06.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜେ
ନିଜ ସହିତ ପ୍ରତିଜ୍ଞା କର ଯେ ମୋତେ ବହୁତ-ବହୁତ ମିଠା ହେବାକୁ ପଡିବ, ସମସ୍ତଙ୍କୁ ସୁଖର, ସ୍ନେହର
ଦୃଷ୍ଟିରେ ଦେଖିବାକୁ ହେବ, କାହାର ନାମ-ରୂପରେ ଆକର୍ଷିତ ହେବାର ନାହିଁ ।”
ପ୍ରଶ୍ନ:-
ଯୋଗର ସିଦ୍ଧି
କ’ଣ? ପରିପକ୍ୱ ଯୋଗୀଙ୍କର ଲକ୍ଷଣ ଶୁଣାଅ?
ଉତ୍ତର:-
ସବୁ କର୍ମେନ୍ଦ୍ରିୟଗୁଡିକ ସମ୍ପୂର୍ଣ୍ଣ ଶାନ୍ତ, ଶୀତଳ ହୋଇଥିବ - ଏହା ହେଉଛି ଯୋଗର ସିଦ୍ଧି ।
ପକ୍କା ଯୋଗୀ ସନ୍ତାନ ସେହିମାନେ, ଯେଉଁମାନଙ୍କର କର୍ମେନ୍ଦ୍ରିୟ ଟିକିଏ ହେଲେ ଚଞ୍ଚଳ ହେଉ ନ ଥିବ
। ତିଳେମାତ୍ର ବି କୌଣସି ଦେହଧାରୀ ପ୍ରତି ଦୃଷ୍ଟି ଯାଉ ନ ଥିବ । ମଧୁର ସନ୍ତାନଗଣ ଏବେ ତୁମେ ଯୁବା
ନୁହଁ, ତୁମର ବାନପ୍ରସ୍ଥ ଅବସ୍ଥା ଅଟେ ।
ଗୀତ:-
ଜାଗ ସଜନିଆଁ
ଜାଗ...
ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ଏହାର ଅର୍ଥକୁ ବୁଝି ବିଚାର ସାଗର ମନ୍ଥନ କରି ଖୁସି
ହେବା ଉଚିତ୍ କାହିଁକି ନା ଏହା ହେଉଛି ନୂଆ ଦୁନିଆ ପାଇଁ ନୂଆ କଥା । ଏହି ନୂଆ କଥା ଏବେ ଶୁଣିବାକୁ
ହେବ । ପିଲାମାନେ ଜାଣିଛନ୍ତି ନୂଆ ଦୁନିଆର ସ୍ଥାପନକର୍ତ୍ତା କୌଣସି ମନୁଷ୍ୟ ହୋଇପାରିବେ ନାହିଁ ।
ତୁମେ ଯେତେବେଳେ ଏହି କଥା ଶୁଣୁଛ, ତୁମେ ଜାଣୁଛ ଯେ ଏହା ତ ୫ ହଜାର ବର୍ଷ ପୂର୍ବର ପୁରୁଣା କଥା
ଯାହା ନୂଆ କରି ଶୁଣାଉଛନ୍ତି । ତେଣୁ ପୁରୁଣାରୁ ନୂଆ, ନୂଆରୁ ପୁରୁଣା ହୋଇଯାଉଛି । ଏବେ ତୁମେ
ଜାଣୁଛ ପାଞ୍ଚ ହଜାର ବର୍ଷ ପୂର୍ବର ସେହି କଥାକୁ ବାବା ନୂଆ କରି ଶୁଣାଉଛନ୍ତି । ସେହି ପୁରୁଣା କଥା
ଅଟେ । କ’ଣ ପାଇଁ ଶୁଣାଉଛନ୍ତି? ନୂଆ ଦୁନିଆର ସମ୍ପତ୍ତି ପାଇବା ପାଇଁ । ଏଥିରେ ଜ୍ଞାନ ଡ୍ୟାନ୍ସ
କରିବାକୁ ହୁଏ । ଭକ୍ତିରେ ମଧ୍ୟ ବହୁତ ଡ୍ୟାନ୍ସ କରିଥା’ନ୍ତି । ଚତୁର୍ଦ୍ଦିଗରେ ଘୁରି ଘୁରି
ନୃତ୍ୟ କରିଥା’ନ୍ତି । ଜ୍ଞାନର ନୃତ୍ୟ ତ ବିଲ୍କୁଲ୍ ସହଜ । ଭକ୍ତିରେ କର୍ମେନ୍ଦ୍ରିୟ ଦ୍ୱାରା
ବହୁତ ଅଙ୍ଗଭଙ୍ଗୀ କରିବାକୁ ପଡେ । ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ । ଏଠାରେ ତ କେବଳ ମନ ଭିତରେ
ଜ୍ଞାନ ନୃତ୍ୟ ଚାଲିଥାଏ । ସୃଷ୍ଟିଚକ୍ର କିପରି ଘୂରୁଛି - ଏହି ଜ୍ଞାନ ବୁଦ୍ଧିରେ ଅଛି । ଏଥିରେ
କୌଣସି କଷ୍ଟ ନାହିଁ । ହଁ, ବାବାଙ୍କୁ ମନେ ପକାଇବା ପାଇଁ ମେହନତ କରିବାକୁ ହୁଏ । କେତେକ ପିଲା
ଫେଲ୍ ହୋଇଯାଇଥାଆନ୍ତି, କେଉଁଠି ନା କେଉଁଠି ନୀଚ୍ଚକୁ ଚାଲି ଯାଇଥାଆନ୍ତି । ସବୁଠାରୁ ମୁଖ୍ୟ କଥା
ହେଲା ନାମ-ରୂପରେ ଆକର୍ଷିତ ହେବା ଅନୁଚିତ୍ । ସ୍ତ୍ରୀ-ପୁରୁଷ କାମ ବିକାରର ବଶବର୍ତ୍ତୀ ହୋଇ
ନାମ-ରୂପରେ ଫସିଥା’ନ୍ତି ନା । କ୍ରୋଧ ନାମ-ରୂପରେ ଆକର୍ଷିତ କରାଏ ନାହିଁ । ପ୍ରଥମେ ପ୍ରଥମେ
ଏଥିପ୍ରତି ବହୁତ ସଚେତନ ହେବା ଉଚିତ୍, କାହାରି ନାମ-ରୂପରେ ଆକର୍ଷିତ ହେବା ଅନୁଚିତ୍ । ନିଜକୁ
ଆତ୍ମା ବୋଲି ଭାବିବାକୁ ହେବ । ମୁଁ ଆତ୍ମା ଅଶରୀରୀ ଆସିଥିଲି ଏବେ ଅଶରୀରୀ ହୋଇ ଯିବାକୁ ହେବ ।
ଏହି ଶରୀରର ଅଭିମାନକୁ ତ୍ୟାଗ କରିବାକୁ ହେବ । ଏହି ନାମ-ରୂପରେ ଛନ୍ଦି ହେବା ବହୁତ ବଡ ରୋଗ ଅଟେ
। ବାବା ପିଲାମାନଙ୍କୁ ସାବଧାନୀ ଦେଉଛନ୍ତି । କେହି-କେହି ଏହି କଥାକୁ ବୁଝୁ ନାହାଁନ୍ତି ।
କହୁଛନ୍ତି ବାବା ବେକାରରେ ଏପରି କହୁଛନ୍ତି ଯେ ନାମ-ରୂପରେ ଲଟକି ରହିଛ । କିନ୍ତୁ ଏହା ହେଉଛି
ଗୁପ୍ତ ବେମାରୀ, ସେଥିପାଇଁ ଅବିନାଶୀ ସାଜନ ସଜନୀମାନଙ୍କୁ ଅଥବା ବାବା ପିଲାମାନଙ୍କୁ ସଜାଗ
କରୁଛନ୍ତି । ପିଲାମାନେ ଜାଗ୍ରତ ହୁଅ, ଏବେ ପୁନର୍ବାର କଳିଯୁଗ ପରେ ସତ୍ୟଯୁଗ ଆସିବ । ବାବା
ଜ୍ୟୋତି ଜାଗ୍ରତ କରିବାକୁ ଆସୁଛନ୍ତି । ମନୁଷ୍ୟର ମୃତ୍ୟୁ ପରେ ତାଙ୍କ ପାଇଁ ଜ୍ୟୋତି ଜାଗରଣ
କରିଥା’ନ୍ତି, ପୁଣି ଦୀପ ଉପରେ ଧ୍ୟାନ ରଖିଥା’ନ୍ତି, ଯେପରି ଲିଭି ନ ଯିବ । ଆତ୍ମା ଅନ୍ଧକାରରେ ନ
ରହୁ । ବାସ୍ତବରେ ଏହା ସବୁ ଭକ୍ତିମାର୍ଗର କଥା । ଆତ୍ମା ତ ଏକ ସେକେଣ୍ଡରେ ଚାଲିଯାଇଥାଏ । କେତେକ
ଲୋକେ ଜ୍ୟୋତିକୁ ମଧ୍ୟ ଭଗବାନ ବୋଲି ମାନିଥାନ୍ତି । ବ୍ରହ୍ମକୁ ବଡ ଜ୍ୟୋତି କହିଥାନ୍ତି । ବ୍ରହ୍ମ
ସମାଜୀମାନଙ୍କ ମନ୍ଦିରରେ ରାତି ଦିନ ଜ୍ୟୋତି ଜଳୁଥାଏ । କେତେ ଖର୍ଚ୍ଚ ହୋଇଥାଏ । ବ୍ୟର୍ଥରେ ଘିଅ
ସରିଥାଏ । ଏଠାରେ ସେ ସବୁ କିଛି ଜଳିବାର ନାହିଁ । ବାବାଙ୍କ ସ୍ମୃତି ଘିଅର କାମ କରିଥାଏ । ସ୍ମୃତି
ରୂପୀ ଘୃତ ଅଟେ । ତେଣୁ ମଧୁର ସନ୍ତାନମାନେ ଏହି କଥାକୁ ବୁଝୁଛନ୍ତି । ନୂଆ କଥା ହୋଇଥିବା ଯୋଗୁଁ
ହିଁ ଝଗଡା ହୋଇଯାଏ । ବାବା କହୁଛନ୍ତି - ମୁଁ ମିଠା ପିଲାମାନଙ୍କ ପାଖକୁ ଆସୁଛି । ଭାରତରେ ହିଁ
ଆସୁଛି । ନିଜର ଜନ୍ମ, ଦେଶ ସମସ୍ତଙ୍କର ପ୍ରିୟ ହୋଇଥାଏ । ବାବାଙ୍କୁ ତ ସମସ୍ତେ ପ୍ରିୟ
ଲାଗିଥା’ନ୍ତି । ପୁଣି ବି ମୁଁ ନିଜ ଦେଶ ଭାରତକୁ ଆସୁଛି । ଗୀତାରେ କୃଷ୍ଣଙ୍କ ନାମ ନ ଥିଲେ
ସମସ୍ତ ମନୁଷ୍ୟ ମାତ୍ରକେ ଶିବବାବାଙ୍କୁ ମାନିଥା’ନ୍ତେ । ଶିବଙ୍କ ମନ୍ଦିରକୁ କେତେ ଯାଉଛନ୍ତି ।
ସବୁଠାରୁ ବଡ ସୋମନାଥ ମନ୍ଦିର ଥିଲା । ଏବେ ତ କେତେ ଅନେକ ବଡ ବଡ ମନ୍ଦିର ହୋଇଗଲାଣି । କୃଷ୍ଣଙ୍କୁ
ଏତେ ମାନୁନାହାଁନ୍ତି, ଯେତେ ଅବନାଶୀ ବାବାଙ୍କୁ ମାନୁଛନ୍ତି । ତେଣୁ ବର୍ତ୍ତମାନ ସମୟରେ ତୁମ ପାଇଁ
ବାବାଙ୍କଠାରୁ ପ୍ରିୟ ଆଉ କିଛି ନାହିଁ । ଏଥିରେ ସାକାରଙ୍କର କିଛି ମହିମା ନାହିଁ । ଏହା
ନିରାକାରଙ୍କର ମହିମା, ଯିଏ ଅଭୋକ୍ତା ଅଟନ୍ତି । ଯେବେକି ଅବିନାଶୀ ବାବା ସ୍ୱର୍ଗର ରଚୟିତା ଅଟନ୍ତି,
ତେଣୁ ତାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେବା ପାଇଁ ପୁରୁଷାର୍ଥ କରିବା ଦରକାର ।
ଆଜିକାଲି କରି କରି କାଳ ଖାଇଯିବ । ଆଉ ଅଳ୍ପ ସମୟ ବାକି ଅଛି । ବାବାଙ୍କଠାରୁ ସମ୍ପତ୍ତିର ଅଧିକାର
ତ ନେଇଯାଅ । ଯେତେବେଳେ ସମାଚାର ଲେଖିଥା’ନ୍ତି, ସେତେବେଳେ ସବୁ ବୁଝାଇବାକୁ ମଧ୍ୟ ପଡିଥାଏ । ଯଦି
ନିଶ୍ଚୟ ଅଛି ଯେ ଇଏ ଅବିନାଶୀ ବାବା ଅଟନ୍ତି ତେବେ ସମ୍ପତ୍ତି ନେବା ପାଇଁ ପୁରୁଷାର୍ଥ କର, ନଚେତ୍
ବାହାରକୁ ଗଲେ ତୁରନ୍ତ ଭୁଲିଯିବ । ବାବା କଲ୍ୟାଣକାରୀ ଅଟନ୍ତି ନା । ବାବା କହୁଛନ୍ତି ଏହି ଯୋଗ
ଦ୍ୱାରା ହିଁ ତୁମର ସବୁ ଦୁଃଖ ୨୧ ଜନ୍ମ ପାଇଁ ଦୂର ହୋଇଯିବ । ଝିଅମାନେ ଘରେ ମଧ୍ୟ ବୁଝାଇବା ଉଚିତ୍
ଯେ ଏବେ ସବୁ ଦୁଃଖ ଦୂର କରୁଥିବା ଅବିନାଶୀ ବାବାଙ୍କୁ ମନେ ପକାଇଲେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ
ହୋଇଯିବ । ପବିତ୍ର ନିଶ୍ଚୟ ରହିବାକୁ ପଡିବ । ମୂଳ କଥା ହେଉଛି ପବିତ୍ରତାର । ଯେତେ ଯେତେ ଅଧିକ
ବାବାଙ୍କ ସ୍ମୃତିରେ ରହିବ, ତେବେ ଇନ୍ଦ୍ରିୟ ମଧ୍ୟ ଶାନ୍ତ ହୋଇଯିବ । ଯୋଗରେ ସମ୍ପୂର୍ଣ୍ଣ ସିଦ୍ଧି
ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଇନ୍ଦ୍ରିୟ ମଧ୍ୟ ଶାନ୍ତ ହୋଇ ନ ଥାଏ । ପ୍ରତ୍ୟେକ ନିଜକୁ ଚେକ୍
କରନ୍ତୁ - କାମ ବିକାର ମୋତେ ଧୋକା ଦେଉ ନାହିଁ ତ? ତେବେ କୌଣସି ଚଞ୍ଚଳତା ଆସିବା ଅନୁଚିତ୍, ମୁଁ
ପରିପକ୍ୱ ଯୋଗୀ ହୋଇଛି ତ! ଏହା ଯେପରିକି ବାନପ୍ରସ୍ଥ ଅବସ୍ଥା ଅଟେ - ବାବାଙ୍କୁ ହିଁ ମନେ ପକାଇବା
ଉଚିତ୍ । ବାବା ସବୁ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଯେବେ ତୁମେ ଉତ୍ତମ ଯୋଗୀ ହୋଇଯିବ, ତେବେ ଆଖି
କେଉଁଠାରେ ନିମଗ୍ନ ହେବ ନାହିଁ ଏବଂ ତୁମର ଇନ୍ଦ୍ରିୟ ଶାନ୍ତ ହୋଇଯିବ । ଏହା ହେଉଛି ମୁଖ୍ୟ, ଯିଏକି
ସମସ୍ତଙ୍କୁ ଧୋକା ଦେଉଛି । ଯୋଗରେ ଉତ୍ତମ ଅବସ୍ଥା ସ୍ଥାୟୀ ହୋଇଗଲେ ଅନୁଭବ ହେବ ଯେ - ଆମେ ଯେପରି
ଯୁବାବସ୍ଥାରେ ହିଁ ବାନପ୍ରସ୍ଥ ଅବସ୍ଥାକୁ ପ୍ରାପ୍ତ କରିଛୁ । ବାବା କହୁଛନ୍ତି - କାମ ମହାଶତ୍ରୁ
ଅଟେ । ତେଣୁ ନିଜର ଯାଞ୍ଚ କରିଚାଲ । ଯେତେ ବାବାଙ୍କ ସ୍ମୃତିରେ ରହିବ, ସେତେ କର୍ମେନ୍ଦ୍ରିୟ
ଶାନ୍ତ ହୋଇ ସ୍ୱଭାବ ବହୁତ ମିଠା ହୋଇଯିବ । ଅନୁଭବ ହେବ ମୁଁ ଆଗରୁ କେତେ କଠୋର ଥିଲି, ଏବେ କେତେ
ସୁମଧୁର ହୋଇଯାଇଛି । ବାବା ପ୍ରେମର ସାଗର ହୋଇଥିବାରୁ ପିଲାମାନଙ୍କୁ ମଧ୍ୟ ସେପରି ହେବାକୁ ପଡିବ
। ତେଣୁ ବାବା କହୁଛନ୍ତି ସମସ୍ତଙ୍କ ପ୍ରତି ସ୍ନେହର ଦୃଷ୍ଟି ରହୁ । ଯଦି କାହାକୁ ଦୁଃଖ ଦେବ, ତେବେ
ଦୁଃଖୀ ହୋଇ ମରିବ, ସେଥିପାଇଁ ବହୁତ ମିଠା ହେବାକୁ ପଡିବ ।
ବାବା କହୁଛନ୍ତି ମୁଁ ରୂପ-ବସନ୍ତ ଅଟେ ନା । ବାବାଙ୍କଠାରୁ କେତେ ଅମୂଲ୍ୟ ଜ୍ଞାନ ରତ୍ନ ମିଳୁଛି,
ଯେଉଁଥିରେ ତୁମେ ବୁଦ୍ଧି ରୂପକ ଝୁଲାମୁଣି ଭରୁଛ । ଦୁନିଆର ଲୋକମାନେ ଶଙ୍କରଙ୍କ ଆଗକୁ ଯାଇ
କହିଥା’ନ୍ତି ଝୁଲାମୁଣି ଭରିଦିଅ । ସେମାନେ ଜାଣିନାହାଁନ୍ତି ଯେ ଶଙ୍କର ଝୁଲାମୁଣି ଭରନ୍ତି ନାହିଁ
। ଏବେ ତୁମେ ଜାଣୁଛ ଜ୍ଞାନ ସାଗର ବାବା ଜ୍ଞାନ ରତ୍ନ ଦ୍ୱାରା ଆମର ଝୁଲାମୁଣି ଭରୁଛନ୍ତି । ତୁମେ
ମଧ୍ୟ ରୂପ-ବସନ୍ତ ଅଟ । ପ୍ରତ୍ୟେକଙ୍କର ଆତ୍ମା ରୂପ-ବସନ୍ତ ଅଟେ । ନିଜକୁ ଦେଖ ମୁଁ କେତେ ଜ୍ଞାନ
ରତ୍ନ ଧାରଣ କରି ଜ୍ଞାନ ନୃତ୍ୟ କରୁଛି ଅଥବା ଜ୍ଞାନ ରତ୍ନର ଦାନ କରୁଛି । ସବୁଠାରୁ ଶ୍ରେଷ୍ଠ
ରତ୍ନ ହେଉଛି ମନମନାଭବ । ବାବାଙ୍କୁ ମନେ ପକାଇବା ଦ୍ୱାରା ବାବାଙ୍କର ସମ୍ପତ୍ତି ପ୍ରାପ୍ତ କରୁଛ ।
ଯେପରି ବାବାଙ୍କଠାରେ ଜ୍ଞାନ ଭରି ହୋଇ ରହିଛି, ସେହିପରି ବାବା ବସି ପିଲାମାନଙ୍କୁ ନିଜ ସମାନ
କରୁଛନ୍ତି । ଗୁରୁମାନେ ମଧ୍ୟ ନିଜ ସମାନ କରିଥା’ନ୍ତି । ଇଏ ହେଉଛନ୍ତି ଅବିନାଶୀ ବାବା,
ଯାହାଙ୍କର ରୂପ ବିନ୍ଦୁ ଅଟେ । ତୁମର ରୂପ ମଧ୍ୟ ବିନ୍ଦୁ ଅଟେ । ତୁମକୁ ନିଜ ସମାନ ଜ୍ଞାନର ସାଗର
କରୁଛନ୍ତି । ଯିଏ ଯେତେ ଧାରଣା କରିବେ, କରାଇବେ... ସିଏ ବୁଝିଯିବ ଯେ ମୋ’ର ପଦ ଉଚ୍ଚ ହେବ ।
ବହୁତଙ୍କର କଲ୍ୟାଣକାରୀ ହେଲେ ବହୁତଙ୍କର ଆଶୀର୍ବାଦ ମିଳିବ । ବାବା ମଧ୍ୟ ପ୍ରତ୍ୟହ ସେବା
କରୁଛନ୍ତି ନା । ଏହି କନ୍ୟା ଗୁଲଜାର, କେତେ ମଧୁର ଭାଷାରେ ବୁଝାଉଛି । ସମସ୍ତଙ୍କୁ ପସନ୍ଦ ଆସୁଛି
। ଇଚ୍ଛା ହେଉଛି ଏହିପରି ବ୍ରାହ୍ମଣୀ ଆମକୁ ମଧ୍ୟ ମିଳୁ । ତେବେ ଜଣେ ବ୍ରାହ୍ମଣୀ ସବୁ ଜାଗାକୁ ତ
ଯାଇପାରିବ ନାହିଁ । ତଥାପି ବାବା କହୁଛନ୍ତି ଯିଏ ଭାବୁଛନ୍ତି ମୁଁ ଭଲ ବୁଝାଉଛି ସେ ଅଲରାଉଣ୍ଡ
ଅର୍ଥାତ୍ ସବୁ ସ୍ଥାନରେ ଯାଇ ସେବା କରିବା ଆବଶ୍ୟକ । ସ୍ୱତଃ ଆଗ୍ରହ ରହିବା ଉଚିତ୍ । ମୁଁ
ସେଣ୍ଟର୍ସ ଗୁଡିକୁ ବୁଲି ବୁଲି ସେବା କରିବି... । ଯେଉଁମାନେ ଭାବୁଛନ୍ତି ମୁଁ ବହୁତଙ୍କର କଲ୍ୟାଣ
କରିପାରିବି, ମୋ ସେବାର ଭଲ ପ୍ରଭାବ ପଡୁଛି, ତେବେ ସେବାର ସୌଖିନ ହେବା ଆବଶ୍ୟକ । ୧୦-୧୫ ଦିନ
ଯାଇ ସେଣ୍ଟର୍ସ ସବୁ ବୁଲି ଆସେ । ଜଣଙ୍କୁ ଦେଖି ପୁଣି ଅନ୍ୟମାନେ ମଧ୍ୟ ଶିଖିବେ, ଯିଏ କରିବ ସିଏ
ପାଇବ । ଏହି ସେବା ବହୁତ କଲ୍ୟାଣକାରୀ ଅଟେ । ତୁମେ ମନୁଷ୍ୟମାନଙ୍କୁ ଜୀବଦାନ ଦେଉଛ । ଏହା ବହୁତ
ଉତ୍ତମରୁ ଉତ୍ତମ କାର୍ଯ୍ୟ । ବ୍ୟବସାୟୀମାନେ ମଧ୍ୟ କୌଣସି ନା କୌଣସି ଯୁକ୍ତିରେ ସମୟ ବାହାର କରି
ସେବାରେ ଯାଇପାରିବେ । ସେବାଧାରୀ ମାନଙ୍କୁ ବାବା ସ୍ନେହ କରିବା ସହିତ ପାଳନା ମଧ୍ୟ କରିବେ ।
ଯେଉଁମାନଙ୍କର ସେବାରେ ଆଗ୍ରହ ଥିବ, ସେମାନେ ସେବା ବିନା ରହିପାରିବେ ନାହିଁ । ବାବା ସାହାଯ୍ୟ
ମଧ୍ୟ କରିଥା’ନ୍ତି ନା । ତୁମମାନଙ୍କୁ ବହୁତ ଦୟାଶୀଳ ହେବାକୁ ପଡିବ । ବିଚରାମାନଙ୍କର ଜୀବନ ବହୁତ
ଦୁଃଖୀ ଅଟେ । ତୁମେ ଜୀବଦାନ ଦେଉଛ, କାହାକୁ ଅବିନାଶୀ ଜ୍ଞାନର ଦାନ କରିବା, ଏପରି ସର୍ବୋତ୍ତମ
ଜ୍ଞାନ ଦାନ ଆଉ କିଛି ନାହିଁ । ବହୁତ ଦୟାଶୀଳ ହେବାକୁ ପଡିବ । ନିମିତ୍ତ ଟିଚରଙ୍କର ସ୍ଥିତି
ଦୁର୍ବଳ ଥିବା ଯୋଗୁଁ ସେବାରେ ଢିଲା ହୋଇଯାଆନ୍ତି, ସେଥିପାଇଁ ଭଲ ଟିଚର ମାଗିଥା’ନ୍ତି । ଯେବେ
ବିଚାର ଆସୁଛି, ତେବେ ଚାଲିଯିବା ଦରକାର । ବାବା କେଉଁ ସେଣ୍ଟର ସେବାରେ ଶୀତଳ ହୋଇଯାଇଛି ଯାଇ
ଚକ୍କର ଲଗାଇ ଆସିବି । ପ୍ରଦର୍ଶନୀର ଚିତ୍ର ମଧ୍ୟ ରହିଛି । ଚିତ୍ର ମାଧ୍ୟମରେ ଅଧିକ ଭଲ ଭାବରେ
ବୁଝିପାରିବେ । ତୁମମାନଙ୍କ ବୁଦ୍ଧିରେ ବିଚାର ଚାଲିବା ଦରକାର ଆମେ ସେବାକୁ କିପରି ବଢାଇବୁ । ବାବା
ମଧ୍ୟ ସମସ୍ତଙ୍କର ଜୀବନ ହୀରାତୁଲ୍ୟ କରୁଛନ୍ତି । ତୁମ ସନ୍ତାନମାନଙ୍କ ମଧ୍ୟ ସେବା କରିବାକୁ ପଡିବ
। ବନ୍ଦେ ମାତରମ୍ ଗାୟନ କରାଯାଏ । କିନ୍ତୁ ଅର୍ଥ ବୁଝିପାରୁ ନାହାଁନ୍ତି । ପତିତ ମନୁଷ୍ୟଙ୍କର
ଅଥବା ପୃଥିବୀ ଆଦିର କେବେ ବନ୍ଦନା କରାଯାଏ ନାହିଁ । ଇଏ ତ ହେଉଛି ୫ ତତ୍ତ୍ୱ, ଏହାର ବନ୍ଦନା କ’ଣ
କରିବ । ୫ ତତ୍ତ୍ୱରେ ଶରୀର ଗଢା ହୋଇଥିବାରୁ ଶରୀରର ପୂଜା କରିବା ଭୂତ ପୂଜା ହୋଇଗଲା ।
ଶିବବାବାଙ୍କର ତ ଶରୀର ନାହିଁ । ତାଙ୍କର ପୂଜା ହେଉଛି ସବୁଠାରୁ ଉତ୍ତମ । ଅନ୍ୟ ସବୁ ହେଉଛି
ମଧ୍ୟମ । ଆଜିକାଲି ମନୁଷ୍ୟମାନଙ୍କୁ ମଧ୍ୟ ପୂଜା କରୁଛନ୍ତି, ସେମାନେ ହେଲେ ପତିତ । ଦେବତାମାନେ
ହିଁ ତ ମହାନ୍ ଆତ୍ମା ଅଟନ୍ତି । ସନ୍ନ୍ୟାସୀମାନଙ୍କଠାରୁ ସେମାନେ ଅଧିକ ପବିତ୍ର ଅଟନ୍ତି ।
ଏବେ ତୁମେ ପିଲାମାନେ ଜାଣିଛ ଆମେ ଦେବତା ହେବାକୁ ଯାଉଛୁ । ବାବା ଆମକୁ ଏହି ଅବିନାଶୀ ଜ୍ଞାନ
ରତ୍ନ ଦାନ କରିବା ଶିଖାଉଛନ୍ତି । ଏହିପରି ଉଚ୍ଚ ଦାନ ଆଉ କିଛି ନାହିଁ । କେବଳ ଏକ ବାବାଙ୍କୁ ହିଁ
ମନେ ପକାଇବାକୁ ହେବ । ଶିବ ଓ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ମଧ୍ୟ ରହିଛି । ପ୍ରତ୍ୟେକେ ନିଜ ଘରେ
ଏହାକୁ ଲଗାଇଲେ ମନେ ରହିବ । ଶିବବାବା ଆମକୁ ଏହିପରି ଲକ୍ଷ୍ମୀ-ନାରାୟଣ କରାଉଛନ୍ତି । ଏହି ସମୟରେ
ତୁମେ ତାଙ୍କ ପରି ହେଉଛ । ସ୍ୱର୍ଗର ରଚୟିତା ହେଉଛନ୍ତି ହିଁ ଶିବବାବା । ସତ୍ୟଯୁଗରେ ତ ସମ୍ପତ୍ତି
ଦେବେ ନାହିଁ । ଏହି ଅନ୍ତିମ ଜନ୍ମରେ ଶିବବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ଏହିପରି ହେବ
। ଆଉ ସବୁ କଥା ଛାଡି କେବଳ ସେବା ଆଉ ସେବା । ବାବାଙ୍କୁ ମନେ ପକାଉଛ - ଏହା ମଧ୍ୟ ଏକ ବଡ ସେବା
କରୁଛ । ତତ୍ତ୍ୱ ଆଦି ସବୁ ପବିତ୍ର ହୋଇଯାଉଛି । ଯୋଗର ମହିମା ବହୁତ ଉଚ୍ଚ । ଦୁନିଆରେ ଯୋଗ ଆଶ୍ରମ
ବହୁତ ଅଛି କିନ୍ତୁ ତାହା ସବୁ ହେଉଛି ଶାରୀରିକ ହଠଯୋଗ, ତୁମର ଏହା ହେଉଛି ରାଜଯୋଗ, ଯାହାଦ୍ୱାରା
ତୁମର ନଉକା ପାର ହୋଇ ଯାଉଛି । ସେହି ଅନେକ ପ୍ରକାରର ହଠଯୋଗ ଦ୍ୱାରା ତୁମେ ସିଡି ତଳକୁ ଓହ୍ଲାଇ
ଆସିଛ । ମୂଳକଥା ହେଉଛି ବାବାଙ୍କୁ ମନେ ପକାଇବା । ଦେଖିବାକୁ ପଡିବ ଆମ ମନ ବିକାର ଆଡକୁ ଯାଉ ନାହିଁ
ତ? ବିକାରୀକୁ ହିଁ ପତିତ କୁହାଯାଏ ଅର୍ଥାତ୍ କଉଡି ସଦୃଶ । ବିକାରରେ ପଡିଯିବା ଦ୍ୱାରା ନିଜର ହିଁ
କ୍ଷତି କରିବେ । ଯିଏ କରିବ ସିଏ ପାଇବ । ବାବା ଦେଖନ୍ତୁ ବା ନ ଦେଖନ୍ତୁ । ନିଜର ଯାଞ୍ଚ କରିବାକୁ
ହେବ - ମୁଁ ବାବାଙ୍କର ସେବା କରୁଛି! ମୋ ପାଖରେ କୌଣସି ଅବଗୁଣ ନାହିଁ ତ! ଯଦି ଅଛି ତେବେ ବାହାର
କରିଦେବା ଉଚିତ୍ । ନିଜ ଭିତରୁ ଅବଗୁଣ ବାହାର କରିବା ପାଇଁ ବାବା ବହୁତ ବୁଝାଇ ଚାଲିଛନ୍ତି ।
ନିର୍ଗୁଣର ଅର୍ଥ ମଧ୍ୟ କେହି ବୁଝିନାହାଁନ୍ତି । ନିର୍ଗୁଣ ବାଳକର ମଣ୍ଡଳୀ କ’ଣ କରିପାରିବ, ଯାହା
ପାଖରେ କୌଣସି ଗୁଣ ନାହିଁ । ଅର୍ଥ ନ ବୁଝି, ଯାହା ମନକୁ ଆସିଲା ତାହା କହିଦେଉଛନ୍ତି । ଅନେକ ମତ
ଅଛି ନା । କିନ୍ତୁ ତୁମମାନଙ୍କୁ ବାବାଙ୍କଠାରୁ ଗୋଟିଏ ହିଁ ମତ ମିଳୁଛି, ଯେଉଁଥିପାଇଁ ତୁମର
ଅସରନ୍ତି ଖୁସି ରହିବା ଉଚିତ୍ । ବାବା କେବଳ କହୁଛନ୍ତି ମୋତେ ସ୍ମରଣ କର ଓ କମଳ ପୁଷ୍ପ ସମାନ ହୁଅ
। ମନ-ବଚନ-କର୍ମରେ ପବିତ୍ର ହୁଅ । ତୁମେ ପିଲାମାନେ ଜାଣିଛ ଆମେ ବ୍ରାହ୍ମଣମାନେ ଶ୍ରୀମତ ଆଧାରରେ
ନିଜର ହିଁ ତନ-ମନ-ଧନ ଦ୍ୱାରା ନିଜର ଏବଂ ସାରା ବିଶ୍ୱର ସେବା କରୁଛୁ । ବାବା ଭାରତକୁ ତ ଆସିବେ
ନା । ତୁମେ ପାଣ୍ଡବମାନେ ଭାରତକୁ ସ୍ୱର୍ଗ କରିବାର ସେବା କରୁଛ । ତୁମେ ନିଜର କାମ କରୁଛ ।
ପରିଶେଷରେ ବିଜୟ ତ ପାଣ୍ଡବମାନଙ୍କର ହିଁ ହେବ, ଏଥିରେ ଲଢେଇର କୌଣସି କଥା ନାହିଁ । ତୁମେ ହେଉଛ
ଡବଲ ନନ୍ଭାଓଲେନ୍ସ ଅର୍ଥାତ୍ ଦୁଇ ପ୍ରକାରର ଅହିଂସକ, ନାଁ ବିକାରରେ ଯାଉଛ, ନାଁ ଗୁଳି ଚଳାଉଛ ।
ହିଂସା ଦ୍ୱାରା କେହି ବି ବିଶ୍ୱ ଉପରେ ବାଦଶାହୀ ପାଇପାରିବେ ନାହିଁ । ବାବା ବୁଝାଉଛନ୍ତି - ଏହି
ଦୁଇଜଣ ଆମେରିକା ଓ ରୁଷ (ଖ୍ରୀଷ୍ଟିୟାନ ଲୋକେ) ପରସ୍ପର ସହିତ ମିଶିଗଲେ ବିଶ୍ୱ ଉପରେ ରାଜତ୍ୱ
କରିପାରିବେ । କିନ୍ତୁ ଡ୍ରାମାରେ ଏପରି କିଛି ନାହିଁ । ଖ୍ରୀଷ୍ଟିୟାନ୍ମାନେ ହିଁ କୃଷ୍ଣପୁରୀ
ଉପରେ ରାଜୁତି କରୁଛନ୍ତି । ଅସଲରେ ଭାରତ କୃଷ୍ଣଙ୍କର ହିଁ ପୁରୀ ଥିଲା ନା । ଲଢେଇ କରି ବାଦଶାହୀ
ନେଲେ, ବହୁତ ଧନ ନେଇଗଲେ । ଏବେ ପୁନର୍ବାର ଧନ ଫେରସ୍ତ ହୋଇଚାଲିଛି ଓ ତୁମେ ବିଶ୍ୱ ଉପରେ ମାଲିକ
ହୋଇଯାଉଛ । ବାବା କେତେ ଉପାୟ ବତାଉଛନ୍ତି । ସେମାନେ ହିଁ ତୁମର ରାଜ୍ୟ ଛଡାଇ ନେଇଛନ୍ତି ପୁଣି
ସେମାନେ ପରସ୍ପର ମଧ୍ୟରେ ଲଢୁଛନ୍ତି ଓ ବିଶ୍ୱର ମାଲିକ ତୁମେ ହୋଇଯାଉଛ । କେତେ ବଡ ବାଦଶାହୀ ।
ପରିଶ୍ରମ କେବଳ ଏହିଥିରେ ରହିଛି - ବାବାଙ୍କୁ ମନେ ପକାଇଚାଲ ଏବଂ ନିଜର ସମ୍ପତ୍ତି ନିଅ । ଏଥିରେ
ବ୍ୟସ୍ତ ହେବା ଅନୁଚିତ୍ । ଆଚ୍ଛା-
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅନ୍ୟ ସବୁ
କଥାକୁ ଛାଡି ଜ୍ଞାନ ଦାନ କରିବାକୁ ହେବ । ରୂପ-ବସନ୍ତ ହେବାକୁ ପଡିବ । ନିଜର ଅବଗୁଣ ଗୁଡିକୁ
ବାହାର କରିବାର ପୁରୁଷାର୍ଥ କରିବାକୁ ହେବ । ଅନ୍ୟମାନଙ୍କୁ ଦେଖିବାର ନାହିଁ ।
(୨) ନିଜର ସ୍ୱଭାବକୁ
ବହୁତ ମିଠା କରିବାକୁ ହେବ । ସମସ୍ତଙ୍କ ପ୍ରତି ସ୍ନେହର ଦୃଷ୍ଟି ରଖିବାକୁ ହେବ । କାହାକୁ ବି
ଦୁଃଖ ଦେବାର ନାହିଁ । କର୍ମେନ୍ଦ୍ରିୟଜିତ୍ ହେବାକୁ ପଡିବ ।
ବରଦାନ:-
ସମ୍ପୂର୍ଣ୍ଣ
ସମର୍ପଣର ବିଧି ଦ୍ୱାରା ସର୍ବଗୁଣ ସମ୍ପନ୍ନ ହେବାର ପୁରୁଷାର୍ଥରେ ସଦା ବିଜୟୀ ଭବ ।
ସମ୍ପୂର୍ଣ୍ଣ ସମର୍ପଣ
ତା’କୁ କୁହାଯାଏ ଯାହାର ସଂକଳ୍ପରେ ମଧ୍ୟ ଦେହ-ଅଭିମାନ ନ ଥିବ । ନିଜର ଦେହର ସ୍ମୃତିକୁ ମଧ୍ୟ
ଅର୍ପଣ କରିଦେବା, ମୁଁ ଅମୁକ ଅଟେ - ଏହି ସଂକଳ୍ପକୁ ମଧ୍ୟ ଅର୍ପଣ କରି ସମ୍ପୂର୍ଣ୍ଣ ସମର୍ପଣ
ହେଉଥିବା ଆତ୍ମାମାନେ ସର୍ବଗୁଣରେ ସମ୍ପନ୍ନ ହୋଇଥାଆନ୍ତି । ସେମାନଙ୍କ ଭିତରେ କୌଣସି ବି ଗୁଣର କମି
ରହି ନ ଥାଏ । ଯେଉଁମାନେ ନିଜର ସବୁ କିଛି ସମର୍ପଣ କରି ସର୍ବଗୁଣ ସମ୍ପନ୍ନ ବା ସମ୍ପୂର୍ଣ୍ଣ
ହେବାର ଲକ୍ଷ୍ୟ ରଖିଥାଆନ୍ତି ଏହିଭଳି ପୁରୁଷାର୍ଥୀମାନଙ୍କୁ ବାପଦାଦା ସଦା ବିଜୟୀ ଭବର ବରଦାନ
ଦେଇଥାଆନ୍ତି ।
ସ୍ଲୋଗାନ:-
ମନକୁ ବଶୀଭୂତ
କରୁଥିବା ଆତ୍ମା ହିଁ ମନାମନାଭବ ସ୍ଥିତିରେ ରହିପାରିବ ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ପବିତ୍ରତା ଏବଂ
ଅପବିତ୍ରତାର କାରଣ ହେଲା ସ୍ମୃତି । ଯେତେବେଳେ ସ୍ମୃତି ରହିଥାଏ ଯେ ଇଏ ଜଣେ ଦେବୀ ଅଟନ୍ତି, ତେବେ
ଏହି ସ୍ମୃତି, ଦୃଷ୍ଟି ଏବଂ ବୃତ୍ତିକୁ ପବିତ୍ର କରିଥାଏ, କିନ୍ତୁ ଯେତେବେଳେ ସ୍ମୃତି ରହିଥାଏ ଯେ
ଇଏ ଜଣେ ନାରୀ ଅଟେ, ସେତେବେଳେ ସେହି ସ୍ମୃତି, ଦୃଷ୍ଟି ଏବଂ ବୃତ୍ତିକୁ ଅପବିତ୍ରତା ଆଡକୁ
ଆକର୍ଷିତ କରିଥାଏ । ଏଠାରେ ରୂପ ଦେଖାଯାଇଥାଏ, ସେଠାରେ ଆତ୍ମିକ ସ୍ଥିତି ଦେଖାଯାଇଥାଏ ।