05.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଆଜି
ପର୍ଯ୍ୟନ୍ତ ତୁମେମାନେ ଯାହାର ମହିମା ଗାନ କରୁଥିଲ ସେ ବର୍ତ୍ତମାନ ତୁମ ସମ୍ମୁଖରେ ଉପସ୍ଥିତ
ଅଛନ୍ତି, ସେଥିପାଇଁ ସର୍ବଦା ଖୁସିରେ ନାଚୁଥାଅ, କୌଣସି କଥାର ଦୁଃଖ ନ ରହୁ ।”
ପ୍ରଶ୍ନ:-
ପୁରୁଷାର୍ଥୀ
ପିଲାମାନେ ନିଜ ମନ ଭିତରେ କେଉଁ କଥାର ଯାଞ୍ଚ ନିଶ୍ଚିତ କରିଥାଆନ୍ତି?
ଉତ୍ତର:-
ଏବେ ପର୍ଯ୍ୟନ୍ତ ମୋ ଭିତରେ କୌଣସି ଛୋଟ-ମୋଟ କଣ୍ଟା ଅର୍ଥାତ୍ ବିକାର ନାହିଁ ତ? କାମ ବିକାରର
କଣ୍ଟା ସବୁଠାରୁ ତୀକ୍ଷ୍ଣ ଅଟେ । କ୍ରୋଧର କଣ୍ଟା ମଧ୍ୟ ବହୁତ ଖରାପ । ଦେବତାମାନେ କ୍ରୋଧୀ
ନୁହଁନ୍ତି ସେଥିପାଇଁ ହେ ମିଠେ ବଚ୍ଚେ - ଯଦି କୌଣସି କଣ୍ଟା ଅଛି, ତେବେ ତାକୁ ବାହାର କରିଦିଅ ।
ନିଜେ ନିଜର କ୍ଷତି କର ନାହିଁ ।
ଗୀତ:-
ତୁମ ମାତ୍ ପିତା....
ଓମ୍ ଶାନ୍ତି ।
ମିଠା-ମିଠା
ଆତ୍ମିକ ସନ୍ତାନମାନେ ନିଜ ପିତାଙ୍କର ମହିମା ଶୁଣିଲ । ଲୋକମାନେ ଗାୟନ କରୁଛନ୍ତି, ଏଠାରେ
ତୁମେମାନେ ବାସ୍ତବରେ ସେହି ବାବାଙ୍କଠାରୁ ବର୍ସା ନେଉଛ । ତୁମେମାନେ ଜାଣିଛ ଯେ ବାବା ଆମ ଦ୍ୱାରା
ଭାରତକୁ ସ୍ୱର୍ଗ କରୁଛନ୍ତି । ଯେଉଁମାନଙ୍କ ଦ୍ୱାରା କରୁଛନ୍ତି, ନିଶ୍ଚୟ ସେମାନେ ସୁଖଧାମର ମାଲିକ
ହେବେ । ପିଲାମାନେ ତ ବହୁତ ଖୁସିରେ ରହିବା ଦରକାର । ବାବାଙ୍କର ମହିମା ଅପରମଅପାର ଅଟେ,
ତାଙ୍କଠାରୁ ଆମେ ବର୍ସା ପାଉଛୁ । ଏବେ ତୁମ ପିଲାମାନଙ୍କ ଉପରେ ଅଥବା ସାରା ଦୁନିଆ ଉପରେ
ବୃହସ୍ପତିର ଦଶା ପଡିଛି । ବର୍ତ୍ତମାନ ଏହି କଥା ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ବିଶେଷ ଭାବରେ
ଭାରତ ଏବଂ ସାଧାରଣ ଭାବରେ ସାରା ଦୁନିଆ, ସମସ୍ତଙ୍କ ଉପରେ ବୃହସ୍ପତିର ଦଶା ରହିଛି, କାହିଁକିନା
ତୁମେ ଏବେ ୧୬ କଳା ସମ୍ପୂର୍ଣ୍ଣ ହେଉଛ । ବର୍ତ୍ତମାନ ସମୟରେ ତ କୌଣସି କଳା ନାହିଁ । ପିଲାମାନଙ୍କୁ
ବହୁତ ଖୁସି ରହିବା ଦରକାର । ଏପରି ନୁହେଁ ଯେ ମଧୁବନରେ ଖୁସିରେ ରହିବ, ବାହାରକୁ ଯିବା ଦ୍ୱାରା
ତାହା ସମାପ୍ତ ହୋଇଯିବ । ତୁମେମାନେ ଯାହାଙ୍କର ମହିମା ଗାଉଛ ସିଏ ଏବେ ତୁମ ପାଖରେ ହାଜିର ଅଛନ୍ତି
। ବାବା ବୁଝାଉଛନ୍ତି ଯେ ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ମୁଁ ତୁମକୁ ରାଜତ୍ୱ ଦେଇ ଯାଇଥିଲି । ଏବେ
ତୁମେ ଦେଖିବ ଧୀରେ ଧୀରେ ସମସ୍ତେ ଡାକିବାକୁ ଲାଗିବେ । ତୁମର ସ୍ଲୋଗାନ ମଧ୍ୟ ବାହାରିବ । ଯେପରି
କେହି କେହି କହୁଛନ୍ତି ଏକ ଧର୍ମ ହେଉ, ଏକ ରାଜତ୍ୱ ହେଉ, ଏକ ଭାଷା ହେଉ । ତାହା ମଧ୍ୟ ଆତ୍ମାମାନେ
ହିଁ କହୁଛନ୍ତି ନା । ଆତ୍ମା ଜାଣିଛି ଯେ ବାସ୍ତବରେ ଭାରତରେ ଦେବୀ-ଦେବତାମାନଙ୍କର ଗୋଟିଏ ମାତ୍ର
ରାଜଧାନୀ ଥିଲା । ଏହି ସମାଚାର ଚାରିଆଡେ ବ୍ୟାପିଯିବ । ତୁମେମାନେ ପରିଚୟ ଦେଇ ଚାଲିଛ । ଡ୍ରାମାର
ଯୋଜନା ଅନୁସାରେ ଲଢେଇ ମଧ୍ୟ ସମ୍ମୁଖରେ ରହିଛି । ଏହା କୌଣସି ନୂଆ କଥା ନୁହେଁ । ଭାରତକୁ ୧୬ କଳା
ସମ୍ପୂର୍ଣ୍ଣ ନିଶ୍ଚିତ ହେବାକୁ ପଡିବ । ତୁମେମାନେ ଜାଣିଛ ଯେ ଆମେ ଏହି ଯୋଗବଳ ଦ୍ୱାରା ୧୬ କଳା
ସମ୍ପୂର୍ଣ୍ଣ ହେଉଛୁ । କହିଥା’ନ୍ତି ନା - ଦାନ ଦେଲେ ଗ୍ରହଣ ଛାଡିଯିବ । ବାବା ମଧ୍ୟ କହୁଛନ୍ତି -
ବିକାର ଗୁଡିକର, ଅଗଗୁଣ ଗୁଡିକର ଦାନ ଦିଅ । ଏହା ରାବଣ ରାଜ୍ୟ ଅଟେ ନା । ବାବା ଆସି ଏଥିରୁ
ମୁକ୍ତ କରୁଛନ୍ତି, ଏଥିରେ ମଧ୍ୟ କାମ ବିକାର ବହୁତ ବଡ ଅବଗୁଣ ଅଟେ । ତୁମେମାନେ ଦେହ-ଅଭିମାନୀ
ହୋଇଯାଇଛ । ଏବେ ଦେହୀ ଅଭିମାନୀ ହେବାକୁ ପଡିବ । ଶରୀରର ମଧ୍ୟ ଅଭିମାନ ଛାଡିବାକୁ ପଡିବ । ଏହି
କଥାକୁ ତୁମେମାନେ ହିଁ ବୁଝୁଛ, ଦୁନିଆ ଜାଣିନାହିଁ । ଭାରତ ଯେତେବେଳେ ୧୬ କଳା ସମ୍ପୂର୍ଣ୍ଣ ଥିଲା,
ସେତେବେଳେ ସମ୍ପୂର୍ଣ୍ଣ ରୂପରେ ଦେବତାମାନଙ୍କର ରାଜ୍ୟ ଥିଲା । ଏହି ଲକ୍ଷ୍ମୀ-ନାରାୟଣଙ୍କର
ରାଜଧାନୀ ଥିଲା । ଭାରତ ସ୍ୱର୍ଗ ଥିଲା । ଏବେ ୫ ବିକାରର ଗ୍ରହଣ ଲାଗିଯାଇଛି, ସେଥିପାଇଁ ବାବା
କହୁଛନ୍ତି ବିକାରଗୁଡିକୁ ଦାନ ଦେଇଦିଅ, ତେବେ ଗ୍ରହଣ ଛାଡିଯିବ । ଏହି କାମ ବିକାର ହିଁ ପତିତ
କରାଇଥାଏ ସେଥିପାଇଁ ବାବା କହୁଛନ୍ତି ଏହାକୁ ଦାନ ଦେଇଦିଅ, ତେବେ ୧୬ କଳା ସମ୍ପନ୍ନ ହୋଇଯିବ । ଯଦି
ଦାନ ନ ଦେବ ତେବେ ହୋଇପାରିବ ନାହିଁ । ଆତ୍ମାମାନଙ୍କୁ ନିଜ-ନିଜର ଅଭିନୟ ମିଳିଛି ନା । ଏକଥା
ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ତୁମ ଆତ୍ମାରେ କେତେ ପାର୍ଟ ଭରି ହୋଇ ରହିଛି । ତୁମେ ବିଶ୍ୱର
ରାଜ୍ୟ ଭାଗ୍ୟ ନେଉଛ । ଏହା ବେହଦର ଡ୍ରାମା ଅଟେ, ଏଥିରେ ବହୁତ ଅଭିନେତା ଅଛନ୍ତି । ଏଥିରେ
ନମ୍ବରୱାନ ଅଭିନେତା ହେଉଛନ୍ତି ଏହି ଲକ୍ଷ୍ମୀ-ନାରାୟଣ, ସେମାନଙ୍କର ନମ୍ବରୱାନ ପାର୍ଟ ରହିଛି ।
ବିଷ୍ଣୁରୁ ବ୍ରହ୍ମା ସରସ୍ୱତୀ, ପୁଣି ବ୍ରହ୍ମା ସରସ୍ୱତୀରୁ ବିଷ୍ଣୁ ହେଉଛନ୍ତି । ଏମାନେ ୮୪
ଜନ୍ମର ଚକ୍ର କିପରି ଲଗାଉଛନ୍ତି, ସେସବୁ କଥା ବୁଦ୍ଧିରେ ଆସିଯାଉଛି । ବ୍ୟବସାୟୀମାନେ ତାଙ୍କର
ହିସାବ ଖାତା ଉପରେ ସ୍ୱସ୍ତିକା ଚିହ୍ନ କରିଥାନ୍ତି । ଗଣେଶଙ୍କର ପୂଜା କରିଥାନ୍ତି । ଏହା ହେଉଛି
ବେହଦର ହିସାବ କିତାବ । ସ୍ୱସ୍ତିକାରେ ୪ଟି ଭାଗ ରହିଥାଏ । ଯେପରି ପୁରୀ ମନ୍ଦିରରେ ହାଣ୍ଡିରେ
ଅନ୍ନ ରନ୍ଧା ହୋଇଥାଏ । ତାହା ହୋଇଗଲା ପରେ ୪ ଭାଗ ହୋଇଯାଏ । ସେଠାରେ ଅନ୍ନର ହିଁ ଭୋଗ ଲାଗିଥାଏ
। ଏବେ ତୁମେ ପିଲାମାନଙ୍କୁ କିଏ ପାଠ ପଢାଉଛନ୍ତି? ସବୁଠାରୁ ପ୍ରିୟ ବାବା ଆସି ତୁମର ସେବାଧାରୀ
ହୋଇଛନ୍ତି, ତୁମର ସେବା କରୁଛନ୍ତି । ମନୁଷ୍ୟମାନେ ତ କହିଦେଉଛନ୍ତି ଯେ ଆତ୍ମା ନିର୍ଲିପ୍ତ ଅଟେ ।
ଏବେ ତୁମେମାନେ ଜାଣୁଛ - ଆତ୍ମାରେ ୮୪ ଜନ୍ମର ଅଭିନୟ ରହିଛି । ତାକୁ ପୁଣି ନିର୍ଲିପ୍ତ କହିବା
ଦ୍ୱାରା କେତେ ରାତି-ଦିନର ଫରକ ହୋଇଯାଉଛି । ଯଦି କେହି ଠିକ୍ ଭାବରେ ମାସେ ଦେଢମାସ ବସି ବୁଝିବେ
ତେବେ ଯାଇ ଜ୍ଞାନର ପଏଣ୍ଟସ ଗୁଡିକ ବୁଦ୍ଧିରେ ରହିବ । ଦିନକୁ ଦିନ ବହୁତ ପଏଣ୍ଟସ୍ ବାହାରୁଛି ।
ଏହା ଯେପରି କସ୍ତୁରୀ ଅଟେ । ଶାସ୍ତ୍ରଗୁଡିକରେ ତ କିଛି ବି ସାରମର୍ମ ନାହିଁ । ବାବା କହୁଛନ୍ତି -
ତାକୁ ଏବେ ବୁଦ୍ଧିରୁ ବାହାର କରିଦିଅ । ମୁଁ ହିଁ ଏକମାତ୍ର ଜ୍ଞାନର ସାଗର ଅଟେ । ଯେତେବେଳେ
ସମ୍ପୂର୍ଣ୍ଣ ନିଶ୍ଚୟ ହୋଇଯାଏ ତେବେ ବୁଝିଥାନ୍ତି ଯେ - ବାସ୍ତବରେ ଏସବୁ ଭକ୍ତିମାର୍ଗ ପାଇଁ ଅଟେ
। ପରମପିତା ପରମାତ୍ମା ହିଁ ଆସି ଦୁର୍ଗତିରୁ ସଦ୍ଗତି କରୁଛନ୍ତି । ସିଢି ଚିତ୍ରରେ ମଧ୍ୟ ସ୍ପଷ୍ଟ
ଭାବରେ ଦେଖାଇବାକୁ ହେବ । ଯେତେବେଳେ ଭକ୍ତିମାର୍ଗ ଆରମ୍ଭ ହୋଇଥାଏ ରାବଣ ରାଜ୍ୟ ମଧ୍ୟ ଆରମ୍ଭ
ହୋଇଥାଏ । ଏବେ ଗୀତାର ଅଧ୍ୟାୟର ପୁନରାବୃତ୍ତି ହେଉଛି । ବାବା କହୁଛନ୍ତି ମୁଁ କଳ୍ପ-କଳ୍ପ,
କଳ୍ପର ସଂଗମଯୁଗରେ ଆସୁଛି । ସେମାନେ ପୁଣି କଛ-ମଛ ଅବତାର କହିଦେଉଛନ୍ତି । ୨୪ ଅବତାର
କହିଦେଉଛନ୍ତି । ବାବା କହୁଛନ୍ତି ଏବେ ତୁମମାନଙ୍କ ଉପରେ ବୃହସ୍ପତିର ଦଶା ରହିଛି । ମୁଁ ତୁମକୁ
ସ୍ୱର୍ଗର ମାଲିକ କରିଥିଲି । ଏବେ ରାବଣ ରାହୁର ଦଶା କରିଦେଇଛି । ଏବେ ପୁଣି ବାବା ଆସିଛନ୍ତି
ସ୍ୱର୍ଗର ମାଲିକ କରିବା ପାଇଁ । ତେଣୁ ନିଜର କେବେ କ୍ଷତି କରିବା ଉଚିତ୍ ନୁହେଁ । ବ୍ୟବସାୟୀମାନେ
ନିଜର ହିସାବ ଖାତାକୁ ସବୁବେଳେ ଠିକ୍ ରଖିଥାନ୍ତି । କ୍ଷତିରେ ରହିଲା ବାଲାଙ୍କୁ ବୋକା କୁହାଯାଏ ।
ବାବା ହେଉଛନ୍ତି ସବୁଠାରୁ ବଡ ବ୍ୟବସାୟୀ । କ୍ୱଚିତ୍ କେହି ତାଙ୍କ ସହିତ ବ୍ୟବସାୟ କରିଥାଆନ୍ତି ।
ଏହା ହିଁ ଅବିନାଶୀ ବ୍ୟବସାୟ ଅଟେ । ଅନ୍ୟ ବ୍ୟବସାୟ ତ ସବୁ ମାଟିରେ ମିଶିବାକୁ ଯାଉଛି । ଏବେ
ତୁମର ପ୍ରକୃତ ବ୍ୟବସାୟ ହେଉଛି । ବାବା ହେଲେ ବେହଦର ସୌଦାଗର, ରତ୍ନାଗର ... ଏବଂ ଜ୍ଞାନର ସାଗର
ମଧ୍ୟ କୁହାଯାଏ । ପ୍ରଦର୍ଶନୀରେ ଦେଖ କେତେ ଲୋକ ବୁଝିବା ପାଇଁ ଆସୁଛନ୍ତି । କିନ୍ତୁ ସେଣ୍ଟରକୁ
କେହି ମୁସ୍କିଲ୍ରେ ଆସିଥାନ୍ତି । ଭାରତ ତ ବହୁତ ଲମ୍ବା ଚଉଡା ଅଟେ ନା । ସବୁ ସ୍ଥାନକୁ ତୁମକୁ
ଯିବାକୁ ହେବ । ପାଣିର ଗଙ୍ଗା ତ ସାରା ଭାରତରେ ନାହିଁ । ଏକଥା ମଧ୍ୟ ତୁମମାନଙ୍କୁ ବୁଝାଇବାକୁ
ପଡିବ ଯେ ପାଣିର ଗଙ୍ଗା ପତିତ-ପାବନୀ ନୁହେଁ । ତେଣୁ ତୁମ ଜ୍ଞାନ ଗଙ୍ଗାମାନଙ୍କୁ ଯିବାକୁ ପଡିବ ।
ଚାରିଆଡେ ପ୍ରଦର୍ଶନୀ ମେଳା କରିବାକୁ ହେବ । ଦିନକୁ ଦିନ ବହୁତ ଭଲ-ଭଲ ଚିତ୍ର ମଧ୍ୟ ତିଆରି ହେବ ।
ଏପରି ଶୋଭନୀୟ ଚିତ୍ର ହେଉ ଯେ ଯାହାକୁ ଦେଖିବା ଦ୍ୱାରା ହିଁ ଖୁସି ଲାଗିବ କି ଏମାନେ ତ ଠିକ୍
ବୁଝାଉଛନ୍ତି । ଏବେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ସ୍ଥାପନ ହେଉଛି । ଏବେ ବ୍ରାହ୍ମଣ ଧର୍ମର
ସ୍ଥାପନା ହେଉଛି । ଏହି ବ୍ରାହ୍ମଣମାନେ ହିଁ ଦେବୀ-ଦେବତା ହେଉଛନ୍ତି । ତୁମେ ଏବେ ପୁରୁଷାର୍ଥ
କରୁଛ ତେବେ ନିଜର ମନକୁ ପଚାର ଯେ ମୋ ଭିତରେ କୌଣସି ଛୋଟ-ମୋଟ କଣ୍ଟା ନାହିଁ ତ? କାମ ବିକାରର
କଣ୍ଟା ନାହିଁ ତ! କ୍ରୋଧର ଛୋଟ କଣ୍ଟା ମଧ୍ୟ ବହୁତ ଖରାପ । ଦେବତାମାନେ କ୍ରୋଧୀ ହୋଇ ନ ଥାନ୍ତି ।
ଦେଖାନ୍ତି ଯେ ଶଙ୍କରଙ୍କର ଆଖି ଖୋଲିବା ମାତ୍ରେ ବିନାଶ ହୋଇଯାଉଛି । ଏହା ମଧ୍ୟ ଏକ କଳଙ୍କ ଲଗାଇ
ଦେଇଛନ୍ତି । ବିନାଶ ତ ନିଶ୍ଚୟ ହେବ । ସୂକ୍ଷ୍ମବତନରେ ଶଙ୍କରଙ୍କ ପାଖରେ କୌଣସି ସର୍ପ ଆଦି କ’ଣ
ରହିପାରିବ । ସେଠାରେ ଧରିତ୍ରୀ କାହିଁ ଯେଉଁଠାରୁ ସର୍ପ ଆଦି ବାହାରିବ । ଆକାଶରେ କ’ଣ ସର୍ପମାନେ
ଘୂରିବେ । ସୂକ୍ଷ୍ମବତନ ଏବଂ ମୂଳବତନରେ ବାଡି ବଗିଚା ସର୍ପ ଆଦି କିଛି ବି ନଥାଏ । ଏସବୁ ଏହିଠାରେ
ହିଁ ଅଛି । ସ୍ୱର୍ଗ ମଧ୍ୟ ଏହିଠାରେ ହିଁ ହୋଇଥାଏ । ଏହି ସମୟରେ ମନୁଷ୍ୟମାନେ କଣ୍ଟା ସଦୃଶ ଅଟନ୍ତି,
ସେଥିପାଇଁ ଏହାକୁ କଣ୍ଟାର ଜଙ୍ଗଲ କୁହାଯାଉଛି । ସତ୍ୟଯୁଗ ହେଉଛି ଫୁଲର ବଗିଚା । ତୁମେମାନେ
ଦେଖୁଛ - ବାବା କିପରି ବଗିଚା ତିଆରି କରୁଛନ୍ତି । ବାବା ଅତି ଶୋଭନୀୟ ବଗିଚା କରୁଛନ୍ତି ।
ସମସ୍ତଙ୍କୁ ସୁନ୍ଦର କରୁଛନ୍ତି । ସିଏ ନିଜେ ତ ସବୁଠାରୁ ସୁନ୍ଦର ଅଟନ୍ତି । ବାବା ସବୁ
ସଜନୀମାନଙ୍କୁ ଅର୍ଥାତ୍ ପିଲାମାନଙ୍କୁ ସୁନ୍ଦର କରୁଛନ୍ତି । ରାବଣ ବିଲ୍କୁଲ କଳା କରିଦେଇଛି ।
ଏବେ ତୁମେ ଖୁସି ହେବା ଦରକାର ଯେ ଆମ ଉପରେ ବୃହସ୍ପତିର ଦଶା ପଡିଛି । ଅଧା ସମୟ ଦୁଃଖ, ଅଧା ସମୟ
ସୁଖ ହେବ, ଏହାଦ୍ୱାରା ଲାଭ ହିଁ କ’ଣ? ନା, ୩ ଭାଗ ସୁଖ ରହିଛି । ଏହିପରି ଡ୍ରାମା ତିଆରି
କରାଯାଇଛି । ବହୁତ ଲୋକ ପଚାରୁଛନ୍ତି ଯେ ଡ୍ରାମା ଏହିପରି କାହିଁକି ତିଆରି ହୋଇଛି? ଆରେ ଏହା ତ
ଅନାଦି ଅଟେ ନା । କାହିଁକି ହୋଇଛି, ଏହି ପ୍ରଶ୍ନ ଉଠିପାରିବ ନାହିଁ । ଏହା ଅନାଦି ଅବିନାଶୀ
ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଯାହା ପୂର୍ବ ପ୍ରସ୍ତୁତ ତାହା ହିଁ ହେଉଛି..... ଏଥିରେ କାହାକୁ
ମୋକ୍ଷ ମିଳିପାରିବ ନାହିଁ । ଅନାଦି ସୃଷ୍ଟି ନାଟକ ଏହିଭଳି ଚାଲି ଆସୁଛି, ଏହିପରି ଚାଲୁଥିବ ମଧ୍ୟ
। ପ୍ରଳୟ ତ ହେଉନାହିଁ । ବାବା ନୂଆ ଦୁନିଆ ରଚନା କରୁଛନ୍ତି, କିନ୍ତୁ ଏଥିରେ ମନୁଷ୍ୟମାନଙ୍କର
କେତେ ସଂଶୟ ରହୁଛି । ଯେତେବେଳେ ମନୁଷ୍ୟମାନେ ପତିତ ଦୁଃଖୀ ହୋଇଯାଉଛନ୍ତି ସେତେବେଳେ ହିଁ
ବାବାଙ୍କୁ ଡାକୁଛନ୍ତି । ବାବା ଆସି ସମସ୍ତଙ୍କର ଶରୀରକୁ କଳ୍ପବୃକ୍ଷ ସମାନ କରୁଛନ୍ତି । ତୁମର
ଆତ୍ମା ପବିତ୍ର ହୋଇଯାଉଛି, ତେବେ ତୁମକୁ ପବିତ୍ର ଶରୀର ମଧ୍ୟ ମିଳିବ । ବାବା ତୁମର କାୟାକୁ
କଳ୍ପବୃକ୍ଷ ଭଳି ସତ୍ତ୍ୱପ୍ରଧାନ କରୁଛନ୍ତି । ଅଧାକଳ୍ପ କେବେ ତୁମମାନଙ୍କର ଅକାଳ ମୃତ୍ୟୁ ହେବ
ନାହିଁ । ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ତୁମେ ପିଲାମାନେ ବହୁତ ପୁରୁଷାର୍ଥ କରିବା
ଦରକାର । ଯେତେ ଉଚ୍ଚ ପଦ ପାଇବ ସେତେ ଭଲ । ପ୍ରତ୍ୟେକ ମନୁଷ୍ୟ ଅଧିକ ରୋଜଗାର କରିବା ପାଇଁ
ପୁରୁଷାର୍ଥ କରୁଛନ୍ତି । କାଠବାଲା ମଧ୍ୟ କହିବେ ଯେ ମୁଁ ଅଧିକ କାଠ ନେଇ ଗଲେ ଅଧିକ ରୋଜଗାର ହେବ
। କେହି-କେହି ତ ଠକାମୀ କରି ରୋଜଗାର କରିଥାନ୍ତି । ସେଠାରେ ଏଭଳି କୌଣସି ଦୁଃଖର କଥା ରହିବ ନାହିଁ
। ଏବେ ତୁମେ ବାବାଙ୍କଠାରୁ କେତେ ବର୍ସା ନେଉଛ । ନିଜର ଯାଞ୍ଚ କରିବା ଦରକାର ଯେ ଆମେ ସ୍ୱର୍ଗକୁ
ଯିବା ପାଇଁ ଯୋଗ୍ୟ ହୋଇଛୁ? (ନାରଦଙ୍କର ଉଦାହରଣ) ଶାସ୍ତ୍ରରେ ତ ବହୁତ କଥା ଲେଖିଦେଇଛନ୍ତି । ଏହି
ତୀର୍ଥ ଯାତ୍ରା ଆଦି ସବୁ କିଛି ଛାଡ । ଗୀତାରେ ମଧ୍ୟ ଏକଥା ରହିଛି ନା! ଚାରୋ ତରପ୍ ଲଗାଏ ଫେରେ
... (ଚତୁର୍ଦ୍ଦିଗ ବୁଲି ଆସିଲି ତଥାପି ତୁମଠାରୁ ଦୂରରେ ରହିଲି) । ଏବେ ବାବା ତୁମମାନଙ୍କୁ କେତେ
ଭଲ ଯାତ୍ରା ଶିଖାଉଛନ୍ତି, ଏଥିରେ କୌଣସି ଅସୁବିଧା ନାହିଁ । କେବଳ କହୁଛନ୍ତି ମୋତେ ମନେ ପକାଅ
ତେବେ ତୁମର ବିକର୍ମ ବିନାଶ ହେବ । ବହୁତ ଭଲ ଉପାୟ ତୁମମାନଙ୍କୁ ଶୁଣାଉଛି । ପିଲାମାନେ ଶୁଣୁଛ!
ଏହା ମୋର ଧାର ସୂତ୍ରରେ ନେଇଥିବା ରଥ ଅଟେ । ଏହି ବ୍ରହ୍ମାବାବା କେତେ ଖୁସି ହେଉଛନ୍ତି । ମୁଁ
ବାବାଙ୍କୁ ନିଜର ଶରୀର ଧାରସୂତ୍ରରେ ଦେଇଛି । ବାବା ମୋତେ ବିଶ୍ୱର ମାଲିକ କରୁଛନ୍ତି । ତାଙ୍କର
ନାମ ମଧ୍ୟ ଭାଗୀରଥ । ତୁମେମାନେ ଜାଣିଛ ଯେ ବମ୍ ଆଦି ପ୍ରସ୍ତୁତ ହେଉଛି । ଏଥିରେ ନିଆଁ ଲାଗିଯିବ
। ମାରିବା ପାଇଁ ରାବଣର ପିତୁଳା ମଧ୍ୟ ତିଆରି କରୁଛନ୍ତି । ଏଠାରେ ମାରିବାର କୌଣସି କଥା ନାହିଁ ।
କେଉଁଠି ରାବଣକୁ ମାରିବାର କଥା ରହିଛି, କେଉଁଠି ଏହି ରାବଣପୁରୀର ସମାପ୍ତି ହେଉଛି । ତୁମେମାନେ
ରାମପୁରୀକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ତେବେ ସମ୍ପୂର୍ଣ୍ଣ ପୁରୁଷାର୍ଥ କରିବାକୁ ହେବ, କଣ୍ଟା
ହେବାର ନାହିଁ ।
ତୁମେ ବ୍ରାହ୍ମଣ
ବ୍ରାହ୍ମଣୀ ଅଟ । ତୁମ ସମସ୍ତଙ୍କର ଆଧାର ମୁରଲୀ ଉପରେ ରହିଛି । ତୁମକୁ ମୁରଲୀ ନ ମିଳିଲେ ତୁମେ
କ’ଣ କରିବ । ଏପରି ନୁହେଁ ଯେ କେବଳ ଜଣେ ବ୍ରାହ୍ମଣୀ ହିଁ ମୁରଲୀ ଶୁଣାଉଥିବ । କେହି ବି ମୁରଲୀ
ପଢି ଶୁଣାଇ ପାରିବ । କହିବା ଦରକାର - ଆଜି ତୁମେ ଶୁଣାଅ । ଏବେ ତ ବୁଝାଇବା ପାଇଁ ଭଲ ଚିତ୍ର
ମଧ୍ୟ ତିଆରି ହୋଇଛି । ଏହି ମୁଖ୍ୟ ଚିତ୍ର ତ ନିଜର ଦୋକାନରେ ରଖି ଅନେକଙ୍କର କଲ୍ୟାଣ କରିବା
ଦରକାର । ହଦର ସଉଦା ସହିତ ଏହି ସଉଦା ମଧ୍ୟ କର । ଏହା ବାବାଙ୍କର ଅବିନାଶୀ ଜ୍ଞାନ ରତ୍ନର ଦୋକାନ
ଅଟେ । ବାବା ମନା କରୁନାହାଁନ୍ତି ଯେ ଘର ଆଦି ତିଆରି କର ନାହିଁ । ଭଲେ ଘର ତିଆରି କର, ନଚେତ୍
ପଇସା ତ ମାଟିରେ ମିଶିଯିବ । ଏହା ଅପେକ୍ଷା ଘର ତିଆରି କରି କାହିଁକି ଆରାମରେ ନ ରହିବ । ପଇସାକୁ
କାମରେ ଲଗାଇବା ଦରକାର । ଘର ମଧ୍ୟ କର, ଖାଇବା ପାଇଁ ମଧ୍ୟ ରଖ, ଦାନ-ପୁଣ୍ୟ ମଧ୍ୟ କର ।
କାଶ୍ମୀରର ରାଜା ତାଙ୍କର ମୃତ୍ୟୁ ପୂର୍ବରୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଯାହା ଥିଲା ସବୁ ଆର୍ଯ୍ୟ
ସମାଜୀମାନଙ୍କୁ ଦାନରେ ଦେଇ ଗଲେ । ନିଜର ଧର୍ମ ପାଇଁ କରିଥା’ନ୍ତି ନା । ଏଠାରେ ତ ସେ ସବୁ କଥା
ନାହିଁ । ଏଠାରେ ସମସ୍ତେ ସନ୍ତାନ ଅଟନ୍ତି, ଦାନ ଆଦିର କୌଣସି କଥା ନାହିଁ । ସେ ଗୁଡିକ ହେଲା ହଦର
ଦାନ । ମୁଁ ତ ତୁମମାନଙ୍କୁ ବିଶ୍ୱର ବାଦଶାହୀ ଦେଉଛି । ଡ୍ରାମା ଅନୁସାରେ ଭାରତବାସୀ ହିଁ ରାଜ୍ୟ
ଭାଗ୍ୟ ନେବେ । ଭକ୍ତିମାର୍ଗରେ ବ୍ୟାପାରୀମାନେ କିଛି ନା କିଛି ପଇସା ଧର୍ମ କାର୍ଯ୍ୟ ପାଇଁ ବାହାର
କରି ରଖିଥାନ୍ତି । ତା’ର ମଧ୍ୟ ପରଜନ୍ମରେ ଅଳ୍ପକାଳ ପାଇଁ ଫଳ ମିଳିଥାଏ । ବର୍ତ୍ତମାନ ତ ମୁଁ
ପ୍ରତ୍ୟକ୍ଷରେ ଆସିଛି ତେବେ ତୁମେମାନେ ଏହି କାର୍ଯ୍ୟରେ ଧନ ଲଗାଅ । ମୋର ତ କିଛି ଦରକାର ନାହିଁ ।
ଶିବବାବା କ’ଣ ନିଜ ପାଇଁ ଘର ତିଆରି କରିବେ କି! ଏସବୁ ବ୍ରାହ୍ମଣ ମାନଙ୍କର ଅଟେ । ଗରୀବ,
ସାହୁକାର ସମସ୍ତେ ଏକତ୍ର ରହୁଛନ୍ତି । ତେବେ ଏସବୁ ପିଲାମାନଙ୍କର ହିଁ ଅଟେ । ଦେଖାଯାଇଥାଏ ଯେ
ଅମୁକ ତାଙ୍କ ଘରେ କିପରି ଆରାମରେ ରହୁଛନ୍ତି, ତେବେ ସେହିଭଳି ପ୍ରବନ୍ଧ କରିବାକୁ ପଡିବ, ସେଥପାଇଁ
କହୁଛନ୍ତି ସମସ୍ତଙ୍କର ଖାତିରୀ କର । ଯଦି କୌଣସି ଜିନିଷ ନାହିଁ ତେବେ ମିଳିପାରିବ । ବାବାଙ୍କର ତ
ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ । ଏତେ ସ୍ନେହ ଆଉ କାହାର ରହିପାରିବ ନାହିଁ । ପିଲାମାନଙ୍କୁ
ତ ବୁଝାଉଛନ୍ତି - ପୁରୁଷାର୍ଥ କର ଏବଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଯୁକ୍ତି ରଚନା କର । ଏଥିରେ
ଦରକାର କେବଳ ୩ ପାଦ ଭୂମି, ଯେଉଁଠାରେ କନ୍ୟାମାନେ ବୁଝାଇପାରିବେ । କୌଣସି ବଡ ଲୋକର ହଲ ହୋଇଥିଲେ
କୁହ ଆମେ କିଛି ଜରୁରୀ ଚିତ୍ର ରଖିଦେଉଛୁ । ଘଣ୍ଟେ ଦୁଇଘଣ୍ଟା ସକାଳ ସନ୍ଧ୍ୟାରେ କ୍ଲାସ କରି
ଚାଲିଯିବୁ । ସବୁ ଖର୍ଚ୍ଚ ଆମର, ନାମ ତୁମର ହେବ । ବହୁତ ଆସି କଉଡିରୁ ହୀରା ତୁଲ୍ୟ ହେବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅବିନାଶୀ
ବାବାଙ୍କ ସହିତ ସଚ୍ଚା-ସଚ୍ଚା ଅବିନାଶୀ ବ୍ୟବସାୟ କରିବାକୁ ହେବ । ସ୍ଥୁଳ ସଉଦା କରିବା ସହିତ
ଅବିନାଶୀ ସଉଦା କରିବାରେ ମଧ୍ୟ ସମୟ ଦେବାକୁ ହେବ । ଜ୍ଞାନର ଗଙ୍ଗା ହୋଇ ସମସ୍ତଙ୍କୁ ପବିତ୍ର
କରିବାକୁ ହେବ ।
(୨) ବ୍ରାହ୍ମଣ ଜୀବନର
ଆଧାର ହେଲା ମୁରଲୀ ଯାହାକୁ ଅତି ଆଦରର ସହିତ ଶୁଣିବାକୁ ହେବ ଏବଂ ଶୁଣାଇବାକୁ ହେବ । ଯଦି ନିଜ
ଭିତରେ କୌଣସି ବି କଣ୍ଟା ଥାଏ, ତେବେ ତାକୁ ବାହାର କରିଦେବାକୁ ହେବ । ଅବଗୁଣ ଗୁଡିକୁ ଦାନ
କରିଦେବାକୁ ହେବ ।
ବରଦାନ:-
ଦୟାଳୁ ଭାବନା
ଦ୍ୱାରା ଅପକାରୀର ମଧ୍ୟ ଉପକାର କରୁଥିବା ଶୁଭଚିନ୍ତକ ଭବ ।
କେହି ବି ଆତ୍ମା କିପରି
ବି ହୋଇଥାଉ, ଚାହେଁ ତମୋଗୁଣୀ, ଚାହେଁ ସତୋଗୁଣୀ ଯଦି ତୁମ ସମ୍ପର୍କରେ ଆସିଲେ ତେବେ ସମସ୍ତଙ୍କ
ପ୍ରତି ଶୁଭଚିନ୍ତକ ଅର୍ଥାତ୍ ଅପକାରୀ ଉପରେ ମଧ୍ୟ ଉପକାର କରିବାବାଲା ଆତ୍ମା ହୁଅ । କେବେ ବି
କୌଣସି ଆତ୍ମା ପ୍ରତି ଘୃଣାଭାବ ନ ରହୁ କାହିଁକିନା ତୁମେ ଜାଣିଛ ଯେ ଏହି ଆତ୍ମା ଅଜ୍ଞାନର ବଶୀଭୂତ
ଅଟେ, ଅବୋଧ ଅଟେ । ତେଣୁ ତାଙ୍କ ପ୍ରତି ଦୟା ବା ସ୍ନେହର ଭାବନା ଉତ୍ପନ୍ନ ହେଉ, ଘୃଣା ନୁହେଁ ।
ଶୁଭଚିନ୍ତକ ଆତ୍ମା ଏଭଳି ଭାବିବ ନାହିଁ ଯେ ଏହି ବ୍ୟକ୍ତି ଏଭଳି କାହିଁକି କରିଲା ବରଂ ଭାବିବ ଯେ
ଏହି ଆତ୍ମାର କଲ୍ୟାଣ କିପରି ହେବ - ଏହା ହିଁ ହେଉଛି ଶୁଭଚିନ୍ତକ ସ୍ଥିତି ।
ସ୍ଲୋଗାନ:-
ତପସ୍ୟାର ଶକ୍ତି
ଦ୍ୱାରା ଅସମ୍ଭବକୁ ସମ୍ଭବ କରି ସଫଳତା ମୂରତ ହୁଅ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ସେ ତ୍ରିକାଳଦର୍ଶୀ
ହୋଇଥିବା କାରଣରୁ ଆତ୍ମାର ସମ୍ପୂର୍ଣ୍ଣ ସହଯୋଗକୁ ସମ୍ମୁଖରେ ରଖି ପ୍ରତ୍ୟେକ ଆତ୍ମାର ଦୁର୍ବଳତାକୁ
ପରଖିବା ସହିତ ତା’ର ଦୁର୍ବଳତାକୁ ନିଜ ଭିତରେ ଧାରଣ କରିବ ନାହିଁ କି ବର୍ଣ୍ଣନା ମଧ୍ୟ କରିବ ନାହିଁ
ବରଂ ଅନ୍ୟ ଆତ୍ମାମାନଙ୍କର ଦୁର୍ବଳତା ରୂପକ କଣ୍ଟାକୁ ନିଜର କଲ୍ୟାଣକାରୀ ସ୍ୱରୂପ ଦ୍ୱାରା ସମାପ୍ତ
କରିଦେବା, କଣ୍ଟାକୁ କଣ୍ଟା ବଦଳରେ ମଧ୍ୟ ଫୁଲରେ ପରିବର୍ତ୍ତନ କରିଦେବ ।