14.06.25          Morning Odia Murli         Om Shanti         BapDada       Madhuban


“ମିଠେବଚ୍ଚେ:- ବର୍ତ୍ତମାନ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ସେଥିପାଇଁ ଏବେ ତୁମର ଦୃଷ୍ଟି କାହା ପ୍ରତି ବି ଆକର୍ଷିତ ହେବା ଉଚିତ୍ ନୁହେଁ ।’’

ପ୍ରଶ୍ନ:-
ଯେଉଁମାନଙ୍କର ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗ୍ୟ ଥିବ, ସେମାନଙ୍କର ଲକ୍ଷଣ କିପରି ହୋଇଥିବ ?

ଉତ୍ତର:-
ସେମାନେ ନିଜର ସବୁକିଛି ବାବାଙ୍କୁ ଅର୍ପଣ କରିଦେବେ, ଭାବିବେ ଏସବୁ କିଛି ବି ମୋର ନୁହେଁ । ବାବା - ଏହି ଶରୀର ମଧ୍ୟ ମୋର ନୁହେଁ ଏହା ତ ପୁରୁଣା ଶରୀର, ଏହାକୁ ମଧ୍ୟ ଛାଡ଼ିବାକୁ ହେବ । ସେମାନଙ୍କର ମୋହ ସବୁ ଆଡୁ ତୁଟି ଯାଇଥିବ ଅର୍ଥାତ୍ ନଷ୍ଟୋମୋହା ହୋଇଥିବେ । ସେମାନଙ୍କ ବୁଦ୍ଧିରେ ଥିବ ଯେ ଏଠିକାର କୌଣସି ଜିନିଷ କାମରେ ଆସିବ ନାହିଁ, କାହିଁକିନା ଏସବୁ ବିନାଶୀ ଅଟେ ।

ଓମ୍ ଶାନ୍ତି ।
ବାବା ସନ୍ତାନମାନଙ୍କୁ ବ୍ରହ୍ମାଣ୍ଡ ଏବଂ ସୃଷ୍ଟି ଚକ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ଯାହାକି ଆଉ କେହି ଶୁଣାଇ ପାରିବେ ନାହିଁ । ଗୀତା ହିଁ ଏକମାତ୍ର ଶାସ୍ତ୍ର ଅଟେ, ଯେଉଁଥିରେ ରାଜଯୋଗର ବର୍ଣ୍ଣନା ହୋଇଛି, ଭଗବାନ ଆସି ନରରୁ ନାରାୟଣ କରୁଛନ୍ତି । ଏ କଥା ଗୀତା ବ୍ୟତୀତ ଆଉ କୌଣସି ଶାସ୍ତ୍ରରେ ନାହିଁ । ଏକଥା ମଧ୍ୟ ବାବା କହିଛନ୍ତି, ମୁଁ ତୁମକୁ ରାଜଯୋଗ ଶିଖାଇଥିଲି । ବୁଝାଇଥିଲି ଯେ, ଏହି ଜ୍ଞାନ କୌଣସି ପରମ୍ପରାରୁ ଚାଲି ଆସୁନାହିଁ । ବାବା ଆସି ଗୋଟିଏ ଧର୍ମର ସ୍ଥାପନା କରୁଛନ୍ତି । ବାକି ଆଉ ସମସ୍ତ ଧର୍ମର ବିନାଶ ହୋଇଯାଉଛି । କୌଣସି ଶାସ୍ତ୍ର ଆଦି ପରମ୍ପରାରୁ ଚାଲୁନାହିଁ । ଅନ୍ୟ ଯେଉଁମାନେ ଧର୍ମ ସ୍ଥାପନ କରିବାକୁ ଆସୁଛନ୍ତି ସେ ସମୟରେ କୌଣସି ବିନାଶ ହେଉନାହିଁ, ଯାହାଦ୍ୱାରାକି ସବୁ ଖାଲି ହୋଇଯିବ । ଭକ୍ତିମାର୍ଗର ଶାସ୍ତ୍ର ଆଦି ପଢି ଆସୁଛନ୍ତି, ଯଦିଓ ଏମାନଙ୍କର ଅର୍ଥାତ୍ ବ୍ରାହ୍ମଣ ଧର୍ମର ଶାସ୍ତ୍ର ହେଉଛି ଗୀତା କିନ୍ତୁ ତାହା ମଧ୍ୟ ଭକ୍ତିମାର୍ଗରେ ହିଁ ତିଆରି କରିଥା’ନ୍ତି କାହିଁକିନା ସତ୍ୟଯୁଗରେ ତ କୌଣସି ଶାସ୍ତ୍ର ରହିବ ନାହିଁ, ଅନ୍ୟ ଧର୍ମର ସ୍ଥାପନା ସମୟରେ ବିନାଶ ତ ହେଉନାହିଁ । ପୁରୁଣା ଦୁନିଆ ଶେଷ ହେଉନାହିଁ, ଯାହା ପୁଣି ନୂଆ ହେବ । ତାହା ହିଁ ଚାଲି ଆସୁଛି । ବର୍ତ୍ତମାନ ତୁମେମାନେ ବୁଝୁଛ ଯେ ଏହି ପୁରୁଣା ଦୁନିଆ ଶେଷ ହେବାକୁ ଯାଉଛି । ଆମକୁ ବାବା ପାଠ ପଢାଉଛନ୍ତି । ଗାୟନ ମଧ୍ୟ କେବଳ ଗୀତାର ହିଁ ହେଉଛି । ଗୀତା ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ବେଦ ଜୟନ୍ତୀ ତ ହେଉ ନାହିଁ । ଭଗବାନ ତ ଜଣେ, ତେଣୁ ଜୟନ୍ତୀ ମଧ୍ୟ ଜଣଙ୍କର ହିଁ ପାଳନ କରିବା ଦରକାର । ବାକି ସମସ୍ତେ ହେଲେ ରଚନା, ସେମାନଙ୍କଠାରୁ କିଛି ମିଳିପାରିବ ନାହିଁ । ବାବାଙ୍କଠାରୁ ହିଁ ବର୍ସା ମିଳୁଛି । ଦାଦା, କକା ଆଦିଙ୍କ ଠାରୁ କୌଣସି ବର୍ସା ମିଳେ ନାହିଁ । ଏବେ ଇଏ ହେଉଛନ୍ତି ତୁମର ବେହଦର ବାବା, ବେହଦର ଜ୍ଞାନଦାତା । ଇଏ କୌଣସି ଶାସ୍ତ୍ର ଶୁଣାଉନାହାଁନ୍ତି । କହୁଛନ୍ତି ଏସବୁ ଭକ୍ତିମାର୍ଗର ଶାସ୍ତ୍ର । ମୁଁ ଏହି ସବୁର ସାର କଥା ତୁମକୁ ବୁଝାଉଛି । ଶାସ୍ତ୍ର କୌଣସି ପାଠପଢା ନୁହେଁ । ପାଠପଢା ଦ୍ୱାରା ତ ପଦ ପ୍ରାପ୍ତ ହୋଇଥାଏ । ଏହି ପାଠ ବାବା ସନ୍ତାନମାନଙ୍କୁ ପଢାଉଛନ୍ତି । ଭଗବାନୁବାଚ ସନ୍ତାନମାନଙ୍କ ପ୍ରତି - ପୁଣି ୫ ହଜାର ବର୍ଷ ପରେ ମଧ୍ୟ ଏହିପରି ହେବ । ସନ୍ତାନମାନେ ଜାଣିଛନ୍ତି ଆମେ ବାବାଙ୍କ ଠାରୁ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଯାଇଛୁ । ବାବାଙ୍କ ବ୍ୟତୀତ ଏକଥା ଆଉ କେହି ବୁଝାଇପାରିବେ ନାହିଁ । ବାବା ଏହି ମୁଖ କମଳ ଦ୍ୱାରା ଶୁଣାଉଛନ୍ତି । ଏହା ଭଗବାନଙ୍କର ଲୋନ୍ ନେଇଥିବା ମୁଖ ଅଟେ ନା, ଯାହାକୁ ଗଉମୁଖ ମଧ୍ୟ କହିଥା’ନ୍ତି । ସିଏ ବଡ଼ ମାତା ଅଟନ୍ତି ନା । ଯାହାଙ୍କ ମୁଖରୁ ଜ୍ଞାନର ମହାବାକ୍ୟ ବାହାରିଥାଏ, ଜଳ ଆଦି ନୁହେଁ । ଭକ୍ତିମାର୍ଗରେ ପୁଣି ଗଉମୁଖରୁ ଜଳ ଦେଖାଇ ଦେଇଛନ୍ତି । ଏବେ ତୁମେମାନେ ବୁଝୁଛ ଭକ୍ତିମାର୍ଗରେ କ’ଣ-କ’ଣ ସବୁ କରୁଛନ୍ତି । କେତେ ଦୂରକୁ ଗଉମୁଖ ଆଦିରୁ ପାଣି ପିଇବା ପାଇଁ ଯାଉଛନ୍ତି । ଏବେ ତୁମେମାନେ ମନୁଷ୍ୟରୁ ଦେବତା ହେଉଛ । ଏକଥା ତ ଜାଣିଛ - ବାବା କଳ୍ପ-କଳ୍ପ ଆସି ମନୁଷ୍ୟରୁ ଦେବତା କରିବା ପାଇଁ ପାଠ ପଢାଉଛନ୍ତି । ଏବେ ତୁମେମାନେ ଦେଖୁଛ କିପରି ପଢାଉଛନ୍ତି । ତୁମେମାନେ ସମସ୍ତଙ୍କୁ ଏକଥା କହୁଛ ଯେ - ଭଗବାନ ଆମକୁ ପାଠ ପଢାଉଛନ୍ତି । କହୁଛନ୍ତି କେବଳ ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ତୁମେ ଜାଣୁଛ ସତ୍ୟଯୁଗରେ ଅଳ୍ପ ମନୁଷ୍ୟ ରହିବେ । କଳିଯୁଗରେ କେତେ ଢେର ମନୁଷ୍ୟ ଅଛନ୍ତି । ବାବା ଆସି ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ଆମେ ମନୁଷ୍ୟରୁ ଦେବତା ହେଉଛୁ । ମନୁଷ୍ୟରୁ ଦେବତା ହେଉଥିବା ସନ୍ତାନମାନଙ୍କ ଭିତରେ ଦୈବୀଗୁଣ ଦେଖାଦେବ । ସେମାନଙ୍କ ଭିତରେ କ୍ରୋଧର ଅଂଶ ମଧ୍ୟ ରହିବ ନାହିଁ । ଯଦି କେବେ କ୍ରୋଧ ଆସିଗଲା ତେବେ ସଙ୍ଗେ-ସଙ୍ଗେ ବାବାଙ୍କୁ ପତ୍ର ଲେଖିବେ, ବାବା ଆଜି ମୋ ଦ୍ୱାରା ଏହି ଭୁଲ ହୋଇଗଲା । ମୁଁ କ୍ରୋଧ କରିଦେଲି, ବିକର୍ମ କରିଦେଲି । ବାବାଙ୍କ ସହିତ ତୁମର କେତେ ସମ୍ପର୍କ ରହିଛି । ବାବା କ୍ଷମା କରିଦିଅ । ବାବା କହୁଛନ୍ତି କ୍ଷମା ଆଦି ହୁଏ ନାହିଁ । ବାକି ପରବର୍ତ୍ତୀ ସମୟରେ ଏପରି ଭୁଲ କରିବ ନାହିଁ । ଶିକ୍ଷକ କୌଣସି କ୍ଷମା କରନ୍ତି ନାହିଁ । ରେଜିଷ୍ଟର ଦେଖାଇଥା’ନ୍ତି - ତୁମର ବ୍ୟବହାର ଭଲ ନୁହେଁ । ବେହଦର ବାବା ମଧ୍ୟ କହୁଛନ୍ତି - ତୁମେ ନିଜର ବ୍ୟବହାର ବା ଚାଲିଚଳନକୁ ଦେଖୁଛ! ପ୍ରତିଦିନ ନିଜର ହିସାବ କିତାବ ଦେଖ, କାହାକୁ ଦୁଃଖ ତ ଦେଇନାହିଁ? କାହାକୁ ବିରକ୍ତି କରିନାହିଁ ତ? ଦୈବୀଗୁଣ ଧାରଣ କରିବା ପାଇଁ ସମୟ ତ ଲାଗିଥାଏ ନା । ଦେହ-ଅଭିମାନ ବହୁତ କଷ୍ଟରେ ଛାଡ଼ିଥାଏ । ଯେତେବେଳେ ନିଜକୁ ଆତ୍ମା ଭାବିବ ସେତେବେଳେ ବାବାଙ୍କ ପ୍ରତି ମଧ୍ୟ ସ୍ନେହ ରହିବ । ନ ହେଲେ ଦେହର କର୍ମ ବନ୍ଧନରେ ହିଁ ବୁଦ୍ଧି ବାନ୍ଧି ହୋଇ ରହିଥାଏ । ବାବା କହୁଛନ୍ତି ତୁମକୁ ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କରିବାକୁ ହେବ, କିନ୍ତୁ ସେଥିରୁ ମଧ୍ୟ ସମୟ ବାହାର କରିପାରିବ । ଭକ୍ତି ପାଇଁ ସମୟ ବାହାର କରିଥାନ୍ତି ନା । ମୀରା କୃଷ୍ଣଙ୍କର ହିଁ ସ୍ମୃତିରେ ରହୁଥିଲେ ନା । ତଥାପି ପୁନର୍ଜନ୍ମ ତ ଏହିଠାରେ ହିଁ ନେଇଥିବେ ।

ଏବେ ତୁମମାନଙ୍କୁ ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ଆସୁଛି । କାରଣ ତୁମେମାନେ ଜାଣିଛ ଯେ ଏହି ପୁରୁଣା ଦୁନିଆରେ ପୁଣି ପୁର୍ନଜନ୍ମ ନେବାର ହିଁ ନାହିଁ କାରଣ ଏହି ଦୁନିଆ ହିଁ ସମାପ୍ତ ହୋଇଯିବ । ଏହି ସବୁ କଥା ତୁମର ବୁଦ୍ଧିରେ ଅଛି । ଯେପରି ବାବାଙ୍କ ଭିତରେ ଜ୍ଞାନ ଅଛି ସେହିପରି ସନ୍ତାନମାନଙ୍କ ଭତିରେ ମଧ୍ୟ ଏବେ ସେହି ଜ୍ଞାନ ଅଛି । ଏହି ସୃଷ୍ଟିଚକ୍ରର ଜ୍ଞାନ ଆଉ କାହା ବୁଦ୍ଧିରେ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ଅଛନ୍ତି, ଯାହାଙ୍କର ବୁଦ୍ଧିରେ ରହୁଛି ଯେ ଉଚ୍ଚରୁ ଉଚ୍ଚ ପତିତ ପାବନ ଏକମାତ୍ର ବାବା ହିଁ ଅଟନ୍ତି, ସେ ଆମକୁ ପାଠ ପଢାଉଛନ୍ତି । ଏକଥା ମଧ୍ୟ କେବଳ ତୁମେମାନେ ହିଁ ଜାଣିଛ । ତୁମ ବୁଦ୍ଧିରେ ପୁରା ୮୪ ଜନ୍ମର ଚକ୍ର ଅଛି । ଏକଥା ସ୍ମୃତିରେ ରହୁଛି - ବର୍ତ୍ତମାନ ଏଇ ନର୍କରେ ଏହା ଆମର ଶେଷ ଜନ୍ମ ଅଟେ, ଏହାକୁ କୁହାଯାଉଛି ରୌରବ ନର୍କ । ଏଠାରେ ବହୁତ ବିକାର ରହିଛି, ସେଥିପାଇଁ ସନ୍ନ୍ୟାସୀମାନେ ଘର-ଦ୍ୱାର ଛାଡ଼ି ଜଙ୍ଗଲକୁ ଚାଲି ଯାଉଛନ୍ତି । ତାହା ହେଲା ଶାରୀରିକ ସନ୍ନ୍ୟାସ । ତୁମେମାନେ ବୁଦ୍ଧି ଦ୍ୱାରା ସନ୍ନ୍ୟାସ କରୁଛ କାହିଁକିନା ତୁମେ ଜାଣିଛ ଆମକୁ ଏବେ ଘରକୁ ଫେରିବାକୁ ହେବ । ତେଣୁ ସମସ୍ତଙ୍କୁ ଭୁଲିବାକୁ ପଡ଼ିବ । ଏହି ପୁରୁଣା ଛି-ଛି ଦୁନିଆ ଏବେ ଯେପରିକି ବିନାଶ ହୋଇ ଯାଇଛି । ଯଦି ଘର ପୁରୁଣା ହୋଇଯାଏ, ଏବଂ ନୂଆ ଘର ତିଆରି ହୋଇଗଲେ ମନରେ ଆସିଥାଏ ନା - ଏହି ଘର ତ ଭାଙ୍ଗିଯିବ । ଏବେ ତୁମେମାନେ ପଢୁଛ ନା । ଜାଣିଛ ଏବେ ନୂଆ ଦୁନିଆର ସ୍ଥାପନା ହେଉଛି । ଆଉ ଅଳ୍ପ ସମୟ ବାକି ଅଛି । ବହୁତ ସନ୍ତାନମାନେ ଆସି ପାଠ ପଢିବେ । ନୂଆ ଘର ଏବେ ତିଆରି ହେଉଛି, ପୁରୁଣା ଘର ଧୀରେ ଧୀରେ ଭାଙ୍ଗି ଚାଲିଛି । ବାକି ଅଳ୍ପ ଦିନ ଅଛି । ତୁମମାନଙ୍କ ବୁଦ୍ଧିରେ ଏବେ ଏହି ବେହଦର କଥା ଅଛି । ଏବେ ଆମର ଏହି ପୁରୁଣା ଦୁନିଆରେ ମନ ଲାଗୁନାହିଁ । ଶେଷରେ ଏସବୁ କିଛି ମଧ୍ୟ କାମରେ ଆସିବ ନାହିଁ, ଆମେ ଏଠାରୁ ଯିବାକୁ ଚାହୁଁଛୁ । ବାବା ମଧ୍ୟ କହୁଛନ୍ତି ପୁରୁଣା ଦୁନିଆ ପ୍ରତି ମନ ଲଗାଅ ନାହିଁ । ମୋତେ ଏବଂ ଘରକୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ନ ହେଲେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଆତ୍ମାକୁ ଏବେ ଚିନ୍ତା ହେଉଛି ଯେ ମୁଁ ୮୪ ଜନ୍ମ ଭୋଗ କରିଛି ଏବେ ବାବାଙ୍କୁ ମନେ ପକାଇବାକୁ ହେବ, ତେବେ ଯାଇ ବିକର୍ମ ବିନାଶ ହେବ । ବାବାଙ୍କ ମତରେ ଚାଲିବାକୁ ହେବ ତେବେ ଯାଇ ଶ୍ରେଷ୍ଠ ଜୀବନର ନିର୍ମାଣ ହୋଇପାରିବ । ବାବା ହେଉଛନ୍ତି ଉଚ୍ଚରୁ ଉଚ୍ଚ ଏକଥା ମଧ୍ୟ ତୁମେମାନେ ହିଁ ଜାଣିଛ । ବାବା ଭଲ ଭାବରେ ମନେ ପକାଇ ଦେଉଛନ୍ତି, ସେହି ବେହଦର ବାବା ହିଁ ଜ୍ଞାନର ସାଗର ଅଟନ୍ତି, ସେ ହିଁ ଆସି ପାଠ ପଢାଉଛନ୍ତି । ବାବା କହୁଛନ୍ତି ଏହି ପାଠ ମଧ୍ୟ ପଢ, ଶରୀର ନିର୍ବାହ ଅର୍ଥେ ମଧ୍ୟ ସବୁକିଛି କର । କିନ୍ତୁ ଟ୍ରଷ୍ଟି ହୋଇ ରୁହ ।

ଯେଉଁ ସନ୍ତାନମାନଙ୍କର ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗ୍ୟ ଥିବ ସେମାନେ ନିଜର ସବୁ କିଛି ବାବାଙ୍କୁ ଅର୍ପଣ କରିଦେବେ । ମୋର କିଛି ବି ନୁହେଁ । ବାବା ଏହି ଶରୀର ମଧ୍ୟ ମୋର ନୁହେଁ । ଏହା ତ ପୁରୁଣା ଶରୀର ଅଟେ, ଏହାକୁ ମଧ୍ୟ ଛାଡ଼ିବାକୁ ହେବ, ସମସ୍ତଙ୍କଠାରୁ ମୋହ ତୁଟାଇବାକୁ ହେବ । ନଷ୍ଟୋମୋହା ହେବାକୁ ପଡିବ । ଏହା ହେଉଛି ବେହଦର ବୈରାଗ୍ୟ, ତାହା ହଦର ବୈରାଗ୍ୟ ଅଟେ । ବୁଦ୍ଧିରେ ଅଛି ଯେ ଆମେ ସ୍ୱର୍ଗକୁ ଯାଇ ନିଜର ମହଲ ତିଆରି କରିବୁ । ଏଠାକାର କିଛି ବି କାମରେ ଆସିବ ନାହିଁ କାହିଁକି ନା ଏସବୁ ହଦର ଅଟେ । ତୁମେମାନେ ଏବେ ହଦରୁ ବାହାରି ବେହଦକୁ ଯାଉଛ । ତୁମ ବୁଦ୍ଧିରେ ଏବେ ଏହି ବେହଦର ଜ୍ଞାନ ହିଁ ରହିବା ଦରକାର । ଆଉ କେଉଁଆଡେ ବି ଦୃଷ୍ଟି ଯାଉ ନାହିଁ । ଏବେ ତ ନିଜର ଘରକୁ ଯିବାକୁ ହେବ । କଳ୍ପ-କଳ୍ପ ବାବା ଆସି ଆମକୁ ପାଠପଢାଇ ସାଥିରେ ନେଇଯାଉଛନ୍ତି । ତୁମ ପାଇଁ ଏହା କୌଣସି ନୂଆ ପାଠପଢା ନୁହେଁ । ତୁମେମାନେ ଜାଣିଛ ଆମେ କଳ୍ପ କଳ୍ପ ଏହି ପାଠ ପଢୁଛୁ । ତୁମ ଭିତରେ ମଧ୍ୟ କ୍ରମାନୁସାରେ ନମ୍ବରରେ ଅଛନ୍ତି । ସାରା ଦୁନିଆରେ କେତେ ମନୁଷ୍ୟ ଅଛନ୍ତି, କିନ୍ତୁ ତୁମେ ଅଳ୍ପ କେତେ ଜଣ ହିଁ ଏହି କଥାକୁ ଜାଣିଛ । ଧିରେ-ଧିରେ ଏହି ବ୍ରାହ୍ମଣମାନଙ୍କର ବୃକ୍ଷ ବୃଦ୍ଧି ହେଉଛି । ଡ଼୍ରାମା ପ୍ଲାନ୍ ଅନୁସାରେ ସ୍ଥାପନା ନିଶ୍ଚିତ ହେବ । ସନ୍ତାନମାନେ ଜାଣିଛନ୍ତି ଏହା ଆମର ଆଧ୍ୟାତ୍ମିକ ଗଭର୍ଣ୍ଣମେଣ୍ଟ ଅଟେ । ଆମେ ଦିବ୍ୟ ଦୃଷ୍ଟି ଦ୍ୱାରା ନୂଆ ଦୁନିଆକୁ ଦେଖୁଛୁ । କାରଣ ଆମକୁ ସେଠାକୁ ଯିବାକୁ ହେବ । ଭଗବାନ ମଧ୍ୟ ଜଣେ ହିଁ ଅଟନ୍ତି, ସିଏ ହିଁ ଆମମାନଙ୍କୁ ପାଠପଢାଉଛନ୍ତି, ରାଜଯୋଗ ବାବା ହିଁ ଶିଖାଇଥିଲେ । ସେ ସମୟରେ ଲଢାଇ ମଧ୍ୟ ନିଶ୍ଚିତ ଲାଗିଥିଲା, ଅନେକ ଧର୍ମର ବିନାଶ, ଗୋଟିଏ ଧର୍ମର ସ୍ଥାପନା ହୋଇଥିଲା । ତୁମେ ମଧ୍ୟ ସେହି ଅଟ, କଳ୍ପ-କଳ୍ପ ତୁମେ ହିଁ ପଢି ଆସୁଛ, ବର୍ସା ନେଇ ଆସୁଛ । ପ୍ରତ୍ୟେକଙ୍କୁ ନିଜ ପାଇଁ ପୁରୁଷାର୍ଥ କରିବାକୁ ହେବ । ଏହା ହେଉଛି ବେହଦର ପାଠପଢା । ଏହି ଶିକ୍ଷା କେହି ମନୁଷ୍ୟ ମାତ୍ରକେ ଦେଇପାରିବେ ନାହିଁ ।

ବାବା ଶ୍ୟାମ ଏବଂ ସୁନ୍ଦରର ରହସ୍ୟକୁ ମଧ୍ୟ ବୁଝାଉଛନ୍ତି । ତୁମେମାନେ ମଧ୍ୟ ଜାଣୁଛ ଏବେ ଆମେ ସୁନ୍ଦର ହେଉଛୁ । ପ୍ରଥମେ ଶ୍ୟାମଳ ଥିଲୁ । କୃଷ୍ଣ କ’ଣ ଏକା ଥିଲେ, ସାରା ରାଜଧାନୀ ଥିଲା ନା । ଏବେ ତୁମେମାନେ ଜାଣୁଛ, ଆମେ ନର୍କବାସୀରୁ ସ୍ୱର୍ଗବାସୀ ହେଉଛୁ । ଏବେ ତୁମକୁ ଏହି ନର୍କ ପ୍ରତି ଘୃଣା ଆସୁଛି । ତୁମେମାନେ ଏବେ ପୁରୁଷୋତ୍ତମ ସଙ୍ଗମଯୁଗକୁ ଆସି ଯାଇଛ । ବହୁତ ଆସୁଛନ୍ତି, କିନ୍ତୁ ଏମାନଙ୍କ ମଧ୍ୟରୁ ସେହିମାନେ ବାହାରିବେ ଯେଉଁମାନେ କଳ୍ପ ପୂର୍ବରୁ ବାହାରିଥିବେ । ସଙ୍ଗମଯୁଗକୁ ମଧ୍ୟ ଭଲ ଭାବରେ ମନେ ପକାଇବାକୁ ହେବ । ଆମେ ପୁରୁଷୋତ୍ତମ ଅର୍ଥାତ୍ ମନୁଷ୍ୟରୁ ଦେବତା ହେଉଛୁ । ମନୁଷ୍ୟ ତ ଏକଥା ମଧ୍ୟ ବୁଝୁନାହାଁନ୍ତି ଯେ ନର୍କ କ’ଣ ଏବଂ ସ୍ୱର୍ଗ କ’ଣ? କହୁଛନ୍ତି ସବୁ କିଛି ଏହିଠାରେ ହିଁ ଅଛି, ଯିଏ ସୁଖୀ ସେ ସ୍ୱର୍ଗରେ ଅଛନ୍ତି, ଯିଏ ଦୁଃଖୀ ସେ ନର୍କରେ ଅଛନ୍ତି । ଅନେକ ମତ ରହିଛି ନା । ଗୋଟିଏ ଘରେ ମଧ୍ୟ ଅନେକ ମତ ହୋଇଯାଉଛି । ସନ୍ତାନମାନଙ୍କ ପ୍ରତି ମୋହର ଆକର୍ଷଣ ରହିଛି, ତାହା ତୁଟୁ ନାହିଁ । ମୋହର ବଶବର୍ତ୍ତୀ ହୋଇ କିଛି ବି ବୁଝୁନାହାଁନ୍ତି ଯେ ଆମେ କିପରି ରହୁଛୁ । ପଚାରୁଛନ୍ତି ପିଲାମାନଙ୍କର ବାହାଘର କରିବୁ? କିନ୍ତୁ ସନ୍ତାନମାନଙ୍କୁ ଏହି ନିୟମ ମଧ୍ୟ ବୁଝାଯାଉଛି ଯେ ତୁମେ ସ୍ୱର୍ଗବାସୀ ହେବା ପାଇଁ ଗୋଟିଏ ପାର୍ଶ୍ୱରେ ଜ୍ଞାନ ନେଉଛ, ଏବଂ ଅନ୍ୟ ପାର୍ଶ୍ୱରେ ପଚାରୁଛ ଯେ, ପିଲାମାନଙ୍କୁ ନର୍କରେ ପକାଇବୁ? ଯଦି ପଚାରୁଛ ତେବେ ବାବା କହିବେ କରିଦିଅ । ବାବାଙ୍କୁ ପଚାରୁଛନ୍ତି ତେଣୁ ବାବା ବୁଝାଉଛନ୍ତି ୟାଙ୍କର ଭିତରେ ମୋହ ଅଛି, ଏବେ ମନା କଲେ ମଧ୍ୟ ଅବଜ୍ଞା କରିଦେବେ । ଝିଅର ବିବାହ ତ କରାଇବାକୁ ହିଁ ହେବ, ନ ହେଲେ ସଙ୍ଗଦୋଷରେ ପଡି ଖରାପ ହୋଇଯିବେ । ପୁଅମାନଙ୍କର (ବିବାହ) କରାଇପାରିବ ନାହିଁ । କିନ୍ତୁ ସାହସ ଦରକାର ନା! ବାବା ଏହାଙ୍କ (ବ୍ରହ୍ମାଙ୍କ)ଦ୍ୱାରା ଏହିଭଳି ଅଭିନୟ କରାଇଲେ ନା । ଏହାଙ୍କୁ ଦେଖି ପୁଣି ଅନ୍ୟମାନେ କରିବାକୁ ଲାଗିପଡ଼ିଲେ । ଘରେ ମଧ୍ୟ ବହୁତ ଝଗଡ଼ା ହୋଇଯାଉଛି । ଏହା ହେଉଛି ହିଁ ଝଗଡ଼ାର ଦୁନିଆ, କଣ୍ଟାର ଜଙ୍ଗଲ ଅଟେ ନା । ପରସ୍ପରକୁ କଷ୍ଟ ଦେଉଛନ୍ତି । ସ୍ୱର୍ଗକୁ କୁହାଯାଉଛି ବଗିଚା । ଏହା ହେଉଛି ଜଙ୍ଗଲ । ବାବା ଆସି କଣ୍ଟାରୁ ଫୁଲ କରୁଛନ୍ତି । କେହି ଅଳ୍ପ ବାହାରୁଛନ୍ତି, ପ୍ରଦର୍ଶନୀରେ ଯଦିଓ ହଁ-ହଁ କରୁଛନ୍ତି କିନ୍ତୁ କିଛି ବି ବୁଝୁନାହାଁନ୍ତି । ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେଉଛନ୍ତି । ରାଜଧାନୀ ସ୍ଥାପନ କରିବା ପାଇଁ ସମୟ ତ ଲାଗିବ ନା । ମନୁଷ୍ୟ ନିଜକୁ କ’ଣ କଣ୍ଟା ବୋଲି ଭାବୁଛନ୍ତି କି? ବର୍ତ୍ତମାନ ଯଦିଓ ଚେହେରା ମନୁଷ୍ୟ ଭଳି ଅଛି କିନ୍ତୁ ଚରିତ୍ର ମାଙ୍କଡ ଠାରୁ ମଧ୍ୟ ଖରାପ ଅଟେ । କିନ୍ତୁ ନିଜକୁ ଏପରି ଭାବୁନାହାଁନ୍ତି ତେଣୁ ବାବା କହୁଛନ୍ତି ନିଜର ରଚନାକୁ (ପିଲାମାନଙ୍କୁ) ବୁଝାଇବାକୁ ହେବ । ଯଦି ବୁଝୁନାହାଁନ୍ତି ତେବେ ଘରୁ ବାହାର କରିଦେବା ଦରକାର । କିନ୍ତୁ ସେହିଭଳି ତାକତ ଥିବା ଦରକାର ନା । ମୋହର କୀଟ ଏପରି ଲାଗି ରହୁଛି ଯାହାକି ବାହାରୁ ନାହିଁ । ଏଠାରେ ତ ନଷ୍ଟମୋହା ହେବାକୁ ପଡିବ । ମୋର ତ ଜଣେ ଆଉ କେହି ନୁହଁନ୍ତି । ଏବେ ବାବା ନେବା ପାଇଁ ଆସିଛନ୍ତି । ତେଣୁ ପାବନ ହେବାକୁ ପଡିବ । ନ ହେଲେ ବହୁତ ଦଣ୍ଡ ଖାଇବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଏବେ ନିଜକୁ କିପରି ସତ୍ତ୍ୱପ୍ରଧାନ କରିବା, କେବଳ ସେହି ଚିନ୍ତା ହିଁ ଲାଗି ରହିଛି । ଶିବ ମନ୍ଦିରକୁ ଯାଇ ତୁମେମାନେ ବୁଝାଇପାରିବ - ଭଗବାନ ଭାରତକୁ ସ୍ୱର୍ଗର ମାଲିକ କରିଥିଲେ, ଏବେ ସେ ଆସି ପୁଣି ସ୍ୱର୍ଗର ମାଲିକ କରୁଛନ୍ତି, କହୁଛନ୍ତି କେବଳ ମୋତେ ମନେ ପକାଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗୀ ହୋଇ ନିଜର ସବୁ କିଛି ଅର୍ପଣ କରି ଦେବାକୁ ହେବ । ମୋର କିଛି ବି ନୁହେଁ, ଏହି ଶରୀର ମଧ୍ୟ ମୋର ନୁହେଁ । ଏଥିରୁ ମୋହ ତୁଟାଇ ନଷ୍ଟମୋହା ହେବାକୁ ପଡିବ ।

(୨) ଏପରି କେବେ କୌଣସି ଭୁଲ୍ କରିବାର ନାହିଁ ଯାହାକି ରେଜିଷ୍ଟର ଅର୍ଥାତ୍ ଚରିତ୍ରରେ ଦାଗ ଲାଗିଯିବ । ସମସ୍ତ ଦୈବୀ ଗୁଣ ଧାରଣ କରିବାକୁ ହେବ, ଭିତରେ ଟିକିଏ ବି କ୍ରୋଧର ଅଂଶ ନ ଥିବ ।

ବରଦାନ:-
କହିବା, ଭାବିବା ଏବଂ କରିବା - ଏହି ତିନୋଟିକୁ ସମାନ କରୁଥିବା ଜ୍ଞାନୀ ଆତ୍ମା ଭବ ।

ବର୍ତ୍ତମାନ ସମୟରେ ବାନପ୍ରସ୍ଥ ଅବସ୍ଥାକୁ ଯିବାର ସମୟ ପାଖେଇ ଆସୁଛି - ସେଥିପାଇଁ ମୋ’ର ପଣିଆର ଦୁର୍ବଳତାକୁ ବା ବ୍ୟର୍ଥର ଖେଳକୁ ସମାପ୍ତ କରି କହିବା, ଭାବିବା ଏବଂ କରିବାକୁ ସମାନ କର, ତେବେ କୁହାଯିବ ଜ୍ଞାନ ସ୍ୱରୂପ ଆତ୍ମା । ଯେଉଁମାନେ ଏହିଭଳି ଜ୍ଞାନ ସ୍ୱରୂପ ଜ୍ଞାନୀ ଆତ୍ମାମାନେ ଅଛନ୍ତି ସେମାନଙ୍କର ପ୍ରତ୍ୟେକ କର୍ମ, ସଂସ୍କାର, ଗୁଣ ଏବଂ କର୍ତ୍ତବ୍ୟ ସମର୍ଥ ବାବାଙ୍କ ସମାନ ହୋଇଥିବ । ସେମାନେ କେବେହେଲେ ବ୍ୟର୍ଥର ବିଚିତ୍ର ଖେଳ ଖେଳିପାରିବେ ନାହିଁ । ସର୍ବଦା ପରମାତ୍ମ ମିଳନର ଖେଳରେ ବ୍ୟସ୍ତ ରହିବେ । ଏକମାତ୍ର ବାବାଙ୍କ ସହିତ ମିଳନ କରିବେ ଏବଂ ଅନ୍ୟମାନଙ୍କୁ ବାବାଙ୍କ ସମାନ କରିବେ ।

ସ୍ଲୋଗାନ:-
ସେବାର ଉମଙ୍ଗ-ଉତ୍ସାହ ଛୋଟ ଛୋଟ ରୋଗଗୁଡିକୁ ସୁପ୍ତ କରିଦିଏ ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅର୍ନ୍ତମୁଖୀ ହୁଅ ।

ଅର୍ନ୍ତମୁଖୀ ଅର୍ଥାତ୍ ମୁଖର ଏବଂ ମନର ମୌନ ରଖିବାବାଲା । ମୁଖର ମୌନ ତ ଦୁନିଆରେ ମଧ୍ୟ ଲୋକମାନେ କରୁଛନ୍ତି କିନ୍ତୁ ଏଠାରେ ବ୍ୟର୍ଥ ସଂକଳ୍ପଠାରୁ ମନର ମଉନ ହେବା ଦରକାର । ଯେପରି ଟ୍ରାଫିକ୍ କଣ୍ଟ୍ରୋଲ୍ ସମୟରେ ବ୍ୟର୍ଥ ସଂକଳ୍ପର ପ୍ରବାହକୁ କଣ୍ଟ୍ରୋଲ ଅର୍ଥାତ୍ ନିୟନ୍ତ୍ରଣ କରୁଛ ସେହିପରି ମଝିରେ ମଝିରେ ଗୋଟିଏ ଦିନ ମନର ବ୍ୟର୍ଥ ସଂକଳ୍ପର ଟ୍ରାଫିକ୍ କଣ୍ଟ୍ରୋଲ କର ।