28.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ତୁମେ ଅମରଲୋକର ଯାତ୍ରାରେ ଅଛ, ଏହା ତୁମର ବୁଦ୍ଧି ଦ୍ୱାରା ଆତ୍ମିକ ଯାତ୍ରା ଅଟେ, ଯାହାକୁ ତୁମେ
ସଚ୍ଚା-ସଚ୍ଚା ବ୍ରାହ୍ମଣମାନେ ହିଁ କରିପାରିବ ।”
ପ୍ରଶ୍ନ:-
ନିଜେ ନିଜ ସହିତ
ବା ପରସ୍ପର ମଧ୍ୟରେ କେଉଁ କଥାବାର୍ତ୍ତା ହେବା ହିଁ ଶୁଭ ସମ୍ମିଳନୀ ଅଟେ?
ଉତ୍ତର:-
ନିଜେ ନିଜ ସହିତ କଥାବାର୍ତ୍ତା କର ଯେ ମୁଁ ଆତ୍ମା ଏବେ ଏହି ପୁରୁଣା ଛି-ଛି, ପତିତ ଶରୀରକୁ ଛାଡି
ଘରକୁ ଫେରିବି । ଏହି ଶରୀର କୌଣସି କାମର ନୁହେଁ, ଏବେ ତ ମୁଁ ବାବାଙ୍କ ସାଥୀରେ ଯିବି । ପରସ୍ପର
ସହିତ ଯେତେବେଳେ ମିଶୁଛ ତେବେ ଏହି ବାର୍ତ୍ତଳାପ କର ଯେ ସେବା କିପରି ବୃଦ୍ଧି ପାଇବ, ସମସ୍ତଙ୍କର
କଲ୍ୟାଣ କିପରି ହୋଇପାରିବ, ସମସ୍ତଙ୍କୁ କିପରି ରାସ୍ତା ବତାଇବା.... ଏହା ହିଁ ଶୁଭ ସମ୍ମିଳନୀ ଅଟେ
।
ଗୀତ:-
ଦିଲ୍ କା ସାହାରା
ଟୁଟ ନ ଯାଏ....
ଓମ୍ ଶାନ୍ତି ।
ମିଠା-ମିଠା
ରୁହାନୀ ସନ୍ତାନମାନେ, ସମସ୍ତ ସେବାକେନ୍ଦ୍ରର ବ୍ରହ୍ମାମୁଖ ବଂଶାବଳୀ ସର୍ବୋତ୍ତମ ବ୍ରାହ୍ମଣ କୁଳ
ଭୂଷଣମାନେ ନିଜର କୁଳକୁ ଜାଣିଛନ୍ତି, ଯିଏ ଯେଉଁ କୁଳର ହୋଇଥାନ୍ତି, ସେମାନେ ନିଜର କୁଳକୁ
ଜାଣିଥାନ୍ତି । କେହି ନୀଚ୍ଚ କୁଳର ହୋଇଥାନ୍ତୁ ବା କେହି ଉଚ୍ଚ କୁଳର ହୋଇଥାନ୍ତୁ, ପ୍ରତ୍ୟେକ
ନିଜର କୁଳକୁ ଜାଣିଥାନ୍ତି ଏବଂ ଭାବନ୍ତି ଯେ ୟାଙ୍କର କୁଳ ବହୁତ ଭଲ । କୁଳ କୁହ ବା ଜାତି କୁହ,
ଦୁନିଆରେ ତୁମ ସନ୍ତାନମାନଙ୍କ ବ୍ୟତୀତ ଆଉ କେହି ଜାଣିନାହାଁନ୍ତି ଯେ ବ୍ରାହ୍ମଣମାନଙ୍କର କୁଳ ହିଁ
ସର୍ବୋତ୍ତମ କୁଳ ଅଟେ । ପ୍ରଥମ ନମ୍ବରର କୁଳ ତୁମ ବ୍ରାହ୍ମଣମାନଙ୍କର ହିଁ କୁହାଯିବ । ବ୍ରାହ୍ମଣ
କୁଳ ଅର୍ଥାତ୍ ଈଶ୍ୱରୀୟ କୁଳ । ପ୍ରଥମେ ହେଲା ନିରାକାରୀ କୁଳ ତା ପରେ ସାକାରୀ ସୃଷ୍ଟିକୁ
ଆସିଥାନ୍ତି । ସୂକ୍ଷ୍ମବତନରେ ତ କୁଳ ନ ଥାଏ । ସାକାରରେ ଉଚ୍ଚରୁ ଉଚ୍ଚ ହେଲା - ତୁମ
ବ୍ରାହ୍ମଣମାନଙ୍କର କୁଳ । ତୁମେ ବ୍ରାହ୍ମଣମାନେ ପରସ୍ପର ଭାଇ ଭଉଣୀ ଅଟ । ଭାଇ-ଭଉଣୀ ହୋଇଥିବା
କାରଣରୁ ତୁମେମାନେ ବିକାରରେ ଯାଇପାରିବ ନାହିଁ । ତୁମେ ଅନୁଭବ ଆଧାରରେ କହି ପାରିବ ଯେ ପବିତ୍ର
ରହିବାର ଏହା ବହୁତ ଭଲ ଉପାୟ ଅଟେ । ପ୍ରତ୍ୟେକ କହୁଛନ୍ତି ଯେ ଆମେ ବ୍ରହ୍ମାକୁମାର-କୁମାରୀ ଅଟୁ ।
ଶିବବଂଶୀ ତ ସମସ୍ତେ ଅଟନ୍ତି ପୁଣି ଯେବେ ସାକାରରେ ଆସିଥାନ୍ତି ତେବେ ପ୍ରଜାପିତା ନାମ ହୋଇଥିବା
କାରଣରୁ ଭାଇ-ଭଉଣୀ ହୋଇଯାଆନ୍ତି । ଯଦି ବ୍ରହ୍ମା ପ୍ରଜାପିତା ଅଟନ୍ତି, ତେବେ ନିଶ୍ଚିତ ସେ ରଚୟିତା
ଅଟନ୍ତି, ପୋଷ୍ୟ ରୂପେ ଗ୍ରହଣ କରୁଛନ୍ତି । ତୁମେମାନେ ଗର୍ଭରୁ ଜନ୍ମ ନେଇନାହଁ ମୁଖ ବଂଶାବଳୀ ଅଟ
। ତେବେ ମନୁଷ୍ୟ କୁଖ ବଂଶାବଳୀ ଏବଂ ମୁଖ ବଂଶାବଳୀର ଅର୍ଥ ମଧ୍ୟ ଜାଣିନାହାଁନ୍ତି । ମୁଖ ବଂଶାବଳୀ
ଅର୍ଥାତ୍ ପୋଷ୍ୟ ସନ୍ତାନ । କୁଖ ବଂଶାବଳୀ ଅର୍ଥାତ୍ ଗର୍ଭରୁ ଜନ୍ମ ନେଇଥିବା ସନ୍ତାନ । ତୁମର ଏହି
ଜନ୍ମ ଅଲୌକିକ ଅଟେ । ବାପାଙ୍କୁ ଲୌକିକ, ଅଲୌକିକ, ପାରଲୌକିକ କୁହାଯାଏ । ପ୍ରଜାପିତା
ବ୍ରହ୍ମାଙ୍କୁ ଅଲୌକିକ ପିତା କୁହାଯାଉଛି । ଲୌକିକ ପିତା ତ ସମସ୍ତଙ୍କର ଅଛନ୍ତି । ତାହା ତ
ସାଧାରଣ କଥା । ପାରଲୌକିକ ପିତା ମଧ୍ୟ ସମସ୍ତଙ୍କର ଅଛନ୍ତି । ଭକ୍ତିମାର୍ଗରେ ତ ହେ ଭଗବାନ, ହେ
ପରମପିତା ସମସ୍ତେ କହିଥାନ୍ତି । କିନ୍ତୁ ଏହି ବାବା (ପ୍ରଜାପିତା ବ୍ରହ୍ମା)ଙ୍କୁ କେବେ କେହି
ଡାକିନଥା’ନ୍ତି । ଏହି ବାବା ମଧ୍ୟ ତୁମ ବ୍ରାହ୍ମଣ ପିଲାମାନଙ୍କର ପିତା ଅଟନ୍ତି । ସେହି ଦୁଇଜଣ
ପିତାଙ୍କୁ ତ ସମସ୍ତେ ଜାଣିଛନ୍ତି । କିନ୍ତୁ ବ୍ରହ୍ମାଙ୍କ ପାଇଁ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି କାରଣ
ବ୍ରହ୍ମା ତ ସୂକ୍ଷ୍ମଲୋକରେ ଅଛନ୍ତି । ଏଠାରେ ତ ଦେଖାନ୍ତି ନାହିଁ । ଚିତ୍ରରେ ମଧ୍ୟ ବ୍ରହ୍ମାଙ୍କୁ
ନିଶ ଦାଢି ବାଲା ଦେଖାଇଥାନ୍ତି କାହିଁକିନା ପ୍ରଜାପିତା ବ୍ରହ୍ମା ଏହି ସୃଷ୍ଟିରେ ହିଁ ଅଛନ୍ତି ।
ସୂକ୍ଷ୍ମବତନରେ ତ ପ୍ରଜା ରଚନା କରିପାରିବେ ନାହିଁ । ଏକଥା ମଧ୍ୟ କାହାର ବୁଦ୍ଧିରେ ଆସୁନାହିଁ ।
ଏହି ସବୁ କଥା ବାବା ବୁଝାଉଛନ୍ତି ।
ଏହି ଆତ୍ମିକ ଯାତ୍ରାର
ମଧ୍ୟ ଗାୟନ ରହିଛି । ଆତ୍ମିକ ଯାତ୍ରା ତାକୁ କୁହାଯିବ, ଯେଉଁ ଯାତ୍ରାରୁ ପୁଣି ଫେରି ଆସିବାର ନାହିଁ
। ଅନ୍ୟ ଯାତ୍ରା ସବୁ ତ ଜନ୍ମ ଜନ୍ମାନ୍ତର କରି ଆସୁଛନ୍ତି ଏବଂ ଯାତ୍ରା କରି ଫେରି ଆସୁଛନ୍ତି ।
ତାହା ହେଲା ଶାରୀରିକ ଯାତ୍ରା, ଏହା ହେଉଛି ତୁମର ଆତ୍ମିକ ଯାତ୍ରା । ଏହି ଆତ୍ମିକ ଯାତ୍ରା କଲେ
ତୁମେ ଆଉ ମୃତ୍ୟୁଲୋକକୁ ଫେରୁନାହଁ । ବାବା ତୁମକୁ ଅମରଲୋକର ଯାତ୍ରା ଶିଖାଉଛନ୍ତି । ସେମାନେ
କାଶ୍ମୀର ଆଡେ ଥିବା ଅମରନାଥ ଯାତ୍ରାରେ ଯାଉଛନ୍ତି । ସିଏ ତ କୌଣସି ଅମରଲୋକ ନୁହେଁ । ଅମରଲୋକ
ଗୋଟିଏ ହେଲା ଆତ୍ମାମାନଙ୍କର ଆଉ ଗୋଟିଏ ହେଲା ମନୁଷ୍ୟମାନଙ୍କର ଯାହାକୁ ସ୍ୱର୍ଗ ଅଥବା ଅମରଲୋକ
କହିପାରିବ । ଆତ୍ମାମାନଙ୍କର ହେଲା ନିର୍ବାଣଧାମ । ବାକି ଅମରଲୋକ ହେଲା ସତ୍ୟଯୁଗ ଏବଂ ମୃତ୍ୟୁଲୋକ
ହେଲା କଳିଯୁଗ ଏବଂ ନିର୍ବାଣଧାମ ହେଲା ଶାନ୍ତିଲୋକ, ଯେଉଁଠି ଆତ୍ମାମାନେ ରହୁଛନ୍ତି । ବାବା
କହୁଛନ୍ତି - ତୁମେ ଅମରପୁରୀର ଯାତ୍ରାରେ ଅଛ । ସ୍ଥୂଳ ତୀର୍ଥଯାତ୍ରା ପାଦରେ କରିବାକୁ ପଡିଥାଏ ।
ଏହା ହେଲା ଆତ୍ମିକ ଯାତ୍ରା, ଯାହାକୁ ଶିଖାଇଲାବାଲା ଏକମାତ୍ର ଆତ୍ମିକ ପିତା ଅଟନ୍ତି ଏବଂ ସେ ଥରେ
ମାତ୍ର ଆସି ଶିଖାଉଛନ୍ତି । ତାହା ତ ଜନ୍ମ ଜନ୍ମାନ୍ତରର କଥା । ଏହା ହେଉଛି ମୃତ୍ୟୁଲୋକର ଅନ୍ତିମ
ଯାତ୍ରା । ଏକଥା ତୁମେ ବ୍ରାହ୍ମଣ କୁଳଭୂଷଣମାନେ ହିଁ ଜାଣିଛ । ଆତ୍ମିକ ଯାତ୍ରା ଅର୍ଥାତ୍ ତୁମେ
ବାବାଙ୍କ ସ୍ମୃତିରେ ଅଛ । ଗାୟନ ମଧ୍ୟ ରହିଛି ଅନ୍ତ ମତି ସୋ ଗତି । ତୁମକୁ ବାବାଙ୍କର ଘର ହିଁ ମନେ
ପଡୁଛି । ଜାଣୁଛ ଯେ ଏବେ ନାଟକ ଶେଷ ହେବାକୁ ଯାଉଛି । ଏହା ପୁରୁଣା ଶରୀର, ପୁରୁଣା ବସ୍ତ୍ର ଅଟେ
। ଆତ୍ମାରେ ଅବଗୁଣ ରୂପକ ଖାଦ ମିଶିବା ଦ୍ୱାରା ଶରୀରରେ ମଧ୍ୟ ଖାଦ ମିଶିଯାଉଛି । ଯେତେବେଳେ ଆତ୍ମା
ପବିତ୍ର ହେଉଛି ସେତେବେଳେ ଶରୀର ମଧ୍ୟ ପବିତ୍ର ମିଳୁଛି । ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ ।
ସଂସାରର ମନୁଷ୍ୟ ତ କିଛି ଜାଣୁନାହାଁନ୍ତି । ତୁମେ ଦେଖୁଛ ଯେ କେହି କେହି ବୁଝି ମଧ୍ୟ ଯାଉଛନ୍ତି
। କାହାରି ବୁଦ୍ଧିରେ ଏହି ଜ୍ଞାନ ନାହିଁ । ଯିଏ ବୁଝିଥିବ ସିଏ ନିଶ୍ଚିତ ଅନ୍ୟ କାହାକୁ ବୁଝାଇବ ।
ମନୁଷ୍ୟ ଯେତେବେଳେ ତୀର୍ଥଯାତ୍ରାରେ ଯାଇଥାନ୍ତି ସେତେବେଳେ ପବିତ୍ର ରହିଥାନ୍ତି । ପୁଣି ଘରକୁ ଆସି
ଅପବିତ୍ର ହୋଇଥା’ନ୍ତି । ମାସେ ଦୁଇମାସ ପବିତ୍ର ରହିଥାନ୍ତି । ତୀର୍ଥଯାତ୍ରା କରିବାର ମଧ୍ୟ ସମୟ
ରହିଛି । ସବୁବେଳେ ତ ଯାତ୍ରା କରିବାକୁ ଯାଇପାରିବେ ନାହିଁ । ଶୀତ ବା ବର୍ଷା ସମୟରେ କେହି
ଯାଇପାରିବେ ନାହିଁ । ତୁମ ଯାତ୍ରାରେ ତ ଥଣ୍ଡା ବା ଗରମର କୌଣସି ପ୍ରଭାବ ନାହିଁ । ବୁଦ୍ଧିରେ ନିଜେ
ହିଁ ବୁଝିପାରିବ ଯେ ମୁଁ ବାବାଙ୍କ ଘରକୁ ବା ପରମଧାମକୁ ଯାଉଛି । ଯେତେ ଆମେ ମନେ ପକାଉଛୁ ସେତେ
ଆମର ବିକର୍ମ ବିନାଶ ହେଉଛି । ବାବାଙ୍କ ଘରକୁ ଯାଇ ପୁଣି ଆମେ ନୂଆ ଦୁନିଆକୁ ଆସିବୁ । ଏହି କଥା
ବାବା ହିଁ ବୁଝାଉଛନ୍ତି । ଏଠାରେ ମଧ୍ୟ ପିଲାମାନଙ୍କ ଭିତରେ କ୍ରମ ଅନୁସାରେ ଅଛନ୍ତି । ବାସ୍ତବରେ
ଯାତ୍ରାକୁ ଭୁଲିବା ଉଚିତ୍ ନୁହେଁ କିନ୍ତୁ ମାୟା ଭୁଲାଇ ଦେଉଛି । ସେଥିପାଇଁ ଲେଖୁଛନ୍ତି ମଧ୍ୟ
ବାବା ଆପଣଙ୍କର ସ୍ମୃତି ଭୁଲି ହୋଇଯାଉଛି । ଆରେ ସ୍ମୃତିର ଯାତ୍ରା-ଯାହା ଦ୍ୱାରା ତୁମେ ସଦା
ସୁସ୍ଥ ସଦା ସମ୍ପତ୍ତିବାନ ହେଉଛ, ଏଭଳି ଔଷଧକୁ ତୁମେ ଭୁଲିଯାଉଛ । ସେମାନେ ଏକଥା ମଧ୍ୟ କହୁଛନ୍ତି
ଯେ ବାବାଙ୍କୁ ମନେ ପକାଇବା ତ ବହୁତ ସହଜ । ନିଜ ସହିତ କଥାବାର୍ତ୍ତା କରିବାକୁ ପଡିଥାଏ ଯେ ମୁଁ
ଆତ୍ମା ପ୍ରଥମେ ସତ୍ୱପ୍ରଧାନ ଥିଲି, ଏବେ ତମୋପ୍ରଧାନ ହୋଇଯାଇଛି । ଏବେ ଶିବବାବା ଆମକୁ ତ ବହୁତ
ଭଲ ଉପାୟ ବତାଉଛନ୍ତି । ପୁଣି ଆମକୁ ଅଭ୍ୟାସ କରିବାକୁ ହେବ । ଆଖି ବନ୍ଦ କରି ବିଚାର କରାଯାଏ ନାହିଁ
। (ବାବା ଆକ୍ଟ କରି ଦେଖାଇଲେ) ଏହିଭଳି ନିଜ ସହିତ କଥାବାର୍ତ୍ତା କର ଯେ ଆମେ ସତ୍ୱପ୍ରଧାନ ଥିଲୁ,
ଆମେ ହିଁ ରାଜ୍ୟ କରୁଥିଲୁ । ସେହି ଦୁନିଆ ସୁବର୍ଣ୍ଣଯୁଗ ଥିଲା । ପୁଣି ରୌପ୍ୟ, ତାମ୍ର ଏବଂ ଲୌହ
ଯୁଗକୁ ଆସିଗଲୁ । ଏବେ ଲୌହଯୁଗ ଅର୍ଥାତ୍ କଳିଯୁଗର ଶେଷ ସମୟ ଅଟେ, ସେଥିପାଇଁ ବାବା ଆସିଯାଇଛନ୍ତି
। ବାବା ଆମ ଆତ୍ମାମାନଙ୍କୁ କହୁଛନ୍ତି ଯେ ମୋତେ ମନେ ପକାଅ ଏବଂ ନିଜର ଘରକୁ ମନେ ପକାଅ, ଯେଉଁଠାରୁ
ତୁମେମାନେ ଆସିଛ । ତେବେ ଅନ୍ତ ମତି ସୋ ଗତି ଅର୍ଥାତ୍ ଅନ୍ତିମ ସ୍ମୃତି ଅନୁସାରେ ପରବର୍ତ୍ତୀ ଗତି
ହୋଇଯିବ । ତୁମକୁ ସେଠାକୁ ଯିବାକୁ ହେବ । ଏହି ଉପାୟ ବାବା ହିଁ ବତାଉଛନ୍ତି ଯେ ଅମୃତବେଳାରୁ ଉଠି
ନିଜ ସହିତ କଥାବାର୍ତ୍ତା କର । ବାବା ଅଭିନୟ କରି ଦେଖାଉଛନ୍ତି ଯେ ମୁଁ ମଧ୍ୟ ସକାଳୁ ଉଠି ବିଚାର
ସାଗର ମନ୍ଥନ କରୁଛି । ପ୍ରକୃତ ଆମଦାନୀ କରିବା ଦରକାର ନା । ଗାୟନ ଅଛି, ସୁବହ କା ସାଇଁ.... ତେବେ
ସେହି ସାଇଁ ବା ଇଷ୍ଟଙ୍କୁ ମନେ ପକାଇବା ଦ୍ୱାରା ତୁମର ନୌକା ପାରି ହୋଇଯିବ । ବାବା ଯାହା
କରୁଛନ୍ତି ଓ ଯେପରି କରୁଛନ୍ତି ତାହା ପିଲାମାନଙ୍କୁ ମଧ୍ୟ ବୁଝାଉଛନ୍ତି । ଏଥିରେ କୌଣସି ଗୋଳମାଳର
କଥା ନାହିଁ । ଏହା ରୋଜଗାର କରିବାର ବହୁତ ଭଲ ଉପାୟ ଅଟେ । ଅଲଫ ଅର୍ଥାତ୍ ବାବାଙ୍କୁ ମନେ ପକାଇବା
ଦ୍ୱାରା ବେ ଅର୍ଥାତ୍ ବାଦଶାହୀ ତ ମିଳି ହିଁ ଯିବ ।
ପିଲାମାନେ ଜାଣିଛନ୍ତି
ଯେ ଆମେ ରାଜଯୋଗ ଶିକ୍ଷା କରୁଛୁ । ବାବା ବୀଜରୂପ, ଜ୍ଞାନର ସାଗର ଅଟନ୍ତି, ତେଣୁ ଆମେମାନେ ମଧ୍ୟ
ଏହି ବୃକ୍ଷକୁ ଭଲ ଭାବରେ ବୁଝିଯାଇଛୁ । ଏହା ମଧ୍ୟ ମୋଟା ରୂପର ଜ୍ଞାନ ଅଟେ । ଆରମ୍ଭରେ ବୃକ୍ଷ
କିପରି ବୃଦ୍ଧିକୁ ପ୍ରାପ୍ତ ହୋଇଥାଏ, ତାପରେ କିପରି ଏହାର ଆୟୁଷ ଶେଷ ହୋଇଯାଏ, ଅନ୍ୟ ବୃକ୍ଷ ସବୁ
ତ ତୋଫାନ ଇତ୍ୟାଦି ଦ୍ୱାରା ଉପୁଡି ଯାଇଥାଏ । କିନ୍ତୁ ଏହି ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷର ପ୍ରଥମ
ମୂଳଦୁଆ ଅର୍ଥାତ୍ ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ପାଇଯାଉଛି । ଏହା ମଧ୍ୟ ହେବାର ଅଛି । ଏହା
ଯେତେବେଳେ ଗୁପ୍ତ ହୋଇଯାଏ, ସେତେବେଳେ କୁହାଯାଏ ଯେ ଗୋଟିଏ ଧର୍ମର ପୁନଃସ୍ଥାପନା ଏବଂ ଅନେକ
ଧର୍ମର ବିନାଶ । ପ୍ରତି କଳ୍ପରେ ଏହି ଧର୍ମ ପ୍ରାୟଃ ଲୋପ ହୋଇଯାଇଥାଏ । ଆତ୍ମାରେ ଯେତେବେଳେ ଖାଦ
ମିଶିଯାଏ, ତେବେ ଶରୀର ରୂପି ଗହଣା ମଧ୍ୟ ନକଲୀ ହୋଇଯାଏ । ପିଲାମାନେ ଜାଣୁଛନ୍ତି ଯେ ଆମ ଭିତରେ
ଖାଦ ଥିଲା, ବର୍ତ୍ତମାନ ଯେବେକି ଆମେ ସ୍ୱଚ୍ଛ ହେବାକୁ ଯାଉଛୁ ତେଣୁ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା
ବତାଉଛୁ । ଦୁନିଆ ତ ଏବେ ତମୋପ୍ରଧାନ ଅଟେ । ପ୍ରଥମେ ସତ୍ୱପ୍ରଧାନ ସ୍ୱର୍ଗ ଥିଲା । ତେଣୁ
ପିଲାମାନଙ୍କୁ ଅମୃତବେଳାରୁ ଉଠି ନିଜ ସହିତ କଥାବାର୍ତ୍ତା ବା ଆତ୍ମିକ ବାର୍ତ୍ତାଳାପ କରିବା ଉଚିତ୍
। ପୁଣି ଅନ୍ୟମାନଙ୍କୁ ମଧ୍ୟ ବୁଝାଇବାକୁ ମଧ୍ୟ ପଡିବ ଯେ ଏହା ୮୪ ଜନ୍ମର ଚକ୍ର ଅଟେ । ୮୪ ଜନ୍ମ
କିପରି ନେଉଛନ୍ତି, କିଏ ନେଉଛନ୍ତି । ନିଶ୍ଚିତ ଯେଉଁମାନେ ପ୍ରଥମେ ପ୍ରଥମେ ଆସିବେ ସେହିମାନେ ହିଁ
ନେବେ । ବାବା ମଧ୍ୟ ଭାରତକୁ ଆସି ୮୪ ଜନ୍ମର ଚକ୍ର ବିଷୟରେ ବୁଝାଉଛନ୍ତି । ବାବା କେଉଁଠାକୁ
ଆସିଛନ୍ତି, ଏକଥା ମଧ୍ୟ ଜାଣିନାହାଁନ୍ତି । ବାବା ଆସି ନିଜର ପରିଚୟ ନିଜେ ଦେଉଛନ୍ତି । କହୁଛନ୍ତି
କି ମୁଁ ତୁମକୁ ରାଜଯୋଗ ଶିଖାଉଛି, ମନମନାଭବ । ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ । ଏଭଳି
ଜ୍ଞାନ କେହି ଦେଇପାରିବେ ନାହିଁ । ଯଦିଓ ଗୀତା ଆଦି ବହୁତ ଶୁଣାଉଛନ୍ତି । ସେଠାକୁ ମଧ୍ୟ ଲୋକମାନେ
ବହୁତ ଯାଉଛନ୍ତି । କିନ୍ତୁ ଭଗବାନ କେବେ ତ ଆସିଥିବେ, ଜ୍ଞାନ ଶୁଣାଇଥିବେ । ତେଣୁ ପୁନର୍ବାର
ଯେତେବେଳେ ଆସିବେ ତେବେ ତ ଜ୍ଞାନ ଶୁଣାଇବେ ନା । ସେମାନେ ତ ଗୀତା ଶାସ୍ତ୍ର ଧରି ଜ୍ଞାନ
ଶୁଣାଉଛନ୍ତି । ଏଠାରେ ନିଜେ ଜ୍ଞାନର ସାଗର ଭଗବାନ ଅଛନ୍ତି । ୟାଙ୍କୁ କୌଣସି ଶାସ୍ତ୍ର ଆଦି ହାତରେ
ଧରି ପଢିବାର ନାହିଁ, ଇଏ କାହାଠାରୁ ଶିଖୁ ନାହାଁନ୍ତି । କଳ୍ପ ପୂର୍ବରୁ ମଧ୍ୟ ଆସି ସଂଗମଯୁଗରେ
ତୁମମାନଙ୍କୁ ଶିଖାଇଥିଲେ । ବାବା ହିଁ ଆସି ରାଜଯୋଗ ଶିଖାଉଛନ୍ତି । ଏହା ହେଉଛି ସ୍ମୃତିର ଯାତ୍ରା
। ତୁମର ବୁଦ୍ଧି ହିଁ ଜାଣିଛି - କେବଳ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣଙ୍କ ବ୍ୟତୀତ ଏପରି କେହି
ମନୁଷ୍ୟ ନ ଥିବେ ଯାହାଙ୍କ ପାଖରେ ଏହି ଜ୍ଞାନ ଥିବ । ସମସ୍ତଙ୍କ ଭିତରେ ସର୍ବବ୍ୟାପୀର ଜ୍ଞାନ
ପରିପୂର୍ଣ୍ଣ ହୋଇ ରହିଛି । ଏକଥା କେହି ଜାଣି ନାହାଁନ୍ତି ଯେ ପରମାତ୍ମା ବିନ୍ଦୁ ଅଟନ୍ତି ।
ଜ୍ଞାନର ସାଗର ପତିତ ପାବନ ଅଟନ୍ତି । ସେମାନେ କେବଳ ତୁଚ୍ଛାଟାରେ ଗାୟନ କରିଚାଲିଛନ୍ତି ।
ଗୁରୁମାନେ ଯାହା ସବୁ ଶିଖାଇ ଦେଉଛନ୍ତି ତାକୁ ସତ୍-ସତ୍ କହିଚାଲିଛନ୍ତି । ଅର୍ଥ କିଛି ହେଲେ ବି
ଜାଣିନାହାଁନ୍ତି । ନା ତା ଉପରେ କେବେ ବିଚାର କରୁଛନ୍ତି ଯେ ଏହା ସତ୍ୟ କି ନୁହେଁ ।
ବାବା ବୁଝାଉଛନ୍ତି ଯେ
ତୁମ ପିଲାମାନଙ୍କୁ ଚାଲିବା-ବୁଲିବା ସମୟରେ ବାବାଙ୍କ ସ୍ମୃତିରେ ନିଶ୍ଚିତ ରହିବାକୁ ହେବ । ନଚେତ୍
ବିକର୍ମ ବିନାଶ ହୋଇପାରିବ ନାହିଁ । ଯାହା ବି କିଛି କର୍ମ କରୁଥାଅ କିନ୍ତୁ ବୁଦ୍ଧିରେ ବାବାଙ୍କର
ସ୍ମୃତି ରହିଥାଉ । ଶ୍ରୀନାଥ ଦ୍ୱାର ଅର୍ଥାତ୍ ଶ୍ରୀନାଥଙ୍କ ମନ୍ଦିରରେ ଭୋଜନ ପ୍ରସ୍ତୁତ କରିବା
ସମୟରେ ବୁଦ୍ଧିରେ ଶ୍ରୀନାଥଙ୍କର ସ୍ମୃତି ରହିଥାଏ ନା । ସେମାନେ ମନ୍ଦିରରେ ହିଁ ରହିଥା’ନ୍ତି ।
ଭାବିଥା’ନ୍ତି କି ଆମେ ଶ୍ରୀନାଥଙ୍କ ପାଇଁ ଭୋଜନ ପ୍ରସ୍ତୁତ କରୁଛୁ । ଭୋଜନ ତିଆରି କଲେ, ଭୋଗ
ଲଗାଇଲେ ପୁଣି ପରିବାରର ଲୋକ, ପିଲାମାନେ ମନେ ପଡିବେ । ସେଠାରେ ଭୋଜନ ଅର୍ଥାତ୍ ପ୍ରସାଦ
ପ୍ରସ୍ତୁତ କଲାବେଳେ ମୁଖ ବନ୍ଦ କରିଥାନ୍ତି, କଥାବାର୍ତ୍ତା କରନ୍ତି ନାହିଁ । ମନ ଦ୍ୱାରା କୌଣସି
ବିକର୍ମ ହୋଇ ନ ଥାଏ । ସେମାନେ ତ ଶ୍ରୀନାଥଙ୍କ ମନ୍ଦିରରେ ଅଛନ୍ତି । ଏଠାରେ ତ ତୁମ୍ଭେମାନେ
ଶିବବାବାଙ୍କ ପାଖରେ ବସିଛ । ଏଠାରେ ମଧ୍ୟ ବାବା ଉପାୟ ବତାଇ ଚାଲିଛନ୍ତି । ପିଲାମାନେ କୌଣସି
ବ୍ୟର୍ଥ କଥାବାର୍ତ୍ତା କର ନାହିଁ । ସବୁବେଳେ ବାବାଙ୍କ ସହିତ ମିଠା ମିଠା କଥାବାର୍ତ୍ତା କର ।
ଯେପରି ବାବା ସେହିପରି ସନ୍ତାନମାନେ । ବାବାଙ୍କର ସ୍ମୃତିରେ ରହିଛି ଯେ ଏହି ସୃଷ୍ଟି ରୂପକ ଚକ୍ର
କିପରି ଘୂରୁଛି, ତେଣୁ ସେ ତୁମ୍ଭମାନଙ୍କୁ ଆସି ଶୁଣାଉଛନ୍ତି । ତୁମେ ପିଲାମାନେ ଜାଣିଛ ଯେ ଆମର
ବାବା ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି, ଚୈତନ୍ୟ ଅଟନ୍ତି । ଏହା କେତେ ସହଜ କଥା । ତଥାପି ବି
ବୁଝିପାରୁ ନାହାଁନ୍ତି କାହିଁକି ନା ପଥରବୁଦ୍ଧି ଅଟନ୍ତି ନା । ଜଡ ବୃକ୍ଷର ମଞ୍ଜିକୁ ଆମେ ଚୈତନ୍ୟ
ବୋଲି କହିବା ନାହିଁ । ବାବା ତ ଜ୍ଞାନର ସାଗର, ଚୈତନ୍ୟ ଅଟନ୍ତି । ସେ ଜଣେ ହିଁ ଅଟନ୍ତି ।
ଦୁନିଆରେି ମଞ୍ଜି ତ ଅନେକ ପ୍ରକାରର ରହିଥାଏ । ଭଗବାନଙ୍କୁ କୁହାଯାଏ - ମନୁଷ୍ୟ ସୃଷ୍ଟିର ବୀଜରୂପ
। ତେଣୁ ପିତା ହୋଇଗଲେ ନା । ଆତ୍ମାମାନଙ୍କର ପିତା ପରମାତ୍ମା ଅଟନ୍ତି, ତେଣୁ ସବୁ ଆତ୍ମାମାନେ
ପରସ୍ପର ଭାଇ ଭାଇ ହେଲେ । ବାବା ମଧ୍ୟ ସେହିଠାରେ ରହୁଛନ୍ତି, ଯେଉଁଠାରେ ତୁମେ ଆତ୍ମାମାନେ ନିବାସ
କରୁଛ । ନିର୍ବାଣଧାମରେ ବାବା ଏବଂ ପିଲାମାନେ ରହିଥାନ୍ତି । ଏହି ସମୟରେ ତୁମେ ପ୍ରଜାପିତା
ବ୍ରହ୍ମାଙ୍କର ସନ୍ତାନ ଭାଇ ଏବଂ ଭଉଣୀ ଅଟ, ସେଥିପାଇଁ ଶିବବଂଶୀ ବ୍ରହ୍ମାକୁମାର-କୁମାରୀ ବୋଲାଉଛ
। ଏକଥା ମଧ୍ୟ ତୁମକୁ ଲେଖିବାର ଅଛି ଯେ ଆମେ ବ୍ରହ୍ମାକୁମାର କୁମାରୀମାନେ ଭାଇ ଭଉଣୀ ଅଟୁ । ଯଦି
ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି ତେବେ ତୁମେମାନେ ମଧ୍ୟ ଭାଇ-ଭଉଣୀ ହିଁ
ହେଲ ନା । କଳ୍ପ-କଳ୍ପ ଧରି ଏହିପରି ସୃଷ୍ଟି ରଚନା କରୁଛନ୍ତି । ଆଡପ୍ଟ (ପୋଷ୍ୟ) କରି ଚାଲିଛନ୍ତି
। ମନୁଷ୍ୟଙ୍କୁ ପ୍ରଜାପିତା ବ୍ରହ୍ମା କୁହାଯିବ ନାହିଁ । ଯଦିଓ ପିତା ବୋଲି କହୁଛନ୍ତି କିନ୍ତୁ
ଶରୀରର ଜନ୍ମଦାତାଙ୍କୁ ଲୌକିକ ପିତା, ବ୍ରହ୍ମାଙ୍କୁ ପ୍ରଜାପିତା କୁହାଯିବ କାରଣ ବହୁତ ପ୍ରଜା
ଅଛନ୍ତି ଅର୍ଥାତ୍ ଅନେକ ସନ୍ତାନ ଅଛନ୍ତି । ତେଣୁ ବେହଦର ଅବିନାଶୀ ପିତା ପିଲାମାନଙ୍କୁ ସବୁ କଥା
ଆସି ବୁଝାଉଛନ୍ତି । ଏହି ଦୁନିଆ ସମ୍ପୂର୍ଣ୍ଣ ବିଗିଡି ଯାଇଥିବା ଛି ଛି ଦୁନିଆ ଅଟେ । ଏବେ ତୁମକୁ
ମୁଁ ବାଃ ବାଃର ଦୁନିଆକୁ ନେଇଯାଉଛି । ତୁମ ଭିତରେ ମଧ୍ୟ ବହୁତ ଅଛନ୍ତି ଯିଏକି ଏସବୁ ଭୁଲି
ଯାଉଛନ୍ତି । ଯଦି ଏହି କଥା ମନେ ରହିବ ତେବେ ପିତା ମଧ୍ୟ ମନେ ରହିବେ ଏବଂ ଗୁରୁ ମଧ୍ୟ ମନେ ରହିବେ,
ଏକଥା ମଧ୍ୟ ମନେ ରହିବ ଯେ ଘରକୁ ଫେରିବାକୁ ହେବ । ଆମେ ଏହି ପୁରୁଣା ଶରୀରକୁ ଛାଡି ଦେବା କାରଣ
ଏହି ଶରୀର ଏବେ କୌଣସି କାମର ନୁହେଁ । ଆତ୍ମା ଏବେ ପବିତ୍ର ହେବାକୁ ଲାଗିଛି, ତେଣୁ ଶରୀର ମଧ୍ୟ
ପବିତ୍ର ହେବ । ପରସ୍ପର ମଧ୍ୟରେ ଏହିଭଳି କଥାବାର୍ତ୍ତା ହେବା ଦରକାର । ଏହାକୁ କୁହାଯାଏ - ଶୁଭ
ସମ୍ମିଳନୀ, ଯେଉଁଥିରେ ଭଲ ଭଲ କଥା ହେଉଥିବ । ସେବା କିପରି ବୃଦ୍ଧି ହେବ । ସମସ୍ତଙ୍କର କଲ୍ୟାଣ
କିପରି କରିବା! ସେମାନଙ୍କର ତ ଛି ଛି - ସମ୍ମିଳନୀ ଅଟେ, ଗଳ୍ପ ଇତ୍ୟାଦି ଶୁଣାଇ ଚାଲିଥା’ନ୍ତି ।
ଏଠାରେ କୌଣସି ବ୍ୟର୍ଥ ଗଳ୍ପ ଆଦିର କଥା ନାହିଁ । ବାସ୍ତବ ସତ୍ୟ ସମ୍ମିଳନୀ ଏହାକୁ କୁହାଯାଉଛି ।
ତୁମକୁ ଏହି କାହାଣୀ ଶୁଣାଯାଉଛି ଯେ ଏହା କଳିଯୁଗ ଅଟେ । ସତ୍ୟଯୁଗକୁ ସ୍ୱର୍ଗ କୁହାଯାଏ । ଭାରତ
ସ୍ୱର୍ଗ ଥିଲା, ଭାରତବାସୀ ହିଁ ୮୪ ଜନ୍ମ ଭୋଗ କରିଥାନ୍ତି । ଏବେ ଅନ୍ତିମ ଜନ୍ମରେ ଅଛନ୍ତି । ଏବେ
ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ । ଏଥିରେ କୌଣସି ଗଙ୍ଗା ସ୍ନାନ ଆଦି କରିବାର ନାହିଁ ।
ଭଗବାନଉବାଚ - ମୁଁ ସମସ୍ତଙ୍କର ପିତା ଅଟେ । କୃଷ୍ଣ ସମସ୍ତଙ୍କର ପିତା ହୋଇପାରିବେ ନାହିଁ ।
ଗୋଟିଏ ଦୁଇଟି ସନ୍ତାନଙ୍କର ପିତା ତ ଶ୍ରୀନାରାୟଣ ଅଟନ୍ତି ଶ୍ରୀକୃଷ୍ଣ ନୁହଁନ୍ତି । ଶ୍ରୀକୃଷ୍ଣ ତ
କୁମାର ଅଟନ୍ତି । ଏହି ପ୍ରଜାପିତା ବ୍ରହ୍ମାଙ୍କର ତ ବହୁତ ସନ୍ତାନ ଅଛନ୍ତି । କେଉଁଠି କୃଷ୍ଣ
ଭଗବାନଉବାଚ, କେଉଁଠି ଶିବ ଭଗବାନ ଉବାଚ, କେତେ ବଡ ଭୁଲ କରିଦେଇଛନ୍ତି । ଯେଉଁଠି ବି ପ୍ରଦର୍ଶନୀ
କର ତେବେ ମୁଖ୍ୟ କଥା ହେଲା ଯେ ଗୀତାର ଭଗବାନ ଇଏ ଶିବ ନା ସିଏ ଶ୍ରୀକୃଷ୍ଣ? ପ୍ରଥମେ ପ୍ରଥମେ ଏକଥା
ବୁଝାଇବା ଆବଶ୍ୟକ ଯେ ଭଗବାନ ଶିବଙ୍କୁ କୁହାଯାଏ । ଏହି କଥାକୁ ବୁଦ୍ଧିରେ ଧାରଣ କରାଇବାକୁ ହେବ ।
ଏହା ଉପରେ ଅନୁସନ୍ଧାନ ହେବା ଦରକାର । ‘ଗୀତାର ଭଗବାନର’ ଚିତ୍ର ମଧ୍ୟ ବହୁତ ବଡ ଓ ସ୍ଥାୟୀ ଭାବରେ
ଲାଗିବା ଆବଶ୍ୟକ । ତଳେ ଲେଖି ଦେବା ଦରକାର ଯେ ବିଚାର କର ଏବଂ ଆସି ବୁଝ । ତାପରେ ସେମାନଙ୍କଠାରୁ
ଲେଖାଇ ନେବା ସହିତ ଦସ୍ତଖତ ମଧ୍ୟ କରାଇ ନେବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପରସ୍ପର
ଭିତରେ ଶୁଭ ସମ୍ମିଳନୀ କରି ସେବାର ବୃଦ୍ଧି କରିବାର ଯୋଜନା ପ୍ରସ୍ତୁତ କରିବାକୁ ହେବ । ନିଜର ଏବଂ
ସମସ୍ତଙ୍କର କଲ୍ୟାଣର ଉପାୟ ପ୍ରସ୍ତୁତ କରିବାକୁ ହେବ । କେବେ ହେଲେ ବି କୌଣସି ବ୍ୟର୍ଥ (ଫାଲତୁ)
କଥାବାର୍ତ୍ତା କରିବାର ନାହିଁ ।
(୨) ଅମୃତବେଳାରୁ ଉଠି
ନିଜ ସହିତ କଥାବାର୍ତ୍ତା କରିବାକୁ ହେବ, ବିଚାର ସାଗର ମନ୍ଥନ କରିବାକୁ ହେବ । ଭୋଜନ ପ୍ରସ୍ତୁତ
କଲାବେଳେ ଏକମାତ୍ର ବାବାଙ୍କର ୟାଦରେ ରହିବାକୁ ହେବ । ମନୋବୃତ୍ତି ମଧ୍ୟ ବାହ୍ୟ ଚିନ୍ତନକୁ ନ ଯାଉ,
ଏଥିପ୍ରତି ଧ୍ୟାନ ରଖିବାକୁ ହେବ ।
ବରଦାନ:-
ସର୍ବ
ଆତ୍ମାମାନଙ୍କ ଉପରେ ସ୍ନେହର ରାଜ୍ୟ କରୁଥିବା ବିଶ୍ୱ ରାଜ୍ୟ ଅଧିକାରୀ ଭବ ।
ଯେଉଁ ପିଲାମାନେ
ବର୍ତ୍ତମାନ ସମୟରେ ସର୍ବ ଆତ୍ମମାନଙ୍କ ଦିଲ୍ ଉପରେ ସ୍ନେହର ରାଜ୍ୟ କରିଥାଆନ୍ତି ସେହିମାନେ ହିଁ
ଭବିଷ୍ୟତରେ ବିଶ୍ୱ ରାଜ୍ୟର ଅଧିକାର ପ୍ରାପ୍ତ କରିଥାଆନ୍ତି । ଏବେ କାହା ଉପରେ ହୁକୁମ୍
ଚଳାଇଥିବାର ନାହିଁ, ଏବେ ଠାରୁ ବିଶ୍ୱ ମହାରାଜା ହେବାର ନାହିଁ, ଏବେ ବିଶ୍ୱ ସେବାଧାରୀ ହେବାର ଅଛି,
ସମସ୍ତଙ୍କୁ ସ୍ନେହ ଦେବାର ଅଛି । ଦେଖିବାର ଅଛି ଯେ ମୁଁ ନିଜର ଭବିଷ୍ୟତର ଖାତାରେ କେତେ ସ୍ନେହ
ଜମା କରିଛି । ବିଶ୍ୱ ମହାରାଜା ହେବା ପାଇଁ କେବଳ ଜ୍ଞାନଦାତା ହେବାର ନାହିଁ, ଏଥିପାଇଁ ସମସ୍ତଙ୍କୁ
ସ୍ନେହ ଅର୍ଥାତ୍ ସହଯୋଗ ଦିଅ ।
ସ୍ଲୋଗାନ:-
ଯେତେବେଳେ
କ୍ଲାନ୍ତ ଅନୁଭବ କରୁଛ, ସେତେବେଳେ ଖୁସିରେ ନାଚ, ଏହାଦ୍ୱାରା ମନର ସ୍ଥିତି ପରିବର୍ତ୍ତନ ହୋଇଯିବ
।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ବାପଦାଦା ଏବେ
ପିଲାମାନଙ୍କ ଠାରୁ ଏହି କଥା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ମାଷ୍ଟର ଦାତା ହୁଅନ୍ତି ।
ଏବେ ଦୟାଶୀଳ ହୋଇ ନିଜର ଗୁଣ ଏବଂ ଶକ୍ତିର ସହଯୋଗ ସମସ୍ତଙ୍କୁ ଦିଅ । ଉଦାରଚିତ୍ତ ହୁଅ । ଯେତେ
ଯେତେ ଅନ୍ୟମାନଙ୍କୁ ଦେଇ ଚାଲିବ, ସେତେ ସେତେ ମୁରତ ବଢି ଚାଲିବ । ବିନାଶୀ ସମ୍ପତ୍ତିକୁ ଦାନ
କରିବା ଦ୍ୱାରା କମ୍ ହୋଇଥାଏ କିନ୍ତୁ ଅବିନାଶୀ ସମ୍ପତ୍ତିକୁ ଦାନ କରିବା ଦ୍ୱାରା ବୃଦ୍ଧି ପାଇଥାଏ,
ତେଣୁ ଏକ ଦିଅ, ହଜାର ପାଅ ।