28.12.25 Avyakt Bapdada Odia Murli 18.03.2008 Om Shanti Madhuban
“କାରଣ ଶବ୍ଦକୁ ନିବାରଣରେ
ପରିବର୍ତ୍ତନ କରି ମାଷ୍ଟର ମୁକ୍ତିଦାତା ହୁଅ, ସମସ୍ତଙ୍କୁ ବାବାଙ୍କର ସଙ୍ଗର ରଙ୍ଗ ଲଗାଇ ସମାନ
ହେବାର ହୋଲୀ ପାଳନ କର”
ଆଜି ସର୍ବ ସମ୍ପତ୍ତିର
ମାଲିକ ବାପଦାଦା ନିଜର ଚାରିଆଡର ସର୍ବ ସମ୍ପତ୍ତିରେ ସମ୍ପନ୍ନ ପିଲାମାନଙ୍କୁ ଦେଖୁଛନ୍ତି ।
ପ୍ରତ୍ୟେକ ସନ୍ତାନର ଭଣ୍ଡାରରେ କେତେ ସମ୍ପତ୍ତି ଜମା ଅଛି, ତାକୁ ଦେଖି ହର୍ଷିତ ହେଉଛନ୍ତି ।
ସମ୍ପତ୍ତି ତ ସମସ୍ତଙ୍କୁ ଏକା ସମୟରେ ଏକାଭଳି ହିଁ ମିଳିଛି ପୁଣି ବି ଜମାର ଖାତା ସମସ୍ତଙ୍କର ଅଲଗା
ଅଲଗା ଅଟେ କିନ୍ତୁ ସମୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ବାପଦାଦା ସବୁ ପିଲାଙ୍କୁ ସର୍ବ ସମ୍ପତ୍ତିରେ
ସମ୍ପନ୍ନ ଅବସ୍ଥାରେ ଦେଖିବାକୁ ଚାହୁଁଛନ୍ତି, କାହିଁକି ନା ଏହି ସମ୍ପତ୍ତିଗୁଡିକ କେବଳ
ବର୍ତ୍ତମାନର ଗୋଟିଏ ଜନ୍ମ ପାଇଁ ନୁହେଁ, ଏହା ଅବିନାଶୀ ସମ୍ପତ୍ତି ଅଟେ ଯାହାକି ଅନେକ ଜନ୍ମ
ପର୍ଯ୍ୟନ୍ତ ସାଥୀରେ ରହିବ । ତେବେ ଏହି ସମୟର ସମ୍ପତ୍ତିକୁ ତ ତୁମେ ସମସ୍ତେ ନିଶ୍ଚିତ ଜାଣିଛ ।
ବାପଦାଦା ତୁମକୁ କେଉଁ କେଉଁ ସମ୍ପତ୍ତି ସବୁ ଦେଇଛନ୍ତି, ଏକଥା କହିବା ମାତ୍ରକେ ସମସ୍ତଙ୍କ
ସମ୍ମୁଖକୁ ସମ୍ପତ୍ତିଗୁଡିକ ଆସିଯାଉଛି । ଏବେ ସମସ୍ତଙ୍କ ମନ ଭିତରେ ସମ୍ପତ୍ତିର ତାଲିକା ପ୍ରକଟ
ହୋଇଗଲାଣି ନା! କାହିଁକି ନା ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇ ଦେଇଛନ୍ତି ଯେ ସମ୍ପତ୍ତି ତ ମିଳୁଛି
କିନ୍ତୁ ତା’କୁ ଜମା କରିବାର ବିଧି କ’ଣ? ଯିଏ ଯେତିକି ନିମିତ୍ତ ଏବଂ ନିର୍ମାନ ହେଉଛି ସେହି
ଅନୁସାରେ ତା’ର ସମ୍ପତ୍ତି ଜମା ହେଉଛି । ତେଣୁ ଚେକ୍ କର - ନିମିତ୍ତ ଏବଂ ନିର୍ମାନ ହେବାର ବିଧି
ଦ୍ୱାରା ମୋ’ ଖାତାରେ କେତେ ସମ୍ପତ୍ତି ଜମା ହୋଇଛି । ଯାହା ଖାତାରେ ଯେତିକି ସମ୍ପତ୍ତି ଜମା
ହୋଇଥିବ ସେ ସେତିକି ଭରପୁର ହୋଇଥିବ । ସେମାନଙ୍କର ଚାଲିଚଳନରେ ଏବଂ ଚେହେରାରେ ଭରପୁର ଆତ୍ମାର
ଆତ୍ମିକ ନିଶା ସ୍ୱତଃ ହିଁ ଦେଖାଯାଉଥିବ ଏବଂ ଯେତିକି ଆତ୍ମିକ ନିଶା ତାଙ୍କର ଚେହେରାରେ ଚମକୁଥିବ
ସେତିକି ସେ ଚିନ୍ତାମୁକ୍ତ ସମ୍ରାଟ ମଧ୍ୟ ହୋଇଥିବେ । ତେବେ ଏହି ଆତ୍ମିକ ନିଶା ବା ଆତ୍ମ ଅଭିମାନୀ
ସ୍ଥିତିର ଶୁଦ୍ଧ ଅଭିମାନ ହିଁ ଚିନ୍ତାମୁକ୍ତ ସମ୍ରାଟର ଲକ୍ଷଣ ଅଟେ । ତେଣୁ ନିଜେ ନିଜକୁ ଚେକ୍ କର
ଯେ ମୋର ଚେହେରାରେ ଚିନ୍ତାମୁକ୍ତ ସମ୍ରାଟର ନିଶ୍ଚୟ ଏବଂ ନିଶା ଅଛି ତ? ଦର୍ପଣ ତ ସମସ୍ତଙ୍କୁ
ମିଳିଯାଇଛି ନା! ତେଣୁ ଦିଲ୍ ରୂପୀ ଦର୍ପଣରେ ନିଜର ଚେହେରାକୁ ଚେକ୍ କର । କୌଣସି ପ୍ରକାରର ଚିନ୍ତା
ନାହିଁ ତ? କ’ଣ ହେବ! କିପରି ହେବ! ଏପରି ହେବ ନାହିଁ ତ! ଏହିଭଳି କୌଣସି ସଂକଳ୍ପ ରହିଯାଇ ନାହିଁ
ତ? ତେବେ ଚିନ୍ତାମୁକ୍ତ ସମ୍ରାଟର ସଂକଳ୍ପ ଏହା ହିଁ ହେବ ଯେ ଯାହା ବି ହେଉଛି ତାହା ବହୁତ ଭଲ
ହେଉଛି ଏବଂ ଯାହା ଆଗକୁ ହେବ ତାହା ଆହୁରି ଅଧିକ ଭଲ ହେବ । ଏହାକୁ କୁହାଯାଏ ଶୁଦ୍ଧ ଅଭିମାନ ବା
ସ୍ୱମାନଧାରୀ ଆତ୍ମା । ବିନାଶୀ ଧନୀ ଲୋକମାନେ ଯେତେ ରୋଜଗାର କରୁଛନ୍ତି ସମୟ ଅନୁସାରେ ସେତେ ଅଧିକ
ଚିନ୍ତାରେ ରହୁଛନ୍ତି । କିନ୍ତୁ ତୁମକୁ ଏହି ଈଶ୍ୱରୀୟ ସମ୍ପତ୍ତି ପାଇଁ କୌଣସି ଚିନ୍ତା ଅଛି କି?
ଚିନ୍ତା ରହିବା ଦରକାର ନା! କାହିଁକି ନା ଯେଉଁମାନେ ଏହି ସବୁ ସମ୍ପତ୍ତିର ମାଲିକ ଏବଂ ପରମାତ୍ମା
ପିତାଙ୍କର ବାଳକ ଅଟନ୍ତି ସେମାନେ ସଦାସର୍ବଦା ସ୍ୱପ୍ନରେ ମଧ୍ୟ ଚିନ୍ତାମୁକ୍ତ ସମ୍ରାଟ ଅଟନ୍ତି,
କାହିଁକି ନା ତାଙ୍କର ନିଶ୍ଚୟ ରହିଛି ଯେ ଏହି ଈଶ୍ୱରୀୟ ସମ୍ପତ୍ତିଗୁଡିକ କେବଳ ଗୋଟିଏ ଜନ୍ମ ନୁହେଁ,
ଅନେକ ଜନ୍ମ ପର୍ଯ୍ୟନ୍ତ ସାଥୀରେ ରହିବ, ସେଥିପାଇଁ ସେମାନେ ନିଶ୍ଚୟବୁଦ୍ଧି ନିଶ୍ଚିନ୍ତ ଅଟନ୍ତି ।
ତେବେ ଆଜି ବାପଦାଦା
ଚାରିଆଡର ପିଲାମାନଙ୍କର ଜମାର ଖାତା ଦେଖୁଥିଲେ । ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ପିଲାମାନେ
ବିଶେଷ କରି ତିନି ପ୍ରକାରର ଖାତା ଜମା କରିଛନ୍ତି ଏବଂ ଜମା କରିପାରିବେ । ଗୋଟିଏ ହେଲା - ନିଜର
ପୁରୁଷାର୍ଥ ଅନୁସାରେ ସମ୍ପତ୍ତି ଜମା କରିବା, ଦ୍ୱିତୀୟରେ - ଆଶୀର୍ବାଦର ଖାତା ଏବଂ ଏହାକୁ ଜମା
କରିବାର ସାଧନ ହେଲା ସର୍ବଦା ସମ୍ବନ୍ଧ-ସମ୍ପର୍କରେ ଏବଂ ସେବାରେ ବ୍ୟସ୍ତ ରହୁଥିଲେ ମଧ୍ୟ ସଂକଳ୍ପ,
ବାଣୀ ଏବଂ କର୍ମ ତିନୋଟି ଯାକରେ ନିଜେ ନିଜ ଉପରେ ସନ୍ତୁଷ୍ଟ ଏବଂ ଅନ୍ୟମାନେ ମଧ୍ୟ ସବୁ ସମୟରେ
ସନ୍ତୁଷ୍ଟ ରହୁଥିବେ ଏବଂ ସମସ୍ତେ ସନ୍ତୁଷ୍ଟ ରହୁଥିବେ, କାରଣ ସନ୍ତୁଷ୍ଟତା ହିଁ ଆଶୀର୍ବାଦ ବା
ଦୁଆର ଖାତାକୁ ବଢାଇଥାଏ ଏବଂ ତୃତୀୟ ଖାତା ହେଲା - ପୂଣ୍ୟର ଖାତା । ପୁଣ୍ୟର ଖାତା ଜମା କରିବାର
ସାଧନ ହେଲା - ଯାହା ବି ସେବା କରୁଛ, ଚାହେଁ ମନ ଦ୍ୱାରା, ଚାହେଁ ବାଣୀ ଦ୍ୱାରା, ଚାହେଁ କର୍ମ
ଦ୍ୱାରା, ଚାହେଁ ସମ୍ବନ୍ଧ-ସମ୍ପର୍କରେ ଆସିବାରେ ସର୍ବଦା ନିଃସ୍ୱାର୍ଥ ଏବଂ ବେହଦର ବୃତ୍ତି,
ବେହଦର ସ୍ୱଭାବ, ବେହଦର ଭାବ ଏବଂ ଭାବନାର ସହିତ ସେବା କରିବା ଯାହା ଦ୍ୱାରା ପୂଣ୍ୟର ଖାତା ସ୍ୱତଃ
ହିଁ ଜମା ହୋଇଥାଏ । ତେଣୁ ଚେକ୍ କର, ଚେକ୍ କରିବା ତ ଜଣା ଅଛି ନା! ଜାଣିଛ ତ! ଯାହାକୁ ଜଣା ନାହିଁ
ସେମାନେ ହାତ ଉଠାଅ । ଯାହାକୁ ଜଣା ନାହିଁ, ଯଦି ସେଭଳି କେହି ନାହାଁନ୍ତି ତେବେ ସମସ୍ତଙ୍କୁ ଜଣା
ଅଛି । ତେଣୁ କେବେ ଚେକ୍ କରିଛ? ସ୍ୱ ପୁରୁଷାର୍ଥର ଖାତା, ଦୁଆର ଖାତା ଏବଂ ପୁଣ୍ୟର ଖାତା
ତିନୋଟିଯାକ ଶତକଡା କେତେ ହିସାବରେ ଜମା ଅଛି? କେବେ ଚେକ୍ କରିଛ? ଯେଉଁମାନେ ଚେକ୍ କରୁଛନ୍ତି
ସେମାନେ ହାତ ଉଠାଅ । କ’ଣ ଚେକ୍ କରୁଛ ତ? କ’ଣ ପ୍ରଥମ ଧାଡିବାଲା କରୁ ନାହାଁନ୍ତି? ଚେକ୍ କରୁ
ନାହଁ? କ’ଣ କହୁଛ? କରୁଛ ନା! କାହିଁକି ନା ବାପଦାଦା ତ ଶୁଣାଇ ଦେଇଛନ୍ତି, ସଂକେତ ମଧ୍ୟ
ଦେଇଦେଇଛନ୍ତି ଯେ ଏବେ ସମୟର ସମୀପତା ତୀବ୍ରଗତିରେ ଆଗକୁ ବଢି ଚାଲିଛି ସେଥିପାଇଁ ନିଜର ଚେକିଙ୍ଗ୍
ବାରମ୍ବାର କରିବାର ଅଛି କାହିଁକି ନା ବାପଦାଦା ପ୍ରତ୍ୟେକ ସନ୍ତାନକୁ ରାଜଯୋଗୀ ତଥା ରାଜା ସନ୍ତାନ
ରୂପରେ ଦେଖିବାକୁ ଚାହୁଁଛନ୍ତି ଏବଂ ପରମାତ୍ମା ପିତାଙ୍କ ଭିତରେ ଏହି ନିଶା ରହିଛି ଯେ ମୋ’ର
ପ୍ରତ୍ୟେକ ସନ୍ତାନ ରାଜା ଅଟେ । ସ୍ୱରାଜ୍ୟ ଅଧିକାରୀ ତଥା ବିଶ୍ୱ ରାଜ୍ୟ ଅଧିକାରୀ ପରମାତ୍ମା
ସନ୍ତାନ ଅଟେ ।
ତେବେ ସମ୍ପତ୍ତିଗୁଡିକ ତ
ବାପଦାଦାଙ୍କ ଦ୍ୱାରା ସବୁବେଳେ ମିଳି ଚାଲିଛି କିନ୍ତୁ ଏହି ସବୁ ସମ୍ପତ୍ତିଗୁଡିକୁ ଜମା କରିବାର
ବହୁତ ସହଜ ବିଧି ହେଲା - ବିଧି କୁହ ବା ଚାବୀ କୁହ, ତାହା ଜାଣିଛ ତ! ଜମା କରିବାର ଚାବୀ କ’ଣ,
ଜାଣିଛ? କେବଳ ତିନୋଟି ବିନ୍ଦୁ । ଅଛି ନା ସମସ୍ତଙ୍କ ପାଖରେ ଚାବୀ? ତିନୋଟି ବିନ୍ଦୁ ଲଗାଅ ଏବଂ
ସମ୍ପତ୍ତି ଜମା କରିଚାଲ । କ’ଣ ମାତାମାନଙ୍କୁ ଚାବୀ ଲଗାଇବା ଜଣା ଅଛି ତ? ମାତାମାନେ ଚାବୀକୁ
ଯତ୍ନ ସହକାରେ ରଖିବାରେ ବୁଦ୍ଧିମାନ ଅଟନ୍ତି ନା! ତେଣୁ ସବୁ ମାତାମାନେ ଏହି ତିନୋଟି ବିନ୍ଦୁର
ଚାବୀକୁ ଭଲ ଭାବରେ ସାଇତି ରଖିଛ ତ? କେବେ ଚାବୀ ଲଗାଇଛ? ମାତାମାନେ କୁହ, ଚାବୀ ଅଛି ତ? ଏମିତି
ବି ଘରର ସବୁ ଜିନିଷର ଚାବୀକୁ ସମ୍ଭାଳି ରଖିବା ମାତାମାନଙ୍କୁ ବହୁତ ଭଲ ଭାବରେ ଜଣା ଅଛି । ତେଣୁ
ଏହି ଚାବୀ ମଧ୍ୟ ସବୁବେଳେ ସାଥୀରେ ଅଛି ତ!
ତେବେ ବର୍ତ୍ତମାନ ସମୟରେ
ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଏବେ ଅନ୍ତିମ ସମୟ ପାଖେଇ ଆସୁଥିବା କାରଣରୁ ବାପଦାଦା ଗୋଟିଏ
ଶବ୍ଦକୁ ସବୁ ପିଲାଙ୍କ ଭିତରୁ, ସଂକଳ୍ପରେ, ବାଣୀରେ ଏବଂ ବାସ୍ତବିକ କର୍ମରେ ପରିବର୍ତ୍ତନ କରିବାର
ଦେଖିବାକୁ ଚାହୁଁଛନ୍ତି । ସାହସ ଅଛି ତ? ଏହି ଗୋଟିଏ ଶବ୍ଦ ଯାହାକୁ ବାପଦାଦା ପ୍ରତ୍ୟେକ ସନ୍ତାନ
ଦ୍ୱାରା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଯାହାକି ଏହି ଗୋଟିଏ ଶବ୍ଦ ବାରମ୍ବାର ପିଲାମାନଙ୍କୁ
ତୀବ୍ର ପୁରୁଷାର୍ଥୀରୁ ଅବହେଳା ପୁରୁଷାର୍ଥୀ କରିଦେଉଛି, କିନ୍ତୁ ଏବେ ସମୟ ଅନୁସାରେ କେଉଁ ଭଳି
ପୁରୁଷାର୍ଥ ହେବା ଦରକାର? ତୀବ୍ର ପୁରୁଷାର୍ଥ । ସମସ୍ତେ ମଧ୍ୟ ଚାହୁଁଛନ୍ତି ଯେ ଆମେ କିପରି
ତୀବ୍ର ପୁରୁଷାର୍ଥୀଙ୍କ ଶ୍ରେଣୀରେ ଆସିବୁ କିନ୍ତୁ କେହି ଗୋଟିଏ ଶବ୍ଦ ଏଥିରେ ଅବହେଳା କରାଇଦେଉଛି
। ଜାଣିଛ ସେହି ଶବ୍ଦଟି କ’ଣ? ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଅଛ ତ? ଅଛ ତ? ହାତ ଉଠାଅ,
ପ୍ରସ୍ତୁତ ଅଛ ତ? ଦେଖ, ତୁମମାନଙ୍କର ଫଟୋ ଟି.ଭି.ରେ ଆସୁଛି । ପ୍ରସ୍ତୁତ ଅଛ ତ? ଆଚ୍ଛା,
ଅଭିନନ୍ଦନ, ଆଚ୍ଛା - ତୀବ୍ର ପୁରୁଷାର୍ଥ କରି ପରିବର୍ତ୍ତନ କରିବ ନା କହିବ... କରିଦେବି, ଦେଖିବି....
ଏହିଭଳି କହିବ ନାହିଁ ତ? ସେହି ଶବ୍ଦକୁ ତ ଜାଣିସାରିବଣି, କାହିଁକି ନା ସମସ୍ତେ ବୁଦ୍ଧିମାନ ତ ଅଟ
ନା, ତେବେ ସେହି ଗୋଟିଏ ଶବ୍ଦ ହେଲା “କାରଣ” ଶବ୍ଦକୁ ପରିବର୍ତ୍ତନ କରି “ନିବାରଣ” ଶବ୍ଦକୁ
ସାମନାକୁ ଆଣ । କାରଣକୁ ସାମନାକୁ ଆଣିବା ଦ୍ୱାରା ବା କାରଣକୁ ଚିନ୍ତା କରିବା ଦ୍ୱାରା ନିବାରଣ
ହେଉ ନାହିଁ । ତେଣୁ ବାପଦାଦା କେବଳ କହିବା ପର୍ଯ୍ୟନ୍ତ ନୁହେଁ କିନ୍ତୁ ସଂକଳ୍ପରେ ମଧ୍ୟ ଏହି
“କାରଣ” ଶବ୍ଦକୁ “ନିବାରଣ”ରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । କାହିଁକି ନା କାରଣ ଭିନ୍ନ
ଭିନ୍ନ ପ୍ରକାରର ହୋଇଥାଏ ଏବଂ ସେହି କାରଣ ଶବ୍ଦକୁ ଭାବିବାରେ, କହିବାରେ, କର୍ମ କରିବାରେ ଆସିବାରେ
ତାହା ତୀବ୍ର ପୁରୁଷାର୍ଥୀ ହେବାରେ ବନ୍ଧନ ସୃଷ୍ଟି କରିଥାଏ, କାହିଁକିନା ତୁମ ସମସ୍ତଙ୍କର
ବାପଦାଦାଙ୍କ ସହିତ ପ୍ରତିଜ୍ଞା ରହିଛି, ସେହ୍ନର ସହିତ ପ୍ରତିଜ୍ଞା କରିଛ ଯେ ଆମେ ସମସ୍ତେ
ବାବାଙ୍କର ଏହି ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ସାଥୀ ଅଟୁ । ତେଣୁ ତୁମେ ସମସ୍ତେ ବାବାଙ୍କର ସାଥୀ
ଅଟ, ବାବା ଏକୁଟିଆ କିଛି କରୁ ନାହାଁନ୍ତି, ପିଲାମାନଙ୍କୁ ମଧ୍ୟ ସାଥୀରେ ରଖିଛନ୍ତି । ତେଣୁ ବିଶ୍ୱ
ପରିବର୍ତ୍ତନ କାର୍ଯ୍ୟରେ ତୁମମାନଙ୍କର କାର୍ଯ୍ୟ କ’ଣ? ସର୍ବ ଆତ୍ମାଙ୍କର କାରଣକୁ ମଧ୍ୟ ନିବାରଣ
କରିବା, କାହିଁକିନା ଆଜିକାଲି ଅଧିକାଂଶ ଆତ୍ମା ଦୁଃଖୀ ଏବଂ ଅଶାନ୍ତ ରହୁଥିବା କାରଣରୁ ସମସ୍ତେ ଏବେ
ମୁକ୍ତି ଚାହୁଁଛନ୍ତି । ଦୁଃଖ ଅଶାନ୍ତିରୁ ଏବଂ ସର୍ବ ବନ୍ଧନରୁ ମୁକ୍ତି ଚାହୁଁଛନ୍ତି କିନ୍ତୁ
ସେମାନଙ୍କର ମୁକ୍ତିଦାତା କିଏ? ବାବାଙ୍କ ସହିତ ତୁମେ ପିଲାମାନେ ମଧ୍ୟ ମୁକ୍ତିଦାତା ଅଟ ।
ତୁମମାନଙ୍କର ଜଡ ଚିତ୍ର ନିକଟରେ ଆଜି ପର୍ଯ୍ୟନ୍ତ ଭକ୍ତମାନେ କ’ଣ ମାଗୁଛନ୍ତି? ଏବେ ଦୁନିଆରେ
ଦୁଃଖ ଅଶାନ୍ତି ବଢି ଚାଲିଥିବାର ଦେଖି ଅଧିକାଂଶ ଆତ୍ମା ତୁମ ମୁକ୍ତିଦାତା ଆତ୍ମାମାନଙ୍କୁ ଅଧିକ
ମନେ ପକାଉଛନ୍ତି । ସେମାନଙ୍କର ମନ ଦୁଃଖୀ ହେବା କାରଣରୁ ଚିତ୍କାର କରୁଛି - ହେ ମୁକ୍ତିଦାତା ଆମକୁ
ମୁକ୍ତି ଦିଅ । କ’ଣ ତୁମମାନଙ୍କୁ ଆତ୍ମାମାନଙ୍କର ଦୁଃଖ ଅଶାନ୍ତିର ଡାକରା ଶୁଭୁ ନାହିଁ? ତେଣୁ
ମୁକ୍ତିଦାତା ହୋଇ ପ୍ରଥମେ ଏହି “କାରଣ” ଶବ୍ଦକୁ ମୁକ୍ତ କର । ତାହା ହେଲେ ସେମାନଙ୍କର ମୁକ୍ତିର
ଡାକରା ଆପେ ଆପେ ତୁମମାନଙ୍କ କାନରେ ଗୁଞ୍ଜରିତ ହେବ । ପ୍ରଥମେ ଯଦି ନିଜେ ଏହି ଶବ୍ଦଠାରୁ ମୁକ୍ତ
ହେବ ତାହା ହେଲେ ଅନ୍ୟମାନଙ୍କୁ ମଧ୍ୟ ମୁକ୍ତ କରିପାରିବ । ଏବେ ତ ଦିନକୁ ଦିନ ତୁମମାନଙ୍କ
ସମ୍ମୁଖରେ ହେ ମୁକ୍ତିଦାତା ଆମକୁ ମୁକ୍ତି ଦିଅ - ଏହାର ଲମ୍ବାଧାଡି ଲାଗିବାକୁ ଯାଉଛି । କିନ୍ତୁ
ଆଜି ପର୍ଯ୍ୟନ୍ତ ନିଜର ପୁରୁଷାର୍ଥରେ ଭିନ୍ନ ଭିନ୍ନ କାରଣ ଶବ୍ଦ କାରଣରୁ ମୁକ୍ତିର ଫାଟକ ବନ୍ଦ
ରହିଛି, ସେଥିପାଇଁ ଆଜି ବାପଦାଦା ଏହି ଶବ୍ଦଠାରୁ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଚାହୁଁଛନ୍ତି ।
ଏମିତି ତ ଏହା ସହିତ ଆହୁରି ମଧ୍ୟ କେତେକ ଦୁର୍ବଳତାର ଶବ୍ଦ ରହିଛି । ସେଥି ମଧ୍ୟରୁ ବିଶେଷ ହେଲା
କାରଣ ଶବ୍ଦ ଏବଂ ତା’ ସାଥୀ ଶବ୍ଦ ଗୁଡିକ ହେଲା ଏମିତି, ସେମିତି, କେମିତି.... ଯେଉଁମାନେ କି
ମୁକ୍ତିର ଫାଟକକୁ ବନ୍ଦ ରଖିବାର କାରଣ ଅଟନ୍ତି ।
ତେବେ ଆଜି ସମସ୍ତେ ହୋଲୀ
ପାଳନ କରିବା ପାଇଁ ଆସିଛ ନା! ସମସ୍ତେ ଦୌଡି ଦୌଡି ଆସିଛ । ସ୍ନେହ ରୂପୀ ବିମାନରେ ବସି ଆସିଛ ।
ଯେହେତୁ ବାବାଙ୍କ ସହିତ ସ୍ନେହ ରହିଛି, ତେଣୁ ବାବାଙ୍କ ସହିତ ହୋଲୀ ପାଳନ କରିବା ପାଇଁ ପହଞ୍ଚି
ଯାଇଛ । ଆସିଛ ଭଲ କରିଛ, ସେଥିପାଇଁ ବାପଦାଦା ତୁମମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । ବାପଦାଦା
ଦେଖୁଛନ୍ତି ହ୍ୱିଲ୍ ଚେୟାରରେ ଚାଲିବାବାଲା ମଧ୍ୟ, କିଛି ନା କିଛି ଶାରୀରିକ ଅସୁବିଧା ଥିଲେ ମଧ୍ୟ
ସାହସ ରଖି ପହଞ୍ଚି ଯାଇଛନ୍ତି । ବାପଦାଦା ଏହି ଦୃଶ୍ୟକୁ ମଧ୍ୟ ଦେଖୁଛନ୍ତି, ଏଠାକୁ କ୍ଲାସ୍ କରିବା
ପାଇଁ ଆସୁଛନ୍ତି ନା । କୌଣସି କାର୍ଯ୍ୟକ୍ରମ ଦେଖିବା ପାଇଁ ଯେତେବେଳେ ଆସୁଛନ୍ତି, ହ୍ୱିଲ୍
ଚେୟାରରେ ବସି ନିଜର ପଣ୍ଡାକୁ ଅର୍ଥାତ୍ ନିମିତ୍ତ ଟୀଚରମାନଙ୍କୁ ଧରି ଆସି ଯାଉଛନ୍ତି । ତେବେ
ଏହାକୁ କ’ଣ କୁହାଯିବ? ପରମାତ୍ମ ସ୍ନେହ । ବାପଦାଦା ମଧ୍ୟ ଏହିଭଳି ସାହସୀ, ଆନ୍ତରିକ ସ୍ନେହୀ
ପିଲାମାନଙ୍କୁ ବହୁତ ବହୁତ ଆନ୍ତରିକ ଆଶୀର୍ବାଦ, ଆନ୍ତିରକ ସ୍ନେହ ବିଶେଷ ଭାବରେ ଦେଉଛନ୍ତି ।
ବହୁତ ସାହସ ରଖି ଆସିଛନ୍ତି, ବାବାଙ୍କର ଏବଂ ପରିବାରର ସହଯୋଗ ତ ନିଶ୍ଚିତ ରହିଛି । କ’ଣ
ସମସ୍ତଙ୍କୁ ଠିକ୍ ଭାବରେ ସ୍ଥାନ ମିଳିଯାଇଛି ତ? ମିଳିଛି ତ? ଯେଉଁମାନଙ୍କୁ ସ୍ଥାନ ଠିକ୍ ମିଳିଛି
ସେମାନେ ହାତ ଉଠାଅ । ବିଦେଶୀମାନଙ୍କୁ ରହିବାର ସ୍ଥାନ ଠିକ୍ ମିଳିଛି ତ? ଏହା ତ ମେଳା ଅଟେ ନା!
ଦୁନିଆର ମେଳାମାନଙ୍କରେ ତ ଧୁଳି ଉଡୁଥିବ ସେଥିରେ ମଧ୍ୟ ଖାଇବା ପିଇବା ଚାଲିଥିବ । ତୁମମାନଙ୍କୁ ତ
ଭଲ ବ୍ରହ୍ମାଭୋଜନ ମିଳୁଛି ନା! ଆଚ୍ଛା, ହାତ ହଲାଉଛନ୍ତି । ଶୋଇବା ପାଇଁ ତିନି ପାଦ ପୃଥିବୀ
ମିଳିଛି ତ? ଏଭଳି ମିଳନ ପୁଣି ୫ ହଜାର ବର୍ଷ ପରେ ଏହି ସଙ୍ଗମଯୁଗରେ ହିଁ ହେବ । ଆଉ ମଝିରେ କେବେ
ବି ହୋଇପାରିବ ନାହିଁ ।
ତେଣୁ ଆଜି ବାପଦାଦାଙ୍କ
ଭିତରେ ସଂକଳ୍ପ ଅଛି ଯେ ସବୁ ପିଲାଙ୍କର ଜମାର ଖାତାକୁ ଦେଖିବା ପାଇଁ । ଦେଖିଛନ୍ତି ମଧ୍ୟ ଏବଂ
ଆଗକୁ ମଧ୍ୟ ଦେଖିବେ କାହିଁକି ନା ବାପଦାଦା ପିଲାମାନଙ୍କୁ ପ୍ରଥମରୁ ହିଁ ଏହି ସୂଚନା
ଦେଇସାରିଛନ୍ତି ଯେ ଜମାର ଖାତାକୁ ଜମା କରିବାର ସମୟ କେବଳ ଏହି ସଙ୍ଗମଯୁଗ ହିଁ ଅଟେ । ଏହି
ସଙ୍ଗମଯୁଗରେ ଏବେ ଯେତେ ବି ଜମା କରିବା ପାଇଁ ଚାହିଁବ, ସାରା କଳ୍ପର ଖାତା ଏବେ ହିଁ ଜମା
କରିପାରିବ । ଏହା ପରେ ଜମା ଖାତାର ବ୍ୟାଙ୍କ ହିଁ ବନ୍ଦ ହୋଇଯିବ । ତା’ପରେ କ’ଣ କରିବ? ସେଥିପାଇଁ
ବାପଦାଦାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି ନା । ତେଣୁ ବାପଦାଦା ଜାଣିଛନ୍ତି ଯେ ପିଲାମାନେ
ଅବହେଳାପଣିଆ କାରଣରୁ କେବେ ଭୁଲିଯାଇଛନ୍ତି, କେବେ କହୁଛନ୍ତି ହୋଇଯିବ, ଦେଖି ନେବୁ, କରୁଛୁ ତ,
ଚାଲୁଛୁ, ଏହିଭଳି ବଡ ମଜାରେ କହୁଛନ୍ତି, ଆପଣ ତ ଦେଖୁଛନ୍ତି ନା, ଆମେ ତ କରୁଛୁ ନା, ହଁ ଚାଲୁଛୁ
ତ ଆଉ କ’ଣ କରିବୁ? କିନ୍ତୁ ଚାଲିବାରେ ଆଉ ଉଡିବାରେ ଫରକ କେତେ? ଚାଲୁଛ, ସେଥିପାଇଁ ଅଭିନନ୍ଦନ ।
କିନ୍ତୁ ଏବେ ଚାଲିବାର ସମୟ ସମାପ୍ତ ହୋଇ ଉଡିବାର ସମୟ ଆସିଗଲାଣି । ତେଣୁ ଏବେ ଯଦି ଉଡିବାର
ପୁରୁଷାର୍ଥ କରିବ ତେବେ ଯାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ । ତେବେ ଭଗବାନଙ୍କର ସନ୍ତାନ ହୋଇ
ଯଦି ସାଧାରଣ ପ୍ରଜାରେ ଆସିବ ତେବେ କ’ଣ ଶୋଭା ପାଇବ?
ଆଜି ସମସ୍ତେ ହୋଲୀ ପାଳନ
କରିବା ପାଇଁ ଆସିଛ ନା ତେଣୁ ହୋଲୀର ଅର୍ଥ ହେଲା ଯାହା ବିତିଯାଇଛି ତାକୁ ବିନ୍ଦୁ ଲଗାଇ ଦିଅ, ତେଣୁ
ଆଜିଠାରୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଯାହା ବିତିଗଲା ତାକୁ ଭୁଲିଯାଅ, କୌଣସି ବି କାରଣରୁ
ଯଦି ଏବେ କୌଣସି ଦୁର୍ବଳତା ରହିଯାଇଛି ତେବେ ଏହି ମୂହୁର୍ତ୍ତରେ ହିଁ ବିତିକୁ ବିତି କରି ନିଜର
ଚିତ୍ରକୁ ସ୍ମୃତିକୁ ଆଣ, ନିଜ ନିଜର ଚିତ୍ରକାର ହୋଇ ନିଜର ଚିତ୍ର ତିଆରି କର । ଜାଣିଛ - ବାପଦାଦା
ଏବେ ବି ପ୍ରତ୍ୟେକ ପିଲାଙ୍କର କେଉଁ ଚିତ୍ରକୁ ସମ୍ମୁଖରେ ଦେଖୁଛନ୍ତି? ଜାଣିଛ କେଉଁ ଚିତ୍ର? ଏବେ
ତୁମେ ସମସ୍ତେ ନିଜ ନିଜର ଚିତ୍ର ତିଆରି କର । ଚିତ୍ର ତିଆରି କରିବା ଜଣା ଅଛି ତ, ଜାଣିଛ ତ?
ଶ୍ରେଷ୍ଠ ସଂକଳ୍ପର କଲମ ଦ୍ୱାରା ନିଜର ଚିତ୍ରକୁ ଏବେ ଏବେ ସମ୍ମୁଖକୁ ଆଣ । ପ୍ରଥମେ ସମସ୍ତେ
ଡ୍ରିଲ୍ କର, ମନର ଡ୍ରିଲ୍ । କର୍ମେନ୍ଦ୍ରିୟର ଡ୍ରିଲ୍ ନୁହେଁ । ମନର ଡ୍ରିଲ୍ କର । ଡ୍ରିଲ୍ କରିବା
ପାଇଁ ପ୍ରସ୍ତୁତ ଅଛ ତ! ମୁଣ୍ଡ ହଲାଅ । ଦେଖ ଶ୍ରେଷ୍ଠରୁ ଶ୍ରେଷ୍ଠ ଚିତ୍ର ହେଲା ମୁକୁଟ, ତିଳକ ଏବଂ
ସିଂହାସନ ଅଧିକାରୀ ହେବାର ଚିତ୍ର । ତେଣୁ ନିଜର ଚିତ୍ରକୁ ସମ୍ମୁଖକୁ ଆଣ ଏବଂ ଅନ୍ୟ ସବୁ ସଂକଳ୍ପକୁ
ଆଡେଇ ଦିଅ ଏବଂ ଦେଖ, ତୁମେ ସମସ୍ତେ ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟ । ଅଟ ନା! ଏଭଳି
ସିଂହାସନ ତ କେଉଁଠି ବି ମିଳିବ ନାହିଁ । ତେଣୁ ପ୍ରଥମେ ଏହି ଚିତ୍ର ଅଙ୍କନ କର ଯେ ମୁଁ ବିଶେଷ
ଆତ୍ମା, ସ୍ୱମାନଧାରୀ ଆତ୍ମା, ବାପଦାଦାଙ୍କର ପ୍ରଥମ ରଚନା ଶ୍ରେଷ୍ଠ ଆତ୍ମା, ବାପଦାଦାଙ୍କର ହୃଦୟ
ସିଂହାସନର ଅଧିକାରୀ ଅଟେ । କ’ଣ ସିଂହାସନ ଅଧିକାରୀ ହୋଇଗଲ ତ! ଏହା ସହିତ ମୁଁ ପରମାତ୍ମାଙ୍କର
ରଚନା ସୃଷ୍ଟି ରୂପୀ ବୃକ୍ଷର ମୂଳରେ ବସିଥିବା ପୂର୍ବଜ ଏବଂ ପୂଜ୍ୟ ଆତ୍ମା ଅଟେ ଏବଂ ଏହି ସ୍ମୃତିର
ତିଳକଧାରୀ ଅଟେ । ଏବେ ସ୍ମୃତିରୂପୀ ତିଳକ ଲଗାଇ ଦେଲ ତ! ତା’ ସହିତ ଚିନ୍ତାମୁକ୍ତ ସମ୍ରାଟ ମଧ୍ୟ
ଅଟେ, ସମସ୍ତ ଚିନ୍ତା ରୂପକ ବୋଝକୁ ବାପଦାଦାଙ୍କୁ ଅର୍ପଣ କରି ଡବଲ ଲାଇଟ୍ର ମୁକୁଟଧାରୀ ଅଟେ ।
ତେଣୁ ମୁକୁଟ, ତିଳକ ଏବଂ ସିଂହାସନ ଧାରୀ, ଏହିଭଳି ବାବାଙ୍କର ଅର୍ଥାତ୍ ପରମାତ୍ମାଙ୍କର ପ୍ରିୟ
ଆତ୍ମା ଅଟେ ।
ତେବେ ନିଜେ ନିଜର ଏହିଭଳି
ଚିତ୍ର ତ ଆଙ୍କି ଦେଲ ଏବେ ଚାଲିଲା ବୁଲିବା ବେଳେ ସବୁବେଳେ ଏହି ଡବଲ ଲାଇଟ୍ର ମୁକୁଟକୁ ଧାରଣ
କରିପାରିବ । କେବେ ବି ନିଜର ସ୍ୱମାନକୁ ମନେ ପକାଅ ମୁଁ ମୁକୁଟଧାରୀ, ତିଳକଧାରୀ ତଥା ସିଂହାସନ
ଅଧିକାରୀ ଆତ୍ମା ଅଟେ, ନିଜର ଏହି ଚିତ୍ରକୁ ଦୃଢ ସଂକଳ୍ପ ଦ୍ୱାରା ସମ୍ମୁଖକୁ ଆଣ । ମନେ ଅଛି ତ -
ଆରମ୍ଭ ସମୟରେ ତୁମେମାନେ ଗୋଟିଏ ଶବ୍ଦକୁ ସ୍ମୃତିରେ ରଖିବା ପାଇଁ ବାରମ୍ବାର ଅଭ୍ୟାସ କରୁଥିଲ,
ସେହି ଗୋଟିଏ ଶବ୍ଦ ଥିଲା - ମୁଁ କିଏ? ଏହି ମୁଁ କିଏ ଶବ୍ଦକୁ ଏବେ ବାରମ୍ବାର ସ୍ମୃତିକୁ ଆଣ ଏବଂ
ନିଜର ଭିନ୍ନ ଭିନ୍ନ ସ୍ୱମାନକୁ, ଉପାଧିଗୁଡିକୁ ମଧ୍ୟ ମନେ ପକାଅ ଯାହାକି ତୁମମାନଙ୍କୁ ଭଗବାନ
ପିତାଙ୍କଠାରୁ ମିଳିଥିବା ଉପାଧି ଅଟେ । ଆଜିକାଲି ଲୋକମାନଙ୍କୁ ବା ମଣିଷକୁ ମଣିଷ ଦ୍ୱାରା ଯଦି
କୌଣସି ଉପାଧି ମିଳିଯାଉଛି ତେବେ ବି ତାକୁ କେତେ ମହତ୍ୱ ମନେ କରୁଛନ୍ତି, କିନ୍ତୁ ତୁମମାନଙ୍କୁ
ବାବାଙ୍କ ଦ୍ୱାରା କେତେ ଉପାଧି ମିଳିଛି, କେତେ ସ୍ୱମାନ ମିଳିଛି? ତେଣୁ ସର୍ବଦା ନିଜର ବୁଦ୍ଧିରେ
ସେହି ସ୍ୱମାନ ଗୁଡିକର ତାଲିକାକୁ ମନନ ଚିନ୍ତନ କରୁଥାଅ । ମୁଁ କିଏ? ଏହାର ତାଲିକା ବାହାର କର ।
ଯଦି ସର୍ବଦା ଏହି ନିଶାରେ ରହିବ ତେବେ କାରଣ ଶବ୍ଦ ସମାପ୍ତ ହୋଇ ସବୁ କର୍ମରେ ନିବାରଣ ଦେଖାଯିବ ।
ଯେତେବେଳେ ତୁମେମାନେ ନିବାରଣ ସ୍ୱରୂପ ହୋଇଯିବ ସେତେବେଳେ ସର୍ବ ଆତ୍ମାଙ୍କୁ ନିର୍ବାଣଧାମ,
ମୁକ୍ତିଧାମକୁ ସହଜରେ ଯିବାର ରାସ୍ତା ଦେଖାଇ ମୁକ୍ତ କରିଦେବ ।
ତେଣୁ ଏବେ ଦୃଢ ସଂକଳ୍ପ
କର - କ’ଣ ଦୃଢ ସଂକଳ୍ପ କରିବା ଜଣା ଅଛି ତ? ଯେତେବେଳେ ନିଜ ଭିତରେ ଦୃଢତା ଆସିଯାଏ, ସେତେବେଳେ
ଦୃଢତା ହିଁ ସଫଳତାର ଚାବୀ ହୋଇଯାଏ । ତେଣୁ ଟିକିଏ ବି ଦୃଢ ସଂକଳ୍ପରେ କମୀ ଆଣ ନାହିଁ କାହିଁକି
ନା ମାୟାର କାମ ହେଲା ହରାଇବା କିନ୍ତୁ ତୁମର କାମ କ’ଣ? ତୁମର କାମ ହେଲା - ବାବାଙ୍କର ଗଳାର ହାର
ହେବା, ନୁହେଁ କି ମାୟା ଠାରୁ ହାରିବା । ତେଣୁ ସମସ୍ତେ ଏହି ଦୃଢ ସଂକଳ୍ପ କର ଯେ ମୁଁ ସର୍ବଦା
ବାବାଙ୍କର ଗଳାର ବିଜୟମାଳା ଅଟେ । ଗଳାର ହାର ଅଟେ । ଗଳାର ହାର ଅର୍ଥାତ୍ ବିଜୟୀ ହାର ଅଟେ ।
ତେଣୁ ବାପଦାଦା ଯେତେବେଳେ
ହାତ ଉଠା କରାଉଛନ୍ତି ଯେ ତୁମେମାନେ କ’ଣ ହେବ? ସମସ୍ତେ କ’ଣ ଉତ୍ତର ଦେଉଛ? ଗୋଟିଏ ହିଁ ଉତ୍ତର
ଦେଉଛ ଆମେ ଲକ୍ଷ୍ମୀ-ନାରାୟଣ ହେବୁ । ରାମ ସୀତା ନୁହେଁ । ତେବେ ଲକ୍ଷ୍ମୀ-ନାରାୟଣ ପଦର ଅଧିକାରୀ,
ବାପଦାଦାଙ୍କର ବିଜୟ ମାଳାର ଦାନା, ମୁଁ ପୂଜ୍ୟ ଆତ୍ମା ଅଟେ । ଭକ୍ତମାନେ ତୁମର ମାଳାର ଦାନାକୁ ଜପ
କରି କରି ନିଜର ସମସ୍ୟାଗୁଡିକୁ ସମାପ୍ତ କରୁଛନ୍ତି । ଏତେ ଶ୍ରେଷ୍ଠ ଦାନା ଅଟ । ତେଣୁ ଆଜି
ବାପଦାଦାଙ୍କୁ କ’ଣ ଦେବ? ହୋଲୀର କୌଣସି ଉପହାର ତ ଦେବ ନା! ଏହି କାରଣ ଶବ୍ଦକୁ ଦିଅ ଏବଂ ତ ତ କୁ
ମଧ୍ୟ ଦିଅ, ଯଦି ସବୁଥିରେ ତ ତ କରିବ ତେବେ ତୋ ତୋ ଅର୍ଥାତ୍ ଶୁଆ ହୋଇଯିବ । ତେଣୁ ତ ତ ମଧ୍ୟ
କରିବ ନାହିଁ, ଏମିତି ସେମିତି ବି ନୁହେଁ, କୌଣସି ପ୍ରକାରର କାରଣ ନାହିଁ, ନିବାରଣ । ଆଚ୍ଛା!
ବାପଦାଦା ପ୍ରତ୍ୟେକ
ସନ୍ତାନକୁ ସମାନ ହେବାର ଶ୍ରେଷ୍ଠ ସଂକଳ୍ପ ପାଇଁ ପଦ୍ମା ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି ।
ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ନିଶା ଅଛି ନା - ଆମ ଭଳି ପଦ୍ମାପଦ୍ମ ଭାଗ୍ୟବାନ କିଏ ଅଛି?
ଏହି ନିଶାରେ ରୁହ । ଆଚ୍ଛା!
ଏବେ ଗୋଟିଏ ସେକେଣ୍ଡ
ଭିତରେ ସବୁ ବ୍ରାହ୍ମଣମାନେ ନିଜର ରାଜଯୋଗର ଅଭ୍ୟାସ କର ମନକୁ ଏକାଗ୍ର କରିବା ସହିତ ମନର ମାଲିକ
ହୋଇ ଯେଉଁଠି ଚାହିଁବ, ଯେତେ ସମୟ ଚାହିଁବ, ଯେପରି ଚାହିଁବ ସେହିପରି ଏବେ ଏବେ ମନକୁ ଏକାଗ୍ର
କରିଦିଅ । ମନ କେଉଁଠି ବି ଏଣେ ତେଣେ ଚଞ୍ଚଳ ନ ହେଉ । ମେରା ବାବା, ମିଠା ବାବା, ପ୍ୟାରା ବାବା
ଏହିଭଳି ସ୍ନେହଯୁକ୍ତ ସଙ୍ଗର ରଙ୍ଗରେ ଆଧ୍ୟାତ୍ମିକ ହୋଲୀ ପାଳନ କର । (ଡ୍ରିଲ୍) ଆଚ୍ଛା!
ଚାରିଆଡର ବିଶେଷ
ଶ୍ରେଷ୍ଠ ହୋଲୀ ଅର୍ଥାତ୍ ପବିତ୍ର ଏବଂ ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ ପିଲାମାନଙ୍କୁ, ସର୍ବଦା
ନିଜକୁ ବାବାଙ୍କ ସମାନ ସର୍ବ ଶକ୍ତିରେ ସମ୍ପନ୍ନ ମାଷ୍ଟର ସର୍ବ ଶକ୍ତିବାନ୍ ଅନୁଭବ କରୁଥିବା,
ସର୍ବଦା ପ୍ରତ୍ୟେକ ଦୁର୍ବଳତାଗୁଡିକଠାରୁ ମୁକ୍ତ ହୋଇ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ମୁକ୍ତି
ପ୍ରାପ୍ତ କରାଉଥିବା ମୁକ୍ତିଦାତା ପିଲାମାନଙ୍କୁ, ସର୍ବଦା ସ୍ୱମାନର ସିଟ୍ ଅର୍ଥାତ୍ ଆସନ ଉପରେ
ସେଟ୍ ରହୁଥିବା, ସର୍ବଦା ଅମର ଭବର ବରଦାନର ଅନୁଭବ ସ୍ୱରୂପରେ ରହୁଥିବା, ଏହିଭଳି ଚାରିଆଡର ଚାହେଁ
ସମ୍ମୁଖରେ ବସିଥିବା, ଚାହେଁ ଦୂରରେ ବସିଥିଲେ ମଧ୍ୟ ସ୍ନେହରେ ବୁଡି ରହିଥିବା ପିଲାମାନଙ୍କୁ
ସ୍ନେହ ସମ୍ପନ୍ନ ଶୁଭେଚ୍ଛା ବା ନିଜର ଉମଙ୍ଗ-ଉତ୍ସାହର ତଥା ପୁରୁଷାର୍ଥର ସମାଚାର ପଠାଇଥିବା
ପିଲାମାନଙ୍କୁ ବାପଦାଦାଙ୍କର ବହୁତ ବହୁତ ପଦ୍ମାପଦ୍ମଗୁଣା ହାର୍ଦ୍ଦିକ ଶୁଭେଚ୍ଛା । ସ୍ୱୀକାର
କରିବା ହେଉ ଏବଂ ସମସ୍ତ ରାଜଯୋଗୀ ତଥା ରାଜ୍ୟ ଅଧିକାରୀ ପିଲାମାନଙ୍କୁ ନମସ୍ତେ ।
ବରଦାନ:-
ସର୍ବଶକ୍ତିବାନ
ସତ୍ତା ଅର୍ଥାତ୍ ଅଧିକାରୀ ପଣିଆ ଆଧାରରେ ଆତ୍ମାମାନଙ୍କୁ ମାଲାମାଲ୍ କରୁଥିବା ପୂଣ୍ୟ ଆତ୍ମା ଭବ ।
ଯେପରି ଦାନ ପୁଣ୍ୟର
ସତ୍ତାଧାରୀ ସକାମୀ ରାଜାମାନଙ୍କ ଭିତରେ ସତ୍ତାର ସମ୍ପୂର୍ଣ୍ଣ ଶକ୍ତି ଥିଲା, ଯାହା ଆଧାରରେ ସେମାନେ
ଯାହାକୁ ଯାହା ଇଚ୍ଛା ସେହିଭଳି କରିଦେଇ ପାରୁଥିଲେ । ସେହିପରି ତୁମେ ମହାଦାନୀ ପୁଣ୍ୟ
ଆତ୍ମାମାନଙ୍କୁ ସିଧାସଳଖ ବାବାଙ୍କ ଦ୍ୱାରା ପ୍ରକୃତିଜିତ୍, ମାୟାଜିତ୍ ହେବାର ବିଶେଷ ସତ୍ତା
ମିଳିଛି । ତୁମେମାନେ ନିଜର ଶୁଦ୍ଧ ସଂକଳ୍ପ ଆଧାରରେ ଯେକୌଣସି ଆତ୍ମାର ବାବାଙ୍କ ସହିତ ସମ୍ବନ୍ଧ
ଯୋଡି ତା’କୁ ମାଲାମାଲ୍ କରିଦେଇପାରିବ । କେବଳ ଏହି ସତ୍ତାକୁ ଯଥାର୍ଥ ରୂପରେ ବ୍ୟବହାର କର ।
ସ୍ଲୋଗାନ:-
ଯେତେବେଳେ
ତୁମେମାନେ ନିଜର ସମ୍ପୂର୍ଣ୍ଣତାର ଅଭିନନ୍ଦନ ଉତ୍ସବ ପାଳନ କରିବ, ସେତେବେଳେ ସମୟ ଏବଂ ମାୟା ଉଭୟ
ବିଦାୟ ନେଇଯିବେ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର । ଯେତେବେଳେ ତୁମର ମନ ବୁଦ୍ଧି କର୍ମରେ
ବହୁତ ବ୍ୟସ୍ତ ରହିଥିବ ସେହି ସମୟରେ ମନକୁ ଫୁଲଷ୍ଟପର ବିନ୍ଦୁ ଲଗାଇବା ପାଇଁ ନିର୍ଦ୍ଦେଶ ଦିଅ ।
କର୍ମର ସଂକଳ୍ପ ମଧ୍ୟ ଷ୍ଟପ୍ ହୋଇଯାଉ । ଏହି ଅଭ୍ୟାସକୁ ଗୋଟିଏ ସେକେଣ୍ଡ ପାଇଁ ହେଉ ପଛକେ, କିନ୍ତୁ
ନିଶ୍ଚିତ କର, କାହିଁକି ନା ଅନ୍ତିମ ସାର୍ଟିଫିକେଟ୍ ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ୍ ଲଗାଇବା
ଉପରେ ହିଁ ପ୍ରାପ୍ତ ହେବ । ତେଣୁ ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରକୁ ଏକତ୍ରିତ କରି ସାର ସ୍ୱରୂପ
ହୋଇଯାଅ - ଏହି ଅଭ୍ୟାସ ହିଁ ତୁମକୁ କର୍ମାତୀତ କରିଦେବ ।