27.07.25    Avyakt Bapdada     Odia Murli    14.03.2006     Om Shanti     Madhuban


“ପରମାତ୍ମ ମିଳନର ଅନୁଭୂତି କରିବା ପାଇଁ ଓଲଟା ମୁଁ ପଣିଆକୁ ଜଳାଇବାର ହୋଲୀ ପାଳନ କର, ଦୃଷ୍ଟିର ପିଚ୍‌କାରୀ ଦ୍ୱାରା ସର୍ବ ଆତ୍ମାମାନଙ୍କୁ ସୁଖ, ଶାନ୍ତି, ପ୍ରେମ ଆନନ୍ଦର ରଙ୍ଗ ଲଗାଅ”


ଆଜି ପରମ ପବିତ୍ର ପିତା ନିଜର ପବିତ୍ର ସନ୍ତାନମାନଙ୍କ ସହିତ ମିଳନ କରୁଛନ୍ତି । ଚାରିଆଡର ପବିତ୍ର ସନ୍ତାନମାନେ ଦୂରରେ ରହି ମଧ୍ୟ ନିକଟରେ ଅଛନ୍ତି । ବାପଦାଦା ଏହିଭଳି ହୋଲୀ ଅର୍ଥାତ୍ ମହାନ ପବିତ୍ର ସନ୍ତାନମାନଙ୍କର ମସ୍ତକରେ ଚମକୁଥିବା ଭାଗ୍ୟର ତାରକାକୁ ଦେଖୁଛନ୍ତି । ଏହିଭଳି ମହାନ ପବିତ୍ର ସାରା କଳ୍ପରେ ଆଉ କେହି ହେଉନାହାଁନ୍ତି । ଏହି ସଙ୍ଗମଯୁଗରେ ପବିତ୍ରତାର ବ୍ରତ ରଖୁଥିବା ଭାଗ୍ୟବାନ ପିଲାମାନେ ଭବିଷ୍ୟତରେ ଡବଲ ପବିତ୍ର, ଶରୀର ମଧ୍ୟ ପବିତ୍ର ଏବଂ ଆତ୍ମା ମଧ୍ୟ ପବିତ୍ର ହୋଇଥାଆନ୍ତି । ସାରା କଳ୍ପରେ ଚକ୍ର ଲଗାଇ ଦେଖ ଚାହେଁ କେତେ ବି ମହାନ ଆତ୍ମାମାନେ ଆସିଛନ୍ତି କିନ୍ତୁ ଶରୀର ମଧ୍ୟ ପବିତ୍ର ଏବଂ ଆତ୍ମା ମଧ୍ୟ ପବିତ୍ର, ଏଭଳି ପବିତ୍ର ନା ତ କେହି ଧର୍ମାତ୍ମା ହୋଇଛନ୍ତି, ନା କେହି ମହାତ୍ମା ହୋଇଛନ୍ତି । ତେଣୁ ବାପଦାଦା ମଧ୍ୟ ତୁମମାନଙ୍କ ପାଇଁ ଗର୍ବ କରୁଛନ୍ତି ବାଃ! ମୋ’ର ମହାନ ପବିତ୍ର ପିଲାମାନେ ବାଃ! ତୁମଭଳି ଡବଲ ପବିତ୍ର, ଡବଲ ମୁକୁଟଧାରୀ ମଧ୍ୟ କେହି ହେଉ ନାହାଁନ୍ତି । ଡବଲ ମୁକୁଟଧାରୀ ମଧ୍ୟ ତୁମେ ଶ୍ରେଷ୍ଠ ଆତ୍ମାମାନେ ହିଁ ହେଉଛ । ତୁମର ସେହି ଡବଲ ପବିତ୍ର, ଡବଲ ମୁକୁଟଧାରୀ ସ୍ୱରୂପ ସମ୍ମୁଖକୁ ଆସୁଛ ନା! ସେଥିପାଇଁ ତୁମମାନଙ୍କର ଏହି ସଙ୍ଗମଯୁଗରେ ଯେଉଁ ଭଳି ବାସ୍ତବିକ ଜୀବନ ତିଆରି ହେଉଛି ସେହି ଜୀବନର ଗୋଟିଏ ଗୋଟିଏ ବିଶେଷତାର ସ୍ମାରକୀକୁ ଦୁନିଆର ଲୋକମାନେ ଉତ୍ସବ ରୂପରେ ପାଳନ କରିଚାଲିଛନ୍ତି ।

ଆଜି ମଧ୍ୟ ତୁମେମାନେ ସ୍ନେହ ରୂପୀ ବିମାନରେ ବସି ହୋଲୀ ପାଳନ କରିବା ପାଇଁ ଏଠାରେ ପହଞ୍ଚିଯାଇଛ । ହୋଲୀ ପାଳନ କରିବା ପାଇଁ ଆସିଛ ନା! ତୁମେମାନେ ମଧ୍ୟ ନିଜର ଜୀବନରେ ପବିତ୍ରତାର ହୋଲୀ ପାଳନ କରିଛ, ଏହାର ପ୍ରତ୍ୟେକ ଆଧ୍ୟାତ୍ମିକ ରହସ୍ୟକୁ ଦୁନିଆର ଲୋକମାନେ ସ୍ଥୂଳ ରୂପ ଦେଇ ଦେଇଛନ୍ତି କାହିଁକି ନା ଦେହ ଅଭିମାନୀ ଅଟନ୍ତି ନା! ତୁମେମାନେ ତ ଆତ୍ମ-ଅଭିମାନୀ ଅଟ, ଆଧ୍ୟାତ୍ମିକ ଜୀବନବାଲା ଅଟ କିନ୍ତୁ ସେମାନେ ଦେହ ଅଭିମାନୀ ଅଟନ୍ତି । ତେଣୁ ସବୁ କିଛି ସ୍ଥୂଳ ରୂପରେ ଗ୍ରହଣ କରିନେଇଛନ୍ତି । ତୁମେମାନେ ଯୋଗର ଅଗ୍ନି ଦ୍ୱାରା ନିଜର ପୁରୁଣା ସ୍ୱଭାବ ସଂସ୍କାରକୁ ଭସ୍ମ କରୁଛ ବା ଜଳାଉଛ କିନ୍ତୁ ଦୁନିଆର ଲୋକମାନେ ସ୍ଥୂଳ ଅଗ୍ନିରେ ଜଳାଉଛନ୍ତି । କାହିଁକି ଜାଣିଛ? କାହିଁକି ନା ପୁରୁଣା ସଂସ୍କାରକୁ ନ ଜଳାଇବା ପର୍ଯ୍ୟନ୍ତ ନା ପରମାତ୍ମାଙ୍କର ସଙ୍ଗର ରଙ୍ଗ ଲାଗିପାରିବ, ନା ପରମାତ୍ମ ମିଳନର ଅନୁଭବ କରିପାରିବ । ତେଣୁ ତୁମମାନଙ୍କର ଜୀବନର ଏତିକି ମୂଲ୍ୟ ରହିଛି । ଯାହାକି ତୁମମାନଙ୍କର ଗୋଟିଏ ଗୋଟିଏ ଧାରଣା ରୂପୀ ପାଦକୁ ସେମାନେ ଉତ୍ସବ ରୂପରେ ପାଳନ କରୁଛନ୍ତି । କାହିଁକି ଜାଣିଛ? କାହିଁକି ନା ତୁମେମାନେ ସାରା ସଙ୍ଗମଯୁଗକୁ ଉମଙ୍ଗ-ଉତ୍ସାହଭରା ଜୀବନ କରିଦେଇଛ । ତୁମମାନଙ୍କର ଜୀବନର ସ୍ମାରକୀକୁ ସେମାନେ ଗୋଟିଏ ଦିନର ଉତ୍ସବ ରୂପରେ ପାଳନ କରୁଛନ୍ତି । ତେଣୁ ତୁମ ସମସ୍ତଙ୍କର ସର୍ବଦା ଏହିଭଳି ଉତ୍ସାହ, ଉମଙ୍ଗ ଏବଂ ଖୁସି ଭରା ଜୀବନ ଅଟେ ତ! ସବୁ ଦିନ ଅଟେ, ନା କେବେ କେବେ ଅଟେ? ଉତ୍ସାହ ସବୁବେଳେ ରହୁଛି, ନା କେବେ କେବେ ରହୁଛି? ଯେଉଁମାନେ ଭାବୁଛନ୍ତି ଯେ ଆମେ ସଦାସର୍ବଦା ଉତ୍ସାହରେ ରହୁଛୁ, ଖୁସିରେ ରହୁଛୁ, ଖୁସି ଆମର ଜୀବନର ବିଶେଷ ପରମାତ୍ମ ଉପହାର ଅଟେ, ତେଣୁ ଯାହା ବି ହୋଇଯାଉ କିନ୍ତୁ ବ୍ରାହ୍ମଣ ଜୀବନର ଖୁସି, ଉମଙ୍ଗ, ଉତ୍ସାହ ଶେଷ ହୋଇପାରିବ ନାହିଁ । ଏହିଭଳି ଅନୁଭବ ଯେଉଁମାନଙ୍କୁ ହେଉଛି ସେମାନେ ହାତ ଉଠାଅ । ବାପଦାଦା ସବୁ ପିଲାଙ୍କର ଚେହେରା ସର୍ବଦା ଖୁସିବାସିଆ ଅବସ୍ଥାରେ ଦେଖିବାକୁ ଚାହୁଁଛନ୍ତି, କାହିଁକି ନା ତୁମମାନଙ୍କ ଭଳି ସୌଭାଗ୍ୟଶାଳୀ ନା କେହି ହୋଇଛି, ନା କେହି ହୋଇପାରିବ । ଯେହେତୁ ଏଠାରେ ଭିନ୍ନ ଭିନ୍ନ ବର୍ଗର ପିଲାମାନେ ବସିଛ, ତେଣୁ ଏହିଭଳି ଅନୁଭବୀ ମୂରତ ହେବାର ନିଜ ପ୍ରତି କୌଣସି ଯୋଜନା କରିଛ କି? ଆଜି ଅମୁକ ଅମୁକ ବର୍ଗର ପିଲାମାନେ ଆସିଛନ୍ତି, ତେଣୁ ବାପଦାଦା ଖୁସି ମଧ୍ୟ ହେଉଛନ୍ତି ଏବଂ ପିଲାମାନଙ୍କୁ ସ୍ୱାଗତ ମଧ୍ୟ କରୁଛନ୍ତି । ଯେହେତୁ ଆସିଛ ତେଣୁ ଅଭିନନ୍ଦନ । ସେବାର ଉମଙ୍ଗ-ଉତ୍ସାହ ମଧ୍ୟ ଭଲ ରହିଛି କିନ୍ତୁ ପ୍ରଥମେ ସ୍ୱ-ଉନ୍ନତିର ଯୋଜନା କର, ବାପଦାଦା ଦେଖୁଛନ୍ତି ସବୁ ବର୍ଗର ପିଲାମାନେ ପରସ୍ପରଠାରୁ ଭଲ ଭଲ ଯୋଜନା ସବୁ କରୁଛନ୍ତି କିନ୍ତୁ ଏହା ସହିତ ସ୍ୱଉନ୍ନତିର ଯୋଜନା କରିବା ବହୁତ ଆବଶ୍ୟକ ଅଟେ । ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ବର୍ଗ ସ୍ୱଉନ୍ନତିର ବାସ୍ତବିକ ଯୋଜନା ତିଆରି କରନ୍ତୁ ଏବଂ ଏଥିରେ ନମ୍ବର ନିଅନ୍ତୁ । ଯେପରି କୌଣସି ସଙ୍ଗଠନରେ ସମସ୍ତେ ଏକାଠି ହୋଇଯାଉଛ, ଚାହେଁ ବିଦେଶବାଲା, ଚାହେଁ ଦେଶବାଲା ଏକାଠି ବସି ମିଟିଙ୍ଗ୍ କରୁଛ, ଯୋଜନା ପ୍ରସ୍ତୁତ କରୁଛ । ବାପଦାଦା ସେଥିରେ ମଧ୍ୟ ସନ୍ତୁଷ୍ଟ ଅଛନ୍ତି କିନ୍ତୁ ଯେପରି ଉମଙ୍ଗ-ଉତ୍ସାହରେ ସେବାର ଯୋଜନା ସବୁ କରୁଛ, ସେହିପରି ସେତିକି ଉମଙ୍ଗ-ଉତ୍ସାହର ସହିତ ସ୍ୱଉନ୍ନତିରେ ଆହୁରି ଅଧିକ ଧ୍ୟାନ ଦେଇ ନମ୍ବର ନେବାକୁ ପଡିବ । ବାପଦାଦା ଶୁଣିବାକୁ ଚାହୁଁଛନ୍ତି ଯେ ଏହି ମାସ ଭିତରେ ଏହି ବର୍ଗର ପିଲାମାନେ ସ୍ୱଉନ୍ନତିର ଯୋଜନାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରିଛନ୍ତି ତ? ଏବେ ଏଠାକୁ ଯେଉଁ ସବୁ ବର୍ଗର ପିଲାମାନେ ଆସିଛ, ସମସ୍ତେ ହାତ ଉଠାଅ । ଆଚ୍ଛା, ଏତିକି ପିଲା ଆସିଛନ୍ତି, ବହୁତ ଆସିଛନ୍ତି । ଶୁଣିବାକୁ ମିଳିଛି ୫/୬ ବର୍ଗର ପିଲାମାନେ ଆସିଛନ୍ତି, ବହୁତ ଭଲ କଥା, ନିଶ୍ଚିତ ଆସ । ଏବେ ତ ଆଉ ଗୋଟିଏ ଶେଷ ପାଳି ହିଁ ବାକି ଅଛି । ବାପଦାଦା ସମସ୍ତଙ୍କୁ ଘରେ ଅଭ୍ୟାସ କରିବା ପାଇଁ ପାଠ ତ ଦେଇ ଦେଇଥିଲେ । ତା’ର ଫଳାଫଳ ମଧ୍ୟ ବାପଦାଦା ପ୍ରତିଦିନ ଦେଖୁଛନ୍ତି । ତୁମେମାନେ ଭାବୁଥିବ ବାପଦାଦା ତ ଶେଷ ପାଳିରେ ହିଁ ହିସାବ ପଚାରିବେ କିନ୍ତୁ ବାପଦାଦା ପ୍ରତିଦିନ ଦେଖୁଛନ୍ତି, ଏବେ ବି ଆହୁରି ୧୫ ଦିନ ବାକି ଅଛି । ଏହି ୧୫ ଦିନ ଭିତରେ ପ୍ରତ୍ୟେକ ବର୍ଗର ଯେଉଁମାନେ ସବୁ ଆସିଛନ୍ତି ସେମାନେ ମଧ୍ୟ ଏବଂ ଯେଉଁମାନେ ଆସି ବି ନାହାଁନ୍ତି ସେହି ବର୍ଗ ଗୁଡିକର ନିମିତ୍ତ ହୋଇଥିବା ପିଲାମାନଙ୍କୁ ବାପଦାଦା ଏହି ନିର୍ଦ୍ଦେଶ ଦେଉଛନ୍ତି ଯେ ପ୍ରତ୍ୟେକ ନିଜର ସ୍ୱଉନ୍ନତିର କିଛି ନା କିଛି ଯୋଜନା କର । ବିଶେଷ କରି କୌଣସି ଶକ୍ତିର ସ୍ୱରୂପ ହେବାର ବା କୌଣସି ବିଶେଷ ଗୁଣର ଧାରଣା ମୂରତ ହେବାର ବା ବିଶ୍ୱ କଲ୍ୟାଣ ପାଇଁ କୌଣସି ନା କୌଣସି ଲାଇଟ୍ ମାଇଟ୍ ଦେବାର ପ୍ରତ୍ୟେକ ବର୍ଗ ପରସ୍ପର ମିଶି ଯୋଜନା ନିଧାର୍ଯ୍ୟ କର ଏବଂ ତା’କୁ ଚେକ୍ କର ଯେ ଯେଉଁମାନେ ବି ଆମ ବର୍ଗର ସଦସ୍ୟ ଅଛନ୍ତି, ତେବେ ମେମ୍ବର ଅର୍ଥାତ୍ ସଦସ୍ୟ ହୋଇଛ ବହୁତ ଭଲ କରିଛ କିନ୍ତୁ ପ୍ରତ୍ୟେକ ମେମ୍ବର ନମ୍ବରୱାନ ହେବା ଦରକାର । କେବଳ ନାମ ନୋଟ୍ ହୋଇଗଲା, ଅମୁକ ବର୍ଗର ମେମ୍ବର ଅଟେ, ଏହା ନୁହେଁ । ଅମୁକ ବର୍ଗର ସ୍ୱଉନ୍ନତିର ମେମ୍ବର । ଏହା ହୋଇପାରିବ? ଯେଉଁମାନେ ବର୍ଗର ନିମିତ୍ତ ଅଛନ୍ତି ସେମାନେ ଉଠ । ବିଦେଶରେ ମଧ୍ୟ ଯେଉଁ ୪/୫ ଜଣ ନିମିତ୍ତ ଅଟନ୍ତି ସେମାନେ ମଧ୍ୟ ଉଠ । ବାପଦାଦାଙ୍କୁ ତ ସମସ୍ତେ ବହୁତ ଶକ୍ତିଶାଳୀ ମୂରତ ଲାଗୁଛ । ବହୁତ ଭଲ ମୂର୍ତ୍ତି ଅଟ । ତେବେ ତୁମେମାନେ ଭାବୁଛ ତ ୧୫ ଦିନ ଭିତରେ କିଛି କରି ଦେଖାଇବୁ । କୁହ, ହୋଇପାରିବ? (ପୁରା ପୁରୁଷାର୍ଥ କରିବୁ) ଆହୁରି କୁହ, କ’ଣ ହୋଇପାରିବ? (ପ୍ରଶାସକ ବର୍ଗବାଲା ଯୋଜନା କରିଛନ୍ତି ଯେ କେହି ବି କ୍ରୋଧ କରିବେ ନାହିଁ) ତା’ର ଚେକିଙ୍ଗ୍ କରୁଛ ତ? ତୁମେ ଭଉଣୀମାନେ (ଟୀଚରମାନେ) ସାହସ ରଖୁଛ ତ ୧୫ ଦିନରେ ଯାଞ୍ଚ କରି ଫଳାଫଳ ଜଣାଇ ପାରିବ? ବିଦେଶବାଲା ତ ହଁ କରୁଛନ୍ତି । ତୁମୋମନେ କ’ଣ ଭାବୁଛ, ହୋଇପାରିବ? ଭାରତବାଲା କୁହ ହୋଇପାରିବ? ବାପଦାଦାଙ୍କୁ ତ ତୁମ ସମସ୍ତଙ୍କର ଚେହେରା ଦେଖି ଲାଗୁଛି ଯେ ଫଳାଫଳ ଭଲ ଥିବ । କିନ୍ତୁ ୧୫ ଦିନ ଯଦି ଏଥିପ୍ରତି ବିଶେଷ ଧ୍ୟାନ ଦେବାର ପୁରୁଷାର୍ଥ କରିବ ତେବେ ଏହି ଅଭ୍ୟାସ ଆଗକୁ ମଧ୍ୟ କାମରେ ଲାଗିବ । ଏବେ ଏଭଳି ମିଟିଙ୍ଗ୍ କର ଯାହାକି ଯିଏ ଯେଉଁ ଲକ୍ଷ୍ୟ ରଖିବାକୁ ଚାହିଁବ କୌଣସି ଗୁଣର, କୌଣସି ଶକ୍ତି ରୂପର ଏଥିରେ ବାପଦାଦା ମଧ୍ୟ ନମ୍ବର ଦେବେ । ବାପଦାଦା ତ ଏସବୁ ଦେଖି ଚାଲିଛନ୍ତି । ନମ୍ବରୱାନ ବର୍ଗ ସ୍ୱସେବାରେ କିଏ କିଏ ଅଛନ୍ତି? କାହିଁକି ନା ବାପଦାଦା ଦେଖୁଛନ୍ତି ଯେ ପିଲାମାନେ ଯୋଜନା ତ ବହୁତ ଭଲ ଭଲ କରୁଛନ୍ତି କିନ୍ତୁ ସେବା ସହିତ ସ୍ୱଉନ୍ନତି ଯଦି ଏକା ସାଥୀରେ ହେଉ ନାହିଁ ତେବେ ସେବାର ଯୋଜନାରେ ଯେତିକି ସଫଳତା ମିଳିବା ଦରକାର, ସେତିକି ହେଉନାହିଁ, ସେଥିପାଇଁ ସମୟର ସମୀପତାକୁ ସମ୍ମୁଖରେ ଦେଖିବା ସହିତ ସେବା ଏବଂ ସ୍ୱଉନ୍ନତିକୁ କମ୍ବାଇଣ୍ଡ ରଖ ଅର୍ଥାତ୍ ମିଳିତ ଭାବରେ କର । କେବଳ ସ୍ୱଉନ୍ନତି ମଧ୍ୟ ହେବା ଉଚିତ୍ ନୁହେଁ, ସେବା ମଧ୍ୟ ଦରକାର କିନ୍ତୁ ସ୍ୱଉନ୍ନତିର ସ୍ଥିତି ଆଧାରରେ ସେବାରେ ସଫଳତା ଅଧିକ ହେବ । ତେବେ ସେବାର ବା ସ୍ୱଉନ୍ନତିର ଲକ୍ଷଣ ହେଲା - ନିଜେ ମଧ୍ୟ ଦୁଇଟି ଯାକର ନିଜ ଉପରେ ସନ୍ତୁଷ୍ଟ ଏବଂ ଯାହାଙ୍କର ସେବା କରୁଛ ସେମାନଙ୍କୁ ମଧ୍ୟ ସେବା ଦ୍ୱାରା ସନ୍ତୁଷ୍ଟତାର ଅନୁଭବ ହେଉଥିବ । ଯଦି ସ୍ୱକୁ ବା ଯେଉଁମାନଙ୍କର ସେବା କରିବାର ନିମିତ୍ତ ଅଟ ସେମାନଙ୍କୁ ସନ୍ତୁଷ୍ଟତାର ଅନୁଭବ ହେଉ ନାହିଁ ତେବେ ସଫଳତା କମ୍ ଏବଂ ମେହନତ ଅଧିକ କରିବାକୁ ପଡିବ ।

ତୁମେମାନେ ତ ଜାଣିଛ ଯେ ସେବାରେ ବା ସ୍ୱଉନ୍ନତିରେ ସହଜରେ ସଫଳତା ପ୍ରାପ୍ତ କରିବାର ସୁବର୍ଣ୍ଣ ଚାବୀଟି କ’ଣ? ଅନୁଭବ ତ ସମସ୍ତଙ୍କର ଅଛି । ସେହି ଚାବୀଟି ହେଲା - ଚାଲିଚଳନରେ ଏବଂ ଚେହେରାରେ ତଥା ସମ୍ବନ୍ଧ ସମ୍ପର୍କରେ ନିମିତ୍ତ ଭାବ, ନିର୍ମାନ ଭାବ ଏବଂ ନିର୍ମଳ ବାଣୀ । ଯେପରି ବ୍ରହ୍ମାବାବା ଏବଂ ଜଗଦମ୍ବାଙ୍କୁ ତ ଦେଖିଛ କିନ୍ତୁ ଏବେ କେଉଁଠି କେଉଁଠି ସେବାର ସଫଳତାରେ କମୀ ହୋଇଯାଉଛି ତା’ର କାରଣ ହେଲା, ଯାହା ଚାହୁଁଛ, ଯେତିକି କରୁଛ, ଯେତିକି ଯୋଜନା କରୁଛ, ସେଥିରେ ଫଳାଫଳରେ ଶତକଡା କାହିଁକି ହୋଇଯାଉଛି? ବାପଦାଦା ଅଧିକାଂଶ ପିଲାଙ୍କ ଭିତରେ ଏହାର କାରଣ ଦେଖିଲେ ଯାହାକି ଗୋଟିଏ ହିଁ ଶବ୍ଦ ଅଟେ, କ’ଣ ଜାଣିଛ? ମୈ ଅର୍ଥାତ୍ ମୁଁ । ଏହି ଶବ୍ଦଟି ତିନି ପ୍ରକାରରେ ବ୍ୟବହାର ହେଉଛି । ଆତ୍ମ-ଅଭିମାନୀ ମୁଁ ହେଲା ମୁଁ ଆତ୍ମା ଅଟେ, ଏଥିରେ ମଧ୍ୟ ମୁଁ ଶବ୍ଦ ଆସୁଛି । ଦେହ-ଅଭିମାନରେ ମଧ୍ୟ ମୁଁ ଯାହା କହୁଛି, ଯାହା କରୁଛି ତାହା ଠିକ୍ । ମୁଁ ବୁଦ୍ଧିମାନ ଅଟେ, ଏହା ହେଲା ବିନାଶୀ ମୁଁ ପଣିଆ, ତେଣୁ ଦେହ-ଅଭିମାନରେ ମଧ୍ୟ ମୁଁ ଶବ୍ଦ ଆସୁଛି ଏବଂ ତୃତୀୟ ମୁଁ ଟି ହେଲା ଯେତେବେଳେ କେହି ନିରାଶ ହୋଇଯାଉଛି ସେତେବେଳେ ମଧ୍ୟ ମୁଁ ଶବ୍ଦ ଆସୁଛି, ମୁଁ ଏହା କରିପାରିବି ନାହିଁ, ମୋ ଭିତରେ ସାହସ ନାହିଁ । ମୁଁ ଏହା ଶୁଣିପାରିବି ନାହିଁ, ମୁଁ ଏହି କଥାକୁ ସମାହିତ କରିପାରିବି ନାହିଁ.. ତେଣୁ ବାପଦାଦା ଏହିଭଳି ତିନି ପ୍ରକାରର ମୁଁ ମୁଁର ଗୀତ ବହୁତ ଶୁଣି ଚାଲିଛନ୍ତି । ବ୍ରହ୍ମାବାବା ଏବଂ ଜଗଦମ୍ବା ମା’ ଯେଉଁ ନମ୍ବର ନେଇଛନ୍ତି ତା’ର ବିଶେଷତା ଏହା ଥିଲା ଯେ, ତାଙ୍କ ଭିତରେ ଓଲଟା ମୁଁ ପଣିଆର ଅଭାବ ଥିଲା, ମୁଁ କରୁ ନାହିଁ, ମୁଁ ବୁଦ୍ଧିମାନ ନୁହେଁ, ପିଲାମାନେ ବୁଦ୍ଧିମାନ ଅଟନ୍ତି ଏବଂ ଜଗଦମ୍ବାଙ୍କର ସ୍ଳୋଗାନ କ’ଣ ଥିଲା ମନେ ଅଛି ତ? ପୁରୁଣା ପିଲାମାନଙ୍କର ମନେ ଥିବ । ଜଗଦମ୍ବା ଏହି କଥା କହୁଥିଲେ “ହୁକ୍‌ମୀ ହୁକୁମ୍ ଚଲା ରହା ହୈ” । ମୁଁ ନୁହେଁ, ଚଲାଇଲାବାଲା ବାବା ଚଲାଉଛନ୍ତି । ନିର୍ଦ୍ଦେଶକର୍ତ୍ତା ବାବା କରାଉଛନ୍ତି । ତେଣୁ ପ୍ରଥମେ ସମସ୍ତେ ନିଜ ଭିତରୁ ଏହିଭଳି ଅଭିମାନ ଏବଂ ଅପମାନର ମୁଁ ପଣିଆକୁ ସମାପ୍ତ କରି ଆଗକୁ ବଢ । ସ୍ୱାଭାବିକ ଭାବରେ ପ୍ରତ୍ୟେକ କଥାରେ ବାବା ବାବା ଶବ୍ଦ ବାହାରୁ, ସ୍ୱତଃ ଭାବରେ ବାହାରୁ କାହିଁକି ନା ବାବାଙ୍କ ସମାନ ହେବାର ସଂକଳ୍ପ ତ ସମସ୍ତେ ନେଇଛ । ତେଣୁ ସମାନ ହେବା ପାଇଁ ହେଲେ କେବଳ ଏହି ଗୋଟିଏ ରାଜକୀୟ ମୁଁ ପଣିଆକୁ ଜଳାଇଦିଅ । ଆଚ୍ଛା କ୍ରୋଧ ମଧ୍ୟ କରିବ ନାହିଁ । କିନ୍ତୁ କ୍ରୋଧ କାହିଁକି ଆସୁଛି? କାହିଁକି ନା ପ୍ରଥମେ ମୁଁ ପଣିଆ ଆସୁଛି ।

ତେଣୁ ସମସ୍ତେ ହୋଲୀ ପର୍ବ ପାଳନ କରିବା ପାଇଁ ଆସିଛ ନା? ତେବେ ପ୍ରଥମେ କେଉଁ ହୋଲୀ ପାଳନ କରିଥାଆନ୍ତି? ଜଳାଇବାର । ଏମିତି ତ ସମସ୍ତେ ବହୁତ ଭଲ ଅଟ, ବହୁତ ଯୋଗ୍ୟ ଅଟ । ବାବାଙ୍କର ଆଶାର ଦୀପ ଅଟ, କେବଳ ଟିକିଏ ଏହି ମୁଁକୁ କଟ୍ କରିଦିଅ । ଦୁଇଟି ମୁଁକୁ କଟ୍ କର ଗୋଟିଏ ମୁଁ ରଖ । କାହିଁକି ଜାଣିଛ? ବାପଦାଦା ଦେଖୁଛନ୍ତି ତୁମମାନଙ୍କର ହିଁ ଅନେକ ଭାଇଭଉଣୀମାନେ, ବ୍ରାହ୍ମଣ ନୁହେଁ, ଅଜ୍ଞାନୀ ଆତ୍ମାମାନେ, ନିଜ ଜୀବନଠାରୁ ଆଶା ହରାଇ ସାରିଛନ୍ତି । ଏବେ ସେମାନଙ୍କ ଭିତରେ ସାହସର ଡେଣା ଲଗାଇବାକୁ ପଡିବ । ବିଲ୍‌କୁଲ୍ ବେସାହାରା ହୋଇଯାଇଛନ୍ତି, ନିରାଶ ହୋଇଯାଇଛନ୍ତି । ତେବେ ହେ ଦୟାଳୁ, କୃପାଳୁ ବିଶ୍ୱର ଆତ୍ମାମାନଙ୍କର ଇଷ୍ଟ ଦେବ ଆତ୍ମାମାନେ ନିଜର ଶୁଭଭାବନା, ଦୟାର ଭାବନା, ଆତ୍ମା ଭାବନା ଦ୍ୱାରା ସେମାନଙ୍କର ଭାବନାକୁ ପୂର୍ଣ୍ଣ କର । କ’ଣ ତୁମମାନଙ୍କ ପାଖକୁ ଦୁଃଖ ଅଶାନ୍ତିର ଭାଇବ୍ରେଶନ ଆସୁ ନାହିଁ । ନିମିତ୍ତ ଆତ୍ମା ଅଟ, ପୂର୍ବଜ ଅଟ, ବୃକ୍ଷର କାଣ୍ଡ ଅଟ, ମୂଳଦୁଆ ଅଟ । ସମସ୍ତେ ତୁମମାନଙ୍କୁ ହିଁ ଖୋଜୁଛନ୍ତି, ଆମର ରକ୍ଷାକର୍ତ୍ତା କେଉଁଆଡେ ଗଲେ! ଆମର ଇଷ୍ଟଦେବ କେଉଁଆଡେ ଗଲେ! ବାବାଙ୍କୁ ତ ବହୁତ ଡାକରା ଶୁଣିବାକୁ ମିଳୁଛି । ଏବେ ନିଜର ସ୍ୱଉନ୍ନତି ଦ୍ୱାରା ଭିନ୍ନ ଭିନ୍ନ ଶକ୍ତିଗୁଡିକର ସକାଶ ଦିଅ ଅର୍ଥାତ୍ ଲାଇଟ୍ ମାଇଟ୍ ଦିଅ । ସାହସର ଡେଣା ଲଗାଅ, ସ୍ନେହର ରଙ୍ଗ ଲଗାଅ, ଆନନ୍ଦର ରଙ୍ଗ ଲଗାଅ । ତୁମେମାନେ ତ ପରମାତ୍ମ ସଙ୍ଗର ରଙ୍ଗରେ ଆସିଯାଇଛ । ଏବେ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ କିଛିଟା ଆଧ୍ୟାତ୍ମିକ ରଙ୍ଗର ଅନୁଭବ କରାଅ । ପରମାତ୍ମ ମିଳନର ମଙ୍ଗଳ ମେଳାର ଅନୁଭବ କରାଅ । ବାଟବଣା ହେଉଥିବା ଆତ୍ମାମାନଙ୍କୁ ଲକ୍ଷ୍ୟ ସ୍ଥଳର ରାସ୍ତା ଦେଖାଅ ।

ତେଣୁ ଏବେ ସ୍ୱ ଉନ୍ନତିର ଯୋଜନା କର । ଏଥିରେ ନିଜ ନିଜର ଚେକ୍‌ର ହୋଇ ଚେକ୍ କର । ଏହି ରାଜକୀୟ ମୁଁ ପଣିଆ ଆସୁ ନାହିଁ ତ! କାହିଁକି ନା ଆଜି ହୋଲୀ ପାଳନ କରିବା ପାଇଁ ଆସିଛ ନା! ତେଣୁ ବାପଦାଦା ଏହି ସଂକଳ୍ପ ଦେଉଛନ୍ତି ଯେ ଆଜି ଦେହଅଭିମାନ ଏବଂ ଅପମାନର ଯେଉଁ ମୁଁ ପଣିଆ ଆସୁଛି, ନିରାଶାର ମୁଁ ପଣିଆ ଆସୁଛି, ତାକୁ ଜଳାଇ କରି ହିଁ ଯାଅ, ସାଥୀରେ ନେଇଯାଅ ନାହିଁ, କିଛି ତ ଜଳାଇବ ନା! କ’ଣ ନିଆଁ ଜଳାଇବ କି? ଜ୍ୱାଳାମୁଖୀ ଯୋଗ ଅଗ୍ନିକୁ ଜଳାଅ । କ’ଣ ଜଳାଇବା ଜଣା ଅଛି ତ? ଜ୍ୱାଳାମୁଖୀ ଯୋଗ କରିବା ଜାଣିଛ ନା ସାଧାରଣ ଯୋଗ କରିବା ଜାଣିଛ? ଜ୍ୱାଳାମୁଖୀ ହୁଅ । ଲାଇଟ୍ ମାଇଟ୍ ହାଉସ୍ । ତେବେ ଏହା ପସନ୍ଦ ଅଟେ ତ? ଦୟା କରି ଧ୍ୟାନ ଦିଅ, ମୁଁକୁ ଜଳାଅ ।

ବାପଦାଦା ଯେତେବେଳେ ମୁଁ ମୁଁର ଗୀତ ଶୁଣୁଛନ୍ତି ସେତେବେଳେ ସ୍ୱୀଚ୍ ବନ୍ଦ କରିଦେଉଛନ୍ତି । ଯେତେବେଳେ ବାଃ! ବାଃ!ର ଗୀତ ଶୁଣୁଛନ୍ତି ସେତେବେଳେ ସାଉଣ୍ଡ ବଢାଇ ଦେଉଛନ୍ତି କାହିଁକି ନା ମୁଁ-ମୁଁ ଭିତରେ ଟଣା ଭିଡା ବହୁତ ହୋଇଥାଏ । ସବୁ କଥାରେ ଟଣା ଭିଡା କରିବେ । ଏହା ନୁହେଁ, ଏହା ନୁହେଁ, ଏମିତି ନୁହେଁ, ସେମିତି ନୁହେଁ... । ତେଣୁ ଏହିଭଳି ଟଣା ଭିଡା ହେବା କାରଣରୁ ଟେନ୍‌ଶନ୍ ସୃଷ୍ଟି ହୋଇଯାଉଛି । ବାପଦାଦାଙ୍କୁ, ଲଗାବ ଅର୍ଥାତ୍ ମୋହ, ତନାବ ଅର୍ଥାତ୍ ଟେନ୍‌ଶନ୍ ଏବଂ ଓଲଟା ସ୍ୱଭାବ ଭଲ ଲାଗୁ ନାହିଁ । ବାସ୍ତବରେ ସ୍ୱଭାବ ଶବ୍ଦ ବହୁତ ଭଲ ଅଟେ । ସ୍ୱଭାବ, ଅର୍ଥାତ୍ ସ୍ୱର ଭାବ କିନ୍ତୁ ତାକୁ ଓଲଟା କରି ଦେଇଛନ୍ତି । ତେଣୁ ନା କୌଣସି କଥାରେ ଟଣା ଭିଡା କର ଏବଂ ନା କାହାକୁ ନିଜ ଆଡକୁ ଟାଣ ଅର୍ଥାତ୍ ଆକର୍ଷିତ କର । ତାହା ମଧ୍ୟ ବହୁତ ଦୁଃଖୀ କରିଥାଏ । ଯିଏ ଯେତେ ବି ତୁମକୁ କହୁ କିନ୍ତୁ ନିଜ ଆଡକୁ କେବେ ବି ଆକର୍ଷିତ କର ନାହିଁ । ନା କୌଣସି କଥାକୁ ନିଜ ଆଡକୁ ଟାଣ, ନା କାହାକୁ ନିଜ ଆଡକୁ ଟାଣ । ସବୁ ପ୍ରକାରର ଟଣା ଭିଡା ସମାପ୍ତ କର । ବାବା, ବାବା ଏବଂ ବାବା । କ’ଣ ପସନ୍ଦ ଅଟେ ତ! ତେଣୁ ଓଲଟା ମୁଁ ପଣିଆକୁ ଏହିଠାରେ ହିଁ ଛାଡିକରି ଯାଅ, ସାଥୀରେ ନେଇକରି ଯାଅ ନାହିଁ, ନଚେତ୍ ଟ୍ରେନ୍‌ରେ ବୋଝ ବଢିଯିବ । ତୁମର ଗୋଟିଏ ଗୀତ ଅଛି ନା ମୁଁ ବାବାଙ୍କର ବାବା ମୋ’ର । ଠିକ୍ କଥା ନା! ତେଣୁ ଗୋଟିଏ ମୁଁ ରଖ, ଦୁଇଟି ମୁଁ କୁ ସମାପ୍ତ କର । ତେବେ ହୋଲୀ ପାଳନ କରିଦେଲ? ସଂକଳ୍ପରେ ଜଳାଇ ଦେଲ ତ? ଏବେ ତ ସଂକଳ୍ପ କରିବ । କ’ଣ ସଂକଳ୍ପ କରିଲ ତ? ହାତ ଉଠାଅ । ସଂକଳ୍ପ କରିଲ ନା କିଛି କିଛି ରହିବ? କିଛି କିଛି ଅନୁମତି ଦେଇଦେବା? ଯେଉଁମାନେ ଭାବୁଛନ୍ତି ଅଳ୍ପ ଅଳ୍ପ ରଖିବା ପାଇଁ ଅନୁମତି ମିଳିବା ଦରକାର ସେମାନେ ହାତ ଉଠାଅ । କିଛି ତ ରହିବ ନା, ନା ରହିବ ନାହିଁ? ତୁମେମାନେ ବହୁତ ବାହାଦୂର ଅଟ । ଅଭିନନ୍ଦନ । ଏବେ ଖୁସିରେ ନାଚ, ଗାଅ । ଟେନ୍‌ଶନ୍‌ରେ ଆସ ନାହିଁ, ହଁ ନାହିଁ ରେ ଆସ ନାହିଁ । ଆଚ୍ଛା!

ଏବେ ଗୋଟିଏ ସେକେଣ୍ଡରେ ନିଜର ମନରୁ ସବୁ ସଂକଳ୍ପକୁ ସମାପ୍ତ କରି ବାବାଙ୍କ ସହିତ ପରମଧାମରେ ଉଚ୍ଚରୁ ଉଚ୍ଚ ସ୍ଥାନ, ଉଚ୍ଚରୁ ଉଚ୍ଚ ବାବା, ତାଙ୍କ ସହିତ ଉଚ୍ଚ ସ୍ଥିତିରେ ବସିଯାଅ ଏବଂ ବାବାଙ୍କ ସମାନ ମାଷ୍ଟର ସର୍ବଶକ୍ତିବାନ ହୋଇ ବିଶ୍ୱର ଆତ୍ମାମାନଙ୍କୁ ସର୍ବଶକ୍ତିର କିରଣ ଦିଅ । ଆଚ୍ଛା!

ଚାରିଆଡର ହୋଲୀଏଷ୍ଟ ଅର୍ଥାତ୍ ମହାନ ପବିତ୍ର, ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ, ବିଶ୍ୱ କଲ୍ୟାଣକାରୀ ବିଶେଷ ଆତ୍ମାମାନଙ୍କୁ, ସମସ୍ତ ପୂର୍ବଜ ଏବଂ ପୂଜ୍ୟ ଆତ୍ମାମାନଙ୍କୁ, ବାବାଙ୍କର ସମସ୍ତ ହୃଦୟ ସିଂହାସନ ଅଧିକାରୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଅନ୍ତରର ଆଶୀର୍ବାଦ ସହିତ ଆନ୍ତରିକ ସ୍ନେହ ଏବଂ ନମସ୍ତେ ।

ଦୂରଦୂରାନ୍ତରୁ ଆସିଥିବା ପତ୍ର, କାର୍ଡ, ଇମେଲ୍ ଏବଂ କମ୍ପ୍ୟୁଟର ଦ୍ୱାରା ସନ୍ଦେଶ ବାପଦାଦାଙ୍କୁ ମିଳିଛି ଏବଂ ବାପଦାଦା ସେହି ସବୁ ପିଲାମାନଙ୍କୁ ସମ୍ମୁଖରେ ଦେଖି ପଦ୍ମଗୁଣା ଶୁଭେଚ୍ଛା ଦେଉଛନ୍ତି ।

ବରଦାନ:-
ନିଜର ପୂର୍ବଜ ସ୍ୱରୂପର ସ୍ମୃତି ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଶକ୍ତିଶାଳୀ କରୁଥିବା ଆଧାର ଉଦ୍ଧାର ମୂରତ ଭବ ।

ଏହି ସୃଷ୍ଟି ରୂପୀ ବୃକ୍ଷର ମୂଳକାଣ୍ଡ ଏବଂ ସମସ୍ତଙ୍କର ପୂର୍ବଜ ତୁମେ ବ୍ରାହ୍ମଣ ତଥା ଦେବତା ଅଟ । ତେବେ ପ୍ରତ୍ୟେକ କର୍ମର ଆଧାର, କୁଳ ମର୍ଯ୍ୟାଦାର ଆଧାର, ରୀତି-ନୀତିର ଆଧାର ତୁମେ ପୂର୍ବଜମାନେ ହିଁ ଅଟ । ସର୍ବ ଆତ୍ମାମାନଙ୍କର ଆଧାର ଏବଂ ଉଦ୍ଧାର ମୂରତ ମଧ୍ୟ ଅଟେ । ତୁମ ଭଳି ବୃକ୍ଷର କାଣ୍ଡ ଦ୍ୱାରା ହିଁ ସର୍ବଆତ୍ମାମାନଙ୍କୁ ଶ୍ରେଷ୍ଠ ସଂକଳ୍ପର ଶକ୍ତି ବା ସର୍ବଶକ୍ତିର ପ୍ରାପ୍ତି ହେଉଛି । ତୁମମାନଙ୍କୁ ସମସ୍ତେ ଅନୁକରଣ କରୁଛନ୍ତି, ସେଥିପାଇଁ ଏତେ ବଡ ଦାୟିତ୍ୱକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ସଂକଳ୍ପ ଏବଂ କର୍ମ କର । କାହିଁକି ନା ତୁମ ଭଳି ପୂର୍ବଜ ଆତ୍ମାମାନଙ୍କର ଆଧାର ଉପରେ ସୃଷ୍ଟିର ସମୟ ଏବଂ ସ୍ଥିତିର ଆଧାର ରହିଛି ।

ସ୍ଲୋଗାନ:-
ଯେଉଁମାନେ ସର୍ବ ଶକ୍ତିରୂପୀ କିରଣ ଚାରିଆଡେ ବିଚ୍ଛୁରିତ କରିଥାଆନ୍ତି ସେହିମାନେ ହିଁ ମାଷ୍ଟର ଜ୍ଞାନ ସୂର୍ଯ୍ୟ ଅଟନ୍ତି ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ । କେବଳ ତିନୋଟି ଶବ୍ଦ କାରଣରୁ ନିଜର ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତି କମ୍ ହୋଇଯାଉଛି । ସେହି ତିନୋଟି ଶବ୍ଦ ହେଲା - (୧) ହ୍ୱାଏ ଅର୍ଥାତ୍ କାହିଁକି (୨) ହ୍ୱାଟ୍ ଅର୍ଥାତ୍ କ’ଣ (୩) ୱାଣ୍ଟ ଅର୍ଥାତ୍ ଦରକାର । ଏବେ ଏହି ତିନୋଟି ଶବ୍ଦକୁ ସମାପ୍ତ କରି କେବଳ ଗୋଟିଏ ଶବ୍ଦ କୁହ ବାଃ! ତେବେ ନିୟନ୍ତ୍ରଣ କରିବାର ଶକ୍ତି ଆସିଯିବ । ତା’ପରେ ନିଜର ସଂକଳ୍ପ ଶକ୍ତି ଦ୍ୱାରା ବେହଦ ସେବାର ନିମିତ୍ତ ହୋଇପାରିବ ।