28.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବିନାଶୀ ଶରୀର ସହିତ ତୁମର ସ୍ନେହ ରହିବା ଉଚିତ୍ ନୁହେଁ, ତୁମେ ଏକମାତ୍ର ବିଦେହୀ ବାବାଙ୍କୁ ସ୍ନେହ କର । ଦେହକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ ।”

ପ୍ରଶ୍ନ:-
ବୁଦ୍ଧିକୁ ସ୍ୱଚ୍ଛ (ପବିତ୍ର) କରିବାର ପୁରୁଷାର୍ଥ କ’ଣ? ସ୍ୱଚ୍ଛ ବୁଦ୍ଧିର ଲକ୍ଷଣ କ’ଣ?

ଉତ୍ତର:-
ଦେହୀ-ଅଭିମାନୀ ହେବା ଦ୍ୱାରା ହିଁ ବୁଦ୍ଧି ସ୍ୱଚ୍ଛ ହୋଇଥାଏ । ଏହିଭଳି ଦେହୀ-ଅଭିମାନୀ ସନ୍ତାନମାନେ ନିଜକୁ ଆତ୍ମା ମନେକରି ଏକମାତ୍ର ବାବାଙ୍କୁ ହିଁ ସ୍ନେହ କରିଥା’ନ୍ତି, ବାବାଙ୍କଠାରୁ ହିଁ ଶୁଣିଥା’ନ୍ତି । କିନ୍ତୁ ଯେଉଁମାନେ ମୁଢମତି ଅଟନ୍ତି, ସେମାନେ ଦେହକୁ ସ୍ନେହ କରିଥା’ନ୍ତି, ଦେହକୁ ହିଁ ଶୃଙ୍ଗାର କରୁଥା’ନ୍ତି ।

ଓମ୍ ଶାନ୍ତି ।
ଓମ୍ ଶାନ୍ତିର ଶବ୍ଦ କିଏ କହୁଛନ୍ତି ଏବଂ କିଏ ଶୁଣୁଛନ୍ତି? ଅନ୍ୟ ସତସଙ୍ଗମାନଙ୍କରେ ତ ଜିଜ୍ଞାସୁମାନେ ଶୁଣିଥା’ନ୍ତି । କହିବେ, ଅମୁକ ମହାତ୍ମା କିମ୍ବା ଅମୁକ ଗୁରୁ ଶୁଣାଇଲେ । କିନ୍ତୁ ଏଠାରେ ପରମାତ୍ମା ଶୁଣାଉଛନ୍ତି ଏବଂ ଆତ୍ମା ଶୁଣୁଛି । ତେବେ ଏହା ନୂଆ କଥା ନା । ଏଠାରେ ଦେହୀ-ଅଭିମାନୀ ହେବାକୁ ପଡିବ । କିନ୍ତୁ କେହି କେହି ଏଠାରେ ମଧ୍ୟ ଦେହ-ଅଭିମାନୀ ହୋଇ ବସିଥା’ନ୍ତି । ବାସ୍ତବରେ ତୁମମାନଙ୍କୁ ଦେହୀ-ଅଭିମାନୀ ହୋଇ ବସିବା ଆବଶ୍ୟକ । ମୁଁ ଆତ୍ମା ଏହି ଶରୀରରେ ବିରାଜମାନ କରିଛି । ଶିବବାବା ଆମକୁ ବୁଝାଉଛନ୍ତି, ଏହିକଥା ବୁଦ୍ଧିରେ ଭଲ ଭାବରେ ମନେ ରଖିବା ଆବଶ୍ୟକ । ମୋର (ଆତ୍ମାର) ସମ୍ବନ୍ଧ ପରମାତ୍ମାଙ୍କ ସହିତ ରହିଛି । ପରମାତ୍ମା ଆସି ଏହି ଶରୀର ଦ୍ୱାରା ଶୁଣାଉଛନ୍ତି । ତେଣୁ ଇଏ (ବ୍ରହ୍ମା) ହେଲେ ଦଲାଲ ଅର୍ଥାତ୍ ମଧ୍ୟସ୍ଥି । ତୁମକୁ ଶିବବାବା ବୁଝାଉଛନ୍ତି । ବ୍ରହ୍ମାବାବାଙ୍କୁ ମଧ୍ୟ ବର୍ସା ଶିବବାବା ଦେଉଛନ୍ତି । ତେଣୁ ବୁଦ୍ଧି ତାଙ୍କ ଆଡକୁ ଯିବା ଦରକାର । ଧରିନିଅ କୌଣସି ପିତାଙ୍କର ୫/୭ଟି ପିଲା ଅଛନ୍ତି ତେବେ ସେମାନଙ୍କର ବୁଦ୍ଧିଯୋଗ ମଧ୍ୟ ପିତାଙ୍କ ଆଡକୁ ଯିବ ନା, କାରଣ ସମ୍ପତ୍ତି ତାଙ୍କଠାରୁ ମିଳିଥାଏ । ଭାଇଠାରୁ ତ ସମ୍ପତ୍ତି ମିଳି ନ ଥାଏ । ସମ୍ପତ୍ତି କେବଳ ପିତାଙ୍କଠାରୁ ହିଁ ମିଳିଥାଏ । ତେବେ ଆତ୍ମାକୁ ମଧ୍ୟ ଆତ୍ମାଠାରୁ ସମ୍ପତ୍ତି ମିଳି ନ ଥାଏ । ତୁମେ ଜାଣିଛ ଆତ୍ମା ରୂପରେ ଆମେ ସବୁ ଭାଇ-ଭାଇ ଅଟୁ । ଆମ ସମସ୍ତ ଆତ୍ମାମାନଙ୍କର ସମ୍ବନ୍ଧ ଏକମାତ୍ର ପରମପିତା ପରମାତ୍ମାଙ୍କ ସହିତ ରହିଛି । ସିଏ କହୁଛନ୍ତି, କେବଳ ମୋତେ ହିଁ ମନେ ପକାଅ । କେବଳ ମୋ ସହିତ ହିଁ ପ୍ରୀତି ରଖ । ରଚନା (ସନ୍ତାନମାନଙ୍କ) ସହିତ ପ୍ରୀତି ରଖ ନାହିଁ । ଦେହୀ-ଅଭିମାନୀ ହୁଅ । ଯଦି ମୋ ବିନା ଅନ୍ୟ କୌଣସି ଦେହଧାରୀମାନଙ୍କୁ ମନେ ପକାଉଛ ତେବେ ତାକୁ ଦେହ-ଅଭିମାନ କୁହାଯିବ । ଯଦିଓ ଏହି (ବ୍ରହ୍ମା) ଦେହଧାରୀ ତୁମ ସମ୍ମୁଖରେ ଅଛନ୍ତି କିନ୍ତୁ ତୁମେ ୟାଙ୍କୁ ଦେଖନାହିଁ । ତୁମମାନଙ୍କର ବୁଦ୍ଧିରେ କେବଳ ବାବାଙ୍କର ସ୍ମୃତି ରହିବା ଦରକାର । ଲୋକମାନେ ତ କେବଳ କଥାକୁ ମାତ୍ର ଭାଇ ଭାଇ ବୋଲି କହୁଛନ୍ତି । କିନ୍ତୁ ଏବେ ତୁମେମାନେ ଜାଣୁଛ ଯେ ଆମେ ସମସ୍ତେ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟୁ । ସମ୍ପତ୍ତି ମଧ୍ୟ ପରମାତ୍ମା ପିତାଙ୍କଠାରୁ ମିଳୁଛି । ସେହି ପିତା ନିଜେ କହୁଛନ୍ତି, ତୁମମାନଙ୍କର ସ୍ନେହ କେବଳ ମୋ ସହିତ ରହିବା ଦରକାର । ମୁଁ ନିଜେ ଆସି ତୁମ ଆତ୍ମାମାନଙ୍କର ମୋ ସହିତ ନିର୍ବନ୍ଧ କରାଉଛି । ଦେହଧାରୀଙ୍କ ସହିତ ନୁହେଁ । ଅନ୍ୟ ଯେ କୌଣସି ବି ସମ୍ବନ୍ଧ ଅଛି ସେସବୁ ଦେହ ସହିତ ଏବଂ ଏଠିକାର ସମ୍ବନ୍ଧ ଅଟେ । ବର୍ତ୍ତମାନ ତୁମକୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ଆମେ ଆତ୍ମା ପରମାତ୍ମା ପିତାଙ୍କଠାରୁ ଶୁଣୁଛୁ । ତେଣୁ ବୁଦ୍ଧି ସଦା ସର୍ବଦା ବାବାଙ୍କ ଆଡକୁ ଯିବା ଉଚିତ୍ । ବାବା ବ୍ରହ୍ମାଙ୍କ ନିକଟରେ ବସି ଆମକୁ ଜ୍ଞାନ ଦେଉଛନ୍ତି । ସେ ୟାଙ୍କ ଶରୀରକୁ ଉଧାର ନେଇଛନ୍ତି । ଆତ୍ମା ଏହି ଶରୀର ରୂପକ ଘରେ ରହି ଅଭିନୟ କରୁଛି । ଯେପରି ସେ ଅଭିନୟ କରିବା ପାଇଁ ନିଜକୁ ଶରୀର ରୂପୀ ଘର ମଧ୍ୟରେ ବନ୍ଦୀ କରିଦେଉଛି । ଏମିତି ତ ମୁକ୍ତ ଅଟେ । କିନ୍ତୁ ଶରୀର ମଧ୍ୟରେ ପ୍ରବେଶ କରି ବନ୍ଦୀ ଭାବରେ ରହି ଅଭିନୟ କରିଥାଏ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥାଏ, ପାର୍ଟ କରିଥାଏ । ବର୍ତ୍ତମାନ ଯିଏ ଯେତେ ଦେହୀ-ଅଭିମାନୀ ହୋଇ ରହିବେ ସେମାନେ ସେତେ ଉଚ୍ଚପଦ ପ୍ରାପ୍ତ କରିବେ । ବ୍ରହ୍ମାବାବାଙ୍କ ଶରୀର ପ୍ରତି ତୁମର ତିଳେମାତ୍ର ସ୍ନେହ ରହିବା ଉଚିତ୍ ନୁହେଁ । ଏହି ଶରୀର ତ କୌଣସି କାମକୁ ନୁହେଁ । ମୁଁ ଏହି ଶରୀରରେ ପ୍ରବେଶ କରୁଛି କେବଳ ତୁମକୁ ଜ୍ଞାନ ବୁଝାଇବା ପାଇଁ । ଏହା ହେଉଛି ରାବଣ ରାଜ୍ୟ ବା ପରଦେଶ । ସେଥିପାଇଁ ରାବଣକୁ ଜଳାଇଥାନ୍ତି କିନ୍ତୁ କିଛି ବୁଝି ନଥା’ନ୍ତି । ଚିତ୍ର ଆଦି ଯାହା କିଛି ବି ତିଆରି କରୁଛନ୍ତି, ସେ ସବୁର ଅର୍ଥକୁ ଜାଣନ୍ତି ନାହିଁ । ସମ୍ପୂର୍ଣ୍ଣ ମୂଢମତି ଅଟନ୍ତି । ରାବଣ ରାଜ୍ୟରେ ସମସ୍ତେ ମୁଢମତି ହୋଇଯାଇଛନ୍ତି । କାରଣ ସମସ୍ତଙ୍କ ଭିତରେ ଦେହ-ଅଭିମାନ ରହିଛି ନା । ସମସ୍ତେ ତୁଚ୍ଛ ବୁଦ୍ଧି ହୋଇଯାଇଛନ୍ତି । ବାବା କହୁଛନ୍ତି ଯିଏ ମୂଢମତି ହୋଇଥିବେ ସେମାନେ ଦେହକୁ ମନେ ପକାଇବେ, ଦେହ ସହିତ ସ୍ନେହ ରଖିବେ । ଯିଏ ସ୍ୱଚ୍ଛ (ପବିତ୍ର) ବୁଦ୍ଧି ହୋଇଥିବେ ସେମାନେ ନିଜକୁ ଆତ୍ମା ଭାବି ପରମାତ୍ମାଙ୍କୁ ମନେ ପକାଇବେ ଏବଂ ତାଙ୍କଠାରୁ ହିଁ ଶୁଣିବେ । ଏଥିରେ ହିଁ କଷ୍ଟ କରିବାକୁ ପଡିଥାଏ । ଇଏ ତ ବାବାଙ୍କର ରଥ । ତେଣୁ ବହୁତଙ୍କର ଏହାଙ୍କ ସହିତ ସ୍ନେହ ହୋଇଯାଉଛି । ଯେପରି ହୁସେନ୍‌ଙ୍କର ଘୋଡାକୁ କେତେ ସଜାଇଥା’ନ୍ତି । କିନ୍ତୁ ସମସ୍ତ ମହିମା ତ ହୁସେନଙ୍କର ନା । ଘୋଡାର ତ ମହିମା ହୋଇନଥାଏ । ତେବେ ନିଶ୍ଚିତ ଭାବରେ ମନୁଷ୍ୟ ଶରୀରରେ ହିଁ ହୁସେନଙ୍କର ଆତ୍ମା ପ୍ରବେଶ କରିଥିବ ନା । ସେମାନେ (ମୁସଲମାନମାନେ) ଏସବୁ କଥାକୁ ଜାଣନ୍ତି ନାହିଁ । ବର୍ତ୍ତମାନ ଏହାକୁ ରାଜସ୍ୱ-ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ କୁହାଯାଉଛି । ଅଶ୍ୱର ନାମ ଶୁଣି ସେମାନେ(ଲୋକମାନେ) ଘୋଡା ବୋଲି ଭାବି ନେଇଛନ୍ତି ଏବଂ ଘୋଡାକୁ ସ୍ୱାହା କରୁଛନ୍ତି । ଏ ସବୁ ହେଲା ଭକ୍ତିମାର୍ଗର କାହାଣୀ । ଏବେ ତୁମକୁ ସୁନ୍ଦର ଅର୍ଥାତ୍ ପବିତ୍ର ପରମଧାମର ଯାତ୍ରୀ ବାବା ହିଁ କରିଛନ୍ତି ନା ।

ବର୍ତ୍ତମାନ ତୁମେ ଜାଣୁଛ ଆମେ ପ୍ରଥମେ ଗୋରା ଅର୍ଥାତ୍ ପବିତ୍ର ଥିଲେ ପରେ ଶ୍ୟାମଳ ଅର୍ଥାତ୍ ଅପବିତ୍ର ହୋଇଗଲେ । ଯେଉଁ ଆତ୍ମାମାନେ ପ୍ରଥମେ ପ୍ରଥମେ ଆସିଥା’ନ୍ତି ସେମାନେ ପ୍ରଥମେ ସତ୍ତ୍ୱପ୍ରଧାନ ଥା’ନ୍ତି, ପରେ ସତ୍ତ୍ୱ, ରଜୋ, ତମଃ ଅବସ୍ଥାକୁ ଆସନ୍ତି । ପୁଣି ବାବା ଆସି ସମସ୍ତଙ୍କୁ ସୁନ୍ଦର କରିଦିଅନ୍ତି । ଯେଉଁମାନେ ବି ଧର୍ମସ୍ଥାପନ କରିବା ପାଇଁ ଆସନ୍ତି ପ୍ରଥମେ ସେମାନେ ପବିତ୍ର ଥା’ନ୍ତି, ପରେ କାମ ଅଗ୍ନିରେ ଜଳି କଳା ଅର୍ଥାତ୍ ପତିତ ହୋଇଯାଆନ୍ତି । ପ୍ରଥମେ ସୁନ୍ଦର ପୁଣି ଶ୍ୟାମଳ ହୋଇଯାଆନ୍ତି । ଇଏ (ବ୍ରହ୍ମା) ସର୍ବପ୍ରଥମେ ଜନ୍ମ ନେଉଥିବା କାରଣରୁ ସବୁଠାରୁ ସୁନ୍ଦର ହୋଇଥା’ନ୍ତି । ଏମାନଙ୍କ (ଲକ୍ଷ୍ମୀ-ନାରାୟଣ) ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ କାହାର ହୋଇପାରିବ ନାହିଁ । ଏହା ଜ୍ଞାନଯୁକ୍ତ କଥା ଅଟେ । ଯଦିଓ ଖ୍ରୀଷ୍ଟିୟାନମାନେ ଭାରତବାସୀଙ୍କଠାରୁ ସୁନ୍ଦର କାହିଁକି ନା ପାଶ୍ଚାତ୍ୟ ଦେଶର ନିବାସୀ ଅଟନ୍ତି କିନ୍ତୁ ସତ୍ୟଯୁଗରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଥାଏ । ଆତ୍ମା ଏବଂ ଶରୀର ଦୁଇଟିଯାକ ସୁନ୍ଦର ଥାଏ । ବର୍ତ୍ତମାନ ତ’ ସମସ୍ତେ ଶ୍ୟାମଳ । ପୁଣି ବାବା ଆସି ସମସ୍ତଙ୍କୁ ସୁନ୍ଦର କରୁଛନ୍ତି । ପ୍ରଥମେ ପ୍ରଥମେ ସତ୍ତ୍ୱପ୍ରଧାନ ପବିତ୍ର ହୋଇଥା’ନ୍ତି, ପୁଣି ତଳକୁ ଖସି-ଖସି କାମ ଅଗ୍ନିରେ ଜଳି କଳା ହୋଇଯାଆନ୍ତି । ବର୍ତ୍ତମାନ ବାବା ଆସିଛନ୍ତି ସମସ୍ତ ଆତ୍ମାମାନଙ୍କୁ ପବିତ୍ର କରିବା ପାଇଁ । ବାବାଙ୍କୁ ମନେ ପକାଇଲେ ହିଁ ତୁମେ ପବିତ୍ର ହୋଇପାରିବ । ସେଥିପାଇଁ ଜଣଙ୍କୁ ହିଁ ମନେ ପକାଇବାକୁ ହେବ । ଦେହଧାରୀଙ୍କ ସହିତ ପ୍ରୀତି ରଖିବା ଉଚିତ୍ ନୁହେଁ । ବୁଦ୍ଧିରେ ଏକଥା ରହୁ ଯେ ମୁଁ ଏକମାତ୍ର ବାବାଙ୍କର ଅଟେ । ସେ ହିଁ ମୋର ସବୁକିଛି ଅଟନ୍ତି । ଏହି ଆଖିରେ ଯାହା କିଛି ଦେଖାଯାଉଛି ସବୁ ବିନାଶ ହୋଇଯିବ । ଏହି ଆଖି ମଧ୍ୟ ନଷ୍ଟ ହୋଇଯିବ । ପରମପିତା ପରମାତ୍ମାଙ୍କୁ ତ ତ୍ରିନେତ୍ରୀ କୁହାଯାଉଛି । ତାଙ୍କର ଜ୍ଞାନର ତୃତୀୟ ନେତ୍ର ଅଛି ତେଣୁ ତ୍ରିନେତ୍ରୀ, ତ୍ରିକାଳଦର୍ଶୀ, ତ୍ରିଲୋକୀନାଥ - ଏହି ଉପାଧିମାନ ତାଙ୍କୁ ହିଁ ମିଳିଛି । ବର୍ତ୍ତମାନ ତୁମକୁ ତିନିଲୋକର ଜ୍ଞାନ ମିଳିଛି । ପୁଣି ଏହା ଗୁପ୍ତ ହୋଇଯିବ । ଯାହାଙ୍କ ପାଖରେ ଏହି ଜ୍ଞାନ ଅଛି ସିଏ ହିଁ ଆସି ଦେଉଛନ୍ତି । ତୁମକୁ ବାବା ୮୪ ଜନ୍ମର ଜ୍ଞାନ ଶୁଣାଉଛନ୍ତି । ବାବା କହୁଛନ୍ତି ନିଜକୁ ଆତ୍ମା ମନେ କର । ମୁଁ ତୁମକୁ ପବିତ୍ର କରିବା ପାଇଁ ଏହି ଶରୀରରେ ପ୍ରବେଶ କରିଛି । ମୋତେ ମନେ ପକାଇଲେ ହିଁ ତୁମେମାନେ ପବିତ୍ର ହୋଇପାରିବ । ଅନ୍ୟ କାହାକୁ ମନେ ପକାଇଲେ ସତ୍ତ୍ୱପ୍ରଧାନ ହୋଇପାରିବ ନାହିଁ । ଯଦି ପାପ ଖଣ୍ଡନ ନ ହେବ ତେବେ କୁହାଯିବ ବିନାଶ କାଳରେ ବିପରୀତ ବୁଦ୍ଧି ବିନଶ୍ୟନ୍ତି । ଲୋକମାନେ ତ ବହୁତ ଅନ୍ଧବିଶ୍ୱାସରେ ବୁଡି ରହିଛନ୍ତି । ଦେହଧାରୀମାନଙ୍କ ଠାରେ ହିଁ ମୋହ ରଖିଛନ୍ତି । ଏବେ ତୁମକୁ ଆତ୍ମ-ଅଭିମାନୀ ହେବାକୁ ପଡିବ । କେବଳ ଜଣଙ୍କଠାରେ ହିଁ ମୋହ ରଖିବାକୁ ହେବ । ଯଦି ଅନ୍ୟ କାହାଠାରେ ମୋହ ରଖିବ ତେବେ ବାବାଙ୍କ ସହିତ ବିପରୀତ ବୁଦ୍ଧି କୁହାଯିବ । ବାବା କେତେ ବୁଝାଉଛନ୍ତି, କେବଳ ମୋତେ ହିଁ ମନେ ପକାଅ । ଏଇଥିରେ ହିଁ ମେହନତ କରିବାକୁ ପଡିବ । ତୁମେମାନେ ମଧ୍ୟ କହୁଥିଲ ଆମ ପତିତମାନଙ୍କୁ ଆସି ପବିତ୍ର କର । ତେବେ ପବିତ୍ର ତ’ ବାବା ହିଁ କରିଥାନ୍ତି । ତୁମ ପିଲାମାନଙ୍କୁ ୮୪ ଜନ୍ମର ଇତିହାସ-ଭୂଗୋଳ ବାବା ହିଁ ବୁଝାଉଛନ୍ତି, ତାହା ତ ସହଜ ନା । ବାକି ଯୋଗର ବିଷୟ ହିଁ କଠିନରୁ କଠିନ ଅଟେ । ବାବାଙ୍କ ସହିତ ଯୋଗ ଲଗାଇବାରେ କେହି ବି ହୁସିଆର ନୁହଁନ୍ତି ।

ଯେଉଁ ସନ୍ତାନମାନେ ଯୋଗରେ ପ୍ରବୀଣ ନୁହଁନ୍ତି ସେମାନେ ଯେପରି ପଣ୍ଡିତ ଅଟନ୍ତି । ଜ୍ଞାନରେ କେତେ ବି ପ୍ରବୀଣ ହୋଇଥିଲେ ମଧ୍ୟ ଯୋଗରେ ନ ରହିପାରିଲେ ତାଙ୍କୁ ପଣ୍ଡିତ କୁହାଯିବ । ବାବା ପଣ୍ଡିତର ଗୋଟିଏ କାହାଣୀ ଶୁଣାଇଥାନ୍ତି ନା । ପଣ୍ଡିତ ଯାହାକୁ ପରମାତ୍ମାଙ୍କ କଥା ଶୁଣାଇଥିଲେ, ସେ ବ୍ୟକ୍ତି ପରମାତ୍ମାଙ୍କୁ ମନେ ପକାଇ ନଦୀ ପାରି ହୋଇଗଲା, କିନ୍ତୁ ପଣ୍ଡିତ ପାରି ହୋଇପାରିଲେ ନାହିଁ । ଏହି ପଣ୍ଡିତଙ୍କର ଦୃଷ୍ଟାନ୍ତ ମଧ୍ୟ ତୁମମାନଙ୍କ ପାଇଁ ଅଟେ । ବାବାଙ୍କୁ ତୁମେ ମନେ ପକାଇଲେ ପାରି ହୋଇଯିବ । କେବଳ ମୁରଲୀ ଶୁଣାଇବାରେ ପ୍ରବୀଣ ହୋଇଗଲେ ପାରି ହୋଇପାରିବ ନାହିଁ । କାରଣ ଯୋଗ ବ୍ୟତୀତ ବିକର୍ମ ବିନାଶ ହେବ ନାହିଁ । ଏହିପରି ଉଦାହରଣ ସବୁ ରହିଛି । ବାବା ଆସି ଯଥାର୍ଥ ଭାବରେ ବୁଝାଉଛନ୍ତି । ତାଙ୍କୁ (ସେହି ବ୍ୟକ୍ତିଙ୍କୁ) ଗୋଟିଏ କଥାର ନିଶ୍ଚୟ ହୋଇଗଲା ଯେ ପରମାତ୍ମାଙ୍କୁ ମନେ ପକାଇଲେ ପାରି ହୋଇଯିବି । ଯଦି କେବଳ ଜ୍ଞାନ ଥିବ ଯୋଗ ନ ଥିବ, ତେବେ ଉଚ୍ଚପଦ ପାଇ ପାରିବ ନାହିଁ । ଏପରି ବହୁତ ଅଛନ୍ତି, ଯେଉଁମାନେ ଯୋଗଯୁକ୍ତ ହୋଇ ରହୁ ନାହାଁନ୍ତି । ତେବେ ଯୋଗଯୁକ୍ତ ରହିବା ହିଁ ମୂଳକଥା ଅଟେ । ବହୁତ ଭଲ ଭଲ ସେବାଧାରୀ ଅଛନ୍ତି, କିନ୍ତୁ ବୁଦ୍ଧିର ଯୋଗ ଠିକ୍ ନ ଥିଲେ ବନ୍ଧନରେ ପଡିଯାଆନ୍ତି । ଯୋଗୀ ଆତ୍ମା କେବେ ଦେହ-ଅଭିମାନର ବନ୍ଧନରେ ଆସିବେ ନାହିଁ । ତାଙ୍କର ଅଶୁଦ୍ଧ ସଂକଳ୍ପ ଆସିବ ନାହିଁ । ଯଦି ଯୋଗରେ ଦୁର୍ବଳ ଥିବେ ତେବେ ମନରେ ବହୁତ ତୋଫାନ ଉଠିବ । ଯୋଗ ଦ୍ୱାରା କର୍ମେନ୍ଦ୍ରିୟ ସମ୍ପୂର୍ଣ୍ଣ ବଶୀଭୂତ ହୋଇଥାଏ । ବାବା ଠିକ୍ ଭୁଲ୍ ବୁଝିବାର ଶକ୍ତି ଦେଇଛନ୍ତି । ଅନ୍ୟର ଦେହ ପ୍ରତି ବୁଦ୍ଧି ଯିବା ଦ୍ୱାରା ବିପରୀତ ବୁଦ୍ଧି ହୋଇଯାଆନ୍ତି ଏବଂ ବିପରୀତ ବୁଦ୍ଧି ବିନଶ୍ୟନ୍ତି । ଜ୍ଞାନ ଅଲଗା, ଯୋଗ ଅଲଗା । ଯୋଗ ଦ୍ୱାରା ସ୍ୱାସ୍ଥ୍ୟ, ଜ୍ଞାନ ଦ୍ୱାରା ସମ୍ପତ୍ତି ମିଳିଥାଏ । ଯୋଗ ଦ୍ୱାରା ଶରୀରର ଆୟୁଷ ଅଧିକ ହୋଇଥାଏ । ଆତ୍ମା କେବେ ଛୋଟ ବଡ ହୋଇ ନ ଥାଏ । ଆତ୍ମା କହିବ ମୋ ଶରୀରର ଆୟୁଷ ବଢୁଛି । ବର୍ତ୍ତମାନ ଆୟୁଷ କମ୍ ହୋଇଯାଇଛି ପୁଣି ଅଧାକଳ୍ପ ପାଇଁ ଆୟୁଷ ବୃଦ୍ଧି ହୋଇଯିବ । ଆମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବା । ଆତ୍ମା ପବିତ୍ର ହୋଇଯିବ । ତେଣୁ ସବୁକିଛି ଆତ୍ମାକୁ ପବିତ୍ର କରିବା ଉପରେ ହିଁ ନିର୍ଭର କରିଥାଏ । ପବିତ୍ର ନ ହେଲେ ପଦ ମଧ୍ୟ ପାଇପାରିବ ନାହିଁ ।

ମାୟା ଚାର୍ଟ ରଖିବାରେ ପିଲାମାନଙ୍କୁ ଅଳସୁଆ କରିଦେଉଛି । ପିଲାମାନଙ୍କୁ ଯୋଗର ଯାତ୍ରାର ଚାର୍ଟ ରଖିବାରେ ସଉକ ରହିବା ଦରକାର । ଦେଖିବା ଦରକାର ଯେ, ଆମେ ବାବାଙ୍କୁ ମନେ ପକାଉଛୁ ନା ଆଉ କୌଣସି ମିତ୍ର-ସମ୍ବନ୍ଧୀ ଆଡକୁ ବୁଦ୍ଧି ଯାଉଛି । ସାରା ଦିନ କାହାର ସ୍ମୃତି ରହିଛି ଅଥବା କାହା ସହିତ ପ୍ରୀତି ରହିଛି? ସମୟ କେତେ ବ୍ୟର୍ଥରେ ଗଲା? ନିଜର ଚାର୍ଟ ରଖିବା ଦରକାର । କିନ୍ତୁ ପ୍ରତ୍ୟହ ଚାର୍ଟ ରଖିବା ପାଇଁ କାହା ମଧ୍ୟରେ ଶକ୍ତି ନାହିଁ । କେହି କ୍ୱଚିତ ଚାର୍ଟ ରଖିଥା’ନ୍ତି । ମାୟା ପୁରା ଚାର୍ଟ ରଖିବାକୁ ଦିଏ ନାହିଁ । ଏକଦମ୍ ଅଳସୁଆ କରିଦିଏ । ଫୁର୍ତ୍ତିପଣିଆ ଚାଲିଯାଇଥାଏ । ବାବା କହୁଛନ୍ତି ମୋତେ ମନେ ପକାଅ । ମୁଁ ତ ସବୁ ପ୍ରେମିକାଙ୍କର ପ୍ରେମିକ ଅଟେ, ତେଣୁ ମୋତେ ମନେ ପକାଇବା ଦରକାର ନା । ଏବେ ସେହି ପ୍ରେମିକ ଅଥବା ପିତା କହୁଛନ୍ତି ତୁମେମାନେ ମୋତେ ଅଧାକଳ୍ପ ମନେ ପକାଇଲ, ଏବେ ମୁଁ କହୁଛି ମୋତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ । ଏଭଳି ବାବା ଯିଏ ସୁଖ ଦେଉଛନ୍ତି, ତାଙ୍କୁ କେତେ ମନେ ପକାଇବା ଆବଶ୍ୟକ । ଅନ୍ୟମାନେ ତ ସମସ୍ତେ ଦୁଃଖ ଦେଇଥା’ନ୍ତି । ସେମାନେ କୌଣସି କାମରେ ଆସିବେ ନାହିଁ । ଅନ୍ତିମ ସମୟରେ ଏକମାତ୍ର ପରମାତ୍ମା ପିତା ହିଁ ସାହାଯ୍ୟ କରିଥା’ନ୍ତି । ଅନ୍ତିମ ସମୟ ପ୍ରଥମଟି ହେଲା ଜୀବନର ଶେଷ ସମୟକୁ କୁହାଯାଏ ଏବଂ ଅନ୍ୟଟି ସୃଷ୍ଟିର ଅନ୍ତିମ ସମୟକୁ କୁହାଯାଏ ।

ବାବା ବୁଝାଉଛନ୍ତି ଭଲ ଭାବରେ ମନେ ପକାଉଥିଲେ ଅକାଳମୃତ୍ୟୁ ହେବ ନାହିଁ । ଯୋଗବଳ ତୁମକୁ ଅମର କରିଦେଇଥାଏ । ତେବେ ପ୍ରଥମେ ତ ବାବାଙ୍କ ସହିତ ପ୍ରୀତବୁଦ୍ଧି ରହିବା ଦରକାର । କାହାର ଶରୀର ପ୍ରତି ପ୍ରୀତି ହେଲେ ତଳକୁ ଖସିଯିବ, ଫେଲ୍ ହୋଇଯିବ ଏବଂ ଚନ୍ଦ୍ରବଂଶୀକୁ ଚାଲିଯିବ । ସ୍ୱର୍ଗ ତ ସତ୍ୟଯୁଗ, ସୂର୍ଯ୍ୟବଂଶୀ ରାଜତ୍ୱକୁ ହିଁ କୁହାଯାଏ । ତ୍ରେତାଯୁଗକୁ ମଧ୍ୟ ସ୍ୱର୍ଗ କୁହାଯିବ ନାହିଁ । ଯେପରି ଦ୍ୱାପର ଏବଂ କଳିଯୁଗ ଅଛି, କିନ୍ତୁ କଳିଯୁଗକୁ ଘୋର ନର୍କ, ତମଃପ୍ରଧାନ କୁହାଯାଇଥାଏ । ତ୍ରେତାଯୁଗକୁ ମଧ୍ୟ ସ୍ୱର୍ଗ କୁହାଯାଇପାରିବ ନାହିଁ । ଦ୍ୱାପରକୁ ଏତେ କୁହାଯାଇପାରିବ ନାହିଁ ପୁଣି ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ଯୋଗବଳ ଆବଶ୍ୟକ । ନିଜେ ମଧ୍ୟ ବୁଝିଯା’ନ୍ତି ଆମର ଅମୁକ ବ୍ୟକ୍ତିଙ୍କ ସହିତ ବହୁତ ପ୍ରୀତି ଅଛି, ତାଙ୍କ ଆଧାର ବିନା ଆମର କଲ୍ୟାଣ ହେବ ନାହିଁ । ତେବେ ଏଭଳି ଅବସ୍ଥାରେ ଯଦି ମରିଯା’ନ୍ତି ତେବେ କ’ଣ ଗତି ହେବ । ବିନାଶ ସମୟରେ ବିପରୀତ ବୁଦ୍ଧି ବିନଶ୍ୟନ୍ତି କୁହାଯାଏ । ସେମାନେ ଧୂଳି ଛାଇ ଅର୍ଥାତ୍ ନିକୃଷ୍ଟ ପଦ ପାଇଥା’ନ୍ତି ।

ଆଜିକାଲି ଦୁନିଆରେ ଫେସନ ମଧ୍ୟ ବହୁତ ବଡ ବିପଦ ଅଟେ । ନିଜ ପ୍ରତି ଆକର୍ଷିତ କରିବା ପାଇଁ ଶରୀରକୁ କେତେ ସଜାଇଥା’ନ୍ତି । ବର୍ତ୍ତମାନ ବାବା କହୁଛନ୍ତି କାହାର ନାମ-ରୂପରେ ଫସି ଯାଅ ନାହିଁ । ଲକ୍ଷ୍ମୀ-ନାରାୟଣଙ୍କ ଡ୍ରେସ ଦେଖ କେତେ ରାଜକୀୟ । ତାହା ହେଲା (ସ୍ୱର୍ଗ) ଶିବାଳୟ, ଏହାକୁ କୁହାଯାଏ ବେଶ୍ୟାଳୟ । ଏହି ଦେବତାମାନଙ୍କ ଆଗରେ ଯାଇ କହନ୍ତି ଆମେ ବେଶ୍ୟାଳୟରେ ରହିଛୁ । ବର୍ତ୍ତମାନ ତ ଫେସନ ଏଭଳି ବିପଦପୂର୍ଣ୍ଣ ହୋଇଗଲାଣି ଯାହାକି ସମସ୍ତଙ୍କର ଧ୍ୟାନ ଆକର୍ଷିତ ହୋଇଯାଉଛି, ପୁଣି ସେମାନଙ୍କ ରୂପରେ ଆକର୍ଷିତ ହୋଇ ଅପହରଣ କରି ନେଇଯାଉଛନ୍ତି । ସତ୍ୟଯୁଗରେ ତ ନିୟମ ମୁତାବକ ଚାଲିଚଳନ ହେବ । ସେଠାରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ । ଏଥିରେ ଅନ୍ଧଶ୍ରଦ୍ଧାର କୌଣସି ପ୍ରଶ୍ନ ହିଁ ନାହିଁ । ଏଠାରେ ତ ଦେଖିଲେ ମନ ଲାଗିଯାଉଛି ପୁଣି ଅନ୍ୟ ଧର୍ମବାଲାଙ୍କ ସହିତ ମଧ୍ୟ ବିବାହ କରିଦେଉଛନ୍ତି । ବର୍ତ୍ତମାନ ତୁମର ଈଶ୍ୱରୀୟ ବୁଦ୍ଧି । ତେବେ ପଥର ବୁଦ୍ଧିରୁ ପାରସବୁଦ୍ଧି ଏକମାତ୍ର ବାବାଙ୍କ ବ୍ୟତୀତ କେହି କରିପାରିବେ ନାହିଁ । ସେମାନେ ହେଉଛନ୍ତି ରାବଣ ସମ୍ପ୍ରଦାୟ । ତୁମେ ବର୍ତ୍ତମାନ ରାମଙ୍କ ସମ୍ପ୍ରଦାୟ ହୋଇଛ । ପାଣ୍ଡବ ଏବଂ କୌରବ ଗୋଟିଏ ବଂଶର ଥିଲେ, ବାକି ୟୁରୋପବାସୀ ହେଲେ ଯାଦବ । ଗୀତାରୁ କେହି ବୁଝି ପାରୁନାହାଁନ୍ତି ଯେ ଯାଦବମାନେ ୟୁରୋପବାସୀ ହିଁ ଅଟନ୍ତି । ସେମାନେ ତ ଯାଦବ ସମ୍ପ୍ରଦାୟ ମଧ୍ୟ ଏଠିକାର ବୋଲି କହିଦେଉଛନ୍ତି । ବାବା ବସି ବୁଝାଉଛନ୍ତି ଯେ ଯାଦବମାନେ ହେଲେ ୟୁରୋପବାସୀ, ଯେଉଁମାନେ କି ନିଜର ବିନାଶ ପାଇଁ କ୍ଷେପଣାସ୍ତ୍ର(ମୂସଳ) ଆଦି ତିଆରି କରିଛନ୍ତି । ପାଣ୍ଡବମାନଙ୍କର ବିଜୟ ହୋଇଥାଏ, ସେମାନେ ଯାଇ ସ୍ୱର୍ଗର ମାଲିକ ହେବେ । ପରମାତ୍ମା ହିଁ ଆସି ସ୍ୱର୍ଗର ସ୍ଥାପନା କରୁଛନ୍ତି । ଶାସ୍ତ୍ରରେ ତ ଦେଖାଇ ଦିଆଯାଇଛି, ପାଣ୍ଡବମାନେ ପାହାଡରୁ ଖସି ପଡି ପ୍ରାଣତ୍ୟାଗ କଲେ । ତାପରେ କ’ଣ ହେଲା କିଛି ବି ଜଣାନାହିଁ । ପଥର ବୁଦ୍ଧି ଅଟନ୍ତି ନା । ଡ୍ରାମାର ରହସ୍ୟକୁ ଟିକିଏ ବି କେହି ବୁଝିପାରୁ ନାହାଁନ୍ତି । ବାବାଙ୍କ ପାଖକୁ ବହୁତ ସନ୍ତାନ ଆସୁଛନ୍ତି । ଯଦିଓ କହୁଛି ଗହଣା ଆଦି ପିନ୍ଧ, କିନ୍ତୁ ପିଲାମାନେ କହୁଛନ୍ତି ଅଳଙ୍କାର କଣ ଶୋଭା ପାଉଛି? ଆତ୍ମା ତ ପତିତ, ପତିତ ଶରୀରକୁ ପୁଣି ଅଳଙ୍କାର କ’ଣ ଶୋଭା ପାଇବ । ସେଠାରେ ତ ଆମେ ଏହି ଅଳଙ୍କାରରେ ସଜ୍ଜାଇ ହୋଇ ରହିବୁ । ଅମାପ ଧନ ରହିବ । ସମସ୍ତେ ସୁଖି ରହିବେ । ଭଲେ ସେଠାରେ ଅନୁଭବ ହେବ କି ଇଏ ରାଜା, ଆଉ ଆମେ ପ୍ରଜା । କିନ୍ତୁ ସେଠାରେ ଦୁଃଖର କଥା କିଛି ନ ଥାଏ । ଏଠାରେ ଖାଦ୍ୟ ଶସ୍ୟ ଆଦି ମିଳୁନାହିଁ, ତେଣୁ ମନୁଷ୍ୟ ଦୁଃଖି ହେଉଛନ୍ତି । ସେଠାରେ ତ ସବୁ କିଛି ମିଳିଥାଏ । ଦୁଃଖ ଅକ୍ଷର ସେଠାରେ ମୁଖରୁ ବାହାରିବ ନାହିଁ । ତା’ର ନାମ ହିଁ ହେଲା ସ୍ୱର୍ଗ । ୟୁରୋପୀବାସୀ ତାକୁ (ସ୍ୱର୍ଗ) ପାରାଡାଇଜ୍ କୁହନ୍ତି । ସେମାନେ ଭାବନ୍ତି ସେଠାରେ ଦେବୀ-ଦେବତାମାନେ ରହୁଥିଲେ, ତେଣୁ ସେମାନଙ୍କର ଚିତ୍ର ମଧ୍ୟ ବହୁତ କିଣୁଛନ୍ତି । କିନ୍ତୁ ସେହି ସ୍ୱର୍ଗ ପୁଣି କୁଆଡେ ଗଲା - ଏକଥା କାହାକୁ ଜଣା ନାହିଁ । ତୁମେମାନେ ବର୍ତ୍ତମାନ ଜାଣିଛ ଏହି ଚକ୍ର କିଭଳି ଘୂରି ଚାଲିଛି । ନୂଆରୂ ପୁରୁଣା, ପୁରୁଣାରୁ ପୁଣି ନୂଆ ଦୁନିଆ ହେଉଛି । ବର୍ତ୍ତମାନ ଦେହୀ-ଅଭିମାନୀ ହେବା ବହୁତ କଷ୍ଟ । ତୁମେ ଦେହୀ ଅଭିମାନୀ ହେବା ଦ୍ୱାରା ଏହି ସବୁ ଅନେକ ବେମାରୀରୁ ମୁକ୍ତ ହୋଇପାରିବ । ବାବାଙ୍କୁ ମନେ ପକାଇବା ଦ୍ୱାରା ଉଚ୍ଚ ପଦ ପାଇପାରିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କୌଣସି ଦେହଧାରୀଙ୍କୁ ନିଜର ଆଧାର କରିବାର ନାହିଁ । କାହାରି ଶରୀର ସହିତ ପ୍ରୀତି ରଖିବାର ନାହିଁ । ହୃଦୟର ସ୍ନେହ ଏକମାତ୍ର ବାବାଙ୍କ ସହିତ ରଖିବାର ଅଛି । କାହାର ନାମ ରୂପରେ ବାନ୍ଧି ହେବାର ନାହିଁ ।

(୨) ଯୋଗର ଚାର୍ଟ ବହୁତ ସଉକରେ ରଖିବାର ଅଛି, ଏଥିରେ ଅଳସୁଆ ହେବାର ନାହିଁ । ନିଜର ଚାର୍ଟକୁ ଦେଖ - ମୋର ବୁଦ୍ଧି କାହା ଆଡକୁ ଯାଉଛି? କେତେ ସମୟ ବ୍ୟର୍ଥରେ କଟୁଛି? ସୁଖଦାତା ବାବା କେତେ ସମୟ ମନେ ରହୁଛନ୍ତି?

ବରଦାନ:-
ଗୃହସ୍ଥ ବ୍ୟବହାର ଏବଂ ଈଶ୍ୱରୀୟ ବ୍ୟବହାରର ସମାନତା ଦ୍ୱାରା ସର୍ବଦା ହାଲୁକା ରୁହ ଏବଂ ସଫଳ ହୁଅ ।

ସବୁ ପିଲାଙ୍କୁ ଶରୀର ନିର୍ବାହ ଏବଂ ଆତ୍ମ ନିର୍ବାହର ଡବଲ ସେବା ମିଳିଛି । ତେବେ ଦୁଇଟିଯାକ ସେବାରେ ସମୟର ଏବଂ ଶକ୍ତିର ସମାନ ଗୁରୁତ୍ୱ ଦେବାକୁ ହେବ । ଯଦି ଶ୍ରୀମତର କଣ୍ଟା ଠିକ୍ ଥିବ ତେବେ ଉଭୟ ପାର୍ଶ୍ୱ ସମାନ ରହିଥିବ । କିନ୍ତୁ ଗୃହସ୍ଥ ଶବ୍ଦ କହିବା ମାତ୍ରକେ ତୁମେମାନେ ଗୃହସ୍ଥୀ ହୋଇଯାଉଛ ଏବଂ ବାହାନାବାଜୀ ଆରମ୍ଭ ହୋଇଯାଉଛି । ସେଥିପାଇଁ ନିଜକୁ ଗୃହସ୍ଥୀ ନ ଭାବି ଉଭୟରେ ସମାନତା ରଖ, ତାହା ହେଲେ ସର୍ବଦା ହାଲୁକା ରହିବା ସହିତ ସବୁଥିରେ ସଫଳତା ପ୍ରାପ୍ତ କରିବ ।

ସ୍ଲୋଗାନ:-
ପ୍ରଥମ ଶ୍ରେଣୀରେ ଆସିବା ପାଇଁ ନିଜର କର୍ମେନ୍ଦ୍ରିୟଜିତ୍‌, ମାୟାଜିତ୍ ହୁଅ ।