19.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଶ୍ରୀମତ
ହିଁ ତୁମକୁ ଶ୍ରେଷ୍ଠ କରିଦେବ, ସେଥିପାଇଁ ଶ୍ରୀମତକୁ କେବେ ବି ଭୁଲ ନାହିଁ, ନିଜ ମତ ଅର୍ଥାତ୍
ମନମତରେ ନ ଚାଲି ଏକମାତ୍ର ବାବାଙ୍କ ମତରେ ଚାଲ ।”
ପ୍ରଶ୍ନ:-
ପୁଣ୍ୟ ଆତ୍ମା
ହେବାର ଉପାୟ କ’ଣ?
ଉତ୍ତର:-
ଯଦି ପୁଣ୍ୟ ଆତ୍ମା ହେବା ପାଇଁ ଚାହୁଁଛ ତେବେ ସଚ୍ଚା ହୃଦୟର ସହିତ, ସ୍ନେହର ସହିତ ଏକମାତ୍ର
ବାବାଙ୍କୁ ମନେ ପକାଅ (୨) କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବି ବିକର୍ମ କର ନାହିଁ । ସମସ୍ତଙ୍କୁ
ରାସ୍ତା ବତାଅ । ନିଜ ମନକୁ ପଚାର - ଏହିଭଳି ପୁଣ୍ୟ କର୍ମ ମୁଁ କେତେ କରୁଛି? ନିଜର ଚେକିଙ୍ଗ୍ କର
- ମୋ ଦ୍ୱାରା ଏପରି କୌଣସି କର୍ମ ନ ହେଉ ଯାହା ପାଇଁ ଶହେ ଗୁଣା ଦଣ୍ଡ ଭୋଗ କରିବାକୁ ପଡିବ ।
ଏହିଭଳି ଚେକିଙ୍ଗ୍ କରିବା ଦ୍ୱାରା ପୁଣ୍ୟ ଆତ୍ମା ହୋଇଯିବ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ପିଲାମାନଙ୍କୁ ବସି ବୁଝାଉଛନ୍ତି । ଏ କଥା ପିଲାମାନେ ଜାଣିଛନ୍ତି ଯେ ଏବେ ଆମେ ଶିବବାବାଙ୍କ ମତ
ଅନୁସାରେ ଚାଲୁଛୁ । ତାଙ୍କର ମତ ହିଁ ସର୍ବୋଚ୍ଚ ଅଟେ । ଦୁନିଆରେ ଏ କଥା କେହି ବି ଜାଣିନାହାଁନ୍ତି
ଯେ ଉଚ୍ଚରୁ ଉଚ୍ଚ ଶିବବାବା କିପରି ପିଲାମାନଙ୍କୁ ଶ୍ରେଷ୍ଠ କରିବା ପାଇଁ ଶ୍ରେଷ୍ଠ ମତ ଦେଉଛନ୍ତି
। ଏହି ରାବଣ ରାଜ୍ୟରେ କୌଣସି ବି ମନୁଷ୍ୟ ମାତ୍ର, ମନୁଷ୍ୟକୁ ଶ୍ରେଷ୍ଠ ମତ ଦେଇପାରିବେ ନାହିଁ ।
ତୁମେମାନେ ଏବେ ଈଶ୍ୱରୀୟ ମତରେ ଚାଲୁଛ । ବର୍ତ୍ତମାନ ତୁମମାନଙ୍କୁ ପତିତରୁ ପବିତ୍ର ହେବା ପାଇଁ
ଈଶ୍ୱରୀୟ ମତ ମିଳୁଛି । ଏବେ ତୁମେ ଜାଣୁଛ ଯେ ଆମେ ତ ବିଶ୍ୱର ମାଲିକ ଥିଲୁ । ଇଏ (ବ୍ରହ୍ମା)
ଯିଏକି ବିଶ୍ୱର ମାଲିକ ଥିଲେ ସେ ମଧ୍ୟ ଜାଣି ନ ଥିଲେ । ଯିଏ ସାରା ବିଶ୍ୱର ମାଲିକ ଥିଲେ ସିଏ
ମଧ୍ୟ ଏକଦମ୍ ପତିତ ହୋଇଯାଉଛନ୍ତି । ଏହି ଖେଳକୁ ବୁଦ୍ଧିରେ ବହୁତ ଭଲ ଭାବରେ ବୁଝିବାକୁ ହେବ ।
ଠିକ୍ କ’ଣ ଭୁଲ୍ କ’ଣ, ଏହାକୁ ଜାଣିବା - ଏହା ହେଉଛି ବୁଦ୍ଧିର ଲଢେଇ । ପ୍ରକୃତରେ ସାରା ଦୁନିଆ
ଏବେ ଭୁଲ ବାଟରେ ଯାଉଛି । ଏକମାତ୍ର ବାବା ହିଁ ହେଉଛନ୍ତି ଠିକ୍, ଯିଏକି ସତ୍ୟ କଥା କହୁଛନ୍ତି ।
ସେ ତୁମକୁ ସତ୍ୟ ଭୂଖଣ୍ଡର ମାଲିକ କରୁଛନ୍ତି, ତେଣୁ ତାଙ୍କର ଶ୍ରୀମତ ଅନୁସାରେ ଚାଲିବା ଉଚିତ୍ ।
ଯଦି ନିଜ ମତରେ ଚାଲିବ ତେବେ ଧୋକା ଖାଇଯିବ । କିନ୍ତୁ ସେ ହେଉଛନ୍ତି ଗୁପ୍ତ ଏବଂ ନିରାକାର ମଧ୍ୟ
। ବହୁତ ପିଲା ଭୁଲ୍ କରୁଛନ୍ତି, ଭାବୁଛନ୍ତି - ଏହା ତ ଦାଦାଙ୍କର ମତ ଅଟେ । ମାୟା ଶ୍ରେଷ୍ଠ ମତ
ଅନୁସାରେ ଚାଲିବାକୁ ଦେଉନାହିଁ । ତୁମମାନଙ୍କୁ ଶ୍ରୀମତରେ ଚାଲିବା ଦରକାର ନା । ବାବା ଆପଣ ଆମକୁ
ଯାହା କହିବେ ତାହା ଆମେ ନିଶ୍ଚୟ ମାନିବୁ । କିନ୍ତୁ ଏମିତି ଅନେକ ଅଛନ୍ତି ଯେଉଁମାନେ ମାନୁ
ନାହାଁନ୍ତି । ବାବାଙ୍କ ଶ୍ରୀମତରେ (ପୁରୁଷାର୍ଥର କ୍ରମଅନୁସାରେ) ଚାଲୁଛନ୍ତି, ବାକି ତ ନିଜର ମତ
ଚଲାଇ ଦେଉଛନ୍ତି । ବାବା ଶ୍ରେଷ୍ଠ ମତ ଦେବା ପାଇଁ ଆସିଛନ୍ତି । କିନ୍ତୁ ଏହିଭଳି ବାବାଙ୍କୁ ମଧ୍ୟ
ଘଡି ଘଡି ଭୁଲିଯାଉଛନ୍ତି । ମାୟା ବାବାଙ୍କ ମତ ଅନୁସାରେ ଚାଲିବାକୁ ଦେଉନାହିଁ । ଶ୍ରୀମତ ତ ବହୁତ
ସହଜ ଅଟେ ନା । ଦୁନିଆରେ କେହି ବି ବୁଝିପାରୁ ନାହାଁନ୍ତି ଯେ, ଆମେ ତମଃପ୍ରଧାନ ଅଟୁ । ମୋର ମତ ତ
ପ୍ରସିଦ୍ଧ, ଶ୍ରୀମତ ଭଗବତ ଗୀତା । ଭଗବାନ ଏବେ କହୁଛନ୍ତି ଯେ ମୁଁ ପ୍ରତି ୫ ହଜାର ବର୍ଷରେ ଥରେ
ଏଠାକୁ ଆସୁଛି, ଆସି ଭାରତକୁ ଶ୍ରୀମତ ଅନୁସାରେ ଶ୍ରେଷ୍ଠରୁ ଶ୍ରେଷ୍ଠ କରୁଛି । ବାବା ତ ସାବଧାନ
କରୁଛନ୍ତି, ତଥାପି ପିଲାମାନେ ଶ୍ରୀମତରେ ଚାଲୁନାହାଁନ୍ତି । ବାବା ପ୍ରତିଦିନ ବୁଝାଇ ଚାଲିଛନ୍ତି
- ପିଲାମାନେ, ଶ୍ରୀମତରେ ଚାଲିବାକୁ ଭୁଲିଯାଅ ନାହିଁ । ଏହା ବ୍ରହ୍ମାଙ୍କର କଥା ତ ନୁହେଁ । ତେବେ
ସବୁ କଥା ଶିବବାବାଙ୍କର ବୋଲି ମନେ କର । ସିଏ ହିଁ ଏହାଙ୍କ ଦ୍ୱାରା ମତ ଦେଉଛନ୍ତି । ସିଏ ହିଁ
ଅନ୍ୟମାନଙ୍କୁ ବୁଝାଉଛନ୍ତି । ଖାଇବା-ପିଇବା କିଛି କରୁନାହାଁନ୍ତି, କହୁଛନ୍ତି ମୁଁ ଅଭୋକ୍ତା ଅଟେ
। ତୁମମାନଙ୍କୁ ଶ୍ରୀମତ ଦେଉଛି । ପ୍ରଥମ ନମ୍ବର ମତ ହେଲା - ମୋତେ ମନେ ପକାଅ । କୌଣସି ବିକର୍ମ
କର ନାହିଁ । ନିଜର ମନକୁ ପଚାର ମୁଁ କେତେ ପାପ କରିଛି? ଏ କଥା ତ ଜାଣିଛ ଯେ ସମସ୍ତଙ୍କର ପାପର ଘଡା
ଭରିଗଲାଣି । ବର୍ତ୍ତମାନ ସମସ୍ତେ ଭୁଲ୍ ରାସ୍ତାରେ ଚାଲୁଛନ୍ତି । ତୁମକୁ ଏବେ ବାବାଙ୍କ ଦ୍ୱାରା
ଠିକ୍ ରାସ୍ତା ମିଳିଛି । ତୁମ ବୁଦ୍ଧିରେ ବର୍ତ୍ତମାନ ସମସ୍ତ ଜ୍ଞାନ ରହିଛି । ଗୀତାରେ ଯେଉଁ
ଜ୍ଞାନ ରହିବା ଦରକାର ତାହା ନାହିଁ । କାରଣ ତାହା ବାବାଙ୍କ ଦ୍ୱାରା ରଚନା କରାଯାଇ ନାହିଁ । ଏହା
ମଧ୍ୟ ଭକ୍ତିମାର୍ଗରେ ନିଧାର୍ଯ୍ୟ ରହିଛି । କହୁଛନ୍ତି ମଧ୍ୟ ଭଗବାନ ଆସି ଭକ୍ତିର ଫଳ ଦେବେ ।
ପିଲାମାନଙ୍କୁ ବୁଝାଯାଉଛି - ଜ୍ଞାନ ଦ୍ୱାରା ସଦ୍ଗତି ହେବ । ତେବେ ସଦ୍ଗତି ମଧ୍ୟ ସମସ୍ତଙ୍କର
ହେଉଛି ତ ଦୁର୍ଗତି ମଧ୍ୟ ସମସ୍ତଙ୍କର ହେଉଛି । ଏହି ଦୁନିଆ ହିଁ ବର୍ତ୍ତମାନ ତମଃପ୍ରଧାନ ଅଟେ ।
ଏଠାରେ ଜଣେ କେହି ହେଲେ ସତ୍ତ୍ୱପ୍ରଧାନ ନାହାଁନ୍ତି । ପୁନର୍ଜନ୍ମ ନେଇ-ନେଇ ଏବେ ଅନ୍ତିମ ସମୟ ଆସି
ପହଞ୍ଚିଛି । ଏବେ ମୃତ୍ୟୁ ସମସ୍ତଙ୍କର ମସ୍ତକ ଉପରେ ଦଣ୍ଡାୟମାନ । ଏହି କାହାଣୀ କେବଳ ଭାରତର ।
ଗୀତା ମଧ୍ୟ ଦେବୀ-ଦେବତା ଧର୍ମର ଶାସ୍ତ୍ର ଅଟେ । ତେଣୁ ତୁମକୁ ଅନ୍ୟ କୌଣସି ଧର୍ମକୁ ଗଲେ କ’ଣ
ଫାଇଦା ମିଳିବ । ପ୍ରତ୍ୟେକ ନିଜ-ନିଜର କୋରାନ, ବାଇବେଲ୍ ଆଦିକୁ ହିଁ ପଢୁଛନ୍ତି । ସେମାନେ ସମସ୍ତେ
ନିଜର ଧର୍ମକୁ ଜାଣିଛନ୍ତି । କେବଳ ଭାରତବାସୀ ହିଁ ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଯାଉଛନ୍ତି ।
ଅନ୍ୟ ସମସ୍ତେ ନିଜ-ନିଜର ଧର୍ମରେ ପକ୍କା ଅଛନ୍ତି । ପ୍ରତ୍ୟେକ ଧର୍ମାବଲମ୍ବୀମାନଙ୍କର ଚେହେରା ଆଦି
ଅଲଗା ଅଲଗା । ବାବା ମନେ ପକାଇ ଦେଉଛନ୍ତି - ପିଲାମାନେ, ତୁମେ ନିଜର ଦେବୀ-ଦେବତା ଧର୍ମକୁ
ଭୁଲିଯାଇଛ । ତୁମେ ସ୍ୱର୍ଗର ଦେବତା ଥିଲ, ହମ ସୋ ର ଅର୍ଥ ଭାରତବାସୀମାନଙ୍କୁ ବାବା ଶୁଣାଇଛନ୍ତି
। ବାକି ଆମେ ଆତ୍ମା ହିଁ ପରମାତ୍ମା ଅଟୁ, ଏ କଥା ସତ୍ୟ ନୁହେଁ । ଏ କଥା ତ ଭକ୍ତିମାର୍ଗର
ଗୁରୁମାନେ କହିଦେଇଛନ୍ତି । ଗୁରୁମାନେ ମଧ୍ୟ କୋଟି କୋଟି ସଂଖ୍ୟାରେ ଅଛନ୍ତି । ସ୍ତ୍ରୀମାନଙ୍କୁ
କହନ୍ତି, ସ୍ୱାମୀ ହିଁ ତୁମର ଗୁରୁ ଈଶ୍ୱର ଅଟନ୍ତି । ଯଦି ସ୍ୱାମୀ ହିଁ ଈଶ୍ୱର ଅଟନ୍ତି, ପୁଣି ହେ
ଭଗବାନ, ହେ ରାମ ବୋଲି କାହିଁକି କହୁଛନ୍ତି । ମନୁଷ୍ୟମାନଙ୍କର ବୁଦ୍ଧି ବିଲ୍କୁଲ୍ ପଥର ହୋଇଗଲାଣି
। ଇଏ (ବ୍ରହ୍ମା) ନିଜେ କହୁଛନ୍ତି ମୁଁ ମଧ୍ୟ ଏହିପରି ଥିଲି । କେଉଁଠି ବୈକୁଣ୍ଠର ମାଲିକ
ଶ୍ରୀକୃଷ୍ଣ, କେଉଁଠି ପୁଣି ତାଙ୍କୁ ଗାଁର ପିଲା ବୋଲି କହିଦେଉଛନ୍ତି । ଶ୍ୟାମ-ସୁନ୍ଦର ବୋଲି
କହୁଛନ୍ତି କିନ୍ତୁ ଯଥାର୍ଥ ଅର୍ଥକୁ ବୁଝିପାରୁ ନାହାଁନ୍ତି । ଏବେ ବାବା ତୁମକୁ ବୁଝାଉଛନ୍ତି ଯିଏ
ନମ୍ବରୱାନ ସୁନ୍ଦର (ପବିତ୍ର) ସେ ହିଁ ଲାଷ୍ଟ ନମ୍ବର ତମଃପ୍ରଧାନ ଶ୍ୟାମଳ ଅର୍ଥାତ୍ ପତିତ
ହୋଇଯାଇଛନ୍ତି । ତୁମେମାନେ ଜାଣିଛ ଆମେ ସୁନ୍ଦର ଥିଲୁ, ପୁଣି ଏବେ ଶ୍ୟାମଳ ହୋଇଯାଇଛୁ । ୮୪
ଜନ୍ମର ଚକ୍ର ଲଗାଇ ଏବେ ଶ୍ୟାମଳରୁ ସୁନ୍ଦର ହେବା ପାଇଁ ବାବା ଏକମାତ୍ର ଔଷଧ ଦେଉଛନ୍ତି କି ମୋତେ
ମନେପକାଅ । ତେବେ ତୁମର ଆତ୍ମା ପତିତରୁ ପବିତ୍ର ହୋଇଯିବ । ତୁମର ଜନ୍ମ-ଜନ୍ମାନ୍ତରର ପାପ ନାଶ
ହୋଇଯିବ ।
ତୁମେ ଜାଣିଛ ଯେବେଠାରୁ
ରାବଣ ଆସିଛି ତୁମେମାନେ ତଳକୁ ଖସି-ଖସି ପାପ ଆତ୍ମା ହୋଇଯାଇଛ । ଏହା ହେଉଛି ପାପ ଆତ୍ମାମାନଙ୍କର
ଦୁନିଆ । ଏଠାରେ କେହି ଜଣେ ହେଲେ ସୁନ୍ଦର ଅର୍ଥାତ୍ ପବିତ୍ର ନାହାଁନ୍ତି । ବାବାଙ୍କ ବିନା କେହି
ସୁନ୍ଦର କରାଇ ପାରିବେ ନାହିଁ । ତୁମେମାନେ ଏଠାକୁ ସ୍ୱର୍ଗବାସୀ ସୁନ୍ଦର ହେବା ପାଇଁ ଆସିଛ । ଏବେ
ନର୍କବାସୀ ଶ୍ୟାମଳ ହୋଇଯାଇଛ, କାହିଁକି ନା କାମ ଚିତା ଉପରେ ବସି କଳା ହୋଇଯାଇଛ । ବାବା କହୁଛନ୍ତି
କାମ ମହାଶତ୍ରୁ ଅଟେ । ଯେଉଁମାନେ ଏହା ଉପରେ ବିଜୟ ପ୍ରାପ୍ତ କରିବେ ସେହିମାନେ ହିଁ ଜଗତ୍ଜିତ୍
ହେବେ । ପ୍ରଥମ ନମ୍ବର ହେଲା କାମ । ତାଙ୍କୁ (କାମୀମାନଙ୍କୁ) ହିଁ ପତିତ କୁହାଯାଉଛି । କ୍ରୋଧୀକୁ
ପତିତ ବୋଲି କୁହାଯିବ ନାହିଁ । ଡାକୁଛନ୍ତି ମଧ୍ୟ ଆସି ପତିତରୁ ପବିତ୍ର କର । ତେଣୁ ଏବେ ବାବା
ଆସିଛନ୍ତି, କହୁଛନ୍ତି ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ । ଯେପରି ରାତି ପରେ ଦିନ, ଦିନ ପରେ ରାତି
ହୋଇଥାଏ, ସେହିପରି ସଂଗମଯୁଗ ପରେ ପୁଣି ସତ୍ୟଯୁଗ ଆସିବ । ଚକ୍ର ଘୂରି ଚାଲିଛି । ବାକି ଆଉ କେଉଁଠି
ଆକାଶରେ ଅଥବା ପାତାଳରେ ଦୁନିଆ ନାହିଁ । ସୃଷ୍ଟି ତ ଏହି ଗୋଟିଏ । ସତ୍ୟଯୁଗ, ତ୍ରେତା.....
ଏହିଠାରେ ହିଁ ହେଉଛି । ସୃଷ୍ଟିରୂପୀ ବୃକ୍ଷ ମଧ୍ୟ ଗୋଟିଏ, ଆଉ କୌଣସି ବୃକ୍ଷ ହୋଇପାରିବ ନାହିଁ ।
ଯେଉଁମାନେ କହୁଛନ୍ତି ଯେ, ଅନେକ ଦୁନିଆ ରହିଛି । ଏ ସବୁ ହେଲା କାହାଣୀ, ବାବା କହୁଛନ୍ତି ଏ ସବୁ
ହେଲା ଭକ୍ତିମାର୍ଗର କଥା । ଏବେ ବାବା ସତ୍ୟ କଥା ଶୁଣାଉଛନ୍ତି । ଏବେ ତୁମମାନେ ନିଜ ଭିତରକୁ ଦେଖ
- ଆମେ କେଉଁ ପର୍ଯ୍ୟନ୍ତ ଶ୍ରୀମତରେ ଚାଲି ସତ୍ତ୍ୱପ୍ରଧାନ ଅର୍ଥାତ୍ ପୁଣ୍ୟ ଆତ୍ମା ହେଉଛୁ?
ସତ୍ତ୍ୱପ୍ରଧାନକୁ ପୁଣ୍ୟ ଆତ୍ମା ଏବଂ ତମଃପ୍ରଧାନକୁ ପାପ ଆତ୍ମା କୁହାଯାଏ । ବିକାରଗ୍ରସ୍ତ ହେବା
ପାପ ଅଟେ । ବାବା କହୁଛନ୍ତି ଏବେ ପବିତ୍ର ହୁଅ । ମୋର ହୋଇଛ ତେଣୁ ତୁମମାନଙ୍କୁ ମୋର ଶ୍ରୀମତରେ
ଚାଲିବାକୁ ହେବ । ମୁଖ୍ୟ କଥା ହେଲା କୌଣସି ପାପ କର ନାହିଁ । ନମ୍ବରୱାନ ପାପ ହେଲା କାମାସକ୍ତ
ହେବା । ପୁଣି ଆହୁରି ମଧ୍ୟ ପାପ କରୁଛନ୍ତି । ଚୋରୀ, ଠକାମି ଆଦି ବହୁତ କରୁଛନ୍ତି । ପୁଣି
ବହୁତଙ୍କୁ ଗଭର୍ଣ୍ଣମେଣ୍ଟ ଧରୁଛି ମଧ୍ୟ । ଏବେ ବାବା ପିଲାମାନଙ୍କୁ କହୁଛନ୍ତି ତୁମେ ନିଜର ମନକୁ
ପଚାର - ମୁଁ କୌଣସି ପାପ କରୁ ନାହିଁ ତ? ଏପରି ଭାବ ନାହିଁ କି - ମୁଁ ତ ଚୋରୀ କଲି ଅଥବା ଲାଞ୍ଚ
ଖାଇଲି ବାବା ତ ସର୍ବଜ୍ଞ ଅଟନ୍ତି, ସେ ସବୁ ଜାଣିଛନ୍ତି । ନା, ଜାନୀ-ଜାନନହାରର ଅର୍ଥ ଏହା ନୁହେଁ
। ଆଚ୍ଛା, କେହି ଯଦି ଚୋରୀ କରିଲା, ବାବା ଜାଣିଲେ ପୁଣି କ’ଣ ହେବ? ଯିଏ ଚୋରୀ କରିଲା ତା’ର ଦଣ୍ଡ
ପୁଣି ଶହେ ଗୁଣା ହୋଇଯିବ । ବହୁତ-ବହୁତ ଦଣ୍ଡ ଭୋଗ କରିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ବାବା
ବୁଝାଉଛନ୍ତି ଯଦି ଏପରି କାମ କରିବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । କେହି ଈଶ୍ୱରଙ୍କ ସନ୍ତାନ
ହୋଇ ଯଦି ଚୋରୀ କରୁଛି, ଶିବବାବା ଯାହାଙ୍କଠାରୁ ଏତେ ବର୍ସା ମିଳୁଛି, ତାଙ୍କ ଭଣ୍ଡାରରୁ ଚୋରୀ
କରୁଛି, ଏହା ତ ବହୁତ ବଡ ପାପ ଅଟେ । କାହା-କାହା ଭିତରେ ଚୋରୀର ଅଭ୍ୟାସ ରହିଥାଏ, ତାଙ୍କୁ ଜେଲ୍
ବାର୍ଡ (ଯିଏ ବାରମ୍ବାର ଜେଲ୍କୁ ଯାଇଥାଏ) କୁହାଯାଏ । ଏହା ହେଉଛି ଈଶ୍ୱରଙ୍କର ଘର । ସବୁ କିଛି
ଈଶ୍ୱରଙ୍କର ଅଟେ ନା । ବାବାଙ୍କଠାରୁ ବର୍ସା ନେବା ପାଇଁ ଈଶ୍ୱରଙ୍କ ଘରକୁ ଆସୁଛନ୍ତି କିନ୍ତୁ
କାହା-କାହାର ଅଭ୍ୟାସ ହୋଇଯାଇଛି, ତେଣୁ ତାର ଦଣ୍ଡ ଶହେଗୁଣା ହୋଇଯାଉଛି । ସେମାନଙ୍କୁ ଦଣ୍ଡ ମଧ୍ୟ
ବହୁତ ମିଳିବ, ଆଉ ପୁଣି ପ୍ରତି ଜନ୍ମରେ ପତିତ ଘରେ ଯାଇ ଜନ୍ମ ନେବାକୁ ପଡିବ, ତେବେ ନିଜର ହିଁ
କ୍ଷତି କରିଲେ ନା । ଏପରି ଅନେକ ଅଛନ୍ତି ଯିଏ ବିଲ୍କୁଲ୍ ଯୋଗଯୁକ୍ତ ହୋଇ ରହୁନାହାଁନ୍ତି, କିଛି
ବି ଶୁଣୁନାହାଁନ୍ତି । ବୁଦ୍ଧିରେ ଚୋରୀ ଆଦିର ଖିଆଲ ହିଁ ଚାଲୁଛି । ଏହିପରି ଅନେକ ଅଛନ୍ତି
ଯେଉଁମାନେ ସତସଙ୍ଗ ଆଦିକୁ ଯାଇଥା’ନ୍ତି । ଚପଲ ଆଦି ଚୋରି କରି ନେଇଥା’ନ୍ତି, ତାଙ୍କର କେବଳ ଏହି
ଧନ୍ଦା । ଯେଉଁଠି ସତସଙ୍ଗ ହୋଇଥାଏ ସେଠାରେ ଯାଇ ଚପଲ ଚୋରୀ କରିଥା’ନ୍ତି । ଦୁନିଆ ବିଲ୍କୁଲ୍
ହିଁ ବିକାରୀ ହୋଇଯାଇଛି । ଏହା ହେଉଛି ଈଶ୍ୱରଙ୍କର ଘର । ଚୋରି କରିବାର ଅଭ୍ୟାସ ତ ବହୁତ ଖରାପ ।
କୁହାଯାଏ - କଖ କା ଚୋର ସୋ ଲଖ କା ଚୋର ଅର୍ଥାତ୍ ଛୋଟ ଚୋରରୁ ଦିନେ ବଡ ଚୋର ହୋଇଯା’ନ୍ତି । ତେଣୁ
ନିଜ ମନକୁ ପଚାରିବା ଉଚିତ୍ - ମୁଁ କେତେ ପୁଣ୍ୟ ଆତ୍ମା ହୋଇଛି? ବାବାଙ୍କୁ କେତେ ମନେ ପକାଉଛି?
ମୁଁ କେତେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛି? କେତେ ସମୟ ଈଶ୍ୱରୀୟ ସେବା କରୁଛି? କେତେ ପାପ କଟିଛି?
ନିଜର ହିସାବକୁ ପ୍ରତିଦିନ ଦେଖ । କେତେ ପୁଣ୍ୟ କଲି, କେତେ ସମୟ ଯୋଗଯୁକ୍ତ ହୋଇ ରହିଲି? କେତେ
ଜଣଙ୍କୁ ରାସ୍ତା ବତାଇଲି? କର୍ମଧନ୍ଦା ମଧ୍ୟ କର । ତୁମେ କର୍ମଯୋଗୀ ଅଟ ନା, ତେଣୁ କର୍ମ ମଧ୍ୟ କର
। ବାବା ଏହି ବ୍ୟାଜ୍ ତିଆରି କରାଉଛନ୍ତି । ଭଲ-ଭଲ ଲୋକମାନଙ୍କୁ ଏହା ଉପରେ ବୁଝାଅ । ଏହି
ମହାଭାରତ ଲଢେଇ ଦ୍ୱାରା ହିଁ ସ୍ୱର୍ଗର ଦ୍ୱାର ଖୋଲିବ । ଶ୍ରୀକୃଷ୍ଣଙ୍କ ଚିତ୍ରରେ ତଳେ ଥିବା
ଲେଖାଟି ବହୁତ ଫାଷ୍ଟକ୍ଲାସ୍ ଅଟେ । କିନ୍ତୁ ପିଲାମାନେ ଏବେ ଏତେ ବିଶାଳବୁଦ୍ଧି ହୋଇନାହାଁନ୍ତି ।
ଅଳ୍ପ କିଛି ଧନ ମିଳିଗଲେ ନାଚିବାରେ ଲାଗିପଡୁଛନ୍ତି । କାହା ପାଖରେ ଅଧିକ ଧନ ଥିଲେ ଭାବୁଛନ୍ତି
ମୋ ପରି କେହି ନାହାଁନ୍ତି । ଯେଉଁ ପିଲାମାନଙ୍କର ବାବାଙ୍କ ପ୍ରତି ଖାତିରି ନାହିଁ, ସେମାନଙ୍କୁ
ବାବା ଯେଉଁ ଏତେ ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ଦେଉଛନ୍ତି ତାର ଖାତିର ମଧ୍ୟ କରୁନାହାଁନ୍ତି
। ବାବା ଗୋଟିଏ କଥା କହୁଛନ୍ତି, ସେମାନେ ଆଉ ଗୋଟିଏ କଥା କରୁଛନ୍ତି । ବାବାଙ୍କ ପ୍ରତି ଖାତିରି ନ
ଥିବା କାରଣରୁ ବହୁତ ପାପ କରିଚାଲିଛନ୍ତି । ଶ୍ରୀମତ ଅନୁସାରେ ଚାଲୁନାହାଁନ୍ତି । ତେଣୁ ତଳକୁ ଖସି
ପଡୁଛନ୍ତି । ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମା । ତାଙ୍କର ଭାଗ୍ୟରେ ନାହିଁ । ବାବା ତ ସବୁ
ଜାଣିଛନ୍ତି ନା । ବହୁତ ପାପ କରୁଛନ୍ତି, ଯଦି ନିଶ୍ଚୟ ଥା’ନ୍ତା ଯେ ବାବା ନିଜେ ଆସି ଆମକୁ ପାଠ
ପଢାଉଛନ୍ତି, ତେବେ ଖୁସି ହୋଇ ଥାଆନ୍ତା । ତୁମେମାନେ ଜାଣିଛ ଆମେ ଭବିଷ୍ୟତ ନୁଆ ଦୁନିଆରେ
ରାଜକୁମାର-କୁମାରୀ ହେବୁ । ତେଣୁ କେତେ ଖୁସି ରହିବା ଉଚିତ୍ । କିନ୍ତୁ ପିଲାମାନେ ତ ଏବେ
ପର୍ଯ୍ୟନ୍ତ ମଧ୍ୟ ଝାଉଁଳି ପଡୁଛନ୍ତି । ସେହିଭଳି ଅବସ୍ଥା ହିଁ ରହୁନାହିଁ ।
ବାବା ବୁଝାଉଛନ୍ତି -
ବିନାଶ ନିମନ୍ତେ ରିହର୍ସଲ ମଧ୍ୟ ହେବ, ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ତାହା ଭାରତକୁ
ଦୁର୍ବଳ କରିଚାଲିବ । ବାବା କହୁଛନ୍ତି - ଏ ସବୁ ନିଶ୍ଚିତ ହେବ । ନଚେତ୍ ବିନାଶ କିପରି ହେବ ।
ବରଫର ବର୍ଷା ହେବ ପୁଣି କ୍ଷେତ ଆଦିର ଅବସ୍ଥା କ’ଣ ହେବ । ଲକ୍ଷ-ଲକ୍ଷ ମନୁଷ୍ୟ ମୃତ୍ୟୁ ମୁଖରେ
ପଡୁଛନ୍ତି, ସବୁ କଥା କ’ଣ ଜଣାଉଛନ୍ତି । ବାବା ମୁଖ୍ୟ କଥା ବୁଝାଉଛନ୍ତି - ନିଜ ଭିତରକୁ ଯାଞ୍ଚ
କର, ମୁଁ କେତେ ବାବାଙ୍କୁ ମନେ ପକାଉଛି । ବାବା, ଆପଣ ତ ବହୁତ ମିଠା ଅଟନ୍ତି । ସବୁ ଆପଣଙ୍କର
ଚମତ୍କାର ଅଟେ । ଆପଣଙ୍କର ନିର୍ଦ୍ଦେଶ ହେଲା ମୋତେ ମନେପକାଅ ତେବେ ୨୧ ଜନ୍ମ ପାଇଁ କେବେ ରୋଗୀ
ହେବ ନାହିଁ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ମୁଁ ଗ୍ୟାରେଣ୍ଟି ଦେଉଛି,
ସମ୍ମୁଖରେ ବାବା ତୁମକୁ କହୁଛନ୍ତି ତୁମେ ପୁଣି ଅନ୍ୟମାନଙ୍କୁ ଶୁଣାଉଛ । ବାବା କହୁଛନ୍ତି ମୋତେ
ମନେ ପକାଅ, ବହୁତ ସ୍ନେହ କର । ତୁମମାନଙ୍କୁ - ଅପବିତ୍ରରୁ ପବିତ୍ର ହେବା ପାଇଁ କେତେ ସହଜ ରାସ୍ତା
ବତାଉଛି । କେହି କେହି କହୁଛନ୍ତି ମୁଁ ତ ବହୁତ ପାପୀ ଆତ୍ମା । ଆଚ୍ଛା ତେବେ ପୁଣି ଏପରି ପାପ କର
ନାହିଁ, ମୋତେ ମନେ ପକାଇଚାଲ ତେବେ ଜନ୍ମ ଜନ୍ମାନ୍ତରର ଯେଉଁ ପାପ ରହିଛି, ତାହା ଏହି ଯୋଗ ଦ୍ୱାରା
ଭସ୍ମ ହୋଇଯିବ । ବାବାଙ୍କୁ ମନେ ପକାଇବା ହିଁ ମୁଖ୍ୟ କଥା ଅଟେ । ଏହାକୁ ସହଜ ଯୋଗ ମଧ୍ୟ
କୁହାଯାଉଛି, ଯୋଗ ଶବ୍ଦ ମଧ୍ୟ କୁହ ନାହିଁ । ସନ୍ନ୍ୟାସୀମାନଙ୍କର ହଠଯୋଗ ଭିନ୍ନ-ଭିନ୍ନ ପ୍ରକାରର
ରହିଛି । ସେମାନେ ଅନେକ ପ୍ରକାରର ଯୋଗ ଶିଖାଇଥା’ନ୍ତି । ଏହି ବାବା ତ ବହୁତ ଗୁରୁ କରିଛନ୍ତି ନା
। ଏବେ ବେହଦର ବାବା କହୁଛନ୍ତି - ଏ ସବୁଙ୍କୁ ଛାଡ । ଏମାନଙ୍କର ମଧ୍ୟ ମୋତେ ଉଦ୍ଧାର କରିବାକୁ
ପଡିବ । ଆଉ କାହାର ଶକ୍ତି ନାହିଁ ଯିଏ ଏପରି କହିପାରିବ । ବାବା ହିଁ କହୁଛନ୍ତି - ମୁଁ ଏହି ସାଧୁ
ଆଦିଙ୍କର ମଧ୍ୟ ଉଦ୍ଧାର କରୁଛି । ପୁଣି ଏମାନେ ଗୁରୁ କିପରି ହୋଇପାରିବେ । ତେଣୁ ପ୍ରଥମ ଏବଂ ମୂଳ
କଥା ବାବା ବୁଝାଉଛନ୍ତି - ନିଜର ମନକୁ ପଚାର, ମୁଁ କୌଣସି ପାପ କରୁନାହିଁ ତ? କାହାକୁ ଦୁଃଖ
ଦେଉନାହଁ ତ? ଏଥିରେ କୌଣସି ଅସୁବିଧା ନାହିଁ । ନିଜକୁ ଯାଞ୍ଚ କରିବା ଉଚିତ୍, ସାରା ଦିନରେ କେତେ
ପାପ କରିଲି? କେତେ ବାବାଙ୍କୁ ମନେ ପକାଇଲି? ଯୋଗ ଦ୍ୱାରା ହିଁ ପାପ ଭସ୍ମ ହେବ । ତେଣୁ ଚେଷ୍ଟା
କରିବା ଉଚିତ୍ । ଏହା ବହୁତ ମେହନତର କାମ । ଏକମାତ୍ର ବାବା ହିଁ ଜ୍ଞାନଦାତା ଅଟନ୍ତି । ବାବା ହିଁ
ମୁକ୍ତି-ଜୀବନମୁକ୍ତିର ରାସ୍ତା ବତାଇଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଯେଉଁ
ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ଦେଉଛନ୍ତି ତା’ର ଆଦର କରିବାକୁ ହେବ । ବେଖାତିରିଆ ହୋଇ ପାପ
କର୍ମ କରିବାର ନାହିଁ । ଯଦି ନିଶ୍ଚୟ ଅଛି ଯେ ଭଗବାନ ଆମକୁ ପାଠ ପଢାଉଛନ୍ତି ତେବେ ଅସରନ୍ତି
ଖୁସିରେ ରହିବା ଉଚିତ୍ ।
(୨) ଈଶ୍ୱରଙ୍କ ଘରୁ କେବେ
ଚୋରୀ କରିବାର ବିଚାର ନ ଆସୁ, କାରଣ ଏହା ବହୁତ ଖରାପ ଅଭ୍ୟାସ । କଥାରେ ଅଛି ଛୋଟ ଚୋରିରୁ ବଡ ଚୋର
ହୁଅନ୍ତି । ନିଜ ମନକୁ ପଚାରିବା ଉଚିତ୍ - ମୁଁ କେତେ ପୁଣ୍ୟ ଆତ୍ମା ହୋଇଛି?
ବରଦାନ:-
ନିର୍ବଳ, ନିରାଶ
ତଥା ଅସମର୍ଥ ଆତ୍ମାକୁ ଅତିରିକ୍ତ ଶକ୍ତି ପ୍ରଦାନ କରୁଥିବା ଆତ୍ମିକ ଦୟାଳୁ ହୁଅ ।
ଯେଉଁମାନେ ଆତ୍ମିକ ଦୟାଳୁ
ସନ୍ତାନ ସେମାନେ ମହାଦାନୀ ହୋଇ ସମ୍ପୂର୍ଣ୍ଣ ଆଶାହୀନ ପରିସ୍ଥିତିରେ ମଧ୍ୟ ଆଶାର ସଞ୍ଚାର
କରିଦେଇଥାଆନ୍ତି, ନିର୍ବଳକୁ ବଳବାନ କରିଦିଅନ୍ତି । ଦାନ ମଧ୍ୟ ସର୍ବଦା ଗରୀବ ଏବଂ
ବେସାହାରାମାନଙ୍କୁ ଦିଆଯାଇଥାଏ । ତେଣୁ ଯେଉଁମାନେ ନିର୍ବଳ, ନିରାଶ, ଅସମର୍ଥ ପ୍ରଜା ଶ୍ରେଣୀର
ଆତ୍ମାମାନେ ଅଛନ୍ତି ସେମାନଙ୍କ ପ୍ରତି ଆତ୍ମିକ ଦୟାଳୁ ହୋଇ ମହାଦାନୀ ହୁଅ । ପରସ୍ପର ଭିତରେ ଜଣେ
ଅନ୍ୟ ଜଣଙ୍କ ପ୍ରତି ମହାଦାନୀ ନୁହେଁ । ତୁମେମାନେ ତ ପରସ୍ପର ସହଯୋଗୀ ସାଥୀ ଅଟ, ଭାଇ ଭାଇ ଅଟ,
ସମାସ୍କନ୍ଧ ପୁରୁଷାର୍ଥୀ ଅଟ, ତେଣୁ ସହଯୋଗ ଦିଅ, ଦାନ ନୁହେଁ ।
ସ୍ଲୋଗାନ:-
ସର୍ବଦା
ଏକମାତ୍ର ବାବାଙ୍କର ଶ୍ରେଷ୍ଠ ସଂଗରେ ରୁହ ତେବେ ଅନ୍ୟ କୌଣସି ସଙ୍ଗର ରଙ୍ଗ ପ୍ରଭାବିତ କରିପାରିବ
ନାହିଁ ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ପବିତ୍ରତା ସହିତ
ଚେହେରାରେ ଏବଂ ଚାଲିଚଳନରେ ଆତ୍ମ-ଅଭିମାନୀ ବ୍ୟକ୍ତିତ୍ୱକୁ ଧାରଣ କରି ଏହିଭଳି ଶ୍ରେଷ୍ଠ
ବ୍ୟକ୍ତିତ୍ୱର ଆତ୍ମିକ ନିଶାରେ ରୁହ । ନିଜର ଆତ୍ମିକ ବ୍ୟକ୍ତିତ୍ୱକୁ ସ୍ମୃତିରେ ରଖି ସର୍ବଦା
ପ୍ରସନ୍ନଚିତ୍ତ ହୋଇ ରୁହ, ତାହା ହେଲେ ସମସ୍ତ ପ୍ରଶ୍ନ ସମାପ୍ତ ହୋଇଯିବ । ଅଶାନ୍ତ ଏବଂ ଦୁଃଖୀ
ଆତ୍ମାମାନେ ତୁମର ପ୍ରସନ୍ନତାର ଦୃଷ୍ଟି ଦ୍ୱାରା ପ୍ରସନ୍ନ ହୋଇଯିବେ ।