19.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ଶିବବାବା ତୁମର ଫୁଲ ଇତ୍ୟାଦି ସ୍ୱୀକାର କରିପାରିବେ ନାହିଁ କାହିଁକି ନା ସେ ପୂଜ୍ୟ ବା ପୂଜାରୀ
ହେଉନାହାଁନ୍ତି, ତୁମମାନଙ୍କୁ ମଧ୍ୟ ସଂଗମ ଯୁଗରେ ଫୁଲ ହାର ପିନ୍ଧିବାର ନାହିଁ ” ।
ପ୍ରଶ୍ନ:-
ଭବିଷ୍ୟତ ରାଜ୍ୟ
ସିଂହାସନର ଅଧିକାରୀ କେଉଁମାନେ ହୋଇଥାଆନ୍ତି?
ଉତ୍ତର:-
ଯେଉଁମାନେ ବର୍ତ୍ତମାନ ମାତା-ପିତାଙ୍କର ହୃଦୟ ସିଂହାସନ ଉପରେ ବିଜୟ ପ୍ରାପ୍ତ କରୁଛନ୍ତି,
ସେହିମାନେ ହିଁ ଭବିଷ୍ୟତରେ ରାଜ ସିଂହାସନର ଅଧିକାରୀ ହେବେ । ତେଣୁ ଏହା ମଧ୍ୟ ଆଶ୍ଚର୍ଯ୍ୟର କଥା
ଯେ ପିଲାମାନେ ମାତା-ପିତାଙ୍କ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରୁଛନ୍ତି । ପରିଶ୍ରମ କରି
ମାତା-ପିତାଙ୍କଠାରୁ ମଧ୍ୟ ଆଗକୁ ଚାଲିଯାଉଛନ୍ତି ।
ଗୀତ:-
ଛୋଡ ଭି ଦେ
ଆକାଶ ସିଂହାସନ....
ଓମ୍ ଶାନ୍ତି ।
ମିଠା ମିଠା ବିଚ୍ଛେଦୀ ସନ୍ତାନମାନେ ଗୀତ ଶୁଣିଲେ । ଏହି ଗୀତ ଦ୍ୱାରା ସର୍ବବ୍ୟାପୀର ଜ୍ଞାନ ତ
ଉଡିଯାଉଛି । ମନେ ପକାଉଛନ୍ତି, ଏବେ ଭାରତ ବହୁତ ଦୁଃଖୀ ହୋଇଯାଇଛି । ଡ୍ରାମାଅନୁସାରେ ଏହି ସବୁ
ଗୀତ ରଚନା କରାଯାଇଛି । କିନ୍ତୁ ଦୁନିଆର ଲୋକେ ଜାଣିନାହାଁନ୍ତି । ବାବା ଆସୁଛନ୍ତି ପତିତମାନଙ୍କୁ
ପବିତ୍ର କରିବା ପାଇଁ ଅଥବା ଦୁଃଖୀମାନଙ୍କୁ ଦୁଃଖରୁ ମୁକ୍ତ କରି ସୁଖ ଦେବା ପାଇଁ । ପିଲାମାନେ
ଜାଣିଗଲେଣି - ସେହି ପିତା ଆସିଛନ୍ତି । ପିଲାମାନଙ୍କୁ ବାବାଙ୍କର ପରିଚୟ ମିଳିଯାଇଛି । ବାବା
ସ୍ୱୟଂ ବସି ବତାଉଛନ୍ତି ଯେ - ମୁଁ ସାଧାରଣ ଶରୀରରେ ପ୍ରବେଶ କରି ସାରା ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ରହସ୍ୟ ଶୁଣାଉଛି । ସୃଷ୍ଟି ଗୋଟିଏ, କେବଳ ଏହା ନୂଆ ଏବଂ ପୁରୁଣା ହୋଇଥାଏ ।
ଯେପରି ଶରୀର ପିଲାବେଳେ ନୂଆ ହୋଇଥାଏ, ପୁଣି ପୁରୁଣା ହୋଇଯାଇଥାଏ । ନୂଆ ଶରୀର, ପୁରୁଣା ଶରୀର
ଦୁଇଟି ଅଲଗା ଶରୀର ତ କୁହାଯାଇପାରିବ ନାହିଁ । ଶରୀର ଗୋଟିଏ କେବଳ ନୂଆରୁ ପୁରୁଣା ହୋଇଥାଏ ।
ସେହିପରି ଦୁନିଆ ମଧ୍ୟ ଗୋଟିଏ ହିଁ ଅଟେ । ନୂଆରୁ ଏବେ ପୁରୁଣା ହେଉଛି । ନୂଆ କେବେ ଥିଲା? ଏକଥା
କେହି କହି ପାରିବେ ନାହିଁ । ବାବା ଆସି ବୁଝାଉଛନ୍ତି - ପିଲାମାନେ, ଯେବେ ନୂଆ ଦୁନିଆ ଥିଲା ତ ଏହି
ଭାରତ ନୂଆ ଥିଲା । ତାକୁ ସତ୍ୟଯୁଗ କୁହାଯାଉଥିଲା । ସେହି ଭାରତ ପୁଣି ପୁରୁଣା ହୋଇଯାଇଛି । ଏହାକୁ
ପୁରୁଣା ଦୁନିଆ କୁହାଯାଉଛି । ନୂଆ ଦୁନିଆରୁ ପୁଣି ପୁରୁଣା ହୋଇଛି, ପୁନର୍ବାର ଏହା ନୂଆ ନିଶ୍ଚିତ
ହେବ । ପିଲାମାନେ ନୂଆ ଦୁନିଆର ସାକ୍ଷାତ୍କାର କରିଛନ୍ତି । ଆଚ୍ଛା ସେହି ନୂଆ ଦୁନିଆର ମାଲିକ
କିଏ ଥିଲେ? ବାସ୍ତବରେ ଏହି ଲକ୍ଷ୍ମୀ-ନାରାୟଣ ଥିଲେ । ଆଦି ସନାତନ ଦେବୀ ଦେବତା ସେହି ଦୁନିଆର
ମାଲିକ ଥିଲେ । ଏହି କଥା ବାବା ପିଲାମାନଙ୍କୁ ବୁଝାଉଛନ୍ତି । ବାବା କହୁଛନ୍ତି - ଏବେ ନିରନ୍ତର
ଏହି କଥା ସ୍ମରଣ କର । ବାବା ପରମଧାମରୁ ଆମକୁ ପାଠ ପଢାଇବା ପାଇଁ ରାଜଯୋଗ ଶିଖାଇବା ପାଇଁ
ଆସିଛନ୍ତି । ସମସ୍ତ ମହିମା ସେହି ଜଣଙ୍କର ଅଟେ, ବ୍ରହ୍ମାଙ୍କର କିଛି ହେଲେ ମହିମା ନାହିଁ । ଏହି
ସମୟରେ ସମସ୍ତେ ତୁଚ୍ଛ ବୁଦ୍ଧି ଅଟନ୍ତି, କିଛି ହେଲେ ବୁଝୁନାହାଁନ୍ତି ସେଥିପାଇଁ ମୁଁ ଆସୁଛି,
ତେବେ ତ ଗୀତ ମଧ୍ୟ ରଚନା କରାଯାଇଛି । ଏଥିରୁ ସର୍ବବ୍ୟାପୀର ଜ୍ଞାନ ତ ଉଡିଯାଇଛି ।
ପ୍ରତ୍ୟେକଙ୍କର ନିଜ-ନିଜର ଅଭିନୟ ରହିଛି । ବାବା ବାରମ୍ବାର କହୁଛନ୍ତି - ଦେହ-ଅଭିମାନ ତ୍ୟାଗ କରି
ତୁମେ ଆତ୍ମ-ଅଭିମାନୀ ହୁଅ ଏବଂ କର୍ମେନ୍ଦ୍ରିୟ ଦ୍ୱାରା ଶିକ୍ଷା ଧାରଣ କର । ଯଦିଓ ଏହି
ବ୍ରହ୍ମାବାବା ଚଲାବୁଲା କରୁଥିବାର ଦେଖୁଛ କିନ୍ତୁ ଶିବବାବାଙ୍କୁ ମନେ ପକାଅ । ଏପରି ଭାବ ଯେ
ଶିବବାବା ହିଁ ସବୁ କିଛି କରୁଛନ୍ତି, ବ୍ରହ୍ମା କରୁ ନାହାଁନ୍ତି । ଯଦିଓ ବ୍ରହ୍ମାଙ୍କର ରୂପ ଏହି
ଆଖି ଦ୍ୱାରା ଦେଖାଯାଉଛି, ତୁମର ବୁଦ୍ଧି ଶିବବାବାଙ୍କ ଆଡକୁ ଯିବା ଦରକାର । ଶିବବାବା ନ ଥିଲେ
ଏହାଙ୍କର ଆତ୍ମା, ଏହାଙ୍କର ଶରୀର କୌଣସି କାମର ନୁହେଁ । ସର୍ବଦା ଭାବ ଯେ ଏହାଙ୍କର ଶରୀରରେ
ଶିବବାବା ଅଛନ୍ତି । ସେ ଏହାଙ୍କ ଦ୍ୱାରା ପାଠ ପଢାଉଛନ୍ତି । ବ୍ରହ୍ମା ତୁମର ଶିକ୍ଷକ ନୁହଁନ୍ତି ।
ଶିବବାବା ପରମ ଶିକ୍ଷକ ଅଟନ୍ତି । ତେଣୁ ତାଙ୍କୁ ମନେ ପକାଇବାକୁ ହେବ । କେବେ ହେଲେ ବି ଶରୀରକୁ
ସ୍ମରଣ କର ନାହିଁ । ବୁଦ୍ଧିଯୋଗ ଶିବବାବାଙ୍କ ସହିତ ଲଗାଇବାକୁ ହେବ । ପିଲାମାନେ ମନେ ପକାଉଛନ୍ତି
ପୁଣି ଥରେ ଆସି ଜ୍ଞାନ-ଯୋଗ ଶିଖାଅ । ପରମପିତା ପରମାତ୍ମାଙ୍କ ବ୍ୟତୀତ କେହି ରାଜଯୋଗ ଶିଖାଇ
ପାରିବେ ନାହିଁ । ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ସେହି ଶିବବାବା ବସି ଗୀତାର ଜ୍ଞାନ ଶୁଣାଉଛନ୍ତି,
ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ, ସୁଖଧାମରେ ଏହି ଜ୍ଞାନର ଦରକାର ହିଁ ନାହିଁ । ରାଜଧାନୀ
ସ୍ଥାପନ ହୋଇଗଲା । ତେଣୁ ସଦ୍ଗତି ହୋଇଯାଇଥାଏ । ଜ୍ଞାନ ଦିଆଯାଇଥାଏ ଦୁର୍ଗତିରୁ ସଦ୍ଗତି ମିଳିବା
ପାଇଁ । ଆଉ ସେ ସବୁ ତ ହେଲା ଭକ୍ତିମାର୍ଗର କଥା । ମନୁଷ୍ୟ ଜପ-ତପ, ଦାନ-ପୁଣ୍ୟ ଆଦି ଯାହା କିଛି
କରୁଛନ୍ତି, ସବୁ ଭକ୍ତିମାର୍ଗର କଥା, ଏହା ଦ୍ୱାରା ମୋତେ କେହି ପାଇପାରିବେ ନାହିଁ । ଆତ୍ମାର ଡେଣା
କଟି ଯାଇଛି । ସମସ୍ତେ ପଥର ବୁଦ୍ଧି ହୋଇଯାଇଛନ୍ତି । ପଥରରୁ ପୁଣି ପାରସ କରିବା ପାଇଁ ମୋତେ
ଆସିବାକୁ ପଡୁଛି । ବାବା କହୁଛନ୍ତି - ଏବେ କେତେ ମନୁଷ୍ୟ ରହିଛନ୍ତି । ସୋରିଷ ଭଳି ସଂସାର ଭରି
ହୋଇ ରହିଛି । ଏବେ ସମସ୍ତେ ବିନାଶ ହୋଇଯିବେ । ସତ୍ୟଯୁଗରେ ତ ଏତେ ମନୁଷ୍ୟ ରହିବେ ନାହିଁ । ନୂଆ
ଦୁନିଆରେ ବୈଭବ ବହୁତ ରହିବ ଏବଂ ମନୁଷ୍ୟ କମ୍ ରହିବେ । ଏଠାରେ ତ ଏତେ ମନୁଷ୍ୟ ଅଛନ୍ତି ଯେ
ଖାଇବାକୁ ବି ମିଳୁନାହିଁ । ପୁରୁଣା ମରୁଭୂମି ଜମି ରହିଛି, ତାହା ପୁଣି ନୂଆ ହୋଇଯିବ । ସେଠାରେ
ସବୁ କିଛି ନୂଆ ହିଁ ହେବ । ତାର ନାମ ହିଁ କେତେ ମଧୁର - ହେଭେନ୍, ବହିସ୍ଥ, ଦେବତାମାନଙ୍କର ନୂଆ
ଦୁନିଆ । ପୁରୁଣାକୁ ଭାଙ୍ଗି ନୂଆ ଘରେ ରହିବାକୁ ମନ ହୋଇଥାଏ ନା । ବର୍ତ୍ତମାନ ହେଉଛି ନୂଆ ଦୁନିଆ,
ସ୍ୱର୍ଗକୁ ଯିବାର କଥା । ଏଠାରେ ପୁରୁଣା ଶରୀରର କୌଣସି ମୂଲ୍ୟ ନାହିଁ । ଶିବବାବାଙ୍କର ତ କୌଣସି
ଶରୀର ନାହିଁ ।
ପିଲାମାନେ କହୁଛନ୍ତି - ବାବାଙ୍କୁ ହାର ପିନ୍ଧାଇବୁ । କିନ୍ତୁ ଯଦି ବ୍ରହ୍ମାଙ୍କୁ ହାର ପିନ୍ଧାଇବ
ତେବେ ତୁମର ବୁଦ୍ଧିଯୋଗ ଏହାଙ୍କ ସହିତ ଲାଗିଯିବ । ଶିବବାବା କହୁଛନ୍ତି ହାରର ଆବଶ୍ୟକତା ନାହିଁ ।
ତୁମେ ହିଁ ପୂଜ୍ୟ ହେଉଛ । ପୂଜାରୀ ମଧ୍ୟ ତୁମେ ହେଉଛ । ନିଜେ ହିଁ ପୂଜ୍ୟ ପୁଣି ନିଜେ ହିଁ ପୂଜାରୀ
ହେଉଛ । ତେଣୁ ନିଜର ଚିତ୍ରକୁ ହିଁ ପୂଜା କରିବାରେ ଲାଗିପଡୁଛନ୍ତି । ବାବା କହୁଛନ୍ତି ମୁଁ ନା
ପୂଜ୍ୟ ହେଉଛି, ନା ଏଥିରେ ଫୁଲ ଆଦିର ଦରକାର ଅଛି । ମୁଁ କାହିଁକି ଏହାକୁ ପିନ୍ଧିବି, ସେଥିପାଇଁ
କେବେ ଫୁଲ ମାଳ ଆଦି ନେଉ ନାହିଁ । ତୁମେ ପୂଜ୍ୟ ହେଉଛ ପୁଣି ଯେତେ ଇଚ୍ଛା ସେତେ ଫୁଲ
ପିନ୍ଧିପାରିବ । ମୁଁ ତ ତୁମ ସନ୍ତାନମାନଙ୍କର ସବୁଠାରୁ ପ୍ରିୟ, ଆଜ୍ଞାକାରୀ ପିତା ଅଟେ, ଶିକ୍ଷକ
ମଧ୍ୟ ଅଟେ, ସେବାଧାରୀ ମଧ୍ୟ ଅଟେ । ବଡ-ବଡ ରାଜକୀୟ ଲୋକମାନେ ଦସ୍ତଖତ କରିବା ସମୟରେ ଲେଖିଥା’ନ୍ତି
ମିଣ୍ଟୋ, କରଜନ ଆଦି.... ସେମାନେ ନିଜକୁ କେବେହେଲେ ଲର୍ଡ ବୋଲି ଲେଖି ନ ଥା’ନ୍ତି । ଏଠାରେ ତ
ଶ୍ରୀ ଲକ୍ଷ୍ମୀ-ନାରାୟଣ, ଶ୍ରୀ ଅମୁକ ବୋଲି ଲେଖୁଛନ୍ତି । ଏକଦମ୍ ‘ଶ୍ରୀ’ ଅକ୍ଷର ଲେଖି ଦେଉଛନ୍ତି
। ତେଣୁ ବାବା ବସି ବୁଝାଉଛନ୍ତି ଏବେ ଏହି ଶରୀରକୁ ମନେ ପକାଅ ନାହିଁ । ନିଜକୁ ଆତ୍ମା ନିଶ୍ଚୟ କର
ଏବଂ ବାବାଙ୍କୁ ମନେ ପକାଅ । ଏହି ପୁରୁଣା ଦୁନଆରେ ଆତ୍ମା ଏବଂ ଶରୀର ଉଭୟ ହିଁ ପତିତ ଅଟେ । ସୁନା
୯ କ୍ୟାରେଟ୍ର ହେବ ତ ଅଳଙ୍କାର ମଧ୍ୟ ୯ କ୍ୟାରେଟ୍ର ହେବ । ସୁନାରେ ହିଁ ଖାଦ ମିଶିଥାଏ ।
ଆତ୍ମାକୁ କେବେ ହେଲେ ନିର୍ଲେପ ଭାବିବା ଉଚିତ୍ ନୁହେଁ । ବର୍ତ୍ତମାନ ହିଁ ତୁମକୁ ଏହି ଜ୍ଞାନ
ମିଳୁଛି । ତୁମେ ଅଧାକଳ୍ପ ୨୧ ଜନ୍ମ ପାଇଁ ପ୍ରାଲବ୍ଧ ପାଉଛ, ତେଣୁ କେତେ ପୁରୁଷାର୍ଥ କରିବା
ଦରକାର । କିନ୍ତୁ ପିଲାମାନେ ପ୍ରତି ମୁହୂର୍ତ୍ତରେ ଭୁଲିଯାଉଛନ୍ତି । ଶିବବାବା, ବ୍ରହ୍ମାଙ୍କ
ଦ୍ୱାରା ଆମକୁ ଶିକ୍ଷା ଦେଉଛନ୍ତି । ବ୍ରହ୍ମାଙ୍କର ଆତ୍ମା ମଧ୍ୟ ଶିବବାବାଙ୍କୁ ମନେ ପକାଉଛି ।
ବ୍ରହ୍ମା, ବିଷ୍ଣୁ, ଶଙ୍କର ହେଲେ ସୂକ୍ଷ୍ମବତନବାସୀ । ବାବା ପ୍ରଥମେ ସୂକ୍ଷ୍ମ ସୃଷ୍ଟି ରଚନା
କରୁଛନ୍ତି, ନିର୍ବାଣଧାମ ସବୁଠାରୁ ଉଚ୍ଚ ଧାମ ଅଟେ । ଆତ୍ମାମାନଙ୍କର ନିର୍ବାଣଧାମ ସବୁଠାରୁ ଉଚ୍ଚ
ଅଟେ । ଏକମାତ୍ର ଭଗବାନଙ୍କୁ ସବୁ ଭକ୍ତମାନେ ସ୍ମରଣ କରୁଛନ୍ତି । କିନ୍ତୁ ତମୋପ୍ରଧାନ ହୋଇଯାଇଥିବା
କାରଣରୁ ବାବାଙ୍କୁ ଭୁଲି ଗୋଡି-ପଥର ସମସ୍ତଙ୍କର ପୂଜା କରୁଛନ୍ତି । ଆମେ ଜାଣିଛୁ ଯେ ଯାହା କିଛି
ଘଟିଯାଉଛି ସେହି ଅନୁସାରେ ଡ୍ରାମାର ସୁଟିଙ୍ଗ୍ ହୋଇ ଚାଲିଛି । ଡ୍ରାମାରେ ଥରେ ମାତ୍ର ଯାହା
ଶୁଟିଙ୍ଗ୍ ହୋଇଥାଏ, ଧରିନିଅ ମଝିରେ କୌଣସି ପକ୍ଷୀ ଆଦି ଉଡିଗଲା ତେବେ ତାହାର ହିଁ ଘଡିକୁ ଘଡି
ପୁନରାବୃତ୍ତି ହୋଇ ଚାଲିବ । ପତଙ୍ଗ ଉଡିଯିବାର ଶୁଟିଙ୍ଗ୍ ହୋଇଗଲା ତେବେ ତାହା ହିଁ ବାରମ୍ବାର
ପୁନରାବୃତ୍ତି ହୋଇ ଚାଲିବ । ଏହି ଡ୍ରାମାର ମଧ୍ୟ ସେକେଣ୍ଡକୁ ସେକେଣ୍ଡ ପୁନରାବୃତ୍ତି ହୋଇଚାଲିଛି
। ଶୁଟିଙ୍ଗ୍ ହୋଇ ଚାଲିଛି । ଏହା ପୂର୍ବ-ପ୍ରସ୍ତୁତ ଡ୍ରାମା ଅଟେ । ତୁମେ ଅଭିନେତା ହୋଇ ସାରା
ଡ୍ରାମାକୁ ସାକ୍ଷୀ ହୋଇ ଦେଖୁଛ । ଗୋଟିଏ ଗୋଟିଏ ସେକେଣ୍ଡ ଡ୍ରାମା ଅନୁସାରେ ବିତି ଚାଲିଛି ।
ପତ୍ର ହଲିଲା, ଡ୍ରାମା ପାଶ୍ ହୋଇଗଲା । ଏପରି ନୁହେଁ ଯେ ପତ୍ର-ପତ୍ର ଭଗବାନଙ୍କର ନିର୍ଦ୍ଦେଶ
ଅନୁସାରେ ଚାଲୁଛି । ନାଁ, ଏସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏ କଥାକୁ ଭଲ ଭାବରେ
ବୁଝିବା ଦରକାର । ବାବା ହିଁ ଆସି ରାଜଯୋଗ ଶିଖାଉଛନ୍ତି ଏବଂ ଡ୍ରାମାର ଜ୍ଞାନ ଦେଉଛନ୍ତି । ଚିତ୍ର
ମଧ୍ୟ କେତେ ଭଲ ଭଲ ତିଆରି ହୋଇଛି । ସଂଗମଯୁଗରେ ଘଣ୍ଟାର କଣ୍ଟା ଲାଗିଯାଇଛି । କଳିଯୁଗର ଶେଷ ଓ
ସତ୍ୟଯୁଗର ଆରମ୍ଭର ଏହା ସଂଗମ । ଏବେ ପୁରୁଣା ଦୁନିଆରେ ଅନେକ ଧର୍ମ ରହିଛି । ପୁଣି ନୁଆ ଦୁନିଆରେ
ଏସବୁ ଧର୍ମ ରହିବ ନାହିଁ । ତୁମେ ସନ୍ତାନମାନେ ସର୍ବଦା ଏହିପରି ଭାବ - ଆମକୁ ବାବା ପଢାଉଛନ୍ତି,
ଆମେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟୁ । ଭଗବାନଉବାଚ - ମୁଁ ତୁମକୁ ରାଜାମାନଙ୍କର ରାଜା କରାଉଛି ।
ରାଜାମାନେ ମଧ୍ୟ ଲକ୍ଷ୍ମୀ-ନାରାୟଣଙ୍କୁ ପୂଜା କରିଥା’ନ୍ତି । ତେବେ ତାଙ୍କୁ ପୂଜ୍ୟ କରାଇଲାବାଲା
ମୁଁ ହିଁ ଅଟେ । ଯେଉଁମାନେ ପୂଜ୍ୟ ଥିଲେ ସେହିମାନେ ଏବେ ପୂଜାରୀ ହୋଇଯାଇଛନ୍ତି । ତୁମେ
ସନ୍ତାନମାନେ ବୁଝିଯାଉଛ ଯେ ଆମେ ପୂଜ୍ୟ ଥିଲୁ ପୁଣି ଆମେ ପୂଜାରୀ ହୋଇଯାଇଛୁ । ବାବା ତ
ହେଉନାହାଁନ୍ତି । ବାବା କହୁଛନ୍ତି, ନା ମୁଁ ପୂଜାରୀ ହେଉଛି, ନାଁ ମୁଁ ପୂଜ୍ୟ ହେଉଛି, ସେଥିପାଇଁ
ମୁଁ ନା ହାର ପିନ୍ଧୁଛି, ନା ମୋତେ କାହାକୁ ପିନ୍ଧାଇବାକୁ ପଡୁଛି । ତାହା ହେଲେ ମୁଁ କାହିଁକି
ଫୁଲକୁ ସ୍ୱୀକାର କରିବି । ତୁମେ ମଧ୍ୟ ଫୁଲକୁ ସ୍ୱୀକାର କର ନାହିଁ । ନିୟମ ଅନୁସାରେ ସେହି
ଦେବତାମାନଙ୍କର ଏହି ଅଧିକାର ରହିଛି, କାହିଁକି ନା ତାଙ୍କର ଆତ୍ମା ଏବଂ ଶରୀର ଉଭୟ ପବିତ୍ର ।
ଦେବତାମାନେ ହିଁ ଫୁଲର ଅଧିକାରୀ ଅଟନ୍ତି । ସ୍ୱର୍ଗରେ ତ ସୁଗନ୍ଧଯୁକ୍ତ ଫୁଲ ରହିବ । ଫୁଲ ରହିଥାଏ
ସୁଗନ୍ଧ ଦେବା ପାଇଁ । ପିନ୍ଧିବା ପାଇଁ ମଧ୍ୟ ଫୁଲକୁ ବ୍ୟବହାର କରାଯାଇଥାଏ । ବାବା କହୁଛନ୍ତି -
ଏବେ ତୁମେ ସନ୍ତାନମାନେ ବିଷ୍ଣୁଙ୍କ ଗଳାର ହାର ହେଉଛ । କ୍ରମାନୁସାରେ ତୁମକୁ ସିଂହାସନରେ ବସିବାକୁ
ହେବ । କଳ୍ପ ପୂର୍ବରୁ ଯେଉଁମାନେ ଯେତିକି ପୁରୁଷାର୍ଥ କରିଥିଲେ, ଏବେ ସେତିକି କରୁଛନ୍ତି ଏବଂ
ଆଗକୁ ପୁରୁଷାର୍ଥ କରିବାରେ ଲାଗି ପଡିବେ । କ୍ରମାନୁସାରେ ତ ରହିବେ । ବୁଦ୍ଧି କହୁଛି ଅମୁକ ପିଲା
ବହୁତ ସେବାଧାରୀ ଅଟେ । ଯେପରି ଦୋକାନମାନଙ୍କରେ ସେଠ୍ ଥା’ନ୍ତି, ଭାଗୀଦାର ଏବଂ ସନ୍ଦେଶବାହାକ
ମଧ୍ୟ ଥା’ନ୍ତି । ତଳବାଲାଙ୍କୁ ମଧ୍ୟ ଉପରକୁ ଉଠିବାକୁ ସୁଯୋଗ ମିଳିଥାଏ । ଏହା ମଧ୍ୟ ସେହିପରି ଅଟେ
। ତୁମ ସନ୍ତାନମାନଙ୍କୁ ମଧ୍ୟ ମାତାପିତାଙ୍କ ହୃଦୟ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ତୁମେ
ଆଶ୍ଚର୍ଯ୍ୟ ହେଉଛ - ମାତା-ପିତାଙ୍କଠାରୁ ଆଗକୁ କିପରି ଯାଇପାରିବୁ । ବାବା ତ ପରିଶ୍ରମ କରି
ପିଲାମାନଙ୍କୁ ଯୋଗ୍ୟ କରାଉଛନ୍ତି, ସିଂହାସନର ଅଧିକାରୀ କରାଇବା ପାଇଁ । ସେଥିପାଇଁ କହୁଛନ୍ତି,
ଏବେ ମୋର ହୃଦୟ ରୂପକ ସିଂହାସନରେ ବିଜୟ ପ୍ରାପ୍ତ କଲେ, ତୁମେ ଭବିଷ୍ୟତରେ ସିଂହାସନର ଅଧିକାରୀ
ହେବ । ଏତେ ପୁରୁଷାର୍ଥ କର, ଯେପରି ନରରୁ ନାରାୟଣ ହୋଇଯିବ । ଗୋଟିଏ ମାତ୍ର ମୁଖ୍ୟ ଲକ୍ଷ୍ୟ
ଉଦ୍ଦେଶ୍ୟ ରହିଛି, ପୁଣି ରାଜଧାନୀ ସ୍ଥାପନ ହେଉଛି ତେବେ ସେଠାରେ ଭିନ୍ନ ଭିନ୍ନ ପ୍ରକାରର ପଦବୀ
ରହିଛି ।
ତୁମକୁ ମାୟାକୁ ଜିତିବା ପାଇଁ ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ । ପିଲାମାନଙ୍କୁ ଭଲେ
ସ୍ନେହର ସହିତ ପାଳନ କର କିନ୍ତୁ ଟ୍ରଷ୍ଟି ହୋଇ ରୁହ । ଭକ୍ତିମାର୍ଗରେ କହୁଥିଲ ନା - ପ୍ରଭୁ ଏସବୁ
ଆପଣଙ୍କର ଦାନ ଅଟେ । ଆପଣଙ୍କର ସମ୍ପତ୍ତି ଆପଣ ନେଇଗଲେ । ତେଣୁ ଏଥିରେ କାନ୍ଦିବାର କୌଣସି କଥା
ନାହିଁ କିନ୍ତୁ ଏହା ତ ହେଉଛି ହିଁ କାନ୍ଦିବାର ଦୁନିଆ । ମନୁଷ୍ୟମାନେ ବହୁତ କାହାଣୀ ଶୁଶାଇଥାନ୍ତି
। ମୋହଜିତ୍ ରାଜାର କଥା ମଧ୍ୟ ଶୁଣାଇଥା’ନ୍ତି । ଏହାକୁ ଶୁଣିବା ଦ୍ୱାରା ପୁଣି କୌଣସି ଦୁଃଖର
ଅନୁଭବ ହୋଇ ନ ଥାଏ । ଗୋଟିଏ ଶରୀର ତ୍ୟାଗ କରି ଯାଇ ଆଉ ଗୋଟିଏ ଶରୀର ନେଲା । ସେଠାରେ କେବେ କୌଣସି
ରୋଗ ଆଦି ହେବ ନାହିଁ । ସଦାସୁସ୍ଥ, ନିରୋଗୀ ଶରୀର ୨୧ ଜନ୍ମ ପାଇଁ ରହିବ । ପିଲାମାନଙ୍କୁ ସବୁ
ସାକ୍ଷାତ୍କାର ହେଉଛି । ସେଠାକାର ନୀତିପ୍ରଥା କ’ଣ ରହୁଛି, କିପରି ପୋଷାକ ପିନ୍ଧୁଛନ୍ତି,
ସ୍ୱୟଂମ୍ବର ଆଦି କିପରି ହେଉଛି - ସବୁ କିଛି ପିଲାମାନେ ସାକ୍ଷାତ୍କାର କରିଛନ୍ତି । ସେହି ଅଭିନୟ
ସବୁ ବିତିଗଲାଣି । ସେ ସମୟରେ ଏତେ ଜ୍ଞାନ ନ ଥିଲା । ଏବେ ଦିନକୁ-ଦିନ ତୁମ ସନ୍ତାନମାନଙ୍କ ପାଖକୁ
ବହୁତ ଶକ୍ତି ଆସି ଚାଲିଛି । ଏହା ସବୁ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଆଶ୍ଚର୍ଯ୍ୟ
ଅଟେ ନା । ପରମପିତା ପରମାତ୍ମାଙ୍କର ମଧ୍ୟ ଅଭିନୟ କେତେ ଶ୍ରେଷ୍ଠ । ନିଜେ ବସି ବୁଝାଉଛନ୍ତି
ଭକ୍ତିମାର୍ଗରେ ମଧ୍ୟ ଉପରେ ବସି ମୁଁ କେତେ କାମ କରୁଛି । କଳ୍ପରେ ଗୋଟିଏ ଥର ହିଁ ତଳକୁ ଆସୁଛି ।
ନିରାକାରଙ୍କର ବହୁତ ପୂଜାରୀ ମଧ୍ୟ ଅଛନ୍ତି, କିନ୍ତୁ ନିରାକାର ପରମାତ୍ମା କିପରି ଆସି ପାଠ
ପଢାଉଛନ୍ତି, ଏହି ଜ୍ଞାନ ଗୁପ୍ତ କରିଦେଇଛନ୍ତି । ଗୀତାରେ ମଧ୍ୟ ଶ୍ରୀକୃଷ୍ଣଙ୍କର ନାମ
ଲେଖିଦେଇଛନ୍ତି, ତେଣୁ ନିରାକାରଙ୍କ ସହିତ ସମସ୍ତଙ୍କର ସ୍ନେହ ସମ୍ବନ୍ଧ ତୁଟିଯାଇଛି । ପରମାତ୍ମା
ହିଁ ଆସି ସହଜ ଯୋଗ ଶିଖାଇ ଦୁନିଆକୁ ବଦଳାଉଛନ୍ତି, ତେଣୁ ଦୁନିଆ ପରିବର୍ତ୍ତନ ହେଉଛି । ଯୁଗର
ପୁନରାବୃତ୍ତି ହୋଇଚାଲିଛି । ଏହି ଡ୍ରାମାର ଚକ୍ରକୁ ଏବେ ତୁମେ ବୁଝିଗଲଣି । ମନୁଷ୍ୟ କିଛି ହେଲେ
ଜାଣିନାହାଁନ୍ତି । ସତ୍ୟଯୁଗର ଦେବୀ-ଦେବତାମାନଙ୍କୁ ମଧ୍ୟ ଜାଣିନାହାଁନ୍ତି । କେବଳ
ଦେବତାମାନଙ୍କର ପ୍ରତୀକ ରହିଯାଇଛି, ତେଣୁ ବାବା ବୁଝାଉଛନ୍ତି, ସର୍ବଦା ଏହିପରି ଭାବ ଯେ ଆମେ
ଶିବବାବାଙ୍କର ଅଟୁ । ଶିବବାବା ଆମକୁ ପାଠ ପଢାଉଛନ୍ତି । ଶିବବାବା, ଏହି ବ୍ରହ୍ମାଙ୍କ ଦ୍ୱାରା
ସର୍ବଦା ଶିକ୍ଷା ଦେଉଛନ୍ତି । ଶିବବାବାଙ୍କ ସ୍ମୃତିରେ ରହିଲେ ପୁଣି ବହୁତ ମଜା ଲାଗିବ । ଏହିପରି
ଈଶ୍ୱରୀୟ ପିତା କିଏ? ସେ ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି, ସତଗୁରୁ ମଧ୍ୟ ଅଟନ୍ତି ।
କେତେକ ପିତା ପିଲାମାନଙ୍କୁ ପାଠ ମଧ୍ୟ ପଢାଇଥା’ନ୍ତି, ତେବେ ସେ ନିଶ୍ଚିତ କହିବେ ଯେ ଆମର ଇଏ ପିତା,
ଶିକ୍ଷକ ମଧ୍ୟ ଅଟନ୍ତି କିନ୍ତୁ ସେହି ପିତା ଗୁରୁ ମଧ୍ୟ ହେବେ, ଏପରି ହୋଇପାରିବ ନାହିଁ । ହଁ
ଶିକ୍ଷକ ହୋଇପାରିବେ । କିନ୍ତୁ ପିତାଙ୍କୁ ଗୁରୁ ବୋଲି କେବେ ବି କହିପାରିବା ନାହିଁ ।
ବ୍ରହ୍ମାବାବାଙ୍କର ଲୌକିକ ପିତା ମଧ୍ୟ ଶିକ୍ଷକ ଥିଲେ, ପାଠ ପଢାଉଥିଲେ । ସେ ହେଲେ ଲୌକିକ ପିତା ଓ
ଶିକ୍ଷକ । ଇଏ ହେଉଛନ୍ତି ସାରା ବିଶ୍ୱର ପିତା ଓ ଶିକ୍ଷକ । ତୁମେ ନିଜକୁ ଈଶ୍ୱରୀୟ ଛାତ୍ର ବୋଲି
ଭାବିବ ତ ଅହୋ ସୌଭାଗ୍ୟ । ଈଶ୍ୱର ପିତା ପାଠ ପଢାଉଛନ୍ତି, କେତେ ସ୍ପଷ୍ଟ କଥା । ତେବେ କେତେ ମିଠା
ବାବା ଅଟନ୍ତି । ଭଲ ଜିନିଷ ବହୁତ ମନେ ପଡିଥାଏ । ଯେପରି ପ୍ରେମିକ-ପ୍ରେମିକାଙ୍କର ପରସ୍ପର ସହିତ
ପ୍ରେମ ରହିଥାଏ । ତାଙ୍କର ପ୍ରେମ ବିକାର ପାଇଁ ନୁହେଁ । କେବଳ ପରସ୍ପରକୁ ଦେଖୁଥା’ନ୍ତି । ତୁମର
ହେଲା ଆତ୍ମାମାନଙ୍କର ପରମାତ୍ମା ପିତାଙ୍କ ସହିତ ଯୋଗ । ଆତ୍ମା କହୁଛି ବାବା କେତେ ଜ୍ଞାନର ସାଗର,
ପ୍ରେମର ସାଗର ଅଟନ୍ତି । ଏହି ପତିତ ଦୁନିଆ, ପତିତ ଶରୀରରେ ଆସି ଆମକୁ କେତେ ଶ୍ରେଷ୍ଠ କରାଉଛନ୍ତି
। ଗାୟନ ମଧ୍ୟ ରହିଛି - ମନୁଷ୍ୟ ସେ ଦେବତା କିୟେ କରତ ନ ଲଗେ ୱାର । ଗୋଟିଏ ସେକେଣ୍ଡରେ
ବୈକୁଣ୍ଠକୁ ଯାଉଛନ୍ତି । ଗୋଟିଏ ସେକେଣ୍ଡରେ ମନୁଷ୍ୟରୁ ଦେବତା ହୋଇଯାଉଛନ୍ତି । ଏହା ହିଁ ଲକ୍ଷ୍ୟ
ଉଦ୍ଦେଶ୍ୟ ଅଟେ । ସେଥିପାଇଁ ପାଠପଢିବା ଆବଶ୍ୟକ । ଗୁରୁ ନାନକ ମଧ୍ୟ କହିଥିଲେ - ମୂତ ପଲିତି କପଡ
ଧୋଏ (ବିକାର ଯୁକ୍ତ ବସ୍ତ୍ରକୁ ସଫା କର)... ଏଠାରେ ଲକ୍ଷ୍ୟରୂପୀ ସାବୁନ ରହିଛି ନା । ବାବା
କହୁଛନ୍ତି ମୁଁ କେତେ ଭଲ ଧୋବା ଅଟେ । ତୁମର ବସ୍ତ୍ର, ତୁମର ଆତ୍ମା ଏବଂ ଶରୀରକୁ କେତେ ଶୁଦ୍ଧ
କରାଉଛି । ତେବେ ଦାଦାଙ୍କୁ କେବେ ହେଲେ ମନେ ପକାଇବାର ନାହିଁ । ଏହି ସବୁ କାର୍ଯ୍ୟ ଶିବବାବାଙ୍କର
ଅଟେ, ତାଙ୍କୁ ହିଁ ମନେ ପକାଅ । ବ୍ରହ୍ମାଙ୍କ ଠାରୁ ଶିବବାବା ମଧୁମୟ ଅଟନ୍ତି । ଶିବବାବା ଆତ୍ମାକୁ
କହୁଛନ୍ତି ତୁମେ ଆଖି ଦ୍ୱାରା ଏହି ବ୍ରହ୍ମାଙ୍କ ରଥକୁ ଦେଖୁଛ କିନ୍ତୁ ତୁମେ ୟାଦ ଶିବବାବାଙ୍କୁ
କର । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ତୁମକୁ କଉଡିରୁ ହୀରା ତୁଲ୍ୟ କରାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କର
ହୃଦୟ ରୂପୀ ସିଂହାସନକୁ ଜିତିବା ପାଇଁ ପୁରୁଷାର୍ଥ କରିବାକୁ ହେବ । ପରିବାର ଭିତରେ ଟ୍ରଷ୍ଟି ବା
ନିମିତ୍ତ ପଣିଆର ସ୍ମୃତିରେ ରହି ସ୍ନେହର ସହିତ ସମସ୍ତଙ୍କୁ ଚଲାଇବାକୁ ହେବ । ମୋହଜିତ୍ ହେବାକୁ
ପଡିବ ।
(୨) ଯୋଗବଳ ଦ୍ୱାରା
ଆତ୍ମାକୁ ସ୍ୱଚ୍ଛ ଅର୍ଥାତ୍ ପବିତ୍ର କରିବାକୁ ହେବ । ଏହି ଆଖି ଦ୍ୱାରା ସବୁ କିଛି ଦେଖୁଥିଲେ
ମଧ୍ୟ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ । ଏଠାରେ ନିଜ ପାଇଁ କୌଣସି ଫୁଲ ହାର
ସ୍ୱୀକାର ନ କରି ନିଜେ ସୁଗନ୍ଧିତ ଫୁଲ ଭଳି ହେବାକୁ ପଡିବ ।
ବରଦାନ:-
ପ୍ରାରବ୍ଧ
ପାଇବାର ଇଚ୍ଛାକୁ ତ୍ୟାଗ କରି ତୀବ୍ର ପୁରୁଷାର୍ଥ କରୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ ।
ଶ୍ରେଷ୍ଠ ପୁରୁଷାର୍ଥୀ
ସେହିମାନଙ୍କୁ କୁହାଯିବ ଯେଉଁମାନେ ପୁରୁଷାର୍ଥର ପ୍ରାରବ୍ଧକୁ ଭୋଗ କରିବାର ଇଚ୍ଛା ରଖନ୍ତି ନାହିଁ
। ଯେଉଁଠାରେ ଇଚ୍ଛା ରହିଥାଏ ସେଠାରେ ସ୍ୱଚ୍ଛତା ସମାପ୍ତ ହୋଇଯାଏ ଏବଂ ସୋଚତା ଅର୍ଥାତ୍ ବହୁତ
ଭାବିବାବାଲା ହୋଇଯାଆନ୍ତି । ଯେଉଁମାନେ ଏହିଠାରେ ହିଁ ପ୍ରାରବ୍ଧ ଭୋଗ କରିବାର ଇଚ୍ଛା ରଖିଥାଆନ୍ତି,
ସେମାନେ ନିଜର ଭବିଷ୍ୟତର ରୋଜଗାର ଜମା କରିବାରେ କମି କରିଦିଅନ୍ତି ସେଥିପାଇଁ ଇଚ୍ଛା ରଖିବା
ପରିବର୍ତ୍ତେ ଆଚ୍ଛା ଅର୍ଥାତ୍ ଭଲ ଶବ୍ଦକୁ ମନେ ରଖ । ଶ୍ରେଷ୍ଠ ପୁରୁଷାର୍ଥୀ ସର୍ବଦା ବେଦାଗ ହେବା
ପାଇଁ ପୁରୁଷାର୍ଥ କରିଥାଏ, କୌଣସି କଥାରେ ସେ ଫେଲ୍ ହୋଇ ନ ଥାଆନ୍ତି ।
ସ୍ଲୋଗାନ:-
ସାଧନଗୁଡିକୁ
ପଦ୍ମ ଫୁଲ ଭଳି ହୋଇ ବ୍ୟବହାର କର କାହିଁକିନା ଏଗୁଡିକ ତୁମର କର୍ମଯୋଗର ଫଳ ଅଟେ ।
ଅବ୍ୟକ୍ତ ଈଶାରା:-
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ସର୍ବସ୍ୱ ତ୍ୟାଗୀ
ପିଲାମାନଙ୍କ ଭିତରେ ମୁଖ୍ୟ ରୂପରେ ସରଳତା ଏବଂ ସହନଶୀଳତାର ଗୁଣ ନିଶ୍ଚିତ ଥିବ । ଏହିଭଳି
ପିଲାମାନେ ନିଜେ ସର୍ବଦା ହର୍ଷିତ ରହିଥାଆନ୍ତି ଏବଂ ସମସ୍ତଙ୍କୁ ଆକର୍ଷିତ କରିଥାଆନ୍ତି । ସେମାନେ
ପରସ୍ପରର ସ୍ନେହୀ ହୋଇଯାଆନ୍ତି । ଯଦି ସରଳତା ନାହିଁ ତେବେ ସ୍ନେହ ମଧ୍ୟ ରହିପାରିବ ନାହିଁ ।
ଯେପରି ସାକାର ରୂପରେ ବ୍ରହ୍ମାବାବାଙ୍କୁ ଦେଖିଛ ଯେତିକି ଜ୍ଞାନୀ ସେତିକି ସରଳ ସ୍ୱଭାବ ।
ବୟସ୍କଙ୍କ ସହିତ ବୟସ୍କ, ପିଲାଙ୍କ ସହିତ ପିଲା ।