛାଡି ଦେଲେ କାନ୍ଦିବାର ନାହିଁ । ସମ୍ପୂର୍ଣ୍ଣ ନଷ୍ଟୋମୋହା ହେବାର ଅଛି । ବୁଦ୍ଧିରେ ସଦା ରହିବା ଆବଶ୍ୟକ - ମୋର ତ ଏକମାତ୍ର ଅବିନାଶୀ ବାବା, ଦ୍ୱିତୀୟ କେହି ନାହାଁନ୍ତି ।

(୨) ପଞ୍ଚ ବିକାର ଯାହାକି ବୁଦ୍ଧିକୁ ଭ୍ରଷ୍ଟ କରୁଛି, ସେଗୁଡିକୁ ତ୍ୟାଗ କରିବାକୁ ହେବ । ସୁଖର ଦେବତା ହୋଇ ସମସ୍ତଙ୍କୁ ସୁଖ ଦେବାକୁ ପଡିବ । କାହାକୁ ହେଲେ ଦୁଃଖ ଦେବା ଉଚିତ୍ ନୁହେଁ ।

ବରଦାନ:-
ସର୍ବଦା ମର୍ଯ୍ୟାଦାର ସୀମା ଭିତରେ ରହିବା ଉପରେ ଧ୍ୟାନ ଦେଉଥିବା ମର୍ଯ୍ୟାଦା ପୁରୁଷୋତ୍ତମ ଭବ ।

ଯେଉଁ ପିଲାମାନେ ନିଜକୁ ଏକମାତ୍ର ବାବା ଅର୍ଥାତ୍ ରାମଙ୍କର ସଚ୍ଚୀ ସୀତା ମନେକରି ସର୍ବଦା ମର୍ଯ୍ୟାଦାର ସୀମା ଭିତରେ ରହିଥାଆନ୍ତି ଅର୍ଥାତ୍ ଏଥିପ୍ରତି ଧ୍ୟାନ ଦେଉଥାଆନ୍ତି, ସେମାନେ ସର୍ବଦା ସତର୍କ ରହିବା ସହିତ ହର୍ଷିତ ମଧ୍ୟ ସ୍ୱତଃ ହିଁ ରହିଥାଆନ୍ତି । ତେଣୁ ସକାଳଠାରୁ ରାତ୍ରି ପର୍ଯ୍ୟନ୍ତ ଯାହା ବି ସବୁ ମର୍ଯ୍ୟାଦା ଗୁଡିକୁ ପାଳନ କରିବା ପାଇଁ କୁହାଯାଇଛି ତା’ର ଜ୍ଞାନକୁ ସ୍ପଷ୍ଟ ଭାବରେ ବୁଦ୍ଧିରେ ରଖି ନିଜକୁ ସଚ୍ଚା ସୀତା ମନେକରି ମର୍ଯ୍ୟାଦାର ସୀମା ଭିତରେ ରୁହ, ତେବେ କୁହାଯିବ ମର୍ଯ୍ୟାଦା ପୁରୁଷୋତ୍ତମ ।

ସ୍ଲୋଗାନ:-
ସେବାର ଅତିକୁ ଯାଅ ନାହିଁ, ସେବା ସହିତ ସ୍ୱ-ପୁରୁଷାର୍ଥର ସନ୍ତୁଳନ ରଖ ।

ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ:-

“ଅଖଣ୍ଡ ଜ୍ୟୋତି ତତ୍ତ୍ୱ ସାଇଲେନ୍ସ ଲଜିଂ ଅର୍ଥାତ୍ ନିସ୍ତବ୍ଦ ଗୃହ ଏବଂ ସାକାରୀ ଦୁନିଆ କ୍ରୀଡାଭୂମି”

ଆତ୍ମାମାନଙ୍କର ନିବାସ ସ୍ଥାନ ହେଉଛି ଅଖଣ୍ଡ ଜ୍ୟୋତି ମହତତ୍ତ୍ୱ, ଯେଉଁଠାରେ ଆତ୍ମା ଏହି ଶରୀରର ଅଭିନୟରୁ ମୁକ୍ତ ଅବସ୍ଥାରେ ଥାଏ ଅର୍ଥାତ୍ ଦୁଃଖ ସୁଖରୁ ନିଆରା ଅବସ୍ଥାରେ ରହିଥାଏ ଯାହାକୁ ସାଇଲେନ୍ସ ଲଜିଂ ବା ନିସ୍ତବ୍ଦ ଗୃହ ମଧ୍ୟ କୁହାଯାଏ ଏବଂ ଆତ୍ମାମାନଙ୍କର ଶରୀର ସହିତ ଅଭିନୟ କରିବାର ସ୍ଥାନ କ୍ରିଡାଭୂମି ଏହି ସାକାର ଦୁନିଆ ଅଟେ । ମୁଖ୍ୟ ଦୁଇଟି ଦୁନିଆ ରହିଛି ଗୋଟିଏ ହେଲା ନିରାକାରୀ ଦୁନିଆ, ଅନ୍ୟଟି ହେଲା ସାକାରୀ ବା ସ୍ଥୂଳ ଦୁନିଆ । ଦୁନିଆରେ ତ କେବଳ କହିଦେଇଥା’ନ୍ତି କି ପରମାତ୍ମା ରଚୟିତା, ପାଳନକର୍ତ୍ତା, ସଂହାରକର୍ତ୍ତା, ଅନ୍ନଦାତା, ମୃତ୍ୟୁଦାତା, ଜ୍ୱଳନକର୍ତ୍ତା ମଧ୍ୟ ଅଟନ୍ତି । ତେଣୁ ଦୁଃଖ ସୁଖଦାତା ମଧ୍ୟ ସେ ହିଁ ଅଟନ୍ତି, ଯେତେବେଳେ କୌଣସି ଦୁଃଖ ଆସିଥାଏ, ଲୋକମାନେ କହିଥା’ନ୍ତି ହେ ପ୍ରଭୁ ତେରା ଭାନା ମିଠା ଲାଗେ ଅର୍ଥାତ୍ ପ୍ରଭୁ ଆପଣ ଯାହା ସବୁ କରୁଛନ୍ତି ବା ଯାହା ବି ଦେଉଛନ୍ତି ସବୁ କିଛି ମିଠା ଲାଗୁଛି, ତେବେ ଏହା ହେଉଛି ଅଯଥାର୍ଥ ଜ୍ଞାନ, କାହିଁକି ନା ଏହା ପରମାତ୍ମାଙ୍କର କାର୍ଯ୍ୟ ନୁହେଁ । ପରମାତ୍ମା ଦୁଃଖହର୍ତ୍ତା ଅଟନ୍ତି, ଦୁଃଖକର୍ତ୍ତା ନୁହଁନ୍ତି । ଜନ୍ମ ନେବା, ଜନ୍ମ ଛାଡିବା, ଦୁଃଖ ସୁଖ ଭୋଗିବା ଏହା ପ୍ରତ୍ୟେକ ମନୁଷ୍ୟର ସଂସ୍କାର ଅଟେ । ଶରୀରର ଜନ୍ମଦାତା ମାତା-ପିତା ଯିଏକି କର୍ମବନ୍ଧନ ଅନୁସାରେ ପିତା ପୁତ୍ର ସମ୍ବନ୍ଧରେ ଆସିଥା’ନ୍ତି, ସେହିପରି ଆତ୍ମାମାନଙ୍କର ପିତା ପରମାତ୍ମା ବାବା ଅଟନ୍ତି । ସେ କିପରି ବେହଦର ରଚନାର ସ୍ଥାପନା, ପାଳନା କରନ୍ତି! ସେ କିପରି ନିଜର ତିନି ରୂପ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ରଚୟିତା ଅଟନ୍ତି, ପୁଣି ଏହି ଆକାରୀ ରୂପ ଦ୍ୱାରା ଦୈବୀ ସୃଷ୍ଟିର ସ୍ଥାପନା, ଆସୁରୀ ଦୁନିଆର ବିନାଶ କରି ପୁଣି ଦୈବୀ ଦୁନିଆର ପାଳନା କରାଇଥା’ନ୍ତି । ପରମାତ୍ମାଙ୍କର ଏହି ତିନୋଟି କାମ ବେହଦର ଅଥବା ଅସୀମ ଅଟେ । ବାକି ଏହି ଦୁଃଖ-ସୁଖ, ଜନ୍ମ-ମରଣ କର୍ମ ଅନୁସାରେ ହୋଇଥାଏ । ପରମାତ୍ମା ତ ସୁଖଦାତା ଅଟନ୍ତି, ସେ ନିଜ ପିଲାମାନଙ୍କୁ କୌଣସି ଦୁଃଖ ଦେଇ ନ ଥା’ନ୍ତି । ଆଚ୍ଛା - ଓମ୍ ଶାନ୍ତି ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ସମ୍ପୂର୍ଣ୍ଣ ପବିତ୍ରତାର ଅର୍ଥ ହେଲା ସଂକଳ୍ପରେ ମଧ୍ୟ କୌଣସି ଗୋଟିଏ ବିକାରର ଅଂଶ ମଧ୍ୟ ନ ଥିବ । ଜ୍ଞାନ, ଗୁଣ ଏବଂ ସର୍ବଶକ୍ତି ଗୁଡିକର ପ୍ରାପ୍ତିରେ ସର୍ବଦା ସମ୍ପନ୍ନ, ସର୍ବପ୍ରାପ୍ତି ଗୁଡିକର ଆଲୋକର ମୁକୁଟ ସର୍ବଦା ସ୍ୱଷ୍ଟ ରୂପରେ ଦେଖାଯାଉଥିବ । ନିଜକୁ ସର୍ବଦା ଲାଇଟ୍ ଅର୍ଥାତ୍ ଆତ୍ମିକ ସ୍ୱରୂପରେ ଅନୁଭବ କରୁଥାଅ । କର୍ମ କରିବାରେ ମଧ୍ୟ ନିଜକୁ ଲାଇଟ୍ ଅର୍ଥାତ୍ ହାଲୁକା ଅନୁଭବ କର ।