30.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ମାୟାରୂପୀ ଶତ୍ରୁ ତୁମ ସାମନାରେ ଅଛି ସେଥିପାଇଁ ନିଜେ ବହୁତ ସାବଧାନ ରୁହ ଯଦି ଚାଲୁଚାଲୁ ମାୟାରେ ଛନ୍ଦି ହୋଇଯିବ ତେବେ ନିଜର ଭାଗ୍ୟରେ ପୂର୍ଣ୍ଣଚ୍ଛେଦ ଲଗାଇଦେବ ।”

ପ୍ରଶ୍ନ:-
ତୁମେ ରାଜଯୋଗୀ ପିଲାମାନଙ୍କର ମୁଖ୍ୟ କର୍ତ୍ତବ୍ୟ କ’ଣ?

ଉତ୍ତର:-
ପଢିବା ଏବଂ ପଢାଇବା । ଏହା ହିଁ ତୁମର ମୁଖ୍ୟ କର୍ତ୍ତବ୍ୟ । ତୁମେମାନେ ଇଶ୍ୱରୀୟ ମତରେ ଅଛ । ତେଣୁ ତୁମକୁ କୌଣସି ଜଙ୍ଗଲକୁ ଯିବାର ଆବଶ୍ୟକତା ନାହିଁ । ଘର ଗୃହସ୍ଥରେ ରହି ଶାନ୍ତିରେ ବସି ବାବାଙ୍କୁ ମନେ ପକାଇବାକୁ ହେବ । ଅଲଫ ଅର୍ଥାତ୍ ବାବା ଏବଂ ବେ ଅର୍ଥାତ୍ ସମ୍ପତ୍ତି, ଏହି ଦୁଇଟି ଶବ୍ଦରେ ହିଁ ତୁମର ସମ୍ପୂର୍ଣ୍ଣ ପାଠପଢା ଅନ୍ତର୍ନିହିତ ।

ଓମ୍ ଶାନ୍ତି ।
ବାବା ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ପିଲାମାନଙ୍କୁ ଗୁଡମର୍ଣ୍ଣିଙ୍ଗ୍ କହିପାରିବେ, କିନ୍ତୁ ପୁଣି ପିଲାମାନଙ୍କୁ ମଧ୍ୟ ତା’ର ପ୍ରତ୍ୟୁତ୍ତର ଦେବାକୁ ପଡିବ । ଏଠାରେ ବାବା ଏବଂ ପିଲାମାନଙ୍କର କନେକ୍‌ସନ୍ ରହିଛି । ନୂଆମାନେ ଯେ ପର୍ଯ୍ୟନ୍ତ ପକ୍କା ନ ହୋଇଛନ୍ତି, କିଛି ନା କିଛି ପ୍ରଶ୍ନ ପଚାରୁଥିବେ । ଏହା ତ ପାଠପଢା ଅଟେ, ଭଗବାନୁବାଚ ମଧ୍ୟ ଲେଖା ହୋଇଛି । ଭଗବାନ ନିରାକାର ଅଟନ୍ତି । ଏହି କଥାକୁ ଅନ୍ୟ କାହାକୁ ବୁଝାଇବା ପାଇଁ ବାବା ଭଲ ଭାବରେ ପିଲାମାନଙ୍କୁ ବୁଝାଇଥା’ନ୍ତି, କାରଣ ସେପଟେ ମାୟାର ପ୍ରଭାବ ରହିଛି । ଏଠାରେ ତ ସେ କଥା ନାହିଁ । ବାବା ତ ଜାଣିଛନ୍ତି - ଯେଉଁମାନେ କଳ୍ପ ପୂର୍ବରୁ ସତ୍ୟଯୁଗୀ ରାଜତ୍ୱ ନେଇଛନ୍ତି ସେମାନେ ଆପେ ଆପେ ଏଠାକୁ ଆସିବେ । ଏପରି ନୁହେଁ କି ଅମୁକ ଚାଲି ନ ଯାଉ, ତାଙ୍କୁ ଧରି ରଖିବା । ଚାଲିଯିବ ଯଦି ଚାଲିଯାଉ । ଏଠାରେ ତ ବଞ୍ଚି ଥାଉ ଥାଉ ମରିବାର ଅଭ୍ୟାସ କରାଯାଉଛି । ବାବା ଆଡପ୍ଟ (ପୋଷ୍ୟ) କରୁଛନ୍ତି । ତେବେ କିଛି ସମ୍ପତ୍ତି ଦେବା ପାଇଁ ହିଁ ପୋଷ୍ୟ ରୂପେ ଗ୍ରହଣ କରାଯାଇଥାଏ । ପିଲାମାନେ ମା-ବାପାଙ୍କ ପାଖକୁ ସମ୍ପତ୍ତିର ଲାଳସାରେ ଆସିଥା’ନ୍ତି । ସାହୁକାରର ସନ୍ତାନ କେବେ ଗରୀବ ପାଖରେ ପୋଷ୍ୟ ହୁଅନ୍ତି କି! ଏତେ ଧନଦୌଲତ ଆଦି ସବୁ ଛାଡି କିପରି ଯିବେ । ସାହୁକାରମାନେ ପୋଷ୍ୟ କରିଥା’ନ୍ତି । ବର୍ତ୍ତମାନ ତୁମେ ଜାଣିଛ ବାବା ଆମକୁ ସ୍ୱର୍ଗର ରାଜତ୍ୱ ଦେଉଛନ୍ତି । ତେବେ କାହିଁକି ତାଙ୍କର ନ ହେବା । ପ୍ରତ୍ୟେକ କଥାରେ ଲାଳସା ତ ରହିଥାଏ ନା । ଯେତେ ଅଧିକ ପଢିବେ ସେତେ ଅଧିକ ଲାଳସା ହେବ । ତୁମେ ମଧ୍ୟ ଜାଣିଛ ବାବା ବେହଦର ସମ୍ପତ୍ତି ଦେବା ପାଇଁ ଆମକୁ ପୋଷ୍ୟ କରିଛନ୍ତି । ବାବା ମଧ୍ୟ କହୁଛନ୍ତି ତୁମ ସମସ୍ତଙ୍କୁ ମୁଁ ପୁଣି ଆଉ ଥରେ ୫ ହଜାର ବର୍ଷ ପୂର୍ବ ଭଳି ପୋଷ୍ୟ କରୁଛି । ତୁମେ ମଧ୍ୟ କହୁଛ ବାବା ଆମେ ଆପଣଙ୍କର ଅଟୁ । ପାଞ୍ଚ ହଜାର ବର୍ଷ ପୂର୍ବରୁ ମଧ୍ୟ ଆପଣଙ୍କର ହୋଇଥିଲୁ । ତୁମେ ବାସ୍ତବରେ କେତେ ବ୍ରହ୍ମାକୁମାର-କୁମାରୀ ଅଛ । ପ୍ରଜାପିତା ମଧ୍ୟ ନାମୀଗ୍ରାମୀ ଅଟନ୍ତି । ତେବେ ଯେ ପର୍ଯ୍ୟନ୍ତ ଶୁଦ୍ରରୁ ବ୍ରାହ୍ମଣ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଦେବତା ହୋଇପାରିବେ ନାହିଁ । ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଏବେ ଏହି ଚକ୍ର ଘୁରି ଚାଲିଛି - ଆମେ ଶୁଦ୍ର ଥିଲେ, ବର୍ତ୍ତମାନ ବ୍ରାହ୍ମଣ ହୋଇଛୁ ପୁଣି ଦେବତା ହେବୁ । ସତ୍ୟଯୁଗରେ ଆମେ ରାଜତ୍ୱ କରିବୁ । ତେବେ ଏହି ପୁରୁଣା ଦୁନିଆର ବିନାଶ ନିଶ୍ଚିତ ହେବ । ଯେଉଁମାନଙ୍କର ପୁରା ନିଶ୍ଚୟ ହେଉ ନାହିଁ ସେମାନେ ଏଠାରୁ ଛାଡି ଚାଲିଯାଉଛନ୍ତି । କାହାର କାହାର ପୂରା ନିଶ୍ଚୟ ନ ଥିବା କାରଣରୁ ତଳକୁ ଖସିଯାଆନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ମାୟା ରୂପୀ ଶତ୍ରୁ ସମ୍ମୁଖରେ ଛିଡା ହୋଇଛି, ତେଣୁ ସେ ନିଜ ଆଡକୁ ଟାଣି ନେଉଛି । ବାବା ବାରମ୍ବାର ପକ୍କା କରାଉଛନ୍ତି - ପିଲାମାନେ ମାୟାରେ ବାନ୍ଧି ହୋଇଯାଅ ନାହିଁ, ନ ହେଲେ ନିଜ ଭାଗ୍ୟରେ ଡୋର ବାନ୍ଧି ଦେବ । ଏ କଥା କେବଳ ବାବା ହିଁ ପଚାରି ପାରିବେ ଯେ ଆଗରୁ ବାବାଙ୍କ ସହିତ କେବେ ମିଶିଛ? ଆଉ କାହାକୁ ଏଭଳି ପ୍ରଶ୍ନ ପଚାରିବାର ବୁଦ୍ଧି ଆସିବ ହିଁ ନାହିଁ । ବାବା କହୁଛନ୍ତି ମୋତେ ମଧ୍ୟ ପୁଣି ଥରେ ଗୀତା ଶୁଣାଇବା ପାଇଁ ଆସିବାକୁ ପଡିବ । ଆସି ରାବଣର ଜେଲରୁ ସମସ୍ତଙ୍କୁ ମୁକ୍ତ କରିବାକୁ ପଡିବ । ବେହଦର ବାବା ବେହଦର କଥା ବୁଝାଉଛନ୍ତି । ବର୍ତ୍ତମାନ ରାବଣର ପତିତ ରାଜ୍ୟ ଯାହାକି ଅଧାକଳ୍ପରୁ ଆରମ୍ଭ ହୋଇଛି । ରାବଣର ଦଶଟି ମୁଣ୍ଡ ଦେଖାଇଥା’ନ୍ତି । ବିଷ୍ଣୁଙ୍କର ଚାରିଟି ଭୂଜା ଦେଖାଇଥା’ନ୍ତି । କିନ୍ତୁ ଏପରି କୌଣସି ମନୁଷ୍ୟ ନ ଥା’ନ୍ତି । ଏହା ତ ପ୍ରବୃତ୍ତିମାର୍ଗର ଚିହ୍ନ ରୂପେ ଦର୍ଶାଯାଇଥାଏ । ଏହା ହେଉଛି ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ, ବିଷ୍ଣୁଙ୍କ ଦ୍ୱାରା ପାଳନା । ବିଷ୍ଣୁପୁରୀକୁ କୃଷ୍ଣପୁରୀ ମଧ୍ୟ କୁହାଯାଏ । ଶ୍ରୀକୃଷ୍ଣଙ୍କର ତ ଦୁଇ ହାତ ହିଁ ଦେଖାଇଛନ୍ତି । ମନୁଷ୍ୟ ତ କିଛି ବି ବୁଝୁ ନାହାଁନ୍ତି । ବାବା ପ୍ରତ୍ୟେକ କଥା ବୁଝାଉଛନ୍ତି । ସେ ସବୁ ହେଉଛି ଭକ୍ତିମାର୍ଗ । ବର୍ତ୍ତମାନ ତୁମର ଜ୍ଞାନ ଅଛି, ତୁମର ଲକ୍ଷ୍ୟ ହିଁ ହେଲା ନରରୁ ନାରାୟଣ ହେବା । ଏହି ଗୀତା ପାଠଶାଳା ଜୀବନମୁକ୍ତି ପ୍ରାପ୍ତ କରିବା ପାଇଁ ହିଁ ତିଆରି ହୋଇଛି । ସେଥିପାଇଁ ବ୍ରାହ୍ମଣ ତ ନିଶ୍ଚିତ ଆବଶ୍ୟକ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ । ଶିବଙ୍କୁ ରୁଦ୍ର ମଧ୍ୟ କୁହାଯାଏ । ଏବେ ବାବା ପଚାରୁଛନ୍ତି ଜ୍ଞାନଯଜ୍ଞ କୃଷ୍ଣଙ୍କର ନା ଶିବଙ୍କର? ଶିବଙ୍କୁ ପରମାତ୍ମା ହିଁ କହିଥା’ନ୍ତି, ଶଙ୍କରଙ୍କୁ ଦେବତା କହନ୍ତି, ସେମାନେ ପୁଣି ଶିବ ଓ ଶଙ୍କରଙ୍କୁ ଏକାଠି କରିଦେଇଛନ୍ତି । ଏବେ ବାବା କହୁଛନ୍ତି ମୁଁ ବର୍ତ୍ତମାନ ୟାଙ୍କ (ବ୍ରହ୍ମାଙ୍କ) ଶରୀରରେ ପ୍ରବେଶ କରିଛି । ତୁମେ ପିଲାମାନେ କହୁଛ ବାପଦାଦା । ସେମାନେ କହୁଛନ୍ତି ଶିବ ଶଙ୍କର । ଜ୍ଞାନର ସାଗର ତ ଜଣେ ହିଁ ଅଟନ୍ତି ।

ବର୍ତ୍ତମାନ ତୁମେ ଜାଣିଛ ଏହି ଜ୍ଞାନ ଦ୍ୱାରା ହିଁ ବ୍ରହ୍ମାରୁ ବିଷ୍ଣୁ ହୋଇଛନ୍ତି । ଏହାର ଅବିକଳ ଚିତ୍ର ମଧ୍ୟ ତିଆରି କରୁଛନ୍ତି, ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଛନ୍ତି । କିନ୍ତୁ ଏହାର ଅର୍ଥକୁ କେହି ବି ବୁଝି ନାହାଁନ୍ତି । ବ୍ରହ୍ମାଙ୍କ ହାତରେ ଶାସ୍ତ୍ର ଦେଇ ଦେଇଛନ୍ତି । ବର୍ତ୍ତମାନ ସବୁ ଶାସ୍ତ୍ରର ସାର କଥା ବାବା ବସି ଶୁଣାଉଛନ୍ତି ନା ବ୍ରହ୍ମା? ଇଏ ମଧ୍ୟ ମାଷ୍ଟର ଜ୍ଞାନର ସାଗର ହେଉଛନ୍ତି । ବାକି ଚିତ୍ର ବହୁତ ତିଆରି କରିଛନ୍ତି, କିନ୍ତୁ ତାହାର କିଛି ଯଥାର୍ଥତା ନାହିଁ । ସେ ସବୁ ହେଲା ଭକ୍ତିମାର୍ଗର ଚିତ୍ର । ମନୁଷ୍ୟ କେହି ୮-୧୦ ଭୂଜାଧାରୀ ନାହାଁନ୍ତି । ଏହା ତ କେବଳ ପ୍ରବୃତ୍ତିମାର୍ଗର ଚିହ୍ନ ରୂପେ ଦର୍ଶାଯାଇଛି । ରାବଣର ମଧ୍ୟ ଅର୍ଥ କ’ଣ ତାହା ମଧ୍ୟ ବୁଝାଇଛନ୍ତି - ଅଧାକଳ୍ପ ରାବଣ ରାଜ୍ୟ, ବ୍ରହ୍ମାଙ୍କର ରାତି । ଅଧାକଳ୍ପ ରାମରାଜ୍ୟ, ବ୍ରହ୍ମାଙ୍କ ଦିନ । ବାବା ପ୍ରତ୍ୟେକ କଥା ବୁଝାଉଛନ୍ତି । ତୁମେ ସମସ୍ତେ ଏକ ବାବାଙ୍କର ସନ୍ତାନ ଅଟ । ବାବା ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା କରୁଛନ୍ତି ଏବଂ ତୁମକୁ ରାଜଯୋଗ ଶିଖାଉଛନ୍ତି । ତେବେ ନିଶ୍ଚିତ ସଂଗମଯୁଗରେ ହିଁ ରାଜଯୋଗ ଶିଖାଇବେ । ଶାସ୍ତ୍ରରେ ଅଛି ଦ୍ୱାପର ଯୁଗରେ ଗୀତା ଶୁଣାଉଛନ୍ତି ଏହା ତ ଭୁଲ କଥା । ବାବା ବର୍ତ୍ତମାନ ସତ୍ୟକଥା ଶୁଣାଉଛନ୍ତି । ଅନେକଙ୍କୁ ବ୍ରହ୍ମାଙ୍କର ଅଥବା ଶ୍ରୀକୃଷ୍ଣଙ୍କର ସାକ୍ଷାତ୍‌କାର ହୋଇଥାଏ । ବ୍ରହ୍ମାଙ୍କୁ ଧଳାପୋଷାକଧାରୀ ରୂପରେ ହିଁ ଦେଖିଥା’ନ୍ତି । ଶିବବାବା ତ ବିନ୍ଦୁ ଅଟନ୍ତି । ତେବେ ବିନ୍ଦୁର ସାକ୍ଷାତ୍‌କାର ହେଲେ କିଛି ବୁଝିପାରିବେ ନାହିଁ । ତୁମେ କହୁଛ ଆମେ ସମସ୍ତେ ଆତ୍ମା ଅଟୁ, ତେବେ ଆତ୍ମାଙ୍କୁ କିଏ ଦେଖିଛନ୍ତି, କେହି ଦେଖି ନାହାଁନ୍ତି । ସିଏ ତ ବିନ୍ଦୁ ଅଟେ । ବୁଝିପାରନ୍ତି ନା । ଯିଏ ଯେଉଁ ଭାବନାରେ ଯାହାଙ୍କର ପୂଜା କରନ୍ତି, ତାଙ୍କୁ ତାହାର ସାକ୍ଷାତ୍‌କାର ହୋଇଥାଏ । ଯଦି ଅନ୍ୟ ରୂପରେ ଦେଖିବେ ତେବେ ଦ୍ୱନ୍ଦ୍ୱରେ ପଡିଯିବେ । ଯଦି ହନୁମାନଙ୍କର ପୂଜା କରୁଥିବେ ତେବେ ତାଙ୍କୁ ହନୁମାନଙ୍କର ସାକ୍ଷାତ୍‌କାର ହେବ । ଗଣେଶଙ୍କ ପୂଜାରୀଙ୍କୁ ଗଣେଶ ହିଁ ଦେଖାଯିବେ । ବାବା କହୁଛନ୍ତି ମୁଁ ତୁମକୁ ଏତେ ଧନବାନ କରାଇଥିଲି, ତୁମର ହୀରା ନୀଳାର ମହଲ ଥିଲା, ତୁମର ଅସରନ୍ତି ଧନ ଥିଲା, ତୁମେ ସେ ସବୁ କେମିତି କେଉଁଠାରେ ହରାଇଦେଲ? ବର୍ତ୍ତମାନ ତୁମେ କାଙ୍ଗାଳ ହୋଇଯାଇଛ, ଭିକ ମାଗୁଛ । ବାବା ତ କହିପାରିବେ ନା । ବର୍ତ୍ତମାନ ତୁମେ ସନ୍ତାନମାନେ ବୁଝିପାରୁଛ ଯେ ବାବା ଆସିଛନ୍ତି, ଆମେ ପୁଣି ଥରେ ବିଶ୍ୱର ମାଲିକ ହେବାକୁ ଯାଉଛେ । ଏହି ଡ୍ରାମା ଅନାଦି ତିଆରି ହୋଇଛି । ଡ୍ରାମାରେ ସମସ୍ତେ ନିଜ ନିଜର ପାର୍ଟ କରୁଛନ୍ତି । କେହି ଗୋଟିଏ ଶରୀର ଛାଡି ଯାଇ ଅନ୍ୟ ଶରୀର ନେଇଥାନ୍ତି, ଏଥିରେ କାନ୍ଦିବାର କୌଣସି କଥା ନାହିଁ । ସତ୍ୟଯୁଗରେ କେବେ କେହି କାନ୍ଦନ୍ତି ନାହିଁ । ବର୍ତ୍ତମାନ ତୁମେ ମୋହଜିତ ହେଉଛ । ମୋହଜିତ ରାଜା ଏହି ଲକ୍ଷ୍ମୀ-ନାରାୟଣ ଆଦି ଅଟନ୍ତି । ସେଠାରେ ମୋହ ନ ଥାଏ । ବାବା ଅନେକ ପ୍ରକାର କଥା ବୁଝାଇ ଚାଲିଛନ୍ତି । ବାବା ନିରାକାର ଅଟନ୍ତି । ସେଥିପାଇଁ ମନୁଷ୍ୟ ତାଙ୍କୁ ନାମ ରୂପରୁ ଭିନ୍ନ ବୋଲି କହି ଦେଉଛନ୍ତି । କିନ୍ତୁ ନାମ ରୂପରୁ ଭିନ୍ନ କୌଣସି ଜିନିଷ ହୋଇ ନ ଥାଏ । ହେ ଭଗବାନ ଓ ଗଡ୍ ଫାଦର ବୋଲି କହୁଛନ୍ତି ନା । ତେବେ ତାଙ୍କର ନାମ ଏବଂ ରୂପ ନିଶ୍ଚିତ ଅଛି । ଲିଙ୍ଗକୁ ଶିବ ପରମାତ୍ମା, ଶିବବାବା ମଧ୍ୟ କହନ୍ତି । ବାସ୍ତବରେ ସିଏ ତ ବାବା ଅଟନ୍ତି ନା । ତେବେ ସେହି ବାବାଙ୍କର ନିଶ୍ଚୟ ପିଲାମାନେ ବି ଥିବେ ନା । ନିରାକାର ଶିବବାବାଙ୍କୁ ନିରାକାର ଆତ୍ମାମାନେ ହିଁ ବାବା ବୋଲି କହୁଛନ୍ତି । ମନ୍ଦିରକୁ ଗଲେ ତାଙ୍କୁ କହିବେ ଶିବବାବା, ପୁଣି ଘରେ ଆସି ବାପାଙ୍କୁ ମଧ୍ୟ ବାବା ବୋଲି କହନ୍ତି । ଆମେ ତାଙ୍କୁ ଶିବବାବା କାହିଁକି କହୁଛୁ ଏହାର ଅର୍ଥକୁ କିଛି ବୁଝୁ ନାହାଁନ୍ତି । ବାବା ଏତେ ଉଚ୍ଚ ପାଠପଢାକୁ ଦୁଇଟି ଅକ୍ଷରରେ ପଢାଉଛନ୍ତି - ଅଲଫ ଅର୍ଥାତ୍ ବାବା, ବେ ଅର୍ଥାତ୍ ବର୍ସା (ସମ୍ପତ୍ତି) । ଅଲଫକୁ ମନେ ପକାଅ ତେବେ ବେ (ସତ୍ୟଯୁଗୀ ସମ୍ପତ୍ତି) ତୁମର । ଏହା ବହୁତ ବଡ ପରୀକ୍ଷା ଅଟେ । ମନୁଷ୍ୟ ବଡ ପରୀକ୍ଷାରେ ପାସ୍ କଲେ ପ୍ରଥମ ପାଠପଢା କ’ଣ ସବୁ ମନେ ରହିଥାଏ । ପାଠ ପଢି ପଢି ଶେଷରେ ସବୁ ସାରାଂଶ ବୁଦ୍ଧିରେ ରହିଯାଏ । ଏହା ମଧ୍ୟ ସେହିପରି ଅଟେ । ତୁମେ ପଢି ପଢି ଆସୁଛ । ଶେଷରେ ପୁଣି ବାବା କହୁଛନ୍ତି ମନମନାଭବ ଅର୍ଥାତ୍ ବାବାଙ୍କୁ ମନେ ପକାଅ ତେବେ ଦେହର ଅଭିମାନ ତୁଟିଯିବ । ଏହି ମନମନାଭବର ଅଭ୍ୟାସ ଥିଲେ ଶେଷ ସମୟରେ ମଧ୍ୟ ବାବା ଓ ବର୍ସା ଅର୍ଥାତ୍ ସତ୍ୟଯୁଗୀ ସମ୍ପତ୍ତି ମନେ ରହିବ । ଏହା ହିଁ ହେଉଛି ମୁଖ୍ୟ କଥା ଏବଂ କେତେ ସହଜ କଥା । ଏବେ ଦେଖ ଲୌକିକ ପାଠରେ କ’ଣ ସବୁ ପଢୁଛନ୍ତି । ଯେପରି ରାଜା ସେପରି ସେ ନିଜର ନୀତି ନିୟମ ପ୍ରଚଳନ କରିଥା’ନ୍ତି । ପୂର୍ବରୁ ମାଣ, ସେର, ପାଏର ହିସାବ ଚାଲୁଥିଲା । ବର୍ତ୍ତମାନ ତ କିଲୋ ଗ୍ରାମ ଆଦି କ’ଣ କ’ଣ ସବୁ ବାହାରିଗଲାଣି । କେତେ ଅଲଗା-ଅଲଗା ପ୍ରଦେଶ ହୋଇଗଲାଣି । ଦିଲ୍ଲୀରେ ଯେଉଁ ଜିନିଷର ସେର ଗୋଟିଏ ଟଙ୍କା, ବମ୍ବେରେ ତାହା ଦୁଇଟଙ୍କାରେ ମିଳିବ, କାରଣ ପ୍ରାନ୍ତ ଭିନ୍ନ ଭିନ୍ନ ଅଟେ । ସମସ୍ତେ ଭାବୁଛନ୍ତି ଆମେ ନିଜର ପ୍ରାନ୍ତକୁ କ’ଣ ଭୋକରେ ମାରିବୁ । କେତେ ଝଗଡା ଆଦି ହେଉଛି । କେତେ ଗଣ୍ଡଗୋଳ ହେଉଛି ।

ଭାରତ କେତେ ସାହୁକାର ଥିଲା ପୁଣି ୮୪ ଜନ୍ମର ଚକ୍ର ଲଗାଇ କାଙ୍ଗାଳ ପତିତ ହୋଇଯାଇଛି । କୁହାଯାଏ ହୀରା ଭଳି ଅମୂଲ୍ୟ ଜନ୍ମ କଉଡି ବଦଳରେ ହରାଇଲ... ବାବା କହୁଛନ୍ତି ତୁମେ କଉଡି ପଛରେ କାହିଁକି ଧାଇଁଛ । ଏବେ ତ ବାବାଙ୍କଠାରୁ ସମ୍ପତ୍ତି ନିଅ, ପବିତ୍ର ହୁଅ । ଡାକୁଛ ମଧ୍ୟ - ହେ ପତିତପାବନ ଆସ, ପାବନ କରାଅ । ତେବେ ଏଥିରୁ ସିଦ୍ଧ ହେଉଛି ଆଗରୁ ପବିତ୍ର ଥିଲେ, ବର୍ତ୍ତମାନ ନାହାଁନ୍ତି । ବର୍ତ୍ତମାନ ହିଁ ହେଉଛି କଳିଯୁଗ । ବାବା କହୁଛନ୍ତି ଯଦି ମୁଁ ପବିତ୍ର ଦୁନିଆ ସ୍ଥାପନ କରାଇବି ତେବେ ପତିତ ଦୁନିଆର ନିଶ୍ଚିତ ବିନାଶ ହେବ । ଏଇଥିପାଇଁ ଏହି ମହାଭାରତ ଲଢେଇ ଦେଖାଯାଇଛି ଯାହାକି ଏହି ରୁଦ୍ର ଜ୍ଞାନ ଯଜ୍ଞରୁ ପ୍ରଜ୍ଜ୍ୱଳିତ ହେଉଛି । ଡ୍ରାମାରେ ତ ଏହି ବିନାଶ ମଧ୍ୟ ନିର୍ଦ୍ଧାରିତ ହୋଇ ରହିଛି । ପ୍ରଥମେ-ପ୍ରଥମେ ତ ବାବାଙ୍କୁ ସାକ୍ଷାତ୍କାର ହେଲା । ଦେଖିଲେ ଏତେ ବଡ ରାଜ ପଦ ମିଳୁଛି ତେଣୁ ବହୁତ ଖୁସି ହେବାରେ ଲାଗିଲେ, ପୁଣି ବିନାଶର ସାକ୍ଷାତ୍‌କାର ମଧ୍ୟ କରାଇଲେ । ମନମନାଭବ, ମଧ୍ୟାଜୀଭବ । ଏହା ଗୀତାର ଅକ୍ଷର ଅଟେ । କିଛି କିଛି ଅକ୍ଷର ଗୀତାରେ ଠିକ୍ ଅଛି । ବାବା ମଧ୍ୟ କହୁଛନ୍ତି, ତୁମକୁ ଏବେ ଏହି ଜ୍ଞାନ ଶୁଣାଉଛି, ଯାହା ପୁଣି ପ୍ରାୟ ଲୋପ ହୋଇଯାଇଥାଏ । କାହାରିକୁ ମଧ୍ୟ ଜଣା ନାହିଁ ଯେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଯେତେବେଳେ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ସେ ସମୟରେ ଜନସଂଖ୍ୟା କେତେ କମ୍ ଥିବ, ବର୍ତ୍ତମାନ ଦେଖ କେତେ ବୃଦ୍ଧି ହୋଇଯାଇଛି । ତେବେ ଏହାର ପରିବର୍ତ୍ତନ ହେବା ଦରକାର । ତେଣୁ ବିନାଶ ନିଶ୍ଚିତ ହେବା ଦରକାର । ମହାଭାରତ ଲଢେଇର ମଧ୍ୟ ବର୍ଣ୍ଣନା ଅଛି । ତେବେ ନିଶ୍ଚିତ ଭଗବାନ ମଧ୍ୟ ଥିବେ । ଶିବ ଜୟନ୍ତୀ ପାଳନ କରୁଛନ୍ତି ତେବେ ଶିବବାବା ଆସି କ’ଣ କରିଛନ୍ତି? ତାହା ମଧ୍ୟ ଜାଣିନାହାଁନ୍ତି । ଏବେ ବାବା ବୁଝାଉଛନ୍ତି, ଗୀତା ଦ୍ୱାରା ଶ୍ରୀକୃଷ୍ଣଙ୍କର ଆତ୍ମାଙ୍କୁ ରାଜପଦ ମିଳୁଛି । ଗୀତାକୁ ମାତା ପିତା ବୋଲି କୁହାଯାଉଛି, ଯାହାଦ୍ୱାରା ତୁମେ ପୁଣି ଦେବତା ହେଉଛ । ଶ୍ରୀକୃଷ୍ଣ ନିଜେ ଗୀତାର ଜ୍ଞାନ ଦ୍ୱାରା ରାଜଯୋଗ ଶିଖି ଏହିପରି ହୋଇଛନ୍ତି । ଦୁନିଆର ମନୁଷ୍ୟମାନେ ଶିବବାବାଙ୍କ ବଦଳରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ତେବେ ବାବା ବୁଝାଉଛନ୍ତି, ଏହା ତ ନିଜ ଭିତରେ ପକ୍କା ନିଶ୍ଚୟ କରିନିଅ, କେହି ଯେପରି କୌଣସି ଓଲଟା ସିଧା କଥା ଶୁଣାଇ ତୁମକୁ ସଂଶୟରେ ପକାଇ ନ ଦିଅନ୍ତୁ । ଏହିଭଳି ବହୁତ କଥା କହୁଛନ୍ତି - ବିକାର ବିନା ସୃଷ୍ଟି କେମିତି ଚାଲିବ? ଏହା କେମିତି ହେବ? ଆରେ, ତୁମେ ନିଜେ କହୁଛ - ତାହା ଅହିଂସକ ଦୁନିଆ ଥିଲା । ଦେବତାମାନେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ ବୋଲି କହୁଛ, ପୁଣି ବିକାରର କଥା କେମିତି ହେବ? ଏବେ ତୁମେ ଜାଣୁଛ ବେହଦର ବାବାଙ୍କଠାରୁ ବେହଦର ସମ୍ପତ୍ତି ମିଳୁଛି, ତେବେ ଏପରି ବାବାଙ୍କୁ କାହିଁକି ମନେ ନ ପକାଇବା? ଏହା ହେଉଛି ପତିତ ଦୁନିଆ । କୁମ୍ଭମେଳାକୁ କେତେ ଲକ୍ଷ-ଲକ୍ଷ ଲୋକ ଯାଇଥାଆନ୍ତି । ଏବେ କହୁଛନ୍ତି ସେଠାରେ ଗୋଟିଏ ନଦୀ ଗୁପ୍ତରେ ଅଛି । କ’ଣ ନଦୀ କେବେ ଗୁପ୍ତ ହୋଇପାରିବ? ଏଠାରେ ମଧ୍ୟ ଗଉମୁଖ ତିଆରି କରିଛନ୍ତି । କହୁଛନ୍ତି ଗଙ୍ଗାନଦୀ ଏଠାକୁ ଆସୁଛି । ଆରେ, ଗଙ୍ଗା ନିଜର ରାସ୍ତା ନେଇ ସମୁଦ୍ରକୁ ଯିବ ନା ଏଠାକୁ ତୁମ ପାଖକୁ ପାହାଡ ଉପରକୁ ଆସିବ । ଭକ୍ତିମାର୍ଗରେ କେତେ ଧକ୍କା ଖାଉଛନ୍ତି । ଜ୍ଞାନ, ଭକ୍ତି ପୁଣି ହେଉଛି ବୈରାଗ୍ୟ । ଗୋଟିଏ ହେଉଛି ହଦର ବୈରାଗ୍ୟ, ଦ୍ୱିତୀୟରେ ହେଉଛି ବେହଦର ବୈରାଗ୍ୟ । ସନ୍ନ୍ୟାସୀ ଘରଦ୍ୱାର ଛାଡି ଜଙ୍ଗଲରେ ରହୁଛନ୍ତି । ଏଠାରେ ତ ସେ କଥା ନାହିଁ । ତୁମେ ବୁଦ୍ଧିରୁ ସାରା ପୁରୁଣା ଦୁନିଆର ସନ୍ନ୍ୟାସ କରୁଛ । ତୁମ ରାଜଯୋଗୀ ପିଲାମାନଙ୍କ ମୁଖ୍ୟ କର୍ତ୍ତବ୍ୟ ହେଲା ପଢିବା ଓ ଅନ୍ୟକୁ ପଢାଇବା । ତେବେ ରାଜଯୋଗ କୌଣସି ଜଙ୍ଗଲରେ କଣ ଶିଖାଯାଇଥାଏ, ଏହା ବିଦ୍ୟାଳୟ ଅଟେ । ଏହାର ଶାଖାମାନ (ସେବାକେନ୍ଦ୍ର) ଖୋଲି ଚାଲିଛି । ତୁମେ ସନ୍ତାନମାନେ ରାଜଯୋଗ ଶିଖୁଛ । ଶିବବାବାଙ୍କଠାରୁ ପାଠପଢିଥିବା ବ୍ରାହ୍ମଣ-ବ୍ରାହ୍ମଣୀମାନେ ତୁମ ସମସ୍ତଙ୍କୁ ଶିଖାଉଛନ୍ତି । ଏବେ ଶିବବାବା କ’ଣ ଏକୁଟିଆ ସମସ୍ତଙ୍କୁ ଶିଖାଇବେ । ତେଣୁ ଏହା ହେଲା ପାଣ୍ଡବ ସରକାର । ତୁମେ ଈଶ୍ୱରୀୟ ମତରେ ଅଛ । ଏଠାରେ ତୁମେ କେତେ ଶାନ୍ତିରେ ବସିଛ, ବାହାରେ ତ ବହୁତ ହଙ୍ଗାମା ହେଉଛି । ବାବା କହୁଛନ୍ତି, ପାଞ୍ଚ ବିକାରର ଦାନ ଦେଇ ଦିଅ, ତେବେ ଗ୍ରହଣ ଛାଡିଯିବ । ମୋର ହୁଅ, ତେବେ ମୁଁ ତୁମର ସବୁ ମନୋକାମନା ପୂର୍ଣ୍ଣ କରିଦେବି । ତୁମେ ସନ୍ତାନମାନେ ଜାଣିଛ ବର୍ତ୍ତମାନ ଆମେମାନେ ସୁଖଧାମକୁ ଯାଉଛୁ, ଏହି ଦୁଃଖଧାମରେ ଏବେ ନିଆଁ ଲାଗିବାର ଅଛି । ପିଲାମାନେ ବିନାଶର ସାକ୍ଷାତ୍‌କାର ମଧ୍ୟ କରିଛନ୍ତି । ବର୍ତ୍ତମାନ ସମୟ ବହୁତ କମ୍‌, ଏଥିପାଇଁ ଯୋଗର ଯାତ୍ରା କରିବାରେ ଲାଗିଗଲେ ବିକର୍ମ ବିନାଶ ହେବ ଏବଂ ଉଚ୍ଚପଦ ପ୍ରାପ୍ତ କରିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ସମ୍ପତ୍ତିର ପୂରା ଅଧିକାର ନେବା ପାଇଁ ବଞ୍ଚି ଥାଉ ଥାଉ ମରିବାକୁ ହେବ । ବାବାଙ୍କର ପୋଷ୍ୟ ପୁତ୍ର ହେବାକୁ ପଡିବ । କେବେ ବି ନିଜର ଶ୍ରେଷ୍ଠ ଭାଗ୍ୟକୁ ପୂର୍ଣ୍ଣଚ୍ଛେଦ ଲଗାଇବାର ନାହିଁ ।

(୨) କୌଣସି ବି ଓଲଟା-ସିଧା କଥା ଶୁଣି ସଂଶୟରେ ଆସିବାର ନାହିଁ । ଟିକିଏ ବି ନିଶ୍ଚୟରେ ହଲଚଲ୍ ହେବାର ନାହିଁ । ଏହି ଦୁଃଖଧାମକୁ ନିଆଁ ଲାଗିବାକୁ ଯାଉଛି, ସେଥିପାଇଁ ନିଜର ବୁଦ୍ଧିଯୋଗ ଏଥିରୁ ତୁଟେଇ ଦେବାର ଅଛି ।

ବରଦାନ:-
ବିଶେଷତା ରୂପୀ ସଂଞ୍ଜିବନୀ ବୁଟୀ ଦ୍ୱାରା ଅଚେତକୁ ସଚେତ କରୁଥିବା ବିଶେଷ ଆତ୍ମା ହୁଅ ।

ପ୍ରତ୍ୟେକ ଆତ୍ମାକୁ ଶ୍ରେଷ୍ଠ ସ୍ମୃତିର ଏବଂ ବିଶେଷତା ଗୁଡିକର ସ୍ମୃତି ରୂପୀ ସଂଜୀବନୀ ବୁଟୀ ଖୁଆଅ । ବୁଟୀ ଅର୍ଥାତ୍ ଔଷଧ ଖୁଆଅ ତେବେ ସେ ଅଚେତରୁ ସଚେତ ହୋଇଯିବେ । ବିଶେଷତାଗୁଡିକର ଦର୍ପଣ ତାଙ୍କ ସମ୍ମୁଖରେ ରଖ । ଏହିଭଳି ଅନ୍ୟମାନଙ୍କୁ ସ୍ମୃତି ଦେବା ଦ୍ୱାରା ତୁମେମାନେ ମଧ୍ୟ ବିଶେଷ ଆତ୍ମା ହୋଇଯିବ । ଯଦି ତୁମେ କାହାକୁ ତା’ର ଦୁର୍ବଳତାଗୁଡିକୁ ଶୁଣାଇବ ତେବେ ସେ ସେଗୁଡିକୁ ଲୁଚାଇବାକୁ ଚେଷ୍ଟା କରିବ ଏବଂ ଟାଳି ଦେବ । ଯଦି ତୁମେ ବିଶେଷତାଗୁଡିକୁ ଶୁଣାଇବ ତେବେ ସେ ନିଜର ଦୁର୍ବଳତା ଗୁଡିକୁ ସ୍ପଷ୍ଟ ଅନୁଭବ କରିପାରିବ । ତେଣୁ ଏହି ସଂଜିବନୀ ବୁଟୀ ଦ୍ୱାରା ଅଚେତକୁ ସଚେତ କରି ନିଜେ ଉଡିଚାଲ ଏବଂ ଅନ୍ୟମାନଙ୍କୁ ଉଡାଇ ଚାଲ ।

ସ୍ଲୋଗାନ:-
ନିଜର ନାମ, ମାନ ଏବଂ ସ୍ୱାଭିମାନ ତଥା ସାଧନ ଗୁଡିକୁ ସଂକଳ୍ପରେ ତ୍ୟାଗ କରିବା ହିଁ ମହାନ ତ୍ୟାଗ ଅଟେ ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ନିମିତ୍ତ ହୋଇଥିବା ପିଲାମାନଙ୍କୁ ବିଶେଷ କରି ନିଜର ପ୍ରତ୍ୟେକ ସଂକଳ୍ପ ଉପରେ ଧ୍ୟାନ ଦେବା ଦରକାର, ଯେତେବେଳେ ତୁମେମାନେ ନିର୍ବିକଳ୍ପ ଏବଂ ନିରବ୍ୟର୍ଥ ସଂକଳ୍ପରେ ସ୍ଥିତ ରହିବ ତେବେ ତୁମର ବୁଦ୍ଧି ଯଥାର୍ଥ ନିର୍ଣ୍ଣୟ କରିପାରିବ ଏବଂ ନିର୍ଣ୍ଣୟ ଠିକ୍ ହେବା ଦ୍ୱାରା ନିବାରଣ ମଧ୍ୟ ସହଜରେ କରିପାରିବ । ନିବାରଣ କରିବା ପରିବର୍ତ୍ତେ ଯଦି ତୁମେ ନିଜେ ହିଁ କାରଣ କାରଣ କହିଚାଲିବ, ତେବେ ତୁମ ପଛରେ ଥିବା ଆତ୍ମାମାନେ ମଧ୍ୟ ପ୍ରତ୍ୟେକ କଥାରେ କାରଣ ଶୁଣାଇବାକୁ ଲାଗିବେ ।