12.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମକୁ ପ୍ରକୃତ ବୈଷ୍ଣବ ହେବାକୁ ପଡିବ, ପକ୍କା ବୈଷ୍ଣବମାନେ ଭୋଜନରେ ସଂଯମ ଆଚରଣ କରିବା ସହିତ ପବିତ୍ର ମଧ୍ୟ ରହିଥା’ନ୍ତି ।”

ପ୍ରଶ୍ନ:-
କେଉଁ ଅବଗୁଣଟି ଗୁଣରେ ପରିଣତ ହୋଇଗଲେ ବେଡା ଅର୍ଥାତ୍ ଜୀବନ ରୂପୀ ନୌକା ପାରି ହୋଇପାରିବ?

ଉତ୍ତର:-
ସବୁଠାରୁ ବଡ ଅବଗୁଣ ହେଲା ମୋହ । ମୋହ କାରଣରୁ ସମ୍ବନ୍ଧୀମାନଙ୍କର ସ୍ମୃତି ଆସିଥାଏ । ଯଦି କାହାର କେହି ସମ୍ବନ୍ଧୀ ମରିଯାଉଛନ୍ତି, ତେବେ ୧୨ ମାସ ପର୍ଯ୍ୟନ୍ତ ତା’ଙ୍କୁ ମନେ ପକାଇଥା’ନ୍ତି । ମୁହଁ ଘୋଡାଇ କାନ୍ଦିଥା’ନ୍ତି, ସେମାନଙ୍କ କଥା ମନେ ପଡିଥାଏ । ଏହିପରି ଯଦି ବାବାଙ୍କର ସ୍ମୃତି ତୁମ ମନକୁ ଆନ୍ଦୋଳିତ କରିବ, ଦିନ-ରାତି ତୁମେ ବାବାଙ୍କୁ ହିଁ ମନେ ପକାଇବ ତେବେ ତୁମର ବେଡା ପାର ହୋଇଯିବ । ଯେପରି ଲୌକିକ ସମ୍ବନ୍ଧୀମାନଙ୍କୁ ମନେ ପକାଉଛ ସେହିପରି ଯଦି ବାବାଙ୍କୁ ମନେ ପକାଇବ ତେବେ ତ ଅହୋ ସୌଭାଗ୍ୟ... ।

ଓମ୍ ଶାନ୍ତି ।
ବାବା ପ୍ରତିଦିନ ପିଲାମାନଙ୍କୁ ବୁଝାଉଛନ୍ତି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଆଜି କହୁଛନ୍ତି ଯେ କେବଳ ବାବା ନୁହେଁ କିନ୍ତୁ ଭିନ୍ନ ଭିନ୍ନ ସମ୍ବନ୍ଧରେ ମଧ୍ୟ ଭାବିବା ଦରକାର । ମୁଖ୍ୟ କଥା ହେଲା ପରମପିତା ପରମାତ୍ମା ଶିବ, ଯାହାଙ୍କୁ ଈଶ୍ୱର ପିତା ମଧ୍ୟ କହିଥାନ୍ତି, ସେ ଜ୍ଞାନର ସାଗର ମଧ୍ୟ ଅଟନ୍ତି । ଜ୍ଞାନର ସାଗର ହେବା କାରଣରୁ ଟିଚର ମଧ୍ୟ ଅଟନ୍ତି, ରାଜଯୋଗ ଶିଖାଉଛନ୍ତି । ଏ କଥା ବୁଝାଇଲେ ବୁଝିଯିବେ ଯେ, ସତ୍ୟବାବା ଏମାନଙ୍କୁ ପଢାଉଛନ୍ତି । ବାସ୍ତବ କଥା ଏମାନେ ହିଁ ଶୁଣାଉଛନ୍ତି । ସେ ସମସ୍ତଙ୍କର ବାବା, ଟୀଚର ଏବଂ ସଦ୍‌ଗତି ଦାତା ମଧ୍ୟ ଅଟନ୍ତି, ଆଉ ପୁଣି ତାଙ୍କୁ ଜ୍ଞାନର ସାଗର ମଧ୍ୟ କୁହାଯାଏ । ପିତା, ଟିଚର, ପତିତ-ପାବନ, ଜ୍ଞାନର ସାଗର ଅଟନ୍ତି । ସର୍ବ ପ୍ରଥମେ ତ ବାବାଙ୍କ ମହିମା କରିବା ଦରକାର । ବାବା ଆମକୁ ପଢାଉଛନ୍ତି । ଆମେ ହେଉଛୁ ବ୍ରହ୍ମାକୁମାର-କୁମାରୀଗଣ । ବ୍ରହ୍ମା ମଧ୍ୟ ଶିବବାବାଙ୍କର ରଚନା ଅଟନ୍ତି, ବର୍ତ୍ତମାନ ସଂଗମଯୁଗ ଚାଲିଛି । ରାଜଯୋଗର ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି । ବାବା ଆମକୁ ରାଜଯୋଗ ଶିଖାଉଛନ୍ତି, ତେଣୁ ସିଏ ଶିକ୍ଷକ ହେଲେ ନା । ଏହି ପାଠପଢା ହେଉଛି ନୂଆ ଦୁନିଆ ପାଇଁ । ଏଠାରେ ବସି ଅଭ୍ୟାସ କରିନେବା ଉଚିତ୍ ଯେ ଆମକୁ କ’ଣ କ’ଣ ବୁଝାଇବା ଦରକାର । ସେକଥା ନିଜ ଭିତରେ ଧାରଣ ହେବା ଦରକାର । ଏକଥା ମଧ୍ୟ ଜାଣିଛ ଯେ କାହାର ବେଶୀ ଧାରଣା ହେଉଛି, କାହାର କମ୍ । ଏହି ଜ୍ଞାନକୁ ଯେଉଁମାନେ ଅଧିକ ବୁଝନ୍ତି ଏବଂ ଧାରଣ କରନ୍ତି ସେମାନଙ୍କର ନାମ ପ୍ରସିଦ୍ଧ ହୋଇଯାଏ ଏବଂ ସେମାନେ ଉଚ୍ଚ ପଦ ପାଇଥା’ନ୍ତି । ସଂଯମତା ରକ୍ଷା କରିବା ବିଷୟରେ ମଧ୍ୟ ବାବା ବତାଉଛନ୍ତି । ତୁମେ ସମ୍ପୂର୍ଣ୍ଣ ବୈଷ୍ଣବ ହେଉଛ । ବୈଷ୍ଣବ ଅର୍ଥାତ୍ ଯେଉଁମାନେ ନିରାମିଷ ଅଟନ୍ତି । ମାଂସ, ମଦ ଆଦି ଖାଇ ନଥାନ୍ତି । ବୈଷ୍ଣବ ହେଲେ କ’ଣ ହେଲା କିନ୍ତୁ ବିକାରଗ୍ରସ୍ତ ହୋଇଥା’ନ୍ତି । ନିଜକୁ ବୈଷ୍ଣବ କୁଳର କହିଥା’ନ୍ତି ପିଆଜ ଆଦି ତମୋଗୁଣୀ ଜିନିଷ ଖାଇ ନଥା’ନ୍ତି । ତୁମେ ପିଲାମାନେ ଜାଣୁଛ - ତମୋଗୁଣୀ ବସ୍ତୁ କ’ଣ-କ’ଣ ହୋଇଥାଏ । କେହି କେହି ଭଲ ମନୁଷ୍ୟ ମଧ୍ୟ ଥାଆନ୍ତି, ଯାହାଙ୍କୁ ଧାର୍ମିକ ବ୍ୟକ୍ତି ବା ଭକ୍ତ କୁହାଯାଏ । ସନ୍ନ୍ୟାସୀମାନଙ୍କୁ ପବିତ୍ର ଆତ୍ମା କୁହାଯାଏ ଏବଂ ଯେଉଁମାନେ ଦାନ ଆଦି କରନ୍ତି ତାଙ୍କୁ ପୁଣ୍ୟ ଆତ୍ମା କୁହାଯାଏ । ଏଥିରୁ ପ୍ରମାଣିତ ହେଉଛି ଯେ - ଆତ୍ମା ହିଁ ଦାନପୁଣ୍ୟ କରୁଛି, ତେଣୁ ପୁଣ୍ୟ ଆତ୍ମା ବା ପବିତ୍ର ଆତ୍ମା ବୋଲି କୁହାଯାଏ । ଆତ୍ମା ନିର୍ଲେପ ନୁହେଁ । ଏଭଳି ଭଲ-ଭଲ କଥା ମନେ ରଖିବା ଦରକାର । ସାଧୁମାନଙ୍କୁ ମଧ୍ୟ ମହାନ୍ ଆତ୍ମା କହିଥା’ନ୍ତି । କିନ୍ତୁ ମହାନ ପରମଆତ୍ମା କୁହାଯାଏ ନାହିଁ । ତେବେ ସର୍ବବ୍ୟାପୀ କହିବା ଭୁଲ୍ ଅଟେ । ସମସ୍ତେ ଆତ୍ମା ଅଟନ୍ତି, ଯିଏ ବି ହୁଅନ୍ତୁ ସମସ୍ତଙ୍କ ଭିତରେ ଆତ୍ମା ଅଛି । ଶିକ୍ଷିତମାନେ ପ୍ରମାଣିତ କରିଥାନ୍ତି ଯେ, ବୃକ୍ଷରେ ମଧ୍ୟ ଆତ୍ମା ଅଛି । କହିଥାନ୍ତି ୮୪ ଲକ୍ଷ ଯୋନିରେ ମଧ୍ୟ ଆତ୍ମା ଅଛି । ଆତ୍ମା ନ ରହିଲେ ବୃଦ୍ଧି କିପରି ହେବ । ମନୁଷ୍ୟମାନଙ୍କର ଯେଉଁ ଆତ୍ମା ଅଛି ତାହା ଜଡ ବସ୍ତୁରେ ଯାଇପାରିବ ନାହିଁ । ଶାସ୍ତ୍ରରେ ଏଭଳି କଥା ସବୁ ଲେଖି ଦେଇଛନ୍ତି । ଇନ୍ଦ୍ରପ୍ରସ୍ଥରୁ ଧକ୍କା ଦେଇ ଦେଲେ ଯେ ତଳକୁ ଆସି ପଥର ହୋଇଗଲା । ଏବେ ବାବା ବୁଝାଉଛନ୍ତି, ବାବା ପିଲାମାନଙ୍କୁ କହୁଛନ୍ତି ଯେ, ଦେହର ସମ୍ବନ୍ଧକୁ ଛାଡି ନିଜକୁ ଆତ୍ମା ଭାବ । ମାମେକମ୍ ୟାଦ କର ଅର୍ଥାତ୍ ମୋତେ ମନେ ପକାଅ । ବାସ୍ ତୁମର ୮୪ ଜନ୍ମ ଏବେ ପୂର୍ଣ୍ଣ ହେଲା । ଏବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଦୁଃଖଧାମ ଅପବିତ୍ର ଧାମ । ଶାନ୍ତିଧାମ ଏବଂ ସୁଖଧାମ ପବିତ୍ର ଧାମ । ଏକଥା ତ ବୁଝୁଛ ନା । ସୁଖଧାମ ନିବାସୀ ଦେବତାମାନଙ୍କ ଆଗରେ ସମସ୍ତେ ମଥା ନୁଆଁଇଥା’ନ୍ତି । ଏଥିରୁ ପ୍ରମାଣିତ ହେଉଛି ଯେ, ଭାରତରେ ନୂଆ ଦୁନିଆରେ ପବିତ୍ର ଆତ୍ମାମାନେ ଥିଲେ । ଉଚ୍ଚ ପଦଧାରୀ ଥିଲେ । ସେଥିପାଇଁ ତ ଏବେ ଗାଉଛନ୍ତି ମୁଁ ଗୁଣହୀନ ମୋ ଭିତରେ କୌଣସି ଗୁଣ ନାହିଁ । ଏହିପରି ଅନେକ ଅଛନ୍ତି ଯେଉଁମାନଙ୍କ ଭିତରେ କୌଣସି ଗୁଣ ହିଁ ନାହିଁ । ମନୁଷ୍ୟମାନଙ୍କ ଭିତରେ ମୋହ ମଧ୍ୟ ବହୁତ ଥାଏ, ମୃତବ୍ୟକ୍ତିଙ୍କୁ ମନେ ପକାଇଥା’ନ୍ତି । ବୁଦ୍ଧିରେ ଆସିଥାଏ ଇଏ ମୋର ସନ୍ତାନ ଅଟେ । ପତି କିମ୍ବା ପୁତ୍ର ମରିଗଲେ ତାକୁ ମନେ ପକାଇଥା’ନ୍ତି । ସ୍ତ୍ରୀ ବର୍ଷ ସାରା ବହୁତ ମନେ ପକାଇଥାଏ, ମୁହଁ ଘୋଡେଇ କାନ୍ଦିଥାଏ । ଏହିପରି ମୁହଁ ଘୋଡେଇ ଯଦି ପ୍ରେମର ସହ ତୁମେ ବାବାଙ୍କୁ ଦିନ-ରାତି ୟାଦ କରିବ ତେବେ ଜୀବନ ରୂପି ଡଙ୍ଗା ପାର ହୋଇଯିବ । ବାବା କହୁଛନ୍ତି, ଯେପରି ତୁମେ ପତିକୁ ମନେ ପକାଉଛ ସେହିପରି ମୋତେ ମନେ ପକାଇବ, ତେବେ ତୁମର ବିକର୍ମ ବିନାଶ ହୋଇଯିବ । ବାବା ଉପାୟ ବତାଉଛନ୍ତି ଯେ, ଏପରି ଏପରି କର ।

ବ୍ୟବସାୟୀମାନେ ପ୍ରତିଦିନ ନିଜର ହିସାବ ଖାତା ଦେଖିଥା’ନ୍ତି, ଆଜି ଏତିକି ଖର୍ଚ୍ଚ ହେଲା, ଏତିକି ଫାଇଦା ହେଲା, ବାଲାନ୍ସ ପ୍ରତିଦିନ ବାହାର କରିଥା’ନ୍ତି । କେହି କେହି ତ ମାସକୁ-ମାସ ବାହାର କରନ୍ତି । ଏଠାରେ ମଧ୍ୟ ଏହା ବହୁତ ଜରୁରୀ ଅଟେ, ବାବା ବାରମ୍ବାର ବୁଝାଉଛନ୍ତି । ବାବା କହୁଛନ୍ତି ତୁମେ ପିଲାମାନେ ସୌଭାଗ୍ୟଶାଳୀ, ହଜାରଗୁଣା ଭାଗ୍ୟଶାଳୀ, କୋଟି କୋଟି ଗୁଣା ଭାଗ୍ୟଶାଳୀ, ପଦମ, ଅରବ, ଖରବ ଭାଗ୍ୟଶାଳୀ ଅଟ । ଯେଉଁ ପିଲାମାନେ ନିଜକୁ ସୌଭାଗ୍ୟଶାଳୀ ଭାବୁଛନ୍ତି, ସେମାନେ ନିଶ୍ଚିତ ଭଲ ରୂପେ ବାବାଙ୍କୁ ମନେ ପକାଉଥିବେ, ସେମାନେ ଗୋଲାପ ଫୁଲ ହେବେ । ଏହା ତ ସଂକ୍ଷିପ୍ତରେ ବୁଝାଇବାକୁ ପଡିଥାଏ । ସୁଗନ୍ଧଯୁକ୍ତ ଫୁଲ ତ ତିଆରି କରିବାକୁ ହେବ । ମୁଖ୍ୟ କଥା ହେଲା ଯୋଗ । ସନ୍ନ୍ୟାସୀମାନେ ହିଁ ଯୋଗ ଅକ୍ଷର କହିଛନ୍ତି । ଲୌକିକ ବାପା କେବେ ଏପରି କହିବେ ନାହିଁ ଯେ ମୋତେ ମନେ ପକାଅ କିମ୍ବା ପଚାରିବେ ନାହିଁ ଯେ କ’ଣ ମୋତେ ମନେ ପକାଉଛ? ବାବା ପିଲାମାନଙ୍କୁ, ପିଲାମାନେ ବାବାଙ୍କୁ ସ୍ୱତଃ ମନେ ପକେଇଥା’ନ୍ତି । ଏହା ତ ନିୟମ ଅଟେ । ଏଠାରେ ବାବାଙ୍କୁ ପଚାରିବାକୁ ପଡୁଛି କାହିଁକି ନା ମାୟା ଭୁଲାଇ ଦେଉଛି । ଏଠାକୁ ଆସିଥା’ନ୍ତି, ଜାଣିଥା’ନ୍ତି ଯେ ଆମେ ବାବାଙ୍କ ପାଖକୁ ଯାଉଛୁ, ତେଣୁ ବାବାଙ୍କର ସ୍ମୃତି ରହିବା ଦରକାର । ତେଣୁ ବାବା ଚିତ୍ର ମଧ୍ୟ ତିଆରି କରିଛନ୍ତି, ତେଣୁ ତାହା ମଧ୍ୟ ସାଥିରେ ଥାଉ । ପ୍ରଥମେ ସର୍ବଦା ବାବାଙ୍କର ମହିମାରୁ ଆରମ୍ଭ କର । ଇଏ ଆମର ବାବା ଅଟନ୍ତି, ସେ ସମସ୍ତଙ୍କର ପିତା ଅଟନ୍ତି । ସଭିଙ୍କର ସଦ୍‌ଗତିଦାତା, ଜ୍ଞାନର ସାଗର ଅଟନ୍ତି । ବାବା ଆମକୁ ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଇଛନ୍ତି, ଯାହା ଦ୍ୱାରା ଆମେ ତ୍ରିକାଳଦର୍ଶୀ ହୋଇଯାଉଛୁ । ଏହି ସୃଷ୍ଟିରେ କୌଣସି ମନୁଷ୍ୟ ତ୍ରିକାଳଦର୍ଶୀ ହୋଇପାରିବେ ନାହିଁ । ବାବା କହୁଛନ୍ତି ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ତ୍ରିକାଳଦର୍ଶୀ ନୁହଁନ୍ତି । ଏମାନେ ତ୍ରିକାଳଦର୍ଶୀ ହୋଇ କ’ଣ କରିବେ । ତୁମେ ତ୍ରିକାଳଦର୍ଶୀ ହେଉଛ ଏବଂ ଅନ୍ୟକୁ ମଧ୍ୟ କରାଉଛ । ଏହି ଲକ୍ଷ୍ମୀ-ନାରାୟଣଙ୍କ ମଧ୍ୟରେ ଜ୍ଞାନ ଯଦି ରହିଥାନ୍ତା, ତେବେ ପରମ୍ପରାରୁ ଚାଲି ଆସିଥା’ନ୍ତା । ମଝିରେ ତ ବିନାଶ ହୋଇଯାଉଛି ଏଣୁ ପରମ୍ପରାରୁ ଚାଲି ପାରିବ ନାହିଁ । ପିଲାମାନଙ୍କୁ ଏହି ପାଠପଢାକୁ ଭଲ ରୂପେ ସ୍ମରଣ କରିବା ଦରକାର । ତୁମର ଏହି ସର୍ବୋଚ୍ଚ ପାଠପଢା କେବଳ ସଂଗମଯୁଗରେ ହିଁ ହେଉଛି । ତୁମେ ବାବାଙ୍କୁ ମନେ ପକାଉ ନାହଁ, ଦେହ-ଅଭିମାନରେ ଆସିଯାଉଛ, ତେଣୁ ମାୟା ଚାପୁଡା ମାରିଦେଉଛି । ତୁମେ ଯେବେ ୧୬ କଳା ସମ୍ପୂର୍ଣ୍ଣ ହୋଇଯିବ ବିନାଶର ସାମଗ୍ରୀ ତିଆରି ହେବ । ସେମାନେ ବିନାଶ ପାଇଁ ପ୍ରସ୍ତୁତ ହେଉଛନ୍ତି । ତୁମେ ଅବିନାଶୀ ପଦ ପାଇଁ ପ୍ରସ୍ତୁତ ହେଉଛ । କୌରବ ଏବଂ ପାଣ୍ଡବଙ୍କର ଲଢେଇ ହୁଏ ନାହିଁ । କୌରବ ଏବଂ ଯାଦବଙ୍କର ଲଢେଇ ଲାଗିଥାଏ । ଡ୍ରାମାନୁସାରେ ପାକିସ୍ଥାନ ମଧ୍ୟ ଅଲଗା ହୋଇଗଲା । ତାହା ମଧ୍ୟ ସେତେବେଳେ ଆରମ୍ଭ ହେଲା ଯେତେବେଳେ ତୁମର ଜନ୍ମ ହେଲା । ଏବେ ବାବା ଆସିଛନ୍ତି ତେଣୁ ସବୁ ପ୍ରତ୍ୟକ୍ଷ ରୂପେ ହେବା ଦରକାର ନା । ଭାରତ ପାଇଁ କହିଥା’ନ୍ତି ଯେ ରକ୍ତର ନଦୀ ବହିବ ତା’ପରେ ପୁଣି ଘିଅର ନଦୀ ବହିବ । ଏବେ ଦେଖ ଲଢେଇ କରୁଛନ୍ତି । ଅମୁକ ସହର ଦେବ ନାହିଁ ତ ଲଢେଇ କରିବୁ । ଏ ପାଖରେ ଯାଅ ନାହିଁ ଏହା ଆମର ରାସ୍ତା ଅଟେ । ଏବେ ସେମାନେ କ’ଣ କରିବେ । ଷ୍ଟିମର କିପରି ଯିବ! ପୁଣି ପରସ୍ପର ରାୟ କରନ୍ତି, ନିଶ୍ଚିତ ଭାବେ ରାୟ ପଚାରୁଥିବେ । ସାହାଯ୍ୟର ଆଶା ମିଳିଥିବ, ସେମାନେ ପରସ୍ପର ମଧ୍ୟରେ ମିଳିମିଶି ଝଗଡା ସମାଧାନ କରି ଦେଇଥିବେ । ଏଠାରେ ପୁଣି ଗୃହଯୁଦ୍ଧ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି ।

ଏବେ ବାବା କହୁଛନ୍ତି - ମିଠେ ବଚ୍ଚେ, ବହୁତ ବହୁତ ବୁଦ୍ଧିମାନ ହୁଅ । ଏଠାରୁ ବାହାରି ଘରକୁ ଗଲା ପରେ ପୁଣି ଭୁଲି ଯାଅ ନାହିଁ । ତୁମେମାନେ ରୋଜଗାର କରିବା ପାଇଁ ଏଠାକୁ ଆସିଛ । ଛୋଟ ଛୋଟ ପିଲାମାନଙ୍କୁ ନେଇ ଆସିଲେ ସେମାନଙ୍କ ପାଳନାର ବନ୍ଧନରେ ରହିବାକୁ ପଡୁଛି । ଏଠାକୁ ତ ଜ୍ଞାନ ସାଗରଙ୍କ କୋଳକୁ ଆସିଛ । ଯେତେ ରୋଜଗାର କରିବ ସେତେ ଭଲ । ତେଣୁ ରୋଜଗାରରେ ଲାଗିଯିବା ଦରକାର । ତୁମେ ଅବିନାଶୀ ଜ୍ଞାନ ରତ୍ନ ଝୁଲା ଭରିବା ପାଇଁ ଆସିଛ । ଗାୟନ ମଧ୍ୟ କରିଥାଆନ୍ତି, ଭୋଲାନାଥ ଭରି ଦିଅ ଝୋଲି । ଭକ୍ତ ତ ଶଙ୍କରଙ୍କ ଆଗରେ ଯାଇ କହନ୍ତି ଯେ ଝୋଲି ଭରିଦିଅ । ସେମାନେ ପୁଣି ଶିବ ଓ ଶଙ୍କରଙ୍କୁ ଜଣେ ବୋଲି ଭାବୁଛନ୍ତି । ଶିବ-ଶଙ୍କର ମହାଦେବ କହିଦେଉଛନ୍ତି । ତେଣୁ ମହାଦେବ ବଡ ଅଟନ୍ତି । ଏଭଳି ଛୋଟ ଛୋଟ କଥାକୁ ବହୁତ ବୁଝିବାର ଅଛି ।

ତୁମ ପିଲାମାନଙ୍କୁ ବୁଝାଯାଉଛି ଯେ - ଏବେ ତୁମେ ବ୍ରାହ୍ମଣ ହୋଇଛ, ତୁମକୁ ଜ୍ଞାନ ମିଳୁଛି । ପାଠ ପଢିବା ଦ୍ୱାରା ମନୁଷ୍ୟ ସୁଧୁରି ଯାଇଥାଆନ୍ତି । ଚାଲିଚଳଣ ମଧ୍ୟ ସୁଖଦାୟୀ ହୋଇଯାଏ । ଏବେ ତୁମେମାନେ ପାଠ ପଢୁଛ । ଯିଏ ସବୁଠାରୁ ବେଶୀ ପଢିଥା’ନ୍ତି ଏବଂ ପଢାଇଥା’ନ୍ତି, ସେମାନଙ୍କର ଚରିତ୍ର ମଧ୍ୟ ଭଲ ହୋଇଥାଏ । ତୁମେମାନେ କହିବ ମମ୍ମା-ବାବାଙ୍କର ଚରିତ୍ର ସବୁଠାରୁ ଶ୍ରେଷ୍ଠ ଅଟେ । ସେ ପୁଣି ହୋଇଗଲେ ବଡ ମମ୍ମା, ଯାହାଙ୍କ ଠାରେ ପ୍ରବେଶ କରି ପିଲାମାନଙ୍କୁ ରଚନା କରୁଛନ୍ତି । ମାତା-ପିତା ଏକାଠି ଅଛନ୍ତି । କେତେ ଗୁପ୍ତ କଥା ଅଟେ । ଯେପରି ତୁମେ ପଢୁଛ ସେହିପରି ମମ୍ମା ମଧ୍ୟ ପଢୁଥିଲେ । ମମ୍ମାଙ୍କୁ ପୋଷ୍ୟ ପୁତ୍ରୀ ଭାବେ ଗ୍ରହଣ କରାଗଲା । ହୁସିୟାର ଥିଲେ ତେଣୁ ଡ୍ରାମାନୁସାରେ ସରସ୍ୱତୀ ନାମ ରଖାଗଲା । ବ୍ରହ୍ମପୁତ୍ର ବଡ ନଦୀ ଅଟେ । ସାଗର ଏବଂ ବ୍ରହ୍ମପୁତ୍ର ନଦୀର ମେଳା ମଧ୍ୟ ଲାଗିଥାଏ । ବ୍ରହ୍ମାବାବା ବଡ ନଦୀ ଅଟନ୍ତି ଏବଂ ମାଆ ମଧ୍ୟ ଅଟନ୍ତି । ତୁମ ମଧୁର ପିଲାମାନଙ୍କୁ ବାବା କେତେ ଉଚ୍ଚକୁ ନେଇଯାଉଛନ୍ତି । ବାବା ତୁମମାନଙ୍କୁ ହିଁ ଦେଖୁଛନ୍ତି । ତାଙ୍କୁ ତ କାହାକୁ ମନେ ପକାଇବାର ଆବଶ୍ୟକତା ନାହିଁ । ବ୍ରହ୍ମାଙ୍କର ଆତ୍ମାକୁ ମଧ୍ୟ ବାବାଙ୍କୁ ମନେ ପକାଇବାର ଅଛି । ବାବା କହୁଛନ୍ତି ଯେ, ଆମେ ଦୁଇଜଣ, ପିଲାମାନଙ୍କୁ ଦେଖୁଛୁ । ବ୍ରହ୍ମାବାବା କହୁଛନ୍ତି ମୋତେ ତ ସାକ୍ଷୀ ହୋଇ ଦେଖିବାର ନାହିଁ । କିନ୍ତୁ ବାବାଙ୍କ ସହିତ ମୁଁ ମଧ୍ୟ ସାକ୍ଷୀ ହୋଇ ଦେଖୁଛି । ବାବାଙ୍କ ସାଥିରେ ରହୁଛି ନା । ତାଙ୍କର ସନ୍ତାନ ହୋଇଛି ତେଣୁ ସାଥିରେ ଦେଖୁଛି । ଅନୁଭବ ହେଉଛି ଯେପରି ମୁଁ ବିଶ୍ୱର ମାଲିକ ହୋଇ ବୁଲୁଛି, ଯେପରିକି ମୁଁ ହିଁ ଏହା କରୁଛି । ମୁଁ ଦୃଷ୍ଟି ଦେଉଛି । ଦେହ ସହିତ ସମସ୍ତଙ୍କୁ ତ ଭୁଲିବାକୁ ପଡିଥାଏ । ବାପ ଏବଂ ପୁଅ ଯେପରି ଏକ ହୋଇଯାଇଛନ୍ତି । ତେଣୁ ବାବା ବୁଝାଉଛନ୍ତି ଯେ ଖୁବ୍ ପୁରୁଷାର୍ଥ କର । ବାସ୍ତବରେ ମମ୍ମା ବାବା ସବୁଠାରୁ ବେଶୀ ସେବା କରୁଛନ୍ତି । ଘରେ ବି ମାଆ ବାପା ବହୁତ ସେବା କରିଥା’ନ୍ତି ନା । ଯେଉଁମାନେ ସେବାଧାରୀ ସନ୍ତାନ ସେମାନେ ନିଶ୍ଚିତ ଶ୍ରେଷ୍ଠ ପଦ ପାଇବେ, ତେଣୁ ଅନୁସରଣ କରିବା ଦରକାର । ଯେପରି ବାବା ଅପକାରୀ ଉପରେ ବି ଉପକାର କରନ୍ତି, ସେହିଭଳି ତୁମେ ମଧ୍ୟ ପିତାଙ୍କୁ ଅନୁସରଣ କର । ଏହାର ମଧ୍ୟ ଅର୍ଥ ବୁଝିବା ଦରକାର । ବାବା କହୁଛନ୍ତି ମୋତେ ମନେ ପକାଅ ଆଉ କାହା କଥା ଶୁଣ ନାହିଁ । ଯଦି କେହି କିଛି କହୁଛନ୍ତି ତେବେ ଶୁଣି ନ ଶୁଣିଲା ପରି ରୁହ । ତୁମର ସ୍ମିତହାସ୍ୟ ରହିଲେ ସେ ଆପେ ଆପେ ଥଣ୍ଡା ହୋଇଯିବେ । ବାବା କହିଛନ୍ତି ଯଦି କେହି କ୍ରୋଧ କରୁଛନ୍ତି, ତେବେ ତୁମେ ତାଙ୍କ ଉପରେ ଫୁଲ ଚଢାଅ, ଅର୍ଥାତ୍ ଶୁଭଭାବନା ଦିଅ, କୁହ ତୁମେ ଅପକାର କରୁଛ, ମୁଁ ଉପକାର କରୁଛି । ବାବା ସ୍ୱୟଂ କହୁଛନ୍ତି ଯେ, ସମଗ୍ର ବିଶ୍ୱର ମନୁଷ୍ୟ ମୋର ଅପକାରୀ ଅଟନ୍ତି, ମୋତେ ସର୍ବବ୍ୟାପୀ କହି କେତେ ଗାଳୀ ଦେଉଛନ୍ତି ମୁଁ ତ ସମସ୍ତଙ୍କର ଉପକାରୀ ଅଟେ । ତୁମେ ପିଲାମାନେ ମଧ୍ୟ ସଭିଙ୍କର ଉପକାରୀ ଅଟ । ତୁମେ ମନେ ପକାଅ - ଆମେ କ’ଣ ଥିଲୁ, ଏବେ କ’ଣ ହେଉଛୁ! ବିଶ୍ୱର ମାଲିକ ହେଉଛୁ, ସଂକଳ୍ପ-ସ୍ୱପ୍ନରେ ମଧ୍ୟ ନଥିଲା । ଅନେକଙ୍କୁ ଘରେ ବସି ସାକ୍ଷାତ୍‌କାର ହୋଇଛି । କିନ୍ତୁ ସାକ୍ଷାତ୍‌କାରରେ କିଛି ପ୍ରାପ୍ତି ହୋଇଥାଏ କି? ଆସ୍ତେ ଆସ୍ତେ ବୃକ୍ଷ ବଢିବାକୁ ଲାଗିବ । ଏହି ନୂଆ ଦୈବୀ ବୃକ୍ଷ ସ୍ଥାପନ ହେଉଛି ନା । ପିଲାମାନେ ଜାଣିଥାନ୍ତି ଯେ ଆମର ଦୈବୀ ଫୁଲର ବଗିଚା ତିଆରି ହେଉଛି । ସତ୍ୟଯୁଗରେ ଦେବତାମାନେ ହିଁ ରହିଥାନ୍ତି, ଏବେ ପୁଣି ଆସିବେ, ଚକ୍ରର ପୁନରାବୃତ୍ତି ହେଉଛି । ୮୪ ଜନ୍ମ ବି ସେମାନେ ହିଁ ନେବେ । ଅନ୍ୟ ଆତ୍ମାମାନେ ପୁଣି କେଉଁଠୁ ଆସିବେ । ଡ୍ରାମାରେ ଯେଉଁ ଅଭିନେତାମାନେ ଅଛନ୍ତି, କେହି ମଧ୍ୟ ଅଭିନୟରୁ ବିରତି ନେଇ ପାରିବେ ନାହିଁ । ଏହି ଚକ୍ର ଘୂରିଚାଲିଥାଏ । ଆତ୍ମା କେବେ ଘୋରି ହୁଏ ନାହିଁ । ଛୋଟ ବଡ ହୋଇନଥାଏ । ବାବା ବସି ମିଠା ସନ୍ତାନମାନଙ୍କୁ ବୁଝାଉଛନ୍ତି, କହୁଛନ୍ତି, ପିଲାମାନେ ସୁଖଦାୟୀ ହୁଅ । ମାଆ କହିଥା’ନ୍ତି ନା ପରସ୍ପର ମଧ୍ୟରେ ଲଢେଇ-ଝଗଡା କର ନାହିଁ । ବେହଦର ପିତା ମଧ୍ୟ ପିଲାମାନଙ୍କୁ କହିଥା’ନ୍ତି ଯେ ଯୋଗର ଯାତ୍ରା ବହୁତ ସହଜ ଅଟେ । ସେ ଯାତ୍ରା ତ ଜନ୍ମ ଜନ୍ମାନ୍ତର କରି ଆସିଲ ତଥାପି ସିଢିରୁ ତଳକୁ ଖସି ପାପ ଆତ୍ମା ହୋଇଗଲ । ବାବା କହୁଛନ୍ତି, ଏହା ହେଉଛି ରୁହାନୀ ଯାତ୍ରା । ତୁମକୁ ପୁନଃ ମୃତ୍ୟୁଲୋକକୁ ଆସିବାର ନାହିଁ । ସେ ଯାତ୍ରାରେ ତ ଫେରିଆସି ପୁଣି ଯେଉଁପରି ଥିଲେ ସେହିପରି ହୋଇଯାଆନ୍ତି । ତୁମେ ତ ଜାଣୁଛ ଯେ ଆମେ ସ୍ୱର୍ଗକୁ ଯାଉଛୁ । ସ୍ୱର୍ଗ ଥିଲା ପୁନଃ ହେବ । ଏହି ଚକ୍ରକୁ ଘୂରିବାକୁ ହେବ । ଦୁନିଆ ଏକ ଅଟେ ବାକି ତାରକା ଆଦିରେ କୌଣସି ଦୁନିଆ ନାହିଁ । ଉପରକୁ ଯାଇ ଦେଖିବା ପାଇଁ କେତେ ମୁଣ୍ଡ ପିଟିଥା’ନ୍ତି । ମୁଣ୍ଡ ପିଟୁ ପିଟୁ ମୃତ୍ୟୁ ସମ୍ମୁଖକୁ ଆସିଯିବ । ଏହା ସବୁ ବିଜ୍ଞାନ ଅଟେ, ଉପରକୁ ଯିବେ ପୁଣି କ’ଣ ହେବ । ମୃତ୍ୟୁ ତ ସାମ୍‌ନାରେ ଛିଡା ହୋଇଛି । ଗୋଟିଏ ଦିଗରେ ଉପରକୁ ଯାଇ ଠାବ କରୁଛନ୍ତି । ଅନ୍ୟ ଦିଗରେ ମୃତ୍ୟୁ ପାଇଁ ବୋମା ତିଆରି କରୁଛନ୍ତି । ମନୁଷ୍ୟମାନଙ୍କର ବୁଦ୍ଧି ଦେଖ କିପରି । ଭାବୁଛନ୍ତି କେହି ନିଶ୍ଚୟ ପ୍ରେରଣା ଦେଉଛନ୍ତି । ନିଜେ କହୁଛନ୍ତି ଯେ ବିଶ୍ୱଯୁଦ୍ଧ ନିଶ୍ଚିତ ହେବ । ଏହା ସେହି ମହାଭାରତ ଲଢେଇ ଅଟେ । ଏବେ ତୁମେ ପିଲାମାନେ ଯେତେ ପୁରୁଷାର୍ଥ କରିବ, ସେତେ କଲ୍ୟାଣ ହେବ । ତୁମେ ଭଗବାନଙ୍କର ସନ୍ତାନ ତ ଅଟ ନା । ଭଗବାନ ନିଜର ସନ୍ତାନ ରୂପେ ଗ୍ରହଣ କରିଛନ୍ତି ତେଣୁ ତୁମେ ଭଗବାନ-ଭଗବତୀ ହୋଇଯାଉଛ । ଲକ୍ଷ୍ମୀ-ନାରାୟଣଙ୍କୁ ଭଗବାନ-ଭଗବତୀ କହିଥା’ନ୍ତି ନା । କୃଷ୍ଣଙ୍କୁ ଭଗବାନ ମାନୁଛନ୍ତି, ରାଧାକୁ ଏତେ ମାନୁ ନାହାଁନ୍ତି । ସରସ୍ୱତୀଙ୍କର ନାମ ଅଛି । ରାଧାଙ୍କର ନାମ ନାହିଁ । କଳସ ପୁଣି ଲକ୍ଷ୍ମୀଙ୍କ ହସ୍ତରେ ଦେଖାଇଛନ୍ତି । ଏହା ମଧ୍ୟ ଭୁଲ୍ କରିଦେଇଛନ୍ତି । ସରସ୍ୱତୀଙ୍କର ମଧ୍ୟ ଅନେକ ନାମ ରଖି ଦେଇଛନ୍ତି । ବାସ୍ତବରେ ସରସ୍ୱତୀ ତୁମେ ହିଁ ଅଟ । ଦେବୀମାନଙ୍କର ମଧ୍ୟ ପୂଜା ହୋଇଥାଏ ତ ଆତ୍ମାମାନଙ୍କର ମଧ୍ୟ ପୂଜା ହୋଇଥାଏ । ବାବା ପିଲାମାନଙ୍କୁ ପ୍ରତ୍ୟେକ କଥା ବୁଝାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯେପରି ବାବା ଅପକାରୀର ମଧ୍ୟ ଉପକାର କରୁଛନ୍ତି, ସେହିପରି ବାବାଙ୍କୁ ଅନୁକରଣ କରିବାକୁ ହେବ । ଯଦି କେହି କିଛି ଖରାପ କଥା କହୁଛି ତେବେ ଶୁଣି ନ ଶୁଣିଲା ପରି ରୁହ, ହର୍ଷିତମୁଖ ହୋଇ ରୁହିବାକୁ ହେବ । ଏକ ବାବାଙ୍କଠାରୁ ଶୁଣିବାକୁ ହେବ ।

(୨) ସୁଖଦାୟୀ ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ । ପରସ୍ପର ମଧ୍ୟରେ ଲଢେଇ-ଝଗଡା କରିବାର ନାହିଁ । ବୁଦ୍ଧିମାନ ହୋଇ ନିଜର ବୁଦ୍ଧି ରୂପକ ଝୁଲାମୁଣିକୁ ଅବିନାଶୀ ଜ୍ଞାନ ରତ୍ନରେ ଭରପୂର କରିବାକୁ ହେବ ।

ବରଦାନ:-
ସାଗରର ଗର୍ଭକୁ ଯାଇ ଅନୁଭବ ରୂପୀ ରତ୍ନ ପ୍ରାପ୍ତ କରୁଥିବା ସଦା ସମର୍ଥ ଆତ୍ମା ହୁଅ ।

ସମର୍ଥ ଆତ୍ମା ହେବା ପାଇଁ ଯୋଗର ପ୍ରତ୍ୟେକ ବିଶେଷତାର, ପ୍ରତ୍ୟେକ ଶକ୍ତିର ଏବଂ ଜ୍ଞାନର ପ୍ରତ୍ୟେକ ମୁଖ୍ୟ ମୁଖ୍ୟ ପଏଣ୍ଟଗୁଡିକର ଅଭ୍ୟାସ କର । ଅଭ୍ୟାସୀ ତଥା ଲଗନରେ ମଗନ ରହୁଥିବା ଆତ୍ମାମାନଙ୍କ ସମ୍ମୁଖରେ କୌଣସି ପ୍ରକାରର ବିଘ୍ନ ତିଷ୍ଠି ପାରିବ ନାହିଁ । ସେଥିପାଇଁ ସର୍ବଦା ଅଭ୍ୟାସର ପ୍ରୟୋଗ ଶାଳାରେ ବସିଯାଅ । ଆଜି ପର୍ଯ୍ୟନ୍ତ ତୁମେମାନେ ଜ୍ଞାନର ସାଗର, ଗୁଣର ସାଗର, ଶକ୍ତିର ସାଗରରେ ଉପର ସ୍ତରର ଲହଡିରେ ଖେଳୁଛ କିନ୍ତୁ ଏବେ ଯଦି ସାଗରର ଗର୍ଭକୁ ଚାଲିଯିବ, ତେବେ ଅନେକ ପ୍ରକାରର ବିଚିତ୍ର ଅନୁଭବର ରତ୍ନ ପ୍ରାପ୍ତ କରି ସମର୍ଥ ଆତ୍ମା ହୋଇଯିବ ।

ସ୍ଲୋଗାନ:-
ଅପବିତ୍ରତା ହିଁ ବିକାର ରୂପୀ ଭୂତମାନଙ୍କୁ ଆବାହନ କରିଥାଏ, ସେଥିପାଇଁ ସଂକଳ୍ପରେ ମଧ୍ୟ ପବିତ୍ର ହୁଅ ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ଯେପରି ବ୍ରହ୍ମାବାବା ନିଜର ବିଶେଷ ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ପିଲାମାନଙ୍କୁ ଆବାହନ କରିଥିଲେ ଅର୍ଥାତ୍ ସଂକଳ୍ପର ରଚନା ରଚିଥିଲେ, ଏହି ସଂକଳ୍ପର ରଚନା ମଧ୍ୟ କିଛି କମ୍ କଥା ନୁହେଁ । ତେଣୁ ଶ୍ରେଷ୍ଠ ଶକ୍ତିଶାଳୀ ସଂକଳ୍ପ ହିଁ ଆତ୍ମାମାନଙ୍କୁ ପ୍ରେରିତ କରି ଭିନ୍ନ ଭିନ୍ନ ଧର୍ମର ପରଦା ଭିତରୁ ବାହାର କରି ନିକଟକୁ ଆଣିଥିଲା । ସେହିପରି ତୁମେମାନେ ମଧ୍ୟ ଶକ୍ତିଶାଳୀ ତଥା ଶ୍ରେଷ୍ଠ ସଂକଳ୍ପଧାରୀ ହୁଅ । ନିଜର ସଂକଳ୍ପ ଶକ୍ତିକୁ ଅଧିକ ଖର୍ଚ୍ଚ କର ନାହିଁ ବା ବ୍ୟର୍ଥରେ ନଷ୍ଟ କର ନାହିଁ । ତେବେ ଯାଇ ଶ୍ରେଷ୍ଠ ସଂକଳ୍ପର ପ୍ରାପ୍ତି ମଧ୍ୟ ଶ୍ରେଷ୍ଠ ହେବ ।