17.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସୂର୍ଯ୍ୟବଂଶୀ ରାଜ୍ୟ ପଦ ନେବା ପାଇଁ ନିଜର ସବୁ କିଛି ବାବାଙ୍କ ପାଖରେ ସ୍ୱାହା କର, ସୂର୍ଯ୍ୟବଂଶୀ ରାଜ୍ୟପଦ ଅର୍ଥାତ୍ ଶୀତତାପ ନିୟନ୍ତ୍ରିତ ଏୟାରକଣ୍ଡିସନ୍ ଟିକେଟ୍” ।

ପ୍ରଶ୍ନ:-
ଏହି ଦୁନିଆରେ ତୁମ ସନ୍ତାନ ମାନଙ୍କଠାରୁ ଅଧିକ ସୌଭାଗ୍ୟଶାଳୀ କେହି ବି ନାହାଁନ୍ତି - କିପରି?

ଉତ୍ତର:-
ତୁମ ସନ୍ତାନମାନଙ୍କ ସମ୍ମୁଖରେ ବେହଦର ବାବା ଅଛନ୍ତି । ତାଙ୍କଠାରୁ ତୁମକୁ ବେହଦର ସମ୍ପତ୍ତି ମିଳୁଛି । ତୁମେ ବର୍ତ୍ତମାନ ବେହଦ ପିତା, ଶିକ୍ଷକ ଏବଂ ସତଗୁରୁଙ୍କର ସନ୍ତାନ ହୋଇ ତାଙ୍କଠାରୁ ବେହଦର ପ୍ରାପ୍ତି କରୁଛ । ଦୁନିଆବାଲା ତ ତାଙ୍କୁ ଜାଣି ବି ନାହାଁନ୍ତି ତେବେ ତୁମ ପରି ସୌଭାଗ୍ୟଶାଳୀ କିପରି ହୋଇପାରିବେ ।

ଗୀତ:-
ବଡା ଖୁସନସୀବ ହୈ....

ଓମ୍ ଶାନ୍ତି ।
ବ୍ରାହ୍ମଣ କୁଳ ଭୂଷଣ ପିଲାମାନେ ଜାଣିଛନ୍ତି ଯେ ଏବେ ଆମେ ବ୍ରାହ୍ମଣ ସମ୍ପ୍ରଦାୟର ହୋଇଛୁ ପୁଣି ଦୈବୀ ସମ୍ପ୍ରଦାୟର ହେବୁ । ପିଲାମାନଙ୍କୁ ବାବା ବସି ବୁଝାଉଛନ୍ତି - ଯେତେବେଳେ କି ବେହଦର ବାବା ସମ୍ମୁଖରେ ଅଛନ୍ତି ଏବଂ ତାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି, ବାକି ଆଉ କ’ଣ ଦରକାର । ଭକ୍ତିମାର୍ଗ କେବେଠାରୁ ଆରମ୍ଭ ହୋଇଛି, ଏକଥା କେହି ଜାଣିନାହାଁନ୍ତି । ଭକ୍ତିମାର୍ଗର ଭକ୍ତ ଭଗବାନଙ୍କୁ ଅଥବା କନ୍ୟାମାନେ ତାଙ୍କର ବରଙ୍କୁ ମନେ ପକାଉଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ତାଙ୍କୁ ଜାଣିନାହାଁନ୍ତି । ଏପରି କେବେ ଦେଖିଛ କି ସଜନୀ ସାଜନଙ୍କୁ ଜାଣି ନଥିବ । ନଚେତ୍ କିପରି ମନେ ପକାଇବ । ଭଗବାନ ତ ସମସ୍ତଙ୍କର ପିତା ଅଟନ୍ତି । ପିଲାମାନେ ବାବାଙ୍କୁ ମନେ ପକାଉଛନ୍ତି । କିନ୍ତୁ ପରିଚୟ ବିନା ସ୍ମରଣ କରୁଥିବାରୁ ସବୁ ବ୍ୟର୍ଥ ହୋଇଯାଉଛି, ସେଥିପାଇଁ ସ୍ମରଣ କଲେ କୌଣସି ଫାଇଦା ହେଉନାହିଁ । ସ୍ମରଣ କରି ମଧ୍ୟ ସେହି ଲକ୍ଷ୍ୟକୁ କେହି ପ୍ରାପ୍ତ କରିପାରୁ ନାହାଁନ୍ତି । ଭଗବାନ କିଏ, ତାଙ୍କଠାରୁ କ’ଣ ମିଳିବ । କିଛି ହେଲେ ବି ଜାଣିନାହାଁନ୍ତି । ଏତେ ସବୁ ଧର୍ମ ଖ୍ରୀଷ୍ଟ, ବୌଦ୍ଧ ଆଦି ଧର୍ମଗୁରୁ ଅଥବା ଧର୍ମସ୍ଥାପକଙ୍କୁ ତାଙ୍କର ଅନୁସରଣକାରୀମାନେ ସ୍ମରଣ କରୁଛନ୍ତି କିନ୍ତୁ ତାଙ୍କୁ ସ୍ମରଣ କଲେ କ’ଣ ମିଳିବ, କିଛି ହେଲେ ବି ଜାଣି ନାହାଁନ୍ତି । ଏହାଠାରୁ ତ ଲୌକିକ ପାଠପଢା ଭଲ । ସେଠାରେ ଲକ୍ଷ୍ୟ ଉଦ୍ଦେଶ୍ୟ ତ ବୁଦ୍ଧିରେ ରହିଥାଏ ନା । ବାବାଙ୍କଠାରୁ କ’ଣ ମିଳୁଛି? ଶିକ୍ଷକଙ୍କଠାରୁ କ’ଣ ମିଳୁଛି? ଆଉ ଗୁରୁଙ୍କଠାରୁ କ’ଣ ମିଳୁଛି । ଏକଥା ଆଉ କେହି ବି ବୁଝିପାରିବେ ନାହିଁ । ତୁମେ ଏଠାରେ ବାବାଙ୍କର ପୁଣି ଶିକ୍ଷକଙ୍କର ପୁଣି ସତଗୁରୁଙ୍କର ହେଉଛ । ପିତା ଓ ଶିକ୍ଷକଙ୍କଠାରୁ ଗୁରୁ ଶ୍ରେଷ୍ଠ ହୋଇଥା’ନ୍ତି । ଏବେ ତୁମ ସନ୍ତାନମାନଙ୍କର ନିଶ୍ଚୟ ହେଲା କି ଆମେ ବାବାଙ୍କର ହୋଇଛୁ । ବାବା ଆମକୁ ୫ ହଜାର ବର୍ଷ ପୂର୍ବ ଭଳି ଆସି ସ୍ୱର୍ଗର ମାଲିକ କରାଉଛନ୍ତି ଅଥବା ଶାନ୍ତିଧାମର ମାଲିକ କରାଉଛନ୍ତି । ବାବା କହୁଛନ୍ତି - ଗେହ୍ଲା ସନ୍ତାନମାନେ, ତୁମେ ମୋଠାରୁ ନିଜର ସମ୍ପତ୍ତି ନେବ ନା! ସମସ୍ତେ କହୁଛନ୍ତି, ହଁ ବାବା କାହିଁକି ନ ନେବୁ । ଆଚ୍ଛା - ଚନ୍ଦ୍ରବଂଶୀ ରାମ ପଦ ପାଇଲେ ଖୁସି ହେବ ତ? ତୁମର କ’ଣ ଦରକାର? ବାବା ଉପହାର ନେଇ ଆସିଛନ୍ତି । ତୁମେ ସୂର୍ଯ୍ୟବଂଶୀ ଲକ୍ଷ୍ମୀଙ୍କୁ ବରଣ କରିବ ନା ଚନ୍ଦ୍ରବଂଶୀ ସୀତାଙ୍କୁ? ତୁମେ ନିଜର ଚେହେରାକୁ ତ ଦେଖ । ଶ୍ରୀ ନାରାୟଣଙ୍କୁ ଅଥବା ଶ୍ରୀ ଲକ୍ଷ୍ମୀଙ୍କୁ ବରଣ କରିବା ଯୋଗ୍ୟ ହୋଇଛ? ଯୋଗ୍ୟ ନ ହୋଇ କିପରି ବରଣ କରିପାରିବ? ଏବେ ବାବା ବସି ବୁଝାଉଛନ୍ତି - ଅବିକଳ ଯେପରି କଳ୍ପ ପୂର୍ବରୁ ବୁଝାଇଥିଲେ ସେହିପରି ପୁଣି ଥରେ ବୁଝାଉଛନ୍ତି । ତୁମେ ପୁନର୍ବାର ଆସି ସମ୍ପତ୍ତି ନେଉଛ । ତୁମର ଲକ୍ଷ୍ୟ ହିଁ ହେଉଛି ବେହଦର ବାବାଙ୍କଠାରୁ ବେହଦର ସମ୍ପତ୍ତି ନେବା । ତାହା ହେଲା ସୂର୍ଯ୍ୟବଂଶୀ ରାଜ୍ୟ ପଦ, ଦ୍ୱିତୀୟ ଶ୍ରେଣୀ ହେଲା ଚନ୍ଦ୍ରବଂଶୀ । ଯେପରି ଶୀତତାପ ନିୟନ୍ତ୍ରିତ, ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ହୋଇଥାଏ ନା । ତେବେ ସତ୍ୟଯୁଗର ପୂରା ରାଜଧାନୀ ଶୀତତାପ ନିୟନ୍ତ୍ରିତ ବୋଲି ଭାବ । ଶୀତତାପ ନିୟନ୍ତ୍ରିତ ଠାରୁ ତ ଭଲ ଆଉ କିଛି ନାହିଁ । ତା’ପରେ ପୁଣି ପ୍ରଥମ ଶ୍ରେଣୀ ରହିଛି । ତେଣୁ ଏବେ ବାବା କହୁଛନ୍ତି - ତୁମେ ଶୀତତାପ ନିୟନ୍ତ୍ରିତ ସୂର୍ଯ୍ୟବଂଶୀ ରାଜ୍ୟ ନେବ ନା ଚନ୍ଦ୍ରବଂଶୀ ପ୍ରଥମ ଶ୍ରେଣୀର ନେବ? ଯଦି ତାଠାରୁ ବି କମ୍ ତେବେ ଦ୍ୱିତୀୟ ଶ୍ରେଣୀରେ କ୍ରମଅନୁସାରେ ଉତ୍ତରାଧିକାରୀ ହୁଅ, ତେବେ ତୁମେ ପୁଣି ପଛରେ ଆସି ରାଜ୍ୟ ପାଇବ । ନଚେତ୍ ତୃତୀୟ ଶ୍ରେଣୀ ପ୍ରଜା ହେବ, ପୁଣି ସେଥିରେ ବି ଟିକେଟ୍ ଆଗରୁ ସଂରକ୍ଷିତ ହୋଇଥାଏ । ପ୍ରଥମ ଶ୍ରେଣୀ ସଂରକ୍ଷିତ, ଦ୍ୱିତୀୟ ଶ୍ରେଣୀ ସଂରକ୍ଷିତ, କ୍ରମଅନୁସାରେ ପଦ ହୋଇଥାଏ ନା । ବାକି ସେଠାରେ ସମସ୍ତେ ସୁଖୀ ହୋଇ ତ ରହିଥା’ନ୍ତି । ଅଲଗା-ଅଲଗା ବିଭାଗ ତ ରହିଛି ନା । ସାହୁକାର ଲୋକେ ଶୀତତାପ ନିୟନ୍ତ୍ରିତ ଟିକେଟ୍ ନେଇଥା’ନ୍ତି । ତୁମମାନଙ୍କ ଭିତରେ ସାହୁକାର କିଏ ହେବେ? ଯିଏ ସବୁ କିଛି ବାବାଙ୍କୁ ଦେଇ ଦେଇଥା’ନ୍ତି । ବାବା ଏସବୁ କିଛି ଆପଣଙ୍କର । ଭାରତରେ ହିଁ ମହିମା ଗାୟନ କରାଯାଇଛି - ସୌଦାଗର, ରତ୍ନାଗର, ଜାଦୁଗର ଏହି ମହିମା ବାବାଙ୍କର ଅଟେ, ନା କି ଶ୍ରୀକୃଷ୍ଣଙ୍କର । ଶ୍ରୀକୃଷ୍ଣ ତ ସମ୍ପତ୍ତି ନେଲେ, ସତ୍ୟଯୁଗରେ ପ୍ରାଲବ୍ଧ ପାଇଲେ । ସିଏ ମଧ୍ୟ ବାବାଙ୍କର ହୋଇଗଲେ । ନିଶ୍ଚିତ ପ୍ରାଲବ୍ଧ କେଉଁଠାରୁ ତ ପାଇଥିବେ ନା । ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗରେ ପ୍ରାଲବ୍ଧ ଭୋଗ କରନ୍ତି । ଏବେ ତୁମେ ସନ୍ତାନମାନେ ଭଲ ଭାବରେ ଜାଣିଛ, ନିଶ୍ଚିତ ଇଏ ଅତୀତରେ ନିଜର ପ୍ରାଲବ୍ଧ ଗଢିଥିବେ ନା । ନେହେରୁଙ୍କର ପ୍ରାଲବ୍ଧ କେତେ ଭଲ ଥିଲା । ସେ ନିଶ୍ଚିତ ଭଲ କର୍ମ କରିଥିଲେ । ବିନା ମୁକୁଟରେ ଭାରତର ବାଦଶାହ ଥିଲେ । ଭାରତର ମହିମା ତ ବହୁତ ଅଛି । ଭାରତ ପରି ଶ୍ରେଷ୍ଠ ଦେଶ ଅନ୍ୟ କୌଣସି ଦେଶ ହୋଇପାରିବ ନାହିଁ । ଏହା ପରମପିତା ପରମାତ୍ମାଙ୍କର ଜନ୍ମସ୍ଥାନ ଅଟେ । ଏହି ରହସ୍ୟ କାହାରି ବୁଦ୍ଧିରେ ରହୁନାହିଁ । ପରମାତ୍ମା ହିଁ ଅଧାକଳ୍ପ ପାଇଁ ସମସ୍ତଙ୍କୁ ସୁଖ-ଶାନ୍ତି ଦେଉଛନ୍ତି । ଭାରତ ହିଁ ପ୍ରଥମନମ୍ବରର ତୀର୍ଥସ୍ଥାନ ଅଟେ । କିନ୍ତୁ ଡ୍ରାମା ଅନୁସାରେ ଏକମାତ୍ର ବାବାଙ୍କୁ ଭୁଲିବା ଦ୍ୱାରା ଦେଖ ସୃଷ୍ଟିର ଅବସ୍ଥା କିପରି ହୋଇଯାଇଛି, ସେଥିପାଇଁ ଶିବବାବା ପୁଣି ଥରେ ଆସିଛନ୍ତି । ନିମିତ୍ତ ତ କେହି ହୋଇଛନ୍ତି ନା ।

ଏବେ ବାବା କହୁଛନ୍ତି - ଅଶରୀରୀ ହୁଅ, ନିଜକୁ ଆତ୍ମା ନିଶ୍ଚୟ କର । ମୁଁ ଆତ୍ମା କାହାର ସନ୍ତାନ, ଏକଥା କେହି ଜାଣିନାହାଁନ୍ତି । ଆଶ୍ଚର୍ଯ୍ୟ ଅଟେ ନା । କହୁଛନ୍ତି ମଧ୍ୟ ହେ - ଇଶ୍ୱର ପିତା ଦୟା କର । ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ସେ କେବେ ଆସିଥିଲେ, କେହି ହେଲେ ଜାଣିନାହାଁନ୍ତି । ଆଉ ଏହା ହେଲା ୫ ହଜାର ବର୍ଷର କଥା । ବାବା ହିଁ ଆସି ନୂଆ ଦୁନିଆ ସତ୍ୟଯୁଗ ସ୍ଥାପନ କରୁଛନ୍ତି । ସତ୍ୟଯୁଗର ଆୟୁଷ ତ ଲକ୍ଷ-ଲକ୍ଷ ବର୍ଷ ନୁହେଁ । ତେବେ ଏହା ଘୋର ଅନ୍ଧକାର ହେଲା ନା । ଗୀତାର ଉପଦେଶ କେତେ ଆସି ଶୁଣୁଛନ୍ତି । କିନ୍ତୁ ନା ପଢାଇଲାବାଲା, ନା ପଢିଲାବାଲା କିଛି ବୁଝୁଛନ୍ତି । ବାବା କେତେ ସହଜ କରି ବୁଝାଉଛନ୍ତି, କହୁଛନ୍ତି କେବଳ ବାବାଙ୍କୁ ମନେ ପକାଅ । ଗୃହସ୍ଥ ବ୍ୟବହାରରେ ରହି ପଦ୍ମଫୁଲ ସମାନ ହୁଅ । ବିଷ୍ଣୁଙ୍କୁ ହିଁ ସବୁ ଅଳଙ୍କାର ଦେଇ ଦେଇଛନ୍ତି, ଶଙ୍ଖ ଦେଇଛନ୍ତି, ଫୁଲ ମଧ୍ୟ ଦେଇଛନ୍ତି । ବାସ୍ତବରେ ଏହା ଦେବତାମାନଙ୍କୁ ଦିଆଯାଉନାହିଁ । ଏହା କେତେ ଗୁପ୍ତ ଗମ୍ଭୀର କଥା । ଏ ସବୁ ବ୍ରାହ୍ମଣଙ୍କର ଅଳଙ୍କାର ଅଟେ । କିନ୍ତୁ ବ୍ରାହ୍ମଣମାନଙ୍କୁ କିପରି ଦେବେ, ଆଜି ବ୍ରାହ୍ମଣ ଅଛନ୍ତି, କାଲି ଶୂଦ୍ର ହୋଇଯାଉଛନ୍ତି । ବ୍ରହ୍ମାକୁମାର ହିଁ ଶୁଦ୍ରକୁମାର ହୋଇଯାଉଛନ୍ତି । ମାୟା ଏଥିରେ ବିଳମ୍ବ କରୁନାହିଁ । ଯଦି କୌଣସି ଭୁଲ୍ କଲେ, ବାବାଙ୍କ ଶ୍ରୀମତରେ ଚାଲିଲେ ନାହିଁ, ବୁଦ୍ଧି ଖରାପ ହେଲା, ମାୟା ଭଲ ଭାବରେ ଚାପୁଡା ମାରି ମୁହଁ ବୁଲାଇ ଦେଇଥାଏ । ମନୁଷ୍ୟ କ୍ରୋଧରେ କହିଥା’ନ୍ତି ନା - ଚାପୁଡା ମାରି ମୁହଁ ବୁଲାଇ ଦେବି । ତେବେ ମାୟା ମଧ୍ୟ ଏହିପରି ଅଟେ । ବାବାଙ୍କୁ ଭୁଲିଲ ଏବଂ ମାୟା ଗୋଟିଏ ସେକେଣ୍ଡରେ ଚାପୁଡା ମାରି ମୁହଁ ବୁଲାଇ ଦେଲା । ବାବାଙ୍କଠାରୁ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ସମ୍ପତ୍ତି ନେଉଛନ୍ତି । ପୁଣି ମାୟା ଗୋଟିଏ ସେକେଣ୍ଡରେ ତାହା ଖତମ୍ କରିଦେଉଛି । କେତେ ଭଲ ଭଲ ସନ୍ତାନମାନଙ୍କୁ ମାୟା ଧରି ନେଉଛି । ଦେଖୁଛି କେଉଁଠି ଭୁଲ୍ ହେଉଛି, ତେବେ ତୁରନ୍ତ ଚାପୁଡା ମାରିଦେଉଛି ଅର୍ଥାତ୍ ବାବାଙ୍କୁ ଭୁଲାଇ ଦେଉଛି । ବାବା ତ ଆସି ପୁରୁଣା ଦୁନିଆରୁ ଆମକୁ ବିମୁଖ କରାଉଛନ୍ତି । ଯଦି ଲୌକିକ ବାପା ଗରୀବ ହୋଇଥାନ୍ତି, ପୁରୁଣା ଘରେ ରହୁଥା’ନ୍ତି ପୁଣି ଯଦି ନୂଆ ଘର ତିଆରି କରିଥା’ନ୍ତି, ତେବେ ପିଲାମାନଙ୍କ ବୁଦ୍ଧିରେ ରହିଥାଏ ବାସ୍ ନୂଆ ଘର ତିଆରି ହେବ, ଆମେ ଯାଇ ରହିବୁ । ଏହି ପୁରୁଣା ଘରକୁ ଭାଙ୍ଗି ଦେବୁ । ଏବେ ବାବା ତୁମ ମାନଙ୍କ ପାଇଁ ହାତରେ ବହିସ୍ତ ଅଥବା ବୈକୁଣ୍ଠ ଆଣିଛନ୍ତି । କହୁଛନ୍ତି ଗେହ୍ଲା ପିଲାମାନେ, ମୁଁ ତୁମ ଆତ୍ମାମାନଙ୍କ ସହିତ କଥା ହେଉଛି । ଏହି ଆଖି ଦ୍ୱାରା ତୁମ ସନ୍ତାନମାନଙ୍କୁ ଦେଖୁଛି । ବାବା ବୁଝାଉଛନ୍ତି - ମୁଁ ମଧ୍ୟ ଡ୍ରାମାର ବଶବର୍ତ୍ତୀ ଅଟେ । ଏପରି ନୁହେଁ ଯେ ଡ୍ରାମା ବିନା କିଛି କରିପାରିବି । ନା, ପିଲାମାନେ ରୋଗରେ ପଡୁଛନ୍ତି, ଏପରି ନୁହେଁ ଯେ ମୁଁ ଠିକ୍ କରି ଦେବି । ଅପରେସନ କରିବାରୁ ମୁକ୍ତ କରିଦେବି । ନା, କର୍ମଭୋଗ ତ ସମସ୍ତଙ୍କୁ ଭୋଗିବାକୁ ହିଁ ହେବ । ତୁମ ଉପରେ ତ ବହୁତ ବୋଝ ରହିଛି କାହିଁକି ନା ତୁମେ ସବୁଠାରୁ ପୁରୁଣା ଅଟ । ସତ୍ତ୍ୱପ୍ରଧାନରୁ ଏକଦମ୍ ତମୋପ୍ରଧାନ ହୋଇଛ । ଏବେ ତୁମକୁ ବାବା ମିଳିଛନ୍ତି, ତେଣୁ ବାବାଙ୍କଠାରୁ ସମ୍ପତ୍ତି ନେବା ଉଚିତ୍ । ତୁମେ ଜାଣିଛ କଳ୍ପ କଳ୍ପ ଡ୍ରାମା ଅନୁସାରେ ଆମେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ । ଯିଏ ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ କୂଳର ହୋଇଥିବେ ସେ ନିଶ୍ଚିତ ଆସିବେ । ଯିଏ ଦେବତା ଥିଲେ ପୁଣି ଶୂଦ୍ର ହୋଇଯାଇଛନ୍ତି, ପୁଣି ସେ ହିଁ ବ୍ରାହ୍ମଣ ହୋଇ ଦୈବୀ ସମ୍ପ୍ରଦାୟର ହେବେ । ଏହି କଥା ବାବାଙ୍କ ବିନା କେହି ବୁଝାଇପାରିବେ ନାହିଁ ।

ବାବାଙ୍କୁ ତୁମେ ସନ୍ତାନମାନେ କେତେ ମିଠା ଲାଗୁଛ । କହୁଛନ୍ତି ତୁମେ ମୋର ସେହି କଳ୍ପ ପୂର୍ବର ସନ୍ତାନ ଅଟ । ମୁଁ କଳ୍ପ କଳ୍ପ ତୁମକୁ ଆସି ପାଠ ପଢାଉଛି । କେତେ ଆଶ୍ଚର୍ଯ୍ୟର କଥା । ନିରାକାର ଭଗବାନୁବାଚ । ଶରୀର ସହିତ କଥା ହେବେ ନା । ଶରୀର ଅଲଗା ହୋଇଗଲେ ଆତ୍ମା କଥା ହୋଇପାରିବ ନାହିଁ । ଆତ୍ମା ଅଲଗା ହୋଇଯାଇଥାଏ । ଏବେ ବାବା କହୁଛନ୍ତି - ଅଶରୀରୀ ହୁଅ । ଏପରି ନୁହେଁ ଯେ ପ୍ରାଣାୟାମ ଆଦି କରିବାକୁ ହେବ । ନା, ବୁଝିବାକୁ ହେବ ଯେ ମୁଁ ଆତ୍ମା ଅବିନାଶୀ ଅଟେ । ମୋ ଆତ୍ମାରେ ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି । ବାବା ନିଜେ କହୁଛନ୍ତି - ମୋ ଆତ୍ମା ମଧ୍ୟ ଯେଉଁ ଅଭିନୟ କରୁଛି, ସେ ସବୁ ପାର୍ଟ ଭରି ହୋଇ ରହିଛି । ଭକ୍ତିମାର୍ଗରେ ସେଠାରେ ଅଭିନୟ ଚାଲିଥାଏ ପୁଣି ଜ୍ଞାନ ମାର୍ଗରେ ଏଠାରେ ଆସି ଜ୍ଞାନ ଦେଉଛି । ଭକ୍ତିମାର୍ଗର ଆତ୍ମାଙ୍କୁ ଜ୍ଞାନ ବିଷୟରେ ଜଣା ହିଁ ନାହିଁ । ଯଦି କେହି ମଦ୍ୟପାନ ନ କରିଥିବେ ତେବେ ସ୍ୱାଦ କିପରି ଜାଣିବେ । ସେହିପରି ଜ୍ଞାନ ମଧ୍ୟ ଯେବେ ନେବେ ତେବେ ଜଣାପଡିବ । ଜ୍ଞାନ ଦ୍ୱାରା ସଦ୍‌ଗତି ହୋଇଥାଏ, ତେବେ ନିଶ୍ଚିତ ଜ୍ଞାନସାଗର ହିଁ ସଦଗତି କରିପାରିବେ । ବାବା କହୁଛନ୍ତି ମୁଁ ସମସ୍ତଙ୍କର ସଦ୍‌ଗତି ଦାତା ଅଟେ । ସର୍ବୋଦୟାର ଲିଡ୍‌ର ଅଛନ୍ତି । କେତେ ଭିନ୍ନ ଭିନ୍ନ ପ୍ରକାରର ଅଛନ୍ତି । ବାସ୍ତବରେ ତ ସମସ୍ତଙ୍କ ଉପରେ ଦୟା କରିଲାବାଲା ବାବା ଅଟନ୍ତି । ବାବାଙ୍କୁ କହୁଛନ୍ତି - ହେ ଭଗବାନ ଦୟା କର । ତେଣୁ ସମସ୍ତଙ୍କ ଉପରେ ସେ ଦୟା କରୁଛନ୍ତି, ବାକି ସମସ୍ତେ ହେଲେ ହଦର ଦୟା କରିଲାବାଲା । ବାବା ତ ସାରା ଦୁନିଆକୁ ସତ୍ତ୍ୱପ୍ରଧାନ କରାଉଛନ୍ତି । ସେଥିରେ ତତ୍ତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛି । ଏହି କାମ ପରମାତ୍ମାଙ୍କର ଅଟେ । ତେଣୁ ସର୍ବୋଦୟାର ଅର୍ଥ କେତେ ବଡ । ଏକଦମ ସମସ୍ତଙ୍କ ଉପରେ ଦୟା କରୁଛନ୍ତି । ସ୍ୱର୍ଗର ସ୍ଥାପନାରେ କେହି ବି ଦୁଃଖୀ ହେଉନାହାଁନ୍ତି । ସେଠାରେ ନମ୍ବରୱାନ ଆସବାବ ପତ୍ର, ବୈଭବ ଆଦି ମିଳିବ । ଦୁଃଖ ଦେଉଥିବା ଜୀବଜନ୍ତୁ, ମାଛି ଆଦି କେହି ରହିବେ ନାହିଁ । ସେଠାରେ ମଧ୍ୟ ବଡ ଲୋକମାନଙ୍କ ଘର କେତେ ସ୍ୱଚ୍ଛ ରହିଥାଏ । ତୁମେ ସେଠାରେ କେବେ ବି ମାଛି ମଧ୍ୟ ଦେଖିବ ନାହିଁ । କୌଣସି ମଶା ଆଦି ସେଠାରେ ପଶିପାରିବେ ନାହିଁ । ସ୍ୱର୍ଗରେ ଆସିବା ପାଇଁ କାହାର ଶକ୍ତି ହିଁ ନାହିଁ । ସେଠାରେ ଅପରିଷ୍କାର କରୁଥିବା କୌଣସି ଜିନିଷ ରହିବ ନାହିଁ । ଫୁଲମାନଙ୍କର ପ୍ରାକୃତିକ ସୁଗନ୍ଧ ରହିବ । ତୁମକୁ ସୂକ୍ଷ୍ମବତନରେ ବାବା ଶୁବିରସ (ଫଳରସ) ପିଆଉଛନ୍ତି । ତେବେ ସୂକ୍ଷ୍ମବତନରେ ତ କିଛି ହେଲେ ବି ନାହିଁ, ସବୁ ସାକ୍ଷାତ୍‌କାର ଅଟେ । ବୈକୁଣ୍ଠରେ କେତେ ଭଲ ଭଲ ଫୁଲ ବଗିଚା ଆଦି ରହିଥାଏ । ସୂକ୍ଷ୍ମବତନରେ କୌଣସି ବଗିଚା ଆଦି ନାହିଁ । ଏସବୁ ହେଲା ସାକ୍ଷାତ୍‌କାର । ଏହିଠାରେ ବସି ତୁମେ ସାକ୍ଷାତ୍‌କାର କରୁଛ ।

ଏହି ଗୀତ ମଧ୍ୟ ବହୁତ ଫାଷ୍ଟକ୍ଲାସ । ତୁମେ ଜାଣିଛ - ଆମକୁ ବାବା ମିଳିଛନ୍ତି ଆଉ କ’ଣ ଦରକାର? ବେହଦର ବାବାଙ୍କଠାରୁ ବେହଦର ବର୍ସା ନେଉଛ, ତେଣୁ ବାବାଙ୍କୁ ମନେ ପକାଇବା ଦରକାର । ବାବାଙ୍କର ମତ ପ୍ରସିଦ୍ଧ ଅଟେ । ଶ୍ରୀମତ ଦ୍ୱାରା ଆମେ ଶ୍ରେଷ୍ଠରୁ ଶ୍ରେଷ୍ଠ ହେବୁ । ବାକି ସମସ୍ତଙ୍କର ହେଲା ଆସୁରୀ ମତ, ଏଥିପାଇଁ ସେମାନେ ଜାଣିନାହାଁନ୍ତି ଯେ ସତ୍ୟଯୁଗରେ ସର୍ବଦା ସୁଖ ଥିଲା । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଛୋଟ ବେଳେ ସେମାନେ ରାଧା-କୃଷ୍ଣ ଥିଲେ, ତାଙ୍କର ଚରିତ୍ରର ମହିମା କିଛି ନାହିଁ । ସ୍ୱର୍ଗରେ ତ ସବୁ ପିଲାମାନେ ବହୁତ ଫାଷ୍ଟକ୍ଲାସ ହେବେ । ସେଠାରେ ଚଞ୍ଚଳତାର କୌଣସି କଥା ହିଁ ରହିବ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯଦି ଏହି ପୁରୁଣା ଦୁନିଆରୁ ମୁହଁ ଫେରାଇ ନେଇଛ, ତେବେ ପୁଣି ଏଭଳି କୌଣସି ଭୁଲ୍ କରିବାର ନାହିଁ ଯାହାକି ମାୟା ପୁଣି ନିଜ ଆଡକୁ ମୁହଁ କରାଇଦେବ । ଶ୍ରୀମତର ଅବଜ୍ଞା କରିବା ଅନୁଚିତ୍ । ବାବାଙ୍କଠାରୁ ପୂରା ସମ୍ପତ୍ତି ନେବାକୁ ହେବ ।

(୨) ବାବାଙ୍କ ଉପରେ ନିଜର ସବୁ କିଛି ସ୍ୱାହା କରି ପକ୍କା ଉତ୍ତରାଧିକାରୀ ହୋଇ ସତ୍ୟଯୁଗୀ ଏୟାରକଣ୍ଡିସନ ଟିକେଟ୍ ନେବାକୁ ହେବ । ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ବୁଦ୍ଧିରେ ରଖି ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ସ୍ୱ ସ୍ଥିତି ଦ୍ୱାରା ସର୍ବ ପରିସ୍ଥିତି ଗୁଡିକୁ ସମ୍ମୁଖୀନ କରୁଥିବା ଅବ୍ୟକ୍ତ ସ୍ଥିତିର ଅଭ୍ୟାସୀ ଭବ ।

ଯେତେବେଳେ ଅବ୍ୟକ୍ତ ସ୍ଥିତିରେ ରହିବାର ଅଭ୍ୟାସ ପକ୍କା ହୋଇଯିବ ସେତେବେଳେ ନିଜର ସ୍ୱ ସ୍ଥିତି ଦ୍ୱାରା ପ୍ରତ୍ୟେକ ପରିସ୍ଥିତିକୁ ସାମନା କରିପାରିବ ଏବଂ ଏହି ଅଭ୍ୟାସ ତୁମକୁ ଅଦାଲତକୁ ଅର୍ଥାତ୍ ଧର୍ମରାଜ ପୂରୀକୁ ଯିବାରୁ ରକ୍ଷା କରିଦେବ ସେଥିପାଇଁ ଏହିଭଳି ଅଭ୍ୟାସକୁ ଯେତେବେଳେ ତୁମେମାନେ ସ୍ୱାଭାବିକ ନେଚରରେ ପରିଣତ କରିଦେବ ସେତେବେଳେ ହିଁ ନ୍ୟାଚୁରାଲ୍ କାଲିମିଟୀଜ୍ ଅର୍ଥାତ୍ ପ୍ରାକୃତିକ ଦୁର୍ବପାକ ହେବା ଆରମ୍ଭ ହେବ କାହିଁକିନା ସାମନା କରିବାବାଲା ଯେତେବେଳେ ନିଜର ସ୍ୱସ୍ଥିତି ଦ୍ୱାରା ପ୍ରତ୍ୟେକ ପରିସ୍ଥିତିକୁ ଅତିକ୍ରମ କରିବାର ଶକ୍ତି ଧାରଣ କରିନେବେ ସେତେବେଳେ ଯାଇ ପରଦା ଖୋଲିବ । ଏଥିପାଇଁ ପୁରୁଣା ଅଭ୍ୟାସ ଗୁଡିକଠାରୁ, ପୁରୁଣା ସ୍ୱଭାବ ସଂସ୍କାରଠାରୁ, ପୁରୁଣା କଥାଠାରୁ.... ସମ୍ପୂର୍ଣ୍ଣ ବୈରାଗ୍ୟ ଆସିବା ଦରକାର ।

ସ୍ଲୋଗାନ:-
ଯଦି ନିଜକୁ ନିମିତ୍ତ କର୍ମକର୍ତ୍ତା ମନେ କରିବ, ତେବେ କୌଣସି ବି କାର୍ଯ୍ୟରେ ଥକିପଡିବ ନାହିଁ ।

ଅବ୍ୟକ୍ତ ଈଶାରା - ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ସ୍ୱଚ୍ଛ ହୃଦୟବାନ ପିଲାମାନେ ହିଁ ବାପଦାଦାଙ୍କୁ ସବୁଠାରୁ ପ୍ରିୟ ଅଟନ୍ତି । ସ୍ୱଚ୍ଛ ହୃଦୟବାନ ସର୍ବଦା ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟନ୍ତି । ସେମାନେ ନିଜର ମନୋବୃତ୍ତିରେ, ଦୃଷ୍ଟିରେ, ବାଣୀରେ, ସମ୍ବନ୍ଧ-ସମ୍ପର୍କରେ ସର୍ବଦା ଏକାଭଳି ସରଳ ଏବଂ ସ୍ପଷ୍ଟ ଦେଖାଯାଆନ୍ତି । ତେବେ ସରଳତାର ଲକ୍ଷଣ ହେଲା - ଦିଲ୍‌, ଦିମାଗ ଅର୍ଥାତ୍ ବୁଦ୍ଧି, ବାଣୀ ସବୁ କିଛି ଏକାଭଳି । ଦିଲ୍‌ରେ ଗୋଟିଏ କଥା, ବାଣୀରେ ଆଉ ଗୋଟିଏ କଥା - ଏହା ସରଳତାର ଲକ୍ଷଣ ନୁହେଁ । ସରଳ ସ୍ୱଭାବ ବାଲା ସର୍ବଦା ନମ୍ରଚିତ୍ତ, ନିରହଂକାରୀ ଏବଂ ନିଃସ୍ୱାର୍ଥୀ ହୋଇଥାଆନ୍ତି । ସେମାନେ ସରଳଚିତ୍ତ, ସରଳବାଣୀ, ସରଳବୃତ୍ତି, ସରଳଦୃଷ୍ଟି ବାଲା ହୋଇଥାଆନ୍ତି ।

ମାତେଶ୍ୱରୀଜୀଙ୍କର ଅମୂଲ୍ୟ ମହାବାକ୍ୟ - “ମନୁଷ୍ୟ ଲୋକ, ଦେବ ଲୋକ, ଭୂତ-ପ୍ରେତ ମାନଙ୍କ ଦୁନିଆର ବିସ୍ତୃତ ମର୍ମ”

ଅନେକ ମନୁଷ୍ୟ ପ୍ରଶ୍ନ କରୁଛନ୍ତି - ଏହି ଯେଉଁ ଅଶୁଦ୍ଧ ଜୀବାତ୍ମା, ଯେଉଁମାନଙ୍କୁ ପ୍ରେତାତ୍ମା କୁହାଯାଇଥାଏ, ଏହା ସତ୍ୟ ନା କଳ୍ପନା? ବା ଭ୍ରମ? ଏହା ଉପରେ ଆଜି ସ୍ପଷ୍ଟ ଭାବରେ ବୁଝାଇ କହୁଛନ୍ତି କି ମନୁଷ୍ୟ ଆତ୍ମା ଯେତେବେଳେ ବିକର୍ମ କରେ, ସେତେବେଳେ ତାକୁ ଅନେକ ପ୍ରକାରର ଦଣ୍ଡ ଅବଶ୍ୟ ଭୋଗିବାକୁ ପଡିଥାଏ ଏବଂ ଏହି ଭୋଗ ମଧ୍ୟ ମନୁଷ୍ୟ ଜନ୍ମରେ ଭୋଗିବାକୁ ପଡିଥାଏ, ନା କି ପଶୁ ଓ ପକ୍ଷୀ ଯୋନିରେ । ମନୁଷ୍ୟ, ମନୁଷ୍ୟ ଭାବରେ ହିଁ ପୁନର୍ଜନ୍ମ ନେଇଥାଏ । ମନୁଷ୍ୟ ଆତ୍ମା ଓ ପଶୁମାନଙ୍କର ଆତ୍ମା ପୃଥକ୍ ଅଟନ୍ତି । ମନୁଷ୍ୟ କେବେହେଲେ ଜୀବଜନ୍ତୁ ଜନ୍ମ ନିଏ ନାହିଁ କିମ୍ବା ପଶୁ କେବେହେଲେ ମନୁଷ୍ୟ ଜନ୍ମ ନେଇପାରିବେ ନାହିଁ । ଜୀବଜନ୍ତୁଙ୍କ ପାଇଁ ତାଙ୍କର ନିଜର ଦୁନିଆ ରହିଛି ଏବଂ ମଣିଷମାନଙ୍କର ନିଜର ଦୁନିଆ ରହିଛି । ସୁଖ-ଦୁଃଖ ଭୋଗିବାର ଅନୁଭବ ମନୁଷ୍ୟଙ୍କଠାରେ ଅଧିକ ରହିଥାଏ, କିନ୍ତୁ ଜୀବଜନ୍ତୁଙ୍କ ନିକଟରେ ସେହିପରି ଅନୁଭବ ନ ଥାଏ । ଯେତେବେଳେ ଆମେ ଶୁଦ୍ଧ କର୍ମ କରିଥାଉ, ସେତେବେଳେ ଫଳ ସ୍ୱରୂପ ସୁଖ, ଏହି ମନୁଷ୍ୟ ଶରୀରରେ ହିଁ ଭୋଗ କରିଥାଉ, ତେଣୁ ଦୁଃଖ ମଧ୍ୟ ଏହି ମନୁଷ୍ୟ ଶରୀର ନେଇ ନିଶ୍ଚିତ ଭୋଗିବାକୁ ପଡିବ । ଆଉ ଏହି ଜ୍ଞାନ ଶୁଣିବାର ବୁଦ୍ଧି ମଧ୍ୟ ମନୁଷ୍ୟ ଶରୀରରେ ହିଁ ଥାଏ ନା କି ଜୀବଜନ୍ତୁଙ୍କର ଥାଏ । ତେବେ ଏହି ସୃଷ୍ଟି ରୂପକ ନାଟକରେ ମୁଖ୍ୟ ଅଭିନୟ ମଣିଷଙ୍କର ରହିଛି । ଏହି ପଶୁ ପକ୍ଷୀ ଆଦି ସୃଷ୍ଟି ରୂପକ ନାଟକର ଶୋଭା ଅଟନ୍ତି । ସାରା କଳ୍ପରେ ସତ୍ୟଯୁଗ ଆରମ୍ଭରୁ କଳିଯୁଗ ଶେଷ ପର୍ଯ୍ୟନ୍ତ, ମନୁଷ୍ୟ ଆତ୍ମାମାନେ ୮୪ ଜନ୍ମ ନିଅନ୍ତି, ଆଉ ଏହି ୮୪ ଲକ୍ଷ ପଶୁ, ପକ୍ଷୀଙ୍କର ଭିନ୍ନ ଭିନ୍ନ ପ୍ରକାରର ଯୋନିର ସଂଖ୍ୟା ହୋଇପାରେ । ଏବେ ଏହି ସବୁ ରହସ୍ୟ ପରମାତ୍ମାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ । ଆତ୍ମାମାନଙ୍କର ନିବାସ ସ୍ଥାନ ବ୍ରହ୍ମ ମହତତ୍ତ୍ୱ ଅଟେ ଅର୍ଥାତ୍ ନିରାକାରୀ ଦୁନିଆ । ବାକି ଏହି ଜୀବଜନ୍ତୁଙ୍କର ଆତ୍ମା ବ୍ରହ୍ମତତ୍ତ୍ୱକୁ ଯାଇପାରିବେ ନାହିଁ, ସେମାନେ ଏହି ଆକାଶ ତତ୍ତ୍ୱ ଭିତରେ ହିଁ ଅଭିନୟ କରି ଚାଲିଥା’ନ୍ତି । ସେମାନଙ୍କର ମଧ୍ୟ ବିଲୁପ୍ତ ହେବା ପୁଣି ଦୃଶ୍ୟମାନ ହେବା ଏବଂ ସତ୍ତ୍ୱ, ରଜୋ, ତମୋ ଆଦି ସ୍ଥିତି ମାନଙ୍କରେ ଆସିବାର ଅଭିନୟ ରହିଛି, ସେଥିପାଇଁ ଆମେ ପ୍ରକୃତିର ଏହି ବିସ୍ତୃତ ମର୍ମରେ ନିଜର ବୁଦ୍ଧି ନ ପୁରାଇ ପ୍ରଥମେ ନିଜର ମଙ୍ଗଳ କରିବା ଉଚିତ୍ ଅର୍ଥାତ୍ ମନମନାଭବ । ଏବେ ବୁଝିବା ମନୁଷ୍ୟ ଆତ୍ମାଙ୍କ ବିଷୟରେ, ତେବେ ଯେଉଁ ଆତ୍ମାମାନେ ଅଶୁଦ୍ଧ କର୍ମ ଦ୍ୱାରା ବିକର୍ମ କରିଥା’ନ୍ତି, ସେମାନେ ନିଜର ଅଶୁଦ୍ଧ ସଂସ୍କାର ଅନୁସାରେ ଜନ୍ମ-ମୃତ୍ୟୁ ଚକ୍ରରେ ଆସି ଆଦି-ମଧ୍ୟ-ଅନ୍ତ ଅର୍ଥାତ୍ ମୃତ୍ୟୁ ସମୟରେ ନିଜେ କରିଥିବା ବିକର୍ମର ସାକ୍ଷାତ୍‌କାର କରି ସୂକ୍ଷ୍ମରେ ଦଣ୍ଡ ଭୋଗ କରିଥା’ନ୍ତି । ଅଳ୍ପ ସମୟ ମଧ୍ୟରେ ଅନେକ ଜନ୍ମର ଯନ୍ତ୍ରଣା ଅନୁଭବ କରନ୍ତି ପୁଣି ଶରୀର ଛାଡି ସାରିଲା ପରେ ପୁନର୍ବାର ଗର୍ଭ ରୂପୀ ଜେଲରେ ଦୁଃଖ ଭୋଗ କରନ୍ତି ଏବଂ ପୁଣି ସଂସ୍କାର ଅନୁସାରେ ଏପରି ମାତା-ପିତାଙ୍କ ନିକଟରେ ଜନ୍ମ ନେଇ ସେଠାରେ ମଧ୍ୟ ନିଜ ଜୀବନ କାଳରେ ଅନେକ ଦୁଃଖ-ସୁଖ ଭୋଗ କରନ୍ତି, ଏହାକୁ ହିଁ କୁହାଯାଏ ଆଦି-ମଧ୍ୟ-ଅନ୍ତ । କିନ୍ତୁ କେହି କେହି ଆତ୍ମା ଶରୀର ଧାରଣ ନ କରିପାରି ଆକାରୀ ରୂପରେ ଏହି ଆକାଶ ତତ୍ତ୍ୱ ଭିତରେ ଘୋଷ୍ଟ ଅର୍ଥାତ୍ ଭୂତ ହୋଇ ଇତଃସ୍ତତ ଘୁରି ବୁଲନ୍ତି, ଏହା ମଧ୍ୟ ଏକ ପ୍ରକାର ଦଣ୍ଡ ଅର୍ଥାତ୍ ଭୋଗିବା ଅଟେ । ସେହି ଅଶୁଦ୍ଧ ଜୀବାତ୍ମାଙ୍କ ସହିତ କାହାରି କର୍ମର ହିସାବ-କିତାବ ରହିଥିଲେ, ସେ ଅର୍ଥାତ୍ ଅଶୁଦ୍ଧ ଆତ୍ମା ସେହି ବ୍ୟକ୍ତିଙ୍କ ଭିତରେ ପ୍ରବେଶ କରି ତାଙ୍କୁ ଦୁଃଖ ଦେଇଥାଏ ଅର୍ଥାତ୍ କର୍ମର ହିସାବ ଚୁକ୍ତ କରି ପୁନର୍ବାର ଯାଇ ନିଜର ଶରୀର ଧାରଣ କରିଥାଏ । କେହି କେହି ଜୀବାତ୍ମା ତ ଯେଉଁ ବ୍ୟକ୍ତିଙ୍କ ମଧ୍ୟରେ ପ୍ରବେଶ କରେ, ତାଙ୍କୁ ବହୁତ ମାଡ ମଧ୍ୟ ମାରେ, ଅନେକ କଷ୍ଟ ଦେଇଥାଏ, କିନ୍ତୁ ଏହା କର୍ମର ହିସାବ-କିତାବ, ଏକ ପ୍ରକାରର କର୍ମଭୋଗ, ଯାହାକି ସବୁ ମନୁଷ୍ୟମାନେ ଶରୀର ଦ୍ୱାରା ହିଁ ଦୁଃଖ-ସୁଖ ଅନୁଭବ କରିଥା’ନ୍ତି । ଏହା ତ ତୁମମାନଙ୍କୁ ବୁଝାଇ ଦିଆଯାଇଛି ଯେ - ଯେଉଁ ଆତ୍ମାମାନେ ମୁକ୍ତିଧାମରୁ ଏହି ସାକାରୀ ନାଟକରେ ଅଭିନୟ କରିବା ପାଇଁ ଆସିଥା’ନ୍ତି, ସେମାନେ ନାଟକ ମଝିରୁ ମୁକ୍ତିଧାମକୁ ଫେରିଯାଇ ପାରିବେ ନାହିଁ, କିନ୍ତୁ ନିଜେ କରିଥିବା ଅଶୁଦ୍ଧ, ଶୁଦ୍ଧ କର୍ମ ଅନୁସାରେ ସଂସ୍କାର ନେଇ ଦୁଃଖ-ସୁଖର ଚକ୍ରରେ ଆସିଥା’ନ୍ତି । ସମସ୍ତ ଆତ୍ମାଙ୍କର ପୁନର୍ଜନ୍ମ ହୋଇଥାଏ, କେବଳ ଏକ ପରମାତ୍ମାଙ୍କର ପୁନର୍ଜନ୍ମ ହୁଏ ନାହିଁ । ଆଚ୍ଛା । ଓମ୍ ଶାନ୍ତି ।