25.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସର୍ବଦା
ଗୋଟିଏ ଚିନ୍ତାରେ ରୁହ ଯେ ମୋତେ ଭଲ ଭାବରେ ପାଠପଢି ନିଜକୁ ରାଜତିକଳ ଦେବାକୁ ହେବ ଅର୍ଥାତ୍
ଯୋଗ୍ୟ ହେବାକୁ ପଡିବ କାରଣ ପାଠପଢା ଦ୍ୱାରା ହିଁ ରାଜତ୍ୱ ମିଳିଥାଏ । ’’
ପ୍ରଶ୍ନ:-
ସନ୍ତାନମାନଙ୍କୁ
କେଉଁ ଭଳି ଉମଙ୍ଗ-ଉତ୍ସାହରେ ରହିବାକୁ ହେବ? କେବେ ବି ଭାଙ୍ଗି ପଡିବାର ନାହିଁ, କାହିଁକି?
ଉତ୍ତର:-
ସର୍ବଦା ଏହି ଉମଙ୍ଗ-ଉତ୍ସାହ ରହୁ ଯେ ମୋତେ ଲକ୍ଷ୍ମୀ-ନାରାୟଣଙ୍କ ଭଳି ଗୁଣବାନ ହେବାକୁ ପଡିବ,
ସେଥିପାଇଁ ସେଭଳି ପୁରୁଷାର୍ଥ କରିବାକୁ ହେବ । କେବେ ହେଲେ ନିରାଶ ହେବାର ନାହିଁ କାହିଁକି ନା ଏହି
ପାଠପଢା ବହୁତ ସହଜ, ଘରେ ରହି ମଧ୍ୟ ପାଠପଢି ପାରିବ, ଏଥିପାଇଁ କୌଣସି ଫିସ୍ ମଧ୍ୟ ଦେବାକୁ ପଡେ
ନାହିଁ, କିନ୍ତୁ ଏଥିପାଇଁ ସାହସ ଦରକାର ।
ଗୀତ:-
ତୁମ୍ହି ହୋ
ମାତା ପିତା...
ଓମ୍ ଶାନ୍ତି ।
ସନ୍ତାନମାନେ
ନିଜ ବାବାଙ୍କର ମହିମା ଶୁଣିଲେ । ମହିମା କେବଳ ଜଣଙ୍କର ହିଁ ରହିଛି । ଆଉ କାହାର ମହିମାର ଗାୟନ
ହୋଇପାରିବ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ମଧ୍ୟ କୌଣସି ମହିମା ନାହିଁ । ବାବା
ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ, ବିଷ୍ଣୁଙ୍କ ଦ୍ୱାରା ପାଳନା
କରାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ଶିବବାବା ହିଁ ଏହିପରି ଯୋଗ୍ୟ କରିଛନ୍ତି, ତେଣୁ
ତାଙ୍କର ହିଁ ମହିମା ରହିଛି, ତାଙ୍କ ବ୍ୟତୀତ ପୁଣି କାହାର ମହିମାର ଗାୟନ କରାଯିବ । ଯଦି ଏମାନଙ୍କୁ
ଏପରି କରିବା ପାଇଁ କେହି ଶିକ୍ଷକ ନଥା’ନ୍ତେ ତେବେ ଏମାନେ ଏପରି ହୋଇ ପାରି ନ ଥା’ନ୍ତେ ।
ବାସ୍ତବରେ ସୂର୍ଯ୍ୟବଂଶୀ ପରିବାରର ମହିମା ରହିଛି, ଯେଉଁମାନେ ସେଠାରେ ରାଜତ୍ୱ କରିଥିଲେ । ଯଦି
ବାବା ସଂଗମ ଯୁଗରେ ନ ଆସିଥା’ନ୍ତେ ତେବେ ଏମାନଙ୍କୁ ମଧ୍ୟ ରାଜତ୍ୱ ମିଳିପାରି ନ ଥାଆନ୍ତା । ଆଉ
କାହାର ଏପରି ମହିମା ନାହିଁ । ବିଦେଶୀମାନଙ୍କର କୌଣସି ମହିମା କରିବାର ଆବଶ୍ୟକତା ନାହିଁ । ମହିମା
କେବଳ ଜଣଙ୍କର ଅଛି, ଆଉ କାହାର ନାହିଁ । ଉଚ୍ଚରୁ ଉଚ୍ଚ ହେଲେ ଶିବବାବା । ତାଙ୍କଠାରୁ ହିଁ ଉଚ୍ଚ
ପଦ ମିଳୁଛି, ତେଣୁ ତାଙ୍କୁ ଭଲ ଭାବରେ ସ୍ମରଣ କରିବା ଆବଶ୍ୟକ । ନିଜକୁ ରାଜପଦର ଅଧିକାରୀ କରିବା
ପାଇଁ ହେଲେ ନିଜକୁ ହିଁ ପଢିବାକୁ ହେବ । ଯେପରି ଯିଏ ବାରିଷ୍ଟରୀ ପଢୁଛନ୍ତି, ନିଜେ ପାଠପଢି
ବାରିଷ୍ଟର ହେଉଛନ୍ତି ନା । ସେହିପରି ତୁମେମାନେ ମଧ୍ୟ ଜାଣିଛ ଶିବବାବା ଏବେ ଆମକୁ ପାଠ ପଢାଉଛନ୍ତି
। ଯିଏ ଭଲ ଭାବରେ ପାଠ ପଢିବ, ସେ ହିଁ ଉଚ୍ଚ ପଦର ଅଧିକାରୀ ହେବ । ପାଠ ନ ପଢିଲେ ପଦ ମଧ୍ୟ
ପାଇପାରିବ ନାହିଁ । ପାଠ ପଢିବା ପାଇଁ ହିଁ ଶ୍ରୀମତ ମିଳୁଛି । ମୂଳ କଥା ହେଉଛି ହିଁ ପାବନ ହେବା,
ଯାହାପାଇଁ ଏହି ପାଠପଢା ହେଉଛି । ତୁମେମାନେ ଜାଣିଛ ଏବେ ସମସ୍ତେ ତମୋପ୍ରଧାନ ପତିତ ମନୁଷ୍ୟ
ଅଛନ୍ତି । ଭଲ ବା ଖରାପ ମନୁଷ୍ୟମାନେ ହିଁ ହୋଇଥା’ନ୍ତି । ପବିତ୍ର ଆତ୍ମାମାନଙ୍କୁ ହିଁ ଭଲ
କୁହାଯାଇଥାଏ । ଭଲ ପାଠପଢି ବଡ ମଣିଷ ହେଲେ ହିଁ ମହିମା ହୋଇଥାଏ । କିନ୍ତୁ ଏବେ ତ ସମସ୍ତେ ପତିତ
। ଜଣେ ପତିତ ହିଁ ଅନ୍ୟ ଜଣେ ପତିତଙ୍କର ମହିମା କରୁଛନ୍ତି । ସତ୍ୟଯୁଗରେ ଅଛି ପବିତ୍ରତା । ସେଠାରେ
କେହି କାହାର ମହିମା କରି ନଥା’ନ୍ତି । ଏଠାରେ ପବିତ୍ର ସନ୍ନ୍ୟାସୀ ମଧ୍ୟ ଅଛନ୍ତି, ଅପବିତ୍ର
ଗୃହସ୍ଥି ମଧ୍ୟ ଅଛନ୍ତି, ତେଣୁ ପବିତ୍ରମାନଙ୍କର ମହିମାର ଗାୟନ କରାଯାଉଛି । ସେଠାରେ ଯଥା-ରାଜା
ରାଣୀ ତଥା ପ୍ରଜା ମଧ୍ୟ ରହିଥା’ନ୍ତି । ଦୁନିଆରେ ଆଉ କୌଣସି ଏଭଳି ଧର୍ମ ନାହିଁ ଯାହା ପାଇଁ
ପବିତ୍ର, ଅପବିତ୍ର ଶବ୍ଦ କୁହାଯାଇଥାଏ । ଏଠାରେ କେହି କେହି ଗୃହସ୍ଥିମାନଙ୍କର ମଧ୍ୟ ମହିମା
ଗାଉଛନ୍ତି । ମୁସଲମାନ୍ମାନଙ୍କର ମଧ୍ୟ ଯାଇ ଶିଷ୍ୟ ହେଉଛନ୍ତି, ସେମାନଙ୍କ ପାଇଁ ଯେପରି ସେ ଖୁଦା,
ଆଲ୍ଲାହ ଅଟନ୍ତି । କିନ୍ତୁ ଆଲ୍ଲାହଙ୍କୁ ପତିତ-ପାବନ, ଲିବରେଟର (ମୁକ୍ତିଦାତା), ଗାଇଡ୍
କୁହାଯାଉଛି । ତେବେ ସେ ସବୁ କିଛି କିପରି ହୋଇପାରିବେ! ଏବେ ଦୁନିଆରେ ମଧ୍ୟ କେତେ ଘୋର
ଅଜ୍ଞାନତାର ଅନ୍ଧକାର ରହିଛି । ଏକଥା କେବଳ ତୁମେମାନେ ହିଁ ବୁଝି ପାରୁଛ । ତେଣୁ ସନ୍ତାନମାନଙ୍କର
ଏହି ଚିନ୍ତା ରହିବା ଆବଶ୍ୟକ - ଆମେ ଏହି ପାଠପଢି କିପରି ନିଜକୁ ରାଜା କରିବୁ । ଆମେ ଭଲ ଭାବରେ
ପୁରୁଷାର୍ଥ କରିଲେ ହିଁ ରାଜତିକଳ ପାଇ ପାରିବୁ । ସନ୍ତାନମାନେ ଉଲ୍ଲାସରେ ରହିବା ଦରକାର - ଆମେ
ମଧ୍ୟ ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ ହେବୁ । ଏଥିରେ ସଂଶୟର କୌଣସି କଥା ନାହିଁ । ସେଥିପାଇଁ ଭଲ
ଭାବରେ ପୁରୁଷାର୍ଥ କରିବା ଆବଶ୍ୟକ । ଉଦାସ ହେବା ଉଚିତ୍ ନୁହେଁ । ଏହା ଏକ ଏଭଳି ପାଠପଢା ଯାହାକି
ଖଟ ଉପରେ ଶୋଇ ମଧ୍ୟ ପଢିପାରିବ । ବିଲାତରେ ରହି ମଧ୍ୟ ପଢିପାରିବ । ଘରେ ରହି ମଧ୍ୟ ପଢିପାରିବ ।
ଏତେ ସହଜ ପାଠପଢା ଅଟେ । କେବଳ ପରିଶ୍ରମ କରି ନିଜର ପାପକୁ କାଟିବାକୁ ହେବ ଏବଂ ଅନ୍ୟମାନଙ୍କୁ
ମଧ୍ୟ ଏକଥା ବୁଝାଇବାକୁ ହେବ । ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ଏକଥା ତୁମେମାନେ ବୁଝାଇପାରିବ
। କାହାକୁ ଏକଥା ମଧ୍ୟ କହିବାକୁ ହେବ ଯେ - ତୁମେ ସବୁ ଆତ୍ମା ଅଟ । ଆତ୍ମାର ସ୍ୱଧର୍ମ ମଧ୍ୟ
ଗୋଟିଏ । ଏଥିରେ କୌଣସି ପାର୍ଥକ୍ୟ ହୋଇପାରିବ ନାହିଁ । ଶାରୀରିକ ସମ୍ବନ୍ଧ ଦ୍ୱାରା ହିଁ ଅନେକ
ଧର୍ମ ହୋଇଥାଏ । ଆତ୍ମା ତ ଗୋଟିଏ । ସମସ୍ତେ ଏକ ବାବାଙ୍କର ସନ୍ତାନ ଅଟନ୍ତି । ତୁମ ଆତ୍ମାମାନଙ୍କୁ
ବାବା ଏବେ ଏଡପ୍ଟ (ପୋଷ୍ୟ) କରିଛନ୍ତି । ସେଥିପାଇଁ ବ୍ରହ୍ମା ମୁଖ ବଂଶାବଳୀର ଗାୟନ କରାଯାଇଥାଏ ।
ତୁମେମାନେ କାହାକୁ ମଧ୍ୟ
ବୁଝାଇପାରିବ - ଆତ୍ମାର ପିତା କିଏ? ତୁମେ ଯେଉଁ ଫର୍ମ ପୂରଣ କରାଉଛ ସେଥିରେ ମଧ୍ୟ ବହୁତ ବଡ ଅର୍ଥ
ରହିଛି । ଭଗବାନ ତ ନିଶ୍ଚୟ ଅଛନ୍ତି, ଯାହାକୁ ସମସ୍ତେ ସ୍ମରଣ ମଧ୍ୟ କରିଥା’ନ୍ତି, ତେବେ ଆତ୍ମା
ହିଁ ଭଗବାନଙ୍କୁ ସ୍ମରଣ କରିଥାଏ । ଆଜିକାଲି ଭାରତରେ କାହାକୁ ବି ପିତା ବୋଲି କହିଦେଉଛନ୍ତି ।
ମେୟରଙ୍କୁ ମଧ୍ୟ ପିତା କୁହାଯିବ । କିନ୍ତୁ ଆତ୍ମାର ପିତା କିଏ, ତାଙ୍କୁ କେହି ଜାଣି ନାହାଁନ୍ତି
। ଗାୟନ ମଧ୍ୟ କରୁଛନ୍ତି ତୁମେ ମାତା-ପିତା... କିନ୍ତୁ ସେ କିଏ, କିପରି, କିଛି ବି ଜାଣି
ନାହାଁନ୍ତି । କେବଳ ଭାରତରେ ହିଁ ତୁମେ ମାତା-ପିତା କହି ଡାକିଥାଅ । ବାବା ହିଁ ଏଠାକୁ ଆସି ମୁଖ
ବଂଶାବଳୀ ରଚନା କରୁଛନ୍ତି । ସେଥିପାଇଁ ଭାରତକୁ ହିଁ ମଦର କଣ୍ଟ୍ରି (ମାତୃଦେଶ) କୁହାଯାଉଛି,
କାରଣ ଏହିଠାରେ ହିଁ ଶିବବାବା ମାତା-ପିତା ରୂପରେ ଅଭିନୟ କରୁଛନ୍ତି । ଏଠାରେ ହିଁ ଭଗବାନଙ୍କୁ
ମାତା-ପିତା ରୂପରେ ସ୍ମରଣ କରୁଛନ୍ତି । ବିଦେଶରେ କେବଳ ଗଡ୍ ଫାଦର କହି ଡାକିଥା’ନ୍ତି, ତେବେ ମାତା
ମଧ୍ୟ ନିଶ୍ଚିତ ଦରକାର ଯାହା ଦ୍ୱାରା ସନ୍ତାନମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ । ପୁରୁଷ ମଧ୍ୟ
ସ୍ତ୍ରୀକୁ ଏଡପ୍ଟ କରୁଛନ୍ତି ପୁଣି ତାଙ୍କ ଠାରୁ ସନ୍ତାନ ଜନ୍ମ ହେଉଛି । ସନ୍ତାନମାନଙ୍କର ରଚନା
କରାଯାଇଥାଏ । ଏଠାରେ ମଧ୍ୟ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆଡପ୍ଟ
କରୁଛନ୍ତି ଏବଂ ସନ୍ତାନ ସୃଷ୍ଟି କରୁଛନ୍ତି, ତେଣୁ ତାଙ୍କୁ ମଧ୍ୟ ମାତାପିତା କୁହାଯାଉଛି । ସେ
ହେଉଛନ୍ତି ସବୁ ଆତ୍ମାମାନଙ୍କର ପିତା ପୁଣି ଏଠାରେ ଆସି ଉତ୍ପତ୍ତି କରୁଛନ୍ତି । ଏଠାରେ ତୁମେମାନେ
ସନ୍ତାନ ହେଉଛ ତେଣୁ ତାଙ୍କୁ ପିତା ଏବଂ ମାତା କୁହାଯାଉଛି । ତାହା ହେଉଛି ସ୍ୱୀଟ୍ ହୋମ୍ ପରମଧାମ,
ଯେଉଁଠାରେ ସମସ୍ତ ଆତ୍ମାମାନେ ରହୁଛନ୍ତି । ଯେଉଁଠାକୁ ବାବାଙ୍କ ବିନା କେହି ନେଇପାରିବେ ନାହିଁ ।
ଯଦି ତୁମ ସହିତ କେହି ଦେଖାହେଉଛନ୍ତି ତେବେ କୁହ ତୁମେ ସ୍ୱୀଟ୍ ହୋମ୍ ଯିବାକୁ ଚାହୁଁଛ କି? ତେବେ
ନିଶ୍ଚୟ ପାବନ ହେବାକୁ ପଡିବ । ଏବେ ତୁମେମାନେ ପତିତ, ଏହା ହେଉଛି ଆଇରନ୍ ଏଜେଡ୍ ଅର୍ଥାତ୍
ଲୌହଯୁଗୀ ତମୋପ୍ରଧାନ ଦୁନିଆ । ଏବେ ତୁମକୁ ଘରକୁ ଫେରିଯିବାକୁ ହେବ । ପତିତ ଆଇରନ୍ ଏଜେଡ୍
ଆତ୍ମାମାନେ ଘରକୁ ଫେରିପାରିବେ ନାହିଁ । ଆତ୍ମାମାନେ ସ୍ୱୀଟ୍ ହୋମ୍ରେ ପବିତ୍ର ଥା’ନ୍ତି ତେଣୁ
ବାବା ବୁଝାଉଛନ୍ତି, ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ । ତେଣୁ କୌଣସି ଦେହଧାରୀକୁ
ମନେ ପକାଅ ନାହିଁ । ବାବାଙ୍କୁ ଯେତେ ମନେ ପକାଇବ ସେତେ ପାବନ ହେବ ଏବଂ କ୍ରମାନ୍ୱୟରେ ସେଠାରେ
ଉଚ୍ଚ ପଦ ପାଇବ । ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ବିଷୟରେ କାହାକୁ ମଧ୍ୟ ବୁଝାଇବା ବହୁତ ସହଜ ।
ଭାରତରେ ଦିନେ ଏମାନଙ୍କର ରାଜ୍ୟ ଥିଲା । ଏମାନେ ଯେତେବେଳେ ରାଜ୍ୟ କରୁଥିଲେ ସେତେବେଳେ ବିଶ୍ୱରେ
ଶାନ୍ତି ଥିଲା । ବିଶ୍ୱରେ ଶାନ୍ତି କେବଳ ବାବା ହିଁ ଆଣିପାରିବେ, ଆଉ କାହାର ଶକ୍ତି ନାହିଁ । ଏବେ
ବାବା ଆମକୁ ରାଜଯୋଗ ଶିଖାଉଛନ୍ତି । ନୂଆ ଦୁନିଆ ପାଇଁ ରାଜାମାନଙ୍କର ରାଜା କିପରି ହୋଇପାରିବ ତାହା
ମଧ୍ୟ ଆସି ଶିଖାଉଛନ୍ତି । ବାବା ହିଁ ନଲେଜ୍ଫୁଲ୍ ଅର୍ଥାତ୍ ଜ୍ଞାନର ସାଗର ଅଟନ୍ତି । ତାଙ୍କ
ପାଖରେ କେଉଁ ପ୍ରକାରର ଜ୍ଞାନ ରହିଛି, ଏକଥା କେହି ବି ଜାଣି ନାହାଁନ୍ତି । ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ଇତିହାସ-ଭୂଗୋଳ ବେହଦର ବାବା ହିଁ ଶୁଣାଉଛନ୍ତି । ମନୁଷ୍ୟମାନେ ଭଗବାନଙ୍କୁ
ସର୍ବବ୍ୟାପୀ ଅଥବା ଅର୍ନ୍ତଯ୍ୟାମୀ ବୋଲି କହିଥା’ନ୍ତି । ନିଜକୁ ତ’ ଏକଥା କହିବେ ନାହିଁ । ଏସବୁ
କଥା ବାବା ବସି ବୁଝାଉଛନ୍ତି । ଯେଉଁ କଥାକୁ ଭଲ ଭାବରେ ଧାରଣ କରି ହର୍ଷିତ ରହିବାକୁ ହେବ । ଏହି
ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସର୍ବଦା ହର୍ଷିତ ମୁଖ ଥିବାର ଦେଖାଇଥା’ନ୍ତି । ସ୍କୁଲ୍ରେ ମଧ୍ୟ
ଭଲ ଉଚ୍ଚ ଡିଗ୍ରୀଧାରୀ କେତେ ହର୍ଷିତ ହୋଇଥା’ନ୍ତି । ଅନ୍ୟମାନେ ମଧ୍ୟ ବୁଝିଥା’ନ୍ତି ଯେ ଇଏ ବହୁତ
ବଡ ପରୀକ୍ଷାରେ ପାସ୍ କରିଛନ୍ତି । କିନ୍ତୁ ଏହା ତ ବହୁତ ଉଚ୍ଚ ପାଠପଢା ଅଟେ । ଏଠି ଦରମା ଆଦିର
କୌଣସି କଥା ନାହିଁ, କେବଳ ସାହାସର କଥା । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ,
ଯେଉଁଥିରେ ହିଁ ମାୟା ବିଘ୍ନ ପକାଉଛି । ବାବା କହୁଛନ୍ତି, ପବିତ୍ର ହୁଅ । କିନ୍ତୁ ବାବାଙ୍କ ସହିତ
ପ୍ରତିଜ୍ଞା କରି ମଧ୍ୟ କଳା ମୁହଁ କରିଦେଉଛନ୍ତି । ମାୟା ବହୁତ ଶକ୍ତିଶାଳୀ ଅଟେ, ଯଦି ଫେଲ୍
ହୋଇଗଲେ ତେବେ ସେମାନଙ୍କର ନାମର ଗାୟନ କରାଯିବ ନାହିଁ । ଅମୁକ-ଅମୁକ ପ୍ରାରମ୍ଭରୁ ବହୁତ ଭଲ
ଚାଲୁଛନ୍ତି । ତାଙ୍କର ମହିମାର ଗାୟନ କରାଯାଉଛି । ବାବା କହୁଛନ୍ତି ନିଜ ପାଇଁ ନିଜେ ହିଁ
ପୁରୁଷାର୍ଥ କରି ରାଜତ୍ୱ ପ୍ରାପ୍ତ କରିବାକୁ ହେବ । ପାଠପଢା ଦ୍ୱାରା ହିଁ ଉଚ୍ଚ ପଦ ପାଇବାକୁ ହେବ
। ଏହା ତ ହେଉଛି ରାଜଯୋଗ, ପ୍ରଜା ଯୋଗ ନୁହେଁ । କିନ୍ତୁ ପ୍ରଜା ମଧ୍ୟ ହେବେ ନା । ଚେହେରା ଏବଂ
ସେବାରୁ ଜଣାପଡିଯାଏ ଯେ ଇଏ କେଉଁ ପଦ ପାଇବାର ଯୋଗ୍ୟ ଅଟନ୍ତି । ଘରେ ମଧ୍ୟ ଛାତ୍ରର ଚାଲି-ଚଳଣିରୁ
ବୁଝିଯାଆନ୍ତି ଇଏ ପ୍ରଥମ ନମ୍ବର, ଇଏ ତୃତୀୟ ନମ୍ବରରେ ଆସିବେ । ଏଠାରେ ମଧ୍ୟ ଏହିପରି ହୋଇଥାଏ ।
ପରେ ପରୀକ୍ଷା ପୂରା ହେଲେ ତୁମମାନଙ୍କୁ ସବୁର ସାକ୍ଷାତ୍କାର ହେବ । ସାକ୍ଷାତ୍କାର ହେବାରେ କୌଣସି
ବିଳମ୍ବ ହୋଇନଥାଏ, ପୁଣି ଲଜ୍ୟା ଲାଗିବ ଯେ, ଆମେ ଫେଲ୍ ହୋଇଗଲୁ । ଫେଲ୍ ପିଲାମାନଙ୍କୁ ସ୍ନେହ
କିଏ କରିବ?
ମନୁଷ୍ୟ ବାଇସ୍କୋପ
ଦେଖିବାରେ ଖୁସି ଅନୁଭବ କରିଥା’ନ୍ତି କିନ୍ତୁ ବାବା କହୁଛନ୍ତି ନମ୍ବରୱାନ୍ ଖରାପ କରୁଛି
ବାଇସ୍କୋପ । ଯେଉଁମାନେ ସେଠାକୁ ଯାଆନ୍ତି ସେମାନଙ୍କ ଭିତରୁ ଅଧିକାଂଶ ଫେଲ୍ ହୋଇ ତଳକୁ ଖସି
ଯାଆନ୍ତି । କେହି କେହି ଏପରି ମଧ୍ୟ ମହିଳା ଅଛନ୍ତି ଯେଉଁମାନଙ୍କୁ ବାଇସ୍କୋପ୍ ନ ଦେଖିଲେ ନିଦ
ହୁଏ ନାହିଁ । ତେବେ ସେମାନେ ବାଇସ୍କୋପ୍ ଦେଖି ଅପବିତ୍ର ହେବାର ପୁରୁଷାର୍ଥ ନିଶ୍ଚିତ କରିବେ ।
ଏଠାରେ ଯାହା କିଛି ହେଉଛି, ମନୁଷ୍ୟମାନେ ଭାବୁଛନ୍ତି ଏଥିରେ ଖୁସି ରହିଛି କିନ୍ତୁ ସେସବୁ କେବଳ
ଦୁଃଖ ଦେଇଥାଏ । ଏସବୁ ହେଲା ବିନାଶୀ ଖୁସି । ଅବିନାଶୀ ଖୁସି କେବଳ ଅବିନାଶୀ ବାବାଙ୍କଠାରୁ ହିଁ
ମିଳୁଛି । ତୁମେମାନେ ଜାଣିଛ ବାବା ଆମକୁ ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ କରୁଛନ୍ତି । ପ୍ରଥମେ ବାବା
୨୧ ଜନ୍ମ ପାଇଁ ବୋଲି କହୁଥିଲେ । ଏବେ ବାବା ଲେଖୁଛନ୍ତି ୫୦-୬୦ ଜନ୍ମ, କାହିଁକି ନା ଦ୍ୱାପର
ଯୁଗର ଆରମ୍ଭରେ ମଧ୍ୟ ତୁମେମାନେ ବହୁତ ଧନବାନ୍ ସୁଖୀ ରହିବ । ଯଦିଓ ପତିତ ହେବ, ତଥାପି ମଧ୍ୟ
ବହୁତ ଧନ ରହିବ । ଏଠାରେ ଯେତେବେଳେ ବିଲ୍କୁଲ୍ ତମୋପ୍ରଧାନ ହୋଇଯାଉଛନ୍ତି ସେତେବେଳେ ଦୁଃଖ
ଆରମ୍ଭ ହେଉଛି । ପ୍ରଥମେ ତ ବହୁତ ସୁଖୀ ରହିବ । ଯେତେବେଳେ ବହୁତ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ
ବାବା ଆସୁଛନ୍ତି । ବାବା ମହା ଅଜାମିଳ ସଦୃଶ ପାପୀମାନଙ୍କର ମଧ୍ୟ ଉଦ୍ଧାର କରୁଛନ୍ତି । ବାବା
କହୁଛନ୍ତି ମୁଁ ସମସ୍ତଙ୍କୁ ମୁକ୍ତିଧାମକୁ ନେଇଯିବି । ପୁଣି ସତ୍ୟଯୁଗର ରାଜତ୍ୱ ମଧ୍ୟ ତୁମମାନଙ୍କୁ
ଦେଉଛି । ତେବେ ସମସ୍ତଙ୍କର କଲ୍ୟାଣ ହେଉଛି ନା । ସମସ୍ତଙ୍କୁ ଶାନ୍ତିରେ ଅଥବା ସୁଖରେ ନିଜ
ଠିକଣାରେ ପହଞ୍ଚାଇ ଦେଉଛନ୍ତି । ସତ୍ୟଯୁଗରେ ସମସ୍ତେ ସୁଖରେ ରହିଥା’ନ୍ତି । ଶାନ୍ତିଧାମରେ ମଧ୍ୟ
ସୁଖରେ ରହିବେ । ଦୁନିଆରେ ସମସ୍ତେ କହୁଛନ୍ତି ଯେ, ବିଶ୍ୱରେ ଶାନ୍ତି ହେଉ । ତେବେ ତାଙ୍କୁ କୁହ,
ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ବିଶ୍ୱରେ ଶାନ୍ତି ଥିଲା ନା ।
ସେଠାରେ ଦୁଃଖର କୌଣସି କଥା ହୋଇପାରିବ ନାହିଁ । ଦୁଃଖ ନାହିଁ ତେଣୁ ଅଶାନ୍ତି ମଧ୍ୟ ନାହିଁ ।
ଏଠାରେ ତ ଘରେ-ଘରେ ଅଶାନ୍ତି ରହିଛି । ଦେଶ-ଦେଶରେ ସବୁଠାରେ ଅଶାନ୍ତି ରହିଛି । ସାରା ବିଶ୍ୱରେ
କେବଳ ଅଶାନ୍ତି ହିଁ ଅଶାନ୍ତି ରହିଛି । ଦେଶ କେତେ ଖଣ୍ଡ-ଖଣ୍ଡ ହୋଇଯାଇଛି । କେତେ ଫ୍ରାକ୍ସନ୍
ଅର୍ଥାତ୍ ଭାଗ ଭାଗ ହୋଇଯାଇଛି । ୧୦୦ ମାଇଲ୍ରେ ଭାଷା ଅଲଗା । ଏବେ କହୁଛନ୍ତି ଭାରତର ପ୍ରାଚୀନ
ଭାଷା ସଂସ୍କୃତ ଅଟେ । ଆଦି ସନାତନ ଧର୍ମ ବିଷୟରେ କାହାକୁ ଜଣା ନାହିଁ ତେଣୁ ଏକଥା କିପରି
କହୁଛନ୍ତି ଯେ ଏହା ହେଉଛି ପ୍ରାଚୀନ ଭାଷା । ତୁମେମାନେ ହିଁ କହିପାରିବ ଆଦି ସନାତନ ଦେବୀ-ଦେବତା
ଧର୍ମ କେବେ ଥିଲା? ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । ଆଉ କେହି ଡଲ୍ହେଡ୍
ଅର୍ଥାତ୍ ବୋକା ମଧ୍ୟ ରହିଛନ୍ତି । ଦେଖିବାକୁ ମଧ୍ୟ ମିଳେ ଯେ ଇଏ ଯେପରି ପଥର ବୁଦ୍ଧି ଅଟନ୍ତି ।
ଅଜ୍ଞାନ କାଳରେ ମଧ୍ୟ କହିଥା’ନ୍ତି ନା - ହେ ଭଗବାନ ଏହାଙ୍କର ବୁଦ୍ଧି ଉଦୟ ହେଉ ।
ବାବା ତୁମ ସମସ୍ତ
ସନ୍ତାନମାନଙ୍କୁ ଜ୍ଞାନର ଆଲୋକ ଦେଉଛନ୍ତି । ଏହା ଦ୍ୱାରା ବୁଦ୍ଧି ଉଦୟ ହେଉଛି । ତଥାପି
କେତେକଙ୍କର ବୁଦ୍ଧି ଉଦୟ ହେଉ ନାହିଁ । କହୁଛନ୍ତି ବାବା ଆପଣ ବୁଦ୍ଧିବାନ୍ଙ୍କର ବୁଦ୍ଧି ଅଟନ୍ତି
। ଆମ ସ୍ୱାମୀଙ୍କର ବୁଦ୍ଧି ଉଦୟ ହେଉ । ବାବା କହୁଛନ୍ତି ଏଥିପାଇଁ ମୁଁ ଆସିନାହିଁ କି ଜଣ-ଜଣଙ୍କର
ବୁଦ୍ଧିର ଉଦୟ କରିବି ବା ବୁଦ୍ଧିର ତାଲା ବସି ଖୋଲିବି । ଯଦି ସମସ୍ତଙ୍କର ବୁଦ୍ଧି ଖୋଲିଯିବ,
ସମସ୍ତେ ମହାରାଜା-ମହାରାଣୀ ହୋଇଯିବେ । ମୁଁ କିପରି ସମସ୍ତଙ୍କର ତାଲା ଖୋଲିବି । ଯେଉଁମାନଙ୍କର
ସତ୍ୟଯୁଗକୁ ଆସିବାର ନାହିଁ ମୁଁ କିପରି ତାଙ୍କ ବୁଦ୍ଧିର ଉଦୟ କରିବି । ଡ୍ରାମା ଅନୁସାରେ ଉଚିତ୍
ସମୟରେ ତାଙ୍କ ବୁଦ୍ଧିର ତାଲା ଖୋଲିବ । ମୁଁ କିପରି ଖୋଲିବି! ଏ ସବୁ କଥା ଡ୍ରାମା ଉପରେ ମଧ୍ୟ
ନିର୍ଭର କରୁଛି ନା । ସମସ୍ତେ ତ ଫୁଲ୍ ପାସ୍ ହେବେ ନାହିଁ । ସ୍କୁଲ୍ରେ ମଧ୍ୟ କ୍ରମାନ୍ୱୟରେ ପାସ
ହୋଇଥା’ନ୍ତି । ଏହା ମଧ୍ୟ ପାଠପଢା ଅଟେ । ସେଠାରେ ପ୍ରଜା ମଧ୍ୟ ଦରକାର । ସମସ୍ତଙ୍କର ବୁଦ୍ଧି
ଉଦୟ ହୋଇଗଲେ ପୁଣି ପ୍ରଜା କେଉଁଠାରୁ ଆସିବେ । ଏଭଳି କାଇଦା ନାହିଁ । ତୁମମାନଙ୍କୁ ପୁରୁଷାର୍ଥ
କରିବାକୁ ହେବ । ପ୍ରତ୍ୟେକଙ୍କର ପୁରୁଷାର୍ଥରୁ ସବୁକିଛି ଜଣାପଡିଯାଏ । ଯିଏ ଭଲ ଭାବରେ ପାଠ
ପଢନ୍ତି, ତାଙ୍କୁ ସବୁ ସ୍ଥାନକୁ ଡକାଯାଇଥାଏ । ବାବା ଜାଣିଛନ୍ତି କିଏ-କିଏ ଭଲ ଭାବରେ ସେବା
କରୁଛନ୍ତି । ତେଣୁ ପିଲାମାନେ ଭଲ ଭାବରେ ପାଠ ପଢିବା ଦରକାର । ଯଦି ଭଲ ଭାବରେ ପଢିବେ ତେବେ
ସେମାନଙ୍କୁ ଘରକୁ ନେଇଯିବି ପୁଣି ସ୍ୱର୍ଗକୁ ପଠାଇଦେବି । ନଚେତ୍ ବହୁତ କଠିନ ଦଣ୍ଡ ଭୋଗ କରିବାକୁ
ପଡିବ ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଛାତ୍ରମାନେ ଶିକ୍ଷକଙ୍କୁ ପ୍ରତ୍ୟକ୍ଷ କରିବା ଉଚିତ୍ ।
ଗୋଲ୍ଡେନ୍ ଏଜ୍ ଅର୍ଥାତ୍ ସୁବର୍ଣ୍ଣଯୁଗରେ ତୁମେମାନେ ପାରସବୁଦ୍ଧି ଥିଲ ଏବେ ବୁଦ୍ଧି ଆଇରନ୍ ଏଜଡ୍
ହୋଇଯାଇଛି । ଏଠାରେ ଗୋଲ୍ଡେନ୍ ଏଜ୍ ବୁଦ୍ଧି ହୋଇପାରିବ ନାହିଁ । ଯେତେବେଳେ ଗୋଟିଏ ରାଜ୍ୟ,
ଗୋଟିଏ ଧର୍ମ ଥିଲା ସେତେବେଳେ ବିଶ୍ୱରେ ଶାନ୍ତି ଥିଲା । ସମ୍ବାଦପତ୍ରରେ ମଧ୍ୟ ତୁମେ ବାହାର
କରିପାରିବ ଯେ ଭାରତରେ ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ବିଶ୍ୱରେ ଶାନ୍ତି ଥିଲା ।
ଶେଷରେ ସମସ୍ତେ ନିଶ୍ଚିତ ବୁଝିବେ । ତୁମମାନଙ୍କ ନାମ ପ୍ରସିଦ୍ଧ ହେବ । ହଦର ପାଠପଢାରେ କେତେ ବହି
ଆଦି ପଢୁଛ । ଏଠାରେ ସେସବୁ କିଛି ନାହିଁ, ଏହି ପାଠପଢା ବିଲ୍କୁଲ୍ ସହଜ । ବାକି ଯୋଗରେ
ମହାରଥୀମାନେ ମଧ୍ୟ ଫେଲ୍ ହୋଇଯାଉଛନ୍ତି । ଯୋଗବଳ ନ ଥିଲେ ଜ୍ଞାନର ଅସ୍ତ୍ର ବା ଖଣ୍ଡା ଚାଲିବ ନାହିଁ
। ବହୁତ ଯୋଗ କରିଲେ ହିଁ ଶକ୍ତି ଆସିବ । ବନ୍ଧନରେ ଥାଇ ମଧ୍ୟ ଯୋଗ କରିଲେ ବହୁତ ଫାଇଦା ହେବ ।
ସେମାନେ କେବେ ବାବାଙ୍କୁ ଦେଖି ନାହାଁନ୍ତି, କିନ୍ତୁ ଯଦି ଯୋଗଯୁକ୍ତ ହୋଇ ପ୍ରାଣ ଛାଡିଦେଲେ ତେବେ
ମଧ୍ୟ ବହୁତ ଭଲ ପଦ ପାଇପାରିବେ, କାହିଁକି ନା ଯୋଗ ବହୁତ କରୁଛନ୍ତି । ବାବାଙ୍କ ସ୍ମୃତିରେ ଯେଉଁ
ସ୍ନେହର ଲୁହ ବୁହାଉଛନ୍ତି, ସେହି ଲୁହ ମୋତି ହୋଇଯାଉଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜେ ନିଜ
ପାଇଁ ପୁରୁଷାର୍ଥ କରି ଉଚ୍ଚ ପଦ ପ୍ରାପ୍ତ କରିବାକୁ ହେବ । ପାଠପଢା ଦ୍ୱାରା ନିଜକୁ ରାଜତିଳକ
ଦେବାକୁ ହେବ । ଜ୍ଞାନକୁ ଭଲ ଭାବରେ ଧାରଣ କରି ସର୍ବଦା ହର୍ଷିତ ରହିବାକୁ ହେବ ।
(୨) ଜ୍ଞାନ ରୂପକ
ତରବାରୀରେ ଯୋଗର ଶକ୍ତି ଭରିବାକୁ ହେବ । ଯୋଗ ଦ୍ୱାରା ହିଁ ନିଜର ସମସ୍ତ ବନ୍ଧନ ସମାପ୍ତ କରିବାକୁ
ହେବ । କେବେ ବି ଖରାପ ସିନେମା ଦେଖି ନିଜ ସଂକଳ୍ପକୁ ଅପବିତ୍ର କରିବା ଉଚିତ୍ ନୁହେଁ ।
ବରଦାନ:-
ଲୌକିକକୁ
ଅଲୌକିକରେ ପରିବର୍ତ୍ତନ କରି ସର୍ବ ଦୋଷ-ଦୁର୍ବଳତାରୁ ମୁକ୍ତ ହେଉଥିବା ମାଷ୍ଟର ସର୍ବଶକ୍ତିମାନ
ହୁଅ ।
ଯେଉଁମାନେ ମାଷ୍ଟର
ସର୍ବଶକ୍ତିମାନ ଜ୍ଞାନ ସମ୍ପନ୍ନ ଆତ୍ମା ସେମାନେ କେବେ ବି କୌଣସି ସମସ୍ୟାର ବା ଦୁର୍ବଳତା ଗୁଡିକର
ବଶୀଭୁତ ହୁଅନ୍ତି ନାହିଁ । କାହିଁକି ନା ସେମାନେ ଅମୃତବେଳାଠାରୁ ଯାହା ବି ଦେଖନ୍ତି, ଶୁଣନ୍ତି,
ଭାବନ୍ତି ବା କର୍ମ କରନ୍ତି ସେଗୁଡିକୁ ଲୌକିକରୁ ଅଲୌକିକକୁ ପରିବର୍ତ୍ତନ କରିଦେଇଥାଆନ୍ତି ।
ଯେକୌଣସି ଲୌକିକ କାର୍ଯ୍ୟ ବ୍ୟବହାରକୁ ନିମିତ୍ତ ମାତ୍ର କରୁଥିଲେ ମଧ୍ୟ ଯଦି ଅଲୌକିକ କାର୍ଯ୍ୟର
ସର୍ବଦା ସ୍ମୃତି ରହିବ ତେବେ କୌଣସି ପ୍ରକାରର ମାୟାବୀ ବିକାରର ବଶୀଭୂତ ବ୍ୟକ୍ତିର ସମ୍ପର୍କରେ
ନିଜେ ବଶୀଭୂତ ହେବ ନାହିଁ । ତମୋଗୁଣୀ ବାତାବରଣ ଭିତରେ ମଧ୍ୟ ସର୍ବଦା କମଳପୁଷ୍ପ ଭଳି ସୁରକ୍ଷିତ
ରହିବ । ଲୌକିକ ଦୁନିଆର ପଙ୍କ ଭିତରେ ରହୁଥିଲେ ମଧ୍ୟ ତା’ ଠାରୁ ଉର୍ଦ୍ଧ୍ୱରେ ରହିବ ।
ସ୍ଲୋଗାନ:-
ଯଦି ସମସ୍ତଙ୍କୁ
ସନ୍ତୁଷ୍ଟ ରଖିବ ତେବେ ଆପେ ଆପେ ପୁରୁଷାର୍ଥରେ ହାଇଜମ୍ପ ଦେଇଦେବ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ଯଦି ସଂକଳ୍ପ ଶକ୍ତିକୁ
ଜମା କରିବାର ଅଛି ତେବେ କୌଣସି ବି କଥାକୁ ଦେଖୁଥିଲେ ମଧ୍ୟ, ଶୁଣୁଥିଲେ ମଧ୍ୟ ଗୋଟିଏ ସେକେଣ୍ଡରେ
ଫୁଲଷ୍ଟପ୍ ଲଗାଇବାର ଅଭ୍ୟାସ କର । ଯଦି ସଂକଳ୍ପରେ କାହିଁକି କ’ଣର ଲମ୍ବା ଧାଡି ଲଗାଇଦେଲ,
ବ୍ୟର୍ଥର ରଚନା ରଚିଦେଲ ତେବେ ତା’ର ପାଳନା ମଧ୍ୟ କରିବାକୁ ପଡିବ । ସଂକଳ୍ପ, ସମୟ, ଶକ୍ତି ସେଥିରେ
ଖର୍ଚ୍ଚ କରି ଚାଲିବ । ସେଥିପାଇଁ ଏବେ ଏହି ବ୍ୟର୍ଥ ରଚନାର ଜନ୍ମ ନିୟନ୍ତ୍ରଣ କର । ତେବେ ଯାଇ
ବେହଦ ସେବାର ନିମିତ୍ତ ହୋଇପାରିବ ।