29.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିଜର ସ୍ୱଧର୍ମରେ ସ୍ଥିତ ହୋଇ ସ୍ନେହର ସହିତ ପରସ୍ପରକୁ ଓମ୍ ଶାନ୍ତି କୁହ - ଏହା ମଧ୍ୟ ପରସ୍ପରକୁ ସମ୍ମାନ ଦେବା ଅଟେ ।”

ପ୍ରଶ୍ନ:-
ଭକ୍ତିରେ ମଧ୍ୟ ଭଗବାନଙ୍କୁ ଭୋଗ ଲଗାଇଥାନ୍ତି, ଏଠାରେ ତୁମେ ପିଲାମାନେ ମଧ୍ୟ ଭୋଗ ଲଗାଉଛ - ଏହି ପ୍ରଥା କାହିଁକି ରହିଛି?

ଉତ୍ତର:-
କାହିଁକି ନା ଏହା ମଧ୍ୟ ବାବାଙ୍କର ସମ୍ମାନ ରଖିବା ଅଟେ । ଯଦିଓ ତୁମେ ଜାଣିଛ ଯେ ଶିବବାବା ନିରାକାର ଅଟନ୍ତି, ଅଭୋକ୍ତା ଅଟନ୍ତି, ଖାଉ ନାହାଁନ୍ତି କିନ୍ତୁ ଭାବନା ତ ପହୁଞ୍ଚୁଛି ନା । ସମସ୍ତଙ୍କର ସଦ୍‌ଗତି ଦାତା, ପତିତ-ପାବନ ବାବା ଅଟନ୍ତି । ତେଣୁ ନିଶ୍ଚୟ ଭଗବାନଙ୍କ ଉଦ୍ଦେଶ୍ୟରେ ଭୋଗ ଲଗାଇବା ଦରକାର ।

ଗୀତ:-
ହମାରେ ତୀର୍ଥ ନ୍ୟାରେ ହେଁ....

ଓମ୍ ଶାନ୍ତି ।
ପିଲାମାନଙ୍କ ହୃଦୟରେ ମଧ୍ୟ ଆସୁଛି ଓମ୍ ଶାନ୍ତି । ଯେପରି କାହାକୁ ନମସ୍ତେ କୁହାଯାଇଥାଏ । ତେବେ ସେ ମଧ୍ୟ ପ୍ରତିବଦଳରେ ନମସ୍ତେ କହିଥାନ୍ତି । ଏଠାରେ ବାବା କହୁଛନ୍ତି - ଓମ୍ ଶାନ୍ତି । ତେଣୁ ସବୁ ସନ୍ତାନମାନେ ଏହାଙ୍କର ବା ବ୍ରହ୍ମାଙ୍କର ଆତ୍ମା ସହିତ ସମସ୍ତଙ୍କର ହୃଦୟରୁ ଆସିବ ଓମ୍ ଶାନ୍ତି ଅର୍ଥାତ୍ ଆମେ ଆତ୍ମା ଶାନ୍ତ ସ୍ୱରୂପ ଅଟୁ । ପ୍ରତ୍ୟୁତ୍ତର ତ ଦେବା ଦରକାର ନା । ଏହା ପ୍ରତ୍ୟୁତ୍ତର ଦେବା ହେଲା ନା । ଅନ୍ୟ କେହି ଅର୍ଥ ସହିତ ଏପରି କହିପାରିବେ ନାହିଁ । ଜ୍ଞାନ ସୂର୍ଯ୍ୟ ବାବା ମଧ୍ୟ କହୁଛନ୍ତି ଓମ୍ ଶାନ୍ତି । ଜ୍ଞାନ ଚନ୍ଦ୍ରମା ମଧ୍ୟ କହୁଛନ୍ତି ଓମ୍ ଶାନ୍ତି । ଜ୍ଞାନ ତାରକାମାନେ ମଧ୍ୟ କହୁଛନ୍ତି ଓମ୍ ଶାନ୍ତି । ତାରକା ମଧ୍ୟରେ ସମସ୍ତେ ଆସିଗଲେ । ଏବେ ତୁମେ ପିଲାମାନେ ନିଜ ସ୍ୱଧର୍ମ ବିଷୟରେ ଜାଣୁଛ ଯେ ଆମେ ଆତ୍ମା ଶାନ୍ତ ସ୍ୱରୂପ ଏବଂ ଶାନ୍ତିଧାମ ନିବାସୀ ଅଟୁ । ତୁମର ଏହି ନିଶ୍ଚୟ ହୋଇଛି । ଭଲ ଭାବରେ ତୁମେ ଆତ୍ମାକୁ ଜାଣିଛ । ବାସ୍ତବରେ କୁହାଯାଇଥାଏ ମଧ୍ୟ, ମହାନ ଆତ୍ମା, ପାପ ଆତ୍ମା । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି । କିନ୍ତୁ ଆତ୍ମାର ଯଥାର୍ଥ ପରିଚୟ କେହି ଜାଣି ନାହାଁନ୍ତି । ଆମେ ଆତ୍ମା ବହୁତ ଛୋଟ ଅଟୁ । ୮୪ ଜନ୍ମର ଅଭିନୟ କରୁଛୁ । ଏକଥା ନା ତୁମକୁ ଜଣାଥିଲା ନା ଆଉ କେହି ଜାଣିଛନ୍ତି । ଏବେ ତୁମେ ପିଲାମାନେ ସମ୍ମୁଖରେ ବସିଛ । ବାବାଙ୍କୁ ନିଜର କରୁଛ । ପିଲାମାନେ ବାବାଙ୍କୁ ନିଜର କରୁଛନ୍ତି ବର୍ସା ନେବା ପାଇଁ ।

ତୁମେମାନେ ଜାଣିଛ ଆମ ଆତ୍ମାମାନଙ୍କର ବେହଦର ପିତା ଏହି ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି, ବ୍ରହ୍ମାଙ୍କ ଶରୀରରେ ଆସି ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛନ୍ତି । କଳ୍ପ ପୂର୍ବରୁ ମଧ୍ୟ ଆଦି ସନାତନ ଦେବୀ-ଦେବତା ଧର୍ମ ଅର୍ଥାତ୍ ସୂର୍ଯ୍ୟବଂଶୀ ରାଜଧାନୀ ସ୍ଥାପନ ହୋଇଥିଲା । ଏହି ସ୍ଥାପନାର କାର୍ଯ୍ୟ କଳ୍ପ କଳ୍ପ ବାବା ହିଁ କରୁଛନ୍ତି, ଯାହାଙ୍କୁ ଭଗବାନ କୁହାଯାଉଛି । ଭଗବାନ ବାବାଙ୍କ ଠାରୁ ସମସ୍ତେ ମାଗୁଛନ୍ତି ଯେ ଦୁଃଖ ହରଣ କରି, ସୁଖ ଦିଅ । ଯେବେ ସୁଖ ମିଳିଯାଉଛି ସେତେବେଳେ ମାଗିବାର ଆବଶ୍ୟକତା ପଡୁ ନାହିଁ । ଏଠାରେ ମାଗୁଛନ୍ତି କାହିଁକି ନା ଦୁଃଖ ରହିଛି । ସେଠାରେ କିଛି ବି ମାଗିବାର ଆବଶ୍ୟକତା ନାହିଁ କାହିଁକି ନା ବାବା ସବୁ କିଛି ଦେଇକରି ଯାଇଥାନ୍ତି, ସେଥିପାଇଁ ସତ୍ୟଯୁଗରେ କେହି ବି ବାବାଙ୍କୁ ମନେ ପକାନ୍ତି ନାହିଁ । ବାବା ବୁଝାଉଛନ୍ତି ଯେ, ପିଲାମାନଙ୍କୁ ମୁଁ ସୁଖଧାମର ମାଲିକ କରାଉଛି । ତୁମେ ପିଲାମାନେ ଜାଣିଛ - ଏହି ବାବାଙ୍କ ଠାରୁ ଆମେ ପୁଣି ଥରେ ସୁଖଧାମର ବର୍ସା ନେଉଛୁ । ବେହଦର ବାବାଙ୍କଠାରୁ ବେହଦର ସୁଖ ନେଉଛୁ । ତୁମକୁ ବୁଝାଯାଉଛି ଯେ ଭକ୍ତିମାର୍ଗ କିପରି ଚାଲୁଛି । ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ଉତ୍ପତ୍ତି, ପାଳନା ଏବଂ ସଂହାର କିପରି ହେଉଛି ଅଥବା ଡ୍ରାମାର ଆଦି-ମଧ୍ୟ-ଅନ୍ତ କ’ଣ । ଏହା ହେଲା ସାକାରୀ ଦୁନିଆ, ତାହା ହେଉଛି ନିରାକାରୀ ଦୁନିଆ । ପିଲାମାନେ ବୁଝିଗଲେଣି ଯେ ଆମେ ପୂରା ଅଧାକଳ୍ପ ଭକ୍ତି କରିଛୁ । ଏବେ କଳିଯୁଗର ଅନ୍ତ ସମୟ । ସଂଗମଯୁଗରେ ହିଁ ବର୍ସା ମିଳୁଛି । ଏକଥା ପିଲାମାନଙ୍କୁ ଭଲ ଭାବରେ ବୁଝିବା ଦରକାର । ଏବେ ଆମେ ସଂଗମଯୁଗରେ ଅଛୁ, ଏକଥା ତୁମେ ପିଲାମାନେ ହିଁ ବୁଝୁଛ । ଏକଥା ଅନ୍ୟମାନେ କେହି ବୁଝିପାରିବେ ନାହିଁ, ଯେ ପର୍ଯ୍ୟନ୍ତ ତୁମେ ସେମାନଙ୍କୁ ପରିଚୟ ନ ଦେଇଛ । ନିଶ୍ଚୟ ସେ ସଂଗମଯୁଗରେ ଆସୁଛନ୍ତି ଯେତେବେଳେ ପୁରୁଣା ଦୁନିଆ ବଦଳି ନୂଆ ହେଉଛି । ଏହା ସାରା ପୁରୁଣା ଦୁନିଆ ଅଟେ, ଏହାକୁ ଲୌହଯୁଗ କୁହାଯାଉଛି । ଏକଥା ମଧ୍ୟ ଜାଣିଛ - ପ୍ରଥମେ ପ୍ରଥମେ ସାରା ଦୁନିଆରେ ଗୋଟିଏ ହିଁ ଧର୍ମ ଥିଲା । ନୂଆ ଦୁନିଆରେ କେବଳ ଭାରତ ରାଷ୍ଟ୍ର ହିଁ ରହିବ, ସେଠାରେ କମ୍ ମନୁଷ୍ୟ ରହିବେ । ନୂଆ ଦୁନିଆକୁ ହିଁ ସ୍ୱର୍ଗ କୁହାଯାଉଛି । ଏଥିରୁ ସିଦ୍ଧ ହେଉଛି ଯେ ନୂଆ ଦୁନିଆରେ ନୂଆ ଭାରତ ଥିଲା । ଏବେ ପୁରୁଣା ଦୁନିଆରେ ପୁରୁଣା ଭାରତ ରହିଛି । ଗାନ୍ଧୀ ମଧ୍ୟ କହୁଥିଲେ ନୂଆ ଦୁନିଆ ନୂଆ ଭାରତ ହେଉ, ନୂଆ ଦିଲ୍ଲୀ ହେଉ । ଏବେ ନୂଆ ଭାରତ ଅଥବା ନୂଆ ଦିଲ୍ଲୀ ନାହିଁ । ନବ ଭାରତରେ ତ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏବେ ସେହି ଭାରତରେ ରାବଣର ରାଜ୍ୟ ଚାଲିଛି । ଏକଥା ମଧ୍ୟ ଲେଖିବା ଦରକାର - ନୂଆ ଦୁନିଆ, ନୂଆ ଦିଲ୍ଲୀ । ଅମୁକ ସମୟରୁ ଅମୁକ ସମୟ ପର୍ଯ୍ୟନ୍ତ ଏହାଙ୍କର ରାଜ୍ୟ ଚାଲୁଛି । ଏକଥା ମଧ୍ୟ ସିଏ ବୁଝାଇପାରିବେ ଯିଏ ନୂଆ ଦୁନିଆ ତିଆରି କରୁଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆ ସ୍ୱର୍ଗ ସ୍ଥାପନ କରୁଛନ୍ତି, ଯେଉଁ ସ୍ୱର୍ଗର ବର୍ସା ନେବା ପାଇଁ ତୁମେ ଆସୁଛ । ବାବା ତୁମକୁ ଯୁକ୍ତି ବତାଉଛନ୍ତି ଅଥବା ପୁରୁଷାର୍ଥ କରାଉଛନ୍ତି । ସମ୍ମୁଖରେ ବି ମିଶିବା ପାଇଁ ଆସୁଛ ଅଥବା ସେଠାରେ ବସି ମଧ୍ୟ ପାଠ ପଢୁଛ । ଇଚ୍ଛା ହେଉଛି ସମ୍ମୁଖରେ ମିଶିବା ପାଇଁ । ମନୁଷ୍ୟ, ମନୁଷ୍ୟ ସହିତ ସମ୍ମୁଖରେ ମିଶିଥାନ୍ତି । ଏଠାରେ ତୁମେ କହୁଛ, ଆମେ ଶିବବାବାଙ୍କ ସହିତ ମିଶିବାକୁ ଯାଉଛୁ । କହୁଛନ୍ତି ସେ ତ ନିରାକାର ଅଟନ୍ତି ନା । ଆମେ ଆତ୍ମା ମଧ୍ୟ ନିରାକାର ଅଟୁ । ଆମେ ମଧ୍ୟ ଏଠାକୁ ଅଭିନୟ କରିବାକୁ ଆସୁଛି ନା । ଯାହାଙ୍କର ନାମ ଅଛି ସେ ନିଶ୍ଚୟ ପାର୍ଟଧାରୀ ମଧ୍ୟ ଅଟନ୍ତି । ଭଗବାନଙ୍କର ମଧ୍ୟ ନାମ ଅଛି ନା । ନିରକାର ଶିବଙ୍କୁ ହିଁ ଭଗବାନ କୁହାଯାଉଛି, ଆଉ କାହାକୁ ଭଗବାନ କହିବେ ନାହିଁ । ଭଗବାନ ନିରାକାର ବୋଲି ଗାୟନ କରାଯାଇଥାଏ । ତାଙ୍କର ପୂଜା ହେଉଛି, ଆତ୍ମାମାନଙ୍କର ମଧ୍ୟ ପୂଜା ହେଉଛି । ରୁଦ୍ର ଯଜ୍ଞ ରଚନା କରୁଛନ୍ତି ନା । ସେମାନେ ମାଟିର ଶାଳଗ୍ରାମ ତିଆରି କରୁଛନ୍ତି । ପଥରରେ କର ବା ମାଟିରେ । ମାଟିରେ କରି ଭାଙ୍ଗିବା ଏବଂ ପୁଣି ତିଆରି କରିବା ସହଜ ହୋଇଥାଏ । ଦୁନିଆ ତ ଏହି କଥାକୁ ଜାଣିନାହିଁ । ରୁଦ୍ର ଯଜ୍ଞରେ କେତେ ଆତ୍ମାମାନଙ୍କର ପୂଜା କରିପାରିବେ । ପିଲାମାନେ ତ ଢେର ଅଛନ୍ତି । ସବୁ ଭକ୍ତ ଭଗବାନଙ୍କର ସନ୍ତାନ ଅଟନ୍ତି, ତାଙ୍କୁ ମନେ ପକାଉଛନ୍ତି । ବାବା ବୁଝାଉଛନ୍ତି - ଶିବବାବା ଭାରତକୁ ଆସୁଛନ୍ତି । ତୁମେ ଅଳ୍ପ କେତେକ ସନ୍ତାନ ତାଙ୍କର ସାହାଯ୍ୟକାରୀ, ଈଶ୍ୱରୀୟ ସେବାଧାରୀ ହେଉଛ, ତୁମର ହିଁ ପୂଜା ଭକ୍ତମାନେ ଶାଳଗ୍ରାମ ତିଆରି କରି କରୁଛନ୍ତି, ଯେଉଁମାନେ ଯଜ୍ଞ କରୁଛନ୍ତି ସେଥିରେ ଛୋଟ ଯଜ୍ଞ ମଧ୍ୟ ହୋଇଥାଏ, ବଡ ମଧ୍ୟ ହୋଇଥାଏ । ବଡ ଧନୀ ଲୋକେ ବଡ ଯଜ୍ଞ ରଚନା କରିଥାନ୍ତି । ଲକ୍ଷ-ଲକ୍ଷ ଶାଳଗ୍ରାମ ତିଆରି କରିଥାନ୍ତି, ଛୋଟ ଯଜ୍ଞ ହେବ ତ ୫-୧୦ ହଜାର ଶାଳଗ୍ରାମ ତିଆରି କରିବେ । ଯେପରି ଧନୀ ସେହିପରି ଯଜ୍ଞ ଓ ପୁଣି ସେତିକି ଶାଳଗ୍ରାମ ତିଆରି କରିଥାନ୍ତି । ଗୋଟିଏ ଶିବଲିଙ୍ଗ ଆଉ ବାକି ସବୁ ଶାଳଗ୍ରାମ ତିଆରି କରିଥାନ୍ତି, ପୁଣି ସେତିକି ବ୍ରାହ୍ମଣ ମଧ୍ୟ ଆବଶ୍ୟକ । ଅନେକ ଯଜ୍ଞ ମଧ୍ୟ ଦେଖିଥିବେ । ତୁମେ ଜାଣିଛ ବାବା ଆମ ପିଲାମାନଙ୍କର ସେବା କରୁଛନ୍ତି, ଆମେ ପୁଣି ଅନ୍ୟମାନଙ୍କର ସେବା କରୁଛୁ ସେଥିପାଇଁ ଆମର ପୂଜା ହେଉଛି । ତୁମେ ଏବେ ପୂଜ୍ୟ ହେଉଛ । ଆତ୍ମା କହୁଛି ବାବା ଆପଣ ତ ସର୍ବଦା ପୂଜ୍ୟ ଅଟନ୍ତି, ଆମକୁ ମଧ୍ୟ ପୂଜ୍ୟ କରାଉଛନ୍ତି । ତୁମେ ପୂଜ୍ୟ ଆତ୍ମା ଶରୀର ନେଲେ କହିବେ ପୂଜ୍ୟ ଦେବୀ-ଦେବତା । ଆତ୍ମା ହିଁ ପୂଜ୍ୟ ଅଥବା ପୂଜାରୀ ହୋଇଥାଏ । ବାବା ଥରେ ମାତ୍ର ଆସୁଛନ୍ତି । ପୁଣି କେବେ ବାବା ଆତ୍ମାମାନଙ୍କୁ ପାଠ ପଢାଇବେ ଏପରି ହୋଇପାରିବ ନାହିଁ । ଆତ୍ମା ହିଁ ଶୁଣୁଛି । ଯେପରି ଆତ୍ମା ଶରୀର ଦ୍ୱାରା ଶୁଣିଥାଏ, ସେହିପରି ପରମପିତା ପରମାତ୍ମା, ସୁପ୍ରିମ ଆତ୍ମା ମଧ୍ୟ ଶରୀରର ଆଧାର ନେଇ ଏହାଙ୍କ ଦ୍ୱାରା ଶୁଣୁଛନ୍ତି । ଏହାଙ୍କ ଦ୍ୱାରା ତୁମକୁ ରାଜଯୋଗ ଶିଖାଉଛନ୍ତି । ତାଙ୍କର ତ ନିଜର ଶରୀର ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ନିଜର ସୂକ୍ଷ୍ମ ଶରୀର ରହିଛି । ଏଠାରେ ତ ସମସ୍ତଙ୍କର ନିଜ-ନିଜର ଶରୀର ଅଛି । ଏହା ହେଉଛି ସାକାରୀ ଦୁନିଆ । ଶିବବାବା ହେଉଛନ୍ତି ନିରାକାର । ସେ ଜ୍ଞାନର ସାଗର, ସୁଖର ସାଗର, ପ୍ରେମର ମଧ୍ୟ ସାଗର ଅଟନ୍ତି । ସେ ଆସି ସମସ୍ତଙ୍କୁ ପତିତରୁ ପବିତ୍ର କରାଉଛନ୍ତି । ଏଥିରେ ପ୍ରେରଣାର କୌଣସି କଥା ନାହିଁ । ମୋତେ ଯଦି ପ୍ରେରଣା ଦ୍ୱାରା ପବିତ୍ର କରାଇବାର ଥାନ୍ତା, ତେବେ ପୁଣି ଏଠାକୁ ଆସି ରଥ ନେବାର କ’ଣ ଦରକାର ଥିଲା । ଶିବଙ୍କ ମନ୍ଦିର ଆଗରେ ବୃଷଭ ରଖିଥାନ୍ତି । ମନୁଷ୍ୟମାନଙ୍କର ବୁଦ୍ଧି ବିଲ୍‌କୁଲ୍ ହିଁ ପଥରବୁଦ୍ଧି ହୋଇଯାଇଥିବା କାରଣରୁ କିଛି ହେଲେ ବି ବୁଝୁନାହାଁନ୍ତି । ସେହିଭଳି ଶିବଙ୍କ ଆଗରେ ଷଣ୍ଢ କାହିଁକି ରଖୁଛନ୍ତି? ଗୋଶାଳା ନାମ ଶୁଣିଥିବାରୁ ବୃଷଭ ରଖିଦେଇଛନ୍ତି । ତେବେ ବୃଷଭ ଉପରେ କିଏ ସବାରୀ କରିଥିଲେ! ଶ୍ରୀକୃଷ୍ଣଙ୍କ ଆତ୍ମା ତ ସତ୍ୟଯୁଗରେ ରହିବ । ତାଙ୍କର କ’ଣ ଦରକାର ଅଛି ଯେ ପଶୁ ଉପରେ ବସିବେ । କିଛି ହେଲେ ମଧ୍ୟ ବୁଝୁନାହାଁନ୍ତି । ସେହିଭଳି ଦ୍ରୌପଦୀ ମଧ୍ୟ ଜଣେ ନ ଥିଲେ, ଢେର ଅଛନ୍ତି, ଯେଉଁମାନେ କି ଭଗବାନଙ୍କୁ ଡାକୁଛନ୍ତି । ସେମାନେ ତ ଗୋଟିଏ ନାଟକ କରିଦେଇଛନ୍ତି ଯେ ଶ୍ରୀକୃଷ୍ଣ ଶାଢ଼ୀ ଦେଇ ଚାଲିଲେ କିନ୍ତୁ ଏହାର ଅର୍ଥ କିଛି ହେଲେ ବୁଝୁନାହାଁନ୍ତି । ଏବେ ତୁମେମାନେ ଜାଣୁଛ ତୁମେ ୨୧ ଜନ୍ମ ପାଇଁ ନଗ୍ନ ହେବ ନାହିଁ । କେଉଁଠାର କଥା କେଉଁଠାକୁ ନେଇଯାଇଛନ୍ତି । ଭକ୍ତିମାର୍ଗରେ ଅସରନ୍ତି କାହାଣୀ ରହିଛି । କହନ୍ତି ଏହି କଥା ଆଦି ସବୁ ଅନାଦି ଅଟେ । ପୁନର୍ଜନ୍ମ ନେଇ ଶୁଣି ଆସୁଛନ୍ତି । ଅନାଦି ମଧ୍ୟ କେବେଠାରୁ ଆରମ୍ଭ ହେଲା, କିଛି ଜାଣିନାହାଁନ୍ତି, ଏକଥା ମଧ୍ୟ ଜାଣିନାହାଁନ୍ତି ଯେ ରାବଣ ରାଜ୍ୟ କେବେଠାରୁ ଆରମ୍ଭ ହେଉଛି । ଏହାର କୌଣସି ବର୍ଣ୍ଣନା ନାହିଁ । ତୁମେ କେତେ ସେବା କରୁଛ । ସୂର୍ଯ୍ୟ, ଚନ୍ଦ୍ର, ତାରା ଆଦି ତ ସବୁବେଳେ ରହିଛନ୍ତି, ସତ୍ୟଯୁଗରେ ମଧ୍ୟ ରହିବେ, ଏବେ ମଧ୍ୟ ଅଛନ୍ତି । ତାଙ୍କର ଅଦଳ ବଦଳ ହେଉନାହିଁ । ତୁମେ ଏବେ ନିମିତ୍ତ ହୋଇଛ, ଭାରତକୁ ପୁଣି ଥରେ ଅନ୍ଧକାରରୁ ବାହାର କରି ଆଲୋକକୁ ଆଣିବା ପାଇଁ । ଭକ୍ତିମାର୍ଗକୁ ଅନ୍ଧକାର କୁହାଯାଉଛି । ତୁମର ମହିମା ଅଛି, ତୁମେ ଧରିତ୍ରୀର ତାରା ଅଟ । ତାରା ଅଛି ତ ଚନ୍ଦ୍ର ସୂର୍ଯ୍ୟ ମଧ୍ୟ ରହିବା ଦରକାର ।

ଏହା ହେଉଛି ତୁମର ରୁହାନୀ ତୀର୍ଥ । ତୁମେ ଏପରି ଯାତ୍ରା କରୁଛ ଯେଉଁଠାରୁ ପୁଣି ଏହି ମୃତ୍ୟୁଲୋକକୁ ଆସିବ ନାହିଁ । ବର୍ତ୍ତମାନ ଏହା ମୃତ୍ୟୁଲୋକ ଅଟେ, ପୁଣି ଏହିଠାରେ ହିଁ ଅମରଲୋକ ହେବ । ଦ୍ୱାପରରୁ ମୃତ୍ୟୁଲୋକ ଆରମ୍ଭ ହେଉଛି । ଏବେ ତୁମେ ସତ୍ୟ-ସତ୍ୟ ଅମରକଥା ଶୁଣୁଛ - ଅମର ଲୋକକୁ ଯିବା ପାଇଁ । ତୁମେ ଜାଣିଛ ଯେ ଆମ ଆତ୍ମାମାନଙ୍କର ଯାତ୍ରା ସବୁଠାରୁ ଅଲଗା । ତୁମେ ଏଠାରେ ବସି ଯାତ୍ରା କରିବା ପାଇଁ ପୁରୁଷାର୍ଥ କରୁଛ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ । ମନୁଷ୍ୟମାନେ ଯେଉଁ ଯାତ୍ରା କରିଥାନ୍ତି । ତାଦ୍ୱାରା ବିକର୍ମ ବିନାଶ କେଉଁଠି ହୋଇଥାଏ? ମଦ୍ୟପାନ କରିବାର ଅଭ୍ୟାସ ମନୁଷ୍ୟମାନଙ୍କର ଏପରି ଥାଏ ଯେ ଯାତ୍ରା କରିବା ସମୟରେ ମଧ୍ୟ ନିଶ୍ଚୟ ଲୁଚାଇକରି ନେଇଥାନ୍ତି । ଆଜିକାଲି ତ ଯାତ୍ରା କରିବା ସମୟରେ ବହୁତ ବିକାରଗ୍ରସ୍ତ ହେଉଛନ୍ତି । ସମସ୍ତେ ତ ପତିତ ଅଟନ୍ତି ନା । ଯେପରି ବ୍ରାହ୍ମଣ ପତିତ ଅଟନ୍ତି, ସେହିପରି ଯାତ୍ରୀମାନେ ମଧ୍ୟ ପତିତ ହୋଇଥାନ୍ତି । ପଣ୍ଡାମାନେ ଯାତ୍ରା କରାଇଥାନ୍ତି, କିନ୍ତୁ ସେମାନେ ପବିତ୍ର ନୁହଁନ୍ତି । ତୁମେ ତ ପବିତ୍ର ରହୁଛ । ତୁମେ ହିଁ ସଚ୍ଚା ବ୍ରାହ୍ମଣ ଅଟ । ତୁମର ଆତ୍ମା ପବିତ୍ର ରହୁଛି । ଯୋଗର ଯାତ୍ରା କରିବା ଦ୍ୱାରା ହିଁ ତୁମେ ପବିତ୍ର ହେଉଛ । ତୁମକୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ବାରମ୍ବାର ଲେଖୁଛନ୍ତି - “ମିଠେ ବଚ୍ଚେ” । ଏହା ଶିବବାବା ଆତ୍ମାମାନଙ୍କୁ ଲେଖିଲେ । ମୋତେ ମନେ ପକାଅ ତେବେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇ ସତ୍ତ୍ୱପ୍ରଧାନ ଦୁନିଆର ମାଲିକ ହୋଇଯିବ । ବାସ୍ ଏହି ଗୋଟିଏ ନିର୍ଦ୍ଦେଶ ହେଲା ମୁଖ୍ୟ । କେତେ ସହଜ ଅଟେ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ, ନ ହେଲେ ବିକର୍ମ ବିନାଶ ହେବ ନାହିଁ ପୁଣି ଦଣ୍ଡ ଭୋଗ କରିବ । ବାବା ତ କହୁଛନ୍ତି ତୁମେ ଯେଉଁଆଡେ ବି ଯାଅ ରୋଜଗାର କରିପାରିବ । ଉଠ, ବସ, ଯାଅ କେବଳ ବାବାଙ୍କୁ ମନେ ପକାଉଥାଅ । ଏଥିରେ ତୁମର ରୋଜଗାର ହେବ । ପିଲାମାନଙ୍କ ପାଇଁ ତ ଆହୁରି ସହଜ । ଏଥିରେ ଧ୍ୟାନ ଦେବାର କଥା ହିଁ ନାହିଁ । ଶ୍ରୀନାଥଙ୍କ ମନ୍ଦିରରେ ଶ୍ରୀନାଥଙ୍କ ସ୍ମୃତିରେ ବସିଥାନ୍ତି । ଭୋଗ ଲଗାଇଥାନ୍ତି । ତାହା ତ ପଥରର ମୂର୍ତ୍ତି ଅଟେ ନା । ଭୋଗ କାହାକୁ ଲଗାଇବା ଦରକାର? ଅଧିକାରୀ ତ ଏକମାତ୍ର ଶିବବାବା ହିଁ ଅଟନ୍ତି । ସେ ହେଲେ ସମସ୍ତଙ୍କର ସଦ୍‌ଗତି ଦାତା ପତିତ-ପାବନ । ବାବା କହୁଛନ୍ତି - ମୁଁ କିଛି ସ୍ୱୀକାର ହିଁ କରୁନାହିଁ । ତୁମେ ମୋ ଉପରେ କ୍ଷୀର ବି ପାଣି ମିଶାଇ ଢାଳୁଛ, ଭୋଗ ଲଗାଉଛ, କାହିଁକି? ମୁଁ ତ ନିରାକାର ଅଭୋକ୍ତା ଅଟେ! ମୋର କି ପୂଜା କରୁଛ । ମୋ ଆଗରେ ଭୋଗ ରଖୁଛ, କିନ୍ତୁ ଭକ୍ତମାନେ ଭୋଗ ଲଗାଇଲେ, ସେହିମାନେ ହିଁ ବାଣ୍ଟିକରି ଖାଇଲେ । ତୁମେ ଜାଣିଛ ଶିବବାବାଙ୍କୁ ଭୋଗ ତ ନିଶ୍ଚୟ ଲଗାଇବାକୁ ହେବ । ପୁଣି ବାଣ୍ଟି କରି ତୁମେ ଖାଉଛ । ଏହା ଯେପରି କାହାର ସମ୍ମାନ ରଖିବା ଅଟେ । ଆମେ ଶିବବାବାଙ୍କୁ ଭୋଗ ଲଗାଉଛୁ । ଶିବବାବାଙ୍କର ଭଣ୍ଡାର ଅଟେ ନା । ଯାହାଙ୍କର ଭଣ୍ଡାର ଅଟେ ତାଙ୍କୁ ନିଶ୍ଚୟ ଭୋଗ ଲଗାଇବାକୁ ପଡିବ । ଯଦିଓ ତୁମେ ଭୋଗ ଲଗାଉଛ, ତୁମେ ପିଲାମାନେ ହିଁ ଖାଉଛ । ଏହି ବ୍ରହ୍ମା ଖାଉଛନ୍ତି, ମୁଁ ଖାଉନାହିଁ । ବାକି ବାସନା ତ ଆସିବ ନା । ବହୁତ ଭଲ ଭୋଗ ତିଆରି କରିଛ । କହିବା ପାଇଁ କର୍ମେନ୍ଦ୍ରିୟ ତ ଅଛି ନା । ଏହି ବ୍ରହ୍ମା ଖାଇପାରିବେ । ଏହି ଶରୀର ତ ତାଙ୍କର ଅଟେ । ମୁଁ କେବଳ ଏହାଙ୍କ ଶରୀରରେ ଆସି ପ୍ରବେଶ କରୁଛି । ତାଙ୍କର ମୁଖ ହିଁ କାମରେ ଲଗାଉଛି - ତୁମ ପିଲାମାନଙ୍କୁ ପତିତରୁ ପାବନ କରାଇବା ପାଇଁ । ଗୋମୁଖ ମଧ୍ୟ କହୁଛନ୍ତି ନା । ବାସ୍ତବରେ ଗୋମାତା ମଧ୍ୟ ଏହି ବ୍ରହ୍ମା ଅଟନ୍ତି । ତୁମେ ଜାଣିଛ ଏହାଙ୍କ ଦ୍ୱାରା ହିଁ ତୁମମାନଙ୍କୁ ପୋଷ୍ୟ କରୁଛନ୍ତି । ଇଏ ମାତା-ପିତା ଉଭୟ ଅଟନ୍ତି । କିନ୍ତୁ ମାତାମାନଙ୍କୁ ସମ୍ଭାଳିବ କିଏ! ତେଣୁ ଡ୍ରାମାର ଯୋଜନା ଅନୁସାରେ ସରସ୍ୱତୀଙ୍କୁ ନିମିତ୍ତ ରଖାଯାଇଛି । ମାତା ଗୁରୁଙ୍କର ମହିମା ମଧ୍ୟ ଦରକାର ନା । ଇଏ ତ ପ୍ରଥମ ନମ୍ବର ଗୁରୁ ହେବାରେ ପ୍ରସିଦ୍ଧ ଅଟନ୍ତି । ଗୁରୁ ବ୍ରହ୍ମା କୁହନ୍ତି ମଧ୍ୟ । ଯେପରି ପିତା ସେହିପରି ସନ୍ତାନ । ତୁମେ ବ୍ରାହ୍ମଣ ମଧ୍ୟ ସଚ୍ଚା ଗୁରୁ ହେଉଛ । ସମସ୍ତଙ୍କୁ ସ୍ୱର୍ଗର ସଚ୍ଚା ରାସ୍ତା ବତାଉଛ । ଆତ୍ମା ହିଁ ମୁଖ ଦ୍ୱାରା ରାସ୍ତା ବତାଉଛି ଯେ ମନମନାଭବ, ମଧ୍ୟାଜୀଭବ । ପିତା, ମାତା ଏବଂ ସନ୍ତାନମାନେ ସମସ୍ତେ ସେହି ରାସ୍ତା ବତାଉଛନ୍ତି । ଏଠାରେ ତୁମେ ସମ୍ମୁଖରେ ବସିଛ, ସେଥିପାଇଁ ମନେ ରହୁଛି । ପୁଣି ଘରକୁ ଗଲେ ବହୁତ ପିଲା ଭୁଲି ଯାଉଛନ୍ତି । ଏଠାରେ ଆନନ୍ଦ ଲାଗୁଛି ଯେ ଆମେ ବାବାଙ୍କ ପାଖକୁ ଆସିଛନ୍ତି । ବାବା କହୁଛନ୍ତି ତୁମେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ଏହି ଉପାୟ ବତାଅ କି ମୁକ୍ତିଧାମକୁ, ବାବାଙ୍କୁ ଏବଂ ବର୍ସାକୁ ମନେ ପକାଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପରସ୍ପର ମଧ୍ୟରେ ଜଣେ ଅନ୍ୟ ଜଣଙ୍କୁ ଅଥବା ବାବାଙ୍କୁ ଯଥାର୍ଥ ସମ୍ମାନ ଦେବାକୁ ହେବ । ଯଦିଓ ବାବା ଅଭୋକ୍ତା ଅଟନ୍ତି କିନ୍ତୁ ଯାହାଙ୍କର ଭଣ୍ଡାରରୁ ତୁମର ପାଳନା ହେଉଛି, ତାଙ୍କୁ ପ୍ରଥମେ ନିଶ୍ଚୟ ସ୍ୱୀକାର କରାଇବାକୁ ହେବ ।

(୨) ପୂଜନୀୟ ହେବା ପାଇଁ ଈଶ୍ୱରୀୟ ସେବାଧାରୀ ହେବାକୁ ପଡିବ । ବାବାଙ୍କ ସାଥିରେ ସେବାରେ ସହଯୋଗୀ ହେବାକୁ ପଡିବ । ଯେବେ ଆତ୍ମା ଏବଂ ଶରୀର ଉଭୟ ପବିତ୍ର ହେବେ, ତେବେ ଯାଇ ତୁମର ପୂଜା ହେବ ।

ବରଦାନ:-
ନିଜ ପ୍ରତି ବା ସର୍ବ ଆତ୍ମାଙ୍କ ପ୍ରତି ଲ ଫୁଲ ଅର୍ଥାତ୍ ନୀତିନିଷ୍ଠ ରହୁଥିବା ଲ ମେକର ଅର୍ଥାତ୍ ନିୟମର ନିର୍ମାତା ତଥା ନବ ବିଶ୍ୱ ନିର୍ମାତା ଭବ ।

ଯେଉଁମାନେ ନିଜ ପ୍ରତି ନୀତିନିଷ୍ଠ ରହିଥାଆନ୍ତି, ସେମାନେ ଅନ୍ୟମାନଙ୍କ ପ୍ରତି ମଧ୍ୟ ନୀତିନିଷ୍ଠ ରହିପାରିବେ । ଯେଉଁମାନେ ନିଜେ ନିୟମ ଭଙ୍ଗ କରିଥାଆନ୍ତି, ସେମାନେ ଅନ୍ୟମାନଙ୍କ ଉପରେ ମଧ୍ୟ ନିୟମ ଲାଗୁ କରିପାରିବେ ନାହିଁ । ସେଥିପାଇଁ ନିଜେ ନିଜକୁ ଦେଖ ଯେ ସକାଳ ଠାରୁ ରାତି ପର୍ଯ୍ୟନ୍ତ ମନର ସଂକଳ୍ପରେ, ବାଣୀରେ, କର୍ମରେ, ସମ୍ପର୍କରେ ବା ପରସ୍ପରକୁ ସହଯୋଗ ଦେବାରେ ବା ସେବାରେ କେଉଁଠି ବି ମୋ ଦ୍ୱାରା ନିୟମ ଭଙ୍ଗ ହେଉ ନାହିଁ ତ! ଯେଉଁମାନେ ନୀତି ବା ନିୟମର ନିର୍ମାତା ଅଟନ୍ତି, ସେମାନେ କେବେ ବି ନିୟମ ଭଙ୍ଗ କରିପାରିବେ ନାହିଁ । ତେଣୁ ଯେଉଁମାନେ ବର୍ତ୍ତମାନ ସମୟରେ ନୀତି ନିର୍ମାତା ହୋଇଥାଆନ୍ତି, ସେହିମାନେ ହିଁ ଶାନ୍ତି ସ୍ଥାପନକର୍ତ୍ତା ଏବଂ ନବ ବିଶ୍ୱ ନିର୍ମାତା ହୋଇଯାଆନ୍ତି ।

ସ୍ଲୋଗାନ:-
କର୍ମ କରୁଥିଲେ ମଧ୍ୟ କର୍ମର ଭଲ ବା ମନ୍ଦ ପ୍ରଭାବରେ ପ୍ରଭାବିତ ନ ହେବା ହିଁ କର୍ମାତୀତ ହେବା ।

ଅବ୍ୟକ୍ତ ଈଶାରା:- ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଜ୍ୱାଳା ସ୍ୱରୂପ ଯୋଗ କରିବା ପାଇଁ ମନ ଏବଂ ବୁଦ୍ଧିକୁ ପ୍ରଥମେ ତ ଶକ୍ତିଶାଳୀ ବ୍ରେକ୍ ଦରକାର, ଦ୍ୱିତୀୟରେ ତା’ର ଦିଗକୁ ପରିବର୍ତ୍ତନ କରିବାର ଶକ୍ତି ମଧ୍ୟ ଦରକାର । ଏହାଦ୍ୱାରା ବୁଦ୍ଧିର ଶକ୍ତି ବା କୌଣସି ବି ଶକ୍ତି ନଷ୍ଟ ନ ହୋଇ ଜମା ହୋଇଥାଏ ଏବଂ ଯେତିକି ଜମା ହେବ ସେହି ଅନୁସାରେ ପରଖିବାର ଶକ୍ତି ଏବଂ ନିର୍ଣ୍ଣୟ କରିବାର ଶକ୍ତି ମଧ୍ୟ ବଢିବ । ଏଥିପାଇଁ ଏବେ ସଂକଳ୍ପର ବିସ୍ତାରକୁ ବନ୍ଦ କରିଚାଲ ଅର୍ଥାତ୍ ଏକତ୍ରିକରଣର ଶକ୍ତିକୁ ଧାରଣ କର ।