10.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଶରୀର-ମନ-ଧନ ଅଥବା ମନ-ବାଣୀ-କର୍ମରେ ଏପରି ସେବା କର ଯେପରି ବାବାଙ୍କଠାରୁ ୨୧ ଜନ୍ମର ଫଳ ମିଳିଯିବ କିନ୍ତୁ ସେବାରେ କେବେ ବି ପରସ୍ପର ମଧ୍ୟରେ ମନାନ୍ତର ହେବା ଉଚିତ୍ ନୁହେଁ ’’ ।

ପ୍ରଶ୍ନ:-
ଡ୍ରାମା ଅନୁସାରେ ବାବା ଯେଉଁ ସେବା କରାଉଛନ୍ତି ସେଥିରେ ଆହୁରି ଅଧିକ ତୀବ୍ରତା ଆଣିବାର ବିଧି କ’ଣ?

ଉତ୍ତର:-
ପରସ୍ପର ମଧ୍ୟରେ ଏକ ମତ ରହୁ, କେବେ କୌଣସି ଖିଟ୍‌ପିଟ୍ ନ ହେଉ । ଯଦି ଖିଟ୍‌ପିଟ୍ ହେବ ତେବେ ସେବା କ’ଣ କରିବ ସେଥିପାଇଁ ପରସ୍ପର ସହିତ ମିଶି ସଂଗଠନ କରି ନିଷ୍ପତ୍ତି କର, ପରସ୍ପରର ସହଯୋଗୀ ହୁଅ । ବାବା ତ’ ସହଯୋଗୀ ଅଟନ୍ତି ହିଁ କିନ୍ତୁ “ପିଲାଙ୍କର ସାହାସ ଆଧାରରେ ହିଁ ବାବାଙ୍କର ସହଯୋଗ ମିଳିଥାଏ”... ଏହାର ଅର୍ଥକୁ ଯଥାର୍ଥ ରୂପେ ବୁଝି ଏହି ବିଶାଳ କାର୍ଯ୍ୟରେ ସହଯୋଗୀ ହୁଅ ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଆତ୍ମିକ ପିତାଙ୍କଠାରୁ ଆତ୍ମାରେ ଶକ୍ତି ଭରିବା ପାଇଁ ଏଠାକୁ ଆସିଥା’ନ୍ତି । ତେଣୁ ନିଜେ ରିଫ୍ରେସ ହୋଇ ଫେରି ଗଲା ପରେ ନିଶ୍ଚିତ ଭାବରେ କିଛି କରି ଦେଖାଇବା ଉଚିତ୍ । ତେବେ ପ୍ରତ୍ୟେକ ସନ୍ତାନମାନଙ୍କୁ ସେବାର ପ୍ରମାଣ ଦେବାକୁ ହେବ । ଯେପରି କେତେକ ସନ୍ତାନ କହୁଛନ୍ତି ଯେ, ଆମର ସେଣ୍ଟର ଖୋଲିବାର ଇଚ୍ଛା ଅଛି । ଗାଁମାନଙ୍କରେ ମଧ୍ୟ ସେବା କରୁଛନ୍ତି ନା । ତେଣୁ ପିଲାମାନଙ୍କର ସର୍ବଦା ଏହି ଖିଆଲ ରହିବା ଦରକାର ଯେ ମନ-ବାଣୀ-କର୍ମ, ତନ-ମନ-ଧନ ଦ୍ୱାରା ଏପରି ସେବା କରିବୁ ଯେପରି ଭବିଷ୍ୟତ ୨୧ ଜନ୍ମର ପ୍ରାରବ୍ଧ ବାବାଙ୍କଠାରୁ ମିଳିବ । ମନରେ କେବଳ ଏହି ଚିନ୍ତା ରହିବା ଦରକାର । ମୁଁ କିଛି କରୁଛି କି? କାହାକୁ ଜ୍ଞାନ ଦେଉଛି କି? ଦିନ ସାରା ଏହି ଖିଆଲ ଆସିବା ଉଚିତ୍ । ଯଦିଓ ସେଣ୍ଟର ଖୋଲିବ କିନ୍ତୁ ସ୍ତ୍ରୀ-ପୁରୁଷ ମଧ୍ୟରେ କୌଣସି ମନାନ୍ତର ହେବା ଉଚିତ୍ ନୁହେଁ । କୌଣସି ଗଣ୍ଡଗୋଳ ଯେପରି ନ ହୁଏ । ସନ୍ନ୍ୟାସୀମାନେ ଘରର ଗଣ୍ଡଗୋଳ ପରିସ୍ଥିତିରୁ ଦୂରେଇ ଯାଇଥା’ନ୍ତି । କାହାରିକୁ ଖାତିରି ନ କରି ଘରୁ ଚାଲିଯାଇଥା’ନ୍ତି । ତାଙ୍କୁ କ’ଣ ସରକାର ଅଟକାଇଥାଏ କି? କିନ୍ତୁ ସେଥିରେ କେବଳ ପୁରୁଷମାନେ ହିଁ ଯାଇଥା’ନ୍ତି । ଏବେ କେହି କେହି ମାତାମାନେ ମଧ୍ୟ ସନ୍ନ୍ୟାସ ନେଉଛନ୍ତି, ଯେଉଁମାନଙ୍କର କେହି ମୁରବୀ ନ ଥା’ନ୍ତି ଅଥବା ଯାହାଙ୍କର ସଂସାର ପ୍ରତି ବୈରାଗ୍ୟ ଆସିଯାଇଥାଏ । ସେମାନଙ୍କୁ ସନ୍ନ୍ୟାସ ମଧ୍ୟ ପୁରୁଷମାନେ ହିଁ ଶିଖାଇଥା’ନ୍ତି । ତାଙ୍କ ଦ୍ୱାରା ସେମାନେ ନିଜର ଧନ୍ଦା ବା ବ୍ୟବସାୟ କରିଥା’ନ୍ତି । ପଇସା ଇତ୍ୟାଦି ସବୁ ତାଙ୍କ ପାଖରେ ରହିଥାଏ । ବାସ୍ତବରେ ଘର ଦ୍ୱାର ଛାଡି ଦେଲେ ପୁଣି ପଇସା ଆଦି ରଖିବାର ଆବଶ୍ୟକତା ହିଁ ନ ଥାଏ । ଏବେ ବାବା ତୁମମାନଙ୍କୁ ବୁଝାଉଛନ୍ତି । ତେଣୁ ସମସ୍ତଙ୍କ ବୁଦ୍ଧିରେ ଆସିବା ଦରକାର - ଆମକୁ ବାବାଙ୍କର ପରିଚୟ ଦେବାକୁ ହେବ । ମନୁଷ୍ୟ ତ କିଛି ହେଲେ ବି ଜାଣି ନାହାଁନ୍ତି, ଅଜ୍ଞାନୀ ଅଟନ୍ତି । ତୁମ ସନ୍ତାନମାନଙ୍କ ପାଇଁ ବାବାଙ୍କର ନିର୍ଦ୍ଦେଶ ହେଉଛି - ମଧୁର ସନ୍ତାନମାନେ, ତୁମେ ନିଜକୁ ଆତ୍ମା ନିଶ୍ଚୟ କର, କେବଳ ପଣ୍ଡିତ ହୁଅ ନାହିଁ । ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ । ଯୋଗବଳ ଦ୍ୱାରା ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବହୁତ ପୁରୁଷାର୍ଥ କରିବାକୁ ହେବ । ନଚେତ୍ ବହୁତ ପଶ୍ଚାତାପ କରିବାକୁ ପଡିବ । ପିଲାମାନେ କହୁଛନ୍ତି ବାବା ଆମେ ଘଡି ଘଡି ଭୁଲିଯାଉଛୁ । ବ୍ୟର୍ଥ ସଂକଳ୍ପ ଆସିଯାଉଛି । ବାବା କହୁଛନ୍ତି ତାହା ତ’ ନିଶ୍ଚିତ ଆସିବ । ତୁମକୁ ବାବାଙ୍କ ସ୍ମୃତିରେ ରହି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଆତ୍ମା ଯିଏକି ଅପବିତ୍ର ହୋଇଯାଇଛି, ତାକୁ କେବଳ ପରମପିତା ପରମାତ୍ମାଙ୍କ ସ୍ମୃତି ଦ୍ୱାରା ହିଁ ପବିତ୍ର କରିବାକୁ ପଡିବ । ବାବା ସନ୍ତାନମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି - ହେ ଆଜ୍ଞାକାରୀ ସନ୍ତାନମାନେ - ତୁମକୁ ନିର୍ଦ୍ଦେଶ ଦେଉଛି, ମୋତେ ମନେ ପକାଅ ତେବେ ତୁମର ପାପ କଟିଯିବ । ପ୍ରଥମେ-ପ୍ରଥମେ ଏହି କଥା ଶୁଣାଅ ଯେ ନିରାକାର ଶିବବାବା କହୁଛନ୍ତି ମୋତେ ମନେ ପକାଅ - ମୁଁ ହେଉଛି ପତିତ-ପାବନ । ମୋର ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ । ବିକର୍ମ ବିନାଶ କରିବାର ଆଉ କୌଣସି ଉପାୟ ନାହିଁ । ନା କେହି ଅନ୍ୟ କୌଣସି ଉପାୟ ବତାଇପାରିବେ । ଢେରକୁ ଢେର ସନ୍ନ୍ୟାସୀ ଅଛନ୍ତି, ନିମନ୍ତ୍ରଣ ମଧ୍ୟ ଦେଉଛନ୍ତି ଯେ - ଯୋଗ କନଫରେନ୍ସରେ ଆସି ସାମିଲ ହୁଅ । ବାସ୍ତବରେ ତାଙ୍କର ହଠଯୋଗ ଦ୍ୱାରା କାହାର କଲ୍ୟାଣ ତ ହେବ ନାହିଁ । ଢେର ଯୋଗ ଆଶ୍ରମ ରହିଛି ଯେଉଁମାନଙ୍କୁ ଏହି ରାଜଯୋଗ ବିଷୟରେ ବିଲକୁଲ ଜଣା ହିଁ ନାହିଁ । ବାବାଙ୍କୁ ହିଁ ଜାଣି ନାହାଁନ୍ତି । ବେହଦର ବାବା ଆସି ସଚ୍ଚା-ସଚ୍ଚା ଯୋଗ ଶିଖାଉଛନ୍ତି । ବାବା ତୁମ ସନ୍ତାନମାନଙ୍କୁ ନିଜ ସମାନ କରୁଛନ୍ତି । ଯେପରି ମୁଁ ନିରାକାର । ଅସ୍ଥାୟୀ ଭାବେ ଏହି ଶରୀରକୁ ଆସିଛି । ଭାଗ୍ୟଶାଳୀ ରଥ ତ ନିଶ୍ଚିତ ମନୁଷ୍ୟଙ୍କର ହେବ । ବଳଦକୁ ତ ରଥ କୁହାଯିବ ନାହିଁ । ବାକି କୌଣସି ଘୋଡା ଗାଡି ଆଦିର କଥା ନୁହେଁ । ନା ଲଢେଇର କୌଣସି କଥା ଅଛି । ତୁମେ ଜାଣିଛ ଆମକୁ ମାୟା ସହିତ ହିଁ ଲଢେଇ କରିବାକୁ ହେବ । ଗାୟନ ମଧ୍ୟ କରାଯାଏ ମାୟା ସେ ହାରେ ହାର... ତୁମେ ବହୁତ ଭଲ ଭାବରେ ବୁଝାଇପାରିବ - କିନ୍ତୁ ତୁମେମାନେ ଏବେ ଶିଖୁଛ । କେହି ଶିଖୁ-ଶିଖୁ ମଧ୍ୟ ଏକଦମ୍ ତଳକୁ ଖସିପଡୁଛନ୍ତି । କିଛି ନା କିଛି ଗଣ୍ଡଗୋଳ ହୋଇଯାଉଛି । ଦୁଇ ଭଉଣୀଙ୍କ ଭିତରେ ମଧ୍ୟ ଭଲ ପଡୁନାହିଁ, ମତଭେଦ ହୋଇଯାଉଛି । ବାସ୍ତବରେ ତୁମର ପରସ୍ପର ମଧ୍ୟରେ କୌଣସି ମତଭେଦ ରହିବା ଉଚିତ୍ ନୁହେଁ । ଯଦି ଏଭଳି ମତଭେଦ ରହିବ ତେବେ ବାବା କହିବେ ଏମାନେ କି ସେବା କରିବେ! ବହୁତ ଭଲ ଭଲ ଆତ୍ମାମାନଙ୍କର ମଧ୍ୟ ଏହିପରି ଅବସ୍ଥା ହୋଇଯାଉଛି । ଯଦି ଏବେ ମାଳା ତିଆରି କରାଯିବ ତେବେ ତାକୁ ତ୍ରୁଟିଯୁକ୍ତ ମାଳା କୁହାଯିବ । ଏହାଙ୍କ ଭିତରେ ଏ ପର୍ଯ୍ୟନ୍ତ ଏହି ଅବଗୁଣ ରହିଛି । ତଥାପି ମଧ୍ୟ ଡ୍ରାମାର ପ୍ଲାନ ଅନୁସାରେ ବାବା ସେବା କରାଇ ଚାଲିଛନ୍ତି । ନିର୍ଦ୍ଦେଶ ଦେଇ ଚାଲିଛନ୍ତି । ଦିଲ୍ଲୀକୁ ସେବା କରିବା ପାଇଁ ଚାରିପଡୁ ଘେରାଉ କର । କେବଳ ଜଣେ କଣ ଘେରାଉ କରିପାରିବ । ପରସ୍ପର ମିଳିମିଶି ରାୟ କରିବା ଉଚିତ । ସମସ୍ତେ ଏକମତ ହେବା ଦରକାର । ବାବା ତ ଜଣେ କିନ୍ତୁ ସହଯୋଗୀ ସନ୍ତାନମାନଙ୍କ ବିନା କାମ କରିପାରିବେ ନାହିଁ! ତୁମେ ସେଣ୍ଟର ଖୋଲିବା ସମୟରେ ବାବାଙ୍କଠାରୁ ମତ ନେଉଛ । ବାବା ପଚାରୁଛନ୍ତି ସହଯୋଗୀ ଅଟ? ତେବେ କହୁଛନ୍ତି - ହଁ, ବାବା, ଯଦି ସହଯୋଗୀ ନ ହେବୁ ତେବେ କିଛି କରିପାରିବୁ ନାହିଁ । ଘରକୁ ମଧ୍ୟ ମିତ୍ର-ସମ୍ବନ୍ଧୀ ଆଦି ଆସୁଛନ୍ତି ନା । ଯଦିଓ ଗାଳି ବି ଦିଅନ୍ତୁ, ସେମାନେ ତୁମକୁ ଗାଳି ଦେଇ ଚାଲିବେ । କିନ୍ତୁ ତୁମକୁ ସେ ସବୁକୁ ଖାତିରି କରିବା ଉଚିତ୍ ନୁହେଁ ।

ତୁମେମାନେ ପରସ୍ପର ଏକାଠି ବସି ରାୟ କରିବା ଉଚିତ୍ । ଯେପରି ସେଣ୍ଟର ଖୋଲିଲେ ସମସ୍ତେ ମିଶି କରି ଲେଖିଥା’ନ୍ତି - ବାବା ଆମେ ବ୍ରାହ୍ମଣୀଙ୍କଠାରୁ ରାୟ ନେଇ ଏହି କାମ କରୁଛୁ । ସିନ୍ଧି ଭାଷାରେ କହନ୍ତି - ବ, ତ ବାରା ଅର୍ଥାତ୍ ୧ ସହିତ ୨ ମିଶିଲେ ୧୨ ହୋଇଯାଏ ୧୨ ଜଣ ହେଲେ ଆହୁରି ଭଲ ରାୟ ବାହାରିବ । କେଉଁଠି-କେଉଁଠି ପରସ୍ପରଠାରୁ ରାୟ ନେଇ ନ ଥା’ନ୍ତି । ବାସ୍ତବରେ ଏପରି କଲେ କୌଣସି କାମ ହୋଇପାରିବ କି? ବାବା କହୁଛନ୍ତି, ଯେ ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ସଂଗଠନ ହିଁ ନାହିଁ ତେବେ ତୁମେ ଏତେ ବଡ କାର୍ଯ୍ୟ କିପରି କରିପାରିବ । ଛୋଟ ଦୋକାନ, ବଡ ଦୋକାନ ମଧ୍ୟ ଥାଏ ନା । ପରସ୍ପର ମିଶି ସଂଗଠନ ତିଆରି କରିଥା’ନ୍ତି । ଏପରି କେହି କହନ୍ତି ନାହିଁ ବାବା ଆପଣ ସହଯୋଗ ଦିଅନ୍ତୁ । ପ୍ରଥମେ ତ ସହଯୋଗୀ ବାହାର କରିବା ଦରକାର । ପୁଣି ବାବା କହୁଛନ୍ତି - ସାହାସ ପିଲାମାନଙ୍କର ସହଯୋଗ ବାବାଙ୍କର । ପ୍ରଥମେ ତ ନିଜକୁ ସହଯୋଗୀ କରାଅ । ବାବା ଆମେ ଏତିକି କରିଲୁ ବାକି ଆପଣ ସହଯୋଗ ଦିଅନ୍ତୁ । ଏପରି ନୁହେଁ ଯେ, ପ୍ରଥମେ ଆପଣ ସହଯୋଗ କରନ୍ତୁ । ହିମ୍ମତେ ମର୍ଦା (ହିମ୍ମତ ପିଲାମାନଙ୍କର ସହଯୋଗ ବାବାଙ୍କର)...ଏହାର ଅର୍ଥକୁ ମଧ୍ୟ ବୁଝୁ ନାହାଁନ୍ତି । ପ୍ରଥମେ ତ ପିଲାମାନଙ୍କର ସାହସ ଦରକାର । କିଏ-କିଏ କେଉଁ ସହଯୋଗ ଦେଉଛନ୍ତି? ସାରା ହିସାବ ଲେଖିବା ଦରକାର - ଅମୁକ-ଅମୁକ ଏହି ପ୍ରକାରର ସହଯୋଗ ଦେଉଛନ୍ତି । କାଇଦା ଅନୁସାରେ ଲେଖିକରି ଦେବା ଦରକାର । ବାକି ଏପରି କ’ଣ ଜଣେ-ଜଣେ କହିବେ ଯେ, ଆମେ ସେଣ୍ଟର ଖୋଲୁଛୁ ସହଯୋଗ ଦିଅ । ଏମିତିରେ କ’ଣ ବାବା ଖୋଲି ପାରିବେ ନାହିଁ କି? କିନ୍ତୁ ଏପରି ତ ହୋଇପାରିବ ନାହିଁ । ସଂଗଠନର ସଦସ୍ୟମାନେ ପରସ୍ପର ସହିତ ମିଶିବା ଦରକାର । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି ନା । କେହି କେହି ତ ବିଲ୍‌କୁଲ୍ କିଛି ହେଲେ ବି ବୁଝୁ ନାହାଁନ୍ତି । କେହି କେହି ବହୁତ ହର୍ଷିତ ରହୁଛନ୍ତି । ବାବା ତ ଜାଣିଛନ୍ତି - ଏହି ଜ୍ଞାନରେ ବହୁତ ଖୁସି ରହିବା ଦରକାର । କେବଳ ଜଣେ ହିଁ ବାବା, ଶିକ୍ଷକ, ଗୁରୁ ମିଳିଛନ୍ତି ତେଣୁ ଖୁସି ହେବା ଦରକାର ନା । ଦୁନିଆରେ ଏହି କଥାକୁ କେହି ହେଲେ ଜାଣି ନାହାଁନ୍ତି । ଶିବବାବା ହିଁ ଜ୍ଞାନର ସାଗର, ପତିତ-ପାବନ, ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ସମସ୍ତଙ୍କର ପିତା ମଧ୍ୟ ଜଣେ । କିନ୍ତୁ ଏକଥା ଆଉ କାହାରି ବୁଦ୍ଧିରେ ନାହିଁ । ଏବେ ତୁମେ ସନ୍ତାନମାନେ ଜାଣୁଛ ସେ ହିଁ ଜ୍ଞାନର ସାଗର, ମୁକ୍ତିଦାତା, ଗାଇଡ୍ ଅଟନ୍ତି । ତେଣୁ ବାବାଙ୍କ ମତରେ ଚାଲିବାକୁ ପଡିବ । ପରସ୍ପର ମଧ୍ୟରେ ମିଳିମିଶି ରାୟ କରିବା ଉଚିତ୍ । ଖର୍ଚ୍ଚ କରିବାକୁ ପଡିବ । ଜଣଙ୍କ ମତରେ ତ କାର୍ଯ୍ୟ ଚାଲିପାରିବ ନାହିଁ । ସେଥିପାଇଁ ସମସ୍ତଙ୍କର ସହଯୋଗ ଦରକାର । ଏହିଭଳି ବୁଦ୍ଧି ମଧ୍ୟ ଥିବା ଆବଶ୍ୟକ ନା । ତୁମ ସନ୍ତାନମାନଙ୍କୁ ଘରେ-ଘରେ ସନ୍ଦେଶ ଦେବାକୁ ହେବ । କେହି କେହି ପଚାରୁଛନ୍ତି - ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ମିଳିଛି, ଯିବୁ? ବାବା କହୁଛନ୍ତି - କାହିଁକି ନ ଯିବ, ଯାଅ ସେଠାକୁ ଯାଇ ନିଜର ସେବା କର । ବହୁତଙ୍କର କଲ୍ୟାଣ କର । ତୁମେ ଭାଷଣ ମଧ୍ୟ କରିପାରିବ । ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ, ସେଥିପାଇଁ ବାବା କହୁଛନ୍ତି ମୋତେ ମନେ ପକାଅ । ଏଠାରେ ସମସ୍ତେ ପାପ ଆତ୍ମାମାନେ ଅଟନ୍ତି । ବାବାଙ୍କୁ ଗାଳି ଦେଇ ଚାଲିଛନ୍ତି । ବାବାଙ୍କଠାରୁ ତୁମକୁ ବିମୁଖ କରାଇଦେଉଛନ୍ତି । ଗାୟନ ମଧ୍ୟ ରହିଛି ବିନାଶ କାଳେ ବିପରୀତ ବୁଦ୍ଧି । ଏ କଥା କିଏ କହୁଛନ୍ତି? ବାବା ନିଜେ କହୁଛନ୍ତି - ମୋ ସହିତ କାହାର ହେଲେ ପ୍ରୀତି ବୁଦ୍ଧି ନାହିଁ । ବିନାଶ କାଳେ ବିପରୀତ ବୁଦ୍ଧି ହୋଇଯାଇଛି । ମୋତେ କେହି ଜାଣି ହିଁ ନାହାଁନ୍ତି । ଯାହାଙ୍କର ପ୍ରୀତି ବୁଦ୍ଧି ଅଛି, ଯିଏ ମୋତେ ମନେ ପକାଉଛନ୍ତି, ସେ ହିଁ ବିଜୟୀ ହେବେ । ପ୍ରୀତି ଥିଲେ ମଧ୍ୟ ଯଦି ଯୋଗ କରୁ ନ ଥିବେ ତେବେ କମ୍ ପଦ ପାଇବେ । ବାବା ପିଲାମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ମୂଳକଥା ହେଲା, ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ । ବାବାଙ୍କୁ ମନେ ପକାଇ ପବିତ୍ର ହୋଇ, ପବିତ୍ର ଦୁନିଆର ମାଲିକ ହୁଅ । ଡ୍ରାମା ଅନୁସାରେ ବାବାଙ୍କୁ ବୃଦ୍ଧ ଶରୀରର ଆଧାର ନେବାକୁ ହିଁ ପଡୁଛି ଏବଂ ତାହା ମଧ୍ୟ ବାନପ୍ରସ୍ଥ ଅବସ୍ଥାରେ ପ୍ରବେଶ କରୁଛନ୍ତି । ମନୁଷ୍ୟମାନେ ମଧ୍ୟ ବାନପ୍ରସ୍ଥ ଅବସ୍ଥାରେ ହିଁ ଭଗବାନଙ୍କ ସହିତ ମିଶିବା ପାଇଁ ପରିଶ୍ରମ କରିଥା’ନ୍ତି । ଭକ୍ତିରେ ତ ଭାବିଥା’ନ୍ତି - ଜପ-ତପ ଆଦି କରିବା ଏ ସବୁ ଭଗବାନଙ୍କ ସହିତ ମିଶିବାର ରାସ୍ତା ଅଟେ । କେବେ ମିଳିବେ ଏକଥା କିଛି ହେଲେ ଜଣା ନାହିଁ । ଜନ୍ମ-ଜନ୍ମାନ୍ତର ଭକ୍ତି କରି ଆସିଛନ୍ତି । ବାସ୍ତବରେ ଭଗବାନ ତ କାହାକୁ ମିଳୁ ନାହାଁନ୍ତି । ଏକଥା ଜାଣି ନାହାଁନ୍ତି ଯେ ବାବା ସେତେବେଳେ ଏଠାକୁ ଆସିବେ ଯେତେବେଳେ ପୁରୁଣା ଦୁନିଆକୁ ନୂଆ କରିବାକୁ ହେବ । ବାବା ହିଁ ରଚୟିତା ଅଟନ୍ତି, ଚିତ୍ର ତ ରହିଛି କିନ୍ତୁ ତ୍ରିମୂର୍ତ୍ତି ଚିତ୍ରରେ ଶିବଙ୍କୁ ଦେଖାଉ ନାହାଁନ୍ତି । ଶିବବାବାଙ୍କୁ ବାଦ ଦେଇ କେବଳ ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଦେଖାଇଛନ୍ତି, ଯେମିତିକି ମୁଣ୍ଡ କାଟି ଦେଇଛନ୍ତି । ବାବାଙ୍କ ବିନା ସମସ୍ତେ ଅନାଥ ହୋଇ ଯାଇଛନ୍ତି । ବାବା କହୁଛନ୍ତି ମୁଁ ଆସି ତୁମକୁ ସନାଥ କରୁଛି । ୨୧ ଜନ୍ମ ପାଇଁ ତୁମେମାନେ ସନାଥ ହୋଇଯାଉଛ । କୌଣସି ଅସୁବିଧା ରହେ ନାହିଁ । ତୁମେମାନେ ମଧ୍ୟ କହୁଛ - ଯେ ପର୍ଯ୍ୟନ୍ତ ବାବା ମିଳି ନ ଥିଲେ ସେ ପର୍ଯ୍ୟନ୍ତ, ଆମେ ମଧ୍ୟ ବିଲ୍‌କୁଲ୍ ତୁଚ୍ଛ ବୁଦ୍ଧି, ଅନାଥ ଥିଲୁ । ତାଙ୍କୁ ପତିତ-ପାବନ ବୋଲି କହୁଛନ୍ତି - କିନ୍ତୁ ସେ କେବେ ଆସିବେ, ଏ କଥା କେହି ଜାଣି ନାହାଁନ୍ତି । ନୂଆ ଦୁନିଆ ପବିତ୍ର ଦୁନିଆ ଅଟେ । ବାବା କେତେ ସହଜ ଭାବରେ ବୁଝାଉଛନ୍ତି । ତୁମମାନଙ୍କ ବୁଦ୍ଧିରେ ମଧ୍ୟ ଆସୁଛି, ଆମେ ବାବାଙ୍କର ହୋଇଛୁ, ତେଣୁ ସ୍ୱର୍ଗର ମାଲିକ ନିଶ୍ଚିତ ହେବୁ । ଶିବବାବା ହେଉଛନ୍ତି ବେହଦର ମାଲିକ । ବାବା ହିଁ ଆସି ସୁଖ-ଶାନ୍ତିର ବର୍ସା ଦେଇଥିଲେ । ସତ୍ୟଯୁଗରେ ସୁଖ ଥିଲା - ବାକି ସବୁ ଆତ୍ମାମାନେ ଶାନ୍ତିଧାମରେ ଥିଲେ । ଏବେ ଏହି କଥାକୁ ତୁମେମାନେ ହିଁ ବୁଝୁଛ । ଶିବବାବା କାହିଁକି ଆସିଥିବେ? ନିଶ୍ଚିତ ନୂଆ ଦୁନିଆ ରଚନା କରିବା ପାଇଁ ଏବଂ ପତିତମାନଙ୍କୁ ପାବନ କରିବାର ଶ୍ରେଷ୍ଠ କାର୍ଯ୍ୟ ହିଁ କରିଥିବେ । କିନ୍ତୁ ମନୁଷ୍ୟମାନେ ବିଲ୍‌କୁଲ୍ ଘୋର ଅନ୍ଧକାର ଭିତରେ ରହିଛନ୍ତି । ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ତୁମ ସନ୍ତାନମାନଙ୍କୁ ବାବା ଆସି ଏବେ ଜାଗ୍ରତ କରୁଛନ୍ତି । ତୁମେ ଏବେ ସାରା ଡ୍ରାମାକୁ ଜାଣୁଛ - କିପରି ନୂଆ ଦୁନିଆ ପୁଣି ପୁରୁଣା ହୋଇଥାଏ । ବାବା କହୁଛନ୍ତି ଆଉ ସବୁ କିଛି ଛାଡି ଏକମାତ୍ର ବାବାଙ୍କୁ ମନେ ପକାଅ । ମୋର କାହା ପ୍ରତି ଘୃଣା ଭାବ ଆସୁ ନାହିଁ । ଏକଥା ବୁଝାଇବାକୁ ପଡୁଛି । ଡ୍ରାମା ଅନୁସାରେ ମାୟାର ରାଜ୍ୟ ମଧ୍ୟ ହେବ । ଏବେ ବାବା କହୁଛନ୍ତି - ମଧୁର ସନ୍ତାନମାନେ, ଏବେ ଏହି ଚକ୍ର ପୂରା ହେବାକୁ ଯାଉଛି । ତେଣୁ ତୁମମାନଙ୍କୁ ଏହି ସମୟରେ ଈଶ୍ୱରୀୟ ମତ ମିଳୁଛି । ତୁମମାନଙ୍କୁ ସେହି ମତ ଅନୁସାରେ ଚାଲିବାକୁ ହିଁ ହେବ । ତେଣୁ ଏବେ ୫ ବିକାରର ମତରେ ଚାଲିବା ଉଚିତ ନୁହେଁ । ଅଧାକଳ୍ପ ତୁମେ ମାୟାର ମତରେ ଚାଲି ତମୋପ୍ରଧାନ ହୋଇଯାଇଛ । ଏବେ ମୁଁ ତୁମକୁ ସତ୍ତ୍ୱପ୍ରଧାନ କରିବାକୁ ଆସିଛି । ଏହା ସତ୍ତ୍ୱପ୍ରଧାନ ଏବଂ ତମୋପ୍ରଧାନର ଖେଳ ଅଟେ । ଏଥିରେ ଗ୍ଲାନିର କୌଣସି କଥା ନାହିଁ । କେହି କେହି କହୁଛନ୍ତି ଭଗବାନ ଏହି ଯିବା ଆସିବାର ନାଟକ କାହିଁକି ରଚନା କରିଛନ୍ତି ? ଏଥିରେ କାହିଁକିର ପ୍ରଶ୍ନ ହିଁ ଉଠୁ ନାହିଁ । ଏହା ତ ଡ୍ରାମାର ଚକ୍ର ଅଟେ, ଯାହାର ପୁନରାବୃତ୍ତି ହୋଇଚାଲଛି, ଡ୍ରାମା ଅନାଦି ଅଟେ । ବର୍ତ୍ତମାନ କଳିଯୁଗ ଚାଲିଛି, ସତ୍ୟଯୁଗ ଅତୀତ ହୋଇଗଲାଣି । ଏବେ ପୁଣି ବାବା ଆସିଛନ୍ତି । ଯଦି ତୁମେମାନେ ବାବା-ବାବା କହିଚାଲିବ ତେବେ ତୁମମାନଙ୍କର କଲ୍ୟାଣ ହେବ । ବାବା କହୁଛନ୍ତି ଏହା ଅତି ଗୁହ୍ୟ ଏବଂ ରମଣିକ କଥା । କୁହାଯାଏ ସିଂହୀର କ୍ଷୀରକୁ ରଖିବା ନିମନ୍ତେ ସୁନାର ପାତ୍ର ଆବଶ୍ୟକ । ତେବେ ବୁଦ୍ଧି ସୁନା ସଦୃଶ କିପରି ହେବ? ଆତ୍ମାରେ ହିଁ ବୁଦ୍ଧି ରହିଛି ନା । ଆତ୍ମା କହୁଛି - ମୋ ବୁଦ୍ଧି ଏବେ ବାବାଙ୍କ ଆଡକୁ ରହିଛି । ମୁଁ ବାବାଙ୍କୁ ବହୁତ ସ୍ମରଣ କରୁଛି । କିନ୍ତୁ ବସୁ-ବସୁ ବୁଦ୍ଧି ଅନ୍ୟ କେଉଁ ଆଡକୁ ଚାଲିଯାଉଛି ନା । ବୁଦ୍ଧିରେ ଯଦି ଧନ୍ଦା ଆଦିର କଥା ମନେ ପଡୁଥିବ ତେବେ ତୁମମାନଙ୍କ କଥା ଶୁଣିବେ ନାହିଁ । ଏଥିରେ ବହୁତ ମେହେନତ ରହିଛି । ଯେତେ-ଯେତେ ମୃତ୍ୟୁ ନିକଟତର ହେବ - ତୁମେମାନେ ବହୁତ ଯୋଗଯୁକ୍ତ ହୋଇ ରହିବ । ମୃତ୍ୟୁ ସମୟରେ ସମସ୍ତେ କହିଥା’ନ୍ତି ଭଗବାନଙ୍କୁ ମନେ ପକାଅ । ଏବେ ବାବା ନିଜେ କହୁଛନ୍ତି ମୋତେ ମନେ ପକାଅ । ତୁମ ସମସ୍ତଙ୍କର ଏବେ ବାନପ୍ରସ୍ଥ ଅବସ୍ଥା ଅଟେ । ତୁମମାନଙ୍କୁ ଘରକୁ ଫେରି ଯିବାକୁ ହେବ ସେଥିପାଇଁ ମୋତେ ମନେ ପକାଅ । ଅନ୍ୟ କୌଣସି କଥା ଶୁଣ ନାହିଁ । ଜନ୍ମ-ଜନ୍ତାନ୍ତରର ପାପର ବୋଝ ତୁମ ମୁଣ୍ଡ ଉପରେ ରହିଛି । ଶିବବାବା କହୁଛନ୍ତି ଏହି ସମୟରେ ସମସ୍ତେ ଅଜାମିଳ ଅଟନ୍ତି । ମୂଳ କଥା ହେଲା ଯୋଗର ଯାତ୍ରା ଯାହା ଦ୍ୱାରା ତୁମେ ପବିତ୍ର ହୋଇଯିବ ପୁଣି ଯୋଗଯୁକ୍ତ ହୋଇ ରହିବା ସହିତ ପରସ୍ପର ମଧ୍ୟରେ ସ୍ନେହ ମଧ୍ୟ ରହିବା ଦରକାର । ପରସ୍ପର ରାୟ ନେବା ଉଚିତ । ବାବା ପ୍ରେମର ସାଗର ଅଟନ୍ତି ନା । ତେଣୁ ତୁମମାନଙ୍କ ଭିତରେ ମଧ୍ୟ ବହୁତ ସ୍ନେହ ରହିବା ଦରକାର । ଦେହୀ-ଅଭିମାନୀ ହୋଇ ବାବାଙ୍କୁ ସ୍ମରଣ କରିବାକୁ ହେବ । ଭାଇ-ଭଉଣୀର ସମ୍ପର୍କକୁ ମଧ୍ୟ ତୁଟାଇବାକୁ ପଡୁଛି । ଭାଇ-ଭଉଣୀଙ୍କ ସହିତ ମଧ୍ୟ ଯୋଗ ରଖ ନାହିଁ । ଏକମାତ୍ର ବାବାଙ୍କ ସହିତ ହିଁ ଯୋଗ ରଖ । ବାବା ଆତ୍ମାମାନଙ୍କୁ କହୁଛନ୍ତି - ମୋତେ ମନେ ପକାଇଲେ ତୁମର ବିକାରୀ ଦୃଷ୍ଟି ସମାପ୍ତ ହୋଇଯିବ । କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କରିବା ଉଚିତ୍ ନୁହେଁ । ମନରେ ତୋଫାନ ତ ନିଶ୍ଚୟ ଆସିବ । ଏହା ବହୁତ ବଡ ଲକ୍ଷ୍ୟ ଅଟେ । ବାବା କହୁଛନ୍ତି ଦେଖ ଯଦି କର୍ମେନ୍ଦ୍ରିୟ ଧୋକା ଦେଉଛି ତେବେ ଖବରଦାର ହୋଇଯାଅ । ଯଦି ଓଲଟା କାମ କରିଦେଲ ତେବେ ସବୁ ଖଲାସ । ଚଢିଲେ ଚାଖିବ ବୈକୁଣ୍ଠର ମାଲିକ.... ମେହନତ ବିନା କ’ଣ କିଛି ହୋଇପାରିବ କି! । ତେଣୁ ବହୁତ ମେହେନତ କରିବାକୁ ପଡିବ । ଦେହ ସହିତ ଦେହର... କେତେ ଜଣଙ୍କର ବନ୍ଧନ ନ ଥିଲେ ମଧ୍ୟ ନିଜେ ବନ୍ଧନରେ ବାନ୍ଧି ହୋଇ ରହୁଛନ୍ତି । ବାବାଙ୍କ ଶ୍ରୀମତରେ ଚାଲୁ ନାହାଁନ୍ତି । ଯଦି ଲକ୍ଷେ ଦୁଇ ଲକ୍ଷ ଅଛି, ବହୁତ ବଡ କୁଟୁମ୍ବ ଅଛି ତେବେ ମଧ୍ୟ ବାବା କହିବେ ଅଧିକ ଧନ୍ଦା ଆଦିରେ ବାନ୍ଧି ହୁଅ ନାହିଁ । ବାନପ୍ରସ୍ଥି ହୋଇଯାଅ । ଖର୍ଚ୍ଚ ଆଦି କମ କରିଦିଅ । ଗରୀବମାନେ, ଦେଖ କେତେ ସାଧାରଣ ଭାବରେ ଚଳିଥା’ନ୍ତି । ଏବେ କି କି ଜିନିଷ ସବୁ ବାହାରିଗଲାଣି, ସେ କଥା ନ କହିଲେ ଭଲ । ସାହୁକାରମାନଙ୍କର କେବଳ ଖର୍ଚ୍ଚ ହିଁ ଖର୍ଚ୍ଚ ହୋଇ ଚାଲିଛି । ନ ହେଲେ ପେଟକୁ କ’ଣ ଦରକାର? ପାଏ (୨୫୦ ଗ୍ରାମ୍‌) ଅଟା । ବାସ୍ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପରସ୍ପର ବହୁତ-ବହୁତ ସ୍ନେହୀ ହେବାକୁ ପଡିବ କିନ୍ତୁ ଭାଇ-ଭଉଣୀଙ୍କ ସହିତ ଯୋଗ ରଖିବାର ନାହିଁ । କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବିକର୍ମ କରିବାର ନାହିଁ ।

(୨) ଏକମାତ୍ର ଈଶ୍ୱରୀୟ ମତରେ ଚାଲି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ମାୟାର ମତକୁ ଛାଡି ଦେବାକୁ ହେବ । ପରସ୍ପର ମଧ୍ୟରେ ସଂଗଠନକୁ ମଜବୁତ ରଖିବାକୁ ହେବ, ପରସ୍ପରର ସହଯୋଗୀ ହେବାକୁ ପଡିବ ।

ବରଦାନ:-
ଲକ୍ଷ୍ୟ ମୁତାବକ ଲକ୍ଷଣର ସନ୍ତୁଳନ ରଖିବାର କଳା ଦ୍ୱାରା ଉଚ୍ଚକୁ ଉଠିବା କଳାର ଅନୁଭବ କରୁଥିବା ବାପ୍ ସମାନ ସମ୍ପନ୍ନ ଭବ ।

ପିଲାମାନଙ୍କ ଭିତରେ ବିଶ୍ୱ କଲ୍ୟାଣ କରିବାର କାମନା ମଧ୍ୟ ଅଛି ଏବଂ ବାବାଙ୍କ ସମାନ ହେବାର ଶ୍ରେଷ୍ଠ ଇଚ୍ଛା ମଧ୍ୟ ଅଛି କିନ୍ତୁ ଲକ୍ଷ୍ୟ ମୁତାବକ ଯେଉଁ ଭଳି ଲକ୍ଷଣ ନିଜକୁ ବା ସମସ୍ତଙ୍କୁ ଦେଖାଯିବା ଦରକାର ସେଥିରେ ଫରକ ରହିଛି ସେଥିପାଇଁ ସନ୍ତୁଳନ ରଖିବାର କଳାକୁ ଏବେ ବୃଦ୍ଧି କରିବା ସହିତ ଏହି ଫରକକୁ ସମାପ୍ତ କର । ସଂକଳ୍ପ ତ ଅଛି କିନ୍ତୁ ଦୃଢତା ସମ୍ପନ୍ନ ସଂକଳ୍ପ ରହିଲେ ହିଁ ବାବାଙ୍କ ସମାନ ସମ୍ପନ୍ନ ହେବାର ବରଦାନ ପ୍ରାପ୍ତ ହୋଇଯିବ । ଏବେ ଯେଉଁ ଭଳି ସ୍ୱଦର୍ଶନ ଏବଂ ପରଦର୍ଶନ ଉଭୟ ପ୍ରକାରର ଚକ୍ର ଘୁରାଉଛ, ବ୍ୟର୍ଥ କଥାର ଯେଉଁ ଭଳି ତ୍ରିକାଳଦର୍ଶୀ ହୋଇଯାଉଛ - ଏହାର ପରିବର୍ତ୍ତନ କରି ସ୍ୱଚିନ୍ତକ ସ୍ୱଦର୍ଶନ ଚକ୍ରଧାରୀ ହୁଅ ।

ସ୍ଲୋଗାନ:-
ସେବାର ଭାଗ୍ୟ ପ୍ରାପ୍ତ ହେବା ହିଁ ସବୁଠାରୁ ବଡ ଭାଗ୍ୟ ଅଟେ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ଅଭ୍ୟାସ କର - ଦେହ ଏବଂ ଦେହର ଦେଶକୁ ଭୁଲି ଅଶରୀରୀ ପରମଧାମ ନିବାସୀ ହୋଇଯାଅ, ପୁଣି ପରମଧାମ ନିବାସୀରୁ ଅବ୍ୟକ୍ତ ସ୍ଥିତିରେ ସ୍ଥିତ ହୋଇଯାଅ, ପୁଣି ସେବା କରିବା ପାଇଁ କଥାବାର୍ତ୍ତା ମଧ୍ୟ କର, ସେବା କରିବା ସମୟରେ ମଧ୍ୟ ନିଜର ସ୍ୱରୂପର ସ୍ମୃତିରେ ରୁହ, ନିଜର ବୁଦ୍ଧିକୁ ଯେଉଁଠାରେ ଇଚ୍ଛା ସେଠାରେ ଗୋଟିଏ ସେକେଣ୍ଡଠାରୁ ମଧ୍ୟ କମ୍ ସମୟ ଭିତରେ ଲଗାଇ ଦିଅ, ତେବେ ଯାଇ ସମ୍ମାନର ସହିତ ପାସ୍ ହୋଇପାରିବ ।