02.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ବିକାରର ଦାନ ଦେଇ ଦିଅ ତେବେ ରାହୁର ଗ୍ରହଣ ଛାଡିଯିବ, କଥାରେ ଅଛି ଦାନ ଦେଲେ ଗ୍ରହଣ ଛାଡିଯାଏ ।”

ପ୍ରଶ୍ନ:-
ବୃକ୍ଷପତି ବାବା ନିଜର ଭାରତବାସୀ ପିଲାମାନଙ୍କ ଉପରେ ବୃହସ୍ପତି ଦଶା ଚଳାଇବା ପାଇଁ ସେମାନଙ୍କୁ କେଉଁ ସ୍ମୃତି ଦେଉଛନ୍ତି?

ଉତ୍ତର:-
ହେ ଭାରତବାସୀ ପିଲାମାନେ, ତୁମର ଆଦି ସନାତନ ଦେବୀ ଦେବତା ଧର୍ମ ଅତି ଶ୍ରେଷ୍ଠ ଥିଲା । ତୁମେ ସର୍ବଗୁଣ ସମ୍ପନ୍ନ ୧୬ କଳା ସମ୍ପୂର୍ଣ୍ଣ ଥିଲ । ମୁଁ ସାଗର, ତୁମେ ମୋର ସନ୍ତାନ କାମଚିତାରେ ଜଳି କଳା ଅର୍ଥାତ୍ ପତିତ ହୋଇଯାଇଛ, ଗ୍ରହଣ ଲାଗିଯାଇଛି । ଏବେ ମୁଁ ତୁମକୁ ପୁନର୍ବାର ଗୋରା (ପବିତ୍ର) କରିବା ପାଇଁ ଆସିଛି, ଏହି ସ୍ମୃତି ରହିଲେ ବୃହସ୍ପତି ଦଶା ହୋଇଯାଇଥାଏ ।

ଗୀତ:-
ଓମ୍ ନମୋ ଶିବାୟ....

ଓମ୍ ଶାନ୍ତି ।
ଏହି ମହିମା କାହାର ଶୁଣିଲ? ବେହଦର ପିତାଙ୍କର । ଉଚ୍ଚରୁ ଉଚ୍ଚ ପିତା ପରମପିତା ପରମାତ୍ମା ହିଁ ଅଟନ୍ତି । ଲୌକିକ ପିତାଙ୍କୁ ତ ସମସ୍ତଙ୍କର ପିତା କୁହାଯିବ ନାହିଁ । ପିଲାମାନେ ଜାଣିଛନ୍ତି ସମସ୍ତ ଆତ୍ମାମାନଙ୍କର ପାରଲୌକିକ ପିତା - ସିଏ ହେଉଛନ୍ତି ଉଚ୍ଚରୁ ଉଚ୍ଚ । ତାଙ୍କର ନାମ ହିଁ ହେଉଛି ଶିବ । ନାମ ରୂପ ନ ଥିବା କୌଣସି ଜିନିଷ ନ ଥାଏ । ଏହି ସମୟରେ ସମସ୍ତଙ୍କୁ ରାହୁର ଗ୍ରହଣ ଲାଗିଯାଇଛି, ସେଥିପାଇଁ ଏହାକୁ ଲୌହଯୁଗୀ ଦୁନିଆ କୁହାଯାଉଛି । ଅନେକ ପ୍ରକାରର ଦଶା ମଧ୍ୟ ରହିଛି । ବୃହସ୍ପତି ଦଶା, ଶୁକ୍ର ଦଶା.... ଏବେ ତୁମମାନଙ୍କ ଉପରେ ବୃହସ୍ପତି ଦଶା ରହିଛି । ଯାହାଙ୍କର ମହିମା ତୁମେମାନେ ଶୁଣିଲ ସିଏ ହେଲେ ଉଚ୍ଚରୁ ଉଚ୍ଚ ଭଗବାନ ଶିବବାବା । ତାଙ୍କର ଅସଲ ନାମ ହେଲା ଶିବ । ବାକି କିସମ କିସମର ଅନେକ ନାମ ରଖି ଦେଇଛନ୍ତି କିନ୍ତୁ ପ୍ରକୃତ ନାମ ହେଲା ଶିବବାବା । ବାବା ବୁଝାଉଛନ୍ତି ମୁଁ ଚୈତନ୍ୟ, ବୀଜରୂପ ଅଟେ । ସତ୍‌, (ସତ୍ୟ) ଚିତ୍ (ଚୈତନ୍ୟ) ବୋଲି କହୁଛନ୍ତି ପୁଣି କହୁଛନ୍ତି ସିଏ ସୁଖର ସାଗର ଅଟନ୍ତି, ଆନନ୍ଦ, ଶାନ୍ତିର ସାଗର ଅଟନ୍ତି । ସାରା ମହିମା ସେହି ଜଣଙ୍କର ହିଁ ଅଟେ । ଭାରତବାସୀ ମହିମା ଗାୟନ କରୁଛନ୍ତି, କିନ୍ତୁ କିଛି ବି ବୁଝି ନାହାଁନ୍ତି । ଏକଦମ୍ ପଥର ବୁଦ୍ଧି ହୋଇଯାଇଛନ୍ତି । ପଥର ବୁଦ୍ଧି କିଏ କରିଦେଇଛି? ରାବଣ । ସତ୍ୟଯୁଗରେ ଭାରତବାସୀ ପାରସ ବୁଦ୍ଧି ଥିଲେ, ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଏହି ଭାରତ ପାରସପୁରୀ ଥିଲା, ଯେଉଁଠାରେ ଦେବୀ ଦେବତାମାନେ ବାସ କରୁଥିଲେ । ଭାରତ ହିଁ ଅବିନାଶୀ ଖଣ୍ଡ ବୋଲି ଗାୟନ ରହିଛି । ଭାରତରେ ହିଁ ପାରସ ବୁଦ୍ଧି ସମ୍ପନ୍ନ ଦେବତାମାନେ ଥିଲେ ବର୍ତ୍ତମାନ ପଥର ବୁଦ୍ଧି ପତିତମାନେ ରହୁଛନ୍ତି । ପତିତ କିପରି ହେଉଛନ୍ତି ତାହା ମଧ୍ୟ ବାବା ବୁଝାଇଛନ୍ତି । ଦ୍ୱାପରଯୁଗଠାରୁ ଯେତେବେଳେ କାମ ଚିତାରେ ବସୁଛନ୍ତି ସେତେବେଳେ କଳା ହୋଇଯାଉଛନ୍ତି । କାମ ଅଗ୍ନିରେ ସମସ୍ତେ ଭସ୍ମ ହୋଇଯାଇଛନ୍ତି । ସେଥିରେ ମଧ୍ୟ ବିଶେଷ କରି ଭାରତ ଅଧିକ । ଭାରତରେ ପାରସ ବୁଦ୍ଧି ସମ୍ପନ୍ନ ଦେବତାମାନଙ୍କର ରାଜ୍ୟ ଥିଲା, ତାକୁ ବିଷ୍ଣୁପୁରୀ, ରାମରାଜ୍ୟ ମଧ୍ୟ କୁହାଯାଉଥିଲା । ଏହି କଥା ବାବା ଆସି ଶୁଣାଉଛନ୍ତି । ମିଠା ମିଠା ଗେହ୍ଲା ସନ୍ତାନମାନେ, ଯେତେବେଳେ ତୁମେ ସତ୍ୟଯୁଗରେ ଥିଲ, ସର୍ବଗୁଣ ସମ୍ପନ୍ନ ଥିଲ । ଏହା ତୁମର ମହିମା ଅଟେ । ସେଠାରେ କୌଣସି ବିକାର ନ ଥାଏ । ଦ୍ୱାପରଠାରୁ ରାବଣ ବା ୫ ବିକାରର ରାଜ୍ୟ ଆରମ୍ଭ ହୋଇଛି । ତେବେ ରାମରାଜ୍ୟ ପରିବର୍ତ୍ତତ ହୋଇ ରାବଣ ରାଜ୍ୟ ହୋଇଯାଇଛି । ଏବେ ତ ଭାରତକୁ ଗ୍ରହଣ ଲାଗିଯାଇଛି । ଭାରତ ବିଲ୍‌କୁଲ୍ କଳା ହୋଇଯାଇଛି । ବୃହସ୍ପତିର ଦଶା ସବୁଠାରୁ ଉତ୍ତମ । ଭାରତ ଉପରେ ବୃହସ୍ପତିର ଦଶା ସତ୍ୟଯୁଗରେ ଥିଲା । ପୁଣି ତ୍ରେତା ଯୁଗରେ ଶୁକ୍ର ଦଶା ପଡିବା କାରଣରୁ ଦୁଇ କଳା କମି ଗଲା । ତେଣୁ ତ୍ରେତାକୁ ହିଁ ରୌପ୍ୟ ଯୁଗ ବୋଲି କୁହାଯାଏ । ତାପରେ ଦ୍ୱାପରଯୁଗ, କଳିଯୁଗ ଆସିଲା । ସିଢିରେ ତଳକୁ ଖସି ଖସି ଆସିଲେ ଏବଂ ଶନି ଦଶା ପଡିଗଲା । ବର୍ତ୍ତମାନ ସମସ୍ତଙ୍କ ଉପରେ ରାହୁ ଦଶା ପଡିଛି । ସୂର୍ଯ୍ୟକୁ ଯେତେବେଳେ ଗ୍ରହଣ ଅର୍ଥାତ୍ ପରାଗ ଲାଗିଥାଏ, ସେତେବେଳେ କୁହନ୍ତି ଦାନ ଦେଇଦିଅ ତେବେ ଗ୍ରହଣ ଛାଡିଯିବ ।

ଏବେ ଆତ୍ମିକ ପିତା ପିଲାମାନଙ୍କୁ ବୁଝାଉଛନ୍ତି - ଏହା ହେଉଛି ଆତ୍ମିକ ଜ୍ଞାନ । ଏହା କୌଣସି ଶାସ୍ତ୍ର ପୁରାଣର ଜ୍ଞାନ ନୁହେଁ । ଶାସ୍ତ୍ରର ଜ୍ଞାନକୁ ଭକ୍ତିମାର୍ଗ କୁହାଯାଏ । ସତ୍ୟଯୁଗ-ତ୍ରେତାଯୁଗରେ ଭକ୍ତି ନ ଥାଏ । ଜ୍ଞାନ ଏବଂ ଭକ୍ତି ପରେ ବୈରାଗ୍ୟ ରହିଛି ଅର୍ଥାତ୍ ଏହି ପୁରୁଣା ଦୁନିଆକୁ ଛାଡିବାକୁ ପଡିଥାଏ । ବର୍ତ୍ତମାନ ଶୁଦ୍ର ବର୍ଣ୍ଣ ଅଟେ । ବିରାଟ ରୂପରେ ଦେଖାଇଛନ୍ତି ବ୍ରାହ୍ମଣ, ଦେବତା, କ୍ଷତ୍ରୀୟ, ବୈଶ୍ୟ... ଏହା ଭାରତର ହିଁ କାହାଣୀ ଅଟେ । ବିରାଟ ରୂପର ଚିତ୍ର ମଧ୍ୟ ତିଆରି କରୁଛନ୍ତି । କିନ୍ତୁ ପଥର ବୁଦ୍ଧି ମନୁଷ୍ୟ କିଛି ବୁଝିପାରୁ ନାହାଁନ୍ତି । ପଥର ବୁଦ୍ଧି କାହିଁକି ହୋଇ ଯାଇଛନ୍ତି? କାରଣ ପତିତ ଅଟନ୍ତି । ଭାରତବାସୀ ହିଁ ପାରସ ବୁଦ୍ଧି ଥିଲେ, ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ଆଉ କୌଣସି ଖଣ୍ଡ ବା ଦେଶ ନ ଥିଲା । ଏହି କଥା ସବୁ ବାବା ଆସି ବୁଝାଉଛନ୍ତି । ଏହି ରାଜଯୋଗ କିଏ ଶିଖାଉଛନ୍ତି? ଶିବାଚାର୍ଯ୍ୟ । ସିଏ ହେଉଛନ୍ତି ଜ୍ଞାନର ସାଗର । କୌଣସି ମନୁଷ୍ୟକୁ ଜ୍ଞାନର ସାଗର, ସମସ୍ତଙ୍କୁ ପତିତରୁ ପାବନ କଲାବାଲା କହିପାରିବା ନାହିଁ । ସମସ୍ତଙ୍କର ମୁକ୍ତିଦାତା ଏକମାତ୍ର ବାବା ଅଟନ୍ତି । ବାବା ନିଜେ ହିଁ ଏହି ଦୁଃଖ ସମୟରେ ରାବଣଠାରୁ ମୁକ୍ତ କରିବା ପାଇଁ ଆସୁଛନ୍ତି ଏବଂ ପଥପ୍ରଦର୍ଶକ ହୋଇ ସାଥିରେ ନେଇ ଯାଉଛନ୍ତି । ତାଙ୍କୁ ଆତ୍ମିକ ପଣ୍ଡା ବୋଲି କୁହାଯାଉଛି । ବାବା କହୁଛନ୍ତି ମୁଁ ତୁମ ସର୍ବ ଆତ୍ମାମାନଙ୍କର ପଣ୍ଡା ଅଟେ । ସମସ୍ତଙ୍କୁ ଘରକୁ ଫେରାଇ ନେଇଯିବି । ମୋ ଭଳି ଗାଇଡ୍ ଆଉ କେହି ନାହାଁନ୍ତି । କହୁଛନ୍ତି ମଧ୍ୟ ଈଶ୍ୱର ପିତା, ମୁକ୍ତିଦାତା, ପଥ ପ୍ରଦର୍ଶକ, ଆନନ୍ଦର ସାଗର.... ସମସ୍ତଙ୍କ ଉପରେ ଦୟା କରିଥାନ୍ତି କାରଣ ସାଗର ପରମାତ୍ମାଙ୍କର ସବୁ ସନ୍ତାନମାନେ କାମ ଅଗ୍ନି ଉପରେ ବସି ଜଳିଯାଇଛନ୍ତି ଅର୍ଥାତ୍ ପତିତ ହୋଇଯାଇଛନ୍ତି । ସେଥିରେ ମଧ୍ୟ ବିଶେଷ କରି ଭାରତ ହିଁ ମୁଖ୍ୟ ଅଟେ । ବାବା କହୁଛନ୍ତି - ତୁମେ ୧୬ କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲ । ଏବେ କାମ ଚିତା ଉପରେ ବସି ତୁମେ କ’ଣ ହୋଇଯାଇଛ! ଏବେ ପୁଣି ବାବା ଆସିଛନ୍ତି । ବୃକ୍ଷପତି ବାବା ଆସି ମନୁଷ୍ୟମାନଙ୍କ ଉପରେ ବୃହସ୍ପତିର ଦଶା ଚଳାଉଛନ୍ତି । ବିଶେଷ କରି ଭାରତ ଏବଂ ସାଧାରଣ ଭାବରେ ସାରା ବିଶ୍ୱ ଉପରେ ବର୍ତ୍ତମାନ ରାହୁର ଗ୍ରହଣ ଲାଗିଯାଇଛି । ବାବା କହୁଛନ୍ତି - ମୁଁ ହିଁ ଆସି ବିଶେଷ କରି ଭାରତର ଏବଂ ସାଧାରଣତଃ ଭାବେ ସାରା ଦୁନିଆର ଗତି-ସଦ୍‌ଗତି କରୁଛି । ତୁମେ ଏଠାକୁ ପାରସବୁଦ୍ଧି ହେବା ପାଇଁ ଆସିଛ । ତେଣୁ ପରମ ପ୍ରିୟ ପିତା ହିଁ ସମସ୍ତ ପ୍ରେମିକା ରୂପି ଆତ୍ମାମାନଙ୍କର ଏକମାତ୍ର ପ୍ରେମିକ ଅଟନ୍ତି । ସବୁ ଦେଶରେ ଶିବଲିଙ୍ଗ ନିଶ୍ଚିତ ତିଆରି କରିଥା’ନ୍ତି କାରଣ ସମସ୍ତଙ୍କର ପିତା ଅଟନ୍ତି ନା । ଶିବଙ୍କର ମନ୍ଦିର ଭାରତରେ ବହୁତ ଅଛି ଯାହାକୁ ଶିବଙ୍କର ରହିବା ସ୍ଥାନ ବା ଶିବାଳୟ କୁହାଯାଉଛି । ସତ୍ୟଯୁଗରେ ଦେବୀ-ଦେବତା ଧର୍ମର ମନୁଷ୍ୟ ଥାନ୍ତି, କିନ୍ତୁ ସେହି ଧର୍ମ କେବେ ଥିଲା, ସେମାନଙ୍କର ରାଜ୍ୟ କେବେ ଥିଲା... ଏକଥା ଜଣା ନାହିଁ । ସତ୍ୟଯୁଗର ଆୟୁଷକୁ ବହୁତ ଲମ୍ବା କରି ଲେଖି ଦେଇଛନ୍ତି । ବାବା ଆସି ବୁଝାଉଛନ୍ତି ତୁମ ଉପରେ ଏବେ ୨୧ ଜନ୍ମ ପାଇଁ ବୃହସ୍ପତିର ଦଶା ଚଳୁଛି । ବୃକ୍ଷପତି ବାବା ହେଉଛନ୍ତି ଜ୍ଞାନର ସାଗର, ପତିତ-ପାବନ ଯାହାଙ୍କୁ ସମସ୍ତେ ଡାକୁଛନ୍ତି । ତୁମେ ମୋର ମାତା-ପିତା ମୁଁ ତୁମର ବାଳକ, ସମସ୍ତେ ତାଙ୍କର ମହିମା କରୁଛନ୍ତି । ନିଶ୍ଚିତ ଭାବରେ ସତ୍ୟ ତ୍ରେତାଯୁଗରେ ଅସରନ୍ତି ସୁଖ ଥିଲା, ଯେବେକି ବାବା ସ୍ୱର୍ଗର ରଚୟିତା ଅଟନ୍ତି ଏବଂ ଈଶ୍ୱର ପିତା ଅଟନ୍ତି, ତେଣୁ ଆମେମାନେ ମଧ୍ୟ ନିଶ୍ଚିତ ସ୍ୱର୍ଗରେ ରହିବା କଥା । ବାବା ବୁଝାଉଛନ୍ତି ତୁମେମାନେ ସମସ୍ତେ ସ୍ୱର୍ଗବାସୀ ଥିଲ, ଏବେ ନର୍କବାସୀ ହୋଇଯାଇଛ । ଭାରତର ହିଁ ଆଦି ସନାତନ ଦେବୀ ଦେବତା ଧର୍ମ ଅଟେ । ଯେପରି ଖ୍ରୀଷ୍ଟିୟାନ ଧର୍ମର ଆତ୍ମାମାନେ ଆରମ୍ଭରୁ ଖ୍ରୀଷ୍ଟିୟାନ ଧର୍ମରେ ହିଁ ରହି ଆସୁଛନ୍ତି । ବାବା କହୁଛନ୍ତି - ତୁମେ ଦେବୀ-ଦେବତା ଧର୍ମର ଆତ୍ମାମାନେ ନିଜର ଧର୍ମକୁ କାହିଁକି ଭୁଲିଯାଇଛ! ଯେବେକି ତୁମେ ଦେବୀ ଦେବତା ଧର୍ମର ଥିଲ ।

ବାବା ମନେ ପକାଇ ଦେଉଛନ୍ତି - ତୁମର ଧର୍ମ ଏବଂ କର୍ମ ସବୁଠାରୁ ଶ୍ରେଷ୍ଠ ଥିଲା । ଏବେ ତୁମେ ନୀଚ, ପାପୀ, କାଙ୍ଗାଳ ହୋଇଯାଇଛ । ତୁମେ ଦେବତାମାନଙ୍କର ପୂଜାରୀ ଅଟ, ତେବେ ନିଜକୁ ହିନ୍ଦୁ ବୋଲି କାହିଁକି କହୁଛ? ଭାରତର ଅବସ୍ଥା ଏବେ କିଭଳି ହୋଇଯାଇଛି । ଯେଉଁମାନେ ଦେବତା ଧର୍ମର ଅଟନ୍ତି, ସେମାନେ ବିକାରୀ ହୋଇଯିବା କାରଣରୁ ନିଜକୁ ଦେବତା ବୋଲି କହିପାରୁ ନାହାଁନ୍ତି । ବାବା କହୁଛନ୍ତି - ଏବେ ଏହି ପତିତ ଦୁନିଆର ଶେଷ ସମୟ, ମହାଭାରତ ଯୁଦ୍ଧ ମଧ୍ୟ ହେବାକୁ ଯାଉଛି । ଭଗବାନଉବାଚ - ମୁଁ ତୁମକୁ ସତ୍ୟଯୁଗ ପାଇଁ ରାଜଯୋଗ ଶିଖାଉଛି । ଭଗବାନ ତ ଜଣେ ହିଁ ଅଟନ୍ତି, ଆମେ ତାଙ୍କର ସନ୍ତାନମାନେ ଶାଳଗ୍ରାମ ଅଟୁ । ବାବା କହୁଛନ୍ତି - ତୁମେ ଯେଉଁମାନେ ପୂଜ୍ୟ ଥିଲ, ସେହିମାନେ ହିଁ ପୂଜାରୀ ଭକ୍ତ ହୋଇଯାଇଛ । ଏବେ ପୁଣି ଦେବତା ହେବା ପାଇଁ ତୁମେ ଜ୍ଞାନ ନେଉଛ । ପୁଣି ଦ୍ୱାପରଠାରୁ ପୂଜ୍ୟରୁ ପୂଜାରୀ ହୋଇଯିବ । ତୁମେମାନେ ପୂରା ୮୪ ଜନ୍ମ ନେଉଛ । ଯେଉଁମାନେ ୮୪ ଜନ୍ମ ନେଇଛନ୍ତି, ସେହିମାନେ ହିଁ ଆସି ବ୍ରହ୍ମାକୁମାର କୁମାରୀ ହେବେ । ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଧର୍ମର ସ୍ଥାପନା - ଏହାର ମଧ୍ୟ ଗାୟନ ଅଛି । ଯେହେତୁ ଇଏ ପ୍ରଜାପିତା ଅଟନ୍ତି, ତେଣୁ ତାଙ୍କର ବହୁତ ସନ୍ତାନ ମଧ୍ୟ ଥିବେ । ତେବେ ସେମାନେ ତ ନିଶ୍ଚିତ ଏହିଠାରେ ହିଁ ହେବା ଦରକାର । କେତେ ଢେର ପ୍ରଜା ଅଛନ୍ତି । ଏହି ବ୍ରାହ୍ମଣମାନଙ୍କୁ ହିଁ ପୁଣି ଦେବତା ହେବାର ଅଛି । ବାବା ଆସି ଶୁଦ୍ରମାନଙ୍କୁ ପରିବର୍ତ୍ତନ କରି ବ୍ରାହ୍ମଣ ଧର୍ମର ସ୍ଥାପନା କରୁଛନ୍ତି । ଏହି ସଂଗମଯୁଗରେ ହିଁ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି । ଏହା ହେଉଛି କଲ୍ୟାଣକାରୀ ସଂଗମଯୁଗ । ଏହି ଯୁଦ୍ଧକୁ ହିଁ କଲ୍ୟାଣକାରୀ କୁହାଯାଉଛି । ଏହି ବିନାଶ ପରେ ହିଁ ସ୍ୱର୍ଗର ଦ୍ୱାର ଖୋଲିବ । ତୁମେ ଏଠାକୁ ଆସିଛ ସ୍ୱର୍ଗବାସୀ ହେବା ପାଇଁ ଅଥବା ବିଷ୍ଣୁପୁରୀକୁ ଯିବା ପାଇଁ । ତୁମେ ସନ୍ତାନମାନଙ୍କ ଉପରେ ଏବେ ଅବିନାଶୀ ବୃହସ୍ପତିର ଦଶା ପଡିଛି । ୧୬ କଳା ସମ୍ପୂର୍ଣ୍ଣ ମଧ୍ୟ କୁହାଯାଏ । ପୁଣି ଯେତେବେଳେ ୨ କଳା କମିଯାଏ ତେବେ ଶୁକ୍ର ଦଶା କୁହାଯାଏ । ସତ୍ୟଯୁଗରେ ବୃହସ୍ପତି ଦଶା ଏବଂ ତ୍ରେତାରେ ଶୁକ୍ରଦଶା । ପୁଣି ଧୀରେ ଧୀରେ ତଳକୁ ଖସି-ଖସି ଆସିଛ, ମଙ୍ଗଳ ଦଶା, ଶନି ଦଶା ଏବଂ ରାହୁର ଦଶା ମଧ୍ୟ ପଡୁଛି । ଜନ୍ମ ଜନ୍ମାନ୍ତର ଏହି ଓଲଟା ଦଶା ଗୁଡିକର ପୁନରାବୃତ୍ତି ହୋଇଥାଏ । ଏବେ ବାବାଙ୍କ ଦ୍ୱାରା ବୃହସ୍ପତି ଦଶା ଚାଲିଛି । ଇଏ ହେଉଛନ୍ତି ବେହଦର ପିତା ଜ୍ଞାନର ସାଗର, ପତିତ ପାବନ । ସିଏ ହିଁ ତୁମର ପିତା ଅଟନ୍ତି, ଶିକ୍ଷକ ଏବଂ ସଦ୍‌ଗୁରୁ ମଧ୍ୟ ଅଟନ୍ତି । ବାକି ସମସ୍ତେ ହେଲେ ନକଲି ଗୁରୁ ଯିଏକି କାହାର ବି ସଦ୍‌ଗତି କରିପାରିବେ ନାହିଁ । ଏହାକୁ କୁହାଯାଏ ବିକାରୀ ଦୁନିଆ । ତାହା ହେଲା ନିର୍ବିକାରୀ ଦୁନିଆ । ଏବେ ବିକାରୀ ଦୁନିଆରେ ସମସ୍ତେ ବହୁତ ଦୁଃଖୀ ଅଟନ୍ତି । ଲଢେଇ, ମାରପିଟ୍ ଆଦି କ’ଣ କ’ଣ ସବୁ ହେଉଛି, ଏହାକୁ କୁହାଯାଉଛି - ଖୁନେ ନାହେକ ଅର୍ଥାତ୍ ନିର୍ଦ୍ଦୋଷୀଙ୍କର ହତ୍ୟା.... ବିନା ଦୋଷରେ କ’ଣ କ’ଣ ସବୁ କରି ଚାଲିଛନ୍ତି । ଏପରି ଗୋଟିଏ ବୋମା ପକାଇବେ ଯାହାକି ତୁରନ୍ତ ସବୁ କିଛି ସମାପ୍ତ ହୋଇଯିବ । ଏହା ସେହି ସଂଗମଯୁଗର ସମୟ ଅଟେ । ତୁମେ ଦେବତାମାନଙ୍କ ପାଇଁ ପୁଣି ନୂଆ ଦୁନିଆ ଆବଶ୍ୟକ । ତେଣୁ ଏବେ ବାବା କହୁଛନ୍ତି - ମିଠା ମିଠା ସନ୍ତାନମାନେ, ମନମନାଭବ । ଏହି କଥା କେଉଁ ପିତାଙ୍କର କହିଲେ? ଶିବବାବା । ସିଏ ତ ହେଲେ ନିରାକାର । ଏମିତି ତ ତୁମେମାନେ ମଧ୍ୟ ନିରାକାର ଅଟ । କିନ୍ତୁ ତୁମେମାନେ ପୁନର୍ଜନ୍ମରେ ଆସୁଛ, ମୁଁ ଆସୁନାହିଁ । ଏହି ସମୟରେ ସମସ୍ତେ ପତିତ ଅଟନ୍ତି, ଜଣେ ହେଲେ ପବିତ୍ର ନୁହଁନ୍ତି । ପତିତ ତ ହେବାକୁ ହିଁ ପଡିବ । ସତ୍ତ୍ୱ, ରଜୋ, ତମୋକୁ ଖସିବାକୁ ହିଁ ପଡିବ । ଏହି ସମୟରେ ପୁରା ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଇଛି । ଦୁନିଆ ବିଲ୍‌କୁଲ୍ ପୁରୁଣା ହୋଇଯାଇଛି । ଏବେ ପୁନର୍ବାର ଏହାକୁ ନୂଆ କରିବାକୁ ହେବ । ପତିତ ଦୁନିଆରେ ଦେଖ କେତେ ମନୁଷ୍ୟ ହୋଇଗଲେଣି । ପବିତ୍ର ଦୁନିଆରେ ବହୁତ କମ୍ ମନୁଷ୍ୟ ରାଜ୍ୟ କରିଥାନ୍ତି । ସେଠାରେ ଗୋଟିଏ ମାତ୍ର ଧର୍ମ ଥିଲା ଆଉ କୌଣସି ଧର୍ମ ନ ଥିଲା । ଭାରତକୁ ହିଁ ସ୍ୱର୍ଗ କୁହାଯାଉଛି । ଗାୟନ କରାଯାଉଛି - ଘଟ ମଧ୍ୟରେ ସୂର୍ଯ୍ୟ, ଘଟ ମଧ୍ୟରେ ଚନ୍ଦ୍ରମା..... । ସତ୍ୟଯୁଗ ଆରମ୍ଭରେ ୯ ଲକ୍ଷ ମନୁଷ୍ୟ ରହିବେ, ପରେ ପୁଣି ବୃଦ୍ଧି ହେବ । ପ୍ରଥମେ ଦୁନିଆ ବହୁତ ଛୋଟ ଫୁଲର ବଗିଚା ଥିଲା, ଏବେ କଣ୍ଟାର ଜଙ୍ଗଲ କେତେ ବଡ ହୋଇଯାଇଛି । ଦିଲ୍ଲୀରେ ଦେଖ ମୋଗଲ ଗାର୍ଡେନ୍ କେତେ ସୁନ୍ଦର । ତାଠାରୁ ବଡ କୌଣସି ବଗିଚା ନାହିଁ । ଜଙ୍ଗଲ ଦେଖ କେତେ ବଡ । ସତ୍ୟଯୁଗୀ ବଗିଚା ମଧ୍ୟ ବହୁତ ଛୋଟ ଅଟେ । ପୁଣି ବଢି ବଢି ବଡ ହୋଇଯାଇଥାଏ । ଏବେ ତ କଣ୍ଟାର ଜଙ୍ଗଲ ହୋଇଯାଇଛି । ରାବଣ ଆସିବା କାରଣରୁ ସମସ୍ତେ କଣ୍ଟା ହୋଇଯାଇଛନ୍ତି । ଏହା ହେଉଛି କଣ୍ଟାର ଜଙ୍ଗଲ । ଯଦି ପରସ୍ପର ଲଢେଇ କରିଥାନ୍ତି, ତେବେ ଜଣେ ଅନ୍ୟ ଜଣଙ୍କୁ ମାରି ଦେଇଥାନ୍ତି । ମନୁଷ୍ୟଙ୍କ ଭିତରେ କେତେ କ୍ରୋଧ ରହିଛି, ମାଙ୍କଡଠାରୁ ମଧ୍ୟ ହୀନ ବୋଲି କୁହାଯାଉଛି । ତେବେ ବାବା କହୁଛନ୍ତି - ମୋର ଗେହ୍ଲା ସନ୍ତାନମାନେ, ତୁମ ଉପରେ ଏବେ ବୃକ୍ଷପତିର ଦଶା ଚାଲିଛି । ଏବେ ଦାନ ଦେଇ ଦିଅ ତେବେ ତୁମର ଗ୍ରହଣ ଛାଡିଯିବ ।ସମ୍ପୂର୍ଣ୍ଣ ନିର୍ବିକାରୀ ଏବେ ତୁମକୁ ଏହିଠାରେ ହିଁ ହେବାକୁ ପଡିବ । ତାପରେ ଏହି ଶରୀରକୁ ଛାଡି ପୁଣି ଶିବାଳୟ ସ୍ୱର୍ଗ ଦୁନିଆରେ ଜନ୍ମ ନେବ । ଶିବାଳୟରେ ବହୁତ ସୁଖ ମିଳିଥାଏ । ତାହା ଦେବୀ-ଦେବତା ମାନଙ୍କର ରାଜ୍ୟ ଅଟେ । ସତ୍ୟଯୁଗକୁ କୁହାଯାଏ ଶିବାଳୟ, କଳିଯୁଗକୁ କୁହାଯାଏ ବେଶ୍ୟାଳୟ । ଏହି ବେଶ୍ୟାଳୟ ରାବଣ ହିଁ ସ୍ଥାପନ କରିଛି । ଏବେ ବାବା କହୁଛନ୍ତି - ତୁମକୁ ପତିତରୁ ପାବନ ହେବାର ଅଛି, ତେବେ ହେବ କିପରି? କ’ଣ ତ୍ରିବେଣୀରେ, ଗଙ୍ଗାରେ ବୁଡ ପକାଇଲେ ପାବନ ହୋଇଯିବ? ଏହିପରି ତ ଜନ୍ମ-ଜନ୍ମାନ୍ତର କରି ଆସିଛ । କୋଟି କୋଟି ମନୁଷ୍ୟ ଯାଇ ସ୍ନାନ କରୁଛନ୍ତି । ବହୁତ ନଦୀ, ନାଳ ପୋଖରୀ ଆଦି ରହିଛି, ଯେଉଁଠି ବି ପାଣି ଦେଖୁଛନ୍ତି ସେଠାରେ ଯାଇ ସ୍ନାନ କରୁଛନ୍ତି କାରଣ ନିଜକୁ ପତିତ ମନେ କରୁଛନ୍ତି । ଏବେ ପାରସନାଥ ବାବା ତୁମର ପାରସ ବୁଦ୍ଧି କରୁଛନ୍ତି । ତେବେ ଏହିଭଳି ପାରସନାଥ ପିତାଙ୍କୁ କେତେ ସ୍ନେହରେ ମନେ ପକାଇବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି କଣ୍ଟାର ଦୁନିଆରୁ ଫୁଲର ବଗିଚା ସ୍ୱର୍ଗକୁ ଯିବା ପାଇଁ ନିଜ ଭିତରେ ଯେଉଁ ସବୁ କଣ୍ଟା ବା ବିକାର ରହିଛି, ସେଗୁଡିକୁ ବାହାର କରିଦେବାକୁ ହେବ । ପାରସ କରିଲାବାଲା ବାବାଙ୍କୁ ବଡ ସ୍ନେହରେ ମନେ ପକାଇବାକୁ ହେବ ।

(୨) ଏହି କଲ୍ୟାଣକାରୀ ସଂଗମ ଯୁଗରେ ଶୁଦ୍ରରୁ ବ୍ରାହ୍ମଣ ଏବଂ ବ୍ରାହ୍ମଣରୁ ପୁନର୍ବାର ଦେବତା ହେବାର ପୁରୁଷାର୍ଥ କରିବାକୁ ହେବ । ରାହୁର ଗ୍ରହଣରୁ ମୁକ୍ତ ହେବା ପାଇଁ ବିକାର ଗୁଡିକୁ ଦାନ ଦେବାକୁ ହେବ ।

ବରଦାନ:-
ସଂଗମଯୁଗରେ ପ୍ରତ୍ୟେକ କର୍ମ କଳା ରୂପରେ କରୁଥିବା ୧୬ କଳା ସମ୍ପନ୍ନ ଭବ ।

ସଂଗମଯୁଗଟି ବିଶେଷ ଭାବରେ କର୍ମ ରୂପୀ କଳା ପ୍ରଦର୍ଶନ କରିବାର ଯୁଗ ଅଟେ । ଯେଉଁମାନଙ୍କର ପ୍ରତ୍ୟେକ କର୍ମ କଳା ରୂପରେ ଅର୍ଥାତ୍ ନିଖୁଣ ହୋଇଥାଏ, ସେମାନଙ୍କର ପ୍ରତ୍ୟେକ କର୍ମର ବା ଗୁଣର ଗାୟନ ହୋଇଥାଏ । ୧୬ କଳା ସମ୍ପନ୍ନ ଅର୍ଥାତ୍ ଯାହାର ପ୍ରତ୍ୟେକ ଚାଲିଚଳନ ସମ୍ପୂର୍ଣ୍ଣ କଳା ରୂପରେ ଦେଖଯାଉଥିବା - ଏହା ହିଁ ସମ୍ପୂର୍ଣ୍ଣ ସ୍ଥିତିର ଲକ୍ଷଣ । ଯେପରି ସାକାର ବାବାଙ୍କର କଥା କହିବା, ଚାଲିବା ଇତ୍ୟାଦିରେ ବିଶେଷତା ଦେଖାଯାଉଥିଲା, ତେବେ ଏହାକୁ ମଧ୍ୟ କଳା କୁହାଯିବ ନା । ଉଠିବା-ବସିବାର ମଧ୍ୟ କଳା, ଦେଖିବାର କଳା, ଚାଲିବାରେ ମଧ୍ୟ କଳା ଥିଲା । ସବୁଥିରେ ସ୍ୱତନ୍ତ୍ରତା ଏବଂ ବିଶେଷତା ଥିଲା । ତେଣୁ ଏହିଭଳି ନିଜର ପିତାଙ୍କୁ ଅନୁକରଣ କରି ୧୬ କଳା ସମ୍ପନ୍ନ ହୁଅ ।

ସ୍ଲୋଗାନ:-
ଶକ୍ତିଶାଳୀ ଆତ୍ମା ତାଙ୍କୁ କୁହାଯିବ, ଯେଉଁମାନେ ତୁରନ୍ତ ପରଖି ନେଇ ନିର୍ଣ୍ଣୟ କରିନିଅନ୍ତି ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ତୁମମାନଙ୍କର ଯୋଗ ଯେତେବେଳେ ଜ୍ୱାଳା ସ୍ୱରୂପ ଶକ୍ତିଶାଳୀ ହୋଇଯିବ, ସେତେବେଳେ ପବିତ୍ରତାର ଅଗ୍ନି ଗୋଟିଏ ସେକେଣ୍ଡ ଭିତରେ ବିଶ୍ୱର ସମସ୍ତ ଆବର୍ଜନାକୁ ଭସ୍ମ କରିପାରିବ, କାରଣ ପବିତ୍ରତାର ଏହି ଶକ୍ତି ମହାନ ଶକ୍ତି ଅଟେ । ଅନ୍ତିମ ସମୟରେ ଯେତେବେଳେ ତୁମେମାନେ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ, ସେତେବେଳେ ତୁମମାନଙ୍କର ଶେଷ୍ଠ ସଂକଳ୍ପର ଲଗନର ଅଗ୍ନି ଦ୍ୱାରା ପୁରୁଣା ଦୁନିଆ ରୂପକ ଆବର୍ଜନା ଭସ୍ମ ହୋଇଯିବ ।