11.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ପୂରା
ସମ୍ପତ୍ତି ନେବାକୁ ହେଲେ ଏକମାତ୍ର ବାବାଙ୍କ ସହିତ ପୂରା ପ୍ରୀତି ରଖ, ତୁମର ପ୍ରୀତି କୌଣସି ବି
ଦେହଧାରୀଙ୍କ ସହିତ ରହିବା ଉଚିତ୍ ନୁହେଁ । ”
ପ୍ରଶ୍ନ:-
ଯେଉଁମାନେ ଆମ
ଦୈବୀ ସମ୍ପ୍ରଦାୟର ହୋଇଥିବେ ସେମାନଙ୍କ ବୁଦ୍ଧିରେ ସର୍ବଦା କେଉଁ ଶବ୍ଦ ଗୁଞ୍ଜରୀତ ହେବ?
ଉତ୍ତର:-
ଯେତେବେଳେ ତୁମେ ସେମାନଙ୍କୁ କହିବ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ବିକର୍ମ ବିନାଶ ହୋଇଥାଏ
ଏବଂ ଦେବୀ-ଦେବତା ଧର୍ମର ସ୍ଥାପନା ହୋଇଥାଏ, ତେବେ ଏହି କଥା ତାଙ୍କ ବୁଦ୍ଧିରେ ଘୂରି ବୁଲିବ,
ତାଙ୍କ ବୁଦ୍ଧିରେ ଆସିବ ଯେ ଆମକୁ ଦେବତା ହେବାକୁ ହିଁ ପଡିବ, ସେଥିପାଇଁ ଆମର ଖାଦ୍ୟ ପାନୀୟ
ଶୁଦ୍ଧ ହେବା ଦରକାର ।
ଗୀତ:-
ଭୋଲେନାଥ ସେ
ନିରାଲା...
ଓମ୍ ଶାନ୍ତି ।
ଭୋଳାନାଥଙ୍କର ପିଲାମାନେ ଶୁଣୁଛନ୍ତି । କାହାଠାରୁ? ଭୋଳାନାଥଙ୍କଠାରୁ । ଶିବଙ୍କୁ ହିଁ ଭୋଳାନାଥ
ବୋଲି କୁହାଯାଏ । ତାଙ୍କର ନାମ ହିଁ ଶିବ ଅଟେ । ଭୋଳାନାଥଙ୍କର ସନ୍ତାନ ଅର୍ଥାତ୍ ଶିବଙ୍କର
ସନ୍ତାନ । ଆତ୍ମାମାନେ ଏହି କାନଦ୍ୱାରା ଶୁଣୁଛନ୍ତି । ଏବେ ତୁମେ ସନ୍ତାନମାନେ ଆତ୍ମ ଅଭିମାନୀ
ହୋଇଛ । ପିଲାମାନେ ଟେପ୍ ରେକର୍ଡରେ ମଧ୍ୟ ମୁରଲୀ ଶୁଣିଲେ ବୁଝିଥା’ନ୍ତି ଯେ ଶିବବାବା ଆମକୁ ନିଜର
ପରିଚୟ ଦେଉଛନ୍ତି ଏବଂ କହୁଛନ୍ତି ମୁଁ ସବୁ ଆତ୍ମାମାନଙ୍କର ପିତା ଅଟେ । ଯାହାଙ୍କୁ ତୁମେ ପରମପିତା
ପରମାତ୍ମା ବୋଲି କହୁଛ । ତୁମେ ତାଙ୍କୁ ସର୍ବଦା ପିତା ବୋଲି କହୁଛ । କିଏ କହୁଛି ଯେ ସେ ପିତା
ଅଟନ୍ତି? ଆତ୍ମା । ଆତ୍ମାକୁ ଏବେ ଏହି ଜ୍ଞାନ ମିଳୁଛି, ଆଉ କୌଣସି ମନୁଷ୍ୟଙ୍କର ଏହି ଜ୍ଞାନ ନାହିଁ
। ଆମ ଆତ୍ମାମାନଙ୍କର ଦୁଇଜଣ ପିତା ଅଛନ୍ତି । ଜଣେ ସାକାର, ଜଣେ ହେଲେ ନିରାକାର । ସେ ପରମପିତା
ଅଟନ୍ତି । ଏହି ଜ୍ଞାନ ପରମପିତାଙ୍କ ଛଡା ଆଉ କେହି ଦେଇପାରିବେ ନାହିଁ । ବାବାଙ୍କ ବ୍ୟତୀତ ଏହି
କଥା ଅନ୍ୟ କେହି ପଚାରି ପାରିବେ ନାହିଁ । ବାବା ହିଁ ପଚାରୁଛନ୍ତି ତୁମେ ଯାହା କହୁଛ ଯେ ପରମପିତା
ପରମାତ୍ମା, ଈଶ୍ୱର ପିତା, ଏକଥା ତୁମେ କାହାପାଇଁ କହୁଛ? କ’ଣ ଲୌକିକ ପିତାଙ୍କ ପାଇଁ ଅଥବା
ପାରଲୌକିକ ପିତାଙ୍କ ପାଇଁ? ଲୌକିକ ପିତାଙ୍କୁ ଈଶ୍ୱରୀୟ ପିତା ବୋଲି କୁହାଯାଇ ପାରିବ କି?
ହିନ୍ଦୀରେ ପରମପିତା ଅକ୍ଷର ମଧ୍ୟ ରହିଛି । ସେ ତ’ ଏକମାତ୍ର ନିରାକାର ହିଁ ଅଟନ୍ତି । ଈଶ୍ୱର,
ପ୍ରଭୁ ଅଥବା ଭଗବାନ କହିବା ଦ୍ୱାରା ପିତା ବୋଲି ସିଦ୍ଧ ହୋଇପାରିବ ନାହିଁ । ଈଶ୍ୱର ପିତା ଅକ୍ଷର
ସଠିକ୍ ଅଟେ । ଆତ୍ମା କହୁଛି ସେ ମୋ’ର ଈଶ୍ୱର ପିତା ଅଟନ୍ତି । ଲୌକିକ ପିତା ତ’ କେବଳ ଶରୀରର ପିତା
ଅଟନ୍ତି । ତୁମ ସମସ୍ତଙ୍କୁ ପଚରାଯାଉଛି, ତୁମର କେତେ ଜଣ ପିତା ଅଛନ୍ତି? ଜଣେ ହେଲେ ଲୌକିକ, ଅନ୍ୟ
ଜଣେ ହେଲେ ପାରଲୌକିକ ପିତା । ଉଭୟଙ୍କ ମଧ୍ୟରେ ବଡ କିଏ? ନିଶ୍ଚୟ କହିବେ ଯେ ପାରଲୌକିକ ପିତା ହିଁ
ବଡ ଅଟନ୍ତି । ତାଙ୍କର ମହିମା ହେଲା - ସେ ସବୁ ପତିତମାନଙ୍କୁ ପବିତ୍ର କରୁଥିବା ପାରଲୌକିକ ପିତା
। ଏକଥା ମଧ୍ୟ ତୁମେ ଏବେ ହିଁ ବୁଝୁଛ । ଦୁନିଆରେ ଏକଥା କେହି ହେଲେ ବି ବୁଝୁନାହାଁନ୍ତି । ବାବା
ବୁଝାଉଛନ୍ତି - ତୁମର ପାରଲୌକିକ ପିତାଙ୍କ ସହିତ ପ୍ରୀତି ରହିଛି । ଅନ୍ୟମାନଙ୍କର ବିନାଶ କାଳେ
ବିପରୀତ ବୁଦ୍ଧି ହୋଇଯାଇଛି । ବର୍ତ୍ତମାନ ହିଁ ବିନାଶର ସମୟ ଅଟେ । ସେହି ମହାଭାରତର ଲଢ଼େଇ ଏବେ
ଲାଗିବ । ପରସ୍ପରକୁ ଉଡାଜାହାଜ, ଟ୍ୟାଙ୍କ ଆଦି ଯୋଗାଇ ଦେଉଛନ୍ତି । ସମସ୍ତଙ୍କୁ ଦେଇଚାଲିଛନ୍ତି ।
ପଇସା ନେଇ ଯାହାର ଯାହାକିଛି ଦରକାର ତାଙ୍କୁ ଦେଇଚାଲିଛନ୍ତି । ଧାର ସୂତ୍ରରେ ମଧ୍ୟ ନେଉଛନ୍ତି ।
ତେବେ ଉଡାଜାହାଜ, ବାରୁଦ ଆଦି କ୍ରୟ କରୁଛନ୍ତି । ଏସବୁ ଜିନିଷ ବହୁତ ମହଙ୍ଗା ହୋଇଥାଏ ।
ବିଦେଶୀମାନେ ଏସବୁ ତିଆରି କରୁଛନ୍ତି, ପୁଣି ବିକ୍ରି କରି ଚାଲିଛନ୍ତି । ଭାରତବାସୀ ମାନେ
ଉଡାଜାହାଜ ଆଦି ବିକ୍ରି କରୁନାହାଁନ୍ତି । ଏସବୁ ଜିନିଷ ବାହାରୁ ଆସିଛି । ତେଣୁ ଯେଉଁ ଜିନିଷ
କ୍ରୟ କରିବେ ତାହା ତ ନିଶ୍ଚିତ କାମରେ ଲଗାଇବେ । ଫୋପାଡିବା ପାଇଁ ନେଉନାହାଁନ୍ତି । ଏମାନେ ହେଲେ
ଯାଦବ ସମ୍ପ୍ରଦାୟ ଯେଉଁମାନଙ୍କର ବିନାଶ କାଳେ ବିପରୀତ ବୁଦ୍ଧି ହୋଇଯାଇଛି, ଯେଉଁମାନେ କି ୟୁରୋପରେ
ରହୁଛନ୍ତି । ଏଥିରେ ସବୁକିଛି ଆସିଯାଉଛି । ଭାରତ ତ’ ଅବିନାଶୀ ରାଷ୍ଟ୍ର ଅଟେ କାହିଁକିନା ଏହା
ଅବିନାଶୀ ପିତାଙ୍କର ଜନ୍ମସ୍ଥାନ ଅଟେ । ବାବା ସେତେବେଳେ ହିଁ ଆସିଥା’ନ୍ତି ଯେତେବେଳେ ପୁରୁଣା
ଦୁନିଆ ସମାପ୍ତ ହେବାର ଥାଏ ଏବଂ ସେହିଠାରେ ହିଁ ଦିବ୍ୟ ଜନ୍ମ ନେଇଥା’ନ୍ତି ଯାହାର କେବେ ବିନାଶ
ହୁଏ ନାହିଁ । ବାବା ଭାରତରେ ଆସିଥିଲେ, ସେଥିପାଇଁ ତ’ ଶିବଜୟନ୍ତୀ ପାଳନ କରୁଛନ୍ତି କିନ୍ତୁ
ସେମାନଙ୍କୁ ଏହା ଜଣାନାହିଁ ଯେ ଶିବବାବା କେବେ ଆସିଥା’ନ୍ତି । ସେହି ସମୟରେ ହିଁ ଆସୁଛନ୍ତି
ଯେତେବେଳେ କି ବିନାଶ ପାଇଁ ପ୍ରସ୍ତୁତି ଚାଲିଛି ।
ଏବେ ବାବା କହୁଛନ୍ତି ସେମାନେ ହେଲେ ଯାଦବ ସମ୍ପ୍ରଦାୟର ଯେଉଁମାନେ କି ସତ୍ୟଯୁଗରେ ରହିବେ ନାହିଁ
। ନା ବୌଦ୍ଧି, ନା ଖ୍ରୀଷ୍ଟିୟାନ ଆଦି ଯିବେ । ଏବେ ବାବା କହୁଛନ୍ତି ତାଙ୍କର ବିନାଶ କାଳେ
ବିପରୀତ ବୁଦ୍ଧି, କାହିଁକିନା ପରମାତ୍ମା ପିତାଙ୍କୁ ସର୍ବବ୍ୟାପୀ ବୋଲି କହିଦେଉଛନ୍ତି । ତୁମର
ବିନାଶ କାଳେ ପ୍ରୀତ ବୁଦ୍ଧି ଅଟେ, କାହିଁକିନା ତୁମେ ବାବାଙ୍କୁ ଜାଣିଛ । ତୁମେ ଜାଣିଛ ଯେ ଆମେ
୮୪ ଜନ୍ମ ନେଇଛୁ । ୮୪ ଜନ୍ମରେ ପାପ ଆତ୍ମା, ତମୋପ୍ରଧାନ ହୋଇଯାଇଛୁ । ଭାରତବାସୀମାନେ ହିଁ ୮୪
ଜନ୍ମ ନେଇଛନ୍ତି । ଏବେ ନାଟକ ଶେଷ ହେଉଛି ସମସ୍ତଙ୍କୁ ଘରକୁ ଯିବାକୁ ହେବ । ତୁମକୁ ବାବା ରାଜଯୋଗ
ଶିଖାଉଛନ୍ତି । ଏହା ହେଉଛି ସମସ୍ତଙ୍କର କୟାମତର ସମୟ ଅର୍ଥାତ୍ ମୃତ୍ୟୁର ସମୟ । ତେବେ
ଯାଦବମାନଙ୍କର ଈଶ୍ୱରଙ୍କ ସହିତ ପ୍ରୀତି ନାହିଁ, ସେଥିପାଇଁ ବିନାଶ କାଳେ ବିପରୀତ ବୁଦ୍ଧି ବୋଲି
କୁହାଯାଉଛି । କୌଣସି ବି ଦେହଧାରୀ ମନୁଷ୍ୟ ସହିତ ପ୍ରୀତି ରଖିବା ଅନୁଚିତ୍ । ସେମାନେ ତ’ ହେଲେ
ରଚନା, ତାଙ୍କଠାରୁ ସମ୍ପତ୍ତି ମିଳିପାରିବ ନାହିଁ । ଭାଇଠାରୁ ଭାଇକୁ ସମ୍ପତ୍ତି ମିଳିପାରିବ ନାହିଁ
। ଏ କଥା ତ’ ଭଲ ଭାବରେ ବୁଝାଯାଇଛି ।
ତୁମେ ସନ୍ତାନମାନେ ଏବେ ବୁଝୁଛ - ଯାଦବବଂଶୀମାନଙ୍କର ବିନାଶ କାଳେ ବିପରୀତ ବୁଦ୍ଧି, ତୁମର ପ୍ରୀତ
ବୁଦ୍ଧି । ଏଥିରେ ମଧ୍ୟ ଯେଉଁମାନେ ତୀବ୍ର ପ୍ରୀତିସମ୍ପନ୍ନ ଅଟନ୍ତି, ସେମାନେ ବାବାଙ୍କ ସହିତ
ସମ୍ପୂର୍ଣ୍ଣ ପ୍ରୀତି ରଖୁଛନ୍ତି । ଆମେ ବାବାଙ୍କଠାରୁ ୨୧ ଜନ୍ମ ପାଇଁ ସ୍ୱର୍ଗର ସମ୍ପତ୍ତି ନେଉଛୁ
। ଏହି ବାବା ହିଁ ସତ୍ୟ କଥା ବତାଉଛନ୍ତି ଆଉ କାହା ସହିତ ପ୍ରୀତି ରଖନାହିଁ । ଯେତେବେଳେ ନୂଆ ଘର
ତିଆରି କରିଥା’ନ୍ତି ନୂଆ ଘର ସହିତ ପ୍ରୀତି ଲାଗିଯାଏ । ଜାଣିଥା’ନ୍ତି ଯେ ପୁରୁଣା ଘର ଭାଙ୍ଗିଯିବ
। ତେଣୁ ଆମେ ମଧ୍ୟ ପୁରୁଣା ଦୁନିଆରୁ ମନ ତୁଟାଇ ଦେଉଛୁ । ବାବା ବୁଝାଉଛନ୍ତି - ଦିନକୁ ଦିନ
ବାୟୁମଣ୍ଡଳ କଳୁଷିତ ହୋଇଚାଲିବ । ଦେଖୁଛ ଦୁନିଆରେ କେତେ ହଙ୍ଗାମା ହେଉଛି, ତେବେ ଜାଣିବା ଦରକାର
ଯେ ଏହା ସମାପ୍ତ ହେବ । ଆମକୁ ନୂଆ ଦୁନିଆକୁ ଯିବାକୁ ହେବ । ତେଣୁ ନୂଆ ଦୁନିଆକୁ ମନେ ପକାଇବା
ଉଚିତ୍ । ବେହଦର ପିତା ଏବଂ ତାଙ୍କ ସମ୍ପତ୍ତିକୁ ମନେ ପକାଇବାକୁ ହେବ । ଆଉ କାହାକୁ ମନେ ପକାଇଲେ
କିଛି ହେଲେ ବି ମିଳିବ ନାହିଁ । ମନୁଷ୍ୟମାନେ ଭକ୍ତିମାର୍ଗରେ ତ’ କେତେ ସ୍ମରଣ କରିଥା’ନ୍ତି ।
ମାତା ପିତା ମିତ୍ର ସମ୍ବନ୍ଧୀମାନଙ୍କୁ ମନେ ପକାଇବା ସହିତ ଦେବୀ-ଦେବତାମାନଙ୍କୁ ମଧ୍ୟ ବହୁତ
ସ୍ମରଣ କରୁଛନ୍ତି । ପାଣିରେ ସ୍ନାନ କରୁଛନ୍ତି, ପୁଣି ତାକୁ ପତିତ ପାବନୀ କହୁଛନ୍ତି ।
ଦେଖାଇଥା’ନ୍ତି ଯେ, ତୀର ମାରିଲେ ଏବଂ ଗଙ୍ଗା ବାହାରି ଆସିଲା । ମୃତ୍ୟୁ ସମୟରେ ଗଙ୍ଗାଜଳ ମୁଖରେ
ଦେଇଥା’ନ୍ତି । ଭାବିଥା’ନ୍ତି ଯେ ଟିକିଏ ବି ଗଙ୍ଗା ଜଳ ମିଳିବା ଦ୍ୱାରା ମୁକ୍ତି ପାଇଯିବେ । ବାବା
କହୁଛନ୍ତି ଏଥିରେ ଜ୍ଞାନର କଥା ରହିଛି । ତୁମେ ଅଳ୍ପ ଜ୍ଞାନ ଶୁଣିଲେ ମଧ୍ୟ ତୁମକୁ ଫଳ ମିଳିଯାଉଛି
। ଏହି ଜ୍ଞାନ ଶୁଣିବାର କଥା । ଅମୃତ ପିଇବାର ଜିନିଷ ନୁହେଁ, ଏହା ଜ୍ଞାନ ଅଟେ । ଏପରି ଭାବ ନାହିଁ
ଯେ ଭୋଗ ଦିନ ଅମୃତ ପିଆଉଛନ୍ତି । ନା, ତାହା ତ’ ମିଠା ପାଣି । କିନ୍ତୁ ଏହା ହେଉଛି ଜ୍ଞାନର କଥା
। ଜ୍ଞାନ ଅର୍ଥାତ୍ ବାବା ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିବା । ଏହି ସୃଷ୍ଟିଚକ୍ର କିପରି
ଘୂରୁଛି, କିଏ କିଏ ୮୪ ଜନ୍ମ ନେଉଛନ୍ତି । ସମସ୍ତେ ତ ୮୪ ଜନ୍ମ ନେଇପାରିବେ ନାହିଁ ।
ପ୍ରଥମେ-ପ୍ରଥମେ ଭାରତବାସୀ ହିଁ ଆସୁଛନ୍ତି । ସେହିମାନେ ହିଁ ପୁରା ୮୪ ଜନ୍ମ ନେଉଛନ୍ତି ।
ଯେଉଁମାନେ ଦେବତା ଥିଲେ ସେହିମାନେ ପୁଣି ୮୪ ଜନ୍ମ ଭୋଗକରି ପତିତ ହୋଇଯାଉଛନ୍ତି । ବାବା ଆସି ପୁଣି
କଣ୍ଟାରୁ ଫୁଲ କରାଉଛନ୍ତି । ମନୁଷ୍ୟମାନେ ଦେହ ଅଭିମାନରେ ଆସି ୫ ବିକାରର ବଶୀଭୂତ ହୋଇଯାଉଛନ୍ତି
। ଏବେ ରାବଣ ରାଜ୍ୟ ଚାଲିଛି । ସତ୍ୟଯୁଗରେ ଦୈବୀ ରାଜ୍ୟ ଥିଲା । ଶିବବାବା ହିଁ ସ୍ୱର୍ଗର ପୁରା
ରଚନା କରୁଛନ୍ତି । ସେଠାରେ ସୂର୍ଯ୍ୟବଂଶୀ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା । ଏବେ ତୁମେ
ଜାଣୁଛ ଯେ ସ୍ଥାପନା କାର୍ଯ୍ୟ ଚାଲିଛି । ବିନାଶ କାଳରେ ତୁମର ପ୍ରୀତ ବୁଦ୍ଧି ହୋଇଛି, ସେଥିପାଇଁ
ବିଜୟୀ ହେଉଛ । ସାରା ବିଶ୍ୱ ଉପରେ ତୁମେ ବିଜୟ ପ୍ରାପ୍ତ କରୁଛ । ଏହି କଥାକୁ ଭଲ ରୂପେ ମନେ
ରଖିବାକୁ ହେବ । ଆମେ ଭାରତବାସୀ ଯେଉଁମାନେ କି ଏବେ କଳିଯୁଗରେ ଅଛୁ ଆମେ ପରିବର୍ତ୍ତିତ ହୋଇ
ସ୍ୱର୍ଗକୁ ଯିବୁ । ପୁରୁଣା ଦୁନିଆକୁ ଛାଡିବାକୁ ହେବ । ଏହା ବିକାରୀ ସମ୍ବନ୍ଧ ଅଟେ, ଏହାକୁ
ବନ୍ଧନ ବୋଲି କୁହାଯାଉଛି । ତୁମେ ବିକାରୀ ବନ୍ଧନକୁ କାଟି ନିର୍ବିକାରୀ ସମ୍ବନ୍ଧକୁ ଯାଉଛ, ପୁଣି
ପରଜନ୍ମରେ ତୁମେ ବିକାରୀ ବନ୍ଧନରେ ଆସିବ ନାହିଁ । ସେଠାରେ ନିର୍ବିକାରୀ ସମ୍ବନ୍ଧ ହେବ, ଏହି
ସମୟରେ ଆସୁରୀ ବନ୍ଧନ ରହିଛି । ଆତ୍ମା କହୁଛି ମୋର ଶିବବାବାଙ୍କ ସହିତ ପ୍ରୀତି ରହିଛି । ତୁମ
ବ୍ରାହ୍ମଣମାନଙ୍କର ଶିବବାବାଙ୍କ ସହିତ ପ୍ରୀତି ରହିଛି କାହିଁକିନା ତୁମେ ଯଥାର୍ଥ ଭାବେ ଜାଣିଛ ।
ବାବାଙ୍କୁ, ସୃଷ୍ଟିଚକ୍ରକୁ ଜାଣି ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଉଛ । ଯେତେ ଯିଏ ଅନ୍ୟମାନଙ୍କୁ
ବୁଝାଇବେ, ସେତେ ଅନେକଙ୍କର କଲ୍ୟାଣ କରିପାରିବେ । ଯିଏ ଅଧିକ ବୁଝୁଛନ୍ତି ସେମାନେ ହୁସିଆର ଅଟନ୍ତି,
ସେହିମାନେ ହିଁ ଉଚ୍ଚପଦ ପାଇବେ । ସେବା କମ୍ କରୁଥିଲେ ପଦ ମଧ୍ୟ ହାଲୁକା ପାଇବେ । ସାରା ଦୁନିଆ ତ
ପତିତ ଅଟେ । ପ୍ରତ୍ୟେକଙ୍କୁ ପତିତରୁ ପବିତ୍ର ହେବାର ରାସ୍ତା ବତାଇବାକୁ ହେବ, ଆଉ କୌଣସି ଉପାୟ
ନାହିଁ । ବାବାଙ୍କୁ ମନେ ପକାଇଲେ ହିଁ ବିକର୍ମ ବିନାଶ ହେବ । ଯେଉଁମାନେ ଦୈବୀ ସମ୍ପ୍ରଦାୟର
ଅଟନ୍ତି ତାଙ୍କ ସମ୍ମୁଖରେ ଏହି ଅକ୍ଷର ଗୁଞ୍ଜରିତ ହେବ, ବୁଝିବେ ଯେ ଏହା ତ’ ଠିକ୍ କଥା ।
ବାସ୍ତବରେ ଆମେ ଦେବୀ ଦେବତା ହେବୁ । ଆମର ଭୋଜନ ମଧ୍ୟ ଶୁଦ୍ଧ ହେବା ଆବଶ୍ୟକ । ଦୈବୀଗୁଣ ମଧ୍ୟ
ଏହିଠାରେ ଧାରଣ କରିବାକୁ ହେବ, ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ । ଏବେ ତୁମେ ସର୍ବଗୁଣ ସମ୍ପନ୍ନ
ହେଉଛ । ଏହି ଲକ୍ଷ୍ମୀ ନାରାୟଣ ଦେବୀ ଦେବତା ଅଟନ୍ତି, ଏହାଙ୍କ ପାଖରେ ଭୋଗ ଲଗାଉଛନ୍ତି, ତେବେ
କ’ଣ ସିଗାରେଟ୍ ଆଦିର ଭୋଗ ଲଗାଉଛନ୍ତି କି? ସିଗାରେଟ୍ ଖାଇଲାବାଲା ଉଚ୍ଚପଦ ପାଇପାରିବେ ନାହିଁ ।
ଏହା କୌଣସି ଦୈବୀ ଜିନିଷ ନୁହେଁ । ସିଗାରେଟ୍ ଟାଣିବେ ଅଥବା ରସୁଣ ପିଆଜ ଆଦି ଖାଇବେ, ତେବେ ଆହୁରି
ପତିତ ହୋଇଯିବେ । କହୁଛନ୍ତି ଏସବୁ ଖାଇବା ଛାଡି ଦେଲେ ସ୍ୱାସ୍ଥ୍ୟ ଖରାପ ହୋଇଯାଉଛି । ବାବା
କହୁଛନ୍ତି - ଶିବବାବାଙ୍କୁ ମନେ ପକାଅ । ଏହି ସବୁର ଅଭ୍ୟାସ ଛାଡିଦେଲେ ତୁମର ସଦ୍ଗତି ହୋଇଯିବ ।
ଅନେକଙ୍କ ପାଖରେ ସିଗାରେଟ୍ ଟାଣିବାର ଅଭ୍ୟାସ ରହିଥାଏ । ସେଇଥିପାଇଁ ବୁଝାଯାଉଛି କି ଦେବତାଙ୍କ
ପାଖରେ ଏସବୁ କେବେ ହେଲେ ଭୋଗ ଲଗାଯାଇ ନ ଥାଏ । ତେବେ ତୁମକୁ ଦେବୀ-ଦେବତା ପରି ଏହିଠାରେ ହିଁ
ହେବାକୁ ପଡିବ । ତୁମେ ଅଖାଦ୍ୟ ଖାଇଲେ ତା’ର ଦୁର୍ଗନ୍ଧ ଆସିବ । ସିଗାରେଟ୍ ବା ମଦ୍ୟପାନ
କଲାବାଲାଙ୍କଠାରୁ ଦୂରରୁ ହିଁ ଦୁର୍ଗନ୍ଧ ଆସିଥାଏ । ତେଣୁ ତୁମ ସନ୍ତାନମାନଙ୍କୁ ଦୈବୀଗୁଣ ଧାରଣ
କରି ବୈଷ୍ଣବ ହେବାକୁ ପଡିବ । ଯେପରି ବିଷ୍ଣୁଙ୍କର ସନ୍ତାନ ଥାଆନ୍ତି, ତୁମେ ବିଷ୍ଣୁ ଅର୍ଥାତ୍
ଦୈବୀ ସନ୍ତାନ ହେଉଛ । ଏଠାରେ ତୁମେ ଈଶ୍ୱରୀୟ ସନ୍ତାନ ହୋଇଛ । ଏହା ହେଉଛି ତୁମର ସର୍ବୋତ୍ତମ
ଜନ୍ମ । ତୁମେ ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ ଅଟ । ତୁମେ ଅନ୍ୟମାନଙ୍କୁ ମଧ୍ୟ ଉତ୍ତମ କରି
ଗଢିଲାବାଲା ଅଟ । ଏହା ହେଉଛି ବେହଦ ବାବାଙ୍କର ମିଶନାରୀ । ଖ୍ରୀଷ୍ଟିୟାନ ଲୋକଙ୍କର ମିଶନାରୀ
ହୋଇଥାଏ ନା । ନିଜର ଖ୍ରୀଷ୍ଟିୟାନ ଧର୍ମରେ ଅନେକଙ୍କୁ ପରିବର୍ତ୍ତିତ କରିଦେଉଛନ୍ତି । ଏହା ହେଉଛି
ତୁମର ଈଶ୍ୱରୀୟ ମିଶନାରୀ । ତୁମେ ଶୂଦ୍ରରୁ ବ୍ରାହ୍ମଣ ଧର୍ମକୁ ପରିବର୍ତ୍ତିତ ହୋଇ ପୁଣି ପରେ
ଦେବତା ଧର୍ମକୁ ପରିବର୍ତ୍ତିତ ହୋଇଯାଉଛ । ତୁମେ ଜାଣିଛ ଯେ ଆମେ ଏବେ ଶୂଦ୍ରରୁ ବ୍ରାହ୍ମଣ ହୋଇଛୁ
। ତୁମେ ଜୀଇଁଥାଇ ମଧ୍ୟ ମରିଯାଇଛ, ପୁଣି ଯାଇ ସତ୍ୟଯୁଗରେ ଦେବତା ହେବ । ସେଠାରେ ଗର୍ଭରୁ ଜନ୍ମ
ନେବ ।
ଧର୍ମାତ୍ମା କରାଇବା ପାଇଁ, ଏଠାରେ ତୁମକୁ ବାବା ଧର୍ମର ସନ୍ତାନ ରୂପେ ଗ୍ରହଣ କରିଛନ୍ତି । ବାବା
ତୁମକୁ ନିଜର କରିଛନ୍ତି । ପିଲାମାନଙ୍କୁ ବାବା ଶିଖାଉଛନ୍ତି । ବ୍ରାହ୍ମଣରୁ ପୁଣି ଦେବତା
ହେଉଛନ୍ତି । ସତ୍ୟଯୁଗର ମନୁଷ୍ୟମାନେ କେତେ ଶ୍ରେଷ୍ଠ ଅଟନ୍ତି, ଏହାଙ୍କ ପାଖରେ ସବୁ ଦୈବୀଗୁଣ
ରହିଛି । ଯେତେବେଳେ ତୁମେ ଆତ୍ମାମାନେ ପବିତ୍ର ହୋଇଯିବ, ସେତେବେଳେ ପୁଣି ପବିତ୍ର ଶରୀର ମଧ୍ୟ
ଦରକାର । ପୁରୁଣା ଶରୀର ବିନାଶ ହୋଇଯିବ ପୁଣି ତୁମର ନୂଆ ସତ୍ତ୍ୱପ୍ରଧାନ ଶରୀର ଆବଶ୍ୟକ ।
ସତ୍ୟଯୁଗରେ ୫ ତତ୍ତ୍ୱ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯିବ । ବାବା କହୁଛନ୍ତି - ତୁମେ ଶୂଦ୍ର ବର୍ଣ୍ଣରେ
ଥିଲ । ଏବେ ପୁଣି ବ୍ରାହ୍ମଣ ବର୍ଣ୍ଣର ହୋଇଛ, ପୁଣି ଦୈବୀ ବର୍ଣ୍ଣରେ ଆସିବ । ତୁମେ ୮୪ ଜନ୍ମ
ନେଇଛ ନା । ବ୍ରାହ୍ମଣ ବର୍ଣ୍ଣକୁ ଗୁପ୍ତ କରି ଦେଇଛନ୍ତି । ଏବେ ବାବା ଶୂଦ୍ରରୁ ବ୍ରାହ୍ମଣ କରାଇ
ପୁଣି ଦେବତା କରାଉଛନ୍ତି । ଏବେ ତୁମେ ବ୍ରାହ୍ମଣ ହେଲ ଚୁଟୀ । ବାଜୋଲୀ (ପାଦ ପାଖରେ ମୁଣ୍ଡ ରଖି
ଲେଉଟିବା ଖେଳ) ହୋଇଥାଏ ନା । ଏବେ ବ୍ରାହ୍ମଣ ହୋଇଛ ପୁଣି ଦେବତା, କ୍ଷତ୍ରିୟ... ପୁଣି ବ୍ରାହ୍ମଣ
ହେବ । ଏହାକୁ ଚକ୍ର ବୋଲି କୁହାଯାଉଛି । ଏବେ ତୁମେ ବ୍ରାହ୍ମଣ ବର୍ଣ୍ଣରେ ଆସିଛ । ଏହି ଜ୍ଞାନ
ତୁମକୁ ବର୍ତ୍ତମାନ ମିଳୁଛି, ପୁଣି ପ୍ରାଲବ୍ଧ ମିଳିଯିବ । ୨୧ ଜନ୍ମ କ୍ରମାନୁସାରେ ଏବଂ ଏହି ସମୟର
ପୁରୁଷାର୍ଥ ଅନୁସାରେ, ସେଠାରେ ସର୍ବଦା ସୁଖୀ ରହିବ । କେହି ରାଜ ପରିବାରରେ, କେହି ପ୍ରଜାରେ
ଜନ୍ମ ନେବେ । ରାଜପରିବାରରେ ବହୁତ ସୁଖ ରହିଛି, ପୁଣି ଧିରେ ଧିରେ କଳା କମ୍ ହୋଇଯାଇଥାଏ । ଏଠାରେ
ତୁମକୁ ୮୪ ଜନ୍ମର ଜ୍ଞାନ ମିଳୁଛି । ତୁମର ସବୁ ସ୍ମୃତି ଆସିଯାଇଛି । ବାବା ଆସି ବୁଝାଉଛନ୍ତି
ମଧୁର ସନ୍ତାନମାନେ, ତୁମର ଏବେ ୮୪ ଜନ୍ମ ସମ୍ପୂର୍ଣ୍ଣ ହେଉଛି । କେହି କେହି ୮୪ ଜନ୍ମ, ୮୦, ୫୦,
ଅଥବା ୬୦ ଜନ୍ମ ମଧ୍ୟ ନେଉଛନ୍ତି । ସବୁଠାରୁ ଅଧିକ ତୁମେ ଭାରତବାସୀମାନେ ହିଁ ସୁଖ ଭୋଗ କରୁଛ ।
ଏହି ଡ୍ରାମାରେ ତୁମର ନାମ ପ୍ରଖ୍ୟାତ ହେବ । ତୁମେ ଦେବତାମାନଙ୍କଠାରୁ ମଧ୍ୟ ଶ୍ରେଷ୍ଠ ଅଟ । ତୁମେ
ଜାଣିଛ ଯେ ଆମେ ପୂଜ୍ୟ ହେଉଛୁ । ସତ୍ୟଯୁଗରେ ଆମେ କାହାର ବି ପୂଜା କରିବୁ ନାହିଁ, ନା ଆମକୁ କେହି
ପୂଜା କରିବେ । ସେଠାରେ ଆମେ ହିଁ ପୂଜ୍ୟ ହେବୁ ପୁଣି ଧିରେ ଧିରେ କଳାର ସ୍ତର ତଳକୁ ଚାଲିଯାଏ ।
ଆମେ ପୂଜ୍ୟରୁ ପୁଣି ପୂଜାରୀ ହୋଇ ଦେବତାମାନଙ୍କ ପାଖରେ ମୁଣ୍ଡ ନୁଆଁଇଥାଉ । ଆମେ ଦ୍ୱାପରରୁ
ପୂଜାରୀ ହେବା ଆରମ୍ଭ କରୁଛୁ । ଅନ୍ତ ସମୟରେ ପୁଣି ସମସ୍ତେ ବ୍ୟଭିଚାରୀ ହୋଇଯାଉଛନ୍ତି । ଏହି
ଶରୀର ୫ ତତ୍ତ୍ୱରେ ତଆରି ହୋଇଛି, ଏହାକୁ କେହି ଯଦି ପୂଜା କଲେ ତାକୁ ଭୂତ ପୂଜା ବୋଲି
କୁହାଯାଇଥାଏ । ପ୍ରତ୍ୟେକଙ୍କ ପାଖରେ ୫ ଭୂତ ରହିଛି । ଦେହ ଅଭିମାନର ଭୂତ ପୁଣି କାମ-କ୍ରୋଧର ଭୂତ
। ଭୂତ ସମ୍ପ୍ରଦାୟ କୁହ ଅଥବା ଅସୁର ସମ୍ପ୍ରଦାୟ କୁହ, କଥା ଏକା । ବାବା ଆସି ପୁଣି ଦୈବୀ
ସମ୍ପ୍ରଦାୟଭୁକ୍ତ କରାଉଛନ୍ତି । ବାବା ଆସୁଛନ୍ତି ଭୂତମାନଙ୍କଠାରୁ ମୁକ୍ତ କରିବା ପାଇଁ ଏବଂ ନିଜ
ସହିତ ଯୋଗ ଲଗାଇ ଦେବତା କରାଇବା ପାଇଁ । ଗୁରୁ ନାନକ ମଧ୍ୟ ମହିମା ଗାୟନ କରିଛନ୍ତି ଯେ ପରମପିତା
ପରମାତ୍ମା ମନୁଷ୍ୟକୁ ଦେବତା କରାଇଲେ । ସେ ହିଁ ପତିତଙ୍କୁ ପବିତ୍ର କରାଇଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବ୍ରାହ୍ମଣରୁ
ଦେବତା ହେବା ପାଇଁ ଯେଉଁ ସବୁ ବିକାରୀ ଅଭ୍ୟାସ ରହିଛି, ସେ ସବୁକୁ ଛାଡିବାକୁ ହେବ ।
ଶୂଦ୍ରମାନଙ୍କୁ ବ୍ରାହ୍ମଣ ଧର୍ମରେ ପରିବର୍ତ୍ତନ କରି ଦେବତା କରାଇବା ପାଇଁ ଈଶ୍ୱରୀୟ କାର୍ଯ୍ୟରେ
ସହଯୋଗୀ ହେବାକୁ ପଡିବ । ମଦ, ସିଗାରେଟ୍ ବା ଯାହାକିଛି ବି ଖରାପ ଅଭ୍ୟାସ ରହିଛି ସେଗୁଡିକୁ
ଛାଡିଦେବାକୁ ହେବ ।
(୨) ବର୍ତ୍ତମାନର ଏହି
ବିନାଶ ସମୟରେ ଏକମାତ୍ର ବାବାଙ୍କ ସହିତ ସଚ୍ଚା ପ୍ରୀତି ରଖିବାକୁ ହେବ । ଏବେ ଏହି ପୁରୁଣା ଘର
ଭାଙ୍ଗିବାକୁ ଯାଉଛି, ସେଥିପାଇଁ ଏହାଠାରୁ ମନ ତୁଟାଇ ନୂଆ ଘର ସହିତ ଲଗାଇବାକୁ ହେବ ।
ବରଦାନ:-
ନିଜର ଶ୍ରେଷ୍ଠ
କର୍ମ ଦ୍ୱାରା ସ୍ମରଣଯୋଗ୍ୟ ହେଉଥିବା ଯୋଗଯୁକ୍ତ, ଯୁକ୍ତିଯୁକ୍ତ ଭବ ।
ତୁମର ପ୍ରତ୍ୟେକ କର୍ମ
ଯେତିକି ଶ୍ରେଷ୍ଠ ହେବ ସେହି ଅନୁସାରେ ତୁମକୁ ଶ୍ରେଷ୍ଠ ଆତ୍ମା ରୂପରେ ସ୍ମରଣ କରିବେ ।
ଭକ୍ତିମାର୍ଗରେ ନାମର ସ୍ମରଣ କରିଥାଆନ୍ତି କିନ୍ତୁ ଏଠାରେ ଯେଉଁମାନେ ଶ୍ରେଷ୍ଠ ଆତ୍ମା ଅଟନ୍ତି
ସେମାନଙ୍କର ଗୁଣ ଏବଂ କର୍ମର ଦୃଷ୍ଟାନ୍ତ ଦେବା ପାଇଁ ସ୍ମରଣ କରିଥାଆନ୍ତି । ତେଣୁ ତୁମେମାନେ
ନିଜର ଶ୍ରେଷ୍ଠ କର୍ମ ଆଧାରରେ ହିଁ ସ୍ମରଣ ଯୋଗ୍ୟ ହୋଇ ପାରିବ । ସେଥିପାଇଁ ସର୍ବଦା ଯୋଗଯୁକ୍ତ
ସ୍ଥିତିରେ ରୁହ । ଯୋଗଯୁକ୍ତ ହେବା ଦ୍ୱାରା ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ ଶବ୍ଦ ବା କର୍ମ
ଯୁକ୍ତିଯୁକ୍ତ ନିଶ୍ଚିତ ହେବ, ତାଙ୍କ ଦ୍ୱାରା ଅଯୁକ୍ତିଯୁକ୍ତ କର୍ମ ବା ସଂକଳ୍ପ ହୋଇପାରିବ ନାହିଁ
- ଏହାର ମଧ୍ୟ ସମ୍ବନ୍ଧ ରହିଛି ।
ସ୍ଲୋଗାନ:-
ନିମିତ୍ତ ଭାବ
ଏବଂ ନିର୍ମାଣଚିତ୍ତ - ଏହା ହିଁ ହେଉଛି ସଚ୍ଚା ସେବାଧାରୀର ଲକ୍ଷଣ ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ଯଦି ତୁମର ସ୍ୱଭାବ ସରଳ
ହୋଇଥିବ ତେବେ ସର୍ବଦା ହର୍ଷିତ ରହିବା ସହିତ ତୁମର ନୟନ ଦ୍ୱାରା, ମୁଖମଣ୍ଡଳ ଦ୍ୱାରା ଏବଂ
ଚାଲିଚଳନ ଦ୍ମାରା ମଧୁରତା ପ୍ରତ୍ୟକ୍ଷ ରୂପରେ ଦେଖାଯିବ । ମୁଖରୁ କେବେ ବି କଟୁବଚନ ବାହାରିବ ନାହିଁ
। ତୁମର ମନ-ବୁଦ୍ଧିର ବିଚାର ଏବଂ ବାଣୀ ସବୁ କିଛି ଏକାଭଳି ହେବ । ମନ ଭିତରେ ଗୋଟିଏ କଥା, ବାଣୀରେ
ଆଉ ଗୋଟିଏ କଥା - ଏହା ସରଳତାର ଲକ୍ଷଣ ନୁହେଁ । ସରଳସ୍ୱଭାବ ଯୁକ୍ତ ଆତ୍ମାମାନେ ସର୍ବଦା
ନମ୍ରଚିତ୍ତ, ନିରହଂକାରୀ ଏବଂ ନିଃସ୍ୱାର୍ଥୀ ହୋଇଥାଆନ୍ତି ।