11.10.26 Avyakt Bapdada Odia Murli 18.01.2012 Om Shanti Madhuban
“ସେବା କରିବା ସହିତ
ପରସ୍ପରର ସହଯୋଗୀ ହୋଇ ବାୟୁମଣ୍ଡଳରେ ତୀବ୍ର ପୁରୁଷାର୍ଥର ତରଙ୍ଗ ଖେଳାଅ, ମାୟାଜିତ୍ ହୋଇ
ଆତ୍ମାମାନଙ୍କର ମାନସୀକ ସେବା କର ।”
ଆଜି ବିଶେଷ ସ୍ନେହର ଦିନ
। ଚାରିଆଡର ପିଲାମାନେ ସ୍ନେହ ସ୍ୱରୂପ ହୋଇ ମିଳନ କରୁଛନ୍ତି । ତୁମେମାନେ ମଧ୍ୟ ସ୍ନେହ ସ୍ୱରୂପରେ
ମଗ୍ନ ରହିଛି । ଆଜି ଅମୃତବେଳା ପୂର୍ବରୁ ହିଁ ଚାରିଆଡର ପିଲାମାନେ ସ୍ନେହୀ ସ୍ୱରୂପରେ ହାର୍ଦ୍ଦିକ
ସ୍ନେହ ରୂପକ ମୋତିର ମାଳାଗୁଡିକୁ ନେଇ ବତନରେ ପହଞ୍ଚି ଯାଇଥିଲେ ଏବଂ ଅନେକ ପ୍ରକାରର ଭିନ୍ନ
ଭିନ୍ନ ମନର ଭାବକୁ ବାବାଙ୍କ ନିକଟରେ ବର୍ଣ୍ଣନା କରୁଥିଲେ । ତୁମେମାନେ ତ ଜାଣିଛ ଯେ
ପିଲାମାନଙ୍କର ସ୍ନେହ କେତେ ପ୍ରିୟ ଅଟେ । ଭିନ୍ନ ଭିନ୍ନ ଭାଷା ଦ୍ୱାରା, ଭିନ୍ନ ଭିନ୍ନ ଭାବ
ଦ୍ୱାରା ବାପଦାଦାଙ୍କ ଆଗରେ ନିଜର ଦିଲ୍ର କଥାକୁ ଶୁଣାଉଥିଲେ ଏବଂ ନୟନ ଦ୍ୱାରା, ମୁଖ ଦ୍ୱାରା
ନିଜର ଭାବକୁ ମଧ୍ୟ କରୁଥିଲେ । ବାପଦାଦା ମଧ୍ୟ ଚାରିଆଡର ପିଲାମାନଙ୍କର ସ୍ନେହର ଭାବକୁ ଦେଖି
ସମସ୍ତଙ୍କର ସ୍ନେହରେ ମଗ୍ନ ହୋଇଯାଇଥିଲେ ଏବଂ ମୁଖରୁ ଏହି କଥା ବାହାରୁଥିଲା - ବାଃ ପିଲାମାନେ
ବାଃ! ଏବଂ ପିଲାମାନଙ୍କ ମୁଖରୁ ବାହାରୁଥିଲା ବାଃ ବାବା ବାଃ! ଏହି ଗୀତ ହିଁ ଶୁଣାଯାଇଥିଲା ।
ବାପଦାଦା ପ୍ରତ୍ୟେକ ସନ୍ତାନକୁ ଦେଖି ସେମାନଙ୍କର ସ୍ନେହରେ ମଗ୍ନ ହୋଇଯାଇ ଥିଲେ ଏବଂ ପିଲାମାନେ
ମଧ୍ୟ ବାବାଙ୍କର ସ୍ନେହରେ ମଗ୍ନ ଥିଲେ ।
ଆଜି ଦିନରେ ବାବା
ପିଲାମାନଙ୍କୁ ବାଳକ ହିସାବରେ ମାଲିକ କରିବାର ଦୃଷ୍ଟିରେ ଦେଖୁଥିଲେ । ଆଜିର ଦିନଟି ପିଲାମାନଙ୍କର
ରାଜତିଳକ ପ୍ରାପ୍ତ କରିବାର ଦିନ ଅଟେ । ଆଜି ଦିନରେ ବାପଦାଦା ନିଜେ ଫରିସ୍ତା ରୂପରେ ରହି
ପିଲାମାନଙ୍କୁ ବିଶ୍ୱ ସେବା ଅର୍ଥେ ନିମିତ୍ତ କରିଥିଲେ । ନିଜେ ମେରୁଦଣ୍ଡ ହୋଇ ପିଲାମାନଙ୍କୁ ବିଶ୍ୱ
ରୂପକ ମଞ୍ଚ ଉପରେ ପ୍ରତ୍ୟକ୍ଷ କରିଥିଲେ । ଏବେ ବାପଦାଦା ପିଲାମାନଙ୍କର ସେବାକୁ ଦେଖି, ଯେଉଁ
ଦାୟିତ୍ୱ ଦେଇଥିଲେ ତା’ର ଫଳାଫଳକୁ ଦେଖି ପିଲାମାନଙ୍କ ଉପରେ ବହୁତ ବହୁତ ଖୁସି ଅଛନ୍ତି ଏବଂ ଦିଲ୍ର
ସହିତ ଅଭିନନ୍ଦନ ଦେଉଛନ୍ତି, ଅଭିନନ୍ଦନ, ଅଭିନନ୍ଦନ ।
ବାପଦାଦା ଦେଖିଲେ ଯେ ଏବେ
ବି ବାବାଙ୍କ ଦ୍ୱାରା ଦିଆଯାଇଥିବା ବିଶ୍ୱର ସେବାଧାରୀର ବରଦାନ ଅନୁସାରେ ପ୍ରତ୍ୟେକ ସନ୍ତାନ ଅତି
ସ୍ନେହ ତଥା ଆନ୍ତରିକତାର ସହିତ ସେବା କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି । ତା’ର ଫଳାଫଳ ମଧ୍ୟ
ବାପଦାଦା ଦେଖିଛନ୍ତି । ପ୍ରତ୍ୟେକ ସନ୍ତାନର ଦିଲ୍ ଭିତରେ ଲଗନ ରହିଛି, ମେରା ବାବା ଏବଂ
ବାବାଙ୍କର ଦିଲ୍ ଭିତରେ ସ୍ନେହ ରହିଛି ବାଃ ମୋ’ର ପିଲାମାନେ । ବର୍ତ୍ତମାନ ସମୟରେ ଅଧିକାଂଶ ଛୋଟ
ବଡ ସେଣ୍ଟର ନିବାସୀ ପିଲାମାନଙ୍କର ଉମଙ୍ଗ ଉତ୍ସାହ ରହିଛି ଯେ ଏବେ ଶୀଘ୍ର ଶୀଘ୍ର ଚାରିଆଡେ
ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହିଁ ହେବ । ଏହିଭଳି ଉମଙ୍ଗ, ଏହିଭଳି ଉତ୍ସାହ ବାପଦାଦା ଚକ୍ର
ଲଗାଇ ଦେଖିଛନ୍ତି ଛୋଟ ବଡ ସେବାକେନ୍ଦ୍ରଗୁଡିକର ପିଲାମାନଙ୍କ ଭିତରେ ସେବା କରିବାର ବହୁତ, ବହୁତ,
ବହୁତ ଭଲ ଉମଙ୍ଗ ଉତ୍ସାହ ରହିଛି, ଏବଂ ଆଗକୁ ମଧ୍ୟ ଭଲ ଉମଙ୍ଗ-ଉତ୍ସାହ ରହିବ । ତେଣୁ ବାପଦାଦା ଆଜି
ସ୍ନେହ ଦିବସରେ ଚାରିଆଡର ଚାହେଁ ଦେଶ, ଚାହେଁ ବିଦେଶ ସବୁ ପିଲାଙ୍କୁ ନିଜର ଦୃଷ୍ଟି ଦ୍ୱାରା,
ଦି୍ଲ ଦ୍ୱାର ସ୍ନେହ ଏବଂ ସେବାର ପ୍ରତିଦାନ ରୂପରେ ହୃଦୟ ଭରା ସ୍ନେହ ଏବଂ ୟାଦପ୍ୟାର ପଦ୍ମଗୁଣା
ଦେଉଛନ୍ତି ।
ଏବେ ସମୟ ଅନୁସାରେ
ଯେଉଁଭଳି ଉମଙ୍ଗ-ଉତ୍ସାହ ରଖିଛ ଯେ ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହିଁ ହେବ, ତାହା ଧୀରେ ଧୀରେ
ଅନ୍ୟ ଆତ୍ମାମାନଙ୍କ ଦିଲ୍ରେ ମଧ୍ୟ ଆସିବାକୁ ଲାଗିଲାଣି । ଭାବୁଛନ୍ତି ବ୍ରହ୍ମାକୁମାରୀ ମାନେ
କିଛି ପାଇଛନ୍ତି, ଏହିଭଳି ସେମାନଙ୍କର ମଧ୍ୟ ଭାବନାର ପରିବର୍ତ୍ତନ ହେଉଛି । ପୂର୍ବରୁ ଯେଉଁଭଳି
ଭାବୁଥିଲେ କିଏ ଜାଣେ ଏମାନେ କ’ଣ କରୁଛନ୍ତି । ଏବେ କିନ୍ତୁ ଏତିକି ପର୍ଯ୍ୟନ୍ତ ଆସିଲେଣି ଯେ ଭଲ
କାର୍ଯ୍ୟ କରୁଛନ୍ତି । ଯେଉଁ କାର୍ଯ୍ୟ ଆମେ କରିପାରିବୁ ନାହିଁ ସେଥିରେ ଏମାନେ ନିଜର ସଂଗଠ଼ନରେ
ସଫଳତା ପାଉଛନ୍ତି ସେଥିପାଇଁ ଆଜି ବାପଦାଦା ସମ୍ମୁଖରେ ବସିଥିବା ପିଲାମାନଙ୍କୁ ବା ଚାରିଆଡେ
ଯେଉଁମାନେ ମଧ୍ୟ ଶୁଣୁଛନ୍ତି ବା ଦେଖୁଛନ୍ତି ସମସ୍ତଙ୍କୁ ଦିଲ୍ର ସ୍ନେହ, ଦିଲ୍ର ସହାନୁଭୂତି
ବିଶେଷ ଭାବରେ ଦେଉଛନ୍ତି । ତେଣୁ ଏବେ ଆଗକୁ କ’ଣ କରିବ? ସେବାର ଅଭିନନ୍ଦନ ତ ବାପଦାଦା ଦେଇଦେଲେ,
ଏବେ ବାପଦାଦା ଏହି କଥା ଚାହୁଛଁନ୍ତି ଯେ ଏବେ ସମସ୍ତଙ୍କୁ ଏହି ଉମଙ୍ଗ-ଉତ୍ସାହ, ଏହି ଦୃଢ ନିଶ୍ଚୟ
ତଥା ତୀବ୍ର ପୁରୁଷାର୍ଥ କରିବାକୁ ହେବ ଯେ “ଏବେ ବାବାଙ୍କ ସମାନ ଫରିସ୍ତା ହେବାକୁ ହିଁ ପଡିବ” ।
କାହିଁକିନା ଏବେ ସମସ୍ତଙ୍କୁ ବାବାଙ୍କ ସହିତ ଘରର ବାହୁଡିବାକୁ ହେବ । ତେଣୁ ସମାନ ଫରିସ୍ତା
ହେବାକୁ ହିଁ ପଡିବ । କାହିଁକିନା ସମସ୍ତଙ୍କର ପ୍ରତିଜ୍ଞା ରହିଛି, ସାଥୀ ହୋଇ ଘରକୁ ଯିବୁ । ସାଥୀ
ହୋଇ ରାଜ୍ୟ କରିବୁ । ତେବେ ବ୍ରହ୍ମାବାବା ତ ଫରିସ୍ତା ହୋଇଗଲେ, ତାଙ୍କ ସାଥୀରେ କିପରି ଯିବ?
ବ୍ରହ୍ମାବାବା ତ ଜୀବଦ୍ଦଶା ଭିତରେ ହିଁ ଫରିସ୍ତା ପଣିଆର ସ୍ୱରୂପ ଦେଖାଇଛନ୍ତି । କେତେ ଦାୟିତ୍ୱ
ଥିଲା ତାଙ୍କ ଉପରେ! ସମସ୍ତଙ୍କୁ ଯୋଗୀ କରିବାକୁ ହିଁ ପଡିବ କିନ୍ତୁ ଏତେ ସବୁ ଦ୍ରାୟିତ୍ୱ ଭିତରେ
ରହୁଥିଲେ ମଧ୍ୟ ତୁମେ ସମସ୍ତେ ଦେଖିଛ ସେ କେତେ ନ୍ୟାରା ପ୍ୟାରା ରହୁଥିଲେ । ସର୍ବଦା
ଚିନ୍ତାମୁକ୍ତ ସମ୍ରାଟ ଭଳି ରହୁଥିଲେ, କୌଣସି ଚିନ୍ତା ନାହିଁ, ଚିନ୍ତାମୁକ୍ତ ସମ୍ରାଟ । ସେହିପରି
ତୁମମାନଙ୍କୁ ମଧ୍ୟ ଏବେ ବାବାଙ୍କ ସମାନ ଚିନ୍ତାମୁକ୍ତ ସମ୍ରାଟ ଫରିସ୍ତା ହେବାକୁ ହିଁ ହେବ । ଏହି
ଦୃଢ ସଂକଳ୍ପ କରୁଛ, ଯେ ହେବାକୁ ହିଁ ପଡିବ । ନା ଭାବୁଛ ଧୀରେ ଧୀରେ ହୋଇଯିବି ।
ଏବେ ବାପଦାଦା ଦେଖୁଛନ୍ତି
ଯେ ଏବେ ସମୟ ଅନୁସାରେ ଯେତିକି ସେବାର ଉମଙ୍ଗ-ଉତ୍ସାହ ବାସ୍ତବିକ ରୂପରେ ରହିଛି, ସେତିକି ଏବେ
ତୀବ୍ର ପୁରୁଷାର୍ଥୀ ନିଜେ ହେବା ସହିତ ଅନ୍ୟମାନଙ୍କୁ କରିବା, ନିଜେ ସମ୍ପନ୍ନ ହେବା ଏବଂ
ଅନ୍ୟମାନଙ୍କୁ କରିବା, ଏହି ପଏଣ୍ଟ ଉପରେ ଏବେ ନିଜେ ମଧ୍ୟ ଉମଙ୍ଗ-ଉତ୍ସାହରେ ରହିବା ଏବଂ
ବାୟୁମଣ୍ଡଳରେ ମଧ୍ୟ ଉମଙ୍ଗ-ଉତ୍ସାହର ପ୍ରକମ୍ପନ ବିଚ୍ଛୁରିତ କରିବାର ଆବଶ୍ୟକତା ରହିଛି ।
ପରସ୍ପରର ସହଯୋଗୀ ହୋଇ ଏବେ ବାୟୁମଣ୍ଡଳରେ ତୀବ୍ର ପୁରୁଷାର୍ଥର ତରଙ୍ଗ ଖେଳାଅ । ଯେପରି ପରସ୍ପର
ଭିତରେ ସେବାର ଉମଙ୍ଗ-ଉତ୍ସାହ ବାୟୁମଣ୍ଡଳରେ ବିଚ୍ଛୁରିତ କରିଛ ସେହିପରି ଏବେ ବାପଦାଦା
ପିଲାମାନଙ୍କ ପ୍ରତି ଏହି ଶୁଭ ଆଶା ରଖିଛନ୍ତି ଯେ ଏହିଭଳି ତରଙ୍ଗ ବାୟୁମଣ୍ଡଳରେ ବିଚ୍ଛୁରିତ ହେଉ
। ବାପଦାଦା ଖୁସି ଅଛନ୍ତି କିନ୍ତୁ ଏବେ ମଧ୍ୟ ପୁରୁଷାର୍ଥ କରୁଛ, ଏବେ ତୀବ୍ର ପୁରୁଷାର୍ଥ କରିବାକୁ
ହେବ । ଏବେ ପ୍ରତ୍ୟେକ ସନ୍ତାନ ପ୍ରତି ବାପଦାଦାଙ୍କର ଏହି ଆଶା ରହିଛି ଯେ ମୋ’ର ପ୍ରତ୍ୟେକ
ସନ୍ତାନ ପିତାଙ୍କର ଆଶାର ତାରକା ହେଉ । କ’ଣ ଏହିଭଳି ତାରକା ଅଟ ତ? ଯେଉଁମାନେ ଭାବୁଛନ୍ତି ଆମେ
ବାବାଙ୍କର ଆଶାର ତାରକା ହୋଇ ଏହିଭଳି ଉମଙ୍ଗ-ଉତ୍ସାହ ବାୟୁମଣ୍ଡଳରେ ବିଚ୍ଛୁରିତ କରିବୁ ସେମାନେ
ହାତ ଉଠାଅ । ଆଚ୍ଛା ହାତ ତ ବହୁତ ଭଲ ଉଠାଉଛ, ବାପଦାଦା ତୁମର ହାତକୁ ଦେଖି ଖୁସି ହୋଇଯାଉଛନ୍ତି ।
ଅଧିକାଂଶ ପିଲା ହାତ ଉଠାଇଛନ୍ତି, ପଛବାଲାଙ୍କର ହାତ ଦେଖାଯାଉ ନାହିଁ କିନ୍ତୁ ଆଗବାଲାଙ୍କର ଦେଖି
ହେଉଛି । ଏବେ ପଛବାଲା ମଧ୍ୟ ଉଠାଉଛନ୍ତି, ତେଣୁ ଅଭିନନ୍ଦନ, ଅଭିନନ୍ଦନ । ଆଚ୍ଛା!
ବାପଦାଦା ଦେଖୁଛନ୍ତି ଯେ
ବିଶେଷ କରି ମନ ଭିତରେ ଯଦି କୌଣସି କଥାର ଉମଙ୍ଗ-ଉତ୍ସାହ ଆସିଯାଉଛି ତେବେ ସେହି କାର୍ଯ୍ୟ ସାକାର
ରୂପରେ ମଧ୍ୟ ଭଲରେ ହୋଇଯାଉଛି ସେଥିପାଇଁ ବାପଦାଦା ଏଥର ଏହି ସ୍ନେହ ଦିବସରେ ଏହି ହୋମ୍ୱାର୍କ
ଦେଉଛନ୍ତି ଯେ ପ୍ରତ୍ୟେକ ସନ୍ତାନର ମନ କାରଣରୁ ଯେତିକି ସମୟ ଏବଂ ସଂକଳ୍ପ ବ୍ୟର୍ଥରେ ଯାଉଛି, ଯଦି
କେବେ ବି କୌଣସି ବ୍ୟର୍ଥ ସଂକଳ୍ପ ଆସିଯାଉଛି ତେବେ ସମସ୍ତଙ୍କର ଅନୁଭବ ଥିବ ଯେ ସେଥିରେ ସମୟ କେତେ
ବ୍ୟର୍ଥରେ ନଷ୍ଟ ହେଉଛି । କେତେ ଶକ୍ତି ବ୍ୟର୍ଥରେ ନଷ୍ଟ ହେଉଛି । ତେଣୁ ବାପଦାଦା ଏହି ହୋମ୍ୱାର୍କ
ଦେବା ପାଇଁ ଚାହୁଁଛନ୍ତି ଯେ ଏହି ଦୁଇମାସ ପ୍ରତ୍ୟେକ ସନ୍ତାନ ମନର ବ୍ୟର୍ଥ ସଂକଳ୍ପ ବା ବ୍ୟର୍ଥ
ସମୟକୁ ସଞ୍ଚୟ କରିବା ପାଇଁ ନିଜେ ନିଜ ପାଇଁ ଉପାୟ ବାହାର କରନ୍ତୁ । ଏହି ଦୁଇ ମାସ ଭିତରେ
ପ୍ରତ୍ୟେକ ନିଜ ନିଜର ଚାର୍ଟ ରଖ ଯେ ବ୍ୟର୍ଥ ସଂକଳ୍ପ ଏବଂ ବ୍ୟର୍ଥ ସମୟ ଉପରେ କେତେ ନିୟନ୍ତ୍ରଣ
ରଖିଛି? କାହିଁକିନା ଏବେ ସମୟ ଅନୁସାରେ ତୁମ ସମସ୍ତଙ୍କୁ ମାନସୀକ ଶକ୍ତି ଦ୍ୱାରା ଆତ୍ମାମାନଙ୍କର
ମାନସୀକ ସେବା କରିବାର ସମୟ ଆସିବ ଏଥିପାଇଁ ସର୍ବଦା ନିଜର ମନ ଉପରେ ଧ୍ୟାନ ଦେବା ଜରୁରୀ ଅଟେ ।
କଥାରେ ମଧ୍ୟ ରହିଛି ମନକୁ ଜିତିଲେ ଜଗତକୁ ଜିତିବ । ତେଣୁ ମନମନାଭବର ବାୟୁମଣ୍ଡଳ ଦ୍ୱାରା ମନର
ବ୍ୟର୍ଥକୁ ସମାପ୍ତ କରିବାକୁ ହେବ । କରିପାରିବ ତ? କରିବ ତ? ହାତ ଉଠାଅ । ବାପଦାଦା ପୁରସ୍କାର
ମଧ୍ୟ ଦେବେ । ନିଜର ଫଳାଫଳ ନିଜେ ଦେଖିବ । ଯଦି ମନଖୁସି ଥିବ ତେବେ ମନର ଖୁସିକୁ ବାଣ୍ଟିପାରିବ ।
ଏହି ପୁରୁଷାର୍ଥରେ ସମସ୍ତେ ଆଗରୁ ଆଗ ନମ୍ବର ନେବା ପାଇଁ ଧ୍ୟାନ ଦିଅ । ସଂକଳ୍ପ ଏବଂ ସମୟ
ଦୁଇଟିଯାକରୁ ବ୍ୟର୍ଥ ସମାପ୍ତ ହେଉ ଯାହାଦ୍ୱାରା ସମର୍ଥ ସଂକଳ୍ପ, ସମର୍ଥ ସମୟ ଆସୁଥିବା ସମୟରେ
ବାୟୁମଣ୍ଡଳରେ ବିଚ୍ଛୁରିତ ହେବ ।
ବାପଦାଦା ଗୋଟିଏ କଥାରେ
ପିଲାମାନଙ୍କୁ ଦେଖି ଖୁସି ଅଛନ୍ତି । ଜାଣିଛ କେଉଁ କଥାରେ? ଏହି ଯେ ପ୍ରତ୍ୟେକ ସନ୍ତାନ ସେବା ତ
କରିଛନ୍ତି କିନ୍ତୁ ତା’ ସହିତ ବାପଦାଦାଙ୍କର ଯାହା ନିର୍ଦ୍ଦେଶ ରହିଛି ଯେ ଡବଲ ରାଜା ହୁଅ ।
ଜାଣିଛ ତ! ଗୋଟିଏ ହେଲା ସ୍ୱରାଜ୍ୟ ଅଧିକାରୀ ଏବଂ ଦ୍ୱିତୀୟଟି ଭବିଷ୍ୟତର ରାଜ୍ୟ ଅଧିକାରୀ ।
ସମସ୍ତେ ସ୍ୱରାଜ୍ୟ ଅଧିକାରୀ ଏବଂ ବାବାଙ୍କ ଭିତରେ ନିଶା ଅଛି ଯେ ଏଭଳି ଅନ୍ୟ କେହି ପିତା ନାହିଁ
ଯାହାର ପ୍ରତ୍ୟେକ ସନ୍ତାନ ସ୍ୱରାଜ୍ୟ ଅଧିକାରୀ ହୋଇଥିବ । ତେବେ ତୁମେ ସମସ୍ତେ ସ୍ୱରାଜ୍ୟ ଅଧିକାରୀ
ଅଟ ନା! ସ୍ୱ ଉପରେ ଆତ୍ମାର ରାଜ୍ୟ ଚାଲିଛି । କର୍ମେନ୍ଦ୍ରିୟର ଅଧୀନ ନୁହେଁ, ରାଜ୍ୟ ଅଧିକାରୀ ।
ତେଣୁ ବାବା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ସବୁବେଳ ପାଇଁ ସ୍ୱରାଜ୍ୟ ଅଧିକାରୀ ହୋଇ
ରୁହନ୍ତୁ, କେବେ କେବେ ନୁହେଁ । ହୋଇପାରିବ? ଯେଉଁ ଦୁଇମାସ ଦିଆଗଲା, ଏଥିରେ ନୋଟ୍ କରିବ ମୁଁ
ସ୍ୱରାଜ୍ୟ ଅଧିକାରୀ ହୋଇଛି ତ? ନା କର୍ମେନ୍ଦ୍ରିୟର ଅଧୀନ ହୋଇଗଲି? ଏବେ ତ କର୍ମାତୀତ ହେବାର ସମୟ
ପାଖେଇ ଆସୁଛି । ତେଣୁ କ’ଣ କରିବାକୁ ହେବ? “ଚାଲିବା ବୁଲିବା ସମୟରେ ମଧ୍ୟ ସ୍ୱରାଜ୍ୟ ଅଧିକାରୀ
ହେବାକୁ ହିଁ ପଡିବ” । ଏହି ସଂସ୍କାର ତୁମ ବ୍ରାହ୍ମଣ ସନ୍ତାନ ମାନଙ୍କର ହିଁ ଅଟେ । ଡବଲ ରାଜ୍ୟ
ଅଧିକାରୀ, ଏବେ ସ୍ୱରାଜ୍ୟ ଅଧିକାରୀ ଏବଂ ଭବିଷ୍ୟତରେ ବିଶ୍ୱର ରାଜ୍ୟ ଅଧିକାରୀ । ବାପଦାଦା
ଚାରିଆଡେ ଚକ୍ର ଲଗାଇ ପିଲାମାନଙ୍କର ଫଳାଫଳ ନୋଟ୍ କରୁଛନ୍ତି, ତେଣୁ ସଦା ସ୍ୱରାଜ୍ୟ ଅଧିକାରୀ
ହେବାରେ ଏବେ ଆଉ ଟିକିଏ ଧ୍ୟାନ ଦେବା ଦରକାର । ତେବେ ଦୁଇଟି କାର୍ଯ୍ୟ ବାପଦାଦା ତୁମମାନଙ୍କୁ ଦେଲେ,
ଗୋଟିଏ ହେଲା ଏହି ଦୁଇ ମାସ ସ୍ୱରାଜ୍ୟ ଅଧିକାରୀ କେତେ ପର୍ଯ୍ୟନ୍ତ ରହିଲ? ନିଜର ଏହି ଫଳାଫଳକୁ
ଦେଖିବ ଏବଂ ଏହା ସହିତ ମନର କଣ୍ଟ୍ରୋଲିଙ୍ଗ୍ ପାୱାର ଅର୍ଥାତ୍ ନିୟନ୍ତ୍ରଣ କରିବାର ଶକ୍ତି ଏବଂ
ରୁଲିଙ୍ଗ୍ ପାୱାର ଅର୍ଥାତ୍ ଶାସନ କରିବାର ଶକ୍ତି ଦ୍ୱାରା ବ୍ୟର୍ଥକୁ ସମାପ୍ତ କରିବ । ଏଥିରେ
ଯେଉଁମାନେ ନମ୍ବର ନେବେ ସେମାନଙ୍କୁ ବାପଦାଦା ପୁରସ୍କାର ଦେବେ । ପସନ୍ଦ ତ? କରିବ ନା! କରିବ?
କରିବ ତ? ମୁଣ୍ଡ ହଲାଅ । ଆଚ୍ଛା!
ବାପଦାଦା ଆଜି
ସମସ୍ତଙ୍କର ସ୍ନେହକୁ ସ୍ୱୀକାର କରିଛନ୍ତି । ଅମୃତବେଳାରେ ବତନରେ ମଧ୍ୟ ବହୁତ ପିଲାଙ୍କର ସମାବେଶ
ଥିଲା । ଆଡଭାନ୍ସ ପାର୍ଟୀବାଲା ମଧ୍ୟ ଆଜି ନିଜର ଦିଲ୍ର ସ୍ନେହ ଦେବା ପାଇଁ ଏବଂ ନେବା ପାଇଁ
ଆସିଥିଲେ । ଏବେ ସେମାନେ ମଧ୍ୟ ବାବାଙ୍କୁ ପଚାରୁଛନ୍ତି ଯେ ଆମର ଏହି ପାର୍ଟ ଆଉ କେତେ ଦିନ
ପର୍ଯ୍ୟନ୍ତ ଚାଲିବ? ତାଙ୍କୁ କ’ଣ ଉତ୍ତର ଦେବା? ପ୍ରଥମ ଧାଡିବାଲା କୁହ କ’ଣ ଉତ୍ତର ଦିଆଯିବ? କ’ଣ
କରିଲ? (ଦାଦୀ ଜାନକୀ କହିଲେ ଆମେ ପ୍ରସ୍ତୁତ ଅଛୁ) କ’ଣ ତୁମେ ଏକୁଟିଆ ଯିବ? (ସମସ୍ତେ ଯିବେ)
ତୁମର ସ୍ନେହ ଅଛି ନା, ଏହିଭଳି ଅନ୍ୟମାନଙ୍କୁ ଛାଡି ଦେଇ ରାଜ୍ୟ କିପରି କରିବ? (ଆଡଭାନ୍ସ
ପାର୍ଟୀବାଲା ଆମକୁ କାହିଁକି ଆମକୁ ଛାଡି ଚାଲିଗଲେ?) ସେମାନଙ୍କର ପାର୍ଟ ଥିଲା ନା । ସେମାନଙ୍କୁ
ଯିବାର ହିଁ ଥିଲା । ଏବେ ତୁମେମାନେ ଏହି ଚେଷ୍ଟା କର ଯେ ଶୀଘ୍ର ଶୀଘ୍ର କିପରି ସଂଗଠନ ପ୍ରସ୍ତୁତ
କରିବୁ । ଦୁଇ ମାସ ପାଇଁ ଯେଉଁ କାମ ଦିଆଗଲା ନା, ଯଦି ସେହି କାମ ତୁମେ ସମସ୍ତଙ୍କୁ କରାଇଦେବ ଏବଂ
ଫଳାଫଳ ଦେଖାଇବ ତେବେ ଶୀଘ୍ର ହୋଇଯିବ । (ବାବାଙ୍କର ସ୍ନେହରେ କରିନେବୁ) ସ୍ନେହ ତ ଅଛି, ସ୍ନେହରେ
ସମସ୍ତେ ପାସ୍ ଅଟ । ବାପଦାଦା ମଧ୍ୟ ଦେଖୁଛନ୍ତି ଯେ ସ୍ନେହ ତ ସମସ୍ତଙ୍କର ରହିଛି - କିନ୍ତୁ
ସ୍ନେହ ସହିତ ଶକ୍ତି ମଧ୍ୟ ଦରକାର । ସେଥିପାଇଁ ଅମୃତବେଳାକୁ ଶକ୍ତିଶାଳୀ କର । ଉଠି କରି ବସୁଛ
ସେଥିପାଇଁ ମଧ୍ୟ ବାପଦାଦା ଅଭିନନ୍ଦନ ଦେଉଛନ୍ତି କିନ୍ତୁ ବସିବା ସମୟରେ ବାୟୁମଣ୍ଡଳ ଯେଉଁଭଳି
ଶକ୍ତିଶାଳୀ ହେବା ଦରକାର ସେଭଳି ହେଉ ନାହିଁ । କିଏ, କିପରି, କିଏ କିପରି ବସୁଛନ୍ତି । ଯଦି ତୁମେ
ଫଟୋ ଉଠାଇବ, ତେବେ ତୁମେ ନିଜେ ଜାଣିପାରିବ ଯେ ଆଉ କିଛି ହେବା ଦରକାର । ବାପଦାଦା ଯେଉଁ
ଜ୍ୱାଳାମୁଖୀ ଯୋଗ କରିବା ପାଇଁ କହିଥିଲେ ତା’ ଉପରେ ଏବେ ଆହୁରି ଗଭୀର ଭାବରେ ଧ୍ୟାନ ଦେବାକୁ ହେବ
। ପୁରୁଷାର୍ଥ ତ ସମସ୍ତେ କରୁଛ କିନ୍ତୁ ଏବେ ପୁରୁଷାର୍ଥ ଶବ୍ଦ ପୂର୍ବରୁ ତୀବ୍ର ଶବ୍ଦକୁ ଯୋଡ ।
ଏବେ ବାପଦାଦା ପ୍ରତ୍ୟେକ ସନ୍ତାନକୁ ଏହି ଦୁଇ ମାସ ଦେଇଛନ୍ତି, ଏଥିରେ ଯେତେ ଅଧିକ ଧ୍ୟାନ ଦେବ
ବାପଦାଦା ମଧ୍ୟ ତୁମକୁ ସେହି ଅନୁସାରେ ଅତିରିକ୍ତ ସହଯୋଗ ଦେବେ । ତୁମେମାନେ ତ ମନର ମାଲିକ ଅଟ,
ତେଣୁ ମନକୁ ଏଭଳି ଚଲାଅ ଯେପରି ହାତ ଏବଂ ଗୋଡକୁ ଚଲାଉଛ । ତୁମେ ଯାହା ଚାହୁଁଛ ସେମାନେ କରୁଛନ୍ତି
ନା! ଏବେ ତୁମେ ଚାହିଁବ ଏଠାରେ ନୁହେଁ ସେଠାରେ ହାତ ରଖିବି ତେବେ ରଖିପାରୁଛ ନା! ସେହିପରି ନିଜର
ମାଇଣ୍ଡକୁ କଣ୍ଟ୍ରୋଲ କର, ତୁମେ ଯାହା ଚାହିଁବ ମନ ସେହି ସଂକଳ୍ପ କରିବ । ପ୍ରତିଦିନ ରାତିରେ
ଫଳାଫଳ ଚେକ୍ କର ଆଜି ମନ ଉପରେ ରୁଲିଙ୍ଗ ପାୱାର ଏବଂ କଣ୍ଟ୍ରୋଲିଙ୍ଗ୍ ପାୱାର କେତେ ପର୍ଯ୍ୟନ୍ତ
ରହିଲା? ଏବେ ବ୍ୟର୍ଥ ଗୁଡିକୁ ଶୀଘ୍ର ଶୀଘ୍ର ସମାପ୍ତ କରିଦେବା ଦରକାର, ଏବେ ନିଜେ ସମର୍ଥ ହୋଇ
ବାୟୁମଣ୍ଡଳରେ ସମର୍ଥ ପଣିଆର ଶକ୍ତିକୁ ବିଚ୍ଛୁରିତ କର । ବାପଦାଦା ଦୁନିଆର ପିଲାମାନଙ୍କର ଦୁଃଖ
କଷ୍ଟର ଡାକରା ଶୁଣି ତୁମମାନଙ୍କ ଦ୍ୱାରା ଏବେ ଶୀଘ୍ର ଶୀଘ୍ର ସମାପ୍ତି କରାଇବା ପାଇଁ ଚାହୁଁଛନ୍ତି
। ଶୁଣାଇଲୁ ନା, ପୁରୁଷାର୍ଥ ତ ସମସ୍ତେ କରୁଛ କିନ୍ତୁ ଏବେ ତୀବ୍ର ଶବ୍ଦକୁ ଯୋଡ । କରିବାକୁ ହିଁ
ପଡିବ, କରିବି ତ, ଦେଖିବି ତ.... ଏହିଭଳି ତ ତ ଚଳିବ ନାହିଁ ।
ତେବେ ପିଲାମାନଙ୍କର
ସ୍ନେହର ଦୃଶ୍ୟ ମଧ୍ୟ ଆଜି ଦେଖିଲୁ, ସମସ୍ତଙ୍କର ଦିଲ୍ ଭିତରେ ବହୁତ ସ୍ନେହ ଅଛି, କିନ୍ତୁ ସ୍ନେହ
ଯେତିକି ଅଛି ତା’ ସହିତ ଶକ୍ତି ମଧ୍ୟ ସେତିକି ଦରକାର । ତେଣୁ ଏବେ ଶକ୍ତିକୁ ଭର । କେବେ ବି କେହି
ବି ଭଉଣୀମାନେ ନିଜକୁ କେବଳ ଶକ୍ତି ଭାବ ନାହିଁ, ଶିବଶକ୍ତି ବୋଲି ଭାବ । ଶିବଶକ୍ତି ଅର୍ଥାତ୍ ବାବା
ସାଥୀରେ ଅଛନ୍ତି । ପାଣ୍ଡବମାନଙ୍କ ସହିତ ପାଣ୍ଡବ ପତି ସାଥୀରେ ଅଛନ୍ତି । ତେଣୁ ଏବେ କ’ଣ କରିବ?
ଯାହା ବାପଦାଦା କହିଲେ ପୁରୁଷାର୍ଥ ପୂର୍ବରୁ ତୀବ୍ର ଶବ୍ଦ ଲଗାଅ । ବାୟୁମଣ୍ଡଳ ସୃଷ୍ଟି କର ।
ପରସ୍ପରର ସହଯୋଗୀ ହୋଇ ସମସ୍ତେ ଯିଏ ଯେଉଁ ସ୍ଥାନରେ ରହୁଛ ସେହି ସ୍ଥାନକୁ ଶକ୍ତିଶାଳୀ କର, ନିଜର
ସାଥୀମାନଙ୍କୁ ଶକ୍ତିଶାଳୀ କର । ତେଣୁ ଏବେ କ’ଣ କରିବ? ନବୀନତା କରିବ ନା! ଯେହେତୁ ମୋର ବାବା
ବୋଲି କହୁଛ ତେବେ ‘ମୋର’ଙ୍କ ଭଳି ହେବାକୁ ପଡିବ । ତେଣୁ ସମସ୍ତେ ନିଜ ଦିଲ୍ ଭିତରେ ଦୃଢ ସଂକଳ୍ପ
କର । ସଂକଳ୍ପ ମଧ୍ୟ ବହୁତ ଭଲ ଭଲ କରୁଛ, ଅମୃତବେଳାରେ ବାପଦାଦା ଦେଖୁଛନ୍ତି ଯେ ବହୁତ ଭଲ ଭଲ
ସଂକଳ୍ପ କରୁଛ, ଏମିତି କରିବି, ସେମିତି କରିବି, ସେମିତି କରିବି କିନ୍ତୁ ଯେତେବେଳେ କର୍ମଯୋଗୀ
ହେଉଛ, ସମ୍ବନ୍ଧ-ସମ୍ପର୍କରେ ଆସୁଛ ସେତେବେଳେ ସେଥିରେ ଫରକ ଆସିଯାଉଛି । ତେଣୁ କର୍ମଯୋଗୀ ହେବାର
ସ୍ଥିତି ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ । ଆଚ୍ଛା!
ସମସ୍ତେ ଖୁସିରେ ତ ଅଛ
ନା! କ’ଣ ଖୁସି ଅଛ ତ? ଦେଖ ନୂଆ ନୂଆ ମଧ୍ୟ କେତେ ଆସିଛନ୍ତି । ଯେଉଁମାନେ ନୂଆ ଏବଂ ପ୍ରଥମ ଥର
ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ । ଦେଖ କେତେ ଅଛନ୍ତି? ଅଧା କ୍ଲାସ ତ ନୂଆ ମାନେ ଅଛନ୍ତି ।
ବାପଦାଦା ନୂଆ ଆସିଥିବା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି କାହିଁକିନା ଅନ୍ତିମ ସମାପ୍ତି ସମୟ
ପୂର୍ବରୁ ତ ଆସିଯାଇଛନ୍ତି ନା, କିନ୍ତୁ ଯେତେ ବିଳମ୍ବରେ ଆସିଛ ସେତିକି ତୀବ୍ର ପୁରୁଷାର୍ଥ
କରିବାକୁ ପଡିବ କାହିଁକିନା ଏହି ଅଳ୍ପ ସମୟ ଭିତରେ ତୁମକୁ ପୂରା ୨୧ ଜନ୍ମ ପାଇଁ ଭବିଷ୍ୟତ ଜମା
କରିବାକୁ ହେବ । ଏତିକି ଧ୍ୟାନ ଦେବାକୁ ପଡିବ । ସମୟକୁ ବଞ୍ଚାଇବାକୁ ହେବ । ଗୋଟିଏ ସେକେଣ୍ଡ
ମଧ୍ୟ ବ୍ୟର୍ଥରେ ନଷ୍ଟ କରିବାର ନାହିଁ । ତୀବ୍ର ପୁରୁଷାର୍ଥୀ ହୋଇ ରହିବାକୁ ପଡିବ କାରଣ ସାଧାରଣ
ପୁରୁଷାର୍ଥ ଦ୍ୱାରା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଷ୍ଟକର ଅଟେ । ପୁଣି ବି ବାପଦାଦା ଆସିଥିବା
ପିଲାମାନଙ୍କୁ ଦେଖି ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା!
ଟୀଚର ଭଉଣୀମାନେ ବହୁତ
ଆସିଛନ୍ତି:- ଟୀଚରମାନଙ୍କୁ ଦେଖି ବାପଦାଦା ବହୁତ ଖୁସି ହେଉଛନ୍ତି କାହିଁକିନା ଯେଉଁମାନେ
ନିମିତ୍ତ ଟୀଚର ହୋଇଛନ୍ତି ସେମାନେ ବାପଦାଦାଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ହିଁ ନିମିତ୍ତ
ହୋଇଛନ୍ତି । ଟୀଚରମାନଙ୍କୁ ଦେଖି ସମସ୍ତେ ଖୁସି ମଧ୍ୟ ହେଉଛନ୍ତି କାହିଁକିନା ଟୀଚରର ଅର୍ଥ ହେଲା
ଯାହାଙ୍କର ଫିଚର୍ସ ଅର୍ଥାତ୍ ଚେହେରା ଦ୍ୱାରା ଫ୍ୟୁଚର ଅର୍ଥାତ୍ ଭବିଷ୍ୟତ ଦେଖାଯାଉଥିବ । ତେବେ
ତୁମମାନଙ୍କର ଫ୍ୟୁଚର କ’ଣ? ଫ୍ୟୁଚର ହେଲା ସର୍ବଦା ଦିଲ୍ଖୁସ୍, ସର୍ବଦା ଅଧିକାରୀ, ଅଧୀନ
ହେବାବାଲା ନୁହେଁ । ତେଣୁ ଟୀଚରମାନଙ୍କର ଫିଚର୍ସ ସର୍ବଦା ଏହାର ହିଁ ସାକ୍ଷାତ୍କାର କରାଇଥାଏ ।
ତେବେ ପ୍ରତ୍ୟେକ ଟୀଚର ସର୍ବଦା ଏହା ହିଁ ମନେ କର, ଯେ କେଉଁଠି ବି କିଛି ଶୁଣାଅ ବା ନଶୁଣାଅ
କିନ୍ତୁ ତୁମମାନଙ୍କର ବର୍ତ୍ତମାନ ସମୟର ପ୍ରାପ୍ତି ଏବଂ ଭବିଷ୍ୟତର ପ୍ରାପ୍ତି ତୁମର ଚେହେରା ଏବଂ
ମୁଖମଣ୍ଡଳ ଦେଖାଇ ଦେଉଛି । ତେଣୁ ସର୍ବଦା ଏଥିପ୍ରତି ଧ୍ୟାନ ଦେଉଥାଅ ଯେ ମୋ’ର ଚେହେରା ଏହିଭଳି
ସାକ୍ଷାତ୍କାର କରାଉ । ଯିଏବି ତୁମମାନଙ୍କ ସମ୍ମୁଖକୁ ଆସୁ, ତୁମକୁ ଦେଖି ପ୍ରଥମେ ତ ଖୁସି
ହୋଇଯାଉ ଏବଂ ଖୁସି ତା’ର ଜୀବନରେ ଦେଖାଯାଉ । ଏହିଭଳି ଖୁସିବାସିଆ ଏବଂ ସୁଖମୟ ଭାଗ୍ୟ ହେଉ ।
ବାପଦାଦା ଦେଖୁଛନ୍ତି ଯେ ସବୁ ଟୀଚରମାନଙ୍କର ଲକ୍ଷ୍ୟ ବହୁତ ଭଲ ଅଟେ । କରିବାକୁ ହିଁ ହେବ ।
ହେବାକୁ ହିଁ ପଡିବ । ଏହା ଠିକ୍ କଥା ନା? ତୁମର ଲକ୍ଷ୍ୟ କ’ଣ? ଏହା ହିଁ ଲକ୍ଷ୍ୟ ଅଟେ ନା! ତେବେ
ଏହି ଲକ୍ଷ୍ୟ ଏବେ ବି ତୁମର ଲକ୍ଷଣରେ ମଧ୍ୟ ଦେଖାଯାଉଛି ଏବଂ ଆହୁରି ଅଧିକ ଦେଖାଯିବା ଦରକାର ।
ଯିଏବି ତୁମ ନିକଟକୁ ଆସୁଛି ସେ ନିଶ୍ଚିତ ଖୁସି ନେଇକରି ଯାଉ କାହିଁକିନା ସବୁ ମନୁଷ୍ୟଙ୍କୁ ଖୁସି
ଦରକାର । ସମସ୍ତେ ତ ଚାହୁଁଛନ୍ତି କିନ୍ତୁ ହୋଇପାରୁ ନାହାଁନ୍ତି ତେଣୁ ଟୀଚର୍ସ ଅର୍ଥାତ୍ ଫିଚର୍ସ
ଦ୍ୱାରା ମଧ୍ୟ ସେବା କରୁଥିବ । ସମସ୍ତେ ଅନୁଭବ କରନ୍ତୁ ଯେ ଇଏ କ’ଣ ହୋଇଯାଇଛନ୍ତି! ଏବେ ଆଗକୁ ଗଲେ
ତୁମମାନଙ୍କର ଚେହେରା ଏବଂ ଚାଲିଚଳନ ଏହିଭଳି ସେବା ଅଧିକ କରିବ କାହିଁକିନା ସମୟ ଯେତେଯେତେ
ସମ୍ବେଦନଶୀଳ ହୋଇ ଚାଲିବ ସମୟ ମଧ୍ୟ ସେତିକି କମ୍ ମିଳିବ କିନ୍ତୁ ସମସ୍ତଙ୍କର ଇଚ୍ଛା ବହୁତ
ବଢିଚାଲିବ, କିଛି ମିଳନ୍ତା କି କିଛି ମିଳନ୍ତା କି, ଏଥିପାଇଁ ଟୀଚରମାନଙ୍କୁ ସର୍ବଦା ଏହିଭଳି
ଏଭରରେଡି ରହିବା ଦରକାର, ଯଦି କେହି ତୁମ ପାଖକୁ ଆସିବ ତେବେ ସେ ଅତି କମ୍ରେ କିଛି ତ ନେଇ କରି
ଯାଉ । ତୁମର ଚେହେରା ଏବଂ ଚାଲିଚଳନରୁ ତ କିଛି ନେଇକରିଯାଉ । ଦାତାଙ୍କର ସନ୍ତାନ ଅଟ ନା! ବାପଦାଦା
ତ ଟୀଚରମାନଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି । ଦିଲ୍ ଭିତରେ ଟୀଚରମାନଙ୍କର ଗୁଣଗାନ କରୁଛନ୍ତି,
ବାଃ ଟୀଚରମାନେ ବାଃ! କାହିଁକିନା ପ୍ରତ୍ୟେକ ଟୀଚର ସେବା ତ ନିଶ୍ଚିତ କରୁଛନ୍ତି ଏବଂ ନିଜର ଫଳାଫଳ
ରାତିରେ ମଧ୍ୟ ଚେକ୍ କରୁଥିବେ ଯେ ଆଜିର ସେବା କ’ଣ ହୋଇଛି! ନିଜେ ହିଁ ନିଜର ଚାର୍ଟ ଦେଖୁଛନ୍ତି ।
ସେବାର ଯେଉଁ ଲକ୍ଷ୍ୟ ରଖିଥିଲି ତାହା ହୋଇଛି ତ? ଯଦି କାରଣେ ଅକାରଣେ ହୋଇପାରି ନାହିଁ ତେବେ
ଦ୍ୱିତୀୟ ଦିନ ଡବଲ ସେବା କର । ଖାଲି ଛାଡ ନାହିଁ କାହିଁକିନା ଟୀଚର ଅର୍ଥାତ୍ ନିମିତ୍ତ,
ଦାତାଙ୍କର ସନ୍ତାନ ଦାତା । ତେବେ ବାପଦାଦା ତ ଖୁସି ହେଉଛନ୍ତି ଚାହେଁ ଛୋଟ ସେଣ୍ଟର ହୋଇଥାଆନ୍ତୁ
ବା ବଡ ସେଣ୍ଟର ହୋଇଥାଆନ୍ତୁ କିନ୍ତୁ ସବୁ କିଛି ତ୍ୟାଗ କରି ସେବାସ୍ଥାନକୁ ଆସିଯିବା, ଏହା ମଧ୍ୟ
ସାହସ ଅଟେ ନା! ତେଣୁ ବାପଦାଦା ତୁମମାନଙ୍କର ସାହସ ପାଇଁ ଖୁସି ହେଉଛନ୍ତି । ଏବେ ଆହୁରି ସାଥୀ
ବାହାର କର । ଆହୁରି ନିଜ ଭଳି ଟୀଚର ତିଆରି କର କାହିଁକିନା ସେବା ବଢି ବଢି ଚାଲିବ ନିଶ୍ଚିତ । ଏବେ
ଯଦି ଟିକିଏ ଗୋଳମାଳ ଆରମ୍ଭ ହୋଇଯିବ ତେବେ ସମସ୍ତେ ଅତି ଉତ୍କଣ୍ଠାର ସହିତ ତୁମ ପାଖକୁ ଆସିବେ ।
ତେଣୁ ସେବା ଦିନକୁ ଦିନ ବଢି ଚାଲିବ, କମ୍ ହେବାର ନାହିଁ । ଆଚ୍ଛା!
ବରଦାନ:-
ସ୍ୱମାନର ଆସନ
ଉପରେ ସ୍ଥିତ ରହି ମାୟାକୁ ସମର୍ପଣ କରାଉଥିବା ଶ୍ରେଷ୍ଠ ସ୍ୱମାନଧାରୀ ଭବ ।
ସଂଗମଯୁଗର ସବୁଠାରୁ
ଶ୍ରେଷ୍ଠ ସ୍ୱମାନ ହେଲା ମାଷ୍ଟର ସର୍ବଶକ୍ତିମାନର ସ୍ମୃତିରେ ରହିବା । ଯେପରି କେହି ବଡ ଅଫିସର ବା
ରାଜା ଯେତେବେଳେ ତା’ର ସ୍ୱମାନର ଆସନ ଉପରେ ସ୍ଥିତ ରହିଥାଏ, ସେତେବେଳେ ଅନ୍ୟମାନେ ମଧ୍ୟ ତାଙ୍କୁ
ସମ୍ମାନ ଦେଇଥାଆନ୍ତି, ଯଦି ନିଜେ ଆସନ ଉପରେ ନଥିବେ ତେବେ ତାଙ୍କର ଆଦେଶକୁ କେହି ମାନିବେ ନାହିଁ,
ସେହିପରି ତୁମେମାନେ ସ୍ୱମାନଧାରୀ ହୋଇ ନିଜର ଶ୍ରେଷ୍ଠ ସ୍ୱମାନର ଆସନ ଉପରେ ସ୍ଥିତ ରୁହ
ଯାହାଦ୍ୱାରା ମାୟା ତୁମ ନିକଟରେ ସମର୍ପଣ ହୋଇଯିବ ।
ସ୍ଲୋଗାନ:-
ସାକ୍ଷୀ ପଣିଆର
ସ୍ଥିତିରେ ରହି ଦିଲାରାମଙ୍କର ସଂଗର ଅନୁଭବ କରୁଥିବା ଆତ୍ମା ହିଁ ଲବଲୀନ ଆତ୍ମା ଅଟେ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର । ଅପକାରୀର ମଧ୍ୟ ଉପକାର କରିବା,
ଏହା ହିଁ ଜ୍ଞାନୀ ତୁ ଆତ୍ମାର କର୍ତ୍ତବ୍ୟ ଅଟେ । ଯେପରି ବାବା ନିଜର ଗ୍ଲାନୀକୁ ମଧ୍ୟ କଲ୍ୟାଣକାରୀ
ଦୃଷ୍ଟିରେ ଦେଖୁଥିଲେ । ଉପକାରୀର ଉପକାର ତ ଦୁନିଆର ଲୋକମାନେ ମଧ୍ୟ କରୁଛନ୍ତି, ଭକ୍ତ ଆତ୍ମାମାନେ
ମଧ୍ୟ କରୁଛନ୍ତି କିନ୍ତୁ ଜ୍ଞାନୀ ତୁ ଆତ୍ମାର ଅର୍ଥ ହେଲା ସମସ୍ତଙ୍କ ପ୍ରତି କଲ୍ୟାଣର ଭାବନା,
ସଂକଳ୍ପ ମାତ୍ରରେ ମଧ୍ୟ ଅକଲ୍ୟାଣର ଭାବନା ନ ଆସୁ, ଅପକାରୀମାନଙ୍କର ମଧ୍ୟ ଉପକାର କରୁଥିବ, ତେବେ
କୁହାଯିବ ବିଶ୍ୱ କଲ୍ୟାଣକାରୀ ।