01.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କର ଶ୍ରୀମତ ହେଲା, ଏହି ପୁରୁଣା ଦୁନିଆଠାରୁ ନିଜର ମୁହଁ ମୋଡି ନିଅ, ଜୀବନମୁକ୍ତି ପଦ
ପାଇବା ପାଇଁ ଦୈବୀ ଆଚରଣ ଧାରଣ କର” ।
ପ୍ରଶ୍ନ:-
କେଉଁ ଆଚରଣ
ବାବାଙ୍କ ବ୍ୟତୀତ ଆଉ କେହି ବି ଶିଖାଇ ପାରିବେ ନାହିଁ?
ଉତ୍ତର:-
ପବିତ୍ର ହେବା ଏବଂ କରିବା - ଏହା ହିଁ ହେଉଛି ସବୁଠାରୁ ବଡ ଦୈବୀ ଆଚରଣ । ତୁମେମାନେ ଘର ଗୃହସ୍ଥରେ
ରହି ପବିତ୍ର ରୁହ, ଏହି ଶିକ୍ଷା ଏକମାତ୍ର ବାବା ହିଁ ଦେଉଛନ୍ତି, ଅନ୍ୟ କେହି ଏହି ଶିକ୍ଷା
ଦେଇପାରିବେ ନାହିଁ । ତୁମମାନଙ୍କର ଏହା ହେଉଛି ବେହଦର ସନ୍ନ୍ୟାସ । ତୁମେ ଏହି ପୁରୁଣା ଦୁନିଆକୁ
ହିଁ ବୁଦ୍ଧିରୁ ଭୁଲୁଛ । ତୁମେ ଜାଣିଛ ପବିତ୍ରତାର ଧାରଣା ଦ୍ୱାରା ଅନ୍ୟ ସବୁ ଗୁଣଗୁଡିକ ଆପେ ଆପେ
ଆସିଯାଇଥାଏ ।
ଗୀତ:-
ଆଜ ଅନ୍ଧେରେ ମେ
ହୈ ହମ ଇନସାନ୍...
ଓମ୍ ଶାନ୍ତି ।
ପିଲାମାନେ ଗୀତର ଗୋଟିଏ ଲାଇନ୍ ଶୁଣିଲେ । ଗୋଟିଏ ପଟେ ଅଛନ୍ତି ସାରା ଦୁନିଆ - ଭକ୍ତିମାର୍ଗର
ଆତ୍ମା ଆଉ ଗୋଟିଏ ପଟେ ତୁମେ ପିଲାମାନେ ଜ୍ଞାନମାର୍ଗର ଆତ୍ମା । ସେମାନେ ଭକ୍ତିର ସିଢି ଚଢି
ଚାଲିଛନ୍ତି ଆଉ ତୁମେ ପିଲାମାନେ ଜ୍ଞାନର ସିଢି ଚଢୁଛ । ଭକ୍ତିର ସିଢି ଓହ୍ଲାଉଛ । ପିଲାମାନେ
ଜାଣିଛନ୍ତି ଅଧାକଳ୍ପରୁ ଭକ୍ତିର ସିଢି ଚଢିବାକୁ ପଡିଥାଏ । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ
ହୋଇଥାଏ ପରେ ବ୍ୟଭିଚାରୀ ହୋଇଯାଏ । ସମ୍ପୂର୍ଣ୍ଣ ରୂପେ ଅନ୍ଧଶ୍ରଦ୍ଧା ଆସିଯାଇଥାଏ । କିଛିହେଲେ
ବି ବୁଝିପାରୁ ନାହାଁନ୍ତି । ଗୀତ ମଧ୍ୟ ଗାଉଛନ୍ତି ଆମେ ଅନ୍ଧକାର ମଧ୍ୟରେ ଅଛୁ । ସତଗୁରୁଙ୍କ ବିନା
ଘୋର ଅନ୍ଧକାର । ଗୁରୁ ତ ଏଠାରେ ବହୁତ ଅଛନ୍ତି । ତେବେ ସଚ୍ଚା ଗୁରୁ କିଏ? ସାଧୁ-ସନ୍ଥ, ମହାତ୍ମା,
ଭକ୍ତ ଆଦି ସମସ୍ତେ ତ ସାଧନା କରୁଛନ୍ତି ଅଥବା ସ୍ମରଣ କରୁଛନ୍ତି । ଶାସ୍ତ୍ର, ବେଦ, ଉପନିଷଦ ଆଦି
ପଢୁଛନ୍ତି, ପୁଣି କହୁଛନ୍ତି, ଭଗବାନ ଯେତେବେଳେ ଆସିବେ ସେତେବେଳେ ଆମର ସଦଗତି କରିବେ । ସଦ୍ଗତି
ଦାତାକୁ ହିଁ ପତିତ-ପାବନ କୁହାଯାଏ । ଏବେ ତୁମେ ପିଲାମାନେ ଘୋର ଅନ୍ଧକାରରେ ନାହଁ । ତୁମେ
ଜ୍ଞାନର ଆଲୋକକୁ ଆସିଯାଇଛ । ପତିତ ପାବନ ପିତାଙ୍କୁ ଜାଣିଛ ଏବଂ ତାଙ୍କୁ ମନେ ପକାଉଛ । ଯେଉଁ
ସନ୍ତାନ ଯେତେ ସ୍ମରଣ କରୁଛି ଏବଂ ଜ୍ଞାନକୁ ଧାରଣ କରୁଛି ସେତେ ସେତେ ତା’ର ଅଜ୍ଞାନ ଅନ୍ଧକାର
ବିନାଶ ହୋଇଯାଉଛି । ଏବେ ଆଲୋକକୁ ନେଇଗଲାବାଲା ତ ଏକମାତ୍ର ବାବା ଅଟନ୍ତି । ଜ୍ଞାନର ଅଞ୍ଜନ
ସତଗୁରୁ ଦେଲେ... ତାହା କୌଣସି କଜଳ ଆଦି ନୁହେଁ । ଏହା ଜ୍ଞାନର କଥା । ଜ୍ଞାନ ସହିତ ଯୋଗ ମଧ୍ୟ
ରହିଛି । ଯେଉଁ ବ୍ୟକ୍ତି ଭକ୍ତି ଶିଖାଉଛନ୍ତି, ନିଶ୍ଚିତ ତାଙ୍କ ସହିତ ମଧ୍ୟ ଯୋଗ ରହିଥାଏ । ଏବେ
ପିଲାମାନଙ୍କର ବୁଦ୍ଧିର ଯୋଗ ନିରାକାର ପରମପିତା ପରମାତ୍ମାଙ୍କ ସାଥୀରେ ଲାଗିଯାଇଛି । ତୁମ ଭିତରେ
ମଧ୍ୟ କ୍ରମଅନୁସାରେ ଅଛନ୍ତି । ତୁମେ ପିଲାମାନଙ୍କ ବ୍ୟତୀତ ଆଉ କୌଣସି ମନୁଷ୍ୟ ମାତ୍ରଙ୍କର
ପରମପିତା ପରମାତ୍ମା ସର୍ବଶକ୍ତିମାନଙ୍କ ସହିତ ଯୋଗ ହିଁ ନାହିଁ । ତୁମକୁ ବାବାଙ୍କ ସହିତ ଏବଂ
ମୁକ୍ତି-ଜୀବନମୁକ୍ତିଧାମ ସହିତ ଯୋଗ ଲଗାଇବାକୁ ପଡୁଛି । ଜୀବନମୁକ୍ତି ଅର୍ଥାତ୍ ସ୍ୱର୍ଗ ଦୁନିଆକୁ
ଯିବା ପାଇଁ ବହୁତ ଭଲ ଦୈବୀ ଆଚରଣ ମଧ୍ୟ ଆବଶ୍ୟକ । ବର୍ତ୍ତମାନ ସମୟରେ ସମସ୍ତଙ୍କର ବ୍ୟବହାର ଆସୁରୀ
ହୋଇଯାଇଛି । ପରମପିତା ପରମାତ୍ମାଙ୍କର ଗୁଣ ଗାନ କରୁଛନ୍ତି ନା - ସିଏ ମନୁଷ୍ୟ ସୃଷ୍ଟିର ବୀଜରୂପ,
ସତ୍ୟ , ଚୈତନ୍ୟ, ଆନନ୍ଦର ସାଗର, ଜ୍ଞାନର ସାଗର ଅଟନ୍ତି । ସଦାକାଳ ପାଇଁ ପବିତ୍ରତାର ସାଗର
ଅଟନ୍ତି । ତାଙ୍କର ଏହି ପଦ ଅବିନାଶୀ ଅଟେ, ଆଉ କୌଣସି ମନୁଷ୍ୟର ଏହି ଅବିନାଶୀ ପଦ ହୋଇପାରିବ ନାହିଁ
। ଯଦିଓ ବର୍ତ୍ତମାନ ତୁମେ ଜ୍ଞାନର ସାଗର, ପବିତ୍ରତାର ସାଗର ହେଉଛ, କିନ୍ତୁ ସୀମିତ ସମୟ ପାଇଁ ।
ବାବା କହୁଛନ୍ତି - ସଦାକାଳ ପାଇଁ ମୁଁ ଅଟେ । ତୁମକୁ ସଦାକାଳ ପାଇଁ କରିପାରିବି ନାହିଁ । ନଚେତ୍
ସୃଷ୍ଟିର ଖେଳ କିପରି ଚାଲିବ? ୮୪ ଜନ୍ମ କିପରି ଭୋଗ କରିବ? ତୁମେ ସଦାକାଳ ପାଇଁ ହୋଇପାରିବ ନାହିଁ
। ତୁମକୁ ସୀମିତ ସମୟ ପାଇଁ କରୁଛି, ତୁମେ ୨୧ ଜନ୍ମ ପାଇଁ ହେଉଛ । ୨୧ ପିଢି ମଧ୍ୟ ଲେଖା ହୋଇଛି ।
ତୁମେ ସଦାକାଳ ପାଇଁ ହୋଇଯିବ ଡ୍ରାମାରେ ଏଭଳି ନିୟମ ନାହିଁ । ମୁଁ ତ ସଦା ପବିତ୍ର ହିଁ ଅଟେ ।
ମୁଁ ପରମଧାମରେ ହିଁ ରହିଥାଏ । ମୋ ପାଖରେ ଜ୍ଞାନ, ପବିତ୍ରତା ଆଦି ସବୁ କିଛି ଅଛି । ତୁମେ ଭୁଲି
ଯାଉଛ, ତେଣୁ ବାବା ଆସି ଏହି ସମୟରେ ପିଲାମାନଙ୍କୁ ଘୋର ଅନ୍ଧକାରରୁ ବାହାର କରି ଜ୍ଞାନ ଏବଂ ଯୋଗ
ଦ୍ୱାରା ପବିତ୍ର କରୁଛନ୍ତି, ଆଉ କେହି ଏପରି କହିପାରିବେ ନାହିଁ ଯେ ମୁଁ ପରମଧାମରୁ ଆସିଛି, ଏବେ
ମୋତେ ମନେ ପକାଅ । ମୋର ଏହି ମହାବାକ୍ୟର କେହି ନକଲ କରିପାରିବେ ନାହିଁ । ମୁଁ କେବଳ ଆସୁଛି ତୁମେ
ପିଲାମାନଙ୍କୁ ୨୧ ଜନ୍ମ ପାଇଁ ରାଜାମାନଙ୍କର ରାଜା କରିବା ପାଇଁ, ତେଣୁ ହେବା ଉଚିତ୍ ନା! ତେବେ
ସେହିମାନେ ରାଜା ହେବେ ଯେଉଁମାନେ କଳ୍ପ ପୂର୍ବରୁ ହୋଇଥିଲେ ।
ତୁମେ ଜାଣିଛ କେତେ ସନ୍ତାନ ପବିତ୍ର ହେଉଛନ୍ତି, କେତେ ଅଜାମିଳ ଭଳି ପାପୀ ମଧ୍ୟ ହୋଇଯାଉଛନ୍ତି ।
କେତେ ଅଶୁଦ୍ଧ ମଇଳା ହୋଇଯାଉଛନ୍ତି । ବାବାଙ୍କୁ ଆସି ମଇଳା କପଡାକୁ ସଫା କରିବାକୁ ପଡୁଛି । ଆତ୍ମା
ହିଁ ମଇଳା ହେଉଛି । ଆତ୍ମାକୁ ବୁଝାଯାଉଛି - ତୁମକୁ ମାୟା କେତେ ପତିତ କରିଦେଇଛି । କେବଳ ଗୋଟିଏ
ଜନ୍ମର କଥା ନୁହେଁ । ଏହା ତ ଜନ୍ମ ଜନ୍ମାନ୍ତରର କଥା, ଯେବେକି ଆତ୍ମାକୁ ସଫା କରିବା ପାଇଁ
ଲକ୍ଷ୍ୟ ରୂପକ ସାବୁନ ମୁଁ ଦେଉଛି । ମୋତେ ମନେ ପକାଇଲେ ତୁମର ଆତ୍ମାର ଜ୍ୟୋତି ଯାହାକି ଲିଭିଯାଇଛି,
ତାହା ଏହି ଯୋଗ ଦ୍ୱାରା ଜାଗ୍ରତ ହୋଇଯିବ - ତୁମେ ମୋତେ ସେତିକି ଅଧିକ ମନେ ପକାଇବ । ତୁମକୁ
ସ୍ମରଣ କରାଇ ଦେଉଛି ଯେ ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି ପୁଣି ମାୟା ତୁମକୁ ପତିତ କରିଦେଇଛି ।
ଏବେ ପୁଣି ମୁଁ ତୁମକୁ ସ୍ୱର୍ଗର ମାଲିକ କରିବା ପାଇଁ ଆସିଛି । ମୁଁ ଏହି ବ୍ରହ୍ମାଙ୍କ ଶରୀର
ମାଧ୍ୟମରେ ଶିକ୍ଷା ଦେଉଛି । ଆତ୍ମା ସହିତ କଥାବାର୍ତ୍ତା କରୁଛି - ହେ ପିଲାମାନେ ଲୌକିକ ପିତାଙ୍କୁ
ଭୁଲିଯାଅ । ଦେହ ସହିତ ଦେହର ସବୁ ସମ୍ବନ୍ଧୀ ମାନଙ୍କୁ ଭୁଲି ମୋତେ ମନେ ପକାଅ, ତେବେ ତୁମର ଆତ୍ମା
ଶୁଦ୍ଧ ହେବାକୁ ଲାଗିବ ଏବଂ ତୁମକୁ ଶରୀର ମଧ୍ୟ ଭବିଷ୍ୟତରେ ନୂଆ ମିଳିବ । ତା’ ସହିତ ତତ୍ତ୍ୱ ଆଦି
ସବୁ କିଛି ସତ୍ତ୍ୱପ୍ରଧାନ ହୋଇଯିବ । ବାବା କହୁଛନ୍ତି - ଏବେ ଏହି ପୁରୁଣା ଦୁନିଆକୁ ଭୁଲିଯାଅ ।
ମୋତେ ମନେ ପକାଇଲେ ତୁମେ ମୋ ପାଖକୁ ଶାନ୍ତିଧାମକୁ ଆସି ପୁଣି ସ୍ୱର୍ଗକୁ ଯିବ । ଏହା ପୁରୁଣା
ଦୁନିଆ ଅଟେ । ଏଠାରେ ଯଦି କୌଣସି ଜିନିଷ ତିଆରି କରୁଛନ୍ତି ତେବେ ତା’ର ନୂଆ ନାମ ରଖି ଦେଉଛନ୍ତି
। ଯେପରି ନୂଆ ଦିଲ୍ଲୀ, ପୁରୁଣା ଦିଲ୍ଲୀ କହୁଛନ୍ତି । କିନ୍ତୁ ଦୁନିଆ ତ ପୁରୁଣା ଅଟେ ନା । ଏବେ
ତୁମ ପିଲାମାନଙ୍କର ବୁଦ୍ଧିର ଯୋଗ ଏହି ପୁରୁଣା ଦୁନିଆଠାରୁ ବିଲକୁଲ୍ ଦୂରେଇ ରହିବା ଉଚିତ୍ । ଆମ
ଆତ୍ମାମାନଙ୍କର ମିଠା ଘର ହିଁ ନିର୍ବାଣଧାମ ଅଟେ, ସେଠାକୁ ଏବେ ଯିବାକୁ ହେବ । ସେଥିପାଇଁ ନିଜକୁ
ଆତ୍ମା ନିଶ୍ଚୟ କରିବାକୁ ହେବ । ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ଅନ୍ତ ମତି ସୋ ଗତି
ହୋଇଯିବ । ମନୁଷ୍ୟମାନେ ଯେପରି ଅନେକଙ୍କୁ ସ୍ମରଣ କରୁଛନ୍ତି, କେହି କୌଣସି ଗୁରୁଙ୍କୁ, କେହି
ଶ୍ରୀକୃଷ୍ଣଙ୍କୁ ଆଦି ଆଦି । ଶ୍ରୀକୃଷ୍ଣ ଆଦି କୁଆଡେ ଗଲେ? ଏକଥା କେହି ଜାଣି ନାହାଁନ୍ତି । ଏହି
କଥା ମଧ୍ୟ ଜାଣିନାହାଁନ୍ତି ଯେ ପୁନର୍ଜନ୍ମରେ ସମସ୍ତଙ୍କୁ ଆସିବାକୁ ପଡିବ । ସୃଷ୍ଟିର ଆଦିରୁ ଏହି
ରୀତି-ନୀତି ଚାଲି ଆସିଛି । ସତ୍ୟଯୁଗ ଆରମ୍ଭରେ ଦେବୀ-ଦେବତାମାନେ ଥିଲେ, ତେଣୁ ପୁନର୍ଜନ୍ମ
ନିଶ୍ଚିତ ସେବେଠାରୁ ଆରମ୍ଭ ହୋଇଥିବ । ଶ୍ରୀକୃଷ୍ଣ ହେଉଛନ୍ତି ପ୍ରଥମ ପବିତ୍ର ମନୁଷ୍ୟ, ତାଙ୍କର
ମହିମା ସମସ୍ତଙ୍କଠାରୁ ଅଧିକ । ଲକ୍ଷ୍ମୀ-ନାରାୟଣଙ୍କର ଏତେ ମହିମା ନାହିଁ, କାରଣ ଛୋଟ ପିଲାମାନେ
ପବିତ୍ର ସତ୍ତ୍ୱପ୍ରଧାନ ଅଟନ୍ତି, ତେଣୁ ଛୋଟ ପିଲାମାନଙ୍କର ମହିମା ଗାନ କରାଯାଇଥାଏ ।
ଶ୍ରୀକୃଷ୍ଣଙ୍କର ବହୁତ ମହିମା ରହିଛି । କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ଶ୍ରୀକୃଷ୍ଣପୁରୀ
କେଉଁଠି ଅଛି । ସତ୍ୟଯୁଗକୁ ବୈକୁଣ୍ଠ ମଧ୍ୟ କହନ୍ତି, ପୁଣି ଜଣା ନାହିଁ କାହିଁକି ଶ୍ରୀକୃଷ୍ଣଙ୍କୁ
ଦ୍ୱାପରକୁ ନେଇଯାଇଛନ୍ତି । ସେହି ବ୍ୟକ୍ତି ଅନ୍ୟ କୌଣସି ନାମ, ରୂପ, ଦେଶରେ ଆସି ପାରିବ ନାହିଁ ।
ସେହି ନାମ ରୂପ ଅନ୍ୟ ଜନ୍ମରେ ହୋଇପାରିବ ନାହିଁ । ଶ୍ରୀକୃଷ୍ଣ ତ ସତ୍ୟଯୁଗରେ ଥିଲେ । ତୁମେ
ଜାଣିଛ ଏହି ଜଗତଅମ୍ବା, ଜଗତପିତା ହିଁ ଯାଇ ଲକ୍ଷ୍ମୀ-ନାରାୟଣ ହେବେ । ସତ୍ୟଯୁଗକୁ କୃଷ୍ଣପୁରୀ
କୁହାଯାଉଛି । ଏବେ ହେଉଛି କଂସପୁରୀ । ଏହା ସବୁ ଆସୁରୀ ନାମ ଅଟେ । ସତ୍ୟଯୁଗରେ ଦୈବୀ ସମ୍ପ୍ରଦାୟ
ରହୁଥିଲେ । ଏଠାରେ ହେଲେ ଆସୁରୀ ସମ୍ପ୍ରଦାୟ । ବାବା ଆସି ପିଲାମାନଙ୍କୁ ସଂଗମଯୁଗରେ ବୁଝାଉଛନ୍ତି,
ଏହି ବାବା ରଚୟିତା ଅଟନ୍ତି । ତାଙ୍କୁ କୁହାଯାଉଛି ମନୁଷ୍ୟ ସୃଷ୍ଟିର ବୀଜରୂପ । ତେବେ ନିଶ୍ଚିତ
ନୂଆ ମନୁଷ୍ୟ ସୃଷ୍ଟିର ରଚନା କରିବେ । ତୁମେ ଗାୟନ ମଧ୍ୟ କରୁଛ - ବାବା ଆପଣ ପତିତ ପାବନ ଅଟନ୍ତି,
ଏହି ପତିତ ସୃଷ୍ଟିକୁ ଆସି ପବିତ୍ର କର । ପବିତ୍ର ସୃଷ୍ଟି ରଚନା କରି ପତିତ ସୃଷ୍ଟିର ବିନାଶ କରାଅ
। ନିଶ୍ଚିତ ଭାବରେ ବ୍ରହ୍ମାଙ୍କ ଦ୍ୱାରା ପବିତ୍ର ସୃଷ୍ଟି ରଚନା କରାଇ ଶଙ୍କରଙ୍କ ଦ୍ୱାରା ପତିତ
ସୃଷ୍ଟିର ବିନାଶ କରାଉଛନ୍ତି । ଏହି ସବୁ କଥା ଆଉ କେହି ଜାଣିନାହାଁନ୍ତି । ଏବେ ତୁମେ ପିଲାମାନେ
ବାବାଙ୍କ ସହିତ ଯୋଗ ଲଗାଉଛ । ତୁମେ ଦେଖୁଛ ବାବା ଆତ୍ମାରୂପୀ ମଇଳା କପଡା ଗୁଡିକୁ ସଫା କରୁଛନ୍ତି
। କେତେ ତ ଫାଟିଯାଉଛନ୍ତି, ପୁଣି କେତେ ନଷ୍ଟ ହୋଇଯାଉଛନ୍ତି । କେହି କେହି ତ ବହୁତ ମଇଳା ।
ଅଜାମିଳ ଭଳି ପାପୀ ଅଟନ୍ତି ଯେଉଁମାନଙ୍କର କି ଆଦୌ ଧାରଣା ହେଉନାହିଁ । ବାବା କେତେ ଭଲ ଭଲ କଥା
ବୁଝାଉଛନ୍ତି । ମିଠା ମିଠା ସ୍ନେହର ସନ୍ତାନମାନେ - ମୋ’ ଭଳି ପରମପ୍ରିୟ ପିତାଙ୍କୁ ମନେ ପକାଅ ।
ପରମପ୍ରିୟ ସୁଖଧାମକୁ ମନେ ପକାଅ । ଏକଥା ମଧ୍ୟ ତୁମେ ଏବେ ଜାଣୁଛ ଯାହାକି ଦୁନିଆରେ ଆଉ କାହାକୁ
ଜଣାନାହିଁ । ଏବେ ଏହା ଅତି ଦୁଃଖଧାମ ଅଟେ । ଏଠାରେ ମନୁଷ୍ୟ ତ୍ରାହି ତ୍ରାହି କରୁଛନ୍ତି,
ପରସ୍ପରକୁ ମାରିଚାଲିଛନ୍ତି । ପୁଣି କହୁଛନ୍ତି - ଭଗବାନ ରକ୍ଷା କର, ଏହି କଥା ମୁଖରୁ ନିଶ୍ଚିତ
ବାହାରିବ । ବାବା ତ ମୁକ୍ତିଦାତା ଅଟନ୍ତି ।
ତୁମେ ଜାଣିଛ - ବାବା ଆସିଛନ୍ତି ବିଶେଷ ଭାବରେ ସନ୍ତାନମାନଙ୍କୁ ଏବଂ ସାଧାରଣ ଭାବରେ ଅନ୍ୟ
ସମସ୍ତଙ୍କୁ ସୁଖଧାମକୁ ନେଇଯିବା ପାଇଁ । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି,
ଯେଉଁମାନଙ୍କର ଏହି ଉତ୍ସାହ ରହିଛି । ଏହି ପାଠପଢା କିଛି କମ୍ ନୁହେଁ । ବାବା ମଧ୍ୟ ପଢାଉଛନ୍ତି
ଦେଖ କେଉଁମାନଙ୍କୁ । ଅଜାମିଳ ଭଳି ପାପୀ ଆତ୍ମାମାନଙ୍କୁ ସ୍ୱର୍ଗର ମାଲିକ କରି ଦେଉଛନ୍ତି ।
ତମୋପ୍ରଧାନ ତ ସମସ୍ତେ ଅଟନ୍ତି, ସେମାନଙ୍କୁ ସତ୍ୱପ୍ରଧାନ ଦୁନିଆକୁ ନେଇ ଯାଉଛନ୍ତି ।
ପିଲାମାନଙ୍କୁ ବାରମ୍ବାର ବୁଝାଉଛନ୍ତି ଯେ ଏଠାରେ ତୁମକୁ ଦୈବୀଗୁଣ ଧାରଣ କରିବାକୁ ହେବ । ଏଠାରେ
ତୁମ ବୁଦ୍ଧିରେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ମଧ୍ୟ ରହିଛି । ଏହି ପବିତ୍ରତାର ଆଚରଣ ଆଉ କେହି
ଶିଖାଉନାହାଁନ୍ତି । ସନ୍ନ୍ୟାସୀମାନେ ଘରଦ୍ୱାର ଛାଡିବା ପାଇଁ ପ୍ରବର୍ତ୍ତାଉଛନ୍ତି । ଏଠାରେ ବାବା
କହୁଛନ୍ତି ତୁମକୁ ଘରଦ୍ୱାର ଛାଡିବାର ନାହିଁ । ତୁମକୁ ତ ଏହି ପୁରୁଣା ଦୁନିଆକୁ ଛାଡିବାର ଅଛି ।
ତାହା ହେଲା ହଦର ସନ୍ନ୍ୟାସ । ଏହା ହେଉଛି ବେହଦର ସନ୍ନ୍ୟାସ । ସେହି ସନ୍ନ୍ୟାସୀମାନଙ୍କୁ ମଧ୍ୟ
କେତେ ସମ୍ମାନ ମିଳୁଛି । ସାଧୁ ସମାଜ ସରକାରଙ୍କୁ ମଧ୍ୟ ପରାମର୍ଶ ଦେଉଛନ୍ତି । ଆଗକୁ ଗଲେ ଏହି
ସନ୍ନ୍ୟାସୀମାନେ ମଧ୍ୟ ତୁମ ମାତାମାନଙ୍କ ପାଦ ତଳେ ପଡିବେ । ମାତାମାନଙ୍କ ବ୍ୟତୀତ ସେମାନଙ୍କର
ଉଦ୍ଧାର ହୋଇପାରିବ ନାହିଁ । କାରଣ ତୁମେ ଜ୍ଞାନ ଦେଉଛ । ବାକି ପାଦ ତଳେ ପଡିବାର କଥା କିଛି ନୁହଁ
। ହଁ ଯଦି କେହି ରାମ-ରାମ କିମ୍ବା ନମସ୍କାର କରିଥା’ନ୍ତି ତେବେ ତାଙ୍କୁ ନମସ୍କାର ଜଣାଇବାକୁ ହେବ
। ବାବା ମଧ୍ୟ କହୁଛନ୍ତି ପିଲାମାନେ ନମସ୍କାର । ମୁଁ ତୁମ ପିଲାମାନଙ୍କୁ ନିଜଠାରୁ ମଧ୍ୟ ଉଚ୍ଚ
କରୁଛି । ତୁମକୁ ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଦୁଇଟିର ମାଲିକ କରୁଛି ଏବଂ ମୁଁ ବାନପ୍ରସ୍ଥକୁ
ଚାଲିଯାଉଛି । କିନ୍ତୁ ତୁମକୁ ଶ୍ରୀମତ ଅନୁସାରେ ମଧ୍ୟ ଚାଲିବାକୁ ପଡିବ । ଏହି ପୁରୁଣା ଦୁନିଆରୁ
ମୁଖ ମୋଡିଦେବାକୁ ପଡିବ । ରାମ, ରାବଣ ଏବଂ ସୀତାଙ୍କର ଖେଳଣା ରହିଛି ନା । ସୀତା କିପରି ରାବଣ
ଆଡକୁ ପିଠି କରିଦେଉଛି ଏବଂ ରାମଙ୍କ ଆଡକୁ ମୁହଁ କରିଦେଉଛି । ଶ୍ରୀକୃଷ୍ଣଙ୍କର ମଧ୍ୟ ଚିତ୍ର ରହିଛି
- ନର୍କକୁ ଗୋଇଠା ମାରୁଛନ୍ତି ଏବଂ ସ୍ୱର୍ଗ ଦୁନିଆକୁ ହାତରେ ଧରିଛନ୍ତି । ବାବା ତ ବହୁତ ଭଲ ଭାବରେ
ବୁଝାଉଛନ୍ତି କିନ୍ତୁ କେହି ବିରଳ ବ୍ୟାପାରୀ ସନ୍ତାନ ଏହି ପୁରୁଷାର୍ଥ କରିବେ । ବାବାଙ୍କୁ ନିଜର
ପୁରୁଣା ଶରୀର-ମନ-ଧନ ଦେଇ ନୂଆ ନେବେ । ଏହା ଅତି ଉତ୍ତମ ବୀମା ଅଟେ । ବାବା କହୁଛନ୍ତି - ଯଦି
ତୁମେ ନିଜର ଆତ୍ମାକୁ ପବିତ୍ର କରିବ ତେବେ ତୁମକୁ ଶରୀର ମଧ୍ୟ ପବିତ୍ର ମିଳିବ । ପୁଣି ତୁମେ
ସ୍ୱର୍ଗରେ ରାଜତ୍ୱ କରିବ ସେଥିପାଇଁ ବାବାଙ୍କୁ ସୌଦାଗର, ଯାଦୁଗର କୁହାଯାଏ । ପତିତଙ୍କୁ ପାବନ
କରିବା, ଏହାକୁ ଈଶ୍ୱରୀୟ ଯାଦୁଗରୀ କୁହାଯିବ ନା । ବାବା କହୁଛନ୍ତି ନର୍କବାସୀମାନଙ୍କୁ
ସ୍ୱର୍ଗବାସୀ କର । ଏହା କେତେ ଶ୍ରେଷ୍ଠ ଯାଦୁବିଦ୍ୟା ଅଟେ । ଏଥିରେ ପ୍ରାପ୍ତି ବହୁତ ରହିଛି ।
ବାବା କହୁଛନ୍ତି - ରାଜାମାନଙ୍କର ରାଜା ହୁଅ, ବ୍ରହ୍ମାବାବାଙ୍କୁ ଅନୁକରଣ କର । ବାବା ତ ଅଛନ୍ତି
ନା । ଏଇ ବ୍ରହ୍ମାବାବା ଅଧରକୁମାର ଏବଂ ମମ୍ମା କୁମାରୀ କନ୍ୟା ଅଟନ୍ତି । ତେବେ ଅନୁକରଣ କରିବାକୁ
ପଡିବ । ସମ୍ପତ୍ତି ତ ବାବାଙ୍କଠାରୁ ମିଳିବାର ଅଛି । ତୁମେ କହୁଛ ଆମେ ଭାଇ ଭଉଣୀ ବାବାଙ୍କଠାରୁ
ସମ୍ପତ୍ତିର ଅଧିକାର ନେଉଛୁ । ଏମିତି ତ ଲୌକିକ ନିୟମ ଅନୁସାରେ ଭଉଣୀକୁ ସମ୍ପତ୍ତି ମିଳିନଥାଏ,
ଭାଇକୁ ହିଁ ସମ୍ପତ୍ତିର ଅଧିକାର ମିଳିଥାଏ । ଏଠାରେ ତ ତୁମ ସମସ୍ତଙ୍କୁ ମିଳିବ କାରଣ ତୁମେ ସମସ୍ତେ
ଆତ୍ମା ଅଟ ନା । ବାବା କହୁଛନ୍ତି ତୁମ ସମସ୍ତଙ୍କୁ ମୋ ପାଖକୁ ଆସିବାକୁ ହେବ । ତାପରେ ତ ଏହି ଭାଇ
ଭଉଣୀ ସମ୍ବନ୍ଧ ମଧ୍ୟ ସମାପ୍ତ ହୋଇଯିବ । ନିର୍ବାଣଧାମରେ ହେଲା ପିତା ଏବଂ ସନ୍ତାନଙ୍କର ସମ୍ବନ୍ଧ,
ସେଥିପାଇଁ କହୁଛନ୍ତି ଆମେ ସମସ୍ତେ ଭାଇ ଭାଇ ଅଟୁ । ଯଦି ଈଶ୍ୱରଙ୍କୁ ସର୍ବବ୍ୟାପୀ କୁହାଯିବ ତେବେ
ତ ସମସ୍ତେ ପିତା ହୋଇଯିବେ । ଏହି ସର୍ବବ୍ୟାପୀ ଜ୍ଞାନ କେତେ କ୍ଷତି କରିଦେଇଛି ।
ଏବେ ପିଲାମାନଙ୍କ ମନରେ ବାବାଙ୍କର ସ୍ମୃତି ରହିଛି । ବାବାଙ୍କୁ ମନେ ପକାଇବାରେ ହିଁ ଅଧିକ
ପରିଶ୍ରମ ଲାଗିଥାଏ । ଏମିତି ମଧ୍ୟ ନୁହେଁ ଯେ ତୁମକୁ କେହି ନିଷ୍ଠାର ସହିତ ବସାଇ ଯୋଗଦୃଷ୍ଟି ଦେବା
ଦରକାର । ତୁମକୁ ତ ଲକ୍ଷ୍ୟ ମିଳିଯାଇଛି । ଏଠାରେ ତ ତୁମେ କେବଳ ବସି ମୁରଲୀ ଶୁଣାଉଛ । ଯୋଗ ତ
ତୁମର ସବୁବେଳେ ରହୁଛି । ମୁରଲୀ ଶୁଣିଲ ପୁଣି ଚାଲିବା ବୁଲିବା ବେଳେ ବାବାଙ୍କ ସ୍ମୃତିରେ ରହିବାର
ଅଛି । ସବୁବେଳେ ଭାବୁଥାଅ ମୁଁ ପରମଧାମକୁ ଯାତ୍ରା କରୁଛି । ଯେତେ ସମ୍ଭବ ବାବାଙ୍କ ସ୍ମୃତିରେ
ରହିବାକୁ ହେବ । ୮ ଘଣ୍ଟା ସେବା କର, ସେଥିପାଇଁ ମଧ୍ୟ ରିହାତି ମିଳିଛି । ବାକି ବାବାଙ୍କ
ସ୍ମୃତିରେ ରହିବାକୁ ହେବ । ମୂଳ କଥା ହେଲା ପବିତ୍ରତା । ତୁମେ ଜାଣିଛ ଏହା ହେଉଛି କଣ୍ଟାର ଜଙ୍ଗଲ
। ପରସ୍ପରକୁ କଣ୍ଟା ଲଗାଇ ଚାଲିଛନ୍ତି । ଏବେ ବାବା କହୁଛନ୍ତି - ଶ୍ରୀମତ ପାଳନ କର । ଶିବବାବା
ମଧ୍ୟ କଥା କହୁଛନ୍ତି । ବ୍ରହ୍ମା ମଧ୍ୟ କଥା କହୁଛନ୍ତି କିନ୍ତୁ ତୁମେ ଜାଣିଛ ଶିବବାବା ଆମକୁ ପାଠ
ପଢାଉଛନ୍ତି, ତୁମେ ସମସ୍ତେ ବିଦ୍ୟାର୍ଥୀ ଅଟ । ତୁମେ କହୁଛ ବାବା ଆମର ପିତା ମଧ୍ୟ ଅଟନ୍ତି,
ଶିକ୍ଷକ ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି । ଦୃଢ ପ୍ରତିଶୃତି ମଧ୍ୟ ଦେଉଛନ୍ତି ଯେ ମୁଁ ତୁମକୁ
ମୁକ୍ତିଧାମ ଘରକୁ ଫେରାଇ ନେଇଯିବି । ଏହିଭଳି ଗ୍ୟାରେଣ୍ଟି ଅନ୍ୟ କେହି କରିପାରିବେ ନାହିଁ । ଏହି
ବାବା ହିଁ କହୁଛନ୍ତି - ଈଶ୍ୱର ପିତା ହିଁ ସୁଖଦାୟୀ ଧର୍ମ ସ୍ଥାପନ କରୁଛନ୍ତି । ସେହି ପିତାଙ୍କୁ
କେହି ଜାଣି ନାହାଁନ୍ତି । ଯଦି ପିତାଙ୍କୁ ଜାଣିବେ ତେବେ ପିତାଙ୍କର ସମ୍ପତ୍ତିକୁ ମଧ୍ୟ ଜାଣିଯିବେ
। ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଲକ୍ଷ୍ୟ ଏବଂ
ଉଦ୍ଦେଶ୍ୟକୁ ସର୍ବଦା ସମ୍ମୁଖରେ ରଖି ଦୈବୀଗୁଣ ଧାରଣ କରିବାକୁ ହେବ । ସତ୍ୱପ୍ରଧାନ ଦୁନିଆକୁ ଯିବା
ପାଇଁ ପବିତ୍ରତା ରୂପକ ଶ୍ରେଷ୍ଠ ଆଚରଣ ଧାରଣ କରିବାକୁ ହେବ । ବୁଦ୍ଧିଦ୍ୱାରା ବେହଦର ସନ୍ନ୍ୟାସ
କରିବାକୁ ହେବ ।
(୨) ପରମପ୍ରିୟ ପିତା ଏବଂ
ନିଜର ସୁଖଧାମକୁ ସ୍ମରଣ କରିବାକୁ ହେବ । ଏହି ଦୁଃଖଧାମରୁ ବୁଦ୍ଧିର ଯୋଗ (ସମ୍ବନ୍ଧ) ତୁଟେଇ
ଦେବାକୁ ହେବ ।
ବରଦାନ:-
ସମସ୍ତଙ୍କର
ଗୁଣକୁ ଦେଖିବା ବା ସନ୍ତୁଷ୍ଟ କରିବାର ଉତ୍କଣ୍ଠା ଦ୍ୱାରା ସର୍ବଦା ଏକରସ ଅର୍ଥାତ୍ ଏକାଭଳି
ଉତ୍ସାହରେ ରହୁଥିବା ଗୁଣମୂରତ ଭବ ।
ସର୍ବଦା ଏକାଭଳି
ଉମଙ୍ଗ-ଉତ୍ସାହରେ ରହିବା ପାଇଁ ଯେଉଁମାନେ ବି ତୁମ ସହିତ ସମ୍ବନ୍ଧ ସମ୍ପର୍କରେ ଆସୁଛନ୍ତି
ସେମାନଙ୍କୁ ସନ୍ତୁଷ୍ଟ କରିବାର ଉତ୍କଣ୍ଠା ରହିବା ଦରକାର । ଯାହାକୁ ବି ଦେଖିଛ ସେମାନଙ୍କଠାରୁ
ସର୍ବଦା ଗୁଣ ଗ୍ରହଣ କରିଚାଲ । ସମସ୍ତଙ୍କର ଭଲ ଗୁଣ ଗୁଡିକର ବଳ ମିଳିବା ଦ୍ୱାରା ସଦାକାଳ ପାଇଁ
ମନ ଭିତରେ ଉତ୍ସାହ ରହିବ । ଉତ୍ସାହ ସେତେବେଳେ କମିଯାଇଥାଏ ଯେତେବେଳେ ଅନ୍ୟମାନଙ୍କର ଭିନ୍ନ
ଭିନ୍ନ ସ୍ୱରୂପ, ଭିନ୍ନ ଭିନ୍ନ କଥା ସବୁ ଶୁଣିଆଅ ବା ଦେଖିଥାଅ । କିନ୍ତୁ ସମସ୍ତଙ୍କଠାରୁ ଗୁଣ
ଗ୍ରହଣ କରିବାର ଯଦି ଉତ୍କଣ୍ଠା ରହିଥିବ, ତେବେ ଉତ୍ସାହ ମଧ୍ୟ ଏକରସ ରହିବ ଏବଂ ସମସ୍ତଙ୍କର ଗୁଣ
ଦେଖିବା ଦ୍ୱାରା ନିଜେ ମଧ୍ୟ ଗୁଣ ମୂରତ ହୋଇଯିବ ।
ସ୍ଲୋଗାନ:-
ବେହଦର ବୈରାଗ୍ୟ
ବୃତ୍ତିର ମୂଳଦୁଆ ମଜବୁତ ଥିଲେ ଗୋଟିଏ ସେକେଣ୍ଡରେ ଅଶରୀରୀ ହେବା ସହଜ ହୋଇଯାଇଥାଏ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ନିଜର ଚେହେରାକୁ ସର୍ବଦା
ହର୍ଷିତ ରଖିବା - ଏହା ହିଁ ସଂଗମଯୁଗର ସବୁଠାରୁ ବଡ ଉପହାର । ମୁଖ ମଣ୍ଡଳରେ କେବେ ବି କୌଣସି
ପ୍ରକାରର ଦୁଃଖ-ଅଶାନ୍ତିର ରେଖା ଦେଖା ନ ଯାଉ । ଯେପରି ସମ୍ପୂର୍ଣ୍ଣ ଚନ୍ଦ୍ରମା ବହୁତ ସୁନ୍ଦର
ଲାଗିଥାଏ, ସେହିପରି ତୁମର ଚେହେରା ସର୍ବଦା ହସ-ହସ ରହିଥାଉ । ତୁମର ଚେହେରା ଏଭଳି ଚମକୁଥାଉ
ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ତୁମର ଚେହେରାରେ ନିଜର ରୂପ ଦେଖିପାରିବେ, ଏଥିପାଇଁ ନିଜର ସ୍ୱଭାବକୁ
ସରଳ କର ଏବଂ ସହନଶୀଳ ହୁଅ ।