04.10.26    Avyakt Bapdada     Odia Murli    31.12.2011     Om Shanti     Madhuban


“ନୂତନ ବର୍ଷରେ ତୀବ୍ର ପୁରୁଷାର୍ଥୀ ଭବର ବରଦାନ ଦ୍ୱାରା ନିଜର ଚେହେରାରେ ଫରିସ୍ତା ସ୍ବରୂପ ଦେଖାଅ, ଲାଇଟ୍‌ ମାଇଟ୍ ସ୍ବରୂପ ଜ୍ୱାଳାମୁଖୀ ଯୋଗ ଦ୍ୱାରା ବ୍ୟର୍ଥକୁ ଜଳାଅ, ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ଶକ୍ତିର ଦାନ ଦିଅ”


ଆଜି ବ୍ରାହ୍ମଣ ପରିବାରର ରଚୟିତା ନିଜର ଚାରିଆଡର ପରିବାରକୁ ଦେଖୁଛନ୍ତି । ଛୋଟିଆ ପରିବାର ଏବଂ ଛୋଟିଆ ସଂସାର ହୋଇଥିଲେ ମଧ୍ୟ ବହୁତ ପ୍ରିୟ ପରିବାର ଅଟେ କାହିଁକି ନା କୋଟିକ ଭିତରେ ଗୋଟିଏ ଅଟେ । ତେବେ ଆଉ କ’ଣ ପାଇଁ ପ୍ରିୟ ଅଟେ ? କାହିଁକି ନା ବାବାଙ୍କୁ ଚିହ୍ନିପାରିଛନ୍ତି ଏବଂ ବାବାଙ୍କଠାରୁ ସମ୍ପତ୍ତି ପ୍ରାପ୍ତ କରିବାର ଅଧିକାରୀ ହୋଇଯାଇଛନ୍ତି । ତେବେ ଯେପରି ବାବା ଅତି ପ୍ରିୟ ଅଟନ୍ତି, ସେହିପରି ଏହି ବ୍ରାହ୍ମଣ ପରିବାର ମଧ୍ୟ ଅତିପ୍ରିୟ ଅଟେ । ଜନ୍ମ ହେବା ମାତ୍ରକେ ବାପଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ ଭାଗ୍ୟର ତାରକା ଚମକାଇ ଦେଇଛନ୍ତି ସେଥିପାଇଁ ଏହି ଛୋଟ ପରିବାରଟି ଅତିପ୍ରିୟ ଅଟେ । ତୁମେମାନେ ମଧ୍ୟ ନିଜର ଏତିକି ସ୍ୱମାନକୁ ଜାଣିଛନା ! ବାପଦାଦା ମଧ୍ୟ ଗୋଟିଏ ଗୋଟିଏ ସନ୍ତାନକୁ ଦେଖି ଖୁସି ହେଉଛନ୍ତି ଏବଂ କେଉଁ ଗୀତ ଗାଉଛନ୍ତି ଜାଣିଛ ? ବାଃ ପିଲାମାନେ ବାଃ !

ଆଜି ତ ଏହି ଶ୍ରେଷ୍ଠ ଦିବସରେ ସମସ୍ତେ ବାବାଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ଆଜିର ଦିନଟି ସଂଗମର ଦିନ ଅଟେ । ପୁରୁଣାବର୍ଷକୁ ବିଦାୟ ମଧ୍ୟ ଦେବ ଏବଂ ନୂତନ ବର୍ଷକୁ ଅଭିନନ୍ଦନ ମଧ୍ୟ ଦେବ । ଏମିତି ବି ଦୁନିଆରେ ମଧ୍ୟ ସଂଗମର ମହତ୍ୱ ରହିଛି । ଯେଉଁଠି ବି ସାଗର ଏବଂ ନଦୀର ସଂଗମ ହୋଇଥାଏ ତା’ର ବହୁତ ମହତ୍ୱ ଥାଏ । ତେଣୁ ଆଜି ଦିନରେ ବହୁତ ଗାୟନ ଯୋଗ୍ୟ ମହତ୍ୱ ରହିଛି । ପୁରୁଣା ବର୍ଷର ସମାପ୍ତି ଏବଂ ନୂତନ ବର୍ଷର ଶୁଭାରମ୍ଭ ହେବାକୁ ଯାଉଛି । ଆଜି ଦିନ ମଧ୍ୟରେ ସମସ୍ତଙ୍କ ହୃଦୟରେ ଆସନ୍ତା ବର୍ଷ ପାଇଁ କେତେ ଉତ୍ସାହ-ଉଦ୍ଦୀପନା ରହିଛି ! ସମସ୍ତେ ନିଜ ନିଜର ମନ ଭିତରେ କିଛି ନା କିଛି ଯୋଜନା କରି ରଖିଛନ୍ତି – ମୋତେ କ’ଣ ଛାଡିବାର ଅଛି ଏବଂ କ’ଣ ହେବାର ଅଛି ! କ’ଣ ଦୁଇଟି ଯୋଜନା କରିଦେଇଛ ତ? କରିଛ ତ? ଯେଉଁମାନେ ଆସୁଥିବା ବର୍ଷରେ ନିଜର ଆଗକୁ ବଢିବାର ବା ତୀବ୍ର ପୁରୁଷାର୍ଥ କରିବାର ଯୋଜନା କରିଛନ୍ତି ସେମାନେ ହାତ ଉଠାଅ । କରିଛ ତ? ଅଭିନନ୍ଦନ । କାହିଁକିନା ସମସ୍ତେ ଜାଣିଛ ଯେ ବାପଦାଦା ତୁମମାନଙ୍କ ପାଇଁ କ’ଣ ଚାହୁଁଛନ୍ତି । ତେବେ ବାପଦାଦା ସମସ୍ତଙ୍କ ପ୍ରତି ଏହି ଶୁଭ ଆଶା ରଖିଛନ୍ତି ଯେ ପ୍ରତ୍ୟେକ ସନ୍ତାନ ବାବାଙ୍କ ସମାନ ଏବଂ ସମ୍ପୂର୍ଣ୍ଣ ହୋଇଯାଆନ୍ତୁ । ଏବେ ତ ସମୟ ମଧ୍ୟ ସହଯୋଗ ଦେଉଛି । ତେଣୁ ସମସ୍ତ ନିଜର ମନ ଭିତରେ ନିଜ ପ୍ରତି ନୂଆ ନୂଆ ଯୋଜନା ସବୁ କରିଛ ନା ! କିଛି ଛାଡିବାକୁ ହେବ ଆଉ କିଛି ଆଗକୁ ବଢିବାକୁ ହେବ । ତେବେ କ’ଣ ଛାଡିବାକୁ ହେବ? ବାପଦାଦା ଦେଖୁଛନ୍ତି ଯେ ପୁରୁଣା ସଂସାରକୁ ଏବଂ ସମ୍ବନ୍ଧକୁ ଛାଡିବାର ପୁରୁଷାର୍ଥ ଉପରେ ସମସ୍ତଙ୍କର ଧ୍ୟାନ ରହିଛି । ଗୋଟିଏ କଥା ଯାହାକୁ ସମସ୍ତେ ଛାଡିବାକୁ ଚାହୁଁଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ ବାପଦାଦା ଦେଖୁଛନ୍ତି ଯେ ପୁରୁଣା ସଂସ୍କାରକୁ ଛାଡିବା ପାଇଁ ଟିକିଏ ମେହେନତ ଲାଗୁଛି । ତେଣୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଏହି ନୂତନ ବର୍ଷରେ ପ୍ରତ୍ୟେକ ସନ୍ତାନ ନିଜର ବ୍ୟକ୍ତିଗତ ସଂସ୍କାର ଗୁଡିକର ଦାହ ସଂସ୍କାର କରିଦିଅନ୍ତୁ । ତୁମମାନେ ମଧ୍ୟ ଏହି ସଂକଳ୍ପକୁ ପୂରଣ କରିବାକୁ ଚାହୁଁଛନ୍ତି ନା! କାହିଁକିନା ପୁରୁଣା ସଂସ୍କାର ଯାହାକୁ ତୁମେମାନେ ମୋ’ର ନେଚର ବୋଲି କହୁଛ, ମୋ’ର ଉଦ୍ଦେଶ୍ୟ ସେଭଳି ନୁହେଁ କିନ୍ତୁ ମୋର ନେଚର ଏହିଭଳି ଅଟେ । ତେଣୁ ନେଚର ତ ଏହି ବ୍ରାହ୍ମଣ ଜନ୍ମର ନୁହେଁ, ପୁରୁଣା ଅଟେ । ତେବେ ସେହି ନେଚରକୁ ବା ପୁରୁଣା ସଂସ୍କାରକୁ ଆଜି ଦିନରେ ଛାଡିବା ପାଇଁ ସଂକଳ୍ପ କରିପାରିବ ? ସମସ୍ତେ ନିଜେ ନିଜକୁ ଜାଣିଛ, ତେଣୁ ଆଜି ବର୍ଷକୁ ବିଦାୟ ଦେବା ସହିତ ସେହି ପୁରୁଣା ସଂସ୍କାରଗୁଡିକକୁ ଛାଡିବା ପାଇଁ ଦୃଢ ସଂକଳ୍ପ କରିପାରିବ ? କରିପାରିବ? ଚାହୁଁଛ ମଧ୍ୟ, ଏମିତି ନୁହେଁ ଯେ ତୁମେ ଚାହୁଁନାହଁ କିନ୍ତୁ ପୁଣି ବି ବାରମ୍ବାର ପୁରୁଷାର୍ଥରେ ତୀବ୍ରତା ଆଣିବାରେ ସେହି ସଂସ୍କାର ଭିନ୍ନ ଭିନ୍ନ ରୂପରେ ବିଘ୍ନ ପକାଉଛି, ତେଣୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ଆଜି ଦିନରେ ତା’କୁ ମଧ୍ୟ ବିଦାୟ ଦେଇଦିଅ । କ’ଣ ଏଥିପାଇଁ ପ୍ରସ୍ତୁତ ଅଛ ତ ! ଯେଉଁମାନେ ପ୍ରସ୍ତୁତ ଅଛ ସେମାନେ ହାତ ଉଠାଅ । ଏଥିପାଇଁ କ’ଣ କରିବ ? ନିଜ ପାଇଁ କୈାଣସି ଯୋଜନା ଚିନ୍ତା କରିଛ କି ? ଏଥିପାଇଁ ସବୁଠାରୁ ଭଲ କଥା ହେଲା ଦୃଢ ସଂକଳ୍ପ । ସଂକଳ୍ପ ମଧ୍ୟ ଅଛି, ହେବା ମଧ୍ୟ ଦରକାର କିନ୍ତୁ ସଂକଳ୍ପରେ ତୀବ୍ରତା ଆବଶ୍ୟକ । ଯେପରି ବ୍ରାହ୍ମଣ ହେବା ସହିତ ଏହି ପ୍ରତିଜ୍ଞା ମଧ୍ୟ କରିଛ ଯେ କୈାଣସି ବି ଅଶୁଦ୍ଧ ଭୋଜନ ସ୍ୱୀକାର କରିବୁ ନାହିଁ । ତେବେ ବାପଦାଦା ଦେଖୁଛନ୍ତି ଏଥିରେ ଦୃଢ ସଂକଳ୍ପ ଦ୍ୱାରା ଅଧିକାଂଶ ପିଲା ପାସ୍ ହୋଇଯାଇଛନ୍ତି । ଯେପରି ଶରୀର ପାଇଁ ଅଶୁଦ୍ଧ ଭୋଜନର ସଂକଳ୍ପ କରିଥିଲ ଏବଂ ତାକୁ ବାସ୍ତବିକ ରୂପରେ ପାଳନ କରୁଛ, ସେହିପରି ମନ ପାଇଁ ମଧ୍ୟ ଏହି ଦୃଢ ସଂକଳ୍ପ କରିବାକୁ ହେବ ଯେ କେବେ ବି କାହା ପ୍ରତି ବି, କୈାଣସି ବି ପରିସ୍ଥିତିରେ କୈାଣସି ବି ବ୍ୟର୍ଥ ସଂକଳ୍ପ ନ କରି ସର୍ବଦା ପ୍ରତ୍ୟେକ ଆତ୍ମାଙ୍କ ପ୍ରତି ଶୁଭଭାବନା, ଶୁଭକାମନା ରଖିବାକୁ ହିଁ ହେବ । ତେବେ ମନର ଭୋଜନ ହେଲା ସଂକଳ୍ପ, ଯେପରି ଅଧିକାଂଶ ପିଲା ଶରୀର ପାଇଁ ଦୃଢ ସଂକଳ୍ପ କରିଛନ୍ତି, ସେହିପରି କ’ଣ ମନ ପାଇଁ ବ୍ୟର୍ଥ ସଂକଳ୍ପ ଏବଂ ଅଶୁଦ୍ଧ ଭାବନାକୁ ସମାପ୍ତ କରିପାରିବ ନାହିଁ ? ପ୍ରତ୍ୟେକ ଆତ୍ମା ପ୍ରତି ନିଜ ମନ ଭିତରେ ଆନ୍ତରିକ ସ୍ନେହ ଏବଂ ସହଯୋଗର ଭାବନା ରଖି ପାରିବ ନାହିଁ ?

ତେଣୁ ଆଜି ବାପଦାଦା ଏହି ପୁରୁଣା ବର୍ଷ ସହିତ ଏହି ଭଳି ଦୃଷ୍ଟି ଏବଂ ବୃତ୍ତିକୁ ମଧ୍ୟ ପ୍ରତ୍ୟେକ ସନ୍ତାନ ଭିତରୁ ବିଦାୟ ଦେବା ପାଇଁ ଚାହୁଁଛନ୍ତି । କ’ଣ ଏହି ଭଳି ଦୃଢ ସଂକଳ୍ପ କରି ପାରିବ ? କରିପାରିବ ? କୁହ, ମାତାମାନେ, ଟୀଚରମାନେ ଏବଂ ସବୁ ଭାଇମାନେ ମଧ୍ୟ ଏଇଆ ଚାହୁଁଛ ନା । ଯଦି ହଁ ତେବେ ହାତ ଉଠାଅ । କାଲିଠାରୁ କୈାଣସି ବି ଆତ୍ମା ପ୍ରତି ଯଦି କୈାଣସି ବ୍ୟର୍ଥ ଭାବନା ରହିଛି ବା ବ୍ୟର୍ଥଭାବ ରହିଛି, ତେବେ ବାପଦାଦା ଆଜି ଏହାର ସମାପ୍ତି ସମାରୋହ କରିବାକୁ ଚାହୁଁଛନ୍ତି । ଟୀଚରମାନେ କୁହ, ସମସ୍ତେ ପ୍ରସ୍ତୁତ ଅଛ ତ ? ଟୀଚରମାନେ ଦୁଇଟି ଯାକ ହାତ ଉଠାଅ । ଆଚ୍ଛା ! ଯେଉଁମାନେ ଉଠାଇ ନାହଁ ସେମାନେ ମଧ୍ୟ ଉଠାଅ । ଯେଉଁମାନେ ଉଠାଇ ନାହଁ ସେମାନେ ଟିକିଏ ଛିଡା ହୋଇଯାଅ । ଭଲ କଥା, ପରୁଷାର୍ଥ କରିବୁ କିନ୍ତୁ ଦୃଢ ସଂକଳ୍ପ କରିବୁ ନାହିଁ, ଏଇଆନା ? ଯେଉଁମାନେ ଉଠି ଛିଡା ହୋଇଛ ଯଦି ଲକ୍ଷ୍ୟ ରଖିଛ ଏବଂ ପୁରୁଷାର୍ଥ କରିବ ତେବେ ହାତ ଉଠାଅ କାହିଁକିନା ସମୟକୁ ଧ୍ୟାନରେ ରଖି ଏକଥା ଚିନ୍ତାକର ଯେ ସମସ୍ତଙ୍କୁ ଏହି ସଂଗମ ସମୟରେ ଭବିଷ୍ୟତ ବହୁତ ସମୟର ସଫଳତା ପ୍ରାପ୍ତ କରିବାକୁ ହେବ । ୨୧ ଜନ୍ମର ସମ୍ପତ୍ତି ନେବାକୁ ହିଁ ହେବ । ତେଣୁ କେଉଁଠି ଏହି ଗୋଟିଏ ଜନ୍ମ, କେଉଁଠି ୨୧ ଜନ୍ମ ! ତେଣୁ ଏହି ଗୋଟିଏ ଜନ୍ମରେ ମଧ୍ୟ ବହୁତ ସମୟ ଧରି ନିଜର ପୁରୁଷାର୍ଥକୁ ତୀବ୍ର କରିବାକୁ ପଡିବ, ତେବେଯାଇ ବହୁତ ସମୟ ପର୍ଯ୍ୟନ୍ତ ଯେଉଁ ପ୍ରାପ୍ତି କରିବା କଥା ତାହା କରିପାରିବ । ବାବାଙ୍କ ସହିତ ସ୍ନେହ ଅଛି ନା, ତେଣୁ ସାଥୀରେ ମଧ୍ୟ ରହିବାକୁ ହେବ ନା ! ନିକଟରେ ମଧ୍ୟ ରହିବାକୁ ହେବ ନା ! ବ୍ରହ୍ମାବାବାଙ୍କର ସାଥୀ ହୋଇ ରାଜ୍ୟ ଅଧିକାରୀ ହେବାର ଅଛି ନା! ତେଣୁ ଏବେ ମଧ୍ୟ ସେତିକି ସମୟ ବାବାଙ୍କ ସମାନ ହେବାକୁ ପଡିବ । ବ୍ରହ୍ମାବାବାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି କେତେ ସ୍ନେହ ରହିଛି, ତାହା ତ ଜାଣିଛ ନା ! ସମସ୍ତେ କହୁଛନ୍ତି ବାବାଙ୍କର ମୋ ପ୍ରତି ଯେତିକି ସ୍ନେହ ଅଛି ସେତିକି କାହାପ୍ରତି ନଥିବ, ମୋ ପ୍ରତି ରହିଛି । ତେବେ ଏହି ସ୍ନେହ, ବାପଦାଦା ଉଭୟଙ୍କର ସ୍ନେହ ଏହି ଗୋଟିଏ ଜନ୍ମରେ ହିଁ ଅନୁଭବ କରୁଛ ଏବଂ ଯାହାର ଯାହା ପ୍ରତି ସ୍ନେହ ଥାଏ ତା କଥା କେବେ ବି ଟାଳି ନଥାନ୍ତି । ତେଣୁ ବ୍ରହ୍ମାବାବାଙ୍କ ପ୍ରତି ସମସ୍ତଙ୍କ ଭିତରେ କେତେ ସ୍ନେହ ଅଛି ? ବହୁତ ସ୍ନେହ ଅଛି, ଯଦିଓ ବାହାରକୁ ଦେଖାଇପାରିବ ନାହିଁ କିନ୍ତୁ ବାବା ଜାଣିଛନ୍ତି ଯେ ସମସ୍ତଙ୍କର ସ୍ନେହ ନିଶ୍ଚିତ ଅଛି, କ୍ରମାନ୍ୱୟ ହିସାବରେ ଥିଲେ ମଧ୍ୟ ଅଛି ନିଶ୍ଚିତ, ଏଥିରେ ବାପଦାଦା ମଧ୍ୟ ସବୁ ପିଲାଙ୍କୁ ସାର୍ଟିଫିକେଟ୍ ଦେଉଛନ୍ତି ଯେ ସ୍ନେହ ଅଛି । ତେବେ ସ୍ନେହ ତ ଅଛି କିନ୍ତୁ ବାପଦାଦା ଦେଖୁଛନ୍ତି ଯେ କେବେ କେବେ ପିଲାମାନେ ଟିକିଏ ଚଗଲା ହୋଇଯାଉଛନ୍ତି, ତେଣୁ ବାବା ସେହି ସମୟରେ କ’ଣ କରୁଛନ୍ତି ଜାଣିଛ ? ବାବା ପିଲାଙ୍କୁ ସେତେବେଳେ ବିଶେଷ ଶକ୍ତି ଦେଇଥା’ନ୍ତି କାହିଁକି ନା ବାବା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ରାଜା ହୋଇଯାଆ’ନ୍ତୁ, ଦୁନିଆରେ ମଧ୍ୟ ଯିଏ ଗେହ୍ଲା ହୋଇଥାଏ ତା’କୁ ରାଜା ସନ୍ତାନ କହିଥା’ନ୍ତି । ପ୍ରକୃତରେ ରାଜା ନହେଲେ ମଧ୍ୟ ରାଜା ସନ୍ତାନ ବୋଲି କହିଥା’ନ୍ତି, କିନ୍ତୁ ତୁମେମାନେ ବାପଦାଦାଙ୍କର ଏବେ ମଧ୍ୟ ରାଜା ସନ୍ତାନ ଅଟ ଏବଂ ଭବିଷ୍ୟତରେ ମଧ୍ୟ ରାଜା ସନ୍ତାନ ହେବ । ଏବେ ଏହା ତୁମର ସ୍ୱମାନ ଅଟେ, ସ୍ୱରାଜ୍ୟ ଅଟେ । କାରଣ ଏବେ ସମସ୍ତ କର୍ମେନ୍ଦ୍ରିୟମାନଙ୍କ ଉପରେ ଆତ୍ମାର ରାଜ୍ୟ ଚାଲିଛି । ତେଣୁ ସ୍ୱରାଜ୍ୟ ଅଧିକାରୀ ଏବେ ଅଟ ଏବଂ ବିଶ୍ୱରାଜ୍ୟ ଅଧିକାରୀ ଭବିଷ୍ୟତରେ ହେବ । ତେଣୁ ରାଜା ସନ୍ତାନ ଅଟ ନା ! ଯଦି ଅଟ ତେବେ ମୁଣ୍ଡ ହଲାଅ ।

ତେବେ ବାପଦାଦା ଆଜି ଅମୃତବେଳାରେ ଦେଶ ବିଦେଶ ଚାରିଆଡେ ଚକ୍ର ଲଗାଇବା ପାଇଁ ଯାଇଥିଲେ । ତା’ହେଲେ କ’ଣ ଦେଖିଲେ ? ଅଧିକାଂଶ ପିଲା ଅମୃତ ବେଳାରେ ଯୋଗରେ ବସୁଛନ୍ତି, ସ୍ନେହର ସହିତ ମଧ୍ୟ ବସୁଛନ୍ତି, ବାପଦାଦାଙ୍କ ସହିତ ବାର୍ତ୍ତାଳାପ ମଧ୍ୟ କରୁଛନ୍ତି, ଆତ୍ମିକ ସ୍ମୃତିରେ ମଧ୍ୟ ବସୁଛନ୍ତି, ବାପଦାଦାଙ୍କଠାରୁ ଶକ୍ତି ମଧ୍ୟ ନେଉଛନ୍ତି କିନ୍ତୁ ଏବେ ବାପଦାଦା ଆଗାମୀ ନୂତନ ବର୍ଷରେ କିଛି ନବୀନତା ଦେଖିବାକୁ ଚାହିଁଛନ୍ତି କାହିଁକିନା ଏବେ ସମୟ ଦିନକୁ ଦିନ ସଂକଟ ଜନକ ହେବାକୁ ଯାଉଛି । ତେଣୁ ଏଭଳି ସମୟରେ ଏବେ ଜ୍ୱାଳାମୁଖୀ ଯୋଗ ଦରକାର । ବର୍ତ୍ତମାନ ହିଁ ଜ୍ୱଳାମୁଖୀ ଯୋଗର ଆବଶ୍ୟକତା ରହିଛି । ଜ୍ୱାଳାମୁଖୀ ଯୋଗର ଅର୍ଥ ହେଲା ଲାଇଟ୍ ମାଇଟ୍ ସ୍ବରୂପ ଶକ୍ତିଶାଳୀ ସ୍ଥିତି, କାହିଁକିନା ସମୟ ଅନୁସାରେ ଏବେ ଦୁଃଖ ଅଶାନ୍ତି ହଲଚଲ ଆହୁରି ବଢିବାକୁ ଲାଗିବ ସେଥିପାଇଁ ନିଜର ଦୁଃଖୀ ଏବଂ ବ୍ୟାକୁଳ ଆତ୍ମାମାନଙ୍କୁ ବିଶେଷ କରି ଜ୍ୱାଳାମୁଖୀ ଯୋଗଦ୍ୱାରା ଶକ୍ତି ଦେବାର ଆବଶ୍ୟକତା ପଡିବ । ସେମାନଙ୍କର ଦୁଃଖ ଅଶାନ୍ତିକୁ ଦୂର କରିବା ପାଇଁ କିଛି ନା କିଛି ଶାନ୍ତି ଏବଂ ଶକ୍ତି ନିଜର ମାନସୀକ ସେବା ଦ୍ୱାରା ସେମାନଙ୍କୁ ଦେବାକୁ ପଡିବ । ଏବେ ତୁମେମାନେ ଯେଉଁ “ଏକ ପରିବାର”ର ବିଷୟବସ୍ତୁ ଉପରେ କର୍ଯ୍ୟକ୍ରମ ସବୁ କରୁଛ, ସେହି ଅନୁସାରେ ଯଦି ଗୋଟିଏ ପରିବାର ହେଲା ତେବେ ପରିବାରର ଅଶାନ୍ତ ଆତ୍ମାମାନଙ୍କୁ କିଛି ତ ଆଞ୍ଜୁଳି ଦେବାକୁ ପଡିବ ନା, ସେଥିପାଇଁ ବାପଦାଦା ଆଗାମୀ ବର୍ଷ ଯାହାକି ଏବେ ସମ୍ମୁଖରେ ଉପସ୍ଥିତ ଅଟେ ତା ପାଇଁ ବିଶେଷ ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ ଏବେ ଜ୍ୱାଳାମୁଖୀ ଯୋଗର ଆବଶ୍ୟକତା ରହିଛି । କେବଳ ଜ୍ୱାଳାମୁଖୀ ଯୋଗ ଦ୍ୱାରା ହିଁ ତୁମ ଭିତରେ ଯେଉଁ ସବୁ ପୁରୁଣା ସଂସ୍କାର ଗୁଡିକ ରହିଯାଇଛି ସେଗୁଡିକ ଭସ୍ମ ହୋଇଯିବ ।

ଏବେ ତୁମାନଙ୍କର ଆଡଭାନ୍ସ ପାର୍ଟୀର ସାଥୀ ଆତ୍ମାମାନେ ତୁମମାନଙ୍କଠାରୁ ଏହି ଆଶା ରଖିଛନ୍ତି ଯେ ଏବେ ସମାପ୍ତିର ସମୟକୁ ପାଖକୁ ଆଣ । ଏବେ ଘର ବାହୁଡା ସମୟ, ଏକଥା ମନେ ରଖ । ତୁମମାନଙ୍କର ଦୀଦୀ ମନେପକାଇ ଦେଉଛନ୍ତି ଯେ ମୋ’ର ସବୁବେଳେ ଏହି କଥା ମନେ ରହୁଥିଲା । “ଏବେ ଘରକୁ ଯିବାର ଅଛି”, ଘରକୁ ଯିବାର ଅଛି । ଘରକୁ ଯିବାର ଅଛି । ତୁମର ଦାଦୀ କହୁଛନ୍ତି ଯେପରି ମୋ’ର ମନେ ରହୁଥିଲା “ଏବେ ସମ୍ପନ୍ନ ହେବାକୁ ପଡିବ, ସମ୍ପୂର୍ଣ ହେବାକୁ ପଡିବ” ଏହି ଧୁନ ସର୍ବଦା ଲାଗି ରହୁଥିଲା । ତେବେ ଆଜି ବିଶେଷ କରି ଅମୃତବେଳାରେ ସୂକ୍ଷ୍ମବତନରେ ବାପଦାଦାଙ୍କ ସହିତ ମିଳନ କରିବା ସମୟରେ ସେମାନେ କହୁଥିଲେ ଯେ ଏବେ ଆତ୍ମାମାନଙ୍କ ତରଫରୁ, ଯେଉଁ ଦାଦୀମାନେ ସବୁଯାଇଛନ୍ତି ସେମାନେ ସମସ୍ତେ ମିଶି କହୁଥିଲେ ଯେ ଏବେ ଜ୍ୱାଳାମୁଖୀ ଯୋଗର ବହୁତ ଆବଶ୍ୟକତା ରହିଛି । ଚାହେଁ ଅନ୍ୟମାନଙ୍କୁ ଶକ୍ତିଦେବା ପାଇଁ ହେଉ ବା ନିଜର ବ୍ରାହ୍ମଣ ପରିବାରକୁ ସମ୍ପନ୍ନ କରିବା ପାଇଁ ହେଉ । ଏବେ ସମୟକୁ ପାଖକୁ ଆଣିବା ପାଇଁ ତ ତୁମେମାନେ ହିଁ ନିମିତ୍ତ ଅଟ ସେଥିପାଇଁ ଆସୁଥିବା ବର୍ଷରେ କ’ଣ ସବୁ କରିବ ? ବିଶେଷ କ’ଣ କରିବ ? ପରସ୍ପରର ସ୍ନେହୀ ସହଯୋଗୀ ହୋଇ ପ୍ରତ୍ୟେକ ସେବା କେନ୍ଦ୍ର ତଥା ସେବାସ୍ଥାନ ଗୁଡିକରେ ଜ୍ୱାଳାମୁଖୀ ଯୋଗର ପ୍ରକମ୍ପନ ସୃଷ୍ଟି କରିବା ସହିତ କର୍ମରେ ପରସ୍ପରର ସ୍ନେହୀ ସହଯୋଗୀ ହୋଇ, ସମସ୍ତଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ଯାହା ଭିତରେ ଯାହା ବି କମି ରହିଛି ତାକୁ ସୁଧାରିବାରେ ସହଯୋଗ ଦିଅ । ସଂକଳ୍ପ ଦ୍ୱାରା ଅନ୍ୟ ଆତ୍ମାମାନଙ୍କର ସେବା କର ଏବଂ ନିଜର ସହଯୋଗ ଦ୍ୱାରା ବ୍ରାହ୍ମଣ ସାଥୀମାନଙ୍କର ବିଶେଷ ସେବା କର, ତେବେ ଯାଇ ଆମ ସମସ୍ତଙ୍କର ଦିଲ୍‌ର ଆଶା ପୂରଣ ହେବ ।

ତେଣୁ ଆଜି ସୂକ୍ଷ୍ମବତନରେ ଆଡଭାନ୍ସ ପାର୍ଟୀର ଆତ୍ମାମାନେ ଆସନ୍ତାବର୍ଷ ପାଇଁ ତୁମ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଦେଉଥିଲେ ଏବଂ ନିଜର ଦିଲ୍‌ର ଆଶାଗୁଡିକୁ ମଧ୍ୟ ଶୁଣାଉଥିଲେ । ତେବେ ବାପଦାଦାଙ୍କର ସଂକଳ୍ପ ସହିତ ତୁମର ଦାଦୀମାନଙ୍କର ମଧ୍ୟ ଆସନ୍ତାବର୍ଷ ପାଇଁ ଶୁଭ ଇଚ୍ଛାଗୁଡିକ ମଧ୍ୟ ଶୁଣିଲ, ବାପଦାଦା ତ ସବୁ ପିଲାଙ୍କୁ ଚାହେଁ ଦୁର୍ବଳ ହୋଇଥାଉ, ଚାହେଁ ତୀବ୍ର ପୁରୁଷାର୍ଥୀ ହୋଇଥାଉ ସମସ୍ତଙ୍କୁ ତିନୋଟି ଅଭିନନ୍ଦନ ଦେଉଛନ୍ତି, ଗୋଟିଏ ହେଲା ନବଜୀବନର ଅଭିନନ୍ଦନ, ଦ୍ୱିତୀୟ ନବବର୍ଷର ଅଭିନନ୍ଦନ ଏବଂ ତୃତୀୟଟି ହେଲା ନୂଆ ଦୁନିଆକୁ ସାଥୀ ହୋଇ ଯିବାର ଅଭିନନ୍ଦନ ।

ବାପଦାଦା ଏକଥା ମଧ୍ୟ କହୁଛନ୍ତି ଯେ ସମସ୍ତେ ନିଜେ ନିଜ ପାଇଁ ସମୟ ନିଧାର୍ଯ୍ୟ କର ଯେ କେତେ ଦିନ ଭିତରେ ମୁଁ ନିଜକୁ ବାବାଙ୍କ ସମାନ କରିବି । ନିଜ ଭିତରେ ନିଜେ ହିଁ ସମୟ ନିଶ୍ଚିତ କର, କ’ଣ ସମୟ ନିଶ୍ଚିତ କରିବା ଜଣାଅଛି ତ ? ବାପଦାଦା ତ ଆଜି ପ୍ରତ୍ୟେକ ସନ୍ତାନକୁ ଦେଖି ଏହି ବରଦାନ ଦେଉଛନ୍ତି ଯେ ଆଗାମୀ ବର୍ଷରେ ପ୍ରତ୍ୟେକ ସନ୍ତାନ ତୀବ୍ର ପୁରୁଷାର୍ଥୀ ହୁଅନ୍ତୁ । ଅମୃତବେଳାରେ ଯେତେବେଳେ ଯୋଗରେ ବସୁଛ ଏବଂ ଯେତେବେଳେ ଯୋଗରୁ ଉଠିବାର ସମୟ ହେଉଛି ସେହି ସମୟରେ ବାପଦାଦାଙ୍କର ଏହି ବରଦାନକୁ ନିଜର ଦିଲ୍ ଭିତରେ ସ୍ମୃତିରେ ଆଣି ତୀବ୍ର ପୁରୁଷାର୍ଥୀ ହୁଅ । ଯେପରି ବାପଦାଦା ଦୁଇଟି କଥାକୁ ପ୍ରଥମରୁ ହିଁ ଧ୍ୟାନ ଦେବା ପାଇଁ କହିଛନ୍ତି କାହିଁକି ନା ସଂଗମଯୁଗର ସମୟ ଆଚାନକ ସମାପ୍ତ ହୋଇଯିବ । ତେଣୁ ଗୋଟିଏ ହେଲା ସମୟ, ଦ୍ୱିତୀୟଟି ହେଲା ସଂକଳ୍ପ, ଏହି ଦୁଇଟି ଉପରେ ସବୁ ସମୟରେ ଧ୍ୟାନ ଦେବାକୁ ହେବ । ବାପଦାଦାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ଏହି ଶୁଭ ଭାବନା ମଧ୍ୟ ରହିଛି ଯେ ପ୍ରତ୍ୟେକ ସନ୍ତାନ ଏହି ବର୍ଷ କ’ଣ ହୋଇଯାଆନ୍ତୁ ? କ’ଣ କୁହ ? ଯିଏ ବି ତୁମର ଚେହେରାକୁ ଦେଖିବ ତା’କୁ ତୁମର ଫରିସ୍ତା ରୂପ ଦେଖାଯିବ । ମୁଁ ଅମୁକ, ମୁଁ ସମୁକ ନୁହେଁ । ଫରିସ୍ତାର ଅନୁଭବ କରନ୍ତୁ ସେଥିପାଇଁ କେବଳ ଜ୍ୱାଳାମୁଖୀ ଯୋଗ, କୈାଣସି ପ୍ରକାରର ବ୍ୟର୍ଥ ନଥିବ । ଲାଇଟ୍ ଏବଂ ମାଇଟ୍ ସ୍ବରୂପର ଯୋଗ ଦ୍ୱାରା ବ୍ୟର୍ଥକୁ ଜଳାଅ । ସମର୍ଥ ଫରିସ୍ତା ରୂପ ଦେଖାଯାଉ । ଯାହାକୁ ବି ଦେଖନ୍ତୁ, କାହିଁକିନା ବାବାଙ୍କର ସିକିଲଧା ସନ୍ତାନ ତ ଅଟ ନା । ବାବା ତୁମମାନଙ୍କୁ ବିଶେଷ ଭାବରେ କେଉଁଠୁ କେଉଁଠୁ ବାଛି ବାଛି ନିଜର ସନ୍ତାନ କରିଛନ୍ତି । ତେଣୁ ଲକ୍ଷ୍ୟ ରଖ ଯେ, ମୁଁ ବ୍ରାହ୍ମଣ ତଥା ଦେବତା ଅଟେ । ତେଣୁ ଅମୃତବେଳାରେ ନିଜର ଦିନଚର୍ଯ୍ୟା ଭିତରେ ଏହିକଥା ମନେରଖିବ ଯେ ମୁଁ ବ୍ରାହ୍ମଣ ତଥା ଦେବତା ଅଟେ । ଚାଲିବା ବୁଲିବା ସମୟରେ ଫରିସ୍ତା ରୂପରେ ରୁହ । ଫରିସ୍ତା ସ୍ବରୂପ ତ ଭଲ ଲାଗୁଛି ନା ! ବ୍ରହ୍ମାବାବା ମଧ୍ୟ ଫରିସ୍ତା ହୋଇଯାଇଛନ୍ତି, ତେଣୁ ନିଜର ପିତାଙ୍କୁ ଅନୁକରଣ କର । ତେବେ ଏହି ବର୍ଷ ପାଇଁ ଯେଉଁ ବରଦାନ ଦିଆଗଲା ତୀବ୍ର ପୁରୁଷାର୍ଥୀ ଭବ, ସାଧାରଣ ପୁରୁଷାର୍ଥୀ ନୁହେଁ, ଯଦି ସାଧାରଣ ପୁରୁଷାର୍ଥ କରିବ ତେବେ ରାଜ୍ୟ କରିବାରେ ସାଥୀ ହୋଇ ପାରିବନାହିଁ ଏବଂ ବାବା ମଧ୍ୟ ଏହି କଥା ଚାହୁଁଛନ୍ତି ଯେ ଯେତେ ଜଣ ବି ବାପଦାଦାଙ୍କର ମୂରଲୀ ପଢୁଥିବା ଇଶ୍ୱରୀୟ ବିଦ୍ୟାର୍ଥୀମାନେ ଅଛନ୍ତି, ସେମାନେ ସମସ୍ତେ କ’ଣ ହେବେ ? ଫରିସ୍ତା, ତାହେଲେ ସବୁ ବୋଝ ସମାପ୍ତ ହୋଇଯିବ । ସଂସାରର ଯେ କୈାଣସି ବୋଝ ସମାପ୍ତ ହୋଇଯିବ । ତେଣୁ ଏହି ବର୍ଷର ହୋମୱାର୍କ କ’ଣ ହେଲା ? ଫରିସ୍ତା ସ୍ବରୂପରେ ରହିବାକୁ ହେବ । ଏହାକୁ ହିଁ କୁହାଯାଏ ତୀବ୍ର ପୁରୁଷାର୍ଥ । ଏବେ ପ୍ରତ୍ୟେକ ସେବାକେନ୍ଦ୍ର ପ୍ରତ୍ୟେକ ସପ୍ତାହରେ ପ୍ରତ୍ୟେକ ବିଦ୍ୟାର୍ଥୀର ଫଳାଫଳକୁ ଚେକ୍ କରନ୍ତୁ ଯେ ଇଏ ତୀବ୍ର ପରୁଷାର୍ଥ କରୁଛନ୍ତି କି ନାହିଁ ? ଯଦି କୈାଣସି କଥା ଆସିଲା, ସେଥିରେ ପରସ୍ପରର ସହଯୋଗୀ ହୋଇ, ପରସ୍ପରକୁ ସାହସ ଦିଅ ଏବଂ ନିଜର ସେବାକେନ୍ଦ୍ରକୁ, ବିଦ୍ୟାର୍ଥୀମାନଙ୍କୁ ତୀବ୍ର ପରୁଷାର୍ଥୀ କର, ପ୍ରତି ସପ୍ତାହରେ ଫଳାଫଳ ଦେଖ କାହିଁକିନା ଆଗକୁ ଆହୁରି ଅଧିକ ହଲଚଲର ସମୟ ନିଶ୍ଚିତ ଆସିବ । ତେବେ ଆଜିର ସଂଗମ ଦିବସରେ, ବିଦାୟ ବେବାର ଏବଂ ଅଭିନନ୍ଦନ ଦେବାର ଦିବସରେ ଚାରିଆଡର ଯେଉଁମାନେ ଯେଉଁଠି ବି ବସିଛନ୍ତି, ବାପଦାଦା ଦେଖୁଛନ୍ତି ଯେ କିପରି ସମସ୍ତେ ବିଜ୍ଞାନର ସାଧନଗୁଡିକ ଦ୍ୱାରା ଦେଖୁଛନ୍ତି ଏବଂ କେତେ ଖୁସି ହେଉଛନ୍ତି । ତେଣୁ ଚାରିଆଡର ପିଲାମାନଙ୍କୁ ବାପଦାଦା ବିଶେଷ ବରଦାନ ମଧ୍ୟ ଦେଉଛନ୍ତି “ସଦା ସନ୍ତୁଷ୍ଟମଣି ଭବ” ସନ୍ତୁଷ୍ଟ ରୁହ ଏବଂ ସନ୍ତୁଷ୍ଟ କର, ଆଚ୍ଛା !

ଏବେ ସବୁ ଦାଦୀମାନେ ମିଶି କିଛି ନୂଆ ଯୋଜନା କର । (ଦାଦୀ ଜାନକୀ କହିଲେ, ବାବା ଜାନୁଆରୀ ମାସର ବହୁତ ମହତ୍ୱ ରହିଛି । ଜାନୁଆରୀ ମାସରେ ଯଦି ସମସ୍ତେ ମିଳି ମିଶି ପୁରୁଷାର୍ଥ କରିବେ, ସେବାର ଏଭଳି କୈାଣସି ଯୋଜନା ପ୍ରସ୍ତୁତ କରିବେ, ଯାହାକି ସମସ୍ତଙ୍କର ଦିଲ ଭିତରୁ ଏବଂ ଅନ୍ତରରୁ ବାହାରିବ ମେରା ବାବା, ଏହା ହିଁ ମୋ’ର ଶୁଭ ଇଚ୍ଛା !)

ବାପଦାଦା ନୂତନ ବର୍ଷରେ ନବୀନତା ଚାହୁଁଛନ୍ତି, ସେହି ପୁରୁଣା ସଂସ୍କାର ଚାଲୁ ଚାହୁଁନାହାନ୍ତି । ପ୍ରତ୍ୟେକ ସନ୍ତାନ ବାବାଙ୍କର ସମାନ ଦେଖାଯାଆନ୍ତୁ । ଫଲୋ ବ୍ରହ୍ମାବାବା, ଭିନ୍ନ ଭିନ୍ନ ପରିସ୍ଥିତି, ଭିନ୍ନ ଭିନ୍ନ ସମସ୍ୟା ବାବାଙ୍କ ନିକଟକୁ ଆସିଥିଲା, ପୁଣି ବି ସେ ଫରିସ୍ତା ହୋଇଗଲେ । ତେଣୁ ଫରିସ୍ତା ହେବାକୁ ହିଁ ପଡିବ, ଏହି ଭଳି ଦୃଢ ସଂକଳ୍ପ ସମସ୍ତେ ନିଜ ସହିତ କର କାହିଁକିନା ନିଜେ ନିଜ ସହିତ ପ୍ରତିଜ୍ଞା କରିବା ଦ୍ୱାରା ସେଥି ପ୍ରତି ଧ୍ୟାନ ରହିବ । ମୋତେ ହେବାକୁ ହିଁ ପଡିବ, ବାସ୍ ! ଏବଂ ତୁମେ ଯଦି ଫରିସ୍ତା ହେଇଯିବ ତେବେ ତୁମର ଭାଇବ୍ରେସନ ସ୍ୱାଭାବିକ ଭାବରେ ବାୟୁମଣ୍ଡଳରେ ବିଛୁରିତ ହେବ । ତେଣୁ ଏବେ କ’ଣ ଲକ୍ଷ୍ୟ ରଖିଲ? କୁହ, ମୋତେ ଫରିସ୍ତା ହେବାକୁ ହିଁ ପଡିବ । ପକ୍କା ତ ! ଆଚ୍ଛା ! ସମସ୍ତଙ୍କୁ ବହୁତ ବହୁତ ବାପଦାଦାଙ୍କର ଦିଲ୍‌ର ସ୍ନେହ ଏବଂ ଅଭିନନ୍ଦନ ।

ବରଦାନ:-
ସମସ୍ତ ଖାତା ଅର୍ଥାତ୍ ହିସାବ କିତାବ ଏବଂ ସବୁ ସମ୍ବନ୍ଧ ଏକମାତ୍ର ବାବାଙ୍କ ସହିତ ରଖୁଥିବା ଡବଲ ଲାଇଟ୍ ଫରିସ୍ତା ହୁଅ ।

ଡବଲ ଲାଇଟ୍ ଫରିସ୍ତା ହେବା ପାଇଁ ଦେହର ସ୍ମୃତିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ରୁହ, କାହିଁକିନା ଦେହର ସ୍ମୃତି ମଧ୍ୟ ମାଟି ସହିତ ସମାନ ଅଟେ, ଯଦି ଏହାର ମଧ୍ୟ ବୋଝ ରହିଛି ତେବେ ଭାରୀପଣିଆ ରହିଛି କିନ୍ତୁ ଫରିସ୍ତା ଅର୍ଥାତ୍ ନିଜର ଦେହ ସହିତ ମଧ୍ୟ ସମ୍ବନ୍ଧ ନଥିବ । ବାବା ଦେଇଥିବା ଶରୀରକୁ ମଧ୍ୟ ବାବାଙ୍କୁ ଦେଇଦେଇଛ । ଯଦି ନିଜର ବସ୍ତୁକୁ ଅନ୍ୟ କାହାକୁ ଦେଇ ଦେଲ ତେବେ ନିଜର ସମ୍ବନ୍ଧ ମଧ୍ୟ ସମାପ୍ତ ହୋଇଗଲା । ସବୁ ହିସାବ କିତାବ, ସବୁ ଲେଣ୍‌-ଦେଣ୍ ବାବାଙ୍କ ସହିତ, ବାକି ଯାହା ସବୁ ପିଛିଲା ଖାତା ଏବଂ ରିସ୍ତା ଅର୍ଥାତ୍ ସମ୍ବନ୍ଧ ସମାପ୍ତ ହୋଇଗଲା - ଏହିଭଳି ସମ୍ପୂର୍ଣ୍ଣ ବେଗର ଅର୍ଥାତ୍‌, ନିଃସ୍ୱ ହିଁ ଡବଲ ଲାଇଟ୍ ଫରିସ୍ତା ଅଟନ୍ତି ।

ସ୍ଲୋଗାନ:-
ଯଦି ନିଜର ବିଶେଷତା ଗୁଡିକୁ କାର୍ଯ୍ୟରେ ଲଗାଇବ, ତେବେ ପ୍ରତି ପାଦରେ ଉନ୍ନତିର ଅନୁଭବ କରିବ ।

ଅବ୍ୟକ୍ତ ଇଶାରା:- ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର । କୈାଣସି ବି ଆତ୍ମାଠାରୁ କିଛି ନେବା ପରେ କିଛି ଦେବାର ଇଚ୍ଛା ନ ରହୁ, ସଂକଳ୍ପରେ ମଧ୍ୟ ଏକଥା ନଆସୁ ଯେ ଇଏ ଯଦି କରିବ ତେବେ ମୁଁ କରିବି, ଇଏ ଯଦି ବଦଳିବ ତେବେ ମୁଁ ମଧ୍ୟ ବଦଳିବି, କିଛି ସେ ବଦଳୁ, କିଛି ମୁଁ ବଦଳିବି... ଭିକାରୀକୁ ମଧ୍ୟ ମାଲାମାଲ କରିବା ବାଲା, ଅପକାରୀର ମଧ୍ୟ ଉପକାର କରିବାବାଲା ହିଁ ପରୋପକାରର ଭାବନାରେ ସମ୍ପନ୍ନ ଅଟନ୍ତି ।