29.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହା ହେଉଛି ତୁମର ବହୁତ ଅମୂଲ୍ୟ ଜନ୍ମ, ଏହି ଜନ୍ମରେ ତୁମମାନଙ୍କୁ ମନୁଷ୍ୟରୁ ଦେବତା ହେବା ପାଇଁ ପବିତ୍ର ହେବାର ପୁରୁଷାର୍ଥ କରିବାକୁ ହେବ ।”

ପ୍ରଶ୍ନ:-
ଈଶ୍ୱରୀୟ ସନ୍ତାନ ବୋଲାଉଥିବା ପିଲାମାନଙ୍କର ମୁଖ୍ୟ ଧାରଣା କ’ଣ ହୋଇଥିବ?

ଉତ୍ତର:-
ସେମାନେ ପରସ୍ପର ମଧ୍ୟରେ ବହୁତ ବହୁତ ଖିରଖଣ୍ଡ ଭଳି ରହୁଥିବେ ଅର୍ଥାତ୍ ସ୍ନେହପୂର୍ଣ୍ଣ ସମ୍ବନ୍ଧ ରହିଥିବ, କେବେ ବି ସେମାନଙ୍କର ସମ୍ବନ୍ଧରେ ତିକ୍ତତା ହୋଇପାରିବ ନାହିଁ । ଯେଉଁମାନେ ଦେହ-ଅଭିମାନୀ ଅଟନ୍ତି, ସେମାନେ ଓଲଟା-ସିଧା କଥାବାର୍ତ୍ତା କରନ୍ତି ଏବଂ ଲଢେଇ ଝଗଡା କରନ୍ତି । ତୁମମାନଙ୍କ ଭିତରେ ସେହିଭଳି ଅଭ୍ୟାସ ରହିବା ଉଚିତ୍ ନୁହେଁ । ଏଠାରେ ତୁମମାନଙ୍କୁ ଦୈବୀଗୁଣ ଧାରଣ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ ।

ଓମ୍ ଶାନ୍ତି ।
ବାବା ପ୍ରଥମେ ପ୍ରଥମେ ପିଲାମାନଙ୍କୁ କହୁଛନ୍ତି ଦେହୀ-ଅଭିମାନୀ ହୁଅ । ନିଜକୁ ଆତ୍ମା ମନେ କର । ଗୀତା ଆଦି ଶାସ୍ତ୍ରରେ ଯାହା କିଛି ବି ଅଛି ସେ ସବୁ ହେଲା ଭକ୍ତିମାର୍ଗର ଶାସ୍ତ୍ର । ବାବା କହୁଛନ୍ତି ମୁଁ ଜ୍ଞାନର ସାଗର । ତୁମମାନଙ୍କୁ ଜ୍ଞାନ ଶୁଣାଉଛି । କେଉଁ ଜ୍ଞାନ ଶୁଣାଉଛନ୍ତି? ସୃଷ୍ଟିର ଅଥବା ଡ୍ରାମାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ଏହା ପାଠପଢା ଅଟେ । ଏଥିରେ ସୃଷ୍ଟି ନାଟକର ଇତିହାସ ଏବଂ ଭୂଗୋଳ ରହିଛି ନା । ଭକ୍ତିମାର୍ଗରେ କୌଣସି ଇତିହାସ ଭୂଗୋଳ ପଢାଯାଏ ନାହିଁ । ସେମାନେ ଏପରି ଶବ୍ଦ ମଧ୍ୟ କହିବେ ନାହିଁ । ସାଧୁ ସନ୍ଥମାନେ ଶାସ୍ତ୍ର ପାଠ କରିଥା’ନ୍ତି । ଏହି ବାବା ତ କୌଣସି ଶାସ୍ତ୍ର ପଢି ଶୁଣାଉ ନାହାଁନ୍ତି । ତୁମକୁ ଏହି ପାଠପଢା ଦ୍ୱାରା ମନୁଷ୍ୟରୁ ଦେବତା କରୁଛନ୍ତି । ତୁମେ ଏଠାକୁ ଆସିଛ ମନୁଷ୍ୟରୁ ଦେବତା ହେବା ପାଇଁ । ସେମାନେ (ଦେବତା) ମଧ୍ୟ ମନୁଷ୍ୟ ଅଟନ୍ତି, ଏମାନେ ମଧ୍ୟ ମନୁଷ୍ୟ ଅଟନ୍ତି । କିନ୍ତୁ ଏମାନେ ବାବାଙ୍କୁ ଡାକୁଛନ୍ତି କି ହେ ପତିତପାବନ ଆସ । ଏ କଥା ତ ଜାଣିଛ ଯେ ଦେବତାମାନେ ପବିତ୍ର ଅଟନ୍ତି । ବାକି ତ ସମସ୍ତେ ଅପବିତ୍ର ମନୁଷ୍ୟ, ଯେଉଁମାନେ କି ଦେବତାମାନଙ୍କୁ ନମସ୍କାର କରିଥା’ନ୍ତି । ସେମାନଙ୍କୁ ପବିତ୍ର ଏବଂ ନିଜକୁ ପତିତ ମନେ କରନ୍ତି । କିନ୍ତୁ ଦେବତାମାନେ ପବିତ୍ର କିପରି ହେଲେ, ତାଙ୍କୁ କିଏ ପବିତ୍ର କରିଲା, ଏକଥା କୌଣସି ମନୁଷ୍ୟମାତ୍ର ଜାଣନ୍ତି ନାହିଁ । ତେଣୁ ବାବା ବୁଝାଉଛନ୍ତି ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବା - ଏଥିରେ ହିଁ ପରିଶ୍ରମ କରିବାକୁ ହେବ । ତୁମମାନଙ୍କ ଭିତରେ ଦେହ-ଅଭିମାନ ରହିବା ଉଚିତ୍ ନୁହେଁ । ଆତ୍ମା ଅବିନାଶୀ ଅଟେ, ସଂସ୍କାର ମଧ୍ୟ ଆତ୍ମାରେ ହିଁ ରହିଥାଏ । ଆତ୍ମା ହିଁ ଭଲ-ଅଥବା ଖରାପ ସଂସ୍କାର ସାଥିରେ ନେଇଯାଇଥାଏ । ସେଥିପାଇଁ ବାବା କହୁଛନ୍ତି ଆତ୍ମ-ଅଭିମାନୀ ହୁଅ । କିନ୍ତୁ ନିଜର ଆତ୍ମାକୁ ମଧ୍ୟ କେହି ଜାଣନ୍ତି ନାହିଁ । ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୁଏ, ସେବେଠାରୁ ଅନ୍ଧକାର ମାର୍ଗ ଆରମ୍ଭ ହୋଇଥାଏ । ସମସ୍ତେ ଦେହ-ଅଭିମାନୀ ହୋଇଯାଆନ୍ତି ।

ତେବେ ବାବା ବୁଝାଉଛନ୍ତି ତୁମେ ଏଠାକୁ କାହା ପାଖକୁ ଆସିଛ? ଏହି (ବ୍ରହ୍ମା)ଙ୍କ ପାଖକୁ ନୁହେଁ । ମୁଁ ୟାଙ୍କ ଶରୀରରେ ପ୍ରବେଶ କରିଛି । ଏହା ହେଉଛି ଏହାଙ୍କର ବହୁତ ଜନ୍ମର ଶେଷ ଜନ୍ମ, ଏହା ପତିତ ଜନ୍ମ ଅଟେ । ବହୁତ ଜନ୍ମ କ’ଣ? ତାହା ମଧ୍ୟ କହୁଛନ୍ତି । ଅଧାକଳ୍ପ ହେଲା ପବିତ୍ର ଜନ୍ମ ଆଉ ଅଧାକଳ୍ପ ପତିତ ଜନ୍ମ । ତେଣୁ ଇଏ ମଧ୍ୟ ପତିତ ଅଟନ୍ତି । ବ୍ରହ୍ମା ନିଜକୁ ଦେବତା ବା ଈଶ୍ୱର କହୁନାହାଁନ୍ତି । ଲୋକମାନେ ଭାବୁଛନ୍ତି ପ୍ରଜାପିତା ବ୍ରହ୍ମା ଦେବତା ଥିଲେ ସେଥିପାଇଁ କହୁଛନ୍ତି ବ୍ରହ୍ମା ଦେବତାୟ ନମଃ । ବାବା ବୁଝାଉଛନ୍ତି ବ୍ରହ୍ମା ଯିଏକି ପତିତ ଥିଲେ ତାଙ୍କର ବହୁତ ଜନ୍ମର ଶେଷରେ ସିଏ ପୁନର୍ବାର ପବିତ୍ର ହୋଇ ଦେବତା ହେଉଛନ୍ତି । ତୁମେମାନେ ହେଲ ବ୍ରହ୍ମାକୁମାର କୁମାରୀ । ତୁମେମାନେ ମଧ୍ୟ ବ୍ରାହ୍ମଣ ଏବଂ ଏହି ବ୍ରହ୍ମା ମଧ୍ୟ ବ୍ରାହ୍ମଣ । ତାଙ୍କୁ ଦେବତା ବୋଲି କିଏ କହୁଛି? ବ୍ରହ୍ମାଙ୍କୁ ବ୍ରାହ୍ମଣ କୁହାଯାଉଛି, ଦେବତା ନୁହେଁ । ଇଏ ଯେତେବେଳେ ପବିତ୍ର ହୋଇଯାଉଛନ୍ତି । ସେତେବେଳେ ମଧ୍ୟ ବ୍ରହ୍ମାଙ୍କୁ ଦେବତା କୁହାଯିବ ନାହିଁ । ଯେ ପର୍ଯ୍ୟନ୍ତ ବିଷ୍ଣୁ (ଲକ୍ଷ୍ମୀ-ନାରାୟଣ) ହୋଇନାହାଁନ୍ତି ସେ ପର୍ଯ୍ୟନ୍ତ ଦେବତା କୁହାଯିବ ନାହିଁ । ତୁମେମାନେ ବ୍ରାହ୍ମଣ ବ୍ରାହ୍ମଣୀ ଅଟ । ମୁଁ ତୁମମାନଙ୍କୁ ପ୍ରଥମେ ପ୍ରଥମେ ଶୁଦ୍ରରୁ ବ୍ରାହ୍ମଣ ପୁଣି ବ୍ରାହ୍ମଣରୁ ଦେବତା କରୁଛି । ଏହା ତୁମର ଅମୂଲ୍ୟ ହୀରାତୁଲ୍ୟ ଜନ୍ମ ବୋଲି କୁହାଯାଉଛି । ଯଦିଓ ଏଠାରେ କର୍ମ ଭୋଗ ମଧ୍ୟ ଭୋଗିବାକୁ ପଡୁଛି । ତେଣୁ ବାବା କହୁଛନ୍ତି ଏବେ ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଉଥାଅ । ଏହି ଅଭ୍ୟାସ ଥିଲେ ଯାଇ ବିକର୍ମ ବିନାଶ ହେବ । ଦେହଧାରୀ ଭାବିଲେ ବିକର୍ମ ବିନାଶ ହେବ ନାହିଁ । ଆତ୍ମା ବ୍ରାହ୍ମଣ ନୁହେଁ, ଯେତେବେଳେ ଆତ୍ମା ଶରୀର ସାଥିରେ ଥାଏ ସେତେବେଳେ ବ୍ରାହ୍ମଣ, ଦେବତା, କ୍ଷତ୍ରୀୟ, ବୈଶ୍ୟ, ଶୁଦ୍ର ଆଦି କୁହାଯାଇଥାଏ । ତେଣୁ ଏବେ ବାବାଙ୍କୁ ମନେ ପକାଇବାର କଷ୍ଟ କରିବାକୁ ହେବ । ଏହା ହେଲା ସହଜଯୋଗ । ବାବା କହୁଛନ୍ତି ଏହା ସହଜରୁ ସହଜ ମଧ୍ୟ ଅଟେ । କାହାକୁ କାହାକୁ ବହୁତ କଠିନ ମଧ୍ୟ ଅନୁଭବ ହେଉଛି । ବାରମ୍ବାର ଦେହ-ଅଭିମାନରେ ଆସି ବାବାଙ୍କୁ ଭୁଲିଯାଉଛନ୍ତି । ଦେହୀ-ଅଭିମାନୀ ହେବା ପାଇଁ ସମୟ ତ ଲାଗିବ ନା । ଏପରି ତ ହୋଇପାରିବ ନାହିଁ କି ବର୍ତ୍ତମାନ ହିଁ ତୁମର ଅଚଳ ଅବସ୍ଥା ହୋଇଯିବ ଏବଂ ତୁମେ ବାବାଙ୍କ ସ୍ମୃତିରେ ସ୍ଥାୟୀ ଭାବରେ ରହିପାରିବ । ନା । କର୍ମାତୀତ ଅବସ୍ଥା ହୋଇ ଗଲେ ପୁଣି ତ ଶରୀର ରହିବ ନାହିଁ । ଆତ୍ମା ପବିତ୍ର ହାଲୁକା ହୋଇ ଶରୀରକୁ ତ୍ୟାଗ କରିଦେବ । ଅପବିତ୍ର ଶରୀର ମଧ୍ୟରେ ପବିତ୍ର ଆତ୍ମା ରହିପାରିବ ନାହିଁ । ଏପରି ନୁହେଁ କି ଏହି ଦାଦା (ବ୍ରହ୍ମାବାବା) କୌଣସି ଉଚ୍ଚ ସ୍ଥିତିରେ ପହଞ୍ଚି ଗଲେଣି । ଇଏ ମଧ୍ୟ କହୁଛନ୍ତି ଯୋଗଯୁକ୍ତ ହୋଇ ରହିବା ବଡ କଷ୍ଟସାଧ୍ୟ । ଦେହ-ଅଭିମାନରେ ଆସିବା ଦ୍ୱାରା ଓଲଟା-ସୋଲଟା କଥା କହିବା, ଲଢେଇ କରିବା, ଝଗଡା କରିବା ଇତ୍ୟାଦି ହୋଇଥାଏ । ଆମେ ସମସ୍ତେ ଆତ୍ମା ଭାଇ-ଭାଇ, ଏହି ସ୍ମୃତି ରହିଲେ ଆତ୍ମାର କୌଣସି କ୍ଷତି ହେବ ନାହିଁ । ଦେହ-ଅଭିମାନରେ ଆସିବା ଦ୍ୱାରା ହିଁ ସବୁ ବିଗିଡି ଯାଇଥାଏ । ଏବେ ତୁମ ପିଲାମାନଙ୍କୁ ଦେହୀ-ଅଭିମାନୀ ହେବାକୁ ପଡିବ । ଯେପରି ଦେବତାମାନେ କ୍ଷୀର ଖଣ୍ଡ ହୋଇ ରହିଥା’ନ୍ତି । ସେହିଭଳି ତୁମମାନଙ୍କୁ ମଧ୍ୟ ପରସ୍ପର ମଧ୍ୟରେ କ୍ଷୀରଖଣ୍ଡ ହୋଇ ରହିବାକୁ ହେବ । ତୁମମାନଙ୍କୁ କେବେ ଲୁଣପାଣି ହେବାର ନାହିଁ । ମତଭେଦରେ ଆସିବାର ନାହିଁ । ଯେଉଁମାନେ ଦେହ-ଅଭିମାନୀ ମନୁଷ୍ୟ ଅଛନ୍ତି, ସେମାନେ ଓଲଟା ସୋଲଟା କଥାବାର୍ତ୍ତା କରି ଲଢେଇ-ଝଗଡା କରିଥା’ନ୍ତି । ତୁମ ପିଲାମାନଙ୍କ ଭିତରେ ଏଭଳି ଅଭ୍ୟାସ ରହିବା ଉଚିତ୍ ନୁହେଁ । ଏଠାରେ ତ ତୁମକୁ ଦେବତା ହେବା ପାଇଁ ଦୈବୀଗୁଣ ଧାରଣ କରିବାକୁ ହେବ । କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ । ତୁମେମାନେ ଜାଣିଛ ଏହି ଶରୀର, ଏହି ଦୁନିଆ ପୁରୁଣା ତମଃପ୍ରଧାନ ଅଟେ । ଏହି ପୁରୁଣା ବସ୍ତୁ ସହିତ, ପୁରୁଣା ସମ୍ବନ୍ଧ ସହିତ ବିତୃଷ୍ଣା ଭାବ ରଖିବାକୁ ହେବ । ଦେହ-ଅଭିମାନର କଥାକୁ ତ୍ୟାଗ କରି ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବାକୁ ହେବ ତେବେ ଯାଇ ପାପ ଭସ୍ମ ହେବ । ଏମିତି ବହୁତ ଅଛନ୍ତି ବାବାଙ୍କୁ ମନେ ପକାଇବାରେ ଫେଲ ହୋଇଯାଇଥା’ନ୍ତି । ଜ୍ଞାନ ବୁଝାଇବାରେ ବହୁତ ପ୍ରବୀଣ ହୋଇଥାନ୍ତି କିନ୍ତୁ ଯୋଗ କରିବା ତାଙ୍କ ପାଇଁ ବଡ କଠିନ ହୋଇଥାଏ । ଏହା ବହୁତ ବଡ ପରୀକ୍ଷା ଅଟେ । ତେବେ ଯେଉଁମାନେ ଅଧାକଳ୍ପର ପୁରୁଣା ଭକ୍ତ ହୋଇଥିବେ ସେହିମାନେ ହିଁ ଏହାକୁ ବୁଝିପାରିବେ । ଯେଉଁମାନେ ଡେରିରେ ଭକ୍ତି କରିଥିବେ ସେମାନେ ଏତେ ବୁଝିପାରିବେ ନାହିଁ ।

ବାବା ଏହି ଶରୀରରେ ପ୍ରବେଶ କରି କହୁଛନ୍ତି, ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସୁଛି । ମୋର ଡ୍ରାମାରେ ପାର୍ଟ ରହିଛି ଏବଂ ମୁଁ ଥରେ ମାତ୍ର ଆସୁଛି । ଏହା ସେହି ସଂଗମଯୁଗ ଅଟେ । ଲଢେଇ ମଧ୍ୟ ସମ୍ମୁଖରେ ଉପସ୍ଥିତ । ଏହି ଡ୍ରାମା ୫ ହଜାର ବର୍ଷର ହିଁ ଅଟେ । କଳିଯୁଗର ଆୟୁଷ ଏବେ ଆହୁରି ୪୦ ହଜାର ବର୍ଷ ଯଦି ହୁଏ ତେବେ କିଏ ଜାଣେ କ’ଣ ହୋଇଯିବ । ଲୋକମାନେ ତ କହୁଛନ୍ତି, ଯଦି ଭଗବାନ ବି ଆସିଯା’ନ୍ତି, ତେବେ ମଧ୍ୟ ଆମେ ଶାସ୍ତ୍ରର ଆଧାର ଛାଡିବୁ ନାହିଁ । ଏ କଥା ମଧ୍ୟ ସେମାନଙ୍କୁ ଜଣାନାହିଁ ଯେ ୪୦ ହଜାର ବର୍ଷ ପରେ କେଉଁ ଭଗବାନ ଆସିବେ । କେହି-କେହି ଭାବୁଛନ୍ତି କୃଷ୍ଣ-ଭଗବାନ ଆସିବେ । ଆଉ କିଛି ଦିନ ପରେ ତୁମର ନାମ ବିଖ୍ୟାତ ହେବ । ସେଥିପାଇଁ ତୁମର ସେଭଳି ଅବସ୍ଥା ରହିବା ଦରକାର । ପରସ୍ପର ମଧ୍ୟରେ ବହୁତ-ବହୁତ ସ୍ନେହଭାବ ରହିବା ଦରକାର । ତୁମେ ଈଶ୍ୱରୀୟ ସନ୍ତାନ ଅଟ ନା । ତୁମର ଈଶ୍ୱରୀୟ ସେବାଧାରୀ ରୂପରେ ଗାୟନ ହେଉଛି । ତୁମେ କହୁଛ ଆମେ ପତିତ ଭାରତକୁ ପବିତ୍ର କରିବା ପାଇଁ ଭଗବାନଙ୍କର ସହଯୋଗୀ ହୋଇଛୁ । ବାବା, ଆମେ କଳ୍ପ-କଳ୍ପ ଆତ୍ମ-ଅଭିମାନୀ ହୋଇ ଆପଣଙ୍କ ଶ୍ରୀମତ ଆଧାରରେ ଯୋଗବଳ ଦ୍ୱାରା ନିଜର ବିକର୍ମ ବିନାଶ କରୁଛୁ । ଯୋଗବଳ ହିଁ ଶାନ୍ତିର ବଳ ଅଟେ । ଶାନ୍ତିର ବଳ ଏବଂ ବିଜ୍ଞାନର ବଳ ମଧ୍ୟରେ ରାତି ଦିନର ଫରକ ରହିଛି । ଆଗକୁ ଗଲେ ତୁମକୁ ବହୁତ-ବହୁତ ସାକ୍ଷାତ୍କାର ହେବ । ଆରମ୍ଭ ସମୟରେ କେତେକ ସନ୍ତାନମାନେ ସାକ୍ଷାତ୍‌କାର କରିଛନ୍ତି, ସାକ୍ଷାତ୍‌କାର କରିବାର ପାର୍ଟ ବଜାଇଛନ୍ତି । କିନ୍ତୁ ଆଜି ସେମାନେ ନାହାଁନ୍ତି । ସେମାନଙ୍କୁ ମାୟା ଖାଇଯାଇଛି । ଯୋଗଯୁକ୍ତ ହୋଇ ନ ରହିବା ଦ୍ୱାରା ମାୟା ଖାଇଯାଏ । ଯେପରି ପିଲାମାନେ ଜାଣିଛନ୍ତି ଯେ ଭଗବାନ ଆମକୁ ପାଠ ପଢାଉଛନ୍ତି, ତେବେ ନିୟମ ପ୍ରମାଣେ ପଢିବା ଦରକାର । ନଚେତ୍ ବହୁତ ବହୁତ କମ୍ ପଦ ପାଇବ ଏବଂ ଦଣ୍ଡ ମଧ୍ୟ ବହୁତ ଭୋଗିବାକୁ ପଡିବ । ଗାୟନ କରୁଛନ୍ତି ନା - ମୁଁ ଜନ୍ମ-ଜନ୍ମାନ୍ତରର ପାପୀ ଅଟେ । ସେଠାରେ (ସତ୍ୟଯୁଗରେ) ତ ରାବଣ ରାଜ୍ୟ ହିଁ ନ ଥାଏ ତେଣୁ ବିକାରର ନାମ କିପରି ରହିପାରିବ! ତାହା ହେଉଛି ସମ୍ପୂର୍ଣ୍ଣ ନିର୍ବିକାରୀ ରାଜ୍ୟ । ତାହା ହେଲା ରାମରାଜ୍ୟ, ଏହା ରାବଣ ରାଜ୍ୟ । ବର୍ତ୍ତମାନ ସମସ୍ତେ ତମଃପ୍ରଧାନ ଅଟନ୍ତି । ପ୍ରତ୍ୟେକ ସନ୍ତାନଙ୍କୁ ନିଜର ଅବସ୍ଥାର ଯାଞ୍ଚ କରିବା ଦରକାର ଯେ ମୁଁ ବାବାଙ୍କ ସ୍ମୃତିରେ କେତେ ସମୟ ରହିପାରୁଛି? ଦୈବୀଗୁଣ କେତେ ଧାରଣ କରିଛି? ମୁଖ୍ୟ କଥା ହେଲା ନିଜ ଭିତରକୁ ଦେଖିବା ଦରକାର ଯେ ମୋ ଭିତରେ କୌଣସି ଅବଗୁଣ ତ ନାହିଁ? ମୋର ଖାଦ୍ୟପେୟ କିପରି ଅଟେ? ସାରା ଦିନରେ କୌଣସି ଫାଲତୁ କଥା ବା ମିଛ କଥା କହୁନାହିଁ ତ? ଶରୀର ନିର୍ବାହ କରିବା ପାଇଁ ମଧ୍ୟ ମିଛ କଥା କହିବାକୁ ପଡିଥାଏ ନା । ସେଥିପାଇଁ ଲୋକମାନେ ଧର୍ମାଉ (ଧର୍ମକାର୍ଯ୍ୟ ପାଇଁ କିଛି ଧନ) ଦାନ କରି ଥା’ନ୍ତି ଯାହାଦ୍ୱାରା ପାପ କିଛିଟା କମ୍ ହୋଇଯିବ । ଭଲ କର୍ମ କରିବା ଦ୍ୱାରା ତାର ମଧ୍ୟ ଫଳ ମିଳିଥାଏ । କେହି ଯଦି ଡାକ୍ତରଖାନା ତିଆରି କରନ୍ତି ତେବେ ପରବର୍ତ୍ତୀ ଜନ୍ମରେ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ମିଳିଯିବ । ଯଦି କଲେଜ ଖୋଲିଥିବେ, ତେବେ ପରଜନ୍ମରେ ବହୁତ ଭଲ ପାଠ ପଢିବେ । କିନ୍ତୁ ପାପର ପ୍ରାୟଶ୍ଚିତ କ’ଣ? ସେଥିପାଇଁ ପୁଣି ଗଙ୍ଗା ସ୍ନାନ କରିବା ପାଇଁ ଯାଇଥା’ନ୍ତି । ବାକି ଯେଉଁ ଧନ ଦାନ କରିଥା’ନ୍ତି ତାର ଫଳ ପରବର୍ତ୍ତୀ ଜନ୍ମରେ ମିଳିଯାଏ । ସେଥିରେ ପାପ କଟିବାର କୌଣସି କଥା ନାହିଁ । ତାହା ହେଲା ଧନର ଲେନ୍‌-ଦେନ୍‌, ଈଶ୍ୱର ଅର୍ଥେ ଦେଲ, ଈଶ୍ୱର ମଧ୍ୟ ତା’ର ପ୍ରତିଦାନ ସ୍ୱରୂପରେ ଅଳ୍ପ ସମୟ ପାଇଁ ସେମାନଙ୍କୁ ଦେଇଦେଲେ । ଏଠାରେ ତ ତୁମକୁ ପବିତ୍ର ହେବାକୁ ପଡିବ । ସେଥିପାଇଁ ବାବାଙ୍କୁ ମନେ ପକାଇବା ବିନା ଅନ୍ୟ କୌଣସି ଉପାୟ ନାହିଁ । ପବିତ୍ର ହୋଇଗଲେ ପୁଣି ପତିତ ଦୁନିଆରେ ରହି ପାରିବ ନାହିଁ । ସେମାନେ ପରୋକ୍ଷ ଭାବରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦାନ କରିଥା’ନ୍ତି । ଏବେ ତ ଈଶ୍ୱର କହୁଛନ୍ତି - ମୁଁ ସମ୍ମୁଖକୁ ଆସିଛି ତୁମକୁ ପବିତ୍ର କରିବା ପାଇଁ । ମୁଁ ତ ଦାତା ଅଟେ, ତୁମେ ମୋତେ ଦେଉଛ, ତା’ର ବଦଳରେ ମୁଁ ମଧ୍ୟ ତୁମକୁ ଦେଉଛି । ମୁଁ କ’ଣ ମୋ ପାଖରେ ରଖିଦେବି! ତୁମମାନଙ୍କ ପାଇଁ ଘର ଇତ୍ୟାଦି ତିଆରି କରୁଛି । ସନ୍ନ୍ୟାସୀମାନେ ତ ନିଜ ପାଇଁ ବଡ ବଡ ମହଲ ଆଦି ତିଆରି କରୁଛନ୍ତି । ଏଠାରେ ଶିବବାବା ନିଜ ପାଇଁ ତ କିଛି ବି ତିଆରି କରୁନାହାଁନ୍ତି । କହୁଛନ୍ତି ଏହା ବଦଳରେ ତୁମକୁ ୨୧ ଜନ୍ମ ପାଇଁ ନୂଆ ଦୁନିଆରେ ମିଳିବ କାହିଁକି ନା ତୁମେ ସମ୍ମୁଖରେ ଦେବା-ନେବା କରୁଛ । ଯାହା ବି ଧନ ଦେଉଛ, ତାହା ତୁମର ହିଁ କାମରେ ଲାଗୁଛି । ଭକ୍ତିମାର୍ଗରେ ମଧ୍ୟ ଦେଉଛି ଏବଂ ଏବେ ମଧ୍ୟ ଦେଉଛି । ତାହା ହେଲା ପରୋକ୍ଷ, ଏଠାରେ ପ୍ରତ୍ୟକ୍ଷ । ବାବା ତ କହୁଛନ୍ତି ଯାହା କିଛି ତୁମ ପାଖରେ ଅଛି, ସେଥିରେ ତୁମେ ସେବାକେନ୍ଦ୍ର ଖୋଲିଦିଅ । ଅନ୍ୟମାନଙ୍କର କଲ୍ୟାଣ କର । ମୁଁ ମଧ୍ୟ ସେବାକେନ୍ଦ୍ର ଖୋଲୁଛି ନା । ପିଲାମାନେ ଦେଇଥିବା ଧନ ଦ୍ୱାରା ହିଁ ପିଲାମାନଙ୍କୁ ସହଯୋଗ ଦେଉଛି । ମୁଁ କ’ଣ ପଇସା ସାଥିରେ (ପରମଧାମରୁ) ନେଇ ଆସିଛି! ମୁଁ ତ ଆସି ୟାଙ୍କ ଶରୀରରେ ପ୍ରବେଶ କରୁଛି । ଏହାଙ୍କ (ବ୍ରହ୍ମା) ଦ୍ୱାରା କର୍ତ୍ତବ୍ୟ କରାଉଛି । ମୋତେ ତ ସ୍ୱର୍ଗରେ ଆସିବାର ନାହିଁ । ଏ ସବୁ ହେଲା ତୁମପାଇଁ । ମୁଁ ତ ଅଭୋକ୍ତା ଅଟେ । ମୁଁ କିଛି ବି ଗ୍ରହଣ କରୁନାହିଁ । ଏପରି ବି କହୁନାହିଁ କି ପାଦ ତଳେ ପଡ । ମୁଁ ତ ତୁମ ପିଲାମାନଙ୍କର ଅତି ଆଜ୍ଞାକାରୀ ସେବକ ଅଟେ । ଏକଥା ମଧ୍ୟ ତୁମେ ଜାଣିଛ ସେ ହିଁ ମାତା-ପିତା, ବନ୍ଧୁ-ସଖା ସବୁ କିଛି ଅଟନ୍ତି । କିନ୍ତୁ ସିଏ ନିରାକାର ଅଟନ୍ତି । ତୁମେ କେବେ କୌଣସି ଦେହଧାରୀ ଗୁରୁଙ୍କୁ ତ୍ୱମେବ ମାତାଶ୍ଚ ପିତା (ତୁମେ ହିଁ ମାତା-ପିତା) ବୋଲି କହିବ ନାହିଁ । ଗୁରୁଙ୍କୁ ଗୁରୁ, ଶିକ୍ଷକଙ୍କୁ ଶିକ୍ଷକ କହିବ । କିନ୍ତୁ ଏହାଙ୍କୁ ତ ମାତାପିତା ବୋଲି କହୁଛ । ବାବା କହୁଛନ୍ତି ମୁଁ ପ୍ରତି କଳ୍ପରେ ଥରେ ମାତ୍ର ହିଁ ଆସେ । ତୁମେ ମଧ୍ୟ ୧୨ ମାସ ପରେ ମୋର ଜୟନ୍ତୀ (ଜନ୍ମଦିନ) ପାଳନ କରିଥାଅ । କିନ୍ତୁ ଶିବବାବା କେବେ ଆସିଥିଲେ କ’ଣ କରିଥିଲେ ଏକଥା କାହାକୁ ମଧ୍ୟ ଜଣାନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର କର୍ତ୍ତବ୍ୟ ବିଷୟରେ ମଧ୍ୟ କାହାରିକୁ ଜଣାନାହିଁ କାରଣ ସେହି ଚିତ୍ରରୁ ଶିବବାବାଙ୍କୁ ଉଡାଇ ଦେଇଛନ୍ତି । ଶିବବାବା ତ କରି-କରାଇଲାବାଲା ଅଟନ୍ତି । ବ୍ରହ୍ମାଙ୍କ ଦ୍ୱାରା କରାଉଛନ୍ତି । ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ ଯେ କିପରି ଏହାଙ୍କ ଶରୀରରେ ପ୍ରବେଶ କରି କର୍ତ୍ତବ୍ୟ କରି ଦେଖାଉଛନ୍ତି ଅର୍ଥାତ୍ ନିଜେ କହୁଛନ୍ତି ଯେ ତୁମେମାନେ ମଧ୍ୟ ଏହିପରି କର । ପ୍ରଥମେ ତ ଭଲ ଭାବରେ ପାଠ ପଢ, ବାବାଙ୍କୁ ମନେପକାଅ ଏବଂ ଦୈବୀଗୁଣ ଧାରଣ କର । ଯେପରି ଏହାଙ୍କର ଆତ୍ମା କହିଥାଏ କି ମୁଁ ମଧ୍ୟ ବାବାଙ୍କୁ ମନେ ପକାଉଛି । ବାବା ଯେପରି ସାଥୀରେ ଅଛନ୍ତି । ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଅଛି ଯେ ଆମେ ନୂଆ-ଦୁନିଆର ମାଲିକ ହେବାକୁ ଯାଉଛୁ । ତେଣୁ ଚାଲିଚଳନ, ଖାଦ୍ୟପେୟ ଇତ୍ୟାଦି ସବୁ ବଦଳାଇବାକୁ ପଡିବ । ବିକାରକୁ ଛାଡିବାକୁ ହେବ । ସୁଧୁରିବାକୁ ତ ହେବ ନା । ଯେତେ ଯେତେ ସୁଧୁରିବ ଏବଂ ସୁଧୁରିଲା ପରେ ଶରୀର ତ୍ୟାଗ କରିବ, ତେବେ ଉଚ୍ଚ କୁଳରେ ଜନ୍ମ ହେବ । କୁଳ ମଧ୍ୟ ଉଚ୍ଚ ନୀଚ ଥାଏ । ଏଠାରେ ମଧ୍ୟ ବହୁତ ଭଲ ଭଲ କୁଳ (କୁଟୁମ୍ବ) ଅଛନ୍ତି । ୪/୫ ଭାଇ ସମସ୍ତେ ଏକାଠି ରହିଲେ ମଧ୍ୟ କୌଣସି ଝଗଡା ନ ଥାଏ । ଏବେ ତୁମେ ପିଲାମାନେ ଜାଣୁଛ କି ଆମେ ଅମର ଲୋକକୁ ଯାଉଛୁ ଯେଉଁଠାରେ ଆମକୁ କାଳ ଖାଇପାରିବ ନାହିଁ, ସେଠାରେ ଭୟର କୌଣସି କଥା ନାହିଁ । ଏଠାରେ ତ ଦିନକୁ ଦିନ ଭୟ ବୃଦ୍ଧି ପାଇ ଚାଲିବ । ବାହାରକୁ ବାହାରି ପାରିବ ନାହିଁ । ଏ କଥା ମଧ୍ୟ ଜାଣିଛ ଯେ ଏହି ପାଠପଢା କୋଟିକରେ କେହି ଜଣେ ପଢିବେ । କେହି କେହି ତ ଭଲ ଭାବରେ ବୁଝିପାରନ୍ତି ଏବଂ ପତ୍ର ମଧ୍ୟ ଲେଖିଥା’ନ୍ତି - ଏହି ପାଠପଢା ବହୁତ ଭଲ । ଏଭଳି ପିଲାମାନେ ବି ନିଶ୍ଚିତ ଆସିବେ । ରାଜଧାନୀ ତ ସ୍ଥାପନ ହେବ ନା । ବାକି ଆଉ ଅଳ୍ପ ସମୟ ରହିଛି ।

ବାବା ସେହି ପୁରୁଷାର୍ଥୀ ପିଲାମାନଙ୍କର ବହୁତ ବହୁତ ମହିମା କରିଥାନ୍ତି, ଯେଉଁମାନେ ଯୋଗର ଯାତ୍ରାରେ ତୀବ୍ର ବେଗରେ ଦୌଡିଥା’ନ୍ତି । ମୁଖ୍ୟ ହେଲା ଯୋଗବଳର କଥା । ଏହାଦ୍ୱାରା ପୁରୁଣା ହିସାବ-କିତାବ ଚୁକ୍ତ ହୋଇଥାଏ । କେହି-କେହି ପିଲାମାନେ ବାବାଙ୍କୁ ପତ୍ର ଲେଖିଥା’ନ୍ତି - ବାବା ମୁଁ ପ୍ରତିଦିନ ଏତେ ଘଣ୍ଟା ମନେ ପକାଉଛି । ତେଣୁ ବାବା ମଧ୍ୟ ବୁଝିନିଅନ୍ତି କି ଇଏ ବହୁତ ପୁରୁଷାର୍ଥୀ ଅଟନ୍ତି । ପୁରୁଷାର୍ଥ ତ କରିବାକୁ ହେବ ନା, ସେଥିପାଇଁ ବାବା କହୁଛନ୍ତି ପରସ୍ପର ମଧ୍ୟରେ କେବେ ବି ଲଢେଇ ଝଗଡା କରିବା ଅନୁଚିତ୍ । ତାହା ତ ପଶୁମାନଙ୍କର କାର୍ଯ୍ୟ । ଲଢେଇ-ଝଗଡା କରିବା ଏହା ତ ଦେହ-ଅଭିମାନ ଅଟେ । ଯାହାକି ବାବାଙ୍କର ନାମ ବଦନାମ କରିଦେଇଥାଏ । ବାବାଙ୍କ ପାଇଁ ହିଁ କୁହାଯାଏ ଯେ ସଦଗୁରୁଙ୍କ ନିନ୍ଦୁକ ଠାବ ପାଏ ନାହିଁ । ସାଧୁମାନେ ପୁଣି ନିଜ ପାଇଁ କହିଦେଇଛନ୍ତି, ତେଣୁ ମାତାମାନେ ସେମାନଙ୍କୁ ବହୁତ ଭୟ କରିଥା’ନ୍ତି ଯେ କାଳେ ଅଭିଶାପ ଦେଇ ଦେବେ! ଏବେ ତୁମେ ଜାଣୁଛ ଆମେ ମନୁଷ୍ୟରୁ ଦେବତା ହେଉଛୁ । ସେଥିପାଇଁ ସଚ୍ଚା ସଚ୍ଚା ଅମରକଥା ଶୁଣୁଛୁ । କହୁଛ ଆମେ ଏହି ପାଠଶାଳାକୁ ଶ୍ରୀ ଲକ୍ଷ୍ମୀ ନାରାୟଣ ପଦ ପାଇବା ପାଇଁ ଆସୁଛୁ । ଏ କଥା ଆଉ କୌଣସି ସତସଙ୍ଗରେ କହନ୍ତି ନାହିଁ । ବର୍ତ୍ତମାନ ଆମେ ନିଜ ଘରକୁ ଯିବା । ଏଥିରେ ଯୋଗବଳର ପୁରୁଷାର୍ଥ ହିଁ ମୁଖ୍ୟ ଅଟେ । ଅଧାକଳ୍ପ ମନେ ପକାଇ ନାହୁଁ । ଏବେ ଗୋଟିଏ ଜନ୍ମରେ ହିଁ ମନେ ପକାଇବାକୁ ହେବ । ଏହା ହିଁ କଷ୍ଟସାଧ୍ୟ । ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଯଦି କୌଣସି ପାପ କର୍ମ କରିଲ ତେବେ ଶହେ ଗୁଣା ଦଣ୍ଡ ମିଳିଯିବ । ତେଣୁ ପୁରୁଷାର୍ଥ କରି ନିଜର ଉନ୍ନତି କରିବାକୁ ହେବ । ଆତ୍ମା ହିଁ ଶରୀର ଦ୍ୱାରା ପାଠପଢି ଓକିଲ କିମ୍ବା ଡାକ୍ତର ଆଦି ହୋଇଥାଏ । ଏହି ଲକ୍ଷ୍ମୀ-ନାରାୟଣ ପଦ ତ ବହୁତ ଉଚ୍ଚ ଅଟେ ନା । ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତ୍‌କାର ହେବ । ତୁମେ ହେଉଛ ସର୍ବୋତ୍ତମ ବ୍ରାହ୍ମଣ କୁଳ ଭୂଷଣ, ସ୍ୱଦର୍ଶନ ଚକ୍ରଧାରୀ । କଳ୍ପ ପୂର୍ବେ ମଧ୍ୟ ଏହି ଜ୍ଞାନ ତୁମକୁ ଶୁଣାଇଥିଲି । ଏବେ ପୁଣି ତୁମକୁ ଶୁଣାଉଛି । ତୁମେ ଏହାକୁ ଶୁଣିବା ଦ୍ୱାରା ଉଚ୍ଚ ପଦ ପାଉଛ । ପୁଣି ଏହି ଜ୍ଞାନ ପ୍ରାୟତଃ ଲୋପ ହୋଇଯିବ । ବାକି ଏହି ଶାସ୍ତ୍ର ଆଦି ସବୁ ଭକ୍ତିମାର୍ଗର ଅଟେ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜ ଭିତରେ ଯାଞ୍ଚ କରିବାକୁ ହେବ - ମୁଁ ବାବାଙ୍କ ସ୍ମୃତିରେ କେତେ ସମୟ ରହୁଛି? ଦୈବୀଗୁଣକୁ କେତେ ଧାରଣ କରିଛି? ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ମୋର ଖାଦ୍ୟପେୟ, ଚାଲି-ଚଳନ ରାଜକୀୟ ଅର୍ଥାତ୍ ମର୍ଯ୍ୟାଦା ସମ୍ପନ୍ନ ଅଟେ? ବ୍ୟର୍ଥ କଥାବାର୍ତ୍ତା କରୁନାହିଁ ତ? ମିଛକଥା କହୁ ନାହିଁ ତ?

(୨) ଯୋଗର ଚାର୍ଟକୁ ବଢାଇବା ପାଇଁ ଅଭ୍ୟାସ କରିବାକୁ ହେବ - ଆମେ ସମସ୍ତେ ଆତ୍ମା ଭାଇ-ଭାଇ ଅଟୁ । ଦେହ-ଅଭିମାନଠାରୁ ଦୂରରେ ରହିବାକୁ ହେବ । ନିଜର ସ୍ଥିତିକୁ ଅଚଳ କରିବାକୁ ହେବ ସେଥିପାଇଁ ସମୟ ଦେବାକୁ ହେବ ।

ବରଦାନ:-
ପାଞ୍ଚ ତତ୍ୱ ଏବଂ ପାଞ୍ଚ ବିକାରକୁ ନିଜର ସେବାଧାରୀ କରୁଥିବା ମାୟାଜିତ୍ ସ୍ୱରାଜ୍ୟ ଅଧିକାରୀ ଭବ ।

ଯେପରି ସତ୍ୟଯୁଗରେ ବିଶ୍ୱ ମହାରାଜା ବା ବିଶ୍ୱ ମହାରାଣୀଙ୍କର ରାଜକୀୟ ପୋଷାକକୁ ପଛ ପଟୁ ଦାସ ଦାସୀମାନେ ଉଠାଇ ଧରିଥାଆନ୍ତି, ସେହିଭଳି ସଂଗମଯୁଗରେ ତୁମେ ପିଲାମାନେ ଯେତେବେଳେ ମାୟାଜିତ୍ ସ୍ୱରାଜ୍ୟ ଅଧିକାରୀ ହୋଇ ଭିନ୍ନ ଭିନ୍ନ ଉପାଧି ରୂପୀ ପୋଷାକ ଦ୍ୱାରା ସଜବାଜ ହୋଇ ରହିବ, ସେତେବେଳେ ଏହି ପାଞ୍ଚ ତତ୍ୱ ଏବଂ ପାଞ୍ଚ ବିକାର ତୁମର ଡ୍ରେସ୍‌କୁ ପଛ ପଟୁ ଉଠାଇ ଧରିବେ ଅର୍ଥାତ୍ ଅଧୀନ ହୋଇ ଚାଲିବେ । ସେଥିପାଇଁ ଦୃଢ ସଂକଳ୍ପ ରୂପୀ ବେଲ୍ଟ ଦ୍ୱାରା ଭିନ୍ନ ଭିନ୍ନ ଉପାଧି ରୂପୀ ଡ୍ରେସ୍‌କୁ ଟାଇଟ୍ କର, ଭିନ୍ନ ଭିନ୍ନ ଡ୍ରେସ୍ ଏବଂ ଭିନ୍ନ ଭିନ୍ନ ଶୃଙ୍ଗାରର ଉପକରଣ ଦ୍ୱାରା ସଜବାଜ ହୋଇ ଯଦି ବାବାଙ୍କ ସାଥୀରେ ରହିଥିବ, ତେବେ ଏହି ବିକାର ଗୁଡିକ ବା ପାଞ୍ଚତତ୍ତ୍ୱ ପରିବର୍ତ୍ତନ ହୋଇ ସହଯୋଗୀ ସେବାଧାରୀ ହୋଇଯିବେ ।

ସ୍ଲୋଗାନ:-
ଯେଉଁ ସବୁ ଗୁଣଗୁଡିକୁ ବା ଶକ୍ତିଗୁଡିକୁ ବର୍ଣ୍ଣନା କରୁଛ, ସେଗୁଡିକୁ ଅନୁଭବ କରିବାରେ ମଜ୍ଜିଯାଅ, କାରଣ ଅନୁଭବ ହିଁ ସବୁଠାରୁ ବଡ କ୍ଷମତା ଅଟେ ।