14.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପ୍ରତ୍ୟହ ନିଜେ ନିଜକୁ ପଚାର ଯେ ମୁଁ ଆତ୍ମା କେତେ ଶୁଦ୍ଧ ହୋଇଛି, ଯେତେ ଶୁଦ୍ଧ ହେବ ସେତେ ଖୁସି ରହିବ, ସେବା କରିବାର ଉତ୍ସାହ ବଢିବ ।”

ପ୍ରଶ୍ନ:-
ହୀରାତୁଲ୍ୟ ଶ୍ରେଷ୍ଠ ହେବା ପାଇଁ ପୁରୁଷାର୍ଥ କ’ଣ?

ଉତ୍ତର:-
ଦେହୀ-ଅଭିମାନୀ ହୁଅ, ଶରୀର ପ୍ରତି ଟିକିଏ ହେଲେ ମୋହ ନ ରହୁ । ଚିନ୍ତାରୁ ମୁକ୍ତ ହୋଇ କେବଳ ଏକ ବାବାଙ୍କର ସ୍ମୃତିରେ ରୁହ - ଏହି ଶ୍ରେଷ୍ଠ ପୁରୁଷାର୍ଥ ହୀରାତୁଲ୍ୟ କରିଦେବ । ଯଦି ଦେହ-ଅଭିମାନ ଅଛି ତେବେ ଅବସ୍ଥା ଅପରିପକ୍ୱ ଅଛି ବୋଲି ଜାଣିବ । ବାବାଙ୍କଠାରୁ ଦୂରରେ ବା ସାନ୍ନିଧ୍ୟରୁ ଦୂରରେ ଅଛ । ତୁମକୁ ଏହି ଶରୀରର ଯତ୍ନ ମଧ୍ୟ ନେବାକୁ ହେବ, କାରଣ ଏହି ଶରୀରରେ ରହି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ ।

ଗୀତ:-
ମୁଖଡା ଦେଖଲେ ପ୍ରାଣୀ...

ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଯାହାଙ୍କର ଯୋଗବଳ ଦ୍ୱାରା ପାପ କଟୁଛି, ତାଙ୍କର ଖୁସିର ପାରଦ ଚଢିଯାଇଥାଏ । ନିଜର ଅବସ୍ଥାକୁ ପିଲାମାନେ ସ୍ୱୟଂ ଜାଣିପାରିବେ । ଅବସ୍ଥା ଭଲ ଥିଲେ ସେବାରେ ଆଗ୍ରହ ମଧ୍ୟ ଭଲ ରହିଥାଏ । ଯେତେ-ଯେତେ ଶୁଦ୍ଧ ହୋଇଚାଲିବ ସେତେ ଅନ୍ୟକୁ ମଧ୍ୟ ଶୁଦ୍ଧ ଅଥବା ଯୋଗୀ କରିବା ପାଇଁ ଉତ୍ସାହ ଆସିବ କାରଣ ତୁମେ ରାଜଯୋଗୀ ଅଥବା ରାଜଋଷି ଅଟ । ହଠଯୋଗୀ ଋଷି ତତ୍ତ୍ୱକୁ ଭଗବାନ ମାନିଥା’ନ୍ତି । ରାଜଯୋଗୀ ଋଷି ଭଗବାନଙ୍କୁ ପିତା ବୋଲି ମାନିଥା’ନ୍ତି । ତତ୍ତ୍ୱକୁ ମନେ ପକାଇବା ଦ୍ୱାରା ତାଙ୍କର ପାପ କଟେ ନାହିଁ । ତତ୍ତ୍ୱ ସହିତ ଯୋଗ ଲଗାଇବା ଦ୍ୱାରା କୌଣସି ଶକ୍ତି ମଧ୍ୟ ମିଳେ ନାହିଁ । କୌଣସି ଧର୍ମାବଲମ୍ବୀମାନେ ରାଜଯୋଗକୁ ଜାଣି ନାହାଁନ୍ତି, ସେଥିପାଇଁ କେହି ହେଲେ ସଚ୍ଚା ଯୋଗୀ ହୋଇ ଘରକୁ ଫେରି ଯାଇପାରିବେ ନାହିଁ । ଏବେ ତୁମେ ସନ୍ତାନମାନେ ନିଜର ଅବସ୍ଥାକୁ ନିଜେ ଜାଣିପାରିବ । ଆତ୍ମା ଯେତେ ବାବାଙ୍କୁ ମନେ ପକାଇବ ସେତେ ଖୁସି ରହିବ । ନିଜର ଯାଞ୍ଚ ନିଜେ କରିବା ଉଚିତ୍ । ପିଲାମାନେ ମଧ୍ୟ ଜଣେ ଅନ୍ୟ ଜଣଙ୍କ ଅବସ୍ଥାକୁ, ନିଜର ଅବସ୍ଥାକୁ ଜାଣିପାରିବେ । ଦେଖିବାକୁ ହେବ ଆମ ପାଖରେ ଶରୀରର ଅଭିମାନ ନାହିଁ ତ! ଦେହ-ଅଭିମାନ ଥିଲେ ଜାଣ ଯେ ଆମେ ବହୁତ କଞ୍ଚା ଅଛୁ । ବାବାଙ୍କଠାରୁ ବହୁତ ଦୂରରେ ଅଛୁ । ବାବା ନିର୍ଦ୍ଦେଶ ଦେଉଛନ୍ତି - ସନ୍ତାନମାନେ ଏବେ ତୁମକୁ ହୀରାତୁଲ୍ୟ ହେବାକୁ ପଡିବ । ବାବା ଦେହୀ-ଅଭିମାନୀ କରାଉଛନ୍ତି । ବାବାଙ୍କର ଦେହ-ଅଭିମାନ ନ ଥାଏ । ପିଲାମାନଙ୍କର ଦେହ-ଅଭିମାନ ଥାଏ । ବାବାଙ୍କ ୟାଦ ଦ୍ୱାରା ତୁମେ ଦେହୀ-ଅଭିମାନୀ ହେବ । ନିଜର ଯାଞ୍ଚ କରିଚାଲ, ଆମେ କେତେ ସମୟ ବାବାଙ୍କୁ ମନେ ପକାଉଛୁ । ଯେତେ ମନେ ପକାଇବ, ସେତେ ଖୁସିର ପାରଦ ଚଢିବ ଓ ନିଜକୁ ଯୋଗ୍ୟ କରିପାରିବ । ଏପରି ଭାବ ନାହିଁ ଯେ କୌଣସି ସନ୍ତାନଙ୍କର କର୍ମାତୀତ ଅବସ୍ଥା ହୋଇଗଲାଣି । ନାଁ, ଦୌଡ ଚାଲିଛି । ପ୍ରତିଯୋଗିତା ଶେଷରେ ଅନ୍ତିମ ଫଳ ବାହାରିବ । ପୁଣି ବିନାଶ ମଧ୍ୟ ଆରମ୍ଭ ହୋଇଯିବ । ଯେ ପର୍ଯ୍ୟନ୍ତ କର୍ମାତୀତ ଅବସ୍ଥା ହୋଇନାହିଁ ସେ ପର୍ଯ୍ୟନ୍ତ ଏହି ରିହର୍ସଲ ଚାଲିଥିବ । ଆମେ କାହାର ଖରାପ କରିପାରିବୁ ନାହିଁ । ଅନ୍ତିମ ସମୟରେ ହିଁ ସମସ୍ତେ ଜାଣିପାରିବେ । ଏବେ ତ ଅଳ୍ପ ସମୟ ବାକି ରହିଛି । ଏହି ଦାଦା ମଧ୍ୟ କହୁଛନ୍ତି ମଧୁର ସନ୍ତାନମାନେ, ଏବେ ଅଳ୍ପ ସମୟ ବାକି ଅଛି । ବର୍ତ୍ତମାନ ଜଣେ ହେଲେ ବି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିପାରିବେ ନାହିଁ । ରୋଗ ଆଦି ହେଉଛି - ଏହାକୁ କର୍ମଭୋଗ କୁହାଯାଇଥାଏ । ନିଜର କର୍ମଭୋଗ ବିଷୟରେ ଆଉ କେହି ଜାଣିପାରିବେ ନାହିଁ । ତାହା ଭିତରର କଷ୍ଟ ହୋଇଥାଏ । ଏବେ କାହାର ମଧ୍ୟ ଏକରସ ଅବସ୍ଥା ହୋଇ ନାହିଁ । ଯେତେ ଚେଷ୍ଟା କରୁଛନ୍ତି, ସେତେ ମନରେ ବିକଳ୍ପ, ତୋଫାନ ବହୁତ ଆସୁଛି । ତେଣୁ ପିଲାମାନଙ୍କର କେତେ ଖୁସି ରହିବା ଉଚିତ୍ । ବିଶ୍ୱର ମାଲିକ ହେବା କ’ଣ କିଛି କମ୍ କଥା? ମନୁଷ୍ୟ ସାହୁକାର ହୋଇଥିଲେ ବଡ-ବଡ ବଙ୍ଗଳା ଥିଲେ, ଖୁସିରେ ରହିଥା’ନ୍ତି କାରଣ ସୁଖ ବହୁତ ଥାଏ । ଏବେ ମଧ୍ୟ ତୁମେ ବାବାଙ୍କଠାରୁ ଅସରନ୍ତି ସୁଖ ନେଉଛ । ଜାଣିପାରୁଛ ବାବାଙ୍କଠାରୁ ଆମେ ରାଜତ୍ୱ ନେବୁ । ଶାନ୍ତିରେ ଏତେ ଖୁସି ମିଳି ନ ଥାଏ, ଯେତେ ଧନରେ ମିଳିଥାଏ । ସନ୍ନ୍ୟାସୀମାନେ ଘରଦ୍ୱାର ଛାଡି ଯାଇ ଜଙ୍ଗଲରେ ରହୁଥିଲେ । ପଇସା କେବେ ହେଲେ ହାତରେ ଧରୁ ନ ଥିଲେ । କେବଳ ଖାଦ୍ୟ ପାଇଁ ରୁଟି ନେଉଥିଲେ । ଏବେ ତ କେତେ ଧନବାନ୍ ହୋଇଗଲେଣି । ସମସ୍ତଙ୍କୁ ପଇସାର ବହୁତ ଚିନ୍ତା ରହୁଛି । ବାସ୍ତବରେ ରାଜାଙ୍କର ପ୍ରଜାମାନଙ୍କ ପାଇଁ ଚିନ୍ତା ରହିଥାଏ ସେଥିପାଇଁ ଲଢେଇର ସାମଗ୍ରୀ ରଖିଥାନ୍ତି । ସତ୍ୟଯୁଗରେ ଲଢେଇ ଆଦିର କୌଣସି କଥା ରହିବ ନାହିଁ । ଏବେ ତୁମେ ପିଲାମାନେ ଖୁସି ହେଉଛ - ଆମେ ନିଜ ରାଜଧାନୀକୁ ଯାଉଛୁ । ସେଠାରେ ଭୟର କୌଣସି କଥା ରହିବ ନାହିଁ । ଟ୍ୟାକ୍ସ ଅଥବା ଟିକସ ଆଦିର ମଧ୍ୟ କୌଣସି ଚିନ୍ତା ରହିବ ନାହିଁ । ଏହି ଶରୀରର ଚିନ୍ତା ଏହିଠାରେ ରହିଥାଏ । ଗାୟନ କରାଯାଏ ଫିକର ସେ ଫାରିଗ ସ୍ୱାମୀ... ତୁମେ ଜାଣିଛ ଚିନ୍ତାରୁ ମୁକ୍ତ ହେବା ପାଇଁ ଏବେ ଆମେ ଏତେ ପୁରୁଷାର୍ଥ କରୁଛୁ । ପୁଣି ୨୧ ଜନ୍ମ ପାଇଁ କୌଣସି ଚିନ୍ତା ରହିବ ନାହିଁ । ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମେ ବହୁତ ଅଟଳ ହୋଇ ରହିବ । ରାମାୟଣର କାହାଣୀ ମଧ୍ୟ ତୁମ ଉପରେ ଆଧାରିତ । ତୁମେ ହିଁ ମହାବୀର ଅଟଳ ହେଉଛ । ଆତ୍ମା କହୁଛି ମୋତେ ରାବଣ ହଲାଇ ପାରିବ ନାହିଁ । ସେହି ଅବସ୍ଥା ଶେଷ ଆଡକୁ ଆସିବ । ଏବେ ତ କେହି ବି ହଲିଯିବେ । ଚିନ୍ତା ସେତେବେଳେ ରହିବ ଯେତେବେଳେ ବିଶ୍ୱରେ ଯୁଦ୍ଧ ଲାଗିଯିବ, ସେତେବେଳେ ବୁଝିବେ ଯେ ଏବେ ସମୟ ଆସିଗଲା । ଯେତେ ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରିବ ସେତେ ମଙ୍ଗଳ ହେବ । ବର୍ତ୍ତମାନ ହିଁ ପୁରୁଷାର୍ଥ କରିବାର ସମୟ । ପୁଣି ତ ବିନାଶର ବିକରାଳ ରୂପ ହେବ । ଏବେ ତ ଶରୀରରେ ମଧ୍ୟ ମୋହ ରହୁଛି ନା । ବାବା ସ୍ୱୟଂ କହୁଛନ୍ତି ଶରୀରର ମଧ୍ୟ ଯତ୍ନ ନିଅ । ଅନ୍ତିମ ଶରୀର, ଏହି ଶରୀରରେ ହିଁ ପୁରୁଷାର୍ଥ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ । ବଞ୍ଚି ଥିଲେ ବାବାଙ୍କୁ ମନେ ପକାଇବ । ବାବା ବୁଝାଉଛନ୍ତି ପିଲାମାନେ ବଞ୍ଚି ରୁହ । ଯେତେ ପର୍ଯ୍ୟନ୍ତ ବଞ୍ଚି ରହିବ ବାବାଙ୍କୁ ସେତେ ୟାଦ କରି ଉଚ୍ଚ ବର୍ସା ପାଇବ । ଏବେ ତୁମର ଆମଦାନୀ ହୋଇଚାଲିବ । ଶରୀରକୁ ନିରୋଗୀ ସୁସ୍ଥ ରଖ, ଭୁଲ କର ନାହିଁ । ଖାଦ୍ୟ-ପାନୀୟ ପ୍ରତି ଧ୍ୟାନ ଦେଲେ ଶରୀରର କିଛି ହେବ ନାହିଁ । ଏକରସ ଚଳଣି ଦ୍ୱାରା ଶରୀର ମଧ୍ୟ ହୃଷ୍ଟପୃଷ୍ଟ ରହିବ । ଏହି ଶରୀର ଅମୂଲ୍ୟ ଅଟେ, ଏହିଥିରେ ପୁରୁଷାର୍ଥ କରି ଦେବୀ-ଦେବତା ହେଉଛ, ତେଣୁ ବର୍ତ୍ତମାନ ସମୟ ମଧ୍ୟ ମୂଲ୍ୟବାନ ଅଟେ । ଖୁସି ରହିବା ଦରକାର । ଯେତେ ବାବା ଓ ସମ୍ପତ୍ତିକୁ ମନେ ପକାଇବ, ସେତେ ନାରାୟଣୀ ନିଶା ଚଢି ରହିବ । ବାବାଙ୍କର ସ୍ମୃତି ଦ୍ୱାରା ହିଁ ତୁମେ ଉଚ୍ଚରୁ ଉଚ୍ଚ ଆସନ ପ୍ରାପ୍ତ କରିବ । ଦେଖିବା ଉଚିତ୍ ଆମେ କେତେ ଖୁସିରେ, କେତେ ନିଶାରେ ରହୁଛୁ । ଗରୀବମାନଙ୍କୁ ତ ଆହୁରି ଖୁସି ରହିବା ଉଚିତ୍ । ସାହୁକାରଙ୍କର ତ ଧନର ଚିନ୍ତା ରହିଥାଏ । ତୁମମାନଙ୍କ ମଧ୍ୟରେ କୁମାରୀମାନଙ୍କର ତ କୌଣସି ଚିନ୍ତା ନାହିଁ । ହଁ କାହାର ମିତ୍ର-ସମ୍ବନ୍ଧୀ ଗରୀବ ହୋଇଥିଲେ, ଦାୟିତ୍ୱ ନେବାକୁ ପଡିଥାଏ । ଉପରକୁ ଉଠାଇବା ପାଇଁ ମଧ୍ୟ କଷ୍ଟ କରିବାକୁ ପଡିବ । ଜାଗ୍ରତ ନ ହେଲେ କେତେ ପର୍ଯ୍ୟନ୍ତ ସାହାଯ୍ୟ କରିଚାଲିବ । ବାବା କହୁଛନ୍ତି - ତୁମେ ନିଜେ ସେବାଧାରୀ ହୁଅ ଅଥବା ସ୍ତ୍ରୀକୁ ଆତ୍ମିକ ସେବାରେ ଲଗାଅ । ତୁମେ ବାବାଙ୍କର ସହଯୋଗୀ ଅଟ । ସମସ୍ତଙ୍କୁ ତ ସହଯୋଗର ଆବଶ୍ୟକତା ରହିଛି । ଏକୁଟିଆ ବାବା କ’ଣ କରିପାରିବେ, କେତେ ଜଣଙ୍କୁ ମନ୍ତ୍ର ଦେବେ! ମୁଁ ତୁମକୁ ଦେଉଛି, ତୁମକୁ ପୁଣି ଅନ୍ୟମାନଙ୍କୁ ଦେବାକୁ ହେବ, କଲମ ଅର୍ଥାତ୍ ଚାରା ଲଗାଇବାକୁ ହେବ । ପିଲାମାନଙ୍କୁ କହୁଛନ୍ତି ଯେତେ ସମ୍ଭବ ସହଯୋଗୀ ହୋଇ, ମନ୍ତ୍ର ଦେଇଚାଲ । ତୁମ ଶାସ୍ତ୍ରରେ ମଧ୍ୟ ଅଛି ଯେ ସମସ୍ତଙ୍କୁ ସନ୍ଦେଶ ଦେଇଥିଲେ ଯେ, ବାବା ଆସିଛନ୍ତି ସ୍ୱର୍ଗ ସମ୍ପତ୍ତିର ଅଧିକାର ନେବାକୁ ହେଲେ ବାବାଙ୍କୁ ମନେ ପକାଅ । ଦେହଧାରୀମାନଙ୍କୁ ମନେ ପକାଅ ନାହିଁ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଓ ସମ୍ପତ୍ତି ମିଳିଯିବ । ଗୀତା ତ ବହୁତ ଶୁଣୁଛନ୍ତି ଓ ଶୁଣାଉଛନ୍ତି । ସେଥିରେ ‘ମନମନାଭବ’ - ପ୍ରସିଦ୍ଧ ଅକ୍ଷର ରହିଛି । ବାବାଙ୍କୁ ସ୍ମୃତିରେ ରଖିଲେ ମୁକ୍ତି ପାଇବ । ସନ୍ନ୍ୟାସୀ ମଧ୍ୟ ଏହାକୁ ପସନ୍ଦ କରିବେ । ମଧ୍ୟାଜୀଭବ ଅର୍ଥାତ୍ ଜୀବନମୁକ୍ତି । ପିଲାମାନେ ବାବାଙ୍କର ହେଲେ ବାବା କହୁଛନ୍ତି - ପିଲାମାନେ ତୁମର ଆତ୍ମା ପତିତ ହୋଇଯାଇଛି, ପତିତ ହୋଇ ଘରକୁ ଯାଇ ପାରିବ ନାହିଁ । ଏହା ବୁଝିବାର କଥା । ତୁମେ ଭାରତବାସୀ ସତ୍ତ୍ୱପ୍ରଧାନ ଥିଲ, ତମୋପ୍ରଧାନ ହୋଇଛ, ଏବେ ପୁଣି ସତ୍ତ୍ୱପ୍ରଧାନ ହେବା ପାଇଁ ବାବା କହୁଛନ୍ତି ପୁରୁଷାର୍ଥ କଲେ ଉଚ୍ଚ ପଦ ପାଇବ । ଭକ୍ତି ତ ଜନ୍ମ-ଜନ୍ମାନ୍ତର ଧରି କରି ଆସିଛ । ତୁମେ ଜାଣିଛ - ପ୍ରଥମେ ପ୍ରଥମେ ଅବ୍ୟଭିଚାରୀ ଭକ୍ତି ଆରମ୍ଭ ହେଲା । ଏବେ କେତେ ବ୍ୟଭିଚାରୀ ଭକ୍ତି ହୋଇଯାଇଛି । ଶରୀରର ମଧ୍ୟ ପୂଜା ହେଉଛି, ତାହା ହେଉଛି ଭୂତ ପୂଜା । ତଥାପି ଦେବତାମାନେ ପବିତ୍ର ଅଟନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ତ ସମସ୍ତେ ତମୋପ୍ରଧାନ ଅଟନ୍ତି । ତେଣୁ ପୂଜା ମଧ୍ୟ ତମୋପ୍ରଧାନ ହୋଇଯାଇଛ । ଏବେ ବାବାଙ୍କୁ ମନେ ପକାଇବାକୁ ହେବ । ଭକ୍ତିର କୌଣସି ଅକ୍ଷର କହିବା ଅନୁଚିତ୍ । ହାୟ ରାମ-ଏହା ମଧ୍ୟ ଭକ୍ତିର ଅକ୍ଷର ଅଟେ । ଏପରି କହି ଡାକିବା ଅନୁଚିତ୍ । ଏଠାରେ କିଛି ବି ଉଚ୍ଚାରଣ କରିବାର କଥା ନାହିଁ । ଓମ୍ ଶାନ୍ତି ମଧ୍ୟ ବାରମ୍ବାର କହିବାର ଆବଶ୍ୟକତା ନାହିଁ । ଶାନ୍ତି ଅର୍ଥାତ୍ ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ । ତାହା ତ ତୁମେ ଅଟ । ଏଥିରେ କହିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟ କୌଣସି ମନୁଷ୍ୟକୁ ଓମ୍ ଶାନ୍ତି କହିଲେ, ସେ ଟିକିଏ ହେଲେ ବି ବୁଝି ପାରିବେ ନାହିଁ । ସେମାନେ ତ ଓମ୍‌ର ବଡ-ବଡ ମହିମା କରୁଛନ୍ତି । ତୁମେ ଅର୍ଥ ବୁଝୁଥିବାରୁ ଓମ୍ ଶାନ୍ତି କହିବା ମଧ୍ୟ ଅନାବଶ୍ୟକ । ପରସ୍ପରକୁ ଏପରି ପଚାରିପାର - ଶିବବାବାଙ୍କର ସ୍ମୃତିରେ ଅଛ? ଯେପରି ମୁଁ ମଧ୍ୟ ଝିଅକୁ ପଚାରୁଛି ଇଏ କାହାକୁ ସଜାଉଛ? ସେ କହୁଛି ଶିବବାବାଙ୍କ ରଥକୁ । ଏହା ଶିବବାବାଙ୍କ ରଥ ଅଟେ ନା । ଯେପରି ହୁସେନ୍‌ର ରଥ ରହିଛି ନା । ଘୋଡାକୁ ସଜେଇ ଥାନ୍ତି । କିନ୍ତୁ ଘୋଡାର ଅର୍ଥ ବୁଝି ନ ଥା’ନ୍ତି । ଧର୍ମସ୍ଥାପକମାନଙ୍କର ଆତ୍ମା ପବିତ୍ର ହୋଇଥାଏ । ପୁରୁଣା ପତିତ ଆତ୍ମା ଧର୍ମ ସ୍ଥାପନ କରି ପାରିବ ନାହିଁ । ତୁମେ ଧର୍ମ ସ୍ଥାପନ କରୁନାହଁ, ଶିବବାବା ତୁମ ଦ୍ୱାରା ଧର୍ମ ସ୍ଥାପନା କରୁଛନ୍ତି । ତୁମକୁ ପବିତ୍ର କରାଉଛନ୍ତି । ଭକ୍ତିମାର୍ଗରେ ସେମାନେ ବହୁତ ସାଜସଜ୍ଜା ଆଦି କରିଥା’ନ୍ତି । ଏଠାରେ ଶୃଙ୍ଗାର ପସନ୍ଦ କରନ୍ତି ନାହିଁ । ବାବା କେତେ ନିରହଂକାରୀ ଅଟନ୍ତି । ନିଜେ କହୁଛନ୍ତି ମୁଁ ବହୁତ ଜନ୍ମର ଶେଷ ଜନ୍ମର ମଧ୍ୟ ଅନ୍ତ ସମୟରେ ଆସୁଛି । ପ୍ରଥମେ ସତ୍ୟଯୁଗରେ ହେବେ ଶ୍ରୀ ନାରାୟଣ । ଶ୍ରୀ ଲକ୍ଷ୍ମୀଙ୍କ ପୂର୍ବରୁ ମଧ୍ୟ ଶ୍ରୀ ନାରାୟଣ ଆସିବେ । ସେ ଲକ୍ଷ୍ମୀଙ୍କର ଠାରୁ ବଡ ହେବେ ନା, ସେଥିପାଇଁ କୃଷ୍ଣଙ୍କ ନାମର ଗାୟନ ରହିଛି । ନାରାୟଣଙ୍କଠାରୁ ମଧ୍ୟ କୃଷ୍ଣଙ୍କ ମହିମା ଅଧିକ କରିଥାନ୍ତି । କୃଷ୍ଣଙ୍କର ହିଁ ଜନ୍ମାଷ୍ଟମୀ ପାଳନ କରିଥା’ନ୍ତି । ନାରାୟଣଙ୍କର ଜନ୍ମଦିନ ପାଳନ କରୁ ନାହାଁନ୍ତି । ଏକଥା କେହି ଜାଣିନାହାଁନ୍ତି କୃଷ୍ଣ ହିଁ ନାରାୟଣ ଅଟନ୍ତି । ପିଲାଦିନର ନାମ ହିଁ ତ ଚାଲିବ ନା । ଅମୁକ ଜନ୍ମ ନେଲା, ତାର ଜନ୍ମଦିନ ପାଳନ କରିଥା’ନ୍ତି । ସେଥିପାଇଁ କୃଷ୍ଣଙ୍କର ଜନ୍ମଦିନ ହିଁ ପାଳନ କରୁଛନ୍ତି । ନାରାୟଣଙ୍କର ଜନ୍ମ ବିଷୟରେ କାହାକୁ ଜଣା ନାହିଁ । ପ୍ରଥମେ-ପ୍ରଥମେ ଶିବଜୟନ୍ତୀ, ପୁଣି କୃଷ୍ଣ ଜୟନ୍ତୀ, ପୁଣି ରାମଙ୍କର... ଶିବଙ୍କ ସହିତ ଗୀତାର ମଧ୍ୟ ଜନ୍ମ ହୋଇଥାଏ । ଶିବବାବା ଆସୁଛନ୍ତି ହିଁ ବହୁତ ଜନ୍ମର ଶେଷ ଜନ୍ମରେ । ବୟସ୍କ ଅନୁଭବୀ ରଥରେ ହିଁ ଆସୁଛନ୍ତି । କେତେ ଭଲ ଭାବରେ ବୁଝାଯାଉଛି, ତଥାପି ବି କାହାରି ବୁଦ୍ଧିରେ ଆସୁ ନାହିଁ ।

ବାବା କହୁଛନ୍ତି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ । ଯେବେ ମୁଁ ଆସି ଶୁଣାଇବି ତେବେ ତୁମେ ମଧ୍ୟ ଶୁଣାଇପାରିବ । ଏବେ ତୁମେ ପିଲାମାନେ ଜାଣୁଛ ଆମେ ଭବିଷ୍ୟତରେ ଆକ୍ୟୁରେଟ୍ ଅର୍ଥାତ୍ ସଠିକ୍ ରୂପେ ଦେବୀ-ଦେବତା ହେବୁ । ବାବା ୨-୩ ପ୍ରକାରର ସାକ୍ଷାତ୍‌କାର କରିଥିଲେ । ଏପରି ହେବି, ତାଜଧାରୀ ହେବି, ପଗଡିଧାରୀ ହେବି । ୨-୪ ଥର ରାଜା ହୋଇଥିବା ଜନ୍ମର ମଧ୍ୟ ସାକ୍ଷାତ୍‌କାର କରିଥିଲେ । ଏବେ ତୁମେ ବୁଝିପାରୁଛ - ଏହି କଥାକୁ ଦୁନିଆରେ ଆଉ କେହି ବୁଝିପାରିବେ ନାହିଁ । ହଁ, ଏତିକି ବୁଝୁଛନ୍ତି ଭଲ କର୍ମ କଲେ ଭଲ ଜନ୍ମ ମିଳିବ । ଏବେ ତୁମେ ଭବିଷ୍ୟତ ପାଇଁ ପୁରୁଷାର୍ଥ କରୁଛ ନରରୁ ନାରାୟଣ ହେବା ପାଇଁ । ତୁମେ ଜାଣିଛ - ଆମେ ସ୍ୱର୍ଗରେ ଏହି ପଦ ପାଇବୁ । ଏହି ଖୁସୀ ସେମାନଙ୍କର ଅଧିକ ରହିବ ଯିଏ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାର ପୁରୁଷାର୍ଥ କରୁଥିବେ । କହୁଛନ୍ତି ବାବା - ଆମେ ମମ୍ମା ବାବାଙ୍କୁ ଅନୁସରଣ କଲେ ଯାଇ ସିଂହାସନରେ ବସିପାରିବୁ । ଏହି ଜ୍ଞାନ ମଧ୍ୟ ରହିବା ଦରକାର, ଆମେ କେତେ ସେବା କରୁଛୁ ଓ କେତେ ଖୁସିରେ ରହୁଛୁ । ନିଜେ ଖୁସୀରେ ରହିଲେ ଅନ୍ୟକୁ ମଧ୍ୟ ଖୁସୀ କରାଇପାରିବ । ଭିତରେ କୌଣସି ଅବଗୁଣ ଥିଲେ ମନରେ ଅନୁତାପ ହେଉଥିବ । କେହି କେହି ଆସି କହୁଛନ୍ତି - ବାବା ଆମ ପାଖରେ କ୍ରୋଧ ଅଛି, ଏହି ଭୂତ ଆମ ପାଖରେ ଅଛି । ଚିନ୍ତା କରିବାର କଥା ହେଲା ନା । ଭୂତକୁ ରହିବାକୁ ଦେବା ଅନୁଚିତ୍ । କ୍ରୋଧ କାହିଁକି କରିବ! ସ୍ନେହର ସହିତ ବୁଝାଇବା ଦରକାର । ବାବା କ’ଣ କାହା ଉପରେ କ୍ରୋଧ କରିବେ । ଶିବବାବାଙ୍କର ମହିମା ଅଟେ ନା । ବହୁତ ବ୍ୟର୍ଥ ମିଛ ମହିମା ମଧ୍ୟ ଗାୟନ କରୁଛନ୍ତି । ମୁଁ କ’ଣ କରୁଛି! ମୋତେ କହୁଛନ୍ତି ଆସି ପତିତରୁ ପାବନ କରାଅ । ଯେପରି ଡାକ୍ତରଙ୍କୁ କହୁଛନ୍ତି ଆମର ରୋଗ ଦୂର କର । ସେ ଔଷଧ ଦେଇ ଇଞ୍ଜେକ୍‌ସନ୍ ଲଗାଉଛନ୍ତି, ତାହା ତ ସେମାନଙ୍କର କର୍ତ୍ତବ୍ୟ ଅଟେ । ବଡ କଥା ନୁହେଁ । ସେବା କରିବା ନିମନ୍ତେ ପଢୁଛନ୍ତି । ଅଧିକ ପଢିଲେ ଅଧିକ ରୋଜଗାର କରିଥା’ନ୍ତି । ବାବାଙ୍କର ତ କୌଣସି ରୋଜଗାର କରିବାର ନାହିଁ । ସେ ତ ଆମମାନଙ୍କ ଦ୍ୱାରା ଆମଦାନୀ କରାଉଛନ୍ତି । ବାବା କହୁଛନ୍ତି ମୋତେ ତୁମେ ଅବିନାଶୀ ସର୍ଜନ ଅର୍ଥାତ୍ ଡାକ୍ତର ମଧ୍ୟ କହୁଛ, ଏହିପରି ଅଧିକ ମହିମା କରି ଦେଇଛ । ପତିତ-ପାବନକୁ ସର୍ଜନ କୁହାଯିବ ନାହିଁ । ଏହା କେବଳ ମହିମା ଅଟେ । ବାବା ତ କେବଳ କହୁଛନ୍ତି ମୋତେ ୟାଦ କଲେ ତୁମର ବିକର୍ମ ବିନାଶ ହେବ । ବାସ୍‌, ମୋର ଅଭିନୟ ହେଉଛି ଏଇଆ କି - ତୁମକୁ ବୁଝାଇବା - ମାମେକମ୍ ୟାଦ କରୋ, ଯେତେ ମନେ ପକାଇବ ସେତେ ଉଚ୍ଚ ପଦ ପାଇବ । ଏହା ହେଉଛି ହିଁ ରାଜଯୋଗର ଜ୍ଞାନ । ଯେଉଁମାନେ ଗୀତା ପଢିଛନ୍ତି, ସେମାନଙ୍କୁ ବୁଝାଇବା ବହୁତ ସହଜ । ତୁମେ ପୂଜ୍ୟ ରାଜାମାନଙ୍କର ରାଜା ହେଉଛ, ପୁଣି ପୂଜାରୀ ହେବ । ତୁମକୁ ମେହନତ କରିବାକୁ ହେବ । ତୁମେ ବିଶ୍ୱକୁ ପବିତ୍ର କରୁଛ । କେତେ ଉଚ୍ଚ ପଦବୀ ଅଟେ । ତୁମେ ସମସ୍ତେ ଅଙ୍ଗୁଳି ଦେଉଛ - କଳିଯୁଗୀ ରୂପକ ପାହାଡକୁ ଓଲଟାଇବା ନିମନ୍ତେ । ପ୍ରକୃତରେ ପାହାଡ ଆଦି କିଛି ନାହିଁ । ଏବେ ତୁମେ ଜାଣୁଛ - ନୂଆ ଦୁନିଆ ଆସିବ, ସେଥିପାଇଁ ରାଜଯୋଗ ନିଶ୍ଚୟ ଶିଖିବାକୁ ହେବ । ବାବା ହିଁ ଆସି ଶିଖାଉଛନ୍ତି । ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଯିଏ କଳ୍ପ ପୂର୍ବରୁ ହୋଇଥିବେ, ତାଙ୍କୁ ବୁଝାଇଲେ ସେମାନେ ମାନିଯିବେ । ଏମାନେ ତ ଠିକ୍ କଥା କହୁଛନ୍ତି । ବାସ୍ତବରେ ବାବା କହିଥିଲେ - ମନମନାଭବ । ସଂସ୍କୃତ ଅକ୍ଷର ଅଟେ । ବାବା ତ ହିନ୍ଦୀରେ କହୁଛନ୍ତି ମୋତେ ୟାଦ କର । ଏବେ ତୁମେ ଜାଣୁଛ ଆମେ କେତେ ଉଚ୍ଚ ଧର୍ମ, ଉଚ୍ଚ କର୍ମର ଥିଲୁ, ସେଥିପାଇଁ ଗାୟନ ରହିଛି ୧୬ କଳା... ଏବେ ପୁଣି ସେହିପରି ହେବାକୁ ପଡିବ । ନିଜକୁ ଦେଖିବା ଦରକାର କି କେଉଁ ପର୍ଯ୍ୟନ୍ତ ଆମେ ସତ୍ତ୍ୱପ୍ରଧାନ, ପାବନ ହୋଇଛୁ । ମୁଁ କେତେ ନର୍କବାସୀଙ୍କୁ ସ୍ୱର୍ଗବାସୀ କରିବାର ସେବା କରୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ପରି ନିରହଂକାରୀ ହେବାକୁ ପଡିବ । ଏହି ଶରୀରର ଯତ୍ନ ନେବା ସହିତ ଶିବବାବାଙ୍କୁ ମନେ ପକାଇବାକୁ ପଡିବ । ଆତ୍ମିକ ସେବାରେ ବାବାଙ୍କର ସହଯୋଗୀ ହେବାକୁ ପଡିବ ।

(୨) ଭିତରେ କୌଣସି ଭୂତକୁ ବାସ କରିବାକୁ ଦେବା ଅନୁଚିତ୍ । କେବେ କାହା ଉପରେ କ୍ରୋଧ କରିବା ଅନୁଚିତ୍ । ସମସ୍ତଙ୍କ ସହିତ ବହୁତ ସ୍ନେହରେ ଚାଲିବା ଉଚିତ୍ । ମାତା-ପିତାଙ୍କୁ ଅନୁସରଣ କରି ତଖତ୍‌ନସୀନ ଅର୍ଥାତ୍ ସିଂହାସନର ଅଧିକାରୀ ହେବାକୁ ପଡିବ ।

ବରଦାନ:-
ସ୍ୱାର୍ଥ ଶବ୍ଦର ଅର୍ଥକୁ ଜାଣି ସର୍ବଦା ଏକରସ ସ୍ଥିତିରେ ସ୍ଥିତ ହୋଇ ରହୁଥିବା ସହଜ ପୁରୁଷାର୍ଥୀ ଭବ ।

ଆଜିକାଲି ପରସ୍ପର ଭିତରେ ଯେଉଁ ଆକର୍ଷଣ ରହିଛି, ତାହା ସ୍ନେହର କାରଣରୁ ନୁହେଁ, ସ୍ୱାର୍ଥ କାରଣରୁ ଅଟେ । ସ୍ୱାର୍ଥ କାରଣରୁ ଆକର୍ଷଣ ରହିଛି ଏବଂ ଆକର୍ଷଣର ମୋହ ଥିବା କାରଣରୁ ଅଲଗା ହୋଇପାରୁ ନାହଁ, ସେଥିପାଇଁ ସ୍ୱାର୍ଥ ଶବ୍ଦର ଅର୍ଥ ସ୍ୱରୂପରେ ସ୍ଥିତ ହୋଇଯାଅ ଅର୍ଥାତ୍ ପ୍ରଥମେ ସ୍ୱ ଅର୍ଥାତ୍ ନିଜର ରଥକୁ ଅର୍ଥାତ୍ ଶରୀରକୁ ସ୍ୱାହା କର । ଯଦି ଏହି ସ୍ୱାର୍ଥ ଅର୍ଥାତ୍ ଦେହର ସ୍ମୃତିକୁ ତ୍ୟାଗ କରିଦେବ, ତେବେ ଦେହଠାରୁ ଅଲଗା ହୋଇଯିବ । ଏହି ଗୋଟିଏ ଶବ୍ଦର ଅର୍ଥକୁ ଜାଣିବା ଦ୍ୱାରା ସର୍ବଦା ଜଣଙ୍କର ହୋଇ ରହିବ ଏବଂ ଏକରସ ସ୍ଥିତି ବାଲା ହୋଇଯିବ, ଏହା ହିଁ ସହଜ ପୁରୁଷାର୍ଥ ଅଟେ ।

ସ୍ଲୋଗାନ:-
ଫରିସ୍ତା ରୂପରେ ରହିବା ଦ୍ୱାରା କୌଣସି ବି ବିଘ୍ନ ନିଜର ପ୍ରଭାବ ପକାଇ ପାରିବ ନାହିଁ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ସମ୍ପୂର୍ଣ୍ଣ ପବିତ୍ରତା ଆପଣ ବ୍ରାହ୍ମଣମାନଙ୍କର ଶୃଙ୍ଗାର ଅଟେ, ତେଣୁ ସର୍ବଦା ସୁସଜ୍ଜିତ ମୂର୍ତ୍ତି ଅର୍ଥାତ୍ ସଦା ପବିତ୍ର ସ୍ୱରୂପରେ ସ୍ଥିତ ରହି ବେହଦର ମଞ୍ଚ ଉପରେ ହୀରୋ ପାର୍ଟ କର । ସଦା ବ୍ରହ୍ମଚାରୀର ଅର୍ଥ ହେଲା ସଂକଳ୍ପରେ ମଧ୍ୟ କୌଣସି ପ୍ରକାରର ଅପବିତ୍ରତା ବୃତ୍ତିକୁ ହଲଚଲ କରୁନଥିବ କାରଣ ବୃତ୍ତିର ଚଞ୍ଚଳତା ମଧ୍ୟ ପବିତ୍ରତାର ଖାତାରେ ଦାଗ ଲଗାଇ ଦେଇଥାଏ - ସେଥିପାଇଁ ମନର ବୃତ୍ତିରେ ମଧ୍ୟ ସଦା ବ୍ରହ୍ମଚାରୀ ହୁଅ ।