24.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ଏହି ପାଠପଢା ଦ୍ୱାରା ନିଜର ସୁଖଧାମକୁ ଯାଉଛ ଭାୟା ଶାନ୍ତିଧାମ, ଏହା ହିଁ ତୁମମାନଙ୍କର ଏମ୍ ଅବଜେକ୍ଟ ଅର୍ଥାତ୍ ଲକ୍ଷ୍ୟ ଅଟେ, ଏକଥା କେବେ ହେଲେ ଭୁଲିବା ଉଚିତ୍ ନୁହଁ ।”

ପ୍ରଶ୍ନ:-
ତୁମେ ପିଲାମାନେ ଏହି ସମୟରେ ଡ୍ରାମାର କେଉଁ ଦୃଶ୍ୟକୁ ସାକ୍ଷୀ ହୋଇ ଦେଖୁଛ?

ଉତ୍ତର:-
ଏହି ସମୟରେ ଡ୍ରାମାରେ କେବଳ ଦୁଃଖର ଦୃଶ୍ୟ ରହିଛି । ଯଦିଓ କାହାକୁ ଟିକିଏ ସୁଖ ମିଳୁଛି ତାହା ମଧ୍ୟ ଅଳ୍ପକାଳ ପାଇଁ ଅର୍ଥାତ୍ କାକ ବିଷ୍ଠା ସମାନ ଅଟେ । ନଚେତ୍ କେବଳ ଦୁଃଖ ହିଁ ଦୁଃଖ ରହିଛି । ତୁମେ ପିଲାମାନେ ଏବେ ଆଲୋକକୁ ଆସିଯାଇଛ । ଜାଣୁଛ ପ୍ରତି ମୂହୁର୍ତ୍ତରେ ଏହି ବେହଦ ସୃଷ୍ଟିର ଚକ୍ର ଘୂରି ଚାଲିଛି, ଗୋଟିଏ ଦିନ ବି ଅନ୍ୟ ଗୋଟିଏ ଦିନ ସହିତ ସମାନ ନୁହେଁ । ସାରା ଦୁନିଆର ସମସ୍ତଙ୍କର ଅଭିନୟ ବଦଳୁଛି । ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି ।

ଗୀତ:-
ଯୋ ପିଆ କେ ସାଥ ହୈ.......

ଡବଲ ଓମ୍ ଶାନ୍ତି ।
ପ୍ରଥମେ ତ ବାବା ସର୍ବଦା ସ୍ୱଧର୍ମରେ ସ୍ଥିତ ରହିଥା’ନ୍ତି, ସେଥିପାଇଁ ପିଲାମାନଙ୍କୁ ମଧ୍ୟ କହୁଛନ୍ତି ଯେ ନିଜର ସ୍ୱଧର୍ମରେ ସ୍ଥିତ ହୁଅ ଏବଂ ବାବାଙ୍କୁ ମନେ ପକାଅ । ଆଉ କେହି ଏପରି କହିପାରିବେ ନାହିଁ ଯେ ନିଜର ସ୍ୱଧର୍ମରେ ସ୍ଥିତ ହୋଇ ରୁହ । ତୁମମାନଙ୍କ ବୁଦ୍ଧିରେ ଏବେ ନିଶ୍ଚୟ ରହିଛି । ନିଶ୍ଚୟ ବୁଦ୍ଧି ବିଜୟନ୍ତୀ । ସେହିମାନେ ହିଁ ବିଜୟ ପ୍ରାପ୍ତ କରିବେ । କେଉଁ କଥାରେ ବିଜୟୀ ହେବେ? ବାବାଙ୍କର ସମ୍ପତ୍ତି ଉପରେ । ସ୍ୱର୍ଗକୁ ଯିବା - ଏହା ହିଁ ବାବାଙ୍କର ସମ୍ପତ୍ତି ଉପରେ ବିଜୟ ପ୍ରାପ୍ତ କରିବା । ବାକି ପଦର ଅଧିକାରୀ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ । ସ୍ୱର୍ଗକୁ ତ ନିଶ୍ଚିତ ଯିବ । ତୁମେମାନେ ଜାଣିଛ ଯେ ଏହା ଛି-ଛି ଦୁନିଆ ଅଟେ । ଏଠାରେ ଆଗକୁ ବହୁତ ଦୁଃଖ ଆସିବାର ଅଛି । ଡ୍ରାମାର ଚକ୍ରକୁ ମଧ୍ୟ ତୁମେମାନେ ଜାଣୁଛ । ଅନେକ ଥର ବାବା ସମସ୍ତ ଆତ୍ମାମାନଙ୍କୁ ପାବନ କରି ମଶା ମାଛି ସଦୃଶ ନେଇଯିବା ପାଇଁ ଆସିଥା’ନ୍ତି ତା’ପରେ ନିଜେ ନିର୍ବାଣ ଧାମରେ ଯାଇ ନିବାସ କରିଥା’ନ୍ତି । ତୁମେମାନେ ମଧ୍ୟ ଯିବ! ତୁମମାନଙ୍କୁ ତ ଏହି ଖୁସୀ ରହିବା ଦରକାର ଯେ ଏହି ପାଠପଢି ଆମେ ସୁଖଧାମକୁ ଯିବୁ ଭାୟା ଶାନ୍ତିଧାମ । ଏହା ହିଁ ତୁମର ଲକ୍ଷ୍ୟ । ଏହି କଥାକୁ ଭୁଲିଯିବା ଉଚିତ୍ ନୁହେଁ । ପ୍ରତିଦିନ ଏହିକଥା ଶୁଣୁଛ ଏବଂ ଜାଣୁଛ ଯେ, ଆମକୁ ପତିତରୁ ପାବନ କରିବା ପାଇଁ ବାବା ପାଠ ପଢାଉଛନ୍ତି । ଯୋଗବଳ ଦ୍ୱାରା ପାବନ ହେବାର ସହଜ ଉପାୟ ବତାଉଛନ୍ତି । ଏହା କୌଣସି ନୂଆ କଥା ମଧ୍ୟ ନୁହଁ । ଗୀତାରେ ଲେଖାହୋଇଛି ଯେ ଭଗବାନ ରାଜଯୋଗ ଶିଖାଇଛନ୍ତି । ସେଥିରେ କେବଳ ବାବାଙ୍କ ପରିବର୍ତ୍ତେ କୃଷ୍ଣଙ୍କର ନାମ ଲେଖି ଭୁଲ୍ କରି ଦେଇଛନ୍ତି । ଏପରି ମଧ୍ୟ ନୁହେଁ ଯେ ପିଲାମାନଙ୍କୁ ଯେଉଁ ଜ୍ଞାନ ମିଳୁଛି, ତାହା ଗୀତା ବ୍ୟତୀତ ଆଉ କୌଣସି ଶାସ୍ତ୍ରରେ ଥିବ । ପିଲାମାନେ ଜାଣିଛନ୍ତି ଯେ, କୌଣସି ବି ମନୁଷ୍ୟମାନଙ୍କର ମହିମା ସେଭଳି ନାହିଁ, ଯେଉଁଭଳି ବାବାଙ୍କର ମହିମା ରହିଛି । ବାବା ଯଦି ନ ଆସିବେ ତେବେ ସୃଷ୍ଟିର ଚକ୍ର ହିଁ ଘୂରିବ ନାହିଁ । ଦୁଃଖଧାମରୁ ସୁଖଧାମ କିପରି ହେବ? ସୃଷ୍ଟିର ଚକ୍ର ତ ଘୂରି ଚାଲିଛି । ବାବାଙ୍କୁ ମଧ୍ୟ ନିଶ୍ଚିତ ଆସିବାକୁ ହିଁ ପଡିବ । ବାବା ମଧ୍ୟ ସମସ୍ତଙ୍କୁ ନେଇଯିବା ପାଇଁ ଆସିଥା’ନ୍ତି । ପୁଣି ଚକ୍ର ଘୂରିଥାଏ? ଯଦି ବାବା ନ ଆସିବେ ତେବେ କଳିଯୁଗରୁ ସତ୍ୟଯୁଗ କିପରି ହେବ? ବାକି ଏ ସବୁ କଥା କୌଣସି ଶାସ୍ତ୍ରରେ ନାହିଁ । ରାଜଯୋଗ କେବଳ ଗୀତାରେ ହିଁ ଅଛି । ଯଦି ଜାଣିଯିବେ ଭଗବାନ ଆବୁରେ ଆସିଛନ୍ତି ତେବେ ଏକଦମ୍ ମିଶିବା ପାଇଁ ଦୌଡିବେ । ସନ୍ନ୍ୟାସୀମାନେ ମଧ୍ୟ ଭଗବାନଙ୍କ ସହିତ ମିଳନ କରିବା ପାଇଁ ଚାହିଁଥା’ନ୍ତି ନା । ଘରକୁ ଫେରିଯିବା ପାଇଁ ପତିତପାବନଙ୍କୁ ମନେ ପକାଇଥା’ନ୍ତି । ଏବେ ତୁମେମାନେ ପଦମା ପଦମ ଭାଗ୍ୟଶାଳୀ ହେଉଛ । ସେଠାରେ ଅର୍ଥାତ୍ ସ୍ୱର୍ଗରେ ଅସରନ୍ତି ସୁଖ ଥାଏ । ନୂଆ ଦୁନିଆରେ ଯେଉଁ ଦେବୀ-ଦେବତା ଧର୍ମ ଥିଲା, ତାହା ଏବେ ନାହିଁ । ବାବା ବ୍ରହ୍ମାଙ୍କ ଦ୍ୱାରା ଦୈବୀ ରାଜ୍ୟର ସ୍ଥାପନା କରୁଛନ୍ତି । ଏହା ତ କ୍ଲିଅର କଥା ଏବଂ ଏହା ହିଁ ତୁମର ଲକ୍ଷ୍ୟ ମଧ୍ୟ ଅଟେ । ଏଥିରେ ସଂଶୟର କୌଣସି କଥା ନାହିଁ । ଆଗକୁ ଯାଇ ସମସ୍ତେ ବୁଝିଯିବେ ଯେ, ରାଜଧାନୀ ନିଶ୍ଚିତ ସ୍ଥାପନ ହେଉଛି । ଏହା ଆଦି ସନାତନ ଦେବୀ-ଦେବତା ଧର୍ମ ଅଟେ । ଯେତେବେଳେ ତୁମେ ସ୍ୱର୍ଗରେ ଥିଲ ସେତେବେଳେ ଏହାର ନାମ ଭାରତ ଥିଲା ପୁଣି ଯେତେବେଳେ ତୁମେ ନର୍କକୁ ଆସୁଛ ସେତେବେଳେ ଏହାର ନାମ ହିନ୍ଦୁସ୍ଥାନ ହୋଇଯାଉଛି । ଏଠାରେ କେବଳ ଦୁଃଖ ହିଁ ଦୁଃଖ ରହିଛି । ପରେ ପୁଣି ଏହି ସୃଷ୍ଟି ବଦଳିଯାଉଛି, ସ୍ୱର୍ଗ ସୁଖଧାମ ଅଟେ । ଏହି ଜ୍ଞାନ ତୁମ ପିଲାମାନଙ୍କ ପାଖରେ ଅଛି । ଦୁନିଆର ମନୁଷ୍ୟମାନେ ଏକଥା କିଛି ବି ଜାଣିନାହାନ୍ତି । ବାବା ସ୍ୱୟଂ କହୁଛନ୍ତି ଏବେ ଅନ୍ଧକାର ରାତ୍ରୀ ଅଟେ । ରାତ୍ରୀରେ ମନୁଷ୍ୟ ଧକ୍କା ଖାଇଥା’ନ୍ତି । ତୁମେମାନେ ଆଲୋକରେ ଅଛ । ଏହି କଥାକୁ ମଧ୍ୟ ସାକ୍ଷୀ ହୋଇ ବୁଦ୍ଧିରେ ଧାରଣ କରିବାକୁ ହେବ । ସେକେଣ୍ଡ ବାଇ ସେକେଣ୍ଡ ବେହଦ ସୃଷ୍ଟିର ଚକ୍ର ଘୂରିଚାଲିଛି । ଗୋଟିଏ ଦିନର ଦୃଶ୍ୟ ଅନ୍ୟ ଦିନ ସହିତ ମିଶିନଥାଏ । ସାରା ଦୁନିଆର କାର୍ଯ୍ୟକଳାପ ପରିବର୍ତ୍ତନ ହୋଇ ଚାଲିଛି । ନୂଆ ନୂଆ ଦୃଶ୍ୟ ଦେଖିବାକୁ ମିଳୁଛି । ଏହି ସମୟରେ ସମ୍ପୂର୍ଣ୍ଣ ଦୁଃଖର ଦୃଶ୍ୟ ରହିଛି । ଯଦିଓ କିଛି ସୁଖ ରହିଛି କିନ୍ତୁ ତାହା ମଧ୍ୟ କାକ ବିଷ୍ଠା ସମାନ ଅର୍ଥାତ୍ ଅଳ୍ପକାଳର ସୁଖ । ବାକି ଦୁଃଖ ହିଁ ଦୁଃଖ ରହିଛି । ଯଦିଓ ଏହି ଜନ୍ମରେ ସୁଖ ଅଛି ପୁଣି ଅନ୍ୟ ଜନ୍ମରେ ଦୁଃଖ ଥିବ । ଏବେ ତୁମମାନଙ୍କ ବୁଦ୍ଧିରେ ଅଛି ଯେ ବର୍ତ୍ତମାନ ଆମେ ନିଜ ଘରକୁ ଯାଉଛୁ । ଏଥିପାଇଁ ପାବନ ହେବାର ମେହନତ କରିବାକୁ ହେବ । ଯିଏ ଶ୍ରୀ ଶ୍ରୀ ସିଏ ଶ୍ରୀଲକ୍ଷ୍ମୀ-ନାରାୟଣ ହେବା ପାଇଁ ଶ୍ରୀମତ ଦେଇଛନ୍ତି । ଯେପରି ବାରିଷ୍ଟର, ବାରିଷ୍ଟର ହେବା ପାଇଁ ମତ ଦେବେ । ସେହିପରି ଏବେ ବାବା ମଧ୍ୟ କହୁଛନ୍ତି ଶ୍ରୀମତ ଆଧାରରେ ଏହିପରି ହୁଅ ।

ତେବେ ନିଜକୁ ପଚାରିବା ଦରକାର - ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ଗାୟନ ମଧ୍ୟ କରୁଛନ୍ତି ଯେ ମୁଁ ନିର୍ଗୁଣ, ମୋଠାରେ କୌଣସି ଗୁଣ ନାହିଁ, ନିଜ ପ୍ରତି ଦୟା ଆସୁଛି । ତରସ ଅର୍ଥାତ୍ ଦୟା । ବାବା କହୁଛନ୍ତି - ପିଲାମାନେ ମୁଁ ତ କାହା ପ୍ରତି ଦୟା କରି ନ ଥାଏ । ଦୟା ତ ପ୍ରତ୍ୟେକଙ୍କୁ ନିଜେ ନିଜ ଉପରେ କରିବାକୁ ହେବ । ଏହି ଡ୍ରାମା ପୂର୍ବ ନିର୍ଦ୍ଧାରିତ ଅଟେ । ନିର୍ଦ୍ଦୟ ରାବଣ ତୁମକୁ ଦୁଃଖ ଦେଇଛି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ଏଥିରେ ରାବଣର ମଧ୍ୟ କୌଣସି ଦୋଷ ନାହିଁ । ବାବା ଆସି କେବଳ ରାୟ ଦେଉଛନ୍ତି । ଏହା ହିଁ ତାଙ୍କର ଦୟା । ବାକି ଏହି ରାବଣ ରାଜ୍ୟ ତ’ ପୁଣି ବି ଚାଲିବ । ଡ୍ରାମା ଅନାଦି । ଏଥିରେ ନା ରାବଣର ଦୋଷ ନା ମନୁଷ୍ୟମାନଙ୍କର ଦୋଷ । ଚକ୍ରକୁ ଘୂରିବାକୁ ହିଁ ପଡିବ । ରାବଣଠାରୁ ମୁକ୍ତ କରିବା ପାଇଁ ବାବା ଉପାୟ ବତାଉଛନ୍ତି । ରାବଣ ମତରେ ତୁମେମାନେ କେତେ ପାପ ଆତ୍ମା ହୋଇଯାଇଛ । ଏହା ପୁରୁଣା ଦୁନିଆ । ପୁଣି ନିଶ୍ଚିତ ନୂଆ ଦୁନିଆ ଆସିବ । ଚକ୍ର ତ ଘୂରିବ ନା । ସତ୍ୟଯୁଗ ପୁନର୍ବାର ନିଶ୍ଚିତ ଆସିବ । ଏବେ ସଂଗମଯୁଗ ଚାଲିଛି । ବାସ୍ତବରେ ମହାଭାରତ ଲଢେଇ ମଧ୍ୟ ବର୍ତ୍ତମାନ ସମୟର । ବିନାଶ କାଳେ ବିପରୀତ ବୁଦ୍ଧି ବିନଶ୍ୟନ୍ତି । ଆଗକୁ ଏହିଭଳି ହେବାକୁ ଯାଉଛି । ଆମେମାନେ ବିଜୟନ୍ତୀ ଅର୍ଥାତ୍ ସ୍ୱର୍ଗର ମାଲିକ ହେବୁ । ବାକି ସବୁ ରହିବେ ନାହିଁ । ଏକଥା ମଧ୍ୟ ତୁମେମାନେ ଜାଣୁଛ ଯେ ପବିତ୍ର ନହେଲେ ଦେବତା ହେବା ଅସମ୍ଭବ । ବର୍ତ୍ତମାନ ବାବାଙ୍କଠାରୁ ଶ୍ରେଷ୍ଠ ଦେବତା ହେବା ପାଇଁ ଶ୍ରୀମତ ମିଳୁଛି । ଏଭଳି ମତ ଆଉ କେବେ ମିଳିପାରିବ ନାହିଁ । ତାଙ୍କର ଶ୍ରୀମତ ଦେବାର ପାର୍ଟ କେବଳ ସଂଗମଯୁଗରେ ହିଁ ରହିଛି । ଆଉ କାହାଠାରେ ତ’ ଏହି ଜ୍ଞାନ ହିଁ ନାହିଁ । ଭକ୍ତି ମାନେ ଭକ୍ତି । ତାକୁ ଜ୍ଞାନ କୁହାଯାଇପାରିବ ନାହିଁ । ଆତ୍ମିକ ଜ୍ଞାନ, ଜ୍ଞାନର ସାଗର ହିଁ ଦେଇଥା’ନ୍ତି । ସେଥିପାଇଁ ତାଙ୍କର ମହିମା ହେଲା ଜ୍ଞାନର ସାଗର, ସୁଖର ସାଗର । ବାବା ପୁରୁଷାର୍ଥ କରିବାର ଉପାୟ ମଧ୍ୟ ବତାଉଛନ୍ତି । ତେବେ ଏହି ଖିଆଲ ରଖିବା ଦରକାର ଯେ, ଏବେ ଯଦି ଫେଲ୍ ହେଲ ତେବେ କଳ୍ପ-କଳ୍ପାନ୍ତର ପାଇଁ ଫେଲ୍ ହେଉଥିବ । ବହୁତ ଧକ୍କା ଲାଗିଯିବ । ଯଦି ଶ୍ରୀମତ ଆଧାରରେ ନ ଚାଲିବ ତେବେ ଧକ୍କା ଲାଗିବ । ବ୍ରାହ୍ମଣମାନଙ୍କର ବୃକ୍ଷ ମଧ୍ୟ ନିଶ୍ଚିତ ବଢ଼ିବ ଏବଂ ତାହା ମଧ୍ୟ ସେତିକି ବଢିବ ଯେତିକି ଦେବତାମାନଙ୍କର ବୃକ୍ଷ ଥିବ । ଏବେ ତୁମକୁ ପୁରୁଷାର୍ଥ କରିବାକୁ ପଡିବ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ପଡିବ । କଲମି ଲାଗୁଥିବ ଏବଂ ବୃକ୍ଷ ମଧ୍ୟ ବଡ ହୋଇଯିବ । ତୁମେମାନେ ଜାଣୁଛ ଯେ ଏବେ ଆମର କଲ୍ୟାଣ ହେବାକୁ ଯାଉଛି । ପତିତ ଦୁନିଆରୁ ପାବନ ଦୁନିଆକୁ ଯିବାର କଲ୍ୟାଣ ହେଉଛି । ତୁମମାନଙ୍କର ବୁଦ୍ଧିର ତାଲା ଏବେ ଖୋଲା ଅଛି । ବାବା ହେଲେ ବୁଦ୍ଧିମାନମାନଙ୍କର ବୁଦ୍ଧି ନା । ଏବେ ତୁମେ ଜାଣୁଛ ପୁଣି ଆଗକୁ ଗଲେ ଦେଖିବ କାହା-କାହାର ତାଲା ଖୋଲୁଛି । ଏହା ମଧ୍ୟ ଡ୍ରାମା ଚାଲିଛି । ପୁଣି ସତ୍ୟଯୁଗରୁ ପୁନରାବୃତ୍ତି ହେବ । ଯେବେଠାରୁ ଲକ୍ଷ୍ମୀ-ନାରାୟଣ ସିଂହାସନରେ ବସିବେ ସେବେଠାରୁ ସଂବତ ଆରମ୍ଭ ହୋଇଥାଏ । ତୁମେମାନେ ମଧ୍ୟ ଲେଖୁଛ ଏକରୁ ୧୨୫୦ ବର୍ଷ ପର୍ଯ୍ୟନ୍ତ ସ୍ୱର୍ଗ ଦୁନିଆ ଚାଲୁଛି । ଏହା ତ ସମ୍ପୂର୍ଣ୍ଣ ସ୍ପଷ୍ଟ ଅଟେ ନା । ଦୁନିଆରେ ସତ୍ୟନାରାୟଣ କଥା ବା ଅମରକଥାର ଗାୟନ ରହିଛି କିନ୍ତୁ ତୁମେମାନେ ବର୍ତ୍ତମାନ ପ୍ରକୃତ ସତ୍ୟନାରାୟଣଙ୍କ କଥା ଶୁଣୁଛ ଯାହାର ଗାୟନ ପରବର୍ତ୍ତୀ ସମୟରେ ହେଉଛି । ସମସ୍ତ ପର୍ବପର୍ବାଣୀ ଗୁଡିକ ମଧ୍ୟ ଏହି ସମୟର ସ୍ମାରକୀ ଅଟେ । ନମ୍ବରୱାନ୍ ଉତ୍ସବ ହେଉଛି ଶିବବାବାଙ୍କର । କଳିଯୁଗ ପରେ ଦୁନିଆକୁ ପରିବର୍ତ୍ତନ କରିବା ପାଇଁ ବାବାଙ୍କୁ ନିଶ୍ଚିତ ଆସିବାକୁ ପଡିବ । ଚିତ୍ରଗୁଡିକୁ ଯଦି ଭଲ ଭାବରେ ଦେଖିବ, ସେଥିରେ ସମ୍ପୂର୍ଣ୍ଣ ହିସାବ ରହିଛି । ତୁମମାନଙ୍କର କେତେ ଖାତିରି ରହିଛି । ଯେତିକି କଳ୍ପ ପୂର୍ବରୁ ପୁରୁଷାର୍ଥ କରିଥିବେ ସେତିକି ନିଶ୍ଚିତ କରିବେ ଏବଂ ସାକ୍ଷୀ ହୋଇ ଅନ୍ୟମାନଙ୍କର ମଧ୍ୟ ଦେଖିବେ । ସେମାନେ ନିଜେ ନିଜର ପୁରୁଷାର୍ଥକୁ ମଧ୍ୟ ଜାଣିଥା’ନ୍ତି । ତୁମେମାନେ ମଧ୍ୟ ଜାଣିଛ । ବିଦ୍ୟାର୍ଥୀମାନେ କ’ଣ ନିଜର ପାଠପଢାକୁ ଜାଣି ନଥିବେ? ମନ ନିଶ୍ଚିତ ଖାଇବ ଯେ ମୁଁ ଏହି ବିଷୟରେ ବହୁତ ଦୁର୍ବଳ ଅଛି । କେହି କେହି ଫେଲ୍ ମଧ୍ୟ ହୋଇଯାଇଥା’ନ୍ତି । ଯେଉଁ ପିଲା ପାଠପଢାରେ ଦୁର୍ବଳ ହୋଇଥିବେ ପରୀକ୍ଷା ସମୟରେ ସେମାନଙ୍କର ହୃଦୟରେ ପ୍ରକମ୍ପନ ସୃଷ୍ଟି ହୋଇଥାଏ । ତୁମେ ପିଲାମାନେ ମଧ୍ୟ ସାକ୍ଷାତ୍‌କାର କରିବ ପରନ୍ତୁ ଫେଲ୍ ହୋଇଗଲେ, କ’ଣ କରିପାରିବ । ସ୍କୁଲ୍‌ରେ ଫେଲ୍ ହେଲେ ପରିବାର ବର୍ଗ ମଧ୍ୟ ଅସନ୍ତୁଷ୍ଟ ତ ଟୀଚର ମଧ୍ୟ ଅସନ୍ତୁଷ୍ଟ ହୋଇଥା’ନ୍ତି । କହିବେ ଆମ ସ୍କୁଲ୍‌ରୁ କମ୍ ପାଶ ହୋଇଛନ୍ତି ତେବେ ବୁଝିବାକୁ ହୁଏ ଯେ, ଟୀଚର ଏତେ ଭଲ ନୁହଁନ୍ତି । ତେଣୁ କମ୍ ପାସ୍‌ ହୋଇଛନ୍ତି । ବାବା ମଧ୍ୟ ଜାଣିଥାନ୍ତି ଯେ ସେବାକେନ୍ଦ୍ରରେ କେଉଁ କେଉଁମାନେ ଭଲ ଟିଚର ଅଛନ୍ତି, କିପରି ପାଠ ପଢାଉଛନ୍ତି । କେଉଁ କେଉଁମାନେ ଭଲ ଭାବରେ ପାଠପଢାଇ ବାବାଙ୍କ ପାଖକୁ ନେଇ ଆସୁଛନ୍ତି । ସବୁ ଜଣାପଡିଯାଏ । ବାବା କହୁଛନ୍ତି ବାଦଲମାନଙ୍କୁ ମୋ ସମ୍ମୁଖକୁ ଆଣ । ଯଦି ଛୋଟ ପିଲାମାନଙ୍କୁ ସାଥୀରେ ଆଣିବ ତେବେ ତାଙ୍କ ପାଖରେ ମୋହ ରହିବ । ତେଣୁ ଏକୁଟିଆ ଆସିବା ଦରକାର, ତେବେ ବୁଦ୍ଧି ଭଲ ଭାବରେ ଲାଗି ରହିବ । ପିଲାମାନଙ୍କୁ ତ ସେଠାରେ ବି ଦେଖୁଛ ।

ବାବା କହୁଛନ୍ତି ଯେ ଏହି ପୁରୁଣା ଦୁନିଆ ତ କବରସ୍ଥାନ ହୋଇଯିବ । ନୂଆ ଘର ତିଆରି କରିଲେ ବୁଦ୍ଧିରେ ରହିଥାଏ ଯେ, ଆମର ନୂଆ ଘର ତିଆରି ହେଉଛି । ଧନ୍ଦା ଆଦି ତ କରିଥା’ନ୍ତି । କିନ୍ତୁ ବୁଦ୍ଧି ନୂଆ ଘର ପ୍ରତି ରହିଥାଏ । କେହି ନିରବରେ ତ ବସି ଯାଆନ୍ତି ନାହଁ । ତାହା ତ ହଦର କଥା, ଏହା ହେଲା ବେହଦର କଥା । ପ୍ରତ୍ୟେକ କାର୍ଯ୍ୟ କରି ମଧ୍ୟ ସ୍ମୃତିରେ ରହୁ ଯେ, ଏବେ ମୁଁ ଘରକୁ ଯାଇ ପୁଣି ନିଜର ରାଜଧାନୀକୁ ଯିବି ତେବେ ଅପାର ଖୁସୀ ରହିବ । ବାବା କହୁଛନ୍ତି - ପିଲାମାନେ, ନିଜର ସନ୍ତାନମାନଙ୍କୁ ମଧ୍ୟ ସମ୍ଭାଳିବାକୁ ପଡିବ । ପରନ୍ତୁ ବୁଦ୍ଧି ସେଠାରେ ଲାଗି ରହୁ । ଯଦି ବାବାଙ୍କୁ ସ୍ମରଣ ନ କରିବ ତେବେ ପବିତ୍ର ମଧ୍ୟ ହୋଇପାରିବ ନାହିଁ । ଯୋଗ ଦ୍ୱାରା ପବିତ୍ର ଏବଂ ଜ୍ଞାନ ଦ୍ୱାରା ରୋଜଗାର ହୋଇଥାଏ । ଏଠାରେ ତ ସମସ୍ତେ ପତିତ । ଦୁଇଟି କୂଳ ରହିଛି । ବାବାଙ୍କୁ ନାବିକ ମଧ୍ୟ କହିଥା’ନ୍ତି, ପରନ୍ତୁ ଏହାର ଅର୍ଥକୁ କେହି ବି ଜାଣି ନାହାଁନ୍ତି । ତୁମେମାନେ ଜାଣିଛ ଯେ, ବାବା ଆମମାନଙ୍କୁ ଏ କୂଳରୁ ସେ କୂଳକୁ ନେଇ ଯାଉଛନ୍ତି । ଆତ୍ମା ଜାଣିଛି ଯେ ଆମେ ଏବେ ବାବାଙ୍କୁ ସ୍ମରଣ କରି ବହୁତ ନିକଟତ୍ତର ହେଉଛୁ । ନାବିକ ନାମ ମଧ୍ୟ ଅର୍ଥ ସହିତ ରଖାଯାଇଛି ନା । ମହିମା କରିଥା’ନ୍ତି - ନୌକା ମୋର ପାରି କରିଦିଅ । ସତ୍ୟଯୁଗରେ କ’ଣ ଏପରି କହିବେ କି? ସମସ୍ତେ ଏହି କଳିଯୁଗରେ ହିଁ ଡାକୁଛନ୍ତି । ତୁମେମାନେ ଜାଣିଛ ଯେ ଯେଉଁମାନେ କିଛି ବୁଝିନାହାନ୍ତି, ସେମାନଙ୍କୁ ତ ଏଠାକୁ ଆଣିବାର ନାହିଁ । ବାବା ସମ୍ପୂର୍ଣ୍ଣ ମନା କରୁଛନ୍ତି । ଯଦି ବାବାଙ୍କ ଉପରେ ନିଶ୍ଚୟ ନାହିଁ ତେବେ କଦାପି ବାବାଙ୍କ ନିକଟକୁ ଆଣିବା ଉଚିତ୍ ନୁହେଁ । ସେମାନେ କିଛି ବି ବୁଝିପାରିବେ ନାହିଁ । ପ୍ରଥମେ ତ ୭ ଦିନର କୋର୍ସ କରାଅ । କାହା କାହାକୁ ତ ୨ ଦିନରେ ମଧ୍ୟ ତୀର ଲାଗିଯାଏ । ଯଦି ଭଲ ଲାଗିବ ତେବେ ଆଉ କ’ଣ ଛାଡିବେ କି । ସେମାନେ କହିବେ ମୁଁ ଆହୁରି ମଧ୍ୟ ୭ ଦିନ ଶିଖିବି । ଏଥିରୁ ବୁଝିହୋଇଯାଏ ଯେ, ଇଏ ଏହି କୂଳର ଅଟେ । ଯାହାର ତୀକ୍ଷ୍ଣ ବୁଦ୍ଧି ହୋଇଥିବ, ସେମାନେ କୌଣସି କଥାର ଚିନ୍ତା କରିବେ ନାହିଁ । ଆଚ୍ଛା, ଗୋଟିଏ ଚାକିରୀ ଚାଲିଯିବ ତେବେ ଆଉ ଏକ ମିଳିଯିବ । ଯେଉଁ ପିଲାମାନେ ହୃଦୟବାନ ହୋଇଥା’ନ୍ତି ସେମାନଙ୍କର ଚାକିରୀ ଆଦି ଚାଲିଯାଏ ନାହିଁ । ସେମାନେ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି । ଝିଅମାନେ କହନ୍ତି ଆମ ପତିଙ୍କ ବୁଦ୍ଧିକୁ ପରିବର୍ତ୍ତନ କରିଦିଅ । ବାବା କହୁଛନ୍ତି ମୋତେ ସେ କଥା କୁହ ନାହିଁ । ତୁମେମାନେ ନିଜେ ଯୋଗଯୁକ୍ତ ହୋଇ ରୁହ ତା’ପରେ ବସି ଜ୍ଞାନ ବୁଝାଅ । ବାବା କ’ଣ ବୁଦ୍ଧିକୁ ପରିବର୍ତ୍ତନ କରିବେ । ତାହେଲେ ତ ପୁଣି ସମସ୍ତେ ଏହିଭଳି ଧନ୍ଦା କରିଚାଲିବେ । ଏହିଭଳି ଯେଉଁ ସବୁ ପ୍ରଥା ବାହାରିଲା, ତାହା କରିବାରେ ଲାଗିଗଲେ । କୌଣସି ଗୁରୁଙ୍କଠାରୁ କାହାକୁ କିଛି ଫାଇଦା ହେଲା, ଶୁଣିଲେ ତ ବାସ୍ ତାଙ୍କ ପଛରେ ପଡିଗଲେ । ଯଦି ପରମଧାମରୁ ନୂଆ ଆତ୍ମା ଆସିଥା’ନ୍ତି ତାଙ୍କର ବହୁତ ମହିମା ହୋଇଥାଏ ନା । ତାଙ୍କର ବହୁତ ଶିଷ୍ୟ ମଧ୍ୟ ହୋଇଯାଇଥା’ନ୍ତି । ଏଣୁ ଏହି ସବୁ କଥାକୁ ଦେଖିବା ଉଚିତ୍ ନୁହେଁ । ତୁମକୁ ଦେଖିବାକୁ ହେବ ଯେ - ମୁଁ କେତେ ଭଲ ପାଠ ପଢୁଛି? ଏହି ବିଷୟରେ ତ ବାବା ବିସ୍ତୃତ ଭାବରେ ଆଲୋଚନା କରୁଛନ୍ତି । ବାକି ଏତିକି କହିଦିଅ ଯେ, ବାବାଙ୍କୁ ମନେ ପକାଅ । ଏହା ତ ଘରେ ରହି ମଧ୍ୟ କରିପାରିବ । କିନ୍ତୁ ଯେହେତୁ ବାବା ଜ୍ଞାନର ସାଗର ତେଣୁ ଜ୍ଞାନ ମଧ୍ୟ ନିଶ୍ଚିତ ଦେବେ ନା । ମୁଖ୍ୟ କଥା ହେଲା - ମନମନାଭବ । ତା’ ସହିତ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ମଧ୍ୟ ବୁଝାଉଛନ୍ତି । ଏବେ ତ ବହୁତ ଭଲ-ଭଲ ଚିତ୍ର ମଧ୍ୟ ବାହାରିଛି । ଯାହାର ଅର୍ଥ ମଧ୍ୟ ବାବା ବୁଝାଉଛନ୍ତି । ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଛନ୍ତି ବୋଲି ଦେଖାଇଛନ୍ତି । ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ଅଛି ପୁଣି ବିଷ୍ଣୁଙ୍କ ନାଭୀରୁ ବ୍ରହ୍ମା ଦେଖାଉଛନ୍ତି । ଏହା ପୁଣି କ’ଣ? ବାବା ବସି ବୁଝାଉଛନ୍ତି - ଏହା ଠିକ୍ ନା ଭୁଲ୍‌? ମନମୁଗ୍ଧକର ଚିତ୍ର ମଧ୍ୟ ବହୁତ ତିଆରି କରିଛନ୍ତି ନା । କେଉଁ କେଉଁ ଶାସ୍ତ୍ରରେ ଚକ୍ର ବି ଦେଖାଇଛନ୍ତି । କିନ୍ତୁ କିଏ କେତେ ଆୟୁଷ ଲେଖିଛନ୍ତି, କିଏ କେତେ ଲେଖିଛନ୍ତି । ଅନେକ ମତ ରହିଛି ନା । ଶାସ୍ତ୍ରରେ ହଦର କଥା ଲେଖି ଦେଇଛନ୍ତି ବାବା ବେହଦର କଥା ବୁଝାଉଛନ୍ତି । ବର୍ତ୍ତମାନ ସମଗ୍ର ବିଶ୍ୱରେ ରାବଣର ରାଜ୍ୟ ଚାଲିଛି । ବର୍ତ୍ତମାନ ତୁମମାନଙ୍କ ବୁଦ୍ଧିରେ ଜ୍ଞାନ ରହିଛି - ଆମେ କିପରି ପତିତ ହୋଇଛୁ ପୁଣି ପାବନ କିପରି ହେଉଛୁ । ପରେ ପୁଣି ଅନ୍ୟ ଧର୍ମ ସବୁ ଆସିଥାଏ । ବର୍ତ୍ତମାନ ଅନେକ ଭେରାଇଟି ଧର୍ମ ରହିଛି । ଗୋଟିଏ ଚେହେରା ଆଉ ଗୋଟିଏ ସହିତ ମିଶି ନଥାଏ । ଏକାଭଳି ଚେହେରାର ଦୁଇ ଜଣ ବ୍ୟକ୍ତି ହୋଇପାରିବେ ନାହିଁ । ଏହା ପୂର୍ବ ନିର୍ମିତ ଖେଳ, ଯାହାର କି ପୁନରାବୃତ୍ତି ହେଉଛି । ବାବା ପିଲାମାନଙ୍କୁ ବସି ବୁଝାଉଛନ୍ତି । ସମୟ କମି କମି ଯାଉଛି । ତେଣୁ ନିଜକୁ ନିରିକ୍ଷଣ କର - ମୁଁ କେତେ ଖୁସିରେ ରହୁଛି? ମୋତେ କୌଣସି ବିକର୍ମ କରିବାର ନାହିଁ । ମାୟାର ତୋଫାନ ତ ଆସିବ । ବାବା ବୁଝାଉଛନ୍ତି ଯେ - ପିଲାମାନେ, ଅନ୍ତର୍ମୂଖୀ ହୋଇ ନିଜର ଚାର୍ଟକୁ ଦେଖ । ତେବେ ଯେଉଁ ଭୁଲ୍ ହେବ ତାହାର ପଶ୍ଚାତାପ କରିପାରିବ । ଏହା ଯେପରି ଯୋଗବଳ ଦ୍ୱାରା ନିଜକୁ କ୍ଷମା କରୁଛ । ବାବା କୌଣସି କ୍ଷମା କରି ନ ଥା’ନ୍ତି । ଡ୍ରାମାରେ କ୍ଷମା ଅକ୍ଷର ହିଁ ନାହିଁ । ତୁମକୁ ନିଜକୁ ପରିଶ୍ରମ କରିବାକୁ ହେବ । ପାପର ଦଣ୍ଡ ମନୁଷ୍ୟ ନିଜେ ହିଁ ଭୋଗିଥା’ନ୍ତି । କ୍ଷମାର କଥା କିଛି ନାହିଁ । ବାବା କହୁଛନ୍ତି ଯେ ପ୍ରତ୍ୟେକ କ୍ଷେତ୍ରରେ ପରିଶ୍ରମ କର । ବାବା ଏହାର ଉପାୟ ବତାଉଛନ୍ତି । ତୁମେମାନେ ବାବାଙ୍କୁ ଡାକୁଛ ପୁରୁଣା ରାବଣର ଦେଶକୁ ଆସ, ଆସି ଆମ ପତିତମାନଙ୍କୁ ପବିତ୍ର କର । କିନ୍ତୁ ମନୁଷ୍ୟ କିଛି ବି ବୁଝୁ ନାହାଁନ୍ତି । ସେମାନେ ହେଲେ ଆସୁରୀ ସମ୍ପ୍ରଦାୟ, ତୁମେ ହେଲ ବ୍ରାହ୍ମଣ ସମ୍ପ୍ରଦାୟ ଯେଉଁମାନେ କି ଦୈବୀ ସମ୍ପ୍ରଦାୟର ହେବାକୁ ଯାଉଛ । ପିଲାମାନେ ପୁରୁଷାର୍ଥ ମଧ୍ୟ କ୍ରମାନୁସାରେ କରିଥା’ନ୍ତି । ପୁଣି କହିଥା’ନ୍ତି ଏହାର ଭାଗ୍ୟରେ ଏତିକି ହିଁ ଅଛି । ନିଜର ସମୟ ନଷ୍ଟ କରିଥା’ନ୍ତି । ସେମାନେ ଜନ୍ମ-ଜନ୍ମାନ୍ତର, କଳ୍ପ-କଳ୍ପାନ୍ତର ଉଚ୍ଚ ପଦ ପାଇ ପାରିବେ ନାହିଁ । ତେବେ ନିଜକୁ କ୍ଷତିରେ ପକାଇବା ଅନୁଚିତ୍‌, କାହିଁକି ନା ଏବେ ଏବେ ଜମା ହେଉଛି ପୁଣି କ୍ଷତି ହୋଇଯାଉଛି । ରାବଣ ରାଜ୍ୟରେ କେତେ କ୍ଷତି ହୋଇଥାଏ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅନ୍ତର୍ମୂଖୀ ହୋଇ ନିଜକୁ ନିରିକ୍ଷଣ କରିବାକୁ ହେବ, ଯାହା ବି ଭୁଲ୍ ହେଉଛି ସେଥିପାଇଁ ଅନ୍ତରର ସହିତ ପଶ୍ଚାତାପ କରି ଯୋଗ ବଳ ଦ୍ୱାରା ନିଜକୁ କ୍ଷମା କରିବାକୁ ହେବ । ନିଜ ପାଇଁ ନିଜକୁ ହିଁ ପରିଶ୍ରମ କରିବାକୁ ହେବ ।

(୨) ବାବାଙ୍କ ଠାରୁ ଯେଉଁ ସବୁ ଉପଦେଶ ମିଳୁଛି ସେଗୁଡିକୁ ସମ୍ପୂର୍ଣ୍ଣ ରୂପରେ ଜୀବନରେ ଧାରଣ କରି ନିଜ ଉପରେ ନିଜକୁ ଦୟା କରିବାକୁ ହେବ । ସାକ୍ଷୀ ହୋଇ ନିଜର ଏବଂ ଅନ୍ୟମାନଙ୍କର ପୁରୁଷାର୍ଥକୁ ଦେଖିବାକୁ ହେବ । କେବେ ବି ନିଜର କ୍ଷତି କରିବାର ନାହିଁ ।

ବରଦାନ:-
ବିଶ୍ୱ କଲ୍ୟାଣର ଭାବନା ଦ୍ୱାରା ପ୍ରତ୍ୟେକ ଆତ୍ମାକୁ ସୁରକ୍ଷିତ ରଖିବାର ଯୋଜନା କରୁଥିବା ସଚ୍ଚା ଦୟାଳୁ ହୁଅ ।

ବର୍ତ୍ତମାନ ସମୟରେ ଅନେକ ଆତ୍ମା ନିଜେ ହିଁ ନିଜର ଅକଲ୍ୟାଣର ନିମିତ୍ତ ହେଉଛନ୍ତି । ସେମାନଙ୍କ ପାଇଁ, ଦୟାଳୁ ହୋଇ କୌଣସି ନା କୌଣସି ସୁରକ୍ଷାର ଯୋଜନା କର । କୌଣସି ବି ଆତ୍ମାର ପାର୍ଟକୁ ଦେଖି ନିଜେ ହଲଚଲ ହୁଅ ନାହିଁ କିନ୍ତୁ ସେମାନଙ୍କୁ ସୁରକ୍ଷା ଦେବାର ଉପାୟ ଚିନ୍ତା କର, ଏମିତି ଭାବ ନାହିଁ ଯେ ଏହିଭଳି ତ ହୋଇଚାଲିଛି । ବୃକ୍ଷର ପତ୍ର ତ ଝଡିବ ନିଶ୍ଚିତ । ନା । ସେମାନଙ୍କ ପାଇଁ ଆସୁଥିବା ବିଘ୍ନକୁ ସମାପ୍ତ କର । ବିଶ୍ୱକଲ୍ୟାଣକାରୀ ବା ବିଘ୍ନ ବିନାଶକର ଯେଉଁ ଉପାଧି ପାଇଛ ସେହି ଅନୁସାରେ ସଂକଳ୍ପ ବା ବାଣୀ ଏବଂ କର୍ମରେ ଦୟାଳୁ ହୋଇ ବାତାବରଣକୁ ପରିବର୍ତ୍ତନ କରିବାରେ ସହଯୋଗୀ ହୁଅ ।

ସ୍ଲୋଗାନ:-
କର୍ମଯୋଗୀ ସେହିମାନେ ହୋଇପାରିବେ ଯେଉଁମାନେ ନିଜର ବୁଦ୍ଧି ଉପରେ ଧ୍ୟାନ ଦେବାର ଜଗୁଆଳୀ ରଖିଥାଆନ୍ତି ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ଅନ୍ତିମ ସମୟର ଫାଇନାଲ୍ ପରୀକ୍ଷାର ପ୍ରଶ୍ନ ଆସିବ - ତାହା ହେଲା ଗୋଟିଏ ସେକେଣ୍ଡରେ ଫୁଲ୍‌ଷ୍ଟପ୍ । ଏହିଥିରେ ହିଁ, ନମ୍ବର ମିଳିବ । ଯଦି ଗୋଟିଏ ସେକେଣ୍ଡରୁ ଅଧିକ ସମୟ ଲାଗିଗଲା ତେବେ ଫେଲ୍ ହୋଇଯିବ । କେବଳ “ବାବା ଏବଂ ମୁଁ” । କୌଣସି ତୃତୀୟ କଥା ବୁଦ୍ଧିକୁ ଆସୁ ନ ଥିବ । ଏମିତି ନୁହେଁ ଯେ ଏ କଥା ଟିକିଏ କରିଦେବି... ଏହାକୁ ଟିକିଏ ଦେଖିନେବି.... ଏ କାମ ହେଲା କି ନ ହେଲା.... । ଏହା କାହିଁକି ହେଲା, କିପରି ହେଲା - ଯଦି ଏଭଳି କୌଣସି ସଂକଳ୍ପ ଆସିଲା ତେବେ ଅନ୍ତିମ ପରୀକ୍ଷାରେ ପାସ୍ ହୋଇପାରିବ ନାହିଁ ।