17.08.25    Avyakt Bapdada     Odia Murli    16.11.2006     Om Shanti     Madhuban


"ନିଜର ସ୍ୱମାନର ସ୍ୱଭିମାନରେ ରୁହ ଏବଂ ସମୟର ମହତ୍ୱକୁ ଜାଣି ସଦା ପ୍ରସ୍ତୁତ ରୁହ”


ଆଜି ବାପଦାଦା ନିଜର ଚାରିଆଡ଼ର ପରମାତ୍ମ ସ୍ନେହର ପାତ୍ର ସ୍ୱମାନର ଆସନ ଉପରେ ସ୍ଥିତ ରହୁଥିବା ପିଲାମାନଙ୍କୁ ଦେଖୁଛନ୍ତି । ଏମିତି ତ ସବୁ ପିଲା ନିଜ ନିଜର ଆସନ ଉପରେ ବସିଛନ୍ତି, କିନ୍ତୁ କେତେକ ପିଲା ଏକାଗ୍ର ସ୍ଥିତିର ଆସନ ଉପରେ ସ୍ଥିତ ଅଛନ୍ତି । ଆଉ କେତେକ ପିଲା ସଂକଳ୍ପରେ କିଛି କିଛି ହଲ୍‌ଚଲ୍ ହେଉଛନ୍ତି । ବାପଦାଦା ବର୍ତ୍ତମାନର ସମୟ ଅନୁସାରେ ପ୍ରତ୍ୟେକ ପିଲାଙ୍କୁ ଏକାଗ୍ରତା ରୂପରେ ସ୍ୱମାନଧାରୀ ସ୍ୱରୂପରେ ସର୍ବଦା ଦେଖିବାକୁ ଚାହୁଁଛନ୍ତି । ପିଲାମାନେ ମଧ୍ୟ ସର୍ବଦା ଏକାଗ୍ରତାର ସ୍ଥିତିରେ ସ୍ଥିତ ହେବାକୁ ଚାହୁଁଛନ୍ତି । ତେବେ ସମସ୍ତେ ନିଜର ଭିନ୍ନ ଭିନ୍ନ ପ୍ରକାରର ସ୍ୱମାନକୁ ମଧ୍ୟ ଜାଣିଛନ୍ତି ଏବଂ ତା’ର ଚିନ୍ତନ ମଧ୍ୟ କରୁଛନ୍ତି, କିନ୍ତୁ ଏକାଗ୍ରତାରୁ ପୁଣି ହଲ୍‌ଚଲ୍ ସ୍ଥିତିକୁ ଆସିଯାଉଛନ୍ତି । ସର୍ବଦା ଏକରସ ଅର୍ଥାତ୍ ଏକାଭଳି ସ୍ଥିତିରେ ବହୁତ କମ୍ ରହୁଛନ୍ତି । ଅନୁଭବ ମଧ୍ୟ କରୁଛନ୍ତି ଏବଂ ଏହିଭଳି ସ୍ଥିତିରେ ମଧ୍ୟ ରହିବାକୁ ଚାହୁଁଛନ୍ତି । କିନ୍ତୁ ଏଥିରେ କେବେ କେବେ କାହିଁକି ହେଉଛି, ଏହାର କାରଣ କ’ଣ? ସର୍ବଦା ଏଥିପ୍ରତି ଆଟେନ୍‌ଶନ ଅର୍ଥାତ ଧ୍ୟାନ ଦେବାରେ କମୀ ରହୁଛି । ଯଦି ସ୍ୱମାନ୍‌ର ତାଲିକା ବାହାର କରାଯିବ ତ ବହୁତ ବଡ଼ ହୋଇଯିବ । ତେବେ ସବୁଠାରୁ ପ୍ରଥମ ସ୍ୱମାନ ହେଲା ଆଜି ପର୍ଯ୍ୟନ୍ତ ଯେଉଁ ପିତାଙ୍କୁ ମନେ ପକାଇ ଆସୁଥିଲ ଏବେ ପ୍ରତ୍ୟକ୍ଷରେ ତାଙ୍କର ସନ୍ତାନ ହୋଇଯାଇଛ ଏବଂ ତାହା ମଧ୍ୟ ନମ୍ବରୱାନ୍ ସନ୍ତାନ ଅଟ । ବାପଦାଦା ତୁମଭଳି କୋଟିକ ଭିତରେ କେହି ପିଲାମାନଙ୍କୁ କେଉଁଠୁ-କେଉଁଠୁ ବାଛି ବାଛି ନିଜର ସନ୍ତାନ କରିଛନ୍ତି ଏବଂ ପଞ୍ଚୋଟି ଯାକ ମହାଦୀପରୁ ପ୍ରତ୍ୟକ୍ଷ ରୂପରେ ବାବା ନିଜର ସନ୍ତାନମାନଙ୍କୁ ନିଜର କରିନେଇଛନ୍ତି । ଏହା କେତେ ବଡ଼ ସ୍ୱମାନ ଅଟେ । ସୃଷ୍ଟିର ରଚୟିତାଙ୍କର ପ୍ରଥମ ରଚନା ତୁମେମାନେ ହିଁ ଅଟ । ଜାଣିଛ ତ ଏହି ସ୍ୱମାନକୁ! ବାପଦାଦା ନିଜ ସହିତ ତୁମମାନଙ୍କୁ ମଧ୍ୟ ସାରା ବିଶ୍ୱର ଆତ୍ମାମାନଙ୍କର ପୂର୍ବଜ କରି ଦେଇଛନ୍ତି । ତେଣୁ ସାରା ବିଶ୍ୱର ପୂର୍ବଜ ମଧ୍ୟ ଅଟ ଏବଂ ପୂଜ୍ୟ ମଧ୍ୟ ଅଟ । ବାପଦାଦା ପ୍ରତ୍ୟେକ ସନ୍ତାନମାନଙ୍କୁ ବିଶ୍ୱର ଆଧାର ମୂରତ୍ ଏବଂ ଉଦାହରଣ ମୂରତ୍ କରିଛନ୍ତି । କ’ଣ ଏହିଭଳି ନିଶା ଅଛି ତ’? କେବେ କେବେ ଟିକିଏ ନିଶା କମ୍ ହୋଇଯାଉଛି କି? ଚିନ୍ତାକର, ସାରା କଳ୍ପ ଭିତରେ ଏଭଳି ଅମୂଲ୍ୟ ସିଂହାସନ କାହାକୁ ବି ପ୍ରାପ୍ତ ହେଉନାହିଁ, ତାହାହେଲା ପରମାତ୍ମାଙ୍କର ହୃଦୟରୂପୀ ସିଂହାସନ, ଆଲୋକର ମୁକୁଟ ଏବଂ ସ୍ମୃତିର ତିଳକ ଯାହା ତୁମମାନଙ୍କୁ ମିଳିଯାଇଛି । ତେବେ ତୁମର ସ୍ମୃତି ଆସୁଛି ନା - ମୁଁ କିଏ? ମୋ’ର ସ୍ୱମାନ କ’ଣ? ଏହାର ନିଶା ରହୁଛି ତ? ସାରା କଳ୍ପ ଭିତରେ ସତ୍ୟଯୁଗୀ ରାଜ୍ୟ ସିଂହାସନ କେତେ ବି ମୂଲ୍ୟବାନ ହୋଇଥାଉ କିନ୍ତୁ ପରମାତ୍ମାଙ୍କର ଦିଲ୍ ରୂପୀ ସିଂହାସନ କେବଳ ତୁମମାନଙ୍କୁ ହିଁ ପ୍ରାପ୍ତ ହେଉଛି ।

ବାପଦାଦା ସର୍ବଦା ଶେଷ ନମ୍ବର ସନ୍ତାନକୁ ମଧ୍ୟ ଫରିସ୍ତା ଏବଂ ଦେବତା ସ୍ୱରୂପରେ ହିଁ ଦେଖୁଛନ୍ତି । ଏବେ ଏବେ ବ୍ରାହ୍ମଣ ଅଟ, ବ୍ରାହ୍ମଣରୁ ପୁଣି ଫରିସ୍ତା ହେବ ଏବଂ ଫରିସ୍ତାରୁ ଦେବତା ମଧ୍ୟ ନିଶ୍ଚିତ ହେବ । ଜାଣିଛ ତ ନିଜର ସ୍ୱମାନକୁ? କାହିଁକି ନା ବାପଦାଦା ଜାଣିଛନ୍ତି ଯେ ନିଜର ସ୍ୱମାନକୁ ଭୁଲିଯିବା କାରଣରୁ ହିଁ ଦେହଭାନ ଏବଂ ଦେହ ଅଭିମାନ ଆସୁଛି, ଯାହା ଦ୍ୱାରା ଦୁଃଖୀ ମଧ୍ୟ ହେଉଛ । ବାପଦାଦା ଦେଖୁଛନ୍ତି ପିଲାମାନଙ୍କ ଭିତରେ ଯେତେବେଳେ ଦେହ ଭାନ ଅର୍ଥାତ୍ ଦେହର ସ୍ମୃତି ଏବଂ ଦେହର ଅଭିମାନ ଆସୁଛି ସେତେବେଳେ କେତେ ଦୁଃଖୀ ହୋଇଯାଉଛ । ଏଥିରେ ତ ସମସ୍ତେ ଅନୁଭବୀ ଅଟ ସ୍ୱମାନ ରୂପୀ ସ୍ୱାଭିମାନରେ ରହିବା ଏବଂ ଏହିଭଳି ଦୁଃଖ ଅଶାନ୍ତିରେ ରହିବା, ଉଭୟକୁ ତ ତୁମେମାନେ ଜାଣିଛ ନା! ବାପଦାଦା ଦେଖୁଛନ୍ତି ଅଧିକାଂଶ ପିଲା ଭଲ ଭାବରେ ନଲେଜଫୁଲ୍ ଅର୍ଥାତ୍ ଜ୍ଞାନୀ ମଧ୍ୟ ହୋଇଯାଇଛନ୍ତି, କିନ୍ତୁ ସର୍ବଶକ୍ତିରେ ଫୁଲ୍ ନୁହଁନ୍ତି, କମ୍ ବେସି ହିସାବରେ ଅଛନ୍ତି ।

ବାପଦାଦା ପ୍ରତ୍ୟେକ ସନ୍ତାନକୁ ନିଜର ସର୍ବ ସମ୍ପତ୍ତିର ବାଳକ ହିସାବରେ ମାଲିକ ମଧ୍ୟ କରିଛନ୍ତି, ସମସ୍ତଙ୍କୁ ସର୍ବ ସମ୍ପତ୍ତି ମଧ୍ୟ ଦେଇଛନ୍ତି କାହାକୁ କମ୍ ବେଶି ଦେଇ ନାହାଁନ୍ତି । କାହିଁକି ନା ସମ୍ପତ୍ତି ତ ବେସୁମାର ରହିଛି । ଅସରନ୍ତି ସମ୍ପତ୍ତି ରହିଛି । ସେଥିପାଇଁ ପ୍ରତ୍ୟେକ ସନ୍ତାନକୁ ବେହଦର ବାଳକ ହିସାବରେ ମାଲିକ କରିଛନ୍ତି । ଯେହେତୁ ସେ ବେହଦର ପିତା ଅଟନ୍ତି ଏବଂ ତାଙ୍କ ପାଖରେ ମଧ୍ୟ ବେହଦର ସମ୍ପତ୍ତି ମଧ୍ୟ ରହିଛି ତେଣୁ ଏବେ ନିଜେ ନଜକୁ ଚେକ୍ କର ଯେ ତୁମ ପାଖରେ ମଧ୍ୟ ବେହଦର ସମ୍ପତ୍ତି ଅଛି ତ? ସବୁବେଳେ ଅଛି ନା କେବେକେବେ କିଛି କିଛି ଚୋରି ହୋଇଯାଇଛି? ହଜି ଯାଇଛି କି? ଏବେ ବାବା ଏଥି ପ୍ରତି କାହିଁକି ଧ୍ୟାନ ଆକର୍ଷଣ କରାଉଛନ୍ତି? କାହିଁକି ନା ପିଲାମାନେ କେବେ ବି ଦୁଃଖୀ ନ ହୁଅନ୍ତୁ । ସର୍ବଦା ସ୍ୱମାନର ଆସନ ଉପରେ ସ୍ଥିତ ରୁହନ୍ତୁ, ହଲ୍‌ଚଲ୍ ନ ହୁଅନ୍ତୁ । ୬୩ ଜନ୍ମ ତ ହଲ୍‌ଚଲ୍ ହେବାର ଅନୁଭବ କରିନେଲ ନା! ଏବେ ଆହୁରି କରିବାକୁ ଚାହୁଁଛ କି? ଥକିନାହଁ କି? ଏବେ ନିଜର ସ୍ୱମାନରେ ରହିବା ଅର୍ଥ ନିଜର ସର୍ବୋଚ୍ଚ ସ୍ୱାଭିମାନରେ ରହିବା । କାହିଁକି ଜାଣିଛ, ଏଥିରେ କେତେ ସମୟ ବିତି ଗଲାଣି? ୭୦ ବର୍ଷ ପାଳନ କରୁଛ ନା? ତେଣୁ ନିଜର ପରିଚୟର ଅର୍ଥ ହେଲା ସ୍ୱମାନର ପରିଚୟ ମିଳିବା ଏବଂ ସ୍ୱମାନରେ ସ୍ଥିତ ରହିବା । ସମୟ ଅନୁସାରେ ଏବେ ସଦା ଶବ୍ଦକୁ ବାସ୍ତବିକ ରୂପରେ ଜୀବନରେ କାର୍ଯ୍ୟକାରୀ କରିବାକୁ ହେବ । କେବଳ ଶବ୍ଦ ଉପରେ ଧ୍ୟାନ ଦୋବାର ନାହିଁ, କିନ୍ତୁ ତାକୁ ବାସ୍ତବିକ ଜୀବନରେ ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ମୋତେ ସ୍ୱମାନରେ ରହିବାର ଅଛି, ରହିବି, ଚେଷ୍ଟା ତ କରୁଛି, ନିଶ୍ଚିତ କରିନେବି..... ଏହା ବେହଦର ବାଳକ ତଥା ମାଲିକର ଭାଷା ନୁହେଁ । ଏବେ ତ ସମସ୍ତଙ୍କ ଦିଲ୍ ଭିତରୁ ଏହି ଶବ୍ଦ ଅନବରତ ବାହାରୁ ଯାହା ପାଇବାର ଥିଲା ତାହା ପାଇଗଲି । ପାଉଛି ଶବ୍ଦ ବେହଦ ପିତାଙ୍କର ବେହଦ ସମ୍ପତ୍ତି ପ୍ରାପ୍ତ କରିଥିବା ପିଲାମାନେ କହି ପାରିବେ ନାହିଁ । ମୁଁ ପାଇ ସାରିଛି । ଯେବେ କି ବାପଦାଦାଙ୍କୁ ପାଇଯାଇଛ, ମେରାବାବା ବୋଲି କହିଦେଇଛ, ମାନିଯାଇଛ, ଜାଣିଯାଇଛ ତେବେ ଏହି ଶବ୍ଦ ତ ଅନବରତ ଭାବରେ ବାହାରିବ, କାହିଁକି ନା ବାପଦାଦା ଜାଣିଛନ୍ତି ଯେ ପିଲାମାନେ କେବେ କେବେ ସ୍ୱମାନରେ ରହୁଥିବା କାରଣରୁ ସମୟର ମହତ୍ୱକୁ ସ୍ମୃତିରେ କମ୍ ରଖୁଛନ୍ତି । ଗୋଟିଏ ହେଲା ନିଜର ସ୍ୱମାନର ମହତ୍ୱ ଦ୍ୱିତୀୟରେ ହେଲା ସମୟର ମହତ୍ୱ । କାରଣ ତୁମେମାନେ ସାଧାରଣ ଆତ୍ମା ନୁହେଁ, ପୂର୍ବଜ ଅଟ । ତୁମ ଜଣ ଜଣଙ୍କ ପଛରେ ବିଶ୍ୱର ଆତ୍ମାମାନଙ୍କର ଆଧାର ରହିଛି । ତେଣୁ ଟିକିଏ ଭାବି ଦେଖ ତୁମେ ଯଦି ହଲ୍‌ଚଲ୍ ହେବ ତେବେ ବିଶ୍ୱର ଆତ୍ମାମାନଙ୍କର ଅବସ୍ଥା କ’ଣ ହେବ? ଏପରି ଭାବନାହିଁ ଯେ ମହରଥୀ ବୋଲାଉଥିବା ଆତ୍ମାମାନଙ୍କ ପଛରେ ହିଁ ବିଶ୍ୱର ଆଧାର ରହିଛି । ଯଦି ନୂଆ ନୂଆ ମଧ୍ୟ ଅଟ, କାହିଁକି ନା ନୂଆ ପିଲାମାନେ ମଧ୍ୟ ବହୁତ ଆସିଥିବେ । (ପ୍ରଥମଥର ପାଇଁ ଆସିଥିବା ପିଲାମାନେ ହାତ ଉଠାଇଲେ) ଏମାନେ ସମସ୍ତେ ନୂଆ ଅଟନ୍ତି । ଯେଉଁମାନେ ଦିଲ୍‌ର ସହିତ ମାନିଯାଇଛନ୍ତି ଯେ ବାବା ମୋର ଅଟନ୍ତି, କ’ଣ ମାନିଯାଇଛ ତ! ଯେଉଁ ପିଲାମାନେ ନୂଆକରି ଆସିଛନ୍ତି ସେମାନେ ମାନୁଛନ୍ତି ତ? ଜାଣିଛୁ ନୁହେଁ, ମାନୁଛୁ "ମେରା ବାବା' ସେମାନେ ହାତ ଉଠାଅ, ଲମ୍ବା ହାତ ଉଠାଅ । ନୂଆ ନୂଆମାନେ ହାତ ଉଠାଉଛନ୍ତି, ପୁରୁଣାମାନେ ତ ପକ୍କା ଅଛନ୍ତି ନା! ତେଣୁ ଯେଉଁମାନେ ଦିଲର ସହିତ ମାନିଯାଇଛନ୍ତି ଯେ ବାବା ମୋର ଅଟନ୍ତି ଏବଂ ବାବା ମଧ୍ୟ ମାନିଯାଇଛନ୍ତି ଯେ ତୁମେ ମୋର ସନ୍ତାନ ଅଟ, ସେମାନେ ସମସ୍ତେ ସାରା ବିଶ୍ୱର ଆତ୍ମାମାନଙ୍କ ପାଇଁ ଦାୟୀ ଅଟନ୍ତି । କାହିଁକି ଜାଣିଛ? ଯେବେଠାରୁ ତୁମେ କହୁଛ ଯେ ମୁଁ ବ୍ରହ୍ମାକୁମାର, ବ୍ରହ୍ମାକୁମାରୀ ଅଟେ ତେବେ ତୁମେମାନେ ବ୍ରହ୍ମାକୁମାର ବ୍ରହ୍ମାକୁମାରୀ ହେଲ, ନା ଶିବ୍‌କୁମାର/ଶିବ୍‌କୁମାରୀ ହେଲ, ନା ଦୁଇଜଣଙ୍କର ହେଲ? ତା’ହେଲେ ତ ବାନ୍ଧି ହୋଇଗଲ, ଦାଇତ୍ୱର ମୁକୂଟ ତ ପିନ୍ଧିନେଲ ନା । କ’ଣ ପିନ୍ଧିଛ ତ? ପାଣ୍ଡବମାନେ କୁହନ୍ତୁ କ’ଣ ଦାଇତ୍ୱର ମୁକୁଟ ପିନ୍ଧିଛ ତ? ଓଜନ ଲାଗୁନାହିଁ ତ? ହାଲୁକା ଅଟେ ତ! କାରଣ ଲାଇଟ୍‌ର ମୁକୁଟ ତ ଅଟେ ନା । ତେବେ ଲାଇଟ୍ କେତେ ହାଲୁକା ହୋଇଥାଏ । ତେଣୁ ସମୟର ମହତ୍ୱକୁ ମଧ୍ୟ ଧ୍ୟାନରେ ରଖ । ସମୟ କାହାକୁ ପଚାରି କରି ଆସିବ ନାହିଁ । କେତେକ ପିଲା ତ ଏବେ ବି ମଧ୍ୟ କହୁଛନ୍ତି, ଭାବୁଛନ୍ତି, କିଛି ତ ସଂକେତ ମିଳିବା ଦରକାର ନା ହୁଏତ ୨୦ ବର୍ଷ ଅଛି ବା ୧୦ ବର୍ଷ ଅଛି, ଟିକିଏ ତ ଜଣା ପଡ଼ିବା ଦରକାର । କିନ୍ତୁ ବାପଦାଦା କହୁଛନ୍ତି ଶେଷ ସମୟର ବା ଅନ୍ତିମ ବିନାଶର କଥାକୁ ଛାଡ଼, କିନ୍ତୁ ତୁମର ନିଜର ଶରୀରର ବିନାଶ କେବେ ହେବ, ତୁମକୁ ଜଣାଅଛି କି? କେହି ଅଛ କି ଜାହାକୁ ଜଣା ଅଛି ଯେ ଅମୁକ ତାରଖରେ ମୁଁ ଶରୀର ଛାଡ଼ିବି? ଜଣା ଅଛି! ଏହା ଛଡ଼ା ଆଜିକାଲି ତ ବ୍ରାହ୍ମଣ ମାନଙ୍କର ଶରୀର ଛାଡି଼ବାର ଭୋଗ ବହୁତ ଲଗାଉଛ । ତେଣୁ କୌଣସି ଭରସା ନାହିଁ । ସେଥିପାଇଁ ସମୟର ମହତ୍ୱକୁ ଜାଣ । ଏହି ଛୋଟିଆ ଯୁଗଟି ଆୟୁଷ ହିସାବରେ ବହୁତ ଛୋଟ କିନ୍ତୁ ବଡ଼ରୁ ବଡ଼ ପ୍ରାପ୍ତି କରାଇବାର ଯୁଗ ଅଟେ, କାହିଁକି ନା ବଡ଼ରୁ ବଡ଼ ପିତା ଏହି ଛୋଟିଆ ଯୁଗରେ ହିଁ ଆସୁଛନ୍ତି । ଅନ୍ୟ କୌଣସି ବଡ଼ ଯୁଗରେ ଆସୁ ନାହାଁନ୍ତି । ଏହି ଛୋଟିଆ ଯୁଗଟି ହିଁ ସାରା କଳ୍ପ ପାଇଁ ପ୍ରାପ୍ତିର ମଞ୍ଜି ପୋତିବାର ସମୟ ଅଟେ । ଚାହେଁ ବିଶ୍ୱର ରାଜ୍ୟଭାଗ୍ୟ ପ୍ରାପ୍ତ କର ବା ପୂଜ୍ୟପଦ ପ୍ରାପ୍ତ କର, ସାରା କଳ୍ପର ବୀଜ ପୋତିବାର ସମୟ ଏହା ହିଁ ଅଟେ ଏବଂ ଡବଲ୍ ଫଳ ପ୍ରାପ୍ତ କରିବାର ସମୟ ମଧ୍ୟ ଅଟେ । ଭକ୍ତିର ଫଳ ମଧ୍ୟ ଏବେ ମିଳୁଛି ଏବଂ ପ୍ରତ୍ୟକ୍ଷ ଫଳ ମଧ୍ୟ ଏବେ ମିଳୁଛି । ଏବେ ଏବେ କରିଲ, ଏବେ ଏବେ ପ୍ରତ୍ୟକ୍ଷ ଫଳ ମିଳିଗଲା ଏବଂ ଭବିଷ୍ୟତ ପାଇଁ ମଧ୍ୟ ଜମା ରହିଲା ତେବେ ସାରା କଳ୍ପରେ ଦେଖି ଆସ, ଏଭଳି କୌଣସି ଯୁଗ ଅଛି କି? କାହିଁକି ନା ଏହି ସମୟରେ ହିଁ ବାବା ପ୍ରତ୍ୟେକ ସନ୍ତାନ ହାତରେ ବଡରୁ ବଡ ଉପହାର ଦେଇଛନ୍ତି, କ’ଣ ନିଜର ଉପହାର ମନେ ଅଛି ତ! ସ୍ୱର୍ଗର ରାଜ୍ୟ ଭାଗ୍ୟ । ନୂତନ ସ୍ୱର୍ଗ ଦୁନିଆର ଉପହାର ସବୁ ପିଲାଙ୍କ ହାତ ପାପୁଲିରେ ଦେଇଛନ୍ତି । ତେବେ ଏତେ ବଡ ଉପହାର ମଧ୍ୟ କେହି ଦେଇ ନାହାଁନ୍ତି କି କେବେ ବି ଦେଇପାରିବେ ନାହିଁ, କେବଳ ଏବେ ହିଁ ମିଳୁଛି । ଏବେ ହିଁ ତୁମେମାନେ ମାଷ୍ଟର ସର୍ବଶକ୍ତିବାନ ହେଉଛ କିନ୍ତୁ ଅନ୍ୟ କୌଣସି ଯୁଗରେ ମାଷ୍ଟର ସର୍ବ ଶକ୍ତିବାନର ପଦବୀ ମିଳିନ ଥାଏ । ତେଣୁ ନିଜର ସ୍ୱମାନରେ ମଧ୍ୟ ଏକାଗ୍ର ହୋଇ ରୁହ ଏବଂ ସମୟର ମହତ୍ୱକୁ ମଧ୍ୟ ଜାଣ । ତେଣୁ ନିଜକୁ, ସମୟକୁ, ନିଜର ସ୍ୱମାନକୁ ଏବଂ ସମୟର ମହତ୍ତ୍ୱକୁ ଜାଣ, ଏଥିରେ ବେପରୁଆ ହୁଅ ନାହିଁ । ତେବେ ୭୦ ବର୍ଷ ତ ବିତିଗଲାଣି, ଏବେ ବି ଯଦି ବେପରୁଆ ହେବ ତେବେ ନିଜର ପ୍ରାପ୍ତିରେ ବହୁତ କିଛି କମୀ କରିଦେବ କାହିଁକି ନା ଯେତେଯେତେ ଆଗକୁ ବଢିଚାଲିଛ ସେତିକି ସେତିକି ଗୋଟିଏ ଅବହେଳା ପଣିଆ ମଧ୍ୟ ବଢିଚାଲିଛି, ତାହାହେଲା ମୁଁ ବହୁତ ଭଲ, ବହୁତ ଭଲ ଭାବରେ ଚାଲୁଛି, ନିଶ୍ଚିତ ପହଞ୍ଚିଯିବି, ଦେଖିବ ମୁଁ ପଛରେ ରହିବି ନାହିଁ, ହୋଇ ହିଁ ଯିବି.... ଏହା ହିଁ ହେଉଛି ବଡରୁ ବଡ ଅବହେଳା ପଣିଆ ଏବଂ ଦ୍ୱିତୀୟରେ ହେଲା ରାଜକୀୟ ରୂପରେ ଆଳସ୍ୟ ମଧ୍ୟ ଆସିଯାଉଛି । ଅବହେଳା ପଣିଆ ଏବଂ ଆଳସ୍ୟ । କେବେ ଶବ୍ଦ ହେଲା ଆଳସ୍ୟର ଶବ୍ଦ, ଏବଂ ଏବେ ଶବ୍ଦ ହେଉଛି ତୁରନ୍ତ ଦାନ ମହାପୁଣ୍ୟର ପ୍ରାପ୍ତି ।

ତେବେ ଆଜି ତ ପ୍ରଥମ ପାଳି ଅଟେ ନା! ତେଣୁ ବାପଦାଦା ପିଲାମାନଙ୍କର ଧ୍ୟାନ ଆକର୍ଷିତ କରାଉଛନ୍ତି ଏହି ସିଜିନ୍ ସାରା ସ୍ୱମାନର ଆସନରୁ ତଳକୁ ଆସିବାର ନାହିଁ କି ସମୟର ମହତ୍ୱକୁ ଭୁଲିବାର ନାହିଁ । ତେଣୁ ସତର୍କ ରୁହ, ସାବଧାନ ରୁହ, ଖବରଦାର ରୁହ । ତୁମେମାନେ ମୋ’ର ପ୍ରିୟ ସନ୍ତାନ ଅଟ ନା! ତେଣୁ ଯାହା ପ୍ରତି ସ୍ନେହ ଥାଏ ତା’ର ଟିକିଏ ବି କମୀ କମଜୋରୀ ଦେଖି ହୁଏ ନାହିଁ । ପୂର୍ବରୁ ଶୁଣାଇଛୁ ନା ବାପଦାଦାଙ୍କର ଶେଷ ପଦବାଲା ପିଲା ପ୍ରତି ମଧ୍ୟ ଅତି ସ୍ନେହ ରହିଛି କାରଣ ସନ୍ତାନ ତ ଅଟେ ନା । ତେବେ ବର୍ତ୍ତମାନ ଯେଉଁ ସିଜିନ୍ ଚାଲିଛି ଯଦିଓ ଏହା ଭାରତବାସୀମାନଙ୍କର ସିଜିନ୍ ଅଟେ ପୁଣି ବି ଡବଲ ବିଦେଶୀ ମଧ୍ୟ କିଛି କମ୍ ନୁହଁନ୍ତି । ବାପଦାଦା ଦେଖୁଛନ୍ତି କୌଣସି ବି ପାଳି ଏଭଳି ନାହିଁ ଯେଉଁଥିରେ ଡବଲ ବିଦେଶୀ ଆସି ନ ଥିବେ । ଏହା ତ ସେମାନଙ୍କର ଚମତ୍କାରୀ ଅଟେ, ଏବେ ସବୁ ଡବଲ ବିଦେଶୀମାନେ ହାତ ଉଠାଅ । ଦେଖ କେତେ ଆସିଛନ୍ତି! ସେମାନଙ୍କ ପାଇଁ ଯେଉଁ ସ୍ପେଶାଲ ପାଳିଥିଲା ତାହା ତ ସରିଗଲାଣି ପୁଣି ବି ଦେଖ କେତେ ଆସିଛନ୍ତି । ସେଥିପାଇଁ ଅଭିନନ୍ଦନ । ଆସିଛ ବହୁତ ଭଲ କରିଛ, ବହୁତ ବହୁତ ଅଭିନନ୍ଦନ ।

ତେଣୁ ଶୁଣିଲ ତ ଏବେ କ’ଣ କରିବ? ତେବେ ଏହି ସିଜିନ୍‌ରେ କ’ଣ କ’ଣ ସବୁ କରିବ, ତାହାର ହୋମୱାର୍କ ତ ଦେଇ ଦେଲୁ । ଏବେ ନିଜକୁ ଠିକ୍ ଭାବରେ ହୃଦୟଙ୍ଗମ କର, ଅନ୍ୟକୁ ନୁହେଁ ଏବଂ ସହି ସୁନା ହୁଅ କାହିଁକି ନା ବାପଦାଦା ଚାହୁଁଛନ୍ତି ଯିଏ ବି ମେରା ବାବା ଶବ୍ଦ କହୁଛି ସେ ମୋ’ ସାଥିରେ ସାଥୀ ହୋଇ ଘରକୁ ଯାଆନ୍ତୁ, ବରଯାତ୍ରୀ ହୋଇଯାଆନ୍ତୁ ନାହିଁ । ଶ୍ରୀମତର ହାତଧରି ବାପଦାଦାଙ୍କ ସହିତ ଘରକୁ ଚାଲନ୍ତୁ, ପୁଣି ବ୍ରହ୍ମାବାବାଙ୍କ ସହିତ ପ୍ରଥମେ ପ୍ରଥମେ ରାଜ୍ୟରେ ଆସନ୍ତୁ । ମଜା ତ ପ୍ରଥମେ ନୂଆ ଘରେ ଥାଏ ନା । ଏକ ମାସ ପରେ ମଧ୍ୟ କୁହାଯିବ ଏକ ମାସର ପୁରୁଣା ଅଟେ । ନୂଆ ଘର, ନୂଆ ଦୁନିଆ, ନୂଆ ଚାଲିଚଳଣ, ନୂଆ ପ୍ରଥା-ପରମ୍ପରା ସହିତ ବ୍ରହ୍ମାବାବାଙ୍କ ସହ ରାଜ୍ୟ କରିବା ପାଇଁ ଆସ । ସମସ୍ତେ କହୁଛନ୍ତି ନା ବ୍ରହ୍ମାବାବାଙ୍କ ସହିତ ଆମର ବହୁତ ସ୍ନେହ ଅଛି, ତେବେ ସ୍ନେହର ଲକ୍ଷଣ କ’ଣ? ସାଥିରେ ରହିବା, ସାଥୀ ହୋଇଯିବା ଏବଂ ସାଥୀରେ ଆସିବା, ଏହା ହିଁ ସ୍ନେହର ଚିହ୍ନ ଅଟେ । କ’ଣ ପସନ୍ଦ ତ? ସାଥୀରେ ରହିବା, ସାଥୀରେ ଯିବା, ସାଥୀରେ ଆସିବା, ପସନ୍ଦ ତ? କ’ଣ କହୁଛ? ତେବେ ଯେଉଁ ଜିନିଷ ପସନ୍ଦ ହୋଇଥାଏ ତାକୁ କ’ଣ ଛାଡି ଦିଅନ୍ତି କି! ତେବେ ବାବାଙ୍କର ସବୁ ପିଲାଙ୍କ ସହିତ ପ୍ରୀତିର ରୀତି ଏହା ହିଁ ଅଟେ - ସାଥୀରେ ହିଁ ଚାଲନ୍ତୁ ପଛେ ପଛେ ନୁହେଁ । ଯଦି କିଛି ବି ବାକି ରହିଥିବ ତେବେ ଧର୍ମରାଜର ଦଣ୍ଡ ଭୋଗ କରିବା ପାଇଁ ଅଟକିବାକୁ ପଡିବ । ହାତ ଧରି ଯାଇପାରିବ ନାହିଁ ତେଣୁ ପଛେ ପଛେ ଆସିବ । ତେବେ ମଜା କେଉଁଥିରେ ଅଛି? ସାଥୀ ହୋଇ ଯିବାରେ ମଜା ଅଛି ନା! ତେବେ ତୁମମାନଙ୍କର ସାଥୀରେ ଯିବାର ପ୍ରତିଜ୍ଞା ତ ପକ୍କା ଅଟେ ନା! ନା ପଛେ ପଛେ ଯିବାର ଅଛି? ଦେଖ ହାତ ତ ବହୁତ ଭଲ ଉଠାଇ ଦେଉଛ । ହାତକୁ ଦେଖି ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି କିନ୍ତୁ ଶ୍ରୀମତର ହାତ ଉଠଅ । କାହିଁକି ନା ଯିବା ସମୟରେ ଶିବାବାବାଙ୍କର ତ ହାତ ନ ଥିବ, ବ୍ରହ୍ମାବାବାଙ୍କ ଆତ୍ମାର ମଧ୍ୟ ହାତ ନ ଥିବ, ତୁମମାନଙ୍କର ମଧ୍ୟ ଏହି ସ୍ତୁଳ ହାତ ନଥିବ, ତେଣୁ କେବଳ ଶ୍ରୀମତ ରୂପୀ ହାତକୁ ଧରିଥିଲେ ହିଁ ସାଥୀରେ ଯାଇପାରିବ । କ’ଣ ଯିବ ତ! ମୁଣ୍ଡ ତ ହଲାଅ । ଆଚ୍ଛା, ହାତ ହଲାଉଛନ୍ତି । ବାପଦାଦା ଚାହୁଛଁନ୍ତି ଯେ ମୋର ଗୋଟିଏ ବି ସନ୍ତାନ ପଛରେ ନ ରହୁ, ସମସ୍ତେ ସାଥୀରେ ଚାଲନ୍ତୁ । ସେଥିପାଇଁ ସଦା ପ୍ରସ୍ତୁତ ହୋଇ ରହିବାକୁ ହେବ । ଆଚ୍ଛା!

ଏବେ ବାପଦାଦା ଚାରିଆଡର ପିଲାମାନଙ୍କର ଖାତାକୁ ଚେକ୍ କରିବେ । ପ୍ରତିଜ୍ଞା ଅର୍ଥାତ୍ ୱାଇଦା ତ କରିଛ କିନ୍ତୁ ସେଥିରୁ ଫାଇଦା ଉଠାଉଛ କି ନାହିଁ । ତେଣୁ କେବଳ ୱାଇଦା କର ନାହିଁ, ଫାଇଦା ମଧ୍ୟ ଉଠାଅ । ଆଚ୍ଛା, ଏବେ ସମସ୍ତେ ଗୋଟିଏ ଦୃଢ ସଂକଳ୍ପ କରିବ! ତେବେ ଦୃଢ ସଂକଳ୍ପର ସ୍ଥିତିରେ ସ୍ଥିତ ହୋଇ ବସ, ମୋତେ କରିବାକୁ ହିଁ ହେବ, ଚାଲିବାକୁ ହିଁ ହେବ । ମୁଁ ବାବାଙ୍କ ସାଥୀରେ ହିଁ ଯିବି - ଏବେ ଏହି ଦୃଢ ସଂକଳ୍ପ ନିଜ ସହିତ କର । ଏହି ସ୍ଥିତିରେ ବସିଯାଅ । କରିବି, ଦେଖିବି, ହୋଇଯିବି..... ଏଭଳି କର ନାହିଁ, କରିବାକୁ ହିଁ ହେବ ।

ସବୁଆଡର ଡବଲ ସେବାଧାରୀ ପିଲାମାନଙ୍କୁ, ଚାରିଆଡର ସର୍ବଦା ଏକାଗ୍ରତାର ତଥା ସ୍ୱମାନର ଆସନ ଉପରେ ସ୍ଥିତ ରହୁଥିବା ବାପଦାଦାଙ୍କର ମସ୍ତକମଣୀ ଆତ୍ମାମାନଙ୍କୁ, ଚାରିଆଡର ସମୟର ମହତ୍ୱକୁ ଜାଣି ତୀବ୍ର ପୁରୁଷାର୍ଥର ପ୍ରମାଣ ହେଉଥିବା ସୁପୁତ୍ର ପିଲାମାନଙ୍କୁ, ଚାରିଆଡର ଉମଙ୍ଗ-ଉତ୍ସାହର ଡେଣା ଦ୍ୱାରା ସର୍ବଦା ଉଡୁଥିବା ଏବଂ ଉଡାଉଥିବା ଡବଲ ଲାଇଟ୍ ଫରିସ୍ତା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ଦାଦିମାନଙ୍କ ସହିତ:- ସମସ୍ତେ ପରସ୍ପରକୁ ସାଥୀରେ ଧରି ଚାଲୁଛ - ଏଥିରେ ବାଦଦାଦା ଖୁସି ହେଉଛନ୍ତି, ସମସ୍ତେ ନିଜର ବିଶେଷତାର ଆଙ୍ଗୁଳି ଲଗାଉଛନ୍ତି (ଦାଦିଜୀଙ୍କୁ) ସମେସ୍ତ ଆଦିରତ୍ନମାନଙ୍କୁ ଦେଖି ଖୁସି ହେଉଛନ୍ତି ନା । ସେମାନେ ଆଦି ସମୟଠାରୁ ଆଜି ପର୍ଯ୍ୟନ୍ତ ସେବାରେ ହାଡଭଙ୍ଗା ମେହନତ କରି ଆସିଛନ୍ତି । ବହୁତ ଦିଲ୍‌ର ସହିତ ସେବା କରିଛନ୍ତି, ବହୁତ ଭଲ । ଦେଖ ଯଦି କିଛି ବି ଦେହ ଖରାପ ହୋଇଥାଏ, ଚାହେଁ ବିଛଣା ଉପରେ ଥାଆନ୍ତୁ, ଚାହେଁ ଯେଉଁଠି ବି ଥାଆନ୍ତୁ କିନ୍ତୁ ବାବାଙ୍କୁ କେବେ ବି ଭୁଲି ନାହାଁନ୍ତି । ଏମାନଙ୍କ ଦିଲ୍ ଭିତରେ ବାବା ସମାହିତ ଅଟନ୍ତି । ଠିକ୍ କଥା ନା । ଦେଖ ସେ କେତେ ଭଲ ମୁରୁକୀ ହସୁଛନ୍ତି । ବାକି ଆୟୁଷ ମଧ୍ୟ ଅଧିକ ହୋଇଗଲାଣି, ଧର୍ମରାଜପୁରୀକୁ ତ ଟା ଟା କରିଯିବାର ଅଛି ନା, ଦଣ୍ଡ ତ ପାଇବାର ନାହିଁ, ବରଂ ଧର୍ମରାଜକୁ ମଧ୍ୟ ମୁଣ୍ଡ ନୁଆଁଇବାକୁ ପଡିବ । ସ୍ୱାଗତ କରିବାକୁ ପଡିବ ନା । ଟା ଟା କରିବାକୁ ପଡିବ, ସେଥିପାଇଁ ଏଠାରେ ବାବାଙ୍କ ସ୍ମୃତିରେ ଅଳ୍ପ ଅଳ୍ପ ହିସାବ କିତାବ ପୂରା କରିବାକୁ ପଡୁଛି । ବାକି କଷ୍ଟ କିଛି ବି ନାହିଁ, ରୋଗ ଯଦିଓ ଅଛି କିନ୍ତୁ ଦୁଃଖର ମାତ୍ରା ଆଦୌ ନାହିଁ । (ପରଦାଦୀ ଅର୍ଥାତ୍ ନିର୍ମଳା ଶାନ୍ତା ଦିଦିଙ୍କୁ) ଏଇ ବହୁତ ହସୁଛନ୍ତି । ସମସ୍ତଙ୍କୁ ଦୃଷ୍ଟି ଦିଅ । ଆଚ୍ଛା!

ବରଦାନ:-
ବାହ୍ୟମୁଖୀ ଚତୁରତାଠାରୁ ମୁକ୍ତ ରହୁଥିବା ବାବାଙ୍କର ପସନ୍ଦ ସଚ୍ଚା ସୌଦାଗର ହୁଅ ।

ବାପଦାଦାଙ୍କୁ ଦୁନିଆର ବାହ୍ୟମୁଖୀ ଚତୁରତା ଆଦୌ ପସନ୍ଦ ନୁହେଁ । କଥାରେ ଅଛି ଭୋଳାମାନଙ୍କର ଭଗବାନ । ଚତୁର ସୁଜାନ ଅର୍ଥାତ୍ ସମସ୍ତଙ୍କଠାରୁ ଚତୁର ବାବାଙ୍କୁ ଭୋଳା ପିଲାମାନେ ହିଁ ପସନ୍ଦ ଅଟନ୍ତି । ପରମାତ୍ମ ରେଜିଷ୍ଟରରେ ଭୋଳା ପିଲାମାନେ ହିଁ ବିଶେଷ ଭି.ଆଇ.ପି. ଅଟନ୍ତି । ଯେଉଁମାନଙ୍କ ଆଡକୁ ଦୁନିଆର ଲୋକମାନଙ୍କର ଦୃଷ୍ଟି ଯାଏ ନାହିଁ - ସେହିମାନେ ହିଁ ବାବାଙ୍କଠାରୁ ସୌଦା କରି ପରମାତ୍ମାଙ୍କର ନୟନର ତାରା ହୋଇଯାଇଛନ୍ତି । ଭୋଳା ପିଲାମାନେ ହିଁ ଦିଲ୍‌ର ସହିତ କହିଥାଆନ୍ତି "ମେରାବାବା" ଏହି ଗୋଟିଏ ସେକେଣ୍ଡର ଏହି ଗୋଟିଏ ଶବ୍ଦ ଦ୍ୱାରା ଅସରନ୍ତି ସମ୍ପତ୍ତିର ସୌଦା କରୁଥିବା ସଚ୍ଚା ସୌଦାଗର ହୋଇଯାଇଛନ୍ତି ।

ସ୍ଲୋଗାନ:-
ଯଦି ସମସ୍ତଙ୍କଠାରୁ ସ୍ନେହ ପ୍ରାପ୍ତ କରିବାକୁ ଚାହୁଁଛ ତେବେ ମୁଖ ଦ୍ୱାରା ସର୍ବଦା ମିଠା କଥା କୁହ ।

ଅବ୍ୟକ୍ତ ଈଶାରେ :- ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ । ଯେଉଁ ଆତ୍ମାମାନେ ସର୍ବଦା ବାବାଙ୍କର ସ୍ମୃତିରେ ଲଭଲୀନ ଅର୍ଥାତ୍ ସମାହିତ ହୋଇ ରହିଛନ୍ତି, ସେମାନଙ୍କ ନୟନରେ ଏବଂ ମୁଖର ପ୍ରତ୍ୟେକ ବାଣୀରେ ବାବା ସମାହିତ ହୋଇ ରହିଥିବା କାରଣରୁ ସେମାନଙ୍କ ଭିତରେ ଶକ୍ତି ସ୍ୱରୂପ ଆତ୍ମା ପରିବର୍ତ୍ତେ ସର୍ବଶକ୍ତିବାନ ବାବା ଦେଖାଯାଇଥାଆନ୍ତି । ଯେପରି ସ୍ଥାପନାର ଆଦି ସମୟରେ ବ୍ରହ୍ମାଙ୍କର ରୂପ ଭିତରେ ସର୍ବଦା ଶ୍ରୀକୃଷ୍ଣ ହିଁ ଦେଖାଯାଉଥିଲେ, ସେହିପରି ତୁମମାନଙ୍କ ଦ୍ୱାରା ସର୍ବଶକ୍ତିବାନ୍ ବାବା ହିଁ ଦେଖାଯାଆନ୍ତୁ । ସୂଚନା:- ଆଜି ମାସର ତୃତୀୟ ରବିବାର, ସମସ୍ତ ରାଜଯୋଗୀ, ତପସ୍ୱୀ ଭାଇ ଭଉଣୀମାନେ ସଂଧ୍ୟା ୬.୩୦ ମି. ଠାରୁ ୭.୩୦ ମି ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ କରିବା ସମୟରେ ନିଜର ପୂର୍ବଜ ପଣିଆର ସ୍ୱମାନରେ ସ୍ଥିତ ହୋଇ କଳ୍ପବୃକ୍ଷର ମୂଳରେ ବସି ସାରା ବୃକ୍ଷକୁ ଶକ୍ତିଶାଳୀ ଯୋଗର ଦାନ ଦେବା ସହିତ ନିଜର ବଂଶାବଳୀମାନଙ୍କର ଦିବ୍ୟ ପାଳନା କରିବା ହେବେ ।