05.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ରାବଣ ରାଜ୍ୟରୁ ମୁକ୍ତ କରି ସଦ୍ଗତି ଦେବା ପାଇଁ, ନର୍କବାସୀମାନଙ୍କୁ ସ୍ୱର୍ଗବାସୀ
କରିବା ପାଇଁ ଆସିଛନ୍ତି” ।
ପ୍ରଶ୍ନ:-
ବାବା ତୁମ
ଭାରତବାସୀ ପିଲାମାନଙ୍କୁ କେଉଁ କଥା ସ୍ମରଣ କରାଇ ଦେଇଛନ୍ତି?
ଉତ୍ତର:-
ହେ ଭାରତବାସୀ ପିଲାମାନେ! ତୁମେମାନେ ସ୍ୱର୍ଗବାସୀ ଥିଲ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ
ସ୍ୱର୍ଗ ଥିଲା, ହୀରା-ନୀଳା ଖଚିତ ସୁନାର ମହଲ ଥିଲା । ତୁମେମାନେ ସାରା ବିଶ୍ୱର ମାଲିକ ଥିଲ ।
ପୃଥିବୀ ଆକାଶ ସବୁ କିଛି ତୁମର ଥିଲା । ଭାରତ ଶିବବାବାଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଶିବାଳୟ
ଥିଲା, ଯେଉଁଠାରେ ପବିତ୍ରତା ଥିଲା । ଏବେ ଭାରତ ପୁନର୍ବାର ସେହିଭଳି ହେବାକୁ ଯାଉଛି ।
ଗୀତ:-
ନୟନ ହୀନ କୋ
ରାହ ଦିଖାଓ ପ୍ରଭୁ...
ଓମ୍ ଶାନ୍ତି ।
ମିଠା ମିଠା ରୁହାନୀ ପିଲାମାନେ ଅର୍ଥାତ୍ ଆତ୍ମାମାନେ ଏହି ଗୀତ ଶୁଣିଲେ । ଏ କଥା କିଏ କହିଲେ?
ଆତ୍ମାମାନଙ୍କର ପିତା ପରମାତ୍ମା କହିଲେ । ତେବେ ଆତ୍ମିକ ପିତାଙ୍କୁ ଆତ୍ମିକ ସନ୍ତାନମାନେ
କହୁଛନ୍ତି, ହେ ବାବା । ତାଙ୍କୁ ଈଶ୍ୱର ମଧ୍ୟ କୁହାଯାଉଛି ଏବଂ ପିତା ମଧ୍ୟ କୁହାଯାଉଛି । କେଉଁ
ପିତା? ପରମପିତା କାରଣ ପିତା ତ ଦୁଇଜଣ ଅଛନ୍ତି - ଜଣେ ଲୌକିକ ଅନ୍ୟ ଜଣେ ପାରଲୌକିକ । ଲୌକିକ
ପିତାଙ୍କର ସନ୍ତାନମାନେ ପାରଲୌକିକ ପିତାଙ୍କୁ ଡାକୁଛନ୍ତି - ହେ ବାବା । ଆଚ୍ଛା ସେହି ବାବାଙ୍କର
ନାମ କ’ଣ? ଶିବ । ସିଏ ତ ନିରାକାର ଅଟନ୍ତି, ତାଙ୍କର ପୂଜା ହେଉଛି । ତାଙ୍କୁ କୁହାଯାଏ ସୁପ୍ରିମ
ଫାଦର ଅର୍ଥାତ୍ ପରମପିତା । ଲୌକିକ ପିତାଙ୍କୁ ସୁପ୍ରିମ୍ କୁହାଯିବ ନାହିଁ । ସର୍ବୋଚ୍ଚ ତଥା
ସମସ୍ତ ଆତ୍ମାମାନଙ୍କର ପିତା କେବଳ ଜଣେ ହିଁ ଅଟନ୍ତି । ସମସ୍ତ ଜୀବାତ୍ମାମାନେ ସେହି ପିତାଙ୍କୁ
ସ୍ମରଣ କରୁଛନ୍ତି । କିନ୍ତୁ ଆତ୍ମାମାନେ ଏହି କଥାକୁ ଭୁଲି ଯାଇଛନ୍ତି ଯେ ଆମର ପିତା କିଏ?
ଡାକୁଛନ୍ତି ହେ ଈଶ୍ୱର ପିତା, ମୁଁ ନୟନହୀନ, ମୋତେ ନୟନ ଦିଅ, ତେବେ ମୁଁ ନିଜର ପିତାଙ୍କୁ ଅର୍ଥାତ୍
ଆପଣଙ୍କୁ ଚିହ୍ନିପାରିବି । ଆମକୁ ଭକ୍ତିମାର୍ଗର ଧକ୍କା ଖାଇବାରୁ ମୁକ୍ତ କର । ସଦ୍ଗତି ପାଇବା
ପାଇଁ, ତୃତୀୟ ନେତ୍ର ପ୍ରାପ୍ତ କରିବା ପାଇଁ, ବାବାଙ୍କ ସହିତ ମିଶିବା ପାଇଁ ଡାକୁଛନ୍ତି, କାହିଁକି
ନା ବାବା ହିଁ କଳ୍ପ କଳ୍ପ ଆସି ଭାରତକୁ ସ୍ୱର୍ଗ କରୁଛନ୍ତି । ଏବେ ତ କଳିଯୁଗ, କଳିଯୁଗ ପରେ ପୁଣି
ସତ୍ୟଯୁଗ ଆସିବ । ବର୍ତ୍ତମାନ ପୁରୁଷୋତ୍ତମ ସଂଗମଯୁଗ । ବେହଦର ବାବା ଆସି ଯେଉଁମାନେ ପତିତ
ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି, ସେମାନଙ୍କୁ ପୁରୁଷୋତ୍ତମ କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ
ପୁରୁଷୋତ୍ତମ ଥିଲେ ଏବଂ ଏହି ଭାରତରେ ହିଁ ଥିଲେ । ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜବଂଶର ରାଜୁତି
ଥିଲା । ଆଜିଠାରୁ ୫ ହଜାର ବର୍ଷ ପୂର୍ବେ ସତ୍ୟଯୁଗରେ ଶ୍ରୀ ଲକ୍ଷ୍ମୀ-ଶ୍ରୀ ନାରାୟଣଙ୍କର ରାଜ୍ୟ
ଥିଲା । ଏକଥା ବାବା ପିଲାମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି । ତୁମେ ଭାରତବାସୀମାନେ ଆଜିଠାରୁ ୫
ହଜାର ବର୍ଷ ପୂର୍ବରୁ ସ୍ୱର୍ଗବାସୀ ଥିଲ । ଏବେ ତ ସମସ୍ତେ ନର୍କବାସୀ ଅଟନ୍ତି । ଆଜିଠାରୁ ୫ ହଜାର
ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା । ହୀରା-ସୁନାର ମହଲ ଥିଲା, ଭାରତର ବହୁତ ମହିମା ଥିଲା । ଏବେ
ତ କିଛି ବି ନାହିଁ । ସେ ସମୟରେ ଅନ୍ୟ କୌଣସି ଧର୍ମ ନ ଥିଲା । କେବଳ ସୂର୍ଯ୍ୟବଂଶୀମାନେ ହିଁ ଥିଲେ
। ଚନ୍ଦ୍ରବଂଶୀ ମଧ୍ୟ ପରେ ଆସିଥା’ନ୍ତି । ବାବା ବୁଝାଉଛନ୍ତି, ତୁମେମାନେ ସୂର୍ଯ୍ୟବଂଶୀ ରାଜ
ପରିବାରର ଥିଲ । ଆଜି ପର୍ଯ୍ୟନ୍ତ ମଧ୍ୟ ସେହି ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ତିଆରି କରି
ଚାଲିଛନ୍ତି । କିନ୍ତୁ ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ କେବେ ଥିଲା, ସେମାନେ କିପରି ରାଜ୍ୟ ପାଇଥିଲେ
ଏକଥା କେହି ଜାଣିନାହାଁନ୍ତି । ପୂଜା କରୁଛନ୍ତି କିନ୍ତୁ କିଛି ବି ଜାଣିନାହାଁନ୍ତି ତେଣୁ ଏହାକୁ
ଅନ୍ଧବିଶ୍ୱାସ ବୋଲି କୁହାଯିବ ନା । ଶିବଙ୍କର, ଲକ୍ଷ୍ମୀ-ନାରାୟଣଙ୍କର ପୂଜା କରୁଛନ୍ତି, କିନ୍ତୁ
ଏମାନଙ୍କର ଜୀବନ କାହାଣୀକୁ ଜାଣିନାହାଁନ୍ତି । ଏବେ ଭାରତବାସୀ ନିଜେ କହୁଛନ୍ତି - ଆମେ ସମସ୍ତେ
ପତିତ ଅଟୁ । ତେଣୁ ହେ ପତିତ-ପାବନ ବାବା, ଆମକୁ ପାବନ କରିବା ପାଇଁ ଏଠାକୁ ଆସ । ଏଠାକୁ ଆସି ଆମକୁ
ଦୁଃଖରୁ ଏବଂ ଏହି ରାବଣର ରାଜ୍ୟରୁ ମୁକ୍ତ କର । ତେଣୁ ବାବା ହିଁ ଆସି ସମସ୍ତଙ୍କୁ ମୁକ୍ତ
କରୁଛନ୍ତି । ପିଲାମାନେ ଜାଣିଛନ୍ତି ବାସ୍ତବରେ ସତ୍ୟଯୁଗରେ ଗୋଟିଏ ରାଜ୍ୟ ଥିଲା । ବାପୁଜୀ ମଧ୍ୟ
କହୁଥିଲେ ଆମକୁ ପୁନର୍ବାର ରାମରାଜ୍ୟ ଦରକାର, ଗୃହସ୍ଥ ଧର୍ମ ଯାହାକି ପତିତ ହୋଇଯାଇଛି ତାହା ପୁଣି
ପବିତ୍ର ହେବା ଦରକାର । ଆମେ ସ୍ୱର୍ଗବାସୀ ହେବାକୁ ଚାହୁଁଛୁ । ଏବେ ନର୍କବାସୀମାନଙ୍କର ଅବସ୍ଥା
କ’ଣ, ତାହା ତ ତୁମେ ଦେଖୁଛ । ଏହାକୁ କୁହାଯାଉଛି ନର୍କ, ଆସୁରୀ ଦୁନିଆ । ଏହି ଭାରତ ଦିନେ ଦୈବୀ
ଦୁନିଆ ଥିଲା । ବାବା ଏବେ ଆସି ବୁଝାଉଛନ୍ତି, ତୁମେମାନେ ୮୪ ଜନ୍ମ ନେଇଛ, ୮୪ ଲକ୍ଷ ଜନ୍ମ ନୁହେଁ
। ବାବା ବୁଝାଉଛନ୍ତି ତୁମେମାନେ ପ୍ରକୃତରେ ଶାନ୍ତିଧାମର ନିବାସୀ ଅଟ । ଏଠାକୁ ପାର୍ଟ କରିବା ପାଇଁ
ଆସିଛ । ତୁମେମାନେ ଏଠାରେ ୮୪ ଜନ୍ମର ପାର୍ଟ କରିସାରିଛ । ପୁନର୍ଜନ୍ମ ତ ନିଶ୍ଚିତ ନେବାକୁ ପଡିବ
ନା । ୮୪ ପୁନର୍ଜନ୍ମ ହୋଇଥାଏ ।
ଏବେ ବେହଦର ବର୍ସା ଦେବା ପାଇଁ ବେହଦର ବାବା ଆସିଛନ୍ତି । ବାବା ତୁମ ଆତ୍ମାମାନଙ୍କ ସହିତ
କଥାବାର୍ତ୍ତା କରୁଛନ୍ତି । ଅନ୍ୟ ସତ୍ସଙ୍ଗମାନଙ୍କରେ ମନୁଷ୍ୟ ମନୁଷ୍ୟଙ୍କୁ ଭକ୍ତିମାର୍ଗର କଥା
ଶୁଣାଇଥା’ନ୍ତି । ଅଧାକଳ୍ପ ପର୍ଯ୍ୟନ୍ତ ଭାରତ ଯେତେବେଳେ ସ୍ୱର୍ଗ ଥିଲା ସେତେବେଳେ କେହି ଜଣେ ବି
ପତିତ ନ ଥିଲେ । ବର୍ତ୍ତମାନ କେହି ଜଣେ ବି ପବିତ୍ର ନାହାଁନ୍ତି । ଏହା ତ ପତିତ ଦୁନିଆ । ଗୀତାରେ
ଶ୍ରୀକୃଷ୍ଣ ଭଗବାନଉବାଚ ଲେଖି ଦେଇଛନ୍ତି । ବାସ୍ତବରେ ସିଏ ତ ଗୀତା ଶୁଣାଇ ନାହାଁନ୍ତି ।
ଭାରତବାସୀ ନିଜର ଧର୍ମଶାସ୍ତ୍ରକୁ ଜାଣିନାହାଁନ୍ତି । କାରଣ ନିଜର ଧର୍ମକୁ ହିଁ ଭୁଲି ଯାଇଛନ୍ତି ।
ହିନ୍ଦୁ କୌଣସି ଧର୍ମ ନୁହେଁ । ଧର୍ମ ତ ମୁଖ୍ୟତଃ ଚାରୋଟି । ପ୍ରଥମେ ହେଲା ଆଦି ସନାତନ ଦେବୀ
ଦେବତା ଧର୍ମ । ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଉଭୟଙ୍କୁ ମିଶାଇ କୁହାଯାଉଛି ଦେବୀ ଦେବତା ଧର୍ମ ବା
ଡିଟିଜିମ୍ । ସେଠାରେ ଦୁଃଖର ନାମ ନ ଥିଲା । ୨୧ ଜନ୍ମ ତୁମେମାନେ ସୁଖଧାମରେ ଥିଲ ତାପରେ
ରାବଣରାଜ୍ୟ, ଭକ୍ତିମାର୍ଗ ଆରମ୍ଭ ହେଲା । ଭକ୍ତିମାର୍ଗ ହିଁ ହେଉଛି ତଳକୁ ଖସିବାର ମାର୍ଗ ।
ଭକ୍ତିକୁ ରାତି ଏବଂ ଜ୍ଞାନକୁ ଦିନ କୁହାଯାଉଛି । ଏବେ ହେଉଛି ଘୋର ଅନ୍ଧକାର ରାତ୍ରି । ଶିବଜୟନ୍ତୀ
ଏବଂ ଶିବରାତ୍ରୀ ଦୁଇଟି ଶବ୍ଦ କୁହାଯାଏ । ଶିବବାବା କେବେ ଆସୁଛନ୍ତି? ଯେତେବେଳେ ସୃଷ୍ଟିରେ
ରାତ୍ରି ହୋଇଯାଏ, ଭାରତବାସୀ ଘୋର ଅନ୍ଧକାରକୁ ଆସି ଯାଆନ୍ତି, ସେତେବେଳେ ବାବା ଆସନ୍ତି । ଏବେ ତ
କଣ୍ଢେଇ ପୂଜା କରିଚାଲିଛନ୍ତି, ଜଣକର ଜୀବନ କାହାଣୀକୁ ମଧ୍ୟ ଜାଣିନାହାଁନ୍ତି । ଭକ୍ତିମାର୍ଗର ଏହି
ଶାସ୍ତ୍ର ସବୁ ମଧ୍ୟ ତିଆରି ହେବ । ଏହି ଡ୍ରାମାର ଚକ୍ରକୁ ଅର୍ଥାତ୍ ସୃଷ୍ଟିଚକ୍ରକୁ ମଧ୍ୟ
ବୁଝିବାକୁ ହେବ । ଶାସ୍ତ୍ରମାନଙ୍କରେ ଏହି ଜ୍ଞାନ ନାହିଁ । ତାହା ହେଲା ଭକ୍ତିର ଜ୍ଞାନ, ଭକ୍ତିର
ଫିଲୋସଫୀ । ତାହା କୌଣସି ସଦ୍ଗତି ମାର୍ଗର ଜ୍ଞାନ ନୁହେଁ । ବାବା କହୁଛନ୍ତି ମୁଁ ଆସି ତୁମକୁ
ବ୍ରହ୍ମାଙ୍କ ଦ୍ୱାରା ଯଥାର୍ଥ ଜ୍ଞାନ ଶୁଣାଉଛି । ତାଙ୍କୁ ଡାକୁଛନ୍ତି ମଧ୍ୟ କହୁଛନ୍ତି ଆମକୁ
ସୁଖଧାମ, ଶାନ୍ତିଧାମର ରାସ୍ତା ଦେଖାଅ । ବାବା କହୁଛନ୍ତି ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ
ସୁଖଧାମ ଥିଲା ଯେଉଁଠି ତୁମେ ସାରା ବିଶ୍ୱ ଉପରେ ରାଜତ୍ୱ କରୁଥିଲ । ସେତେବେଳେ ସୂର୍ଯ୍ୟବଂଶୀ
କୁଳର ରାଜ୍ୟ ଥିଲା । ବାକି ସବୁ ଆତ୍ମାମାନେ ଶାନ୍ତିଧାମରେ ଥିଲେ । ସେଠାରେ ଅର୍ଥାତ୍ ସୁଖଧାମରେ
୯ ଲକ୍ଷର ଗାୟନ ଅଛି । ତୁମମାନଙ୍କୁ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ମୁଁ ବହୁତ ସାହୁକାର
କରିଯାଇଥିଲି । ଏତେ ଧନ ଦେଇଥିଲି, ତୁମେମାନେ ସେସବୁକୁ କେଉଁଠି ହରାଇଲ? ତୁମେ କେତେ ସାହୁକାର
ଥିଲ । ଭାରତ ଭଳି ଆଉ କେହି ହୋଇପାରିବେ ନାହିଁ । ଭାରତ ହିଁ ସବୁଠାରୁ ଭୂଖଣ୍ଡ ଅଟେ । ବାସ୍ତବରେ
ଏହା ସମସ୍ତଙ୍କର ତୀର୍ଥସ୍ଥାନ ଅଟେ, କାହିଁକି ନା ଏହା ପତିତ-ପାବନ ବାବାଙ୍କର ଜନ୍ମସ୍ଥାନ । ଏଠାରେ
ଯେତେ ବି ଧର୍ମାବଲମ୍ବୀ ଅଛନ୍ତି, ବାବା ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ତେବେ ସେହି
ରାବଣର ରାଜ୍ୟ କେବଳ ଲଙ୍କାରେ ନୁହେଁ ସାରା ସୃଷ୍ଟି ଉପରେ ରହିଛି । ସମସ୍ତଙ୍କ ଭିତରେ ୫ ବିକାର
ପ୍ରବେଶ କରିଛି । ଯେତେବେଳେ ସୂର୍ଯ୍ୟବଂଶୀଙ୍କର ରାଜ୍ୟ ଥିଲା ସେତେବେଳେ ଏହି ବିକାର ନ ଥିଲା ।
ଭାରତ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲା । ଏବେ ସମ୍ପୂର୍ଣ୍ଣ ବିକାରୀ ହୋଇଯାଇଛି । ସତ୍ୟଯୁଗରେ ଦୈବୀ
ସମ୍ପ୍ରଦାୟ ଥିଲା । ସେହିମାନେ ପୁଣି ୮୪ ଜନ୍ମ ଭୋଗ କରି ବର୍ତ୍ତମାନ ଆସୁରୀ ସମ୍ପ୍ରଦାୟ
ହୋଇଯାଇଛନ୍ତି, ପୁଣି ସେହି ଦୈବୀ ସମ୍ପ୍ରଦାୟ ହେବାକୁ ଯାଉଛି । ଭାରତ ବହୁତ ସାହୁକାର ଥିଲା । ଏବେ
ଗରିବ ହୋଇଯାଇଛି, ସେଥିପାଇଁ ଭିକ ମାଗୁଛି ଅର୍ଥାତ୍ ସମସ୍ତଙ୍କ ଠାରୁ ସହଯୋଗ ନେଉଛି ।
ବାବା କହୁଛନ୍ତି, ତୁମେମାନେ କେତେ ସାହୁକାର ଥିଲ, ତୁମମାନଙ୍କୁ ଯେଉଁ ସୁଖ ମିଳୁଛି ତାହା କାହାକୁ
ବି ମିଳିପାରିବ ନାହିଁ । ତୁମେମାନେ ସାରା ବିଶ୍ୱର ମାଲିକ ଥିଲ, ପୃଥିବୀ ଆକାଶ ସବୁ କିଛି ତୁମର
ଥିଲା । ବାବା ଏବେ ସେ ସବୁ କଥା ସ୍ମରଣ କରାଇ ଦେଉଛନ୍ତି, ଭାରତ ଶିବବାବାଙ୍କ ଦ୍ୱାରା ସ୍ଥାପନା
ହୋଇଥିବା ଶିବାଳୟ ଥିଲା । ସେଠାରେ ପବିତ୍ରତା ଥିଲା, ସେହି ନୂଆ ଦୁନିଆରେ ଦେବୀ ଦେବତାମାନେ ରାଜତ୍ୱ
କରୁଥିଲେ । ଭାରତବାସୀ ଏକଥା ମଧ୍ୟ ଜାଣିନାହାଁନ୍ତି ଯେ ରାଧା-କୃଷ୍ଣଙ୍କ ଭିତରେ କ’ଣ ସମ୍ବନ୍ଧ
ଥିଲା! ଦୁଇଜଣ ଅଲଗା ଅଲଗା ରାଜଧାନୀର ଥିଲେ, ପୁଣି ସ୍ୱୟଂବର ପରେ ଲକ୍ଷ୍ମୀ-ନାରାୟଣ ହେଲେ । ଏହି
ଜ୍ଞାନ କୌଣସି ମନୁଷ୍ୟମାନଙ୍କ ନିକଟରେ ନାହିଁ । ପରମପିତା ପରମାତ୍ମା ହିଁ ଜ୍ଞାନର ସାଗର ଅଟନ୍ତି,
ସେ ହିଁ ତୁମକୁ ଏହି ଆତ୍ମିକ ଜ୍ଞାନ ଦେଉଛନ୍ତି ଏବଂ ଏହି ଆଧ୍ୟାତ୍ମିକ ଜ୍ଞାନ ଏକମାତ୍ର ବାବା ହିଁ
ଦେଇପାରିବେ । ଏବେ ବାବା କହୁଛନ୍ତି - ପିଲାମାନେ ଆତ୍ମ-ଅଭିମାନୀ ହୁଅ । ମୁଁ ତୁମର ପରମପିତା
ପରମାତ୍ମା ଶିବ, ମୋତେ ମନେ ପକାଅ । ଏହି ଯୋଗବଳ ଦ୍ୱାରା ହିଁ ତୁମେମାନେ ସତ୍ତ୍ୱପ୍ରଧାନ
ହୋଇପାରିବ । ତୁମେମାନେ ଏଠାକୁ ପତିତରୁ ପାବନ ବା ମନୁଷ୍ୟରୁ ଦେବତା ହେବା ପାଇଁ ହିଁ ଆସୁଛ ।
ବର୍ତ୍ତମାନ ଏହା ହେଉଛି ରାବଣ ରାଜ୍ୟ । ଭକ୍ତିମାର୍ଗରୁ ହିଁ ରାବଣର ରାଜ୍ୟ ଆରମ୍ଭ ହୁଏ । ରାବଣ
କୌଣସି ଜଣେ ସୀତାକୁ ଚୋରି କରି ନ ଥିଲା । ତୁମେ ସବୁ ଭକ୍ତି କରୁଥିବା ଭକ୍ତ ଯିଏକି ରାବଣର ପଞ୍ଜା
ଭିତରେ ଅଛ । ବର୍ତ୍ତମାନ ସାରା ସୃଷ୍ଟି ୫ ବିକାର ରୂପୀ ରାବଣର କାରାଗାର ମଧ୍ୟରେ ଅଛି । ସମସ୍ତେ
ଏହି ଶୋକବାଟିକା ଭିତରେ ଦୁଃଖୀ ହୋଇଯାଇଛନ୍ତି । ବାବା ଆସି ସେଥିରୁ ସମସ୍ତଙ୍କୁ ମୁକ୍ତ କରୁଛନ୍ତି
। ଏବେ ବାବା ପୁନର୍ବାର ସ୍ୱର୍ଗ ରଚନା କରୁଛନ୍ତି । ଏପରି ନୁହେଁ ଯେ, ବର୍ତ୍ତମାନ ଯେଉଁମାନଙ୍କ
ପାଖରେ ଧନ ବହୁତ ଅଛି ସେମାନେ ସ୍ୱର୍ଗରେ ଅଛନ୍ତି । ନା । ବର୍ତ୍ତମାନ ଦୁନିଆ ହିଁ ନର୍କ ଅଟେ ।
ସମସ୍ତେ ପତିତ ସେଥିପାଇଁ ଗଙ୍ଗାରେ ଯାଇ ସ୍ନାନ କରୁଛନ୍ତି, ଭାବୁଛନ୍ତି ଗଙ୍ଗା ପତିତପାବନୀ ଅଟେ ।
କିନ୍ତୁ ପାବନ ତ କେହି ହେଉନାହାଁନ୍ତି । ପତିତ ପାବନ ତ ଏକମାତ୍ର ବାବାଙ୍କୁ ହିଁ କୁହାଯାଉଛି,
ନଦୀମାନଙ୍କୁ ନୁହେଁ । ଏସବୁ ହେଲା ଭକ୍ତିମାର୍ଗର କଥା । ବର୍ତ୍ତମାନ ବାବା ହିଁ ଆସି ଏହିସବୁ କଥା
ବୁଝାଉଛନ୍ତି । ଏବେ ତୁମେ ଏକଥା ତ ଜାଣୁଛ ଯେ, ଜଣେ ହେଲେ ଲୌକିକ ପିତା ଅନ୍ୟ ଜଣେ ହେଲେ
ପ୍ରଜାପିତା ବ୍ରହ୍ମା ଅଲୌକିକ ପିତା ଏବଂ ସିଏ ହେଲେ ପାରଲୌକିକ ପିତା ଶିବ । ତେବେ ତିନି ଜଣ ପିତା
ହେଲେ ନା । ଶିବବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ଧର୍ମର ସ୍ଥାପନା କରୁଛନ୍ତି ।
ବ୍ରାହ୍ମଣମାନଙ୍କୁ ଦେବତା କରିବା ପାଇଁ ରାଜଯୋଗର ଶିକ୍ଷା ଦେଉଛନ୍ତି । ପ୍ରତି କଳ୍ପରେ ଥରେ ଆସି
ବାବା ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ ଆତ୍ମାମାନଙ୍କୁ ରାଜଯୋଗର ଶିକ୍ଷା ଦେଉଛନ୍ତି ।
ଆତ୍ମାମାନେ ହିଁ ପୁନର୍ଜନ୍ମ ନେଇଥା’ନ୍ତି ଏବଂ ଆତ୍ମା ହିଁ କହିଥାଏ - ମୁଁ ଗୋଟିଏ ଶରୀର ଛାଡି ଆଉ
ଗୋଟିଏ ଶରୀର ନେଉଛି । ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ତେବେ ତୁମେ
ପବିତ୍ର ହୋଇଯିବ । କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । ବର୍ତ୍ତମାନ ଏହି ମୃତ୍ୟୁଲୋକର ଶେଷ
ସମୟ ଯେଉଁ ସମୟରେ ଅମରଲୋକର ସ୍ଥାପନା ହେଉଛି । ବାକି ଅନେକ ଧର୍ମ ସମାପ୍ତ ହୋଇଯିବ । ସତ୍ୟଯୁଗରେ
କେବଳ ଗୋଟିଏ ହିଁ ଦେବତା ଧର୍ମ ଥିଲା ପୁଣି ତ୍ରେତା ଯୁଗରେ ଚନ୍ଦ୍ରବଂଶୀ ରାମ-ସୀତାଙ୍କର ରାଜ୍ୟ
ଥିଲା । ବାବା ତୁମମାନଙ୍କୁ ସାରା ଚକ୍ରର ଜ୍ଞାନ ମନେ ପକାଇ ଦେଉଛନ୍ତି । ଶାନ୍ତିଧାମ, ସୁଖଧାମର
ସ୍ଥାପନା ବାବା ହିଁ କରୁଛନ୍ତି । ମନୁଷ୍ୟ ମନୁଷ୍ୟଙ୍କୁ କେବେ ବି ସଦ୍ଗତି ଦେଇପାରିବେ ନାହିଁ ।
ସେମାନେ ସମସ୍ତେ ହେଲେ ଭକ୍ତିମାର୍ଗର ଗୁରୁ । ଭକ୍ତିମାର୍ଗରେ ମନୁଷ୍ୟମାନେ ଅନେକ ପ୍ରକାରର ଚିତ୍ର
ଅର୍ଥାତ୍ ମୂର୍ତ୍ତି ତିଆରି କରି ତାଙ୍କୁ ପୂଜା କରନ୍ତି ପୁଣି କହନ୍ତି ବୁଡିଯା ବୁଡିଯା । ବହୁତ
ପୂଜା କରିଥାନ୍ତି, ଖୁଆନ୍ତି-ପିଆନ୍ତି, କିନ୍ତୁ ବାସ୍ତବରେ ଖାଇଥା’ନ୍ତି ବ୍ରାହ୍ମଣ (ପୂଜକ) ମାନେ
। ଏହାକୁ କୁହାଯାଏ କଣ୍ଢେଇ ପୂଜା । ଦୁନିଆରେ କେତେ ଅନ୍ଧଶ୍ରଦ୍ଧା ରହିଛି । ତେବେ ଏମାନଙ୍କୁ କିଏ
ବୁଝାଇବ ।
ବାବା କହୁଛନ୍ତି ତୁମେମାନେ ହେଲ ଈଶ୍ୱରୀୟ ସନ୍ତାନ । ତୁମେମାନେ ଏବେ ବାବାଙ୍କଠାରୁ ରାଜଯୋଗର
ଶିକ୍ଷା ଗ୍ରହଣ କରୁଛ । ଏବେ ତ ରାଜଧାନୀର ସ୍ଥାପନା ହେଉଛି, ତେଣୁ ପ୍ରଜା ତ ବହୁତ ହେବେ ।
କୋଟିକରେ କେହି ଜଣେ ରାଜା ହୋଇଥାଏ । ସତ୍ୟଯୁଗକୁ କୁହାଯାଏ ଫୁଲର ବଗିଚା । କଳିଯୁଗକୁ କୁହାଯାଉଛି
କଣ୍ଟାର ଜଙ୍ଗଲ । ଏବେ ରାବଣର ରାଜ୍ୟ ବଦଳିବାକୁ ଯାଉଛି । ବିନାଶ ତ ନିଶ୍ଚିତ ହେବ । ଏହି ଜ୍ଞାନ
ବର୍ତ୍ତମାନ କେବଳ ତୁମ ବ୍ରାହ୍ମଣମାନଙ୍କୁ ମିଳୁଛି । ଲକ୍ଷ୍ମୀ-ନାରାୟଣଙ୍କ ପାଖରେ ମଧ୍ୟ ଏହି
ଜ୍ଞାନ ନ ଥାଏ, କାରଣ ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯାଏ । ଭକ୍ତିମାର୍ଗରେ କେହି ବି ବାବାଙ୍କୁ
ଜାଣିନାହାଁନ୍ତି । ବାବା ହିଁ ରଚୟିତା ଅଟନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କର ମଧ୍ୟ ରଚନା ଅଟନ୍ତି ।
ଯଦି ପରମାତ୍ମାଙ୍କୁ ସର୍ବବ୍ୟାପୀ କୁହାଯିବ ତେବେ ତ ସମସ୍ତେ ପିତା ହୋଇଗଲେ ତେବେ ସମ୍ପତ୍ତି
ପାଇବାର ଅଧିକାର ହିଁ ରହିବ ନାହିଁ । ବାବା ତ ଆସି ସବୁ ସନ୍ତାନଙ୍କୁ ସମ୍ପତ୍ତି ଦେଉଛନ୍ତି ।
ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି । ବାବା ଏକଥା ମଧ୍ୟ ବୁଝାଉଛନ୍ତି ଯେ,
୮୪ ଜନ୍ମ ସେହିମାନେ ନେଉଛନ୍ତି ଯେଉଁମାନେ ପ୍ରଥମେ-ପ୍ରଥମେ ସତ୍ୟଯୁଗକୁ ଆସୁଛନ୍ତି ।
ଖ୍ରୀଷ୍ଟିୟାନମାନଙ୍କର ଜନ୍ମ କେତେ ହୋଇଥିବ? ଅତି ବେଶୀରେ ୪୦ ଜନ୍ମ ହୋଇଥିବ । ଏହିଭଳି ହିସାବ
କରାଯାଉଛି । ଜଣେ ଭଗବାନଙ୍କୁ ଖୋଜିବା ପାଇଁ କେତେ ଧକ୍କା ଖାଉଛି ଏଣେ-ତେଣେ ଖୋଜି ବୁଲୁଛି । ଏବେ
ତୁମେମାନେ ଆଉ ଧକ୍କା ଖାଇବ ନାହିଁ । ତୁମକୁ କେବଳ ଜଣେ ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ ।
ଏହା ହେଉଛି ଯୋଗର ଯାତ୍ରା । ଏହା ହେଉଛି ପତିତ-ପାବନ ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ । ତୁମର
ଆତ୍ମା ଏବେ ପାଠ ପଢୁଛି । ସାଧୁ ସନ୍ଥମାନେ କହିଦେଉଛନ୍ତି ଆତ୍ମା ନିର୍ଲେପ । ଆରେ ଆତ୍ମାକୁ ତ
କର୍ମ ଅନୁସାରେ ପରବର୍ତ୍ତୀ ଜନ୍ମ ନେବାକୁ ପଡିଥାଏ । ଆତ୍ମା ହିଁ ଭଲ ବା ମନ୍ଦ କର୍ମ କରିଥାଏ ।
ଏବେ ତୁମର କର୍ମ ବିକର୍ମ ହୋଇଯାଉଛି । ସତ୍ୟଯୁଗରେ କର୍ମ ଅକର୍ମ ହୋଇଯାଏ । ସେଠାରେ ବିକର୍ମ ହୁଏ
ନାହିଁ କାରଣ ତାହା ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । ଏ ସବୁ ବୁଝିବା ଏବଂ ବୁଝାଇବାର କଥା । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କଣ୍ଟାରୁ
ଫୁଲ ହୋଇ ଫୁଲର ବଗିଚା ଅର୍ଥାତ୍ ସତ୍ୟଯୁଗ ସ୍ଥାପନା କରିବାର ସେବା କରିବାକୁ ହେବ । କୌଣସି
ପ୍ରକାରର ଖରାପ କର୍ମ କରିବାର ନାହିଁ ।
(୨) ଯେଉଁ ଆତ୍ମିକ
ଜ୍ଞାନ ବାବାଙ୍କଠାରୁ ଶୁଣିଛ ତାକୁ ସମସ୍ତଙ୍କୁ ଶୁଣାଇବାକୁ ହେବ । ଆତ୍ମ ଅଭିମାନୀ ହେବାର ମେହନତ
କରିବାକୁ ହେବ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ, କୌଣସି ଦେହଧାରୀକୁ ନୁହେଁ ।
ବରଦାନ:-
ନିନ୍ଦା-ସ୍ମୃତି,
ଜୟ-ପରାଜୟରେ ନିଜର ସ୍ଥିତିକୁ ସମାନ ରଖୁଥିବା ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ଭବ ।
ଯେତେବେଳେ ଆତ୍ମାର
ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ ସ୍ଥିତି ହୋଇଯାଏ, ସେତେବେଳେ ନିନ୍ଦା-ସ୍ମୃତି, ଜୟ-ପରାଜୟ, ସୁଖ-ଦୁଃଖ,
ସବୁ ପରିସ୍ଥିତିରେ ସମାନତା ରହିଥାଏ । ଦୁଃଖଦ ପରସ୍ଥିତିରେ ମଧ୍ୟ ଚେହେରାରେ ମସ୍ତକ ଉପରେ ଦୁଃଖର
ତରଙ୍ଗ ଦେଖାଯିବା ପରିବର୍ତ୍ତେ ସୁଖର ବା ହର୍ଷିତ ଅବସ୍ଥାର ତରଙ୍ଗ ଦେଖାଯାଉ, ନିନ୍ଦା ଶୁଣୁଥିଲେ
ମଧ୍ୟ ଅନୁଭବ ହେଉ ଯେ ଏହା ନିନ୍ଦା ନୁହେଁ ବରଂ ସମ୍ପୂର୍ଣ୍ଣ ସ୍ଥିତିକୁ ପରିପକ୍ୱ କରିବା ପାଇଁ
ମହିମା ଯୋଗ୍ୟ ଶବ୍ଦ ଅଟେ । ଯେତେବେଳେ ତୁମ ଭିତରେ ଏହିଭଳି ସମାନତା ରହିବ ତେବେ କୁହାଯିବ
ବାବାଙ୍କ ସମାନ । ମନ ଭିତରେ ଟିକିଏ ବି ଏଭଳି ସ୍ମୃତି ନ ଆସୁ ଯେ ଇଏ ମୋ’ର ଶତ୍ରୁ ଅଟେ ବା ଗାଳି
ଦେବାବାଲା ଅଟେ ବା ମୋ’ର ମହିମା କରିବାବାଲା ଅଟେ ।
ସ୍ଲୋଗାନ:-
ଯଦି ଯୋଗାଭ୍ୟାସ
ଉପରେ ନିରନ୍ତର ଧ୍ୟାନ ରଖିଥିବ ତେବେ ଫାଷ୍ଟ ଡିଭିଜନରେ ନମ୍ବର ମିଳିଯିବ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ବ୍ରାହ୍ମଣ ପରିବାରର
ବିଶେଷତା ହେଲା - ଅନେକ ହୋଇଥିଲେ ମଧ୍ୟ ଏକ ଅଟନ୍ତି । ଆପଣଙ୍କର ସବୁ ସେବାକେନ୍ଦ୍ର ଗୁଡିକର
ବାତାବରଣ ଏଭଳି ହେଉ ଯାହାକି ସମସ୍ତଙ୍କୁ ହୃଦ୍ବୋଧ ହେଉଥିବ ଯେ ଏମାନେ ଅନେକ ନୁହଁନ୍ତି, ଏକ୍
ଅଟନ୍ତି । ତୁମମାନଙ୍କର ଏକତାର ତରଙ୍ଗ ସାରା ବିଶ୍ୱରେ ଏକ ଧର୍ମ ଏବଂ ଏକ ରାଜ୍ୟର ସ୍ଥାପନା କରିବ
। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ଭିନ୍ନତାକୁ ସମାପ୍ତ କରି ଏକତା କାୟମ କର ।