09.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏଠାକୁ ଆତ୍ମ ଅନୁଭୂତି କରିବା ପାଇଁ ଆସିଛ, ତେଣୁ ତୁମେ ନିଜକୁ ଆତ୍ମା ମନେ କରି
ପରମାତ୍ମା ପିତାଙ୍କଠାରୁ ଶୁଣ, ଦେହୀ ଅର୍ଥାତ୍ ଆତ୍ମ-ଅଭିମାନୀ ସ୍ଥିତିରେ ରହିବାର ଅଭ୍ୟାସ କର ।”
ପ୍ରଶ୍ନ:-
କେବେ କେବେ
ପିଲାମାନଙ୍କୁ କେହି କେହି ପଚାରୁଛନ୍ତି ତୁମେ ଆତ୍ମାର ସାକ୍ଷାତ୍କାର କରିଛ, ତେବେ ତୁମେ
ସେମାନଙ୍କୁ କେଉଁ ଉତ୍ତର ଦେବ?
ଉତ୍ତର:-
ସେମାନଙ୍କୁ କୁହ ହଁ, ମୁଁ ଆତ୍ମାର ସାକ୍ଷାତ୍କାର କରିଛି । ଆତ୍ମା ଜ୍ୟୋତିର୍ବିନ୍ଦୁ ସ୍ୱରୂପ ଅଟେ
। ଆତ୍ମାରେ ହିଁ ଭଲ ବା ମନ୍ଦ ସଂସ୍କାର ରହିଛି । ଆତ୍ମାର ସମ୍ପୂର୍ଣ୍ଣ ଜ୍ଞାନ ଏବେ ମୋତେ
ମିଳିଯାଇଛି । ଯେ ପର୍ଯ୍ୟନ୍ତ ଆତ୍ମାର ସାକ୍ଷାତ୍କାର କରି ନ ଥିଲି ସେ ପର୍ଯ୍ୟନ୍ତ ଦେହ-ଅଭିମାନୀ
ଥିଲି । ଏବେ ମୋତେ ପରମାତ୍ମାଙ୍କ ଦ୍ୱାରା ଈଶ୍ୱରାନୁଭୂତି ଏବଂ ଆତ୍ମାନୁଭୂତି ହୋଇଯାଇଛି ।
ଗୀତ:-
ନ ୱହ ହମସେ ଜୁଦା
ହୋଙ୍ଗେ...
ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଏହି ଗୀତକୁ ଶୁଣିଲେ । ଆତ୍ମିକ ପିଲାମାନେ ଶରୀର ଦ୍ୱାରା କଥା
କହୁଛନ୍ତି । ଏଭଳି କେହି କେବେ କହିବେ ନାହିଁ ଯେ ଆମେ ସାଧୁ-ସନ୍ଥଙ୍କ ପାଇଁ ଜୀବନ ଦେଇଦେବୁ ।
ପିଲାମାନେ ଜାଣିଛନ୍ତି ଆମକୁ ବାବାଙ୍କ ସହିତ ଘରକୁ ଯିବାର ଅଛି, ଏହି ଶରୀରକୁ ଛାଡିବାର ଅଛି,
ସେଥିପାଇଁ କହୁଛନ୍ତି ଯେ ଏହି ଶରୀରକୁ ଛାଡି ଆମେ ବାବାଙ୍କ ସାଥିରେ ଚାଲିଯିବା । ବାବା ମଧ୍ୟ
ଆସୁଛନ୍ତି ସାଥିରେ ନେଇଯିବା ପାଇଁ । ଏହା ବହୁତ ବୁଝିବାର କଥା । ପିଲାମାନେ ଡାକୁଛନ୍ତି, ଆମଭଳି
ପତିତମାନଙ୍କୁ ଆସି ପବିତ୍ର କର, ତେବେ ମୁଁ କ’ଣ କରିବି । ଏଠାରେ ତ ଛାଡି ଦେଇଯିବି ନାହିଁ, ଏହି
ସାରା ଦୁନିଆ ପତିତ ଅଟେ, ତେଣୁ ଏହି ପତିତ ଦୁନିଆରୁ ପବିତ୍ର ଦୁନିଆକୁ ନେଇଯିବା ପାଇଁ ବାବା
ଆସିଛନ୍ତି । ଆମ ଆତ୍ମାମାନଙ୍କୁ ବାବା ସାଥିରେ ନେଇଯିବେ । ଏହି ସାରା ଦୁନିଆ ହିଁ ବିକାରୀ, ଏକଥା
ମଧ୍ୟ ତୁମେ ଜାଣିଛ । ତୁମେ ଯଦି କାହାକୁ ବିକାରୀ, ପତିତ ବୋଲି କହିବ ତେବେ ବିଗିଡି ଯିବେ ।
ମନୁଷ୍ୟଙ୍କୁ ବହୁତ କାଇଦାରେ ବୁଝାଇବାକୁ ହେବ । କେବଳ ଏକ ବାବାଙ୍କର ହିଁ ମହିମା କରିବାକୁ ହେବ ।
ଏବେ ତୁମମାନଙ୍କୁ ଜ୍ଞାନ ମିଳିଛି, ବହୁତ ଭାବିଚିନ୍ତି କଥା କହିବାର ଅଛି । ଯେଉଁଠି ଦେଖୁଛ ଓଲଟା
ପ୍ରଶ୍ନ କରୁଛନ୍ତି, ତେବେ କୁହ ମୁଁ ଏତେ ଭଲ ଭାବରେ ଜାଣିନାହିଁ, ଆମର ବଡ ଭଉଣୀ ଆସିଲେ ଉତ୍ତର
ଦେବେ ।
ତୁମେ କହୁଛ, ଶିବବାବା ବୁଝାଉଛନ୍ତି, ଭଗବାନୁବାଚ - ମନୁଷ୍ୟ ସମସ୍ତେ ପତିତ ଅଟନ୍ତି । ଭଗବାନ ତ
ପତିତ ହୋଇପାରିବେ ନାହିଁ । ପତିତ ପାବନଙ୍କୁ ସମସ୍ତେ ଡାକୁଛନ୍ତି କାରଣ ନିଜେ ପତିତ ଅଟନ୍ତି ।
ଦେହଧାରୀମାନଙ୍କୁ ଭଗବାନ କୁହାଯାଇ ପାରିବ ନାହିଁ । ଭଗବାନ ନିରାକାର ଶିବଙ୍କୁ ହିଁ କୁହାଯାଉଛି,
ଶିବଙ୍କର ମନ୍ଦିର ମଧ୍ୟ ବହୁତ ଅଛି । ପ୍ରଥମେ ଯଦି ଏହି ଗୋଟିଏ କଥାକୁ ବୁଝିଯିବେ, ତେବେ ସ୍ଥାୟୀ
ଭାବରେ ରହିପାରିବେ । ପ୍ରଥମେ କୁହ ଶିବଭଗବାନୁବାଚ - ଶିବବାବା କହୁଛନ୍ତି ଯେ କେବଳ ମୋତେ ମନେ
ପକାଅ । ତାଙ୍କର ନିଜର ଶରୀର ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ମଧ୍ୟ ନିଜର ସୂକ୍ଷ୍ମ
ଶରୀର ଅଛି । ଯାହାକି ସ୍ପଷ୍ଟ ଭାବେ ଦେଖି ହେବ, ଶିବବାବାଙ୍କୁ ଦେଖି ହେବ ନାହିଁ । ତାଙ୍କୁ ହିଁ
କୁହାଯାଉଛି ପରମପିତା ପରମାତ୍ମା । ତୁମେ ମଧ୍ୟ କହିବ ମୁଁ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ
ଶରୀର ଧାରଣ କରୁଛି । ତୁମେ ନିଜ ଆତ୍ମାର ସାକ୍ଷାତ୍କାର କରିଛ । ଭକ୍ତିମାର୍ଗରେ ସାକ୍ଷାତ୍କାର
କରିବା ପାଇଁ ନବଧାଭକ୍ତି କରିଥାନ୍ତି । କିନ୍ତୁ ଭକ୍ତିମାର୍ଗର ଆତ୍ମା କେବେ ହେଲେ ଆତ୍ମାର
ସାକ୍ଷାତ୍କାର କରିନାହାଁନ୍ତି । ତାହା କି ପ୍ରକାରର ଜିନିଷ, ଏ କଥା ବିଲ୍କୁଲ୍ ଜାଣିନାହାଁନ୍ତି
। କେବଳ କହୁଛନ୍ତି - ଆତ୍ମା ନିରାକାର ଅଟେ । କଥାବାର୍ତ୍ତା ତ ଆତ୍ମା କରିଥାଏ । ସଂସ୍କାର ମଧ୍ୟ
ଆତ୍ମାରେ ରହିଥାଏ । ଆତ୍ମା ବାହାରିଗଲା ପରେ ନା ଆତ୍ମା ନା ଶରୀର କଥା କହିପାରିବ । ଆତ୍ମା ବିନା
ଶରୀର କିଛି ବି କରିପାରିବ ନାହିଁ । ପ୍ରଥମେ ତ ଆତ୍ମାକୁ ଜାଣିବାକୁ ହେବ, ତେବେ ବାବାଙ୍କ ଦ୍ୱାରା
ବାବାଙ୍କୁ ଜାଣିପାରିବେ । ଆତ୍ମାକୁ ପରମପିତା ପରମାତ୍ମାଙ୍କର ସାକ୍ଷାତ୍କାର କିପରି ହୋଇପାରିବ,
ମନୁଷ୍ୟ ତ ନିଜକୁ ହିଁ ଜାଣିପାରୁ ନାହିଁ ବା ଦେଖିପାରୁ ନାହିଁ । ଯଦିଓ କହୁଛନ୍ତି “ଚମକତା ହୈ
ଅଜବ ସିତାରା” ଅର୍ଥାତ୍ (ଭ୍ରୃକୁଟୀ ମଝିରେ ଗୋଟିଏ ବିଚିତ୍ର ତାରକା ଚମକୁଛି) କିନ୍ତୁ ଏକଥା
କାହାକୁ ଜଣା ନାହିଁ ଯେ ଆତ୍ମାରେ ୮୪ ଜନ୍ମର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ମନୁଷ୍ୟ ବିଲ୍କୁଲ୍
ଦେହ ଅଭିମାନୀ ହୋଇ ରହୁଛନ୍ତି । ଏବେ ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ । ନିଜକୁ ଆତ୍ମା ମନେ
କରି ମୋ ଦ୍ୱାରା ଶୁଣ । ଶୁଣିଲାବାଲା ଆତ୍ମା ଅଟେ, ତେଣୁ ଆତ୍ମାକୁ ଶୁଣାଇଲାବାଲା ପରମାତ୍ମା ହେବା
ଦରକାର । ମନୁଷ୍ୟକୁ ମନୁଷ୍ୟ ହିଁ ବୁଝାଇଥା’ନ୍ତି । ଆତ୍ମାର ଜ୍ଞାନ କାହାରିକୁ ଜଣାନାହିଁ ଏଥିପାଇଁ
କୁହାଯାଏ ପ୍ରଥମେ ଆତ୍ମାକୁ ଜାଣ । ଆତ୍ମ ଅନୁଭୂତି କର । ଆତ୍ମା ନିଜେ ହିଁ କହୁଛି - ମୁଁ ଆତ୍ମ
ଅନୁଭୂତି କିପରି କରିବି । ଏକଥା କ’ଣ କାହାକୁ ଜଣାଅଛି ଯେ ଆମ ଆତ୍ମାରେ କିପରି ସାରା ଅଭିନୟ ଭରା
ହୋଇ ରହିଛି । ସାଧୁ ସନ୍ନ୍ୟାସୀ ଆଦି କେହି ବି ଶୁଣାଇ ପାରିବେ ନାହିଁ । ବାବାଙ୍କୁ ହିଁ ଆସି
ଆତ୍ମାନୁଭୂତି କରାଇବାକୁ ପଡୁଛି । ବାବା କହୁଛନ୍ତି ନିଜକୁ ଆତ୍ମା ମନେ କରି ମୁଁ ନିରାକାର
ପରମପିତା ପରମାତ୍ମା ମୋ ଠାରୁ ଶୁଣ । ଆତ୍ମା ଏବଂ ପରମାତ୍ମା ଯେତେବେଳେ ମିଶିବେ ତେବେ ଯାଇ ଏହିଭଳି
କଥାବାର୍ତ୍ତା ହୋଇପାରିବେ । ଦୁନିଆକୁ ଏହା ଜଣା ନାହିଁ ଯେ ପରମପିତା ପରମାତ୍ମା କେବେ ଆସିବେ ।
କିପରି ଆସି ବୁଝାଇବେ? ନ ଜାଣିବା କାରଣରୁ ମତଭେଦରେ ଆସିଯାଉଛନ୍ତି । ସେମାନଙ୍କର ଆଧାର ସବୁ
ଶାସ୍ତ୍ର ଜ୍ଞାନ ଉପରେ ରହିଛି । ବାବା କହୁଛନ୍ତି ସେସବୁ ମାଧ୍ୟମରେ ନା ତୁମେ ମୋତେ ଅନୁଭବ
କରିପାରିବ ନା ନିଜକୁ ଅନୁଭବ କରିପାରିବ । ମନୁଷ୍ୟ ତ କହିଦେଉଛନ୍ତି ଆତ୍ମା ହିଁ ପରମାତ୍ମା । ଏଭଳି
କହିବା ଦ୍ୱାରା କ’ଣ ହେଉଛି । ଆତ୍ମାକୁ ତେବେ ପତିତରୁ ପାବନ କିଏ କରିବ? ତ୍ରିକାଳଦର୍ଶୀ କିଏ
କରିବ? ଆଉ କେହି ବି ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ ତ ଦେଇପାରିବେ ନାହିଁ ସେଥିପାଇଁ ତୁମେ
କହୁଛ ଯେଉଁ ଆତ୍ମାମାନେ ନିଜର ପିତାଙ୍କୁ ଜାଣିନାହାଁନ୍ତି ସେମାନେ ନାସ୍ତିକ ଅଟନ୍ତି । ସେମାନେ
ପୁଣି କହୁଛନ୍ତି ଯେଉଁମାନେ ଭକ୍ତି କରୁନାହାଁନ୍ତି ସେମାନେ ନାସ୍ତିକ । ତୁମେମାନେ ଭକ୍ତି ତ
କରୁନାହଁ । ତୁମ ପାଖରେ ବହୁତ ଭଲ ଭଲ ଚିତ୍ର ରହିଛି । ଚିତ୍ର ସମ୍ବନ୍ଧରେ ହିଁ ବୁଝାଯାଉଛି । କେହି
ଯଦି ବିଶ୍ୱର ମାନଚିତ୍ର ଦେଖି ହିଁ ନ ଥିବ ତେବେ ତାଙ୍କୁ କ’ଣ ଜଣାଥିବ ଯେ ଲଣ୍ଡନ କେଉଁଠି,
ଆମେରିକା କେଉଁଠି? ଯେ ପର୍ଯ୍ୟନ୍ତ ଶିକ୍ଷକ ବସି ତାଙ୍କୁ ମାନଚିତ୍ର ଦ୍ୱାରା ନ ବୁଝାଇଛନ୍ତି ।
ସେଥିପାଇଁ ତୁମେମାନେ ଏହି ଚିତ୍ର ସବୁ ତିଆରି କରିଛ କିନ୍ତୁ ବିସ୍ତାରରେ କେହି ମଧ୍ୟ ବୁଝି
ଇପାରିବେ ନାହିଁ । ସୂର୍ଯ୍ୟବଂଶୀମାନେ ଏହି ରାଜଧାନୀ କେଉଁଠାରୁ ପ୍ରାପ୍ତ କଲେ? ପୁଣି ଚନ୍ଦ୍ରବଂଶୀ
ମାନେ କିପରି ପାଇଲେ? କ’ଣ ସେମାନେ ସୂର୍ଯ୍ୟବଂଶୀଙ୍କ ସହିତ ଲଢେଇ କଲେ? ତୁମେ ବୁଝାଉଛ ସମସ୍ତଙ୍କୁ
ଏକ ବାବାଙ୍କଠାରୁ ହିଁ ସମ୍ପତ୍ତି ମିଳୁଛି । ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ତ ବିଶ୍ୱର ମାଲିକ
ଅଟନ୍ତି । ଅନ୍ୟ କୌଣସି ଧର୍ମ ହିଁ ସେତେବେଳେ ନ ଥାଏ ତେଣୁ ଲଢେଇ କରିବାର ପ୍ରଶ୍ନ ହିଁ ଉଠୁନାହିଁ
। ଏବେ ତୁମେ ଜାଣୁଛ ଯେ ଆମେ ବିଶ୍ୱର ମାଲିକ ହେଉଛୁ । ଏମିତି ନୁହେଁ କି ସୂର୍ଯ୍ୟବଂଶୀଙ୍କଠାରୁ
ଚନ୍ଦ୍ରବଂଶୀ ରାଜ୍ୟ ଜିତି ନେଲେ ବା ଯୁଦ୍ଧ ହୋଇଥିଲା । ନା, ସେମାନଙ୍କର ଅଲଗା ଅଲଗା କୁଟୁମ୍ବ ଅଟେ
।
ଏବେ ତୁମ ବୁଦ୍ଧିରେ ଏହି ଚିତ୍ର ଗୁଡିକର ସମସ୍ତ ଜ୍ଞାନ ଭରି ରହିଛି । ସ୍କୁଲରେ ମଧ୍ୟ ଯେତେବେଳେ
ଛାତ୍ର ଛାତ୍ରୀମାନେ ପାଠ ପଢୁଥାନ୍ତି ସେତେବେଳେ ତାଙ୍କ ବୁଦ୍ଧିରେ ସାରା ଜ୍ଞାନ ଆସିଯାଇଥାଏ ।
ଛୋଟ ପିଲାଙ୍କୁ ଛବି ମାଧ୍ୟମରେ ଦେଖାଯାଇଥାଏ - ଇଏ ହାତୀ, ଇଏ ଅମୁକ । ଏବେ ତୁମେ ଏହି ଡ୍ରାମାକୁ
ଜାଣିଗଲଣି । ଏହି ଚକ୍ରର ଜ୍ଞାନ ତୁମ ବୁଦ୍ଧିରେ ଅଛି । ଏହି ସବୁ କଥା ସମ୍ପୂର୍ଣ୍ଣ ନୂଆ ଅଟେ ଏବଂ
ଏହି କଥାକୁ ବ୍ରାହ୍ମଣ କୁଳର ଆତ୍ମାମାନେ ହିଁ ବୁଝିପାରିବେ । ଅନ୍ୟମାନେ ତ କେବଳ ବ୍ୟର୍ଥରେ ତର୍କ
ଆଦି କରିବେ । ଏମିତି ବି ନୁହେଁ ସମସ୍ତଙ୍କୁ ଏକାଠି ବୁଝାଇ ପାରିବ । ନା । ଅଲଗା ଅଲଗା ବୁଝାଇବାକୁ
ହେବ । ନିୟମ ମଧ୍ୟ ରହିଛି ପ୍ରଥମେ ଆତ୍ମା ପରମାତ୍ମା ସମ୍ବନ୍ଧରେ ବୁଝିଲା ପରେ ଯଦି କ୍ଲାସ୍ରେ
ବସିବେ ତେବେ ବୁଝିପାରିବେ ନଚେତ୍ କିଛି ବୁଝିପାରିବେ ନାହିଁ । ସନ୍ଦେହ କରି ଚାଲିବେ । ତୁମକୁ
ବୁଝାଇବାକୁ ହେବ ଯେ ଭଗବାନ ତ ଜଣେ ହିଁ ଅଟନ୍ତି - ସିଏ ହିଁ ସର୍ବୋଚ୍ଚ ଅଟନ୍ତି । ଦେବତାମାନଙ୍କୁ
ମଧ୍ୟ ଭଗବାନ କୁହାଯାଇପାରିବ ନାହିଁ । ଆତ୍ମାର ଜ୍ଞାନ ମଧ୍ୟ ଏବେ ତୁମକୁ ମିଳିଛି । କର୍ମର ଫଳ
ଆତ୍ମା ହିଁ ଭୋଗ କରୁଛି । ସଂସ୍କାର ଆତ୍ମାରେ ହିଁ ରହିଥାଏ । ଆତ୍ମା ଶୁଣିଥାଏ ଏହି
କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା । ଭଗବାନ ପିତା ଜଣେ ହିଁ ଅଟନ୍ତି, ସମ୍ପତ୍ତି ମଧ୍ୟ ତାଙ୍କଠାରୁ
ମିଳିଥାଏ । ବାବା ବୁଝାଇଛନ୍ତି - ତୁମେ ନିଜକୁ ଆତ୍ମା ନିଶ୍ଚୟ କର ଏବଂ ବାବାଙ୍କ ସହିତ
ବୁଦ୍ଧିଯୋଗ ଲଗାଅ । ତୁମେ ଜନ୍ମ ଜନ୍ମାନ୍ତର ଭକ୍ତି କରି ଆସିଛ । ଯିଏ ହନୁମାନଙ୍କର ପୂଜାରୀ
ହୋଇଥିବେ ସିଏ ହନୁମାନଙ୍କୁ ହିଁ ସ୍ମରଣ କରିବେ ବା କୃଷ୍ଣଙ୍କର ପୂଜାରୀ ହୋଇଥିଲେ କୃଷ୍ଣଙ୍କୁ ହିଁ
ସ୍ମରଣ କରିବେ । ଏବେ ତୁମକୁ ବୁଝାଇ ଦିଆଯାଉଛି ଯେ - ତୁମେ ଆତ୍ମା ଅଟ । ତୁମର ପିତା, ପରମପିତା
ପରମାତ୍ମା ଅଟନ୍ତି । ତାଙ୍କୁ ମନେ ପକାଇବା ଦ୍ୱାରା ହିଁ ତୁମକୁ ପିତାଙ୍କର ସମ୍ପତ୍ତି ମିଳିବ ।
ଯେହେତୁ ଆମର ପିତା ସ୍ୱର୍ଗର ରଚୟିତା ଅଟନ୍ତି, ତେଣୁ ନିଶ୍ଚିତ ଆମେ ସ୍ୱର୍ଗରେ ରହିବା ଉଚିତ୍ ।
ଭାରତ ସ୍ୱର୍ଗ ଥିଲା । ଏବେ ତ ସ୍ୱର୍ଗ ହିଁ ନାହିଁ ଯେଉଁଠି ରାଜତ୍ୱ କରିବ । ଏହି ନର୍କ ଦୁନିଆରେ
ତ ରାବଣର ରାଜତ୍ୱ ଚାଲିଛି । ଆମର ରାଜଧାନୀ କିପରି ଚାଲିଥିଲା ପୁଣି କିପରି ତଳକୁ ଖସିଲେ, କିଛି
ବି ଜାଣିନାହାଁନ୍ତି । ଏବେ ତୁମେ ଜାଣିଛ ପୁନର୍ଜନ୍ମ ନେଇ ନେଇ ଆମକୁ ତଳକୁ ଖସିବାକୁ ହିଁ ହେବ ।
ଏବେ ପୁଣି ବାବା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମେ ପବିତ୍ର ହେବ ଓ ତୁମକୁ ସ୍ୱର୍ଗର
ସମ୍ପତ୍ତି ମିଳିବ । ଯେହେତୁ ଆମେ ବାବାଙ୍କର ହେଉଛେ, ତେଣୁ ବାବାଙ୍କର ସମ୍ପତ୍ତି ମିଳୁଛି ।
କିନ୍ତୁ ଯେ ପର୍ଯ୍ୟନ୍ତ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ନ ହୋଇଛ, ଯୋଗବଳ ଦ୍ୱାରା ପବିତ୍ର ନ ହୋଇଛ
ସେ ଯର୍ପ୍ୟନ୍ତ ସମ୍ପତ୍ତି ମିଳିପାରିବ ନାହିଁ । ବାବା କହୁଛନ୍ତି ମୋତେ ସ୍ମରଣ କରିବା ଦ୍ୱାରା
ତୁମର ବିକର୍ମ ବିନାଶ ହେବ, ତୁମେ ବିକର୍ମାଜିତ୍ ହୋଇଯିବ, ମୁଁ ଏହା ଗ୍ୟାରେଣ୍ଟି (ପ୍ରତିଶ୍ରୃତି)
ଦେଉଛି । ଏହିପରି ବୁଝାଇବାକୁ ପଡିଥାଏ । କେହି ତ ସହଜରେ ବୁଝିଯିବେ, ଆଉ କେହି ତୀକ୍ଷ୍ମ
ବୁଦ୍ଧିସମ୍ପନ୍ନ ମଧ୍ୟ ଥା’ନ୍ତି ଯିଏକି ଉଚ୍ଚ ସ୍ୱରରେ ତର୍କ କରିବାରେ ଲାଗିପଡନ୍ତି । କେହି ନା
କେହି ବିଘ୍ନ ପକାଇଲାବାଲା ବାହାରି ପଡନ୍ତି । ଯଦି କେହି ଗଣ୍ଡଗୋଳ କରନ୍ତି ତେବେ କହିବା ଦରକାର -
ଏକାନ୍ତ ସମୟରେ ଆସି ବୁଝ । ଏଠିକାର ନିୟମ ରହିଛି ଯେ ୭ ଦିନ ଭଟ୍ଟୀରେ ରହି ବୁଝିବା ଦରକାର କାରଣ
ଏହା ନୂତନ ଜ୍ଞାନ ହୋଇଥିବା କାରଣରୁ ମନୁଷ୍ୟ ଦ୍ୱନ୍ଦ୍ୱରେ ପଡିଥାନ୍ତି । ଯଦି କୌଣସି ସ୍ଥାନରେ
ନୂଆ ସେଣ୍ଟର ଖୋଲାଯାଉଛି, ତେବେ ସେଠାରେ କୌଣସି ବୁଦ୍ଧିମାନ ସନ୍ତାନ ଥିବା ଦରକାର ଯିଏକି
ସମସ୍ତଙ୍କୁ ବୁଝାଇ ପାରିବେ । ଭଗବାନ ତ ସମସ୍ତଙ୍କ ପାଇଁ ଜଣେ ହିଁ ଅଟନ୍ତି, ସବୁ ଆତ୍ମା ଭାଇ ଭାଇ
ଅଟନ୍ତି । ପରମାତ୍ମା ସମସ୍ତଙ୍କର ପିତା ଅଟନ୍ତି । ଯଦି ଡାକୁଛନ୍ତି ହେ ପତିତପାବନ ଆସ ତେବେ ସିଏ
ନିଶ୍ଚିତ ପବିତ୍ର ଅଟନ୍ତି, ସିଏ କେବେ ପତିତ ହୁଅନ୍ତି ନାହିଁ । ବାବା ହିଁ ଆସି ପତିତଙ୍କୁ
ପବିତ୍ର କରିବେ । ସତ୍ୟଯୁଗରେ ସମସ୍ତେ ପବିତ୍ର ଥିଲେ । କଳିଯୁଗରେ ସମସ୍ତେ ପତିତ ଅଟନ୍ତି । ପତିତ
ଅନେକ ଅଛନ୍ତି କିନ୍ତୁ ପବିତ୍ର ବହୁତ କମ ଥା’ନ୍ତି । ସମସ୍ତେ ତ ସତ୍ୟଯୁଗକୁ ଯିବେ ନାହିଁ ।
ଯେଉଁମାନେ ପତିତରୁ ପବିତ୍ର ହେଉଛନ୍ତି ସେହିମାନେ ପବିତ୍ର ଦୁନିଆକୁ ଯିବେ । ବାକି ସମସ୍ତେ
ନିର୍ବାଣ ଦୁନିଆକୁ ଚାଲିଯିବେ । ଏକଥା ମଧ୍ୟ ତୁମେ ଜାଣିଛ ଯେ ସାରା ଦୁନିଆ ଏଠାକୁ ଆସି ବାବାଙ୍କର
ଶ୍ରୀମତ ନେବ ନାହିଁ । ସାରା ଦୁନିଆକୁ ଶ୍ରୀମତ ଦେବା ବହୁତ କଷ୍ଟକର କାର୍ଯ୍ୟ । ଏବେ ସମସ୍ତଙ୍କର
ବିନାଶର ସମୟ ଅଟେ । ବିନାଶ ତ ସମସ୍ତଙ୍କର ହେବ । କୌଣସି ବିଶୃଂଖଳା ନ କରି ଶାନ୍ତିରେ ଶୁଣିବା
ପାଇଁ ଏହି କଥା ସେମାନଙ୍କୁ ବହୁତ କାଇଦାରେ କହିବା ଦରକାର । ପ୍ରଥମେ ତ ବାବାଙ୍କର ପରିଚୟ ଦେବା
ଦରକାର । ଶିବବାବା ହିଁ ପତିତ ପାବନ ଅଟନ୍ତି, ସିଏ ହିଁ ବୁଝାଉଛନ୍ତି । ଗୀତାରେ ମଧ୍ୟ ଏହି ଅକ୍ଷର
ପ୍ରସିଦ୍ଧ ଅଟେ । ପତିତ-ପାବନ ବାବା ହିଁ କହୁଛନ୍ତି ଯେ ମୋତେ ସ୍ମରଣ କର ତେବେ ତୁମର ବିକର୍ମ
ବିନାଶ ହୋଇଯିବ । ଗୀତା ସହିତ ଏହି କଥାର ସମ୍ବନ୍ଧ ରହିଛି । ଶିବବାବା କହୁଛନ୍ତି - ମୋତେ ମନେ
ପକାଅ । ମୁଁ ସର୍ବଶକ୍ତିମାନ, ପତିତ ପାବନ ଅଟେ । ଗୀତା ଜ୍ଞାନ ଦାତା, ଜ୍ଞାନର ସାଗର ଅଟେ ।
ଗୀତାର ଅକ୍ଷର ତ ରହିଛି ନା । କେବଳ ସେମାନେ କହୁଛନ୍ତି କୃଷ୍ଣ ଭଗବାନଉବାଚ, ତୁମେ କହୁଛ ଶିବ
ଭଗବାନ ଉବାଚ । ଭଗବାନ ନିରାକାର ଅଟନ୍ତି ସିଏ କେବେ ପୁନର୍ଜନ୍ମ ନିଅନ୍ତି ନାହିଁ, ଅଲୌକିକ ଦିବ୍ୟ
ଜନ୍ମ ନେଇଥାନ୍ତି । ସିଏ ନିଜେ ଆସି କହୁଛନ୍ତି - ମୁଁ ସାଧାରଣ ବୃଦ୍ଧ ଶରୀରରେ ଆସୁଛି ଯାହାଙ୍କୁ
ଭାଗୀରଥ ବୋଲି କହୁଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ହିଁ ରଚନା ରଚୁଛନ୍ତି ବା ସନ୍ତାନ ସୃଷ୍ଟି
କରୁଛନ୍ତି । ତେଣୁ ଏହାଙ୍କର ନାମ ବ୍ରହ୍ମା ରଖାଯାଉଛି । ବ୍ୟକ୍ତ ବ୍ରହ୍ମାରୁ ପୁଣି ପବିତ୍ର
ଅବ୍ୟକ୍ତ ଫରିସ୍ତା ହୋଇଯାଉଛନ୍ତି । ବାବା କେବଳ ଆସୁଛନ୍ତି ପତିତମାନଙ୍କୁ ପବିତ୍ର କରିବା ପାଇଁ ।
ତେବେ ନିଶ୍ଚିତ ପତିତ ଦୁନିଆ, ପତିତ ଶରୀରରେ ହିଁ ଆସିବେ । ଏହା ବିସ୍ତାରରେ ବୁଝିବା କଥା ।
ପ୍ରଥମେ ତ ବୁଝାଇବା ଦରକାର - ଭଗବାନ କହୁଛନ୍ତି କଳ୍ପ ପୂର୍ବ ଭଳି ମୋତେ ମନେ ପକାଅ ତେବେ ତୁମର
ବିକର୍ମ ବିନାଶ ହେବ । ପତିତରୁ ପବିତ୍ର ହେବାକୁ ପଡିବ । ଗାୟନ ମଧ୍ୟ କରୁଛନ୍ତି ହେ ପତିତପାବନ ଆସ
। ଗଙ୍ଗା ତ ଏହିଠାରେ ଅଛି । ତୁମେ ପତିତ-ପାବନ କହି ଡାକୁଛ ତେବେ ନିଶ୍ଚିତ ଅନ୍ୟ କେଉଁ ସ୍ଥାନରୁ
ଆସିବେ । ପତିତ ପାବନ ଆସୁଛନ୍ତି କେବଳ ପତିତରୁ ପାବନ କରିବାର ଅଭିନୟ କରିବା ପାଇଁ । ବାବା
କହୁଛନ୍ତି ତୁମେମାନେ ପବିତ୍ର ଥିଲ, ପୁଣି ତୁମ ଆତ୍ମାରେ ବିକାର ରୂପି ଖାଦ ମିଶି ଯାଇଛି ଯାହାକି
ଯୋଗବଳ ଦ୍ୱାରା ହିଁ ବାହାରିବ । ତୁମେ ପବିତ୍ର ହୋଇ ଘରକୁ ଯିବ ପୁଣି ପବିତ୍ର ଦୁନିଆକୁ ଆସିବ ।
ପତିତ ଦୁନିଆର ବିନାଶ ହୋଇଯିବ । ତେଣୁ ଏବେ ଯାହା ବୁଝାଉଛି ତାକୁ ଭଲ ଭାବରେ ଧାରଣ କରିବାକୁ ହେବ
। ଆମେ ତ କେବଳ ସର୍ବୋଚ୍ଚ ବାବାଙ୍କର ମହିମା କରୁଛୁ । ବେହଦର ବାବା ବୁଝାଉଛନ୍ତି ତୁମେ ୮୪
ଜନ୍ମର ଅଭିନୟ କରି କରି କେତେ ପତିତ ହୋଇଯାଇଛ । ପ୍ରଥମେ ପବିତ୍ର ଥିଲ ଏବେ ପତିତ ହୋଇଯାଇଛ ପୁଣି
ସ୍ମୃତିର ଯାତ୍ରାରେ ରହିଲେ ତୁମେ ପବିତ୍ର ହୋଇଯିବ । ଭକ୍ତିମାର୍ଗ ଆରମ୍ଭରୁ ତୁମେ ସିଢିରେ ତଳକୁ
ଖସି ଖସି ଆସିଛ । ଏହା ତ ବିଲକୁଲ୍ ହିଁ ସହଜ କଥା । ଏହି କଥା ପିଲାମାନଙ୍କ ବୁଦ୍ଧିରେ ପକ୍କା ହେବା
ଦରକାର । ସକାଳୁ ସକାଳୁ ଉଠି ବିଚାର ସାଗର ମନ୍ଥନ କରିବା ଦରକାର ପୁଣି ଯିଏ ବି ଆସିଲେ ତାଙ୍କୁ
ବୁଝାଇବା ଦରକାର । ମୁରଲୀର ମୁଖ୍ୟ ପଏଣ୍ଟସ୍ ନୋଟ୍ କରି ପୁଣି ତାକୁ ପୁନରାବୃତ୍ତି କରିବା ଉଚିତ୍,
ଏହାଦ୍ୱାରା ହୃଦୟ ମଧ୍ୟରେ ପକ୍କା ହୋଇଯିବ ।
ପ୍ରଥମେ ମୁଖ୍ୟ କଥା ହେଲା ବାବାଙ୍କୁ ମନେ ପକାଇବା । ବାବା ହିଁ କହୁଛନ୍ତି ମନମନାଭବ, ମୋତେ ମନେ
ପକାଅ ତେବେ ବିକର୍ମ ବିନାଶ ହେବ । ଏବେ କର ବା ନକର ତୁମ ଇଚ୍ଛା । ବାବାଙ୍କର ଆଜ୍ଞା ତ ମିଳିଯାଇଛି
। ଯଦି ପବିତ୍ର ଦୁନିଆକୁ ଯିବାର ଅଛି ତେବେ ପତିତ ଦୁନିଆରେ ବୁଦ୍ଧି ଲଗାଇବା ଉଚିତ୍ ନୁହେଁ ।
ବିକାରଗ୍ରସ୍ତ ହେବାର ନାହିଁ । ଜ୍ଞାନ ତ ବହୁତ ମିଳି ଚାଲିଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସକାଳୁ
ସକାଳୁ ଉଠି ବିଚାର ସାଗର ମନ୍ଥନ କରିବାକୁ ହେବ । ବାବା ଯାହା ଶୁଣାଉଛନ୍ତି ସେଗୁଡିକୁ ନୋଟ୍ କରି
ପୁନରାବୃତ୍ତି କରିବାକୁ ହେବ ଏବଂ ଅନ୍ୟମାନଙ୍କୁ ଶୁଣାଇବାକୁ ହେବ । ସମସ୍ତଙ୍କୁ ପ୍ରଥମେ
ବାବାଙ୍କର ପରିଚୟ ଦେବାକୁ ହେବ ।
(୨) ପବିତ୍ର ଦୁନିଆକୁ
ଯିବାକୁ ହେଲେ ନିଜର ବୁଦ୍ଧିଯୋଗ ଏହି ପତିତ ଦୁନିଆଠାରୁ ବିଚ୍ଛିନ୍ନ କରି ଦେବାକୁ ହେବ ।
ବରଦାନ:-
ନମ୍ବରୱାନ
ବ୍ୟବସାୟୀ ହୋଇ ଗୋଟିଏ ଗୋଟିଏ ସେକେଣ୍ଡରେ ବା ସଂକଳ୍ପରେ ରୋଜଗାର ଜମା କରୁଥିବା ପଦ୍ମପତି ଭବ ।
ନମ୍ବରୱାନ ବିଜିନେସ୍ମ୍ୟାନ
ଅର୍ଥାତ୍ ବ୍ୟବସାୟୀ ତାଙ୍କୁ କୁହାଯିବ ଯିଏ ସର୍ବଦା ନିଜକୁ ବିଜୀ ଅର୍ଥାତ୍ କାର୍ଯ୍ୟବ୍ୟସ୍ତ
ରଖିବାର ଉପାୟ ଜାଣିଥିବ । ବିଜ୍ନେସ୍ମ୍ୟାନ୍ ଅର୍ଥାତ୍ ଯାହାର ଗୋଟିଏ ବି ସଂକଳ୍ପ ବ୍ୟର୍ଥରେ
ଯାଉ ନ ଥିବ, ପ୍ରତ୍ୟେକ ସଂକଳ୍ପରେ ରୋଜଗାର ହେଉଥିବ । ଯେପରି ସେହି ବିଜ୍ନେସ୍ମ୍ୟାନ ମାନେ
ଗୋଟିଏ ଗୋଟିଏ ପଇସାକୁ କାର୍ଯ୍ୟରେ ଲଗାଇ ତାକୁ ପଦ୍ମଗୁଣା କରିଦିଅନ୍ତି, ସେହିପରି ତୁମେମାନେ
ମଧ୍ୟ ନିଜର ଗୋଟିଏ ଗୋଟିଏ ସେକେଣ୍ଡରେ ବା ସଂକଳ୍ପରେ ରୋଜଗାର କରି ଦେଖାଅ, ତେବେ ଯାଇ ପଦ୍ମପତି
ହୋଇପାରିବ । ଏହାଦ୍ୱାରା ବୁଦ୍ଧିର ଭଟକିବା ବନ୍ଦ ହୋଇଯିବ ଏବଂ ବ୍ୟର୍ଥ ସଂକଳ୍ପର ଅଭିଯୋଗ ମଧ୍ୟ
ସମାପ୍ତ ହୋଇଯିବ ।
ସ୍ଲୋଗାନ:-
ଯେଉଁମାନେ
ମାଗିବାବାଲା ଅଟନ୍ତି, ସେମାନେ କେବେ ବି ଖୁସି ରୂପକ ସମ୍ପତ୍ତିରେ ଭରପୂର ହୋଇପାରିବେ ନାହିଁ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ସର୍ବଦା ମାଷ୍ଟର
ସର୍ବଶକ୍ତିବାନ୍ର ଆସନ ଉପରେ ସ୍ଥିତ ରହିବାବାଲା ହିଁ ଅଚଳ-ଅଟଳ ରହିଥାଆନ୍ତି । ବାପଦାଦା
କହୁଛନ୍ତି ପିଲାମାନେ ତୁମର ଶରୀର ପଛକେ ଚାଲିଯାଉ କିନ୍ତୁ ଖୁସି ନ ଯାଉ । ଟଙ୍କା ପଇସା ତ ତା’
ତୁଳନାରେ କିଛି ବି ନୁହେଁ, ଯାହା ପାଖରେ ଖୁସି ରୂପକ ସମ୍ପତ୍ତି ରହିଛି ତା ପାଇଁ କୌଣସି କଥା ବଡ
ନୁହେଁ, ଏବଂ ସଦା ସହଯୋଗୀ, ସେବାଧାରୀ ପିଲାମାନଙ୍କ ସାଥୀରେ ବାପଦାଦା ମଧ୍ୟ ରହିଥାଆନ୍ତି
ସେଥିପାଇଁ ଭୟ କରିବାର କୌଣସି କଥା ନାହିଁ ।