07.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- କେବେ ବି ଆଇନ୍‌କୁ ନିଜ ହାତକୁ ନିଅ ନାହିଁ, ଯଦି କାହାର ଭୁଲ ହେଉଛି ତେବେ ବାବାଙ୍କୁ ଜଣାଇଦିଅ, ବାବା ତାଙ୍କୁ ସାବଧାନୀ ଦେବେ ” ।

ପ୍ରଶ୍ନ:-
ବାବା କେଉଁ କଣ୍ଟ୍ରାକ୍ଟ ଅର୍ଥାତ୍ ଠିକା ନେଇଛନ୍ତି?

ଉତ୍ତର:-
ପିଲାମାନଙ୍କର ଅବଗୁଣକୁ ସମାପ୍ତ କରିବାର ଠିକା ଏକମାତ୍ର ବାବା ହିଁ ନେଇଛନ୍ତି । ବାବା ପିଲାମାନଙ୍କର ଅବଗୁଣଗୁଡିକୁ ଶୁଣି ସେଗୁଡିକୁ ସମାପ୍ତ କରିବା ପାଇଁ ସ୍ନେହର ସହିତ ବୁଝାଉଛନ୍ତି । ଯଦି ତୁମମାନଙ୍କୁ କାହାର ଅବଗୁଣ ଦେଖାଯାଉଛି ତେବେ ବି ତୁମେ ଆଇନକୁ ନିଜ ହାତକୁ ନିଅ ନାହିଁ । ଆଇନକୁ ହାତକୁ ନେବା ଅର୍ଥାତ୍ କାହାକୁ ଦଣ୍ଡ ଦେବା, ଏହା ମଧ୍ୟ ଭୁଲ୍ ଅଟେ ।

ଓମ୍ ଶାନ୍ତି ।
ମିଠା ମିଠା ସନ୍ତାନମାନେ ବାବାଙ୍କ ପାଖକୁ ରିଫ୍ରେସ୍ ହେବା ପାଇଁ ଆସିଛନ୍ତି । ପିଲାମାନେ ଜାଣିଛନ୍ତି - ବେହଦର ବାବାଙ୍କଠାରୁ ବେହଦ ବିଶ୍ୱର ବାଦଶାହୀ ନେବାର ଅଛି । ଏକଥା କେବେ ଭୁଲିବା ଉଚିତ୍ ନୁହେଁ କିନ୍ତୁ ପିଲାମାନେ ଭୂଲି ଯାଉଛନ୍ତି, ମାୟା ଭୁଲାଇ ଦେଉଛି । ଯଦି ଭୁଲାଉ ନ ଥାଆନ୍ତା ତେବେ ବହୁତ ଖୁସିରେ ରହୁଥାଆନ୍ତେ । ବାବା ବୁଝାଉଛନ୍ତି - ପିଲାମାନେ, ଏହି ବ୍ୟାଜ୍‌କୁ ବାରମ୍ବାର ଦେଖୁଥାଅ ଏବଂ ଚିତ୍ରଗୁଡିକୁ ମଧ୍ୟ ଦେଖୁଥାଅ । ଚାଲିବା ବୁଲିବା ବେଳେ ମଧ୍ୟ ବ୍ୟାଜକୁ ଦେଖୁଥାଅ ତେବେ ଜଣାପଡିବ ଯେ, ବାବାଙ୍କ ଦ୍ୱାରା ବାବାଙ୍କ ସ୍ମୃତିରେ ଆମେ ଏହିଭଳି (ଲକ୍ଷ୍ମୀ-ନାରାୟଣ) ହେବାକୁ ଯାଉଛୁ । ତା’ ସହିତ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଏହା ହିଁ ହେଉଛି ଜ୍ଞାନ ମିଳିବାର ସମୟ । ବାବା କହୁଛନ୍ତି, ମିଠା ମିଠା ସନ୍ତାନମାନେ, ବାବା ରାତିଦିନ ମିଠା ମିଠା କହି ଚାଲିଛନ୍ତି । ପିଲାମାନେ କହିପାରିବେ ନାହିଁ ମିଠା ମିଠା ବାବା! କହିବା ତ ଉଭୟଙ୍କୁ ଦରକାର, କାରଣ ଉଭୟ ମିଠା ଅଟନ୍ତି ନା । ସେ ହେଲେ ବେହଦର ବାପଦାଦା । କିନ୍ତୁ କେହି କେହି ଏଭଳି ଦେହ-ଅଭିମାନୀ ଥାଆନ୍ତି ସେମାନେ କେବଳ ଶିବବାବାଙ୍କୁ ହିଁ ମିଠା ମିଠା କହିଥା’ନ୍ତି । କେହି କେହି ତ କ୍ରୋଧରେ ଆସି କେବେ କେବେ ବାପଦାଦାଙ୍କୁ ମଧ୍ୟ କିଛି ନା କିଛି କହି ଦେଉଛନ୍ତି । ଯଦି ବାବାଙ୍କୁ କହିଲ ତେବେ ଦାଦାଙ୍କୁ ମଧ୍ୟ କହିଲ, କଥା ତ ଗୋଟିଏ । କେବେ ବ୍ରାହ୍ମଣୀଙ୍କ ଉପରେ, କେବେ ନିଜ ନିଜ ଭିତରେ ମଧ୍ୟ ନାରାଜ ହୋଇଯାଉଛନ୍ତି । ତେଣୁ ବେହଦର ବାବା ଆସି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ଗାଁ ଗହଳିରେ ମଧ୍ୟ ବହୁତ ପିଲା ଅଛନ୍ତି । ବାବା ସମସ୍ତଙ୍କୁ ଚିଠି ଲେଖିଥାଆନ୍ତି । ତୁମ ପାଇଁ ଅଭିଯୋଗ ଆସିଛି, ତୁମେ କ୍ରୋଧ କରୁଛ । ତେବେ ବାବା ସେମାନଙ୍କୁ ଦେହ-ଅଭିମାନୀ ବୋଲି କହିବେ । ବାବା ସମସ୍ତଙ୍କୁ କହୁଛନ୍ତି ପିଲାମାନେ, ଦେହୀ-ଅଭିମାନୀ ହୁଅ । କିନ୍ତୁ ସମସ୍ତଙ୍କର ଅବସ୍ଥା ତଳ ଉପର ହେଉଛି । ସେଥିରେ ମଧ୍ୟ ମାୟା ଯଦି କାହାକୁ ସମର୍ଥ ବା ଶକ୍ତିଶାଳୀ ଦେଖିଥାଏ ତା ସହିତ ହିଁ ଲଢେଇ କରିଥାଏ । ମହାବୀର ହନୁମାନଙ୍କ ପାଇଁ ମଧ୍ୟ ଦେଖାଇଛନ୍ତି ଯେ, ମାୟା ତାଙ୍କୁ ମଧ୍ୟ ହଲାଇବା ପାଇଁ ଚେଷ୍ଟା କରିଥିଲା । ବାସ୍ତବରେ ଏହି ସମୟରେ ହିଁ ମାୟା ସମସ୍ତଙ୍କର ପରୀକ୍ଷା ନେଇଥାଏ । ମାୟାଠାରୁ ହାର-ଜିତ ସମସ୍ତଙ୍କର ହେଉଛି । ଏହି ଲଢେଇରେ ସ୍ମୃତି-ବିସ୍ମୃତି ସବୁ ହୋଇଥାଏ । ଯିଏ ଯେତେ ସ୍ମୃତିରେ ରହିଥା’ନ୍ତି, ନିରନ୍ତର ଯୋଗଯୁକ୍ତ ହୋଇ ରହିବାର ଚେଷ୍ଟା କରିଥା’ନ୍ତି ସେହିମାନେ ଭଲ ପଦ ପାଇପାରିବେ । ବାବା ଆସିଛନ୍ତି ପିଲାମାନଙ୍କୁ ପାଠ ପଢାଇବା ପାଇଁ ଏବଂ ଏବେ ପଢାଉଛନ୍ତି ମଧ୍ୟ । ତେଣୁ ଶ୍ରୀମତ ଅନୁସାରେ ଚାଲିବାକୁ ହେବ କାରଣ ଶ୍ରୀମତ ଅନୁସାରେ ଚାଲିଲେ ହିଁ ଶ୍ରେଷ୍ଠ ହେବ । ଏଥିରେ କାହା ଉପରେ ବିଗିଡିବାର କୌଣସି କଥା ନାହିଁ । ବିଗିଡିବା ଅର୍ଥାତ୍ କ୍ରୋଧ କରିବା । ଯଦି କେହି କିଛି ଭୁଲ କରୁଛନ୍ତି ତେବେ ବାବାଙ୍କୁ ଜଣାଇ ଦେବା ଦରକାର । ନିଜେ କାହାକୁ କିଛି କହିବା ଉଚିତ୍ ନୁହେଁ । ତାହା ଯେମିତି ଆଇନକୁ ହାତକୁ ନେବା ଅଟେ । ସରକାର ମଧ୍ୟ କାହାକୁ ଆଇନକୁ ହାତକୁ ନେବାକୁ ଦିଏ ନାହିଁ । କେହି ଯଦି କାହାକୁ ମୁଥ ମାରିଲେ ତେବେ ତାଙ୍କୁ ସିଏ ମୁଥମାରି ପାରିବ ନାହିଁ । ସିଏ ଥାନାରେ ରିପୋର୍ଟ କରିବ ପୁଣି ତାଙ୍କ ଉପରେ ମକଦ୍ଦମା ଚାଲିବ । ଏଠାରେ ମଧ୍ୟ କେବେ କାହାକୁ ସମ୍ମୁଖରେ କିଛି ବି କହିବା ଉଚିତ୍ ନୁହେଁ । ସେକଥା ବାବାଙ୍କୁ କୁହ । ଏକମାତ୍ର ବାବା ହିଁ ସମସ୍ତଙ୍କୁ ସାବଧାନୀ ଦେଇଥା’ନ୍ତି । ବାବା ତାଙ୍କୁ ବହୁତ ମିଠା ଉପାୟ ବତାଇବେ । ମିଠା ଭାବରେ ଶିକ୍ଷା ଦେବେ । କିନ୍ତୁ କେହି କେହି ଦେହ-ଅଭିମାନରେ ଆସି ନିଜର ହିଁ ପଦ କମ୍ କରିଦେଇଥା’ନ୍ତି । ତେବେ ନିଜର କ୍ଷତି କରିବା କ’ଣ ଦରକାର । ସେଥିପାଇଁ ଯେତେ ଦୂର ସମ୍ଭବ ବେହଦ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇଚାଲ । କାରଣ ବାବା ବିଶ୍ୱର ବାଦଶାହୀ ଦେଉଛନ୍ତି, ସେଥିପାଇଁ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । କାହାର ନିନ୍ଦା କରିବା ଉଚିତ୍ ନୁହେଁ । ଦେବତାମାନେ କାହାର ନିନ୍ଦା କରିଥା’ନ୍ତି କି? କିନ୍ତୁ ଏମିତି କେତେକ ପିଲା ଅଛନ୍ତି ଯେଉଁମାନେ ନିନ୍ଦା କରିବା ବିନା ରହିପାରନ୍ତି ନାହିଁ । ସବୁ କଥା ତୁମେମାନେ ବାବାଙ୍କୁ କୁହ, ତେବେ ବାବା ବହୁତ ସ୍ନେହରେ ବୁଝାଇବେ! ନଚେତ୍ ସମୟ ନଷ୍ଟ ହୋଇଥାଏ । ତୁମେମାନେ କାହାର ନିନ୍ଦା କରିବା ପରିବର୍ତ୍ତେ ବାବାଙ୍କୁ ମନେ ପକାଅ ତେବେ ବହୁତ ବହୁତ ଉପକାର ହେବ । କାହା ସହିତ ମଧ୍ୟ ବାଦ-ବିବାଦ ନ କରିବା ବହୁତ ଭଲ ।

ତୁମେ ପିଲାମାନେ ଏବେ ନିଜ ହୃଦୟରେ ଅନୁଭବ କରୁଛ - ଆମେ ନୂଆ ଦୁନିଆର ରାଜତ୍ୱ ସ୍ଥାପନ କରୁଛୁ । ତେଣୁ ମନ ଭିତରେ କେତେ ନିଶା ରହିବା ଦରକାର । ମୁଖ୍ୟ କଥା ହେଲା ଯୋଗ ଏବଂ ଦୈବୀଗୁଣ । ପିଲାମାନେ ତ ସୃଷ୍ଟିଚକ୍ରକୁ ମନେ ପକାଉଛନ୍ତି, ତାହା ତ ସହଜରେ ମନେ ପଡିବ । ଏହା ୮୪ ଜନ୍ମର ଚକ୍ର ଅଟେ ନା । ତୁମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସମୟ ସୀମାର ଜ୍ଞାନ ଜଣାଅଛି, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବହୁତ ସ୍ନେହର ସହିତ ପରିଚୟ ଦେବା ଦରକାର । ବେହଦର ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ରାଜଯୋଗର ଶିକ୍ଷା ଦେଉଛନ୍ତି । ବିନାଶ ମଧ୍ୟ ସମ୍ମୁଖରେ ଉପସ୍ଥିତ । ଏହା ସଂଗମଯୁଗ ଅଟେ, ଯେତେବେଳେ କି ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେଉଛି । ସେଥିପାଇଁ ବାବା ପିଲାମାନଙ୍କୁ ସାବଧାନ କରିଚାଲିଛନ୍ତି - ସିମର ସିମର ସୁଖ ପାଓ କଲହ କ୍ଲେଶ ମିଟେ ସବ୍ ତନ୍ କେ... ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ସବୁ କଷ୍ଟ ଦୂର ହୋଇଯିବ । ଅଧାକଳ୍ପ ପାଇଁ ସବୁ କଷ୍ଟ ସମାପ୍ତ ହୋଇଯିବ । ବାବା ସୁଖଧାମର ସ୍ଥାପନା କରୁଛନ୍ତି । ମାୟା ରାବଣ ପୁଣି ଦୁଃଖଧାମ ସ୍ଥାପନ କରୁଛି । ଏକଥା ମଧ୍ୟ ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ । ବାବାଙ୍କର ପିଲାମାନଙ୍କ ପ୍ରତି ଆରମ୍ଭରୁ କେତେ ସ୍ନେହ ରହିଛି । ବାବାଙ୍କୁ ଜଣା ଅଛି ଯେଉଁ ପିଲାମାନେ କାମ ଅଗ୍ନିରେ ବସି କଳା ଅର୍ଥାତ୍ ବିକାରୀ ହୋଇଯାଇଛନ୍ତି, ସେମାନଙ୍କୁ ମୁଁ ଗୋରା ଅର୍ଥାତ୍ ପବିତ୍ର କରୁଛି । ବାବା ତ ଜ୍ଞାନର ଭଣ୍ଡାର, ପିଲାମାନେ ଧୀରେ ଧୀରେ ସେହି ଜ୍ଞାନକୁ ଗ୍ରହଣ କରୁଛନ୍ତି । କିନ୍ତୁ ମାୟା ସମସ୍ତଙ୍କୁ ଭୁଲାଇ ଦେଉଛି, ଖୁସି ଆସିବାକୁ ଦେଉନାହିଁ । ବାସ୍ତବରେ ପିଲାମାନଙ୍କର ଦିନକୁ ଦିନ ଖୁସିର ପାରଦ ଚଢି ରହିବା ଦରକାର । ସତ୍ୟଯୁଗରେ ସମସ୍ତଙ୍କର ପାରଦ ଚଢି ରହିଥିଲା । ଏବେ ପୁଣି ଯୋଗର ଯାତ୍ରା ଦ୍ୱାରା ଖୁସିର ପାରଦକୁ ଚଢାଇବାକୁ ହେବ । ତାହା ମଧ୍ୟ ଧୀରେ ଧୀରେ ଚଢିବ । ହାର-ଜିତ ହୋଇ, ପୁଣି ପୁରୁଷାର୍ଥର କ୍ରମ ଅନୁସାରେ କଳ୍ପ ପୂର୍ବଭଳି ନିଜର ପଦ ପାଇଯିବ । ବାକି ସମୟ ତ ସେତିକି ଲାଗିବ, ଯାହା କଳ୍ପ କଳ୍ପ ଲାଗି ଆସିଛି । ପାସ୍ ମଧ୍ୟ ସେହିମାନେ ହେବେ ଯେଉଁମାନେ କଳ୍ପ କଳ୍ପ ହୋଇଥିବେ । ବାପଦାଦା ସାକ୍ଷୀ ହୋଇ ପିଲାମାନଙ୍କର ଅବସ୍ଥାକୁ ଦେଖୁଛନ୍ତି ଏବଂ ଉପଦେଶ ଦେଇ ଚାଲିଛନ୍ତି । ବାହାର ସେଣ୍ଟରମାନଙ୍କରେ ରହୁଥିବା ପିଲାମାନେ ଏତେ ରିଫ୍ରେସ୍ ରହିପାରୁ ନାହାଁନ୍ତି । ସେଣ୍ଟରକୁ ଆସି ପୁଣି ବାହାର ବାତାବରଣର ପ୍ରଭାବରେ ଆସିଯାଉଛନ୍ତି, ସେଥିପାଇଁ ଏଠାକୁ ପିଲାମାନେ ରିଫ୍ରେସ ହେବା ପାଇଁ ଆସୁଛନ୍ତି । ବାବା ମଧ୍ୟ ଲେଖୁଛନ୍ତି - ପରିବାର ସହିତ ସମସ୍ତଙ୍କୁ ମୋର ସ୍ନେହଭରା ସ୍ମୃତି ଦେବ । ସେମାନେ ହେଲେ ଦେହଧାରୀ ପିତା, ଇଏ ହେଲେ ବେହଦର ପିତା । ବାବା ଏବଂ ଦାଦା ଦୁହିଁଙ୍କର ବହୁତ ସ୍ନେହ ରହିଛି କାହିଁକି ନା କଳ୍ପ କଳ୍ପ ବହୁତ ସ୍ନେହଯୁକ୍ତ ସେବା କରୁଛନ୍ତି ଏବଂ ବହୁତ ସ୍ନେହରେ କରୁଛନ୍ତି । ମନ ଭିତରେ ଦୟା ଆସୁଛି । ଯଦି କେହି ପାଠ ପଢୁନାହାଁନ୍ତି ବା ଚଳଣିକୁ ଭଲ କରୁନାହାଁନ୍ତି, ଶ୍ରୀମତରେ ଚାଲୁ ନାହାଁନ୍ତି ସିଏ କମ୍ ପଦ ପାଇବେ । ବାବା ମଧ୍ୟ କ’ଣ କରିପାରିବେ! ସେଠାରେ (ସେଣ୍ଟରରେ) ଏବଂ ଏଠାରେ (ମଧୁବନରେ) ରହିବା ଭିତରେ ବହୁତ ଫରକ ରହିଛି । କିନ୍ତୁ ସମସ୍ତେ ତ ଏଠାରେ ରହିପାରିବେ ନାହିଁ । ପିଲାମାନଙ୍କର ସଂଖ୍ୟା ବୃଦ୍ଧି ହୋଇ ଚାଲିଛି । ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ ହୋଇ ଚାଲିଛି । ଏକଥା ମଧ୍ୟ ବାବା ବୁଝାଇଛନ୍ତି - ଏହି ଆବୁ ସବୁଠାରୁ ମହାନ ତୀର୍ଥ ଅଟେ । ବାବା କହୁଛନ୍ତି ମୁଁ ଏହିଠାକୁ ଆସି ସାରା ସୃଷ୍ଟିକୁ ଏବଂ ୫ତତ୍ତ୍ୱ ସହିତ ସମସ୍ତଙ୍କୁ ପବିତ୍ର କରୁଛି । ବାବା କେତେ ସେବା କରୁଛନ୍ତି । କେବଳ ଏକମାତ୍ର ବାବା ହିଁ ଅଟନ୍ତି ଯିଏକି ଆସି ସମସ୍ତଙ୍କର ସଦ୍‌ଗତି କରୁଛନ୍ତି ଏବଂ ତାହା ମଧ୍ୟ ଅନେକ ଥର କରିଛନ୍ତି । ଏ କଥା ଜାଣି ମଧ୍ୟ ପୁଣି ଭୂଲି ଯାଉଛନ୍ତି - ତେଣୁ ବାବା କହୁଛନ୍ତି ମାୟା ବହୁତ ଶକ୍ତିଶାଳୀ । ତା’ର ରାଜ୍ୟ ମଧ୍ୟ ଅଧାକଳ୍ପ ଚାଲୁଛି । ମାୟା ତୁମମାନଙ୍କୁ ହରାଇ ଦେଉଛି ବାବା ପୁଣି ବିଜୟୀ କରାଉଛନ୍ତି । ଅନେକ ପିଲା ବାବାଙ୍କୁ ପତ୍ର ଲେଖୁଛନ୍ତି, ବାବା ମୁଁ ଖସି ପଡିଲି ଅର୍ଥାତ୍ ବିକାରୀ ହୋଇଗଲି । ବାବା ଲେଖୁଛନ୍ତି ଆଚ୍ଛା ଆଉ ବିକାରଗ୍ରସ୍ତ ହୁଅ ନାହିଁ । ତଥାପି ମଧ୍ୟ ଖସିପଡୁଛନ୍ତି । ପୁଣି ଚଢିବା ହିଁ ଛାଡି ଦେଉଛନ୍ତି । କେତେ ବଡ ଚୋଟ ଲାଗିଯାଉଛି । ଏହିଭଳି ଚୋଟ ସମସ୍ତଙ୍କୁ ଲାଗୁଛି । ତେବେ ପାଠପଢା ଉପରେ ସବୁ କିଛି ନିର୍ଭର କରୁଛି । ପାଠପଢା ଭିତରେ ଯୋଗ ମଧ୍ୟ ରହିଛି । ଅମୁକ ମୋତେ ଏହି ବିଷୟରେ ପାଠ ପଢାଉଛନ୍ତି । ଏବେ ତୁମେମାନେ ଜାଣୁଛ ଯେ, ବାବା ଆମମାନଙ୍କୁ ପାଠ ପଢାଉଛନ୍ତି । ଏଠାରେ ତୁମେମାନେ ବହୁତ ରିଫ୍ରେସ୍ ହେଉଛ । ଗାୟନ ମଧ୍ୟ ରହିଛି “ନିନ୍ଦା ହମାରୀ ଯୋ କରେ ମିତ୍ର ହମାରା ସୋ” ଅର୍ଥାତ୍ ଯିଏ ଆମର ନିନ୍ଦୁକ ସିଏ ହିଁ ଆମର ପ୍ରକୃତ ମିତ୍ର ଅଟେ । ଭଗବାନୁବାଚ - ମୋର ବହୁତ ଗ୍ଲାନୀ କରୁଛନ୍ତି କିନ୍ତୁ ମୁଁ ଆସି ମିତ୍ର ହେଉଛି । ମୋର କେତେ ନିନ୍ଦା କରୁଛନ୍ତି, ତଥାପି ମୁଁ ଭାବୁଛି ଏମାନେ ସମସ୍ତେ ମୋର ସନ୍ତାନ । ମୋର ଏମାନଙ୍କ ସହିତ କେତେ ପ୍ରୀତି ରହିଛି । ନିନ୍ଦା କରିବା ଭଲ ନୁହେଁ । ବର୍ତ୍ତମାନ ତ ବହୁତ ସାବଧାନ ରହିବା ଦରକାର । ଭିନ୍ନ ଭିନ୍ନ ଅବସ୍ଥାର ସନ୍ତାନ ଅଛନ୍ତି, ସମସ୍ତେ ପୁରୁଷାର୍ଥ କରୁଛନ୍ତି । କୌଣସି ଭୁଲ୍ ହୋଇଗଲେ ମଧ୍ୟ ପୁରୁଷାର୍ଥ କରି ଅଭୁ୍‌ଲ ଅର୍ଥାତ୍ ଠିକ୍ ହେବାକୁ ପଡିବ । ମାୟା ସମସ୍ତଙ୍କ ଦ୍ୱାରା ଭୁଲ୍ କରାଇଥାଏ । ଏହା ମଧ୍ୟ ବକ୍ସିଂ ଅଟେ ନା । କେବେ କେବେ ଏଭଳି ଚୋଟ ଲାଗିଥାଏ ଯାହାକି ତଳେ ପକାଇ ଦେଇଥାଏ । ସେଥିପାଇଁ ବାବା ସାବଧାନୀ ଦେଉଛନ୍ତି - ପିଲାମାନେ, ଯଦି ଏଭଳି ହାରିଯିବ ତେବେ କରିଥିବା ରୋଜଗାର ସବୁ ସମାପ୍ତ ହୋଇଯିବ । ଯେପରି ୫ ମହଲାରୁ ଖସି ପଡିଥା’ନ୍ତି । ପୁଣି କହୁଛନ୍ତି ବାବା, ଏଭଳି ଭୁଲ୍ ଆଉ କେବେ ହେବ ନାହିଁ । ଏବେ କ୍ଷମା କର । ବାବା କ୍ଷମା କାହିଁକି କରିବେ । ବାବା ତ କହୁଛନ୍ତି ପୁରୁଷାର୍ଥ କର । ବାବା ଜାଣିଛନ୍ତି ମାୟା ବହୁତ ଶକ୍ତିଶାଳୀ, ବହୁତଙ୍କୁ ହରାଇବ । ତେବେ ଟିଚରଙ୍କର କର୍ତ୍ତବ୍ୟ ହେଲା ଭୁଲ ଉପରେ ଶିକ୍ଷା ଦେଇ ଅଭୁଲ କରାଇବା । ଏମିତି ନୁହେଁ ଯେ କିଏ ଯଦି ଭୁଲ୍ କରିଦେଲେ ତେବେ ତାଙ୍କର ସେହି ଭୁଲ ସବୁବେଳେ ହେଉଥିବ । ନା, ଭଲଗୁଣର ଗାୟନ କରାଯାଇଥାଏ । ଭୁଲ୍‌ର ଗାୟନ କରାଯାଏ ନାହିଁ । ଅବିନାଶୀ ବୈଦ୍ୟ ତ ଏକମାତ୍ର ବାବା ହିଁ ଅଟନ୍ତି । ସେ ଚିକିତ୍ସା କରିଦେବେ । ତୁମେ ପିଲାମାନେ ଆଇନ୍‌କୁ କାହିଁକି ନିଜ ହାତକୁ ନେଉଛ । ଯେଉଁମାନଙ୍କ ଭିତରେ କ୍ରୋଧର ଅଂଶ ଥିବ ସେମାନେ ଗ୍ଲାନୀ ହିଁ କରି ଚାଲିବେ । ସୁଧାରିବାର କାମ ହେଲା ବାବାଙ୍କର, ତୁମର ନୁହେଁ! କାହା ଭିତରେ କ୍ରୋଧର ଭୂତ ଅଛି । ଯଦି କେହି କାହାର ନିନ୍ଦା କରୁଛନ୍ତି ତେବେ ତାହା ହେଲା ଆଇନକୁ ନିଜ ହାତକୁ ନେବା, ଏହାଦ୍ୱାରା ସେ ସୁଧୁରିବେ ନାହିଁ । ଆହୁରି ମଧ୍ୟ ଅପଡ ହୋଇଯିବ । ସମ୍ବନ୍ଧ ଖରାପ ହୋଇଯିବ । ସବୁ ପିଲାଙ୍କୁ ସୁଧାରିବା ପାଇଁ କେବଳ ଜଣେ ବାବା ଅଛନ୍ତି । ଆଇନ୍‌କୁ ହାତକୁ ନେଇ କାହାର ନିନ୍ଦା କରିବା ଏହା ବହୁତ ବଡ ଭୁଲ୍ । କିଛି ନା କିଛି ଅବଗୁଣ ତ ସମସ୍ତଙ୍କ ଭିତରେ ଅଛି । ସବୁ ସମ୍ପୂର୍ଣ୍ଣ ତ ହୋଇ ନାହାଁନ୍ତି । କାହା ଭିତରେ କ’ଣ, କାହା ଭିତରେ କ’ଣ ଅବଗୁଣ ସବୁ ରହିଛି ସେ ସବୁକୁ ବାହାର କରିବାର ଠିକା ବାବା ନେଇଛନ୍ତି । ଏହା ତୁମମାନଙ୍କର କାମ ନୁହେଁ । ଯଦି ପିଲାମାନଙ୍କର ଦୋଷ ଦୁର୍ବଳତା ବାବା ଶୁଣିଥା’ନ୍ତି ତେବେ ତାକୁ ବାହାର କରିବା ପାଇଁ ତାଙ୍କୁ ବହୁତ ସ୍ନେହର ସହିତ ବୁଝାଇଥା’ନ୍ତି । ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କେହି ହୋଇ ନାହାଁନ୍ତି । ସମସ୍ତେ ଶ୍ରୀମତ ଅନୁସାରେ ନିଜକୁ ସୁଧାରୁଛନ୍ତି । ସମ୍ପୂର୍ଣ୍ଣ ତ ଶେଷ ସମୟରେ ହେବେ । ଏବେ ସମସ୍ତେ ପୁରୁଷାର୍ଥୀ ଅଟନ୍ତି । ବାବା ସର୍ବଦା ଅଟଳ ରହିଥା’ନ୍ତି ଏବଂ ପିଲାମାନଙ୍କୁ ସ୍ନେହର ସହିତ ଶିକ୍ଷା ଦେଇ ଚାଲିଛନ୍ତି । ଶିକ୍ଷା ଦେବା ବାବାଙ୍କର କାମ । ତେବେ ତା’ ଉପରେ ଚାଲିବା ନ ଚାଲିବା ତାହା ହେଲା ତାଙ୍କର ଭାଗ୍ୟ । ଏଭଳି କରିବା ଦ୍ୱାରା ପଦ କେତେ କମ୍ ହୋଇଯାଇଥାଏ । ଶ୍ରୀମତରେ ନ ଚାଲିବା, କିଛି ବି ଭୁଲ୍ କରିଦେବା, ଏହା ଦ୍ୱାରା ପଦଭ୍ରଷ୍ଟ ହୋଇଯାଇଥାଏ । ପୁଣି ମନ ଭିତରେ ଭିତରେ ଘାରି ହୋଇଥାଏ, ମୁଁ ଏହି ଭୁଲ୍ କରିଛି! ତେଣୁ ମୋତେ ବହୁତ ମେହନତ କରିବାକୁ ପଡିବ । ଯଦି କାହାର କିଛି ଅବଗୁଣ ଅଛି ତେବେ ତାହା ବାବାଙ୍କୁ ଶୁଣାଇବାକୁ ହେବ । ୟାକୁ-ତାକୁ ଶୁଣାଇବା ଏହା ଦେହ-ଅଭିମାନ ଅଟେ । କିନ୍ତୁ କେହି ବାବାଙ୍କୁ ସ୍ମରଣ କରୁ ନାହାଁନ୍ତି । ଅବ୍ୟଭିଚାରୀ ହେବା ଦରକାର ନା । କେବଳ ଜଣଙ୍କୁ ଅର୍ଥାତ୍ ବାବାଙ୍କୁ ଶୁଣାଇଲେ ସିଏ ତୁରନ୍ତ ସୁଧୁରିଯିବେ । ଏକମାତ୍ର ବାବା ହିଁ ସମସ୍ତଙ୍କୁ ସୁଧାରିଥା’ନ୍ତି । ବାକି ତ ସମସ୍ତେ ହେଲେ ଅସଜଡା । କିନ୍ତୁ ମାୟା ଏମିତି ଯିଏକି ସମସ୍ତଙ୍କ ମୁହଁକୁ ବୁଲେଇ ଦେଇଥାଏ । ବାବା ନିଜ ଆଡକୁ ମୁହଁ କରାଇଥା’ନ୍ତି, ମାୟା ପୁଣି ବୁଲେଇ ଦେଇ ନିଜ ଆଡକୁ କରିଦେଇଥାଏ । ବାବା କେବଳ ଆସିଛନ୍ତି ପିଲାମାନଙ୍କୁ ସୁଧାରି ମନୁଷ୍ୟରୁ ଦେବତା କରିବା ପାଇଁ । ବାକି ଏଠି-ସେଠି କାହାର ନାମ ବଦନାମ କରିବା ଏହା ବେନିୟମ କାର୍ଯ୍ୟ ଅଟେ । ତୁମେମାନେ ଶିବବାବାଙ୍କୁ ସ୍ମରଣ କର । ବିଚାର ମଧ୍ୟ ତାଙ୍କ ପାଖରେ ହୋଇଥାଏ ନା । କର୍ମର ଫଳ ମଧ୍ୟ ବାବା ହିଁ ଦେଇଥା’ନ୍ତି । ଯଦିଓ ଡ୍ରାମାରେ ନିଧାର୍ଯ୍ୟ ଅଛି କିନ୍ତୁ କାହାର ନାମ ତ ନିଆଯିବ ନା । ବାବା ତ ପିଲାମାନଙ୍କୁ ସବୁ କଥା ବୁଝାଉଛନ୍ତି । ତୁମେମାନେ କେତେ ଭାଗ୍ୟଶାଳୀ । ତୁମ ପାଖକୁ କେତେ ଅତିଥି ଆସୁଛନ୍ତି । ଯାହାଙ୍କ ପାଖକୁ ବହୁତ ଅତିଥି ଆସିଥା’ନ୍ତି ସିଏ ବହୁତ ଖୁସି ହୋଇଥା’ନ୍ତି । ତେବେ ସେମାନେ ସନ୍ତାନ ମଧ୍ୟ ଅଟନ୍ତି ତ ଅତିଥି ମଧ୍ୟ ଅଟନ୍ତି । ଟିଚରଙ୍କର ବୁଦ୍ଧିରେ ତ ଏହି କଥା ରହିଥାଏ ଯେ, ମୁଁ ପିଲାମାନଙ୍କୁ ଏମାନଙ୍କ ଭଳି ଅର୍ଥାତ୍ ଲକ୍ଷ୍ମୀ-ନାରାୟଣଙ୍କ ଭଳି ସର୍ବଗୁଣ ସମ୍ପନ୍ନ କରିବି । ଡ୍ରାମାର ପ୍ଲାନ ଅନୁସାରେ ବାବା ଏହି ଠିକା ହିଁ ନେଇଛନ୍ତି । ପିଲାମାନଙ୍କୁ ମୁରଲୀ ମଧ୍ୟ କେବେ ମିସ୍ କରିବା ଉଚିତ୍ ନୁହେଁ । ମୁରଲୀର ହିଁ ତ ଗାୟନ ରହିଛି ନା - ଗୋଟିଏ ବି ମୁରଲୀ ମିସ୍ କରିବା ଅର୍ଥ ସ୍କୁଲରେ ଅନୁପସ୍ଥିତ ହୋଇଯିବା । ଏହା ହେଉଛି ବେହଦ ବାବାଙ୍କର ସ୍କୁଲ । ଏଠାରେ ତ ଗୋଟିଏ ଦିନ ମଧ୍ୟ ମିସ୍ କରିବା ଉଚିତ୍ ନୁହେଁ । ବାବା ଏଠାକୁ ଆସି ପାଠ ପଢାଉଛନ୍ତି, ଦୁନିଆରେ କାହାକୁ ଏ କଥା ଜଣା ନାହିଁ । ସ୍ୱର୍ଗର ସ୍ଥାପନା କିପରି ହେଉଛି, ଏ କଥା ମଧ୍ୟ କେହି ଜାଣି ନାହାଁନ୍ତି । ତୁମେମାନେ ସବୁ କିଛି ଜାଣିଛ । ଏହା ଅସରନ୍ତି ରୋଜଗାର ଜମା କରିବାର ପାଠପଢା । ଏହା ଦ୍ୱାରା ଜନ୍ମ ଜନ୍ମାନ୍ତର ପାଇଁ ମିଳିଯାଇଥାଏ । ବିନାଶର ସାରା ସମ୍ବନ୍ଧ ତୁମର ଏହି ପାଠପଢା ସହିତ ରହିଛି । ତୁମର ପାଠପଢା ଶେଷ ହେବ ଏବଂ ଲଢେଇ ଆରମ୍ଭ ହେବ । ପାଠ ପଢି ପଢି ବାବାଙ୍କୁ ସ୍ମରଣ କରି କରି ଯେତେବେଳେ ପରୀକ୍ଷା ଶେଷ ହେବ ଏବଂ ପୁରା ନମ୍ବର ନେଇଯିବ ତେବେ ଯାଇ ଲଢେଇ ଲାଗିବ । ତୁମର ପାଠପଢା ଶେଷ ହୋଇଗଲେ ଲଢେଇ ଲାଗିଯିବ । ଏହା ନୂଆ ଦୁନିଆ ପାଇଁ ବିଲ୍‌କୁଲ ନୂଆ ଜ୍ଞାନ ଅଟେ । ସେଥିପାଇଁ ବିଚରା ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କାହାର ଅବଗୁଣକୁ ଦେଖି ତା’ର ନିନ୍ଦା କରିବାର ନାହିଁ । ଏଠି-ସେଠି କାହାର ଅବଗୁଣକୁ ଶୁଣାଇବାର ନାହିଁ । ନିଜର ମିଠା ସ୍ୱଭାବକୁ ମଧ୍ୟ ଛାଡିବାର ନାହିଁ । କ୍ରୋଧରେ ଆସି କାହା ସହିତ ମୁହାଁମୁହିଁ ହେବାର ନାହିଁ ।

(୨) ସମସ୍ତଙ୍କୁ ସୁଧାରିଲା ବାଲା ଏକମାତ୍ର ବାବା ହିଁ ଅଟନ୍ତି, ସେଥିପାଇଁ ଏକମାତ୍ର ବାବାଙ୍କୁ ହିଁ ସବୁ କଥା ଶୁଣାଇବାର ଅଛି, ଅବ୍ୟଭିଚାରୀ ହେବାର ଅଛି । ମୁରଲୀ ଶୁଣିବା କେବେ ବି ବନ୍ଦ କରିବାର ନାହିଁ ।

ବରଦାନ:-
ସର୍ବଦା ସାଥୀ ପଣିଆର ସ୍ମୃତି ଏବଂ ସାକ୍ଷୀସ୍ଥିତିର ଅନୁଭବ କରୁଥିବା ଶିବମୟୀ ଶକ୍ତିସ୍ୱରୂପ ଯୁଗଳ ମୂରତ ହୁଅ ।

ଯେପରି ଆତ୍ମା ଏବଂ ଶରୀର ଉଭୟ ଏକାଠି ରହିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ଏହି ସୃଷ୍ଟି ଉପରେ ପାର୍ଟ ଚାଲିଥିବ ସେ ପର୍ଯ୍ୟନ୍ତ ଅଲଗା ହୋଇପାରିବେ ନାହିଁ, ସେହିପରି ଶିବ ଏବଂ ଶକ୍ତି ଉଭୟଙ୍କର ସେତିକି ନିବିଡ ସମ୍ବନ୍ଧ ରହିଛି । ଯେଉଁମାନେ ସର୍ବଦା ଶିବମୟୀ ଶକ୍ତି ସ୍ୱରୂପ ସ୍ଥିତିରେ ସ୍ଥିତ ହୋଇ ରହୁଛନ୍ତି ସେମାନଙ୍କର ଳଗନରେ ମାୟା ବିଘ୍ନ ପକାଇପାରିବ ନାହିଁ । ସେମାନେ ସର୍ବଦା ସାଥୀ ପଣିଆର ଏବଂ ସାକ୍ଷୀ ସ୍ଥିତିର ଅନୁଭବ କରିଥାଆନ୍ତି । ଏଭଳି ଅନୁଭବ କରିଥାଆନ୍ତି ଯେପରିକି କେହି ସାକାର ରୂପରେ ସାଥୀରେ ଅଛନ୍ତି ।

ସ୍ଲୋଗାନ:-
ନିର୍ବିଘ୍ନ ଏବଂ ଏକରସ ସ୍ଥିତିର ଅନୁଭବ କରିବା ପାଇଁ ଏକାଗ୍ରତାର ଅଭ୍ୟାସ କର ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ବର୍ତ୍ତମାନ ସମୟରେ ନିଜକୁ ମୁଁ ଟୀଚର ଅଟେ, ମୁଁ ବିଦ୍ୟାର୍ଥୀ ଅଟେ, ମୁଁ ସେବାଧାରୀ ଅଟେ, ଏହିଭଳି ଭାବିବା ପରିବର୍ତ୍ତେ ଅମୃତବେଳାଠାରୁ ଏହି ଅଭ୍ୟାସ କର ଯେ ମୁଁ ଶ୍ରେଷ୍ଠ ଆତ୍ମା ଉପରୁ ଅବତରିତ ହୋଇଛି - ଏହି ପୁରୁଣା ଦୁନିଆରେ ପୁରୁଣା ଶରୀର ଦ୍ୱାରା ସେବା କରିବା ପାଇଁ । ମୁଁ ଆତ୍ମା ଅଟେ - ଏହି ପାଠକୁ ଏବେ ଆହୁରି ପକ୍କା କରିଦିଅ । ମୁଁ ସେବାଧାରୀ ଅଟେ, ଏହି ପାଠ ତ ପକ୍କା ଅଟେ କିନ୍ତୁ ମୁଁ ଆତ୍ମା ସେବାଧାରୀ ଅଟେ, ଏହି ପାଠକୁ ଯଦି ପ୍‌କ୍କା କରିଦେବ ତେବେ ଜୀବନମୁକ୍ତ ହୋଇଯିବ ।