07.06.26 Avyakt Bapdada Odia Murli 31.03.2010 Om Shanti Madhuban
“ପୂର୍ବଜ ଏବଂ ପୂଜ୍ୟ
ପଣିଆର ସ୍ୱମାନରେ ରହି ସଂକଳ୍ପ ଦ୍ୱାରା ସମସ୍ତଙ୍କର ପାଳନା କର, ପୂରା ବୃକ୍ଷକୁ ସକାଶ ଦିଅ”
ଆଜି ବାପଦାଦା ନିଜର
ଚାରିଆଡର ପୂର୍ବଜ ଏବଂ ପୂଜ୍ୟ ଆତ୍ମାମାନଙ୍କୁ ଦେଖୁଛନ୍ତି । ସମସ୍ତେ ନିଜକୁ ପୂର୍ବଜ ଆତ୍ମା ମନେ
କରୁଛ ନା । ପୂଜ୍ୟ ଆତ୍ମାମାନଙ୍କର ନିବାସ ସ୍ଥାନ କେଉଁଠି? ନିଜର କଳ୍ପବୃକ୍ଷକୁ ସମ୍ମୁଖକୁ ଆଣ,
ସେଥିରେ ଦେଖ ତୁମର ସ୍ଥାନ କେଉଁଠି? ଏକଥା ମଧ୍ୟ ଜାଣିଛ ଯେ ତୁମେ ପୂର୍ବଜମାନଙ୍କର ସ୍ଥାନ ଜଡ
ଅର୍ଥାତ୍ ଚେରରେ ଅଟେ । ବୃକ୍ଷର ଚେରରେ ମଧ୍ୟ ଅଟେ ଏବଂ କାଣ୍ଡରେ ମଧ୍ୟ ଅଟେ । ତେବେ ଚେର ଦ୍ୱାରା
ହିଁ ସାରା ବୃକ୍ଷକୁ ପାଳନା ମିଳିଥାଏ । ତେଣୁ ତୁମେମାନେ ସାରା ବୃକ୍ଷର ଶାଖା ପ୍ରଶାଖା ବା
ପତ୍ରଗୁଡିକର ପାଳନ କରିବାବାଲା, ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣ ଦେବାବାଲା ପୂର୍ବଜ ଅଟେ ।
ପୂର୍ବଜ ସହିତ ପୂଜ୍ୟ ମଧ୍ୟ ଅଟ । ତେବେ ବୃକ୍ଷର କାଣ୍ଡ ଦ୍ୱାରା ଶେଷ ପତ୍ରକୁ ମଧ୍ୟ ସକାଶ
ମିଳିଥାଏ । ତେଣୁ ନିଜକୁ ସାରା ବୃକ୍ଷକୁ ସକାଶ ଦେବାବାଲା ଅନୁଭବ କରୁଛ ତ? କ’ଣ ଏହି ନିଶା ରହୁଛି
ଯେ ମୁଁ ପୂର୍ବଜ ସର୍ବ ଆତ୍ମାରୂପୀ ଶାଖା ପ୍ରଶାଖା ବା ପତ୍ର ଗୁଡିକୁ ସକାଶ ଦେଉଛି! ଯେପରି
ବ୍ରହ୍ମାବାବାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦିପିତା କୁହାଯାଉଛି, ସେହିପରି
ତୁମେ ତାଙ୍କର ସାଥୀ ପିଲାମାନେ ମଧ୍ୟ ମାଷ୍ଟର ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅଟ । ସେଥିପାଇଁ
ସାରା ବୃକ୍ଷର ଆତ୍ମାମାନଙ୍କର ଆକର୍ଷଣ ତୁମ ପୂର୍ବଜ ଆତ୍ମାମାନଙ୍କ ପ୍ରତି ରହିଛି । ତୁମେ ପୂର୍ବଜ
ଆତ୍ମାମାନେ ନିଜର ଶକ୍ତିଗୁଡିକ ଦ୍ୱାରା ସେମାନଙ୍କର ପାଳନା କରୁଛ । ଯେପରି ତୁମ ପୂର୍ବଜ
ଆତ୍ମାମାନଙ୍କର ପାଳନା ନିଜେ ବାବା କରିଛନ୍ତି କିନ୍ତୁ କିପରି କରିଛନ୍ତି? ଶକ୍ତିଗୁଡିକ ଦ୍ୱାରା
ହିଁ ପାଳନା କରିଛନ୍ତି । ସେହିପରି ତୁମେମାନେ ମଧ୍ୟ ପୂର୍ବଜ ହୋଇଥିବା କାରଣରୁ ସେମାନଙ୍କର
ପାଳନକର୍ତ୍ତା ଅଟ । ଆଜିକାଲି ତ ଦେଖୁଛ ଯେ ସବୁ ଆତ୍ମାମାନେ କିପରି ଦୁଃଖୀ ଅଟନ୍ତି, ନିଜ ନିଜର
ଇଷ୍ଟ ଦେବୀ ଇଷ୍ଟ ଦେବତାମାନଙ୍କୁ ଡାକୁଛନ୍ତି, ଆସ ଆମକୁ ରକ୍ଷା କର, ଆମକୁ ଶାନ୍ତି ଦିଅ, ଶକ୍ତି
ଦିଅ । ହେ କ୍ଷମାର ସାଗର ପୂର୍ବଜ ଆତ୍ମାମାନେ ଆମକୁ ପାଳନା ଦିଅ । ତେଣୁ ଏହି ଶବ୍ଦ ତୁମ ପୂର୍ବଜ
ଆତ୍ମାମାନଙ୍କ କାନରେ ଶୁଣାଯାଉଛି ତ? କ’ଣ ଅନୁଭବ କରିପାରୁଛ ଯେ ଆମେମାନେ ହିଁ ପୂର୍ବଜ ଅଟୁ? ସାରା
ବୃକ୍ଷରେ ଦେଖ, ଅନ୍ୟ ଧର୍ମର ଯେଉଁ ସବୁ ଆତ୍ମାମାନେ ଅଛନ୍ତି ସେମାନେ ବୃକ୍ଷର ଶାଖା-ପ୍ରଶାଖା
ହୋଇଥିବା କାରଣରୁ ସେମାନେ ମଧ୍ୟ ତୁମକୁ ସେହି ଦୃଷ୍ଟିରେ ଦେଖୁଛନ୍ତି । ସେମାନଙ୍କର ମଧ୍ୟ ପୂର୍ବଜ
ତୁମେମାନେ ହିଁ ଅଟ । ତୁମେମାନେ ଯେତେବେଳେ ଅନ୍ୟ କୌଣସି ବି ଧର୍ମର ଆତ୍ମାମାନଙ୍କ ସହିତ ମିଶୁଛ
ସେତେବେଳେ କ’ଣ ଏହି କଥା ଭାବୁଛ ଯେ ଏମାନେ ମଧ୍ୟ ଆମର ବୃକ୍ଷର ଶାଖା-ପ୍ରଶାଖା ଅଟନ୍ତି । ସେମାନେ
ମଧ୍ୟ ଯେତେବେଳେ ତୁମମାନଙ୍କ ସହିତ ମିଶୁଛନ୍ତି, ସେତେବେଳେ ଭାବୁଛନ୍ତି ଯେ ଏମାନେ ଆମର ନିଜର
ଅଟନ୍ତି । ସେମାନଙ୍କୁ ମଧ୍ୟ ଆପଣାର ପଣିଆର ଅନୁଭବ ହେଉଛି ଏବଂ ଆଗକୁ ମଧ୍ୟ ହେବ । ତେଣୁ ଏତିକି
ନିଶା ଏବଂ ଏତିକି ନିଜ ଭିତରେ ଦୟାଭାବ ତୁମମାନଙ୍କର ଆସୁଛି ତ? ସେମାନେ ତ ଚିତ୍କାର କରୁଛନ୍ତି,
ଦୟା କର, ଦୟା କର... ତେଣୁ ଏବେ ସମୟ ଅନୁସାରେ ତୁମ ସମସ୍ତ ପୂର୍ବଜ ଆତ୍ମାମାନଙ୍କୁ ନିଜର ମାନସୀକ
ଶକ୍ତି ଦ୍ୱାରା ବା ସଂକଳ୍ପ ଦ୍ୱାରା ଶକ୍ତି ଦେବାର ପାଳନା କରିବାକୁ ହେବ କାହିଁକିନା ସେମାନଙ୍କର
ଆବଶ୍ୟକତା ରହିଛି । ତେବେ ଯେତେ ଯେତେ ତୁମେମାନେ ନିଜର ପୂର୍ବଜ ପଣିଆର ନିଶାରେ ରହିବ ସେହି
ଅନୁସାରେ ତୁମମାନଙ୍କ ଦ୍ୱାରା ସେମାନଙ୍କର ପାଳନା ହେବ । ଏମିତି ଦେଖିବାକୁ ଗଲେ ସମସ୍ତଙ୍କର ପାଳନା
ଲୌକିକରେ ମଧ୍ୟ ବଡମାନଙ୍କ ଦ୍ୱାରା ହିଁ ହୋଇଥାଏ । ବଡମାନେ ହିଁ ସେମାନଙ୍କର ଶରୀର ପାଇଁ
ଖାଇବା-ପିଇବା, ପାଠ ପଢିବା ଇତ୍ୟାଦି ଯାହାକି ରୋଜଗାର କ୍ଷମ ହେବାର ମାଧ୍ୟମ ଅଟେ, ସେଗୁଡିକର
ବ୍ୟବସ୍ତା କରିଥାଆନ୍ତି, ତେଣୁ ବାବା ଯେପରି ତୁମମାନଙ୍କର ଭିନ୍ନ ଭିନ୍ନ ଶକ୍ତିଗୁଡିକ ଦ୍ୱାରା
ପାଳନା କରିଛନ୍ତି, ସେହିଭଳି ତୁମମାନଙ୍କର କାର୍ଯ୍ୟ ହେଲା ସାରା ବୃକ୍ଷର ଶାଖାପ୍ରଶାଖା ତଥା
ପତ୍ରଗୁଡିକର ପାଳନା କରିବା । ଏହିଭଳି ଉତ୍ସାହ ତୁମ ପୂର୍ବଜ ଆତ୍ମାମାନଙ୍କ ଭିତରେ ଆସୁଛି? ନିଶା
ଅଛି? ପୂଜ୍ୟ ମଧ୍ୟ ଅଟ ନା । ଦେଖ, ସାରା ଡ୍ରାମା ଭିତରେ ତୁମମାନଙ୍କର ଯେତିକି ନିୟମ ଅନୁସାରେ
ପୂଜା ହେଉଛି ସେତିକି ପୂଜା କୌଣସି ବି ମହାତ୍ମା ବା ଧର୍ମ ପିତାଙ୍କର ମଧ୍ୟ ହେଉନାହିଁ ।
ତୁମମାନଙ୍କ ପୂଜାରେ ନିୟମ ଅନୁସାରେ ଆରତୀ ହେବା, ଭୋଗ ଲାଗିବା, ଏଭଳି କାହାର ବି ହେଉନାହିଁ ।
ଗାୟନ ମଧ୍ୟ ଦେଖ ତୁମମାନଙ୍କର ନିୟମ ଅନୁସାରେ କୀର୍ତ୍ତନ ମଧ୍ୟ ହେଉଛି । ଅନ୍ୟ କାହାର ବି ଏଭଳି
ଗାୟନ ହେଉ ନାହିଁ । ତେଣୁ ତୁମେମାନେ ପୂର୍ବଜ ହେବା ସହିତ ପୂଜ୍ୟ ମଧ୍ୟ ଅଟ । ଡ୍ରାମା ଅନୁସାରେ
ପୂଜନ ଏବଂ ଗାୟନ ତୁମ ଭଳି କାହାର ବି ହେଉ ନାହିଁ ।
ବାପଦାଦା ଏହିଭଳି ପୂଜ୍ୟ
ଏବଂ ପୂର୍ବଜ ଆତ୍ମାମାନଙ୍କୁ ଦେଖି କେତେ ଖୁସି ହେଉଛନ୍ତି! ବାବାଙ୍କ ଦିଲ୍ ଭିତରେ ବାରମ୍ବାର ଏହି
ଗୀତ ବାଜୁଛି ବାଃ ମୋ’ର ସାରା ବୃକ୍ଷର ପୂର୍ବଜ ଏବଂ ପୂଜ୍ୟ ଆତ୍ମାମାନେ ବାଃ! ତେଣୁ ବାପଦାଦା
ଆଜିକାଲି ତୁମମାନଙ୍କର ଯେଉଁ ସ୍ୱମାନ ରହିଛି ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାର,
ସେହି ରୂପ ଦେଖିବାକୁ ଚାହୁଁଛନ୍ତି । ସେଥିପାଇଁ ପିଲାମାନଙ୍କୁ ଗୋଟିଏ କଥା ଧ୍ୟାନରେ ରଖିବାକୁ
ହେବ । ବାପଦାଦା ଦେଖୁଛନ୍ତି ସବୁ ପିଲା ବହୁତ ଭଲ ପୁରୁଷାର୍ଥ ମଧ୍ୟ କରୁଛନ୍ତି କିନ୍ତୁ ସଦା
ଶବ୍ଦକୁ ସମସ୍ତଙ୍କୁ ନିଜର ପୁରୁଷାର୍ଥରେ ଯୋଡିବାକୁ ହେବ । ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ
। ବାପଦାଦା ପିଲାମାନଙ୍କୁ ପଚାରୁଛନ୍ତି ଯେ ବାପଦାଦା ଯେପରି ତୁମମାନଙ୍କୁ ଶ୍ରେଷ୍ଠ ସ୍ୱମାନଧାରୀ
ଆତ୍ମା ରୂପରେ ଦେଖୁଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜକୁ ଏହିପରି ସ୍ୱମାନଧାରୀ ମନେ କରୁଛ ତ?
ବାପଦାଦା ଦେଖୁଛନ୍ତି
ପିଲାମାନେ ମଧ୍ୟ ଚାହୁଁଛନ୍ତି ଯେ ଆମେ ବି ଏବେ ନିଜର ରାଜ୍ୟକୁ ଯିବୁ । “ଏବେ ଘରକୁ ଯିବାକୁ ହେବ”
। ଏହି ଗୀତକୁ ମଧ୍ୟ ମନ ଭିତରେ ଗାଇ ଚାଲିଛନ୍ତି - ଏବେ ଘରକୁ ଯିବା, ଏବେ ବାହୁଡା ଯାତ୍ରା କରିବା
। ଏଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ସାରା ସମୟ ନିଜକୁ କୌଣସି ନା କୌଣସି ସେବାରେ
ବ୍ୟସ୍ତ ରଖ । ବାପଦାଦା ଦେଖୁଛନ୍ତି ସେବାର ରୁଚି, ସେବାର ଉମଙ୍ଗ ଉତ୍ସାହ ଏବେ ବି ପିଲାମାନଙ୍କ
ଭିତରେ ଅଛି । ଭଲ ଭଲ ସେବାର ସମାଚାର ମଧ୍ୟ ବାପଦାଦା ଶୁଣୁଛନ୍ତି । କିନ୍ତୁ ବାପଦାଦା ତୀବ୍ର
ଗତିରେ ଆଗକୁ ବଢିବା ପାଇଁ ପିଲାମାନଙ୍କୁ ବିଶେଷ ଭାବରେ ଧ୍ୟାନ ଦେବା ପାଇଁ କହୁଛନ୍ତି ଯେ କେବଳ
ଗୋଟିଏ ବାଣୀର ସେବା ନୁହେଁ, ଯଦି ସେବା କରୁଛ ତେବେ ଏକା ସମୟରେ ତିନି ପ୍ରକାରର ସେବା ଏକାଠି କର
- ସଂକଳ୍ପ ଦ୍ୱାରା ସକାଶ ଅର୍ଥାତ୍ ଶକ୍ତିଶାଳୀ କିରଣ ଦିଅ, ବାଣୀ ଦ୍ୱାରା ଜ୍ଞାନ ଦିଅ ଏବଂ କର୍ମଣା
ଅର୍ଥାତ୍ ନିଜର ସମ୍ବନ୍ଧ-ସମ୍ପର୍କ ଦ୍ୱାରା, ଚେହେରା ଦ୍ୱାରା ଏଭଳି ସେବା କର ଯାହାକି ତା’ର
ପ୍ରଭାବ ମଧ୍ୟ ସେବା ଉପରେ ପଡୁଥିବ । ଏକା ସମୟରେ ଏହି ତିନି ପ୍ରକାରର ସେବା ଏକାଠି କର କାହିଁକିନା
ଏବେ ଆତ୍ମାମାନେ ସେବାରେ କିଛି ନା କିଛି ଫରକ ଦେଖିବାକୁ ଚାହୁଁଛନ୍ତି । କିଛି ପରିବର୍ତ୍ତନ
ଦେଖିବାକୁ ଚାହୁଁଛନ୍ତି । ତେବେ ଏକା ସମୟରେ ତିନି ପ୍ରକାରର ସେବା କରିପାରିବ? କରିପାରିବ? ଚେକ୍
କରୁଛ - ଯେଉଁ ସମୟରେ ବାଣୀ ଦ୍ୱାରା ସେବା କରୁଛ ସେହି ସମୟରେ ସଂକଳ୍ପ ଦ୍ୱାରା ଏବଂ କର୍ମଣା
ଅର୍ଥାତ୍ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ମଧ୍ୟ ସେବା ହେଉଛି! କ’ଣ ଏକାଠି ସେବା ହେଉଛି? ଯେଉଁମାନେ
ଭାବୁଛନ୍ତି ଯେ ଆମେ ଏକା ସମୟରେ ତିନୋଟି ଯାକ ସେବା କରୁଛୁ, ସେମାନେ ହାତ ଉଠାଅ । ଏକା ସମୟରେ
ତିନି ପ୍ରକାରର ସେବା । ତେଣୁ ଏବେ ଦୟାକରି ବିଶେଷ ଧ୍ୟାନ ଦିଅ । କେବେ କେବେ ନୁହେଁ । ଏଥିରେ
କ’ଣ ହେଉଛି ଜାଣିଛ? ସେବା ତ କରୁଛ କିନ୍ତୁ ସେବା କରିବା ସହିତ ନିଜ ଭିତରେ ଏବଂ ସାଥୀମାନଙ୍କ
ଭିତରେ ସନ୍ତୁଷ୍ଟତା ରହୁଛି ତ? କାହିଁକିନା ସେବାର ଫଳ ହେଲା ସନ୍ତୁଷ୍ଟତା ବା ଖୁସି । ତେଣୁ ଚେକ୍
କର ସେବା ତ କରିଲି କିନ୍ତୁ ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ସେବାର ଖୁସି ସେତେବେଳେ ମିଳିବ
ଯେତେବେଳେ ନିଜେ ଓ ନିଜର ସେବାସାଥୀମାନେ ଏବଂ ବାତାବରଣ ସମସ୍ତେ ସନ୍ତୁଷ୍ଟତାର ତରଙ୍ଗ ଭିତରେ
ରହିଥିବେ । ତେବେ ସେବାର ସଫଳତାର ବିଶେଷ ତିନୋଟି କଥା ମଧ୍ୟ ଶୁଣାଇଥିଲୁ, ତୁମମାନଙ୍କର ମନେ ଥିବ
। ପ୍ରଥମ ନମ୍ବର ହେଲା ସେବା ଅର୍ଥାତ୍ ନିମିତ୍ତ ଭାବ । ଦ୍ୱିତୀୟରେ - ନିର୍ମାଣ ଅର୍ଥାତ୍
ନମ୍ରତାଭାବନା । ତୃତୀୟରେ - ନିର୍ବଳବାଣୀ । ଭାବ, ଭାବନା ଏବଂ ସ୍ୱଭାବ । ଯଦି ସେବା କରିବା ସହିତ
ଏଗୁଡିକ ଠିକ୍ ଥିବ ତେବେ ନିଜେ ମଧ୍ୟ ସନ୍ତୁଷ୍ଟ, ସାଥୀମାନେ ମଧ୍ୟ ସନ୍ତୁଷ୍ଟ ଏବଂ ଯେଉଁମାନଙ୍କର
ସେବା କରିଲ ସେମାନେ ମଧ୍ୟ ଆଗକୁ ବଢି ଚାଲିବେ । ତେବେ ନିମିତ୍ତ ଭାବ ରଖି ସେବା କରିବାବାଲା ହିଁ
ବାବାଙ୍କ ସହିତ ସେମାନଙ୍କର ସମ୍ବନ୍ଧ ଯୋଡିବେ । ଯଦି ନିମିତ୍ତ ଭାବ ନାହିଁ ତେବେ ସେମାନେ ସେତେଟା
ବାବାଙ୍କର ପାଖାପାଖି ହୋଇପାରିବେ ନାହିଁ । ତେଣୁ ଯେତେବେଳେ ବି ସେବା କରୁଛ ଏହି କଥା ଚେକ୍ କର
ଯେ ମୋ’ର ଭାବ ଭାବନା ଏବଂ ସ୍ୱଭାବ ଠିକ୍ ଅଛି ତ? ଏବଂ ଆଜିକାଲି ବାପଦାଦା ଦେଖୁଛନ୍ତି ଯେ ବାପଦାଦା
ଯେଉଁ ମୂଳ କଥାଟି କହିଛନ୍ତି ଯେ ଯେଉଁଠି ବି ସେବା କରୁଛ ସେଠାରେ ଚେକ୍ କର ଯେ ମୁଁ ନିଜେ
ସନ୍ତୁଷ୍ଟ ଥିଲି ତ! ଏବଂ ସାଥୀମାନେ ସନ୍ତୁଷ୍ଟ ଥିଲେ ତ? କାହିଁକିନା ସେବାର ସଫଳତା ହେଲା -
ସନ୍ତୁଷ୍ଟତା ରୂପୀ ଫଳ ପ୍ରାପ୍ତ ହେବା ଏବଂ ଖୁସି ପ୍ରାପ୍ତ ହେବା । ଏହା ସହିତ ଆଉ ଗୋଟିଏ କଥା
ପ୍ରତି ବାପଦାଦା ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ ଚାଲିବା ବୁଲିବା ସମୟରେ, ସଂଗଠନ ଭିତରେ ମଧ୍ୟ
ରହୁଛ, ସେବାକ୍ଷେତ୍ରରେ କାହାର ନା କାହାର ସଂଗରେ ମଧ୍ୟ ସେବା କରୁଛ, ତେଣୁ ପରସ୍ପରକୁ ଆତ୍ମା
ରୂପରେ ଦେଖ । ଆତ୍ମା ରୂପରେ ମଧ୍ୟ ଦେଖୁଛ, ଅଭ୍ୟାସ ମଧ୍ୟ କରୁଛ କିନ୍ତୁ ଯେତେବେଳେ ଆତ୍ମା ରୂପରେ
ଦେଖୁଛ ସେତେବେଳେ ଆତ୍ମାର ମୂଳ ସଂସ୍କାର ରୂପରେ ଦେଖୁଛ ତ? ନା ଯେଉଁ ସଂସ୍କାର ଗୁଡିକ ପରେ
ମିଶିଯାଇଛି ସେଗୁଡିକ ମଧ୍ୟ ଦେଖାଯାଉଛି? ଆତ୍ମା ରୂପରେ ଦେଖିବାରେ ମଧ୍ୟ ପାସ୍ ହୋଇଯାଉଛ କିନ୍ତୁ
କେଉଁ ଭଳି ସଂସ୍କାର ସେହି ତ ଦେଖୁଛ? କ’ଣ ଆତ୍ମାର ଓରିଜିନାଲ୍ ଅର୍ଥାତ୍ ମୂଳ ସଂସ୍କାରକୁ
ଦୃଷ୍ଟିରେ ରଖି ସମ୍ପର୍କରେ ଆସୁଛ? ନା ବର୍ତ୍ତମାନର ସଂସ୍କାର ମଧ୍ୟ ସାମ୍ନାକୁ ଆସିଯାଉଛି? ତେଣୁ
ବାବା କହୁଛନ୍ତି ଯେ ଆଜିଠାରୁ କାହାକୁ ବି ପ୍ରଥମେ ତ ଆତ୍ମା ରୂପରେ ଦେଖ ଏବଂ ଆତ୍ମାର ଯେଉଁ ମୂଳ
ସଂସ୍କାର ରହିଛି ସେହି ରୂପରେ ଦେଖ । ଯାହାଦ୍ୱାରା କେବେ କେବେ ପରସ୍ପର ଭିତରେ ଯଦି କୌଣସି କଥା
ଆସିଯାଉଛି ତାହା ହେବ ନାହିଁ । ଏବେ କେବଳ ଆତ୍ମା ରୂପରେ ଦେଖୁଛ, ତେଣୁ ତା’ର ବର୍ତ୍ତମାନର
ସଂସ୍କାର ମଧ୍ୟ ସାମନାକୁ ଆସିଯାଉଛି । ତେଣୁ ପରସ୍ପର ଭିତରେ ଯେଉଁଭଳି ସମ୍ପୂର୍ଣ୍ଣ ସ୍ଥିତି ରହିବା
ଦରକାର ସେଥିରେ ଦୂରତା ଆସିଯାଉଛି । ତେଣୁ ଓରିଜିନାଲ୍ ସଂସ୍କାର ସହିତ ଆତ୍ମାକୁ ଦେଖ, ଯାହାଦ୍ୱାରା
ସଂଗଠନ ଭିତରେ ଯେଉଁ ସବୁ ବାଧାବିଘ୍ନ ଆସୁଛି, ସେଗୁଡିକ ସମାପ୍ତ ହୋଇଯିବ ।
ତୁମର ଏହି ବ୍ରାହ୍ମଣ
ପରିବାର ଅତି ଶ୍ରେଷ୍ଠ ପରିବାର ଅଟେ । ଏହାର ମହିମା ଅନେକ, କାରଣ ଏହି ଈଶ୍ୱରୀୟ ପରିବାର
ବାରମ୍ବାର ମିଳି ନଥାଏ । ସାରା କଳ୍ପରେ ଥରେ ମାତ୍ର ଏହି ଈଶ୍ୱରୀୟ ପରିବାର ମିଳିଛି । ଏତେ ବଡ
ପରିବାର ସାରା କଳ୍ପ ଭିତରେ କେବେ ବି ମିଳିବ ନାହିଁ । ତେଣୁ ଏହି ପରିବାରର ବିଶେଷତାକୁ ଜାଣିବା
ଏବଂ ପରିବାର ସହିତ ମିଶି ଚାଲିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ । ପୂର୍ବରୁ ମଧ୍ୟ ଶୁଣାଇ
ସାରିଛୁ ଯେ ଏହି ଜ୍ଞାନର ମୂଳ ଦୁଆ ହେଲା ନିଶ୍ଚୟ ଏବଂ ନିଶ୍ଚୟ ଭିତରେ ଚାରୋଟି କଥା ରହିଛି ।
ବାବାଙ୍କ ଉପରେ ନିଶ୍ଚୟ, ଦାଦା ଅର୍ଥାତ୍ ବ୍ରହ୍ମାବାବା ତ ସାଥୀରେ ହିଁ ଅଛନ୍ତି, ଏଥିସହିତ ଜ୍ଞାନ
ଉପରେ, ଡ୍ରାମା ଉପରେ ଏବଂ ପରିବାର ଉପରେ ମଧ୍ୟ ନିଶ୍ଚୟ ରହିବା ଦରକାର । ତେଣୁ ନିଶ୍ଚୟ ବୁଦ୍ଧି
ହେବା ଦ୍ୱାରା ସହଜ ପୁରୁଷାର୍ଥୀ ହୋଇଯାଉଛ । ଯେପରି ବାପଦାଦାଙ୍କ ଉପରେ ନିଶ୍ଚୟ ରହିଛି, ସେହିପରି
ପରିବାର ଉପରେ ମଧ୍ୟ ନିଶ୍ଚୟ ଆବଶ୍ୟକ ଅଟେ । ଦେଖ, ଯେତେବେଳେ ତୁମେ କୌଣସି ଜିନିଷକୁ ପ୍ୟାକିଂ
କରୁଛ ସେତେବେଳେ କ’ଣ କରୁଛ? ଚାରିପଟୁ ଟାଇଟ୍ କରୁଛ ନା, ଗୋଟିଏ ପଟ ଯଦି ଟାଇଟ୍ ନହେଲା ତେବେ ହଲ୍ଚଲ୍
ହୋଇଥାଏ ନା । ସେହିପରି ବାବାଙ୍କ ଉପରେ, ଜ୍ଞାନ ଉପରେ, ଜ୍ଞାନରେ ମଧ୍ୟ ବିଶେଷ ଡ୍ରାମା ଏବଂ
ପରିବାରର ଜ୍ଞାନ ରହିଛି । ଯଦି ଚାରୋଟି ଯାକ କଥାରେ ମଜବୁତ ନୁହେଁ ତେବେ ବିଘ୍ନ ଆସୁଛି ଏବଂ
ବିଘ୍ନ ଗୁଡିକୁ ଅତିକ୍ରମ କରିବା ପାଇଁ ଧ୍ୟାନ ଦେବାକୁ ପଡୁଛି, ସେଥିପାଇଁ ପରିବାରର ସତ୍ୟ ପରିଚୟ,
ପରିବାର ପ୍ରତି ସ୍ନେହ, ପରସ୍ପରକୁ ବୁଝିବା - ଏସବୁ ବହୁତ ଆବଶ୍ୟକ ଅଟେ ।
ପୂର୍ବଜ ମଧ୍ୟ ଅଟ,
ପୂଜ୍ୟ ମଧ୍ୟ ଅଟ, ତେଣୁ ଏହି କଥାଗୁଡିକୁ ମଧ୍ୟ ସାଥୀମାନଙ୍କ ଭିତରେ ଧାରଣ କରିବାକୁ ପଡିବ । ଯାହା
ବି ହୋଇଥାଉ, କ୍ରମାନ୍ୱୟ ହିସାବରେ ତ ରହିବେ ନା! କିନ୍ତୁ ବ୍ରାହ୍ମଣ କରିବାରର ବିଶେଷ କାର୍ଯ୍ୟ
ହେଲା ଦୁଆ ଦେବା, ଦୁଆ ନେବା । ବହୁତ ପିଲା କହୁଛନ୍ତି ଯେ ଅନ୍ୟ ଜଣେ ତ କ୍ରୋଧ କରୁଛି, ତେଣୁ ସେ
ଦୁଆ ନେବ କିପରି! ଦୁଆ ତ ନେବ ନାହିଁ, ବରଂ କ୍ରୋଧ କରିବ । ବାପଦାଦା କହୁଛନ୍ତି ଆଚ୍ଛା ସଂସ୍କାରର
ବଶୀଭୂତ ହୋଇ ସେ ତୁମକୁ ବଦଦୁଆ ଅର୍ଥାତ୍ ଅଭିଶାପ ଦେଉଛି, ତୁମେ ତାକୁ ଦୁଆ ଦେବା ପାଇଁ ଚାହୁଁଛ
କିନ୍ତୁ ସେ ତୁମକୁ ବଦ୍ଦୁଆ ଦେଉଛି । ତେବେ ସେ ଯଦି ବଦ୍ଦୁଆ ଦେଲା ତାକୁ ନେବାବାଲା କିଏ?
ନେବାବାଲା ତୁମେ ନା ସେ? ସେ ହେଲା ଦେବାବାଲା, ତୁମେ ହେଲ ନେବାବାଲା । ତେବେ ତା’ର ବଦଦୁଆ ତୁମେ
ନେଲ କାହିଁକି? ଯଦି ତୁମେ ତା’କୁ ଓରିଜିନାଲ୍ ସଂସ୍କାର ସହିତ ଦେଖିବ ତେବେ ତୁମ ଭିତରେ ଦୟା ଭାବ
ଆସିବ । ତେଣୁ ନିଜେ ମଧ୍ୟ ନିରାପଦ ରୁହ, ତା’ଠାରୁ ଅଭିଶାପ ନିଅ ନାହିଁ, କାରଣ ନେବାବାଲା ତ ତୁମେ
ଅଟ । ତେଣୁ ଦିଅ ନାହିଁ କି ନିଅ ନାହିଁ ।
ବାପଦାଦା ଆଜି ସବୁ
ପିଲାଙ୍କୁ ହୋମୱାର୍କ ଦେଉଛନ୍ତି ଯେ ସବୁବେଳେ ସମସ୍ତଙ୍କୁ ଆତ୍ମା ରୂପରେ ଦେଖ, ବର୍ତ୍ତମାନର
ସଂସ୍କାର ହିସାବରେ ନୁହେଁ । ଆତ୍ମା କହିବା ମାତ୍ରକେ ସେହି ଆତ୍ମାର ଯେଉଁ ନିଜ ସ୍ୱ ସଂସ୍କାର
ରହିଛି, ସେହି ନିଜସ୍ୱ ସଂସ୍କାର ରୂପରେ, ତା’ ସହିତ ସମ୍ବନ୍ଧରେ ମଧ୍ୟ ଆସ ଏବଂ ସେହି ଦୃଷ୍ଟିରେ
ମଧ୍ୟ ଦେଖ ତାହା ହେଲେ ଯେତେ ସବୁ ବିଘ୍ନ ସୃଷ୍ଟି ହେଉଛି, ଯାହାଦ୍ୱାରା ପୁରୁଷାର୍ଥରେ ତୀବ୍ରତା
ଆସିପାରୁ ନାହିଁ ସେଗୁଡିକ ସମାପ୍ତ ହୋଇଯିବ । ତେଣୁ ଏବେ ନିଜର ଦୃଷ୍ଟିକୁ ଏବଂ ବୃତ୍ତିକୁ
ପରିବର୍ତ୍ତନ କରି ବିଘ୍ନଗୁଡିକୁ ସମାପ୍ତ କର । ଯାହା ଭିତରେ ଯାହା ବି ଦେଖୁଛ, ବାପଦାଦା ପୂର୍ବରୁ
ମଧ୍ୟ କହିଛନ୍ତି ତୁମର ବ୍ରାହ୍ମଣ ପରିବାରର ସମସ୍ତଙ୍କର କର୍ତ୍ତବ୍ୟ ହେଲା - ପରସ୍ପରକୁ ଶୁଭଭାବନା,
ଶୁଭକାମନା ଦେବା ଏବଂ ଶୁଭଭାବନା ଶୁଭକାମନା ନେବା । ତେଣୁ ସେହିଭଳି ସଂସ୍କାରରେ ଦେଖ ଏବଂ ପରିବାର
ସହିତ ଚାଲ । ଏହା ସହିତ ଆଉ ଗୋଟିଏ କଥା ମଧ୍ୟ ଶୁଣାଉଛୁ - ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ସଂଗଠନ
ଭିତରେ କେଉଁଠି କେଉଁଠି କେବେ କେବେ ପରଦର୍ଶନ, ପରଚିନ୍ତନ ଏବଂ ପରମତ ଆଡକୁ ମଧ୍ୟ ପିଲାମାନେ
ଆକର୍ଷିତ ହୋଇଯାଉଛନ୍ତି । ତେଣୁ ଏବେ ଏହି ତିନୋଟି ପରକୁ କାଟି ଗୋଟିଏ ପର ରଖ - ତାହା ହେଲା
ପରଉପକାର । ମୁଁ ପରଉପକାରୀ ଅଟେ, ମୋତେ ପରଉପକାର କରିବାକୁ ହେବ । ତେବେ ବ୍ରାହ୍ମଣମାନଙ୍କର
ସ୍ୱଭାବ ହେଲା ପରଉପକାରୀ ପରଦର୍ଶନକାରୀ ନୁହେଁ, ତେଣୁ ଏହି ପରକୁ କାଟିଦିଅ । ତେବେ ଏହି ତିନୋଟି
ଯାକ ପର ବହୁତ କ୍ଷତି କରୁଛନ୍ତି । ସେଥିପାଇଁ ସର୍ବଦା ନିଜର ଏହି ସ୍ୱମାନକୁ ମନେ ରଖ ଯେ ମୁଁ
ପରଉପକାରୀ ହିଁ ଅଟେ । ତେବେ ଆଗାମୀ ସିଜିନ୍ରେ ବାପଦାଦା ପ୍ରତ୍ୟେକ ପିଲା ଭିତରେ ଏହି
ପରିବର୍ତ୍ତନ ଦେଖିବାକୁ ଚାହୁଁଛନ୍ତି । କ’ଣ ହୋଇପାରିବ? ବାପଦାଦା ଏଥିପାଇଁ ଅଭିନନ୍ଦନ ମଧ୍ୟ
ଦେଉଛନ୍ତି, ପରସ୍ପରକୁ ଏହି କଥା ମନେ ପକାଇଦିଅ । କ’ଣ କରିବ ତ? ପ୍ରତିଦିନ ରାତିରେ ଶୋଇବା
ପୂର୍ବରୁ ବାପଦାଦାଙ୍କୁ ଗୁଡ୍ ନାଇଟ୍ କରିବା ପୁର୍ବରୁ ନିଜର ସାରା ଦିନର ସମାଚାର ଦିଅ । ଭଲ
କରିଛି ନା ଖରାପ କରିଛି? ଯାହା ବି କରିଛ ତା’ର ସମାଚାର ବାବାଙ୍କୁ ଦେଇ, ନିଜର ବୁଦ୍ଧିକୁ ଖାଲି
କରିବା ପରେ ଗୁଡ୍ ନାଇଟ୍ କରିବ ଏବଂ ବାବାଙ୍କର ସ୍ମୃତିରେ ଶୋଇପଡିବ । ଯାହାଦ୍ୱାର । ତୁମର ନିଦ
ମଧ୍ୟ ଭଲ ହେବ । ପ୍ରଥମେ ନିଜକୁ ଖାଲି କରିବ, ବୁଦ୍ଧିରେ କୌଣସି କଥା ରଖିବ ନାହିଁ । ଯଦି ପିତା
ରୂପରେ ସାରା ସମାଚାର ସଚ୍ଚା ଦିଲ୍ରେ ଦେଇ ଦେବ, ତେବେ ତୁମକୁ ଧର୍ମରାଜ ପୁରୀକୁ ଯିବାକୁ ପଡିବ
ନାହିଁ । ସଚ୍ଚା ଦିଲ୍ ଉପରେ ସାହେବ ବାବା ରାଜି ଅର୍ଥାତ୍ ସନ୍ତୁଷ୍ଟ ହୋଇଯିବେ । ତେବେ ହୋମ୍ୱାର୍କ
ମିଳିଗଲା ତ! ଗୋଟିଏ ହେଲା ନିଜର ପୂର୍ବଜ ଏବଂ ପୂଜ୍ୟ ସ୍ୱରୂପର ସେବା ଚାଲିବା ବୁଲିବା ସମୟରେ
ମଧ୍ୟ କରିପାରିବ । ବାବା ଦେଖୁଛନ୍ତି ଯେ ଜନକ ବଚ୍ଚୀର ସ୍ୱାସ୍ଥ୍ୟ ଖରାପ ଥିଲେ ମଧ୍ୟ କରାଚୀ
ସେବାରେ ବିଶେଷ ସଂକଳ୍ପ ଦ୍ୱାରା ସକାଶ ଦେଇଛି, ଚାହେଁ କେହି ବି ସେବାରେ ନିମିତ୍ତ ହୋଇଥାଉ କିନ୍ତୁ
ଇଏ ବାସ୍ତବିକ ରୂପରେ ସକାଶ ଦେବାର ସେବା କରିଛି ଏବଂ ଏଠିକାର ଆତ୍ମାମାନଙ୍କୁ ମଧ୍ୟ ସକାଶ ମିଳିଛି
। ଯାହାଦ୍ୱାରା ଆହୁରି ଆଗକୁ ଆଗକୁ ଉମଙ୍ଗ-ଉତ୍ସାହର ସହିତ ବଢିଚାଲିଛନ୍ତି ।
ତେବେ ବାପଦାଦା ଏହିଭଳି
ବାସ୍ତବିକ ଦୃଷ୍ଟାନ୍ତ ଦେଖିଛନ୍ତି । ତେଣୁ ତୁମେମାନେ ମଧ୍ୟ କରିପାରିବ, ଦୁଃଖୀ ଆତ୍ମା ପାଖରେ,
ଚିତ୍କାର କରୁଥିବା ଆତ୍ମା ପାଖରେ ଖୁସିର ତରଙ୍ଗ ପହଞ୍ଚାଇ ପାରିବ । ତୁମମାନଙ୍କର ଭକ୍ତ ତୁମକୁ
ହିଁ ଡାକୁଛନ୍ତି - ଆମର ଦେବୀମାନେ, ଆମର ଦେବତାମାନେ କେବେ ଆସି ଆମକୁ ଦୟା କରିବେ । ତୁମମାନଙ୍କୁ
ଶୁଭୁ ନାହିଁ କିନ୍ତୁ ବାବାଙ୍କୁ ବହୁତ ଭଲ ଶୁଭୁଛି । ସମସ୍ତେ ନିଜ ନିଜର ଇଷ୍ଟଙ୍କୁ ଡାକୁଛନ୍ତି ।
ତୁମେମାନେ ଜାଣିନାହଁ ଆମର ଭକ୍ତ କିଏ କିନ୍ତୁ ସେମାନେ ତ ଜାଣିଛନ୍ତି ନା । ସେମାନେ ତ ଡାକିବାରେ
ଲାଗିଛନ୍ତି । ତେବେ ତୁମ ସମସ୍ତ ବ୍ରାହ୍ମଣ ଆତ୍ମାମାନଙ୍କର ଭକ୍ତ ଅଛନ୍ତି । ଚାହେଁ ଢିଲାଢାଲା
ହୋଇଥାଆନ୍ତୁ ବା ନିଷ୍ଠାପର ଭକ୍ତ ହୋଇଥାଆନ୍ତୁ ତୁମମାନଙ୍କର ହିଁ ଭକ୍ତ ଅଟନ୍ତି କାହିଁକିନା
ତୁମେମାନେ ଜଡ ମୂର୍ତ୍ତି ରୂପରେ ବସିଛ ନା, ତେଣୁ ତୁମମାନଙ୍କର ସକାଶ ଦେବାର ପାର୍ଟ ରହିଛି । ତେଣୁ
ଏବେ ସଂକଳ୍ପର ସେବାକୁ ବଢାଅ । ଏହା ଛଡା ଯେତେ ଅଧିକ ସେବାରେ ବ୍ୟସ୍ତ ରହିବ ସେତିକି ନିର୍ବିଘ୍ନ
ମଧ୍ୟ ରହିବ । କରିପାରିବ ନା! ମାନସୀକ ସେବା ଅର୍ଥାତ୍ ସଂକଳ୍ପ ଦ୍ୱାରା ସେବା କରିବା ଜାଣିଛ ନା!
ଆଚ୍ଛା ନିୟମ ପୂର୍ବକ କରୁଛ ନା କେବେ କେବେ କରୁଛ? ଯଦି କେବେ କେବେ କରୁଛ ତେବେ ତା’କୁ ନିୟମିତ
କର ଆଉ ଯଦି ଅଳ୍ପ ଅଳ୍ପ କରୁଛ ତେବେ ତାକୁ ଆହୁରି ଅଧିକ କର କାହିଁକିନା ସାରା କଳ୍ପର ଆଧାର
ବର୍ତ୍ତମାନ ସମୟର ସେବାର ଫଳ ଅଟେ । ଚାହେଁ ପୂଜାରୀ ହୋଇପାର, ଚାହେଁ ରାଜ୍ୟ ଅଧିକାରୀ ହୋଇପାର
ଦୁଇଟି ଯାକର ଆଧାର ବର୍ତ୍ତମାନର ସେବା, ବର୍ତ୍ତମାନର ଅବସ୍ଥା । ବାଣୀ ଏବଂ ସମ୍ବନ୍ଧ-ସମ୍ପର୍କ ଅଟେ,
ସେଥିପାଇଁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଯେତିକି ପରିମାଣ ଏବେ ଅଛି, ତା’ଠାରୁ ବଢିବା
ଦରକାର । ଏମିତି ତ ବାପଦାଦା ପୂର୍ବରୁ ମଧ୍ୟ କହିଆସୁଛନ୍ତି - ଯଦି କରିବାକୁ ଚାହୁଁଛ, ତେବେ ଏବେ
କର । କେବେ ନୁହେଁ । ବାପଦାଦାଙ୍କୁ କେବେ କେବେର ଗୀତ ବହୁତ ଶୁଣାଉଛନ୍ତି । ବହୁତ ଭଲ ଭଲ ରୂପରେ
ଶୁଣାଉଛନ୍ତି କିନ୍ତୁ ବାପଦାଦାଙ୍କୁ କେବେ କେବେର ଗୀତ ଭଲ ଲାଗେ ନାହିଁ । ଏବେ ଏବେର ଗୀତ ଭଲ ଲାଗେ
। ତୁରନ୍ତ ଦାନ ମହାପୁଣ୍ୟ । ତେଣୁ ବୁଝିପାରିଲ ଏବେ କ’ଣ କରିବ? ଆଚ୍ଛା!
ଚାରିଆଡର ପିଲାମାନେ ଚାହେଁ
ସମ୍ମୁଖରେ ବସିଥାଆନ୍ତୁ ବା ଯେଉଁଠି ବି ବସିଥାଆନ୍ତୁ କିନ୍ତୁ ସମସ୍ତଙ୍କ ଭିତରେ ବାବାଙ୍କର ସ୍ମୃତି
ରହିଛି, ଏବଂ ବାବାଙ୍କୁ ମଧ୍ୟ କିଏ ମନେ ପଡୁଛନ୍ତି? ଚାରିଆଡର ପିଲାମାନେ ହିଁ ସ୍ମୃତିରେ ଅଛନ୍ତି
କାହିଁକିନା ବାବା ପ୍ରତ୍ୟେକ ସନ୍ତାନ ପାଇଁ ଏହି ଆଶା ରଖିଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ପିତା
ସମାନ ନିଶ୍ଚିତ ହେବ । ବାବାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ଯେଉଁ ଆଶା ରହିଛି, ଯଦିଓ ଜାଣିଛନ୍ତି
ଯେ ପିଲାମାନେ କ୍ରମାନ୍ୱୟ ହିସାବରେ ଅଛନ୍ତି କିନ୍ତୁ ପୁଣି ବି ନିଜର ନମ୍ବର ଅନୁସାରେ ମଧ୍ୟ
ସମ୍ପନ୍ନ ତ ହେବ ନା । ସମସ୍ତଙ୍କର ପୁରୁଷାର୍ଥକୁ ମଧ୍ୟ ଦେଖୁଛନ୍ତି ପିଲାମାନେ କ’ଣ କ’ଣ ସବୁ
କରୁଛନ୍ତି । ବାବାଙ୍କୁ ତ ବହୁତ ସ୍ନେହ ଆସୁଛି । ପିଲାମାନେ ଯେତେବେଳେ ମେହନତ କରିଥାଆନ୍ତି
ସେତେବେଳେ ବାବାଙ୍କ ଭିତରେ ବହୁତ ସ୍ନେହ ଆସିଥାଏ, ଏମାନେ କିପରି ମେହନତରୁ ମୁକ୍ତି ପାଇ ଯାଆନ୍ତୁ
। ସ୍ନେହରେ ତ ଅଧିକାଂଶ ପାସ୍ ଅଟନ୍ତି କିନ୍ତୁ ଅନେକ କଥା ଭିତରେ ଆସିଯିବା କାରଣରୁ ବାବାଙ୍କୁ
ଭୁଲିଯାଉଛନ୍ତି ।
ଚାରିଆଡର ପିଲାମାନଙ୍କୁ
ବାପଦାଦାଙ୍କର ପଦ୍ମାପଦ୍ମଗୁଣା ସ୍ନେହ ଏବଂ ଆନ୍ତରିକ ପ୍ରେମ ସ୍ୱୀକାର ହେଉ । ସମସ୍ତଙ୍କୁ ବା
ମାଲିକ ପିଲାମାନଙ୍କୁ ଲକ୍ଷ ଲକ୍ଷ ଅଭିନନ୍ଦନ ଦେଉଛନ୍ତି । ଉଡିଚାଲ, ଉଡାଇଚାଲ । ଆଚ୍ଛା!
ବରଦାନ:-
ସ୍ୱ ସ୍ଥିତି
ଦ୍ୱାରା ସର୍ବ ପରିସ୍ଥିତିଗୁଡିକୁ ଅତିକ୍ରମ କରୁଥିବା ନିରାକାରୀ, ଅଳଙ୍କାରୀ ହୁଅ ।
ଯେଉଁମାନେ ଅଳଙ୍କାରୀ
ଅଟନ୍ତି ସେମାନେ କେବେ ବି ଦେହ ଅହଂକାରୀ ହୋଇପାରିବେ ନାହିଁ । ତେବେ ନିରାକାରୀ ଏବଂ ଅଳଙ୍କାରୀ
ହୋଇ ରହିବା ହିଁ ମନମନାଭବ ଏବଂ ମଧ୍ୟାଜୀଭବ ଅଟେ । ଯେତେବେଳେ ଏହିଭଳି ସ୍ୱ ସ୍ଥିତିରେ ସର୍ବଦା
ସ୍ଥିତ ରହୁଛ ସେତେବେଳେ ସବୁ ପ୍ରକାରର ପରିସ୍ଥିତିକୁ ସହଜରେ ଅତିକ୍ରମ କରିଯାଉଛ, ଏହାଦ୍ୱାରା
ଅନେକ ପୁରୁଣା ସ୍ୱଭାବ ମଧ୍ୟ ସମାପ୍ତ ହୋଇଯାଉଛି । ସ୍ୱ ଭିତରେ ଆତ୍ମାର ଭାବକୁ ଦେଖିବା ଦ୍ୱାରା
ଭାବ-ସ୍ୱଭାବର ସଂଘର୍ଷ ମଧ୍ୟ ସମାପ୍ତ ହୋଇଯାଉଛି ଏବଂ ସମ୍ମୁଖୀନ କରିବାର ସର୍ବ ଶକ୍ତି ଗୁଡିକ
ମଧ୍ୟ ନିଜ ଭିତରେ ଆସିଯାଉଛି ।
ସ୍ଲୋଗାନ:-
ଯଦି ସଂକଳ୍ପର
ଗୋଟିଏ ପାଦ ତୁମର ଉଠିବ ତେବେ ସହଯୋଗର ହଜାର ପାଦ ବାବା ସହଯୋଗ ରୂପରେ ଦେବେ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ । ଯେଉଁମାନେ ନିଜର ବା
ଅନ୍ୟମାନଙ୍କର ଅତୀତକୁ ଦେଖି ନ ଥାଆନ୍ତି, ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ ଲଗାଇ ଦେଇଥାଆନ୍ତି
ସେମାନେ ସରଳଚିତ୍ତ ହୋଇଥାଆନ୍ତି ଏବଂ ଯେଉଁମାନେ ସରଳଚିତ୍ତ ଅଟନ୍ତି, ସେମାନଙ୍କର ନୟନରେ,
ମୁଖମଣ୍ଡଳରେ, ଚାଲିଚଳନରେ ମଧୁରତା ବା ହର୍ଷିତମୁଖତା ପ୍ରତ୍ୟକ୍ଷ ରୂପରେ ଦେଖିବାକୁ ମିଳିଥାଏ ।
ଏହିଭଳି ସରଳଚିତ୍ତ ସ୍ଥିତିରେ ରହୁଥିବା ଆତ୍ମା ଅନ୍ୟମାନଙ୍କୁ ମଧ୍ୟ ସରଳଚିତ୍ତ କରିଦିଅନ୍ତି ।
ତେବେ ସରଳଚିତ୍ତର ଅର୍ଥ ହେଲା ଯେଉଁ କଥା ଶୁଣିଲ ବା ଦେଖିଲ ବା କରିଲ ତାହା ସାରାଂଶ ଯୁକ୍ତ ହେବା
ଦରକାର ଏବଂ ସବୁବେଳେ ସାରାଂଶକୁ ହିଁ ଗ୍ରହଣ କର ।