15.06.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ମାୟାଜିତ୍ ହେବା ପାଇଁ ଭୁଲ୍ କରିବା ବନ୍ଦ କର, ଦୁଃଖ ଦେବା ଏବଂ ଦୁଃଖ ନେବା - ଏହା ବହୁତ ବଡ ଭୁଲ୍‌, ଯାହାକି ତୁମମାନଙ୍କୁ କରିବାର ନାହିଁ ।

ପ୍ରଶ୍ନ:-
ଆମ ସମସ୍ତ ସନ୍ତାନମାନଙ୍କ ପ୍ରତି ବାବାଙ୍କର କେଉଁ ଗୋଟିଏ ଆଶା ରହିଛି?

ଉତ୍ତର:-
ବାବା ଆଶା ରଖିଛନ୍ତି ଯେ ମୋର ସବୁ ପିଲାମାନେ ମୋ ଭଳି ସଦା ପବିତ୍ର ହୋଇଯାଆନ୍ତୁ । ବାବା ହେଉଛନ୍ତି ସଦା ପବିତ୍ର, ତେଣୁ ସେ ପିଲାମାନଙ୍କୁ କଳା (ପତିତ)ରୁ ଗୋରା (ପବିତ୍ର) କରିବା ପାଇଁ ଆସିଛନ୍ତି । ମାୟା କଳା କରିଦେଇଥାଏ, ବାବା ଗୋରା କରୁଛନ୍ତି । ଲକ୍ଷ୍ମୀ-ନାରାୟଣ ଗୋରା ଅଟନ୍ତି, ସେଥିପାଇଁ କଳା, ପତିତ ଲୋକମାନେ ଯାଇ ତାଙ୍କର ମହିମା ଗାୟନ କରୁଛନ୍ତି ଏବଂ ନିଜକୁ ନୀଚ୍ଚ ମନେ କରୁଛନ୍ତି । ବର୍ତ୍ତମାନ ବାବାଙ୍କର ଶ୍ରୀମତ ମିଳୁଛି - ମିଠେ ବଚ୍ଚେ, ଗୋରା ବା ସତ୍ତ୍ୱପ୍ରଧାନ ହେବାର ପୁରୁଷାର୍ଥ କର ।

ଓମ୍ ଶାନ୍ତି ।
ବାବା କଣ କରୁଛନ୍ତି ଏବଂ ପିଲାମାନେ କଣ କରୁଛନ୍ତି? ଏ କଥା ବାବା ବି ଜାଣିଛନ୍ତି ଏବଂ ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଆମର ଆତ୍ମା ଯାହାକି ତମଃପ୍ରଧାନ ହୋଇଯାଇଛି ତାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ, ଯାହାକୁ ସୁବର୍ଣ୍ଣ ଯୁଗ କୁହାଯାଏ । ବାବା ଆତ୍ମାମାନଙ୍କୁ ଦେଖୁଛନ୍ତି । ଆତ୍ମା ହିଁ ଜାଣୁଛି, ମୋର ଆତ୍ମା ଏବେ କଳା ଅର୍ଥାତ୍ ପତିତ ହୋଇଯାଇଛି । ଆତ୍ମା କାରଣରୁ ପୁଣି ଶରୀର ମଧ୍ୟ କଳା ହୋଇଯାଇଛି । ଆଗରୁ ଯେତେବେଳେ ଲକ୍ଷ୍ମୀ-ନାରାୟଣ ମନ୍ଦିରକୁ ଯାଉଥିଲ, ଦେଖୁଥିଲ ଏମାନେ ତ ସର୍ବଗୁଣ ସମ୍ପନ୍ନ, ଗୋରା ଅର୍ଥାତ୍ ପବିତ୍ର ଅଟନ୍ତି, ଆମେ ତ କଳା ଭୂତ ସଦୃଶ ଅଟୁ, କିନ୍ତୁ ସେତେବେଳେ ଜ୍ଞାନ ନ ଥିଲା । ଏବେ ଯଦି ଲକ୍ଷ୍ମୀ-ନାରାୟଣ ମନ୍ଦିରକୁ ଯିବ ତେବେ ବୁଝିବ ଯେ ଆମେ ତ ପ୍ରଥମେ ଏହିଭଳି ସର୍ବଗୁଣ ସମ୍ପନ୍ନ ଥିଲୁ, ଏବେ କଳା ପତିତ ହୋଇଯାଇଛୁ । ଦୁନିଆର ମନୁଷ୍ୟ ମୂର୍ତ୍ତୀ ସମ୍ମୁଖରେ ନିଜକୁ କଳା, ପତିତ, ପାପୀ ବୋଲି କହୁଛନ୍ତି । ମନୁଷ୍ୟ ବିବାହ ପରେ ପ୍ରଥମେ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ ଯାଇଥାଆନ୍ତି । ଉଭୟ ପୂର୍ବରୁ ନିର୍ବିକାରୀ ଥାନ୍ତି ପୁଣି ବିବାହ ପରେ ବିକାରୀ ହୋଇଯାଇଥାନ୍ତି । ତେଣୁ ନିର୍ବିକାରୀ ଦେବତାମାନଙ୍କ ସମ୍ମୁଖକୁ ଯାଇ ନିଜକୁ ବିକାରୀ ପତିତ ବୋଲି କହଥାନ୍ତି । ବିବାହ ପୂର୍ବରୁ ଏଭଳି କୁହନ୍ତି ନାହିଁ । ବିକାରଗ୍ରସ୍ତ ହେବା ପରେ ହିଁ ମନ୍ଦିରକୁ ଯାଇ ଦେବତାମାନଙ୍କର ମହିମା କରିଥାଆନ୍ତି । ଆଜିକାଲି ତ ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିର, ଶିବଙ୍କର ମନ୍ଦିର ସବୁଠି ବିବାହ ଉତ୍ସବ ଆଦି କରୁଛନ୍ତି । ପୁଣି ପତିତ ହେବା ପାଇଁ କଙ୍କଣ ବାନ୍ଧୁଛନ୍ତି । କିନ୍ତୁ ତୁମେ ଏବେ ଗୋରା (ପବିତ୍ର) ହେବା ପାଇଁ କଙ୍କଣ ବାନ୍ଧୁଛ, ସେଥିପାଇଁ ଗୋରା କରାଉଥିବା ଶିବବାବାଙ୍କୁ ମନେ ପକାଉଛ । ତୁମେ ଜାଣିଛ ଏହି ବ୍ରହ୍ମାଙ୍କ ରଥର ଭ୍ରୃକୁଟୀ ମଝିରେ ଶିବବାବା ବସିଛନ୍ତି, ସିଏ ସର୍ବଦା ପବିତ୍ର ଅଟନ୍ତି । ତାଙ୍କର ଏହି ଆଶା ରହୁଛି ଯେ ମୋର ପିଲାମାନେ ମଧ୍ୟ ପବିତ୍ର ଗୋରା ହୋଇଯାଆନ୍ତୁ । କେବଳ ମୋତେ ମନେ ପକାଇ ପବିତ୍ର ହୋଇଯାଆନ୍ତୁ । ଆତ୍ମାକୁ କେବଳ ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ବାବା ମଧ୍ୟ ପିଲାମାନଙ୍କୁ ଦେଖି ଦେଖି ହର୍ଷିତ ହେଉଛନ୍ତି ଏବଂ ତୁମେ ପିଲାମାନେ ମଧ୍ୟ ବାବାଙ୍କୁ ଦେଖି ଦେଖି ଭାବୁଛ ଯେ ଆମେ ମଧ୍ୟ ପବିତ୍ର ହୋଇଯିବୁ । ତାହା ହେଲେ ଆମେ ପୁଣି ଏହି ଲକ୍ଷ୍ମୀ-ନାରାୟଣଙ୍କ ଭଳି ହୋଇଯିବୁ । ତେବେ ଏହି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ପିଲାମାନଙ୍କୁ ବହୁତ ଖବରଦାର ହୋଇ ମନେ ରଖିବାକୁ ହେବ । ଏମିତି ନୁହେଁ, ବାସ୍ ଆମେ ତ ବାବାଙ୍କ ନିକଟକୁ ଆସିଗଲୁ । ପୁଣି ଲୌକିକ ଘରକୁ ଯିବା ପରେ ନିଜ-ନିଜ କାର୍ଯ୍ୟଧନ୍ଦାରେ ଲାଗିଯାଉଛ, ସେଥିପାଇଁ ଏଠାରେ ବାବା ପିଲାମାନଙ୍କୁ ସମ୍ମୁଖରେ ବସି ବୁଝାଉଛନ୍ତି । ଭ୍ରୃକୁଟୀ ମଝିରେ ଆତ୍ମା ରହୁଛି । ଅକାଳ ଆତ୍ମାର ଏହା ହେଉଛି ସିଂହାସନ, ମୋର ସନ୍ତାନମାନେ ମଧ୍ୟ ନିଜର ଭ୍ରୃକୁଟୀ ମଝିରେ ବସିଛନ୍ତି । ଯେତେବେଳେ ଆତ୍ମା ନିଜେ ତମଃପ୍ରଧାନ ହୋଇଯାଇଛି ତେଣୁ ଶରୀର ମଧ୍ୟ ତମଃପ୍ରଧାନ ମିଳିଛି । ଏହି କଥାକୁ ବହୁତ ଭଲ ଭାବରେ ବୁଝିବାକୁ ହେବ । ଏପରି ଲକ୍ଷ୍ମୀ-ନାରାୟଣଙ୍କ ଭଳି ହୋଇଯିବା କିଛି ସହଜ କଥା ନୁହେଁ । ଏବେ ତୁମେ ଜାଣୁଛ ଯେ ଆମେ ୟାଙ୍କ ଭଳି ପବିତ୍ର ହେଉଛୁ । ତେବେ ଆତ୍ମା ପବିତ୍ର ହେଲେ ହିଁ ସ୍ୱର୍ଗକୁ ଯାଇପାରିବ, ପୁଣି ନିଜକୁ ଦେବୀ-ଦେବତା ବୋଲି କହିପାରିବେ । ଆମେ ଏହିଭଳି ସ୍ୱର୍ଗର ମାଲିକ ହେଉଛେ କିନ୍ତୁ ମାୟା ଏପରି ଯେ ଆମକୁ ଭୁଲାଇ ଦେଉଛି । କେହି କେହି ଏଠାରେ ଶୁଣି ବାହାରକୁ ଗଲା ପରେ ସବୁ କିଛି ଭୁଲିଯାଇଥାନ୍ତି, ସେଥିପାଇଁ ବାବା ଭଲ ଭାବରେ ନିଶ୍ଚୟ କରାଉଛନ୍ତି ଯେ - ନିଜକୁ ଦେଖ, ଏହି ଦେବତାମାନଙ୍କ ଭିତରେ ଯେତେ ଗୁଣ ଭରି ରହିଛି ତାହା ମୁଁ ଶ୍ରୀମତ ଅନୁସାରେ ଚାଲି ଧାରଣ କରିଛି କି? ଚିତ୍ର ମଧ୍ୟ ତୁମ ସମ୍ମୁଖରେ ଅଛି । ତୁମେ ଜାଣିଛ ଆମକୁ ଏହିଭଳି ହେବାକୁ ପଡିବ । ତେବେ ଏହିଭଳି ବାବା ହିଁ କରାଇବେ । ଅନ୍ୟ କେହି ବି ମନୁଷ୍ୟରୁ ଦେବତା କରିପାରିବେ ନାହିଁ । ଏକମାତ୍ର ବାବା ହିଁ କରାଉଛନ୍ତି । ଗାୟନ ମଧ୍ୟ ରହିଛି ମନୁଷ୍ୟ ସେ ଦେବତା... । ଏହି କଥାକୁ ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଜାଣିଛନ୍ତି । ଏକଥା ଭକ୍ତମାନେ ଜାଣି ନାହାଁନ୍ତି । ଯେ ପର୍ଯ୍ୟନ୍ତ ଭଗବାନଙ୍କ ଶ୍ରୀମତରେ ନ ଚାଲିଛନ୍ତି ସେ ପର୍ଯ୍ୟନ୍ତ କିଛି ବି ବୁଝିପାରିବେ ନାହିଁ । ତୁମେ ପିଲାମାନେ ଏବେ ତାଙ୍କଠାରୁ ଶ୍ରୀମତ ନେଉଛ । ଏକଥା ଭଲ ଭାବରେ ନିଜର ବୁଦ୍ଧିରେ ରଖ ଯେ ଆମେ ଶିବବାବାଙ୍କ ମତ ଅନୁସାରେ ତାଙ୍କୁ ମନେ ପକାଇ ପକାଇ ଏହିଭଳି ଦେବତା ହେଉଛୁ । ଯୋଗ ଦ୍ୱାରା ହିଁ ପାପ ଭସ୍ମ ହେବ, ପାପକୁ ଭସ୍ମ କରିବା ପାଇଁ ଆଉ କୌଣସି ଉପାୟ ନାହିଁ ।

ଲକ୍ଷ୍ମୀ-ନାରାୟଣ ତ ଗୋରା ଅଟନ୍ତି କିନ୍ତୁ ମନ୍ଦିରମାନଙ୍କରେ ଶ୍ୟାମଳ କରିଦେଇଛନ୍ତି । ରଘୁନାଥ ମନ୍ଦିରରେ ରାମଙ୍କୁ କଳା କରିଛନ୍ତି - କାହିଁକି? ଏକଥା କେହି ବି ଜାଣି ନାହାଁନ୍ତି । ଏକଥା ତ ବହୁତ ଛୋଟ । ରାମ ତ ହେଉଛନ୍ତି ତ୍ରେତାଯୁଗର । କେବଳ ଦୁଇ କଳାର ଫରକ ହୋଇଯାଉଛି । ବାବା ବୁଝାଉଛନ୍ତି - ଇଏ ଆରମ୍ଭରୁ ସତ୍ତ୍ୱପ୍ରଧାନ ଅର୍ଥାତ୍ ସୁନ୍ଦର ଥିଲେ । ପ୍ରଜାମାନେ ମଧ୍ୟ ସତ୍ତ୍ୱପ୍ରଧାନ ହେଉଛନ୍ତି କିନ୍ତୁ ଦଣ୍ଡ ଭୋଗ କରି ହୋଇଥାଆନ୍ତି । ଯେତେ ଅଧିକ ଦଣ୍ଡ ଭୋଗ କରିବେ ସେତେ କମ୍ ପଦ ପ୍ରାପ୍ତ ହେବ । ମେହନତ କରୁନାହାଁନ୍ତି ତ ପାପ ମଧ୍ୟ ଭସ୍ମ ହେଉ ନାହିଁ, ତେଣୁ ପଦ ମଧ୍ୟ କମ୍ ହୋଇଯାଉଛି । ବାବା ତ ସ୍ପଷ୍ଟ ଭାବରେ ବୁଝାଉଛନ୍ତି । ତୁମେ ଏଠାକୁ ଗୋରା ଅର୍ଥାତ୍ ପାବନ ହେବା ପାଇଁ ହିଁ ଆସିଛ । କିନ୍ତୁ ମାୟା ତୁମର ବହୁତ ବଡ ଶତ୍ରୁ, ଯିଏକି ତୁମକୁ କଳା ଅର୍ଥାତ୍ ପତିତ କରିଦେଇଛି । ସିଏ ଦେଖୁଛି ଗୋରା ଅର୍ଥାତ୍ ପବିତ୍ର କରୁଥିବା ବାବା ଆସିଗଲେଣି ତେଣୁ ସେ (ମାୟା) ବିରୋଧ କରୁଛି । ବାବା କହୁଛନ୍ତି ଡ୍ରାମା ଅନୁସାରେ ଏହାକୁ ତ ଅଧାକଳ୍ପ ପାଇଁ ପାର୍ଟ କରିବାକୁ ହେବ । ମାୟା ବାରମ୍ବାର ମୁହଁ ବୁଲାଇ ଅନ୍ୟ ଆଡକୁ ନେଇଯାଉଛି । ତେଣୁ କେହି କେହି ବାବାଙ୍କୁ ପତ୍ର ଲେଖୁଛନ୍ତି - ବାବା, ମାୟା ମୋତେ ବହୁତ ହଇରାଣ କରୁଛି । ବାବା କହୁଛନ୍ତି ଏହା ହିଁ ହେଉଛି ଯୁଦ୍ଧ । ତୁମେ ଗୋରାରୁ କଳା ପୁଣି କଳାରୁ ଗୋରା ହେଉଛ, ଏହା ହେଉଛି ଖେଳ । ତେବେ ବାବା ସେହିମାନଙ୍କୁ ବୁଝାଉଛନ୍ତି ଯେଉଁମାନେ ପୂରା ୮୪ ଜନ୍ମ ନେଇଛନ୍ତି । ସେହିମାନେ ହିଁ ପ୍ରଥମେ ଭାରତରେ ପାଦ ରଖୁଛନ୍ତି । ଏମିତି ବି ନୁହେଁ କି ଭାରତରେ ସମସ୍ତେ ୮୪ ଜନ୍ମ ନେଉଛନ୍ତି ।

ବର୍ତ୍ତମାନର ସମୟ ତୁମମାନଙ୍କ ପାଇଁ ବହୁତ ମୂଲ୍ୟବାନ । ତେଣୁ ପୂରା ପୁରୁଷାର୍ଥ କରିବା ଦରକାର କାରଣ ଆମକୁ ଏହି ଦେବତାମାନଙ୍କ ସଦୃଶ ହେବାକୁ ପଡିବ । ସେଥିପାଇଁ ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ ଏବଂ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ, କାହାକୁ ହେଲେ ବି ଦୁଃଖ ଦିଅ ନାହିଁ । ବାବା କହୁଛନ୍ତି - ପିଲାମାନେ, ବର୍ତ୍ତମାନ କେବେ ହେଲେ ଏଭଳି ଅବହେଳା କର ନାହିଁ । ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସାଥୀରେ ଲଗାଅ । ତୁମେ ପ୍ରତିଜ୍ଞା କରିଥିଲ ଯେ ଆମେ ଆପଣଙ୍କ ଉପରେ ସମର୍ପଣ ହେବୁ । ତୁମେ ଜନ୍ମ-ଜନ୍ମାନ୍ତର ଧରି ପ୍ରତିଜ୍ଞା କରି ଆସିଛ -- ବାବା, ଆପଣ ଆସିଲେ ଆମେ ଆପଣଙ୍କ ମତ ଅନୁସାରେ ହିଁ ଚାଲିବୁ, ପବିତ୍ର ହୋଇ ଦେବତା ହୋଇଯିବୁ । ଆଚ୍ଛା, ଯଦି ତୁମର ଯୁଗଳ ତୁମକୁ ସହଯୋଗ କରୁନାହିଁ ତେବେ ତୁମେ ନିଜେ ନିଜର ପୁରୁଷାର୍ଥ କର । ଯଦି ଯୁଗଳ ସାଥ ଦେଉନାହିଁ ଅର୍ଥାତ୍ ଜ୍ଞାନରେ ଚାଲୁନାହିଁ ତେବେ ସତ୍ୟଯୁଗରେ ସିଏ ତୁମ ସାଥିରେ ଆସିବ ନାହିଁ । ଯିଏ ଯେତେ ବାବାଙ୍କୁ ମନେ ପକାଉଥିବ, ଦୈବୀଗୁଣ ଧାରଣ କରିଥିବ, ସେହିମାନଙ୍କର ହିଁ ସତ୍ୟଯୁଗରେ ଯୋଡି ହେବ । ଯେପରି ଦେଖ ବ୍ରହ୍ମା ସରସ୍ୱତୀ ବହୁତ ଭଲ ପୁରୁଷାର୍ଥୀ ତେଣୁ ତାଙ୍କର ଯୋଡି ହେଉଛି । ଅମୁକ ବହୁତ ଭଲ ସେବା କରୁଛନ୍ତି, ଯୋଗରେ ରହୁଛନ୍ତି, ଏହା ମଧ୍ୟ ଭଲ ଗୁଣ ନା । ଗୋପ (ଭାଇ) ମାନଙ୍କ ଭିତରେ ମଧ୍ୟ ବହୁତ ଭଲ ଭଲ ଅଛନ୍ତି । କେହି କେହି ନିଜେ ବି ଜାଣିପାରନ୍ତି ଯେ ମାୟାର ଆକର୍ଷଣ ହେଉଛି । ଏହି ବନ୍ଧନ ତୁଟୁ ହିଁ ନାହିଁ । ବାରମ୍ବାର ନାମ ରୂପର ବନ୍ଧନରେ ଫସାଇ ଦେଉଛି । ତେଣୁ ବାବା କହୁଛନ୍ତି ନାମ ରୂପରେ ଫସିଯାଅ ନାହିଁ । ମୋତେ ମନେ ପକାଅ ନା । ଯେମିତି ତୁମେ ନିରାକାର, ସେମିତି ମୁଁ ମଧ୍ୟ ନିରାକାର । ମୁଁ ତୁମକୁ ନିଜ ସମାନ କରୁଛି । କାରଣ ଶିକ୍ଷକ ନିଜ ସମାନ କରିବେ ନା । ଯେମିତି ଡାକ୍ତର, ଅନ୍ୟମାନଙ୍କୁ ଡାକ୍ତର ହିଁ କରିବେ । ଇଏ ତ ବେହଦର ବାବା ଅଟନ୍ତି, ଯିଏକି ବହୁତ ପ୍ରସିଦ୍ଧ ଅଟନ୍ତି । ସମସ୍ତେ ତାଙ୍କୁ ଡାକୁଛନ୍ତି - ହେ ପତିତ ପାବନ ଆସ । ଆତ୍ମା ହିଁ ଶରୀର ଦ୍ୱାରା ଡାକୁଛି - ବାବା ଏଠାକୁ ଆସ, ଆସି ଆମକୁ ପବିତ୍ର କର । ତୁମେ ଜାଣିଛ ବାବା ଆମକୁ କିପରି ପବିତ୍ର କରୁଛନ୍ତି । ଯେମିତି ହୀରାରେ ମଧ୍ୟ କଳା ଦାଗ ଥାଏ, ସେମିତି ଆତ୍ମାରେ ମଧ୍ୟ ଦାଗ ଲାଗିଛି । ସେହି ଦାଗକୁ ବାହାର କରି ଆତ୍ମା ପୁଣି ପବିତ୍ର ସୁନା ହେଉଛି । କାରଣ ଆତ୍ମାକୁ ବହୁତ ପବିତ୍ର ହେବାର ଅଛି । ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତ ସମ୍ମୁଖରେ ଅଛି । ଅନ୍ୟ ସତସଙ୍ଗରେ ଏମିତି କେବେହେଲେ କହିବେ ନାହିଁ ।

ବାବା କହୁଛନ୍ତି - ତୁମର ଉଦ୍ଦେଶ୍ୟ ହେଲା ମନୁଷ୍ୟରୁ ଦେବତା ହେବା । ଏକଥା ମଧ୍ୟ ତୁମେ ଜାଣିଛ ଯେ ଆମେ ଡ୍ରାମା ଅନୁସାରେ ଅଧାକଳ୍ପ ରାବଣର ସଂଗରେ ରହି ବିକାରୀ ହୋଇଯାଇଛୁ, ଏବେ ଏହିଭଳି ଦେବତା ହେବାକୁ ପଡିବ । ତୁମ ପାଖରେ ବ୍ୟାଚ୍ ମଧ୍ୟ ଅଛି । ତାଉପରେ ବୁଝାଇବା ମଧ୍ୟ ବହୁତ ସହଜ । ଇଏ ହେଉଛନ୍ତି ତ୍ରିମୂର୍ତ୍ତୀ । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ହେଉଛି କିନ୍ତୁ ବ୍ରହ୍ମା ତ କିଛି କରୁନାହାଁନ୍ତି । ସେ ତ ପତିତରୁ ପବିତ୍ର ହେଉଛନ୍ତି । ମନୁଷ୍ୟମାନଙ୍କୁ ତ ଜଣାନାହିଁ ଯେ ଇଏ ପତିତରୁ ହିଁ ପବିତ୍ର ହେଉଛନ୍ତି । ଏବେ ତୁମେ ପିଲାମାନେ ବୁଝୁଛ ଯେ ଏହି ପାଠପଢାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବହୁତ ଉଚ୍ଚ । ବାବା ବର୍ତ୍ତମାନ ତୁମକୁ ପାଠପଢାଇବା ପାଇଁ ଆସୁଛନ୍ତି । ଜ୍ଞାନ ତ ବାବାଙ୍କ ନିକଟରେ ହିଁ ଅଛି, ସିଏ କାହାଠାରୁ ପଢି ନାହାଁନ୍ତି । ଡ୍ରାମାର ପ୍ଲାନ ଅନୁସାରେ ୟାଙ୍କ ଭିତରେ ଜ୍ଞାନ ରହିଛି । ଏମିତି କୁହାଯାଇପାରିବ ନାହିଁ ଯେ ବାବାଙ୍କ ଭିତରେ ଏତେ ଜ୍ଞାନ କେଉଁଠୁ ଆସିଲା? ନା । ବାବା ତ ଜ୍ଞାନର ସାଗର ଅଟନ୍ତି । ସିଏ ହିଁ ତୁମକୁ ପତିତରୁ ପାବନ କରୁଛନ୍ତି । ମନୁଷ୍ୟମାନେ ତ ପାବନ ହେବା ପାଇଁ ଗଙ୍ଗା ଆଦିରେ ସ୍ନାନ କରିବାରେ ଲାଗିଛନ୍ତି । ସମୁଦ୍ରରେ ମଧ୍ୟ ସ୍ନାନ କରିଚାଲିଛନ୍ତି । ପୁଣି ସମୁଦ୍ରକୁ ଦେବତା କହି ପୂଜା ମଧ୍ୟ କରିଥାଆନ୍ତି । ବାସ୍ତବରେ ନଦୀରେ ପ୍ରବାହ ତ ସର୍ବଦା ରହିଥାଏ, ତାର କେବେହେଲେ ସମାପ୍ତି ହୁଏ ନାହିଁ । କିନ୍ତୁ ଆଦି କାଳରେ ନଦୀ ମଧ୍ୟ ନିୟମ ଅନୁସାରେ ପ୍ରବାହମାନ ହେଉଥିଲା । ବନ୍ୟା ଇତ୍ୟାଦିର କଥା ନ ଥିଲା । କେବେ ମନୁଷ୍ୟ ବନ୍ୟାରେ ବୁଡିଯାଉ ନ ଥିଲେ । ସତ୍ୟଯୁଗରେ ତ ମନୁଷ୍ୟ ଅଳ୍ପ ସଂଖ୍ୟାରେ ଥାନ୍ତି । ପୁଣି ଧୀରେ ଧୀରେ ବୃଦ୍ଧି ହୋଇଥାଏ । କଳିଯୁଗର ଶେଷ ସମୟରେ କେତେ କୋଟି-କୋଟି ସଂଖ୍ୟକ ମନୁଷ୍ୟ ହୋଇଯାଉଛନ୍ତି । ସତ୍ୟଯୁଗରେ ତ ଆୟୁଷ ମଧ୍ୟ ବଡ ରହିଥାଏ । ତେବେ ସେଠାରେ କେତେ କମ୍ ସଂଖ୍ୟକ ମନୁଷ୍ୟ ଥିବେ । ପୁଣି ୨୫୦୦ ବର୍ଷ ଭିତରେ କେତେ ବୃଦ୍ଧି ହୋଇଯାଉଛି । ବୃକ୍ଷର କେତେ ବିସ୍ତାର ହୋଇଯାଉଛି । ପ୍ରଥମେ ପ୍ରଥମେ ଭାରତରେ କେବଳ ଆମମାନଙ୍କର ରାଜ୍ୟ ଚାଲିଥିଲା । ତୁମମାନଙ୍କ ଭିତରେ ମଧ୍ୟ କାହାର କାହାର ଏକଥା ସ୍ମୃତିରେ ଆସୁଥିବ ଯେ ଆମେ ହିଁ ନିଜର ରାଜ୍ୟ ସ୍ଥାପନ କରୁଛୁ । ଆମେ ହେଉଛୁ ଆତ୍ମିକ ଯୋଦ୍ଧା, ଯୋଗବଳବାଲା, ଏକଥା ମଧ୍ୟ କେବେ କେବେ ଭୁଲିଯାଉଛନ୍ତି । ଆମେ ମାୟା ସହିତ ଯୁଦ୍ଧ କରୁଛୁ । ବର୍ତ୍ତମାନ ଏହି ସତ୍ୟଯୁଗୀ ରାଜଧାନୀର ସ୍ଥାପନା ହେଉଛି । ତେବେ ଯେତେ ଯେତେ ବାବାଙ୍କୁ ମନେ ପକାଇବ ସେତେ ବିଜୟୀ ହେବ । ଏହା ହିଁ ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଏହି ବ୍ରହ୍ମାଙ୍କ ଦ୍ୱାରା ବାବା ଆମକୁ ଏହିଭଳି ଦେବତା କରୁଛନ୍ତି । ତେବେ ପୁଣି ଆମକୁ କଣ କରିବା ଦରକାର? ବାବାଙ୍କୁ ମନେ ପକାଇବା ଦରକାର । ଇଏ (ବ୍ରହ୍ମା) ତ ମଧ୍ୟସ୍ଥି ଅଟନ୍ତି । ଗାୟନ ମଧ୍ୟ ରହିଛି ଯେ ଯେତେବେଳେ ଦଲାଲ୍ ରୂପରେ ସତଗୁରୁ ମିଳିଲେ । ବାବା ବ୍ରହ୍ମାଙ୍କ ଶରୀରର ଆଧାର ନେଉଛନ୍ତି ତେଣୁ ଏହି ବ୍ରହ୍ମା ଦଲାଲ ହେଲେ ନା । ଇଏ ତୁମମାନଙ୍କର ସମ୍ବନ୍ଧ ଶିବବାବାଙ୍କ ସହିତ ଯୋଡୁଛନ୍ତି । ବାକି ନିର୍ବନ୍ଧ ଆଦିର ନାମ ନେବା ଅନୁଚିତ୍ । ଶିବବାବା ଏହି ବ୍ରହ୍ମାଙ୍କ ଦ୍ୱାରା ଆମ ଆତ୍ମାମାନଙ୍କୁ ପବିତ୍ର କରୁଛନ୍ତି । କହୁଛନ୍ତି ପିଲାମାନେ - ମୋତେ ମନେ ପକାଅ । ତୁମେ ତ ଏପରି କହିପାରିବ ନାହିଁ ଯେ ମୋତେ ମନେ ପକାଅ । ତୁମେମାନେ ପୁଣି ବାବା ଦେଉଥିବା ଜ୍ଞାନକୁ ଅନ୍ୟମାନଙ୍କୁ ଶୁଣାଉଛ । ଏକଥା ମଧ୍ୟ ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି । ଆଗକୁ ଗଲେ ବହୁତଙ୍କୁ ନିଜ କର୍ମର ସାକ୍ଷାତ୍‌କାର ହେବ ପୁଣି ହୃଦୟ ବିଦିର୍ଣ୍ଣ ହେବ । ତେଣୁ ବାବା କହୁଛନ୍ତି ଏବେ ସମୟ ବହୁତ କମ୍ ଅଛି । ଏହି ଆଖିରେ ତୁମେ ବିନାଶ ଦେଖିବ । ଯେତେବେଳେ ରିହରସଲ୍ ହେବ ତେବେ ତୁମେ ଦେଖିବ ଏପରି ବିନାଶ ହେବ । ଏହି ଆଖିରେ ମଧ୍ୟ ବହୁତ ଦେଖିବେ । ବହୁତଙ୍କୁ ବୈକୁଣ୍ଠର ମଧ୍ୟ ସାକ୍ଷାତ୍‌କାର ହେବ । ଏ ସବୁ ବହୁତ ଜଲଦି ହୋଇ ଚାଲିବ । ଜ୍ଞାନମାର୍ଗରେ ସବୁକିଛି ବାସ୍ତବିକ ହୋଇଥାଏ । କିନ୍ତୁ ଭକ୍ତିମାର୍ଗରେ ସବୁ କିଛି ନକଲି । ସେମାନେ କେବଳ ସାକ୍ଷାତ୍‌କାର କରିଥାନ୍ତି କିନ୍ତୁ ସେହିଭଳି ହେଉନାହାଁନ୍ତି । ତୁମେମାନେ ତ ସେହିଭଳି ହେଉଛ । ଯାହା ସବୁ ପ୍ରଥମରୁ ସାକ୍ଷାତ୍‌କାର କରିଥିଲ ତାହା ସବୁ ପୁଣି ଏହି ଆଖିରେ ଦେଖିବ । ବିନାଶକୁ ଦେଖିବା କୌଣସି ଖେଳର କଥା ନୁହେଁ । ଯାହାକି ଅବର୍ଣ୍ଣନୀୟ । ପରସ୍ପର ମଧ୍ୟରେ ଘୋର ରକ୍ତପାତ ହେବ । ଦୁଇ ହାତରେ ତାଳି ବାଜିବ ନା! ଦୁଇ ଭାଇଙ୍କୁ ଅର୍ଥାତ୍ ହିନ୍ଦୁ ମୁସଲମାନଙ୍କୁ ଅଲଗା କରିଦେଇଥାଆନ୍ତି - ପରସ୍ପର ମଧ୍ୟରେ ଲଢେଇ କର । ଏହିଭଳି ଡ୍ରାମା ତିଆରି ହୋଇଛି । ଏହି ରହସ୍ୟକୁ ତ ସେମାନେ ଜାଣନ୍ତି ନାହିଁ । ଦୁଇ ଜଣଙ୍କୁ ଅଲଗା କରିଦେବା ଦ୍ୱାରା ସେମାନେ ପରସ୍ପର ମଧ୍ୟରେ ଲଢେଇ କରିବେ ଏବଂ ସେମାନଙ୍କର ଗୋଳା ବାରୁଦ ବିକ୍ରି ହେବ, ତେବେ ସେମାନଙ୍କର ରୋଜଗାର ହେବ ନା । କିନ୍ତୁ ଶେଷ ସମୟରେ ଏହି ଗୋଳା ବାରୁଦା ଇତ୍ୟାଦି ଦ୍ୱାରା କାମ ଚଳିବ ନାହିଁ । ଘରେ ବସି ବୋମା ପକାଇବେ ଯାହା ଦ୍ୱାରା ବିନାଶ ହୋଇଯିବ । ସେଥିରେ ନା ମନୁଷ୍ୟମାନଙ୍କର ଅର୍ଥାତ୍ ସେନା ବାହିନୀର ନା ହାତ ହତିଆରର ଆବଶ୍ୟକତା ପଡିବ । ତେଣୁ ବାବା ବୁଝାଉଛନ୍ତି - ପିଲାମାନେ, ସ୍ଥାପନା ତ ନିଶ୍ଚିତ ହେବ । ତେଣୁ ଯିଏ ଯେତେ ପୁରୁଷାର୍ଥ କରିବେ ସେତେ ଉଚ୍ଚ ପଦ ପ୍ରାପ୍ତ କରିବେ । ବାବା ତ ବହୁତ ବୁଝାଉଛନ୍ତି ଏବଂ କହୁଛନ୍ତି - ଏହି କାମ ବିକାରର ବଶୀଭୂତ ହୁଅ ନାହିଁ । କାମ ବିକାର ଉପରେ ବିଜୟ ପ୍ରାପ୍ତ କରି ଜଗତଜୀତ୍ ହେବାକୁ ପଡିବ । ଶେଷରେ କାହାକୁ ତ ତୀର ନିଶ୍ଚିତ ଲାଗିବ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏହି ସମୟ ବହୁତ ମୂଲ୍ୟବାନ ଅଟେ, ଏବେ ହିଁ ପୁରୁଷାର୍ଥ କରି ବାବାଙ୍କ ଉପରେ ସମ୍ପୂର୍ଣ୍ଣ ସମର୍ପିତ ହେବାକୁ ପଡିବ, ଦୈବୀଗୁଣ ଧାରଣ କରିବାକୁ ପଡିବ । ଏବେ ଆଉ କୌଣସି ଭୁଲ୍ କରିବାର ନାହିଁ । ଏକମାତ୍ର ବାବାଙ୍କର ମତ ଅନୁସାରେ ହିଁ ଚାଲିବାକୁ ପଡିବ ।

(୨) ନିଜର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ବହୁତ ସାବଧାନତା ପୂର୍ବକ ଚାଲିବାକୁ ହେବ । ଆତ୍ମାକୁ ସତ୍ତ୍ୱପ୍ରଧାନ ପବିତ୍ର କରିବାର ବହୁତ ମେହନତ କରିବାକୁ ହେବ । ଆତ୍ମାରେ ଯେଉଁ ସବୁ ଦାଗ ରହିଛି ସେଗୁଡିକୁ ଯାଞ୍ଚ କରି ବାହାର କରିଦେବାକୁ ହେବ ।

ବରଦାନ:-
ବ୍ରାହ୍ମଣ ଜୀବନରେ ସବୁ ମୂହୁର୍ତ୍ତରେ ସୁଖମୟ ସ୍ଥିତିର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ହୁଅ ।

ପବିତ୍ରତାକୁ ହିଁ ସୁଖ-ଶାନ୍ତିର ଜନନୀ କୁହାଯାଏ । ତେଣୁ ଯେ କୌଣସି ପ୍ରକାରର ଅପବିତ୍ରତା ଦୁଃଖ-ଅଶାନ୍ତିର ଅନୁଭବ କରାଇଥାଏ । ବ୍ରାହ୍ମଣ ଜୀବନର ଅର୍ଥ ହେଲା ସବୁ ମୂହୁର୍ତ୍ତରେ ସୁଖମୟ ସ୍ଥିତିରେ ରହିବା । ଚାହେଁ ଦୁଃଖଦ ବାତାବରଣ ଭିତରେ ମଧ୍ୟ ରହିଥାଅ କିନ୍ତୁ ଯେଉଁଠି ପବିତ୍ରତାର ଶକ୍ତି ଅଛି ସେଠାରେ ଦୁଃଖର ଅନୁଭବ ହୋଇପାରିବ ନାହିଁ । ତେବେ ପବିତ୍ର ଆତ୍ମାମାନେ ମାଷ୍ଟର ସୁଖକର୍ତ୍ତା ହୋଇ ଦୁଃଖକୁ ମଧ୍ୟ ଆତ୍ମିକ ସୁଖର ବାତାବରଣରେ ପରିବର୍ତ୍ତନ କରିଦିଅନ୍ତି ।

ସ୍ଲୋଗାନ:-
ସାଧନଗୁଡିକୁ ପ୍ରୟୋଗ କରିବା ସହିତ ସାଧନାକୁ ବୃଦ୍ଧି କରି ଚାଲିବା ହିଁ ବେହଦର ବୈରାଗ୍ୟ ବୃତ୍ତି ।