07.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଭିନ୍ନ
ଭିନ୍ନ ଉପାୟ ବୁଦ୍ଧିରେ ରଖି ଯୋଗର ଯାତ୍ରାରେ ରୁହ, ଏହି ପୁରୁଣା ଦୁନିଆକୁ ଭୁଲି ନିଜର ସ୍ୱିଟ୍
ହୋମ୍ ଅର୍ଥାତ୍ ଶାନ୍ତିଧାମ ଏବଂ ନୂଆ ଦୁନିଆକୁ ମନେ ପକାଅ ।”
ପ୍ରଶ୍ନ:-
କେଉଁ
କର୍ତ୍ତବ୍ୟ ଅଥବା ପୁରୁଷାର୍ଥ ଏବେ ହିଁ ହୋଇଥାଏ, ସାରା କଳ୍ପରେ ହୁଏ ନାହିଁ?
ଉତ୍ତର:-
ଯୋଗର ଯାତ୍ରାରେ ରହି ଆତ୍ମାକୁ ପାବନ କରିବାର ପୁରୁଷାର୍ଥ, ସମଗ୍ର ବିଶ୍ୱକୁ ପତିତରୁ ପାବନ
କରିବାର କାର୍ଯ୍ୟ ସାରା କଳ୍ପରେ କେବଳ ଏହି ସଂଗମ ସମୟରେ ହିଁ ହୋଇଥାଏ । ଏହି କାର୍ଯ୍ୟର
ପୁନରାବୃତ୍ତି ପ୍ରତି କଳ୍ପରେ ହେଉଛି । ତୁମେ ପିଲାମାନେ ଏହି ଅନାଦି ଅବିନାଶୀ ଡ୍ରାମାର
ଆଶ୍ଚର୍ଯ୍ୟଜନକ ରହସ୍ୟକୁ ଭଲ ଭାବରେ ବୁଝୁଛ ।
ଓମ୍ ଶାନ୍ତି ।
ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି ତେଣୁ ଆତ୍ମିକ ପିଲାମାନଙ୍କୁ
ଦେହୀ-ଅଭିମାନୀ କିମ୍ବା ଆତ୍ମ-ଅଭିମାନୀ ସ୍ଥିତିରେ ରହି ନିଶ୍ଚୟ ବୁଦ୍ଧି ହୋଇ ବସିବା କିମ୍ବା
ଶୁଣିବା ଆବଶ୍ୟକ । ବାବା ବୁଝାଇଛନ୍ତି ଯେ - ଆତ୍ମା ହିଁ ଶୁଣିଥାଏ ଏହି କର୍ମେନ୍ଦ୍ରିୟ ମାଧ୍ୟମରେ,
ଏହି କଥା ପକ୍କା ସ୍ମୃତିରେ ରହୁ । ସଦ୍ଗତି ଏବଂ ଦୁର୍ଗତିର ଚକ୍ର ସମ୍ବନ୍ଧୀୟ ଜ୍ଞାନ ସମସ୍ତଙ୍କ
ବୁଦ୍ଧିରେ ରହିବା ଦରକାର, ଯେଉଁଥିରେ ଜ୍ଞାନ ଏବଂ ଭକ୍ତି ସବୁ ଆସିଯାଇଥାଏ । ଚାଲିଲା-ବୁଲିଲା ବେଳେ
ମଧ୍ୟ ବୁଦ୍ଧିରେ ଏହି ଜ୍ଞାନ ରହୁ । ଜ୍ଞାନ ଏବଂ ଭକ୍ତି, ସୁଖ ଏବଂ ଦୁଃଖ, ଦିନ ଏବଂ ରାତ୍ରୀର ଖେଳ
କିପରି ଚାଲୁଛି । ଆମେ ୮୪ ଜନ୍ମର ଚକ୍ରରେ ଆସୁଛୁ । ବାବାଙ୍କର ଏ ସବୁ କଥା ମନେ ଅଛି ତେଣୁ
ପିଲାମାନଙ୍କୁ ମଧ୍ୟ ସ୍ମୃତିରେ ରଖିବାର ପୁରୁଷାର୍ଥ କରାଉଛନ୍ତି । ଏହା ଦ୍ୱାରା ତୁମର ବିକର୍ମ
ମଧ୍ୟ ବିନାଶ ହେଉଛି ଏବଂ ତୁମେ ରାଜ୍ୟ ପଦ ମଧ୍ୟ ପ୍ରାପ୍ତ କରୁଛ । ଜାଣୁଛ ଯେ ଏହି ପୁରୁଣା ଦୁନିଆ
ତ ଏବେ ସମାପ୍ତ ହେବ । ଯେପରି କୌଣସି ପୁରୁଣା ଘର ଥାଏ ଏବଂ ଅନ୍ୟ ଏକ ଘର ନୂଆ ତିଆରି କରାଯାଏ ତେବେ
ମନ ଭିତରେ ନିଶ୍ଚୟ ରହିଥାଏ ଯେ - ଏବେ ଆମେ ନୂଆ ଘରକୁ ଯିବୁ । ଘର ତିଆରି ହେବା ପାଇଁ କେବେ କେବେ
ବର୍ଷେ ଦୁଇ ବର୍ଷ ମଧ୍ୟ ଲାଗି ଯାଇଥାଏ । ଯେପରି ନୂଆ ଦିଲ୍ଲୀରେ ସରକାରଙ୍କର ଘର ଇତ୍ୟାଦି ତିଆରି
ହେଲେ ସରକାର ନିଶ୍ଚିତ ଚାହିଁବେ ଯେ, ଆମେ ନୂଆ ଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇଯିବୁ । ସେହିପରି
ତୁମେ ପିଲାମାନେ ମଧ୍ୟ ଜାଣୁଛ ଯେ ଏହା ବେହଦର ପୁରୁଣା ଦୁନିଆ ଅଟେ । ଏବେ ନୂଆ ଦୁନିଆକୁ ଯିବାକୁ
ହେବ । ସେଥିପାଇଁ ବାବା ଉପାୟ ବତାଉଛନ୍ତି - ଏଭଳି ଏଭଳି ଯୁକ୍ତିରେ ବୁଦ୍ଧିକୁ ସ୍ମରଣର ଯାତ୍ରାରେ
ରଖିବାକୁ ହେବ । ଆମକୁ ଏବେ ଘରକୁ ଯିବାକୁ ହେବ ତେଣୁ ସେହି ସ୍ୱୀଟ୍ ହୋମ୍ ଅର୍ଥାତ୍ ଶାନ୍ତିଧାମକୁ
ମନେ ପକାଇବାକୁ ହେବ, ଯାହା ପାଇଁ ମନୁଷ୍ୟମାନେ ଆଜି ପର୍ଯ୍ୟନ୍ତ ବହୁତ ପ୍ରଯତ୍ନ କରିଆସିଛନ୍ତି ।
ଏକଥା ମଧ୍ୟ ବାବା ମିଠା ମିଠା ପିଲାମାନଙ୍କୁ ବୁଝାଇଛନ୍ତି ଯେ ଏହି ଦୁଃଖଧାମ ଏବେ ଶେଷ ହେବ ।
ଯଦିଓ ତୁମେ ଏଠାରେ ରହିଛ ପରନ୍ତୁ ଏହି ପୁରୁଣା ଦୁନିଆ ତୁମକୁ ପସନ୍ଦ ନୁହେଁ । ଆମକୁ ପୁଣି ନୂଆ
ଦୁନିଆକୁ ଯିବାକୁ ହେବ । ଯଦିଓ ଆଗରୁ କୌଣସି ଚିତ୍ର ଆଦି ନ ଥିଲା ତଥାପି ତୁମେ ଜାଣିଛ ଯେ ଏବେ
ପୁରୁଣା ଦୁନିଆର ଅନ୍ତିମ ସମୟ । ଏବେ ଆମେ ନୂଆ ଦୁନିଆକୁ ଯିବୁ । ଭକ୍ତିମାର୍ଗରେ ତ କେତେ ଢେର
ଚିତ୍ର ରହିଛି । ତା’ ତୁଳନାରେ ତୁମର ତ ବହୁତ କମ୍ ଚିତ୍ର ରହିଛି । ତୁମର ଏହା ଜ୍ଞାନମାର୍ଗର
ଚିତ୍ର ଏବଂ ସେ ସବୁ ହେଲା ଭକ୍ତିମାର୍ଗର ଚିତ୍ର । ଚିତ୍ର ଆଧାରରେ ହିଁ ଭକ୍ତି କରାଯାଇଥାଏ ।
ତୁମର ତ ଏହା ବାସ୍ତବ ଚିତ୍ର ଅଟେ, ଏଣୁ ତୁମେ ବୁଝାଇ ପାରିବ ଯେ - ଭୁଲ୍ କ’ଣ, ଠିକ୍ କ’ଣ ।
ବାବାଙ୍କୁ କୁହାଯାଏ ନଲେଜଫୁଲ୍ ଅର୍ଥାତ୍ ଜ୍ଞାନର ଭଣ୍ଡାର । ତୁମଠାରେ ଏହି ଜ୍ଞାନ ରହିଛି । ତୁମେ
ଜାଣୁଛ ଯେ ଆମେ ସାରା କଳ୍ପରେ କେତେ ଜନ୍ମ ନେଇଛୁ । ଏହି ଚକ୍ର କିପରି ଘୂରୁଛି । ତୁମକୁ ନିରନ୍ତର
ବାବାଙ୍କର ସ୍ମୃତି ଏବଂ ଏହି ଜ୍ଞାନରେ ରହିବାର ଅଛି । ବାବା ତୁମକୁ ରଚୟିତା ଏବଂ ରଚନାର
ସମ୍ପୂର୍ଣ୍ଣ ଜ୍ଞାନ ଦେଇଛନ୍ତି ତେଣୁ ବାବାଙ୍କର ମଧ୍ୟ ସ୍ମୃତି ରହୁଛି । ବାବା ବୁଝାଉଛନ୍ତି ଯେ -
ମୁଁ ହେଉଛି ତୁମର ପିତା, ଶିକ୍ଷକ, ସତ୍ଗୁରୁ । ତୁମେ କେବଳ ଏକଥା ବୁଝାଅ ଯେ - ବାବା କହୁଛନ୍ତି
ତୁମେ ମୋତେ ପତିତ-ପାବନ, ମୁକ୍ତିଦାତା ଓ ପଥପ୍ରଦର୍ଶକ କହୁଛ ନା । ତେବେ କେଉଁ ପଥର ପଥ ପ୍ରଦର୍ଶକ?
ଶାନ୍ତିଧାମ ବା ମୁକ୍ତିଧାମର । ବାବା ନିଶ୍ଚିତ ଭାବରେ ସେଠାକୁ ନେଇଯିବେ । ପିଲାମାନଙ୍କୁ ପାଠ
ପଢାଇ, ସବୁ କିଛି ଶିଖାଇ, ଗୁଲଗୁଲ ସୁନ୍ଦର କରି ଘରକୁ ନିଶ୍ଚିତ ନେଇଯିବେ । ବାବାଙ୍କ ବ୍ୟତୀତ
କେହି ବି ଘରକୁ ନେଇ ଯାଇପାରିବେ ନାହିଁ, ଯଦିଓ କେହି କେତେ ବି ତତ୍ତ୍ୱ ଜ୍ଞାନୀ କିମ୍ବା ବହ୍ମ
ଜ୍ଞାନୀ ହୋଇଥାଆନ୍ତୁ । କିନ୍ତୁ ସେମାନେ ଭାବନ୍ତି ଆମେ ବ୍ରହ୍ମରେ ଲୀନ ହୋଇଯିବୁ । କିନ୍ତୁ ତୁମର
ବୁଦ୍ଧିରେ ଅଛି ଯେ ଶାନ୍ତିଧାମ ତ ଆମର ଘର । ସେଠାକୁ ଯାଇ ପୁଣି ଆମେ ପ୍ରଥମେ ପ୍ରଥମେ ନୂଆ
ଦୁନିଆକୁ ଆସିବୁ । ସେମାନେ ସମସ୍ତେ ପରେ ଆସିବେ । ତୁମେ ଜାଣୁଛ ଯେ ଅନ୍ୟ ଧର୍ମ ସବୁ କିପରି
କ୍ରମାନୁସାରେ ଆସୁଛନ୍ତି । ସତ୍ୟଯୁଗ ଏବଂ ତ୍ରେତୟା ଯୁଗରେ କାହାର ରାଜ୍ୟ ଥିଲା । ସେମାନଙ୍କର
ଧର୍ମ ଶାସ୍ତ୍ର କ’ଣ । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀମାନଙ୍କର ଶାସ୍ତ୍ର ତ ଗୋଟିଏ । କିନ୍ତୁ
ଭକ୍ତିମାର୍ଗର ଗୀତା ଶାସ୍ତ୍ର କିଛି ସତ୍ୟ ନୁହେଁ, ତୁମକୁ ଯେଉଁ ଜ୍ଞାନ ମିଳୁଛି ତାହା ତ ଏହିଠାରେ
ହିଁ ଲୋପ ପାଇଯାଉଛି । ସେଠାରେ ଅର୍ଥାତ୍ ସ୍ୱର୍ଗରେ କୌଣସି ଶାସ୍ତ୍ର ଆଦି ନାହିଁ । ଦ୍ୱାପର ଯୁଗରୁ
ଯେଉଁ ଧର୍ମ ସବୁ ଆସୁଛି ସେମାନଙ୍କର ଶାସ୍ତ୍ର ପ୍ରଚଳିତ ହୋଇ ଆସୁଛି । ଏବେ ପୁଣି ଗୋଟିଏ ଧର୍ମର
ସ୍ଥାପନା ହେଉଛି ତ ବାକି ସବୁ ଧର୍ମ ବିନାଶ ହୋଇଯିବ । କହୁଛନ୍ତି ଏକ ରାଜ୍ୟ, ଏକ ଧର୍ମ, ଏକ ଭାଷା,
ଏକ ମତ ହେଉ । ତାହା ତ ଜଣଙ୍କ ଦ୍ୱାରା ହିଁ ସ୍ଥାପନ ହୋଇପାରିବ । ତୁମେ ପିଲାମାନଙ୍କ ବୁଦ୍ଧିରେ
ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜ୍ଞାନ ରହିଛି । ବାବା କହୁଛନ୍ତି,
ଏବେ ପାବନ ହେବା ପାଇଁ ତୁମମାନଙ୍କୁ ପୁରୁଷାର୍ଥ କରିବାକୁ ହେବ । ତୁମମାନଙ୍କୁ ପତିତ ହେବା ପାଇଁ
ଅଧାକଳ୍ପ ଲାଗିଲା । ବାସ୍ତବରେ ପୁରା କଳ୍ପ କୁହାଯିବ, କାରଣ ଏହି ଯୋଗର ଯାତ୍ରା ତ ତୁମେମାନେ
ବର୍ତ୍ତମାନ ହିଁ କରୁଛ । ସେଠାରେ ଏ ସବୁ ନାହିଁ । ଦେବତାମାନେ ପତିତରୁ ପାବନ ହେବାର ପୁରୁଷାର୍ଥ
କରି ନ ଥା’ନ୍ତି । ସେମାନେ ପ୍ରଥମେ ରାଜଯୋଗର ଶିକ୍ଷା ଆଧାରରେ ଏହିଠାରେ ହିଁ ପାବନ ହୋଇ ସେଠାକୁ
ଯାଇଥା’ନ୍ତି । ତାହାକୁ କୁହାଯାଏ ସୁଖଧାମ । ତୁମେ ଜାଣୁଛ ଯେ ସାରା କଳ୍ପରେ କେବଳ ଏବେ ହିଁ ଆମେ
ଯୋଗର ଯାତ୍ରାର ପୁରୁଷାର୍ଥ କରୁଛୁ । ପୁଣି ଏହି ପୁରୁଷାର୍ଥ ଅଥବା ପତିତ ଦୁନିଆକୁ ପାବନ କରିବା
ପାଇଁ ଯେଉଁ କାର୍ଯ୍ୟ ଚାଲୁଛି, ତାହାର ପୁଣି କଳ୍ପ ପରେ ପୁନରାବୃତ୍ତି ହେବ । ଚକ୍ର ତ ନିଶ୍ଚିତ
ଲଗାଇବାକୁ ହେବ । ତୁମମାନଙ୍କ ବୁଦ୍ଧିରେ ରହିଛି ଯେ, ଏହା ନାଟକ ଅଟେ, ସମସ୍ତ ଆତ୍ମା ଏହି ନାଟକରେ
ପାର୍ଟଧାରୀ ଅଟନ୍ତି । ଆତ୍ମା ଭିତରେ ଅବିନାଶୀ ପାର୍ଟ ଭରି ହୋଇ ରହିଛି । ଯେପରି ଦୁନିଆର ଡ୍ରାମା
ସବୁ ଚାଲୁଛି । ସେହି ଫିଲ୍ମ ପୁରୁଣା ଘସରା ହୋଇଯାଇଥାଏ କିନ୍ତୁ ଏହା ହେଲା ଅବିନାଶୀ । ଏହା ମଧ୍ୟ
ଆଶ୍ଚର୍ଯ୍ୟ ଅଟେ । କେତେ ଛୋଟ ଆତ୍ମାରେ ସାରା ପାର୍ଟ ଭରି ହୋଇ ରହିଛି । ବାବା ତୁମକୁ କେତେ
ଗହନ-ଗହନ ସୂକ୍ଷ୍ମ କଥା ସବୁ ବୁଝାଉଛନ୍ତି । ଯଦି କେହି ଶୁଣୁଛନ୍ତି ତେବେ କହୁଛନ୍ତି ଏହା ତ ବଡ
ଆଶ୍ଚର୍ଯ୍ୟଜନକ କଥା । ଆତ୍ମା କ’ଣ, ତାହା ଆମେ ଏବେ ଜାଣିଲୁ । ଶରୀରକୁ ତ ସମସ୍ତେ ଜାଣିଛନ୍ତି ।
ଡାକ୍ତରମାନେ ତ ମନୁଷ୍ୟମାନଙ୍କର ହାର୍ଟକୁ ମଧ୍ୟ ବାହାର କରି ପୁନର୍ବାର ରୋପଣ କରିଦେଉଛନ୍ତି ।
ପରନ୍ତୁ ଆତ୍ମା ବିଷୟରେ କେହି କିଛି ବି ଜାଣି ନାହାଁନ୍ତି । ଆତ୍ମା ପତିତରୁ ପାବନ କିପରି ହେଉଛି,
ଏ କଥା ମଧ୍ୟ କେହି ଜାଣି ନାହାଁନ୍ତି । ପତିତ ଆତ୍ମା, ପାବନ ଆତ୍ମା, ମହାନ୍ ଆତ୍ମା ବୋଲି
କହିଥା’ନ୍ତି ନା । ସମସ୍ତେ ଡାକୁଛନ୍ତି ମଧ୍ୟ, ହେ ପତିତ-ପାବନ ଆସି ମୋତେ ପାବନ କର । କିନ୍ତୁ
ଆତ୍ମା କିପରି ପାବନ ହେବ, ସେଥିପାଇଁ ଅବିନାଶୀ ଡାକ୍ତର ଦରକାର । ବାବା ଯିଏକି ପୁନର୍ଜନ୍ମ ରହିତ
ଅଟନ୍ତି ତାଙ୍କୁ ହିଁ ଆତ୍ମା ଡାକିଥାଏ । ଆତ୍ମାକୁ ପବିତ୍ର କରିବାର ଔଷଧ ବାବାଙ୍କ ପାଖରେ ହିଁ ଅଛି
। ତେଣୁ ତୁମମାନଙ୍କର ଲୋମ ଖୁସିରେ ଟାଙ୍କୁରି ଉଠିବା ଦରକାର । ତୁମମାନଙ୍କୁ ଭଗବାନ ପାଠ
ପଢାଉଛନ୍ତି, ତେଣୁ ନିଶ୍ଚିତ ତୁମକୁ ଭଗବାନ-ଭଗବତୀ କରିବେ । ଭକ୍ତିମାର୍ଗରେ ଏହି
ଲକ୍ଷ୍ମୀ-ନାରାୟଣଙ୍କୁ ଭଗବାନ-ଭଗବତୀ ହିଁ କୁହାଯାଏ । ତେବେ ଯେପରି ରାଜାରାଣୀ ସେହିପରି ପ୍ରଜା
ହେବେ ନା । ବାବା ଆମକୁ ନିଜ ସମାନ ପବିତ୍ର ମଧ୍ୟ କରୁଛନ୍ତି । ଜ୍ଞାନର ସାଗର ବି କରୁଛନ୍ତି ପୁଣି
ନିଜଠାରୁ ମଧ୍ୟ ଅଧିକ ବିଶ୍ୱର ମାଲିକ କରୁଛନ୍ତି । ପବିତ୍ର, ଅପବିତ୍ରର ସମ୍ପୂର୍ଣ୍ଣ ପାର୍ଟ ତୁମକୁ
ବଜେଇବାକୁ ପଡିଥାଏ । ତୁମେ ଜାଣୁଛ ଯେ ବାବା ଆସିଛନ୍ତି ପୁଣି ଥରେ ଆଦି ସନାତନ ଦେବୀ-ଦେବତା
ଧର୍ମର ସ୍ଥାପନା କରିବା ପାଇଁ । ଯାହା ପାଇଁ କହିଥା’ନ୍ତି ଏହି ଧର୍ମ ପ୍ରାୟଃ ଲୋପ ହୋଇଯାଇଛି ।
ତାକୁ କଲିକତାର ବରଗଛ ସହିତ ତୁଳନା କରାଯାଇଛି । ଅନେକ ଶାଖା ବାହାରୁଛି କିନ୍ତୁ ତା’ର ମୂଳ ବିଲ୍କୁଲ୍
ନାହିଁ । ଏଠାରେ ମଧ୍ୟ ଅନେକ ଧର୍ମର ଶାଖା ସବୁ ବାହାରିଛି, ମୁଖ୍ୟ କାଣ୍ଡ ଦେବତା ଧର୍ମ ନାହିଁ,
ପ୍ରାୟଃ ଲୋପ ହୋଇଯାଇଛି । ବାବା କହୁଛନ୍ତି ସେହି ଦେବତା ଧର୍ମ ଅଛି କିନ୍ତୁ ଧର୍ମର ନାମ
ପରିବର୍ତ୍ତନ କରିଦେଇଛନ୍ତି । ପବିତ୍ର ନ ଥିବା କାରଣରୁ ନିଜକୁ ଦେବତା କହିପାରୁ ନାହାଁନ୍ତି । ନ
ଥିଲେ ତ ବାବା ଆସି ରଚନା କରିବେ । ଏବେ ତୁମେ ଜାଣୁଛ ଯେ ଆମେ ପବିତ୍ର ଦେବତା ଥିଲୁ । ଏବେ ପତିତ
ହୋଇଯାଇଛୁ । ସୃଷ୍ଟିର ପ୍ରତ୍ୟେକ ଜିନିଷ ଏହିପରି ହୋଇଥାଏ । ତୁମମାନଙ୍କୁ ଏକଥା ଭୁଲିଯିବା ଉଚିତ୍
ନୁହେଁ । ତେବେ ପ୍ରଥମ ଏବଂ ମୁଖ୍ୟ ଲକ୍ଷ୍ୟ ହେଲା ବାବାଙ୍କୁ ମନେ ପକାଇବା, ଯାହାଦ୍ୱାରା ଆତ୍ମା
ପବିତ୍ର ହୋଇପାରିବ । ଏହିପରି, ସମସ୍ତେ କୁହନ୍ତି ଆମକୁ ପବିତ୍ର କର । ଏପରି କେହି କୁହନ୍ତି ନାହିଁ
ଯେ ଆମକୁ ରାଜା-ରାଣୀ କର । ତେଣୁ ତୁମମାନଙ୍କର ବହୁତ ନିଶା ରହିବା ଦରକାର । ତୁମେ ଜାଣୁଛ ଯେ ଆମେ
ତ ଭଗବାନଙ୍କର ସନ୍ତାନ । ତେଣୁ ଆମକୁ ନିଶ୍ଚିତ ସମ୍ପତ୍ତି ମିଳିବା ଦରକାର । ଆମେ କଳ୍ପ-କଳ୍ପ ଏହି
ପାର୍ଟ କରି ଆସିଛୁ । ଏହିଭଳି ସୃଷ୍ଟି ରୂପି ବୃକ୍ଷ ବଢି ବଢି ଚାଲିବ । ବାବା ମଧ୍ୟ ଚିତ୍ର ଆଧାରରେ
ବୁଝାଉଛନ୍ତି ଯେ ଏହା ହେଲା ସଦ୍ଗତିର ଚିତ୍ର । ତୁମେ ମୌଖୀକରେ ମଧ୍ୟ ବୁଝାଉଛ । ଚିତ୍ର ଆଧାରରେ
ବି ବୁଝାଉଛ । ତୁମର ଏହି ଚିତ୍ରରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ଆସିଯାଉଛି । ସେବାଧାରୀ
ପିଲାମାନେ ଅନେକଙ୍କୁ ନିଜ ସମାନ କରୁଛନ୍ତି । ନିଜେ ଏହି ପାଠପଢି ଅନ୍ୟକୁ ମଧ୍ୟ ପଢାଇବା ପାଇଁ
ଚେଷ୍ଟା କରିବା ଦରକାର । ଯେତେ ବେଶୀ ପଢିବ ସେତେ ଉଚ୍ଚ ପଦ ପାଇବ । ବାବା କହୁଛନ୍ତି ଯେ ମୁଁ
ପୁରୁଷାର୍ଥ ତ ସମସ୍ତଙ୍କୁ କରାଉଛି, କିନ୍ତୁ ଭାଗ୍ୟରେ ଥିଲେ ତ । ସମସ୍ତେ ଡ୍ରାମାନୁସାରେ
ପୁରୁଷାର୍ଥ କରୁଛନ୍ତି । ଡ୍ରାମାର ରହସ୍ୟକୁ ମଧ୍ୟ ବାବା ବୁଝାଇଛନ୍ତି । ବାବା, ପିତା ମଧ୍ୟ
ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସତ୍ୟ ସଦ୍ଗୁରୁ ମଧ୍ୟ ଅଟନ୍ତି ଯିଏକି ସାଥିରେ ନେଇଯାଉଛନ୍ତି,
ବାବା ହେଲେ ଅକାଳମୂରତ । ଆତ୍ମାର ଏହା ସିଂହାସନ ଅଟେ ନା, ଯେଉଁଠାରେ ବସି ଆତ୍ମା ପାର୍ଟ କରୁଛି ।
ତେଣୁ ବାବାଙ୍କୁ ମଧ୍ୟ ପାର୍ଟ ବଜାଇବା ପାଇଁ, ସଦ୍ଗତି କରିବା ପାଇଁ ଆସ୍ଥାନ ତ ଦରକାର ନା । ବାବା
କହୁଛନ୍ତି ଯେ ମୋତେ ସାଧାରଣ ଶରୀରରେ ହିଁ ଆସିବାକୁ ପଡେ । ମୋତେ ଆସିବା ପାଇଁ ଆଡମ୍ବର କିମ୍ବା
ସାଜସଜ୍ଜା ଇତ୍ୟାଦି କିଛି ବି ଦରକାର ନାହିଁ । ସେହି ଗୁରୁମାନଙ୍କର ଶିଷ୍ୟମାନେ ତ ଗୁରୁଙ୍କ ପାଇଁ
ସୁନାର ସିଂହାସନ, ମହଲ ଆଦି ତିଆରି କରିଦିଅନ୍ତି । ତୁମେ କ’ଣ ତିଆରି କରିବ? ତୁମେ ସନ୍ତାନ ବି ଅଟ
ଏବଂ ଛାତ୍ର ମଧ୍ୟ ଅଟ । ତେଣୁ ତୁମେ ତାଙ୍କ ପାଇଁ କ’ଣ କରିବ? କେଉଁଠାରେ ତିଆରି କରିବ? ଇଏ (ବ୍ରହ୍ମା)
ତ ସାଧାରଣ ଅଟନ୍ତି ନା ।
ପିଲାମାନଙ୍କୁ ଏକଥା ମଧ୍ୟ ବୁଝାଉଛନ୍ତି ଯେ ବେଶ୍ୟାମାନଙ୍କର ସେବା କର । ଗରିବମାନଙ୍କୁ ମଧ୍ୟ
ଉଦ୍ଧାର କରିବାକୁ ହେବ । ପିଲାମାନେ ଚେଷ୍ଟା ବି କରୁଛନ୍ତି, ବନାରସକୁ ମଧ୍ୟ ଯାଇଛନ୍ତି ।
ସେମାନଙ୍କୁ ତୁମେ ଉଠାଇଲେ କହିବେ ବାଃ ବି.କେ.ମାନେ ତ ଚମତ୍କାର କରୁଛନ୍ତି, ବେଶ୍ୟାମାନଙ୍କୁ
ମଧ୍ୟ ଏମାନେ ଜ୍ଞାନ ଦେଉଛନ୍ତି । ସେମାନଙ୍କୁ ମଧ୍ୟ ବୁଝାଇବା ଦରକାର ଯେ ଏବେ ତୁମେ ଏହି ଧନ୍ଦା
ଛାଡି ଶିବାଳୟର ମାଲିକ ହୁଅ । ଏହି ଜ୍ଞାନକୁ ନିଜେ ଶିଖି ଅନ୍ୟକୁ ମଧ୍ୟ ଶିଖାଅ । ବେଶ୍ୟାମାନେ
ମଧ୍ୟ ଅନ୍ୟମାନଙ୍କୁ ଶିଖାଇପାରିବେ । ନିଜେ ଶିଖି ହୁସିୟାର ଅର୍ଥାତ୍ ଚତୁର ହୋଇଗଲେ ପୁଣି ନିଜର
ଅଫିସରମାନଙ୍କୁ ମଧ୍ୟ ବୁଝାଇବେ । ହଲ୍ରେ ଚିତ୍ର ଆଦି ରଖି ବୁଝାଇଲେ ତ ସମସ୍ତେ କହିବେ ବାହାଃ
ବେଶ୍ୟାମାନଙ୍କୁ ଶିବାଳୟବାସୀ କରିବା ପାଇଁ ଏହି ବି.କେ. ନିମିତ୍ତ ହୋଇଛନ୍ତି । ପିଲାମାନଙ୍କୁ
ସେବା କରିବା ପାଇଁ ବିଚାର କରିବା ଦରକାର । ତୁମ ଉପରେ ବହୁତ ଦାୟିତ୍ୱ ରହିଛି । ତୁମମାନଙ୍କୁ
ଅହଲ୍ୟା, କୁବ୍ଜା, ଶବରୀ, ଗଣିକା ଅର୍ଥାତ୍ ବେଶ୍ୟାମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ହେବ ।
ଗାୟନ ମଧ୍ୟ ରହିଛି ଯେ ସାଧୁମାନଙ୍କର ମଧ୍ୟ ଉଦ୍ଧାର କରିଛନ୍ତି । ଏ କଥା ତ ଜାଣୁଛ ଯେ
ସାଧୁମାନଙ୍କର ଉଦ୍ଧାର ଶେଷ ସମୟରେ ହେବ । ଯଦି ସେମାନେ ଏବେ ତୁମର ହୋଇଯିବେ ତେବେ ଭକ୍ତିମାର୍ଗ
ହିଁ ଶେଷ ହୋଇଯିବ । ବିପ୍ଲବ (ଗଣ୍ଡଗୋଳ) ହୋଇଯିବ । ସନ୍ନ୍ୟାସୀମାନେ ନିଜର ଆଶ୍ରମ ଛାଡିଦେବେ,
କହିବେ ବାସ୍ ଆମେ ହାରି ଗଲୁ । ଏସବୁ ଅନ୍ତିମ ସମୟରେ ହେବ । ବାବା ନିର୍ଦ୍ଦେଶ ଦେଉଛନ୍ତି - ଏଭଳି
ଏଭଳି କର । ବାବା ତ ବାହାରକୁ କୁଆଡେ ଯାଇ ପାରିବେ ନାହିଁ । ବାବା କହିବେ ପିଲାମାନଙ୍କଠାରୁ ଯାଇ
ଶିଖ । ବୁଝାଇବାର ଯୁକ୍ତି ତ ବାବା ସବୁ ପିଲାମାନଙ୍କୁ ଶିଖାଉଛନ୍ତି । ଏଭଳି କାର୍ଯ୍ୟ କରି ଦେଖାଅ
ଯେପରି ମନୁଷ୍ୟମାନଙ୍କ ମୁଖରୁ ବାହାଃ-ବାହାଃ ବାହାରିବ । ଗାୟନ ମଧ୍ୟ ରହିଛି ଯେ ଭଗବାନ
ଶକ୍ତିମାନଙ୍କୁ ଜ୍ଞାନର ଅସ୍ତ୍ରଶସ୍ତ୍ରରେ ଭରପୁର କରିଥିଲେ । ଏହା ହେଲା ଜ୍ଞାନର ବାଣ । ତୁମେ
ଜାଣୁଛ ଯେ ଏହି ବାଣ ତୁମକୁ ଏ ଦୁନିଆରୁ ସେ ଦୁନିଆକୁ ନେଇଯାଉଛି । ତେଣୁ ତୁମମାନଙ୍କୁ ବହୁତ
ବିଶାଳ ବୁଦ୍ଧି ହେବାକୁ ପଡିବ । ଯଦି ଗୋଟିଏ ଜାଗାରେ ମଧ୍ୟ ତୁମର ନା’ମ ବିଖ୍ୟାତ ହୋଇଗଲା,
ସରକାରଙ୍କୁ ଜଣା ପଡିଗଲା, ତେବେ ତୁମର ବହୁତ ପ୍ରଭାବ ପଡିବ । ଗୋଟିଏ ଜାଗାରୁ କେହି ଯଦି ୫-୭ ଜଣ
ଅଫିସର ବାହାରି ପଡିଲେ, ତେବେ ସେମାନେ ଖବରକାଗଜରେ ପ୍ରକାଶ କରିବାକୁ ଲାଗିଯିବେ । ସେମାନେ କହିବେ
ଏହି ବି.କେ.ମାନେ ବେଶ୍ୟାମାନଙ୍କୁ ମଧ୍ୟ ତାଙ୍କ ଧନ୍ଦା ଛଡେଇ ଶିବାଳୟର ମାଲିକ କରୁଛନ୍ତି । ବହୁତ
ବାହାଃ-ବାହାଃ କରିବେ ଏବଂ ଧନ-ସମ୍ପତ୍ତି ମଧ୍ୟ ଆଣି ଅର୍ପଣ କରିଦେବେ । ତୁମେ ଧନ କ’ଣ କରିବ! ତୁମେ
ତ ବଡ-ବଡ ସେଣ୍ଟର ଇତ୍ୟାଦି ଖୋଲିବ । ଧନ ସାହାଯ୍ୟରେ ଚିତ୍ର ଆଦି ତିଆରି କରାଯାଇଥାଏ । ଏ ସବୁ
ଦେଖି ମନୁଷ୍ୟ ବହୁତ ଆଶ୍ଚର୍ଯ୍ୟ ହେବେ । କହିବେ ସର୍ବପ୍ରଥମେ ତ ତୁମକୁ ପୁରସ୍କାର ଦେବା ଉଚିତ୍ ।
ସରକାରୀ ଭବନରେ ମଧ୍ୟ ତୁମର ଚିତ୍ର ରଖିବେ । ଏହା ଉପରେ ବହୁତ ପ୍ରଭାବିତ ହେବେ । ତେବେ ମନରେ
ଆଗ୍ରହ ରହିବା ଦରକାର ଯେ ମନୁଷ୍ୟମାନଙ୍କୁ ଦେବତା କିପରି କରିବୁ । ଏକଥା ମଧ୍ୟ ଜାଣୁଛ ଯେ
ଯେଉଁମାନେ କଳ୍ପ ପୂର୍ବେ ଏହି ଜ୍ଞାନ ନେଇଥିଲେ ସେହିମାନେ ହିଁ ନେବେ । ଏତେ ଧନ ସମ୍ପତ୍ତି ଆଦି
ସବୁ କିଛି ଛାଡି ଦେବେ, ତାହା ତ ବହୁତ କଷ୍ଟକର କଥା । ବାବା କହୁଛନ୍ତି - ମୋର ନିଜର ଘରବାଡି
ମିତ୍ର-ସମ୍ବନ୍ଧୀ ଆଦି କେହି ବି ନାହାଁନ୍ତି, ମୋର କ’ଣ ବା ମନେ ପଡିବ, କେବଳ ବାବା ଏବଂ ତୁମ
ପିଲାମାନଙ୍କ ବ୍ୟତୀତ ମୋର ଆଉ କିଛି ନାହିଁ । ସବୁ କିଛି ଅଦଳବଦଳ କରିଦେଇଛି । ବାକି ବୁଦ୍ଧି କେଉଁ
ଆଡେ ଯିବ । ବାବାଙ୍କୁ ରଥ (ଶରୀର) ଦେଇଦେଇଛି । ଯେପରି ତୁମେ ସେହିପରି ମୁଁ ମଧ୍ୟ ପାଠ ପଢୁଛି ।
କେବଳ ରଥ (ଶରୀର) ବାବାଙ୍କୁ ଭଡାରେ ଦେଇଛି । ତୁମେ ଜାଣୁଛ ଯେ ଆମେ ପ୍ରଥମେ ପ୍ରଥମେ ସୂର୍ଯ୍ୟବଂଶୀ
କୁଳରେ ଆସିବା ପାଇଁ ପୁରୁଷାର୍ଥ କରୁଛୁ । ଏହା ହେଲା ନରରୁ ନାରାୟଣ ହେବାର କଥା । ତୃତୀୟ ନେତ୍ର
ଆତ୍ମାକୁ ମିଳୁଛି । ଆମେ ଆତ୍ମା ପାଠପଢି ଜ୍ଞାନ ଶୁଣି ଦେବତା ହେଉଛୁ । ପୁଣି ସେହିଭଳି
ରାଜାମାନଙ୍କର ରାଜା ହେବୁ । ଶିବବାବା କହୁଛନ୍ତି ମୁଁ ତୁମକୁ ଡବଲ ମୁକୁଟଧାରୀ କରୁଛି । ଡ୍ରାମା
ଅନୁସାରେ କଳ୍ପ ପୂର୍ବ ଭଳି ତୁମର ଏବେ ବୁଦ୍ଧି କେତେ ଖୋଲି ଯାଇଛି । ଏବେ ଯୋଗର ଯାତ୍ରାରେ ମଧ୍ୟ
ରହିବାକୁ ହେବ ଏବଂ ସୃଷ୍ଟିଚକ୍ରକୁ ମଧ୍ୟ ମନେ ପକାଇବାକୁ ହେବ । ପୁରୁଣା ଦୁନିଆକୁ ବୁଦ୍ଧିରୁ
ଭୁଲିବାକୁ ପଡିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବୁଦ୍ଧିରେ
ରହୁ ଯେ ଏବେ ଆମ ପାଇଁ ନୂଆ ଦୁନିଆର ସ୍ଥାପନା ହେଉଛି, ଏହି ପୁରୁଣା ଦୁଃଖର ଦୁନିଆ ବିନାଶ ହେଲା
କି ହେଲା । ଏହି ଦୁନିଆକୁ ବିଲ୍କୁଲ୍ ପସନ୍ଦ କରିବାର ନାହିଁ ।
(୨) ଯେପରି ବ୍ରହ୍ମାବାବା
ନିଜର ସବୁ କିଛି ବଦଳ କରିଦେଲେ ଅର୍ଥାତ୍ ସେବାରେ ଲଗାଇ ଦେଲେ ତେଣୁ ତାଙ୍କର ବୁଦ୍ଧି କେଉଁ ଆଡେ
ବି ଯାଉ ନାହିଁ ସେହିପରି ତୁମମାନଙ୍କୁ ମଧ୍ୟ ଫଲୋ ଫାଦର ଅର୍ଥାତ୍ ବାବାଙ୍କୁ ଅନୁକରଣ କରିବାକୁ
ହେବ । ହୃଦୟରେ କେବଳ ଏହି ଗୋଟିଏ ଇଚ୍ଛା ରହୁ ଯେ ମୋତେ ମନୁଷ୍ୟକୁ ଦେବତା କରିବାର ସେବା କରିବାର
ଅଛି, ଏହି ବେଶ୍ୟାଳୟକୁ ଶିବାଳୟ କରିବାର ଅଛି ।
ବରଦାନ:-
ଦେହ-ଅଭିମାନର
ରାଜକୀୟ ରୂପକୁ ଅର୍ଥାତ୍ ସୂକ୍ଷ୍ମ ରୂପକୁ ମଧ୍ୟ ସମାପ୍ତ କରୁଥିବା ସାକ୍ଷୀ ଏବଂ ଦ୍ରଷ୍ଟା ଭବ ।
ଅନ୍ୟମାନଙ୍କର କଥାକୁ
ସମ୍ମାନ ନ ଦେବା ବା କାଟି ଦେବା - ଏହା ମଧ୍ୟ ଦେହ-ଅଭିମାନର ରାଜକୀୟ ରୂପ ଅଟେ ଯାହାକି ନିଜର ଏବଂ
ଅନ୍ୟମାନଙ୍କର ଅପମାନ କରାଇଥାଏ କାହିଁକି ନା ଯିଏ କାଟିଦିଏ ତା’ ଭିତରେ ଅଭିମାନ ଆସିଯାଏ ଏବଂ
ଯାହାର କଥାକୁ କାଟିଦିଏ ତାକୁ ଅପମାନ ଲାଗିଥାଏ ସେଥିପାଇଁ ସାକ୍ଷୀଦ୍ରଷ୍ଟାର ବରଦାନକୁ ସ୍ମୃତିରେ
ରଖି ଡ୍ରାମା ରୂପକ ଢାଲ ବା ଡ୍ରାମାର ନିୟମ ଅନୁସାରେ ପ୍ରତ୍ୟେକ କର୍ମ ଏବଂ ସଂକଳ୍ପ କରିବା ସହିତ
ମୁଁ ପଣିଆର ଏହି ରାଜକୀୟ ରୂପକୁ ମଧ୍ୟ ସମାପ୍ତ କରି ସମସ୍ତ କଥାକୁ ସମ୍ମାନ ଦିଅ, ସ୍ନେହ ଦିଅ ତାହା
ହେଲେ ସେ ସଦାକାଳ ପାଇଁ ତୁମର ସହଯୋଗୀ ହୋଇଯିବ ।
ସ୍ଲୋଗାନ:-
ପରମାତ୍ମ
ଶ୍ରୀମତ ରୂପୀ ଜଳ ଆଧାରରେ ଜ୍ଞାନ ରୂପୀ ବୀଜକୁ ଶକ୍ତିଶାଳୀ କର ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ସବୁ ସମୟରେ, ସବୁ
ଆତ୍ମାଙ୍କ ପ୍ରତି ମନୋବୃତ୍ତିରେ ସ୍ୱତଃ ଶୁଭଭାବନା ଏବଂ ଶୁଭକାମନାର ତରଙ୍ଗ ବିଚ୍ଛୁରିତ କରୁଥିବା
ଆତ୍ମା ବୋଲି ନିଜକୁ ଏବଂ ଅନ୍ୟମାନଙ୍କୁ ଅନୁଭବ ହେଉ । ମନ ଭିତରୁ ସବୁ ସମୟରେ ସର୍ବ ଆତ୍ମାଙ୍କ
ପ୍ରତି ଆଶୀର୍ବାଦ ବାହାରୁଥାଉ । ମନ ସର୍ବଦା ଏହି ସେବାରେ ବ୍ୟସ୍ତ ରହିଥାଉ । ଯେପରି ବାଣୀ ଦ୍ୱାରା
ସେବା କରିବାର ଅନୁଭବୀ ହୋଇଯାଇଛ, ଯଦି ସେବା ମିଳୁନାହିଁ ତେବେ ନିଜକୁ ଖାଲି ଅନୁଭବ କରୁଛ,
ସେହିପରି ସବୁ ସମୟରେ ବାଣୀ ସହିତ ମାନସୀକ ସେବା ମଧ୍ୟ ସ୍ୱତଃ ହେଉଥାଉ ।