14.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ନିରନ୍ତର ଏହି କଥା ମନେ ରହୁ ଯେ ଆମର ବାବା ଏକା ଧାରାରେ ପିତା ଅଟନ୍ତି, ଶିକ୍ଷକ ଅଟନ୍ତି, ସଦ୍‌ଗୁରୁ ଅଟନ୍ତି । ଏହାକୁ ସ୍ମୃତିରେ ରଖିବା ହିଁ ମନମନାଭବ ଅଟେ ।

ପ୍ରଶ୍ନ:-
ମାୟାର ଧୂଳି ଯେତେବେଳେ ଆଖିରେ ପଡିଯାଉଛି ସେତେବେଳେ ସର୍ବପ୍ରଥମେ କେଉଁ ଭୁଲ ହେଉଛି?

ଉତ୍ତର:-
ସର୍ବପ୍ରଥମେ ମାୟା ପାଠପଢାକୁ ଛାଡି ଦେବାର ହିଁ ଭୁଲ୍ କରାଉଛି । ଭଗବାନ ପାଠ ପଢାଉଛନ୍ତି ଏହି କଥା ଭୁଲି ହୋଇଯାଉଛି । ବାବାଙ୍କର ସନ୍ତାନ ହୋଇ ମଧ୍ୟ ବାବାଙ୍କର ପାଠପଢାକୁ ଛାଡି ଦେଉଛନ୍ତି, ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା । ନଚେତ୍ ଏହି ଜ୍ଞାନ ଏଭଳି ଅଟେ ଯାହାକି ଭିତରେ ଭିତରେ ମନ ସର୍ବଦା ନାଚିବା କଥା, କିନ୍ତୁ ମାୟାର ପ୍ରଭାବ କିଛି କମ୍ ନୁହେଁ । ସିଏ ପାଠପଢାକୁ ହିଁ ଛଡାଇ ଦେଉଛି । ଅନୁପସ୍ଥିତ ହେବା ଅର୍ଥ ପାଠପଢାକୁ ଛାଡି ଦେବା ।

ଓମ୍ ଶାନ୍ତି ।
ଆତ୍ମିକ ପିତା ଆସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଯେଉଁମାନେ କିଛି କମ୍ ବୁଝିଛନ୍ତି ସେହିମାନଙ୍କୁ ବୁଝାଉଛନ୍ତି । କେହି-କେହି ପୁଣି ବୁଦ୍ଧିବାନ୍ ହୋଇଯାଉଛନ୍ତି । ପିଲାମାନେ ତ ଜାଣିଛନ୍ତି ଏହି ବାବା ତ ବହୁତ ଚମତ୍କାର ଅଟନ୍ତି । ଯଦିଓ ତୁମେ ଏଠାରେ ବସିଛ କିନ୍ତୁ ମନରେ ଭାବୁଛ, ଇଏ ଆମର ବେହଦର ବାବା ମଧ୍ୟ ଅଟନ୍ତି, ବେହଦର ଶିକ୍ଷକ ମଧ୍ୟ ଅଟନ୍ତି, ବେହଦର ଶିକ୍ଷା ଦେଉଛନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ତେବେ ଏଭଳି ବିଚାର ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ରହିବା ଦରକାର ନା । ପୁଣି ଗୁରୁ ରୂପରେ ନିଶ୍ଚିତ ସାଥିରେ ନେଇଯିବେ । ବାବା ଜାଣିଛନ୍ତି, ଏହା ହେଉଛି ପୁରୁଣା ଛି-ଛି ଦୁନିଆ ଅର୍ଥାତ୍ ପତିତ ଦୁନିଆ, ଏଠାରୁ ପିଲାମାନଙ୍କୁ ନେଇଯିବାକୁ ହେବ । କିନ୍ତୁ କେଉଁଠାକୁ? ଘରକୁ । ଯେମିତି କନ୍ୟାର ବିବାହ ହୋଇଗଲା ପରେ ତାକୁ ଶଶୁର ଘର ଲୋକେ ନିଜ ସାଥିରେ ନେଇଯାଇଥାନ୍ତି । ଏବେ ତୁମେ ଏଠାରେ ବସିଛ । ବାବା ବୁଝାଉଛନ୍ତି - ପିଲାମାନଙ୍କ ମନରେ ନିଶ୍ଚିତ ଆସୁଥିବ ଯେ ଏଇ ବାବା ଆମର ବେହଦର ବାବା ମଧ୍ୟ ଅଟନ୍ତି, ବେହଦର ଶିକ୍ଷା ମଧ୍ୟ ଦେଉଛନ୍ତି । ତେଣୁ ଯେତେ ବଡ ବାବା ସେତେ ବଡ ବେହଦର ଶିକ୍ଷା ମଧ୍ୟ ଦେଉଛନ୍ତି । ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ମଧ୍ୟ ପିଲାମାନଙ୍କ ବୁଦ୍ଧିରେ ଅଛି । ଜାଣିଛନ୍ତି ବାବା ଏହି ଛି-ଛି ଦୁନିଆରୁ ଆମକୁ ଘରକୁ ଫେରାଇ ନେଇଯିବେ । ଏହାକୁ ମନରେ ଚିନ୍ତନ କରିବା ମଧ୍ୟ ମନମନାଭବ ଅଟେ । ତେଣୁ ଚାଲିବା-ବୁଲିବା, ଉଠିବା-ବସିବା ସମୟରେ ବୁଦ୍ଧିରେ ଏ କଥା ମନେ ରହିଥାଉ । କାରଣ ଆଶ୍ଚର୍ଯ୍ୟଜନକ ଜିନିଷର ବାରମ୍ବାର ଚିନ୍ତନ ଚାଲିଥାଏ ନା । ତୁମେ ଜାଣିଛ - ଆମେ ଭଲ ଭାବରେ ପାଠ ପଢି, ବାବାଙ୍କୁ ମନେପକାଇ ବିଶ୍ୱର ମାଲିକ ହେଉଛୁ । ତେବେ ଏହି ଚିନ୍ତନ ସବୁବେଳେ ବୁଦ୍ଧିରେ ନିଶ୍ଚିତ ଚାଲିବା ଦରକାର । ପ୍ରଥମେ ବାବାଙ୍କୁ ମନେପକାଇବା ଦରକାର । ଶିକ୍ଷକ ତା ପରେ ମିଳିଥାନ୍ତି । ପିଲାମାନେ ଜାଣିଛନ୍ତି ଆମର ପିତା ହେଉଛନ୍ତି ବେହଦର ଆତ୍ମିକ ପିତା । ସହଜରେ ମନେ ପକାଇବା ପାଇଁ ବାବା ଉପାୟମାନ ବତାଉଛନ୍ତି - କହୁଛନ୍ତି, କେବଳ ମୋତେ ମନେ ପକାଅ ଯାହା ଦ୍ୱାରା ଅଧାକଳ୍ପର ବିକର୍ମ ବିନାଶ ହୋଇଯିବ । ପବିତ୍ର ହେବା ପାଇଁ ତୁମେ ଜନ୍ମ ଜନ୍ମାନ୍ତର ଭକ୍ତି, ଜପ, ତପ, ଆଦି ବହୁତ କରିଛ । ସମସ୍ତେ ମନ୍ଦିରକୁ ଯାଉଛନ୍ତି, ଭକ୍ତି କରୁଛନ୍ତି, ଭାବୁଛନ୍ତି ଆମେମାନେ ପରମ୍ପରାରୁ ଭକ୍ତି କରିଆସୁଛୁ । ଯଦି ତାଙ୍କୁ ପଚାରିବ ଯେ ଶାସ୍ତ୍ର କେବେଠାରୁ ଶୁଣୁଛ? ତେବେ କହିବେ ପରମ୍ପରା ଅନୁସାରେ । ମନୁଷ୍ୟମାନଙ୍କୁ କିଛି ହେଲେ ବି ଜଣା ନାହିଁ । ସତ୍ୟଯୁଗରେ ତ ଶାସ୍ତ୍ର ଆଦି ନ ଥାଏ । ତୁମମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବା ଦରକାର । କାରଣ ବାବାଙ୍କ ବ୍ୟତୀତ ଏ କଥା ଆଉ କେହି ବୁଝାଇ ପାରିବେ ନାହିଁ । ଇଏ ପିତା, ଶିକ୍ଷକ, ସତ୍‌ଗୁରୁ ମଧ୍ୟ ଅଟନ୍ତି । ଇଏ ତ ଆମର ପିତା ଅଟନ୍ତି । ୟାଙ୍କର କେହି ମାତା ପିତା ନାହାଁନ୍ତି । କେହି କହିପାରିବେ ନାହିଁ ଯେ ଶିବବାବା କାହାର ସନ୍ତାନ ଅଟନ୍ତି । ଏ କଥା ବୁଦ୍ଧିରେ ଘଡି ଘଡି ମନେ ରହିବା ହିଁ ହେଉଛି ମନମନାଭବ । ଶିକ୍ଷକ ଆମକୁ ପାଠ ପଢାଉଛନ୍ତି କିନ୍ତୁ ସିଏ କାହାଠାରୁ ପଢି ନାହାଁନ୍ତି । ୟାଙ୍କୁ କେହି ପଢାଇ ନାହାଁନ୍ତି । ସିଏ ତ ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ । ସିଏ ଚୈତନ୍ୟ ହୋଇଥିବାରୁ ସବୁ କିଛି ଶୁଣାଉଛନ୍ତି । ଆସି କହୁଛନ୍ତି - ପିଲାମାନେ ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରିଛି ତାଙ୍କ ଦ୍ୱାରା ମୁଁ ତୁମକୁ ଆଦିରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ସବୁ ରହସ୍ୟ ବୁଝାଉଛି । ପୁଣି ଅନ୍ତିମ ସମୟ ପାଇଁ ତ ପଛକୁ କହିବେ । ସେତେବେଳେ ତୁମେ ମଧ୍ୟ ଜାଣିଯିବ ଯେ ବର୍ତ୍ତମାନ ଅନ୍ତିମ ସମୟ ଆସିଗଲା । ପୁଣି ସମସ୍ତଙ୍କର କ୍ରମାନୁସାରେ କର୍ମାତୀତ ଅବସ୍ଥା ହୋଇଯିବ । ତୁମେ ଲକ୍ଷଣ ସବୁ ଦେଖିବ । ପୁରୁଣା ସୃଷ୍ଟିର ବିନାଶ ତ ନିଶ୍ଚିତ ହେବ । ଏହା ତୁମେ ଅନେକଥର ଦେଖିଛ ଏବଂ ଏମିତି ଦେଖୁଥିବ । ତୁମେ କଳ୍ପ ପୂର୍ବଭଳି ପାଠ ମଧ୍ୟ ପଢୁଛ । ତୁମେ ରାଜତ୍ୱ କରିଥିଲ ପୁଣି ହରାଇଲ ଏବେ ପୁଣି ନେଉଛ । ବାବା ତୁମକୁ ପୁଣି ଥରେ ପାଠ ପଢାଉଛନ୍ତି । ଏହା କେତେ ସହଜ । ତୁମେ ଜାଣୁଛ ଯେ ଆମେ ପ୍ରକୃତରେ ବିଶ୍ୱର ମାଲିକ ଥିଲେ । ପୁଣି ବାବା ଆସି ଆମକୁ ସେହି ଜ୍ଞାନ ଦେଉଛନ୍ତି । ବାବା ଆମକୁ ରାୟ ଦେଇଛନ୍ତି, କହୁଛନ୍ତି - ଏହିପରି ସବୁ ଚିନ୍ତନ ବୁଦ୍ଧିରେ ଚାଲିବା ଦରକାର ।

ବାବା ଆମର ପିତା ମଧ୍ୟ ଅଟନ୍ତି ତ ଶିକ୍ଷକ ମଧ୍ୟ ଅଟନ୍ତି । ଶିକ୍ଷକଙ୍କୁ କଣ କେବେ ଭୁଲି ହେବ କି ! ଶିକ୍ଷକଙ୍କ ଦ୍ୱାରା ପାଠ ପଢିଥାନ୍ତି । କେହି-କେହି ସନ୍ତାନମାନଙ୍କ ଦ୍ୱାରା ମାୟା ବହୁତ ଭଲ କରାଇଦେଉଛି । ଏକଦମ୍ ଯେପରି ଆଖିରେ ଧୂଳି ପକାଇ ଦେଉଛି । ପାଠପଢା ହିଁ ଛଡାଇ ଦେଉଛି । ଏଠାରେ ଭଗବାନ ପାଠ ପଢାଉଛନ୍ତି, ଏଭଳି ପାଠପଢାକୁ ମଧ୍ୟ ଛାଡି ଦେଉଛନ୍ତି । ପାଠପଢା ହେଉଛି ମୁଖ୍ୟ । ତେବେ ତାହା ମଧ୍ୟ କିଏ ଛାଡୁଛନ୍ତି ? ବାବାଙ୍କର ସନ୍ତାନମାନେ । ତେଣୁ ପିଲାମାନଙ୍କ ମନରେ କେତେ ଖୁସି ରହିବା ଦରକାର । ବାବା ସବୁ କଥାର ଜ୍ଞାନ ଦେଉଛନ୍ତି ଯାହା କଳ୍ପ କଳ୍ପ ଦେଇଥିଲେ । ବାବା କହୁଛନ୍ତି ଅତି କମ୍‌ରେ ଏହିଭଳି ଭାବରେ ମୋତେ ମନେପକାଅ । କଳ୍ପ-କଳ୍ପ ତୁମେମାନେ ହିଁ ଏହି ଜ୍ଞାନକୁ ବୁଝୁଛ ଏବଂ ଧାରଣ କରୁଛ । ଏହି ଶିବବାବଙ୍କର ତ କେହି ବାବା ନାହାଁନ୍ତି, ସିଏ ହିଁ ସମସ୍ତଙ୍କର ବେହଦର ବାବା ଅଟନ୍ତି । ତେଣୁ ସିଏ ଅତି ଉତ୍ତମ ପିତା ହେଲେ ନା । ମୋର ପିତା କିଏ ଅଛନ୍ତି କି କୁହ ? ଶିବବାବା କାହାର ସନ୍ତାନ ଅଟନ୍ତି ? ଏହି ପାଠପଢା ମଧ୍ୟ ଅତି ଉତ୍କୃଷ୍ଟ ଅଟେ । ଯାହାକି ଏହି ସଂଗମଯୁଗ ବ୍ୟତୀତ ଆଉ କେବେ କେହି ପଢିପାରିବ ନାହିଁ ଏବଂ କେବଳ ତୁମେ ବ୍ରାହ୍ମଣମାନେ ହିଁ ପଢୁଛ । ତୁମେ ଏକଥା ମଧ୍ୟ ଜାଣିଛ ଯେ ବାବାଙ୍କୁ ମନେ ପକାଇ ପକାଇ ଆମେ ପବିତ୍ର ହୋଇଯିବୁ । ନଚେତ୍ ପୁଣି ଦଣ୍ଡ ଭୋଗ କରିବାକୁ ପଡିବ । ଗର୍ଭ ଜେଲରେ ବହୁତ ସଜା ଖାଇବାକୁ ପଡିଥାଏ । ସୂକ୍ଷ୍ମଲୋକରେ ପୁଣି ଟ୍ରିବ୍ୟୁନାଲ ବା ନ୍ୟାୟ ସଭା ବସିଥାଏ । ସବୁର ସାକ୍ଷାତକାର ହୋଇଥାଏ । ବିନା ସାକ୍ଷାତକାରରେ କାହାକୁ ଦଣ୍ଡ ଦିଆଯାଇପାରିବ ନାହିଁ । ନ ହେଲେ ଦ୍ୱନ୍ଦ୍ୱରେ ପଡି ଯିବେ ଯେ ଆମକୁ ଏହି ଦଣ୍ଡ କାହିଁକି ମିଳୁଛି ! ବାବାଙ୍କୁ ତ ସବୁ ଜଣାଥାଏ ଯେ ଇଏ ଏହି ପାପ କରିଛି, ଏହି ଭୂଲ କରିଛି । ସବୁ ସାକ୍ଷାତକାର କରାଉଛନ୍ତି । ସେ ସମୟରେ ଏମିତି ଅନୁଭବ ହୋଇଥାଏ କି ଏତେ ସବୁ ଜନ୍ମର ଦଣ୍ଡ ମିଳୁଛି । ଯେପରି ସବୁ ଜନ୍ମର ଇଜ୍ଜତ ଚାଲିଯାଇଛି । ତେଣୁ ବାବା କହୁଛନ୍ତି - ମିଠା-ମିଠା ପିଲାମାନଙ୍କୁ ବହୁତ ଭଲ ଭାବରେ ପୁରୁଷାର୍ଥ କରିବା ଦରକାର । ୧୬ କଳା ସମ୍ପୂର୍ଣ୍ଣ ହେବା ପାଇଁ ଯୋଗର ପରିଶ୍ରମ କରିବାକୁ ହେବ । ନିଜକୁ ଦେଖିବାକୁ ହେବ - ମୁଁ କାହାକୁ ଦୁଃଖ ଦେଇ ନାହିଁ ତ ? ସୁଖଦାତା ବାବାଙ୍କର ଆମେ ସନ୍ତାନ ଅଟୁ ନା ? ତେଣୁ ଆମକୁ ଫୁଲ ଭଳି ଗୁଲ୍‌ଗୁଲ୍ ହେବାକୁ ପଡିବ । ଏହି ପାଠପଢା ହିଁ ତୁମ ସାଥିରେ ଯିବ । ପାଠପଢା ଦ୍ୱାରା ହିଁ ମନୁଷ୍ୟ ବାରିଷ୍ଟର ଆଦି ହେଉଛନ୍ତି । ବାବାଙ୍କର ଏହି ଜ୍ଞାନ ସବୁଠାରୁ ଅଲଗା ଏବଂ ସତ୍ୟ ଅଟେ ଏହା ହେଉଛି ଗୁପ୍ତ ପାଣ୍ଡବ ସରକାର । ଏହି କଥାକୁ ତୁମମାନଙ୍କ ବ୍ୟତୀତ ଅନ୍ୟ କେହି ବୁଝିପାରିବେ ନାହିଁ । ଏହି ପାଠପଢା ସମ୍ପୂର୍ଣ୍ଣ ଚମତ୍କାର । ଏହାକୁ ଆତ୍ମା ହିଁ ଶୁଣୁଛି । ବାବା ବାରମ୍ବାର ବୁଝାଉଛନ୍ତି - କହୁଛନ୍ତି, ପାଠପଢାକୁ କେବେ ଛାଡିବାର ନାହିଁ । କିନ୍ତୁ ମାୟା ଛଡାଇ ଦେଉଛି । ବାବା କହୁଛନ୍ତି - ଏମିତି ପାଠପଢାକୁ କେବେ ବି ଛାଡିବା ଉଚିତ୍ ନୁହେଁ । ବାବାଙ୍କ ପାଖକୁ ତାର ରିପୋର୍ଟ ଆସୁଛି ନା । ରେଜିଷ୍ଟରରୁ ସବୁ ଜଣାପଡିଯାଏ । ଇଏ କେତେ ଦିନ ଅନୁପସ୍ଥିତ ରହିଲେ । ପାଠପଢା ଛାଡି ଦେବା ଦ୍ୱାରା ବାବାଙ୍କୁ ମଧ୍ୟ ଭୂଲିଯାଉଛନ୍ତି । ବାସ୍ତବରେ ବାବା କୌଣସି ଭୁଲି ଯିବାର ବସ୍ତୁ ନୁହଁନ୍ତି । ସିଏ ତ ଆମର ବିଚିତ୍ର ବାବା ଅଟନ୍ତି । ସିଏ ଆମକୁ ସବୁ ବୁଝାଉଛନ୍ତି । ଇଏ ଯେମିତି ଗୋଟିଏ ଖେଳ । ଖେଳ ଭାବରେ କାହାକୁ ଶୁଣାଇଲେ ତାହା ତୁରନ୍ତ ମନେ ରହିଯାଏ ନା । ତାହା କେବେ ଭୁଲି ହୁଏ ନାହିଁ । ଇଏ (ବ୍ରହ୍ମାବାବା) ମଧ୍ୟ ନିଜର ଅନୁଭବ ଶୁଣାଉଛନ୍ତି । ବାଲ୍ୟ ଅବସ୍ଥାରୁ ହିଁ ତାଙ୍କର ବୈରାଗି ଭାବନା ରହୁଥିଲା । କହୁଥିଲେ ଦୁନିଆରେ ବହୁତ ଦୁଃଖ ଅଛି । ଏବେ ଯଦି ମୋ ପାଖରେ ୧୦ ହଜାର ଟଙ୍କା ହୋଇଯିବ ତାକୁ ଯଦି ବ୍ୟାଙ୍କରେ ରଖିବି ତେବେ ସେଥିରୁ ମୋତେ ୫୦ ଟଙ୍କା ସୁଧ ମିଳିବ, ସେତିକି ମୋ ପାଇଁ ଯଥେଷ୍ଟ । ସ୍ୱତନ୍ତ୍ର ହୋଇ ରହିବି । ଘର ଦ୍ୱାର ସମ୍ଭାଳିବା ତ ଭାରି କଷ୍ଟକର । ଆଚ୍ଛା - ଥରେ ଗୋଟିଏ ସିନେମା ଦେଖିଲି ତାର ନାମ ଥିଲା ସୌଭାଗ୍ୟ ସୁନ୍ଦରୀ....ତାକୁ ଦେଖିବା ପରେ ବୈରାଗ୍ୟ ଭାବନା ଉଡିଗଲା । ତାପରେ ବିଚାର ଆସିଲା ବିବାହ କରିବି, ଏମିତି କରିବି ସେମିତି କରିବି । ମାୟାର ଗୋଟିଏ ଚାପୁଡାରେ ସବୁ କଳା କାୟା ଉଡିଗଲା । ତେଣୁ ଏବେ ବାବା କହୁଛନ୍ତି - ପିଲାମାନେ ଏହି ଦୁନିଆ ତ ନର୍କ ଅଟେ ଏବଂ ଏଥିରେ ଯେଉଁ ନାଟକ (ସିନେମା) ଦେଖାଉଛନ୍ତି ତାହା ମଧ୍ୟ ନର୍କ ଅଟେ । ତାହାକୁ ଦେଖିବା ଦ୍ୱାରା ହିଁ ସମସ୍ତଙ୍କର ବୃତ୍ତି ଖରାପ ହୋଇଯାଉଛି । ଖବରକାଗଜରେ ସୁନ୍ଦର ସୁନ୍ଦର ନାୟିକାମାନଙ୍କର ଫଟୋ ଦେଖି କେତେକଙ୍କର ବୃତ୍ତି ତାଙ୍କ ଆଡକୁ ଚାଲିଯାଉଛି । ଇଏ ବହୁତ ଭଲ ସୁନ୍ଦର, ଏହା ତ ବୁଦ୍ଧିରେ ଆସିଯାଉଛି ନା । ବାସ୍ତବରେ ଏହିଭଳି ଚିନ୍ତନ ହିଁ ଚାଲିବା ଉଚିତ୍ ନୁହେଁ । ବାବା କହୁଛନ୍ତି - ଏହି ଦୁନିଆ ତ ବିନାଶ ହେବାର ଅଛି, ତେଣୁ ତୁମେ ଆଉ ସବୁ ଭୁଲି କେବଳ ମୋତେ ମନେ ପକାଅ । ଏଭଳି ଚିତ୍ର ସବୁ କାହିଁକି ଦେଖୁଛ ? ଏହିସବୁ କଥା ବୃତ୍ତିକୁ ତଳକୁ ଖସାଇ ଦେଇଥାଏ । ଏ ସବୁ ଯାହାକିଛି ବି ଦେଖୁଛ ସେ ସବୁ ତ ମାଟିରେ ମିଶିଯିବ । ତେଣୁ ଏ ସବୁକୁ ମନେ ପକାଅ ନାହିଁ । ଏଥିରୁ ମମତ୍ତ୍ୱ ତୁଟାଇ ଦିଅ । ଏହି ସବୁ ଶରୀର ତ ପୁରୁଣା ଛି-ଛି ଅର୍ଥାତ୍ ପତିତ ଅଟେ । ଯଦିଓ ଆତ୍ମା ଶୁଦ୍ଧ ହେଉଛି କିନ୍ତୁ ଶରୀର ତ ଛି-ଛି ଅଟେ ନା । ତେଣୁ ଏଥି ପ୍ରତି ଧ୍ୟାନ ଦେବା କଣ ଦରକାର, ଏକମାତ୍ର ବାବାଙ୍କୁ ହିଁ ଦେଖିବା ଦରକାର ।

ବାବା କହୁଛନ୍ତି ମିଠା-ମିଠା ପିଲାମାନେ ତୁମର ଲକ୍ଷ୍ୟ ବହୁତ ଉଚ୍ଚ । ବିଶ୍ୱର ମାଲିକ ହେବା ପାଇଁ ଆଉ କେହି ଚେଷ୍ଟା ବି କରି ପାରିବେ ନାହିଁ । କାହାର ବୁଦ୍ଧିରେ ଏ ସବୁ କଥା ଆସିବ ହିଁ ନାହିଁ । ବର୍ତ୍ତମାନ ମାୟାର ପ୍ରଭାବ କିଛି କମ୍ ନୁହେଁ । ବୈଜ୍ଞାନିକମାନଙ୍କର କେତେ ବୁଦ୍ଧି ଚାଲୁଛି । ତୁମର ତ ହେଉଛି ଶାନ୍ତିର ଶକ୍ତି । ସମସ୍ତେ ମୁକ୍ତି ଚାହୁଁଛନ୍ତି ନା । ତୁମର ପୁଣି ଲକ୍ଷ୍ୟ ହେଉଛି - ଜୀବନମୁକ୍ତିର । ଏ କଥା ମଧ୍ୟ ବାବା ବୁଝାଉଛନ୍ତି । ଗୁରୁ ଆଦି ତ କେହି ବି ଏଭଳି ଜ୍ଞାନ ଦେଇ ପାରିବେ ନାହିଁ । ତୁମକୁ ଗୃହସ୍ଥରେ ରହି ପବିତ୍ର ହେବାକୁ ପଡିବ, ରାଜତ୍ୱ ନେବାକୁ ପଡିବ । ଭକ୍ତିରେ ତ ବହୁତ ସମୟ ନଷ୍ଟ କରିଛ । ଏବେ ତୁମେ ବୁଝିପାରୁଛ - ଆମେ କେତେ ଭୁଲ୍ କରିଛୁ । ଭୁଲ୍ କରି କରି ଏକଦମ୍ ଅଜ୍ଞାନୀ, ବିଲ୍‌କୁଲ୍ ହିଁ ପଥର ବୁଦ୍ଧି ହୋଇଯାଇଛୁ । ମନରେ ଆସୁଛି ଯେ ଏହି ଜ୍ଞାନ ତ ଅତି ଉତ୍କୃଷ୍ଟ ଅଟେ । ଯାହା ଦ୍ୱାରା ଆମେ କଣରୁ କଣ ହୋଇଯାଇଛୁ । ପଥର ବୁଦ୍ଧିରୁ ପାରସ ବୁଦ୍ଧି ହୋଇଯାଉଛୁ । ତେଣୁ ତୁମର ଖୁସିର ପାରଦ ମଧ୍ୟ ଚଢୁଛି ଯେ ଆମର ବାବା ହେଉଛନ୍ତି ବେହଦର ବାବା । ତାଙ୍କର କେହି ବାବା ନାହାନ୍ତି । ସିଏ ଶିକ୍ଷକ ବି ଅଟନ୍ତି, କିନ୍ତୁ ତାଙ୍କର କେହି ଶିକ୍ଷକ ନାହାନ୍ତି । ତେବେ କହୁଛନ୍ତି ସିଏ କେଉଁଠାରୁ ଶିଖିଲେ! ଆଶ୍ଚର୍ଯ୍ୟ ହେବେ ନା । ବହୁତ ଲୋକ ଭାବୁଛନ୍ତି ଇଏ ତ କୌଣସି ଗୁରୁଙ୍କଠାରୁ ଶିଖିଛନ୍ତି । ତେବେ ସେହି ଗୁରୁଙ୍କର ଆହୁରି ମଧ୍ୟ ଶିଷ୍ୟ ଥିବେ ନା । କଣ ଜଣେ ଶିଷ୍ୟ ଥିଲେ କି ? ଗୁରୁଙ୍କର ତ ଅନେକ ଶିଷ୍ୟ ଥାଆନ୍ତି । ଆଗା ଖାଁଙ୍କର ଦେଖ କେତେ ଶିଷ୍ୟ ଅଛନ୍ତି । ଗୁରୁମାନଙ୍କ ପ୍ରତି ମନରେ କେତେ ସମ୍ମାନ ରହିଥାଏ, ତାଙ୍କୁ ହୀରାରେ ଓଜନ କରୁଥିଲେ । ତେବେ ତୁମେ ଏଭଳି ସତ୍‌ଗୁରୁଙ୍କୁ କେଉଁଥିରେ ଓଜନ କରିବ ! ଇଏ ତ ବେହଦର ସତ୍‌ଗୁରୁ ଅଟନ୍ତି । ୟାଙ୍କର ଓଜନ କେତେ ! ଗୋଟିଏ ଛୋଟ ହୀରା ମଧ୍ୟ ପକାଇପାରିବ ନାହିଁ ।

ତୁମେମାନେ ଏହିଭଳି ଏହିଭଳି କଥା ସବୁ ବିଚାର କରିବା ଦରକାର । ଏହା ତ ଗୁହ୍ୟ କଥା ଅଟେ । ଯଦିଓ ସମସ୍ତେ ହେ ଈଶ୍ୱର ବୋଲି କହୁଛନ୍ତି କିନ୍ତୁ ଏ କଥା କଣ ଜାଣିଛନ୍ତି କି, ସିଏ ପିତା ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି । ସିଏ ତ ସାଧାରଣ ରୂପ ନେଇଛନ୍ତି । ବାବା ଆସନ ଉପରେ ଏଇଥି ପାଇଁ ବସୁଛନ୍ତି କି ଯେପରି ସିଏ ସମସ୍ତଙ୍କର ଚେହେରା ଦେଖିପାରିବେ । ପିଲାମାନଙ୍କ ପ୍ରତି ସ୍ନେହ ତ ରହିଛି ନା । ନଚେତ୍ ଏହି ସହଯୋଗୀ ସନ୍ତାନମାନଙ୍କ ବିନା ସ୍ୱର୍ଗର ସ୍ଥାପନା କିପରି କରିବେ । ତେଣୁ ଅଧିକ ସହଯୋଗ କରୁଥିବା ପିଲାମାନଙ୍କୁ ବାବା ନିଶ୍ଚିତ ଅଧିକ ସ୍ନେହ କରିବେ । ଅଧିକ ରୋଜଗାର କରୁଥିବା ସନ୍ତାନ ଯଦି ଭଲ ସ୍ୱଭାବର ହୋଇଥିବ ତେବେ ନିଶ୍ଚିତ ଉଚ୍ଚରୁ ଉଚ୍ଚ ପଦ ପ୍ରାପ୍ତ କରିବ । ତା ପ୍ରତି ଅଧିକ ସ୍ନେହ ମଧ୍ୟ ଆସିଥାଏ ନା । ବାବା ପିଲାମାନଙ୍କୁ ଦେଖି ଦେଖି ହର୍ଷିତ ହେଉଛନ୍ତି । ଆତ୍ମା ବହୁତ ଖୁସି ହୋଇଥାଏ । ମୁଁ କଳ୍ପ-କଳ୍ପ ପିଲାମାନଙ୍କୁ ଦେଖି ଦେଖି ଖୁସି ହୋଇଥାଏ । ପ୍ରତି କଳ୍ପରେ ପିଲାମାନେ ହିଁ ସହଯୋଗୀ ହୋଇଥାନ୍ତି ଏବଂ ସେହିମାନେ ମୋର ବହୁତ ସ୍ନେହୀ ଲାଗୁଛନ୍ତି । ତାଙ୍କ ସହିତ ମୋର କଳ୍ପ କଳ୍ପାନ୍ତରର ସ୍ନେହ ଯୋଡି ହୋଇଯାଉଛି । ବାବା କହୁଛନ୍ତି ତେଣୁ ଯଦିଓ କେଉଁଠାରେ ବି ବସିଥାଅ, କିନ୍ତୁ ବୁଦ୍ଧିରେ କେବଳ ବାବା ହିଁ ମନେ ରହିଥାନ୍ତୁ । ଇଏ ଆମର ବେହଦର ବାବା ଅଟନ୍ତି, ୟାଙ୍କର କେହି ପିତା ନାହାନ୍ତି କି ଶିକ୍ଷକ ମଧ୍ୟ ନାହାନ୍ତି । ନିଜେ ହିଁ ସବୁକିଛି ଅଟନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି । ସତ୍ୟଯୁଗରେ ତ ତାଙ୍କୁ କେହି ମନେପକାଇବେ ନାହିଁ, ୨୧ ଜନ୍ମ ପାଇଁ ବେଢା ପାରି ହୋଇଯାଉଛି ତ ତୁମର କେତେ ଖୁସି ରହିବା ଦରକାର । ବାସ୍ ସାରା ଦିନ ବାବାଙ୍କର ସେବା କରିବୁ । ଏଭଳି ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବୁ । ବାବାଙ୍କଠାରୁ ହିଁ ଏହି ସତ୍ୟଯୁଗୀ ସମ୍ପତ୍ତି ମିଳୁଛି । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି ଆଉ ପୁଣି ସମସ୍ତଙ୍କୁ ସାଥିରେ ମଧ୍ୟ ନେଇଯାଉଛନ୍ତି । ଏବେ ସାରା ଚକ୍ରର ଜ୍ଞାନ ତୁମ ବୁଦ୍ଧିରେ ଅଛି । ଏଭଳି ଚକ୍ର ତ କେହି ମନୁଷ୍ୟ ରଚନା କରିପାରିବେ ନାହିଁ । ଏହାର ଅର୍ଥ ତ କାହାକୁ ହିଁ ଜଣା ନାହିଁ । ତୁମେ ଏବେ ବୁଝୁଛ ବାବା ଆମର ବେହଦର ବାବା ମଧ୍ୟ ଅଟନ୍ତି, ବେହଦର ରାଜ୍ୟ ମଧ୍ୟ ଦେଉଛନ୍ତି ଏବଂ ତା ସହିତ ପୁଣି ସାଥିରେ ନେଇଯାଉଛନ୍ତି । ଯଦି ଏହିଭଳି-ଏହିଭଳି ଅନ୍ୟମାନଙ୍କୁ ବୁଝାଇବ ତେବେ ବାବାଙ୍କୁ କେହି ସର୍ବବ୍ୟାପି ବୋଲି କହିପାରିବେ ନାହିଁ । ସିଏ ବାବା ଅଟନ୍ତି, ଶିକ୍ଷକ ଅଟନ୍ତି ତେବେ ସର୍ବବ୍ୟାପି କିପରି ହୋଇପାରିବେ?

ବେହଦର ବାବା ହିଁ ଜ୍ଞାନର ସାଗର ଅଟନ୍ତି । ସିଏ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଏହି ପାଠପଢାକୁ କେବେ ହେଲେ ଭୁଲିଯାଅ ନାହିଁ । ଏହା ବହୁତ ଉଚ୍ଚ ପାଠପଢା । ବାବା ପରମ ପିତା ଅଟନ୍ତି, ପରମ ଶିକ୍ଷକ ଅଟନ୍ତି ଏବଂ ପରମଗୁରୁ ମଧ୍ୟ ଅଟନ୍ତି । ସିଏ ଦୁନିଆରେ ଥିବା ଗୁରୁମାନଙ୍କୁ ମଧ୍ୟ ସାଥୀରେ ନେଇଯିବେ । ସମସ୍ତଙ୍କୁ ଏହିଭଳି ବିଚିତ୍ର କଥା ସବୁ ଶୁଣାଇବା ଦରକାର । ସେମାନଙ୍କୁ କୁହ - ଏହା ହେଉଛି ବେହଦର ଖେଳ । ଏଠାରେ ପ୍ରତ୍ୟେକ ଅଭିନେତାମାନଙ୍କୁ ନିଜ ନିଜର ପାର୍ଟ ମିଳିଛି । ବେହଦ ବାବାଙ୍କଠାରୁ ଆମେ ଆତ୍ମାମାନେ ବେହଦର ରାଜତ୍ୱ ନେଉଛୁ । ଆମେମାନେ ହିଁ ସ୍ୱର୍ଗର ମାଲିକ ଥିଲେ । ଭାରତରେ ପ୍ରଥମେ ବୈକୁଣ୍ଠ ଥିଲା, ଏବେ ପୁଣି ନିଶ୍ଚିତ ହେବ । ଶ୍ରୀକୃଷ୍ଣ ସେହି ଦୁନିଆରେ ମାଲିକ ଥିଲେ । ଏବେ ପୁରୁଣା ଦୁନିଆ ଅଟେ । ପୁଣି ନିଶ୍ଚିତ ନୂଆ ଦୁନିଆର ମାଲିକ ହେବେ । ଚିତ୍ରରେ ମଧ୍ୟ ସ୍ପଷ୍ଟ ଭାବରେ ଦର୍ଶାଯାଇଛି । ତୁମେ ଜାଣିଛ - ଏବେ ଆମର ଗୋଡ ନର୍କ ଆଡକୁ, ମୁହଁ ସ୍ୱର୍ଗ ଆଡକୁ ରହିଛି, ସେହି କଥା ସ୍ମୃତିରେ ରହୁଛି । ଏହିଭଳି କଥା ମନେ ପକାଇ ପକାଇ ଅନ୍ତିମ ମତି ଅନୁସାରେ ତୁମର ଗତି ହୋଇଯିବ । କେତେ ଭଲ ଭଲ କଥା ସବୁ ରହିଛି, ଯେଉଁ ସବୁ କଥାର ସ୍ମରଣ ସବୁବେଳେ କରିବା ଦରକାର । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ଆଖି ଦ୍ୱାରା ଯାହା ସବୁ ଦେଖାଯାଉଛି ସେ ସବୁଥିରୁ ମମତା ତୁଟାଇ ଏକମାତ୍ର ବାବାଙ୍କୁ ହିଁ ଦେଖିବାକୁ ହେବ । ବୃତ୍ତିକୁ ପବିତ୍ର କରିବା ପାଇଁ ଏହି ଛି-ଛି ଅର୍ଥାତ୍ ବିକାରୀ ଶରୀର ପ୍ରତି ଟିକିଏ ବି ଧ୍ୟାନ ନ ଯାଉ ।

(୨) ବାବା ଯେଉଁ ସତ୍ୟ ଏବଂ ସ୍ୱତନ୍ତ୍ର ଜ୍ଞାନ ଶୁଣାଉଛନ୍ତି, ତାହାକୁ ଭଲ ଭାବରେ ପଢିବା ସହିତ ଅନ୍ୟମାନଙ୍କୁ ପଢାଇବାକୁ ହେବ । ପାଠପଢାକୁ କେବେ ହେଲେ ଛାଡିବାର ନାହିଁ ।

ବରଦାନ:-
ଶାନ୍ତିର ଶକ୍ତିର ପ୍ରୟୋଗ ଦ୍ୱାରା ସମସ୍ତ କାର୍ଯ୍ୟରେ ସହଜରେ ସଫଳତା ପ୍ରାପ୍ତ କରୁଥିବା ପ୍ରୟୋଗୀ ଆତ୍ମା ହୁଅ ।

ବର୍ତ୍ତମାନ ସମୟର ପରିବର୍ତ୍ତନ ଅନୁସାରେ ଶାନ୍ତିର ଶକ୍ତିର ସାଧନକୁ ପ୍ରୟୋଗ କରୁଥିବା ପ୍ରୟୋଗୀ ଆତ୍ମା ହୁଅ । ଯେପରି ବାଣୀ ଦ୍ୱାରା ଆତ୍ମାମାନଙ୍କ ଭିତରେ ସ୍ନେହପୂର୍ଣ୍ଣ ସହଯୋଗର ଭାବନା ଉତ୍ପନ୍ନ କରାଉଛ ସେହିଭଳି ଶୁଭଭାବନା, ସ୍ନେହର ଭାବନାର ସ୍ଥିତିରେ ସ୍ଥିତ ହୋଇ ସେମାନଙ୍କ ଭିତରେ ମଧ୍ୟ ଶ୍ରେଷ୍ଠ ଭାବନାଗୁଡିକୁ ଉତ୍ପନ୍ନ କର । ଯେପରି ଗୋଟିଏ ଦୀପ ଅନେକ ଦୀପକୁ ଜଳାଇ ଦେଇଥାଏ । ସେହିପରି ତୁମମାନଙ୍କର ଶକ୍ତିଶାଳୀ ଶୁଭଭାବନା ଅନ୍ୟମାନଙ୍କ ଭିତରେ ମଧ୍ୟ ସର୍ବଶ୍ରେଷ୍ଠ ଭାବନା ଉତ୍ପନ୍ନ କରାଇଦେବ । ଏହି ଶକ୍ତି ଦ୍ୱାରା ସ୍ଥୂଳ କାର୍ଯ୍ୟରେ ମଧ୍ୟ ବହୁତ ସହଜରେ ସଫଳତା ପ୍ରାପ୍ତ କରିପାରିବ, କେବଳ ପ୍ରୟୋଗ କରି ଦେଖ ।

ସ୍ଲୋଗାନ:-
ଯଦି ସମସ୍ତଙ୍କର ପ୍ରିୟ ହେବାକୁ ଚାହୁଁଛ ତେବେ ପ୍ରସ୍ଫୁଟିତ ହୋଇଥିବା ଗୋଲାପ ହୁଅ, ଝାଉଁଳି ଯାଅ ନାହିଁ ।