23.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯେଉଁ
ସଂକଳ୍ପ ଈଶ୍ୱରୀୟ ସେବା ଅର୍ଥେ ଉତ୍ପନ୍ନ ହେଉଛି, ତାକୁ ଶୁଦ୍ଧ ସଂକଳ୍ପ ବା ନିଃସଂକଳ୍ପ ହିଁ
କୁହାଯିବ, ବ୍ୟର୍ଥ ନୁହେଁ ।”
ପ୍ରଶ୍ନ:-
ବିକର୍ମରୁ
ଦୂରେଇ ରହିବା ପାଇଁ କେଉଁ କର୍ତ୍ତବ୍ୟ ପାଳନ କରି ମଧ୍ୟ ଅନାସକ୍ତ ହୋଇ ରୁହ?
ଉତ୍ତର:-
ଯଦିଓ ମିତ୍ର ସମ୍ବନ୍ଧୀମାନଙ୍କର ସେବା କରୁଛ, ତେବେ ଅଲୌକିକ ଈଶ୍ୱରୀୟ ଦୃଷ୍ଟି ରଖି କର,
ସେମାନଙ୍କ ପ୍ରତି ମୋହର ଆକର୍ଷଣ ରହିବା ଉଚିତ୍ ନୁହେଁ । ଯଦି କୌଣସି ବିକାରୀ ସମ୍ବନ୍ଧରେ ଖରାପ
ସଂକଳ୍ପ ମଧ୍ୟ ଚାଲୁଛି, ତେବେ ତାହା ବିକର୍ମ ହୋଇଯାଉଛି, ସେଥିପାଇଁ ଅନାସକ୍ତ ହୋଇ କର୍ତ୍ତବ୍ୟ
ପାଳନ କର । ଯେତେ ଦୂର ସମ୍ଭବ ଦେହୀ-ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କର ।
ଓମ୍ ଶାନ୍ତି ।
ଆଜି ତୁମ ସନ୍ତାନମାନଙ୍କୁ ସଂକଳ୍ପ, ବିକଳ୍ପ, ନିଃସଂକଳ୍ପ ଅଥବା କର୍ମ, ଅକର୍ମ ଏବଂ ବିକର୍ମ
ସମ୍ବନ୍ଧରେ ବୁଝାଯାଉଛି । ଯେ ପର୍ଯ୍ୟନ୍ତ ତୁମେମାନେ ଏଠାରେ ଅଛ, ସେ ପର୍ଯ୍ୟନ୍ତ ତୁମର ସଂକଳ୍ପ
ନିଶ୍ଚିତ ଚାଲିବ । ସଂକଳ୍ପ ନ କରି କୌଣସି ମନୁଷ୍ୟ କ୍ଷଣେ ମାତ୍ର ରହିପାରିବ ନାହିଁ । ତେବେ ଏହି
ସଂକଳ୍ପ ଏଠି ବି ଚାଲିବ, ସତ୍ୟଯୁଗରେ ମଧ୍ୟ ଚାଲିବ ଏବଂ ଅଜ୍ଞାନ କାଳରେ ମଧ୍ୟ ଚାଲେ କିନ୍ତୁ
ଜ୍ଞାନରେ ଆସିବା ପରେ ତୁମର ସଙ୍କଳ୍ପ, ସଙ୍କଳ୍ପ ନୁହେଁ, କାରଣ ତୁମେମାନେ ପରମାତ୍ମାଙ୍କ ସେବା
ଅର୍ଥେ ନିମିତ୍ତ ହୋଇଛ, ତେଣୁ ଯେଉଁ ସଂକଳ୍ପ ଯଜ୍ଞ ନିମନ୍ତେ ଉତ୍ପନ୍ନ ହେଉଛି, ସେହି ସଂକଳ୍ପ,
ସଂକଳ୍ପ ନୁହେଁ, ତାହା ହେଉଛି ନିଃସଂକଳ୍ପ । ବାକି ଯେଉଁ ସବୁ ଫାଲତୁ ସଂକଳ୍ପ ଚାଲୁଛି ଅର୍ଥାତ୍
କଳିଯୁଗୀ ସଂସାର ଏବଂ କଳିଯୁଗୀ ମିତ୍ର ସମ୍ବନ୍ଧୀମାନଙ୍କ ପ୍ରତି ଚାଲୁଛି, ତାକୁ ବିକଳ୍ପ କୁହାଯାଏ,
ଯାହାଦ୍ୱାରା ବିକର୍ମ ହୋଇଥାଏ ଏବଂ ବିକର୍ମରୁ ଦୁଃଖ ମିଳିଥାଏ । ବାକି ଯଜ୍ଞ ପ୍ରତି ଅଥବା
ଈଶ୍ୱରୀୟ ସେବା ପ୍ରତି ଯେଉଁ ସଂକଳ୍ପ ଚାଲୁଛି, ତାହା ନିଃସଂକଳ୍ପ ହୋଇଗଲା । ଶୁଦ୍ଧ ସଂକଳ୍ପ ସେବା
ପ୍ରତି ଭଲେ ଉତ୍ପନ୍ନ ହେଉ । ଦେଖ, ତୁମମାନଙ୍କର ଦାୟିତ୍ୱ ନେବା ପାଇଁ ବାବା ଏଠାରେ ଉପସ୍ଥିତ
ଅଛନ୍ତି । ସେମାନଙ୍କର ସେବା କରିବା ପାଇଁ ମା’ ବାପାଙ୍କର ସଂକଳ୍ପ ନିଶ୍ଚିତ ଚାଲୁଛି । କିନ୍ତୁ
ଏହି ସଂକଳ୍ପ, ସଂକଳ୍ପ ନୁହେଁ, ଏଥିରେ ବିକର୍ମ ହୁଏ ନାହିଁ କିନ୍ତୁ ଯଦି କାହାର ବିକାରୀ ସମ୍ବନ୍ଧ
ପ୍ରତି ସଙ୍କଳ୍ପ ଚାଲୁଛି, ତେବେ ତାଙ୍କର ବିକର୍ମ ଅବଶ୍ୟ ହୋଇଥାଏ ।
ବାବା ତୁମ୍ଭମାନଙ୍କୁ କହୁଛନ୍ତି କି ଯଦିଓ ମିତ୍ର ସମ୍ବନ୍ଧିମାନଙ୍କର ସେବା କରୁଛ କିନ୍ତୁ ତାହା
ମଧ୍ୟ ଅଲୌକିକ ଈଶ୍ୱରୀୟ ଦୃଷ୍ଟିରେ କର । ସେଠାରେ ମୋହର ଆକର୍ଷଣ ଆସିବା ଉଚିତ ନୁହେଁ । ଅନାସକ୍ତ
ହୋଇ ନିଜର କର୍ତ୍ତବ୍ୟ ପାଳନ କରିବା ଉଚିତ । କିନ୍ତୁ ଯିଏ ଏଠାରେ ରହି କର୍ମ ସମ୍ବନ୍ଧରେ ଥାଇ
ତାଙ୍କୁ ଭୁଲିପାରୁ ନାହାଁନ୍ତି, ତଥାପି ବି ସେମାନଙ୍କୁ ପରମାତ୍ମାଙ୍କ ହାତ ଛାଡି ଦେବା ଉଚିତ ନୁହେଁ
। ଯଦି ହାତ ଧରି ଥିବେ ତେବେ କିଛି ନା କିଛି ପଦ ପ୍ରାପ୍ତ କରି ପାରିବେ । ତେବେ ପ୍ରତ୍ୟେକ ତ
ନିଜକୁ ଜାଣନ୍ତି କି “ମୋ ମଧ୍ୟରେ କେଉଁ ବିକାର ଅଛି’’ । ଯଦି କାହା ଭିତରେ ଗୋଟିଏ ବି ବିକାର ଅଛି,
ସିଏ ନିଶ୍ଚିତ ଦେହ-ଅଭିମାନୀ ହୋଇଥିବେ, ଯାହା ଭିତରେ ବିକାର ନାହିଁ ସିଏ ହେଉଛନ୍ତି ଦେହୀ-ଅଭିମାନୀ
। ଯଦି କାହା ମଧ୍ୟରେ କିଛି ବି ବିକାର ଅଛି, ତେବେ ସିଏ ନିଶ୍ଚିତ ଦଣ୍ଡ ଭୋଗ କରିବେ, ଆଉ ଯେଉଁମାନେ
ନିର୍ବିକାରୀ ଅଟନ୍ତି, ସେମାନେ ଦଣ୍ଡରୁ ମୁକ୍ତ ହୋଇଯିବେ । ଯେପରି କେତେକ ସନ୍ତାନ ଅଛନ୍ତି,
ଯାହାଙ୍କ ଭିତରେ ନା କାମ ଅଛି, ନା କ୍ରୋଧ ଅଛି, ନା ଲୋଭ ଅଛି, ନା ମୋହ ଅଛି...ସେମାନେ ବହୁତ ଭଲ
ସେବା କରି ପାରିବେ । ତେବେ ତାଙ୍କର ହେଉଛି ବହୁତ ଜ୍ଞାନ ବିଜ୍ଞାନମୟ ଅବସ୍ଥା । ଏଥିରେ ତୁମେ ସବୁ
ବି ଭୋଟ ଦେବ ଅର୍ଥାତ୍ ସମର୍ଥନ କରିବ । ତେବେ ଏସବୁ ଯେପରି ମୁଁ ଜାଣିଛି, ସେହିପରି ତୁମେ ମଧ୍ୟ
ଜାଣିଛ, ଭଲକୁ ସମସ୍ତେ ଭଲ କହିବେ, ଯାହାଙ୍କ ଭିତରେ କିଛି ଅବଗୁଣ ଥିବ ତାଙ୍କୁ ସମସ୍ତେ ସେହି ଭୋଟ
ଦେବେ । ତେବେ ଏହି ନିଶ୍ଚୟ କରିବାକୁ ହେବ ଯେ, ଯାହାଙ୍କ ଭିତରେ କିଛି ବିକାର ଅଛି ସିଏ ସେବା କରି
ପାରିବେ ନାହିଁ । ଯେଉଁମାନେ ବିକାରରୁ ମୁକ୍ତ, ସେମାନେ ସେବା କରି ଅନ୍ୟମାନଙ୍କୁ ନିଜ ସମାନ କରି
ପାରିବେ, ସେଥିପାଇଁ ବିକାର ଉପରେ ପୂର୍ଣ୍ଣ ବିଜୟ ଦରକାର, ବିକଳ୍ପ ଉପରେ ପୂର୍ଣ୍ଣ ବିଜୟ ଦରକାର ।
ଈଶ୍ୱର ଅର୍ଥେ ସଙ୍କଳ୍ପକୁ ନିଃସଙ୍କଳ୍ପ କୁହାଯିବ । ବାସ୍ତବରେ ନିଃସଂକଳ୍ପତା ତାକୁ କୁହାଯାଏ
ଯେଉଁଠି ସଂକଳ୍ପ ଚାଲେ ହିଁ ନାହିଁ, ଦୁଃଖ ସୁଖରୁ ମନ ଯେପରି ଅଲଗା ହୋଇଯାଏ । ତାହା ତ ସେ ସମୟରେ
ହେବ, ଯେତେବେଳେ ତୁମେମାନେ ସବୁ ହିସାବ-କିତାବ ଚୁକ୍ତ କରି ଘରକୁ ଫେରିବ । ସେଠାରେ ଦୁଃଖ ସୁଖରୁ
ନିର୍ଲିପ୍ତ ଅବସ୍ଥାରେ ରହିବ, ସେଠାରେ କୌଣସି ସଂକଳ୍ପ ଚାଲିବ ନାହିଁ । ସେହି ସମୟରେ କର୍ମ ଅକର୍ମ
ଉଭୟରୁ ଉର୍ଦ୍ଧ୍ୱରେ ଅକର୍ମୀ ଅବସ୍ଥାରେ ରହିଥାଅ । ଏଇଠି ତୁମର ସଙ୍କଳ୍ପ ନିଶ୍ଚୟ ଚାଲିବ କାରଣ
ତୁମେମାନେ ସାରା ଦୁନିଆକୁ ଶୁଦ୍ଧ କରିବା ପାଇଁ ନିମିତ୍ତ ହୋଇଛ ସେଥିପାଇଁ ତୁମର ନିଶ୍ଚିତ ଶୁଦ୍ଧ
ସଂକଳ୍ପ ଚାଲିବ । ସତ୍ୟଯୁଗରେ ଶୁଦ୍ଧ ସଂକଳ୍ପ ଚାଲିବା କାରଣରୁ ସଂକଳ୍ପ, ସଂକଳ୍ପ ନୁହେଁ, କର୍ମ
କଲେ ମଧ୍ୟ କର୍ମବନ୍ଧନ ହୁଏ ନାହିଁ । ବୁଝିଲ । ତେବେ କର୍ମ, ଅକର୍ମ ଏବଂ ବିକର୍ମର ଗତି ବିଷୟରେ ତ
ପରମାତ୍ମା ହିଁ ବୁଝାଇ ପାରିବେ । ସିଏ ହିଁ ବିକର୍ମରୁ ମୁକ୍ତ କରିଥା’ନ୍ତି ଯିଏକି ଏହି
ସଙ୍ଗମଯୁଗରେ ତୁମମାନଙ୍କୁ ପାଠ ପଢାଉଛନ୍ତି, ତେଣୁ ପିଲାମାନେ ନିଜ ଉପରେ ବହୁତ ସାବଧାନୀ ରଖ ।
ନିଜର ହିସାବ-କିତାବକୁ ମଧ୍ୟ ଅନୁଭବ କର । ତୁମେମାନେ ହିସାବ-କିତାବ ଚୁକ୍ତ କରିବା ପାଇଁ ଏଠାକୁ
ଆସିଛ । ଏପରି ନ ହେଉ ଯେ, ଏଠାକୁ ଆସି ମଧ୍ୟ ହିସାବ-କିତାବ ତିଆରି କରି ଚାଲିବ, ତେଣୁ ଦଣ୍ଡ ଭୋଗ
କରିବାକୁ ପଡିବ । ଏହି ଗର୍ଭ ଜେଲର ଦଣ୍ଡ ମଧ୍ୟ କିଛି କମ୍ ନୁହେଁ । ସେଥିପାଇଁ ବହୁତ ପୁରୁଷାର୍ଥ
କରିବାକୁ ହେବ । ଏହି ଲକ୍ଷ୍ୟ ବହୁତ ଉଚ୍ଚ, ତେଣୁ ବହୁତ ସାବଧାନର ସହିତ ଚାଲିବାକୁ ହେବ । ବିକଳ୍ପ
ଉପରେ ନିଶ୍ଚୟ ବିଜୟୀ ହେବାକୁ ପଡିବ । ବର୍ତ୍ତମାନ ତୁମେ କେତେ ପର୍ଯ୍ୟନ୍ତ ବିକଳ୍ପ ଉପରେ ବିଜୟୀ
ହୋଇଛ, କେତେ ପର୍ଯ୍ୟନ୍ତ ଏହି ନିଃସଂକଳ୍ପ ଅର୍ଥାତ୍ ଦୁଃଖ ସୁଖରୁ ଉର୍ଦ୍ଧ୍ୱ ସ୍ଥିତିରେ ରହୁଛ, ଏହା
ତୁମେ ନିଜେ ନିଜକୁ ଜାଣିରଖ । ଯିଏ ନିଜକୁ ବୁଝି ପାରୁ ନାହାଁନ୍ତି, ସିଏ ମମ୍ମା, ବାବାଙ୍କୁ ପଚାରି
ପାରିବେ କାହିଁକିନା ତୁମେ ତ ତାଙ୍କର ଉତ୍ତରାଧିକାରୀ ଅଟ, ତେଣୁ ସେମାନେ କହିପାରିବେ ।
ନିଃସଂକଳ୍ପ ଅବସ୍ଥାରେ ରହିଲେ ତୁମେମାନେ ନିଜକୁ ତ’ କ’ଣ, କୌଣସି ବିକାରୀର ବିକର୍ମକୁ ସମାପ୍ତ କରି
ଦେଇପାରିବ, କେହି ବି କାମୀ ପୁରୁଷ ତୁମ ସମ୍ମୁଖକୁ ଆସିଲେ, ତା’ର ବିକାରୀ ସଂକଳ୍ପ ଚାଲିବ ନାହିଁ
। ଯେପରି କେହି ଦେବତାଙ୍କ ପାଖକୁ ଗଲେ, ତାଙ୍କ ସମ୍ମୁଖରେ ଶାନ୍ତ ହୋଇଯାଆନ୍ତି, ସେହିପରି
ତୁମେମାନେ ମଧ୍ୟ ଗୁପ୍ତ ରୂପରେ ଦେବତା ଅଟ । ତୁମ ସମ୍ମୁଖରେ ମଧ୍ୟ କାହାରି ବିକାରୀ ସଂକଳ୍ପ ଚାଲି
ପାରିବ ନାହିଁ, କିନ୍ତୁ ଏପରି ବହୁତ କାମୀ ପୁରୁଷ ଅଛନ୍ତି, ଯାହାଙ୍କର କିଛି ସଂକଳ୍ପ ଯଦିବା
ଚାଲିବ କିନ୍ତୁ ସେ କିଛି କରି ପାରିବେ ନାହିଁ, ଯଦି ତୁମେ ଯୋଗଯୁକ୍ତ ହୋଇ ରହିଥିବ ।
ଦେଖ, ତୁମେ ସନ୍ତାନମାନେ ପରମାତ୍ମାଙ୍କ ପାଖରେ ବିକାରର ଆହୁତି ଦେବା ପାଇଁ ଏଠାକୁ ଆସିଛ କିନ୍ତୁ
କେହି-କେହି ଏ ପର୍ଯ୍ୟନ୍ତ ନିୟମାନୁସାରେ ଆହୁତି ଦେଇ ନାହାନ୍ତି । ସେମାନଙ୍କର ବୁଦ୍ଧିର ଯୋଗ
ପରମପିତାଙ୍କ ସହିତ ଯୋଡି ହୋଇନାହିଁ । ସାରା ଦିନ ବୁଦ୍ଧିଯୋଗ ଏଣେତେଣେ ଘୁରି ବୁଲୁଥାଏ ଅର୍ଥାତ୍
ସେମାନେ ଦେହୀ-ଅଭିମାନୀ ହୋଇନାହାନ୍ତି । ଦେହ-ଅଭିମାନୀ ହୋଇଥିବା କାରଣରୁ କାହା କାହାର ସ୍ୱଭାବରେ
ପ୍ରଭାବିତ ହୋଇଯାଉଛନ୍ତି, ଯେଉଁ କାରଣରୁ ପରମାତ୍ମାଙ୍କ ସହିତ ପ୍ରୀତିର ସମ୍ବନ୍ଧକୁ ପାଳନ
କରିପାରୁନାହାଁନ୍ତି ଅର୍ଥାତ୍ ପରମାତ୍ମାଙ୍କ ସେବା କରିବାର ଅଧିକାରୀ ହୋଇପାରୁନାହାଁନ୍ତି । ତେଣୁ
ଯେଉଁମାନେ ପରମାତ୍ମାଙ୍କଠାରୁ ସେବା ନେଇ ପୁଣି ସେବା କରୁଛନ୍ତି ଅର୍ଥାତ୍ ପତିତମାନଙ୍କୁ ପାବନ
କରୁଛନ୍ତି, ସେହିମାନେ ହିଁ ମୋର ସଚ୍ଚା ପକ୍କା ସନ୍ତାନ ଅଟନ୍ତି । ସେମାନଙ୍କୁ ବହୁତ ଉଚ୍ଚ ପଦ
ମିଳିଥାଏ ।
ଏବେ ପରମାତ୍ମା ନିଜେ ଆସି ତୁମର ପିତା ହୋଇଛନ୍ତି । ସେଇ ପିତାଙ୍କୁ ସାଧାରଣ ଭାବି କୌଣସି
ପ୍ରକାରର ସଂକଳ୍ପ ଉତ୍ପନ୍ନ କରିବା ଅର୍ଥାତ୍ ବିନାଶକୁ ପ୍ରାପ୍ତ କରିବା । ବର୍ତ୍ତମାନ ସେହି ସମୟ
ଆସିବ ଯେତେବେଳେ କି ୧୦୮ ଜଣ ଜ୍ଞାନ ଗଙ୍ଗା ପୂର୍ଣ୍ଣ ଅବସ୍ଥାକୁ ପ୍ରାପ୍ତ କରିବେ । ବାକି ଆଉ
ଯେଉଁମାନେ ପଢି ନ ଥିବେ, ସେମାନେ ତ ନିଜର ହିଁ କ୍ଷତି କରିବେ ।
ଏକଥା ନିଶ୍ଚୟ ଜାଣିବାକୁ ହେବ ଯେ, ଏହି ଈଶ୍ୱରୀୟ ଯଜ୍ଞରେ ଯିଏ ଲୁଚିଛପି କାମ କରୁଛି, ତାଙ୍କୁ
ସର୍ବଜ୍ଞ ବାବା ଦେଖି ନିଅନ୍ତି, ତାହା ପୁଣି ଏହି ସାକାର ସ୍ୱରୂପ ବାବାଙ୍କୁ ସାବଧାନୀ ଦେବା ପାଇଁ
ଜଣାପଡିଯାଏ । ତେଣୁ କୌଣସି ବି କଥା ଲୁଚାଇବା ଉଚିତ୍ ନୁହେଁ । ଯଦିଓ ଭୂଲ ହୋଇଯାଉଛି କିନ୍ତୁ ତାହା
ଜଣାଇ ଦେଲେ ଆଗାମୀ ସମୟ ପାଇଁ ରକ୍ଷା ପାଇପାରିବ, ତେଣୁ ସନ୍ତାନମାନେ ସାବଧାନ ରୁହ ।
ସନ୍ତାନମାନଙ୍କୁ ପ୍ରଥମେ ନିଜକୁ ବୁଝିବା ଦରକାର ଯେ ମୁଁ କିଏ, ହ୍ୱାଟ୍ ଆମ୍ ଆଈ । ଏହି “ମୁଁ”
ଶବ୍ଦ ଶରୀର ପାଇଁ କୁହାଯାଏ ନାହିଁ, ମୁଁ ଆତ୍ମାକୁ କୁହାଯାଏ । ମୁଁ ଆତ୍ମା କେଉଁଠାରୁ ଆସିଛି?
କାହାର ସନ୍ତାନ? ଆତ୍ମାକୁ ଯେତେବେଳେ ଏହିକଥା ଜଣାପଡିଯିବ ଯେ, ମୁଁ ଆତ୍ମା ପରମପିତା
ପରମାତ୍ମାଙ୍କର ସନ୍ତାନ, ତେବେ ନିଜର ପିତାଙ୍କୁ ମନେପକାଇଲେ ଖୁସି ଆସିଯିବ । ପିଲାକୁ ଖୁସି
ସେତେବେଳେ ଲାଗିଥାଏ, ଯେତେବେଳେ ସେ ପିତାର କର୍ତ୍ତବ୍ୟକୁ ଜାଣିଥାଏ । ଯେ ପର୍ଯ୍ୟନ୍ତ ଛୋଟ ପିଲା
ଅଛି, ବାପାର କର୍ତ୍ତବ୍ୟକୁ ଜାଣି ନାହିଁ, ସେ ପର୍ଯ୍ୟନ୍ତ ଏତେ ଖୁସି ମିଳି ନ ଥାଏ । ଯେତେଯେତେ
ବଡ ହୋଇଚାଲିଥାଏ, ବାପାର କର୍ତ୍ତବ୍ୟକୁ ଜାଣି ଚାଲିଥାଏ, ସେତେବେଳେ ସେହି ନିଶା, ସେହି ଖୁସି ବଢି
ଚାଲିଥାଏ । ତେଣୁ ପ୍ରଥମେ ତାଙ୍କର କର୍ତ୍ତବ୍ୟକୁ ଜାଣିବାକୁ ହେବ ଯେ, ମୋର ବାପା କିଏ? ସିଏ
କେଉଁଠି ରହୁଛନ୍ତି? ଯଦି କୁହାଯିବ ଆତ୍ମା ତାଙ୍କଠାରେ ଲୀନ ହୋଇଯିବ, ତାହାହେଲେ ଆତ୍ମା ବିନାଶୀ
ହୋଇଗଲା, ତେବେ ଖୁସି କାହାକୁ ମିଳିବ ।
ତୁମ ପାଖକୁ ଯେଉଁ ନୂଆ ଜିଜ୍ଞାସୁ ଆସୁଛନ୍ତି, ତାଙ୍କୁ ପଚାରିବା ଦରକାର ଯେ, ଏଠାରେ କେଉଁ ପାଠ
ପଢୁଛ? ଏଥିରୁ କ’ଣ ପଦବୀ ମିଳୁଛି? ସେହିସବୁ କଲେଜର ବିଦ୍ୟାର୍ଥୀମାନେ କୁହନ୍ତି, ଆମେ ଡାକ୍ତର
ହେବୁ, ଇଞ୍ଜିନିୟର ହେବୁ... ତେବେ ତାଙ୍କ ଉପରେ ବିଶ୍ୱାସ କରିନେଉଛ ନା, ବାସ୍ତବରେ ସେମାନେ ସେହି
ପାଠ ନିଶ୍ଚିତ ପଢୁଛନ୍ତି । ଏଠି ମଧ୍ୟ ଛାତ୍ରମାନେ କହୁଛନ୍ତି ଯେ ଏହା ହେଉଛି ଦୁଃଖର ଦୁନିଆ
ଯାହାକୁ ନର୍କ, ହେଲ୍ ଅଥବା ଡେଭିଲ୍ ୱାଲ୍ଡ କୁହାଯାଏ । ତାହାର ବିପରୀତ ହେଉଛି ହେଭେନ ଅଥବା ଦୈବୀ
ଦୁନିଆ, ଯାହାକୁ ସ୍ୱର୍ଗ କୁହାଯାଏ । ଏକଥା ତ ସମସ୍ତେ ଜାଣୁଛନ୍ତି ଏବଂ ବୁଝି ମଧ୍ୟ ପାରୁଛନ୍ତି
ଯେ ଏହା ସେ ସ୍ୱର୍ଗ ନୁହେଁ, ଏହା ହେଉଛି ନର୍କ ଅଥବା ଦୁଃଖର ଦୁନିଆ, ପାପ ଆତ୍ମାମାନଙ୍କର ଦୁନିଆ
ସେଇଥିପାଇଁ ତ ତାଙ୍କୁ ଡାକୁଛନ୍ତି ଯେ, ଆମକୁ ପୁଣ୍ୟର ଦୁନିଆକୁ ନେଇଚାଲ । ତେଣୁ ଯେଉଁ ପିଲାମାନେ
ଏଠାରେ ପାଠ ପଢୁଛନ୍ତି, ସେମାନେ ଜାଣିଛନ୍ତି ଯେ ଆମକୁ ବାବା ପୁଣ୍ୟର ଦୁନିଆକୁ ନେଇଯାଉଛନ୍ତି ।
ତେଣୁ ଯେଉଁ ନୂଆ ଷ୍ଟୁଡେଣ୍ଟମାନେ ଆସୁଛନ୍ତି, ସେମାନେ ତୁମମାନଙ୍କୁ ପଚାରିବା ଉଚିତ୍,
ତୁମମାନଙ୍କଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ୍ । ସେମାନେ ନିଜର ଶିକ୍ଷକ ଅଥବା ପିତାଙ୍କର
କର୍ତ୍ତବ୍ୟ ବିଷୟରେ କହିପାରିବେ । ବାବା କ’ଣ ନିଜର ମହିମା ନିଜେ କରିବେ, ଟିଚର କ’ଣ ନିଜର ମହିମା
ନିଜେ ଶୁଣାଇବେ! ତାହା ତ ଛାତ୍ରମାନେ ଶୁଣାଇବେ, ସିଏ ଏପରି ଟିଚର ଅଟନ୍ତି, ତେଣୁ କୁହାଯାଏ
ଷ୍ଟୁଡେଣ୍ଟ୍ ସୋଜ୍ ଫାଦର, ତୁମ୍ଭେମାନେ ଯେଉଁ ଏତେ ସବୁ କୋର୍ସ କରି ଆସିଛ, ତୁମର କାମ ହେଉଛି
ନୂଆମାନଙ୍କୁ ବୁଝାଇବା । ବାକି ଯେଉଁ ଟିଚରମାନେ ବି,ଏ, ଏମ୍.ଏ. କ୍ଳାସରେ ପଢାଉଛନ୍ତି, ସେମାନେ
କ’ଣ ନୂଆ ଷ୍ଟୁଡେଣ୍ଟଙ୍କୁ ଏ, ବି, ସି, ଶିଖାଇବେ! କେହି-କେହି ଷ୍ଟୁଡେଣ୍ଟ ବହୁତ ମେଧାବୀ ଥାଆନ୍ତି,
ସେମାନେ ଅନ୍ୟମାନଙ୍କୁ ମଧ୍ୟ ପଢାନ୍ତି । ସେଥିରେ ମାତା ଗୁରୁ ତ ପ୍ରସିଦ୍ଧ ଅଟନ୍ତି । ଇଏ
ହେଉଛନ୍ତି ଦୈବୀ ଧର୍ମର ପ୍ରଥମ ମାତା, ଯାହାଙ୍କୁ ଜଗଦମ୍ବା କହୁଛନ୍ତି । ମାତାଙ୍କର ବହୁତ ମହିମା
ରହିଛି । ବଙ୍ଗଳାରେ କାଳୀ, ଦୁର୍ଗା, ସରସ୍ୱତୀ ଏବଂ ଲକ୍ଷ୍ମୀ, ଏଇ ଚାରିଜଣ ଦେବୀଙ୍କର ବହୁତ ପୂଜା
କରନ୍ତି । ତେବେ ସେହି ଚାରି ଜଣଙ୍କର କର୍ତ୍ତବ୍ୟ ତ ଜାଣିବା ଦରକାର । ଯେପରି ଲକ୍ଷ୍ମୀ ହେଉଛନ୍ତି
ଧନର ଦେବୀ । ସିଏ ତ ଏଇଠାରେ ହିଁ ରାଜ୍ୟ କରି ଯାଇଛନ୍ତି । ବାକି କାଳୀ, ଦୁର୍ଗା ଆଦି ସବୁ ଏହିଭଳି
ନାମ ଦିଆହୋଇଛି । ଯଦି ଚାରି ଜଣ ମାତା ଅଛନ୍ତି, ତେବେ ତାଙ୍କର ଚାରି ଜଣ ପତି ମଧ୍ୟ ଥିବା ଦରକାର
। ତେବେ ଲକ୍ଷ୍ମୀଙ୍କର ପତି ତ ନାରାୟଣ ଯିଏକି ପ୍ରସିଦ୍ଧ ଅଟନ୍ତି । ତେବେ କାଳୀଙ୍କର ପତି କିଏ? (ଶଙ୍କର)
କିନ୍ତୁ ଶଙ୍କରଙ୍କୁ ତ ପାର୍ବତୀଙ୍କର ପତି କୁହନ୍ତି । ପାର୍ବତୀ ତ କାଳୀ ନୁହଁନ୍ତି । ବହୁତ
ଅଛନ୍ତି ଯିଏକି କାଳୀଙ୍କୁ ପୂଜା କରନ୍ତି, ମାତାଙ୍କୁ ମନେପକାନ୍ତି କିନ୍ତୁ ପିତାଙ୍କୁ ଜାଣି
ନାହାଁନ୍ତି । କାଳୀଙ୍କର ତ ପତି ଥିବା ଦରକାର ଅଥବା ପିତା ଥିବା ଦରକାର କିନ୍ତୁ ଏକଥା କାହାକୁ ଜଣା
ନାହିଁ ।
ତୁମମାନଙ୍କୁ ବୁଝାଇବାକୁ ହେବ ଯେ, ଦୁନିଆ ତ ଗୋଟିଏ, ଯାହାକି କେତେ ବେଳେ ଦୁଃଖର ଦୁନିଆ ଅଥବା
ନର୍କ ହୋଇଯାଏ ସେହି ପୁଣି ସତ୍ୟଯୁଗରେ ବହିସ୍ଥ ଅଥବା ସ୍ୱର୍ଗ ହୋଇଥାଏ । ଲକ୍ଷ୍ମୀ-ନାରାୟଣ ମଧ୍ୟ
ଏହି ସୃଷ୍ଟିରେ ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ସତ୍ୟଯୁଗରେ ରାଜ୍ୟ କରୁଥିଲେ । ବାକି
ସୂକ୍ଷ୍ମରେ ତ କୌଣସି ବୈକୁଣ୍ଠ ନାହିଁ ଯେଉଁଠି ସୂକ୍ଷ୍ମରେ ଲକ୍ଷ୍ମୀ-ନାରାୟଣ ଅଛନ୍ତି । ତାଙ୍କର
ଚିତ୍ର ଏହିଠାରେ ହିଁ ରହିଛି, ତେବେ ନିଶ୍ଚିତ ଭାବରେ ସେମାନେ ଏହିଠାରେ ହିଁ ରାଜ୍ୟ କରି ଯାଇଛନ୍ତି
। ସାରା ଖେଳ ଏହି ସ୍ଥୂଳ ଦୁନିଆରେ ଚାଲେ । ଇତିହାସ ଭୂଗୋଳ ହେଉଛି ଏହି ସ୍ଥୂଳ ଦୁନିଆର ।
ସୂକ୍ଷ୍ମଲୋକର କୌଣସି ଇତିହାସ ଭୂଗୋଳ ନଥାଏ । କିନ୍ତୁ ତୁମକୁ ସବୁ କଥା ଛାଡି ନୂଆ
ଜିଜ୍ଞାସୁମାନଙ୍କୁ ପ୍ରଥମେ ଅଲଫ ଅର୍ଥାତ୍ ବାବାଙ୍କର ପରିଚୟ ଦେବାକୁ ହେବ, ତା’ ପରେ ବେ ଅର୍ଥାତ୍
ବାଦଶାହୀ ବିଷୟରେ ବୁଝାଇବାକୁ ହେବ । ଅଲଫ ହେଉଛନ୍ତି ଗଡ୍, ସିଏ ସୁପ୍ରିମ୍ ସୋଲ୍ (ପରମପିତା)
ଅଟନ୍ତି । ଯେ ପର୍ଯ୍ୟନ୍ତ ଏକଥା ସମ୍ପୂର୍ଣ୍ଣ ଭାବରେ ବୁଝି ନାହାଁନ୍ତି, ସେ ପର୍ଯ୍ୟନ୍ତ
ପରମପିତାଙ୍କ ପ୍ରତି ସେତିକି ସ୍ନେହ ଜାଗ୍ରତ ହେବ ନାହିଁ, ସେହିଭଳି ଖୁସି ମଧ୍ୟ ଆସିବ ନାହିଁ,
କାହିଁକିନା ପ୍ରଥମେ ଯେତେବେଳେ ପିତାଙ୍କୁ ଜାଣିବେ ତେବେ ତାଙ୍କର କର୍ତ୍ତବ୍ୟକୁ ମଧ୍ୟ ଜାଣି ଖୁସି
ହେବେ । ତେବେ ଏହି ପ୍ରଥମ କଥାକୁ ବୁଝିବାରେ ହିଁ ଖୁସି ରହିଛି । ଈଶ୍ୱର ତ ସଦା ଖୁସି, ଆନନ୍ଦ
ସ୍ୱରୂପ ଅଟନ୍ତି । ଯେହେତୁ ଆମେ ତାଙ୍କର ସନ୍ତାନ ତେଣୁ କାହିଁକି ସେହି ଖୁସି ଆମ ପାଖରେ ନ ରହିବ!
ସେହି ଉତ୍ଫୁଲତା କାହିଁକି ନାହିଁ! ଆଇ ଆମ୍ ସନ୍ ଅଫ୍ ଗଡ୍ ଅର୍ଥାତ୍ ମୁଁ ଭଗବାନଙ୍କର ସନ୍ତାନ,
ଆଇ ଆମ୍ ଏଭରହାପି ମାଷ୍ଟର ଗଡ୍ ଅର୍ଥାତ୍ ମୁଁ ସର୍ବଦା ଖୁସିରେ ରହୁଥିବା ମାଷ୍ଟର ଗଡ୍ । କିନ୍ତୁ
ସେହିଭଳି ଖୁସି ରହୁ ନାହିଁ, ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ନିଜକୁ ତାଙ୍କର ସନ୍ତାନ ବୋଲି
ଭାବୁନାହାଁନ୍ତି । ପିତା ସର୍ବଦା ଖୁସିବାସିଆ କିନ୍ତୁ ମୁଁ ଖୁସି ନୁହେଁ କାହିଁକି ନା ପିତାଙ୍କୁ
ଜାଣି ନାହିଁ । କଥା ତ ବହୁତ ସହଜ ।
କେତେକଙ୍କୁ ଏହି ଜ୍ଞାନ ଶୁଣିବା ପରିବର୍ତ୍ତେ ଶାନ୍ତି ଭଲ ଲାଗେ କାହିଁକିନା ବହୁତ ଅଛନ୍ତି ଯିଏକି
ଜ୍ଞାନ ବୁଝିପାରିବେ ନାହିଁ । ଏତେ ସମୟ ତାଙ୍କ ପାଖରେ କାହିଁ । ବାସ୍ କେବଳ ବାବାଙ୍କୁ ବି ଜାଣି
ନୀରବ ରହିଲେ, ତେବେ ତାହା ମଧ୍ୟ ଭଲ । ଯେପରି ସନ୍ନ୍ୟାସୀ ମଧ୍ୟ ପାହାଡ ଗୁମ୍ଫାରେ ଯାଇ
ପରମାତ୍ମାଙ୍କ ସ୍ମୃତିରେ ବସନ୍ତି । ସେହିପରି ପରମପିତା ପରମାତ୍ମାଙ୍କର, ସେହି ସୁପ୍ରିମ୍ ଲାଇଟ୍ର
ସ୍ମୃତିରେ ରହିଲେ ମଧ୍ୟ ଭଲ । ତାଙ୍କରି ସ୍ମୃତିରେ ସନ୍ନ୍ୟାସୀ ମଧ୍ୟ ନିର୍ବିକାରୀ ହୋଇ ପାରିବେ ।
କିନ୍ତୁ ଘରେ ବସି ତ ମନେପକାଇ ପାରିବେ ନାହିଁ । ସେଠି ତ ଛୁଆ-ପିଲାଙ୍କ ପ୍ରତି ମୋହ ରହିବ,
ସେଥିପାଇଁ ତ’ ସନ୍ନ୍ୟାସ କରିଥା’ନ୍ତି । ଯଦି ପବିତ୍ର ହୋଇଗଲେ, ତେବେ ସେଥିରେ ମଧ୍ୟ ସୁଖ ତ ଅଛି
ନା । ସନ୍ନ୍ୟାସୀମାନେ ସବୁଠାରୁ ଭଲ । ଆଦି ଦେବ ମଧ୍ୟ ସନ୍ନ୍ୟାସୀ ହୋଇଥା’ନ୍ତି ନା । ଏଠାରେ
ସମ୍ମୁଖରେ ତାଙ୍କର (ଆଦିଦେବଙ୍କର) ଏହି ମନ୍ଦିର ବିରାଜମାନ, ଯେଉଁଠି ସିଏ ତପସ୍ୟା କରୁଛନ୍ତି ।
ଗୀତାରେ ମଧ୍ୟ କହୁଛନ୍ତି ଦେହର ସବୁ ଧର୍ମର ସନ୍ନ୍ୟାସ କର । ସେମାନେ ସନ୍ନ୍ୟାସ କଲା ପରେ,
ମହାତ୍ମା ହୋଇଯାଆନ୍ତି । ଗୃହସ୍ଥିଙ୍କୁ ମହାତ୍ମା କହିବା ନିୟମ ନୁହେଁ । ତୁମକୁ ତ ପରମାତ୍ମା ଆସି
ସନ୍ନ୍ୟାସ କରାଇଛନ୍ତି । ତେବେ ସୁଖ ପାଇବା ପାଇଁ ହିଁ ତ ସନ୍ନ୍ୟାସ କରିଥା’ନ୍ତି । ମହାତ୍ମାମାନେ
କେବେ ଦୁଃଖି ହୁଅନ୍ତି ନାହିଁ । ଯଦି ରାଜାମାନେ ମଧ୍ୟ ସନ୍ନ୍ୟାସ କଲେ ତେବେ ମୁକୁଟ ଆଦି ଫିଙ୍ଗି
ଦିଅନ୍ତି । ଯେପରି ରାଜା ଗୋପୀଚାନ୍ଦ ସନ୍ନ୍ୟାସ କରିଥିଲେ, ତେବେ ନିଶ୍ଚିତ ଏଥିରେ ସୁଖ ଅଛି ।
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଲୁଚିଛପି
କୌଣସି ବି ଓଲଟା କର୍ମ କରିବାର ନାହିଁ । ବାପଦାଦାଙ୍କ ପାଖରେ କୌଣସି କଥା ଲୁଚାଇବାର ନାହିଁ ।
ବହୁତ-ବହୁତ ସାବଧାନ ହୋଇ ରହିବାର ଅଛି ।
(୨) ଷ୍ଟୁଡେଣ୍ଟ ସୋଜ୍
ଟିଚର, ଶିକ୍ଷକଙ୍କଠାରୁ ଯାହା ପଢିଛ, ତାହା ଅନ୍ୟମାନଙ୍କୁ ପଢାଇବାର ଅଛି । ଆମେ ଖୁସିର ସାଗର
ଈଶ୍ୱରଙ୍କର ସନ୍ତାନ ତେଣୁ ଏହି ସ୍ମୃତି ଆଧାରରେ ଅପାର ଖୁସିରେ ରହିବାର ଅଛି ।
ବରଦାନ:-
ବିକାର ରୂପୀ
ସାପକୁ ମଧ୍ୟ ନିଜର ଶଯ୍ୟା ରୂପରେ ବ୍ୟବହାର କରୁଥିବା ବିଷ୍ଣୁଙ୍କ ସମାନ ବିଜୟୀ ଏବଂ ନିଶ୍ଚିତ ଭବ
।
ଭକ୍ତିମାର୍ଗରେ
ବିଷ୍ଣୁଙ୍କର ଯେଉଁ ଶେଷ ନାଗର ଶଯ୍ୟା ଦେଖାଉଛନ୍ତି ତାହା ତୁମ ବିଜୟୀ ପିଲାମାନଙ୍କର ସହଜଯୋଗୀ
ଜୀବନର ସ୍ମାରକୀ ଅଟେ । ସହଜଯୋଗ ଦ୍ୱାରା ବିକାର ରୂପୀ ସାପ ଗୁଡିକ ମଧ୍ୟ ଅଧୀନ ହୋଇଯାଆନ୍ତି ।
ଯେଉଁ ପିଲାମାନେ ବିକାର ରୂପୀ ସାପ ଗୁଡିକ ଉପରେ ବିଜୟ ପ୍ରାପ୍ତ କରି ସେଗୁଡିକୁ ଆରାମ କରିବାର
ଶଯ୍ୟା କରିଦିଅନ୍ତି ସେମାନେ ସର୍ବଦା ବିଷ୍ଣୁଙ୍କ ସମାନ ହର୍ଷିତ ଏବଂ ନିଶ୍ଚିନ୍ତ ରହିଥାଆନ୍ତି ।
ତେଣୁ ସର୍ବଦା ନିଜ ସମ୍ମୁଖରେ ଏହି ଚିତ୍ର ଦେଖ ଯେ ମୁଁ ବିକାର ଗୁଡିକୁ ଅଧୀନ କରିଥିବା ଅଧିକାରୀ
ଆତ୍ମା ଅଟେ ଏବଂ ସର୍ବଦା ଆରାମ କରିବାର ସ୍ଥିତିରେ ନିଶ୍ଚିନ୍ତ ଅଟେ ।
ସ୍ଲୋଗାନ:-
ବାଳକ ତଥା
ମାଲିକ ପଣିଆର ସନ୍ତୁଳନ ଦ୍ୱାରା ନିଜର ଯୋଜନାକୁ ସାକାର କର ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
ଯଦି ନିଜର ପ୍ରତ୍ୟେକ
କର୍ମେନ୍ଦ୍ରିୟର ଶକ୍ତିକୁ ନିର୍ଦ୍ଦେଶ ଦେବ, ତେବେ ନିର୍ଦ୍ଦେଶ ଅନୁସାରେ ହିଁ ସେମାନଙ୍କୁ ଯେପରି
ଚାହିଁବ ସେହିପରି ଭାବରେ ଚଲାଇ ପାରିବ । ଯଦି ଏହିଭଳି କର୍ମେନ୍ଦ୍ରିୟଜିତ୍ ହେବ ତେବେ
ପ୍ରକୃତିଜିତ୍ ହେବା ସହିତ କର୍ମାତୀତ ସ୍ଥିତିର ଆସନଧାରୀ ତଥା ବିଶ୍ୱ ରାଜ୍ୟ ଅଧିକାରୀ ହୋଇଯିବ ।
ତେଣୁ ତୁମର ପ୍ରତ୍ୟେକ କର୍ମେନ୍ଦ୍ରିୟ “ଜୀ ହଜୁର” “ଜୀ ହଜୁର” କରିଚାଲିଥାଆନ୍ତୁ । ଯଦି ତୁମ ଭଳି
ରାଜ୍ୟ ଅଧିକାରୀ ଆତ୍ମାମାନଙ୍କୁ ସର୍ବଦା ସ୍ୱାଗତ କରୁଥିବେ ଅର୍ଥାତ୍ ସଲାମ କରୁଥବେ, ତେବେ ଯାଇ
କର୍ମାତୀତ ହୋଇପାରିବ ।