26.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସଙ୍ଗ
ଦୋଷରୁ ମୁକ୍ତ ରହି ପାଠପଢା ଉପରେ ପୁରା ପୁରା ଧ୍ୟାନ ଦିଅ, ତେବେ କୌଣସି ପ୍ରକାରର ତୋଫାନ
ଆସିପାରିବ ନାହିଁ, କିନ୍ତୁ ମାୟାକୁ କେବେ ବି ଦୋଷି କର ନାହିଁ ।”
ପ୍ରଶ୍ନ:-
କେଉଁ ଗୋଟିଏ
କଥାକୁ ସର୍ବଦା ଧ୍ୟାନରେ ରଖିଲେ ତୁମର ବେଡା ଅର୍ଥାତ୍ ନୌକା ପାରି ହୋଇଯିବ?
ଉତ୍ତର:-
“ବାବା ଆପଣଙ୍କର ଯାହା ଆଦେଶ,” ଏହିଭଳି ସର୍ବଦା ବାବାଙ୍କ ହୁକୁମ ଅର୍ଥାତ୍ ଆଦେଶ ଅନୁସାରେ
ଚାଲୁଥାଅ ତେବେ ତୁମର ବେଡା ପାରି ହୋଇଯିବ । ହୁକୁମ ଅନୁସାରେ ଚାଲୁଥିବା ପିଲାମାନେ ମାୟାର
ଆକ୍ରମଣରୁ ରକ୍ଷା ପାଇଯା’ନ୍ତି, ସେମାନଙ୍କ ବୁଦ୍ଧିର ତାଲା ଖୋଲିଯାଏ, ଅପାର ଖୁସିର ଅନୁଭବ କରନ୍ତି
। ସେମାନଙ୍କ ଦ୍ୱାରା କୌଣସି ଓଲଟା କର୍ମ ହୋଇ ନ ଥାଏ ।
ଗୀତ:-
ତୁହ୍ମେ ପାକେ
ହମନେ...
ଓମ୍ ଶାନ୍ତି ।
ସମସ୍ତ ସେଣ୍ଟରର ମିଠା ମିଠା ପିଲାମାନେ ଗୀତ ଶୁଣିଲେ । ସମସ୍ତେ ଜାଣିଛନ୍ତି ଯେ, ବେହଦର
ପିତାଙ୍କଠାରୁ ପୁନର୍ବାର ୫ ହଜାର ବର୍ଷ ପୂର୍ବ ଭଳି ଆମେ ବିଶ୍ୱର ରାଜତ୍ୱ ନେବାକୁ ଯାଉଛୁ ଏବଂ
ଏହିଭଳି କଳ୍ପ କଳ୍ପ ଆମେ ରାଜତ୍ୱ ନେଇ ଆସିଛୁ । ରାଜତ୍ୱ ନେଉଛୁ ପୁଣି ହରାଇ ଦେଉଛୁ । ପିଲାମାନେ
ଜାଣିଛନ୍ତି, ଏବେ ଆମେ ବେହଦ ବାବାଙ୍କର କୋଳକୁ ଆସିଛୁ । ବାବାଙ୍କର ସନ୍ତାନ ହୋଇଛୁ । ଏହା ସତ୍ୟ
ଅଟେ । ଘରେ ବସି ଆମେ ପୁରୁଷାର୍ଥ କରୁଛୁ । ବେହଦର ପିତାଙ୍କଠାରୁ ଉଚ୍ଚ ପଦ ପାଇବା ପାଇଁ ପାଠପଢା
ଚାଲିଛି । ତୁମେ ଜାଣିଛ ଜ୍ଞାନର ସାଗର, ପତିତ-ପାବନ, ସମସ୍ତଙ୍କର ସଦଗତି ଦାତା ଶିବବାବା ହିଁ ଆମର
ପିତା, ଶିକ୍ଷକ ଏବଂ ସଦଗୁରୁ ମଧ୍ୟ ଅଟନ୍ତି । ତାଙ୍କଠାରୁ ଆମେ ସମ୍ପତ୍ତି ନେଉଛୁ, ତେଣୁ ଉଚ୍ଚ ପଦ
ପାଇବା ପାଇଁ କେତେ ପୁରୁଷାର୍ଥ କରିବା ଦରକାର । ଅଜ୍ଞାନ କାଳରେ ମଧ୍ୟ ଯେତେବେଳେ ସ୍କୁଲରେ ପାଠ
ପଢୁଥିଲେ ସେତେବେଳେ ନିଜର ପାଠପଢା ଅନୁସାରେ କ୍ରମାନୁସାରେ ନମ୍ବର ରଖି ପାସ୍ ହେଉଥିଲେ । ସେଠାରେ
ତ କେହି ଏଭଳି କୁହନ୍ତି ନାହିଁ ଯେ ମାୟା ଆମକୁ ବିଘ୍ନ ପକାଉଛି ବା ତୋଫାନ ଆସୁଛି । ଠିକ୍ ଭାବରେ
ପାଠ ପଢି ନ ଥା’ନ୍ତି ବା ଖରାପ ସଂଗରେ ପଡିଯାଇଥା’ନ୍ତି ଅଥବା ଖେଳ କୁଦରେ ଲାଗିଯାଇଥା’ନ୍ତି,
ସେଥିପାଇଁ ପାଠପଢି ନଥାନ୍ତି ଯାହାଦ୍ୱାରା ଫେଲ୍ ମଧ୍ୟ ହୋଇଯାଇଥାନ୍ତି । କିନ୍ତୁ ଏହାକୁ ମାୟାର
ତୋଫାନ କୁହାଯିବ ନାହିଁ । ଚାଲିଚଳନ ଠିକ୍ ନ ଥିଲେ ଶିକ୍ଷକମାନେ ସାର୍ଟିଫିକେଟ୍ ଦେଇଥା’ନ୍ତି ଯେ,
ଏହାଙ୍କର ଚରିତ୍ର ଖରାପ ଅଟେ । କୁସଂଗରେ ପଡି ଖରାପ ହୋଇଯାଇଛି, ଏଥିରେ ମାୟା ରାବଣକୁ ଦୋଷୀ
କରିବାର କଥା ହିଁ ନାହିଁ । ବଡ ବଡ ଭଲ ଧନବାନ ଲୋକମାନଙ୍କର ପିଲାମାନେ କେହି ତ ଭଲ ପାଠ ପଢି ଆଗକୁ
ବଢିଯାଆନ୍ତି, ଆଉ କେହି ତ ମଦ ପିଇବାରେ ଲାଗିପଡନ୍ତି । ଯଦି ଖରାପ ଦିଗକୁ ଗତି କରନ୍ତି ତେବେ
ତାଙ୍କୁ ପିତା କହିଥା’ନ୍ତି ଯେ କୁପୁତ୍ର ହୋଇଗଲା । ସେହି ପାଠପଢାରେ ତ ବହୁତ ବିଷୟ ଥାଏ । ଏହା ତ
ଗୋଟିଏ ପ୍ରକାରର ପାଠପଢା । ସେଠାରେ ମନୁଷ୍ୟ ପାଠ ପଢାଇଥାନ୍ତି, କିନ୍ତୁ ଏଠାରେ ପିଲାମାନେ
ଜାଣିଛନ୍ତି ଯେ, ଆମକୁ ଭଗବାନ ପାଠ ପଢାଉଛନ୍ତି । ଯଦି ଆମେ ଭଲ ଭାବରେ ପଢିବା ତେବେ ବିଶ୍ୱର
ମାଲିକ ମଧ୍ୟ ହୋଇପାରିବା । ପିଲାମାନେ ତ ବହୁତ ଅଛନ୍ତି କିନ୍ତୁ କେହି ତ ସଂଗଦୋଷରେ ପଡି ପାଠପଢି
ପାରନ୍ତି ନାହିଁ । ଏହାକୁ ମାୟାର ତୋଫାନ କାହିଁକି କୁହାଯିବ? ସଂଗଦୋଷରେ ପଡି ଯଦି କେହି ପାଠ ନ
ପଢନ୍ତି ତେବେ ସେଥିରେ ମାୟା ବା ଶିକ୍ଷକ ବା ପିତା କ’ଣ କରିପାରିବେ । ପାଠ ନ ପଢିବାରୁ ନିଜର
ଲୌକିକ ଘରକୁ ଚାଲିଗଲେ । କିନ୍ତୁ ଡ୍ରାମା ଅନୁସାରେ ପ୍ରଥମେ ଭଟ୍ଟୀରେ ପଡିବାର ଥିଲା । ଶରଣ ମଧ୍ୟ
ନେଇଥିଲେ । କାହାକୁ ଯଦି ସ୍ୱାମୀ ମାଡ ମାରିଲେ ବା ନିର୍ଯ୍ୟାତନା ଦେଲେ ତେବେ ତାଙ୍କୁ ବୈରାଗ୍ୟ
ଆସିଲା, ଘରେ ରହିପାରିଲେ ନାହିଁ, ଆଉ କେହି ତ ଏଠାକୁ ଆସି ମଧ୍ୟ ଚାଲିଗଲେ । ପାଠପଢି ପାରିଲେ ନାହିଁ
ତେଣୁ ଯାଇ ଚାକିରୀ ଆଦି କଲେ ବା ବିବାହ ମଧ୍ୟ କଲେ । ଏହା ତ ଗୋଟିଏ ବାହାନା ଯେ ମାୟାର ତୋଫାନ
କାରଣରୁ ପାଠପଢି ପାରୁନାହିଁ । ଏ କଥା ବୁଝି ପାରୁନାହାଁନ୍ତି ଯେ, ସଂଗ ଦୋଷ କାରଣରୁ ହିଁ ମୋର ଏ
ଅବସ୍ଥା ହେଲା ଏବଂ ମୋ ଭିତରେ ବିକାର ମଧ୍ୟ କଡା ରୂପରେ ଅଛି । ଏକଥା କାହିଁକି କହୁଛ ଯେ ମାୟାର
ତୋଫାନ ଲାଗିଲା ତେଣୁ ଖସିପଡିଲି । ଏ ସବୁ କିଛି ନିଜ ଉପରେ ନିର୍ଭର କରେ ।
ପିତା, ଶିକ୍ଷକ, ସଦଗୁରୁଙ୍କର ଯେଉଁ ଶିକ୍ଷା ମିଳୁଛି ତା ଉପରେ ଚାଲିବା ଦରକାର । ଯଦି ଚାଲିପାରୁ
ନାହାଁନ୍ତି ତେବେ କୌଣସି ଖରାପ ସଙ୍ଗ ରହିଛି ବା କାମ ବିକାରର ନିଶା ବା ଦେହ-ଅଭିମାନର ନିଶା ରହିଛି
। ସବୁ ସେଣ୍ଟରର ପିଲାମାନେ ଜାଣିଛନ୍ତି ଯେ, ଆମେ ବେହଦର ବାବାଙ୍କଠାରୁ ବିଶ୍ୱର ରାଜତ୍ୱ ନେବା
ପାଇଁ ପାଠ ପଢୁଛୁ । ଯଦି ନିଶ୍ଚୟ ନ ଥାନ୍ତା ତେବେ ଏଠାରେ କାହିଁକି ବସିଥାନ୍ତେ । ଦୁନିଆରେ ତ
ଆହୁରି ଅନେକ ଆଶ୍ରମ ଅଛି କିନ୍ତୁ ସେଠାରେ କିଛି ପ୍ରାପ୍ତି ନାହିଁ । କୌଣସି ଲକ୍ଷ୍ୟ ବା
ଉଦ୍ଦେଶ୍ୟ ନାହିଁ । ସେହିପରି ଛୋଟ ଛୋଟ ମଠ ପନ୍ଥ ଗୁଡିକ ସୃଷ୍ଟି ରୂପୀ ବୃକ୍ଷର ଶାଖା ପ୍ରଶାଖା
ଅଟେ । ବୃକ୍ଷ ତ ନିଶ୍ଚିତ ବଢିବ । ଏହିଠାରେ ତ ସବୁ ଧର୍ମର ସମ୍ପର୍କ ରହିଛି । ମିଠା ଦୈବୀ
ବୃକ୍ଷର ଯିଏ ହୋଇଥିବ ସେମାନେ ଅନ୍ୟ ଧର୍ମରେ ଥିଲେ ମଧ୍ୟ ସେଠାରୁ ବାହାରି ଆସିବେ । ସବୁଠାରୁ ମିଠା
କିଏ ହୋଇଥିବେ? ଯେଉଁମାନେ ସତ୍ୟଯୁଗର ମହାରାଜା ମହାରାଣୀ ହୋଇଥିବେ । ଏବେ ତୁମେମାନେ ଜାଣୁଛ, ଯିଏ
ପ୍ରଥମ ନମ୍ବରରେ ଆସୁଛନ୍ତି, ସେମାନେ ନିଶ୍ଚିତ ଭଲ ଭାବରେ ପାଠ ପଢିଥିବେ, ସେହିମାନେ ହିଁ
ସୂର୍ଯ୍ୟବଂଶୀ କୁଳରେ ଆସିବେ । ଏଭଳି ମଧ୍ୟ କେହି କେହି ଅଛନ୍ତି, ଯେଉଁମାନେ ଗୃହସ୍ଥ ବ୍ୟବହାରରେ
ରହି ମଧ୍ୟ ଅର୍ପଣମୟ ଜୀବନ ଯାପନ କରୁଛନ୍ତି । ବହୁତ ସେବା କରୁଛନ୍ତି । ଫରକ ରହିଛି ନା । କେହି
କେହି ଯଦିଓ ଏଠାରେ ସମର୍ପିତ ଭାବରେ ରହୁଛନ୍ତି କିନ୍ତୁ ପାଠପଢାଇ ପାରିବେ ନାହିଁ ତେଣୁ ସେମାନେ
ଅନ୍ୟ ସେବାରେ ଲାଗି ଯାଇଛନ୍ତି । ସେମାନେ ଶେଷ ସମୟରେ ଅର୍ଥାତ୍ ତ୍ରେତା ଯୁଗର ଶେଷରେ ଅଳ୍ପ କିଛି
ସମୟ ପାଇଁ ରାଜପଦ ପ୍ରାପ୍ତ କରିବେ । ଏଭଳି ମଧ୍ୟ ଦେଖାଯାଇଥାଏ ଯେ, ଗୃହସ୍ଥୀମାନେ ମଧ୍ୟ ଏଠାରେ
ଅର୍ଥାତ୍ ସେଣ୍ଟରରେ ରହୁଥିବା ଭାଇ-ଭଉଣୀମାନଙ୍କ ଠାରୁ ମଧ୍ୟ ପଢିବା ଏବଂ ପଢାଇବାରେ ଅଧିକ ଯୋଗ୍ୟ
ହୋଇଯାଇଥାନ୍ତି । ସମସ୍ତେ ତ ଗୃହସ୍ଥି ନୁହଁନ୍ତି । କନ୍ୟା ବା କୁମାରମାନଙ୍କୁ ଗୃହସ୍ଥି କୁହାଯିବ
ନାହିଁ ଆଉ ଯେଉଁମାନେ ବାନପ୍ରସ୍ଥୀ ସେମାନେ ୬୦ ବର୍ଷ ପରେ ନିଜର ସବୁ କିଛି ପିଲାମାନଙ୍କୁ ଦେଇ
ନିଜେ କୌଣସି ସାଧୁ ସନ୍ନ୍ୟାସୀଙ୍କ ସଂଗରେ ଯାଇ ରହିଥା’ନ୍ତି । କିନ୍ତୁ ଆଜିକାଲି ସମସ୍ତେ
ତମୋପ୍ରଧାନ ହୋଇଯିବା କାରଣରୁ ମରିବା ପର୍ଯ୍ୟନ୍ତ ମଧ୍ୟ ବ୍ୟବସାୟ ଆଦିକୁ ଛାଡୁ ନାହାଁନ୍ତି । ଆଗରୁ
୬୦ ବର୍ଷରେ ବାନପ୍ରସ୍ଥ ଅବସ୍ଥାରେ ନେଇ ଚାଲିଯାଉଥିଲେ । ବନାରସରେ ଯାଇ ରହୁଥିଲେ । ଏକଥା ତ
ପିଲାମାନେ ଜାଣିଛନ୍ତି ଯେ, ଏଠାରୁ କେହି ପରମଧାମକୁ ଫେରିଯାଇ ପାରିବେ ନାହିଁ । ସଦ୍ଗତି ମଧ୍ୟ
ପ୍ରାପ୍ତ କରିପାରିବେ ନାହିଁ ।
ବାବା ହିଁ ମୁକ୍ତି-ଜୀବନମୁକ୍ତି ଦାତା ଅଟନ୍ତି, ତଥାପି ମଧ୍ୟ ସମସ୍ତେ ଜୀବନମୁକ୍ତି ପଦ
ପାଇପାରନ୍ତି ନାହିଁ । କେହି କେହି ତ ମୁକ୍ତିକୁ ମଧ୍ୟ ଚାଲିଯା’ନ୍ତି । ଏବେ ତ ଆଦି ସନାତନ
ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି, ତେବେ ଯିଏ ଯେତେ ପୁରୁଷାର୍ଥ କରିପାରିବ । ଏଥିରେ ମଧ୍ୟ
କୁମାରୀମାନଙ୍କ ପାଇଁ ଭଲ ସୁଯୋଗ ରହିଛି । ଯେଉଁମାନେ ପାରଲୌକିକ ପିତାଙ୍କର ଉତ୍ତରାଧିକାରୀ
ହୋଇଯାଇଥାନ୍ତି । ବାସ୍ତବରେ ସବୁ ସନ୍ତାନ ବାବାଙ୍କଠାରୁ ବର୍ସା ନେବାର ହକଦାର ଅଟନ୍ତି । ଲୌକିକ
ଦୁନିଆରେ ତ ଝିଅମାନଙ୍କୁ ସମ୍ପତ୍ତି ମିଳି ନ ଥାଏ । ପୁଅମାନଙ୍କ ଭିତରେ ସମ୍ପତ୍ତିରେ ଲାଳସା ଥାଏ
। ଯଦିଓ କେହି କେହି ଅଛନ୍ତି ଯେଉଁମାନେ ଭାବିଥା’ନ୍ତି ବାବାଙ୍କଠାରୁ ସମ୍ପତ୍ତି ତ ମିଳିବ କିନ୍ତୁ
ଲୌକିକ ସମ୍ପତ୍ତି ମଧ୍ୟ ନେବାର ଅଛି, ତାକୁ କାହିଁକି ଛାଡିବେ, ତେଣୁ ଦୁଇଟିଯାକ ପାଠ ପଢିଥା’ନ୍ତି
। ଏହିଭଳି ଭିନ୍ନ ଭିନ୍ନ ପ୍ରକାରର ପିଲା ଅଛନ୍ତି । ତେବେ ଏକଥା ତ ତୁମେମାନେ ଜାଣୁଛ ଯେ, ଯିଏ ଭଲ
ପାଠ ପଢିଥା’ନ୍ତି ସେମାନେ ଉଚ୍ଚ ପଦ ପାଇଥାନ୍ତି । ପ୍ରଜାରେ ମଧ୍ୟ ବହୁତ ସାହୁକାର ହୋଇଯାଇଥାନ୍ତି
। ସେଣ୍ଟରରେ ରହିଲାବାଲାଙ୍କୁ ତ ଭିତରେ ହିଁ ରହିବାକୁ ପଡିଥାଏ ଅର୍ଥାତ୍ ରାଜ ପରିବାରରେ
ଆସିଥା’ନ୍ତି କିନ୍ତୁ ଦାସଦାସୀ ହୋଇଯା’ନ୍ତି । ପୁଣି ସେମାନଙ୍କୁ ତ୍ରେତା ଯୁଗ ଶେଷରେ ତିନି, ଚାରି
ବା ପାଞ୍ଚ ଜନ୍ମ ପାଇଁ ରାଜ ପଦ ମିଳିଥାଏ । ଏମାନଙ୍କଠାରୁ ତ ସେହି ସାହୁକାର ପଦ ଭଲ, ଯାହାଙ୍କର
ସାହୁକାରୀ ସତ୍ୟଯୁଗରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ କାୟମ ରହିଥାଏ । ତେଣୁ ଗୃହସ୍ଥ ବ୍ୟବହାରରେ
ରହି ସାହୁକାରୀ ପଦ କାହିଁକି ନ ନେବ । ତେବେ ରାଜପଦ ପାଇବା ପାଇଁ ଚେଷ୍ଟା କରିଥା’ନ୍ତି । କିନ୍ତୁ
ଯଦି ଖସି ପଡୁଛନ୍ତି ତେବେ ପ୍ରଜାରେ ମଧ୍ୟ ଭଲ ପଦ ପାଇବାର ପୁରୁଷାର୍ଥ କରିବା ଉଚିତ୍ । ତାହା
ମଧ୍ୟ ଉଚ୍ଚ ପଦ ହେଲା ନା । ଯେଉଁମାନେ ଏଠାରେ ରହୁଛନ୍ତି ସେମାନଙ୍କ ଠାରୁ ବାହାରେ ରହୁଥିବା
ଭାଇ-ଭଉଣୀ ମଧ୍ୟ ବହୁତ ଉଚ୍ଚ ପଦ ପାଇପାରିବେ । ତେବେ ସବୁକିଛି ନିଜର ପୁରୁଷାର୍ଥ ଉପରେ ନିର୍ଭର
କରୁଛି । ପୁରୁଷାର୍ଥ କେବେ ବ୍ୟର୍ଥ ଯିବ ନାହିଁ । ପ୍ରଜାରେ ମଧ୍ୟ ଯିଏ ବଡରୁ ବଡ ସାହୁକାର ହେବେ
ସିଏ ମଧ୍ୟ ଲୁଚି ରହିପାରିବେ ନାହିଁ । ଏମିତି ନୁହେଁ ଯେ, ବାହାରର ଭାଇ-ଭଉଣୀମାନଙ୍କୁ କିଛି କମ୍
ପଦ ମିଳିବ । ତେବେ ଶେଷ ସମୟରେ ରାଜ ପଦ ପାଇବା ଭଲ ନା ପ୍ରଜାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଚ୍ଚ
ପଦ ପାଇବା ଭଲ? ଯେଉଁମାନେ ଗୃହସ୍ଥ ବ୍ୟବହାରରେ ରହୁଛନ୍ତି ସେମାନଙ୍କୁ ଏତେ ମାୟାର ତୋଫାନ ଆସି ନ
ଥାଏ । ଯେଉଁମାନେ ଏଠାରେ ସମର୍ପିତ ହୋଇ ରହୁଛନ୍ତି ସେମାନଙ୍କୁ ତୋଫାନ ବହୁତ ଆସିଥାଏ । ସାହାସ
ରଖନ୍ତି ଯେ ଆମେ ଶିବବାବାଙ୍କର ଶରଣରେ ଅଛୁ କିନ୍ତୁ ସଂଗ ଦୋଷରେ ଆସି ପାଠ ପଢି ନ ଥାନ୍ତି । ଶେଷ
ସମୟରେ ସବୁକିଛି ଜଣାପଡିଯିବ । ସାକ୍ଷାତକାର ହେବ, କିଏ କେଉଁ ପଦ ପାଇବ । କ୍ରମାନୁସାରେ ପାଠ
ପଢୁଛନ୍ତି ନା । କେହି କେହି ତ ସେଣ୍ଟରକୁ ନିଜେ ନିଜେ ଚଳାଇଥା’ନ୍ତି । ଆଉ କେଉଁଠି ତ ଯିଏ
ସେଣ୍ଟର ଚଳାଉଛନ୍ତି, ସେମାନଙ୍କ ଠାରୁ ପଢିଲାବାଲା ଅଧିକ ଯୋଗ୍ୟ ହୋଇଯାଇଥା’ନ୍ତି । ତେବେ ସବୁକିଛି
ପୁରୁଷାର୍ଥ ଉପରେ ନିର୍ଭର କରୁଛି । ଏମିତି ନୁହେଁ ଯେ ମାୟାର ତୋଫାନ ଆସୁଛି । ନା । ନିଜର
ଚାଲିଚଳନ ଠିକ ନାହିଁ । ଶ୍ରୀମତରେ ଚାଲୁନାହାଁନ୍ତି । ଲୌକିକରେ ମଧ୍ୟ ଏହିଭଳି ହୋଇଥାଏ ।
ପିଲାମାନେ ଟିଚର ବା ମା ବାପାଙ୍କର ମତରେ ଚାଲି ନ ଥା’ନ୍ତି । ତୁମେମାନେ ତ ଏଭଳି ବାବାଙ୍କର
ସନ୍ତାନ ହୋଇଛ ଯାହାଙ୍କର କେହି ପିତା ହିଁ ନାହାଁନ୍ତି । ସେଠାରେ ତ ବହୁତ ବାହାରକୁ ଯିବାକୁ
ପଡିଥାଏ । କେହି କେହି ପିଲା ସଂଗ ଦୋଷରେ ଆସି ଫେଲ୍ ହୋଇଯା’ନ୍ତି । ତେବେ ଏଭଳି କୁହାଯିବ ନାହିଁ
ଯେ, ମାୟାର ତୋଫାନ ଆସୁଛି । ଏହା ତ ନିଜର ମୁର୍ଖତା ଅଟେ । ବାବାଙ୍କର ନିର୍ଦ୍ଦେଶ ଅନୁସାରେ
ଚାଲୁନାହାଁନ୍ତି । ଏହିଭଳି ଚାଲିଚଳନ ଦ୍ୱାରା ଅନେକ ପିଲା ଫେଲ୍ ହୋଇଯାଇଥାନ୍ତି । ବହୁତଙ୍କ ଭିତରେ
ଲୋଭ ରହିଥାଏ, କାହା ଭିତରେ କ୍ରୋଧ, କାହା ଭିତରେ ଚୋରି କରିବାର ଅଭ୍ୟାସ, ଶେଷରେ ତ ସବୁକିଛି
ଜଣାପଡିଯିବ । ଅମୁକ ନିଜର ଏହିଭଳି ଚଳଣି ପାଇଁ ଛାଡି ଚାଲିଗଲେ । ତେବେ ବୁଝିବାକୁ ହୁଏ ଯେ ସେମାନେ
ଶୁଦ୍ର କୁଳର ହୋଇଗଲେ । ତାଙ୍କୁ ପୁଣି ବ୍ରାହ୍ମଣ କୁହାଯିବ ନାହିଁ । ସେମାନେ ପୁଣି ଯାଇ ଶୁଦ୍ର
ହୋଇଗଲେ । ପାଠପଢା ଛାଡିଦେଲେ । ଯଦି ଟିକିଏ ବି ଜ୍ଞାନ ଶୁଣିଥିବେ ତେବେ ପ୍ରଜାରେ ତ ଆସିଯିବେ ।
ଏହା ବହୁତ ବଡ ବୃକ୍ଷ (ପରିବାର) ଅଟେ । କେଉଁଠୁ କେଉଁଠୁ ବାହାରି ଆସିବେ । ଦେବୀ-ଦେବତା ଧର୍ମର
ଯେଉଁ ଆତ୍ମାମାନେ ଅନ୍ୟ ଧର୍ମକୁ ଚାଲିଯାଇଛନ୍ତି ସେମାନେ ମଧ୍ୟ ବାହାରି ଆସିବେ ଅର୍ଥାତ୍
ବ୍ରାହ୍ମଣ ହେବେ । ଯେତେବେଳେ ବହୁତ ଆସିବେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହେବେ । ଅନ୍ୟ
ଧର୍ମାବଲମ୍ବୀମାନେ ମୁକ୍ତିର ବର୍ସା ତ ନେଇପାରିବେ ନା । ଏଠାକୁ ତ କେହି ବି ଆସିପାରିବେ । ଯାହାକୁ
ନିଜ କୁଳରେ ଉଚ୍ଚ ପଦ ପାଇବାର ଥିବ ସେମାନେ ମଧ୍ୟ ଆସି ଲକ୍ଷ୍ୟ ନେଇଯିବେ । ବାବା ତ ତୁମକୁ
ସାକ୍ଷାତ୍କାର କରାଇଥିଲେ ଯେ, ସେମାନେ ମଧ୍ୟ ଆସି ଲକ୍ଷ୍ୟ ନେଇ ଯାଉଛନ୍ତି । ଏମିତି ନୁହେଁ ଯେ,
କେବଳ ଏହିଠାରେ ରହିଲେ ହିଁ ଲକ୍ଷ୍ୟରେ ରହିପାରିବେ । କୌଣସି ବି ଧର୍ମବାଲା ଲକ୍ଷ୍ୟ ନେଇପାରିବେ ।
ଏଠାରେ ଲକ୍ଷ୍ୟ ମିଳୁଛି, ବାବାଙ୍କୁ ସ୍ମରଣ କର, ଶାନ୍ତିଧାମକୁ ସ୍ମରଣ କର, ତେବେ ନିଜ ଧର୍ମରେ
ଉଚ୍ଚ ପଦ ପାଇପାରିବ । ସେମାନଙ୍କୁ ଜୀବନମୁକ୍ତି ତ ମିଳିବ ନାହିଁ, ନା ସେମାନେ ସ୍ୱର୍ଗକୁ ଆସିବେ
। ତେଣୁ ତାଙ୍କର ଏଠାରେ ମନ ଲାଗିବ ନାହିଁ, ସେହିମାନଙ୍କର ଏଠାରେ ସଚ୍ଚା ସଚ୍ଚା ମନ ଲାଗିଯାଏ
ଯେଉଁମାନେ ଦେବୀ-ଦେବତା ଧର୍ମର ଅଟନ୍ତି । ଶେଷ ବେଳକୁ ଯେମିତି ସବୁଆତ୍ମା ନିଜର ପିତାଙ୍କୁ ତ
ଜାଣିଯାଆନ୍ତୁ । ବହୁତ ସେଣ୍ଟରମାନଙ୍କରେ ଏଭଳି ମଧ୍ୟ ଅଛନ୍ତି ଯେଉଁମାନଙ୍କର ପାଠପଢା ପ୍ରତି
ଧ୍ୟାନ ନାହିଁ । ତେବେ ବୁଝିବାକୁ ହେବ ଯେ, ସେମାନେ ଉଚ୍ଚ ପଦ ପାଇପାରିବେ ନାହିଁ । ଯଦି ନିଶ୍ଚୟ
ଥିବ ତେବେ ଏକଥା କହିପାରିବେ ନାହିଁ ଯେ, ମୋତେ ଫୁରସତ ନାହିଁ କିନ୍ତୁ ଭାଗ୍ୟରେ ନାହିଁ ତେଣୁ
କହୁଛନ୍ତି ଫୁରସତ ନାହିଁ, କାମ ଅଛି । ଯଦି ଭାଗ୍ୟରେ ଥିବ ତେବେ ଦିନରାତି ପୁରୁଷାର୍ଥ କରିବାରେ
ଲାଗିପଡିବେ । କେହି କେହି ଚାଲୁ ଚାଲୁ ସଂଗ ଦୋଷରେ ଆସି ମଧ୍ୟ ଖରାପ ହୋଇଯାଉଛନ୍ତି । ତାକୁ
ଗ୍ରହଦୋଷ ମଧ୍ୟ କୁହାଯିବ । ବୃହସ୍ପତିଙ୍କର ଦଶା ବଦଳିଯାଇ ମଙ୍ଗଳ ଦଶା ହୋଇଯାଏ । ଆଗକୁ ଗଲେ ହୁଏତ
ଦଶା ବଦଳିଯିବ । କାହା କାହା ପାଇଁ ତ ବାବା କହନ୍ତି ରାହୁ ଦଶା ପଡିଯାଇଛି । ଭଗବାନଙ୍କ କଥାକୁ ବି
ମାନୁନାହାଁନ୍ତି । ଭାବୁଛନ୍ତି ଏକଥା ବ୍ରହ୍ମା କହୁଛନ୍ତି । ପିଲାମାନଙ୍କୁ ଏକଥା ଜଣାନାହିଁ ଯେ,
ଏଠାରେ ନିର୍ଦ୍ଦେଶ କିଏ ଦେଉଛନ୍ତି । ଦେହ-ଅଭିମାନ ଥିବା କାରଣରୁ ସାକାର ବ୍ରହ୍ମା କହୁଛନ୍ତି ବୋଲି
ଭାବି ନେଇଥା’ନ୍ତି । ଯଦି ଦେହୀ-ଅଭିମାନୀ ଅବସ୍ଥା ହୋଇଥିବ ତେବେ ଭାବିବେ ଯେ, ଶିବବାବା ଯାହା ବି
କହୁଛନ୍ତି ତାକୁ ମୋତେ କରିବାକୁ ହେବ । ଭଲମନ୍ଦ ପାଇଁ ଶିବବାବା ଦାୟୀ ହେବେ । ତେବେ
ଶିବବାବାଙ୍କର ମତ ଅନୁସାରେ ତ ଚାଲିବା ଦରକାର ନା । କିନ୍ତୁ ଦେହ-ଅଭିମାନରେ ଆସିବା କାରଣରୁ
ଶିବବାବାଙ୍କୁ ଭୁଲିଯାଇଥା’ନ୍ତି, ତେଣୁ ଶିବବାବା ଦାୟୀ ହୋଇପାରିବେ ନାହିଁ । ତାଙ୍କ ନିର୍ଦ୍ଦେଶକୁ
ତ ମୁଣ୍ଡ ଉପରେ ରଖିବା ଦରକାର କିନ୍ତୁ ଜାଣିପାରୁ ନାହାଁନ୍ତି ଯେ, କିଏ ବୁଝାଉଛନ୍ତି । ତେବେ ବାବା
ତ ଆଉ କିଛି ଆଦେଶ ଦେଉନାହାଁନ୍ତି କେବଳ କହୁଛନ୍ତି, ମୁଁ ତୁମକୁ ଶ୍ରୀମତ ଦେଉଛି - ପ୍ରଥମେ ତ ମୋତେ
ମନେ ପକାଅ ଏବଂ ମୁଁ ଯେଉଁ ଜ୍ଞାନ ଶୁଣାଉଛି ତାକୁ ଧାରଣ କର ଏବଂ କରାଅ । ବାସ୍ ଏହି ଧନ୍ଦା କର ।
ରାଜାମାନଙ୍କ ପାଖରେ ଯେଉଁମାନେ ଥାଆନ୍ତି, ସେମାନେ ଏହିଭଳି କହିଥା’ନ୍ତି - ଯୋ ହୁକୁମ୍ ଅର୍ଥାତ୍
ଯାହା ଆଦେଶ । ତେବେ ତାହା ତ ରାଜ୍ୟ ଚଳାଉଥିବା ରାଜାମାନେ ଆଦେଶ ଦେଉଥିଲେ । ଏହା ତ ଶିବବାବାଙ୍କର
ଆଦେଶ ଅଟେ । ତେଣୁ ବାରମ୍ବାର କହିବା ଦରକାର ଯୋ ହୁକୁମ ଶିବବାବା । ତେବେ ତୁମକୁ ଖୁସି ମଧ୍ୟ
ଲାଗିବ । ଭାବିବ ଶିବବାବା ହୁକୁମ ଦେଉଛନ୍ତି । ଶିବବାବାଙ୍କର ସ୍ମୃତିରେ ରହିବା ଦ୍ୱାରା ବୁଦ୍ଧିର
ତାଲା ମଧ୍ୟ ଖୋଲିଯିବ । ଶିବବାବା କହୁଛନ୍ତି ତୁମର ଏହି ଅଭ୍ୟାସ ହୋଇଯିବା ଦରକାର । ଯାହାଦ୍ୱାରା
ବେଡା ପାରି ହୋଇଯିବ । କିନ୍ତୁ ଏହା ହିଁ କଷ୍ଟକର । କାରଣ ବାରମ୍ବାର ଭୁଲି ଯାଇଥାଆନ୍ତି । ଏଭଳି
କହିବା ଉଚିତ୍ ନୁହେଁ ଯେ ମାୟା ଭୁଲାଇ ଦେଉଛି । ଆମେ ଭୁଲି ଯାଉଛୁ, ସେଥିପାଇଁ ଓଲଟା କାମ
ହୋଇଯାଉଛି ।
ଏଭଳି ବହୁତ କନ୍ୟାମାନେ ଅଛନ୍ତି ଯେଉଁମାନେ ଜ୍ଞାନ ତ ବହୁତ ଭଲ ଦେଉଛନ୍ତି, କିନ୍ତୁ ଯୋଗ ନାହିଁ
ଯାହାଦ୍ୱାରା ହିଁ ବିକର୍ମ ବିନାଶ ହେବ । ଏଭଳି ବହୁତ ଭଲ ଭଲ ସନ୍ତାନ ଅଛନ୍ତି ଯାହାଙ୍କର ଯୋଗ ବିଲ୍କୁଲ୍
ନାହିଁ । ଚାଲିଚଳନରୁ ଜଣାପଡି ଯାଇଥାଏ - ଯୋଗରେ ରହୁନାହାଁନ୍ତି ପାପ ରହିଯିବା କାରଣରୁ ଭୋଗିବାକୁ
ପଡୁଛି । ଏଥିରେ ମାୟାର ତୋଫାନର ତ କୌଣସି କଥା ନାହିଁ । ବୁଝିଯାଅ ଯେ, ଏହା ମୋର ଭୁଲ୍, ମୁଁ
ଶ୍ରୀମତରେ ଚାଲୁନାହିଁ । ଏଠାକୁ ତୁମେ ରାଜଯୋଗ ଶିଖିବା ପାଇଁ ଆସିଛ । ଏଠାରେ ପ୍ରଜାଯୋଗ
ଶିଖାଯାଉନାହିଁ । ମାତା-ପିତା ତ ଅଛନ୍ତି । ସେମାନଙ୍କୁ ଅନୁକରଣ କର ତେବେ ତୁମେ ମଧ୍ୟ ସିଂହାସନର
ଅଧିକାରୀ ହୋଇପାରିବ । ଏମାନେ ସେଠାରେ ଯାଇ ଶ୍ରୀଲକ୍ଷ୍ମୀ-ନାରାୟଣ ହେଉଛନ୍ତି ତେଣୁ
ମାତା-ପିତାଙ୍କୁ ଅନୁକରଣ କରିବା ଉଚିତ୍ । ଅନ୍ୟ ଧର୍ମ ବାଲା ମଦର ଫାଦରଙ୍କୁ ଅନୁକରଣ କରନ୍ତି ନାହିଁ
ସେମାନେ ତ ଫାଦରଙ୍କୁ ହିଁ ମାନିଥାନ୍ତି । ଏଠାରେ ତ ଦୁଇଜଣ ଅଛନ୍ତି । ଗଡ୍, ଈଶ୍ୱର ଯିଏକି
ସୃଷ୍ଟିର ରଚୟିତା ଅଟନ୍ତି । ମଦରଙ୍କର ଗୁପ୍ତ ରହସ୍ୟ ରହିଛି । ମା-ବାପା ପାଠ ପଢାଇ ଚାଲିଛନ୍ତି
ଏବଂ ବୁଝାଉଛନ୍ତି ଏଭଳି କର ନାହିଁ, ଏଭଳି କର । ଶିକ୍ଷକ ଯଦି କୌଣସି ଦଣ୍ଡ ଦେବେ ତେବେ ସ୍କୁଲ
ଭିତରେ ହିଁ ଦେବେ ନା । ଏମିତି ନୁହେଁ ଯେ ପିଲା କହିବ ମୋର ଇଜ୍ଜତ ନେଉଛ । ଲୌକିକ ପିତା ଯଦି ୫-୬
ଜଣ ପିଲାଙ୍କ ସମ୍ମୁଖରେ ଚାପୁଡା ମାରିବେ ତେବେ ପିଲା କ’ଣ ଏପରି କହିବ ଯେ, ମୋତେ ୫-୬ ଜଣଙ୍କ ଆଗରେ
କାହିଁକି ମାରିଲ । ନା । ଏଠାରେ ତ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି ଯଦି ଚାଲିପାରୁନାହଁ ତେବେ
ଗୃହସ୍ଥ ବ୍ୟବହାରରେ ରହି ପୁରୁଷାର୍ଥ କର । ଯଦି ଏଇଠି ରହି ଅପସେବା କରିବ ତେବେ ଯାହାବି ଅଳ୍ପ
ବହୁତ ଜମା ଥିବ ତାହା ମଧ୍ୟ ଶେଷ ହୋଇଯିବ । ଯଦି ନ ପଢିବାର ଅଛି ତେବେ ଛାଡିଦିଅ । ବାସ୍ ମୁଁ
ଚାଲିପାରୁ ନାହିଁ । ନିନ୍ଦା କରିବା କ’ଣ ଦରକାର । ଅନେକ ସନ୍ତାନ ଅଛନ୍ତି । କେହି କେହି ପଢିବେ
କେହି ମଧ୍ୟ ପାଠପଢା ଛାଡିଦେବେ । ପ୍ରତ୍ୟେକଙ୍କୁ ନିଜର ପାଠପଢାରେ ମସ୍ତ ରହିବା ଦରକାର ।
ବାବା କହୁଛନ୍ତି ପରସ୍ପରଠାରୁ ସେବା ନିଅ ନାହିଁ । କୌଣସି ଅହଂକାର ମଧ୍ୟ ଆସିବା ଉଚିତ୍ ନୁହେଁ ।
ଅନ୍ୟଠାରୁ ସେବା ନେବା ଏହା ମଧ୍ୟ ଦେହ ଅହଂକାର ଅଟେ । ବାବାଙ୍କୁ ବୁଝାଇବାକୁ ପଡିବ ନା, ନଚେତ୍
ଯେତେବେଳେ ଟ୍ରିବୁନାଲ୍ (ବିଚାରାଳୟ) ବସିବ ସେତେବେଳେ କହିବେ - ମୋତେ କ’ଣ ଏସବୁ ନିୟମକାନୁନ
ବିଷୟରେ ଜଣା ଥିଲା! ସେଥିପାଇଁ ବାବା ବୁଝାଉଛନ୍ତି ପୁଣି ଶେଷରେ ସାକ୍ଷାତ୍କାର କରାଇ ଦଣ୍ଡ ଦେବେ
। ପ୍ରମାଣ ବିନା କ’ଣ ଦଣ୍ଡ ମିଳିପାରିବ । ଆଚ୍ଛା, ବାବା ତ କଳ୍ପ ପୂର୍ବ ଭଳି ବହୁତ ବୁଝାଉଛନ୍ତି
। ପ୍ରତ୍ୟେକଙ୍କର ଭାଗ୍ୟକୁ ଦେଖାଯାଇଥାଏ । କେହି ତ ସେବା କରି ନିଜର ଜୀବନକୁ ହୀରା ଭଳି ଗଢୁଛନ୍ତି,
ଆଉ କେହି ଅଛନ୍ତି ଯିଏକି ନିଜର ଭାଗ୍ୟରେ ପୂର୍ଣ୍ଣଛେଦ ପକାଇ ଦେଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ପିତା-ଶିକ୍ଷକ-ସଦଗୁରୁଙ୍କ ଦ୍ୱାରା ଯାହା ଶିକ୍ଷା ମିଳୁଛି ତାହା ଉପରେ ଚାଲିବାକୁ ହେବ । ମାୟାକୁ
ଦୋଷ ନ ଦେଇ ନିଜର ଅବଗୁଣକୁ ଯାଞ୍ଚ କରି ସେଗୁଡିକୁ ବାହାର କରିଦେବାକୁ ହେବ ।
(୨) ଅହଂକାରକୁ ତ୍ୟାଗ
କରି ନିଜର ପାଠପଢାରେ ମସ୍ତ ରହିବାକୁ ହେବ । କେବେ ବି କାହାଠାରୁ ସେବା ନେବାର ନାହିଁ । ସଂଗ
ଦୋଷଠାରୁ ବହୁତ ବହୁତ ଦୂରେଇ ରହିବାକୁ ହେବ ।
ବରଦାନ:-
ସଂକଳ୍ପର
ଇଙ୍ଗିତ ଦ୍ୱାରା ସାରା କାରବାର ଚଲାଉଥିବା ସର୍ବଦା ଲାଇଟ୍ର ମୁକୁଟଧାରୀ ହୁଅ ।
ଯେଉଁ ପିଲାମାନେ ସର୍ବଦା
ହାଲୁକା ସ୍ଥିତିରେ ରହିଥାଆନ୍ତି, ସେମାନଙ୍କର ସଂକଳ୍ପ ବା ସମୟ କେବେ ବି ବ୍ୟର୍ଥରେ ଯାଇ ନ ଥାଏ ।
କେବଳ ସେହି ସଂକଳ୍ପ ଉଠିଥାଏ ଯାହା ହେବାର ଥିବ । ଯେପରି କଥାରେ କହିବା ଦ୍ୱାରା ନିଜର ଭାବକୁ ବା
କଥାକୁ ସ୍ପଷ୍ଟ କରିଥାଆନ୍ତି ସେହିପରି ସଂକଳ୍ପ ଦ୍ୱାରା ସାରା କାରବାର ଚାଲିଥାଏ । ଯେତେବେଳେ
ତୁମେମାନେ ଏହିଭଳି ବିଧିକୁ ଆପଣାଇ ନେବ ସେତେବେଳେ ଏହି ସାକାର ବତନ ସୂକ୍ଷ୍ମବତନ ପାଲଟିଯିବ ।
ଏଥିପାଇଁ ନିରବତାର ବା ଶାନ୍ତିର ଶକ୍ତିକୁ ଜମା କର ଏବଂ ଆଲୋକର ମୁକୁଟଧାରୀ ହୋଇ ରୁହ ।
ସ୍ଲୋଗାନ:-
ଯଦି ଏହି
ଦୁଃଖଧାମଠାରୁ ନିଜକୁ ଦୂରେଇ ରଖିବ, ତେବେ କେବେ ବି ଦୁଃଖର ଢେଉ ଆସିପାରିବ ନାହିଁ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ଯେପରି କାରରେ ବ୍ୟାଟେରୀ
ଯେତେବେଳେ ଟିକିଏ ଢିଲା ହୋଇଯାଏ ବା ଦୁର୍ବଳ ହୋଇଯାଏ ବା ଦୁର୍ବଳ ହୋଇଥାଏ ସେତେବେଳେ କାର ଆପେ ଆପେ
ଷ୍ଟାଟ୍ ହୋଇପାରେ ନାହିଁ ସେଥିପାଇଁ ଅନ୍ୟମାନଙ୍କ ଦ୍ୱାରା ଟିକିଏ ଧକ୍କା ଦେବାକୁ ପଡିଥାଏ ।
ସେହିପରି ଯେଉଁ ଆତ୍ମା ଉପରେ ତୁମର ବିଶ୍ୱାସ ରହିଛି ଏବଂ ଭାବୁଛ ଏହାଙ୍କଠାରୁ ମୋତେ ସାହାଯ୍ୟ
ମିଳିପାରିବ, ତାଙ୍କଠାରୁ କିଛିଟା ସହଯୋଗ ନେଇ ଆଗକୁ ବଢିଯିବା ଉଚିତ୍ । ଦୁର୍ବଳତାର କଥାଗୁଡିକୁ
ଯଦି ଅଧିକ ନ ଭାବିବ ତେବେ ଖୁସିରେ ଆଗକୁ ବଢି ଯାଇପାରିବ ।