20.05.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ଅବିନାଶୀ ରୋଜଗାର କରାଇବା ପାଇଁ ଆସିଛନ୍ତି, ଏବେ ତୁମେମାନେ ଜ୍ଞାନ ରତ୍ନର ରୋଜଗାର
ଯେତେ କରିବାକୁ ଚାହିଁବ କରିପାରିବ ।”
ପ୍ରଶ୍ନ:-
ଆସୁରୀ
ସଂସ୍କାରକୁ ବଦଳାଇ ଦୈବୀ ସଂସ୍କାର ଧାରଣ କରିବା ପାଇଁ କେଉଁ ବିଶେଷ ପୁରୁଷାର୍ଥ ଆବଶ୍ୟକ?
ଉତ୍ତର:-
ନିଜର ସଂସ୍କାରକୁ ବଦଳାଇବା ପାଇଁ ଯେତେ ଦୂର ସମ୍ଭବ ଦେହୀ-ଅଭିମାନୀ ହୋଇ ରହିବାର ଅଭ୍ୟାସ କର ।
ଦେହ-ଅଭିମାନରେ ଆସିବା ଦ୍ୱାରା ହିଁ ଆସୁରୀ ସଂସ୍କାର ନିର୍ମାଣ ହେଉଛି । ବାବା ଆସୁରୀ ସଂସ୍କାରକୁ
ଦୈବୀ ସଂସ୍କାର କରିବା ପାଇଁ ହିଁ ଆସିଛନ୍ତି, ପୁରୁଷାର୍ଥ କରି ସ୍ମୃତିରେ ରଖ - ପ୍ରଥମେ ମୁଁ ଦେହୀ
ଆତ୍ମା ଅଟେ, ପରେ ଏହି ଶରୀର ।
ଗୀତ:-
ତୁନେ ରାତ
ଗଁବାଇ ଶୋ କେ...
ଓମ୍ ଶାନ୍ତି ।
ଏହି ଗୀତ ତ
ପିଲାମାନେ ବହୁତ ଥର ଶୁଣିଛନ୍ତି । ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ସାବଧାନ କରାଇ
ଦେଉଛନ୍ତି ଯେ ଏହି ସମୟ ହରାଇ ଦେବା ଉଚିତ୍ ନୁହେଁ । ଏହି ସମୟ ବହୁତ ବଡ ରୋଜଗାର ଜମା କରିବାର
ସମୟ । ରୋଜଗାର କରାଇବା ପାଇଁ ହିଁ ବାବା ଆସିଛନ୍ତି । ବର୍ତ୍ତମାନ ତୁମେମାନେ ଅମାପ ରୋଜଗାର
କରିପାରିବ । ଯିଏ ଯେତେ ଚାହିଁବ ସେତେ କରିପାରିବ । ଏହା ହେଉଛି ଅବିନାଶୀ ଜ୍ଞାନ ରତ୍ନ ଦ୍ୱାରା
ଝୁଲାମୁଣି ଭରିବାର ରୋଜଗାର । ଏହା ହେଉଛି ଭବିଷ୍ୟତ ପାଇଁ । ତାହା ଭକ୍ତି, ଏହା ହେଉଛି ଜ୍ଞାନ ।
ମନୁଷ୍ୟମାନେ ଏ କଥା ଜାଣି ନାହାଁନ୍ତି ଯେ ଭକ୍ତି ସେତେବେଳେ ଆରମ୍ଭ ହେଉଛି ଯେତେବେଳେ ରାବଣ
ରାଜ୍ୟ ଆରମ୍ଭ ହେଉଛି । ପୁଣି ଜ୍ଞାନ ସେତେବେଳେ ଆରମ୍ଭ ହୁଏ ଯେତେବେଳେ ବାବା ଆସି ରାମରାଜ୍ୟର
ସ୍ଥାପନା କରନ୍ତି । ଜ୍ଞାନ ନୂଆ ଦୁନିଆ ପାଇଁ ଏବଂ ଭକ୍ତି ପୁରୁଣା ଦୁନିଆ ପାଇଁ । ଏବେ ବାବା
କହୁଛନ୍ତି ପ୍ରଥମେ ନିଜକୁ ଦେହୀ ଅର୍ଥାତ୍ ଆତ୍ମା ନିଶ୍ଚୟ କରିବାକୁ ହେବ । ତୁମମାନଙ୍କ ବୁଦ୍ଧିରେ
ଅଛି - ପ୍ରଥମେ ମୁଁ ଆତ୍ମା ଅଟେ, ପଛରେ ଶରୀର । କିନ୍ତୁ ଡ୍ରାମା ପ୍ଲାନ ଅନୁସାରେ ସମସ୍ତ
ମନୁଷ୍ୟମାନଙ୍କର ବୁଦ୍ଧି ଭ୍ରମ ହୋଇଯାଇଛି, ସେଥିପାଇଁ ଓଲଟା ଭାବି ନେଇଛନ୍ତି ଯେ ପ୍ରଥମେ ମୁଁ
ଦେହ ପରେ ଦେହୀ ଅଟେ । ବାବା କହୁଛନ୍ତି ଶରୀର ତ ବିନାଶୀ । ଯାହାକୁ ତୁମେ ଧାରଣ କରୁଛ ଏବଂ ତ୍ୟାଗ
କରୁଛ । ସଂସ୍କାର ଆତ୍ମାରେ ରହୁଛି । ତେଣୁ ଦେହ-ଅଭିମାନରେ ଆସିବା ଦ୍ୱାରା ସଂସ୍କାର ମଧ୍ୟ ଆସୁରୀ
ହୋଇଯାଉଛି ଏବଂ ସେହି ଆସୁରୀ ସଂସ୍କାରକୁ ଦୈବୀ କରିବା ପାଇଁ ବାବାଙ୍କୁ ଆସିବାକୁ ପଡୁଛି । ଏ ସବୁ
ରଚନା ହେଉଛି ସେହି ଏକମାତ୍ର ରଚୟିତା ବାବାଙ୍କର । ତାଙ୍କୁ ସମସ୍ତେ ଫାଦର (ପିତା) କହୁଛନ୍ତି ।
ଯେପରି ଲୌକିକ ପିତାଙ୍କୁ ମଧ୍ୟ ଫାଦର କୁହାଯାଏ । ବାବା ଏବଂ ମମ୍ମା ଏହି ଦୁଇଟି ଶବ୍ଦ ବହୁତ ମିଠା
। ତେବେ ରଚୟିତା ତ ପିତାଙ୍କୁ ହିଁ କୁହାଯିବ । ସେ ପ୍ରଥମେ ମା’କୁ ପୋଷ୍ୟ ରୂପରେ ଗ୍ରହଣ
କରିଥା’ନ୍ତି ଏବଂ ପରେ ପିଲାମାନଙ୍କୁ ରଚନା କରିଥା’ନ୍ତି । ବେହଦର ବାବା ମଧ୍ୟ କହୁଛନ୍ତି ଯେ ମୁଁ
ଆସି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛି, ଯାହାଙ୍କର ନାମ ବହୁତ ପ୍ରସିଦ୍ଧ ଅଟେ । ତାଙ୍କୁ
ଭାଗୀରଥ ମଧ୍ୟ କୁହାଯାଏ । ଯାହାଙ୍କର ଚିତ୍ର ମନୁଷ୍ୟ ରୂପରେ ହିଁ ଦେଖାଇଥା’ନ୍ତି । କୌଣସି ବଳଦ
ଆଦି ନୁହଁ । ଭାଗୀରଥ ହେଉଛି ମନୁଷ୍ୟର ଶରୀର । ବାବା ହିଁ ଆସି ପିଲାମାନଙ୍କୁ ନିଜର ପରିଚୟ
ଦେଉଛନ୍ତି । ତୁମେମାନେ ସର୍ବଦା ଅନ୍ୟମାନଙ୍କୁ କୁହ ଯେ, ଆମେ ବାପଦାଦାଙ୍କ ପାଖକୁ ଯାଉଛୁ । କେବଳ
ବାବା କହିଲେ ସେ ନିରାକାର ହୋଇଯାଉଛନ୍ତି । ନିରାକାର ବାବାଙ୍କ ପାଖକୁ ସେତେବେଳେ ଯାଇପାରିବ
ଯେତେବେଳେ ଶରୀର ତ୍ୟାଗ କରିବ, ଏମିତି କେହି ଯାଇପାରିବେ ନାହିଁ । ଏହି ଜ୍ଞାନ ବାବା ହିଁ
ଦେଉଛନ୍ତି ଏବଂ ଏହା କେବଳ ବାବାଙ୍କ ପାଖରେ ଅଛି । ଏହା ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ଅଟେ ।
ବାବା ହେଉଛନ୍ତି ଜ୍ଞାନ ରତ୍ନର ସାଗର । ଏହା କୌଣସି ପାଣିର କଥା ନୁହେଁ । ସେ ହେଉଛନ୍ତି ଜ୍ଞାନ
ରତ୍ନର ଭଣ୍ଡାର । ତାଙ୍କ ପାଖରେ ଜ୍ଞାନ ଅଛି । ପାଣିକୁ ଜ୍ଞାନ କୁହାଯାଏ ନାହିଁ । ଯେପରି
ମନୁଷ୍ୟମାନଙ୍କ ପାଖରେ ବାରିଷ୍ଟରୀ, ଡାକ୍ତରୀ ଆଦିର ଜ୍ଞାନ ରହିଥାଏ, ସେହିପରି ଏହା ମଧ୍ୟ ଜ୍ଞାନ
। ଏହି ଜ୍ଞାନ ପାଇଁ ଋଷି-ମୁନି ଆଦି ସବୁ କହୁଥିଲେ ଯେ ଆମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର
ଜ୍ଞାନକୁ ଜାଣି ନାହୁଁ । ତାହା ତ ଏକମାତ୍ର ରଚୟିତା ହିଁ ଜାଣିଥିବେ । ସିଏ ସୃଷ୍ଟିରୂପି ବୃକ୍ଷର
ବୀଜରୂପ ମଧ୍ୟ ଅଟନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତାଙ୍କ ପାଖରେ ଅଛି । ଯେଉଁ ଜ୍ଞାନକୁ
ସିଏ ଏଠାକୁ ଆସିଲେ ହିଁ ଶୁଣାଇବେ । ଏବେ ତୁମକୁ ଜ୍ଞାନ ମିଳୁଛି ଯାହା ଦ୍ୱାରା ତୁମେ ଦେବତା ହେଉଛ
। ଜ୍ଞାନ ପାଇଲା ପରେ ପ୍ରାରବ୍ଧ ପାଉଛ । ସେଠାରେ ପୁଣି ଏହି ଜ୍ଞାନର ଆବଶ୍ୟକତା ରହିବ ନାହିଁ ।
ଏପରି ନୁହେଁ ଯେ ଦେବତାମାନଙ୍କ ପାଖରେ ଏହି ଜ୍ଞାନ ନାହିଁ ଅର୍ଥାତ୍ ସେମାନେ ଅଜ୍ଞାନୀ । ନା,
ସେମାନେ ତ ଏହି ଜ୍ଞାନ ଆଧାରରେ ଦେବ ପଦକୁ ପ୍ରାପ୍ତ କରିଛନ୍ତି । ଏଠାରେ ବାବାଙ୍କୁ ଡାକୁଛନ୍ତି
ଯେ ବାବା ଏଠାକୁ ଆସ, ଆସି ଆମେ ପତିତରୁ ପବିତ୍ର କିପରି ହେବୁ, ସେଥିପାଇଁ ରାସ୍ତା ଦେଖାଅ ଅଥବା
ଜ୍ଞାନ ଦିଅ କାହିଁକି ନା ଆମେ ଜାଣିନୁ । ଏବେ ତୁମେମାନେ ଜାଣୁଛ, ଆମେ ଆତ୍ମାମାନେ ଶାନ୍ତିଧାମରୁ
ଆସିଛୁ । ସେଠାରେ ଆତ୍ମାମାନେ ଶାନ୍ତିରେ ରହିଥା’ନ୍ତି । ଏଠାକୁ ଅଭିନୟ କରିବା ପାଇଁ ଆସିଛନ୍ତି ।
ଏହା ପୁରୁଣା ଦୁନିଆ, ତେବେ ନିଶ୍ଚିତ ଦିନେ ନୂଆ ଦୁନିଆ ଥିଲା । ତାହା କେବେ ଥିଲା । ସେଠାରେ କିଏ
ରାଜତ୍ୱ କରୁଥିଲେ - ଏ କଥା କେହି ଜାଣିନାହାଁନ୍ତି । ତୁମେ ଏବେ ବାବାଙ୍କ ଦ୍ୱାରା ଜାଣୁଛ । ବାବା
ହେଉଛନ୍ତି ହିଁ ଜ୍ଞାନର ସାଗର, ସଦ୍ଗତି ଦାତା । ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି - ହେ ବାବା
ଆସ ଏଠାକୁ ଆସି, ଆମର ଦୁଃଖକୁ ହରଣ କର, ସୁଖ-ଶାନ୍ତି ଦିଅ । ଆତ୍ମା ଜାଣିଛି କିନ୍ତୁ ତମଃପ୍ରଧାନ
ହୋଇଯାଇଛି, ସେଥିପାଇଁ ପୁନର୍ବାର ବାବା ଆସି ନିଜର ପରିଚୟ ଦେଉଛନ୍ତି । ମନୁଷ୍ୟ ନା ଆତ୍ମାକୁ ନା
ପରମାତ୍ମାଙ୍କୁ ଜାଣିଛନ୍ତି । ଆତ୍ମାରେ ଏହି ଜ୍ଞାନ ହିଁ ନାହିଁ ଯାହା ଦ୍ୱାରା ସେ
ପରମାତ୍ମ-ଅଭିମାନୀ ହେବ । ଆଗରୁ ତୁମେମାନେ ମଧ୍ୟ ଜାଣିନଥିଲ । ଏବେ ତୁମମାନଙ୍କୁ ଜ୍ଞାନ ମିଳୁଛି
ତେଣୁ ଜାଣୁଛ ଯେ, ବାସ୍ତବରେ ଚେହେରା ମନୁଷ୍ୟର କିନ୍ତୁ ଗୁଣ ମାଙ୍କଡର ଥିଲା ।
ଏବେ ବାବା ଜ୍ଞାନ
ଦେଇଛନ୍ତି ତେଣୁ ଆମେ ମଧ୍ୟ ନଲେଜଫୁଲ୍ (ଜ୍ଞାନବାନ୍) ହୋଇଯାଇଛୁ । ରଚୟିତା ଏବଂ ରଚନାର ଜ୍ଞାନ
ମିଳୁଛି । ତୁମେ ଜାଣିଛ ଆମମାନଙ୍କୁ ଭଗବାନ ପାଠ ପଢାଉଛନ୍ତି, ତେଣୁ କେତେ ନିଶା ରହିବା ଦରକାର ।
ବାବା ହେଉଛନ୍ତି ଜ୍ଞାନର ସାଗର, ତାଙ୍କ ଠାରେ ବେହଦର ଜ୍ଞାନ ରହିଛି । ତୁମେ କାହା ପାଖକୁ ବି ଯାଅ
- ସେମାନେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ତ କ’ଣ କିନ୍ତୁ ମୁଁ ଆତ୍ମା କ’ଣ ତାହା ମଧ୍ୟ ଜାଣି
ନାହାଁନ୍ତି । ବାବାଙ୍କୁ ଦୁଃଖହର୍ତ୍ତା, ସୁଖକର୍ତ୍ତା ବୋଲି କହି ସ୍ମରଣ ମଧ୍ୟ କରୁଛନ୍ତି ତଥାପି
ଈଶ୍ୱର ସର୍ବବ୍ୟାପୀ କହିଦେଉଛନ୍ତି । ବାବା କହୁଛନ୍ତି ଡ୍ରାମା ଅନୁସାରେ ସେମାନଙ୍କର ମଧ୍ୟ କୌଣସି
ଦୋଷ ନାହିଁ । ମାୟା ବିଲ୍କୁଲ୍ ହିଁ ତୁଚ୍ଛ ବୁଦ୍ଧି କରିଦେଇଛି । ଯେପରି କୀଟମାନଙ୍କୁ ଆବର୍ଜନାରେ
ହିଁ ସୁଖ ମିଳିଥାଏ । ବାବା ଏହି ଆବର୍ଜନାରୁ ବାହାର କରିବା ପାଇଁ ଆସୁଛନ୍ତି । ମନୁଷ୍ୟ ବିକାର
ରୂପି ପଙ୍କରେ ବୁଡି ରହିଛନ୍ତି । ଏହି ଜ୍ଞାନ ବିଷୟରେ କିଛି ବି ଜଣା ନାହିଁ ତେଣୁ କ’ଣ କରିବେ ।
ଏହି ନର୍କରେ ବୁଡି ରହିଛନ୍ତି ତେଣୁ ତାଙ୍କୁ ବାହାର କରିବା ମଧ୍ୟ ମୁସ୍କିଲ୍ ହୋଇଯାଉଛି ।
ସେମାନଙ୍କୁ ଚାରିଅଣା ବାହାର କରି ଆଣିଲେ ମଧ୍ୟ ତଥାପି ହାତ ଛାଡି ପଡିଯାଉଛନ୍ତି । କେତେକ ସନ୍ତାନ
ଅନ୍ୟକୁ ଜ୍ଞାନ ଦେଉ-ଦେଉ ନିଜେ ହିଁ ମାୟାର ଚାପୁଡା ଖାଇଥା’ନ୍ତି କାରଣ ବାବାଙ୍କ ଶ୍ରୀମତ
ବିରୁଦ୍ଧ କାର୍ଯ୍ୟ କରିଥା’ନ୍ତି । ଅନ୍ୟକୁ ଏହି ନର୍କ ଦୁନିଆରୁ ବାହାର କରିବା ପାଇଁ ଚେଷ୍ଟା
କରୁଛନ୍ତି କିନ୍ତୁ ନିଜେ ତଳକୁ ଖସି ଯାଉଛନ୍ତି । ପୁଣି ତାଙ୍କୁ ବାହାର କରିବା ପାଇଁ କେତେ ମେହନତ
କରିବାକୁ ପଡୁଛି କାରଣ ମାୟାଠାରୁ ହାରିଯାଉଛନ୍ତି । ତେବେ ନିଜର ପାପ ହିଁ ନିଜ ମନକୁ ଖାଇଥାଏ ।
ମାୟା ସହିତ ଲଢେଇ ଚାଲିଛି ନା । ଏବେ ତୁମେମାନେ ଯୁଦ୍ଧ ଭୂମିରେ ଅଛ । ସେମାନେ ହେଉଛନ୍ତି ବାହୁବଳ
ଦ୍ୱାରା ଲଢେଇ କରୁଥିବା ହିଂସକ ସେନା । ତୁମେ ହେଉଛ ଅହିଂସକ । ତୁମେ ଅହିଂସା ଦ୍ୱାରା ରାଜ୍ୟ
ନେଉଛ । ହିଂସା ଦୁଇ ପ୍ରକାରର ଥାଏ । ଗୋଟିଏ ହେଉଛି କାମ କଟୁରୀ ଚଳାଇବା ଏବଂ ଦ୍ୱିତୀୟଟି ହେଲା
କାହାକୁ ମାରିବା ପିଟିବା । ତୁମେମାନେ ଏବେ ଡବଲ ଅହିଂସକ ହେଉଛ । ଏହି ଜ୍ଞାନ ବଳର ଲଢେଇକୁ କେହି
ଜାଣି ନାହାଁନ୍ତି । ଅହିଂସା କାହାକୁ କୁହାଯାଏ ଏ କଥା ମଧ୍ୟ କେହି ଜାଣି ନାହାଁନ୍ତି ।
ଭକ୍ତିମାର୍ଗରେ କେତେ ସାମଗ୍ରୀ ରହିଛି । ଗାୟନ ମଧ୍ୟ କରନ୍ତି ପତିତ-ପାବନ ଆସ କିନ୍ତୁ ମୁଁ କିପରି
ଆସି ପବିତ୍ର କରୁଛି - ଏ କଥା କେହି ଜାଣି ନାହାଁନ୍ତି । ଗୀତାରେ ହିଁ ଭୁଲ୍ କରିଦେଇଛନ୍ତି,
ମନୁଷ୍ୟକୁ ଭଗବାନ କହିଦେଇଛନ୍ତି । ଶାସ୍ତ୍ର ମନୁଷ୍ୟ ହିଁ ତିଆରି କରିଛି ଏବଂ ମନୁଷ୍ୟମାନେ ହିଁ
ପଢୁଛନ୍ତି । ଦେବତାମାନଙ୍କୁ ତ ଶାସ୍ତ୍ର ପଢିବାର କୌଣସି ଆବଶ୍ୟକତା ନାହିଁ । ସେଠାରେ କୌଣସି
ଶାସ୍ତ୍ର ନ ଥାଏ । ଜ୍ଞାନ, ଭକ୍ତି ପଛରେ ରହିଛି ବୈରାଗ୍ୟ । କାହାର ବୈରାଗ୍ୟ? ଭକ୍ତିର, ପୁରୁଣା
ଦୁନିଆର ବୈରାଗ୍ୟ । ପୁରୁଣା ଶରୀରର ବୈରାଗ୍ୟ । ବାବା କହୁଛନ୍ତି ଏହି ଆଖି ଦ୍ୱାରା ଯାହା କିଛି
ଦେଖୁଛ ତାହା ରହିବ ନାହିଁ । ତେଣୁ ସମଗ୍ର ଛି-ଛି ଦୁନିଆ ପ୍ରତି ତୁମମାନଙ୍କର ବୈରାଗ୍ୟ ଆସିବା
ଉଚିତ୍ । ବାକି ନୂଆ ଦୁନିଆକୁ ତୁମେ ଦିବ୍ୟ ଦୃଷ୍ଟି ଦ୍ୱାରା ସାକ୍ଷାତ୍କାର କରୁଛ । ତୁମେ ନୂଆ
ଦୁନିଆ ପାଇଁ ହିଁ ପାଠ ପଢୁଛ । ଏହି ପାଠ ଏହି ଜନ୍ମ ପାଇଁ ନୁହେଁ । ଅନ୍ୟ ଯେ କୌଣସି ବି ପାଠପଢା
ଅଛି ତାହା ସେହି ସମୟ ସେହି ଜନ୍ମ ପାଇଁ ଉଦ୍ଦିଷ୍ଟ । ବର୍ତ୍ତମାନ ଏହା ହେଉଛି ସଂଗମ, ସେଥିପାଇଁ
ତୁମେ ଯାହା ପଢୁଛ ତା’ର ପ୍ରାରବ୍ଧ ତୁମକୁ ନୂଆ ଦୁନିଆରେ ମିଳିବ । ବେହଦ ବାବାଙ୍କଠାରୁ ତୁମକୁ
କେତେ ବଡ ପ୍ରାରବ୍ଧ ମିଳୁଛି । ବେହଦ ବାବାଙ୍କଠାରୁ ଏବେ ବେହଦର ସୁଖ ପ୍ରାପ୍ତ ହେଉଛି । ତେଣୁ
ତୁମମାନଙ୍କୁ ପୂରା ପୁରୁଷାର୍ଥ କରି ଶ୍ରୀମତରେ ଚାଲିବାକୁ ହେବ । ବାବା ଶ୍ରେଷ୍ଠରୁ ଶ୍ରେଷ୍ଠ
ଅଟନ୍ତି । ତାଙ୍କ ଦ୍ୱାରା ତୁମେ ଶ୍ରେଷ୍ଠ ହେଉଛ । ସେ ସର୍ବଦା ଶ୍ରେଷ୍ଠ ହିଁ ଅଟନ୍ତି । ତେଣୁ
ତୁମମାନଙ୍କୁ ମଧ୍ୟ ଶ୍ରେଷ୍ଠ କରୁଛନ୍ତି । ପୁଣି ତୁମେମାନେ ୮୪ ଜନ୍ମ ନେଇ-ନେଇ ଭ୍ରଷ୍ଟ ହୋଇଯାଉଛ
। ବାବା କହୁଛନ୍ତି ମୁଁ ତ ଜନ୍ମ-ମରଣରେ ଆସୁ ନାହିଁ । ମୁଁ ଭାଗ୍ୟଶାଳୀ ରଥରେ ହିଁ ପ୍ରବେଶ କରୁଛି,
ଯାହାକୁ କେବଳ ତୁମେମାନେ ହିଁ ଚିହ୍ନୁଛ । ତୁମର ବୃକ୍ଷ ଏବେ ବହୁତ ଛୋଟ ଅଛି । ବୃକ୍ଷକୁ ତୋଫାନ
ମଧ୍ୟ ଲାଗିଥାଏ । ଯାହାଦ୍ୱାରା ପତ୍ର ସବୁ ଝଡିଯାଏ । ଢେର ଫୁଲ ବାହାରିଥାଏ, ପୁଣି ତୋଫାନ ହେଲେ
ଖସିପଡିଥାଏ । କେହି କେହି ଭଲ ରୂପେ ଫଳିଭୂତ ହୋଇ ମଧ୍ୟ ତଥାପି ମାୟାର ତୋଫାନରେ ପଡିଯାଇଥା’ନ୍ତି
। ମାୟାର ତୋଫାନ ବହୁତ ଶକ୍ତିଶାଳୀ । ସେପଟେ ରହିଛି ବାହୁବଳ, ଏପଟେ ଯୋଗର ବଳ । ତୁମେ ବାବାଙ୍କୁ
ମନେ ପକାଇବାର ଶବ୍ଦକୁ ପକ୍କା କରିଦିଅ । ସେମାନେ ଯୋଗ ଶବ୍ଦ କହିଥା’ନ୍ତି । ତୁମର ଶବ୍ଦ ହେଲା ମନେ
ପକାଇବା । ଚାଲିବା-ବୁଲିବା ସମୟରେ ବାବାଙ୍କୁ ମନେ ପକାଅ, ଏହାକୁ ଯୋଗ କୁହାଯିବ ନାହିଁ । ଯୋଗ
ଶବ୍ଦ ସନ୍ନ୍ୟାସୀମାନଙ୍କ ପାଇଁ ପ୍ରସିଦ୍ଧ । ସେମାନେ ଅନେକ ପ୍ରକାରର ଯୋଗ ଶିଖାଇଥା’ନ୍ତି । ବାବା
କେତେ ସହଜ କଥା କହୁଛନ୍ତି - ଉଠିବା-ବସିବା, ଚାଲିବା-ବୁଲିବା ସମୟରେ ବାବାଙ୍କୁ ମନେ ପକାଅ ।
ତୁମେମାନେ ମୋର ଅଧାକଳ୍ପର ପ୍ରେମିକା । ଅଧାକଳ୍ପ ହେବ ତୁମେ ମୋତେ ମନେ ପକାଇ ଆସିଛ । ଏବେ ମୁଁ
ଆସିଛି । ଆତ୍ମାକୁ କେହି ହେଲେ ଜାଣି ନାହାଁନ୍ତି ସେଥିପାଇଁ ବାବା ଆସି ରିୟଲାଇଜ୍ କରାଉଛନ୍ତି ।
ବୁଝିବା ପାଇଁ ଏହା ବହୁତ ସୂକ୍ଷ୍ମ କଥା । ଆତ୍ମା ଅତି ସୂକ୍ଷ୍ମ ଏବଂ ଅବିନାଶୀ । ନା ଆତ୍ମାର
ବିନାଶ ହେବ ନା ତା’ର ପାର୍ଟ ବିନାଶ ହୋଇପାରିବ । ଯେଉଁମାନେ ମୋଟା ବୁଦ୍ଧି ହୋଇଥିବେ ସେମାନେ ଏହି
କଥାକୁ ବହୁତ ମୁସ୍କିଲ୍ରେ ବୁଝିପାରିବେ । ଶାସ୍ତ୍ରରେ ମଧ୍ୟ ଏ କଥା ନାହିଁ ।
ତୁମକୁ ବାବାଙ୍କୁ ସ୍ମରଣ
କରିବା ପାଇଁ ବହୁତ ମେହନତ କରିବାକୁ ପଡୁଛି । ଜ୍ଞାନ ତ ବହୁତ ସହଜ । ବାକି ବିନାଶ କାଳେ ପ୍ରୀତ
ବୁଦ୍ଧି ଏବଂ ବିପରୀତ ବୁଦ୍ଧି, ଏକଥା ଯୋଗବଳ ପାଇଁ କୁହାଯାଉଛି । ଯଦି ଯୋଗବଳ ଭଲ ଥିବ ତେବେ
ପ୍ରୀତି ବୁଦ୍ଧି କୁହାଯାଏ । ପ୍ରୀତି ମଧ୍ୟ ଅବ୍ୟଭିଚାରୀ ହେବା ଆବଶ୍ୟକ । ତେଣୁ ନିଜକୁ ପଚାରିବା
ଉଚିତ୍ - ମୁଁ ବାବାଙ୍କୁ କେତେ ମନେ ପକାଉଛି? ଏ କଥା ମଧ୍ୟ ଜଣାଅଛି ଯେ ବାବାଙ୍କ ସହିତ ପ୍ରୀତି
ରଖି-ରଖି ଯେତେବେଳେ କର୍ମାତୀତ ଅବସ୍ଥା ହୋଇଯିବ, ଏହି ଶରୀର ଚାଲିଯିବ ଏବଂ ଦୁନିଆରେ ଲଢେଇ ଲାଗିବ
। ତେବେ ଯେତେ ବାବାଙ୍କ ସହିତ ପ୍ରୀତି ରହିବ ସେତେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ ।
ପରୀକ୍ଷା ତ ଗୋଟିଏ ସମୟରେ ହିଁ ହେବ ନା । ଯେତେବେଳେ ସମୟ ପୂରା ହୋଇ ଆସିବ, ସେତେବେଳେ
ସମସ୍ତଙ୍କର ପ୍ରୀତି ବୁଦ୍ଧି ହୋଇଯିବ, ପୁଣି ବିନାଶ ହୋଇଯିବ । ସେ ପର୍ଯ୍ୟନ୍ତ ଝଗଡା ଆଦି ଲାଗି
ରହିବ । ବିଦେଶୀ ମଧ୍ୟ ବୁଝୁଛନ୍ତି ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, କେହି ପ୍ରେରକ ଅଛନ୍ତି,
ଯିଏକି ଆମ ଦ୍ୱାରା ବୋମା ତିଆରି କରାଉଛନ୍ତି । କିନ୍ତୁ କ’ଣ କରିପାରିବେ । ଡ୍ରାମାରେ ନିଧାର୍ଯ୍ୟ
ରହିଛି ନା । ନିଜର ବିଜ୍ଞାନ ବଳ ଦ୍ୱାରା ନିଜ କୁଳର ବିନାଶକୁ ନିକଟକୁ ଆଣୁଛନ୍ତି । ପିଲାମାନେ
କହୁଛନ୍ତି ପବିତ୍ର ଦୁନିଆକୁ ନେଇଚାଲ, ତେବେ ଶରୀରକୁ କ’ଣ ନେଇଯାଇ ପାରିବେ! ବାବା ହେଉଛନ୍ତି
କାଳର କାଳ । ଏ କଥା କେହି ଜାଣି ନାହାଁନ୍ତି । ଗାୟନ ରହିଛି ମିରୁଆ ମୌତ ମଲୁକା ଶିକାର (କାହାର
ଜୟଜୟକାର କାହାର ହାହାକାର) । ସେମାନେ କହୁଛନ୍ତି ବିନାଶ ବନ୍ଦ ହୋଇଯାଉ, ଶାନ୍ତି ହୋଇଯାଉ । ଆରେ,
ବିନାଶ ବିନା ସୁଖ-ଶାନ୍ତି କିପରି ସ୍ଥାପନ ହୋଇପାରିବ ସେଥିପାଇଁ ଚକ୍ର ଉପରେ ନିଶ୍ଚିତ ବୁଝାଅ ।
ଏବେ ସ୍ୱର୍ଗର ଗେଟ୍ ଖୋଲୁଛି । ବାବା କହୁଛନ୍ତି ଏହା ଉପରେ ମଧ୍ୟ ଗୋଟିଏ ପୁସ୍ତକ ଛପାଅ-ଗେଟ୍ ୱେ
ଟୁ ଶାନ୍ତିଧାମ-ସୁଖଧାମ । କିନ୍ତୁ ଏହାର ଅର୍ଥକୁ ମଧ୍ୟ କେହି ବୁଝିପାରିବେ ନାହିଁ । ବହୁତ ସହଜ,
କିନ୍ତୁ କୋଟିକରେ କେହି ମୁସ୍କିଲ୍ ବୁଝୁଛନ୍ତି । ତୁମକୁ ପ୍ରଦର୍ଶନୀ ଆଦିରେ କେବେ ହତାସ ହେବା
ଉଚିତ୍ ନୁହେଁ । ପ୍ରଜା ତ ହେବେ ନା । ଲକ୍ଷ୍ୟ ବହୁତ ଉଚ୍ଚ, ସେଥିପାଇଁ ମେହନତ ଲାଗୁଛି । ଯୋଗରେ
ମେହନତ ରହିଛି । ଏଥିରେ ହିଁ ବହୁତ ଫେଲ୍ ହୋଇଥା’ନ୍ତି । ଯୋଗ ମଧ୍ୟ ଅବ୍ୟଭିଚାରୀ ହେବା ଦରକାର ।
କିନ୍ତୁ ମାୟା ଘଡି ଘଡି ଭୁଲାଇ ଦେଉଛି । ତେବେ ବିନା ମେହନତରେ କ’ଣ କେହି ବିଶ୍ୱର ମାଲିକ
ହୋଇପାରିବେ କି । ସେଥିପାଇଁ ପୂରା ପୁରୁଷାର୍ଥ କରିବା ଦରକାର - ଆମେ ସୁଖଧାମର ମାଲିକ ଥିଲୁ ।
ଅନେକ ଥର ଚକ୍ର ଲଗାଇଛୁ । ଏବେ ବାବାଙ୍କୁ ମନେ ପକାଇବାକୁ ହେବ । କିନ୍ତୁ ଏଥିରେ ମାୟା ବହୁତ
ବିଘ୍ନ ପକାଉଛି । ବାବାଙ୍କ ପାଖକୁ ସେବାର ସମାଚାର ମଧ୍ୟ ଆସୁଛି । ଆଜି ବିଦ୍ୱାନ ମଣ୍ଡଳୀକୁ
ବୁଝାଇଲୁ, ଆଜି ଏହା କଲୁ... ଡ୍ରାମା ଅନୁସାରେ ମାତାମାନେ ପ୍ରସିଦ୍ଧ ହେବେ । ତୁମକୁ ଏହି ଖିଆଲ
ରଖିବାକୁ ହେବ, ମାତାମାନଙ୍କୁ ଆଗକୁ କରିବାକୁ ହେବ । ଏହା ଚୈତନ୍ୟ ଦିଲ୍ୱାଲା ମନ୍ଦିର । ତୁମ
ସନ୍ତାନମାନଙ୍କୁ ଚୈତନ୍ୟରେ ହୋଇଗଲା ପରେ ପୁଣି ରାଜତ୍ୱ କରିବ । ସେଠାରେ ଭକ୍ତିମାର୍ଗର ମନ୍ଦିର
ଆଦି ରହିବ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏକମାତ୍ର
ବାବାଙ୍କ ସହିତ ଅବ୍ୟଭିଚାରୀ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ରଖି ରଖି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ
କରିବାକୁ ହେବ । ଏହି ପୁରୁଣା ଦେହ ଏବଂ ପୁରୁଣା ଦୁନିଆ ପ୍ରତି ବେହଦର ବୈରାଗ୍ୟବୃତ୍ତି ଉତ୍ପନ୍ନ
ହେଉ ।
(୨) ବାବାଙ୍କ
ନିର୍ଦ୍ଦେଶ ବିରୁଦ୍ଧ କୌଣସି ବି କର୍ତ୍ତବ୍ୟ କରିବାର ନାହିଁ । ଯୁଦ୍ଧ ଭୂମିରେ କେବେ ବି
ହାରିଯିବାର ନାହିଁ । ଡବଲ ଅହିଂସକ ହେବାକୁ ପଡିବ ।
ବରଦାନ:-
ନିଜର ଶୁଭଭାବନା
ଦ୍ୱାରା ସେବା କରୁଥିବା ବାବାଙ୍କ ସମାନ ଅପକାରୀମାନଙ୍କର ମଧ୍ୟ ଉପକାରୀ ହୁଅ ।
ବାବା ଯେପରି
ଅପକାରୀମାନଙ୍କର ମଧ୍ୟ ଉପକାର କରୁଛନ୍ତି ସେହିପରି ତୁମମାନଙ୍କ ସମ୍ମୁଖକୁ କିପରି ବି ଆତ୍ମା ଆସୁ
ନା କାହିଁକି ତୁମେ କିନ୍ତୁ ନିଜର ଦୟାଶୀଳ ମନୋବୃତ୍ତି ଦ୍ୱାରା, ଶୁଭଭାବନା ଦ୍ୱାରା ତାକୁ
ପରିବର୍ତ୍ତନ କରିଦିଅ - ଏହା ହିଁ ହେଉଛି ପ୍ରକୃତ ସେବା । ଯେପରି ବୈଜ୍ଞାନିକମାନେ ମରୁଭୂମିରେ
ମଧ୍ୟ ଫସଲ ଅମଳ କରିପାରୁଛନ୍ତି, ସେହପରି ଶାନ୍ତିର ଶକ୍ତି ଦ୍ୱାରା ତୁମେମାନେ ମଧ୍ୟ ଦୟାଶୀଳ ହୋଇ
ଅପକାରୀମାନଙ୍କ ପ୍ରତି ମଧ୍ୟ ଉପକାରୀ ହୋଇ ଧରଣୀକୁ ପରିବର୍ତ୍ତନ କର । ସ୍ୱପରିବର୍ତ୍ତନ ଦ୍ୱାରା
ଏବଂ ଶୁଭଭାବନା ଦ୍ୱାରା ଆତ୍ମା କିପରି ବି ହୋଇଥାଉ ପରିବର୍ତ୍ତନ ହୋଇଯିବ, କାହିଁକି ନା ଶୁଭଭାବନା
ସଫଳତା ଅବଶ୍ୟ ପ୍ରାପ୍ତ କରାଇଥାଏ ।
ସ୍ଲୋଗାନ:-
ଜ୍ଞାନର ସ୍ମରଣ
କରିବା ହିଁ ସର୍ବଦା ହର୍ଷିତ ରହିବାର ଆଧାର ଅଟେ ।
ଅବ୍ୟକ୍ତ ଈଶାରା:-
ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।
ତୁମ ବ୍ରାହ୍ମଣମାନଙ୍କ
ଭଳି ଆତ୍ମିକ ବ୍ୟକ୍ତିତ୍ୱ ସାରା କଳ୍ପ ଭିତରେ ଅନ୍ୟ କାହାର ବି ନାହିଁ, କାହିଁକି ନା ତୁମମାନଙ୍କର
ବ୍ୟକ୍ତିତ୍ୱକୁ ନିର୍ମାଣ କରାଇବାବାଲା ଉଚ୍ଚରୁ ଉଚ୍ଚ ସ୍ୱୟଂ ପରାମାତ୍ମା ଅଟନ୍ତି । ତୁମମାନଙ୍କର
ବ୍ୟକ୍ତିତ୍ୱ ସବୁଠାରୁ ବଡରୁ ବଡ ଅଟେ - ସ୍ୱପ୍ନରେ ତଥା ସଂକଳ୍ପରେ ମଧ୍ୟ ସମ୍ପୂର୍ଣ୍ଣ ପବିତ୍ରତା
। ଏହିଭଳି ପବିତ୍ରତା ସହିତ ଚେହେରାରେ ଏବଂ ଚାଲିଚଳନରେ ମଧ୍ୟ ଆତ୍ମ ଅଭିମାନୀ ସ୍ଥିତିର ବ୍ୟକ୍ତିତ୍ୱ
ରହିଛି । ତେଣୁ ନିଜର ଏହିଭଳି ବ୍ୟକ୍ତିତ୍ୱର ସ୍ଥିତିରେ ଯଦି ସର୍ବଦା ସ୍ଥିତ ହୋଇ ରହିବ ତେବେ ଆପେ
ଆପେ ସେବା ହୋଇଯିବ ।