22.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମର ପାଠପଢ଼ାର ମୂଳଦୁଆ ହେଉଛି ପବିତ୍ରତା, ଯଦି ପବିତ୍ରତା ଥିବ ତେବେ ଯୋଗଦ୍ୱାରା ଶକ୍ତି ଭରିପାରିବ, ଯଦି ଯୋଗର ଶକ୍ତି ଥିବ ତେବେ ଯାଇ ବାଣୀ ଶକ୍ତିଶାଳୀ ହେବ ।”

ପ୍ରଶ୍ନ:-
ତୁମମାନଙ୍କୁ ଏବେ କେଉଁ ପ୍ରଯତ୍ନ ପୂର୍ଣ୍ଣ ରୂପରେ କରିବାକୁ ହେବ?

ଉତ୍ତର:-
ମୁଣ୍ଡ ଉପରେ ଯେଉଁ ବିକର୍ମର ବୋଝ ରହିଛି ତାକୁ ସମାପ୍ତ କରିବା ପାଇଁ ପୁରା ପୁରା ପ୍ରଯତ୍ନ କରିବାକୁ ହେବ । ବାବାଙ୍କର ହେବା ପରେ ଯଦି କୌଣସି ବିକର୍ମ କରିଲ ତେବେ ବହୁତ ଜୋରରେ ତଳକୁ ଖସି ପଡିବ ଅର୍ଥାତ୍ ଦୁର୍ଗତି ହୋଇଯିବ । ଯଦି ସଂସ୍ଥାର ନିନ୍ଦା କରିଲ ବା କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି କରିଲ ତେବେ ବହୁତ ପାପ ହୋଇଯିବ । ତେଣୁ ଏହିଭଳି କର୍ମ କରି ଜ୍ଞାନ ଶୁଣିବାରେ ବା ଶୁଣାଇବାରେ କୌଣସି ଫାଇଦା ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ପିତା ସନ୍ତାନମାନଙ୍କୁ ବୁଝାଉଛନ୍ତି ଯେ, କିପରି ତୁମେମାନେ ପତିତରୁ ପାବନ ହୋଇ ପାବନ ଦୁନିଆର ମାଲିକ ହୋଇପାରିବ । ପାବନ ଦୁନିଆକୁ ସ୍ୱର୍ଗ, ବିଷ୍ଣୁପୁରୀ ଅଥବା ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ କୁହାଯାଉଛି । ବିଷ୍ଣୁ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କର ଯୁଗଳ ଚିତ୍ର ଯାହାଙ୍କର ଏହିପରି ଚିତ୍ର ତିଆରି କରିଛନ୍ତି, ସେଥିପାଇଁ ଏହି ଚିତ୍ର ଉପରେ ବୁଝାଯାଉଛି । ବାକି ବିଷ୍ଣୁଙ୍କର ପୂଜା କରୁଛନ୍ତି କିନ୍ତୁ ବୁଝିପାରୁ ନାହାଁନ୍ତି ଯେ ଇଏ କିଏ? ମହାଲକ୍ଷ୍ମୀଙ୍କର ପୂଜା କରୁଛନ୍ତି କିନ୍ତୁ ବୁଝିନାହାଁନ୍ତି ଯେ ଇଏ କିଏ? ବାବା ଏବେ ତୁମକୁ ଭିନ୍ନ ଭିନ୍ନ ରୀତିରେ ବୁଝାଉଛନ୍ତି । ଯାହାକୁ ଭଲ ଭାବରେ ଧାରଣ କରିବା ଉଚିତ୍ । କାହା କାହା ବୁଦ୍ଧିରେ ରହୁଛି ଯେ, ପରମାତ୍ମା ସବୁକିଛି ଜାଣିଛନ୍ତି । ଆମେ ଯାହାକିଛି ଭଲ ଅଥବା ଖରାପ କରୁଛୁ ସିଏ ସବୁ କିଛି ଜାଣୁଛନ୍ତି । ଏହାକୁ ଅନ୍ଧଶ୍ରଦ୍ଧାର ଭାବନା କୁହାଯିବ । ଭଗବାନ ଏହିସବୁ କଥାକୁ ଜାଣୁ ନାହାଁନ୍ତି । ତୁମେମାନେ ଜାଣିଛ ଭଗବାନ ହେଲେ ପତିତ-ପାବନ । ଯିଏକି ଆତ୍ମାକୁ ପାବନ କରି ସ୍ୱର୍ଗର ମାଲିକ କରୁଛନ୍ତି । ଯିଏ ଭଲ ଭାବରେ ପାଠ ପଢ଼ିବେ ସିଏ ଉଚ୍ଚପଦ ପାଇବେ । ବାକି ଏପରି ଭାବିବା ଉଚିତ୍ ନୁହେଁ, ଯେ ବାବା ସମସ୍ତଙ୍କର ମନକଥାକୁ ଜାଣିଛନ୍ତି । ଏହାକୁ ଅଜ୍ଞାନତା କୁହାଯିବ । ମନୁଷ୍ୟ ଯାହା କର୍ମ କରୁଛି ତାହାର ପୁଣି ଭଲ ଅଥବା ମନ୍ଦ ଫଳ ଡ୍ରାମା ଅନୁସାରେ ତାକୁ ମିଳିଥାଏ । ଏଥିରେ ବାବାଙ୍କର କୌଣସି ସମ୍ପର୍କ ନାହିଁ । ତେଣୁ ଏପରି ଖିଆଲ୍ କରିବା ଉଚିତ୍ ନୁହେଁ ଯେ ବାବା ସବୁ କିଛି ଜାଣିଛନ୍ତି । ବହୁତ ଅଛନ୍ତି ଯିଏ ବିକାରଗ୍ରସ୍ତ ହୋଇ ପାପ କରୁଛନ୍ତି ପୁଣି ଏଠାକୁ ଅର୍ଥାତ୍ ସେଣ୍ଟରକୁ ଆସୁଛନ୍ତି । ଭାବୁଛନ୍ତି ବାବା ଜାଣିଛନ୍ତି । କିନ୍ତୁ ବାବା କହୁଛନ୍ତି ମୁଁ ଏହି ଧନ୍ଦା କରୁନାହିଁ । ସର୍ବଜ୍ଞ ଶବ୍ଦ ମଧ୍ୟ ଭୁଲ୍ ଶବ୍ଦ ଅଟେ । ତୁମେମାନେ ବାବାଙ୍କୁ ଡାକୁଛ, କହୁଛ, ଏଠାକୁ ଆସି ପତିତରୁ ପାବନ କର, ସ୍ୱର୍ଗର ମାଲିକ କର କାହିଁକିନା ଜନ୍ମ ଜନ୍ମାନ୍ତରର ପାପ ମୁଣ୍ଡ ଉପରେ ବହୁତ ଅଛି । ଏହି ଜନ୍ମର ପାପ ମଧ୍ୟ ରହିଛି । ଏହି ଜନ୍ମର ପାପକୁ ମଧ୍ୟ ଜଣାଉଛନ୍ତି । ଅନେକ ଏପରି ପାପ କରିଛନ୍ତି ଯାହାକି ପବିତ୍ର ହେବା ବହୁତ ମୁସକିଲ୍ ଲାଗୁଛି । ମୁଖ୍ୟ କଥା ହେଉଛି ପବିତ୍ର ହେବା । ପାଠପଢ଼ା ତ ବହୁତ ସହଜ, କିନ୍ତୁ ବିକର୍ମର ବୋଝ କିପରି ସମାପ୍ତ ହେବ, ସେଥିପାଇଁ ଚେଷ୍ଟା କରିବା ଉଚିତ୍ । ଏପରି ବି ବହୁତ ଅଛନ୍ତି, ଯେଉଁମାନେ କି ବହୁତ ପାପ କରୁଛନ୍ତି, ଅପସେବା ବହୁତ କରୁଛନ୍ତି । ବ୍ରହ୍ମାକୁମାରୀ ଆଶ୍ରମକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି । ତାହାର ବହୁତ ବଡ ପାପର ବୋଝ ଚଢିଥାଏ । ଯେଉଁ ପାପର ବୋଝ ଜ୍ଞାନ ଶୁଣାଇବା ଦ୍ୱାରା କଟିପାରିବ ନାହିଁ । ତାହା ଯୋଗବଳ ଦ୍ୱାରା ହିଁ କଟିବ । ତେଣୁ ପ୍ରଥମେ ଯୋଗଯୁକ୍ତ ହୋଇ ରହିବାର ପୁରା ପୁରୁଷାର୍ଥ କରିବା ଦରକାର । ତେବେ ଯାଇ କାହାକୁ ତୀର ଲାଗିପାରିବ । ପ୍ରଥମେ ପବିତ୍ର ହୁଅ ଯୋଗବଳ ଜମା କର, ତେବେ ବାଣୀରେ ମଧ୍ୟ ଶକ୍ତି ଭରିବ । ନଚେତ୍ କାହାକୁ କେତେ ବି ବୁଝାଅ କିନ୍ତୁ ବୁଦ୍ଧିରେ ଜ୍ଞାନ ରହିବ ନାହିଁ, ତୀର ଲାଗିବ ନାହିଁ । କାରଣ ଜନ୍ମ ଜନ୍ମାନ୍ତରର ପାପ ରହିଛି ନା । ଏବେ ଯେଉଁ ପାପ କରୁଛ, ତାହା ଜନ୍ମ ଜନ୍ମାନ୍ତର ଠାରୁ ମଧ୍ୟ ଅଧିକ ହୋଇଯାଉଛି । ସେଥିପାଇଁ ଗାୟନ କରାଯାଏ ସତ୍‌ଗୁରୁଙ୍କର ନିନ୍ଦୁକ... ଇଏ ସତ୍ ବାବା, ସତ୍ ଶିକ୍ଷକ, ସତ୍ ଗୁରୁ ଅଟନ୍ତି । ବାବା କହୁଛନ୍ତି ବି.କେ.ଙ୍କର ନିନ୍ଦା କରିଲେ ବହୁତ ପାପ ହେବ । ପ୍ରଥମେ ନିଜେ ପବିତ୍ର ହୁଅ । କେହି କେହି ଜ୍ଞାନ ବୁଝାଇବା ପାଇଁ ବହୁତ ସଉକ ରଖୁଛନ୍ତି । କିନ୍ତୁ ଯୋଗ ପଇସାକର ନାହିଁ, ଏଥିରେ ଲାଭ କ’ଣ? ବାବା କହୁଛନ୍ତି ମୁଖ୍ୟ କଥା ହେଲା ଯୋଗବଳ, ଯାହାଦ୍ୱାରା ହିଁ ପବିତ୍ର ହେବ । ଭଗବାନଙ୍କୁ ମଧ୍ୟ ପବିତ୍ର ହେବା ପାଇଁ ଡାକୁଛନ୍ତି । ଭକ୍ତିମାର୍ଗରେ ଧକ୍କା ଖାଇବାର, ଫାଲ୍‌ତୁ ଗାୟନ କରିବାର ଏକ ଅଭ୍ୟାସ ପଡିଯାଇଛି । ପ୍ରାର୍ଥନା କରୁଛନ୍ତି କିନ୍ତୁ ଭଗବାନ କିଏ, କେଉଁଠାରେ ଅଛନ୍ତି । ବିନା କାନ ଏବଂ ମୁଖଦ୍ୱାରା କହିବେ ବା ଶୁଣିବେ କିପରି? ସିଏ ତ ଅବ୍ୟକ୍ତ ଅଟନ୍ତି । ଏ ସବୁ ହେଉଛି ଅନ୍ଧଶ୍ରଦ୍ଧା ।

ତୁମେ ବାବାଙ୍କୁ ଯେତେ ମନେ ପକାଇବ ସେତେ ପାପ ନାଶ ହେବ । ଏପରି ନୁହେଁ ଯେ - ବାବା ଜାଣିଛନ୍ତି, ଇଏ ବହୁତ ମନେ ପକାଉଛନ୍ତି ଇଏ କମ୍ ମନେ ପକାଉଛନ୍ତି, ନା, ନିଜର ଚାର୍ଟକୁ ନିଜେ ଦେଖିବା ଉଚିତ୍ । ବାବା କହୁଛନ୍ତି ଯୋଗ ଦ୍ୱାରା ତୁମର ବିକର୍ମ ବିନାଶ ହେବ । ବାବା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି, କେତେ ସମୟ ବାବାଙ୍କୁ ମନେ ପକାଉଛ? ଏକଥା ଚାଲି ଚଳଣିରୁ ମଧ୍ୟ ଜଣାପଡିଯାଏ । ବାବାଙ୍କ ସ୍ମରଣ ବିନା ପାପ କଟିପାରିବ ନାହିଁ । ଏପରି ନୁହେଁ ଯେ କାହାକୁ ଜ୍ଞାନ ଶୁଣାଉଛ, ତା’ଦ୍ୱାରା ତୁମର ତଥା ତାଙ୍କର ପାପ କଟିଯିବ । ନାଁ, ଯଦି ନିଜେ ଯୋଗ କରିବ ତେବେ ପାପ କଟିବ । ମୂଳ କଥା ହେଉଛି ପବିତ୍ର ହେବା । ବାବା କହୁଛନ୍ତି ମୋର ହୋଇଛ ତେଣୁ କୌଣସି ପାପ କରନାହିଁ । ନଚେତ୍ ଏକଦମ୍ ତଳକୁ ଖସି ପଡିବ । ପୁଣି ଆଶା ମଧ୍ୟ ରଖିବା ଉଚିତ୍ ନୁହେଁ ଯେ ମୁଁ ଭଲ ପଦ ପାଇପାରିବି । ପ୍ରଦର୍ଶନୀରେ ଅନେକଙ୍କୁ ବୁଝାଉଛ ଏବଂ ଖୁସି ହୋଇଯାଉଛ, ଯେ ଆମେ ବହୁତ ସେବା କରିଲୁ । କିନ୍ତୁ ବାବା କହୁଛନ୍ତି ପ୍ରଥମେ ତୁମେ ପବିତ୍ର ହୁଅ । ବାବାଙ୍କୁ ମନେ ପକାଅ । ଯୋଗରେ ବହୁତ ଫେଲ୍ ହେଉଛନ୍ତି । ଜ୍ଞାନ ତ ବହୁତ ସହଜ, କେବଳ ୮୪ ଜନ୍ମର ଚକ୍ରକୁ ଜାଣିବାକୁ ହେବ, ହଦର ପାଠପଢ଼ାରେ କେତେ ବହି ପଢ଼ୁଛନ୍ତି, ବହୁତ ମେହନତ କରୁଛନ୍ତି । କି ରୋଜଗାର କରିବେ? ପଢ଼ୁ ପଢ଼ୁ ଯଦି ମରିଗଲେ ତେବେ ପାଠପଢ଼ା ଶେଷ । ତୁମେ ପିଲାମାନେ ଯେତେ ଯୋଗଯୁକ୍ତ ହୋଇ ରହିବ ସେତେ ଧାରଣା ହେବ । ପବିତ୍ର ନହେଲେ, ପାପ କଟିବ ନାହିଁ ପୁଣି ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ଏପରି ନୁହେଁ ଯେ, ଆମର ସ୍ମୃତି ବାବାଙ୍କ ପାଖରେ ତ’ ପହଞ୍ଚୁଛି । ବାବା କ’ଣ କରିବେ? ତୁମେ ଯୋଗ କରିଲେ ତୁମେ ପାବନ ହେବ, ବାବା ସେଥିରେ କ’ଣ କରିବେ । କ’ଣ ସାବାସି ଦେବେ! ବହୁତ ସନ୍ତାନ କହୁଛନ୍ତି ଆମେ ସବୁବେଳେ ବାବାଙ୍କୁ ମନେ ପକାଉଛୁ, ତାଙ୍କ ବିନା ଆମର ଆଉ ଅଛି କିଏ? କିନ୍ତୁ ଏହା ଗପ ଅଟେ । ଯୋଗରେ ବହୁତ ମେହନତ ରହିଛି । ଆମେ ଯୋଗ କରୁଛୁ ନାଁ ନାହିଁ, ଏକଥା ମଧ୍ୟ ବୁଝିପାରୁନାହାନ୍ତି । ନବୁଝି ନଜାଣି କହିଦେଉଛନ୍ତି ଆମେ ଯୋଗ କରୁଛୁ । ମେହନତ ବିନା କେହି କ’ଣ ବିଶ୍ୱର ମାଲିକ ହୋଇପାରିବେ । ଉଚ୍ଚପଦ ପାଇପାରିବେ ନାହିଁ । ଯୋଗର ଶକ୍ତି ଭରିଲେ ସେବା କରିପାରିବ । ତା’ପରେ ଦେଖାଯିବ ସେବା କରି କେତେ ପ୍ରଜା ତିଆରି କରିଲ । ହିସାବ ଦରକାର ନା । ଆମେ କେତେ ଜଣଙ୍କୁ ନିଜ ସମାନ କରିଛୁ । ପ୍ରଜା ତିଆରି କରିବାକୁ ହେବ, ତେବେ ଯାଇ ରାଜ ପଦ ପାଇପାରିବ । ସେସବୁ ଏବେ କିଛି ନାହିଁ । ଯୋଗଯୁକ୍ତ ହୋଇ ରହିଲେ, ଶକ୍ତି ଭରିଲେ ଯାଇ କାହାକୁ ପୂରା ତୀର ଲାଗିବ । ଶାସ୍ତ୍ରରେ ମଧ୍ୟ ଅଛି ନା - ଶେଷ ସମୟରେ ଭୀଷ୍ମ ପିତାମହ, ଦ୍ରୋଣାଚାର୍ଯ୍ୟ ଆଦିଙ୍କୁ ଜ୍ଞାନ ଦେଲେ । ଯେତେବେଳେ ତୁମର ପତିତପଣିଆ ସମାପ୍ତ ହୋଇ ଆତ୍ମା ସତ୍ତ୍ୱପ୍ରଧାନ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଯିବ, ତେବେ ଯାଇ ଆତ୍ମାରେ ଶକ୍ତି ଭରିବ ଏବଂ ତୁରନ୍ତ ତୀର ଲାଗିବ । ଏକଥା କେବେ ଖିଆଲ କରନାହିଁ ଯେ ବାବା ସବୁକିଛି ଜାଣିଛନ୍ତି । ବାବାଙ୍କର ଜାଣିବା କ’ଣ ଦରକାର, ଯିଏ କରିବ ସିଏ ପାଇବ । ବାବା ସାକ୍ଷୀ ହୋଇ ଦେଖୁଛନ୍ତି । ବାବାଙ୍କୁ ଲେଖୁଛନ୍ତି ଆମେ ଅମୁକ ଜାଗାକୁ ଯାଇ ସେବା କରିଲୁ, ବାବା ପଚାରୁଛନ୍ତି ପ୍ରଥମେ ତୁମେ ଯୋଗର ଯାତ୍ରାରେ ତତ୍ପର ଅଛ? ଏହା ହିଁ ହେଉଛି ପ୍ରଥମ କଥା - ଆଉ ସବୁ ସଙ୍ଗ ଛାଡି ଏକମାତ୍ର ବାବାଙ୍କର ସଙ୍ଗ କର । ସେଥିପାଇଁ ଦେହୀ-ଅଭିମାନୀ ହେବାକୁ ପଡିବ । ଘରେ ରହି ମଧ୍ୟ ଭାବିବା ଉଚିତ୍ ଯେ, ଏହା ପୁରୁଣା ଦୁନିଆ, ପୁରୁଣା ଦେହ ଅଟେ । ଏହି ଦୁନିଆ ତ ଏସବୁ ଖଲାସ୍ ହୋଇଯିବ । ଆମର କାମ ବାବା ଏବଂ ବର୍ସା ସହିତ ରହିଛି । ବାବା ଏପରି କହୁନାହାଁନ୍ତି ଯେ - ଘର ସଂସାରରେ ରୁହ ନାହିଁ, କାହା ସହିତ କଥାବାର୍ତ୍ତା କର ନାହିଁ । ବାବାଙ୍କୁ ପଚାରୁଛନ୍ତି ବିବାହ ଆଦିକୁ ଯିବୁ? ବାବା କହୁଛନ୍ତି ଭଲେ ଯାଅ, କିନ୍ତୁ ସେଠାରେ ମଧ୍ୟ ସେବା କର । ବୁଦ୍ଧିର ଯୋଗ ଶିବବାବାଙ୍କ ସହିତ ରହୁ । କାରଣ ଜନ୍ମ-ଜନ୍ମାନ୍ତରର ବିକର୍ମ, ଯୋଗର ବଳ ଦ୍ୱାରା ହିଁ ଭସ୍ମ ହେବ । ଯଦି ଏଠାରେ ମଧ୍ୟ ବିକର୍ମ କରିବ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ପବିତ୍ର ହେବାର ପୁରୁଷାର୍ଥ କରୁଥିବା ଭିତରେ ଯଦି ବିକାରୀ ହୋଇଗଲ ତେବେ ମରିବ । ଏକଦମ୍ ଚୁର୍‌ଚୁର୍ ହୋଇଯିବ । ବହୁତ ଅଛନ୍ତି ଯେଉଁମାନେ ଶ୍ରୀମତରେ ନ ଚାଲି ନିଜର ବହୁତ କ୍ଷତି କରୁଛନ୍ତି । ତେବେ ପାଦେ ପାଦେରେ ଶ୍ରୀମତ ଆବଶ୍ୟକ । କିନ୍ତୁ ଏପରି ପାପ କରୁଛନ୍ତି ଯାହାଦ୍ୱାରା ଯୋଗ ଲାଗୁ ନାହିଁ । ଯୋଗ କରିପାରୁ ନାହାଁନ୍ତି । ଯଦି କାହାକୁ ଯାଇ କହିବେ ଭଗବାନ ଆସିଛନ୍ତି, ତାଙ୍କଠାରୁ ବର୍ସା ନିଅ, ତେବେ ସେମାନେ ମାନିବେ ନାହିଁ । ତାଙ୍କୁ ତୀର ଲାଗିବ ନାହିଁ । ବାବା କହୁଛନ୍ତି ଭକ୍ତମାନଙ୍କୁ ଜ୍ଞାନ ଶୁଣାଅ, ବ୍ୟର୍ଥରେ କାହାକୁ ଜ୍ଞାନ ଦିଅ ନାହିଁ, ନଚେତ୍ ଆହୁରି ନିନ୍ଦା କରାଇବ ।

କେତେକ ସନ୍ତାନ ବାବାଙ୍କୁ ପଚାରୁଛନ୍ତି - ବାବା ଆମର ଦାନ କରିବାର ଅଭ୍ୟାସ ରହିଛି, ଏବେ ଜ୍ଞାନକୁ ଆସିଗଲୁଣି, ପୁଣି କ’ଣ କରିବୁ? ବାବା ରାୟ ଦେଉଛନ୍ତି ସନ୍ତାନମାନେ, ଗରୀବମାନଙ୍କୁ ଦାନ ଦେଲାବାଲା ଦୁନିଆରେ ବହୁତ ଅଛନ୍ତି । ଗରୀବମାନେ ଭୋକରେ ମରୁ ନାହାଁନ୍ତି, ଫକୀରମାନଙ୍କ ପାଖରେ ବହୁତ ପଇସା ଜମା ରହୁଛି, ସେଥିପାଇଁ ଏସବୁ କଥା ତୁମମାନଙ୍କର ବୁଦ୍ଧିରୁ ହଟିଯିବା ଉଚିତ୍ । ଦାନ ଆଦି କରିବାରେ ମଧ୍ୟ ବହୁତ ସାବଧାନ ରହିବା ଦରକାର । ଏପରି ବହୁତ କାମ କରୁଛନ୍ତି, ସେ କଥା ନ କହିଲେ ଭଲ । ପୁଣି ନିଜେ ବୁଝିପାରୁ ନାହାଁନ୍ତି ଯେ ଆମ ମୁ୍‌ଣ୍ଡ ଉପରେ ବହୁତ ପାପର ବୋଝ ବଢିଚାଲିଛି । ଜ୍ଞାନମାର୍ଗ କୌଣସି ଥଟ୍ଟାମଜାର ମାର୍ଗ ନୁହେଁ । ବାବାଙ୍କ ସହିତ ପୁଣି ଧର୍ମରାଜ ମଧ୍ୟ ଅଛନ୍ତି । ଧର୍ମରାଜଙ୍କଠାରୁ ବହୁତ - ବଡ ବଡ ଦଣ୍ଡା ମାଡ ସବୁ ଖାଇବାକୁ ପଡିବ । କହିଥା’ନ୍ତି ନା ଶେଷ ସମୟରେ ଯେତେବେଳେ ଧର୍ମରାଜ ହିସାବ ଦେଖିବେ ସେତେବେଳେ ଜଣାପଡିବ । ଜନ୍ମ-ଜନ୍ମାନ୍ତରର ପାପର ଦଣ୍ଡ ଭୋଗ କରିବାରେ କୌଣସି ସମୟ ଲାଗିବ ନାହିଁ । ବାବା କାଶୀ କଲବଟର ମଧ୍ୟ ଉଦାହରଣ ଦେଇ ବୁଝାଇଛନ୍ତି । ତାହା ଭକ୍ତିମାର୍ଗ, ଏହା ଜ୍ଞାନମାର୍ଗ । ମନୁଷ୍ୟମାନଙ୍କୁ ମଧ୍ୟ ବଳି ଚଢାଉଛନ୍ତି, ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏସବୁ କଥାକୁ ବୁଝିବାକୁ ହେବ । ଏପରି ନୁହେଁ ଯେ ଏହିପରି ଡ୍ରାମା କାହିଁକି କରାଯାଇଛି? ଆମକୁ ଏହି ଚକ୍ରକୁ ଆଣିଲେ କାହିଁକି? ତେବେ ଏହି ସୃଷ୍ଟିଚକ୍ରକୁ ତ ନିଶ୍ଚୟ ଆସିବାକୁ ହିଁ ହେବ । ଏହା ହେଉଛି ଅନାଦି ଡ୍ରାମା । ଚକ୍ରରେ ନ ଆସିଲେ ପୁଣି ଦୁନିଆ ହିଁ ରହିବ ନାହିଁ । ମୋକ୍ଷ ତ କାହାକୁ ମିଳୁ ହିଁ ନାହିଁ । ଯିଏ ଏହି ଡ୍ରାମାର ମୁଖ୍ୟ ତାଙ୍କୁ ମଧ୍ୟ ମୋକ୍ଷ ମିଳିପାରିବ ନାହିଁ । ୫ ହଜାର ବର୍ଷ ପରେ ପୁଣି ଏହିପରି ଚକ୍ର ଲଗାଇବେ । ଏହା ଡ୍ରାମା ଅଟେ ନା । କେବଳ କାହାକୁ ବୁଝାଇଲେ ବା ଶୁଣାଇଲେ ପଦ ମିଳିବ ନାହିଁ, ପ୍ରଥମେ ପତିତରୁ ପାବନ ହେବାକୁ ପଡିବ । ଏପରି ନୁହେଁ, ବାବା ସବୁ ଜାଣିଛନ୍ତି । ବାବା ଜାଣିଲେ ମଧ୍ୟ କ’ଣ କରିବେ । ପ୍ରଥମେ ତୁମର ଆତ୍ମା ଜାଣିଛି ଯେ ଶ୍ରୀମତ ଅନୁସାରେ ମୁଁ କ’ଣ କରୁଛି, ବାବାଙ୍କୁ କେତେ ସମୟ ମନେ ପକାଉଛି? ବାବା ତୁମର ସବୁ କଥା ଜାଣିବେ, ଏଥିରେ ଫାଇଦା କ’ଣ? ତୁମେ ଯାହା କିଛି କରୁଛ ତାହା ତୁମେ ହିଁ ପାଇବ । ବାବା ତୁମର ଚାଲିଚଳଣ ଏବଂ ସେବାରୁ ଜାଣୁଛନ୍ତି - ଏହି ସନ୍ତାନ ବହୁତ ଭଲ ସେବା କରୁଛି । ଅମୁକ ବାବାଙ୍କର ହୋଇ ମଧ୍ୟ ବହୁତ ବିକର୍ମ କରିଛି, ତାଙ୍କର ମୁରଲୀ ଶୁଣାଇବାର ଶକ୍ତି ନାହିଁ । ଏହା ହେଉଛି ଜ୍ଞାନ ରୂପକ ଖଣ୍ଡା । ଏଥିରେ ଯୋଗବଳର ଧାର ଆବଶ୍ୟକ । ଯୋଗବଳ ଦ୍ୱାରା ତୁମେ ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛ, ବାକି ଜ୍ଞାନ ଦ୍ୱାରା ନୂଆ ଦୁନିଆରେ ଉଚ୍ଚ ପଦ ପାଇବ । ପ୍ରଥମେ ପବିତ୍ର ହେବାକୁ ପଡିବ, ପବିତ୍ର ନହେଲେ ଉଚ୍ଚ ପଦ ମିଳିପାରିବ ନାହିଁ । ଏଠାକୁ ନରରୁ ନାରାୟଣ ହେବା ପାଇଁ ଆସୁଛ । ତେବେ ପତିତମାନେ କ’ଣ ନରରୁ ନାରାୟଣ ହୋଇପାରିବେ । ପବିତ୍ର ହେବା ପାଇଁ ପୂରା ଜ୍ଞାନ ଆବଶ୍ୟକ । ଯେଉଁ ଅନନ୍ୟ ସନ୍ତାନମାନେ ସେଣ୍ଟର ସମ୍ଭାଳୁଛନ୍ତି ତାଙ୍କୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡିବ, କିନ୍ତୁ ଅଧିକାଂଶ ମେହନତ କରୁ ନାହାଁନ୍ତି, ସେଥିପାଇଁ ଶକ୍ତି ଭରୁ ନାହିଁ, ତୀର ଲାଗୁ ନାହିଁ । ଯୋଗର ଯାତ୍ରା କାହିଁ? କେବଳ ପ୍ରଦର୍ଶନୀରେ ବହୁତଙ୍କୁ ବୁଝାଉଛନ୍ତି । ପ୍ରଥମେ ଯୋଗ ଦ୍ୱାରା ପବିତ୍ର ହେବାକୁ ପଡିବ, ତା’ପରେ ଜ୍ଞାନ । ପବିତ୍ର ହେଲେ ଯାଇ ଜ୍ଞାନର ଧାରଣା ହେବ । ପତିତଙ୍କୁ କେବେ ବି ଧାରଣା ହେବ ନାହିଁ । ମୁଖ୍ୟ ବିଷୟ ହେଉଛି ଯୋଗ । ଲୌକିକ ପାଠଢାରେ ମଧ୍ୟ ନିର୍ଦ୍ଦିଷ୍ଟ ବିଷୟ ରହିଥାଏ । ତୁମ ପାଖକୁ ଆସି ଯଦିଓ ବି.କେ. ହେଉଛନ୍ତି କିନ୍ତୁ ବ୍ରହ୍ମାକୁମାର-କୁମାରୀ ବା ଭାଇ-ଭଉଣୀ ହେବା ମାଉସୀ ଘର କଥା ନୁହେଁ । କେବଳ ନାଁକୁ ମାତ୍ର ବି.କେ. ହେବା ଉଚିତ୍ ନୁହେଁ । ଦେବତା ହେବା ପାଇଁ ପ୍ରଥମେ ପବିତ୍ର ନିଶ୍ଚୟ ହେବାକୁ ପଡିବ । ପୁଣି ପାଠପଢା ମଧ୍ୟ ରହିଛି । କେବଳ ପାଠପଢା ଥିବ, ପବିତ୍ରତା ନଥିବ ତେବେ ଉଚ୍ଚ ପଦ ପାଇପାରିବ ନାହିଁ । ଆତ୍ମା ସମ୍ପୂର୍ଣ୍ଣ ପବିତ୍ର ହେବା ଆବଶ୍ୟକ । ପବିତ୍ର ହେଲେ ହିଁ ପବିତ୍ର ଦୁନିଆରେ ଉଚ୍ଚ ପଦ ପାଇପାରିବ । ପବିତ୍ରତା ଉପରେ ହିଁ ବାବା ଜୋର ଦେଉଛନ୍ତି । ପବିତ୍ରତା ବିନା କାହାକୁ ଜ୍ଞାନ ଦେଇପାରିବ ନାହିଁ । ବାକି କିଛି ବାବା ଦେଖୁ ନାହାଁନ୍ତି । ବାବା ନିଜେ ବସିଛନ୍ତି ନା, ସବୁ କଥା ବୁଝାଉଛନ୍ତି । ଭକ୍ତିମାର୍ଗରେ ମଧ୍ୟ ଭାବନାର ଭଡା ମିଳି ଯାଇଥାଏ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି, ଶରୀର ବିନା ବାବା କଥାବାର୍ତ୍ତା କିପରି କରିବେ? ଶୁଣିବେ କିପରି? ଆତ୍ମାର ନିଜର ଶରୀର ଅଛି ତେଣୁ ଶୁଣୁଛି, କହୁଛି । ବାବା କହୁଛନ୍ତି ମୋର ମଧ୍ୟ ଯଦି ଅରଗାନ୍ସ ଅର୍ଥାତ୍ ଶରୀର ନଥିବ ତେବେ ମୁଁ ଶୁଣିବି ବା ଜାଣିବି କିପରି? ଭାବୁଛନ୍ତି ବାବା ଜାଣିଛନ୍ତି ଆମେ ବିକାରୀ ହେଉଛୁ । ଯଦି ନ ଜାଣୁଛନ୍ତି ତେବେ ଭଗବାନ ବୋଲି ମାନିବୁ ନାହିଁ । ଏଭଳି ମଧ୍ୟ ବହୁତ ରହିଛନ୍ତି । ବାବା କହୁଛନ୍ତି ମୁଁ ତୁମମାନଙ୍କୁ ପବିତ୍ରତାର ରାସ୍ତା ବତାଇବା ପାଇଁ ଆସିଛି । ବାକି ସବୁ ସାକ୍ଷୀ ହୋଇ ଦେଖୁଛି । ପିଲାମାନଙ୍କର ଚାଲି ଚଳଣିରୁ ଜଣାପଡିଯାଏ ଯେ - ଇଏ କୁପୁତ୍ର, ଇଏ ସୁପୁତ୍ର ଅଟନ୍ତି? ସେବାର ପ୍ରମାଣ ମଧ୍ୟ ଆବଶ୍ୟକ । ଏକଥା ମଧ୍ୟ ଜାଣିଛ ଯିଏ କରିବ ସିଏ ପାଇବ । ଶ୍ରୀମତରେ ଚାଲିଲେ ହିଁ ଶ୍ରେଷ୍ଠ ହେବ । ଯଦି ଶ୍ରୀମତରେ ନ ଚାଲିବ ତେବେ ନିଜେ ଖରାପ ହୋଇ ତଳକୁ ଖସିଯିବ । ଯେ କୌଣସି ବି କଥା ହେଉ ତାହା ସ୍ପଷ୍ଟ ଭାବରେ ପଚାର । ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ । ବାବା କେବଳ ଗୋଟିଏ କଥା କହୁଛନ୍ତି, ଶକ୍ତି ନଥିଲେ ପବିତ୍ର କିପରି ହେବ? ଏହି ଜନ୍ମରେ ମଧ୍ୟ ଏପରି ପାପ କର୍ମ କରୁଛନ୍ତି ସେକଥା ନ କହିଲେ ଭଲ । ଏହା ହେଉଛି ପାପ ଆତ୍ମାମାନଙ୍କର ଦୁନିଆ, ସତ୍ୟଯୁଗ ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । ବର୍ତ୍ତମାନ ସଂଗମଯୁଗ । ଯଦି କାହାର ବୁଦ୍ଧି କମ୍ ତେବେ ସିଏ ଧାରଣା କରିପାରିବେ ନାହିଁ । ବାବାଙ୍କୁ ସ୍ମରଣ କରିପାରିବେ ନାହିଁ । ପୁଣି ଠୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବ ହୋଇଯିବ । ଦୁନିଆ ରୂପକ ପାଳଗଦାକୁ ନିଆଁ ଲାଗିଯିବ ପୁଣି ଯୋଗରେ ମଧ୍ୟ ରହିପାରିବ ନାହିଁ । ସେ ସମୟରେ ଚାରିଆଡେ ହାହାକାର ଭରିଯିବ । ବହୁତ ଦୁଃଖର ପାହାଡ ଖସିବ । ତେଣୁ ଏହି ଚିନ୍ତା ରହିବା ଉଚିତ୍ ଯେ ଆମେ ନିଜର ରାଜ୍ୟ ଭାଗ୍ୟ ବାବାଙ୍କଠାରୁ ନେଇକରିଯିବୁ । ସେଥିପାଇଁ ଦେହ-ଅଭିମାନକୁ ଛାଡି ସେବାରେ ଲାଗିଯିବା ଉଚିତ୍ । ସମସ୍ତଙ୍କର କଲ୍ୟାଣକାରୀ ହେବାକୁ ପଡିବ । ଧନ ବ୍ୟର୍ଥରେ ଖର୍ଚ୍ଚ କରିବା ଉଚିତ୍ ନୁହେଁ । ଯିଏ ଯୋଗ୍ୟ ପାତ୍ର ନୁହେଁ, ସେଭଳି ପତିତମାନଙ୍କୁ କେବେ ଦାନ ଦେବା ଉଚିତ୍ ନୁହେଁ, ନଚେତ୍ ଦାନୀ ଉପରେ ମଧ୍ୟ ପାପ ଲାଗିଥାଏ । ଏପରି ନୁହେଁ ଯେ ଡେଙ୍ଗୁରା ପିଟିବ, ଭଗବାନ ଆସିଛନ୍ତି । ଏପରି ନିଜକୁ ଭଗବାନ ଉପାଧି ଦେଉଥିବା ମନୁଷ୍ୟ ଭାରତରେ ବହୁତ ଅଛନ୍ତି, କେହି ମାନିବେ ନାହିଁ । ଏକଥା ତୁମେ ଜାଣିଛ କାରଣ ତୁମକୁ ଜ୍ଞାନର ଆଲୋକ ମିଳିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପାଠପଢିବା ସହିତ ପବିତ୍ର ନିଶ୍ଚୟ ହେବାକୁ ପଡିବ । ସେହିଭଳି ଯୋଗ୍ୟ ଅଥବା ସୁପୁତ୍ର ହୋଇ ସେବାର ପ୍ରମାଣ ଦେବାକୁ ହେବ, ଶ୍ରୀମତ ଆଧାରରେ ନିଜକୁ ଶ୍ରେଷ୍ଠ କରିବାକୁ ହେବ ।

(୨) ନିଜର ସ୍ଥୂଳଧନକୁ ମଧ୍ୟ ବ୍ୟର୍ଥରେ ଖର୍ଚ୍ଚ କରିବାର ନାହିଁ କିମ୍ବା ପତିତଙ୍କୁ ଦାନ କରିବାର ନାହିଁ । ଜ୍ଞାନ ଧନ ମଧ୍ୟ ପାତ୍ର ଦେଖି ଦେବା ଉଚିତ୍ ।

ବରଦାନ:-
ପୁରୁଣା ସଂସ୍କାର ଗୁଡିକର ଅଗ୍ନି ସଂସ୍କାର କରୁଥିବା ସଚ୍ଚା ମରଜୀବା ଭବ ।

ଯେପରି ମରିଯିବା ପରେ ସ୍ଥୂଳ ଶରୀରର ସଂସ୍କାର କରିଥାଆନ୍ତି ଯାହାଦ୍ୱାରା ବ୍ୟକ୍ତିର ନାମ, ରୂପ ସମାପ୍ତ ହୋଇଯାଏ । ସେହିପରି ତୁମ ପିଲାମାନେ ମଧ୍ୟ ଯେତେବେଳେ ମରଜୀବା ଅର୍ଥାତ୍ ବଞ୍ଚି ଥାଉ ଥାଉ ପୁରୁଣା ଦୁନିଆରୁ ମରୁଛ ତେବେ ଯଦିଓ ତୁମର ସେହି ପୁରୁଣା ଶରୀର ମଧ୍ୟ ରହୁଛି କିନ୍ତୁ ତୁମେମାନେ ନିଜର ପୁରୁଣା ସ୍ୱଭାବ-ସଂସ୍କାରର ଏବଂ ପୁରୁଣା ସ୍ମୃତିର ଅଗ୍ନି ସଂସ୍କାର କରିଦେଉଛ । ଯଦି ଅଗ୍ନି ସଂସ୍କାର ହେଉଥିବା ମନୁଷ୍ୟ ପୁନର୍ବାର ସମ୍ମୁଖକୁ ଆସେ ତେବେ ତାକୁ ଭୂତ କୁହାଯାଏ । ସେହିଭଳି ଏଠାରେ ମଧ୍ୟ ଯଦି କୌଣସି ଅଗ୍ନି ସଂସ୍କାର ହୋଇ ସାରିଥିବା ପୁରୁଣା ସଂସ୍କାର ଜାଗ୍ରତ ହୋଇଯାଉଛି ତେବେ ଏହା ମଧ୍ୟ ମାୟାର ଭୂତ ଅଟେ । ତେଣୁ ଏହି ଭୂତଗୁଡିକୁ ଘଉଡାଇ ଦିଅ । ସେଗୁଡିକର ବର୍ଣ୍ଣନା ମଧ୍ୟ କର ନାହିଁ ।

ସ୍ଲୋଗାନ:-
କର୍ମଭୋଗର ବର୍ଣ୍ଣନା କରିବା ପରିବର୍ତ୍ତେ କର୍ମଯୋଗ ସ୍ଥିତିର ବର୍ଣ୍ଣନା କରିଚାଲ ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ଯେପରି ରାଜା ନିଜେ କୌଣସି କାର୍ଯ୍ୟ କରେ ନାହିଁ ଅନ୍ୟମାନଙ୍କ ଦ୍ୱାରା କରାଇଥାଏ କାରଣ କାର୍ଯ୍ୟ କରିବାବାଲା ରାଜକର୍ମଚାରୀ ଅଲଗା ଥାଆନ୍ତି । ଯଦି ରାଜ କର୍ମଚାରୀମାନେ ଠିକ୍ ନ ଥାଆନ୍ତି ତେବେ ରାଜ୍ୟ ଟଳମଳ ହୋଇଥାଏ ସେହିପରି ଆତ୍ମା ମଧ୍ୟ ନିର୍ଦ୍ଦେଶକର୍ତ୍ତା ଅଟେ । ଏହି ବିଶେଷ ତ୍ରିମୂର୍ତ୍ତୀ ଶକ୍ତିଗୁଡିକ ଯଥା ମନ-ବୁଦ୍ଧି-ସଂସ୍କାର ତା’ର କର୍ମକର୍ତ୍ତା ଅଟନ୍ତି । ତେଣୁ ପ୍ରଥମେ ଏମାନଙ୍କ ଉପରେ ଶାସନ କରିବାର ଶକ୍ତି ରହିବା ଦରକାର । ଯାହାଦ୍ୱାରା ଏହି ସାକାର କର୍ମେନ୍ଦ୍ରିୟ ଗୁଡିକ ଆପେ ଆପେ ଠିକ୍ ରାସ୍ତାରେ ପରିଚାଳିତ ହେବେ ।