16.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯିଏ
ସମସ୍ତଙ୍କର ସଦ୍ଗତିଦାତା, ଜୀବନମୁକ୍ତି ଦାତା ଅଟନ୍ତି, ସିଏ ତୁମମାନଙ୍କର ପିତା ଏବଂ ତୁମେମାନେ
ତାଙ୍କର ସନ୍ତାନ, ତେଣୁ ତୁମ ଭିତରେ କେତେ ନିଶା ରହିବା ଉଚିତ୍ ।”
ପ୍ରଶ୍ନ:-
କେଉଁ
ସନ୍ତାନମାନଙ୍କ ବୁଦ୍ଧିରେ ବାବାଙ୍କର ସ୍ମୃତି ନିରନ୍ତର ସ୍ଥାୟୀ ହୋଇ ରହିପାରିବ ନାହିଁ?
ଉତ୍ତର:-
ଯାହାଙ୍କ ଭିତରେ ସମ୍ପୂର୍ଣ୍ଣ ନିଶ୍ଚୟ ନାହିଁ ସେମାନଙ୍କ ବୁଦ୍ଧିରେ ବାବାଙ୍କର ସ୍ମୃତି ସ୍ଥାୟୀ
ଭାବରେ ରହିପାରିବ ନାହିଁ । ଆମକୁ କିଏ ରାଜଯୋଗ ଶିଖାଉଛନ୍ତି, ଏକଥା ଜାଣିନାହାଁନ୍ତି ତେଣୁ ଯୋଗ
କାହାକୁ କରିବେ! ଯେଉଁମାନେ ଯଥାର୍ଥ ରୂପରେ ବାବାଙ୍କୁ ଜାଣି ମନେ ପକାଉଛନ୍ତି ସେହିମାନଙ୍କର ହିଁ
ବିକର୍ମ ବିନାଶ ହେଉଛି, ବର୍ତ୍ତମାନ ବାବା ନିଜେ ଆସି ନିଜର ଏବଂ ନିଜ ଘରର ଯଥାର୍ଥ ପରିଚୟ
ଦେଉଛନ୍ତି ।
ଓମ୍ ଶାନ୍ତି ।
ଓମ୍ ଶାନ୍ତିର
ଅର୍ଥ ସର୍ବଦା ପିଲାମାନଙ୍କର ମନେ ରହିଥିବ । ଆମେ ଆତ୍ମା, ଆମର ଘର ନିର୍ବାଣଧାମ ଅଥବା ବ୍ରହ୍ମଲୋକ
। ବାକି ଭକ୍ତିମାର୍ଗରେ ମନୁଷ୍ୟମାନେ ଯାହାକିଛି ବି ପୁରୁଷାର୍ଥ କରୁଛନ୍ତି, ଜାଣି ନାହାଁନ୍ତି ଯେ
ସେମାନେ କୁଆଡେ ଯିବେ । ସୁଖ ଏବଂ ଦୁଃଖ କେଉଁଥିରେ ଅଛି, କିଛି ହେଲେ ଜଣାନାହିଁ । ଯଜ୍ଞ, ତପ,
ଦାନ, ପୁଣ୍ୟ, ତୀର୍ଥ ଆଦି କରି ସିଡି ତଳକୁ ଓହ୍ଲାଇ ଆସିଛନ୍ତି । ଏବେ ତୁମମାନଙ୍କୁ ଜ୍ଞାନ ମିଳୁଛି,
ତେଣୁ ଭକ୍ତି କରିବା ବନ୍ଦ ହୋଇଯାଉଛି । ଘଣ୍ଟା, ଝାଞ୍ଜ, ମୃଦଙ୍ଗ ଆଦି ସବୁର ବାତାବରଣ ମଧ୍ୟ ବନ୍ଦ
। ନୂଆ ଏବଂ ପୁରୁଣା ଦୁନିଆ ଭିତରେ ଫରକ ରହିଛି ନା । ନୂଆ ଦୁନିଆକୁ ପବିତ୍ର ଦୁନିଆ କୁହାଯିବ ।
ତୁମମାନଙ୍କ ବୁଦ୍ଧିରେ ବର୍ତ୍ତମାନ ଅଛି, ସୁଖଧାମକୁ ସ୍ୱର୍ଗ, ଦୁଃଖଧାମକୁ ନର୍କ କୁହାଯାଉଛି ।
ମନୁଷ୍ୟ ଶାନ୍ତି ଚାହୁଁଛନ୍ତି, କିନ୍ତୁ ସେଠାକୁ କେହି ହେଲେ ଯାଇପାରିବେ ନାହିଁ । ବାବା କହୁଛନ୍ତି
- ମୁଁ ଯେ ପର୍ଯ୍ୟନ୍ତ ଭାରତକୁ ନ ଆସିଛି ସେ ପର୍ଯ୍ୟନ୍ତ ତୁମେ ସନ୍ତାନମାନେ ମୋ ବିନା ସେଠାକୁ
ଯାଇପାରିବ ନାହିଁ । ଭାରତରେ ହିଁ ଶିବଜୟନ୍ତୀର ଗାୟନ କରାଯାଇଛି । ତେବେ ନିରାକାର ନିଶ୍ଚିତ
ସାକାର ଶରୀରରେ ଆସିବେ ନା! ଶରୀର ବିନା ଆତ୍ମା କ’ଣ କିଛି କରିପାରିବ? ଶରୀର ବିନା ଆତ୍ମା କେବଳ
ଏଣେତେଣେ ଘୁରି ବୁଲିଥାଏ । କେବେ କେବେ ଅନ୍ୟ ଶରୀରରେ ମଧ୍ୟ ପ୍ରବେଶ କରିଯାଏ । କେହି କେହି ଭଲ
ଆତ୍ମା ହୋଇଥାଆନ୍ତି, କେହି ଚଞ୍ଚଳ ହୋଇଥା’ନ୍ତି, ଏକଦମ୍ ହାଏ ହାଏ କରିଦେଇଥା’ନ୍ତି । ତେବେ
ଆତ୍ମାକୁ ନିଶ୍ଚିତ ଶରୀର ଦରକାର । ସେହିପରି ପରମପିତା ପରମାତ୍ମା ମଧ୍ୟ ଯଦି ଶରୀର ଧାରଣ ନ କରିବେ
ତେବେ ଭାରତକୁ ଆସି କ’ଣ କରିବେ? ଭାରତ ହିଁ ଅବିନାଶୀ ଖଣ୍ଡ ଅଟେ । ସତ୍ୟଯୁଗରେ ଏକମାତ୍ର
ଭାରତଖଣ୍ଡ ହିଁ ରହିବ । ଆଉ ସବୁ ଖଣ୍ଡ ବିନାଶ ହୋଇଯିବ । ଗାୟନ ମଧ୍ୟ କରୁଛନ୍ତି ଆଦି ସନାତନ
ଦେବୀ-ଦେବତା ଧର୍ମ ଥିଲା, ଏମାନେ ପୁଣି ଆଦି ସନାତନ ହିନ୍ଦୁ ଧର୍ମ କହି ଦେଉଛନ୍ତି, ବାସ୍ତବରେ
ଆରମ୍ଭରେ କେହି ହିନ୍ଦୁ ନଥିଲେ, ସେତେବେଳେ ଦେବୀ ଦେବତାମାନେ ଥିଲେ । ୟୁରୋପବାସୀ ନିଜକୁ
ଖ୍ରୀଷ୍ଟିୟାନ କହିଥା’ନ୍ତି । ସେମାନେ ୟୁରୋପିଅନ୍ ଧର୍ମ ବୋଲି କେବେ କହିବେ ନାହିଁ । ଏହି
ହିନ୍ଦୁସ୍ଥାନର ବାସୀନ୍ଦା ନିଜ ଧର୍ମକୁ ହିନ୍ଦୁ ଧର୍ମ କହିଦେଉଛନ୍ତି । ଯେଉଁମାନେ ଦୈବୀ ଧର୍ମରେ
ଶ୍ରେଷ୍ଠ ଥିଲେ, ସେହିମାନେ ହିଁ ୮୪ ଜନ୍ମରେ ଆସି ଧର୍ମ ଭ୍ରଷ୍ଟ ହୋଇଯାଇଛନ୍ତି । ଯେଉଁମାନେ ଦେବତା
ଧର୍ମର ହୋଇଥିବେ ସେହିମାନେ ହିଁ ଏଠାକୁ ଆସିବେ । ଯଦି ନିଶ୍ଚୟ ନାହିଁ ତେବେ ବୁଝିଯାଅ ଯେ ସିଏ ଏହି
ଧର୍ମର ନୁହେଁ । ଯଦିଓ ଏଠାରେ ବସିବେ କିନ୍ତୁ କିଛି ବୁଝିପାରିବେ ନାହିଁ । ନଚେତ୍ ସେଠାରେ କୌଣସି
ପ୍ରଜା ପଦ ଅଥବା ତା’ଠାରୁ କମ ପଦଧାରୀ ହୋଇଥିବେ । ସୁଖ-ଶାନ୍ତି ତ ସମସ୍ତେ ଚାହୁଁଛନ୍ତି । ତାହା
ତ କେବଳ ସତ୍ୟଯୁଗରେ ହିଁ ହେବ । କିନ୍ତୁ ସେଠାକୁ ସମସ୍ତେ ଯାଇପାରିବେ ନାହିଁ । ଅନ୍ୟ ସବୁ ଧର୍ମର
ଆତ୍ମାମାନେ ନିଜ ନିଜର ସମୟ ଅନୁସାରେ ଆସୁଛନ୍ତି । ଅନେକ ଧର୍ମ ରହିଛି, ସୃଷ୍ଟି ରୂପି ବୃକ୍ଷର
ବୃଦ୍ଧି ହୋଇ ଚାଲିଛି । ମୂଳ ଧର୍ମ ହେଲା ଦେବୀ-ଦେବତା ଧର୍ମ । ପୁଣି ୩ଟି ଟିୟୁବ ଅର୍ଥାତ୍ ଶାଖା
ଅଛି । ସ୍ୱର୍ଗରେ ଏମାନେ ରହିବେ ନାହିଁ । ଦ୍ୱାପରର ଆରମ୍ଭରୁ ନୂଆ ଧର୍ମ ସବୁ ବାହାରିଥାଏ, ଏହାକୁ
ଭେରାଇଟୀ ହ୍ୟୁମନ୍ ଟ୍ରି କୁହାଯାଉଛି । ବିରାଟ ରୂପ ଅଲଗା, ଏହା ଭେରାଇଟୀ ଧର୍ମର ବୃକ୍ଷ । ଏଠାରେ
ଭିନ୍ନ ଭିନ୍ନ ପ୍ରକାରର ମନୁଷ୍ୟମାନେ ରହିଛନ୍ତି । ତୁମେମାନେ ଜାଣୁଛ କେତୋଟି ଧର୍ମ ରହିଛି ।
ସତ୍ୟଯୁଗ ଆରମ୍ଭରେ ଗୋଟିଏ ଧର୍ମ ଥିଲା, ଦୁନିଆ ନୂଆ ଥିଲା । ବିଦେଶୀମାନେ ମଧ୍ୟ ଜାଣିଛନ୍ତି,
ଭାରତ ହିଁ ପ୍ରାଚୀନ ସ୍ୱର୍ଗ ଥିଲା, ଭାରତ ବହୁତ ସାହୁକାର ଥିଲା । ସେଥିପାଇଁ ଭାରତକୁ ବହୁତ
ସମ୍ମାନ ମିଳୁଛି । କେହି କେହି ସାହୁକାର, ଗରିବମାନଙ୍କ ଉପରେ ଦୟା କରିଥା’ନ୍ତି । ବିଚରା ଭାରତ
କ’ଣ ହୋଇଗଲାଣି! ଏହା ମଧ୍ୟ ଡ୍ରାମାର ପାର୍ଟ ରହିଛି । କୁହାଯାଏ ସବୁଠାରୁ ଅଧିକ ଦୟାଶୀଳ ହେଉଛନ୍ତି
ଈଶ୍ୱର ଏବଂ ସେ ଭାରତକୁ ହିଁ ଆସୁଛନ୍ତି । ଗରୀବ ଉପରେ ନିଶ୍ଚିତ ସାହୁକାର ହିଁ ଦୟା କରିବେ ନା ।
ବାବା ହେଉଛନ୍ତି ବେହଦର ସାହୁକାର, ଯିଏକି ଉଚ୍ଚରୁ ଉଚ୍ଚ କରୁଛନ୍ତି । ତୁମେମାନେ ଏବେ କାହାର
ସନ୍ତାନ ହୋଇଛ ସେହି ନିଶା ରହିବା ଉଚିତ୍ । ଗର୍ବ ଅନୁଭବ କରିବା ଉଚିତ୍ । ପରମପିତା ପରମାତ୍ମା
ଶିବଙ୍କର ଆମେ ସନ୍ତାନ, ଯାହାଙ୍କୁ ମୁକ୍ତି-ଜୀବନମୁକ୍ତି ଦାତା, ସଦ୍ଗତି ଦାତା କହୁଛନ୍ତି ।
ପ୍ରଥମେ ଜୀବନମୁକ୍ତି ସତ୍ୟଯୁଗରେ ହେବ । ଏଠାରେ ଜୀବନବନ୍ଧନ ହୋଇଯାଇଛି । ଭକ୍ତିମାର୍ଗରେ ସମସ୍ତେ
ଡାକୁଛନ୍ତି ବାବା ବନ୍ଧନରୁ ମୁକ୍ତ କର । ଏବେ ତୁମେମାନେ ଡାକିପାରିବ ନାହିଁ ।
ତୁମେମାନେ ଜାଣିଛ, ଜ୍ଞାନର ସାଗର ବାବା ଅଟନ୍ତି, ବିଶ୍ୱର ଇତିହାସ-ଭୂଗୋଳର ସାରାଂଶକୁ ବୁଝାଉଛନ୍ତି
। ସିଏ ଜ୍ଞାନର ଭଣ୍ଡାର ଅଟନ୍ତି । ଇଏ ତ ନିଜେ କହୁଛନ୍ତି ଯେ, ମୁଁ ଭଗବାନ ନୁହେଁ । ତୁମମାନଙ୍କୁ
ଦେହରୁ ଅଲଗା ଦେହୀ-ଅଭିମାନୀ ହେବାକୁ ପଡିବ । ସାରା ଦୁନିଆ ସହିତ ନିଜର ଶରୀରକୁ ମଧ୍ୟ ଭୁଲିବାକୁ
ପଡିବ । ଇଏ (ବ୍ରହ୍ମା) ଭଗବାନ ନୁହଁନ୍ତି । ଏହାଙ୍କୁ ବାପଦାଦା କୁହାଯାଉଛି । ବାବା ହେଉଛନ୍ତି
ଉଚ୍ଚରୁ ଉଚ୍ଚ । ଏହା ହେଉଛି ପତିତ ପୁରୁଣା ଶରୀର । ଜଣଙ୍କର ହିଁ ମହିମା ହେଉଛି । ତାଙ୍କ ସହିତ
ଯୋଗ ଲଗାଇଲେ ହିଁ ଆତ୍ମା ପବିତ୍ର ହେବ, ନଚେତ୍ କେବେ ପବିତ୍ର ହୋଇପାରିବ ନାହିଁ ଏବଂ ପରେ
ହିସାବ-କିତାବ ଚୁକ୍ତ କରି ଦଣ୍ଡ ଭୋଗ କରି ଘରକୁ ଚାଲିଯିବ । ଭକ୍ତିମାର୍ଗରେ ହମ ସୋ, ସୋ ହମ୍ର
ଅର୍ଥ ଶୁଣିଆସିଛ । ଆମେ ଆତ୍ମା ହିଁ ପରମପିତା ପରମାତ୍ମା, ସୋ ହମ୍ ଆତ୍ମା ଏହି-ମିଛ ମନ୍ତ୍ର
ପରମାତ୍ମାଙ୍କଠାରୁ ବିମୁଖ କରାଇଛି । ବାବା କହୁଛନ୍ତି - ସନ୍ତାନମାନେ, ପରମାତ୍ମା ହିଁ ଆତ୍ମା
ଏପରି କହିବା, ବିଲ୍କୁଲ୍ ଭୁଲ୍ । ଏବେ ତୁମମାନଙ୍କୁ ବର୍ଣ୍ଣର ରହସ୍ୟ ମଧ୍ୟ ବୁଝାଯାଉଛି । ଆମେ
ଏବେ ବ୍ରାହ୍ମଣ ହୋଇଛୁ ପୁଣି ଦେବତା ହେବା ପାଇଁ ପୁରୁଷାର୍ଥ କରୁଛୁ । ପୁଣି ଆମେ ଦେବତା ହୋଇ
କ୍ଷତ୍ରିୟ ବର୍ଣ୍ଣକୁ ଆସିବୁ । ଏକଥା ଆଉ କାହାକୁ ଜଣା ନାହିଁ - ଆମେ କିପରି ୮୪ ଜନ୍ମ ନେଉଛୁ ।
କେଉଁ କୂଳରେ ଜନ୍ମ ନେଉଛୁ? ତୁମେମାନେ ଏବେ ବୁଝୁଛ ଯେ ଆମେ ବ୍ରାହ୍ମଣ, ବାବା ତ’ ବ୍ରାହ୍ମଣ
ହୁଅନ୍ତି ନାହିଁ । ତୁମେମାନେ ହିଁ ଏହି ବର୍ଣ୍ଣରେ ଆସୁଛ । ଏବେ ବ୍ରାହ୍ମଣ ଧର୍ମରେ ଆମକୁ ଗ୍ରହଣ
କରିଛନ୍ତି । ଶିବବାବାଙ୍କ ଦ୍ୱାରା ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହୋଇଛ । ଏକଥା ମଧ୍ୟ ଜାଣିଛ,
ନିରାକାରୀ ଆତ୍ମାମାନେ ଅସଲି ଈଶ୍ୱରୀୟ କୂଳର ଅଟନ୍ତି । ଯେଉଁମାନେ କି ନିରାକାରୀ ଦୁନିଆରେ
ରହୁଛନ୍ତି । ପୁଣି ସାକାରୀ ଦୁନିଆକୁ ଆସୁଛନ୍ତି । ପାର୍ଟ କରିବା ପାଇଁ ଏଠାକୁ ଆସିବାକୁ ପଡୁଛି ।
ସେଠାରୁ ଆସି ତୁମେ ଦେବତା କୂଳରେ ୮ ଜନ୍ମ ନେଉଛ, ପୁଣି କ୍ଷତ୍ରିୟ, ବୈଶ୍ୟ କୂଳକୁ ଆସୁଛ । ବାବା
ବୁଝାଉଛନ୍ତି, ତୁମେମାନେ ଏତେ ଜନ୍ମ ଦୈବୀକୂଳ ଏବଂ ଏତେ ଜନ୍ମ କ୍ଷତ୍ରିୟ କୂଳରେ ଜନ୍ମ ନେଉଛ । ଏହା
୮୪ ଜନ୍ମର ଚକ୍ର ଅଟେ । ତୁମମାନଙ୍କ ବ୍ୟତୀତ ଏହି ଜ୍ଞାନ ଆଉ କାହାକୁ ମିଳିପାରିବ ନାହିଁ । ଯିଏ
ଏହି ଧର୍ମର ହୋଇଥିବେ ସିଏ ଏଠାକୁ ଆସିବେ । ରାଜଧାନୀ ସ୍ଥାପନ ହେଉଛି । କେହି ରାଜା-ରାଣୀ କେହି
ପ୍ରଜା ହେବେ, ସୂର୍ଯ୍ୟବଂଶୀ ଲକ୍ଷ୍ମୀ-ନାରାୟଣ ଦି ଫାଷ୍ଟ, ସେକେଣ୍ଡ, ଥାର୍ଡ ଏହିପରି ରାଜଗଦି
ଚାଲିଥାଏ । ଏହିପରି କଥା ବାବା ବୁଝାଉଛନ୍ତି । ଜ୍ଞାନର ସାଗର ଶିବବାବା ଏଠାକୁ ଆସୁଛନ୍ତି ତେଣୁ
ଭକ୍ତି ସମାପ୍ତ ହୋଇଯାଉଛି । ରାତି ଶେଷ ହୋଇ ଦିନ ହେଉଛି । ସେଠାରେ କୌଣସି ପ୍ରକାରର ଧୋକା ହେବ
ନାହିଁ । କେବଳ ଆରାମ ହିଁ ଆରାମ ରହିଛି । କୌଣସି ହଙ୍ଗାମା ନାହିଁ । ଏହିପରି ମଧ୍ୟ ଡ୍ରାମା
କରାଯାଇଛି । ଭକ୍ତିମାର୍ଗ ସମୟରେ ହିଁ ବାବା ଆସୁଛନ୍ତି । ସମସ୍ତଙ୍କୁ ଘରକୁ ନିଶ୍ଚିତ ଯିବାକୁ
ହେବ-ପୁଣି କ୍ରମଅନୁସାରେ ଏହି ସୃଷ୍ଟିକୁ ଓହ୍ଲାଇଥା’ନ୍ତି । ଖ୍ରୀଷ୍ଟ ଆସିଲେ ପୁଣି ତାଙ୍କର
ଧର୍ମାବଲମ୍ବୀମାନେ ମଧ୍ୟ ଆସିବେ । ଏବେ ଦେଖ କେତେ ଖ୍ରୀଷ୍ଟିୟାନ୍ ଅଛନ୍ତି । ଯୀଶୁ ହେଲେ
ଖ୍ରୀଷ୍ଟଧର୍ମର ବୀଜ । ଏହି ଦେବୀ-ଦେବତା ଧର୍ମର ବୀଜ ହେଲେ ପରମପିତା ପରମାତ୍ମା ଶିବ । ଯିଏକି
ସେହି ଧର୍ମର ସ୍ଥାପନା କରୁଛନ୍ତି । ତୁମମାନଙ୍କୁ ବ୍ରାହ୍ମଣ ଧର୍ମରେ କିଏ ଆଣିଲେ? ବାବା ପୋଷ୍ୟ
କରୁଛନ୍ତି, ତାଙ୍କଠାରୁ ଛୋଟ ବ୍ରାହ୍ମଣ ଧର୍ମର ସୃଷ୍ଟି ହେଉଛି । ବ୍ରାହ୍ମଣମାନଙ୍କ ଚୁଟୀର ଗାୟନ
ରହିଛି । ଏହା ଚିହ୍ନ ହେଉଛି ଚୋଟୀର (ଶୀର୍ଷସ୍ଥାନର), ପୁଣି ତଳକୁ ଆସିଲେ ଶରୀରର ବୃଦ୍ଧି
ହୋଇଚାଲିଥାଏ । ଏ ସବୁ କଥା ବାବା ବସି ବୁଝାଉଛନ୍ତି । ଯେଉଁ ବାବା କଲ୍ୟାଣକାରୀ ଅଟନ୍ତି ସେ ହିଁ
ଏଠାକୁ ଆସି ଭାରତର କଲ୍ୟାଣ କରୁଛନ୍ତି । ସବୁଠାରୁ ଅଧିକ କଲ୍ୟାଣ ତୁମମାନଙ୍କର ହିଁ କରୁଛନ୍ତି ।
ତୁମେମାନେ କ’ଣ ଥିଲ ପୁଣି କ’ଣ ହେଉଛ । ତୁମେମାନେ ଅମରଲୋକର ମାଲିକ ହୋଇଯାଉଛ । ଏବେ ତୁମେ କାମ
ଉପରେ ବିଜୟ ପ୍ରାପ୍ତ କରୁଛ । ସେଠାରେ ଅକାଳମୃତ୍ୟୁ ହୁଏ ନାହିଁ । ମୃତ୍ୟୁର ନାମ ହିଁ ରହିବ ନାହିଁ
। ବାକି ଶରୀର ବଦଳାଇବେ ନା । ଯେପରି ସର୍ପ ପୁରୁଣା କାତି ଛଡାଇ ଆଉ ଗୋଟିଏ ନେଇଥାଏ । ଏଠାରେ
ମଧ୍ୟ ତୁମେମାନେ ଏହି ପୁରୁଣା ଶରୀର ଛାଡି ନୂଆ ଦୁନିଆରେ ନୂଆ ଶରୀର ନେବ । ସତ୍ୟଯୁଗକୁ ଗାର୍ଡନ
ଅଫ୍ ଫ୍ଲାୱାରସ୍ କୁହାଯାଉଛି । ସେଠାରେ କେହି କୁବଚନ କହିବେ ନାହିଁ । ଏଠାରେ କୁସଙ୍ଗ ହିଁ ମିଳୁଛି
। ମାୟାର ସଙ୍ଗ ଅଟେ ନା । ସେଥିପାଇଁ ଏହାର ନାମ ହେଉଛି ରୌରବ ନର୍କ । ଘରବାଡି ପୁରୁଣା ହେଲେ
ମ୍ୟୁନ୍ସିପାଲଟି ଲୋକେ ପୂର୍ବରୁ ହିଁ ଖାଲି କରାଇ ଦେଇଥା’ନ୍ତି । ବାବା ମଧ୍ୟ କହୁଛନ୍ତି ଦୁନିଆ
ପୁରୁଣା ହେଲେ ମୁଁ ଆସୁଛି ।
ଜ୍ଞାନ ଦ୍ୱାରା ସଦ୍ଗତି ହୋଇଥାଏ । ଏଠାରେ ରାଜଯୋଗର ଶିକ୍ଷା ଦିଆଯାଉଛି । ଭକ୍ତିରେ କିଛି ନାହିଁ
। ହଁ ଭକ୍ତିରେ ଦାନ-ପୁଣ୍ୟ କରିଥା’ନ୍ତି ଯାହାଦ୍ୱାରା ଅଳ୍ପ କାଳର ସୁଖ ମଧ୍ୟ ମିଳିଥାଏ ।
ରାଜାମାନଙ୍କୁ ମଧ୍ୟ ସନ୍ନ୍ୟାସୀମାନେ ବୈରାଗ୍ୟ କରାଇଥା’ନ୍ତି, କିନ୍ତୁ ଏହା ତ କାକ ବିଷ୍ଠା ସମାନ
ସୁଖ ଅଟେ । ଏବେ ତୁମମାନଙ୍କୁ ବେହଦର ବୈରାଗ୍ୟ ଶିଖାଯାଉଛି । ଏହା ପୁରୁଣା ଦୁନିଆ, ଏବେ ସୁଖଧାମକୁ
ମନେ ପକାଅ । ପୁଣି ଶାନ୍ତିଧାମକୁ ଯାଇ ଏଠାକୁ ଆସିବାକୁ ହେବ । ଦିଲ୍ୱାଡା ମନ୍ଦିରରେ ତୁମର
ବର୍ତ୍ତମାନ ସମୟର ସ୍ମୃତି ଚିହ୍ନ ଅବିକଳ ରହିଛି । ତଳେ ତପସ୍ୟାରେ ବସିଛନ୍ତି, ଉପରେ ସ୍ୱର୍ଗର
ସ୍ମାରକୀ ଅଛି । ନଚେତ୍ ସ୍ୱର୍ଗ କେଉଁଠାରେ ଦେଖାଇବେ । ମନୁଷ୍ୟ ମୃତ୍ୟୁବରଣ କରିଲେ କହିଥା’ନ୍ତି
ସ୍ୱର୍ଗକୁ ଗଲା । ତେଣୁ ସମସ୍ତେ ଭାବୁଛନ୍ତି ସ୍ୱର୍ଗ ଉପରେ ଅଛି କିନ୍ତୁ ଉପରେ କିଛି ହେଲେ ନାହିଁ
। ଭାରତ ହିଁ ସ୍ୱର୍ଗ ଏବଂ ନର୍କ ହେଉଛି । ଯାହାର ସମ୍ପୂର୍ଣ୍ଣ ସ୍ମୃତି ଚିହ୍ନ ଏହି ମନ୍ଦିର ଅଟେ
। ଏହି ମନ୍ଦିର ସବୁ ପରେ ନିର୍ମାଣ ହେଉଛି । ସ୍ୱର୍ଗରେ କେହି ବି ଭକ୍ତି କରିବେ ନାହିଁ । ସେଠାରେ
କେବଳ ସୁଖ ହିଁ ସୁଖ ରହିଛି । ବାବା ଆସି ସବୁ ରହସ୍ୟକୁ ବୁଝାଉଛନ୍ତି । ଆଉ ସବୁ ଆତ୍ମାମାନଙ୍କର
ନାମ ବଦଳୁଛି, ଶିବଙ୍କର ନାମ ବଦଳୁନାହିଁ । କାରଣ ତାଙ୍କର ନିଜର ଶରୀର ନାହିଁ । ତେବେ ଶରୀର ବିନା
ପାଠ କିପରି ପଢାଇବେ! ବାସ୍ତବରେ ପ୍ରେରଣାର କୌଣସି କଥା ହିଁ ନାହିଁ । ପ୍ରେରଣା ଅର୍ଥ ବିଚାର ।
ଏପରି ନୁହେଁ, ଉପରୁ ପ୍ରେରଣା କରିବେ ଏବଂ ପହଞ୍ଚିଯିବେ, ଏଥିରେ ପ୍ରେରଣାର କୌଣସି କଥା ନାହିଁ ।
ଯେଉଁ ସନ୍ତାନମାନଙ୍କ ପାଖରେ ବାବାଙ୍କର ପୂରା ପରିଚୟ ନାହିଁ, ପୂରା ନିଶ୍ଚୟ ନାହିଁ ସେମାନଙ୍କର
ବୁଦ୍ଧିରେ ବାବାଙ୍କର ସ୍ମୃତି ମଧ୍ୟ ରହିବ ନାହିଁ । ଆମକୁ ଶିକ୍ଷା କିଏ ଦେଉଛନ୍ତି, ଏକଥା ଯଦି ନ
ଜାଣିବେ ତେବେ ସ୍ମରଣ କାହାକୁ କରିବେ? ବାବାଙ୍କୁ ସ୍ମରଣ କରିଲେ ହିଁ ତୁମମାନଙ୍କର ବିକର୍ମ ବିନାଶ
ହେବ । ଯିଏ ଜନ୍ମ-ଜନ୍ମାନ୍ତର ଶିବଲିଙ୍ଗକୁ ମନେ ପକାଇ ଆସିଛନ୍ତି, ଭାବୁଛନ୍ତି ଇଏ ପରମାତ୍ମା, ଏହା
ତାଙ୍କର ଚିହ୍ନ ଅଟେ, ସେ ହେଲେ ନିରାକାର, ସାକାର ନୁହଁନ୍ତି । ବାବା କହୁଛନ୍ତି ମୋତେ ମଧ୍ୟ
ପ୍ରକୃତିର ଆଧାର ନେବାକୁ ପଡୁଛି ନଚେତ୍ ତୁମମାନଙ୍କୁ ସୃଷ୍ଟିଚକ୍ରର ରହସ୍ୟକୁ କିପରି ବୁଝାଇବି !
ଏହା ହେଉଛି ଆତ୍ମିକ ଜ୍ଞାନ । ଆତ୍ମାମାନଙ୍କୁ ହିଁ ଏହି ଜ୍ଞାନ ମିଳୁଛି ଏବଂ ଏହି ଜ୍ଞାନ ମଧ୍ୟ
ଏକମାତ୍ର ବାବା ହିଁ ଦେଇପାରିବେ । ପୁନର୍ଜନ୍ମ ତ ନେବାକୁ ହିଁ ପଡିବ । ସମସ୍ତ ଅଭିନେତାମାନଙ୍କୁ
ପାର୍ଟ ମିଳିଛି । ନିର୍ବାଣକୁ କେହି ହେଲେ ଯାଇପାରିବେ ନାହିଁ । ମୋକ୍ଷ କେହି ବି ପାଇପାରିବେ ନାହିଁ
। ଯିଏ ନମ୍ବରୱାନ୍ ବିଶ୍ୱର ମାଲିକ ସିଏ ମଧ୍ୟ ୮୪ ଜନ୍ମର ଚକ୍ରରେ ଆସୁଛନ୍ତି । ସମସ୍ତଙ୍କୁ ଚକ୍ର
ନିଶ୍ଚିତ ଲଗାଇବାକୁ ହେବ । ମନୁଷ୍ୟମାନେ ଭାବୁଛନ୍ତି ମୋକ୍ଷ ନିଶ୍ଚିତ ମିଳିଥାଏ, କେତେ
ମତ-ମତାନ୍ତର ରହିଛି । ଏବେ ସଂଖ୍ୟା ବୃଦ୍ଧି ହୋଇ ଚାଲିଛି । ମଝିରେ ଘରକୁ କେହି ଯାଉ ନାହାଁନ୍ତି
। କେବଳ ବାବା ହିଁ ୮୪ ଜନ୍ମର କାହାଣୀ କହୁଛନ୍ତି । ଏବେ ତୁମମାନଙ୍କୁ ପାଠପଢି ପୁଣି ଅନ୍ୟମାନଙ୍କୁ
ମଧ୍ୟ ପଢାଇବାକୁ ହେବ । ଏହି ଜ୍ଞାନ ତୁମମାନଙ୍କ ବ୍ୟତୀତ କେହି ଦେଇପାରିବେ ନାହିଁ । ଶୂଦ୍ର
କିମ୍ବା ଦେବତାମାନେ ମଧ୍ୟ ଦେଇପାରିବେ ନାହିଁ । ସତ୍ୟଯୁଗରେ କାହାର ଦୁର୍ଗତି ହେବ ନାହିଁ ଯାହା
ପାଇଁ ଜ୍ଞାନର ଦରକାର ହେବ । ଏହି ଜ୍ଞାନ କେବଳ ସଦ୍ଗତି ପାଇଁ ଉଦ୍ଧିଷ୍ଟ । ସଦ୍ଗତିଦାତା
ଲିବରେଟର୍ ଗାଇଡ୍ ଜଣେ ହିଁ ଅଟନ୍ତି । ଯୋଗର ଯାତ୍ରା ବିନା କେହି ପବିତ୍ର ହୋଇପାରିବେ ନାହିଁ ।
ଦଣ୍ଡ ନିଶ୍ଚିତ ଭୋଗ କରିବାକୁ ପଡିବ ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ସମସ୍ତଙ୍କର ହିସାବ-କିତାବ
ଚୁକ୍ତ ନିଶ୍ଚିତ ହେବ । ତୁମମାନଙ୍କୁ ତୁମରି କଥା ହିଁ ବୁଝାଉଛନ୍ତି, ଅନ୍ୟ ଧର୍ମକୁ ଯିବାର କୌଣସି
ଆବଶ୍ୟକତା ହିଁ ନାହିଁ । ଭାରତବାସୀମାନଙ୍କୁ ହିଁ ଏହି ଜ୍ଞାନ ମିଳୁଛି । ବାବା ଭାରତକୁ ଆସି ୩ଟି
ଧର୍ମର ସ୍ଥାପନା କରୁଛନ୍ତି । ଏବେ ତୁମମାନଙ୍କୁ ଶୁଦ୍ର ଧର୍ମରୁ ପରିବର୍ତ୍ତନ କରି ଉଚ୍ଚ କୂଳକୁ
ନେଇଯାଉଛନ୍ତି । ତାହା ହେଉଛି ନୀଚ ପତିତ କୂଳ, ଏବେ ସମସ୍ତଙ୍କୁ ପବିତ୍ର କରିବା ପାଇଁ ତୁମେ
ବ୍ରାହ୍ମଣମାନେ ନିମିତ୍ତ ହୋଇଛ । ଏହାକୁ ରୁଦ୍ର ଜ୍ଞାନ ଯଜ୍ଞ କୁହାଯାଉଛି । ରୁଦ୍ର ଶିବବାବା ଏହି
ଯଜ୍ଞ ରଚନା କରିଛନ୍ତି, ଏହି ବେହଦ ଯଜ୍ଞରେ ସାରା ପୁରୁଣା ଦୁନିଆର ଆହୁତି ପଡିବ । ପୁଣି ନୂଆ
ଦୁନିଆର ସ୍ଥାପନା ହୋଇଯିବ, ଏବଂ ଏହି ପୁରୁଣା ଦୁନିଆ ସମାପ୍ତ ହେବ । ତୁମେମାନେ ଏହି ଜ୍ଞାନ ନୂଆ
ଦୁନିଆ ପାଇଁ ନେଉଛ । ଦେବତାମାନଙ୍କର ଛାଇ ମଧ୍ୟ ଏହି ପୁରୁଣା ଦୁନିଆରେ ପଡିନଥାଏ । ତୁମେମାନେ
ଜାଣିଛ, କଳ୍ପ ପୂର୍ବରୁ ଯେଉଁମାନେ ଆସିଥିଲେ ସେହିମାନେ ଆସି ଏହି ଜ୍ଞାନ ନେବେ । ପୁରୁଷାର୍ଥର
କ୍ରମଅନୁସାରେ ପାଠ ପଢିବେ । ମନୁଷ୍ୟ ଏହିଠାରେ ହିଁ ଶାନ୍ତି ଚାହୁଁଛନ୍ତି । ତେବେ ତ ହେଉଛି
ଶାନ୍ତିଧାମର ବାସିନ୍ଦା । ବାକି ଏଠାରେ କିପରି ଶାନ୍ତି ହୋଇପାରିବ । ବର୍ତ୍ତମାନ ଘରେ-ଘରେ
ଅଶାନ୍ତି ରହିଛି । ଏହା ରାବଣ ରାଜ୍ୟ ଅଟେ ନା । ସତ୍ୟଯୁଗରେ ବିଲ୍କୁଲ୍ ଶାନ୍ତିର ରାଜ୍ୟ ହେବ ।
ଏକ ଧର୍ମ, ଏକ ଭାଷା ହେବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପୁରୁଣା
ଦୁନିଆରୁ ବେହଦର ବୈରାଗୀ ହୋଇ ନିଜ ଦେହକୁ ମଧ୍ୟ ଭୁଲି ଶାନ୍ତିଧାମ ଏବଂ ସୁଖଧାମକୁ ସ୍ମରଣ କରିବାକୁ
ହେବ । ନିଶ୍ଚୟ ବୁଦ୍ଧି ହୋଇ ଯୋଗର ଯାତ୍ରାରେ ରହିବାକୁ ହେବ ।
(୨) ହମ୍ ସୋ, ସୋ ହମ୍ର
ମନ୍ତ୍ରକୁ ଯଥାର୍ଥ ଭାବରେ ବୁଝି ଏବେ ବ୍ରାହ୍ମଣରୁ ଦେବତା ହେବାର ପୁରୁଷାର୍ଥ କରିବାକୁ ହେବ ।
ସମସ୍ତଙ୍କୁ ଏହାର ଯଥାର୍ଥ ଅର୍ଥ ବୁଝାଇବାକୁ ପଡିବ ।
ବରଦାନ:-
ଅନ୍ତର୍ମୁଖତାର
ଅଭ୍ୟାସ ଦ୍ୱାରା ଅଲୌକିକ ଭାଷାକୁ ବୁଝିପାରୁଥିବା ସଦା ସଫଳତା ସମ୍ପନ୍ନ ଆତ୍ମା ଭବ ।
ଯେତେଯେତେ ତୁମେ
ପିଲାମାନେ ଅନ୍ତର୍ମୁଖୀ ହୋଇ ଗହନ ଶାନ୍ତିର ସ୍ୱରୂପରେ ସ୍ଥିତ ହୋଇ ଚାଲିବ ସେହି ଅନୁସାରେ ନୟନର
ଭାଷା, ଭାବନାର ଭାଷା ଏବଂ ସଂକଳ୍ପର ଭାଷାକୁ ସହଜରେ ବୁଝିପାରିବ । ଏହି ତିନି ପ୍ରକାରର ଭାଷା ହିଁ
ଯୋଗୀ ଜୀବନର ଆତ୍ମିକ ଭାଷା ଅଟେ । ଏହି ଅଲୌକିକ ଭାଷା ଗୁଡିକ ବହୁତ ଶକ୍ତିଶାଳୀ ମଧ୍ୟ ଅଟେ । ସମୟ
ଅନୁସାରେ ଏହି ତିନି ପ୍ରକାରର ଭାଷା ଦ୍ୱାରା ହିଁ ସହଜରେ ସଫଳତା ପ୍ରାପ୍ତ ହେବ । ସେଥିପାଇଁ ଏବେ
ଏହିସବୁ ଆତ୍ମିକ ଭାଷାର ଅଭ୍ୟାସୀ ହୁଅ ।
ସ୍ଲୋଗାନ:-
ତୁମେମାନେ ଏତେ
ହାଲୁକା ହୋଇଯାଅ ଯାହାକି ବାବା ତୁମମାନଙ୍କୁ ନିଜର ନୟନର ପଲକ ଉପରେ ବସାଇ ସାଥିରେ ନେଇଯିବେ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ବର୍ତ୍ତମାନ ସମୟରେ ବିଶ୍ୱ
କଲ୍ୟାଣ କରିବାର ସହଜ ସାଧନ ହେଲା - ନିଜର ଶ୍ରେଷ୍ଠ ସଂକଳ୍ପର ଏକାଗ୍ରତା, ଏହାଦ୍ୱାରା ହିଁ ସର୍ବ
ଆତ୍ମାମାନଙ୍କର ଭଟକୁଥିବା ବୁଦ୍ଧିକୁ ଏକାଗ୍ର କରିପାରିବ । ବିଶ୍ୱର ସର୍ବ ଆତ୍ମାମାନେ ବିଶେଷ
ଭାବରେ ଏହି ଇଚ୍ଛା ରଖିଛନ୍ତି ଯେ - ଆମର ଏତେତେଣେ ଭଟକୁଥିବା ବୁଦ୍ଧି ଏକାଗ୍ର ହୋଇଯାଉ ବା ମନ
ଚଞ୍ଚଳତାରୁ ଏକାଗ୍ର ହୋଇଯାଉ, ସେଥିପାଇଁ ଏକାଗ୍ରତା ଅର୍ଥାତ୍ ସର୍ବଦା ଏକମାତ୍ର ବାବା ଦ୍ୱିତୀୟ
କେହି ନୁହେଁ, ଏହି ସ୍ମୃତିରେ ଏକରସ ସ୍ଥିତିରେ ସ୍ଥିତ ହେବାର ବିଶେଷ ଅଭ୍ୟାସ କର ।