14.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ତୁମେମାନେ ସଙ୍ଗମ ଯୁଗରେ ଅଛ, ତୁମକୁ ପୁରୁଣା ଦୁନିଆରୁ ସମ୍ପର୍କ ତୁଟାଇ ଦେବାକୁ ହେବ କାହିଁକିନା ଏହି ପୁରୁଣା ଦୁନିଆ ଏବେ ବିନାଶ ହେବାକୁ ଯାଉଛି ।’’

ପ୍ରଶ୍ନ:-
ସଙ୍ଗମର କେଉଁ ବିଶେଷତା ସାରା କଳ୍ପରୁ ଅଲଗା?

ଉତ୍ତର:-
ସଙ୍ଗମର ବିଶେଷତା ହେଉଛି - ବର୍ତ୍ତମାନ ଏଠାରେ ପାଠ ପଢୁଛ, ପ୍ରାରବ୍ଧ ଭବିଷ୍ୟତରେ ପାଇବ । ସାରା କଳ୍ପରେ ଏପରି ପାଠ ପଢାଯାଉ ନାହିଁ ଯାହାର ପ୍ରାରବ୍ଧ ପରଜନ୍ମରେ ମିଳିବ । ଏବେ ତୁମେ ପିଲାମାନେ ଅମରଲୋକକୁ ଯିବା ପାଇଁ ମୃତ୍ୟୁ ଲୋକରେ ପାଠ ପଢୁଛ । ଆଉ କେହି ପରଜନ୍ମ ପାଇଁ ପାଠ ପଢୁ ନାହାଁନ୍ତି ।

ଗୀତ:-
ଦୂର ଦେଶ କା ରହନେ ବାଲା....

ଓମ୍ ଶାନ୍ତି ।
ଦୂର ଦେଶର ନିବାସୀ କିଏ ? ଏକଥା ତ କେହି ବି ଜାଣିନାହାଁନ୍ତି । କ’ଣ ତାଙ୍କର ନିଜର ଦେଶ ନାହିଁ ଯାହାକି ପରଦେଶକୁ ଆସିଛନ୍ତି ? ସେ ନିଜ ଦେଶକୁ ଆସୁନାହାଁନ୍ତି? ଏହା ରାବଣ ରାଜ୍ୟ ପରଦେଶ ଅଟେ ନା । କ’ଣ ଶିବବାବା ନିଜ ଦେଶକୁ ଆସୁନାହାଁନ୍ତି? ଆଚ୍ଛା, ରାବଣର ପରଦେଶ କେଉଁଟି ଏବଂ ନିଜ ଦେଶ କେଉଁଟି ? ଶିବବାବାଙ୍କର ନିଜ ଦେଶ କେଉଁଟି ଏବଂ ପରଦେଶ କେଉଁଟି? ପୁଣି ବାବା ଆସୁଛନ୍ତି ପରଦେଶକୁ, ତେବେ ତାଙ୍କର ଦେଶ କେଉଁଟି? ନିଜ ଦେଶର ସ୍ଥାପନା କରିବା ପାଇଁ ଆସିଥା’ନ୍ତି, ତେବେ ସିଏ କ’ଣ ନିଜ ଦେଶକୁ ନିଜେ ଆସିଥା’ନ୍ତି । (ଜଣେ ଦୁଇ ଜଣ ଶୁଣାଇଲେ) ଆଚ୍ଛା, ଏହା ଉପରେ ସମସ୍ତେ ବିଚାର ସାଗର ମନ୍ଥନ କରିବ । ଏହା ବହୁତ ବୁଝିବାର କଥା । ରାବଣର ପରଦେଶ ବୁଝାଇବା ତ ବହୁତ ସହଜ । ରାମରାଜ୍ୟକୁ କେବେ ରାବଣ ଆସି ନ ଥାଏ । ବାବାଙ୍କୁ ରାବଣ ଦେଶକୁ ଆସିବାକୁ ପଡ଼ିଥାଏ କାହିଁକିନା ରାବଣର ରାଜ୍ୟକୁ ପରିବର୍ତ୍ତନ କରିବାକୁ ପଡିଥାଏ । ଏହା ହେଉଛି ସଙ୍ଗମଯୁଗ । ସିଏ ସତ୍ୟଯୁଗରେ କିମ୍ବା କଳିଯୁଗରେ ମଧ୍ୟ ଆସି ନ ଥାଆନ୍ତି, କେବଳ ସଙ୍ଗମଯୁଗରେ ହିଁ ଆସିଥା’ନ୍ତି । ତେଣୁ ଏହା ରାମ ଏବଂ ରାବଣ ଉଭୟଙ୍କର ଦେଶ ଅଟେ । ଏ କୂଳ ରାମଙ୍କର, ସେ କୂଳ ରାବଣର । ତେବେ ଏହା ସଙ୍ଗମଯୁଗ ଅଟେ ନା । ଏବେ ତୁମେ ସନ୍ତାନମାନେ ସଙ୍ଗମଯୁଗରେ ଅଛ । ନା ଏପଟେ, ନା ସେପଟେ ଅଛ । ତେଣୁ ନିଜକୁ ସଙ୍ଗମଯୁଗୀ ବୋଲି ଭାବିବା ଉଚିତ୍ । ଆମର ସେପଟ ସହିତ କୌଣସି ସମ୍ପର୍କ ନାହିଁ । ଏବେ ବୁଦ୍ଧିରେ ପୁରୁଣା ଦୁନିଆ ଠାରୁ ସମ୍ପର୍କ ତୁଟାଇବାକୁ ପଡ଼ୁଛି । ଏଠାରେ ତ ରହୁଛ, କିନ୍ତୁ ବୁଦ୍ଧି ଦ୍ୱାରା ଜାଣିଛ ଯେ, ଏହି ପୁରୁଣା ଦୁନିଆ ହିଁ ସମାପ୍ତ ହୋଇଯିବ । ଆତ୍ମା କହୁଛି ଏବେ ମୁଁ ସଙ୍ଗମଯୁଗରେ ଅଛି । ବାବା ଆସିଛନ୍ତି, ତାଙ୍କୁ ନାଉରିଆ ମଧ୍ୟ କୁହାଯାଉଛି । ଏବେ ଆମେ ଯାଉଛୁ । କିପରି? ଯୋଗ ବଳ ଦ୍ୱାରା । ଯୋଗ କରିବା ପାଇଁ ମଧ୍ୟ ଜ୍ଞାନ ଦରକାର ଏବଂ ଜ୍ଞାନକୁ ଜାଣିବା ପାଇଁ ମଧ୍ୟ ଜ୍ଞାନ ଦରକାର । ବାବା ବୁଝାଉଛନ୍ତି - ଯୋଗ କରିବା ପାଇଁ ହେଲେ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ଏହା ମଧ୍ୟ ଜ୍ଞାନ ଅଟେ ନା । ଜ୍ଞାନ ଅର୍ଥାତ୍ ବୁଝିବା । ବାବା ମତ ଦେବାକୁ ଆସିଛନ୍ତି । କହୁଛନ୍ତି ନିଜକୁ ଆତ୍ମା ମନେ କର । ଆତ୍ମା ହିଁ ୮୪ ଜନ୍ମ ନେଇଥାଏ । ବାବା ପିଲାମାନଙ୍କୁ ହିଁ ସବୁକିଛି ବିସ୍ତାର ଭାବରେ ବସି ବୁଝାଉଛନ୍ତି । ଏବେ ଏହି ରାବଣରାଜ୍ୟ ଶେଷ ହୋଇଯିବ! ଏଠାରେ କର୍ମବନ୍ଧନ ରହିଛି, ସେଠାରେ କର୍ମ ସମ୍ବନ୍ଧ ରହିବ । ବନ୍ଧନ ଦୁଃଖର ନାମ ଏବଂ ସମ୍ବନ୍ଧ ସୁଖର ନାମ ଅଟେ । ଏବେ କର୍ମ-ବନ୍ଧନକୁ କାଟିବାକୁ ହେବ । ବୁଦ୍ଧିରେ ଅଛି ଆମେ ବର୍ତ୍ତମାନ ବ୍ରାହ୍ମଣ ସମ୍ବନ୍ଧରେ ରହିଛୁ ପୁଣି ଦୈବୀ ସମ୍ବନ୍ଧକୁ ଯିବୁ । ବ୍ରାହ୍ମଣ ସମ୍ବନ୍ଧର ଏହା ଏକମାତ୍ର ଜନ୍ମ । କିନ୍ତୁ ୮ ଜନ୍ମ ଏବଂ ୧୨ ଜନ୍ମ ଆମେ ଦୈବୀ ସମ୍ବନ୍ଧରେ ରହିବା । ଏହି ଜ୍ଞାନ ବୁଦ୍ଧିରେ ଅଛି ସେଥିପାଇଁ କଳିଯୁଗୀ ଛି-ଛି କର୍ମ ବନ୍ଧନକୁ ଯେପରି ଗ୍ଲାନି ଅର୍ଥାତ୍ ନିନ୍ଦା କରୁଛ । ଏହି ଦୁନିଆର କର୍ମ ବନ୍ଧନରେ ଏବେ ରହିବାର ନାହିଁ । ତୁମମାନଙ୍କୁ ଏବେ ଈଶ୍ୱରୀୟ ବୁଦ୍ଧି ମିଳିଛି - ଏସବୁ ହେଉଛି ଆସୁରୀ କର୍ମ ବନ୍ଧନ । ଆମେ ମଧ୍ୟ ଗୁପ୍ତରେ ଗୋଟିଏ ଯାତ୍ରା କରୁଛେ । ବାବା ଏହି ଯାତ୍ରା ଶିଖାଇଛନ୍ତି ପୁଣି ଏହି କର୍ମ-ବନ୍ଧନରୁ ଅଲଗା ହୋଇ ଆମେ କର୍ମାତୀତ ହୋଇଯିବା । ଏହି କର୍ମ- ବନ୍ଧନ ଏବେ ତୁଟିବାର ହିଁ ଅଛି । ଆମେ ବାବାଙ୍କୁ ମନେ ପକାଉଛୁ ଯାହାଦ୍ୱାରା ପବିତ୍ର ହେବୁ ଏବଂ ଚକ୍ରକୁ ବୁଝି ଚକ୍ରବର୍ତ୍ତୀ ରାଜା ହେବୁ । ପାଠ ପଢୁଛୁ ତେଣୁ ତା’ର ଏମ୍ ଅବଜେକ୍ଟ ଏବଂ ପ୍ରାରବ୍ଧ ମଧ୍ୟ ଦରକାର ନା । ତୁମେ ଜାଣିଛ ଆମକୁ ଏବେ ବେହଦର ବାବା ପାଠ ପଢାଉଛନ୍ତି, ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି ପାଠ ପଢାଇଥିଲେ । ଏହା ଡ଼୍ରାମା ଅଟେ ନା । ଯେଉଁମାନଙ୍କୁ କଳ୍ପ ପୂର୍ବରୁ ପାଠ ପଢାଇଥିଲେ ଏବେ ମଧ୍ୟ ତାଙ୍କୁ ହିଁ ପଢାଇବେ । ବହୁତ ଆସିବେ, ବୃଦ୍ଧି ହେବ । ସମସ୍ତେ ତ ସତ୍ୟଯୁଗକୁ ଯିବେ ନାହିଁ । ବାକି ସମସ୍ତେ ଘରକୁ ଫେରିଯିବେ । ଏପଟେ ନର୍କ, ସେପଟେ ସ୍ୱର୍ଗ । ହଦର ପାଠପଢାରେ ତ ବୁଝିଯାଆନ୍ତି ଯେ ଆମେ ଏଠାରେ ପଢୁଛୁ, ପୁଣି ପ୍ରାଲବ୍ଧ ମଧ୍ୟ ଏହିଠାରେ ହିଁ ପାଇବୁ । ଏବେ ଆମେ ସଙ୍ଗମଯୁଗରେ ପାଠ ପଢୁଛୁ । ଯାହାର ପ୍ରାରବ୍ଧ ଆମକୁ ନୂଆ ଦୁନିଆରେ ମିଳିବ । ଏହା ହେଉଛି ନୂଆ କଥା । ଦୁନିଆରେ ଏପରି କେହି କହିବେ ନାହିଁ ଯେ ତୁମକୁ ଏହାର ପ୍ରାରବ୍ଧ ପରବର୍ତ୍ତୀ ଜନ୍ମରେ ମିଳିବ । ଏହି ଜନ୍ମର ପାଠପଢାର ପ୍ରାରବ୍ଧ ପରବର୍ତ୍ତୀ ଜନ୍ମରେ ପାଇବା - ଏହା କେବଳ ସଙ୍ଗମଯୁଗରେ ହିଁ ହୋଇଥାଏ । ବାବା ମଧ୍ୟ ସଙ୍ଗମଯୁଗରେ ହିଁ ଆସିଥା’ନ୍ତି । ତୁମେମାନେ ପୁରୁଷୋତ୍ତମ ହେବା ପାଇଁ ପାଠ ପଢୁଛ । ନୂଆ ଦୂନିଆ ଅମର ପୁରୀକୁ ଯିବା ପାଇଁ ଜ୍ଞାନର ସାଗର ଭଗବାନ ଥରେ ମାତ୍ର ଆସି ଏହି ପାଠ ପଢାଇଥା’ନ୍ତି । ଏହା ତ ହେଉଛି କଳିଯୁଗ, ମୃତ୍ୟୁଲୋକ । ଆମେ ସତ୍ୟଯୁଗକୁ ଯିବା ପାଇଁ, ନର୍କବାସୀରୁ ସ୍ୱର୍ଗବାସୀ ହେବା ପାଇଁ ପାଠ ପଢୁଛୁ । ଏହା ହେଉଛି ପର ଦେଶ, ତାହା ହେଉଛି ନିଜ ଦେଶ । ସେହି ନିଜ ଦେଶରେ ବାବାଙ୍କୁ ଆସିବାର ଆବଶ୍ୟକତା ନାହିଁ । ସେହି ଦେଶ ହେଉଛି ହିଁ ପିଲାମାନଙ୍କର, ସତ୍ୟଯୁଗରେ ରାବଣ ଆସି ପାରିବ ନାହିଁ । ସେତେବେଳେ ରାବଣ ଗୁପ୍ତ ହୋଇଯାଇଥାଏ । ପୁଣି ଆସିବ ଦ୍ୱାପରରେ । ତେଣୁ ବାବା ମଧ୍ୟ ଗୁପ୍ତ ହୋଇଯାଉଛନ୍ତି । ସତ୍ୟଯୁଗରେ କେହି ବି ତାଙ୍କୁ ଜାଣିବେ ନାହିଁ । ତେବେ ମନେ ମଧ୍ୟ କାହିଁକି ପକାଇବେ । ସୁଖର ପ୍ରାରବ୍ଧ ପୁରା ହୋଇଗଲେ ପୁଣି ରାବଣ ରାଜ୍ୟ ଆରମ୍ଭ ହୋଇଯାଏ, ଏହାକୁ ପରର ଦେଶ ବୋଲି କୁହାଯାଏ ।

ଏବେ ତୁମେ ଜାଣୁଛ ଯେ, ଆମେ ସଙ୍ଗମଯୁଗରେ ଅଛୁ, ଆମକୁ ପଥପ୍ରଦର୍ଶକ ବାବା ମିଳିଛନ୍ତି । ବାକି ସମସ୍ତେ ଧକ୍କା ଖାଇଚାଲିଛନ୍ତି । ଯେଉଁମାନେ ବହୁତ ଥକି ଯାଇଥିବେ, ଯେଉଁମାନେ କଳ୍ପ ପୂର୍ବରୁ ରାସ୍ତା ପାଇଥିବେ, ସେହିମାନେ ଏଠାକୁ ଆସିବାକୁ ଲାଗିବେ । ତୁମେ ପଣ୍ଡାମାନେ ସମସ୍ତଙ୍କୁ ରାସ୍ତା ବତାଉଛ, ଏହା ହେଉଛି ଆତ୍ମିକ ଯାତ୍ରାର ରାସ୍ତା ଯାହାଦ୍ୱାରା କି ସିଧା ସୁଖଧାମକୁ ଚାଲିଯିବ । ତୁମେ ପଣ୍ଡାମାନେ ପାଣ୍ଡବ ସଂମ୍ପ୍ରଦାୟର ଅଟ । କିନ୍ତୁ ଏହାକୁ ପାଣ୍ଡବ ରାଜ୍ୟ କୁହାଯିବ ନାହିଁ । ରାଜ୍ୟ ନା ପାଣ୍ଡବଙ୍କର ଅଛି ନା କୌରବଙ୍କର । ଉଭୟଙ୍କର ମୁକୁଟ ନାହିଁ । କିନ୍ତୁ ଭକ୍ତିମାର୍ଗରେ ଉଭୟଙ୍କୁ ମୁକୁଟ ଦେଇ ଦେଇଛନ୍ତି । ଯଦିଓ ରାଜମୁକୁଟ ଦେଇଦେବେ କିନ୍ତୁ ଲାଇଟର ମୁକୁଟ ନା ପାଣ୍ଡବମାନଙ୍କୁ ଦେଇପାରିବେ ନା କୌରବମାନଙ୍କୁ, କାହିଁକିନା ସେମାନେ ପୁରଷାର୍ଥୀ ଅଟନ୍ତି । ଜ୍ଞାନମାର୍ଗରେ ଚାଲୁ-ଚାଲୁ ତଳକୁ ଖସି ଯାଉଛନ୍ତି ତେଣୁ କାହାକୁ ଦିଆଯିବ । ସେଥିପାଇଁ ଏହି ସବୁ ଅଳଙ୍କାର ବିଷ୍ଣୁଙ୍କୁ ଦେଇ ଦେଇଛନ୍ତି କାହିଁକିନା ସେ ପବିତ୍ର ଅଟନ୍ତି । ସତ୍ୟଯୁଗରେ ସମସ୍ତେ ପବିତ୍ର ସଂପୂର୍ଣ୍ଣ ନିର୍ବିକାରୀ ଥା’ନ୍ତି । ତେଣୁ ପବିତ୍ରତା ରୂପି ଲାଇଟର୍ ମୁକୁଟ ଥାଏ । ବର୍ତ୍ତମାନ ତ କେହି ଜଣେ ହେଲେ ବି ପବିତ୍ର ନାହାଁନ୍ତି । ସନ୍ନ୍ୟାସୀମାନେ ନିଜକୁ ପବିତ୍ର ବୋଲି କହୁଛନ୍ତି । କିନ୍ତୁ ଦୁନିଆ ତ ପବିତ୍ର ନୁହେଁ ନା । ଜନ୍ମ ପୁଣି ବି ବିକାରୀ ଦୁନିଆରେ ହିଁ ନେଉଥା’ନ୍ତି । ଏହା ହେଉଛି ରାବଣର ପତିତ ପୁରୀ, ପାବନ ରାଜ୍ୟ ସତ୍ୟଯୁଗ ନୂଆ ଦୁନିଆକୁ କୁହାଯାଇଥାଏ । ଏବେ ତୁମକୁ ବାଗବାନ (ବଗିଚାର ମାଲିକ) ବାବା କଣ୍ଟାରୁ ଫୁଲ କରୁଛନ୍ତି । ସେ ପତିତ-ପାବନ ମଧ୍ୟ ଅଟନ୍ତି, ନାଉରିଆ ମଧ୍ୟ ଅଟନ୍ତି ଏବଂ ବାଗବାନ ଅର୍ଥାତ୍ ବଗିଚାର ମାଲିକ ମଧ୍ୟ ଅଟନ୍ତି । ବାଗବାନ ଏବେ ଏହି କଣ୍ଟାର ଜଙ୍ଗଲକୁ ଆସିଛନ୍ତି, ତୁମର କମାଣ୍ଡର ତ ଜଣେ ହିଁ ଅଟନ୍ତି । ଯାଦବମାନଙ୍କର ମୁଖ୍ୟ କମାଣ୍ଡର ଶଙ୍କରଙ୍କୁ କୁହାଯିବ କି? ଏମିତି ତ ସେ (ଶଙ୍କର) କୌଣସି ବିନାଶ କରୁନାହାଁନ୍ତି । ସମୟ ଆସିଲେ ଲଢେଇ ଲାଗିଥାଏ । କହିଥା’ନ୍ତି ଶଙ୍କରଙ୍କ ପ୍ରେରଣା ଦ୍ୱାରା ମୁସଳ ଆଦି ତିଆରି ହେଉଛି । ଏହିଭଳି କାହାଣୀମାନ ଲେଖିଦେଇଛନ୍ତି । ପୁରୁଣା ଦୁନିଆ ତ ନିଶ୍ଚୟ ଶେଷ ହେବ । ଘର ପୁରୁଣା ହେଲେ ଭାଙ୍ଗିଯାଇଥାଏ । ମନୁଷ୍ୟ ମରିଥା’ନ୍ତି । ସେହିପରି ଏହି ପୁରୁଣା ଦୁନିଆ ମଧ୍ୟ ଦିନେ ଶେଷ ହୋଇଯିବ । କେହି ମାଟି ତଳେ ଦବି ମରିଯିବେ, କେହି ବୁଡ଼ି ମରିବେ । କେହି ତ ଶକ (ମାନସିକ ଆଘାତ)ରେ ମରିବେ । ବୋମା ଆଦିର ବିଷାକ୍ତ ବାୟୁ ମଧ୍ୟ ମନୁଷ୍ୟଙ୍କୁ ମାରିଦେବ । ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ଏବେ ବିନାଶ ନିଶ୍ଚିତ ହେବ । ଆମେ ସେପାରିକୁ ଯାଉଛୁ । କଳିଯୁଗ ପୂରା ହୋଇ ସତ୍ୟଯୁଗର ସ୍ଥାପନା ନିଶ୍ଚୟ ହେବ । ପୁଣି ଅଧାକଳ୍ପ ଲଢେଇ ହେବ ନାହିଁ ।

ଏବେ ବାବା ଆସିଛନ୍ତି ପୁରୁଷାର୍ଥ କରାଇବା ପାଇଁ, ଏହା ହେଉଛି ଶେଷ ସୁଯୋଗ । ଡ଼େରି କଲେ ପୁଣି ଅଚାନକ ହିଁ ମୃତ୍ୟୁ ହୋଇଯିବ କାରଣ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ଅଚାନକ ଭାବେ ବସି ଥାଉ ଥାଉ ମଧ୍ୟ ମନୁଷ୍ୟ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ ମୃତ୍ୟୁମୁଖରେ ପଡିବା ପୂର୍ବରୁ ତ ଯୋଗର ଯାତ୍ରା କର । ଏବେ ତୁମକୁ ଘରକୁ ଯିବାକୁ ହେବ, ସେଥିପାଇଁ ବାବା କହୁଛନ୍ତି - ପିଲାମାନେ, ଘରକୁ ମନେ ପକାଅ, ଯାହା ଦ୍ୱାରା ଅନ୍ତମତି ସୋ ଗତି ହୋଇଯିବ, ତୁମେମାନେ ଘରକୁ ଚାଲିଯିବ । କିନ୍ତୁ କେବଳ ଘରକୁ ଅର୍ଥାତ୍ ପରମଧାମକୁ ମନେ ପକାଇଲେ ପାପର ବିନାଶ ହେବ ନାହିଁ । ବାବାଙ୍କୁ ମନେ ପକାଇଲେ ପାପର ବିନାଶ ହେବ ଏବଂ ତୁମେ ନିଜର ଘରକୁ ଚାଲିଯିବ, ସେଥିପାଇଁ ବାବାଙ୍କୁ ସ୍ମରଣ କରିଚାଲ । ନିଜର ଚାର୍ଟ ରଖିଲେ ଜଣାପଡ଼ିଯିବ, ସାରା ଦିନରେ ମୁଁ କ’ଣ କ’ଣ ସବୁ କରିଛି? ୫-୬ ବର୍ଷର ଆୟୁଷରୁ ଆମେ ଜୀବନରେ କ’ଣ କ’ଣ ସବୁ କରିଛୁ... ତାହା ମଧ୍ୟ ମନେ ରହୁଛି । ଏପରି ବି ନୁହେଁ, ସାରା ସମୟ ଲେଖିବାକୁ ପଡ଼ୁଛି । ଧ୍ୟାନରେ ରହୁଛି - ବଗିଚାରେ ବସି ବାବାଙ୍କୁ ମନେ ପକାଇଥିଲି, ଦୋକାନରେ କେହି ଗ୍ରାହକ ନ ଥିଲେ ତେଣୁ ମୁଁ ଯୋଗଯୁକ୍ତ ହୋଇ ବସିଥିଲି । ମନ ଭିତରେ ତ ନୋଟ୍ ରହିବ । ଯଦି ଲେଖିବାକୁ ଚାହୁଁଛ ତେବେ ପୁଣି ଡ଼ାଇରୀ ରଖିବାକୁ ପଡ଼ିବ । ମୂଳକଥା ହେଲା, ମୁଁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବି! ପବିତ୍ର ଦୁନିଆର ମାଲିକ କିପରି ହେବି? ପତିତରୁ ପାବନ କିପରି ହେବି? ବାବା ଆସି ଏହି ଜ୍ଞାନ ଦେଉଛନ୍ତି । ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି । ତୁମେ ଏବେ କହୁଛ ବାବା ମୁଁ ଆପଣଙ୍କର ହିଁ ସନ୍ତାନ ଅଟେ । ସର୍ବଦା ଆପଣଙ୍କର ହିଁ ଅଟେ । କେବଳ ଭୁଲିଯାଇ ଦେହ-ଅଭିମାନୀ ହୋଇଯାଇଛି । ଏବେ ଆପଣ ବତାଇଥିବାରୁ ଆମେ ପୁଣି ଦେହୀ-ଅଭିମାନୀ ହେଉଛୁ । ସତ୍ୟଯୁଗରେ ଆମେ ଦେହ-ଅଭିମାନୀ ଥିଲୁ । ଖୁସି ଖୁସିରେ ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରୁଥିଲୁ, ତେଣୁ ତୁମ ସନ୍ତାନମାନଙ୍କୁ ଏହିସବୁ କଥା ଧାରଣା କରି ପୁଣି ଅନ୍ୟମାନଙ୍କୁ ବୁଝାଇବା ପାଇଁ ଯୋଗ୍ୟ ହେବାକୁ ପଡିବ, ତେବେ ବହୁତଙ୍କର କଲ୍ୟାଣ ହେବ । ବାବା ଜାଣିଛନ୍ତି ଡ଼୍ରାମା ଅନୁସାରେ ପୁରୁଷାର୍ଥର କ୍ରମଅନୁସାରେ ଯୋଗ୍ୟ ସେବାଧାରୀ ହେଉଛନ୍ତି । ଆଚ୍ଛା, ଯଦି କାହାକୁ କଳ୍ପ ବୃକ୍ଷ ଆଦି ବୁଝାଇପାରୁ ନାହଁ, ତେବେ ଏହା ତ ସହଜ ଅଟେ ନା - କାହାକୁ ହେଲେ ବି କୁହ ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏହା ତ ବିଲ୍‌କୁଲ୍ ସହଜ । ବାବା କେବଳ ଏହି କଥା କହୁଛନ୍ତି ଯେ ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ, ଏ କଥା ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଅନ୍ୟ କୌଣସି ମନୁଷ୍ୟ କହିପାରିବେ ନାହିଁ । ଆଉ କେହି ନା ଆତ୍ମାକୁ ନା ପରମାତ୍ମା ବାବାଙ୍କୁ ଜାଣିଛନ୍ତି । ଏହିପରି ସାଧାରଣ ଭାବେ କାହାକୁ କହିଦେଲେ ତୀର ଲାଗିବ ନାହିଁ । ଭଗବାନଙ୍କର ରୂପକୁ ଜାଣିବାକୁ ପଡ଼ିବ । ଏମାନେ ସମସ୍ତେ ନାଟକର ଅଭିନେତା ଅଟନ୍ତି । ପ୍ରତ୍ୟେକ ଆତ୍ମା ଶରୀର ଧାରଣ କରି ଅଭିନୟ କରୁଛନ୍ତି । ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ଧାରଣ କରି ପୁଣି ଅଭିନୟ କରୁଛି । ସେହି ଅଭିନେତାମାନେ କପଡ଼ା ବଦଳାଇ ଭିନ୍ନ ଭିନ୍ନ ପାର୍ଟ କରିଥା’ନ୍ତି କିନ୍ତୁ ତୁମେମାନେ ପୁଣି ଶରୀର ବଦଳାଉଛ । ସେମାନେ ଅଳ୍ପକାଳ ପାଇଁ ପୁରୁଷ ଅଥବା ନାରୀର ପୋଷାକ ପିନ୍ଧିଥା’ନ୍ତି । ଏଠାରେ ପୁରୁଷ ଶରୀର ରୂପୀ ବସ୍ତ୍ର ଧାରଣ କରିଲେ ସାରା ଆୟୁଷ ପୁରୁଷ ହିଁ ରହିବ । ତାହା ହେଲା ବିନାଶୀ ଡ୍ରାମା କିନ୍ତୁ ଏହା ଅବିନାଶୀ । ଏହା ବେହଦର ଅଟେ । ତେବେ ପ୍ରଥମ ଏବଂ ମୁଖ୍ୟ କଥା ହେଉଛି ବାବା କହୁଛନ୍ତି ମୋତେ ମନେ ପକାଅ । ଯୋଗ ଶବ୍ଦ ମଧ୍ୟ ବ୍ୟବହାର କର ନାହିଁ କାହିଁକିନା ଯୋଗ ତ ଅନେକ ପ୍ରକାରର ଶିଖୁଛନ୍ତି । ସେ ସବୁ ହେଉଛି ଭକ୍ତିମାର୍ଗର । ଏବେ ବାବା କହୁଛନ୍ତି ମୋତେ ମନେ ପକାଅ ଏବଂ ଘରକୁ ମନେ ପକାଅ ତେବେ ତୁମେ ଘରକୁ ଚାଲିଯିବ । ଶିବବାବା ଏହାଙ୍କ ଶରୀରରେ ଆସି ରାଜଯୋଗର ଶିକ୍ଷା ଦେଉଛନ୍ତି । ବାବାଙ୍କୁ ମନେ ପକାଇ ପକାଇ ତୁମେମାନେ ପବିତ୍ର ହୋଇଯିବ, ପୁଣି ଆତ୍ମା ପବିତ୍ର ହୋଇ ଉଡିଯିବ । ଯେତେ ଯେତେ ଯୋଗ ଅଥବା ସେବା କରିଥିବ ସେତେ ଉଚ୍ଚପଦ ପାଇବ । କିନ୍ତୁ ଯୋଗରେ ହିଁ ବହୁତ ବିଘ୍ନ ପଡିଥାଏ । ପବିତ୍ର ନ ହେଲେ ପୁଣି ଧର୍ମରାଜ ପୁରୀରେ ଅନେକ ଦଣ୍ଡ ଭୋଗ କରିବାକୁ ପଡ଼ିବ । ଇଜ୍ଜତ ମଧ୍ୟ ଯିବ, ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଶେଷ ସମୟରେ ସବୁର ସାକ୍ଷାତ୍‌କାର ହେବ । କିନ୍ତୁ କେହି କିଛି କରିପାରିବେ ନାହିଁ । ବାବା ସାକ୍ଷାତ୍‌କାର କରାଇବେ, ତୁମକୁ ଏତେ ବୁଝାଇଲି ତଥାପି ତୁମେମାନେ ମୋତେ ମନେ ପକାଇଲ ନାହିଁ । ତୁମର ପାପ ରହିଗଲା । ଏବେ ଦଣ୍ଡଭୋଗ କର । ସେତେବେଳେ ଆଉ ପାଠ ପଢିବା ପାଇଁ ସମୟ ନ ଥିବ । କେବଳ ପଶ୍ଚାତାପ କରିବ ମୁଁ ଏ କ’ଣ କରିଲି! ଅଯଥା ସମୟ ନଷ୍ଟ କରି ଦେଲି । କିନ୍ତୁ ଦଣ୍ଡ ତ ଭୋଗ କରିବାକୁ ପଡ଼ିବ । କିଛି ବି ହୋଇପାରିବ ନାହିଁ । ଫେଲ୍ ହେଲେ ଫେଲ୍ । ଆଉ ପାଠ ପଢିବାର ସୁଯୋଗ ନଥିବ । ସେହି ପାଠ ପଢାରେ ତ ଫେଲ୍ ହୋଇଗଲେ ପୁଣି ପଢିଥାନ୍ତି, ଏଠାରେ ତ ପାଠପଢା ହିଁ ଶେଷ ହୋଇଯିବ । ଅନ୍ତିମ ସମୟରେ ପଶ୍ଚାତ୍ତାପ କରିବାକୁ ନ ପଡୁ ସେଥିପାଇଁ ବାବା ରାୟ ଦେଉଛନ୍ତି - ପିଲାମାନେ, ଭଲ ଭାବରେ ପାଠପଢ । ପରଦର୍ଶନ-ପରଚିନ୍ତନରେ ନିଜର ସମୟ ନଷ୍ଟ କରନାହିଁ । ନଚେତ୍ ବହୁତ ପଶ୍ଟାତ୍ତାପ କରିବାକୁ ପଡ଼ିବ । ମାୟା ବହୁତ ଓଲଟା କାମ କରାଇ ଦେଇଥାଏ । କେବେ ଚୋରୀ ନ କରିଥିଲେ ମଧ୍ୟ ମାୟା କରାଇଦିଏ । ପରେ ପୁଣି ସ୍ମୃ‌ତି ଆସିବ ମୋତେ ତ ମାୟା ଧୋକା ଦେଇଦେଲା । ପ୍ରଥମେ ମନରେ ଖିଆଲ ଆସିଥାଏ, ଅମୁକ ଜିନିଷ ଉଠାଇ ନେବି । ତୁମମାନଙ୍କୁ ତ ଈଶ୍ୱରୀୟ ବୁଦ୍ଧି ମିଳିଛି, ଏହା ଠିକ୍‌ ନା ଭୁଲ୍ । ଏହି ଜିନିଷ ଉଠାଇ ନେଲେ ଭୁଲ୍ ହେବ, ନ ଉଠାଇଲେ ଠିକ୍ ହେବ । ଏବେ କ’ଣ କରିବାକୁ ପଡ଼ିବ? ପବିତ୍ର ରହିବା ଭଲ ନା । ତେବେ ସଙ୍ଗଦୋଷରେ ଆସି ଢିଲା ହୋଇଯିବା ଉଚିତ୍ ନୁହେଁ । ଆମେମାନେ ବାବାଙ୍କର ସନ୍ତାନ ପରସ୍ପର ଭାଇ-ଭଉଣୀ ତେଣୁ ନାମ ରୂପର ଆକର୍ଷଣର ଆକର୍ଷିତ ହେବା ଉଚିତ୍ ନୁହେଁ । ଦେହ-ଅଭିମାନରେ ଆସିବା ଉଚିତ୍ ନୁହେଁ । କିନ୍ତୁ ମାୟା ବହୁତ ଶକ୍ତିଶାଳୀ । ମାୟା ଭୁଲ୍ କାମ କରାଇବାକୁ ସଂକଳ୍ପ ଆଣିଥାଏ । ବାବା କହୁଛନ୍ତି ତୁମେମାନେ ଭୁଲକାମ କରିବା ଉଚିତ୍ ନୁହେଁ । କିନ୍ତୁ ମାୟା ସହିତ ଲଢେଇ ଚାଲୁଛି, ତେଣୁ ପିଲାମାନେ ହାରିଯାଉଛନ୍ତି ଅର୍ଥାତ୍ ତଳକୁ ଖସି ଯାଉଛନ୍ତି ଯାହାଦ୍ୱାରା କି ଠିକ୍ ବୁଦ୍ଧି ଦେଖାଯାଉନାହିଁ । ଠିକ୍ ବୁଦ୍ଧି ଆସୁ ହିଁ ନାହିଁ । ଆମକୁ ଠିକ୍ କାମ କରିବାକୁ ହେବ । ଅନ୍ଧମାନଙ୍କର ଲାଠି ହେବାକୁ ପଡ଼ିବ । ଏହା ହେଉଛି ସବୁଠାରୁ ଭଲରୁ ଭଲ କାମ । ଶରୀର ନିର୍ବାହ ପାଇଁ ସମୟ ତ ଅଛି । ରାତ୍ରିରେ ଶୋଇବାକୁ ମଧ୍ୟ ପଡ଼ିବ । ଆତ୍ମା ଥକିଗଲେ ଶୋଇ ଯାଇଥାଏ । ଶରୀର ମଧ୍ୟ ଶୋଇ ଯାଇଥାଏ । ତେଣୁ ଶରୀର ନିର୍ବାହ କରିବା ପାଇଁ ଏବଂ ଆରାମ କରିବା ପାଇଁ ସମୟ ତ ଅଛି । ବାକି ସମୟ ମୋ ସେବାରେ ଲାଗିଯାଅ । ଯୋଗର ଚାର୍ଟ ରଖ । ଚାର୍ଟ ଲେଖୁଛନ୍ତି ମଧ୍ୟ କିନ୍ତୁ ଚାଲୁ-ଚାଲୁ ଫେଲ୍ ହୋଇଯାଉଛନ୍ତି । ବାବାଙ୍କୁ ମନେ ପକାଉ ନାହାଁନ୍ତି, ସେବା କରୁନାହାଁନ୍ତି, ତେଣୁ ଭୁଲ୍ କାମ ହୋଇ ଚାଲିଥାଏ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପରଚିନ୍ତନ-ପରଦର୍ଶନରେ ନିଜର ସମୟ ନଷ୍ଟ କରିବାର ନାହିଁ । ମାୟା କୌଣସି ଓଲଟା କାମ ନ କରାଇଦେଉ, ଏହିପ୍ରତି ଧ୍ୟାନ ଦେବାକୁ ହେବ । ସଙ୍ଗଦୋଷରେ ପଡି କେବେ ବି ଢିଲା ହେବାର ନାହିଁ । ଦେହ-ଅଭିମାନରେ ଆସି କାହାର ନାମ ରୂପରେ ଆକର୍ଷିତ ହେବାର ନାହିଁ ।

(୨) ଘରକୁ ମନେ ପକାଇବା ସହିତ ବାବାଙ୍କୁ ମଧ୍ୟ ମନେ ପକାଇବାକୁ ହେବ । ଯୋଗର ଚାର୍ଟ ଲେଖିବାର ଡ଼ାଇରୀ ରଖିବାକୁ ହେବ । ନୋଟ୍ କରିବାକୁ ପଡ଼ିବ - ମୁଁ ସାରା ଦିନରେ କ’ଣ କ’ଣ କରିଛି? କେତେ ସମୟ ବାବାଙ୍କ ସ୍ମୃତିରେ ରହିଲି?

ବରଦାନ:-
ନମ୍ରତା ରୂପୀ କବଚ ଦ୍ୱାରା ବ୍ୟର୍ଥ ରୂପକ ରାବଣକୁ ଜଳାଉଥିବା ସଚ୍ଚା ସ୍ନେହୀ, ସହଯୋଗୀ ଭବ ।

ଯିଏ ଯେତେ ବି ତୁମର ସଂଗଠନ ଭିତରେ କମୀ ବାହାର କରିବାକୁ ଚେଷ୍ଟା କରୁ କିନ୍ତୁ ଟିକିଏ ବି ସ୍ୱଭାବ ସଂସ୍କାରର ଟକ୍କର ଦେଖିବାକୁ ନ ମିଳୁ । ଯଦି କେହି ଗାଳି ଦେଉଛି ବା ଅପମାନିତ କରୁଛି ତେବେ ତୁମେମାନେ ମହାତ୍ମା ହୋଇଯାଅ । ଯଦି କେହି ଭୁଲ୍ କରୁଛି ତେବେ ବି ତୁମେ ଠିକ୍‌ରେ ରୁହ । ଯଦି କେହି ତୁମ ସହିତ ଟକ୍କର ଲଗାଉଛି ଅର୍ଥାତ୍ ମୁହାଁ ମୁହିଁ ହେଉଛି ତେବେ ବି ତୁମେ ତାକୁ ସ୍ନେହର ପାଣି ଦିଅ । ଏହା କାହିଁକି ହେଉଛି, ବା ଏଭଳି କାହିଁକି ହେଉଛି - ଏହିଭଳି ସଂକଳ୍ପ କରି ନିଆଁ ଉପରେ ତେଲ ଢାଳ ନାହିଁ । ନମ୍ରତାର କବଚ ସର୍ବଦା ପିନ୍ଧିଥାଅ । ଯେଉଁଠାରେ ନମ୍ରତା ରହିଛି, ସେଠାରେ ସ୍ନେହ ଏବଂ ସହଯୋଗ ମଧ୍ୟ ନିଶ୍ଚିତ ଥିବ ।

ସ୍ଲୋଗାନ:-
ମୋପଣିଆର ଅନେକ ହଦର ଭାବନା ଗୁଡିକୁ ଗୋଟିଏ “ମେରା ବାବା”ରେ ସମାହିତ କର ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ଆତ୍ମିକ ରାଜକୀୟତାର ମୂଳଦୁଆ ହେଲା ସମ୍ପୂର୍ଣ୍ଣ ପବିତ୍ରତା । ତେଣୁ ନିଜେ ନିଜକୁ ପଚାର ଯେ ଆତ୍ମିକ ରାଜକୀୟତାର ଝଲକ ଅର୍ଥାତ୍ ଚମକ ଏବଂ ଫଲକ ଅର୍ଥାତ୍ ନିଶା ମୋ’ର ରୂପ ବା ଚରିତ୍ରରୁ ସମସ୍ତଙ୍କୁ ଅନୁଭବ ହେଉଛି ତ? ଜ୍ଞାନରୂପକ ଦର୍ପଣରେ ନିଜକୁ ଦେଖ ଯେ ମୋ’ର ଚେହେରାରେ, ଚାଲିଚଳନରେ ସେହିଭଳି ଆତ୍ମିକ ରାଜକୀୟତା ଦେଖାଯାଉଛି ନା ସାଧାରଣ ଚେହେରା ଏବଂ ସାଧାରଣ ଚାଲିଚଳନ ଦେଖାଯାଉଛି?