05.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କର ଶ୍ରୀମତ ଆଧାରରେ ତୁମେମାନେ ମନୁଷ୍ୟରୁ ଦେବତା ହେଉଛ, ଗୀତାର ଜ୍ଞାନ ଏବଂ ରାଜଯୋଗ
ତୁମମାନଙ୍କୁ ସମ୍ପୂର୍ଣ୍ଣ ପାବନ କରିଦେଉଛି” ।
ପ୍ରଶ୍ନ:-
ସତ୍ୟଯୁଗରେ
ପ୍ରତ୍ୟେକ ଜିନିଷ ଭଲରୁ ଭଲ ଅର୍ଥାତ୍ ସତ୍ତ୍ୱପ୍ରଧାନ ହୋଇଥାଏ, କାହିଁକି?
ଉତ୍ତର:-
କାହିଁକି ନା ସେଠାରେ ସତ୍ତ୍ୱପ୍ରଧାନ ମନୁଷ୍ୟ ଥା’ନ୍ତି, ଯେତେବେଳେ ମନୁଷ୍ୟମାନେ ଭଲ ଥା’ନ୍ତି
ସେତେବେଳେ ତାଙ୍କ ପାଇଁ ଦୁନିଆର ସାମଗ୍ରୀଗୁଡିକ ମଧ୍ୟ ଭଲ ଥାଏ ଏବଂ ମନୁଷ୍ୟମାନଙ୍କର ଚରିତ୍ର
ଖରାପ ଥିଲେ ଦୁନିଆର ସାମଗ୍ରୀଗୁଡିକ ମଧ୍ୟ କ୍ଷତିକାରକ ହୋଇଥାଏ । ସତ୍ତ୍ୱପ୍ରଧାନ ସୃଷ୍ଟିରେ କୌଣସି
ଅପ୍ରାପ୍ତ ବସ୍ତୁ ନ ଥାଏ, କୌଣସି ବସ୍ତୁ କେଉଁଠାରୁ ମଗେଇବାକୁ ପଡି ନ ଥାଏ ।
ଓମ୍ ଶାନ୍ତି ।
ବାବା ଏହି ଶରୀର ମାଧ୍ୟମରେ ବୁଝାଉଛନ୍ତି । ଏହାକୁ ଜୀବ କୁହାଯାଏ । ଏଥିରେ ଆତ୍ମା ମଧ୍ୟ ଅଛି ଏବଂ
ତୁମେ ପିଲାମାନେ ଜାଣିଛ ଯେ, ପରମପିତା ପରମାତ୍ମା ମଧ୍ୟ ଏହାଙ୍କ ଭିତରେ ଅଛନ୍ତି । ଏକଥା ତ ପ୍ରଥମେ
ପ୍ରଥମେ ପକ୍କା ହେବା ଦରକାର ସେଥିପାଇଁ ଏହାଙ୍କୁ ଦାଦା ମଧ୍ୟ କୁହାଯାଏ । ଏହି ନିଶ୍ଚୟ ତ
ପିଲାମାନଙ୍କର ଅଛି ଏବଂ ପିଲାମାନଙ୍କୁ ଏହି ନିଶ୍ଚୟରେ ହିଁ ରମଣ କରିବା ଦରକାର । ବାସ୍ତବରେ ବାବା
ଯାହାଙ୍କ ଭିତରେ ପ୍ରବେଶ କରିଛନ୍ତି ବା ଅବତାର ନେଇଛନ୍ତି ତାଙ୍କ ପାଇଁ ବାବା ନିଜେ କହୁଛନ୍ତି
ମୁଁ ଏହାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ଆସୁଛି । ପିଲାମାନଙ୍କୁ ବୁଝାଯାଇଛି ଯେ ଏହା ହେଉଛି
ସର୍ବଶାସ୍ତ୍ର ଶିରୋମଣି ଗୀତାର ଜ୍ଞାନ । ଶ୍ରୀମତ ଅର୍ଥାତ୍ ଶ୍ରେଷ୍ଠ ମତ । ଶ୍ରେଷ୍ଠରୁ ଶ୍ରେଷ୍ଠ
ମତ ହେଲା ଉଚ୍ଚରୁ ଉଚ୍ଚ ଭଗବାନଙ୍କର । ସେହି ଶ୍ରୀମତ ଆଧାରରେ ତୁମେମାନେ ମନୁଷ୍ୟରୁ ଦେବତା ହେଉଛ
। ଭ୍ରଷ୍ଟ ମନୁଷ୍ୟରୁ ଶ୍ରେଷ୍ଠ ଦେବତା ହେଉଛ ଏବଂ ଏଠାକୁ ଏଇଥିପାଇଁ ହିଁ ଆସୁଛ । ବାବା ମଧ୍ୟ ନିଜେ
କହୁଛନ୍ତି ମୁଁ ଆସୁଛି ତୁମକୁ ଶ୍ରେଷ୍ଠାଚାରୀ, ନିର୍ବିକାରୀ ମତର ଅଧିକାରୀ ଦେବୀ-ଦେବତା କରିବା
ପାଇଁ । ତେବେ ମନୁଷ୍ୟରୁ ଦେବତା ହେବାର ଅର୍ଥକୁ ମଧ୍ୟ ବୁଝିବାକୁ ହେବ । ବିକାରୀ ମନୁଷ୍ୟରୁ
ନିର୍ବିକାରୀ ଦେବତା କରିବା ପାଇଁ ବାବା ଆସୁଛନ୍ତି । ସତ୍ୟଯୁଗରେ ମଧ୍ୟ ମନୁଷ୍ୟ ହିଁ ଥା’ନ୍ତି
କିନ୍ତୁ ସେମାନେ ଦୈବୀଗୁଣଧାରୀ ଥିଲେ, ଏବେ କଳିଯୁଗରେ ହେଲେ ଆସୁରୀଗୁଣଧାରୀ ମନୁଷ୍ୟ । ମନୁଷ୍ୟ
ସୃଷ୍ଟି ତ ଗୋଟିଏ, କିନ୍ତୁ ସେମାନେ ହେଲେ ଈଶ୍ୱରୀୟ ବୁଦ୍ଧି ସମ୍ପନ୍ନ, ଏମାନେ ହେଲେ ଆସୁରୀ
ବୁଦ୍ଧି ସମ୍ପନ୍ନ । ସେଠାରେ ଜ୍ଞାନ ରହିଛି, ଏଠାରେ ଭକ୍ତି । ତେବେ ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା
ନା । ଦେଖ, ଭକ୍ତିର ପୁସ୍ତକ କେତେ ଏବଂ ଜ୍ଞାନର ପୁସ୍ତକ କେତେ । ଜ୍ଞାନର ସାଗର ଏକମାତ୍ର ବାବା
ଅଟନ୍ତି, ତେଣୁ ତାଙ୍କର ପୁସ୍ତକ ମଧ୍ୟ ଗୋଟିଏ ହିଁ ହେବା ଦରକାର । ଯେଉଁମାନେ ବି ଧର୍ମର ସ୍ଥାପନା
କରୁଛନ୍ତି, ସେମାନଙ୍କର ପୁସ୍ତକ ମଧ୍ୟ ଗୋଟିଏ ହେବା ଦରକାର । ସେଗୁଡିକୁ ଧର୍ମଶାସ୍ତ୍ର କୁହାଯାଏ
। ପ୍ରଥମ ଧର୍ମଶାସ୍ତ୍ର ହେଲା ଗୀତା । ଶ୍ରୀମଦ୍ଭଗବତ ଗୀତା । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି
ଯେ, ପ୍ରଥମ ହେଲା ଆଦି ସନାତନ ଦେବୀ-ଦେବତା ଧର୍ମ, ହିନ୍ଦୁ ଧର୍ମ ନୁହେଁ । ମନୁଷ୍ୟ ଭାବୁଛନ୍ତି
ଗୀତା ଦ୍ୱାରା ହିନ୍ଦୁ ଧର୍ମର ସ୍ଥାପନା ହୋଇଥିଲା ଏବଂ ଗୀତାକୁ ଶ୍ରୀକୃଷ୍ଣ ହିଁ ଗାୟନ କରିଛନ୍ତି
। ତୁମେମାନେ କାହାକୁ ବି ପଚାରିଲେ ସେମାନେ କହିବେ ଯେ, ପରମ୍ପରାରୁ ଶ୍ରୀକୃଷ୍ଣ ହିଁ ଗାୟନ
କରିଛନ୍ତି । କୌଣସି ଶାସ୍ତ୍ରରେ ଶିବଭଗବାନଉବାଚ ନାହିଁ । ସେଥିପାଇଁ ଶ୍ରୀମଦ୍ ଶ୍ରୀକୃଷ୍ଣ
ଭଗବାନଉବାଚ ଲେଖି ଦେଇଛନ୍ତି । ଯେଉଁମାନେ ଗୀତା ପଢିଥିବେ ସେହିମାନେ ସହଜରେ ବୁଝିଯିବେ । ଏବେ
ତୁମେମାନେ ଜାଣୁଛ ଯେ, ଏହି ଗୀତା ଜ୍ଞାନ ଦ୍ୱାରା ଆମେମାନେ ମନୁଷ୍ୟରୁ ଦେବତା ହୋଇଥିଲୁ, ଯାହାକୁ
କି ଏବେ ବାବା ତୁମମାନଙ୍କୁ ଦେଉଛନ୍ତି । ରାଜଯୋଗର ଶିକ୍ଷା ଦେଉଛନ୍ତି । ପବିତ୍ରତା ମଧ୍ୟ
ଶିଖାଉଛନ୍ତି । କାମ ବିକାର ମହାଶତ୍ରୁ ଅଟେ, ଏହାଦ୍ୱାରା ହିଁ ତୁମେମାନେ ହାରିଯାଇଛ । ଏବେ ପୁଣି
ତା ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେମାନେ ଜଗତଜୀତ ଅର୍ଥାତ୍ ବିଶ୍ୱର ମାଲିକ ହୋଇଯାଉଛ ।
ଏହା ତ ବହୁତ ସହଜ । ବେହଦର ବାବା ଆସି ଏହାଙ୍କ ଦ୍ୱାରା ତୁମମାନଙ୍କୁ ପାଠ ପଢାଉଛନ୍ତି । ସେ ହେଲେ
ସମସ୍ତ ଆତ୍ମାଙ୍କର ପିତା । ଏହି ବ୍ରହ୍ମା ହେଲେ ମନୁଷ୍ୟମାନଙ୍କର ବେହଦର ପିତା । ଯାହାଙ୍କର ନାମ
ହିଁ ହେଉଛି ପ୍ରଜାପିତା ବ୍ରହ୍ମା । ତୁମେମାନେ କାହାକୁ ବି ପଚାର ଯେ ବ୍ରହ୍ମାଙ୍କର ପିତାଙ୍କ ନାମ
କ’ଣ ? ତେବେ ସେମାନେ ଅଡୁଆରେ ପଡିଯିବେ । ବ୍ରହ୍ମା-ବିଷ୍ଣୁ-ଶଙ୍କର ହେଉଛନ୍ତି ରଚନା । ତେବେ ଏହି
ତିନି ଜଣଙ୍କର ମଧ୍ୟ କେହି ପିତା ଥିବେ ନା । ତୁମେ କହୁଛ, ଏହି ତିନିଜଣଙ୍କର ପିତା ହେଉଛନ୍ତି
ନିରାକାର ଶିବ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ସୂକ୍ଷ୍ମଲୋକର ଦେବତା ଭାବରେ ଦେଖାଉଛନ୍ତି ।
ତାଙ୍କ ଉପରେ ହେଲେ ଶିବ । ପିଲାମାନେ ଜାଣିଛନ୍ତି - ଶିବବାବାଙ୍କର ସନ୍ତାନ ଯେଉଁ ଆତ୍ମା ବି
ହୋଇଥା’ନ୍ତୁ ନା କାହିଁକି ତାଙ୍କର ନିଜର ଶରୀର ତ ଥିବ । କିନ୍ତୁ ସେ ତ ସର୍ବଦା ନିରାକାର ପରମପିତା
ପରମାତ୍ମା ଅଟନ୍ତି । ଏବେ ପିଲାମାନଙ୍କୁ ଜଣାପଡିଯାଇଛି ଯେ, ଆମେମାନେ ନିରାକାର ପରମପିତା
ପରାମାତ୍ମାଙ୍କର ସନ୍ତାନ ଅଟୁ । ଆତ୍ମା ଶରୀର ଦ୍ୱାରା କହିଥାଏ - ପରମପିତା ପରମ ଆତ୍ମା । କେତେ
ସହଜ କଥା । ଏହାକୁ କୁହାଯାଏ ଅଲଫ ଏବଂ ବେ । ଏ ସବୁ ତୁମମାନଙ୍କୁ କିଏ ପାଠ ପଢାଉଛନ୍ତି? ଗୀତାର
ଜ୍ଞାନ କିଏ ଶୁଣାଇଲେ? ନିରାକାର ବାବା ହିଁ ଶୁଣାଇଛନ୍ତି । ଯାହାଙ୍କର କୌଣସି ମୁକୁଟ ଆଦି ନାହିଁ
। ସିଏ ଜ୍ଞାନର ସାଗର, ବୀଜରୂପ, ଚୈତନ୍ୟ ଅଟନ୍ତି । ତୁମେମାନେ ମଧ୍ୟ ଚୈତନ୍ୟ ଆତ୍ମା ଅଟ ନା! ଏହି
ସୃଷ୍ଟିରୂପି ବୃକ୍ଷର ଆଦି-ମଧ୍ୟ-ଅନ୍ତକୁ ତୁମେମାନେ ଜାଣିଛ । ଯଦିଓ ତୁମେମାନେ ମାଳି ନୁହଁ କିନ୍ତୁ
ବୁଝିପାରୁଛ ଯେ, କିପରି ମଞ୍ଜି ପୋତାଯାଇ ଥାଏ ଏବଂ ସେଥିରୁ ବୃକ୍ଷର ଉତ୍ପତ୍ତି କିପରି ହୋଇଥାଏ ।
ତାହା ହେଲା ଜଡ ବୃକ୍ଷ କିନ୍ତୁ ଇଏ ହେଲା ଚୈତନ୍ୟ । ତୁମମାନଙ୍କ ଆତ୍ମାରେ ଜ୍ଞାନ ଅଛି, ଆଉ କାହା
ଆତ୍ମାରେ ଜ୍ଞାନ ନାହିଁ । ବାବା ଚୈତନ୍ୟ ମନୁଷ୍ୟ ସୃଷ୍ଟିର ବୀଜ ରୂପ ଅଟନ୍ତି । ତେଣୁ ବୃକ୍ଷ
ମଧ୍ୟ ମନୁଷ୍ୟମାନଙ୍କର ହିଁ ହେବ । ଏହା ହେଲା ଚୈତନ୍ୟ ରଚନା । ବୀଜ ଏବଂ ତା’ର ରଚନା ମଧ୍ୟରେ ଫରକ
ରହିଛି ନା! ଆମ୍ବର ବୀଜ ଲଗାଇଲେ ସେଥିରୁ ଆମ୍ବ ଫଳିବ କିନ୍ତୁ ବୃକ୍ଷ କେତେ ବଡ ହୋଇଥାଏ । ସେହିଭଳି
ମନୁଷ୍ୟମାନଙ୍କର ବୀଜରୁ ମନୁଷ୍ୟମାନଙ୍କର କେତେ ବୃଦ୍ଧି ହୋଇଯାଇଛି । ସେହି ଜଡ ବୀଜରେ କୌଣସି
ଜ୍ଞାନ ନ ଥାଏ । ଇଏ ତ ଚୈତନ୍ୟ ବୀଜରୂପ ଅଟନ୍ତି । ତାଙ୍କ ଭିତରେ ସାରା ସୃଷ୍ଟିରୂପୀ ବୃକ୍ଷର
ଜ୍ଞାନ ରହିଛି, କିପରି ଏହାର ଉତ୍ପତ୍ତି, ପାଳନା ପୁଣି ବିନାଶ ହୋଇଥାଏ । ଏହି ବିଶାଳ ବୃକ୍ଷର
ବିନାଶ ହୋଇ ପୁଣି କିପରି ଅନ୍ୟ ଏକ ନୂଆ ବୃକ୍ଷ ଛିଡା ହୋଇଯାଇଥାଏ! ଏହା ହେଲା ଗୁପ୍ତ । ତୁମକୁ
ଜ୍ଞାନ ମଧ୍ୟ ଗୁପ୍ତ ରୂପରେ ମିଳୁଛି । ବାବା ମଧ୍ୟ ଗୁପ୍ତ ରୂପରେ ଆସିଛନ୍ତି । ତୁମେମାନେ ଜାଣିଛ
ଏବେ ଏହି ବୃକ୍ଷର କଲମୀ ଲାଗୁଛି । ଏବେ ତ ସମସ୍ତେ ପତିତ ହୋଇଯାଇଛନ୍ତି । ଆଚ୍ଛା, ବୀଜରୁ ପ୍ରଥମେ
ପ୍ରଥମେ ଯେଉଁ ପତ୍ର ବାହାରିଥିଲା ସେ କିଏ? ସତ୍ୟଯୁଗର ପ୍ରଥମ ପତ୍ର ତ ଶ୍ରୀକୃଷ୍ଣଙ୍କୁ ହିଁ
କୁହାଯିବ, ଲକ୍ଷ୍ମୀ-ନାରାୟଣଙ୍କୁ ନୁହେଁ । ନୂଆ ପତ୍ର ଛୋଟ ହୋଇଥାଏ । ପରେ ବଡ ହୋଇଯାଏ । ତେବେ
ଏହି ବୀଜର କେତେ ମହିମା ରହିଛି । ଇଏ ତ ଚୈତନ୍ୟ ଅଟନ୍ତି ନା । ପୁଣି ସେଥିରୁ ପତ୍ର ମଧ୍ୟ
ବାହାରିଥା’ନ୍ତି । ସେମାନଙ୍କର ମହିମା ତ ହୋଇଥାଏ । ଏବେ ତୁମେମାନେ ଦେବୀ-ଦେବତା ହେବାକୁ ଯାଉଛ ।
ସେଥିପାଇଁ ଦୈବୀଗୁଣ ଧାରଣ କରୁଛ । ମୂଳକଥା ହେଲା ଆମକୁ ଦୈବୀଗୁଣ ଧାରଣ କରିବାକୁ ହେବ, ଏମାନଙ୍କ
ଭଳି ହେବାକୁ ପଡିବ । ଏମାନଙ୍କର ଚିତ୍ର ମଧ୍ୟ ଅଛି । ଏହିସବୁ ଚିତ୍ର ନ ଥିଲେ ବୁଦ୍ଧିରେ ଜ୍ଞାନ
ହିଁ ଆସିପାରି ନ ଥା’ନ୍ତା । ଏହି ଚିତ୍ର ବହୁତ କାମରେ ଆସୁଛି । ଭକ୍ତିମାର୍ଗରେ ଏହି ଚିତ୍ର
ଗୁଡିକର ମଧ୍ୟ ପୂଜା ହୋଇଥାଏ ଏବଂ ଜ୍ଞାନ ମାର୍ଗରେ ଏହି ଚିତ୍ର ଗୁଡିକ ଦ୍ୱାରା ତୁମମାନଙ୍କୁ
ଜ୍ଞାନ ମିଳୁଛି ଯେ, ଏବେ ପୁଣି ଏହିଭଳି ହେବାକୁ ପଡିବ । ଭକ୍ତିମାର୍ଗରେ ଏକଥା ଭାବୁ ନାହାଁନ୍ତି
ଯେ, ଆମକୁ ଏହିଭଳି ହେବାକୁ ପଡିବ । ଭକ୍ତିମାର୍ଗରେ କେତେ ମନ୍ଦିର ତିଆରି ହେଉଛି । ତେବେ ସବୁଠାରୁ
ଅଧିକ ମନ୍ଦିର କାହାର ଥିବ? ନିଶ୍ଚିତ ଭାବରେ ଶିବବାବାଙ୍କର ହୋଇଥିବ ଯିଏକି ଏହି ସୃଷ୍ଟିର ବୀଜରୂପ
ଅଟନ୍ତି । ପୁଣି ତାଙ୍କ ପରେ ପ୍ରଥମ ରଚନାଙ୍କର ମନ୍ଦିର ଥିବ । ପ୍ରଥମ ରଚନା ଏହି
ଲକ୍ଷ୍ମୀ-ନାରାୟଣ ଅଟନ୍ତି । ତେଣୁ ଶିବଙ୍କ ପରେ ଏମାନଙ୍କର ପୂଜା ସବୁଠାରୁ ଅଧିକ ହୋଇଥାଏ ।
ମାତାମାନେ ତ ଜ୍ଞାନ ଦେଉଛନ୍ତି କିନ୍ତୁ ସେମାନଙ୍କର ପୂଜା ହେଉନାହିଁ । ସେମାନେ ତ ପାଠ ପଢାଉଛନ୍ତି
ନା । ବାବା ତୁମମାନଙ୍କୁ ପାଠ ପଢାଉଛନ୍ତି । ତୁମେମାନେ କାହାର ପୂଜା କରୁନାହଁ । ଯେଉଁମାନେ ଏବେ
ପାଠ ପଢାଉଛନ୍ତି ସେମାନଙ୍କର ପୂଜା ଏବେ ହୋଇପାରିବ ନାହିଁ । ତୁମେମାନେ ଯେତେବେଳେ ପାଠପଢି ସାରି
ପୁଣି ଅପାଠୁଆ ଅର୍ଥାତ୍ ଦେବୀ-ଦେବତା ହୋଇଯିବ ସେତେବେଳେ ଯାଇ ତୁମର ପୂଜା ହେବ । ତୁମେମାନେ ହିଁ
ଦେବୀ-ଦେବତା ହେଉଛ ଏବଂ ତୁମେମାନେ ହିଁ ଜାଣିଛ ଯେ, ଯିଏ ଆମମାନଙ୍କୁ ଏହିଭଳି କରୁଛନ୍ତି ତାଙ୍କର
ପୂଜା ପ୍ରଥମେ ହେବ । ତାପରେ କ୍ରମାନ୍ୱୟରେ ଆମର ମଧ୍ୟ ପୂଜା ହେବ । ପରେ ପୁଣି ତଳକୁ ଖସି ଖସି
ପଞ୍ଚତତ୍ତ୍ୱର ମଧ୍ୟ ପୂଜା କରିବାରେ ଲାଗିଯାଆ’ନ୍ତି । ଏହି ଶରୀର ମଧ୍ୟ ପଞ୍ଚତତ୍ତ୍ୱର ଅଟେ ନା ।
ପଞ୍ଚତତ୍ତ୍ୱର ପୂଜା କରିବା କିମ୍ବା ଶରୀରର ପୂଜା କରିବା ଏହା ତ ଏକା କଥା ହେଲା ନା । ଏହି ଜ୍ଞାନ
ଏବେ ତୁମମାନଙ୍କ ବୁଦ୍ଧିରେ ଅଛି । ଏହି ଲକ୍ଷ୍ମୀ-ନାରାୟଣ ସାରା ବିଶ୍ୱର ମାଲିକ ଥିଲେ । ଏହି
ଦେବୀ-ଦେବତାମାନଙ୍କର ରାଜ୍ୟ ନୂଆ ସୃଷ୍ଟିରେ ଥିଲା କିନ୍ତୁ ତାହା କେବେ ଥିଲା? ସେ କଥା କେହି ବି
ଜାଣିନାହାଁନ୍ତି, ତେଣୁ ଲକ୍ଷ-ଲକ୍ଷ ବର୍ଷ ବୋଲି କହି ଦେଉଛନ୍ତି । ତେବେ ଲକ୍ଷ-ଲକ୍ଷ ବର୍ଷର କଥା
ତ କେବେ କାହା ବୁଦ୍ଧିରେ ରହିପାରିବ ନାହିଁ । ଏବେ ତୁମମାନଙ୍କୁ ସ୍ମୃତି ଆସିଛି ଯେ, ଆମେ ଆଜିଠାରୁ
୫ ହଜାର ବର୍ଷ ପୂର୍ବରୁ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ । ତେବେ ଯେଉଁମାନେ ଦେବୀ ଦେବତା
ଧର୍ମର ଥିଲେ ସେମାନେ ଅନ୍ୟ ଧର୍ମରେ ପରିବର୍ତ୍ତିତ ହୋଇଯାଇଛନ୍ତି । ହିନ୍ଦୁ ଧର୍ମ ତ
କୁହାଯାଇପାରିବ ନାହିଁ । କିନ୍ତୁ ପତିତ ହେବା କାରଣରୁ ନିଜକୁ ଦେବୀ-ଦେବତା କହିବା ଶୋଭା ପାଉନାହିଁ
। ଅପବିତ୍ରମାନଙ୍କୁ ଦେବୀ-ଦେବତା କୁହାଯାଇପାରିବ ନାହିଁ । ମନୁଷ୍ୟମାନେ ପବିତ୍ର ଦେବୀମାନଙ୍କର
ପୂଜା କରୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜେ ଅପବିତ୍ର ଅଟନ୍ତି ସେଥିପାଇଁ ପବିତ୍ରମାନଙ୍କ ଆଗରେ
ମୁଣ୍ଡ ନୁଆଁଇବାକୁ ପଡୁଛି । ଭାରତରେ ବିଶେଷ କରି କନ୍ୟାମାନଙ୍କୁ ନମସ୍କାର କରିଥା’ନ୍ତି ।
କୁମାରମାନଙ୍କୁ ନୁହେଁ, ନାରୀମାନଙ୍କୁ ନମସ୍କାର କରିଥା’ନ୍ତି । ପୁରୁଷଙ୍କୁ ନମସ୍କାର କାହିଁକି
କରୁ ନାହାଁନ୍ତି? କାହିଁକି ନା ଏହି ସମୟରେ ଜ୍ଞାନ ମଧ୍ୟ ପ୍ରଥମେ ମାତାମାନଙ୍କୁ ମିଳୁଛି । ବାବା
ଏହାଙ୍କ ଶରୀରରେ ପ୍ରବେଶ କରୁଛନ୍ତି । ତୁମେମାନେ ଏ କଥା ମଧ୍ୟ ଜାଣୁଛ ଯେ, ନିଶ୍ଚିତ ଭାବରେ ଇଏ
ଜ୍ଞାନର ବଡ ନଦୀ ଅଟନ୍ତି । ଜ୍ଞାନର ନଦୀ ମଧ୍ୟ ଅଟନ୍ତି ପୁଣି ପୁରୁଷ ମଧ୍ୟ ଅଟନ୍ତି । ଇଏ ହେଲେ
ସବୁଠାରୁ ବଡ ନଦୀ । ବ୍ରହ୍ମପୁତ୍ରା ନଦୀ ହେଲା ସବୁଠାରୁ ବଡ ନଦୀ, ଯିଏକି କଲିକତା ନିକଟରେ ସାଗର
ସହିତ ମିଶିଛି । ମେଳା ମଧ୍ୟ ସେଠାରେ ଲାଗିଥାଏ କିନ୍ତୁ ସେମାନଙ୍କୁ ଏକଥା ଜଣାନାହିଁ ଯେ, ଏହା
ଆତ୍ମା ଏବଂ ପରମାତ୍ମାଙ୍କର ମେଳା । ତାହା ତ ପାଣିର ନଦୀ, ଯାହାର ନାମ ବ୍ରହ୍ମପୁତ୍ରା ରଖାଯାଇଛି
। ସେମାନେ ତ ଈଶ୍ୱରଙ୍କୁ ବ୍ରହ୍ମ ବୋଲି କହୁଛନ୍ତି ସେଥିପାଇଁ ବ୍ରହ୍ମପୁତ୍ରକୁ ବହୁତ ପବିତ୍ର
ଭାବୁଛନ୍ତି । ଯେହେତୁ ବଡ ନଦୀ ଅଟେ, ତେଣୁ ପବିତ୍ର ମଧ୍ୟ ହୋଇଥିବ । ପତିତ ପାବନ ବାସ୍ତବରେ
ଗଙ୍ଗାକୁ ନୁହେଁ, ବ୍ରହ୍ମପୁତ୍ରକୁ କୁହାଯିବା ଉଚିତ୍ । ମେଳା ମଧ୍ୟ ଏହି ନଦୀ କୂଳରେ ଲାଗିଥାଏ ।
ଏହା ମଧ୍ୟ ସାଗର ବାବା ଏବଂ ବ୍ରହ୍ମା ନଦୀର ମେଳା ଅଟେ । ବ୍ରହ୍ମାଙ୍କ ଦ୍ୱାରା ମଧ୍ୟ ପୋଷ୍ୟ
ସନ୍ତାନ କିପରି ଗ୍ରହଣ କରାଯାଉଛି - ଏହି ସବୁ ଗହନ କଥାକୁ ମଧ୍ୟ ବୁଝିବାକୁ ହେବ, ଯାହାକି ପ୍ରାୟଃ
ଲୋପ ହୋଇଯାଇଛି । ଏହା ତ ବିଲକୁଲ୍ ସହଜ କଥା ନା ।
ଭଗବାନଉବାଚ, ମୁଁ ତୁମମାନଙ୍କୁ ରାଜଯୋଗ ଶିଖାଉଛି, ପୁଣି ଏହି ଦୁନିଆ ହିଁ ସମାପ୍ତ ହୋଇଯିବ ।
ଶାସ୍ତ୍ର ଆଦି କିଛି ବି ରହିବ ନାହିଁ । ପୁଣି ଭକ୍ତିମାର୍ଗରେ ଏହିସବୁ ଶାସ୍ତ୍ର ଆଦି ରଚନା ହେବ ।
ଜ୍ଞାନମାର୍ଗରେ ଶାସ୍ତ୍ର ନ ଥାଏ । ମନୁଷ୍ୟ ଭାବୁଛନ୍ତି ଏହି ଶାସ୍ତ୍ର ସବୁ ପରମ୍ପରାରୁ ଚାଲିଆସିଛି
। ଜ୍ଞାନ ତ କିଛି ବି ନାହିଁ । କଳ୍ପର ଆୟୁଷ ହିଁ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି ସେଥିପାଇଁ
ପରମ୍ପରା ବୋଲି କହିଦେଉଛନ୍ତି । ଏହାକୁ କୁହାଯାଏ ଅଜ୍ଞାନ ଅନ୍ଧକାର । ଏବେ ତୁମମାନଙ୍କୁ ଏହି
ବେହଦର ପାଠପଢା ମିଳୁଛି, ଯାହାଦ୍ୱାରା ତୁମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଇପାରିବ ।
ତୁମମାନଙ୍କୁ ଏହି ଦେବୀ-ଦେବତାମାନଙ୍କର ଇତିହାସ-ଭୂଗୋଳ ପୁରା ଜଣାଅଛି । ଏମାନେ ପବିତ୍ର
ପ୍ରବୃତ୍ତିବାଲା ପୂଜ୍ୟ ଥିଲେ । ଏବେ ପୂଜାରୀ ପତିତ ହୋଇଯାଇଛନ୍ତି । ସତ୍ୟଯୁଗରେ ପବିତ୍ର
ପ୍ରବୃତ୍ତିମାର୍ଗ ଥାଏ, ଏଠାରେ କଳିଯୁଗରେ ଅପବିତ୍ର ପ୍ରବୃତ୍ତିମାର୍ଗ ରହିଛି । ପୁଣି ପରେ
ନିବୃତ୍ତିମାର୍ଗ ଅର୍ଥାତ୍ ସନ୍ନ୍ୟାସ ମାର୍ଗ ଆରମ୍ଭ ହୁଏ । ତାହା ମଧ୍ୟ ଡ୍ରାମାରେ ଅଛି । ତାକୁ
ସନ୍ନ୍ୟାସ ଧର୍ମ କୁହାଯାଏ । ସେମାନେ ଘରଦ୍ୱାରର ସନ୍ନ୍ୟାସ କରି ଜଙ୍ଗଲକୁ ଚାଲିଯାଆନ୍ତି । ତାହା
ହେଲା ହଦର ସନ୍ନ୍ୟାସ । କିନ୍ତୁ ସେମାନେ ଏହି ପୁରୁଣା ଦୁନିଆରେ ହିଁ ତ ରହିଥା’ନ୍ତି ନା । ଏବେ
ତୁମେମାନେ ଜାଣୁଛ ଯେ, ଆମେମାନେ ସଂଗମଯୁଗରେ ଅଛୁ ପୁଣି ନୂଆ ଦୁନିଆକୁ ଯିବୁ । ତୁମମାନଙ୍କୁ ଏବେ
ଏହାର ତିଥି, ତାରିଖ, ସେକେଣ୍ଡ ସହିତ ସବୁ କିଛି ଜଣା ଅଛି । ସେମାନେ ତ କଳ୍ପର ଆୟୁଷ ହିଁ ଲକ୍ଷ
ଲକ୍ଷ ବର୍ଷ କହି ଦେଉଛନ୍ତି, ଏହାର ପୁରା ହିସାବ ମଧ୍ୟ ବାହାର କରିପାରିବା । ଲକ୍ଷ-ଲକ୍ଷ ବର୍ଷର
କଥା ତ କେହି ବି ମନେ ପକାଇପାରିବେ ନାହିଁ । ଏବେ ତୁମେମାନେ ଜାଣୁଛ, ବାବା କ’ଣ ଏବଂ କିପରି
ଆସୁଛନ୍ତି, କେଉଁ କର୍ତ୍ତବ୍ୟ କରୁଛନ୍ତି? ତୁମେ ସମସ୍ତଙ୍କର ଜୀବନ କାହାଣୀକୁ ଏବଂ ଜନ୍ମ ପତ୍ରୀ
ଅର୍ଥାତ୍ ଜାତକକୁ ଜାଣିଛ । ବାକି ବୃକ୍ଷରେ ପତ୍ର ତ ବହୁତ ଥାଏ । ତାକୁ କ’ଣ ଗଣନା କରିହେବ । ଏହି
ବେହଦ ସୃଷ୍ଟିରୂପୀ ବୃକ୍ଷରେ କେତେ ପତ୍ର ଅର୍ଥାତ୍ ମନୁଷ୍ୟ ଅଛନ୍ତି? ୫ ହଜାର ବର୍ଷ ଭିତରେ କେତେ
କୋଟି ମନୁଷ୍ୟ ହୋଇଗଲେଣି, ତେବେ ଲକ୍ଷ ଲକ୍ଷ ବର୍ଷରେ କେତେ ଅଗଣିତ ମନୁଷ୍ୟ ହୋଇଯିବେ ।
ଭକ୍ତିମାର୍ଗର ଶାସ୍ତ୍ରରେ ଲେଖାଯାଇଛି ଯେ, ସତ୍ୟଯୁଗ ଏତେ ବର୍ଷର, ତ୍ରେତାଯୁଗ ଏତେ ବର୍ଷର ଏବଂ
ଦ୍ୱାପରଯୁଗ ଏତେ ବର୍ଷର ଅଟେ । ତେବେ ବାବା ଆସି ତୁମମାନଙ୍କୁ ଏ ସବୁର ରହସ୍ୟକୁ ବୁଝାଉଛନ୍ତି ।
ଆମ୍ବର ବୀଜ ଦେଖିଲେ ଆମ୍ବଗଛର ଚିତ୍ର ମନ ଭିତରେ ଆସିଯିବ ନା! ଏବେ ଏହି ମନୁଷ୍ୟ ସୃଷ୍ଟିର ବୀଜରୂପ
ବାବା ତୁମମାନଙ୍କ ସମ୍ମୁଖରେ ଅଛନ୍ତି । ତୁମମାନଙ୍କୁ ଏହି ବୃକ୍ଷର ରହସ୍ୟ ସମ୍ବନ୍ଧରେ ବୁଝାଉଛନ୍ତି
କାରଣ ସିଏ ଚୈତନ୍ୟ ଅଟନ୍ତି । କହୁଛନ୍ତି ଏହା ଏକ ଓଲଟା ବୃକ୍ଷ ଅଟେ । ତୁମେମାନେ ମଧ୍ୟ
ବୁଝାଇପାରିବ ଯେ, ଯିଏବି ଏହି ଦୁନିଆରେ ଅଛନ୍ତି, ଜଡ ହୁଅନ୍ତୁ ଅଥବା ଚୈତନ୍ୟ ସେମାନେ ନିଜର
ପାର୍ଟର ଅବିକଳ ପୁନରାବୃତ୍ତି କରିବେ । ଏବେ ଦେଖ, କେତେ ବୃଦ୍ଧି ହୋଇ ଚାଲିଛନ୍ତି । ସତ୍ୟଯୁଗରେ
ଏତେ ବୃଦ୍ଧି ହୋଇ ପାରିବ ନାହିଁ । କହୁଛନ୍ତି ଅମୁକ ଜିନିଷ ଅଷ୍ଟ୍ରେଲିଆରୁ ଆସିଛି, ଜାପାନରୁ
ଆସିଛି । ସତ୍ୟଯୁଗରେ ଅଷ୍ଟ୍ରେଲିଆ, ଜାପାନ ଆଦି କ’ଣ ଥିଲା କି! ଡ୍ରାମା ଅନୁସାରେ ସେଠାକାର ବସ୍ତୁ
ଏଠାକୁ ଆସୁଛି । ପୁର୍ବରୁ ଆମେରିକାରୁ ଗହମ ଇତ୍ୟାଦି ଆସୁଥିଲା । ସତ୍ୟଯୁଗରେ କ’ଣ କେଉଁଠୁ କିଛି
ଆସିବ କି! ସେଠାରେ ତ ଗୋଟିଏ ଧର୍ମ ଥାଏ, ସବୁ ପ୍ରକାରର ଜିନିଷ ଭରପୁର ମାତ୍ରାରେ ଥାଏ । ଏଠାରେ
ଧର୍ମ ଗୁଡିକ ବୃଦ୍ଧି ପାଇ ଚାଲିଛନ୍ତି, ତେଣୁ ସବୁ ଜିନିଷ କମ୍ ହେବାରେ ଲାଗିଛି । ସତ୍ୟଯୁଗରେ
କେଉଁଠାରୁ କିଛି ମଗାଇବାର ଆବଶ୍ୟକତା ପଡେ ନାହିଁ । ଏବେ ତ ଦେଖ କେଉଁଠୁ କେଉଁଠୁ ମଗାଉଛନ୍ତି! ପରେ
ପରେ ମନୁଷ୍ୟମାନଙ୍କର ବୃଦ୍ଧି ହୋଇ ଚାଲିଲା, ସତ୍ୟଯୁଗରେ ତ ଅପ୍ରାପ୍ତ ବସ୍ତୁ କିଛି ବି ନ ଥାଏ ।
ସେଠାକାର ପ୍ରତ୍ୟେକ ବସ୍ତୁ ସତ୍ତ୍ୱପ୍ରଧାନ ଏବଂ ବହୁତ ଉତ୍ତମ ହୋଇଥାଏ । କାରଣ ସେଠାକାର
ମନୁଷ୍ୟମାନେ ହିଁ ସତ୍ତ୍ୱପ୍ରଧାନ ଅଟନ୍ତି । ମନୁଷ୍ୟମାନେ ଉତ୍ତମ ଥିବା କାରଣରୁ ସେଠାକାର ସବୁ
ସାମଗ୍ରୀ ମଧ୍ୟ ବହୁତ ଭଲ ଥାଏ । ମନୁଷ୍ୟମାନେ ଖରାପ ହୋଇ ଗଲେ ସାମଗ୍ରୀ ଗୁଡିକ ମଧ୍ୟ କ୍ଷତିକାରକ
ହୋଇଥା’ନ୍ତି ।
ବିଜ୍ଞାନର ମୁଖ୍ୟ ଜିନିଷ ହେଲା ଆଟମିକ୍ ବମ୍, ଅର୍ଥାତ୍ ପରମାଣୁ ବୋମା, ଯାହା ଦ୍ୱାରା ଏତେ ବଡ
ବିନାଶ ହେଉଛି । ତାହା କିପରି ତିଆରି କରୁଥିବେ! ଯେଉଁମାନେ ବୋମା ତିଆରି କରୁଛନ୍ତି ସେମାନଙ୍କ
ଭିତରେ ପ୍ରଥମରୁ ହିଁ ସେହି ଜ୍ଞାନ ଥିବ । ଯେତେବେଳେ ସେହି ସମୟ ଆସିଯାଏ ତେବେ ସେ ତାଙ୍କ ଭିତରେ
ମଧ୍ୟ ସେହି ଜ୍ଞାନ ପ୍ରକଟ ହୋଇଯାଏ । ଯାହା ଭିତରେ ଯେଉଁ ଜ୍ଞାନ ଥିବ ସେ ସେହି କାର୍ଯ୍ୟ ହିଁ
କରିବ ଏବଂ ଅନ୍ୟକୁ ମଧ୍ୟ ଶିଖାଇବ । କଳ୍ପ କଳ୍ପ ଯିଏ ଯେଉଁ ପାର୍ଟ ବଜାଇ ଆସିଛନ୍ତି ତାହା ହିଁ
ବଜାଇବେ । ଏବେ ତୁମେମାନେ କେତେ ଜ୍ଞାନବାନ ହେଉଛ, ଏହାଠାରୁ ଅଧିକ ଜ୍ଞାନ କିଛି ନାହିଁ ।
ତୁମେମାନେ ଏହି ଜ୍ଞାନ ଦ୍ୱାରା ଦେବତା ହୋଇଯାଉଛ । ଏହାଠାରୁ ଉଚ୍ଚ ଜ୍ଞାନ ଆଉ କିଛି ନାହିଁ । ତାହା
ହେଲା ମାୟାର ଜ୍ଞାନ, ଯାହା ଦ୍ୱାରା ବିନାଶ ହେଉଛି । ବୈଜ୍ଞାନିକମାନେ ଚନ୍ଦ୍ର ପୃଷ୍ଠକୁ ଯାଉଛନ୍ତି,
ଅନୁସନ୍ଧାନ କରୁଛନ୍ତି । ଏହା ତୁମମାନଙ୍କ ପାଇଁ କିଛି ନୂଆ କଥା ନୁହେଁ । ଏ ସବୁ ମାୟାର ଆଡମ୍ବର
ଅଟେ । ନିଜର ବହୁତ ଶୋ କରୁଛନ୍ତି । ସବୁ କଥାରେ ଅତିକୁ ଯିବାକୁ ଚାହୁଁଛନ୍ତି । ବହୁତ ବୁଦ୍ଧି
ଖର୍ଚ୍ଚ କରୁଛନ୍ତି । ଭାବୁଛନ୍ତି ଆମେ କିଛି ଚମତ୍କାର କରି ଦେଖାଇବୁ । ବହୁତ ଚମତ୍କାର କରିବା
ଦ୍ୱାରା ପୁଣି ବହୁତ କ୍ଷତି ମଧ୍ୟ ହୋଇଯାଉଛି । କ’ଣ କ’ଣ ସବୁ ତିଆରି କରି ଚାଲିଛନ୍ତି । ଯେଉଁମାନେ
ତିଆରି କରୁଛନ୍ତି ସେମାନେ ଜାଣିଛନ୍ତି ଯେ, ଏହାଦ୍ୱାରା ବିନାଶ ହିଁ ହେବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଗୁପ୍ତ
ଜ୍ଞାନକୁ ମନେ ପକାଇ ସର୍ବଦା ହର୍ଷିତ ରହିବାକୁ ହେବ । ଦେବତାମାନଙ୍କର ଚିତ୍ର ବା ମୂର୍ତ୍ତି
ସମ୍ମୁଖରେ ନମସ୍କାର କରିବା ବା ବନ୍ଦନା କରିବା ପରିବର୍ତ୍ତେ ସେମାନଙ୍କ ଭଳି ହେବା ପାଇଁ ଦୈବୀଗୁଣ
ଧାରଣ କରିବାକୁ ହେବ ।
(୨) ସୃଷ୍ଟିର ବୀଜରୂପ
ବାବା ଏବଂ ତାଙ୍କର ଚୈତନ୍ୟ ରଚନାକୁ ଜାଣି ଜ୍ଞାନବାନ ଆତ୍ମା ହେବାର ଅଛି । ଏହି ଜ୍ଞାନଠାରୁ ବଡ
ଆଉ କୌଣସି ଜ୍ଞାନ ହୋଇପାରିବ ନାହିଁ, ତେଣୁ ସର୍ବଦା ଏହି ନିଶାରେ ରହିବାର ଅଛି ।
ବରଦାନ:-
“ଏକମାତ୍ର ବାବା
ଦ୍ୱିତୀୟ କେହି ନୁହେଁ” ଏହି ପାଠର ସ୍ମୃତି ଦ୍ୱାରା ଏକରସ ସ୍ଥିତି ନିର୍ମାଣ କରୁଥିବା ଶ୍ରେଷ୍ଠ
ଆତ୍ମା ଭବ ।
“ଏକ ମାତ୍ର ବାବା
ଦ୍ୱିତୀୟ କେହି ନୁହେଁ ଯଦି ଏହି ପାଠ ନିରନ୍ତର ସ୍ମୃତିରେ ରହିବ ତେବେ ତୁମର ସ୍ଥିତି ଏକରସ
ଅର୍ଥାତ୍ ସର୍ବଦା ଏକାଭଳି ରହିବ, କାହିଁକି ନା ଜ୍ଞାନ ତ ସବୁ ମିଳିସାରିଲାଣି, ଜ୍ଞାନର ପଏଣ୍ଟ
ଗୁଡିକ ତ ବହୁତ ରହିଛି କିନ୍ତୁ ଜ୍ଞାନର ପଏଣ୍ଟ ଗୁଡିକୁ ବୁଦ୍ଧିରେ ରଖି ସର୍ବଦା ପଏଣ୍ଟ ରୂପରେ
ସ୍ଥିତି ରହିବା - ଏହା ହେଉଛି ସେହି ସମୟରେ ଚମତ୍କାରୀ ଯେତେବେଳେ କେହି ତୁମକୁ ତଳକୁ ଟାଣୁଥିବ ।
କେତେବେଳେ କୌଣସି କଥା ତଳକୁ ଟାଣିବ, କେତେବେଳେ କୌଣସି ବ୍ୟକ୍ତି, କେବେ କୌଣସି ବସ୍ତୁ, କେବେ
କୌଣସି ବାତାବରଣ ତଳକୁ ଟାଣିବ.... ଏହା ତ ନିଶ୍ଚିତ ହେବ । କିନ୍ତୁ ଗୋଟିଏ ସେକେଣ୍ଡ ଭିତରେ ଏହି
ସବୁ ବିସ୍ତାର ସମାପ୍ତ ହୋଇ ତୁମର ସ୍ମୃତି ଏକରସ ହୋଇଯାଉ - ତେବେ କୁହାଯିବ ଶ୍ରେଷ୍ଠ ଆତ୍ମା ଭବର
ବରଦାନୀ ।
ସ୍ଲୋଗାନ:-
ଯଦି ଜ୍ଞାନର
ଶକ୍ତିକୁ ଧାରଣ କରିନେବ ତେବେ ବିଘ୍ନ ଆକ୍ରମଣ କରିବା ପରିବର୍ତ୍ତେ ପରାସ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଏବେ ତୁମେ ସମସ୍ତେ ଏଭଳି
ମୁକ୍ତ ହୋଇ ମାଷ୍ଟର ମୁକ୍ତିଦାତା ହୁଅ ଯାହାକି ସର୍ବ ଆତ୍ମାମାନେ, ପ୍ରକୃତି, ଭକ୍ତମାନେ ମଧ୍ୟ
ମୁକ୍ତ ହୋଇଯିବେ । ଏବେ ବ୍ରହ୍ମାବାବା ଏହି ଗୋଟିଏ କଥାର ତାରିଖ ନିଧାର୍ଯ୍ୟ କରିବା ପାଇଁ
ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ କେବେ ଜୀବନମୁକ୍ତ ହେବେ? ଏମିତି ଭାବନା ହିଁ ଯେ ଶେଷ
ସମୟରେ ଜୀବନମୁକ୍ତ ହୋଇଯିବୁ, ନା । ବହୁତ କାଳର ଜୀବନ ମୁକ୍ତ ସ୍ଥିତିର ଅଭ୍ୟାସ ହିଁ ବହୁତ କାଳ
ପର୍ଯ୍ୟନ୍ତ ରାଜ୍ୟ ଭାଗ୍ୟର ଅଧିକାରୀ କରିଦେବ ।