18.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଅତିନ୍ଦ୍ରିୟ ସୁଖର ଅନୁଭବ କରିବା ପାଇଁ ସର୍ବଦା ଏହି ସ୍ମୃତିରେ ରୁହ ଯେ ମୁଁ କାହାର ସନ୍ତାନ, ଯଦି ବାବାଙ୍କୁ ଭୁଲିଯିବ ତେବେ ସୁଖ ହଜିଯିବ” ।

ପ୍ରଶ୍ନ:-
ବାବାଙ୍କୁ ପାଇବାର ସ୍ଥାୟୀ ଖୁସି କେଉଁ ପିଲାମାନଙ୍କର ରହିଥାଏ?

ଉତ୍ତର:-
ଯେଉଁ ପିଲାମାନେ ଜଣଙ୍କ ସହିତ ନିଜର ସର୍ବ ସମ୍ବନ୍ଧ ଯୋଡିଛନ୍ତି, ଯେଉଁମାନେ ଏକମାତ୍ର ବାବାଙ୍କ ସ୍ମୃତିରେ ହିଁ ରହିବାର ପରିଶ୍ରମ କରୁଛନ୍ତି, କୌଣସି ଦେହଧାରୀକୁ ମନେପକାଉ ନାହାଁନ୍ତି ସେହିମାନଙ୍କର ହିଁ ସ୍ଥାୟୀ ଖୁସି ରହିଥାଏ । ଯଦି କୌଣସି ଦେହଧାରୀର ସ୍ମୃତି ଆସୁଛି ତେବେ ବହୁତ କାନ୍ଦିବାକୁ ପଡିବ । ବିଶ୍ୱର ମାଲିକ ହେଉଥିବା ପିଲାମାନେ କେବେ ବି କାନ୍ଦିବେ ନାହିଁ ।

ଗୀତ:-
ବଚପନ କେ ଦିନ ଭୁଲା ନ ଦେନା....

ଓମ୍ ଶାନ୍ତି ।
ବାବା କହୁଛନ୍ତି ମିଠା ମିଠା ସନ୍ତାନମାନେ - ଆମେ ବେହଦ ପିତାଙ୍କର ସନ୍ତାନ ଅଟୁ, ଏକଥା କେବେ ଭୁଲିଯାଅ ନାହିଁ । ଯଦି ଏହି କଥା ଭୁଲିଗଲ, ତେବେ ନିଜକୁ କାନ୍ଦିବାକୁ ପଡିବ । ପୁଣି ଏହି ଛି-ଛି ନର୍କ ଦୁନିଆକୁ ବୁଦ୍ଧି ଚାଲିଯିବ । ବାବାଙ୍କର ସ୍ମୃତି ରହିବା ଦ୍ୱାରା ଅତିନ୍ଦ୍ରିୟ ସୁଖର ଅନୁଭୂତି ହୋଇଥାଏ । ସେହି ସୁଖ, ବାବାଙ୍କୁ ଭୁଲିଯିବା ଦ୍ୱାରା ହଜିଯିବ । ତେଣୁ ସଦା ସର୍ବଦା ମନେ ରହିବା ଉଚିତ୍ ଯେ ମୁଁ ବାବାଙ୍କର ସନ୍ତାନ ଅଟେ ନଚେତ୍ ନିଜକୁ କାନ୍ଦିବାକୁ ପଡିବ । ସମସ୍ତେ ଭଗବାନଙ୍କର ସନ୍ତାନ ଅଟନ୍ତି, ସମସ୍ତେ କହୁଛନ୍ତି ହେ ବାବା, ହେ ପରମପିତା ପରମାତ୍ମା ରକ୍ଷା କର କିନ୍ତୁ ବାବାଙ୍କ ଦ୍ୱାରା ରକ୍ଷା କେଉଁ ସମୟରେ ହୋଇଥାଏ ଏକଥା କାହାକୁ ହେଲେ ବି ଜଣାନାହିଁ । ସାଧୁ ସନ୍ଥ ଆଦି କେହି ହେଲେ ଜାଣି ନାହାଁନ୍ତି ଯେ ବାବାଙ୍କଠାରୁ ଆମକୁ ମୁକ୍ତି-ଜୀବନମୁକ୍ତି କେବେ ମିଳିବ, କାହିଁକି ନା ଭଗବାନଙ୍କୁ ହିଁ ଅଣୁ ପରମାଣୁ ଭିତରେ ଥିବାର କହିଦେଉଛନ୍ତି । ଏବେ ତୁମେ ପିଲାମାନେ ବେହଦର ପିତାଙ୍କୁ ଜାଣିଗଲଣି । ସିଏ ପରମପ୍ରିୟ ପିତା ଅଟନ୍ତି, ତାଙ୍କଠାରୁ ପ୍ରିୟ ବସ୍ତୁ ଆଉ କିଛି ନାହିଁ । ଏପରି ପିତାଙ୍କୁ ନ ଜାଣିବା ବହୁତ ବଡ ଭୁଲ । ତେବେ ଶିବ ଜୟନ୍ତୀ କାହିଁକି ପାଳନ କରୁଛନ୍ତି, ସିଏ କିଏ? ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି ତୁମେ କେତେ ନିର୍ବୋଧ ହୋଇଯାଇଛ । ମାୟା ରାବଣ ତୁମକୁ କ’ଣ କରିଦେଇଛି! ଏବେ ତୁମେ ପିଲାମାନେ ଜାଣୁଛ ଏହି ଭାରତ ଆମର ଜନ୍ମଭୂମି ଅଟେ । ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସୁଛି । ସେମାନେ ପୁଣି କହୁଛନ୍ତି ୪୦,୦୦୦ ବର୍ଷ ପରେ ଯେତେବେଳେ ଏହି କଳିଯୁଗ ଶେଷ ହେବ ସେତେବେଳେ ଆସିବେ । ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ଦେଖାଇଛନ୍ତି ଏବଂ ତ୍ରିମୂର୍ତ୍ତି ମାର୍ଗ ନାମ ମଧ୍ୟ ରଖିଛନ୍ତି କିନ୍ତୁ ତ୍ରିମୂର୍ତ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ କେହି ହେଲେ ଜାଣିନାହାଁନ୍ତି । ବ୍ରହ୍ମା କ’ଣ କରିଯାଇଛନ୍ତି? ବିଷ୍ଣୁ ଏବଂ ଶଙ୍କର କ’ଣ କରନ୍ତି, କେଉଁଠି ରୁହନ୍ତି, କିଛି ବି ଜାଣିନାହାଁନ୍ତି । ସମ୍ପୂର୍ଣ୍ଣ ଘୋର ଅନ୍ଧକାର ମଧ୍ୟରେ ଅଛନ୍ତି । ବାବା ହେଲେ ରଚୟିତା । ତାଙ୍କର ଏହା କେତେ ବଡ ରଚନା ଅଟେ । ଏହି ନାଟକ କେତେ ବିଶାଳ ଅଟେ । ଏଥିରେ ବହୁ ସଂଖ୍ୟାରେ ମନୁଷ୍ୟମାନେ ଅଭିନୟ କରୁଛନ୍ତି । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଯେତେବେଳେ ସତ୍ୟଯୁଗ ଥିଲା, ଭାରତରେ ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ଅନ୍ୟ କୌଣସି ରାଜ୍ୟ ନ ଥିଲା । ଭଗବତୀ ଶ୍ରୀ ଲକ୍ଷ୍ମୀ, ଭଗବାନ ଶ୍ରୀ ନାରାୟଣଙ୍କୁ କୁହାଯାଏ । ରାମ-ସୀତାଙ୍କୁ ମଧ୍ୟ ଭଗବାନ ରାମ, ଭଗବତୀ ସୀତା କହିଥା’ନ୍ତି । ତେବେ ଏହି ନାରାୟଣ ଭଗବାନ ଏବଂ ଲକ୍ଷ୍ମୀ ଭଗବତୀ କେଉଁଠୁ ଆସିଲେ? ସେମାନେ ଏହିଠାରେ ହିଁ ରାଜତ୍ୱ କରି ଯାଇଛନ୍ତି କିନ୍ତୁ ସେମାନଙ୍କର ଜୀବନକାହାଣୀ ତ କେହି ଜଣେ ହେଲେ ବି ଜାଣିନାହାଁନ୍ତି । କେବଳ ଗାୟନ କରିଚାଲିଛନ୍ତି ହେ ଭଗବାନ ଦୁଃଖହର୍ତ୍ତା ସୁଖକର୍ତ୍ତା କିନ୍ତୁ ଏ କଥା କାହା ବୁଦ୍ଧିରେ ବି ଆସୁନାହିଁ - ସିଏ ଦୁଃଖହର୍ତ୍ତା ସୁଖକର୍ତ୍ତା କିପରି ଅଟନ୍ତି । ସିଏ ସମସ୍ତଙ୍କୁ କେଉଁ ପ୍ରକାରର ସୁଖ ଦେଇଛନ୍ତି? ଆଉ କେବେ ସମସ୍ତଙ୍କର ଦୁଃଖ ହରଣ କଲେ? କିଛି ଜାଣିନାହାଁନ୍ତି?

ତୁମେ ପିଲାମାନେ ଏବେ ଏଠାରେ ରାଜଯୋଗ ଶିକ୍ଷା କରୁଛ - ଭଗବତୀ ଲକ୍ଷ୍ମୀ-ଭଗବାନ ନାରାୟଣ ହେବା ପାଇଁ । ଏକଥା ମଧ୍ୟ ଜାଣିଛ ଯେ ଭଗବତୀ ସୀତା, ଭଗବାନ ରାମ ମଧ୍ୟ ହେବେ । ସତ୍ୟଯୁଗରେ ୮ ଜନ୍ମ ଶେଷ କରି ପୁଣି ରାମ-ସୀତାଙ୍କ ରାଜ୍ୟରେ ଆସିବ । ୨୧ ଜନ୍ମ ପାଇଁ ବିଶାଳ ରାଜତ୍ୱ ତୁମେମାନେ ଏହିଠାରେ ହିଁ ସ୍ଥାପନ କରୁଛ । ତୁମେମାନେ ଭଗବତୀ-ଭଗବାନ ସ୍ୱର୍ଗର ମାଲିକ ହେଉଛ । ସ୍ୱର୍ଗ କୌଣସି ଆକାଶରେ ନାହିଁ । ଏକଥା ମଧ୍ୟ କାହାକୁ ଜଣାନାହିଁ । ଏକଦମ୍ ତୁଚ୍ଛ ବୁଦ୍ଧି ହୋଇଯାଇଛନ୍ତି । କହୁଛନ୍ତି ଅମୁକ ସ୍ୱର୍ଗବାସୀ ହେଲେ । କିନ୍ତୁ କିଛି ବି ବୁଝୁ ନାହାଁନ୍ତି । ଆଚ୍ଛା ତେବେ କ’ଣ ଖ୍ରୀଷ୍ଟିୟାନ, ବୌଦ୍ଧି ସମସ୍ତେ ସତ୍ୟଯୁଗକୁ ଯିବେ? ସେମାନେ ପରବର୍ତ୍ତୀ ସମୟରେ ଆସି ନିଜର ଧର୍ମ ସ୍ଥାପନ କରିଥାନ୍ତି ତେଣୁ ସେମାନେ ପୁଣି ସ୍ୱର୍ଗରେ କିପରି ଆସିପାରିବେ? ସ୍ୱର୍ଗ କାହାକୁ କୁହାଯାଏ ଏକଥା ମଧ୍ୟ ସେମାନଙ୍କୁ ଜଣା ନାହିଁ । ସନ୍ନ୍ୟାସୀମାନେ କହିଥାନ୍ତି ଜ୍ୟୋତି ଜ୍ୟୋତିରେ ମିଶିଗଲା । ଆଉ କେହି ପୁଣି କହିଥା’ନ୍ତି ନିର୍ବାଣଧାମକୁ ଗଲା । ନିର୍ବାଣ ତ ଏକ ଲୋକ ଅଟେ ନା । ତାହା ତ ନିବାସ ସ୍ଥାନ । ଜ୍ୟୋତି ଜ୍ୟୋତିରେ ଲୀନ ହେବାର ପ୍ରଶ୍ନ ହିଁ ଉଠୁନାହିଁ । ଯଦି ଜ୍ୟୋତି ଜ୍ୟୋତିରେ ମିଶିଯିବ ତେବେ ତ ଆତ୍ମାର ଅସ୍ତିତ୍ୱ ସମାପ୍ତ ହୋଇଯିବ ବା ଖେଳ ହିଁ ସମାପ୍ତ ହୋଇଯିବ । ଏହି ଡ୍ରାମାରୁ କୌଣସି ବି ଆତ୍ମା ମୁକ୍ତ ହୋଇପାରିବେ ନାହିଁ । କେହି ମଧ୍ୟ ମୋକ୍ଷ ପ୍ରାପ୍ତ କରିପାରିବେ ନାହିଁ । ଗୀତର ଅର୍ଥ ମଧ୍ୟ କେହି ଜାଣିନାହାଁନ୍ତି । ନା କେହି ଜୀବନମୁକ୍ତିର ଅର୍ଥକୁ ଜାଣିଛନ୍ତି, ନା ଆତ୍ମା ପରମାତ୍ମାର ଅର୍ଥକୁ ବୁଝିଛନ୍ତି ।

ବାବା କହୁଛନ୍ତି ତୁମମାନଙ୍କର ଚେହେରା ତ ମନୁଷ୍ୟଙ୍କର ରହିଛି, ଯାହାକି ଦେବତାମାନଙ୍କର ମଧ୍ୟ ଥିଲା । ସତ୍ୟଯୁଗ ଆରମ୍ଭରେ ଦେବତାମାନେ ଥିଲେ । ସେମାନଙ୍କର ରାଜ୍ୟ ୨୫୦୦ ବର୍ଷ ଚାଲିଲା । ବାକି ୨୫୦୦ ବର୍ଷର କଥା, ଯେଉଁ ସମୟରେ ଅନ୍ୟ ସବୁ ଧର୍ମମାନେ ଆସିଥାନ୍ତି । ୫ ହଜାର ବର୍ଷ ପରିବର୍ତ୍ତେ ମନୁଷ୍ୟମାନେ କଳ୍ପ ବୃକ୍ଷର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଇଛନ୍ତି କିନ୍ତୁ ତୁମ କଥାକୁ ବୁଝିବା ପାଇଁ ମଧ୍ୟ କେହି ଆସିବେ ନାହିଁ । ହଁ ସେହିମାନେ ହିଁ ଆସିବେ, ଯେଉଁମାନେ କଳ୍ପ ପୂର୍ବରୁ ଆସି ବୁଝିଥିବେ । ପ୍ରଥମେ ତ ବୁଝାଇବାକୁ ହେବ ଯେ - ଗୋଟିଏ ହେଲା ହଦର (ସୀମିତ) ସନ୍ନ୍ୟାସ, ଯେଉଁଥିରେ ସନ୍ନ୍ୟାସୀମାନେ ଘର ଦ୍ୱାର ଛାଡି ଜଙ୍ଗଲରେ ଯାଇ ରହିଥା’ନ୍ତି, ପ୍ରଥମେ-ପ୍ରଥମେ ସେମାନେ ମଧ୍ୟ ସତ୍ତ୍ୱପଧାନ ଥିଲେ । ପୁଣି ଏବେ ତମୋପ୍ରଧାନ ହୋଇଯିବା କାରଣରୁ ଜଙ୍ଗଲରୁ ଫେରି ଆସି ବଡ ବଡ ମହଲ ତିଆରି କରି ରହୁଛନ୍ତି । ଏହି ସନ୍ନ୍ୟାସୀମାନେ ମଧ୍ୟ ପବିତ୍ରତା ଆଧାରରେ ଭାରତକୁ ନିଶ୍ଚିତ ଭାବରେ ଏ ପର୍ଯ୍ୟନ୍ତ ଆଶ୍ୱସ୍ତ କରି ରଖିଛନ୍ତି । ଏମାନେ ମଧ୍ୟ ଭାରତର ସେବା କରିଛନ୍ତି । ଯଦି ଏହି ସନ୍ନ୍ୟାସ ଧର୍ମ ନ ଥା’ନ୍ତା ତେବେ ଭାରତ ଏକଦମ୍ ବିକାରରେ ଜଳିଯାଇଥାନ୍ତା । ପୁରାପୁରି ପତିତ ହୋଇଯାଇଥା’ନ୍ତା । ଏହିଭଳି ମଧ୍ୟ ଡ୍ରାମା ତିଆରି ହୋଇଛି । ସେମାନଙ୍କ ଭିତରେ ପ୍ରଥମେ ପବିତ୍ରତାର ଶକ୍ତି ଥିଲା, ଯାହାଦ୍ୱାରା ସେମାନେ ଭାରତର ସ୍ଥିତି ବଜାୟ ରଖିଛନ୍ତି । ଯେତେବେଳେ ଏହି ଦେବତାମାନଙ୍କର ରାଜ୍ୟ ଥିଲା, ସେତେବେଳେ ଏହି ଭାରତ କେତେ ଧନଶାଳୀ ଥିଲା । ଏମାନଙ୍କର କେତେ ବଡ ବଡ ହୀରାନୀଳାର ମହଲ ଥିଲା । ଏବେ ସେ ସବୁ କୁଆଡେ ଗଲା? ସବୁ କିଛି ତଳକୁ ଚାଲିଗଲା । ଲଙ୍କା ଏବଂ ଦ୍ୱାରିକା ପାଇଁ କହୁଛନ୍ତି - ସମୁତ୍ର ତଳକୁ ଚାଲିଗଲା । ଏବେ ତ ଆଉ ନାହିଁ । ସୁନାର ମହଲ ଆଦି ସବୁ କିଛି ଥିଲା ନା । ଯଦି ଦ୍ୱାପରରେ ମନ୍ଦିର ମାନଙ୍କରେ ଏତେ ହୀରାନୀଳା ଆଦି ଲଗାଇ ପାରୁଛନ୍ତି, ତେବେ ସତ୍ୟଯୁଗରେ କ’ଣ ନ ଥିବ । ତେବେ ତୁମ ପିଲାମାନଙ୍କର କେତେ ଖୁସି ରହିବା ଦରକାର । ବାବା ପୁନର୍ବାର ଆସିଛନ୍ତି । କହୁଛନ୍ତି ବାବାଙ୍କୁ ମନେପକାଅ । ସ୍ମରଣ କେବଳ ଜଣଙ୍କୁ ହିଁ କରିବାର ଅଛି, ଯାହାଦ୍ୱାରା ବିକର୍ମ ବିନାଶ ହୋଇଥାଏ । କିନ୍ତୁ ଏକଥା ଭୁଲିଯାଉଛନ୍ତି ଏବଂ ଦେହଧାରୀଙ୍କର ସ୍ମୃତି ଆସିଯାଉଛି । ଦେହଧାରୀକୁ ମନେ ପକାଇବା ଦ୍ୱାରା ତ କିଛି ହେଲେ ବି ଲାଭ ନାହିଁ । ବାବା କହୁଛନ୍ତି - ମାମେକମ୍ ୟାଦ କରୋ ଅର୍ଥାତ୍ କେବଳ ମୋତେ ମନେ ପକାଅ । କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । କଥାରେ ଅଛି ନା ମା’ ମରିଗଲେ ମଧ୍ୟ ଖୁସିରେ ରୁହ..... କେବଳ ବାବାଙ୍କର ସ୍ମୃତି ଦ୍ୱାରା ହିଁ ପୁଣ୍ୟ ଜମା ହୋଇଥାଏ । ଆମେ ଶିବବାବାଙ୍କର ସନ୍ତାନ ଅଟୁ, ତାଙ୍କଠାରୁ ସମ୍ପତ୍ତି ନେବାର ଅଛି । ଏହି ସମୟରେ ଯଦି ବାବାଙ୍କୁ ମନେ ନ ପକାଇବା ତେବେ ବହୁତ ପଶ୍ଚାତାପ କରିବାକୁ ପଡିବ, କାନ୍ଦିବାକୁ ପଡିବ । ବିଶ୍ୱର ମାଲିକ ହେବାବାଲାଙ୍କୁ କାନ୍ଦିବା କ’ଣ ଦରକାର । ତୁମେ ବାବାଙ୍କୁ ଭୁଲି ଯାଉଛ, ତେଣୁ ମାୟା ତୁମକୁ ଥାପଡ ମାରି ଦେଉଛି, ସେଥିପାଇଁ ବାବା ବାରମ୍ବାର ବୁଝାଉଛନ୍ତି ଯେ ବାବାଙ୍କୁ ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ । ଅମରନାଥ ଅମରପୁରୀରେ କେବଳ ଜଣେ ପାର୍ବତୀଙ୍କୁ ତ ଅମର କଥା ଶୁଣାଇ ନ ଥିବେ । ନିଶ୍ଚିତ ସେଠାରେ ଅନେକ ଥିବେ । ଯେ କେହି ବି ମନୁଷ୍ୟ ମାତ୍ର ଅଛନ୍ତି, ସମସ୍ତଙ୍କୁ ବାବା ବୁଝାଉଛନ୍ତି ଯେ ଏବେ ପତିତ ହୁଅ ନାହିଁ । ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । ସ୍ୱର୍ଗରେ କୌଣସି ବିକାର ନ ଥାଏ । ଯଦି ସେଠାରେ ମଧ୍ୟ ବିକାର ରହିବ ତେବେ ସ୍ୱର୍ଗ ଏବଂ ନର୍କ ମଧ୍ୟରେ ପାର୍ଥକ୍ୟ କ’ଣ ରହିଲା? ଦେବୀ-ଦେବତାଙ୍କର ମହିମା ଗାୟନ କରୁଛନ୍ତି ଯେ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ... ଅଟନ୍ତି । ଭଗବାନ ଆସି ଭଗବାନ-ଭଗବତୀ ହିଁ କରିବେ, କେବଳ ଭଗବାନଙ୍କ ବିନା ଆଉ କେହି କରିପାରିବେ ନାହିଁ । ଭଗବାନ ତ ଜଣେ ହିଁ ଅଟନ୍ତି । ଗାୟନ ମଧ୍ୟ ରହିଛି ଭଗବାନ ଭଗବତୀଙ୍କର ରାଜଧାନୀ । ଯଥା ରାଜା ରାଣୀ ତଥା ପ୍ରଜାମାନେ ମଧ୍ୟ ସେହିଭଳି ହେବେ । କିନ୍ତୁ ସେମାନଙ୍କୁ ଭଗବାନ-ଭଗବତୀ କୁହାଯିବ ନାହିଁ । ସେଥିପାଇଁ କୁହାଯାଉଛି ଆଦି ସନାତନ ଦେବୀ-ଦେବତା ଧର୍ମ । ଏହି କଥା କାହାକୁ ବି ଜଣା ନାହିଁ । ଏହି ବ୍ରହ୍ମାଙ୍କର ଆତ୍ମାକୁ ମଧ୍ୟ ବାବା ବୁଝାଉଛନ୍ତି । ଗୋଟିଏ ବାବାଙ୍କର ଆଉ ଗୋଟିଏ ଦାଦାଙ୍କର - ଉଭୟ ଆତ୍ମା ଅଛନ୍ତି ନା । ଗୋଟିଏ ଆତ୍ମା ୮୪ ଜନ୍ମ ନେଉଛି, ଆଉ ଗୋଟିଏ ଆତ୍ମା ପୁନର୍ଜନ୍ମ ରହିତ ଅଟେ । ବାବା କେବେ ପୁନର୍ଜନ୍ମ ନିଅନ୍ତି ନାହିଁ । ଥରେ ମାତ୍ର ଆସି ସାରା ବିଶ୍ୱକୁ ପବିତ୍ର କରିବା ପାଇଁ ଆମକୁ ରାଜଯୋଗ ଶିଖାଉଛନ୍ତି । ବାବା ତୁମକୁ ବୁଝାଉଛନ୍ତି - ଯେ ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛି । ଏଇ ବ୍ରହ୍ମା ୮୪ ଜନ୍ମ ଭୋଗ କରିଛନ୍ତି । ଏବେ ୟାଙ୍କର ବହୁତ ଜନ୍ମର ଏହା ଅନ୍ତିମ ଜନ୍ମ ଅଟେ । ତେବେ ମୁଁ ତ ନିରାକାର ପୁଣି ପିଲାମାନଙ୍କୁ ରାଜଯୋଗ କିପରି ଶିଖାଇବି? ପ୍ରେରଣା ଦ୍ୱାରା ତ କିଛି ହୋଇପାରିବ ନାହିଁ । ଶ୍ରୀକୃଷ୍ଣ ଭଗବାନଉବାଚ ତ ହୋଇପାରିବ ନାହିଁ । ସିଏ କିପରି ଆସିପାରିବେ? ସିଏ ତ ସତ୍ୟଯୁଗର ରାଜକୁମାର ଅଟନ୍ତି, ୧୬ କଳା ସମ୍ପୂର୍ଣ୍ଣ... ପୁଣି ତ୍ରେତା ଯୁଗରେ ୧୪ କଳା ସମ୍ପୂର୍ଣ୍ଣ ତେବେ ପୁଣି ଦ୍ୱାପରଯୁଗକୁ ଶ୍ରୀକୃଷ୍ଣଙ୍କୁ କାହିଁକି ନେଇ ଆସିଛନ୍ତି । ତାଙ୍କୁ ତ ପ୍ରଥମରୁ ଆସିବା ଦରକାର । ବାବା ବୁଝାଉଛନ୍ତି ପ୍ରଥମେ ବାବାଙ୍କୁ ମନେ ପକାଅ ନଚେତ୍ ମାୟା ଏକଦମ୍ ଚାପୁଡା ମାରିଦେବ । ଯେପରି ଲାଜକୁଳୀ ଲତା ହୋଇଥାଏ ଯାହାକୁ ଛୁଇଁବା ମାତ୍ରେ ଝାଉଁଳି ଯାଇଥାଏ । ତୁମମାନଙ୍କର ମଧ୍ୟ ଏହିଭଳି ଅବସ୍ଥା ହୋଇଥାଏ, ଯଦି ବାବାଙ୍କୁ ସ୍ମରଣ ନ କଲ ତେବେ ସବୁ କିଛି ସମାପ୍ତ ହୋଇଯିବ । ଗୀତରେ ମଧ୍ୟ ଶୁଣିଲ ବଚପନ କେ ଦିନ ଭୁଲା ନେହିଁ ଦେନା.... । ଯଦି ବାବାଙ୍କୁ ଭୁଲିଗଲ ତେବେ କେଉଁଠି ନା କେଉଁଠି ଆଘାତ ଲାଗିଯିବ । ବାବା କହୁଛନ୍ତି - ତୁମେ ମୋର ସନ୍ତାନ ଅଟ ନା । ଏହି (ବ୍ରହ୍ମାଙ୍କର) ଶରୀର ତ ବିଷୟ ବିକାରରୁ ଜନ୍ମ ନେଇଛି । ଯିଏ ବ୍ରହ୍ମାଙ୍କର ଶରୀରକୁ ଜନ୍ମ ଦେଇଛନ୍ତି ସିଏ ୟାଙ୍କର ଲୌକିକ ମାତାପିତା ଅଟନ୍ତି । ଇଏ ତ ହେଲେ ପାରଲୌକିକ ପିତା ଏବଂ ଏହି ବ୍ରହ୍ମାଙ୍କୁ ପୁଣି ଅଲୌକିକ ପିତା କୁହାଯାଉଛି । ଇଏ ବ୍ରହ୍ମା ହଦର ପିତା ଥିଲେ, ଏବେ ପୁଣି ବେହଦର ପିତା ହୋଇଗଲେ । ଏବେ ଦେଖ ଏହି ଲୌକିକ କନ୍ୟା ନିର୍ମଳା ଶାନ୍ତା । ଇଏ ବ୍ରହ୍ମା ତାଙ୍କର ଲୌକିକ ପିତା ହେବା ସହିତ ଅଲୌକିକ ଏବଂ ପାରଲୌକିକ ପିତା ମଧ୍ୟ ଅଟନ୍ତି । ଶିବବାବାଙ୍କର ତ କେହି ଭାଇ-ଭଉଣୀ ନାହାଁନ୍ତି । ନା ଲୌକିକ, ନା ଅଲୌକିକ, ନା ପାରଲୌକିକ । କେତେ ପାର୍ଥକ୍ୟ ରହିଛି । ଏକ ବାବାଙ୍କର ହୋଇଯିବା ମାଉସୀ ଘର କଥା ନୁହେଁ । ଏହିଭଳି ବାବାଙ୍କ ସହିତ ସମ୍ବନ୍ଧ ଯୋଡିବାକୁ ହେବ, ସେଥିପାଇଁ ସମୟ ଲାଗିବ । ଶିବବାବାଙ୍କର ସ୍ମୃତିରେ ରହିବା ବହୁତ କଷ୍ଟକର କଥା । କେହି ପଚାଶ ବର୍ଷର ଜ୍ଞାନୀ ମଧ୍ୟ ସାରା ଦିନ ଭିତରେ ଶିବବାବାଙ୍କୁ ୟାଦ ବି କରି ନ ଥା’ନ୍ତି, ଏମିତି ବି ଅଛନ୍ତି । ଅନ୍ୟ ସମସ୍ତଙ୍କୁ ଭୁଲି କେବଳ ବାବାଙ୍କୁ ୟାଦ କରିବା ବହୁତ ମେହନତର କଥା । କେହି ଏକ ପ୍ରତିଶତ ମନେ ପକାଉଛନ୍ତି ତ ଆଉ କେହି ଦୁଇ ପ୍ରତିଶତ ଆଉ କେହି ତା’ଠାରୁ ମଧ୍ୟ କମ୍ ଅଧା ପ୍ରତିଶତ ବଡ କଷ୍ଟରେ ମନେ ପକାଉଛନ୍ତି । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ତେବେ ବାବା ବୁଝାଉଛନ୍ତି ପିଲାଦିନକୁ ଭୁଲିଯିବା ଉଚିତ୍ ନାହିଁ । ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ତୁମେ ଜାଣିଛ ଆମେ ବଞ୍ଚି ଥାଉ ଥାଉ ମରି ବାବାଙ୍କର ହୋଇଛୁ - ନୂଆ ଦୁନିଆକୁ ଯିବା ପାଇଁ । ତେଣୁ ତୁମକୁ ସ୍ଥାୟୀ ଖୁସି ରହିବା ଦରକାର, ଓହୋ! ମୁଁ ଦ୍ୱିମୁକୁଟଧାରୀ ହେବି! ମନୁଷ୍ୟମାନେ କ’ଣ ଜାଣିଛନ୍ତି ଯେ ସତ୍ୟଯୁଗରେ ଏହି ଦେବତାମାନଙ୍କୁ ୧୬ କଳା ସମ୍ପୂର୍ଣ୍ଣ ଏବଂ ୧୪ କଳା ସମ୍ପୂର୍ଣ୍ଣ କାହିଁକି କହୁଛନ୍ତି? ଏସବୁ କିଛି ବି ଜାଣିନାହାଁନ୍ତି । ଏହି ଭକ୍ତିମାର୍ଗର ଶାସ୍ତ୍ର ଇତ୍ୟାଦି ପୁନର୍ବାର ଲେଖାଯିବ । ଏହି ହଠଯୋଗ, ତୀର୍ଥଯାତ୍ରା ଇତ୍ୟାଦି ପୁର୍ନବାର ହେବ । କିନ୍ତୁ ଏହାଦ୍ୱାରା କ’ଣ ହେବ? କ’ଣ ସ୍ୱର୍ଗକୁ ଚାଲିଯିବେ? ନା, ବହୁତ ଲୋକ ରିଦ୍ଧି-ସିଦ୍ଧି ଦ୍ୱାରା କାର୍ଯ୍ୟ କରୁଛନ୍ତି । ତେବେ ରିଦ୍ଧି-ସିଦ୍ଧି ବାଲା ତ ବହୁତ ଅଛନ୍ତି । ହଜାର-ହଜାର ମନୁଷ୍ୟ ସେମାନଙ୍କ ପଛରେ ପଡିଛନ୍ତି । ରିଦ୍ଧି-ସିଦ୍ଧି ଦ୍ୱାରା ଘଡି ଇତ୍ୟାଦି ବହୁତ ଜିନିଷ ବାହାର କରିଥା’ନ୍ତି । ଏକଥା କ’ଣ କେହି ବୁଝୁଛନ୍ତି କି ଏସବୁ ହେଲା ଅଳ୍ପକାଳର ସିଦ୍ଧି । ଏଥିରେ ବହୁତ ପରିଶ୍ରମ କରିବାକୁ ପଡିଥାଏ । ଏହି ରିଦ୍ଧି-ସିଦ୍ଧି ଆଦି ଶିକ୍ଷା କରିବା ପାଇଁ ମଧ୍ୟ ପୁସ୍ତକ ରହିଛି । କେତେ ଲକ୍ଷ ଲକ୍ଷ ମନୁଷ୍ୟ ସେମାନଙ୍କର ପଛରେ ପଡିଛନ୍ତି । ତୁମେ ପିଲାମାନେ ଜାଣିଛ ଯେ ଆମକୁ ବାବାଙ୍କ ଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସେସବୁ କିଛି ହେଲେ ବି ରହିବ ନାହିଁ । ବାବା ବୁଝାଉଛନ୍ତି ତୁମେ ଅଶରୀରୀ ହୋଇ ଆସିଥିଲ, ପୁଣି ଶରୀର ସହିତ ଅଭିନୟ କଲ । ଯଦି ୮୪ ଲକ୍ଷର ହିସାବ-କିତାବ ବାହାର କରିବା ତେବେ ୧୨ ମାସ ଲାଗିଯିବ । ଏଭଳି କେବେ ହୋଇପାରିବ ନାହିଁ । ୮୪ ଜନ୍ମର ହିସାବ-କିତାବ ବତାଇବା ତ ବହୁତ ସହଜ । ତୁମେ ୮୪ ଜନ୍ମର ଚକ୍ର ଲଗାଇ ଚାଲିଛ । ସୂର୍ଯ୍ୟବଂଶୀମାନେ ଥିଲାବେଳେ ଚନ୍ଦ୍ରବଂଶୀ ନ ଥାନ୍ତି । ସୂର୍ଯ୍ୟବଂଶୀ କୁଳର ରାଜ୍ୟ ଶେଷ ହେଲା ପରେ ପୁଣି ଚନ୍ଦ୍ରବଂଶୀ.... ହେଲେ ।

ଏବେ ତୁମେମାନେ ଜାଣିଛ ଯେ ଆମେମାନେ ହେଲେ ବ୍ରାହ୍ମଣବଂଶୀ, ପୁଣି ଦେବତାବଂଶୀ ହେବୁ, ସେଥିପାଇଁ ଆମେ ପାଠ ପଢୁଛୁ । ପୁଣି ସିଢିରେ ତଳକୁ ଖସି ଖସି ବୈଶ୍ୟ, ଶୁଦ୍ରବଂଶୀ ହେବୁ । ଏବେ ନିଜର ୮୪ ଜନ୍ମର ସ୍ମୃତି ଆସିଯାଇଛି । ଏହି ଚକ୍ରକୁ ମଧ୍ୟ ମନେ ପକାଇବାକୁ ପଡିବ । ବାବାଙ୍କୁ ସ୍ମରଣ କରିବା ଦ୍ୱାରା ସଦା ସୁସ୍ଥ, ସଦା ସମ୍ପତ୍ତିବାନ ହେବ, ପାପ ସବୁ କଟିଯିବ । ଚକ୍ରକୁ ଜାଣିବା ଦ୍ୱାରା ଚକ୍ରବର୍ତ୍ତୀ ରାଜା ହୋଇଯିବ । ତୁମେ ଜାଣିଛ ଏହି ପୁରୁଣା ଦୁନିଆ ଶ୍ମଶାନ ହେବାକୁ ଯାଉଛି । କିଛି ବି ରହିବ ନାହିଁ, ସବୁ କିଛି ସମାପ୍ତ ହୋଇଯିବ । କଥାରେ ଅଛି ରାମ ଗଲେ ରାବଣ ମଧ୍ୟ ଗଲେ... ରାମଙ୍କର ସତ୍ୟଯୁଗରେ କେତେ ଛୋଟ ପରିବାର ଥିବ । ଏବେ ରାବଣର କେତେ ବଡ ପରିବାର ରହିଛି । ପିଲାମାନେ ଜାଣିଛନ୍ତି ଯେ ଏଠାରେ ରାଜଧାନୀର ସ୍ଥାପନା ହେଉଛି । ପ୍ରତ୍ୟେକ କଥାରେ ପୁରୁଷାର୍ଥ ହେଲା ପ୍ରଥମ । ବାବା ପୁରୁଷାର୍ଥ କରାଉଛନ୍ତି - ପିଲାମାନେ ମୋତେ ମନେ ପକାଅ । ଯେଉଁ ବାବାଙ୍କଠାରୁ ତୁମକୁ ସ୍ୱର୍ଗ ଦୁନିଆର ଅବିନାଶୀ ବାଦଶାହୀ ମିଳୁଛି, କ’ଣ ତୁମେ ତାଙ୍କୁ ମନେ ପକାଇବ ନାହିଁ? ବାବା ସ୍ମରଣ କରାଇ ଦେଉଛନ୍ତି ଯେ ତୁମେ ସ୍ୱର୍ଗର ମାଲିକ ଥିଲ । ଏବେ ପୁନର୍ବାର ପୁରୁଷାର୍ଥ କରି ସ୍ୱର୍ଗର ମାଲିକ ହୁଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କେବେ ବି କୌଣସି କଥାରେ ଲାଜକୁଳି ଲତା ଭଳି ହେବାର ନାହିଁ । ଈଶ୍ୱରୀୟ ପିଲା ଦିନକୁ ଭୁଲି ଝାଉଁଳି ଯିବାର ନାହିଁ । ଏହି ଆଖି ଦ୍ୱାରା ଯାହା କିଛି ଦେଖାଯାଉଛି, ସେଗୁଡିକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ ।

(୨) ଏକମାତ୍ର ବାବାଙ୍କ ସ୍ମୃତି ଦ୍ୱାରା ହିଁ ପୂଣ୍ୟ ଜମା ହୋଇଥାଏ, ସେଥିପାଇଁ ଦେହଧାରୀମାନଙ୍କୁ ମନେ ପକାଇ କାନ୍ଦିବାର ନାହିଁ । ବାବା ଏବଂ ବାବାଙ୍କର ସମ୍ପତ୍ତିକୁ ମନେ ପକାଇ ବିଶ୍ୱର ବାଦଶାହୀ ନେବାର ଅଛି ।

ବରଦାନ:-
ଶ୍ରେଷ୍ଠ ମତର ଆଧାର ଦ୍ୱାରା ମାୟାବୀ ସଂଗଦୋଷ ଠାରୁ ଉର୍ଦ୍ଧ୍ୱରେ ରହୁଥିବା ଶକ୍ତି ସ୍ୱରୂପ ଭବ ।

ପିଲାମାନଙ୍କର ଗୋଟିଏ ଅଭିଯୋଗ ସର୍ବଦା ରହୁଛି ଯେ ଆମର ସମ୍ବନ୍ଧୀମାନେ ଆମ କଥା ଶୁଣୁ ନାହାଁନ୍ତି, ଆମକୁ ଭଲ ସଂଗ ମିଳୁ ନାହିଁ, ସେଥିପାଇଁ ଆମେ ଶକ୍ତିଶାଳୀ ହୋଇ ପାରୁ ନାହୁଁ । କିନ୍ତୁ ଶ୍ରେଷ୍ଠ ମତ ଆଧାରରେ ଜ୍ଞାନ ସ୍ୱରୂପ ଶକ୍ତି ସ୍ୱରୂପର ବରଦାନୀ ହୋଇ ନିଜର ସ୍ଥିତିକୁ ଅଚଳ କର । ସାକ୍ଷୀ ହୋଇ ପ୍ରତ୍ୟେକଙ୍କର ପାର୍ଟକୁ ଦେଖ । ନିଜର ସତ୍ତ୍ୱଗୁଣୀ ପାର୍ଟରେ ସ୍ଥିତ ହୋଇ ରୁହ । ଯଦି ସର୍ବଦା ବାବାଙ୍କର ସଂଗରେ ରହିବ ତେବେ ତମୋଗୁଣୀ ଆତ୍ମାଙ୍କର ସଂଗର ରଙ୍ଗର ପ୍ରଭାବ ପଡିପାରିବ ନାହିଁ ।

ସ୍ଲୋଗାନ:-
କର୍ମଯୋଗୀ ତାଙ୍କୁ କୁହାଯିବ ଯିଏ କର୍ମରୂପୀ କଳ୍ପ ବୃକ୍ଷର ଡାଳ ଉପରେ ବସି କର୍ମ କରୁଥିଲେ ମଧ୍ୟ ଉପରାମ ସ୍ଥିତିରେ ରହୁଥିବ ।

ଅବ୍ୟକ୍ତ ଈଶାରା - ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ଯେପରି କାହାର କାହାର କୌଣସି ଏକ ବିଶେଷ ନେଚର ରହିଥାଏ, ଯାହାକି ନ ଚାହିଁଲେ ମଧ୍ୟ ସେହି ନେଚରର ବଶୀଭୂତ ହୋଇ କର୍ମ କରିଥାଆନ୍ତି । କହିଥାଆନ୍ତି ମୁଁ ଚାହୁଁ ନାହିଁ କିନ୍ତୁ ଏହା ମୋ’ର ନେଚର ଅଟେ । ସେହିପରି ତୁମମାନଙ୍କର ନେଚର ଏତେ ସରଳ ହେଉ ଯାହାକି ଅନ୍ୟମାନଙ୍କୁ ଅନୁଭବ ହେଉ ଯେ ଇଏ ସହଜଯୋଗୀ, ସ୍ୱତଃଯୋଗୀ ଅଟନ୍ତି । କ’ଣ କରିବି, କିପରି ଯୋଗ ଲଗାଇବି.... ଏହିଭଳି କଥାସବୁ ସମାପ୍ତ ହୋଇଯାଉ । ମୁଁ ସଦା ସହଯୋଗୀ ଅର୍ଥାତ୍ ଯୋଗୀ ହିଁ ଅଟେ । ଏହି ଗୋଟିଏ କଥାକୁ ସ୍ୱାଭାବିକ ନେଚରରେ ପରିଣତ କରିଦେଲେ ସବୁ ବିଷୟରେ ପ୍ରବୀଣ ହୋଇଯିବ ।