16.11.25 Avyakt Bapdada Odia Murli 15.12.2007 Om Shanti Madhuban
“ସମୟର ମହତ୍ୱକୁ ଜାଣି,
କର୍ମର ଗହନ ଗତି ଉପରେ ଧ୍ୟାନ ଦେଇ ନଷ୍ଟୋମୋହା ହୋଇ ସଦା ପ୍ରସ୍ତୁତ ରୁହ ।”
ଆଜି ସର୍ବ ସମ୍ପତ୍ତିର
ଦାତା, ଜ୍ଞାନ ରୂପକ ସମ୍ପତ୍ତି, ଗୁଣ ରୂପକ ସମ୍ପତ୍ତି, ଶକ୍ତି ତଥା ଶ୍ରେଷ୍ଠ ସଂକଳ୍ପ ରୂପକ
ସମ୍ପତ୍ତିର ଦାତା ବାପଦାଦା ନିଜର ଚାରିଆଡର ବାଳକ ହିସାବରେ ମାଲିକ ଅର୍ଥାତ୍ ଅଧିକାରୀ
ପିଲାମାନଙ୍କୁ ଦେଖୁଛନ୍ତି । ଅଖଣ୍ଡ ସମ୍ପତ୍ତିର ମାଲିକ ପିତା ନିଜର ସବୁ ପିଲାଙ୍କୁ ସର୍ବ
ସମ୍ପତ୍ତିରେ ସମ୍ପନ୍ନ କରୁଛନ୍ତି । ସମସ୍ତଙ୍କୁ ସର୍ବ ସମ୍ପତ୍ତି ଦେଉଛନ୍ତି, କାହାକୁ କମ୍ କାହାକୁ
ବେଶି ଦେଉ ନାହାଁନ୍ତି କାହିଁକିନା ସମ୍ପତ୍ତି ଅସରନ୍ତି ମାତ୍ରାରେ ଅଛି । ତେବେ ଚାରିଆଡର
ପିଲାମାନେ ବାପଦାଦାଙ୍କର ନୟନରେ ସମାହିତ ହୋଇ ରହିଛନ୍ତି ଏବଂ ସମସ୍ତେ ସମ୍ପତ୍ତିରେ ଭରପୂର ହୋଇ
ହର୍ଷିତ ହେଉଛନ୍ତି ।
ଆଜିକାଲିର ସମୟ ଅନୁସାରେ
ସବୁଠାରୁ ଅମୂଲ୍ୟ ଏବଂ ଶ୍ରେଷ୍ଠ ସମ୍ପତ୍ତି ହେଲା - ପୁରୁଷୋତ୍ତମ ସଂଗମଯୁଗର ସମୟ, କାହିଁକିନା
ସଂଗମଯୁଗରେ ହିଁ ସାରା କଳ୍ପର ପ୍ରାରବ୍ଧ ଜମା କରିପାରିବ । ଏହି ଛୋଟିଆ ଯୁଗର ପ୍ରାପ୍ତି ଏବଂ
ପ୍ରାରବ୍ଧ ଅନୁସାରେ ଗୋଟିଏ ସେକେଣ୍ଡର ମୂଲ୍ୟ ଗୋଟିଏ ବର୍ଷ ସହିତ ସମାନ । ଏହା ଏତେ ଅମୂଲ୍ୟ ସମୟ
। ଏହି ସମୟ ପାଇଁ ହିଁ ଗାୟନ ରହିଛି - ଏବେ ନୁହେଁ ତ କେବେ ନୁହେଁ କାହିଁକିନା ଏହି ସମୟରେ ହିଁ
ସୃଷ୍ଟି ନାଟକରେ ପରମାତ୍ମା ପିତାଙ୍କର ପାର୍ଟ ନିଧାର୍ଯ୍ୟ ଅଛି । ସେଥିପାଇଁ ଏହି ସମୟକୁ ହୀରା
ତୁଲ୍ୟ ସମୟ କୁହାଯାଉଛି । ସତ୍ୟଯୁଗକୁ ସୁବର୍ଣ୍ଣ ଯୁଗ କୁହାଯାଉଛି, କିନ୍ତୁ ବର୍ତ୍ତମାନର ସମୟ
ହିଁ ହୀରାତୁଲ୍ୟ ଅଟେ ଏବଂ ତୁମେମାନେ ମଧ୍ୟ ହୀରା ତୁଲ୍ୟ ଜୀବନର ଅନୁଭବୀ ଆତ୍ମା ଅଟ । ଏହି ସମୟରେ
ହିଁ ବହୁତ କାଳରୁ ବିଛୁଡିଥିବା ଆତ୍ମାମାନେ ପରମାତ୍ମାଙ୍କ ସହିତ ମିଳନ, ପରମାତ୍ମ ସ୍ନେହ,
ପରମାତ୍ମ ଜ୍ଞାନ, ପରମାତ୍ମ ସମ୍ପତ୍ତିର ପ୍ରାପ୍ତିର ଅଧିକାରୀ ହେଉଛନ୍ତି । ସାରା କଳ୍ପ ଭିତରେ
ଦେବାତ୍ମାମାନେ ଏବଂ ମହାନ ଆତ୍ମାମାନେ ଥାଆନ୍ତି କିନ୍ତୁ ଏହି ସମୟରେ ତୁମକୁ ପରମାତ୍ମ ଈଶ୍ୱରୀୟ
ପରିବାର ମିଳିଛି । ସେଥିପାଇଁ ଯେତିକି ଏହି ସମୟର ମହତ୍ୱ ରହିଛି ତାକୁ ଜାଣି ନିଜକୁ ଯେତିକି
ଶ୍ରେଷ୍ଠ କରିବା ପାଇଁ ଚାହିଁବ କରିପାରିବ ଏବଂ ତୁମେମାନେ ମଧ୍ୟ ଏହି ମହାନ ଯୁଗର ପରମାତ୍ମ
ଭାଗ୍ୟକୁ ପ୍ରାପ୍ତ କରୁଥିବା ପଦ୍ମାପଦ୍ମ ଭାଗ୍ୟବାନ ଆତ୍ମା ଅଟ । ଏହିଭଳି ନିଜର ଶ୍ରେଷ୍ଠ ଭାଗ୍ୟର
ଆତ୍ମିକ ନିଶାକୁ ଏବଂ ଭାଗ୍ୟକୁ ଜାଣିବା ସହିତ ଅନୁଭବ କରୁଛ ତ! ଖୁସି ମିଳୁଛି ତ! ତେବେ ଦିଲ୍
ଭିତରେ ସର୍ବଦା କେଉଁ ଗୀତ ଗାଉଛ? ବାଃ ମୋର ଭାଗ୍ୟ ବାଃ! କାହିଁକି ନା ବର୍ତ୍ତମାନ ସମୟର ଭାଗ୍ୟ
ତୁଳନାରେ ଅନ୍ୟ କୌଣସି ବି ଯୁଗରେ ଏଭଳି ଶ୍ରେଷ୍ଠ ଭାଗ୍ୟ ପ୍ରାପ୍ତ ହୋଇ ପାରିବ ନାହିଁ ।
ତେବେ କୁହ, ସର୍ବଦା
ନିଜର ଭାଗ୍ୟକୁ ସ୍ମୃତିରେ ରଖି ହର୍ଷିତ ହେଉଛ ତ! କ’ଣ କହୁଛ? ଯେଉଁମାନେ ଭାବୁଛନ୍ତି ଆମେ ସର୍ବଦା
ହର୍ଷିତ ରହୁଛୁ, କେବେ କେବେ ନୁହେଁ, ସେମାନେ ହାତ ଉଠାଅ । ସଦା ହର୍ଷିତ, ସଦା....! ତେବେ ସଦା
ଶବ୍ଦକୁ କେବେ ବି ଭୁଲିବାର ନାହିଁ, କିନ୍ତୁ ବିଶେଷ ଧ୍ୟାନ ଦେବାର ଅଛି । ଏବେ ଦେଖ ଟି.ଭି.ରେ
ତୁମମାନଙ୍କର ଫଟୋ ଦେଖାଯାଉଛି । ସଦାବାଲାଙ୍କର ଫଟୋ ଆସୁଛି । ଅଭିନନ୍ଦନ । ମାତାମାନେ ହାତ
ଉଠାନ୍ତୁ, ଶକ୍ତିମାନେ ମଧ୍ୟ ଉଠାନ୍ତୁ, ଡବଲ ବିଦେଶୀମାନେ ମଧ୍ୟ ଉଠାନ୍ତୁ । କେଉଁ ଶବ୍ଦକୁ ମନେ
ରଖିବ? ସଦା । କେବେକେବେ ବାଲା ତ ପଛରେ ଆସିବେ ।
ବାପଦାଦା ପୂର୍ବରୁ ମଧ୍ୟ
ଶୁଣାଇ ସାରିଛନ୍ତି ଯେ ସମୟ ବହୁତ ତୀବ୍ର ଗତିରେ ଆଗକୁ ବଢି ଚାଲିଛି । ସମୟର ଗତିକୁ ଜାଣିବାବାଲା
ନିଜକୁ ଚେକ୍ କର ଯେ ମୋ ଭଳି ମାଷ୍ଟର ସର୍ବଶକ୍ତିମାନ ଆତ୍ମାର ଗତି ତୀବ୍ର ଅଟେ ତ? ପୁରୁଷାର୍ଥ ତ
ସମସ୍ତେ କରୁଛନ୍ତି କିନ୍ତୁ ବାପଦାଦା କ’ଣ ଦେଖିବାକୁ ଚାହୁଁଛନ୍ତି? ପ୍ରତ୍ୟେକ ସନ୍ତାନ ତୀବ୍ର
ପୁରୁଷାର୍ଥୀ ହେବା ସହିତ ପ୍ରତ୍ୟେକ ବିଷୟରେ ସମ୍ମାନର ସହିତ ଉତୀର୍ଣ୍ଣ ହେଉଛନ୍ତି, ନା କେବଳ ପାସ୍
ହେଉଛନ୍ତି? ତେବେ ତୀବ୍ର ପୁରୁଷାର୍ଥୀଙ୍କର ବିଶେଷ କରି ଦୁଇଟି ଲକ୍ଷଣ ଦେଖାଯିବ - ଗୋଟିଏ ହେଲା -
ନଷ୍ଟୋମୋହା, ଦ୍ୱିତୀୟରେ - ଏଭରରେଡି ଅର୍ଥାତ୍ ସଦା ପ୍ରସ୍ତୁତ । ସର୍ବ ପ୍ରଥମେ ଯଦି ନିଜର ଦେହର
ସ୍ମୃତିଠାରୁ ଏବଂ ଦେହର ଅଭିମାନଠାରୁ ନଷ୍ଟୋମୋହା ହୋଇଯିବ ତେବେ ଅନ୍ୟ ସବୁ କଥାରୁ ନଷ୍ଟୋମୋହା
ହେବା ପାଇଁ କୌଣସି ମୁଶକିଲ୍ ଲାଗିବ ନାହିଁ । ତେବେ ଦେହଭାନ ଅର୍ଥାତ୍ ଦୈହିକ ସ୍ମୃତିର ଲକ୍ଷଣ
ହେଲା ୱେଷ୍ଟ ଥଟ୍ ବା ବ୍ୟର୍ଥ ସଂକଳ୍ପ ଆସିବା ଏବଂ ବ୍ୟର୍ଥରେ ସମୟ ନଷ୍ଟ ହେବା ଏହାର ଚେକିଙ୍ଗ୍
ନିଜେ ହିଁ ଭଲ ଭାବରେ କରିପାରିବ । ସାଧାରଣ ଭାବରେ ସମୟକୁ ଖର୍ଚ୍ଚ କରିବା ଦ୍ୱାରା ମଧ୍ୟ
ନଷ୍ଟୋମୋହା ହୋଇପାରିବ ନାହିଁ । ତେଣୁ ଚେକ୍ କର ମୋ’ର ପ୍ରତ୍ୟେକ ମୂହୁର୍ତ୍ତ, ପ୍ରତ୍ୟେକ ସଂକଳ୍ପ,
ପ୍ରତ୍ୟେକ କର୍ମ ସଫଳ ହେଲା ତ? କାହିଁକିନା ସଂଗମଯୁଗରେ ବାବାଙ୍କର ବିଶେଷ ବରଦାନ ହେଲା - ସଫଳତା
ତୁମର ଜନ୍ମ ସିଦ୍ଧ ଅଧିକାର । ତେବେ ଅଧିକାର ସହଜରେ ଅନୁଭୂତି କରାଇଥାଏ ଏବଂ ଏଭରରେଡିର ଅର୍ଥ ହେଲା
- ମନ-ବଚନ-କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ଯଦି ସମୟର ଆଦେଶ ମିଳିଲା ଅଚାନକ, ତେବେ ଅଚାନକ
ଏଭରରେଡି ହେବାକୁ ପଡିବ ଏବଂ ଆଗକୁ ମଧ୍ୟ ଅଚାନକ ହିଁ ସବୁ କିଛି ହେବ । ଯେପରି ତୁମ ଦାଦୀଙ୍କୁ
ଦେଖିଲ ଅଚାନକ ଏଭରରେଡି । ପ୍ରତ୍ୟେକ ସ୍ୱଭାବରେ, ପ୍ରତ୍ୟେକ କାର୍ଯ୍ୟରେ ସହଜ ଏବଂ ସରଳ,
ସମ୍ପର୍କରେ ସରଳ, ସ୍ୱଭାବରେ ସରଳ, ସେବାରେ ସରଳ, ସନ୍ତୁଷ୍ଟ କରିବାରେ ସରଳ ଏବଂ ସନ୍ତୁଷ୍ଟ
ରହିବାରେ ମଧ୍ୟ ସରଳ । ସେଥିପାଇଁ ବାପଦାଦା ସମୟର ସମୀପତା ବିଷୟରେ ବାରମ୍ବାର ସଂକେତ ହେଉଛନ୍ତି ।
ସ୍ୱ ପୁରୁଷାର୍ଥର ସମୟ ବହୁତ କମ୍ ଅଛି ସେଥିପାଇଁ ନିଜର ଜମାର ଖାତାକୁ ଚେକ୍ କର । ତେବେ ସମ୍ପତ୍ତି
ଗୁଡିକୁ ଜମା କରିବାର ତିନୋଟି ବିଧି ବିଷୟରେ ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଏବଂ ଏବେ ପୁଣି ଥରେ
ଶୁଣାଉଛୁ । ସେହି ତିନୋଟିଯାକ ବିଧିକୁ ନିଜେ ନିଜେ ଚେକ୍ କର । ଗୋଟିଏ ହେଲା ନିଜର ପୁରୁଷାର୍ଥ
ଦ୍ୱାରା ପ୍ରାରବ୍ଧ ରୂପକ ସମ୍ପତ୍ତି ଜମା କରିବା ଏବଂ ପ୍ରାପ୍ତି ରୂପକ ସମ୍ପତ୍ତି ଜମା କରିବା ।
ଦ୍ୱିତୀୟରେ ହେଲା ସନ୍ତୁଷ୍ଟ ରହିବା, ଏଥିରେ ମଧ୍ୟ ସଦା ଶବ୍ଦକୁ ଯୋଡିଦିଅ ଏବଂ ସମସ୍ତଙ୍କୁ
ସନ୍ତୁଷ୍ଟ କରିବା, ଯାହାଦ୍ୱାରା ପୁଣ୍ୟର ଖାତା ଜମା ହୋଇଥାଏ ଏବଂ ଏହି ପୂଣ୍ୟର ଖାତା ଅନେକ ଜନ୍ମର
ପ୍ରାରବ୍ଧର ଆଧାର ଅଟେ । ତୃତୀୟରେ ହେଲା - ସଦାସର୍ବଦା ସେବାରେ ଅଥକ ହୋଇ ନିଃସ୍ୱାର୍ଥ ଏବଂ
ବିଶାଳ ହୃଦୟରେ ସେବା କରିବା, ଏହା ଦ୍ୱାରା ଯାହାର ସେବା କରିବ ତା’ଠାରୁ ସ୍ୱତଃ ହିଁ ଦୁଆ ମିଳିବ
। ତେବେ ନିଜର ବ୍ୟକ୍ତିଗତ ପୁରୁଷାର୍ଥ ଦ୍ୱାରା, ପୁଣ୍ୟ କର୍ମ ଦ୍ୱାରା ଏବଂ ଦୁଆ ଅର୍ଥାତ୍
ଆଶୀର୍ବାଦ ଦ୍ୱାରା - ଏହି ତିନୋଟି ବିଧି ଦ୍ୱାରା ସମ୍ପତ୍ତି ଜମା ହୋଇଥାଏ । ତେବେ ତୁମ
ସମସ୍ତଙ୍କର ଏହି ତିନୋଟି ଖାତା ଜମା ହେଉଛି ତ? ଏବେ ଚେକ୍ କର ଯେ ଅଚାନକ ଭାବରେ ଯଦି କୌଣସି
ପରୀକ୍ଷା ଆସିଯାଏ ତେବେ ମୁଁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ ତ? କାହିଁକି ନା ଆଜିକାଲିର
ସମୟ ଅନୁସାରେ ପ୍ରକୃତିର ହଲଚଲ୍ର ଛୋଟ-ଛୋଟ ପରୀକ୍ଷା କେବେ ବି ଆସି ଯାଇପାରେ । ସେଥିପାଇଁ
କର୍ମର ଗହନ ଗତିର ଜ୍ଞାନ ବିଶେଷ ଭାବରେ ଧ୍ୟାନରେ ରହିବା ଦରକାର । କାରଣ କର୍ମର ଗତି ବଡ ଗହନ ଅଟେ
। ଯେପରି ଡ୍ରାମା ଉପରେ ଧ୍ୟାନ ରହୁଛି, ଆତ୍ମିକ ସ୍ୱରୂପରେ ରହିବା ଉପରେ ଧ୍ୟାନ ରହୁଛି, ଧାରଣା
ବିଷୟ ଉପରେ ଧ୍ୟାନ ରହୁଛି, ସେହିପରି କର୍ମର ଗହନ ଗତି ଉପରେ ଧ୍ୟାନ ରହିବା ମଧ୍ୟ ଅତି ଆବଶ୍ୟକ ଅଟେ
। ସାଧାରଣ କର୍ମ, ସାଧାରଣ ସମୟ, ସାଧାରଣ ସଂକଳ୍ପ ଦ୍ୱାରା ମଧ୍ୟ ପ୍ରାରବ୍ଧରେ ଫରକ ପଡିଯାଏ । ତେବେ
ବର୍ତ୍ତମାନ ସମୟରେ ତୁମେ ଯେଉଁମାନେ ପୁରୁଷାର୍ଥୀ ଅଟ ସମସ୍ତେ ବହୁତ ଶ୍ରେଷ୍ଠ ଏବଂ ବିଶେଷ ଆତ୍ମା
ମଧ୍ୟ ଅଟ, ସାଧାରଣ ଆତ୍ମା ନୁହେଁ । ବିଶ୍ୱ କଲ୍ୟାଣର ନିମିତ୍ତ, ବିଶ୍ୱ ପରିବର୍ତ୍ତନର ନିମିତ୍ତ
ହୋଇଥିବା ଆତ୍ମା ଅଟ । କେବଳ ନିଜକୁ ପରିବର୍ତ୍ତନ କରିବାବାଲା ନୁହେଁ, ବିଶ୍ୱର ପରିବର୍ତ୍ତନର
ଉତ୍ତଦାୟୀ ଅଟ । ସେଥିପାଇଁ ତୁମକୁ ନିଜର ଶ୍ରେଷ୍ଠ ସ୍ୱମାନର ସ୍ମୃତି ସ୍ୱରୂପ ହେବାକୁ ହିଁ ପଡିବ
।
ବାପଦାଦା ଦେଖୁଛନ୍ତି
ସେବା ସହିତ ଏବଂ ବାପଦାଦାଙ୍କ ସହିତ ସମସ୍ତଙ୍କ ବହୁତ ଭଲ ସ୍ନେହ ରହିଛି । କୌଣସି ନା କୌଣସି ଯୋଜନା
ଅନୁସାରେ ଚାରିଆଡେ ସେବାର ବାତାବରଣ ମଧ୍ୟ ରହିଛି । ଏଥି ସହିତ ବର୍ତ୍ତମାନର ସମୟ ଅନୁସାରେ
ବିଶ୍ୱର ଆତ୍ମାମାନେ ଯେଉଁଭଳି ଦୁଃଖ ଏବଂ ଅଶାନ୍ତିରେ ଅଛନ୍ତି ସେମାନଙ୍କୁ ଦୁଃଖ ଅଶାନ୍ତିରୁ
ମୁକ୍ତ କରିବା ପାଇଁ ନିଜ ନିଜର ଶକ୍ତି ଦ୍ୱାରା ସକାଶ ଦେବାର ସେବା କର । ଯେପରି ପ୍ରକୃତିର
ସୂର୍ଯ୍ୟ ନିଜର ସକାଶ ଦ୍ୱାରା ଅନ୍ଧକାରକୁ ଦୂର କରି ଆଲୋକିତ କରିଦେଉଛି ଏବଂ ନିଜର କିରଣ ଦ୍ୱାରା
ଅନେକ ଜିନିଷକୁ ପରିବର୍ତ୍ତନ କରିଦେଉଛି ସେହିପରି ମାଷ୍ଟର ଜ୍ଞାନ ସୂର୍ଯ୍ୟ ଆତ୍ମାମାନେ ନିଜକୁ
ପ୍ରାପ୍ତ ହୋଇଥିବା ସୁଖ-ଶାନ୍ତିର କିରଣ ଦ୍ୱାରା, ସକାଶ ଦ୍ୱାରା ସେମାନଙ୍କୁ ଦୁଃଖ-ଅଶାନ୍ତିରୁ
ମୁକ୍ତ କର । ମାନସୀକ ସେବା ଦ୍ୱାରା, ନିଜର ଶକ୍ତିଶାଳୀ ବୃତ୍ତି ଦ୍ୱାରା ବାୟୁମଣ୍ଡଳକୁ
ପରିବର୍ତ୍ତନ କର । ତେଣୁ ଏବେ ମାନସୀକ ସେବା ବା ସଂକଳ୍ପ ଶକ୍ତି ଦ୍ୱାରା ସେବା କର । ଯେପରି ବାଣୀ
ଦ୍ୱାରା ସେବା କରିବାର ବିଧିକୁ ବିସ୍ତାର କରିଛ ସେହିପରି ମାନସୀକ ସକାଶ ଦ୍ୱାରା ଅର୍ଥାତ୍
ଶକ୍ତିଶାଳୀ ପ୍ରକମ୍ପନ ଦ୍ୱାରା ଆତ୍ମାମାନଙ୍କ ଭିତରେ ହ୍ୟାପୀ ଅର୍ଥାତ୍ ଖୁସି ଏବଂ ହୋପ୍ ଅର୍ଥାତ୍
ଆଶାର ତରଙ୍ଗ ଖେଳାଅ । ଏହି ବର୍ଷ ତୁମେମାନେ ଯେଉଁ ହ୍ୟାପୀ ଏବଂ ହୋପ୍ର ବିଷୟ ବସ୍ତୁ ରଖିଛ ସେହି
ଅନୁସାରେ ସେମାନଙ୍କୁ ସାହସ ପ୍ରାପ୍ତ କରାଅ, ଉମଙ୍ଗ-ଉତ୍ସାହ ପ୍ରାପ୍ତ କରାଅ, ଦୁଃଖ-ଅଶାନ୍ତିରୁ
ମୁକ୍ତ କରି ସେମାନଙ୍କୁ ସୁଖ ଶାନ୍ତି ରୂପୀ ସମ୍ପତ୍ତି ବାବାଙ୍କ ଦ୍ୱାରା ପ୍ରାପ୍ତ କରାଅ । ଏବେ
ଦୁନିଆକୁ ଅଧିକରୁ ଅଧିକ ସକାଶ ଦେବାର ଆବଶ୍ୟକତା ରହିଛି । ଯଦି ଏହି ସେବାରେ ନିଜର ମନକୁ ସର୍ବଦା
ବ୍ୟସ୍ତ ରଖିବ ତେବେ ତୁମେମାନେ ମାୟାଜିତ୍ ବିଜୟୀ ସ୍ୱତଃ ହୋଇଯିବ । ବାକି ଛୋଟ-ଛୋଟ କଥା ସବୁ
ସାଇଡ୍ ସିନ୍ ଅର୍ଥାତ୍ ରାସ୍ତା କଡର ଦୃଶ୍ୟ ଅଟେ, ସେଥିରେ କିଛି ଖରାପ ମଧ୍ୟ ରହିବ, କିଛି ଭଲ
ମଧ୍ୟ ରହିବ । ତେବେ ତୁମକୁ ରାସ୍ତା କଡର ଦୃଶ୍ୟକୁ ଅତିକ୍ରମ କରି ନିଜର ଲକ୍ଷ୍ୟ ସ୍ଥଳରେ
ପହଞ୍ଚିବାକୁ ହେବ ଏବଂ ସେଗୁଡିକୁ ଦେଖିବା ପାଇଁ ସର୍ବଦା ନିଜର ସାକ୍ଷୀଦ୍ରଷ୍ଟାର ଆସନ ଉପରେ
ସ୍ଥିତ ରହିବାକୁ ହେବ, ବାସ୍ । ତା’ପରେ ଦେଖିବ ସେହି ସାଇଡ୍ ସିନ୍ ଗୁଡିକ ତୁମ ପାଇଁ ମନୋରଞ୍ଜନ
ପାଲଟିଯିବ । ତେବେ ସମସ୍ତେ ଏଭରରେଡି ଅଛ ତ? କାଲି ଯଦି କିଛି ବି ହୋଇଯାଏ, ତେବେ ତୁମେ ଏଭରରେଡି
ଅଛ ତ? ପ୍ରଥମ ଧାଡିବାଲା ଏଭରରେଡି ଅଛ ତ? କାଲି ଯଦି କିଛି ହୋଇଯାଏ ତେବେ? ଯଦି ଟୀଚରମାନେ
ପ୍ରସ୍ତୁତ ଅଛନ୍ତି ତେବେ ବହୁତ ଭଲ କଥା । ସବୁ ବର୍ଗବାଲା ମଧ୍ୟ ପ୍ରସ୍ତୁତ ଅଛନ୍ତି । ଯେତେ ବି
ବର୍ଗବାଲା ଆସିଛନ୍ତି ସମସ୍ତେ ଏଭରରେଡି ଅଛ! ଚିନ୍ତା କର । ଦାଦୀମାନେ ଦେଖ, ସମସ୍ତେ ହାତ
ହଲାଉଛନ୍ତି, ବହୁତ ଭଲ, ଅଭିନନ୍ଦନ । ଯଦି ହୋଇନାହଁ ତେବେ ଆଜି ରାତି ସୁଦ୍ଧା ଏଭରରେଡି ହୋଇଯାଅ,
କାହିଁକିନା ସମୟ ତୁମକୁ ଅପେକ୍ଷା କରିଛି, ବାପଦାଦା ମଧ୍ୟ ମୁକ୍ତିର ଗେଟ୍ ଖୋଲିବା ପାଇଁ ଅପେକ୍ଷା
କରିଛନ୍ତି । ଆଡଭାନ୍ସ ପାର୍ଟୀ ମଧ୍ୟ ତୁମମାନଙ୍କୁ ଆବାହନ କରୁଛି । ତୁମେମାନେ କ’ଣ ନ କରିପାରିବ
... ମାଷ୍ଟର ସର୍ବଶକ୍ତିମାନ ଅଟ ନା । କେବଳ ଦୃଢ ସଂକଳ୍ପ କର, ଏହା କରିବାର ଅଛି, ଏହା କରିବାର
ନାହିଁ, ବାସ୍ । ଯଦି କରିବାର ନାହିଁ ତେବେ ଦୃଢ ସଂକଳ୍ପ ଦ୍ୱାରା ‘ନାହିଁ’ କୁ ‘ନାହିଁ’ କରି
ଦେଖାଅ । ମାଷ୍ଟର ଅର୍ଥାାତ୍ ମାଲିକ ତ ଅଟ ନା! ଆଚ୍ଛା!
ତେବେ ପ୍ରଥମ ଥର ପାଇଁ
କେଉଁମାନେ ଆସିଛନ୍ତି? ଯେଉଁମାନେ ପ୍ରଥମ ଥର ଆସିଛନ୍ତି ସେମାନେ ହାତ ଉଠାଅ । ଉଚ୍ଚା ହାତ ଉଠାଅ,
ହାତ ହଲାଅ । ଏତେ ପିଲା ଆସିଛନ୍ତି! ବହୁତ ଭଲ । ଯେଉଁମାନେ ବି ପ୍ରଥମ ଥର ପାଇଁ ଆସିଛନ୍ତି
ସେମାନଙ୍କୁ ପଦ୍ମାଗୁଣା ଅଭିନନ୍ଦନ, ଅଭିନନ୍ଦନ । ବାପଦାଦା ଖୁସି ହେଉଛନ୍ତି ଯେ କଳ୍ପ ପୂର୍ବର
ପିଲାମାନେ ପୁର୍ନବାର ଆସି ନିଜର ପରିବାରରେ ପହଞ୍ଚି ଯାଇଛନ୍ତି । ସେଥିପାଇଁ ପଛରେ ଆସିଥିବା
ପିଲାମାନେ କମାଲ କରି ଦେଖାଅ । ଯଦିଓ ପଛରେ ଆସିଛ କିନ୍ତୁ ତୁମକୁ ପଛରେ ରହିବାର ନାହିଁ । ଆଗରେ
ଆଗରେ ରୁହ । ସେଥିପାଇଁ ତୀବ୍ର ପୁରୁଷାର୍ଥ କରିବାକୁ ପଡିବ । ସାହାସ ଅଛି ତ? ଅଛି ସାହସ? ବହୁତ
ଭଲ କଥା । ସାହସୀ ପିଲାମାନଙ୍କୁ ବାପଦାଦା ଏବଂ ପରିବାରର ସାହାଯ୍ୟ ମଧ୍ୟ ମିଳିଥାଏ । ତେବେ ଆସିଛ
ବହୁତ ଭଲ କରିଛ କାହିଁକିନା ପିଲାମାନେ ଘରର ଶୃଙ୍ଗାର ଅଟନ୍ତି । ତେଣୁ ଯେଉଁମାନେ ବି ଆସିଛ ସମସ୍ତେ
ମଧୁବନ ଘରର ଶୃଙ୍ଗାର ଅଟ । ଆଚ୍ଛା!
ସେବାର ପାଳି ଭୋପାଳ ଜୋନ୍ର:-
ଆଚ୍ଛା, ବହୁତ ପିଲା ଆସିଛନ୍ତି (ପତାକା ହଲାଉଛନ୍ତି) ଭଲ କଥା । ସୁବର୍ଣ୍ଣ ସୁଯୋଗ ମିଳିଯାଇଛି
ନା! ଆଚ୍ଛା, ଯେଉଁମାନେ ସେବା କରିବା ପାଇଁ ଆସିଛନ୍ତି ଏମାନେ ସମସ୍ତେ ସେବାରୁ ଯେଉଁ ବଳ ମିଳିଥାଏ
ବା ଅତିନ୍ଦ୍ରିୟ ସୁଖର ଅନୁଭୂତିର ଫଳ ମିଳିଥାଏ । ତାକୁ ଅନୁଭବ କରିଛ ତ? କରିଛ ତ? ଯଦି ହଁ ତେବେ
ପତାକା ହଲାଅ, ଯେଉଁମାନେ କରିଛ । ଆଚ୍ଛା ତେବେ ସମସ୍ତେ ଅତିନ୍ଦ୍ରୀୟ ସୁଖର ଅନୁଭବ କରିଛ, ତେବେ
ଏହା ସବୁ ଦିନ ପାଇଁ ରହିବ ତ? ନା କିଛି ସମୟ ପାଇଁ ରହିବ? ଯେଉଁମାନେ ଦିଲ୍ର ସହିତ ପ୍ରତିଜ୍ଞା
କରିଛ, ସେମାନେ ହାତ ଉଠାଅ । ଦେଖା ଦେଖିରେ ହାତ ଉଠାଅ ନାହିଁ, ଯିଏ ଭାବୁଛି ମୁଁ ପ୍ରାପ୍ତିକୁ
ସଦାକାଳ ପାଇଁ କାୟମ ରଖିବି, ବିଘ୍ନ ବିନାଶକ ହେବି, ସେ ହାତ ଉଠାଉ । ଆଚ୍ଛା! ଦେଖ, ତୁମମାନଙ୍କର
ଫଟୋ ଟିଭିରେ ଆସୁଛି, ନହେଲେ ଏହି ଫଟୋ ତୁମ ପାଖକୁ ପଠାଯିବ । ଆଚ୍ଛା । ଏହିଭଳି ଯେଉଁ ସୁଯୋଗ
ମିଳୁଛି ତାହା ମଧ୍ୟ ବହୁତ ଭଲ ଅଟେ । ଏଥିରେ ସମସ୍ତେ ବହୁତ ଖୁସିର ସହିତ ସୁଯୋଗ ନେଉଛନ୍ତି ଏବଂ
ଗୋଟିଏ ପାଳି ପରେ ଆଉ ଗୋଟିଏ, ଏହିଭଳି ଭାବରେ ସମସ୍ତଙ୍କୁ ଖୋଲା ଦିଲ୍ରେ ମଧୁବନ ଆସିବା ପାଇଁ
ଅନୁମତି ମିଳିଯାଉଛି । ଆଚ୍ଛା, ଏବେ କେଉଁ କମାଲ କରିବ? (୨୦୦୮ରେ ଆପଣଙ୍କୁ ପ୍ରତ୍ୟକ୍ଷ କରି
ଦେଖାଇବୁ) ବହୁତ ଭଲ କଥା, ପରସ୍ପରକୁ ସହଯୋଗ ଦେଇ ଏହି ପ୍ରତିଶ୍ରୃତିକୁ ପୂରା କରିବ । ନିଶ୍ଚିତ
କରିବ । ମାଷ୍ଟର ସର୍ବଶକ୍ତିବାନ ଆତ୍ମା ପାଇଁ କୌଣସି ବି ପ୍ରତିଶ୍ରୃତିକୁ ରକ୍ଷା କରିବା କିଛି ବଡ
କଥା ନୁହେଁ । କେବଳ ଦୃଢତାକୁ ସାଥୀ କରି ରଖ । ଦୃଢତାକୁ ଛାଡ ନାହିଁ । କାହିଁକି ନା ଦୃଢତା
ସଫଳତାର ଚାବୀ ଅଟେ । ତେବେ ଯେଉଁଠି ଦୃଢତା ଥିବ ସେଠାରେ ସଫଳତା ନିଶ୍ଚିତ ଥିବ । ଏହା ଠିକ୍ କଥା
ନା! ତେଣୁ କରିଦେଖାଅ । ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି । ବହୁତ ଭଲ କଥା । ଦେଖ କେତେ ଜଣଙ୍କୁ
ସୁଯୋଗ ମିଳୁଛି । ଅଧା କ୍ଲାସ ତ ସେବାଧାରୀ ହିଁ ବସିଛନ୍ତି । ବହୁତ ଭଲ । ଦେଖ, ସାକାର ବାବା ଥିବା
ସମୟରେ ମଧ୍ୟ ବହୁତ ଭଲ ପାର୍ଟ କରିଛନ୍ତି, ପ୍ରଥମ ପ୍ରଥମ ମ୍ୟୁଜିୟମ ତ ଇଏ (ଭୋପାଳର ମହେନ୍ଦ୍ର
ଭାଇ) ତିଆରି କରିଥିଲେ । ତେଣୁ ଦେଖ ସାକାର ବାବାଙ୍କର ଆଶୀର୍ବାଦ ସାରା ଜୋନ୍କୁ ମିଳୁଛି । ତେଣୁ
ଏବେ କୌଣସି ନବୀନତା କରି ଦେଖାଅ । ଏବେ ତ ବହୁତ ସମୟ ହୋଇଗଲାଣି, କୌଣସି ନୂଆ ଉଦ୍ଭାବନ ବାହାର କରି
ନାହଁ । ବର୍ଗୀକରଣ ସେବା ମଧ୍ୟ ଏବେ ପୁରୁଣା ହୋଇଗଲାଣି । ପ୍ରଦର୍ଶନୀ, ମେଳା, ସମ୍ମିଳନୀ ସ୍ନେହ
ମିଳନ ଆଦି ସବୁ ତ ହୋଇସାରିଲାଣି । ଏବେ କୌଣସି ନୂଆ କଥା ବାହାର କର । ଶର୍ଟ ଏବଂ ସ୍ୱୀଟ୍ ଅର୍ଥାତ୍
ଖର୍ଚ୍ଚ କମ୍ ଏବଂ ସେବା ଅଧିକ । ରାୟ ବାହାଦୁର ଅଟ ନା! ତେଣୁ କିଛି ନୂଆ ରାୟ ବାହାର କର । ଯେପରି
ପ୍ରଦର୍ଶନୀ ବାହାରିଲା, ତା’ପରେ ମେଳା ବାହାରିଲା, ତା’ପରେ ବର୍ଗୀକରଣ ବାହାରିଲା, ସେହିଭଳି କୌଣସି
ନୂଆ ଉଦ୍ଭାବନ ବାହାର କର । ଦେଖିବା ଏଥିରେ କିଏ ନିମିତ୍ତ ହେଉଛି । ବହୁତ ଭଲ, ସମସ୍ତେ ସାହସୀ
ମଧ୍ୟ ଅଟ, ସେଥିପାଇଁ ବାପଦାଦା ସାହସୀ ପିଲାମାନଙ୍କୁ ସର୍ବଦା ସାହାଯ୍ୟ ପାଇବାର ଆଗକୁ ଅଭିନନ୍ଦନ
ଦେଉଛନ୍ତି । ଆଚ୍ଛା!
ଏବେ ଗୋଟିଏ ସେକେଣ୍ଡରେ
ସମସ୍ତେ ବହୁତ ମିଠା ମିଠା ସ୍ୱୀଟ୍ ସାଇଲେ୍ନ୍ସ ସ୍ଥିତିର ଅନୁଭବରେ ହଜିଯାଅ । (ବାପଦାଦା ଡ୍ରିଲ୍
କରାଇଲେ) ଆଚ୍ଛା!
ଚାରିଆଡର ସମସ୍ତ ତୀବ୍ର
ପୁରୁଷାର୍ଥୀ, ସର୍ବଦା ନିଜର ଦୃଢ ସଂକଳ୍ପ ଦ୍ୱାରା ସଫଳତାକୁ ପ୍ରାପ୍ତ କରୁଥିବା, ସଦା ବିଜୟର
ତିଳକ ଧାରୀ, ବାପଦାଦାଙ୍କର ହୃଦୟ ସିଂହାସନ ଅଧିକାରୀ, ଡବଲ ମୁକୁଟଧାରୀ, ବିଶ୍ୱ କଲ୍ୟାଣକାରୀ,
ସର୍ବଦା ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରୁଥିବା, ପରମାତ୍ମ ସ୍ନେହରେ ପାଳିତ ହେଉଥିବା
ସର୍ବଶ୍ରେଷ୍ଠ ସନ୍ତାନମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆନ୍ତରିକ ଆଶୀର୍ବାଦ
ଏବଂ ନମସ୍ତେ ।
ଦାଦିମାନଙ୍କ ସହିତ:-
ଯେହେତୁ ପିଲାମାନେ ଉପସ୍ଥିତ ଅଛନ୍ତି ତେଣୁ ବାବା ତ ନିଶ୍ଚିତ ଉପସ୍ଥିତ ହେବେ, କାହିଁକିନା ବାବା
ପିଲାମାନଙ୍କଠାରୁ ଦୂରେଇ ରହିପାରିବେ ନାହିଁ, କି ପିଲାମାନେ ମଧ୍ୟ ବାବାଙ୍କଠାରୁ ଦୂରେଇ
ରହିପାରିବେ ନାହିଁ । ପ୍ରତିଜ୍ଞା କରିଛ ନା - ସାଥୀରେ ଅଛୁ ତୁମ ସାଥୀରେ ଯିବୁ, ଅଧାକଳ୍ପ
ବ୍ରହ୍ମାବାବାଙ୍କ ସାଥୀରେ ରହିବୁ । (ଜାନକୀ ଦାଦୀ କହିଲେ ଶିବବାବା ତ ବ୍ରହ୍ମାଙ୍କ ସହିତ ମିଶି
କରି ଅଛନ୍ତି ନା) ତୁମର ଏହି ଅନୁଭୂତି ମଧ୍ୟ ଠିକ୍ ଅଟେ । ଏବେ ପାଇଁ ତ ଗ୍ୟାରେଣ୍ଟି ଦେଉଛି
କିନ୍ତୁ ଯେତେବେଳେ ରାଜ୍ୟ କରିବ ସେତେବେଳେ ଆସିବି ନାହିଁ । କେହି ଦେଖିବାବାଲା ତ ଦରକାର ନା । (ଉପରେ
ଆପଣଙ୍କର କିପରି ମନ ଲାଗିବ?) ଡ୍ରାମାରେ ପାର୍ଟ ଅଛି ନା । ବ୍ରହ୍ମାବାବା ତ ସାଥୀରେ ଅଛନ୍ତି ନା
। ଦେଖ, ଡ୍ରାମା କ’ଣ କରାଉଛି?
ବରଦାନ:-
ରିୟଲଟୀ ଅର୍ଥାତ୍
ବାସ୍ତବିକତା ଦ୍ୱାରା ପ୍ରତ୍ୟେକ କର୍ମ ବା ବାଣୀରେ ରୟାଲିଟୀ ଅର୍ଥାତ୍ ରାଜକୀୟତାର ପ୍ରଦର୍ଶନ
କରୁଥିବା ପ୍ରଥମ ଶ୍ରେଣୀର ଅଧିକାରୀ ହୁଅ ।
ରିୟଲିଟୀ ଅର୍ଥାତ୍ ନିଜ
ଅସଲି ସ୍ୱରୂପର ସ୍ମୃତି ସର୍ବଦା ରହୁଥିବ, ଯାହାଦ୍ୱାରା ସ୍ଥୂଳ ଚେହେରାରେ ମଧ୍ୟ ରୟାଲିଟୀ
ଦେଖାଯିବ । ତେବେ ରିୟଲିଟୀର ଅର୍ଥ ହେଲା ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ । ଏହି ସ୍ମୃତି
ଦ୍ୱାରା ପ୍ରତ୍ୟେକ କର୍ମରେ ଏବଂ ବାଣୀରେ ରୟାଲିଟୀ ଦେଖାଯିବ । ଯିଏ ବି ତୁମ ସମ୍ପର୍କରେ ଆସିବ
ସେମାନଙ୍କୁ ପ୍ରତ୍ୟେକ କର୍ମରେ ବାବାଙ୍କ ସମାନ ଚରିତ୍ରର ଅନୁଭୂତି ହେବ, ପ୍ରତ୍ୟେକ ବାଣୀରେ
ବାବାଙ୍କ ଭଳି ଅଧିକାରୀ ପଣିଆର ଏବଂ ପ୍ରାପ୍ତିର ଅନୁଭୂତି ହେବ । ତୁମର ସଙ୍ଗ ସଚ୍ଚା ହୋଇଥିବା
କାରଣରୁ ପାରସ ଭଳି କାମ କରିବ । ଏହିଭଳି ରିୟଲିଟୀ ସମ୍ପନ୍ନ ରୟାଲ ଆତ୍ମାମାନେ ହିଁ ଫାଷ୍ଟ
ଡିଭିଜନ୍ର ଅଧିକାରୀ ହୋଇଥାଆନ୍ତି ।
ସ୍ଲୋଗାନ:-
ଯଦି ଶ୍ରେଷ୍ଠ
କର୍ମର ଖାତାକୁ ବଢାଇ ଚାଲିବ, ତେବେ ବିକର୍ମର ଖାତା ସମାପ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା:-
ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ । ଏବେ ତ ଚାରିଆଡେ ହଲଚଲ୍ ରହିଛି ଏବଂ ଆଗକୁ
ମଧ୍ୟ ବ୍ୟକ୍ତିମାନଙ୍କ ଆଡୁ, ପ୍ରକୃତି ଆଡୁ, ହଲ୍ଚଲ୍ ନିଶ୍ଚିତ ବଢିବ, ତେଣୁ ଏହିଭଳି ସମୟରେ
ସୁରକ୍ଷିତ ରହିବାର ସାଧନ ହେଲା ଗୋଟିଏ ସେକେଣ୍ଡ ଭିତରେ ନିଜକୁ ବିଦେହୀ, ଅଶରୀରୀ ବା ଆତ୍ମ
ଅଭିମାନୀ କରିଦେବା । ତେଣୁ ମଝିରେ ମଝିରେ ଅଭ୍ୟାସ କରି ଦେଖ ଯେ ମୁଁ ଗୋଟିଏ ସେକେଣ୍ଡ ଭିତରେ ମନ
ବୁଦ୍ଧିକୁ ଯେଉଁଠି ଇଚ୍ଛା ସେଠାରେ ସ୍ଥିତ କରିପାରୁଛି କି ନାହିଁ? ଏହାକୁ ହିଁ ସାଧନା କୁହାଯାଏ ।
ସୂଚନା:- ଆଜି ମାସର ତୃତୀୟ ରବିବାର, ସମସ୍ତ ରାଜଯୋଗୀ ଭାଇ ଭଉଣୀମାନେ ସନ୍ଧ୍ୟା ୬.୩୦ମି. ଠାରୁ
୭.୩୦ ମି. ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ନିଜର ଶୁଭ ଭାବନାର ଶ୍ରେଷ୍ଠ ବୃତ୍ତି ଦ୍ୱାରା
ମାନସୀକ ଶକ୍ତିର ମହାଦାନୀ ହୋଇ ସମସ୍ତଙ୍କୁ ନିର୍ଭୟତାର ବରଦାନ ଦେବାର ସେବା କରିବା ହେବେ ।