25.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତତ୍ତ୍ୱ ଗୁଡିକ ସହିତ ସମସ୍ତ ମନୁଷ୍ୟମାତ୍ରଙ୍କୁ ପରିବର୍ତ୍ତନ କରୁଥିବା ବିଶ୍ୱବିଦ୍ୟାଳୟ କେବଳ ଗୋଟିଏ ହିଁ ଅଟେ, ଏହିଠାରେ ହିଁ ସମସ୍ତଙ୍କର ସଦ୍‌ଗତି ହୋଇଥାଏ ।”

ପ୍ରଶ୍ନ:-
ବାବାଙ୍କ ଉପରେ ନିଶ୍ଚୟ ହେବା ମାତ୍ରକେ କେଉଁ ଉପଦେଶ ଅର୍ଥାତ୍ ଶ୍ରୀମତକୁ ତୁରନ୍ତ କାର୍ଯ୍ୟକାରୀ କରିବା ଉଚିତ୍‌?

ଉତ୍ତର:-
(୧) ଯେବେ ନିଶ୍ଚୟ ହେଲା ଯେ ବାବା ଆସିଛନ୍ତି, ତେବେ ବାବାଙ୍କର ପ୍ରଥମ ଶ୍ରୀମତ ହେଲା ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ତାକୁ ଭୁଲିଯାଅ, କେବଳ ମୋ ମତରେ ଚାଲ । ଏହି ଆଜ୍ଞାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦରକାର । (୨) ଯେହେତୁ ତୁମେ ବେହଦ ପିତାଙ୍କର ସନ୍ତାନ ହୋଇଛ ତେବେ ପତିତମାନଙ୍କ ସହିତ ତୁମର ଆଦାନ-ପ୍ରଦାନ ହେବା ଉଚିତ୍ ନୁହେଁ । ନିଶ୍ଚୟ ବୃଦ୍ଧି ସନ୍ତାନମାନଙ୍କର କେବେ କୌଣସି କଥାରେ ସନ୍ଦେହ ଆସି ପାରିବ ନାହିଁ ।

ଓମ୍ ଶାନ୍ତି ।
ଏହା ଘର ମଧ୍ୟ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟ । ଏହାକୁ ହିଁ ଈଶ୍ୱର ପିତାଙ୍କର ବିଶ୍ୱ ବିଦ୍ୟାଳୟ କୁହାଯାଉଛି କାହିଁକି ନା ଏହିଠାରେ ହିଁ ସାରା ଦୁନିଆର ମନୁଷ୍ୟମାନଙ୍କର ସଦ୍‌ଗତି ହେଉଛି । ତେଣୁ ପ୍ରକୃତ ବିଶ୍ୱ ବିଦ୍ୟାଳୟ ଏହା ହିଁ ଅଟେ ଏବଂ ତା ସହିତ ଘର ମଧ୍ୟ ଅଟେ । ମାତାପିତାଙ୍କ ସମ୍ମୁଖରେ ବସିଛ ପୁଣି ଏହା ବିଶ୍ୱବିଦ୍ୟାଳୟ ମଧ୍ୟ ଅଟେ । ତୁମର ଆଧ୍ୟାତ୍ମିକ ପିତା ବସିଛନ୍ତି । ଏହା ଆତ୍ମିକ ଜ୍ଞାନ ଅଟେ, ଯାହାକି ଆତ୍ମିକ ପିତାଙ୍କ ଦ୍ୱାରା ମିଳୁଛି । ଆଧ୍ୟାତ୍ମିକ ଜ୍ଞାନ ଆତ୍ମାର ପିତାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ । ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଏ ଏବଂ ଜ୍ଞାନ ଦ୍ୱାରା ହିଁ ସଦଗତି ହୋଇଥାଏ ସେଥିପାଇଁ ଜ୍ଞାନର ସାଗର, ସମସ୍ତଙ୍କର ସଦଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । ବାବାଙ୍କ ଦ୍ୱାରା ସାରା ବିଶ୍ୱର କେବଳ ମନୁଷ୍ୟ ନୁହଁନ୍ତି କିନ୍ତୁ ପାଞ୍ଚ ତତ୍ତ୍ୱ ସହିତ ସବୁ କିଛି ସତ୍ୱପ୍ରଧାନ ହୋଇଯାଇଥାଏ । ସମସ୍ତଙ୍କର ସଦ୍‌ଗତି ହୋଇଥାଏ । ଏହି ସବୁ କଥା ବହୁତ ଭଲ ଭାବରେ ବୁଝିବାକୁ ପଡିବ । ବର୍ତ୍ତମାନ ସମସ୍ତଙ୍କର ସଦ୍‌ଗତି ହେବାକୁ ଯାଉଛି । ପୁରୁଣା ଦୁନିଆ ଏବଂ ଦୁନିଆରେ ରହିଲାବାଲା ସମସ୍ତେ ପରିବର୍ତ୍ତନ ହୋଇଯିବେ । ଯାହାକିଛି ଏଠାରେ ଦେଖୁଛ ତାହା ସବୁ ପରିବର୍ତ୍ତନ ହୋଇ ନୂଆ ହୋଇଯିବ । ଗାୟନ ମଧ୍ୟ ରହିଛି - ଏଠାରେ ହେଉଛି ମିଛ ମାୟା, ମିଛ କାୟା.... ଏହା ମିଥ୍ୟାଖଣ୍ଡ ହୋଇଯାଇଛି । ରଚୟିତା ଏବଂ ରଚନା ବିଷୟରେ ଯାହା କିଛି ମନୁଷ୍ୟମାନେ କହୁଛନ୍ତି ତାହା ମିଥ୍ୟା ଅଟେ । ବର୍ତ୍ତମାନ ତୁମେ ବାବାଙ୍କ ଦ୍ୱାରା ଜାଣୁଛ ଭଗବାନଉବାଚ । ଭଗବାନ ଏକମାତ୍ର ବାବା ହିଁ ଅଟନ୍ତି ନା । ସିଏ ହେଲେ ନିରାକାର, ପ୍ରକୃତରେ ସବୁ ଆତ୍ମାମାନେ ନିରାକାର ଅଟନ୍ତି ପୁଣି ଏଠାକୁ ଆସି ସାକାର ରୂପ ଧାରଣ କରିଥାନ୍ତି । ସେଠାରେ କୌଣସି ଆକାର ନ ଥାଏ । ଆତ୍ମାମାନେ ମୂଳବତନ ବା ବ୍ରହ୍ମ ମହତତ୍ତ୍ୱରେ ନିବାସ କରନ୍ତି । ତାହା ହେଲା ଆମ ଆତ୍ମାମାନଙ୍କର ଘର, ବ୍ରହ୍ମ ମହତତ୍ତ୍ୱ । ଏହା ଆକାଶ ତତ୍ତ୍ୱ ଅଟେ, ଯେଉଁଠାରେ ସାକାରୀ ପାର୍ଟ ଚାଲିଥାଏ । ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇଥାଏ । ଏହାର ଅର୍ଥ ମଧ୍ୟ କେହି ବୁଝିନାହାଁନ୍ତି, କେବଳ କହୁଛନ୍ତି ପୁନରାବୃତ୍ତି ହେଉଛି । ତା’ହେଲେ ସୁବର୍ଣ୍ଣ ଯୁଗ, ରୌପ୍ୟ ଯୁଗ... ପୁଣି କ’ଣ? ସୁବର୍ଣ୍ଣ ଯୁଗ ତ ପୁନଃ ନିଶ୍ଚିତ ଆସିବ । ସଂଗମଯୁଗ ଗୋଟିଏ ହିଁ ହୋଇଥାଏ । ସତ୍ୟଯୁଗ, ତ୍ରେତା ବା ତ୍ରେତା ଏବଂ ଦ୍ୱାପରର ସଂଗମକୁ ସଙ୍ଗମ କୁହାଯାଏ ନାହିଁ, ସେପରି କହିଲେ ଭୁଲ୍ ହୋଇଯିବ । ବାବା କହୁଛନ୍ତି - ମୁଁ କଳ୍ପ କଳ୍ପ, କଳ୍ପର ସଂଗମଯୁଗରେ ହିଁ ଆସୁଛି । ମୋତେ ସେତେବେଳେ ଡାକୁଛନ୍ତି, ଯେତେବେଳେ ସମସ୍ତେ ପତିତ ହୋଇଯାଉଛନ୍ତି । କହୁଛନ୍ତି ଆପଣ ପାବନ କରିବା ପାଇଁ ଆସନ୍ତୁ । ପାବନ କେବଳ ଥାଆନ୍ତି ସତ୍ୟଯୁଗରେ । ଏବେ ହେଲା ସଂଗମ, ଏହାକୁ କଲ୍ୟାଣକାରୀ ସଂଗମଯୁଗ କୁହାଯାଏ । ଆତ୍ମା ଏବଂ ପରମାତ୍ମାଙ୍କର ମିଳନର ସଂଗମ, ଏହାକୁ କୁମ୍ଭ ମଧ୍ୟ କୁହାଯାଏ । ସେମାନେ ପୁଣି ନଦୀ ମାନଙ୍କର ମିଳନସ୍ଥଳ ଦେଖାଉଛନ୍ତି । ଦୁଇଟି ନଦୀ ତ ଅଛି । ତୃତୀୟକୁ ଗୁପ୍ତ ନଦୀ କହୁଛନ୍ତି । ଏହା ମଧ୍ୟ ମିଥ୍ୟା । ଗୁପ୍ତ ନଦୀ କେବେ ହୋଇପାରିବ କି? ବୈଜ୍ଞାନିକମାନେ ମଧ୍ୟ ମାନିବେ ନାହିଁ ଯେ କେବେ କୌଣସି ଗୁପ୍ତ ନଦୀ ଥାଇପାରେ ବୋଲି । ଦେଖାଇଛନ୍ତି ତୀର ମାରିଲେ ଗଙ୍ଗା ବାହାରି ଆସିଲା, ଏସବୁ ହେଲା ମିଥ୍ୟା । ଗାୟନ ମଧ୍ୟ ରହିଛି ଜ୍ଞାନ, ଭକ୍ତି, ବୈରାଗ୍ୟ । ଏହି ଶବ୍ଦକୁ ଧରି ନେଇଛନ୍ତି କିନ୍ତୁ ଅର୍ଥ କିଛି ବୁଝି ନାହାଁନ୍ତି । ପ୍ରଥମେ ପ୍ରଥମେ ହେଲା ଜ୍ଞାନ-ଦିନ ଅର୍ଥାତ୍ ସୁଖ, ତାପରେ ହେଲା ଭକ୍ତି-ରାତି ଅର୍ଥାତ୍ ଦୁଃଖ । ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତି । ଏହା କେବଳ ଜଣଙ୍କ କଥା ତ ହୋଇପାରିବ ନାହିଁ, ଅନେକ ଥିବେ ନା । ତେଣୁ ଅଧାକଳ୍ପ ଦିନ ଏବଂ ଅଧାକଳ୍ପ ପାଇଁ ରାତି ହୋଇଥାଏ । ତା’ପରେ ସାରା ପୁରୁଣା ଦୁନିଆଠାରୁ ବୈରାଗ୍ୟ ହୋଇଥାଏ ।

ବାବା କହୁଛନ୍ତି - ଦେହ ସହିତ ଯାହା କିଛି ବି ତୁମେ ଏହି ଆଖି ଦ୍ୱାରା ଦେଖୁଛ ତାକୁ ଜ୍ଞାନ ଦ୍ୱାରା ଭୁଲିବାକୁ ହେବ । ଧନ୍ଦା ଆଦି ସବୁ କିଛି କରିବାକୁ ହେବ । ପିଲାଛୁଆଙ୍କୁ ସମ୍ଭାଳିବାକୁ ହେବ । କିନ୍ତୁ ବୁଦ୍ଧିର ଯୋଗ ଜଣଙ୍କ ସହିତ ଲଗାଇବାକୁ ହେବ । ଅଧାକଳ୍ପ ତୁମେ ରାବଣର ମତ ଅନୁସାରେ ଚାଲିଛ । ବର୍ତ୍ତମାନ ବାବାଙ୍କର ହୋଇଛ, ତେଣୁ ଯାହା କିଛି କରୁଛ, ତାହା ବାବାଙ୍କ ମତ ଅନୁସାରେ କର । ତୁମର ଆଦାନ-ପ୍ରଦାନ ଆଜି ପର୍ଯ୍ୟନ୍ତ ପତିତ ମାନଙ୍କ ସହିତ ଚାଲି ଆସିଲା, ତାର ଫଳ କ’ଣ ହେଲା । ଦିନକୁ ଦିନ ପତିତ ହିଁ ହୋଇ ଆସିଛ କାହିଁକି ନା ଭକ୍ତିମାର୍ଗ ହିଁ ହେଉଛି ତଳକୁ ଖସିବାର ମାର୍ଗ । ସତ୍ୱପ୍ରଧାନ, ସତ୍ୱ, ରଜୋ, ତମୋ ଅବସ୍ଥାରେ ସମସ୍ତଙ୍କୁ ଆସିବାକୁ ପଡିଥାଏ । ତଳକୁ ତ ନିଶ୍ଚିତ ଖସିବାକୁ ହେବ । ଏଥିରୁ କେହି ମୁକୁଳେଇ ପାରିବେ ନାହିଁ । ଲକ୍ଷ୍ମୀ-ନାରାୟଣଙ୍କର ମଧ୍ୟ ୮୪ ଜନ୍ମ କୁହାଯାଇଛି ନା । ଇଂରାଜୀ ଶବ୍ଦ ଶୁଣିବାକୁ ବହୁତ ଭଲ ଲାଗେ । ଗୋଲ୍‌ଡେନ୍ ଏଜ୍‌, ସିଲ୍‌ଭର ଏଜ୍‌.... ଏହିପରି ଖାଦ ମିଶି ଚାଲିଥାଏ । ବର୍ତ୍ତମାନ ସମୟରେ ସମସ୍ତେ କଳିଯୁଗୀ ହୋଇଯାଇଛନ୍ତି । ସତ୍ୟଯୁଗରେ ନୂଆ ଦୁନିଆ ଥିଲା ନୂଆ ଭାରତ ଥିଲା । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏହା କାଲିର ହିଁ କଥା । ଶାସ୍ତ୍ରରେ ଲକ୍ଷ-ଲକ୍ଷ ବର୍ଷ ବୋଲି ଲେଖି ଦେଇଛନ୍ତି । ଏବେ ବାବା କହୁଛନ୍ତି ତୁମର ଶାସ୍ତ୍ର ଠିକ୍ ନା ମୁଁ ଯାହା କହୁଛି ଠିକ୍ । ବାବାଙ୍କୁ ସାରା ବିଶ୍ୱର ସର୍ବ ଶକ୍ତିବାନ୍ ବା ସର୍ବଶକ୍ତିର ଅଧିକାରୀ ବୋଲି କୁହାଯାଏ । ଯେଉଁମାନେ ବହୁତ ବେଦଶାସ୍ତ୍ର ଇତ୍ୟାଦି ପଢିଥାନ୍ତି ତାଙ୍କୁ ଅଥୋରିଟୀ ବା ଅଧିକାରୀ କୁହାଯାଏ । ବାବା କହୁଛନ୍ତି ଏମାନେ ସମସ୍ତେ ଭକ୍ତିମାର୍ଗ ସମ୍ବନ୍ଧୀୟ ଜ୍ଞାନର ଅଧିକାରୀ ଅଟନ୍ତି । ସେମାନେ ମଧ୍ୟ ଜ୍ଞାନଦାତା ହିସାବରେ ତ ମୋର ଗାୟନ କରୁଛନ୍ତି - ଆପଣ ଜ୍ଞାନର ସାଗର ଅଟନ୍ତି, ଆମ୍ଭେମାନେ ନୋହୁଁ । ସବୁ ମନୁଷ୍ୟ ଭକ୍ତିର ସାଗରରେ ବୁଡି ରହିଛନ୍ତି । ସତ୍ୟଯୁଗରେ କେହି ବିକାରଗ୍ରସ୍ତ ହୁଅନ୍ତି ନାହିଁ । କଳିଯୁଗରେ ତ ମନୁଷ୍ୟ ଆଦି-ମଧ୍ୟ-ଅନ୍ତ ଦୁଃଖୀ ହୋଇ ଚାଲିଛନ୍ତି । ବାବା କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ବୁଝାଇଥିଲେ ଏବେ ପୁଣି ବୁଝାଉଛନ୍ତି । ପିଲାମାନେ ଜାଣୁଛନ୍ତି କଳ୍ପ ପୂର୍ବରୁ ମଧ୍ୟ ବେହଦର ପିତାଙ୍କ ଠାରୁ ବର୍ସା ଅର୍ଥାତ୍ ସମ୍ପତ୍ତି ନେଇଥିଲୁ, ଏବେ ପୁଣି ବାବାଙ୍କଠାରୁ ପାଠପଢି ସମ୍ପତ୍ତି ପ୍ରାପ୍ତ କରୁଛୁ । ସମୟ ବହୁତ ଅଳ୍ପ ଅଛି । ଏସବୁ ତ ବିନାଶ ହୋଇଯିବ, ସେଥିପାଇଁ ବେହଦର ବାବାଙ୍କଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାର ନେବା ଉଚିତ୍ । ସିଏ ଆମର ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟନ୍ତି । ପରମପିତା, ପରମ ଶିକ୍ଷକ ମଧ୍ୟ ଅଟନ୍ତି । ବିଶ୍ୱର ଇତିହାସ ଭୂଗୋଳ କିପରି ପୁନରାବୃତ୍ତି ହେଉଛି, ତାର ସମସ୍ତ ଜ୍ଞାନ ଦେଉଛନ୍ତି । ଏକଥା ଆଉ କେହି ବୁଝାଇ ପାରିବେ ନାହିଁ । ଏବେ ପିଲାମାନେ ଜାଣୁଛନ୍ତି ୫ ହଜାର ବର୍ଷ ପୂର୍ବ ଭଳି ଶିବବାବା ସେହି ଗୀତାର ଭଗବାନ ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ମନୁଷ୍ୟଙ୍କୁ ଭଗବାନ କୁହାଯିବ ନାହିଁ । ଭଗବାନ ତ ପୁନର୍ଜନ୍ମ ରହିତ ଅଟନ୍ତି । ଏହାକୁ ଦିବ୍ୟ ଜନ୍ମ କୁହାଯାଉଛି? ନଚେତ୍ ମୁଁ ନିରାକାର ଜ୍ଞାନ କିପରି ଶୁଣାଇବି? ମୋତେ ତ ନିଶ୍ଚିତ ଭାବରେ ଆସି ପତିତରୁ ପାବନ କରିବାକୁ ହେବ, ତେଣୁ ଉପାୟ ବତାଇବାକୁ ପଡିବ । ତୁମେ ଜାଣିଛ ଆମେ ଆତ୍ମାମାନେ ଅମର ଅଟୁ । ରାବଣ ରାଜ୍ୟରେ ତୁମେ ସମସ୍ତେ ଦେହ-ଅଭିମାନୀ ହୋଇଯାଇଛ । ସତ୍ୟଯୁଗରେ ଦେହୀ-ଅଭିମାନୀ ଥିଲ । କିନ୍ତୁ ପରମାତ୍ମା ରଚୟିତା ଏବଂ ତାଙ୍କର ରଚନାକୁ ସେଠାରେ ମଧ୍ୟ କେହି ଜାଣିନଥାନ୍ତି । ଯଦି ସେଠାରେ ମଧ୍ୟ ଜଣାପଡନ୍ତା ଯେ ଆମକୁ ପୁଣି ଏହିଭଳି ତଳକୁ ଖସିବାକୁ ହେବ, ତେବେ ରାଜତ୍ୱ କରିବାର ଖୁସି ମଧ୍ୟ ରହିବ ନାହିଁ । ତେଣୁ ବାବା କହୁଛନ୍ତି ଏହି ଜ୍ଞାନ ସେଠାରେ ପ୍ରାୟ ଲୋପ ହୋଇଯାଏ, ଯେବେକି ତୁମର ସଦ୍‌ଗତି ହୋଇଯାଉଛି, ତେଣୁ ଜ୍ଞାନର ଆଉ ଆବଶ୍ୟକତା ହିଁ ରହୁ ନାହିଁ । ଜ୍ଞାନର ଆବଶ୍ୟକତା ଦୁର୍ଗତି ସମୟରେ ହିଁ ହୋଇଥାଏ । ଏହି ସମୟରେ ସମସ୍ତେ ଦୁର୍ଗତିରେ ଅଛନ୍ତି । ସମସ୍ତେ କାମ ଚିତା ଉପରେ ବସି ଜଳିଯାଇଛନ୍ତି । ବାବା କହୁଛନ୍ତି ମୋର ଆତ୍ମା ରୂପୀ ସନ୍ତାନ ଯେଉଁମାନେ କି ଶରୀର ଦ୍ୱାରା ଆସି ଅଭିନୟ କରୁଛନ୍ତି, ସେମାନେ କାମ-ଚିତାର ବଶୀଭୂତ ହୋଇ ତମୋପ୍ରଧାନ ହୋଇଯାଇଛନ୍ତି । ଡାକୁଛନ୍ତି ମଧ୍ୟ, ଆମେ ପତିତ ହୋଇଯାଇଛୁ । କାମ ଅଗ୍ନି ଦ୍ୱାରା ହିଁ ପତିତ ହୋଇଥାଆନ୍ତି । କ୍ରୋଧ ବା ଲୋଭ ଦ୍ୱାରା କେହି ପତିତ ହୋଇନଥାନ୍ତି । ସାଧୁ ସନ୍ଥ ଆଦି ପବିତ୍ର ଅଟନ୍ତି, ଦେବତାମାନେ ପବିତ୍ର ହୋଇଥିବାରୁ, ପତିତ ମନୁଷ୍ୟମାନେ ତାଙ୍କ ନିକଟରେ ନତମସ୍ତକ ହେଉଛନ୍ତି । ମହିମା ଗାନ ମଧ୍ୟ କରୁଛନ୍ତି - ତୁମେ ନିର୍ବିକାରୀ, ଆମେ ବିକାରୀ । ନିର୍ବିକାରୀ ଦୁନିଆ, ବିକାରୀ ଦୁନିଆର ଗାୟନ ମଧ୍ୟ ହେଉଛି ନା । ଭାରତ ହିଁ ନିର୍ବିକାରୀ ଦୁନିଆ ଥିଲା । ଏବେ ବିକାରୀ ହୋଇଯାଇଛି । ଭାରତ ସହିତ ସାରା ବିଶ୍ୱ ହିଁ ବିକାରୀ ଅଟେ । ନିର୍ବିକାରୀ ଦୁନିଆରେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଗୋଟିଏ ହିଁ ଧର୍ମ ଥିଲା । ପବିତ୍ରତା ଥିଲା ତେଣୁ ଶାନ୍ତି ଏବଂ ସମୃଦ୍ଧି ତିନୋଟିଯାକ ଥିଲା । ପବିତ୍ରତା ହେଲା ପ୍ରଥମ । ବର୍ତ୍ତମାନ ପବିତ୍ରତା ନାହିଁ, ତେଣୁ ଶାନ୍ତି ଏବଂ ସମୃଦ୍ଧି ମଧ୍ୟ ନାହିଁ ।

ଜ୍ଞାନର ସାଗର, ସୁଖର ସାଗର, ପ୍ରେମର ସାଗର ଏକମାତ୍ର ବାବା ହିଁ ଅଟନ୍ତି । ତୁମକୁ ମଧ୍ୟ ସେହିଭଳି ସ୍ନେହୀ କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜଧାନୀରେ ସମସ୍ତେ ସ୍ନେହୀ ଅଟନ୍ତି । ମନୁଷ୍ୟ ଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ ସମସ୍ତେ ସ୍ନେହୀ ଥାଆନ୍ତି । ବାଘ ଛେଳି ଏକାଠି ପାଣି ପିଇଥା’ନ୍ତି । ଏହା ଏକ ଦୃଷ୍ଟାନ୍ତ ଅଟେ । ସେଠାରେ ଏହିଭଳି ଅପରିଷ୍କାର କରୁଥିବା ଜୀବଜନ୍ତୁ ନ ଥାନ୍ତି । ଏଠାରେ ରୋଗ ସୃଷ୍ଟି କରୁଥିବା ଜୀବାଣୁ, ମଶା ଆଦି ବହୁତ ଅଛନ୍ତି । ସେଠାରେ ଏଭଳି କିଛି ନ ଥାଏ । ଧନୀ ଲୋକମାନଙ୍କ ପାଖରେ ଆସବାବପତ୍ର ମଧ୍ୟ ବହୁତ ଉଚ୍ଚକୋଟିର ଥାଏ । ଗରିବମାନଙ୍କର ଆସବାବପତ୍ର ସାଧାରଣ ହୋଇଥାଏ । ଭାରତ ଏବେ ଗରିବ ଅଟେ, ଏଠାରେ କେତେ ସବୁ ଆବର୍ଜନା ଭରି ରହିଛି । ସତ୍ୟଯୁଗରେ କେତେ ସ୍ୱଚ୍ଛତା ଥାଏ । ସୁନାର ମହଲ ଆଦି କେତେ ସୁନ୍ଦର ହୋଇଥିବ । ବୈକୁଣ୍ଠର ଗାଈ ଗୁଡିକୁ ମଧ୍ୟ ଦେଖ କେତେ ଫାଷ୍ଟକ୍ଲାସ ଅଟନ୍ତି । କୃଷ୍ଣଙ୍କ ପାଖରେ କେତେ ଉତ୍ତମ ଗାଈ ଦେଖାଉଛନ୍ତି । କୃଷ୍ଣପୁରୀରେ ଗାଈମାନେ ତ ରହିବେ ନା । ସେଠାରେ ଜିନିଷ ପତ୍ର ସବୁ କେତେ ଫାଷ୍ଟକ୍ଲାସ ସୁନ୍ଦର ହୋଇଥାଏ । ନାମ ତ ହେଉଛି ସ୍ୱର୍ଗ ତେବେ କ’ଣ ହୋଇନଥିବ! ଏହି ପୁରୁଣା ଛି-ଛି ଦୁନିଆରେ ତ ବହୁତ ଆବର୍ଜନା ଭରି ରହିଛି । ଏ ସମସ୍ତ ଆବର୍ଜନା ଏହି ଜ୍ଞାନ ଯଜ୍ଞରେ ସ୍ୱାହା ହୋଇଯିବ । ବିଭିନ୍ନ ଶକ୍ତିରେ ସମ୍ପନ୍ନ ବୋମା ସବୁ ତିଆରି କରିବାରେ ଲାଗିଛନ୍ତି । ବୋମା ପକାଇବା ମାତ୍ରେ ନିଆଁ ଲାଗିଯିବ । ଆଜିକାଲି ତ ବିଷାକ୍ତ ଜୀବାଣୁ ମଧ୍ୟ ବମ୍ ଭିତରେ ଭରି ଦେଉଛନ୍ତି । ଏହିଭଳି ଭାବରେ ବିନାଶ କରୁଛନ୍ତି ଯାହାକି ଅସଂଖ୍ୟ ମନୁଷ୍ୟ ମୃତ୍ୟୁବରଣ କରିବେ । ଡାକ୍ତରଖାନା ଆଦି ତ ରହିବ ନାହିଁ, ଯାହାକି କାହାର ଚିକିତ୍ସା ହୋଇପାରିବ । ବାବା କହୁଛନ୍ତି - ପିଲାମାନଙ୍କୁ କୌଣସି କଷ୍ଟ ହେବା ଉଚିତ୍ ନୁହେଁ ସେଥିପାଇଁ ପ୍ରାକୃତିକ ଦୁବିପାର୍କ ଏବଂ ମୁସଳଧାର ବର୍ଷା ଇତ୍ୟାଦି ଦ୍ୱାରା ବିନାଶର ଗାୟନ ରହିଛି । ପିଲାମାନେ ବିନାଶର ସାକ୍ଷାତ୍‌କାର ମଧ୍ୟ କରିଛନ୍ତି । ବୁଦ୍ଧି ମଧ୍ୟ କହୁଛି ବିନାଶ ତ ନିଶ୍ଚିତ ହେବ । ଯଦି କେହି କହିବେ ଯେ ବିନାଶର ସାକ୍ଷାତ୍‌କାର ହେଲେ ଯାଇ ମୁଁ ବିଶ୍ୱାସ କରିବି, ଆଚ୍ଛା! ବିଶ୍ୱାସ ନ କର ତୁମ ଇଚ୍ଛା । ଯଦି କେହି କହିବ ମୁଁ ଆତ୍ମାର ସାକ୍ଷାତ୍‌କାର କଲେ ଯାଇ ବିଶ୍ୱାସ କରିବି । ଆଚ୍ଛା, ହେଉ! ଆତ୍ମା ତ ବିନ୍ଦୁ ଅଟେ । ଦେଖି ଦେଲେ କ’ଣ ହେବ । ସେଥିରେ କ’ଣ ସଦ୍‌ଗତି ହୋଇଯିବ? କହୁଛନ୍ତି ପରମାତ୍ମା ଅଖଣ୍ଡ ଜ୍ୟୋତି ସ୍ୱରୂପ ଅଟନ୍ତି, ହଜାର ସୂର୍ଯ୍ୟଙ୍କ ଠାରୁ ତେଜୋମୟ ଅଟନ୍ତି । କିନ୍ତୁ ଏଭଳି ନୁହେଁ । ଗୀତାରେ ଲେଖା ହୋଇଛି - ଅର୍ଜୁନ କହିଲେ ବନ୍ଦ କରନ୍ତୁ, ମୁଁ ସହନ କରିପାରୁ ନାହିଁ । ଏଭଳି କୌଣସି କଥା ନାହିଁ । ସନ୍ତାନ ପିତାଙ୍କର ରୂପ ଦେଖି କହିବ, ମୁଁ ସହନ କରିପାରୁ ନାହିଁ, ଏମିତି କିଛି କଥା ନାହିଁ । ଯେପରି ଆତ୍ମାର ରୂପ ସେହିପରି ପରମପିତା ପରମାତ୍ମାଙ୍କର ରୂପ । କେବଳ ସିଏ ଜ୍ଞାନର ସାଗର ଅଟନ୍ତି । ତୁମ ଭିତରେ ମଧ୍ୟ ଜ୍ଞାନ ଅଛି । ବାବା ହିଁ ଆସି ପାଠ ପଢାଉଛନ୍ତି, ଆଉ କିଛି କଥା ନାହିଁ, ଯିଏ ଯେଭଳି ଭାବନାରେ ସ୍ମରଣ କରୁଛି, ମୁଁ ସେହି ଭାବନାକୁ ପୁରଣ କରିଦେଉଛି । ତାହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । କିନ୍ତୁ ଭଗବାନ କାହାକୁ ପ୍ରାପ୍ତ ହୋଇପାରିବେ ନାହିଁ । ମୀରା ସାକ୍ଷାତ୍‌କାରରେ କେତେ ଖୁସି ହେଉଥିଲେ । ତେଣୁ ପରବର୍ତ୍ତୀ ଜନ୍ମରେ ମଧ୍ୟ ସେ ଭକ୍ତିନୀ ହୋଇଥିବେ । ବୈକୁଣ୍ଠକୁ ତ ଯାଇପାରିବେ ନାହିଁ । ଏବେ ତୁମେ ପିଲାମାନେ ବୈକୁଣ୍ଠକୁ ଯିବାର ପ୍ରସ୍ତୁତି କରୁଛ । ଜାଣୁଛ ଆମେ ବୈକୁଣ୍ଠ, କୃଷ୍ଣପୁରୀର ମାଲିକ ହେଉଛୁ । ଏଠାରେ ତ ସମସ୍ତେ ନର୍କର ମାଲିକ ଅଟନ୍ତି । ଇତିହାସ ଭୂଗୋଳର ତ ପୁନରାବୃତ୍ତି ହେବ ନା । ପିଲାମାନେ ଜାଣିଛନ୍ତି ଆମେ ନିଜର ରାଜ୍ୟଭାଗ୍ୟ ପୁନର୍ବାର ନେଉଛୁ । ଏହା ହେଉଛି ରାଜଯୋଗ ବଳ । ବାହୁବଳର ଲଢେଇ ତ ଅନେକ ଥର, ଅନେକ ଜନ୍ମ ହୋଇଛି । ଯୋଗବଳ ଦ୍ୱାରା ତୁମର ଉନ୍ନତି ହେଉଛି । ଜାଣିଛ ବାସ୍ତବରେ ସ୍ୱର୍ଗର ରାଜଧାନୀ ସ୍ଥାପନ ହେଉଛି । ଯେଉଁମାନେ କଳ୍ପ ପୂର୍ବରୁ ଯେପରି ପୁରୁଷାର୍ଥ କରିଥିବେ ପୁଣି ସେହିଭଳି ହିଁ କରିବେ । ତୁମେ ନିରାଶ ହେବା ଉଚିତ୍ ନୁହେଁ । ଯେଉଁମାନେ ଦୃଢ ନିଶ୍ଚୟ ବୁଦ୍ଧି ଅଟନ୍ତି ସେମାନଙ୍କୁ କେବେ ସଂଶୟ ଆସିପାରିବ ନାହିଁ । କିଛି ସଂଶୟ ବୁଦ୍ଧି ମଧ୍ୟ ନିଶ୍ଚିତ ଅଛନ୍ତି । ବାବା କହିଛନ୍ତି ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି, କୁହନ୍ତି ଏବଂ ପଳାଇ ଯାଆନ୍ତି.... ଆହାଃ ମାୟା ତୁ ଏମାନଙ୍କ ଉପରେ ବିଜୟ ପ୍ରାପ୍ତ କରିନେଉଛୁ । ମାୟା ବହୁତ ବଳବାନ ଅଟେ । ଭଲ ଫାଷ୍ଟକ୍ଲାସ ସେବାଧାରୀ, ସେଣ୍ଟର ପରିଚାଳନା କରୁଥିବା ଆତ୍ମାଙ୍କୁ ମଧ୍ୟ ମାୟା ଥାପ୍ପଡ ମାରି ଦେଉଛି । ଲେଖୁଛନ୍ତି ବାବା ବିବାହ କରି ମୁହଁ କଳା କରିଦେଲି । କାମ ବିକାର ଦ୍ୱାରା ମୁଁ ପରାସ୍ତ ହୋଇଗଲି । ଏବେ ତ ବାବା ଆପଣଙ୍କ ସମ୍ମୁଖକୁ ଆସିବାର ଆଉ ଯୋଗ୍ୟ ହୋଇ ନାହିଁ । ପୁଣି ଲେଖୁଛନ୍ତି ବାବା ଆପଣଙ୍କ ସମ୍ମୁଖକୁ ଆସିବି? ବାବା ଲେଖିଥାନ୍ତି ତୁମେ ତ କଳାମୁହଁ କରିଦେଲ, ତେଣୁ ଏଠାକୁ ଆସିପାରିବ ନାହିଁ । ଏବେ ଏଠାକୁ ଆସି କ’ଣ କରିବ । ସେଠାରେ ରହି ପୁନର୍ବାର ପୁରୁଷାର୍ଥ କର । ଥରେ ଯଦି ତଳକୁ ଖସିଗଲ, ତେବେ ସବୁଦିନ ପାଇଁ ଖସିଗଲ । ଏମିତି ନୁହେଁ ଯେ ରାଜପଦ ପାଇପାରିବ । କଥାରେ ଅଛି ନା – ଚଢି ପାରିଲେ ତ ବୈକୁଣ୍ଠ ରସ ଚାଖିବ, ଯଦି ଖସି ପଡିବ ତେବେ ଏକଦମ୍ ଚଣ୍ଡାଳ.... ହାଡ ଗୋଡ ଭାଙ୍ଗିଯିବ । ୫ ମହଲାରୁ ତଳକୁ ଖସିବା ସହିତ ସମାନ, ପୁଣି କେହି କେହି ସତ କଥା ଲେଖିଥାନ୍ତି । କେହି ତ ଶୁଣାନ୍ତି ହିଁ ନାହିଁ । ଇନ୍ଦ୍ରପ୍ରସ୍ଥର ପରୀମାନଙ୍କର ମଧ୍ୟ ଦୃଷ୍ଟାନ୍ତ ରହିଛି ନା । ଏସବୁ ହିଁ ଜ୍ଞାନର କଥା । ଏହି ସଭାରେ କୌଣସି ପତିତକୁ ବସିବାର ଅନୁମତି ନାହିଁ । କିନ୍ତୁ ଏପରି କୌଣସି ପରିସ୍ଥିତିରେ ବସାଇବାକୁ ପଡିଥାଏ । ପତିତ ହିଁ ତ ଆସିବେ ନା । ଏବେ ତ ଦେଖ ଦ୍ରୌପଦୀମାନେ ସବୁ ଚିତ୍କାର କରୁଛନ୍ତି, କହୁଛନ୍ତି ବାବା ଆମକୁ ନଗ୍ନ ହେବାରୁ ରକ୍ଷା କର । ବାନ୍ଧେଲୀମାନଙ୍କର ମଧ୍ୟ ପାର୍ଟ ଚାଲୁଛି । କାମୀ-କ୍ରୋଧୀମାନେ ଅଛନ୍ତି ନା । ବହୁତ ଲଢେଇ ଝଗଡା ଲାଗୁଛି । ବାବାଙ୍କ ପାଖକୁ ସମାଚାର ଆସୁଛି । ଅବିନାଶୀ ପିତା କହୁଛନ୍ତି, ପିଲାମାନେ ଏହା ଉପରେ ବିଜୟ ପ୍ରାପ୍ତ କର । ଏବେ ପବିତ୍ର ରୁହ, ମୋତେ ମନେ ପକାଅ ତେବେ ମୁଁ ଗ୍ୟାରେଣ୍ଟି ଦେଉଛି ତୁମେ ବିଶ୍ୱର ମାଲିକ ହେବ । ଖବରକାଗଜରେ ମଧ୍ୟ ନିଜେ ଲେଖୁଛନ୍ତି ଯେ କେହି ପ୍ରେରକ ହୋଇ ଆମ ଦ୍ୱାରା ଏହି ବୋମା ଇତ୍ୟାଦି ତିଆରି କରାଉଛି, ଏହା ଦ୍ୱାରା ନିଜର କୁଳର ହିଁ ବିନାଶ ହେବ । କିନ୍ତୁ କ’ଣ କରାଯିବ ଡ୍ରାମାରେ ନିଧାର୍ଯ୍ୟ ଅଛି, ଦିନକୁ-ଦିନ ତିଆରି କରିଚାଲିଛନ୍ତି । ସମୟ ତ ଅଧିକ ନାହିଁ ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସତ୍ୟଯୁଗୀ ପ୍ରିୟ ରାଜଧାନୀକୁ ଯିବା ପାଇଁ ବହୁତ ବହୁତ ସ୍ନେହୀ ହେବାକୁ ପଡିବ । ରାଜପଦ ପ୍ରାପ୍ତ କରିବା ପାଇଁ ନିଶ୍ଚିତ ପବିତ୍ର ହେବାକୁ ପଡିବ । ପ୍ରଥମ ହେଲା ପବିତ୍ରତା, ସେଥିପାଇଁ କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ ।

(୨) ଏହି ପୁରୁଣା ଦୁନିଆରୁ ବେହଦର ଅସୀମ ବୈରାଗୀ ହେବା ପାଇଁ ଏହି ଆଖି ଦ୍ୱାରା ଦେହ ସହିତ ଯାହା କିଛି ଦେଖାଯାଉଛି, ସେଗୁଡିକୁ ଦେଖୁଥିଲେ ମଧ୍ୟ ଦେଖିବାର ନାହିଁ । ପ୍ରତି ପଦକ୍ଷେପରେ ବାବାଙ୍କଠାରୁ ଶ୍ରୀମତ ନେଇ ଚାଲିବାକୁ ହେବ ।

ବରଦାନ:-
ସାରା ବୃକ୍ଷର ଜ୍ଞାନକୁ ସ୍ମୃତିରେ ରଖି ତପସ୍ୟା କରୁଥିବା ସଚ୍ଚା ତପସ୍ୱୀ ବା ସେବାଧାରୀ ଭବ ।

ଭକ୍ତିମାର୍ଗରେ ତପସ୍ୱୀମାନଙ୍କୁ ବୃକ୍ଷ ତଳେ ବସି ତପସ୍ୟା କରିବାର ଦେଖାଇଥାଆନ୍ତି, ଏହାର ମଧ୍ୟ ରହସ୍ୟ ରହିଛି । ତୁମମାନଙ୍କର ନିବାସ ଏହି ସୃଷ୍ଟି ରୂପୀ କଳ୍ପବୃକ୍ଷର ଚେରରେ ଅଟେ । ବୃକ୍ଷର ତଳେ ବସିବା ଦ୍ୱାରା ସାରା ବୃକ୍ଷର ଜ୍ଞାନ ସ୍ୱତଃ ଭାବରେ ବୁଦ୍ଧିରେ ରହିଥାଏ । ତେଣୁ ସାରା ବୃକ୍ଷର ଜ୍ଞାନକୁ ସ୍ମୃତିରେ ରଖି ସାକ୍ଷୀ ହୋଇ ଏହି ବୃକ୍ଷକୁ ଦେଖ । ତେବେ ଏହିଭଳି ନିଶା ତୁମକୁ ଖୁସି ପ୍ରଦାନ କରିବ ଏବଂ ଏହା ଦ୍ୱାରା ଆତ୍ମା ରୂପୀ ବ୍ୟାଟେରୀ ଚାର୍ଜ ହୋଇଯିବ । ତା’ପରେ ସେବା କରୁଥିଲେ ମଧ୍ୟ ତପସ୍ୟା ସାଥୀରେ ରହିଥିବ ।

ସ୍ଲୋଗାନ:-
ଶରୀରରେ ରୋଗ ହେବା କିଛି ବଡ କଥା ନୁହେଁ କିନ୍ତୁ ମନ କେବେ ରୋଗୀ ନ ହେଉ ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ଦାତାଙ୍କର ସନ୍ତାନମାନେ ସର୍ବଦା ସର୍ବ ସମ୍ପତ୍ତିବାନ୍ ହୋଇଥାଆନ୍ତି, ତେଣୁ ତୁମ ଭିତରେ କେବେ ତ ଭକ୍ତପଣିଆର ବା ଭିକାରୀ ପଣିଆର ସଂସ୍କାର ପ୍ରକଟ ନ ହେଉ । ଏଭଳି ସଂକଳ୍ପ ମଧ୍ୟ ନ ଆସୁ ଯେ ବାବା ମୋତେ କିଛି ସାହାଯ୍ୟ କରିଦିଅନ୍ତୁ ବା ଆଶୀର୍ବାଦ ଦେଇ ଦିଅନ୍ତୁ । ବାବା ମୋତେ ସହଯୋଗ ଦରକାର ବା ଶକ୍ତି ଦରକାର । ଏହିଭଳି ଦରକାର ଶବ୍ଦ ଦାତା, ବିଧାତା, ବରଦାତା ପିଲାମାନଙ୍କୁ ଶୋଭା ପାଉ ନାହିଁ । ଦାତାଙ୍କର ସନ୍ତାନମାନେ ସର୍ବଦା ସର୍ବଶକ୍ତିରେ ସମ୍ପନ୍ନ ହୋଇଥାଆନ୍ତି । ଏହି ସମ୍ପନ୍ନ ସ୍ଥିତି ସମ୍ପୂର୍ଣ୍ଣ ସ୍ଥିତିକୁ ପାଖେଇ ଆଣିଥାଏ ।