20.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସତଗୁରୁ
ତୁମମାନଙ୍କର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ଆସିଛନ୍ତି, ତେଣୁ ତୁମର ଚରିତ୍ର ବହୁତ ବହୁତ
ରାଜକୀୟ ଅର୍ଥାତ୍ ଦିବ୍ୟ ହେବା ଦରକାର ।”
ପ୍ରଶ୍ନ:-
ଡ୍ରାମାରେ କେଉଁ
ପ୍ଲାନ ଅର୍ଥାତ୍ ଯୋଜନା ପୂର୍ବ ନିର୍ଦ୍ଧାରିତ ଅଟେ, ସେଥିପାଇଁ କାହାକୁ ଦୋଷ ଦିଆଯାଇପାରିବ ନାହିଁ?
ଉତ୍ତର:-
ଡ୍ରାମାରେ ଏହି ପୁରୁଣା ଦୁନିଆର ବିନାଶର ପ୍ଲାନ ପୂର୍ବ ନିର୍ଦ୍ଧାରିତ ଅଟେ, ଏଥିରେ କାହାର ବି
ଦୋଷ ନାହିଁ। ବର୍ତ୍ତମାନ ସମୟରେ ଏହାକୁ ବିନାଶ କରିବା ପାଇଁ ପ୍ରକୃତିକୁ ଖୁବ୍ ଜୋରରେ କ୍ରୋଧ
ଆସିଯାଇଛି । ଚତୁର୍ଦ୍ଦିଗରେ ଭୂମିକମ୍ପ ହେବ, ଘର ସବୁ ଭାଙ୍ଗିଯିବ, ପ୍ରବଳ ବନ୍ୟା ଆସିବ, ମରୁଡି
ପଡିବ ସେଥିପାଇଁ ବାବା କହୁଛନ୍ତି ସନ୍ତାନମାନେ - ଏବେ ଏହି ପୁରୁଣା ଦୁନିଆରୁ ନିଜର ବୁଦ୍ଧିଯୋଗ
ତୁଟାଇ ଦିଅ, ସତଗୁରୁଙ୍କର ଶ୍ରୀମତ ଅନୁସାରେ ଚାଲ । ଜୀବିତ ଅବସ୍ଥାରେ ଥାଇ ମଧ୍ୟ ନିଜର ଦୈହିକ
ଚେତନାକୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରିଚାଲ ।
ଗୀତ:-
ହମେ ଉନ ରାହୋଁ
ପର ଚଲନା ହୈ...
ଓମ୍ ଶାନ୍ତି ।
କେଉଁ ରାସ୍ତାରେ
ଚାଲିବାକୁ ହେବ? ଗୁରୁଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବାକୁ ହେବ । ଇଏ କେଉଁ ଗୁରୁ ଅଟନ୍ତି?
ଉଠିବା ବସିବା ସମୟରେ ମନୁଷ୍ୟମାନଙ୍କ ମୁଖରୁ ବାହାରୁଛି ବାଃ ଗୁରୁ । ଗୁରୁ ତ ଅନେକ ଅଛନ୍ତି ।
ବାଃ ଗୁରୁ କାହାକୁ କହିବା? କାହାର ମହିମା ଗାନ କରିବା? ଏକମାତ୍ର ବାବା ହିଁ ସତଗୁରୁ ଅଟନ୍ତି ।
ଭକ୍ତିମାର୍ଗରେ ତ ଢେର ଗୁରୁ ରହିଛନ୍ତି । କିଏ କାହାର କିଏ କାହାର ମହିମା କରୁଛନ୍ତି ।
ପିଲାମାନଙ୍କ ବୁଦ୍ଧିରେ ଅଛି ସଚ୍ଚା ସତଗୁରୁ ହିଁ ସେହି ଏକ ଅଟନ୍ତି, ଯାହାଙ୍କର ହିଁ ବାଃ-ବାଃ
କରାଯାଉଛି । ଯଦି ସଚ୍ଚା ସତଗୁରୁ ଅଛନ୍ତି, ତେବେ ନିଶ୍ଚୟ ମିଛ ସତଗୁରୁ ମଧ୍ୟ ଥିବେ । ସଚ୍ଚା ସତ୍ଗୁରୁ
ସଂଗମରେ ହିଁ ଥା’ନ୍ତି । ଭକ୍ତିମାର୍ଗରେ ମଧ୍ୟ ସତ୍ୟର ମହିମା ଗାନ କରିଥାନ୍ତି । ସର୍ବୋଚ୍ଚ ବାବା
ହିଁ ସତ୍ୟ ଅଟନ୍ତି, ଯିଏ ମୁକ୍ତିଦାତା, ଗାଇଡ୍ ମଧ୍ୟ ହୋଇଥା’ନ୍ତି । ଆଜିକାଲିର ଗୁରୁମାନେ ତ
ଗଙ୍ଗାସ୍ନାନ ପାଇଁ ଅଥବା ତୀର୍ଥକୁ ନେଇଯିବା ପାଇଁ ମଧ୍ୟ ଗାଇଡ୍ ହେଉଛନ୍ତି । ଏହି ସତଗୁରୁ ତ ଏପରି
ନୁହଁନ୍ତି । ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି - ହେ ପତିତ-ପାବନ ଆସ । ପତିତ-ପାବନ,
ସତଗୁରୁଙ୍କୁ ହିଁ କୁହାଯାଉଛି । ସେ ହିଁ ପବିତ୍ର କରାଇପାରିବେ । ଦୁନିଆର ଗୁରୁମାନେ ତ ପବିତ୍ର
କରାଇପାରିବେ ନାହିଁ । ସେମାନେ ଏପରି କେବେ କହିବେ ନାହିଁ ଯେ କେବଳ ମୋତେ ମନେ ପକାଅ । ଯଦିଓ ଗୀତା
ପଢୁଛନ୍ତି କିନ୍ତୁ ଅର୍ଥ କିଛି ଜାଣି ନାହାଁନ୍ତି । ଯଦି ସଦଗୁରୁ ଏକ ବୋଲି ଜାଣିଥାନ୍ତେ ତେବେ
ନିଜେ ଗୁରୁ ବୋଲାଇ ନଥାନ୍ତେ । ଡ୍ରାମା ଅନୁସାରେ ଭକ୍ତିମାର୍ଗର ବିଭାଗ ହିଁ ଅଲଗା ରହିଛି ଯେଉଁଠି
ଅନେକ ଗୁରୁ, ଅନେକ ଭକ୍ତ ଅଛନ୍ତି । ଇଏ ତ ଏକ ଅଟନ୍ତି । ପୁଣି ଏହି ଦେବୀ-ଦେବତାମାନେ ପ୍ରଥମ
ନମ୍ବରରେ ଆସିଥା’ନ୍ତି । ଏବେ ଚକ୍ରର ଅନ୍ତିମ ଭାଗରେ ଅଛନ୍ତି । ବାବା ଆସି ଏମାନଙ୍କୁ ସତ୍ୟଯୁଗର
ବାଦଶାହୀ ଦେଉଛନ୍ତି । ତେବେ ଅନ୍ୟ ସମସ୍ତଙ୍କୁ ସ୍ୱତଃ ଘରକୁ ଫେରିଯିବାକୁ ହେବ, ସେଥିପାଇଁ
ସମସ୍ତଙ୍କର ସଦ୍ଗତି ଦାତା ଏକ ବୋଲି କୁହାଯାଉଛି । ତୁମେ ଜାଣିଛ କଳ୍ପ-କଳ୍ପ ସଂଗମରେ ହିଁ
ଦେବୀ-ଦେବତା ଧର୍ମର ସ୍ଥାପନା ହୋଇଥାଏ । ତୁମେ ପୁରୁଷୋତ୍ତମ ହେଉଛ । ବାକି ଅନ୍ୟ କୌଣସି କାମ କରୁ
ନାହଁ । ଗାୟନ ମଧ୍ୟ କରାଯାଏ ଗତି-ସଦଗତି ଦାତା ଏକ ଅଟନ୍ତି । ଏହା ବାବାଙ୍କର ହିଁ ମହିମା ଅଟେ ।
ଗତି-ସଦ୍ଗତି ସଂଗମରେ ହିଁ ମିଳିଥାଏ । ସତ୍ୟଯୁଗରେ ତ ଗୋଟିଏ ଧର୍ମ ରହିବ । ଏହା ମଧ୍ୟ ବୁଝିବାର
କଥା ଅଟେ ନା । କିନ୍ତୁ ଏହି ବୁଦ୍ଧି କିଏ ଦେବ? ତୁମେ ଜାଣିଛ ବାବା ହିଁ ଆସି ଉପାୟ ବତାଉଛନ୍ତି ।
ଶ୍ରୀମତ କାହାକୁ ଦେଉଛନ୍ତି? ଆତ୍ମାମାନଙ୍କୁ । ସେ ପିତା, ସତଗୁରୁ, ଶିକ୍ଷକ ମଧ୍ୟ ଅଟନ୍ତି ।
ଜ୍ଞାନ ଶିଖାଉଛନ୍ତି ନା । ବାକି ଅନ୍ୟ ଗୁରୁମାନେ ଭକ୍ତି ହିଁ ଶିଖାଉଛନ୍ତି । ବାବାଙ୍କ ଜ୍ଞାନ
ଦ୍ୱାରା ତୁମର ସଦ୍ଗତି ହେଉଛି । ପୁଣି ଏହି ପୁରୁଣା ଦୁନିଆରୁ ଚାଲିଯାଉଛ । ତୁମର ଏହା ବେହଦର
ସନ୍ନ୍ୟାସ ମଧ୍ୟ ଅଟେ । ବାବା ବୁଝାଉଛନ୍ତି ଏବେ ତୁମର ୮୪ ଜନ୍ମର ଚକ୍ର ଶେଷ ହୋଇଛି । ଏବେ ଏହି
ଦୁନିଆ ବିନାଶ ହୋଇଯିବ । ଯେପରି କୌଣସି ଗୁରୁତର ରୋଗୀ ହୋଇଥିଲେ କହନ୍ତି ବର୍ତ୍ତମାନ ଇଏ ତ
ଚାଲିଯିବା ଉପରେ, ତାଙ୍କୁ କ’ଣ ମନେ ପକାଇବା । ଶରୀର ତ ବିନାଶ ହୋଇଯିବ । ବାକି ଆତ୍ମା ଯାଇ ଅନ୍ୟ
ଶରୀର ନେଇଥାଏ । ଆଶା ତୁଟିଯାଇଥାଏ । କଲିକତାରେ ତ ଯେତେବେଳେ ଦେଖନ୍ତି ଆଉ କୌଣସି ଆଶା ନାହିଁ
ତେବେ ପ୍ରାଣ ଚାଲିଯିବା ପାଇଁ ଗଙ୍ଗାରେ ନେଇ ବୁଡାଇଥାନ୍ତି । ମୂର୍ତ୍ତିମାନଙ୍କର ପୂଜା କରି ପୁଣି
ତାକୁ କହନ୍ତି ବୁଡିଯା, ବୁଡିଯା... ଏବେ ତୁମେ ଜାଣୁଛ ଏହି ସମଗ୍ର ପୁରୁଣା ଦୁନିଆକୁ ବୁଡିବାର ଅଛି
। ବନ୍ୟା ହେବ, ନିଆଁ ଲାଗିବ, ଭୋକରେ ମନୁଷ୍ୟ ମରିବେ । ଏହି ସବୁ ପରିସ୍ଥିତି ଆସିବ । ଭୂମିକମ୍ପରେ
ଘର ଆଦି ଭାଙ୍ଗିଯିବ । ବର୍ତ୍ତମାନ ପ୍ରକୃତି କ୍ରୋଧାନ୍ୱିତ ହୋଇଛି, ତେଣୁ ସବୁକିଛି ନଷ୍ଟ
କରିଦେଉଛି । ଏହି ସବୁ ପରିସ୍ଥିତି ସାରା ଦୁନିଆ ପାଇଁ ଆସିବ । ଅନେକ ପ୍ରକାରର ମୃତ୍ୟୁ ଆସିଯାଉଛି
। ବମ୍ରେ ମଧ୍ୟ ବିଷ ଭରାଯାଇଛି । ଟିକିଏ ବାସ୍ନାରେ ବେହୋସ୍ ହୋଇଯିବେ । ଏହା ତୁମେ ସନ୍ତାନମାନେ
ଜାଣିଛ ଯେ କ’ଣ କ’ଣ ସବୁ ହେବ । ଏ ସବୁ କିଏ କରାଉଛନ୍ତି? ବାବା ତ କରାଉ ନାହାଁନ୍ତି । ଏ ସବୁ
ଡ୍ରାମାରେ ନିଧାର୍ଯ୍ୟ ରହିଛି । କାହାକୁ ବି ଦୋଷ ଦିଆଯାଇପାରିବ ନାହିଁ । ଏହା ଡ୍ରାମାର ପୂର୍ବ
ନିର୍ଦ୍ଧାରିତ ଯୋଜନା ଅଟେ । ପୁରୁଣା ଦୁନିଆ ପୁଣି ନିଶ୍ଚୟ ନୂଆ ହେବ । ପ୍ରାକୃତିକ ବିପର୍ଯ୍ୟୟ
ଆସିବ । ବିନାଶ ନିଶ୍ଚୟ ହେବ । ଏହି ପୁରୁଣା ଦୁନିଆରୁ ବୁଦ୍ଧିର ଯୋଗ ହଟାଇ ଦେବା, ଏହାକୁ ହିଁ
ବେହଦର ସନ୍ନ୍ୟାସ କୁହାଯାଉଛି ।
ଏବେ ତୁମେ କହୁଛ ବାଃ
ସତଗୁରୁ, ବାଃ, ଯିଏକି ଆମକୁ ଏହି ରାସ୍ତା ବତାଇଛନ୍ତି । ପିଲାମାନଙ୍କୁ ମଧ୍ୟ ବୁଝାଉଛନ୍ତି ଯେ -
ଏପରି କର୍ମ କର ନାହିଁ ଯାହା ଦ୍ୱାରା ବାବାଙ୍କର ନିନ୍ଦା ହେବ । ତୁମେ ଏଠାରେ ଜୀବିତ ଅବସ୍ଥାରେ
ଥାଇ ମରିବାର ଅଭ୍ୟାସ କରୁଛ । ଦେହକୁ ଭୁଲି ନିଜକୁ ଆତ୍ମା ଭାବୁଛ । ଦେହରୁ ଅଲଗା ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ଏହା ତ ବହୁତ ଭଲ କଥା କହୁଛନ୍ତି ଯେ ବାଃ ସତଗୁରୁ ବାଃ!
ପାରଲୌକିକ ସତଗୁରୁଙ୍କର ହିଁ ବାଃ-ବାଃ ହେଉଛି । ଲୌକିକ ଗୁରୁ ତ ଢେର ଅଛନ୍ତି । ସତ୍ୟ-ସତ୍ୟ
ସତଗୁରୁ ତ ଜଣେ ଅଟନ୍ତି, ଯାହାଙ୍କର ପୁଣି ଭକ୍ତିମାର୍ଗରେ ମଧ୍ୟ ନାମର ଗାୟନ ହେଉଛି । ସାରା
ସୃଷ୍ଟିର ପିତା ତ ଜଣେ ଅଟନ୍ତି । ନୂଆ ସୃଷ୍ଟିର ସ୍ଥାପନା କିପରି ହେଉଛି, ଏକଥା ମଧ୍ୟ କାହାକୁ ଜଣା
ନାହିଁ । ଶାସ୍ତ୍ରରେ ତ ଦେଖାଉଛନ୍ତି ପ୍ରଳୟ ହୋଇଗଲା ପୁଣି ଔଷତଥ୍ ପତ୍ରରେ ଶ୍ରୀକୃଷ୍ଣ ଭାସି-ଭାସି
ଆସିଲେ । ଏବେ ତୁମେ ଜାଣୁଛ ଔଷତଥ୍ ପତ୍ର ଉପରେ ଶିଶୁ କିପରି ଆସିବେ । ଶ୍ରୀକୃଷ୍ଣଙ୍କର ମହିମା
କରିବା ଦ୍ୱାରା କିଛି ଫାଇଦା ହେବ ନାହିଁ । ତୁମକୁ ଏବେ ଆରୋହଣ କଳାକୁ ନେଇଯିବା ପାଇଁ ସତଗୁରୁ
ମିଳିଛନ୍ତି । କୁହାଯାଏ ନା ଚଢତି କଲା ତେରେ ଭାନେ ସର୍ବକା ଭଲା ଅର୍ଥାତ୍ ଯେତେବେଳେ ତୁମର ଉନ୍ନତି
ହେବାର ସମୟ ଆସେ ସେତେବେଳେ ସମସ୍ତଙ୍କର କଲ୍ୟାଣ ହୁଏ । ତେଣୁ ଆତ୍ମିକ ପିତା ଆତ୍ମାମାନଙ୍କୁ ବସି
ବୁଝାଉଛନ୍ତି । ୮୪ ଜନ୍ମ ମଧ୍ୟ ଆତ୍ମା ହିଁ ନେଇଛି । ପ୍ରତ୍ୟେକ ଜନ୍ମରେ ଭିନ୍ନ ଭିନ୍ନ ନାମ ରୂପ
ହୋଇଯାଉଛି । ଏପରି କୁହାଯିବ ନାହିଁ ଯେ ଅମୁକ ୮୪ ଜନ୍ମ ନେଇଛି । ନାଁ, ଆତ୍ମା ହିଁ ୮୪ ଜନ୍ମ
ନେଉଛି । ଶରୀର ତ ବଦଳି-ବଦଳି ଯାଉଛି । ତୁମ ବୁଦ୍ଧିରେ ଏହିସବୁ କଥା ରହିଛି । ସମସ୍ତ ଜ୍ଞାନ
ବୁଦ୍ଧିରେ ରହିବା ଦରକାର । ଯେ କେହି ବି ଆସିଲେ ତାଙ୍କୁ ବୁଝାଅ ଯେ ଆଦିରେ ଦେବୀ-ଦେବତାଙ୍କର
ରାଜ୍ୟ ଥିଲା, ପୁଣି ମଧ୍ୟରେ ରାବଣର ରାଜ୍ୟ ହେଲା । ସିଡି ଓହ୍ଲାଇ ଚାଲିଲେ । ସତ୍ୟଯୁଗରେ ତୁମକୁ
ସତ୍ତ୍ୱପ୍ରଧାନ କୁହାଯିବ ପୁଣି ସତ୍ତ୍ୱ, ରଜୋ, ତମୋକୁ ଓହ୍ଲାଉଛ । ଚକ୍ର ଘୂରି ଚାଲିଛି ।
କେହି-କେହି କହୁଛନ୍ତି ବାବାଙ୍କର କ’ଣ ଦରକାର ଥିଲା ଯାହାକି ଆମକୁ ୮୪ ଜନ୍ମର ଚକ୍ରରେ ଆଣିଲେ ।
କିନ୍ତୁ ଏହି ସୃଷ୍ଟିଚକ୍ର ତ ଅନାଦି ପ୍ରସ୍ତୁତ ଅଟେ, ଏହାର ଆଦି-ମଧ୍ୟ-ଅନ୍ତକୁ ଜାଣିବାକୁ ହେବ ।
ମନୁଷ୍ୟ ହୋଇ ଯଦି ନ ଜାଣିଲେ ତେବେ ନାସ୍ତିକ ଅଟନ୍ତି । ଏହି ଜ୍ଞାନକୁ ଜାଣିବା ଦ୍ୱାରା ତୁମକୁ
କେତେ ଶ୍ରେଷ୍ଠ ପଦ ମିଳୁଛି । ଏହି ପାଠପଢା କେତେ ଶ୍ରେଷ୍ଠ ଅଟେ । ବଡ ପରୀକ୍ଷାରେ ପାସ୍ କରିଥିବା
ଛାତ୍ର ମନରେ ଖୁସି ରହିଥାଏ ଯେ ମୁଁ ବଡରୁ ବଡ ପଦ ପାଇବି । ତୁମେ ଜାଣିଛ ଏହି ଲକ୍ଷ୍ମୀ-ନାରାୟଣ
ପୂର୍ବଜନ୍ମରେ ଶିକ୍ଷା ଲାଭ କରି ମନୁଷ୍ୟରୁ ଦେବତା ହୋଇଛନ୍ତି ।
ଏହି ପାଠପଢା ଦ୍ୱାରା ଏହି
ରାଜଧାନୀ ସ୍ଥାପନ ହେଉଛି । ପାଠପଢା ଦ୍ୱାରା କେତେ ଶ୍ରେଷ୍ଠ ପଦ ମିଳୁଛି । ଆଶ୍ଚର୍ଯ୍ୟର କଥା ଅଟେ
ନା । ଏତେ ବଡ-ବଡ ମନ୍ଦିର ଯେଉଁମାନେ ତିଆରି କରୁଛନ୍ତି ଅଥବା ଯେଉଁମାନେ ବଡ ବଡ ବିଦ୍ୱାନ
ରହିଛନ୍ତି, ସେମାନଙ୍କୁ ପଚାର ଯେ ସତ୍ୟଯୁଗ ଆଦିରେ ଏହି ଦେବତାମାନେ କିପରି ଜନ୍ମ ନେଲେ, ତ
କହିପାରିବେ ନାହିଁ । ତୁମେ ଜାଣିଛ ଏହା ତ ଗୀତାରେ ବର୍ଣ୍ଣିତ ରାଜଯୋଗ ଅଟେ । ଗୀତା ତ ପଢୁଛନ୍ତି
କିନ୍ତୁ ଏହା ଦ୍ୱାରା ଫାଇଦା କିଛି ନାହିଁ । ଏବେ ତୁମକୁ ବାବା ଆସି ଶୁଣାଉଛନ୍ତି । ତୁମେ କହୁଛ
ବାବା ଆମେ ଆପଣଙ୍କ ସହିତ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ମିଶିଥିଲୁ । କାହିଁକି ମିଶିଥିଲ?
ସ୍ୱର୍ଗର ସମ୍ପତ୍ତି ନେବା ପାଇଁ । ଲକ୍ଷ୍ମୀ-ନାରାୟଣ ହେବା ପାଇଁ । କେହି ବି ଛୋଟ, ବଡ, ବୁଢା
ଇତ୍ୟାଦି ମଧୁବନକୁ ଆସିଲେ ଏ କଥା ନିଶ୍ଚୟ ଜାଣି କରି ଆସୁଛନ୍ତି ଯେ ଏହା ହିଁ ଲକ୍ଷ୍ୟ ଉଦ୍ଦେଶ୍ୟ
ଅଟେ । ଏହା ସତ୍ୟ ନାରାୟଣଙ୍କର ସତ୍ୟ କଥା ଅଟେ ନା । ଏ କଥା ମଧ୍ୟ ତୁମେ ଜାଣିଛ - ରାଜତ୍ୱ
ସ୍ଥାପନ ହେଉଛି । ଯିଏ ଭଲ ଭାବରେ ବୁଝିଯାଉଛନ୍ତି, ତାଙ୍କୁ ଆନ୍ତରିକ ଖୁସି ମିଳୁଛି । ବାବା
ପଚାରୁଛନ୍ତି ରାଜତ୍ୱ ନେବା ପାଇଁ ସାହାସ ଅଛି ତ? କହୁଛନ୍ତି ବାବା କାହିଁକି ନୁହେଁ, ଆମେ ନରରୁ
ନାରାୟଣ ହେବା ପାଇଁ ତ ପାଠ ପଢୁଛୁ । ଏତେ ସମୟ ଆମେ ନିଜକୁ ଦେହ ଭାବି ଚାଲିଥିଲୁ ଏବେ ବାବା ଆମକୁ
ସଠିକ୍ ରାସ୍ତା ବତାଇଛନ୍ତି । ଦେହୀ-ଅଭିମାନୀ ହେବାରେ ମେହନତ ଲାଗୁଛି । ବାରମ୍ବାର ନିଜର
ନାମ-ରୂପର ସ୍ମୃତି ଆସିଯାଉଛି । ବାବା କହୁଛନ୍ତି ଏହି ନାମ-ରୂପଠାରୁ ନ୍ୟାରା ହେବାକୁ ପଡିବ ।
ତେବେ ଆତ୍ମା ମଧ୍ୟ ନାମ ଅଟେ ନା । ବାବା ହେଉଛନ୍ତି ସର୍ବୋଚ୍ଚ ପରମପିତା, ଲୌକିକ ପିତାଙ୍କୁ ତ
ପରମପିତା କୁହାଯିବ ନାହିଁ । ପରମ ଅକ୍ଷର ଏକମାତ୍ର ବାବାଙ୍କୁ ଦିଆଯାଇଛି । ବାଃ ଗୁରୁ ମଧ୍ୟ
ତାଙ୍କୁ କହୁଛନ୍ତି । ତୁମେ ଶିଖ୍ମାନଙ୍କୁ ମଧ୍ୟ ବୁଝାଇପାରିବ । ଗ୍ରନ୍ଥ ସାହେବ (ଶିଖ୍
ଧର୍ମଶାସ୍ତ୍ର)ରେ ତ ଏ ସବୁର ପୂରା ବର୍ଣ୍ଣନା ରହିଛି । ଅନ୍ୟ କୌଣସି ଶାସ୍ତ୍ରରେ ଏତେ ବର୍ଣ୍ଣନା
କରାଯାଇନାହିଁ, ଯେତେ “ଗୁରୁ ଗ୍ରନ୍ଥ ସାହେବ” ଏବଂ “ଜପ ସାହେବ ସୁଖମଣୀ’’ରେ ଅଛି । ଏହି ଶାସ୍ତ୍ର
ଦୁଇଟିରେ ବହୁତ ଶ୍ରେଷ୍ଠ କଥା ରହିଛି । ବାବା କହୁଛନ୍ତି - ସାହେବଙ୍କୁ ୟାଦ କଲେ ତୁମକୁ ୨୧ ଜନ୍ମ
ପାଇଁ ସୁଖ ମିଳିବ । ଏଥିରେ ସଂଶୟର ତ କୌଣସି କଥା ହିଁ ନାହିଁ । ବାବା ବହୁତ ସହଜ କରି ବୁଝାଉଛନ୍ତି
। କେତେ ହିନ୍ଦୁ ଧର୍ମାନ୍ତରିତ ହୋଇ ଶିଖ ହୋଇଯାଇଛନ୍ତି ।
ତୁମେ ମନୁଷ୍ୟମାନଙ୍କୁ
ରାସ୍ତା ବତାଇବା ପାଇଁ କେତେ ଚିତ୍ର ଆଦି ତିଆରି କରିଛ । ଏ କଥା କେତେ ସହଜରେ ବୁଝାଇପାରିବ । ତୁମେ
ଆତ୍ମା ଅଟ, ପୁଣି ଭିନ୍ନ-ଭିନ୍ନ ଧର୍ମରେ ଅଭିନୟ କରି ଆସିଛ । ଏହି ଦୁନିଆ ଭିନ୍ନ-ଭିନ୍ନ ଧର୍ମର
ବୃକ୍ଷ ଅଟେ । ଅନ୍ୟ କାହାକୁ ଏହା ଜଣା ନାହିଁ ଯେ ଯିଶୁଖ୍ରୀଷ୍ଟ କିପରି ଆସୁଛନ୍ତି । ବାବା
ବୁଝାଇଥିଲେ - ନୂଆ ଆତ୍ମା କୌଣସି କର୍ମଭୋଗ ଭୋଗିବେ ନାହିଁ । ଖ୍ରୀଷ୍ଟଙ୍କର ଆତ୍ମା କୌଣସି
ବିକର୍ମ କରି ନାହିଁ ଯାହା ଫଳରେ ଦଣ୍ଡ ମିଳିବ । ସେ ତ ସତ୍ତ୍ୱପ୍ରଧାନ ଆତ୍ମା ଉପରୁ ଆସୁଛନ୍ତି
ଯାହାଙ୍କ ଶରୀରରେ ଆସି ପ୍ରବେଶ କରୁଛନ୍ତି ତାଙ୍କୁ କ୍ରସ୍ରେ ଚଢାଉଛନ୍ତି, ଖ୍ରୀଷ୍ଟଙ୍କୁ ନୁହେଁ
। ସେ ତ ପୁଣି ଅନ୍ୟ ଜନ୍ମ ନେଇ ଉଚ୍ଚ ପଦ ପାଉଛନ୍ତି । ପୋପ୍ଙ୍କର ଚିତ୍ର ମଧ୍ୟ ରହିଛି ।
ବର୍ତ୍ତମାନ ସମୟରେ ସାରା
ଦୁନିଆ ମୂଲ୍ୟହୀନ ହୋଇଯାଇଛି । ତୁମେ ମଧ୍ୟ ମୂଲ୍ୟହୀନ ଥିଲ । ଏବେ ତୁମେ ମୂଲ୍ୟବାନ ହେଉଛ । ଏପରି
ନୁହେଁ ଯେ ସେମାନଙ୍କର ଉତ୍ତରାଧିକାରୀମାନେ ତାଙ୍କ ପରେ ସମ୍ପତ୍ତି ଭୋଗ କରିବେ, କେବେ ବି ନୁହେଁ
। ତୁମେ ନିଜର ହାତ ଭରପୂର କରିଯାଉଛ, ବାକି ସବୁ ହାତ ଖାଲି କରିଯିବେ । ତୁମେ ଭରପୂର ହେବା ପାଇଁ
ହିଁ ପାଠ ପଢୁଛ । ଏ କଥା ମଧ୍ୟ ଜାଣିଛ ଯିଏ କଳ୍ପ ପୂର୍ବରୁ ଆସିଥିଲେ, ସେହିମାନେ ହିଁ ଆସିବେ ।
ଟିକିଏ ବି ଜ୍ଞାନ ଶୁଣିବା ମାତ୍ରେ ଆସିଯିବେ । ସମସ୍ତେ ଏକାଠି ତ ବାବାଙ୍କୁ ଦେଖି ପାରିବେ ନାହିଁ
। ତୁମେ ଢେର ପ୍ରଜା ତିଆରି କରୁଛ, ବାବା କ’ଣ ସମସ୍ତଙ୍କୁ ଦେଖିପାରିବେ । ଅଳ୍ପ ବହୁତ ଶୁଣିଲେ
ମଧ୍ୟ ପ୍ରଜା ହୋଇଯିବେ । ତୁମେ ଗଣି ବି ପାରିବ ନାହିଁ ।
ବର୍ତ୍ତମାନ ତୁମ ସହିତ
ବାବା ମଧ୍ୟ ସେବାରେ ଉପସ୍ଥିତ ଅଛନ୍ତି । ବାବା ତ ସେବା ବିନା ରହି ପାରିବେ ନାହିଁ । ପ୍ରତ୍ୟହ
ସକାଳୁ ସେବା କରିବାକୁ ଆସୁଛନ୍ତି । ସତସଙ୍ଗ ଇତ୍ୟାଦି ମଧ୍ୟ ସକାଳୁ କରିଥା’ନ୍ତି ନା । ସେ ସମୟରେ
ସମସ୍ତଙ୍କୁ ଫୁରସତ୍ ଥାଏ । ବାବା ତ କହୁଛନ୍ତି ତୁମକୁ ଘରୁ ବହୁତ ସକାଳୁ-ସକାଳୁ କିମ୍ବା ରାତିରେ
ମଧ୍ୟ ଆସିବା ଅନୁଚିତ୍ କାହିଁକି ନା ଦିନକୁ ଦିନ ଦୁନିଆ ବହୁତ ଖରାପ ହୋଇଯାଉଛି, ସେଥିପାଇଁ
ଗଳି-ଗଳିରେ ସେଣ୍ଟର ଏପରି ନିକଟରେ ରହିବା ଉଚିତ୍, ଯାହାଦ୍ୱାରା ଘରୁ ବାହାରି ସେଣ୍ଟରକୁ ଆସିବା
ସହଜ ହୋଇଯିବ । ତୁମମାନଙ୍କର ବୃଦ୍ଧି ହୋଇଗଲେ ରାଜଧାନୀ ସ୍ଥାପନ ହେବ । ବାବା ତ ବହୁତ ସହଜ କରି
ବୁଝାଉଛନ୍ତି । ଏହି ରାଜଯୋଗ ଦ୍ୱାରା ହିଁ ସ୍ଥାପନା କରୁଛନ୍ତି । ବାକି ସାରା ଦୁନିଆ ରହିବ ହିଁ
ନାହିଁ । ପ୍ରଜା ତ କେତେ ଢେର ସଂଖ୍ୟାରେ ହେବେ । ମାଳା ମଧ୍ୟ ତିଆରି ହେବ । ମୁଖ୍ୟ ତ ସେହିମାନେ
ଯେଉଁମାନେ ବହୁତଙ୍କର ସେବା କରି ନିଜ ସମାନ କରୁଛନ୍ତି, ସେହିମାନେ ହିଁ ମାଳାର ଦାନା ହେବେ । ଲୋକେ
ମାଳା ଗଡାଉଛନ୍ତି କିନ୍ତୁ ଅର୍ଥ ବୁଝୁ ନାହାଁନ୍ତି । ବହୁତ ଗୁରୁ ମଧ୍ୟ ମାଳା ଗଡାଇବାକୁ
ଦେଇଥା’ନ୍ତି ଯାହାଦ୍ୱାରା ବୁଦ୍ଧିର ଯୋଗ ସେହିଥିରେ ହିଁ ଲାଗି ରହିବ । କାମ ମହାଶତ୍ରୁ ଅଟେ,
ଦିନକୁ ଦିନ ଏହାର ପ୍ରଭାବ ବୃଦ୍ଧି ପାଇବ । ଦିନକୁ ଦିନ ତମୋପ୍ରଧାନ ହୋଇ ଚାଲିଛନ୍ତି । ଏହି
ଦୁନିଆ ବହୁତ ବିକାରୀ ଅଟେ । ବାବାଙ୍କୁ ଅନେକ କହୁଛନ୍ତି ଆମେ ତ ବହୁତ ବିରକ୍ତ ହୋଇଗଲୁଣି, ଜଲ୍ଦି
ସତ୍ୟଯୁଗକୁ ନେଇଚାଲ । ବାବା କହୁଛନ୍ତି ଧୈର୍ଯ୍ୟ ଧର, ସ୍ଥାପନା ନିଶ୍ଚୟ ହେବ - ଏହା ବାବାଙ୍କର
ଅତିଥି ସତ୍କାର ଅଟେ । ଏହି ଆତିଥ୍ୟି ହିଁ ତୁମକୁ ନେଇଯିବ । ପିଲାମାନଙ୍କୁ ଏକଥା ମଧ୍ୟ କୁହାଯାଇଛି
ଯେ ତୁମେ ଆତ୍ମାମାନେ ପରମଧାମରୁ ଆସିଛ ପୁଣି ସେଠାକୁ ଯିବାକୁ ହେବ, ପୁଣି ଅଭିନୟ କରିବାକୁ ଆସିବ
। ତେଣୁ ପରମଧାମକୁ ମନେ ପକାଇବାକୁ ପଡିବ । ବାବା ମଧ୍ୟ କହୁଛନ୍ତି କେବଳ ମୋତେ ମନେ ପକାଅ, ତେବେ
ବିକର୍ମ ବିନାଶ ହେବ । ଏହି ସନ୍ଦେଶ ତୁମକୁ ସମସ୍ତଙ୍କୁ ଦେବାକୁ ହେବ ଏବଂ ତୁମ ବ୍ୟତୀତ ଆଉ କେହି
ସନ୍ଦେଶଦାତା ନାହଁନ୍ତି । ସେମାନେ ତ ଆତ୍ମାମାନଙ୍କୁ ମୁକ୍ତିଧାମରୁ ତଳକୁ ନେଇ ଆସୁଛନ୍ତି । ପୁଣି
ସେମାନଙ୍କୁ ସିଡି ତଳକୁ ଓହ୍ଲାଇବାକୁ ପଡିବ । ଯେତେବେଳେ ସମସ୍ତେ ପୂରା ତମୋପ୍ରଧାନ ହୋଇଯାନ୍ତି,
ସେତେବେଳେ ବାବା ଆସି ସମସ୍ତଙ୍କୁ ସତ୍ତ୍ୱପ୍ରଧାନ କରିଦିଅନ୍ତି । ତୁମ କାରଣରୁ ହିଁ ସମସ୍ତଙ୍କୁ
ଘରକୁ ଯିବାକୁ ପଡୁଛି କାହିଁକି ନା ତୁମକୁ ନୂଆ ଦୁନିଆ ଦରକାର ନା - ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ରହିଛି । ପିଲାମାନଙ୍କର ବହୁତ ନିଶା ରହିବା ଉଚିତ୍ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ଦେହର
ନାମ-ରୂପରୁ ନ୍ୟାରା ଅର୍ଥାତ୍ ଅଲଗା ହୋଇ ଦେହୀ-ଅଭିମାନୀ ହେବାକୁ ପଡିବ । ସଦ୍ଗୁରୁଙ୍କର ନିନ୍ଦା
ହେବା ଭଳି କୌଣସି କର୍ମ କରିବାର ନାହିଁ ।
(୨) ମାଳାର ଦାନା ହେବା
ପାଇଁ ବହୁତଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ । ଆନ୍ତରିକ ଖୁସିରେ ରହିବାକୁ ହେବ ଯେ
ଆମେ ରାଜତ୍ୱ ନେବା ପାଇଁ ଈଶ୍ୱରୀୟ ପାଠ ପଢୁଛୁ । ଏହି ପାଠପଢା ହେଉଛି ହିଁ ନରରୁ ନାରାୟଣ ହେବା
ପାଇଁ ।
ବରଦାନ:-
ନିରନ୍ତର ଯୋଗ
ଦ୍ୱାରା ଅବିନାଶୀ ରୋଜଗାର ଜମା କରୁଥିବା ସର୍ବ ସମ୍ପତ୍ତିର ଅଧିକାରୀ ଭବ ।
ଯଦି ନିରନ୍ତର ଯୋଗ ବା
ସ୍ମୃତି ଦ୍ୱାରା ପ୍ରତିପାଦରେ ରୋଜଗାର ଜମା କରିଚାଲିବ ତେବେ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ...
ଏହି ସବୁ ସମ୍ପତ୍ତିର ଅଧିକାରର ଅନୁଭବ କରିବାକୁ ଲାଗିବ । କୌଣସି ପ୍ରକାରର କଷ୍ଟ ତୁମକୁ କଷ୍ଟ ଭଳି
ଲାଗିବ ନାହିଁ । ତେବେ ସଂଗମଯୁଗରେ ବ୍ରାହ୍ମଣମାନଙ୍କୁ କୌଣସି କଷ୍ଟର ଅନୁଭବ ହୋଇପାରିବ ନାହିଁ ।
ଯଦିଓ କୌଣସି କଷ୍ଟ ଆସି ବି ଯାଉଛି, ତେବେ ତାହା ବାବାଙ୍କୁ ମନେ ପକାଇ ଦେବା ପାଇଁ ହିଁ ଆସୁଛି,
ଯେପରି ଗୋଲାପ ଗଛର କଣ୍ଟା ଫୁଲକୁ ରକ୍ଷା କରିବାର ସାଧନ ହୋଇଥାଏ । ସେହିପରି ଏହିସବୁ କଷ୍ଟ ବା
ଦୁଃଖ ଇତ୍ୟାଦି ଆହୁରି ଅଧିକ ବାବାଙ୍କୁ ମନେ ପକାଇବା ପାଇଁ ନିମିତ୍ତ ହୋଇଥାଆନ୍ତି ।
ସ୍ଲୋଗାନ:-
ସ୍ନେହ ସ୍ୱରୂପର
ଅନୁଭବ ତ ଶୁଣାଉଛ, ଏବେ ଶକ୍ତି ସ୍ୱରୂପର ଅନୁଭବ ଶୁଣାଅ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
ଯେପରି ସାକାରରେ
ତୁମେମାନେ ଦେଖିଲ ଯେ ଅନ୍ତିମ କର୍ମାତୀତ ସ୍ଥିତିରେ କେବଳ ଆଶୀର୍ବାଦ ଦେବାର ପାର୍ଟ ହିଁ ଥିଲା,
ସନ୍ତୁଳନ ରଖିବାର ବିଶେଷତା ମଧ୍ୟ ଥିଲା ଏବଂ ଆଶୀର୍ବାଦ ଦେବାର ଚମତ୍କାରୀ ମଧ୍ୟ ଥିଲା । ଏହିଭଳି
ଫଲୋ ଫାଦର କର । ସହଜ ଏବଂ ଶକ୍ତିଶାଳୀ ସେବା ଏହା ହିଁ ଅଟେ । ଏବେ ବିଶେଷ ଆତ୍ମାମାନଙ୍କର ପାର୍ଟ
ହେଲା ସମସ୍ତଙ୍କୁ ବ୍ଲେସିଙ୍ଗ୍ ଅର୍ଥାତ୍ ଆଶୀର୍ବାଦ ଦେବା । ଚାହେଁ ନୟନ ଦ୍ୱାରା ଦିଅ, ଚାହେଁ
ମସ୍ତକମଣୀ ଦ୍ୱାରା ଦିଅ ।