17.04.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଯଦି ପବିତ୍ର ହେବ ତେବେ ଆତ୍ମିକ ସେବା କରିବାର ଯୋଗ୍ୟ ହୋଇପାରିବ, ଦେହୀ-ଅଭିମାନୀ ସନ୍ତାନମାନେ ନିଜେ ଆତ୍ମିକ ଯାତ୍ରାରେ ରହି ଅନ୍ୟମାନଙ୍କୁ ମଧ୍ୟ ଏହି ଯାତ୍ରା ଶିଖାଇଥା’ନ୍ତି । ’’

ପ୍ରଶ୍ନ:-
ସଂଗମଯୁଗରେ ତୁମେମାନେ ଯେଉଁ ରୋଜଗାର କରୁଛ, ତାହା ହିଁ ହେଉଛି ପ୍ରକୃତ ରୋଜଗାର - କିପରି?

ଉତ୍ତର:-
ବର୍ତ୍ତମାନର ରୋଜଗାର ୨୧ ଜନ୍ମ ପର୍ଯ୍ୟନ୍ତ ଚାଲିବ, ଏଥିରେ କେହି ଦେବାଳିଆ ହୁଅନ୍ତି ନାହିଁ । ଜ୍ଞାନ ଶୁଣିବା ଏବଂ ଶୁଣାଇବା, ଯୋଗ କରିବା ଏବଂ କରାଇବା - ଏହା ହିଁ ହେଉଛି ପ୍ରକୃତ ରୋଜଗାର । ଯାହାକୁ ସତ୍ୟ ପିତା ହିଁ ତୁମମାନଙ୍କୁ ଶିଖାଉଛନ୍ତି । ଏହିଭଳି ରୋଜଗାର ସାରା କଳ୍ପରେ ମଧ୍ୟ କେହି କରିପାରିବେ ନାହିଁ । ଅନ୍ୟ କୌଣସି ବି ରୋଜଗାର ସାଥିରେ ଯିବ ନାହିଁ ।

ଗୀତ:-
ହମେଁ ଉନ ରାହୋଁ ପର ଚଲନା ହୈ......

ଓମ୍ ଶାନ୍ତି ।
ଭକ୍ତିମାର୍ଗରେ ତ ପିଲାମାନେ ବହୁତ ଠୋକର ଖାଇଛନ୍ତି । ବହୁତ ଭାବନାର ସହିତ ତୀର୍ଥଯାତ୍ରା କରିବାକୁ ଯାଇଥା’ନ୍ତି, ରାମାୟଣ ଆଦି ଶୁଣିଥାନ୍ତି । ଏପରି ସ୍ନେହର ସହିତ କାହାଣୀ ଶୁଣନ୍ତି ଯେ, ଆଖିରେ ଲୁହ ଆସିଯାଇଥାଏ । ଆମ ଭଗବାନଙ୍କର ଭଗବତୀ ସୀତାଙ୍କୁ ରାବଣ ଡାକୁ ନେଇଗଲା । ଏ କଥା ଶୁଣିବା ସମୟରେ କାନ୍ଦିଥା’ନ୍ତି । ଏ ସବୁ ହେଲା ମନଗଢା କଥା, ଯେଉଁଥିରେ କିଛି ବି ଫାଇଦା ନାହିଁ । ସମସ୍ତେ ତାଙ୍କୁ ଡାକୁଛନ୍ତି - ହେ ପତିତ-ପାବନ ଆସ, ଆସି ଆମ ଦୁଃଖୀ ଆତ୍ମାମାନଙ୍କୁ ସୁଖୀ କର । ଏ କଥା ବୁଝୁ ନାହାଁନ୍ତି ଯେ, ଆତ୍ମା ଦୁଃଖୀ ହେଉଛି, କାରଣ ସେମାନେ ଆତ୍ମାକୁ ନିର୍ଲେପ ଅର୍ଥାତ୍ ପାପ ପୁଣ୍ୟ ପ୍ରଭାବରୁ ମୁକ୍ତ ବୋଲି କହି କହିଦେଉଛନ୍ତି । ଭାବୁଛନ୍ତି ଆତ୍ମା ସୁଖ ଦୁଃଖରୁ ଅଲଗା । ଏ କଥା କାହିଁକି କହୁଛନ୍ତି? ଭାବୁଛନ୍ତି - ପରମାତ୍ମା ସୁଖ ଦୁଃଖରୁ ଅଲଗା, ତେଣୁ ପିଲାମାନେ ସୁଖ ଦୁଃଖରେ କିପରି ଆସିବେ? ଏହି କଥାକୁ ବର୍ତ୍ତମାନ ପିଲାମାନେ ଜାଣୁଛନ୍ତି । ଏହି ଜ୍ଞାନ ମାର୍ଗରେ ମଧ୍ୟ କେବେ ଖରାପଗ୍ରହ ଆସୁଛି, କେବେ କିଛି ହୋଇଯାଉଛି । କେବେ ପ୍ରଫୁଲ୍ଲିତ ରହୁଛନ୍ତି, କେବେ ପୁଣି ଚେହେରା ଝାଉଁଳି ଯାଉଛି । ଏ ସବୁ ମାୟାର ଲଢେଇ । ତେଣୁ ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଯେତେବେଳେ ବେହୋସ ହୋଇଯାଇଥାଆନ୍ତି, ସେତେବେଳେ ସଞ୍ଜିବନୀ ବୁଟୀ ଦିଆଯାଏ ଏବଂ ସେହି ସଞ୍ଜିବନୀ ବୁଟୀ ହେଲା - ମନମନାଭବ । ଭକ୍ତିମାର୍ଗରେ ବହୁତ ଆଡମ୍ବର ରହିଛି । ଦେବତାମାନଙ୍କର ମୂର୍ତ୍ତିକୁ କେତେ ସୁସଜ୍ଜିତ କରିଥା’ନ୍ତି, ସଚ୍ଚା ଅଳଙ୍କାର ପିନ୍ଧାଇଥା’ନ୍ତି । ତେବେ ସେହି ଅଳଙ୍କାର ସବୁ ତ ଠାକୁରଙ୍କର ସମ୍ପତ୍ତି ଏବଂ ପରେ ପୁଣି ସେହି ସମ୍ପତ୍ତି ପୂଜାରୀ ଅଥବା ଟ୍ରଷ୍ଟିଙ୍କର ହୋଇଯାଏ । ତୁମେମାନେ ଜାଣିଛ ଯେ, ଆମେ ଚୈତନ୍ୟରେ ବହୁତ ହୀରାନୀଳାରେ ସଜ୍ଜିତ ହୋଇ ଥିଲୁ । ପୂଜାରୀ ହେଲା ପରେ ମଧ୍ୟ ବହୁତ ଅଳଙ୍କାର ପିନ୍ଧିଥିଲୁ । ଏବେ କିଛି ବି ନାହିଁ । ଚୈତନ୍ୟରେ ମଧ୍ୟ ପିନ୍ଧିଥିଲୁ ଏବଂ ଜଡ ରୂପରେ ମଧ୍ୟ ପିନ୍ଧୁଥିଲୁ, ଏବେ ତ କୌଣସି ଅଳଙ୍କାର ନାହିଁ । ଆମେ ବିଲକୁଲ ସାଧାରଣ ରହୁଛୁ । ବାବା କହୁଛନ୍ତି ମୁଁ ସାଧାରଣ ଶରୀରରେ ଆସୁଛି । କୌଣସି ରାଜକୀୟ ଚାକଚକ୍ୟ ନାହିଁ । ସନ୍ନ୍ୟାସୀମାନେ ମଧ୍ୟ ବହୁତ ଥାଟ୍‌ରେ ରହୁଛନ୍ତି ଅର୍ଥାତ୍ ଆଡମ୍ବର ଭିତରେ ରହୁଛନ୍ତି । ଏବେ ତୁମେମାନେ ବୁଝିଗଲଣି ଯେ, ବାସ୍ତବରେ ସତ୍ୟଯୁଗରେ ଆମେ ଆତ୍ମା କିପରି ପବିତ୍ର ଥିଲୁ । ସେଠାରେ ଆମର ଶରୀର ମଧ୍ୟ ପବିତ୍ର ଥିଲା । ତାଙ୍କର ସାଜସଜ୍ଜା ମଧ୍ୟ ବହୁତ ସୁନ୍ଦର ଥିଲା । କେହି ସୁନ୍ଦର ହୋଇଥିଲେ ତାଙ୍କର ସଜେଇ ହେବାରେ ବହୁତ ସଉକ ରହିଥାଏ । ତୁମେମାନେ ମଧ୍ୟ ଯେତେବେଳେ ବହୁତ ସୁନ୍ଦର ଥିଲ ସେତେବେଳେ ବହୁତ ଭଲ ଭଲ ଅଳଙ୍କାର ପିନ୍ଧୁଥିଲ । ହୀରାର ବଡ ବଡ ହାର ପିନ୍ଧୁଥିଲ । ଏଠାରେ ତ ସବୁ ବସ୍ତୁ ଶ୍ୟାମଳ ହୋଇଯାଇଛି । ଏଠାରେ ଗାଈ ମଧ୍ୟ ଶ୍ୟାମଳ ହୋଇଯାଇଛନ୍ତି । ବାବା ଯେତେବେଳେ ଶ୍ରୀନାଥ ମନ୍ଦିରକୁ ଯାଉଥିଲେ, ସେତେବେଳେ ବହୁତ ଭଲ ଭଲ ଗାଈ ଥିଲେ । ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ ଅଛି ଯେ, ଶ୍ରୀକୃଷ୍ଣଙ୍କର ବହୁତ ଭଲ ଭଲ ଗାଈ ଥିଲେ । ଏଠାରେ ତ ଦେଖ, କେତେ ପ୍ରକାରର ଗାଈ ଅଛନ୍ତି, କାହିଁକି ନା ଏହା କଳିଯୁଗ । ଏପରି ଗାଈ ସେଠାରେ ରହିବେ ନାହିଁ । ତୁମେମାନେ ବିଶ୍ୱର ମାଲିକ ହେଉଛ । ତୁମର ସାଜସଜ୍ଜା ମଧ୍ୟ ବହୁତ ସୁନ୍ଦର ହେବ । ବିଚାର କର - ସେଠାରେ ଗାଈ ତ ନିଶ୍ଚିତ ରହିବେ । ସେଠାକାର ଗାଈର ଗୋବର ମଧ୍ୟ କିପରି ହେବ । ସେଥିରେ କେତେ ଶକ୍ତି ରହିଥିବ । ଜମିକୁ ଖତ ଆବଶ୍ୟକ ନା । ଖତ ପକାଇଲେ ଭଲ ଶସ୍ୟ ହୋଇଥାଏ । ସେଠାରେ ସବୁ ଜିନିଷ ବହୁତ ଭଲ ଶକ୍ତିଶାଳୀ ହେବ । ଏଠାରେ ତ କୌଣସି ଜିନିଷରେ ଶକ୍ତି ନାହିଁ । ପ୍ରତ୍ୟେକ ଜିନିଷ ବିଲ୍‌କୁଲ୍ ଶକ୍ତିହୀନ ହୋଇଯାଇଛି । କନ୍ୟାମାନେ ସୂକ୍ଷ୍ମଲୋକକୁ ଯାଇ କେତେ ଭଲ-ଭଲ ବଡ ବଡ ଫଳ ଖାଉଥିଲେ, ଫଳରସ ଆଦି ପିଉଥିଲେ । ବାବା ସେ ସବୁର ସାକ୍ଷାତ୍‌କାର କରାଉଥିଲେ । ସେଠାରେ ମାଳି କିପରି ଫଳ ଆଦି କାଟିକରି ଦେଉଥିଲେ । ବାସ୍ତବରେ ସୂକ୍ଷ୍ମଲୋକରେ ତ ଫଳ ଆଦି ହୋଇପାରିବ ନାହିଁ । ଏ ସବୁର କେବଳ ସାକ୍ଷାତକାର ହୋଇଥାଏ । ବୈକୁଣ୍ଠ ତ ଏହିଠାରେ ହିଁ ହେବ ନା । ମନୁଷ୍ୟମାନେ ଭାବୁଛନ୍ତି, ବୈକୁଣ୍ଠ ଉପରେ ରହିଛି । ବୈକୁଣ୍ଠ ନା ସୂକ୍ଷ୍ମଲୋକରେ ନା ମୂଳଲୋକରେ ଥାଏ । ତାହା ତ ଏହିଠାରେ ହିଁ ହେବ । କନ୍ୟାମାନେ ଏଠାରେ ଯାହା ସବୁ ସାକ୍ଷାତ୍‌କାର କରୁଛନ୍ତି ତାହା ପୁଣି ଏହି ଆଖି ଦ୍ୱାରା ଦେଖିବେ । ଯେପରି ପଦବୀ ସେହି ଅନୁସାରେ ସାମଗ୍ରୀ ମଧ୍ୟ ରହିବ । ରାଜାମାନଙ୍କର ମହଲ ଦେଖ କେତେ ସୁନ୍ଦର ହୋଇଥାଏ । ଜୟପୁରରେ ବହୁତ ଭଲ-ଭଲ ମହଲ ତିଆରି ହୋଇଛି । ଲୋକମାନେ କେବଳ ମହଲ ଦେଖିବାକୁ ଯାଉଛନ୍ତି, ସେଥିପାଇଁ ମଧ୍ୟ ଟିକେଟ୍ କରିବାକୁ ପଡିଥାଏ । ସେହି ମହଲ ଖାସ ସେମାନେ ଦେଖିବା ପାଇଁ ରଖୁଛନ୍ତି । ନିଜେ ଅନ୍ୟ ମହଲରେ ରହିଥା’ନ୍ତି । ତାହା ପୁଣି ଏହି କଳିଯୁଗରେ । ଏହା ହେଉଛି ପତିତ ଦୁନିଆ । କିନ୍ତୁ କେହି ନିଜକୁ ପତିତ ବୋଲି ଭାବୁ ନାହାଁନ୍ତି । ତୁମେମାନେ ଏବେ ଜାଣୁଛ - ଆମେ ତ ପତିତ ଥିଲୁ, କୌଣସି କାମର ନ ଥିଲୁ ପୁଣି ଏବେ ଆମେମାନେ ଗୋରା ହେବାକୁ ଯାଉଛୁ । ସେହି ଦୁନିଆ ହିଁ ଫାଷ୍ଟକ୍ଳାସ୍ ହେବ । ଆମେରିକାରେ ଫାଷ୍ଟକ୍ଳାସ୍ ମହଲ ଥିଲେ ମଧ୍ୟ ସତ୍ୟଯୁଗ ତୁଳନାରେ ତାହା କିଛି ବି ନୁହେଁ, କାହିଁକି ନା ଏହା ଅଳ୍ପକାଳର ସୁଖ ଦେଉଛି । ସେଠାରେ ତ ଫାଷ୍ଟକ୍ଳାସ ମହଲ ହେବ । ଗାଈ ମଧ୍ୟ ଫାଷ୍ଟକ୍ଳାସ୍ ହେବେ । ସେଠାରେ ଗଉଡ ମଧ୍ୟ ରହିବେ । ଶ୍ରୀକୃଷ୍ଣଙ୍କୁ ଗଉଡ କୁହାଯାଇଥାଏ ନା । ଏଠାରେ ଯେଉଁମାନେ ଗାଈକୁ ସମ୍ଭାଳୁଛନ୍ତି, ସେମାନେ ନିଜକୁ ଗଉଡ କହୁଛନ୍ତି । କହୁଛନ୍ତି ଆମେ ଶ୍ରୀକୃଷ୍ଣଙ୍କ ବଂଶାବଳୀ ଅଟୁ । ବାସ୍ତବରେ ଶ୍ରୀକୃଷ୍ଣଙ୍କର ବଂଶାବଳୀ ବୋଲି କୁହାଯିବ ନାହିଁ, ଶ୍ରୀକୃଷ୍ଣଙ୍କ ରାଜଧାନୀର କୁହାଯିବ । ସାହୁକାରମାନଙ୍କ ପାଖରେ ଗାଈ ରହିବେ ଏବଂ ସେମାନଙ୍କୁ ସମ୍ଭାଳିବା ନିମନ୍ତେ ଗୁଜର ଅର୍ଥାତ୍ ଗଉଡ ମଧ୍ୟ ଥିବେ । ଏହି ଗୁଜର ନାମ ସତ୍ୟଯୁଗର । ଏହା କାଲିର କଥା । କାଲି ଆମେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲୁ, ଏବେ ପତିତ ହୋଇଯାଇଛୁ, ତେଣୁ ନିଜକୁ ହିନ୍ଦୁ କହିଦେଉଛୁ । ପଚାର, ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମର ନା ହିନ୍ଦୁ ଧର୍ମର ଅଟ? ଆଜିକାଲି ସମସ୍ତେ ନିଜକୁ ହିନ୍ଦୁ ବୋଲି ଲେଖିଦେଉଛନ୍ତି । ତେବେ ହିନ୍ଦୁ ଧର୍ମ କିଏ ସ୍ଥାପନ କରିଥିଲେ? ଦେବୀ-ଦେବତା ଧର୍ମ କିଏ ସ୍ଥାପନ କରିଥିଲେ? ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ବାବା ତୁମମାନଙ୍କୁ ଏହି ପ୍ରଶ୍ନ ପଚାରୁଛନ୍ତି, କୁହ, ଆଦି ସନାତନ ଦେବୀ ଦେବତା ଧର୍ମ କିଏ ସ୍ଥାପନ କରିଥିଲେ? ଶିବବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନ କରୁଛନ୍ତି । ରାମ ଅଥବା ଶିବବାବାଙ୍କ ଶ୍ରୀମତ ଅନୁସାରେ ଆଦି ସନାତନ ଦେବୀ-ଦେବତା ଧର୍ମ ସ୍ଥାପନ ହେଲା । ପୁଣି ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହୁଏ, ସେତେବେଳେ ବିକାରୀ ହୋଇଥା’ନ୍ତି । ଭକ୍ତିମାର୍ଗ ଆରମ୍ଭ ହୋଇଗଲେ ହିନ୍ଦୁ କହିବାରେ ଲାଗିପଡୁଛନ୍ତି । ଏବେ କେହି ବି ନିଜକୁ ଦେବତା କହିପାରିବେ ନାହିଁ । କାରଣ ରାବଣ ସମସ୍ତଙ୍କୁ ବିକାରୀ କରିଦେଇଛି, ପୁଣି ବାବା ଆସି ସମସ୍ତଙ୍କୁ ନିର୍ବିକାରୀ କରୁଛନ୍ତି । ତୁମେମାନେ ଈଶ୍ୱରୀୟ ମତ ଦ୍ୱାରା ଦେବତା ହେଉଛ । ବାବା ହିଁ ଆସି ତୁମ ବ୍ରାହ୍ମଣମାନଙ୍କୁ ଦେବତା କରୁଛନ୍ତି । ସିଢି କିପରି ଓହ୍ଲାଉଛନ୍ତି, ଏହା ତୁମମାନଙ୍କ ବୁଦ୍ଧିରେ କ୍ରମଅନୁସାରେ ରହିଛି । ତୁମେମାନେ ଜାଣିଛ, ଅନ୍ୟ ସବୁ ମନୁଷ୍ୟମାନେ ଆସୁରୀ ମତରେ ଚାଲୁଛନ୍ତି ଏବଂ ତୁମେମାନେ ଈଶ୍ୱରୀୟ ମତରେ ଚାଲୁଛ । ରାବଣର ମତରେ ଚାଲି ତୁମେମାନେ ସିଢି ଓହ୍ଲାଇ ଆସିଛ । ୮୪ ଜନ୍ମ ପରେ ପୁଣି ପ୍ରଥମ ନମ୍ବରର ଜନ୍ମ ହେବ । ଈଶ୍ୱରୀୟ ବୁଦ୍ଧି ଦ୍ୱାରା ତୁମେମାନେ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଯାଉଛ । ତୁମର ଜୀବନ ବହୁତ ଅମୂଲ୍ୟ ଅଟେ, ଏହାକୁ ହିଁ ଭାଗ୍ୟବାନ ଜୀବନ କୁହାଯିବ । ଯେତେବେଳେ କି ବାବା ଆସି ଆମମାନଙ୍କୁ ପାବନ କରୁଛନ୍ତି । ବର୍ତ୍ତମାନ ଆମେମାନେ ଆତ୍ମିକ ସେବା କରିବାର ଯୋଗ୍ୟ ହୋଇଛୁ । ଦୁନିଆରେ ଶାରୀରିକ ସମାଜ ସେବକମାନେ ଅଛନ୍ତି, ଯେଉଁମାନେ କି ଦେହ-ଅଭିମାନରେ ରହୁଛନ୍ତି । କିନ୍ତୁ ତୁମେମାନେ ଦେହୀ-ଅଭିମାନୀ ଅଟ । ଆତ୍ମାମାନଙ୍କୁ ଆତ୍ମିକ ଯାତ୍ରା ଶିଖାଉଛ । ବାବା ବୁଝାଉଛନ୍ତି, ତୁମେମାନେ ସତ୍ତ୍ୱପ୍ରଧାନ ଥିଲ, ଏବେ ତମୋପ୍ରଧାନ ହୋଇଯାଇଛ । ସତ୍ତ୍ୱପ୍ରଧାନକୁ ପାବନ ଏବଂ ତମୋପ୍ରଧାନକୁ ପତିତ କୁହାଯାଉଛି । ତେବେ ଆତ୍ମାରେ ହିଁ ଖାଦ ପଡିଛି । ତେଣୁ ଆତ୍ମାକୁ ହିଁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତେବେ ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ପବିତ୍ର ହେବ, ନଚେତ୍ କମ୍ ପବିତ୍ର ହେବ, ପାପର ବୋଝ ମୁଣ୍ଡ ଉପରେ ରହିଯିବ । ସବୁ ଆତ୍ମା ତ ପବିତ୍ର ହୋଇ ଯିବେ, ପୁଣି ପ୍ରତ୍ୟେକଙ୍କର ପାର୍ଟ ଅଲଗା ଅଲଗା ହୋଇଯିବ । ସମସ୍ତଙ୍କର ପାର୍ଟ ସମାନ ହୋଇପାରିବ ନାହିଁ । ସବୁଠାରୁ ଉଚ୍ଚ ହେଉଛି ବାବାଙ୍କର ପାର୍ଟ ପୁଣି ବ୍ରହ୍ମା-ସରସ୍ୱତୀଙ୍କର ମଧ୍ୟ କେତେ ପାର୍ଟ ରହିଛି । ଯିଏ ସ୍ଥାପନା କରୁଛନ୍ତି ସେ ପାଳନା ମଧ୍ୟ କରୁଛନ୍ତି । ତାଙ୍କର ପାର୍ଟ ସବୁଠାରୁ ଅଧିକ । ପ୍ରଥମେ ଶିବବାବା ପୁଣି ବ୍ରହ୍ମା-ସରସ୍ୱତୀ, ଯିଏକି ପୁନର୍ଜନ୍ମରେ ଆସୁଛନ୍ତି । ଶଙ୍କର ତ କେବଳ ସୂକ୍ଷ୍ମ ରୂପ ଧାରଣ କରୁଛନ୍ତି । ଏପରି ନୁହେଁ ଯେ, ଶଙ୍କର କୌଣସି ଶରୀରର ଲୋନ ନେଉଛନ୍ତି । ଶ୍ରୀକୃଷ୍ଣଙ୍କର ନିଜର ଶରୀର ଅଛି । ଏଠାରେ କେବଳ ଶିବବାବା ଶରୀରର ଲୋନ ନେଉଛନ୍ତି । ମୁକ୍ତି-ଜୀବନମୁକ୍ତିକୁ ନେଇ ଯିବା ପାଇଁ ପତିତ ଶରୀର, ପତିତ ଦୁନିଆରେ ଆସି ସେବା କରୁଛନ୍ତି । ପ୍ରଥମେ ମୁକ୍ତିକୁ ଯିବାକୁ ହେବ । ଜ୍ଞାନର ସାଗର ପତିତ-ପାବନ, ଏକମାତ୍ର ବାବା ହିଁ ଅଟନ୍ତି, ତାଙ୍କୁ ହିଁ ଶିବବାବା ବୋଲି କୁହାଯାଏ । ଶଙ୍କରଙ୍କୁ ବାବା କହିବା ଶୋଭା ପାଉନାହିଁ । ଶିବବାବା ଶବ୍ଦ ବହୁତ ମିଠା । ଶିବଙ୍କ ଉପରେ କେହି ଅରଖ, କେହି କ’ଣ ସବୁ ଚଢାଇଥା’ନ୍ତି, କେହି କ୍ଷୀର ମଧ୍ୟ ଢାଳିଥା’ନ୍ତି ।

ବାବା ପିଲାମାନଙ୍କୁ ଅନେକ ପ୍ରକାରରେ ବୁଝାଉଛନ୍ତି । ବାବା ପିଲାମାନଙ୍କୁ ବୁଝାଇଛନ୍ତି - ସବୁ କିଛି ଯୋଗ ଉପରେ ନିର୍ଭର କରୁଛି । ଯୋଗବଳ ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଯୋଗୀମାନେ ଜ୍ଞାନକୁ ବହୁତ ଭଲ ଧାରଣ ମଧ୍ୟ କରିଥା’ନ୍ତି । ନିଜେ ପୁରା ପୁରା ଧାରଣାଯୁକ୍ତ ହୋଇଥାନ୍ତି, କାରଣ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇଥା’ନ୍ତି । ଏହା ହେଉଛି ନୂଆ କଥା - ଭଗବାନ ଯେଉଁମାନଙ୍କୁ ସିଧାସଳଖ ଶୁଣାଇଥିଲେ, ସେହିମାନେ ହିଁ ଶୁଣିଥିଲେ ପୁଣି ଏହି ଜ୍ଞାନ ହିଁ ରହୁ ନାହିଁ । ଏବେ ବାବା ତୁମକୁ ଯାହା ଶୁଣାଉଛନ୍ତି ତାହା ତୁମେମାନେ ଶୁଣୁଛ ଏବଂ ଧାରଣା ମଧ୍ୟ କରୁଛ । ଭବିଷ୍ୟତରେ ପୁଣି ପ୍ରାରବ୍ଧର ଅଭିନୟ କରିବାକୁ ହେବ । ବର୍ତ୍ତମାନ ଜ୍ଞାନ ଶୁଣି, ପୁଣି ଅନ୍ୟମାନଙ୍କୁ ଶୁଣାଇବାକୁ ପଡୁଛି । ସତ୍ୟଯୁଗରେ ଏହି ପାର୍ଟ ରହିବ ନାହିଁ । ସେଠାରେ ପ୍ରାରବ୍ଧର ପାର୍ଟ ଆରମ୍ଭ ହେବ । ଯେପରି ମନୁଷ୍ୟମାନେ ବାରିଷ୍ଟରୀ ପାଠପଢି ବାରିଷ୍ଟର ହୋଇଯାଆନ୍ତି ପୁଣି ରୋଜଗାର କରନ୍ତି । ତେବେ ସେହିପରି ଏହା କେତେ ଉଚ୍ଚ ରୋଜଗାର ଅଟେ । କିନ୍ତୁ ଏହାକୁ ଦୁନିଆରେ କେହି ବି ଜାଣି ନାହାଁନ୍ତି । ତୁମେ ଜାଣିଛ ସତ୍ୟ ବାବା ଆମକୁ ସତ୍ୟ ରୋଜଗାର କରାଉଛନ୍ତି । ଏଥିରେ କେବେ ବି ଦେବାଳିଆ ହେବ ନାହିଁ । ଏବେ ତୁମେମାନେ ସତ୍ୟ ରୋଜଗାର କରୁଛ । ଏହା ପୁଣି ୨୧ ଜନ୍ମ ସାଥିରେ ରହିବ । ବିନାଶୀ ରୋଜଗାର ତ ସାଥିରେ ଯିବ ନାହିଁ । ଏହି ରୋଜଗାର ହିଁ ସାଥିରେ ଯିବ, ତେଣୁ ଏହି ରୋଜଗାର କରିବା ଉଚିତ୍ । ଏକଥା ତୁମମାନଙ୍କ ବ୍ୟତୀତ ଆଉ କାହାରି ବୁଦ୍ଧିରେ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ କେହି କେହି ଘଡି ଘଡି ଏହି କଥାକୁ ଭୁଲିଯାଉଛନ୍ତି । ତେବେ ବାବା ଏବଂ ତାଙ୍କର ବର୍ସାକୁ କେବେ ବି ଭୁଲିବା ଉଚିତ୍ ନୁହେଁ । ବାସ୍‌, କେବଳ ଗୋଟିଏ କଥା ମନେ ରଖ - ବାବାଙ୍କୁ ମନେ ପକାଅ । ଯେଉଁ ବାବାଙ୍କଠାରୁ ୨୧ ଜନ୍ମର ବର୍ସା ମିଳୁଛି, ୨୧ ଜନ୍ମ ପର୍ଯ୍ୟନ୍ତ କାୟା ନିରୋଗୀ ରହୁଛି । ସେଠାରେ ବୃଦ୍ଧ ହେବା ପର୍ଯ୍ୟନ୍ତ ଅକାଳ ମୃତ୍ୟୁ ହୋଇ ନ ଥାଏ । ତେଣୁ ପିଲାମାନଙ୍କର କେତେ ଖୁସି ରହିବା ଉଚିତ୍ । ମୁଖ୍ୟ କଥା ହେଲା - ବାବାଙ୍କୁ ମନେ ପକାଇବା, କିନ୍ତୁ ଏଥିରେ ହିଁ ମାୟା ବିଘ୍ନ ପକାଉଛି । ଅନେକ ପ୍ରକାରର ତୋଫାନ ନେଇ ଆସୁଛ । ଅନେକ ପ୍ରକାରର ତୋଫାନ ଆସୁଛି । ତୁମେମାନେ କହୁଛ - ବାବାଙ୍କୁ ବହୁତ ମନେ ପକାଇବୁ, କିନ୍ତୁ ମନେ ପକାଇପାରୁ ନାହଁ । ଯୋଗରେ ହିଁ ଅନେକ ଫେଲ୍ ହୋଇଯାଉଛନ୍ତି । ଯୋଗର ବହୁତ ଅଭାବ ରହିଛି । ତେବେ ଯେତେ ଦୂର ସମ୍ଭବ, ଯୋଗରେ ମଜବୁତ ହେବା ଦରକାର । ବାକି ବୀଜ ଏବଂ ବୃକ୍ଷର ଜ୍ଞାନ କୌଣସି ବଡ କଥା ନୁହେଁ ।

ବାବା କହୁଛନ୍ତି, ମୋତେ ମନେ ପକାଅ । ମୋତେ ମନେ ପକାଇଲେ ଏବଂ ମୋତେ ଜାଣିଲେ ତୁମେମାନେ ସବୁ କିଛି ଜାଣିଯିବ । ଯୋଗରେ ହିଁ ସବୁ କିଛି ଭରି ହୋଇ ରହିଛି । ତେଣୁ ମିଠା ବାବା, ଶିବବାବାଙ୍କୁ ମନେ ପକାଇବାକୁ ହେବ । ଭଗବାନ ସର୍ବୋଚ୍ଚ, ସିଏ ଶ୍ରେଷ୍ଠରୁ ଶ୍ରେଷ୍ଠ ଅଟନ୍ତି । ଯିଏକି ୨୧ ଜନ୍ମ ପାଇଁ ଉଚ୍ଚରୁ ଉଚ୍ଚ ବର୍ସା ଦେଉଛନ୍ତି । ତୁମମାନଙ୍କୁ ସଦା ସୁଖୀ ଅମର କରୁଛନ୍ତି । ତୁମେମାନେ ଅମରପୁରୀର ମାଲିକ ହୋଇ ଯାଉଛ । ତେଣୁ ଏପରି ବାବାଙ୍କୁ ବହୁତ ବହୁତ ମନେ ପକାଇବା ଉଚିତ୍ । ଯଦି ବାବାଙ୍କୁ ମନେ ନ ପକାଇବ ତେବେ ଆଉ ସବୁ କିଛି ମନେ ପଡିଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଈଶ୍ୱରୀୟ ଜୀବନ ବହୁତ-ବହୁତ ଅମୂଲ୍ୟ ଅଟେ, ଏହି ଜୀବନରେ ଆତ୍ମା ଏବଂ ଶରୀର ଉଭୟକୁ ପବିତ୍ର କରିବାକୁ ପଡିବ । ରୁହାନୀ ଯାତ୍ରାରେ ରହି ଅନ୍ୟକୁ ଏହି ଯାତ୍ରା ଶିଖାଇବାକୁ ହେବ ।

(୨) ଯେତେ ଦୂର ସମ୍ଭବ - ସଚ୍ଚା ରୋଜଗାର କରିବାରେ ଲାଗିଯିବାକୁ ହେବ । ନିରୋଗୀ ରହିବା ପାଇଁ ଯୋଗରେ ମଜବୁତ ହେବାକୁ ପଡିବ ।

ବରଦାନ:-
ଶରୀରକୁ ଈଶ୍ୱରୀୟ ସେବା ଅର୍ଥେ ଅମାନତ ମନେ କରି କାର୍ଯ୍ୟରେ ଲଗାଉଥିବା ନଷ୍ଟୋମୋହା ଭବ ।

ଯେପରି ଅନ୍ୟ ଜଣଙ୍କର ଅମାନତ ଅର୍ଥାତ୍ ତୁମ ଦାୟିତ୍ୱରେ ଥିବା ଅନ୍ୟର ଜିନିଷରେ ନିଜର ପଣିଆ ନ ଥାଏ, ମମତା ମଧ୍ୟ ନ ଥାଏ, ସେହିପରି ଏହି ଶରୀର ମଧ୍ୟ ଈଶ୍ୱରୀୟ ସେବା କରିବା ପାଇଁ ଏକ ଅମାନତ ଅଟେ । ଏହି ଅମାନତକୁ ଆତ୍ମିକ ପିତା ହିଁ ମୋତେ ସେବା କରିବା ପାଇଁ ଦେଇଛନ୍ତି, ତେଣୁ ନିଶ୍ଚିତ ଭାବରେ ଆତ୍ମିକ ପିତାଙ୍କର ସ୍ମୃତି ରହିବ ଏବଂ ଅମାନତ ଭାବିବା ଦ୍ୱାରା ରୁହାନିୟତ ଆସିବ ଅର୍ଥାତ୍ ଆତ୍ମ ଅଭିମାନୀ ସ୍ଥିତି ରହିବ, ନିଜ ପଣିଆର ମୋହ ରହିବ ନାହିଁ । ଏହା ହିଁ ହେଉଛି ନିରନ୍ତର ଯୋଗୀ, ନଷ୍ଟୋମୋହା ହେବାର ସହଜ ଉପାୟ । ତେଣୁ ଏବେ ଆତ୍ମ ଅଭିମାନୀ ସ୍ଥିତିକୁ ପ୍ରତ୍ୟକ୍ଷ କର ।

ସ୍ଲୋଗାନ:-
ଯଦି ବାନପ୍ରସ୍ଥ ସ୍ଥିତିକୁ ଯିବାକୁ ଚାହୁଁଛ ତେବେ ଦୃଷ୍ଟି-ବୃତ୍ତିରେ ମଧ୍ୟ ପବିତ୍ରତା ଉପରେ ବିଶେଷ ଗୁରୁତ୍ୱ ଦିଅ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।

ତୁମମାନଙ୍କର ପ୍ରତ୍ୟେକ ବାଣୀ ମହାନ ହେଉ । ପ୍ରତ୍ୟେକ ମାନସୀକ ସଂକଳ୍ପ ପ୍ରତ୍ୟେକ ଆତ୍ମାଙ୍କ ପ୍ରତି ମଧୁର ହେଉ । ପ୍ରତ୍ୟେକଙ୍କୁ ଉଚ୍ଚକୁ ଉଠାଇବାର ସ୍ୱଭାବ, ମଧୁରତାର ସ୍ୱଭାବ ଏବଂ ନିର୍ମାଣତାର ସ୍ୱଭାବ ହେଉ । ମୋ’ର ସ୍ୱଭାବ ଏହିଭଳି ଏହା କେବେ ବି କୁହ ନାହିଁ । ଏହା ମୋ’ର କିପରି ହେଲା! ଜୋରରେ କଥା କହିବା ମୋ’ର ସ୍ୱଭାବ, ତୁମର ରାଗିଯିବା ମୋର ସ୍ୱଭାବ, ଏହିଭଳି ସ୍ୱଭାବର ବଶୀଭୂତ ହେବା ହିଁ ମାୟା ଅଟେ । ଏବେ ମାୟାଜିତ୍ ହୁଅ । ଅଭିମାନରେ ଆସିବା ବା ନିରାଶ ହେବା, ଈର୍ଷା ଅଥବା କ୍ରୋଧ କରିବାର ସ୍ୱଭାବକୁ ପରିବର୍ତ୍ତନ କର ।