15.03.26 Avyakt Bapdada Odia Murli 24.03.2009 Om Shanti Madhuban
“ବାପଦାଦାଙ୍କ ଦ୍ୱାରା
ମିଳିଥିବା ସମ୍ପତ୍ତିଗୁଡିକୁ ନିଜ ଭିତରେ ଧାରଣ କରି କାର୍ଯ୍ୟରେ ଲଗାଅ, ଅନୁଭବର ଅଧିକାରୀ ହୁଅ”
ଆଜି ବାପଦାଦା ଚାରିଆଡର
ସର୍ବ ସମ୍ପତ୍ତିକୁ ଜମା କରୁଥିବା ସମ୍ପନ୍ନ ପିଲାମାନଙ୍କୁ ଦେଖୁଛନ୍ତି । ଏଥି ସହିତ ପ୍ରତ୍ୟେକ
ସନ୍ତାନ କେତେ ମାତ୍ରାରେ ସର୍ବ ସମ୍ପତ୍ତିକୁ ଜମା କରିଛନ୍ତି ତା’ର ଫଳାଫଳକୁ ମଧ୍ୟ ଦେଖିଛନ୍ତି ।
ଏମିତି ତ ବାପଦାଦାଙ୍କ ଦ୍ୱାରା ବହୁତ ଅବିନାଶୀ ସମ୍ପତ୍ତି ପ୍ରାପ୍ତ ହୋଇସାରିଛି । ସର୍ବ ପ୍ରଥମେ
ବଡରୁ ବଡ ସମ୍ପତ୍ତି ହେଲା ଜ୍ଞାନ ରୂପକ ଧନ, ଯାହା ଆଧାରରେ ମୁକ୍ତି ଏବଂ ଜୀବନମୁକ୍ତି ପ୍ରାପ୍ତ
ହେଉଛି । ପୁରୁଣା ଦେହ ଏବଂ ପୁରୁଣା ଦୁନିଆରଠାରୁ ମୁକ୍ତ ଜୀବନମୁକ୍ତ ସ୍ଥିତି ଏବଂ ମୁକ୍ତିଧାମକୁ
ଯିବାର ଅଧିକାର ସବୁ ପିଲାଙ୍କୁ ପ୍ରାପ୍ତ ହୋଇଛି । ତେବେ କେବଳ ଜ୍ଞାନର ସମ୍ପତ୍ତି ନୁହେଁ ତା’
ସହିତ ଯୋଗ ରୂପକ ସମ୍ପତ୍ତି ମଧ୍ୟ ମିଳିଛି, ଯାହା ଦ୍ୱାରା ସର୍ବଶକ୍ତିଗୁଡିକର ପ୍ରାପ୍ତି ହେଉଛି ।
ଏହା ସହିତ ଧାରଣା କରିବାର ମଧ୍ୟ ସମ୍ପତ୍ତି ମିଳିଛି ଯେଉଁଥିରୁ ସର୍ବଗୁଣର ପ୍ରାପ୍ତି ହେଉଛି ।
ତା’ ସହିତ ସେବା ରୂପକ ସମ୍ପତ୍ତି ମଧ୍ୟ ମିଳିଛି ଯାହା ଆଧାରରେ ଆଶୀର୍ବାଦର ସମ୍ପତ୍ତି ଏବଂ ଖୁସିର
ସମ୍ପତ୍ତି ପ୍ରାପ୍ତ ହେଉଛି । ଏହା ସହିତ ସବୁଠାରୁ ବଡରୁ ବଡ ସମ୍ପତ୍ତି ମିଳିଛି ବର୍ତ୍ତମାନ
ସଂଗମଯୁଗର ସମୟ ରୂପକ ସମ୍ପତ୍ତି, କାହିଁକିନା ସାରା କଳ୍ପ ଭିତରେ ଏହି ସଂଗମଯୁଗର ସମୟ ଏକ ଅମୂଲ୍ୟ
ସମ୍ପତ୍ତି ଅଟେ । ଏହି ସଂଗମଯୁଗୀ ସମୟର ଗୋଟିଏ ଗୋଟିଏ ସଂକଳ୍ପ ବା ଗୋଟିଏ ଗୋଟିଏ ମୁହୂର୍ତ୍ତ
ବହୁତ ଅମୂଲ୍ୟ ଅଟେ କାହିଁକିନା ସଂଗମ ସମୟରେ ହିଁ ବାପଦାଦାଙ୍କ ସହିତ ପିଲାମାନଙ୍କର ମଧୁର ମିଳନ
ହେଉଛି । ଅନ୍ୟ କୌଣସି ବି ଯୁଗରେ ପରମାତ୍ମା ପିତା ଏବଂ ପରମାତ୍ମ ସନ୍ତାନମାନଙ୍କର ମିଳନ ହୋଇନଥାଏ
। ଏହା ସହିତ ସଂଗମ ସମୟରେ ହିଁ ବାପଦାଦାଙ୍କ ଦ୍ୱାରା ସର୍ବ ସମ୍ପତ୍ତି ଗୁଡିକ ପ୍ରାପ୍ତ ହୋଇଥାଏ ।
ତେବେ ସମ୍ପତ୍ତିକୁ ଜମା କରିବା ସମୟ କେବଳ ସଂଗମଯୁଗ ହିଁ ଅଟେ, କାରଣ ଅନ୍ୟ କୌଣସି ବି ଯୁଗରେ ଜମା
କରିବାର ଖାତା ବା ଜମା କରିବାର ବ୍ୟାଙ୍କ ହିଁ ନଥାଏ । କେବଳ ଏହି ଗୋଟିଏ ସଂଗମଯୁଗରେ ହିଁ ଯେତେ
ସମ୍ପତ୍ତି ଜମା କରିବାକୁ ଚାହିଁବ ଜମା କରିପାରିବ ଏବଂ ଏହି ସଂଗମ ସମୟର ଯେଉଁ ମହତ୍ୱ ରହିଛି ତାହା
ହେଲା ଏହି ଗୋଟିଏ ଜନ୍ମରେ ଅନେକ ଜନ୍ମ ପାଇଁ ସମ୍ପତ୍ତି ଜମା କରିପାରିବ, ସେଥିପାଇଁ ଏହି ଛୋଟିଆ
ଯୁଗଟିର ବହୁତ ମହତ୍ୱ ରହିଛି ଏବଂ ସମ୍ପତ୍ତିଗୁଡିକ ମଧ୍ୟ ବାପଦାଦାଙ୍କ ଦ୍ୱାରା ସବୁ ପିଲାଙ୍କୁ
ପ୍ରାପ୍ତ ହେଉଛି । ବାବା ତ ସମସ୍ତଙ୍କୁ ଦେଉଛନ୍ତି କିନ୍ତୁ ସମ୍ପତ୍ତିକୁ ଜମା କରିବାର ପ୍ରତ୍ୟେକ
ସନ୍ତାନ ନିଜ ନିଜର ପୁରୁଷାର୍ଥ ଅନୁସାରେ ହିଁ ଜମା କରୁଛନ୍ତି । ଦେବାବାଲା ବାବା ମଧ୍ୟ ଜଣେ ଏବଂ
ସମସ୍ତଙ୍କୁ ଏକାଭଳି ମଧ୍ୟ ଦେଉଛନ୍ତି ଏବଂ ଏକା ସମୟରେ ହିଁ ଦେଉଛନ୍ତି କିନ୍ତୁ ଧାରଣ କରିବାରେ
ଦେଖିବାକୁ ମିଳୁଛି ଯେ ସମସ୍ତଙ୍କର ନିଜ ନିଜର ପୁରୁଷାର୍ଥର ହିଁ ଆଧାର ଅଟେ କାହିଁକିନା
ସମ୍ପତ୍ତିକୁ ଧାରଣ କରିବା ପାଇଁ ଗୋଟିଏ ହେଲା ନିଜର ପୁରୁଷାର୍ଥ ଦ୍ୱାରା ପ୍ରାରବ୍ଧ ଜମା
କରିପାରିବ, ଦ୍ୱିତୀୟରେ ନିଜେ ସର୍ବଦା ସନ୍ତୁଷ୍ଟ ରହିବା ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବା,
ଅର୍ଥାତ୍ ସନ୍ତୁଷ୍ଟତାର ବିଶେଷତା ଦ୍ୱାରା ମଧ୍ୟ ସମ୍ପତ୍ତି ଜମା କରିପାରିବ ଏବଂ ତୃତୀୟରେ ସେବା
ଦ୍ୱାରା ମଧ୍ୟ ଜମା କରିପାରିବ, କାହିଁକିନା ସେବା ଆଧାରରେ ସର୍ବ ଆତ୍ମାଙ୍କୁ ଖୁସିର ପ୍ରାପ୍ତି
ହୋଇଥାଏ, ତେଣୁ ସେବା ଆଧାରରେ ଖୁସି ରୂପକ ସମ୍ପତ୍ତି ପ୍ରାପ୍ତ କରିପାରିବ । ତେଣୁ ନିଜର
ପୁରୁଷାର୍ଥ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ପୁରୁଷାର୍ଥ, ତୃତୀୟରେ ସେବାର ପୁରୁଷାର୍ଥ । ଏହି
ତିନୋଟି ବିଧି ଦ୍ୱାରା ସମ୍ପତ୍ତି ଜମା କରିପାରିବ । ତେଣୁ ସମ୍ପତ୍ତି ଜମା କରିବା ପାଇଁ ବିଶେଷ କରି
ସମସ୍ତଙ୍କ ସହିତ ସମ୍ବନ୍ଧ-ସମ୍ପର୍କରେ ଆସିବାରେ ଗୋଟିଏ ହେଲା ନିମିତ୍ତ ଭାବ, ନିର୍ମାଣ ଭାବ,
ନିଃସ୍ୱାର୍ଥ ଭାବ ଏବଂ ପ୍ରତ୍ୟେକ ଆତ୍ମାଙ୍କ ପ୍ରତି ଶୁଭଭାବନା ଏବଂ ଶୁଭକାମନା ରଖିବା ଆବଶ୍ୟକ ।
ଯଦି ସେବାକ୍ଷେତ୍ରରେ ବା ସମ୍ବନ୍ଧ ସମ୍ପର୍କରେ ଏହି ସବୁ ଅଛି, ତେବେ ପୂଣ୍ୟର ଖାତା ଏବଂ
ଆଶୀର୍ବାଦର ଖାତା ବହୁତ ସହଜରେ ଜମା କରିପାରିବ ।
ଏବେ ବାବା ସମସ୍ତଙ୍କର
ହିସାବ ଖାତା ବା ଚାର୍ଟକୁ ଦେଖୁଥିଲେ, ଜାଣିଛ ସେଥିରେ କ’ଣ ଦେଖିଲେ? ଚାରିଆଡର ପିଲାମାନଙ୍କ ଭିତରେ
କ୍ରମାନ୍ୱୟ ହିସାବରେ ଥିବାର ଦେଖିଲେ । ବାବା ମଧ୍ୟ ଜଣେ, ଦେଉଛନ୍ତି ମଧ୍ୟ ଏକ ସମୟରେ କିନ୍ତୁ ଜମା
କରିବାରେ ଦୁଇ ପ୍ରକାରର ପିଲାମାନଙ୍କୁ ଦେଖିଲେ - କିଛି ପିଲା ତ ଜମା କରୁଥିବା ସମ୍ପତ୍ତିକୁ
ଖାଇ-ପିଇ ସମାପ୍ତ କରିଦେଉଛନ୍ତି । ଆଉ କିଛି ପିଲା ଜମା ମଧ୍ୟ କରୁଛନ୍ତି ପୁଣି ଖର୍ଚ୍ଚ ମଧ୍ୟ
କରୁଛନ୍ତି କିନ୍ତୁ ଜମା କରିବା ଉପରେ ବିଶେଷ ଧ୍ୟାନ ଦେଇ ତାକୁ ବଢାଉଛନ୍ତି ମଧ୍ୟ । ତେବେ
ସମ୍ପତ୍ତି ଗୁଡିକୁ ବୃଦ୍ଧି କରିବାର ସାଧନ କ’ଣ? ତାହା ହେଲା ଯେଉଁ ସବୁ ସମ୍ପତ୍ତି ତୁମକୁ ମିଳିଛି
ତା’କୁ ସମୟ ଅନୁସାରେ ଆସୁଥିବା ପରିସ୍ଥିତି ହିସାବରେ କାର୍ଯ୍ୟରେ ଲଗାଇବା । ଯେଉଁମାନେ ତା’କୁ
କାର୍ଯ୍ୟରେ ଲଗାଉଛନ୍ତି, ନିଜର ସ୍ୱ ସ୍ଥିତି ଦ୍ୱାରା ପରିସ୍ଥିତିକୁ ବଦଳାଇ ପାରୁଛନ୍ତି
ସେହିମାନଙ୍କର ହିଁ ଜମା ହେଉଛି । କିନ୍ତୁ ଯେଉଁମାନେ ତା’କୁ କାର୍ଯ୍ୟରେ ଲଗାଉ ନାହାଁନ୍ତି
ସେମାନଙ୍କର ଜମା ମଧ୍ୟ ହେଉ ନାହିଁ । ତେଣୁ ସମସ୍ତେ ନିଜେ ନିଜକୁ ପଚାର ଯେ ଆବଶ୍ୟକ ସମୟରେ ନିଜ
ପ୍ରତି ବା ଅନ୍ୟମାନଙ୍କ ପ୍ରତି କାର୍ଯ୍ୟରେ ଲଗାଉଛି ତ? କାରଣ ଯେତେ ଯେତେ କାର୍ଯ୍ୟରେ ଲଗାଇବ ସେହି
ଅନୁସାରେ ସମ୍ପତ୍ତି ବଢି ବଢି ଚାଲିବ କାହିଁକିନା ସମ୍ପତ୍ତିକୁ କାର୍ଯ୍ୟରେ ଲଗାଇବା ଦ୍ୱାରା
ଅନୁଭବ ହୋଇ ଚାଲିବ ଏବଂ ତୁମ ଭିତରେ ଅନୁଭବର ଅଧିକାରୀ ପଣିଆ ମଧ୍ୟ ଆସିଯିବ । ତେଣୁ ଚେକ୍ କର ଏବଂ
ନିଜେ ନିଜକୁ ପଚାର ଯେ ମୋ ପାଖରେ ସର୍ବ ସମ୍ପତ୍ତି ଜମା ଅଛି ତ? ଏବଂ ଏହାକୁ ବୃଦ୍ଧି କରିବାର
ସାଧନକୁ ମୁଁ ଯଥା ସମୟରେ କାର୍ଯ୍ୟରେ ଲଗାଉଛି ତ? ଅନୁଭବର ଅଧିକାରୀ ପଣିଆର ବୃଦ୍ଧି ହେଉଛି ତ?
କାହିଁକିନା ସବୁ ପ୍ରକାରର ଅଧିକାରୀ ପଣିଆ ଭିତରେ ଅନୁଭବର ଅଧିକାରୀ ପଣିଆର ଗାୟନ ସବୁଠାରୁ ଅଧିକ
ଅଟେ । ତେଣୁ ପ୍ରତ୍ୟେକଙ୍କୁ ନିଜର ଖାତାକୁ ବଢାଇବାର ଅଛି ଏବଂ ଚେକିଂ ମଧ୍ୟ କରିବାର ଅଛି,
କାହିଁକିନା ଏବେ ମଧ୍ୟ ସମୟ ଅଛି, ନିଜକୁ ଚେକ୍ କରି ଏବେ ବି ସମ୍ପତ୍ତିକୁ ବଢାଇପାରିବ । ଏବେ ତ
ସୁଯୋଗ ଅଛି । ଆଗକୁ ତ ସୁଯୋଗ ହିଁ ସମାପ୍ତ ହୋଇଯିବ । ସମ୍ପତ୍ତିକୁ ବଢାଇବା ପାଇଁ ଚାହିଁଲେ ମଧ୍ୟ
ବଢାଇପାରିବ ନାହିଁ ।
ବାପଦାଦା ଦେଖୁଛନ୍ତି
ସମ୍ପତ୍ତି ମଧ୍ୟ ମିଳୁଛି ଏବଂ ଖୁସି ଖୁସିରେ ତାକୁ ନିଜ ଭିତରେ ସମାହିତ କରିବା ପାଇଁ ଚେଷ୍ଟା
ମଧ୍ୟ କରୁଛନ୍ତି କିନ୍ତୁ ସମ୍ପତ୍ତି ଯେତେବେଳେ ମିଳୁଛି, ମୁରଲୀ ଦ୍ୱାରା ହିଁ ସମ୍ପତ୍ତି ମିଳୁଛି,
ତେଣୁ ଦୁଇ ପ୍ରକାରର ପିଲା ଅଛନ୍ତି - କିଛି ହେଲେ କେବଳ ଶୁଣିବାବାଲା ଏବଂ ଆଉ କିଛି... ଶୁଣିବା
ସହିତ ତାକୁ ଜୀବନରେ ଆପଣାଇ ନେବାବାଲା । କେତେକ ପିଲା ମୁରଲୀକୁ ଶୁଣି ବହୁତ ଖୁସି ହୋଇଥାଆନ୍ତି
କିନ୍ତୁ ଶୁଣିବା ଏବଂ ନିଜ ଭିତରେ ସମାହିତ କରିନେବା, ଦୁଇଟି ଭିତରେ ବହୁତ ଫରକ ରହିଛି । ତେଣୁ
ସମାହିତ କରିବାବାଲା ପିଲାମାନେ ଅନୁଭବୀ ହୋଇଚାଲିଥାଆନ୍ତି, କାହିଁକିନା ଜୀବନରେ ଆପଣାଇ ନେବା
ଅର୍ଥାତ୍ ବୁଦ୍ଧିରେ ଧାରଣ କରିଥିବା ଜ୍ଞାନ ସମୟ ଅନୁସାରେ କାର୍ଯ୍ୟରେ ଲଗାଇଥାଆନ୍ତି ଏବଂ
ସମ୍ପତ୍ତିକୁ ବଢାଇ ଚାଲିଥାଆନ୍ତି । ଶୁଣିବାବାଲା ପିଲାମାନେ କେବଳ ବର୍ଣ୍ଣନା କରିଥାଆନ୍ତି, ବହୁତ
ଭଲ ଶୁଣାଇଲେ, ବାବା ବହୁତ ଭଲ କଥା କହିଲେ, କିନ୍ତୁ ତାକୁ ବୁଦ୍ଧିରେ ଧାରଣ କରିବା ବିନା ଜ୍ଞାନକୁ
ଯଥା ସମୟରେ କାର୍ଯ୍ୟରେ ଲଗାଇପାରିବ ନାହିଁ । ତେଣୁ ତୁମେ ସମସ୍ତେ ନିଜକୁ ଚେକ୍ କର, ମୁଁ ସମାହିତ
କରିବାବାଲା ଅଟେ ତ! ଯଦି ଟିକିଏ ବି କମୀ ରହିଥିବ, ଭରପୂର ହୋଇନଥିବ ତେବେ ନିଶ୍ଚିତ ହଲଚଲ୍ ହେବ ।
ଯଦି ପୂର୍ଣ୍ଣ ରୂପରେ ସମାହିତ କରି ନେଇଥିବ, ତେବେ ହଲଚଲ୍ ହୋଇପାରିବ ନାହିଁ । ସେଥିପାଇଁ ଆଜି
ବାପଦାଦା ସମସ୍ତଙ୍କର ସମ୍ପତ୍ତିର ଜମା ଖାତାକୁ ଚେକିଂ କରିଥିଲେ । ତେବେ ଶୁଣାଇଲୁ ନା, ଦୁଇ
ପ୍ରକାରର ପିଲା ଅଛନ୍ତି, ଏବେ ସମସ୍ତେ ନିଜ ନିଜକୁ ଚେକ୍ କର ମୁଁ କିଏ? ସମ୍ପତ୍ତିକୁ ବଢାଇବା
ଅର୍ଥ ଯଥା ସମୟରେ କାର୍ଯ୍ୟରେ ଲଗାଇବା । ଯେତେ ଯେତେ କାର୍ଯ୍ୟରେ ଲଗାଇ ଚାଲିଥିବ ସେତିକି ସେତିକି
ବଢିଚାଲିଥିବ, କାହିଁକିନା ଯାହା ବି ସମ୍ପତ୍ତି ଗୁଡିକ ରହିଛି, ତା’ର ମାଲିକ ହିଁ ତା’କୁ
କାର୍ଯ୍ୟରେ ଲଗାଇବ, ସମ୍ପତ୍ତି ନିଜେ ନିଜକୁ କାର୍ଯ୍ୟରେ ଲଗାଇ ପାରିବି ନାହିଁ । ତେବେ ସମସ୍ତଙ୍କୁ
ସର୍ବ ସମ୍ପତ୍ତି ବାବା ହିଁ ପୈତୃକ ସମ୍ପତ୍ତି ରୂପରେ ଦେଇଛନ୍ତି । ତେଣୁ ବାବାଙ୍କର ସମ୍ପତ୍ତିକୁ
ନିଜର ସମ୍ପତ୍ତି କରିନେବା ଏଥିପାଇଁ ସମସ୍ତଙ୍କୁ ନିଜ ଉପରେ ଧ୍ୟାନ ଦେବାକୁ ପଡିବ, କାହିଁକିନା
ଯିଏ ଯେତିକି ସମ୍ପତ୍ତିରେ ଭରପୂର ହୋଇଥିବ ସେତିକି ହିଁ ଭରପୂର ଅବସ୍ଥାରେ ଅଚଳ ଅଟଳ ହୋଇଥିବ ।
ତେଣୁ ବାପଦାଦା
ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ସମ୍ପନ୍ନ ହୋଇଯାଆନ୍ତୁ, କମ ନ ହୁଅନ୍ତୁ, କାହିଁକିନା
ବାବାଙ୍କ ଦ୍ୱାରା ଅବିନାଶୀ ଖାତା ଜମା ହେବାର ସୁଯୋଗ କେବଳ ଏବେ ହିଁ ମିଳୁଛି, ସେଥିପାଇଁ
କୁହାଯାଇଛି ଯେ ଏବେ ନୁହେଁ ତ କେବେ ନୁହେଁ । ଏହା କେବଳ ସଂଗମ ସମୟ ପାଇଁ ହିଁ ଗାୟନ ହେଉଛି ।
ଭବିଷ୍ୟତରେ ତ ଯାହା ଜମା କରିଥିବ ତା’ର ଫଳ ହିଁ ପ୍ରାପ୍ତ କରିବ କିନ୍ତୁ ପ୍ରାପ୍ତିର ସମୟ କେବଳ
ଏବେ ହିଁ ଅଟେ । ତେଣୁ ସମସ୍ତଙ୍କୁ ନିଜର ଖାତାକୁ ଦେଖିବାର ଅଛି । ଯାହାର ଭଣ୍ଡାର ଯେତିକି ଭରପୂର
ହୋଇଥିବ ତା’ର ନୟନରୁ, ଚାଲିଚଳନରୁ ଏବଂ ଚେହେରାରୁ ହିଁ ଜଣା ପଡିବ, ତା’ର ଚାଲିଚଳନ ଏବଂ ଚେହେରା
ଏପରି ଲାଗିବ ଯେପରି ପୂର୍ଣ୍ଣ ପ୍ରସ୍ଫୁଟିତ ଗୋଲାପ ଫୁଲ ଅଟେ । ତେଣୁ ବାପଦାଦା ପ୍ରତ୍ୟେଙ୍କର
ଚାଲିଚଳନ ଏବଂ ଚେହେରା ଦ୍ୱାରା ଦେଖିଥାଆନ୍ତି ଯେ ଇଏ କେତେ ହର୍ଷିତ ଏବଂ କେତେ ଖୁସିବାସିଆ
ସ୍ଥିତିରେ ରହୁଛି! ନୟନ ଦ୍ୱାରା ଆତ୍ମିକ ଭାବ, ଚେହେରା ଦ୍ୱାରା ସ୍ମିତହାସ୍ୟ ଏବଂ କର୍ମ ଦ୍ୱାରା
ପ୍ରତ୍ୟେକ ଗୁଣ ସମସ୍ତଙ୍କୁ ଅନୁଭବ ହେଉଛି ତ! ଏବେ ସମସ୍ତେ ନିଜେ ନିଜକୁ ଚେକ୍ କର ।
ବାପଦାଦାଙ୍କର ପ୍ରତ୍ୟେକ
ସନ୍ତାନ ପ୍ରତି ଏହି ଶୁଭଭାବନା ରହିଛି ଯେ ପ୍ରତ୍ୟେକ ସନ୍ତାନ ଅନେକ ଆତ୍ମାଙ୍କୁ ଏହିଭଳି ସର୍ବ
ସମ୍ପତ୍ତିରେ ସମ୍ପନ୍ନ କରିଦିଅନ୍ତୁ । ଆଜି ବିଶ୍ୱର ଆତ୍ମାମାନେ ସମସ୍ତେ ଏହି କଥା ଚାହୁଁଛନ୍ତି
ଯେ କିଛି ନା କିଛି ଆଧ୍ୟାତ୍ମିକ ଶକ୍ତି ମିଳିଯାଉ ଏବଂ ଆଧ୍ୟାତ୍ମିକ ଶକ୍ତିର ଦାତା କେବଳ ତୁମେ
ବ୍ରାହ୍ମଣ ଆତ୍ମାମାନେ ହିଁ ଅଟ, କାହିଁକିନା ହୋଲୀଏଷ୍ଟ ଅର୍ଥାତ୍ ଶ୍ରେଷ୍ଠ ପବିତ୍ର ଏବଂ ହାଇଏଷ୍ଟ
ଅର୍ଥାତ୍ ସର୍ବୋଚ୍ଚ ଏବଂ ରିଚେଷ୍ଟ ଅର୍ଥାତ୍ ଶ୍ରେଷ୍ଠ ସମ୍ପତ୍ତିବାନ ତୁମେ ବ୍ରାହ୍ମଣ ଆତ୍ମାମାନେ
ହିଁ ଅଟ । ସବୁ ଆତ୍ମାମାନଙ୍କଠାରୁ ହୋଲୀଏଷ୍ଟ ମଧ୍ୟ ତୁମେମାନେ ହିଁ ଅଟ । ତେଣୁ ତୁମ
ଆତ୍ମାମାନଙ୍କର ଯେଉଁଭଳି ବିଧିପୂର୍ବକ ପୂଜା କରାଯାଉଛି ଆଉ କାହାର ବି ସେଭଳି ହେଉ ନାହିଁ । ଏବେ
ଶେଷ ଜନ୍ମରେ ମଧ୍ୟ ତୁମ ଆତ୍ମାମାନଙ୍କର ଯେଉଁଭଳି ପୂଜା ହେଉଛି ଅନ୍ୟ କୌଣସି ବି ଧର୍ମପିତା ବା
ମହାନ ଆତ୍ମା ଯେଉଁମାନେ ବି ନିମିତ୍ତ ହେଉଛନ୍ତି, ସେମାନଙ୍କର ମଧ୍ୟ ଭଳି ହେଉ ନାହିଁ, ଯଦିଓ
ସେମାନଙ୍କର ମଧ୍ୟ ସ୍କାରକୀ ତିଆରି ହେଉଛି କିନ୍ତୁ ବିଧିପୂର୍ବକ ପୂଜା ହେଉ ନାହିଁ ଏବଂ
ତୁମମାନଙ୍କ ଭଳି ସମ୍ପତ୍ତିବାନ ଯାହାକି ରିଚେଷ୍ଟ ଇନ୍ ଦି ୱାର୍ଲଡ ବୋଲି ଗାୟନ ହେଉଛି । ତୁମେ
ବ୍ରାହ୍ମଣ ଆତ୍ମାମାନେ ଏହି ଗୋଟିଏ ଜନ୍ମରେ ଜମା କରିଥିବା ସମ୍ପତ୍ତି ୨୧ ଜନ୍ମ ପର୍ଯ୍ୟନ୍ତ ତୁମ
ସାଥୀରେ ରହିବ ଯାହାର ଗ୍ୟାରେଣ୍ଟି ରହିଛି, କାହିଁକିନା ସ୍ୱୟଂ ପିତାଙ୍କ ଦ୍ୱାରା ପୈତୃକ ସମ୍ପତ୍ତି
ପ୍ରାପ୍ତ ହେଉଛି । ତେଣୁ ବାବା ଯେପରି ଅବିନାଶୀ ଅଟନ୍ତି ସେହିପରି ବାବାଙ୍କ ଦ୍ୱାରା ମିଳିଥିବା
ସମ୍ପତ୍ତି ମଧ୍ୟ ଅବିନାଶୀ ହୋଇଯାଉଛି, ସେଥିପାଇଁ ରିଚେଷ୍ଟ ଇନ୍ ଦି ୱାର୍ଲଡ ଏବଂ ହୋଲୀଏଷ୍ଟ ଇନ୍
ଦି ୱାର୍ଲଡ ହୋଇଯାଉଛ ।
ତେବେ ସମସ୍ତେ ନିଜକୁ
ଏହିଭଳି ବିଶେଷ ସେବାଧାରୀ ମନେ କରୁଛ ତ! ଆଜିର ସମୟ ଅନୁସାରେ ବିଶ୍ୱର ଆତ୍ମାମାନଙ୍କୁ କେଉଁ
ଜିନିଷର ଆବଶ୍ୟକତା ରହିଛି, ଜାଣିଛ ତ? ଆଜି ବିଶ୍ୱକୁ ଖୁସି, ଶକ୍ତି ଏବଂ ସ୍ନେହର ଆବଶ୍ୟକତା ରହିଛି
। ସମସ୍ତେ ଆତ୍ମିକ ସ୍ନେହ ଚାହୁଁଛନ୍ତି ତେଣୁ ତୁମେ ବ୍ରାହ୍ମଣ ଆତ୍ମାମାନେ ଏବେ ସମୟ ଅନୁସାରେ
ଦାତା ହୁଅ । ମନର ସଂକଳ୍ପ ଦ୍ୱାରା ଶକ୍ତିର ଦାନ କର, ବାଣୀ ଦ୍ୱାରା ଜ୍ଞାନର ଦାନ କର, ଏବଂ କର୍ମ
ଦ୍ୱାରା ଗୁଣର ଦାନ କର । ବ୍ରହ୍ମାବାବା ଅନ୍ତିମ ସମୟରେ ତିନୋଟି ଶବ୍ଦ ସବୁ ପିଲାଙ୍କୁ ଉପହାର
ରୂପରେ ଦେଇଥିଲେ, ମନେ ଅଛି ନା? ତେବେ ଏହି ତିନୋଟିଯାକ ଶବ୍ଦକୁ ଯଦି ସେବାରେ ଲଗାଇବ ତାହା ହେଲେ
ବହୁତ ଆତ୍ମାଙ୍କୁ ସନ୍ତୁଷ୍ଟ କରିପାରିବ । ସେହି ତିନୋଟି ଶଦ୍ଦ ହେଲା - ନିରାକାରୀ, ନିରହଂକାରୀ
ଏବଂ ନିର୍ବିକାରୀ । ତେଣୁ ସଂକଳ୍ପ ଦ୍ୱାରା ନିରାକାରୀ, ବାଣୀ ଦ୍ୱାରା ନିରହଂକାରୀ ଏବଂ କର୍ମ
ଦ୍ୱାରା ନିର୍ବିକାରୀ ହୁଅ । ଏହି ତିନୋଟିଯାକ ଶବ୍ଦକୁ ସେବାର ଲଗାଅ । ଏବେ ବିଶ୍ୱକୁ ତୁମମାନଙ୍କର
ଶକ୍ତି ଦ୍ୱାରା ଟିକିଏ ଆନ୍ତରିକ ଆନନ୍ଦ, ତଥା ସୁଖର ପ୍ରାପ୍ତି ହେବା ଦରକାର କାରଣ ସମସ୍ତେ ନିରାଶ
ହୋଇଗଲେଣି ଏବଂ ତୁମେମାନେ ହିଁ ସାରା ବିଶ୍ୱ ପାଇଁ ଆଶାର ତାରକା ଅଟ ଏବଂ ବାପଦାଦା ସବୁ ପିଲାଙ୍କୁ
ନିଜର ଆଶାର ତାରକା ରୂପରେ ମଧ୍ୟ ଦେଖୁଛନ୍ତି । କେବଳ ଭରସାର ତାରକା ନୁହେଁ କିନ୍ତୁ ସବୁ ଆଶାକୁ
ପୂର୍ଣ୍ଣ କରୁଥିବା ଆଶାର ତାରକା ମଧ୍ୟ ଅଟ ।
ତେବେ ବାପଦାଦାଙ୍କ ପାଖରେ
ପିଲାମାନଙ୍କର ସ୍ନେହ ସଦାସର୍ବଦା ପହଞ୍ଚିବାରେ ଲାଗିଛି ଏବଂ ସବୁଠାରୁ ସହଜ ପୁରୁଷାର୍ଥ କ’ଣ?
ପୁରୁଷାର୍ଥ ତ ଭିନ୍ନ ଭିନ୍ନ ପ୍ରକାରର ଅଛି କିନ୍ତୁ ସବୁଠାରୁ ସହଜ ପୁରୁଷାର୍ଥ ହେଲା ସ୍ନେହ ।
ସ୍ନେହରେ ମେହନତ ମଧ୍ୟ ମୋହବତ ଅର୍ଥାତ୍ ପ୍ରେମରେ ରୂପାନ୍ତରିତ ହୋଇଯାଏ । ତେଣୁ ବାବାଙ୍କର ସ୍ନେହୀ
ହେବା ଅର୍ଥ ସହଜ ପୁରୁଷାର୍ଥ କରିବା । ସ୍ନେହ କରିବାରେ ତ ତୁମେମାନେ ନିଜକୁ ସ୍ନେହୀ ଆତ୍ମା ମନେ
କରୁଛ, କେବେ କେବେ ବାଲା ନୁହେଁ, ସଦା ସ୍ନେହୀ । ଯେଉଁମାନେ ନିଜକୁ ସର୍ବଦା ସ୍ନେହର ସାଗରରେ
ସମାହିତ ହୋଇଥିବାର ମନେ କରୁଛନ୍ତି, ସବୁବେଳେ ବୁଡି ରହିବାବାଲା, ବୁଡ ପକାଇ ଉଠି ଆସିବାବାଲା ନୁହେଁ,
ପୂରା ବୁଡି ରହିବାବାଲା, ଯେଉଁମାନେ ନିଜକୁ ଏହିଭଳି ମନେ କରୁଛନ୍ତି ସେମାନେ ହାତ ଉଠାଅ । କ’ଣ ସଦା
ତ? ଏବେ ସଦା ଶବ୍ଦ ଉପରେ ବିଶେଷ ଧ୍ୟାନ ଦିଅ । ହାତ ଉଠାଅ, ସଦା? ସଦା? ହାତ ତ ଭଲ ଉଠାଇଛ ।
ବାପଦାଦା ମଧ୍ୟ ତୁମର ହାତ ଉଠାଇବା ଦେଖି ଖୁସି ହେଉଛନ୍ତି କାହିଁକି ନା ସାହସ ତ ରଖିଛ । ଯଦି କିଛି
କମୀ ମଧ୍ୟ ହୋଇଯିବ, ତେବେ ମନେ ତ ପଡିବ ଯେ ମୁଁ ହାତ ଉଠାଇଥିଲି କାହିଁକିନା ବାପଦାଦାଙ୍କର ସବୁ
ପିଲାଙ୍କ ପ୍ରତି ଅତି ସ୍ନେହ ରହିଛି । କାହିଁକି ଜାଣିଛ? କାହିଁକିନା ବାପଦାଦା ଜାଣିଛନ୍ତି ଯେ ଏହି
ଆତ୍ମାମାନେ ଅନେକ ଥର ସ୍ନେହୀ ହୋଇଛନ୍ତି, ଏବେ ମଧ୍ୟ ହେଉଛନ୍ତି ଏବଂ ସବୁ କଳ୍ପରେ ଏହି ଆତ୍ମାମାନେ
ହିଁ ସ୍ନେହୀ ହେବେ । କ’ଣ ନିଶା ଅଛି ତ, ଖୁସି ଅଛି ତ ଯେ ଆମେମାନେ ହିଁ ପ୍ରତି କଳ୍ପର ଅଧିକାରୀ
ଆତ୍ମା ଅଟୁ?
ବାପଦାଦା ଏହିଭଳି
ଅଧିକାରୀ ଆତ୍ମାମାନଙ୍କୁ ଦେଖି ଆନ୍ତରିକ ଆଶୀର୍ବାଦ ଦେଉଛନ୍ତି, ସର୍ବଦା ଅକ୍ଳାନ୍ତ ହୋଇ ଉଡିଚାଲ
। କେବେ ବି ଯଦି କୌଣସି ପ୍ରକାରର ପରିସ୍ଥିତି ଆସୁଛି ତେବେ ନିଜର ସ୍ୱସ୍ଥିତିକୁ ତଳ ଉପର କର ନାହିଁ
। ସ୍ୱସ୍ଥିତି ନିକଟରେ ପରିସ୍ଥିତି କିଛି ବି କରିପାରିବ ନାହିଁ । ଆଚ୍ଛା, ପ୍ରଥମ ଥର ପାଇଁ
କେଉଁମାନେ ଆସିଛନ୍ତି, ସେମାନେ ହାତ ଉଠାଅ । ବହୁତ ଆସିଛନ୍ତି । ବାପଦାଦା ପ୍ରତ୍ୟେକ ସନ୍ତାନ ଉପରେ
ଗର୍ବ କରୁଛନ୍ତି - ବା! ମୋ’ର ସନ୍ତାନମାନେ ବାଃ! ଯେପରି ତୁମେମାନେ ମନ ଭିତରେ ଗୀତ ଗାଉଛ ନା ବାଃ
ବାବା ବାଃ! ମେରା ବାବା ବାଃ! ର ଗୀତ ଆପେ ଆପେ ବାଜୁଛି, ସେହିପରି ବାବା ମଧ୍ୟ ପିଲାମାନଙ୍କ ପାଇଁ
ଏହି ଗୀତ ଗାଉଛନ୍ତି ଯେ ବାଃ ମୋର ପ୍ରତ୍ୟେକ ସନ୍ତାନ ବାଃ! କାହିଁକିନା ବାବାଙ୍କୁ ମଧ୍ୟ ଗୋଟିଏ
କଳ୍ପ ପରେ ତୁମେମାନେ ମିଳିଛ ଏବଂ ତୁମେ ସମସ୍ତେ ବିଶ୍ୱ ସମ୍ମୁଖରେ ମହାନ ଅଟ । ତେଣୁ ବାବା ମଧ୍ୟ
ଏହି ଗୀତ ଗାଉଛନ୍ତି ଯେ ବାଃ ପିଲାମାନେ ବାଃ! ବାଃ ବାଃ ଅଟ ନା! ବାଃ ବାଃ ପିଲାମାନେ ଅଟ ନା! ବାଃ
ବାଃ ପିଲାମାନେ ହାତ ଉଠାଅ ।
ତେଣୁ ସର୍ବଦା ଏହି କଥା
ମନେ ରଖ ଯେ ଆମେ ବାଃ ବାଃ ସନ୍ତାନ ଅଟୁ । ଯଦିଓ ସମସ୍ତେ ପୁରୁଷାର୍ଥୀ ଅଟ କିନ୍ତୁ ବାଃ ବାଃ
ସନ୍ତାନ ଅଟ, ବାବାଙ୍କର ବାଃ ବାଃ ସନ୍ତାନମାନେ, ବାବାଙ୍କର ସାଥୀରେ ହିଁ ଘରକୁ ଯିବେ । ରହି ତ
ଯିବ ନାହିଁ ନା! ବାବା ତ କହୁଛନ୍ତି ସମସ୍ତଙ୍କୁ ସ୍ନେହ ରୂପକ କୋଳରେ ବସାଇ ସାଥୀରେ ନେଇଯିବି ।
ସେଥିପାଇଁ ପ୍ରସ୍ତୁତ ଅଛ ତ? ଅଛ ତ? ରାସ୍ତାରେ ଅଟକି ଯିବ ନାହିଁ ତ? ସାଥୀରେ ହିଁ ଯିବ, କାହିଁକି
ନା ତୁମେମାନେ ପ୍ରତିଜ୍ଞା କରିଛ, ତେଣୁ ପ୍ରତିଜ୍ଞାକୁ ପାଳନ କରିବାବାଲା ଅଟ ।
ଏବେ ବାପଦାଦା ଏହି କଥା
ଚାହୁଁଛନ୍ତି ଯେ ନିଜର ଫରିସ୍ତା ସ୍ୱରୂପକୁ ଜାଗ୍ରତ କର । ଚାଲିବା ବୁଲିବା ସମୟରେ ଫରିସ୍ତା
ପୋଷାକଧାରୀ ସ୍ୱରୂପର ଅନୁଭବ କରାଅ । ବାପଦାଦା ତ ଡ୍ରିଲ୍ର ଜ୍ଞାନ ଶୁଣାଇଛନ୍ତି ନା! ବସ୍ତ୍ର
ବଦଳାଇବାର ଅଭ୍ୟାସ ତ ଅଛି ନା! ଯେପରି ଶରୀରର ଡ୍ରେସ୍ ବଦଳାଉଛ ସେହିପରି ଆତ୍ମାର ଫରିସ୍ତା
ସ୍ୱରୂପକୁ ବାରମ୍ବାର ଅନୁଭବ କର । କ’ଣ ଫରିସ୍ତା ଡ୍ରେସ୍ ପସନ୍ଦ ତ! ଯେପରି ବ୍ରହ୍ମାବାବା
ଅବ୍ୟକ୍ତ ଫରିସ୍ତା ରୂପରେ ବତନରେ ବସିଛନ୍ତି ସେହିପରି ତୁମେମାନେ ମଧ୍ୟ ନିଜର ପିତାଙ୍କ ଭଳି
ଚାଲିବା ବୁଲିବା ସମୟରେ ଫରିସ୍ତା ରୂପରେ ନିଜକୁ ଅନୁଭବ କର କାହିଁକିନା ଫରିସ୍ତା ସ୍ୱରୂପ ହେଲେ
ଯାଇ ଦେବତା ହେବ । ଯେପରି ବାବାଙ୍କର ତିନୋଟି ରୂପକୁ ମନେ ରଖିଛ ନା, ପିତା, ଶିକ୍ଷକ ଏବଂ ସତ୍ଗୁରୁ
ସେହିପରି ତୁମେମାନେ ମଧ୍ୟ ନିଜର ତିନି ରୂପକୁ ମନେ ପକାଅ - ବ୍ରାହ୍ମଣରୁ ଫରିସ୍ତା ଏବଂ ଫରିସ୍ତାରୁ
ଦେବତା । ଏହି ତିନୋଟି ରୂପ ପକ୍କା ଅଟେ ନା! କେବେ ବ୍ରାହ୍ମଣର ଡ୍ରେସ୍ ପିନ୍ଧିଦିଅ, କେବେ
ଫରିସ୍ତାର, କେବେ ଦେବତାର ଡ୍ରେସ୍ ପିନ୍ଧ । ଏହି ତିନୋଟି ରୂପରେ ସ୍ଥିତ ହେବା ଦ୍ୱାରା ସ୍ୱତଃ
ହିଁ ତ୍ରିକାଳଦର୍ଶୀର ଆସନ ଉପରେ ବସି ସାକ୍ଷୀ ହୋଇ ପ୍ରତ୍ୟେକ କାର୍ଯ୍ୟ କରି ଚାଲିବ । ତେଣୁ
ସମସ୍ତଙ୍କଠାରୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ସର୍ବଦା ବାବାଙ୍କ ସାଥୀରେ ରୁହ, ଏକୁଟିଆ ହୁଅ
ନାହିଁ । ଯଦି ସାଥୀରେ ରହିବ ତେବେ ସାଥୀରେ ହିଁ ଯିବ । ଯଦି କେବେ କେବେ ସାଥୀରେ ରହିବ ତେବେ
ସାଥୀରେ କିପରି ଯିବ! କାରଣ ସ୍ନେହୀ ସ୍ନେହୀକୁ କେବେ ବି ଭୁଲିପାରିବ ନାହିଁ । ତେଣୁ ସାରା ଦିନ
ଏହି ଅଭ୍ୟାସ କରୁଥାଅ । ଏବେ ଏବେ ବ୍ରାହ୍ମଣ, ଏବେ ଏବେ ଫରିସ୍ତା, ଏବେ ଏବେ ଦେବତା । ଆଚ୍ଛା!
ଚାରିଆଡର ସବୁ
ପିଲାମାନଙ୍କୁ ଯେଉଁମାନେ କି ସର୍ବଦା ସମ୍ପତ୍ତିରେ ଭରପୂର ଅଟନ୍ତି, ସର୍ବଦା ନିଜର ଚାଲିଚଳନ ଏବଂ
ଚେହେରା ଦ୍ୱାରା ସେବାଧାରୀ ଅଟନ୍ତି, କାହିଁକିନା ତୁମେ ସମସ୍ତେ ପ୍ରତିଜ୍ଞା କରିଛ ଯେ ଆମେ ବିଶ୍ୱ
ପରିବର୍ତ୍ତକ ହୋଇ ବିଶ୍ୱର ପରିବର୍ତ୍ତନ କରିବୁ, ତେଣୁ ଚାଲିବା ବୁଲିବା ସମୟରେ ମଧ୍ୟ ସେବାଧାରୀ
ରୂପରେ ସେବାରେ ତତ୍ପର ରହୁଛ, ଏହିଭଳି ସମସ୍ତ ବିଶ୍ୱ ପରିବର୍ତ୍ତକ, ବିଶ୍ୱ ସେବାଧାରୀ
ପିଲାମାନଙ୍କୁ, ସମସ୍ତଙ୍କୁ ବାବାଙ୍କର ସମ୍ପତ୍ତିଗୁଡିକରେ ଭରପୁର କରୁଥିବା ବାପଦାଦାଙ୍କର
ଚାରିଆଡର ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ତଥା ଆନ୍ତରିକ ଆଶୀର୍ବାଦ ଏବଂ
ନମସ୍ତେ । ଆଚ୍ଛା!
ବରଦାନ:-
ମାଷ୍ଟର
ତ୍ରିକାଳଦର୍ଶୀ ହୋଇ ପ୍ରତ୍ୟେକ କର୍ମ ଯୁକ୍ତିଯୁକ୍ତ ଭାବରେ କରୁଥିବା କର୍ମବନ୍ଧନ ମୁକ୍ତ ଭବ ।
ଯାହା ବି ସଂକଳ୍ପ, ବାଣୀ
ବା କର୍ମ କରୁଛ ତା’କୁ ମାଷ୍ଟର ତ୍ରିକାଳଦର୍ଶୀ ହୋଇ କର ଯାହାଦ୍ୱାରା କୌଣସି କର୍ମ ବ୍ୟର୍ଥ ବା
ଅନର୍ଥ ହୋଇପାରିବ ନାହିଁ । ତ୍ରିକାଳଦର୍ଶୀ ଅର୍ଥାତ୍ ସାକ୍ଷୀପଣିଆର ସ୍ଥିତିରେ ସ୍ଥିତ ହୋଇ,
କର୍ମର ଗୁହ୍ୟ ଗତିକୁ ଜାଣି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଅ, ତାହା ହେଲେ କେବେ ବି
କର୍ମର ବନ୍ଧନରେ ବାନ୍ଧି ହେବ ନାହିଁ । ପ୍ରତ୍ୟେକ କର୍ମ କରି ମଧ୍ୟ କର୍ମବନ୍ଧନମୁକ୍ତ, କର୍ମାତୀତ
ସ୍ଥିତିର ଅନୁଭବ କରିଚାଲିବ ।
ସ୍ଲୋଗାନ:-
ଯେଉଁମାନଙ୍କ
ଭିତରେ ବିନାଶୀ ଇଚ୍ଛାଗୁଡିକର ଅବିଦ୍ୟା ରହିଛି ସେହିମାନେ ହିଁ ମହାନ ସମ୍ପତ୍ତିବାନ ଅଟନ୍ତି ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ । ଯେପରି ପହରା ଦେଉଥିବା
ଚୌକିଦାର ଯଦି ଅସ୍ତ୍ରଧାରୀ ହୋଇଥିବ ଏବଂ ତା’ର ନିଶ୍ଚୟ ଥିବ ଯେ ମୋ’ର ଅସ୍ତ୍ର ଶତ୍ରୁକୁ ଘଉଡାଇ
ଦେଇପାରିବ ବା ହରାଇ ଦେଇ ପାରିବ ତେବେ ସେ କେତେ ନିର୍ଭୟ ହୋଇ ରହିଥାଏ, ସେହିପରି ତୁମମାନଙ୍କ
ପାଖରେ ମଧ୍ୟ ସର୍ବଶକ୍ତି ରୂପକ ଅସ୍ତ୍ର-ଶସ୍ତ୍ର ସଦାସର୍ବଦା ସାଥୀରେ ଅଛି, କେବଳ ଆବାହନ କର
ଅର୍ଥାତ୍ ମାଲିକ ହୋଇ ଆଦେଶ ଦିଅ, ତେବେ ଦେଖିବ ସଫଳତା ହୋଇ କରି ରହିଛି ।