08.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ଏବେ ଶବ୍ଦଠାରୁ ଉର୍ଦ୍ଧ୍ୱକୁ ଯିବାର ଅଛି ସେଥିପାଇଁ ମୁଖରେ ଶିବ-ଶିବ କହିବାର ମଧ୍ୟ ଆବଶ୍ୟକତା
ନାହିଁ ।”
ପ୍ରଶ୍ନ:-
ଏକମାତ୍ର
ବାବାଙ୍କୁ ହିଁ ସର୍ବଶକ୍ତିମାନ, ଜ୍ଞାନର ସାଗର କୁହାଯିବ, ଅନ୍ୟମାନଙ୍କୁ ନୁହେଁ - କାହିଁକି?
ଉତ୍ତର:-
କାରଣ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବା ଦ୍ୱାରା ଆତ୍ମା ପତିତରୁ ପାବନ ହୋଇଯାଇଥାଏ ।
ଏକମାତ୍ର ବାବା ହିଁ ଅଟନ୍ତି ଯିଏକି ପତିତମାନଙ୍କୁ ପାବନ କରି ଦେଇଥାନ୍ତି, ବାକି କେହି ବି
ଦେହଧାରୀ ମନୁଷ୍ୟ ପାବନ କରିପାରିବେ ନାହିଁ । ବାବା ତୁମକୁ ରାବଣ ରାଜ୍ୟରୁ ମୁକ୍ତ କରି ଦେଉଛନ୍ତି
। ତୁମେ ଶିବବାବାଙ୍କଠାରୁ ଶକ୍ତି ଗ୍ରହଣ କରୁଛ, ଯେତେ ଅଧିକ ମନେ ପକାଇବ ସେତେ ଶକ୍ତି ମିଳିବ ଏବଂ
ଖାଦ ବାହାରିଯିବ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ମିଠା-ମିଠା
ସିକିଲଧେ ସନ୍ତାନମାନେ ଭକ୍ତିର ମହିମା ଶୁଣିଲେ । ତୁମେମାନେ ମଧ୍ୟ ମହିମା ଗାୟନ କରୁଥିଲ । ଏବେ
ମହିମା ଗାୟନ କରୁନାହଁ ଏବଂ ତୁମମାନଙ୍କ ପାଇଁ ମହିମାର ଆବଶ୍ୟକତା ନାହିଁ । ଯାହା ଭକ୍ତମାନେ
କରୁଛନ୍ତି ତାହା ତୁମେମାନେ କରିପାରିବ ନାହିଁ । ତୁମେମାନେ ଭକ୍ତ ଥିଲ, ଏବେ ତୁମଙ୍କୁ ଭଗବାନ
ମିଳିଛନ୍ତି । ସମସ୍ତଙ୍କୁ ଏକ ସମୟରେ ତ ମିଳିବେ ନାହିଁ । ବାବା ସମସ୍ତଙ୍କୁ ଏକତ୍ର କିପରି ପାଠ
ପଢାଇବେ? ଏହା ତ ହୋଇପାରିବ ନାହିଁ । ସବୁ ଭକ୍ତମାନେ ମଧ୍ୟ ଏକତ୍ର ହୋଇପାରିବେ ନାହିଁ । ହଁ,
ବାବାଙ୍କୁ ପାଠ ନିଶ୍ଚୟ ପଢାଇବାକୁ ପଡିବ କାହିଁକି ନା ଏହା ରାଜଯୋଗ ଅଟେ । ଏହା ଦ୍ୱାରା
ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ରାଜ୍ୟ ସ୍ଥାପନ ହେବ । ପିଲାମାନଙ୍କୁ ପ୍ରଦର୍ଶନୀରେ ବୁଝାଇବାକୁ ହେବ,
ପର୍ବପର୍ବାଣୀ ଗୁଡିକରେ ମଧ୍ୟ ବହୁତ ଭଲ ସେବା କରିପାରିବ । ତୁମକୁ ନିଜ ପାଇଁ ହିଁ ରାଜ୍ୟ ସ୍ଥାପନ
କରିବାକୁ ହେବ । ତୁମେମାନେ ଶିବଶକ୍ତି, ମହାରଥୀ ସେନା ଅଟ, ତୁମେ ଆଉ କିଛି ଡ୍ରିଲ୍ ଆଦି ଶିଖୁନାହଁ
। ତୁମେ ରୁହାନୀ ଡ୍ରିଲ୍ ଶିଖୁଛ । ଭାରତର ଏହି ଡ୍ରିଲ୍ ପ୍ରସିଦ୍ଧ ଅଟେ । ଏହା ହେଉଛି ଯୋଗର
ଡ୍ରିଲ୍ । ଆତ୍ମାକୁ ପରମପିତା ପରମାତ୍ମାଙ୍କ ସହିତ ଯୋଗ ଲଗାଇବାକୁ ହେବ । ତାଙ୍କଠାରୁ ବର୍ସା
ନେବାକୁ ହେବ । ଏଥିରେ ଲଢେଇର କୌଣସି କଥା ହିଁ ନାହିଁ । ତୁମେମାନେ ବାବାଙ୍କଠାରୁ ବର୍ସା ନେଉଛ,
ଏଥିରେ ଲଢେଇର କୌଣସି ସମ୍ପର୍କ ନାହିଁ । ତୁମେମାନେ ହେଉଛ ବେହଦ ବାବାଙ୍କର ଉତ୍ତରାଧିକାରୀ । ତେଣୁ
ବାବାଙ୍କର ହୋଇ ବାବାଙ୍କର ଶ୍ରୀମତରେ ଚାଲିବାକୁ ହେବ । ବାବାଙ୍କର ମତ ଲଢେଇ ଆଦି ନୁହେଁ । ବାବା
କେବଳ କହୁଛନ୍ତି - ମିଠା-ମିଠା ପିଲାମାନେ ତୁମେ ସତ୍ତ୍ୱପ୍ରଧାନ ଥିଲ, ରାଜତ୍ୱ କରୁଥିଲ ଏବେ ତୁମର
ସ୍ମୃତି ଆସିଛି । ବାବା କହୁଛନ୍ତି - ତୁମେମାନେ ନିଜର ଜନ୍ମକୁ ଜାଣିନାହଁ । ଗାୟନ ମଧ୍ୟ କରନ୍ତି
୮୪ ଜନ୍ମ ମନୁଷ୍ୟ ନେଇଥାନ୍ତି । ୮୪ ଲକ୍ଷ ଜନ୍ମ ଏହା ତ କାହାଣୀ ଅଟେ । ଭକ୍ତିମାର୍ଗରେ ଯାହାକୁ
ଯାହା ଆସିଲା ତାହା ପଢିଚାଲିଥାନ୍ତି । ଡ୍ରାମା ଅନୁସାରେ ତାହା ଭକ୍ତିମାର୍ଗର ସାମଗ୍ରୀ ଅଟ ।
ସତ୍ୟଯୁଗ ତ୍ରେତା ଯୁଗରେ ଭକ୍ତି ହୁଏ ନାହିଁ । ଭକ୍ତି ଅଲଗା, ଜ୍ଞାନ ଅଲଗା । ତୁମମାନଙ୍କ ବ୍ୟତୀତ
ଆଉ କୌଣସି ଋଷି ମୁନିଙ୍କ ବୁଦ୍ଧିରେ ଏହି ଜ୍ଞାନ ନାହିଁ । ସେମାନଙ୍କୁ ଏକଥା ବି ଜଣା ନାହିଁ ଯେ
ସୁଖ ଅଲଗା, ଦୁଃଖ ଅଲଗା । ସୁଖ ବାବା ଦେଇଥାନ୍ତି, ଦୁଃଖ ରାବଣ ଦେଇଥାଏ । ତୁମେମାନେ ଯିଏକି
ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ଥିଲ, ଏବେ ୮୪ ଜନ୍ମର ଚକ୍ର ଲଗାଇ ଶୁଦ୍ରବଂଶୀ ହୋଇଛ । ବାବା ସ୍ମରଣ
କରାଇ ଦେଉଛନ୍ତି - ତୁମେମାନେ ବିଶ୍ୱର ମାଲିକ ଥିଲ । ତୁମେମାନେ ୮୪ ଜନ୍ମ ଭୋଗ କରି ତଳକୁ ଓହ୍ଲାଇ,
ତୁଚ୍ଛ ବୁଦ୍ଧି, ତମୋପ୍ରଧାନ ହୋଇଯାଇଛ । ସତ୍ତ୍ୱପ୍ରଧାନ ବାଲାଙ୍କୁ ସ୍ୱଚ୍ଛ ବୁଦ୍ଧି ବା ଶ୍ରେଷ୍ଠ
ବୁଦ୍ଧି କୁହାଯାଉଛି । ତମୋପ୍ରଧାନକୁ ନୀଚ୍ଚ ବୁଦ୍ଧି କୁହାଯାଉଛି । ନୀଚ୍ଚବୁଦ୍ଧି ବାଲା ଉଚ୍ଚ
ବୁଦ୍ଧି ବାଲାଙ୍କ ଆଗରେ ନତମସ୍ତକ ହୋଇଥାଆନ୍ତି । ଏକଥା ତୁମେମାନେ ମଧ୍ୟ ଜାଣିନଥିଲ ଯେ ଆମେ ହିଁ
ଉଚ୍ଚ ଥିଲୁ, ଏବେ ଆମେ ହିଁ ନୀଚ୍ଚ ହୋଇଛୁ । ବାବା ବୁଝାଉଛନ୍ତି, ଯିଏ ପ୍ରଥମ ନମ୍ବରରେ ଜନ୍ମ
ନେଇଥିବେ ସିଏ ହିଁ ସତ୍ତ୍ୱପ୍ରଧାନ ହେବେ । ୮୪ଜନ୍ମ ମଧ୍ୟ ସୂର୍ଯ୍ୟବଂଶୀମାନେ ହିଁ ନେବେ । ଏବେ
ତୁମେ ବୁଝୁଛ ଯେ ଯେବେ ଆମେ ବିଶ୍ୱର ମାଲିକ ଥିଲୁ ପବିତ୍ର ସତ୍ତ୍ୱପ୍ରଧାନ ଥିଲୁ । ପତିତ ଆତ୍ମା
କ’ଣ ବିଶ୍ୱର ମାଲିକ ହୋଇପାରିବ । ସେମାନଙ୍କର ମହିମା ଦେଖ କେତେ ଉଚ୍ଚ ଅଟେ । ସର୍ବଗୁଣ ସମ୍ପନ୍ନ...
ତ୍ରେତା ଯୁଗରେ ୧୪ କଳା ସମ୍ପୂର୍ଣ୍ଣ କୁହାଯିବ ନାହିଁ । ସୂର୍ଯ୍ୟବଂଶୀମାନଙ୍କୁ ୧୬ କଳା
ସମ୍ପୂର୍ଣ୍ଣ କୁହାଯିବ । ୧୪ କଳାରେ ସମ୍ପୂର୍ଣ୍ଣ ଅକ୍ଷର ଲାଗିବ ନାହିଁ । ସମ୍ପୂର୍ଣ୍ଣ ଅକ୍ଷର ୧୬
କଳା ବାଲାଙ୍କ ପାଇଁ ଲେଖାଯାଏ । ଏବେ ତୁମେମାନେ ୧୬ କଳା ସମ୍ପୂର୍ଣ୍ଣ ହେଉଛ ।
ଏକଥା ପିଲାମାନଙ୍କୁ
ବୁଝାଯାଇଛି ଯେ ଏହି ଜ୍ଞାନ ଅତି ସହଜ ଅଟେ, ଏହାଠାରୁ ସହଜ ଆଉ କୌଣସି କଥା ନାହିଁ । ବାବା ଦୟାର
ସାଗର ଅଟନ୍ତି ନା । ଜାଣିଛନ୍ତି ଯେ ପିଲାମାନେ ଭକ୍ତିରେ ଧକ୍କା ଖାଇ-ଖାଇ ଥକି ଯିବେଣି ସେଥିପାଇଁ
ଶାସ୍ତ୍ରରେ ଉଚ୍ଚାରଣ ରହିଛି ଯେ ଦ୍ରୌପଦୀଙ୍କର ପାଦ ଦବାଉଛନ୍ତି । ବାବାଙ୍କ ପାଖକୁ ବୁଢୀ-ବୁଢୀ
ମାତାମାନେ ଆସୁଛନ୍ତି । ବାବା କହୁଛନ୍ତି ତୁମେ ଭକ୍ତିରେ ଧକ୍କା ଖାଇ ଖାଇ ଥକିଯାଇଛ, ସେଥିପାଇଁ
ବାବା ଏବେ ତୁମମାନଙ୍କର ଥକ୍କାପଣ ଦୂର କରି ଦେଉଛନ୍ତି । ଭକ୍ତିରେ ରାମ-ରାମ ଜପି, ମାଳା
ଗଡାଇଥାନ୍ତି । ବାବାଙ୍କର ପାଦ୍ରୀମାନଙ୍କ ସହିତ ମଧ୍ୟ ସମ୍ପର୍କ ରହିଥିଲା । ପାଦ୍ରୀମାନେ ମଧ୍ୟ
ବାଇବେଲ୍ ନେଇ ବୁଝାଇଥାନ୍ତି । ସେଥିପାଇଁ ବହୁତ ଖ୍ରୀଷ୍ଟିୟାନ ହୋଇଯାଇଥାନ୍ତି । ଏଠାରେ ମାଳା ଆଦି
ଗଡାଇବାର କୌଣସି କଥା ନାହିଁ । ବାବା କହୁଛନ୍ତି - ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ।
ମୁଖ ଦ୍ୱାରା ଶିବ-ଶିବ ଉଚ୍ଚାରଣ କରିବାର ନାହିଁ । ଆମକୁ ତ ବାଣୀରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ ।
ବାବା ବହୁତ ସହଜ ଯୁକ୍ତି ବତାଉଛନ୍ତି ଯେ ମୋତେ ମନେ ପକାଅ ତେବେ ଖାଦ ବାହାରିଯିବ ଏବଂ ଗୃହସ୍ଥ
ବ୍ୟବହାରରେ ରହି ପବିତ୍ର ହେବାକୁ ପଡିବ । ପଦ୍ମ ଫୁଲର ଉଦାହରଣ ଦିଆଯାଇଛି । ତା’ର ମଧ୍ୟ ପାଣି,
ପଙ୍କ, ନାଡ, ପତ୍ର, କଢ ଇତ୍ୟାଦିଙ୍କ ସହିତ ସମ୍ପର୍କ ରହିଥାଏ । ତଥାପି ବି ସିଏ ନ୍ୟାରା ଅର୍ଥାତ୍
ସମସ୍ତଙ୍କଠାରୁ ନିର୍ଲିପ୍ତ ଏବଂ ପ୍ୟାରା ଅର୍ଥାତ୍ ସମସ୍ତଙ୍କର ପ୍ରିୟ ହୋଇ ରହିଥାଏ । ତୁମେମାନେ
ବି ବିଷୟ ସାଗରରେ ରହି ନ୍ୟାରା ପ୍ୟାରା ରୁହ । ଏହା ବିଷୟ ସାଗର ଅଟେ, ଏହାକୁ ନଦୀ କୁହାଯିବ ନାହିଁ
।
ତୁମେମାନେ ଏବେ କେତେ
ବୁଦ୍ଧିମାନ ହେଉଛ, ଏହି ବୁଦ୍ଧି ଦ୍ୱାରା ହିଁ ତୁମେମାନେ ମହାରାଜକୁମାର ହୋଇଯାଉଛ । ତୁମେମାନେ ତ
ବହୁତ ଖୁସି ହେବା ଦରକାର । ତୁମେ ପୁରୁଷାର୍ଥ କରିବା ଦରକାର, ପୁତ୍ର ଅଥବା କନ୍ୟା ଉଭୟଙ୍କର
ଆତ୍ମାକୁ ପୁରୁଷାର୍ଥ କରିବାକୁ ହେବ । ଲୌକିକ ସମ୍ବନ୍ଧରେ ବାପର ସମ୍ପତ୍ତି କେବଳ ପୁତ୍ରକୁ
ମିଳିଥାଏ, କନ୍ୟାକୁ ନୁହେଁ । ଏଠାରେ ସମସ୍ତ ଆତ୍ମାମାନଙ୍କୁ ବର୍ସା ମିଳିଥାଏ । ବାବା ବୁଝାଉଛନ୍ତି
ଯୋଗର ଯାତ୍ରା କରିବା ଦ୍ୱାରା ହିଁ ତୁମେମାନେ ଉଚ୍ଚ ପଦ ପାଇପାରିବ । ପ୍ରଦର୍ଶନୀରେ
ପ୍ରଥମେ-ପ୍ରଥମେ ବାବାଙ୍କର ପରିଚୟ ଦେବାକୁ ହେବ ପୁଣି ତା’ପରେ ରହିଛି ବାବାଙ୍କର ବର୍ସା । ପ୍ରଥମେ
ଏହି ନିଶ୍ଚୟ ହେଉ ଯେ ଇଏ ତୁମର ବେହଦର ପିତା ଅଟନ୍ତି । ସେମାନଙ୍କୁ ବୁଝାଇବାକୁ ହେବ ଭଗବାନ ଏକ
ଅଟନ୍ତି - ବ୍ରହ୍ମା, ବିଷ୍ଣୁ, ଶଙ୍କର ବି ଭଗବାନ ନୁହଁନ୍ତି, ଏମାନେ ଦେବତା ଅଟନ୍ତି । ଭଗବାନ
ପତିତ-ପାବନ ନିରାକାର ଅଟନ୍ତି । ତାଙ୍କର ମହିମା ହିଁ ଅଲଗା । ଆଜିକାଲି ପ୍ରଦର୍ଶନୀରେ
ତ୍ରିମୂର୍ତ୍ତି ଚିତ୍ର ଉପରେ ବୁଝାଇବାକୁ ପଡୁଛି । ସିଏ ବାବା, ଇଏ ଦାଦା । ତାଙ୍କଠାରୁ ବର୍ସା
ମିଳିଥାଏ । ସିଏ ତ ନିରାକାର ଅଟନ୍ତି ତାଙ୍କଠାରୁ ବର୍ସା କିପରି ମିଳିବ! ସିଏ ହେଉଛନ୍ତି
ସମସ୍ତଙ୍କର ରଚୟିତା । ବ୍ରହ୍ମା ବିଷ୍ଣୁ ଶଙ୍କର ମଧ୍ୟ ତାଙ୍କର ରଚନା ଅଟନ୍ତି । ରଚନାକୁ
ରଚୟିତାଙ୍କଠାରୁ ହିଁ ବର୍ସା ମିଳିପାରିବ । ସିଏ ତ ନିରାକାର ପିତା ଅଟନ୍ତି ଏହାଙ୍କ ଦ୍ୱାରା ବର୍ସା
ଦେଉଛନ୍ତି । ସମସ୍ତଙ୍କର ରଚୟିତା ଜଣେ, ସେଥିପାଇଁ ଗାୟନ କରାଯାଏ ସମସ୍ତଙ୍କର ସଦଗତି ଦାତା ଜଣେ
ହିଁ ଅଟନ୍ତି । ତାଙ୍କୁ ଜ୍ଞାନର ସାଗର କୁହାଯାଉଛି । ବାକି ବିଦ୍ୱାନ ପଣ୍ଡିତ ଆଦି
ଶାସ୍ତ୍ରଗୁଡିକର ଅଧିକାରୀ ଅଟନ୍ତି । ବାବା ଜ୍ଞାନର ସାଗର, ନିଜେ ହିଁ ଅଧିକାରୀ ଅଟନ୍ତି ।
ବିଶ୍ୱର ସର୍ବଶକ୍ତିର ଅଧିକାରୀ ନିଜେ କହୁଛନ୍ତି ଯେ ମୁଁ ବେଦ ଶାସ୍ତ୍ରଗୁଡିକୁ ଜାଣିଛି ଏବଂ ତୁମକୁ
ତା’ର ସାରାଂଶ ବୁଝାଉଛି । ଏହା ହେଉଛି ଭକ୍ତିମାର୍ଗର ସାମଗ୍ରୀ ଯାହାକି ସତ୍ୟଯୁଗ ତ୍ରେତା ଯୁଗରେ
ରହିବ ନାହିଁ । ଭକ୍ତି ଦ୍ୱାରା ହିଁ ସିଢିରେ ତଳକୁ ଓହ୍ଲାଇବାକୁ ହୋଇଥାଏ । ସର୍ବଶକ୍ତିମାନ
ଏକମାତ୍ର ବାବାଙ୍କୁ ହିଁ କୁହାଯାଏ । ତାଙ୍କ ସାଥିରେ ଯୋଗ ଲଗାଇବା ଦ୍ୱାରା ହିଁ ଆମେ ପବିତ୍ର
ହୋଇଯାଉଛୁ, ତେବେ ସିଏ ସର୍ବଶକ୍ତିମାନ ହେଲେ ନା । ସିଏ ଆମ ସମସ୍ତଙ୍କୁ ପତିତରୁ ପାବନ
କରିଦେଉଛନ୍ତି । ରାବଣ ରାଜ୍ୟରୁ ମୁକ୍ତ କରି ଦେଉଛନ୍ତି । ତୁମେମାନେ ଏବେ ଶିବବାବାଙ୍କଠାରୁ ଶକ୍ତି
ନେଉଛ । ଯେତେ ଅଧିକ ମନେ ପକାଇବ ସେତେ ଶକ୍ତି ମିଳିବ ଏବଂ ଖାଦ ବାହାରିଯିବ । ତୁମର ଦିନ-ରାତି ଏହି
ଚିନ୍ତା ରହିବା ଦରକାର ଯେ କିପରି ପତିତରୁ ପାବନ, ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବୁ । ମାୟାର
ତୁଫାନ ଆସିବ । ବାବା କହୁଛନ୍ତି ଖବରଦାର ରହିବା ଦରକାର । ତୁମର ମାୟା ସହିତ ଯୁଦ୍ଧ ହେଉଛି ।
ଫାଲତୁ ବିକଳ୍ପ ବହୁତ ଆସିବ । ଯାହା କେବେ ଅଜ୍ଞାନ କାଳରେ ଆସି ନ ଥିବ ତାହା ମଧ୍ୟ ଆସିବ । ତୁମେ
ଯୁଦ୍ଧ ଭୂମିରେ ଅଛ । ସମସ୍ତ ପରିଶ୍ରମ ଯୋଗର ଯାତ୍ରାରେ ରହିଛି । ଭାରତର ଯୋଗ ପ୍ରସିଦ୍ଧ ଅଟେ ।
ଯୋଗ ପାଇଁ ହିଁ ବାବା ବୁଝାଉଛନ୍ତି ଯେ ତୁମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏହିପରି
ଆଉ କୌଣସି ମନୁଷ୍ୟ ବୁଝାଇ ପାରିବେ ନାହିଁ । ସେମାନେ କହିଦେଉଛନ୍ତି ଯେ ସମସ୍ତେ ଭଗବାନଙ୍କର ରୂପ
ଅଟନ୍ତି । ଯେଉଁ ଆଡେ ଦେଖୁଛି - ପରମାତ୍ମା ହିଁ ପରମାତ୍ମା ରହିଛନ୍ତି । ବାବା ବୁଝାଉଛନ୍ତି ତୁମେ
ଆତ୍ମା ଅଟ, ୮୪ ଜନ୍ମ ଭୋଗ କରୁଛ । ଯଦି ସମସ୍ତେ ପରମାତ୍ମା ଅଟନ୍ତି ତେବେ କ’ଣ ପରମାତ୍ମା
ଜନ୍ମ-ମରଣ ଚକ୍ରରେ ଆସୁଛନ୍ତି? ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ । ଆତ୍ମାରେ ଭଲ
ମନ୍ଦ ସଂସ୍କାର ରହିଥାଏ । ଭଲ ସଂସ୍କାରବାଲାଙ୍କର ମହିମା ଗାୟନ କରିଥାନ୍ତି । ମନ୍ଦ ସଂସ୍କାର
ବାଲାଙ୍କୁ ପାପୀ ନୀଚ ବୋଲି କହିଥାନ୍ତି । ବାବା ପବିତ୍ର ହେବାର ସହଜ ଯୁକ୍ତି ବତାଉଛନ୍ତି । ମନ,
ବଚନ, କର୍ମରେ କାହାକୁ ଦୁଃଖ ଦେବାର ନାହିଁ । ନିଜକୁ ମଧ୍ୟ ଦୁଃଖ ଦିଅ ନାହିଁ । କୌଣସି ବି
ବିକର୍ମ, ଚୋରୀ ଆଦି କରିବାର ନାହିଁ । ଯଦି କେଉଁଠାରେ ମିଛ କହିବାକୁ ପଡୁଛି, ତେବେ ବାବାଙ୍କଠାରୁ
ରାୟ ନିଅ । ସବୁଠାରୁ ବଡ ପାପ ହେଉଛି - କାମ ବିକାରଗ୍ରସ୍ତ ହେବା, ଏବେ ତାକୁ ବନ୍ଦ କର ।
ବାବା କହୁଛନ୍ତି
ପିଲାମାନେ ହାତରେ କାମ କରି ବୁଦ୍ଧିର ଯୋଗ ମୋ ସହିତ ଲଗାଅ । ବାବା ସର୍ଜନ ମଧ୍ୟ ଅଟନ୍ତି ।
ସମସ୍ତଙ୍କର ରୋଗ ଏକାପରି ହୋଇପାରିବ ନାହିଁ । କର୍ମ ମଧ୍ୟ ସମାନ ହୋଇପାରିବ ନାହିଁ । ତେବେ ପ୍ରତି
ପାଦରେ ପଚାରିବା ଦରକାର । ତୁମର ଲକ୍ଷ୍ୟ ବହୁତ ଉଚ୍ଚ ଅଟେ । ଅମରନାଥଙ୍କର ଯାତ୍ରାକୁ ଗଲେ କହନ୍ତି
ଅମରନାଥଙ୍କର ଜୟ, ବଦ୍ରୀନାଥଙ୍କର ଜୟ । ହେ ବଦ୍ରୀନାଥ ଆମର ରକ୍ଷା କରିବେ । ଏବେ ତୁମର
ତୀର୍ଥଯାତ୍ରା ଆଦି କିଛି କରିବାର ନାହିଁ । ଏହି ଜ୍ଞାନର କଥା ବାବା ହିଁ ବୁଝାଉଛନ୍ତି । ତାଙ୍କର
ହିଁ ପାର୍ଟ ରହିଛି । ତୁମେ ମଧ୍ୟ ବାବାଙ୍କ ସାଥୀରେ ପାର୍ଟଧାରୀ ଅଟ । ଯିଏ ଯେତେ ପାଠ ପଢିବେ ସେତେ
ଉଚ୍ଚ ପଦ ପାଇବେ । ଏଥିରେ କୌଣସି ବାହାଦୂରୀ ନାହିଁ । ବାହାଦୂରୀ ଜଣଙ୍କର ହିଁ ରହିଛି, ଯିଏ ସର୍ବ
ମନୁଷ୍ୟମାନଙ୍କୁ ସଦ୍ଗତି ଦେଉଛନ୍ତି । ସବୁ ସନ୍ତାନମାନଙ୍କୁ ପତିତରୁ ପାବନ କରୁଛନ୍ତି । ଏହି
ଡ୍ରାମାରେ ମୋତେ ମଧ୍ୟ ପାର୍ଟ ମିଳିଛି । ୫ ତତ୍ତ୍ୱକୁ ମଧ୍ୟ ନିଜ-ନିଜର ଅଭିନୟ ମିଳିଛି, ତେଣୁ
ତାହା କରିବାକୁ ହେବ । ପୃଥିବୀକୁ ଓଲଟ ପାଲଟ ହେବାର ଅଛି, ବିନାଶ ତ ହେବାର ଅଛି । ତୁମର ମଧ୍ୟ
ଡ୍ରାମାରେ ପାର୍ଟ ରହିଛି, ଏଥିରେ ବଡ କଥା କ’ଣ ଅଛି । ତୁମେ ରାଜତ୍ୱ କରି-କରି ପତିତ ହୋଇଯାଇଛ ।
ତୁମେ ମଧ୍ୟ ପୂର୍ବରୁ କ’ଣ ଥିଲ? ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ମୂଲ୍ୟହୀନ ଥିଲ । ଏବେ ତୁମେ
ବିଶ୍ୱର ମାଲିକ ହେଉଛ । ଏହା ତୁମର ପାର୍ଟ ଅଟେ, ତଥାପି ବି ଆମକୁ ଏହିପରି ହିଁ ହେବାକୁ ପଡିବ ।
ଏଥିରେ ବାହାଦୂରୀ ଅଥବା ମହିମାର କୌଣସି କଥା ନାହିଁ । ଏହିପରି ଡ୍ରାମା ତିଆରି ହୋଇଛି । ବାବା
ମଧ୍ୟ ଆସି ନିଜର ପାର୍ଟ କରୁଛନ୍ତି । ଭକ୍ତମାନେ ବହୁତ ଅତିରଞ୍ଜିତ କରି ମହିମା କରୁଛନ୍ତି, ସେ
କାମ ଆମେ କରିପାରିବୁ ନାହିଁ । ଏଠାରେ ତ ବାବାଙ୍କୁ ମନେ ପକାଇବାକୁ ହେବ । ବାବା ଏହି ଡ୍ରାମାର
ରହସ୍ୟ ତ ବହୁତ ଚମତ୍କାର ଅଟେ! ଯାହାକୁ କେହି ଜାଣି ନାହାଁନ୍ତି । ବାବା ଆମେ ସତ୍ୟଯୁଗରେ ଏ କଥା
ମଧ୍ୟ ଭୁଲିଯିବୁ! ଏହା ବଡ ବିଚିତ୍ର ଡ୍ରାମା ଅଟେ । ଏପରି ନିଜ ସହିତ କଥା ହୁଅ । କୌଣସି ଅଭିନେତା
ଭଲ ଅଭିନୟ କଲେ ତାଳି ମାରିଥାନ୍ତି । ଆମେମାନେ ମଧ୍ୟ କହୁଛୁ ମିଠା ବାବାଙ୍କର, ଶିବବାବାଙ୍କର
ବହୁତ ଶ୍ରେଷ୍ଠ ଅଭିନୟ ଅଟେ । ଆମେ ମଧ୍ୟ ବାବାଙ୍କ ସାଥୀରେ ଶ୍ରେଷ୍ଠ ଅଭିନୟ କରୁଛୁ । କେତେ ଭଲ
ଭାବରେ ବୁଝାଉଛନ୍ତି, ତଥାପି ବି କାହା-କାହାର ବୁଦ୍ଧିରେ ଆସୁନାହିଁ, ତେବେ ଏଥିରୁ ବୁଝିଯାଅ ଯେ
ଆମ ରାଜଧାନୀରେ ଏହାଙ୍କର ଆସିବାର ନାହିଁ । ଏକଥା ମଧ୍ୟ ଜାଣିଛ ଯେ ଯେଉଁମାନେ ବ୍ରାହ୍ମଣ ହୋଇଥିଲେ
ସେହିମାନେ ହିଁ ବ୍ରାହ୍ମଣ ହୋଇ ପୁଣି ଦେବତା ହେବେ । ଦେବତାମାନଙ୍କ ମଧ୍ୟରେ ବି ପ୍ରଜା ଆଦି ସବୁ
ହେବେ । ସମସ୍ତଙ୍କୁ ଅନାଦି ପାର୍ଟ ମିଳିଛି । ସୃଷ୍ଟି ମଧ୍ୟ ଗୋଟିଏ, ଯାହା ନିରନ୍ତର ଘୂରୁଛି ।
ଭଗବାନ ଏକ, ସୃଷ୍ଟି ବି ଏକ । ସେହି ଚକ୍ର ଘୂରି ଚାଲିଛି । ମନୁଷ୍ୟମାନେ ଅନୁସନ୍ଧାନ କରୁଛନ୍ତି,
ଦେଖିବା ଚନ୍ଦ୍ରରେ କ’ଣ ଅଛି! ତା ଉପରେ କ’ଣ ଅଛି! ତା ଉପରେ ରହିଛି ସୂକ୍ଷ୍ମବତନ । ସେଠାରେ କ’ଣ
ଦେଖିବେ? ଲାଇଟ୍ ହିଁ ଲାଇଟ୍ ରହିଛି । ବହୁତ ଚେଷ୍ଟା କରୁଛନ୍ତି - ବିଜ୍ଞାନର ମଧ୍ୟ ସୀମା ରହିଛି
ନା । ମାୟାର ମଧ୍ୟ ବହୁତ ଆକର୍ଷଣ ରହିଛି! ବିଜ୍ଞାନ ସୁଖ ପାଇଁ ବି ଅଟେ ତ ଦୁଃଖ ପାଇଁ ମଧ୍ୟ ଅଟେ
। ସେଠାରେ ବିମାନ କେବେ ତଳକୁ ଖସିପଡିବ ନାହିଁ । ଦୁଃଖର କୌଣସି କଥା ରହିବ ନାହିଁ । ଏଠାରେ ତ
ଦୁଃଖ ହିଁ ଦୁଃଖ ରହିଛି । ଚୋର ଲୁଟି ନେଉଛନ୍ତି । ନିଆଁ ଲଗାଇ ଦେଉଛି । ସେଠାରେ ଘର ବହୁତ ବଡ-ବଡ
ହେବ । ସାରା ଆବୁ ଯେତିକି ଜାଗା ଅଟେ ଜଣେ-ଜଣେ ରାଜାଙ୍କର ସେତିକି ଜାଗା ଥିବ । ତୁମେମାନେ ଆସିଛ
ସ୍ୱର୍ଗବାସୀ ହେବା ପାଇଁ । ଯଦି ବାବାଙ୍କୁ ମନେ ପକାଇବ ତେବେ ଖାଦ ବାହାରିଯିବ । ତୁମେ ସମସ୍ତେ
ପ୍ରେମିକା ଅଟ, ଏବେ ତୁମକୁ ପ୍ରେମିକ କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମେ ଅମରପୁରୀର ମାଲିକ
ହୋଇଯିବ । ସେଠାରେ ଅକାଳ ମୃତ୍ୟୁ ହୋଇ ନ ଥାଏ । ସତ୍ୟଯୁଗରେ ଶ୍ରେଷ୍ଠାଚାରୀ ଦୁନିଆ ହେବ, ଏହା
ହେଉଛି ଭ୍ରଷ୍ଟାଚାରୀ ଦୁନିଆ । କେତେ ବି.କେ. ବାବାଙ୍କଠାରୁ ବର୍ସା ନେଉଛନ୍ତି । ତୁମେ ମଧ୍ୟ
ବର୍ସା ନିଅ । ଯଦି ଶ୍ରୀମତରେ ନ ଚାଲିବ ତେବେ ଉଚ୍ଚପଦ ପାଇପାରିବ ନାହିଁ । ପ୍ରତ୍ୟେକ ୫ ହଜାର
ବର୍ଷ ପରେ ବାବା ସ୍ୱର୍ଗ ରଚନା କରିବାକୁ ଆସୁଛନ୍ତି । କଳିଯୁଗରେ ଢେର ମନୁଷ୍ୟ ଅଛନ୍ତି,
ସତ୍ୟଯୁଗରେ କମ୍ ରହିବେ, ତେବେ ବିନାଶ ନିଶ୍ଚୟ ହେବ । ସେଥିପାଇଁ ମହାଭାରତ ଲଢେଇ ସମ୍ମୁଖରେ
ଉପସ୍ଥିତ ରହିଛି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ମନ-ବଚନ-କର୍ମରେ କାହାକୁ ବି ଦୁଃଖ ଦେବାର ନାହିଁ । ନିଜ ଭିତରୁ ଖରାପ ସଂସ୍କାର ଗୁଡିକୁ ବାହାର
କରି ଏବେ ଭଲ ସଂସ୍କାର ଗୁଡିକୁ ଧାରଣ କରିବାର ଅଛି । କୌଣସି ପ୍ରକାରର ବିକର୍ମ ନ ହେଉ ସେଥିପ୍ରତି
ଧ୍ୟାନ ରଖିବାର ଅଛି ।
(୨) ଏହି ବିଚିତ୍ର
ଡ୍ରାମାରେ ନିଜର ଶ୍ରେଷ୍ଠ ଭାଗ୍ୟକୁ ଦେଖିବା ସହିତ ନିଜେ ନିଜ ସହିତ କଥାବାର୍ତ୍ତା କରିବାର ଅଛି
ଯେ ମୁଁ ଭଗବାନଙ୍କ ସହିତ ପାର୍ଟ କରୁଛି । ମୋର ପାର୍ଟ (ଅଭିନୟ) କେତେ ଶ୍ରେଷ୍ଠ ଅଟେ ।
ବରଦାନ:-
ସ୍ନେହର
ପ୍ରତିଦାନରେ ସମାନତାର ଅନୁଭବ କରୁଥିବା ସର୍ବଶକ୍ତି ସମ୍ପନ୍ନ ଭବ ।
ଯେଉଁ ପିଲାମାନେ
ବାବାଙ୍କର ସ୍ନେହରେ ସଦାସର୍ବଦା ସମାହିତ ହୋଇ ରହିଛନ୍ତି, ସେମାନଙ୍କୁ ସ୍ନେହର ପ୍ରତ୍ୟୁତ୍ତର
ରୂପରେ ବାବାଙ୍କ ସମାନ ହେବାର ବରଦାନ ପ୍ରାପ୍ତ ହୋଇଯାଇଥାଏ । ଯେଉଁମାନେ ସର୍ବଦା ସ୍ନେହଯୁକ୍ତ ଏବଂ
ଯୋଗଯୁକ୍ତ ଅଟନ୍ତି ସେମାନେ ସ୍ୱତଃ ହିଁ ସର୍ବଶକ୍ତିରେ ସମ୍ପନ୍ନ ହୋଇଯାଆନ୍ତି । ଯଦି ଶକ୍ତିଗୁଡିକ
ସର୍ବଦା ସାଥୀରେ ରହିଥିବ ତେବେ ବିଜୟ ସୁନିଶ୍ଚିତ ଅଟେ । ଯେଉଁମାନଙ୍କ ଭିତରେ ସ୍ମୃତି ରହୁଛି ଯେ
ସର୍ବଶକ୍ତିମାନ୍ ବାବା ଆମ ସାଥୀରେ ଅଛନ୍ତି ତେବେ ସେମାନେ କେବେ ବି କୌଣସି କଥାରେ ବିଚଳିତ
ହୋଇପାରିବେ ନାହିଁ ।
ସ୍ଲୋଗାନ:-
ପୁରୁଷାର୍ଥୀ
ଜୀବନରେ ଯେଉଁମାନେ ସର୍ବଦା ସନ୍ତୁଷ୍ଟ ଏବଂ ଖୁସିରେ ରହୁଛନ୍ତି, ସେହିମାନେ ହିଁ ଭାଗ୍ୟଶାଳୀ
ଅଟନ୍ତି ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ବର୍ତ୍ତମାନ ସମୟରେ ଏଭଳି
ପରୋପକାରୀ ସଂଗଠନ ଆବଶ୍ୟକ ଯେଉଁମାନେ କି ସର୍ବଦା ଦେଇ ଚାଲିଥିବା ଦାତା ହୋଇଥିବେ । ଯେପରି
ସମ୍ପନ୍ନ ରାଜାମାନେ ସର୍ବଦା ପ୍ରଜାମାନଙ୍କୁ ଦେଇ ଚାଲିଥାଆନ୍ତି । ସମ୍ପନ୍ନ ରାଜାମାନଙ୍କର ହାତ
କେବେ ବି ନେବାର ହାତ ହୋଇ ନ ଥାଏ ଦେବାର ହାତ ହୋଇଥାଏ । ତୁମେ ପିଲାମାନେ ତ ସ୍ୱର୍ଗ ଦୁନିଆର ବିଶ୍ୱ
ମହାରାଜା ହୋଇ ଦାତା ରୂପରେ ପାର୍ଟ କରିବ, ତେଣୁ ଏବେଠାରୁ ସେହି ସଂସ୍କାର ନିଜ ଭିତରେ ଭରିନିଅ ।